ଚିଲିକା ହ୍ରଦ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ସାହିତ୍ୟ କୁସୁମ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୪୯
- ସ୍ଥିତି
- ସାର୍ବଜନୀନ (Public domain)
ଆମ୍ଭମାନଙ୍କର ଜନ୍ମଭୂମି ଓଡ଼ିଶାର ଦକ୍ଷିଣ-ପୂର୍ବ କୋଣରେ ଚିଲିକା ନାମରେ ଗୋଟିଏ ବୃହତ୍ ହ୍ରଦ ଅଛି । ଓଡ଼ିଶାର ପୂର୍ବ ସୀମାରେ ଯେଉଁ ବଙ୍ଗୋପସାଗର ଅଛି, ସେଥିର କିୟଦଂଶ ଗୋଟିଏ ସଜଦୀର୍ଘ ବାଲୁକାପ୍ରାଚୀନ ଦ୍ୱାରା କାଳକ୍ରମେ ସମୁଦ୍ରରୁ ବୀଚ୍ଛିନ୍ନ ହୋଇ ଚିଲିକା ହ୍ରଦ ରୂପରେ ପରିଣତ ହୋଇଅଛି । ଏହି ବାଲୁକାପ୍ରାଚୀରର ପ୍ରସ୍ଥ ଚାରିଶହ ହସ୍ତରୁ ଅଧିକ ଅଟେ । ପଶ୍ଚମରେ ପର୍ବତଶ୍ରେଣୀ କାହିଁ ହ୍ରଦର ତଟ ଉପରେ ଲମ୍ବଭାବରେ ଦଣ୍ଡାୟମାନ ରହିଅଛି, କାହିଁ ଅବା ବହୁ ଦୂର ପର୍ଯ୍ୟନ୍ତ ବିସ୍ତୃତ ହୋଇ ହ୍ରଦର ଗର୍ଭକୁ ଭେଦ କରୁଅଛି । ହ୍ରଦର ଦକ୍ଷିଣରେ ଅଳ୍ପୋଚ୍ଚ ପର୍ବତମାନ ଓଡ଼ିଶା ଓ ମାନ୍ଦ୍ରାଜ ପ୍ରଦେଶର ସୀମାନ୍ତରୂପେ ବିରାଜତ । ଉତ୍ତର ଦିଗରେ ବିଲ, ନଲବନ, କ୍ଷୁଦ୍ର କ୍ଷୁଦ୍ର ଉଦ୍ଭିଦପୂର୍ଣ୍ଣ ଲୋକାଳୟ-ଶୂନ୍ୟ ଦ୍ୱୀପମାନ ରହିଅଛି । ଯେଉଁ ବାଲୁକାପ୍ରାଚୀର କଥା ଉଲ୍ଲିଖିତ ହୋଇଅଛି, ତାହାମଧ୍ୟରେ ଗୋଟିଏ ସଂକୀର୍ଣ୍ଣ ପଥ ବା ମୁହାଣ ଅଛି । ସେହି ମୁହାଣ ଚିଲିକକୁ ସମୁଦ୍ର ସଙ୍ଗରେ ସଂଯୁକ୍ତ କରିଅଛି । ସେହି ମୁହାଣବାଟେ ସମୁଦ୍ରରୁ ଜୁଆରପାଣି ଅତ୍ୟୁଚ୍ଚ ପ୍ରବାହାକାରରେ ଚିଲିକା ମଧ୍ୟରେ ମହାବେଗରେ ପ୍ରବେଶ କରେ ।
ଚିଲିକାର ଉତ୍ତର ଦିଗର ବିସ୍ତାର, ଦକ୍ଷିଣ ଦିଗର ବିସ୍ତାର ଅପେକ୍ଷା ଅତ୍ୟନ୍ତ ଅଧିକ । ଉତ୍ତର ପ୍ରାନ୍ତରେ ଏହାର ବିସ୍ତାର ପ୍ରାୟ ୨୦ କ୍ରୋଶ; ଦକ୍ଷିଣ ପ୍ରାନ୍ତର ବିସ୍ତାର ୩ କ୍ରୋଶରୁ ଅଧିକ ହେବ ନାହିଁ । ବର୍ଷା-କାଳରେ ଏହାର ଆୟତନ ପ୍ରାୟ ୮୮୦ ବର୍ଗମାଇଲ; କିନ୍ତୁ ଗୀଷ୍ମକାଳରେ ତାହା ପ୍ରାୟ ୧୦୦ ବର୍ଗମାଇଲ କମିଯାଏ । ଚିଲିକା ଗଭୀର ହ୍ରଦ ନୁହେଁ । ଦୁଇ ତିନୋଟି ଗଣ୍ଡ ବା ଗଭୀର ପ୍ରଦେଶ ଛାଡ଼ିଦେଲେ ଏହାର ଗଭୀରତା ଚାରି ହାତରୁ ଅଧିକ ହେବ ନାହିଁ । ଶୀତ, ବସନ୍ତ ଓ ଗ୍ରୀଷ୍ମ କାଳରେ ଚିଲିକାର ଜଳ ସମୁଦ୍ର ଜଳପରି ଲୁଣିଆ ଥାଏ; କିନ୍ତୁ ବର୍ଷାକାଳରେ ଦୟା, ଭାର୍ଗବୀ ନଦୀର ଜଳ ସେଥିମଧ୍ୟରେ ମହାପ୍ରବାହରେ ମହାପ୍ରବାହରେ ପ୍ରବେଶ କରି ଲୁଣିଆ ଜଳକୁ ମଧୁର କରିଦିଏ ।
ଚିଲିକାର ଦୃଶ୍ୟ ଅତି ବିଚିତ୍ର ଓ ସୁନ୍ଦର । ପଶ୍ଚିମ ଦିଗରେ ପ୍ରାଚୀରାକୃତି ଭାଲେରୀ ପର୍ବତର ନାସି କ୍ରମନିମ୍ନ ହୋଇ ଚିଲିକାର ଜଳରାଶି ଭେଦ କରୁଅଛି ଏବଂ ଜଟିଆ ନାମକ ସୁଶ୍ୟାମାଳ ଗିରି ଜଳମଧ୍ୟରେ ଉଭା ରହିଅଛି । ସୋଲରୀ ନାମକ ବିମାନାକୃତି ବିଶାଳ ଗିରି ଆପଣାର ସୁନୀଳ ଉଦାର ଶୋଭା ପ୍ରକାଶ କରୁଅଛି । ପାରିକୁଦ, ମାଲୁଦ ପ୍ରଭୃତି ଜଳମଧ୍ୟସ୍ଥିତ ଦ୍ୱୀପପୁଞ୍ଜ ନଳବନ ଓ ଶସ୍ୟକ୍ଷେତ୍ରର ଶୋଭାରେ ଶୋଭିତ । ହଂସ, ବଳ, ହଂସରାଳି, କାଦମ୍ବ, ଚକ୍ରବାକ ପ୍ରଭୃତି ଲକ୍ଷ ଲକ୍ଷ ବିହଙ୍ଗ ଚିଲିକାର ତରଙ୍ଗ ଉପରେ ଭାସୁଅଛନ୍ତି, ଅଥବା ଊର୍ଦ୍ଧ୍ୱରେ ଉଡ଼ି ହ୍ରଦକୁ ସେମାନଙ୍କର ନିସ୍ୱନ-ଦ୍ୱାରା ଶବ୍ଦାୟମାନ କରୁଅଛନ୍ତି । ଲକ୍ଷ ଲକ୍ଷ ଶୁଭ୍ରବର୍ଣ୍ଣ ମତ୍ସ୍ୟ ଚିଲିକାର ଜଳରେ ଆନନ୍ଦରେ ସନ୍ତରଣ କରୁଅଛନ୍ତି । ମଗର, ଶିଶୁମାର, ସାଙ୍କୁଚ ପ୍ରଭୃତି ଜଳବାସୀ ଜୀବମାନେ ଚିଲିକାର ସଲିଳରେ ଏଣେତେଣେ ବିଚରଣ କରୁଅଛନ୍ତି । ଚିଲିକା ଏହିପରି ନାନା ଶୋଭାର ଆଧାର ହୋଇ ଦର୍ଶକର ମନହରଣ କରୁଅଛି । ନାରୀକେଳ, ଗୁବାକ, ପନସ, ଆମ୍ର, ତମାଳ, ନାଗେଶ୍ୱର, ଚମ୍ପକ, ଅଶୋକ, କଦମ୍ବ, ବଟ, ଅଶ୍ୱତ୍ଥ, ଶାଳ୍ମଳୀ ଓ ବିଲ୍ୱ ପ୍ରଭୃତି ବୃକ୍ଷମାଳାରେ ଶୋଭିତ ହୋଇ ତଟବର୍ତ୍ତୀ ଗ୍ରାମମରନ ସୁଶ୍ୟାମଳ ଓ ସ୍ନିଗ୍ଧ ଦିଶୁଅଛି । କବିବର ରାଧାନାଥ ଚିଲିକାକୁ ଶୋକପାସୋରା ଅପ୍ସରାଭୁବନ ଓ ପ୍ରକୃତିର ଚାରୁ ଚିତ୍ରଶାଳା ବୋଲି ବର୍ଣ୍ଣନା କରିଅଛନ୍ତି ।
ସମ୍ବନ୍ଧିତ ରଚନା
ମନୁଷ୍ୟର ଧର୍ମବୁଦ୍ଧି
ମଧୁସୂଦନ ରାଓ
ଦ୍ୱିତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ତୃତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ବର୍ତ୍ତମାନ ଶିକ୍ଷାପ୍ରଣାଳୀ
ମଧୁସୂଦନ ରାଓ