ସଫଳ ସ୍ୱପ୍ନ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ସାହିତ୍ୟ କୁସୁମ
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୫୧୬
- ସ୍ଥିତି
- ସାର୍ବଜନୀନ (Public domain)
ଏକଦା ଜଣେ ଅଶ୍ୱାରୋହୀ ଯୁବାପୁରୁଷ ମୃଗୟା ନିମିତ୍ତ ଗାନ୍ଧାର ଦେଶର ଗୋଟିଏ ନିବିଡ଼ ବନରେ ଭ୍ରମଣ କରୁଥିଲେ । ବହୁକ୍ଷଣ ବନମଧ୍ୟରେ ଭ୍ରମଣ କଲାଉତ୍ତାରେ ଗୋଟିଏ ବିସ୍ତୀର୍ଣ୍ଣ ପ୍ରାନ୍ତର ତାହାଙ୍କର ନୟନଗୋଚର ହେଲା । ସେ କିଛି ଦୂର ଅଗ୍ରସର ହୋଇ ଦେଖିଲେ ଯେ, ପ୍ରନ୍ତର ମଧ୍ୟରେ ଗୋଟିଏ ହରିଣୀ ତାହାର ଶାବକ ସହିତ ତୃଣ ଭକ୍ଷଣ କରୁଅଛି । ସେ ଦ୍ରୁତପଦରେ ଯାଇ କ୍ଷୁଦ୍ର ହରଣଶିଶୁଟିକୁ ଧରିପକାଇଲେ । ହରିଣୀ ଭୟରେ କିଛି ଦୂର ପଳାଇଗଲେ । ଆଜି ଉତ୍ତମ ଆହାର ମିଳିଅଛି, ଏହା ମନରେ ଭାବି ଅଶ୍ୱାରୋହୀ ହୃଷ୍ଟଚିତ୍ତରେ ମୃଗଶାବକକୁ ଘୋଟକ ଉପରେ ଥୋଇ ଅଗ୍ରସର ହେବରକୁ ଲାଗିଲେ । ଏମନ୍ତେ ସମୟରେ ଦେଖିଲେ ଯେ, ହରିଣୀ ଦୂରରେ ଛିଡ଼ା ହୋଇ ଊର୍ଦ୍ଧ୍ୱମୁଖରେ ଅଶ୍ରୁପୂର୍ଣ୍ଣ ଲୋଚନରେ ସେହି ପଥିକ ଏବଂ ତାହାର ଶାବକ ପ୍ରତି ବାରମ୍ବାର ବ୍ୟାକୁଳ ଦୃଷ୍ଟିପାତ କରୁଅଛି । ପଶୁପ୍ରାଣରେ ସନ୍ତାନ ପ୍ରତି ଏପରି ବାତ୍ସଲ୍ୟ ଥିବାର ଦେଖି ସେହି ଯୁବା ପୁରୁଷଙ୍କର ହୃଦୟ ଦୟାରେ ବିଗଳିତ ହେଲା ଏବଂ ସେ ମୃଗଶିଶୁର ବନ୍ଧନ ମୋଚନ ନ କରି ରହିପାରିଲେ ନାହିଁ । ଶାବକକୁ ପୁନଃ ପ୍ରାପ୍ତ ହୋଇ ହରିଣୀ ପଥିକ ଆଡ଼କୁ ଆନନ୍ଦାଶ୍ରୁପୂର୍ଣ୍ଣ ନୟନରେ ଅନାଇ ବନ ମଧ୍ୟକୁ ଚାଲିଗଲା । ପଥିକ ମଧ୍ୟ ନିଜ ହୃଦୟମଧ୍ୟରେ ପୁଣ୍ୟକର୍ମର ପବିତ୍ର ଆନନ୍ଦ ଅନୁଭବ କରିବାକୁ ଲାଗିଲେ । କିଛିକ୍ଷଣ ଉତ୍ତାରେ ସେହି ବନମଧ୍ୟରେ ରାତ୍ରି ଉପସ୍ଥିତ ହେବାରୁ ଅଶ୍ୱାରୋହୀ ଗୋଟିଏ ବୃକ୍ଷମୂଳରେ ଆଶ୍ରୟ ଗ୍ରହଣ କରି ସେହିଠାରେ ନିଦ୍ରାଗଲେ । ନିଦ୍ରାବସ୍ଥାରେ ସେ ଗୋଟିଏ ଆଶ୍ଚର୍ଯ୍ୟ ସ୍ୱପ୍ନ ଦେଖିଲେ । ସ୍ୱପ୍ନରେ ଗୋଟିଏ ଜ୍ୟୋତିର୍ମ୍ମୟ ଦେବମୂର୍ତ୍ତି ତାହାଙ୍କ ସମ୍ମୁଖରେ ଉଭା ହୋଇ ପ୍ରସନ୍ନ ନୟନରେ ତାଙ୍କ ଆଡ଼କୁ ଅନାଇ କହିଲେ, ‘‘ହେ ବତ୍ସ, ତୁମ୍ଭେ ଆଜି ଯେଉଁ ସୁକୃତ କରିଅଛି, ସେଥି ନିମିତ୍ତ ପରାତ୍ପର ପରମେଶ୍ୱର ତୁମ୍ଭ ପ୍ରତି ତୁଷ୍ଟ ହୋଇଅଛନ୍ତି ଏବଂ ତାଙ୍କ କୃପାରେ ତମ୍ଭେ ଅଳ୍ପକାଳମଧ୍ୟରେ ଗଜନୀ ନଗରର ଅଧିପତି ହେବ । ସାବଧାନ, ସାବଧାନ, ଐଶ୍ୱର୍ଯ୍ୟମଦରେ ମତ୍ତ ହୋଇ ଜୀବମାନଙ୍କ ପ୍ରତି ନିର୍ଦ୍ଦୟ ବ୍ୟବହାର କରିବ ନାହିଁ ।’’ ଏହା କହି ଦେବମୂର୍ତ୍ତି ଅନ୍ତର୍ହିତ ହୂଅନ୍ତେ ତାହାଙ୍କର ନିଦ୍ରା ଭାଙ୍ଗିଗଲା ।
ପରଦିନ ପ୍ରାତଃକାଳରେ ସେ ପୁନର୍ବାର ବନମଧ୍ୟରେ ଗମନ କରିବାକୁ ଲାଗିଲେ । ଯାଉଁ ଯାଉଁ ବାଟରେ ଦେଖିଲେ ଏକ ସ୍ଥାନରେ ଅନେକଗୁଡ଼ିଏ ଭୀଷଣାକୃତି ଲୋକ ବସି ରହିଅଛନ୍ତି-। ସେମାନେ ପଥିକକୁ ଅସହାୟ ଦେଖି ତାହାଙ୍କୁ କହିଲେ, ‘‘ତୋ ନିକଟରେ ଯାହା ଅଛି ଦେଇଯା ନ ଦେଲେ ତୋର ପ୍ରାଣନାଶ କରିବୁଁ ।’’ ପଥିକ କିଛିମାତ୍ର ଭୀତ ନ ହୋଇ ଉତ୍ତର କଲେ, ‘‘କି ଭୟ ଦେଖାଉଅଛ ? ମୁଁ ମୃତ୍ୟୁକୁ ସୁଦ୍ଧା ଭୟ କରେ ନାହିଁ !’’ ଏହା ଶୁଣି କ୍ରୋଧାନ୍ଧ ହୋଇ ସେହି ଦୁଷ୍ଟ ଦସ୍ୟୁମାନେ ତାହାଙ୍କୁ ଆକ୍ରମଣ କଲେ । ତହିଁ ସେ ପଥିକ ନିଜ ତରବାରି ଦ୍ୱାରା ଆତ୍ମରକ୍ଷା କରିବାକୁ ଲାଗିଲେ । କିନ୍ତୁ ଦସ୍ୟୁମାନଙ୍କର ସଂଖ୍ୟା ଅନେକ ଥିବାରୁ ସେ ଅବଶେଷରେ ବାହୁରେ ଆଘାତପ୍ରାପ୍ତ ହୋଇ ଆଉ ଶସ୍ତ୍ରଚାଳନା କରି ପାରିଲେ ନାହିଁ । ଦସ୍ୟୁମାନେ ତାହାଙ୍କୁ ବାନ୍ଧି ନିଜ ଘରକୁ ନେଇଗଲେ ଏବଂ କହିଲେ, ‘‘ତୁମ୍ଭର ସାହସ ଏବଂ ବଳ ଦେଖି ଆମ୍ଭେମାନେ ସନ୍ତୁଷ୍ଟ ହୋଇଅଛୁଁ । ତୁମ୍ଭେ ଆମ୍ଭମାନଙ୍କ ସଙ୍ଗରେ ମିଶି ଦସ୍ୟୁବୃତ୍ତି ଅବଲମ୍ୱନ କର ।’’ ପଥିକ ଏପରି ନୀଚ ଓ ନିଷ୍ଠୁର କର୍ମ କରିବାକୁ ଅସମ୍ମତ ହେବାରୁ ସେମାନେ ଜଣେ ଦାସକ୍ରେତାଠାକୁ କିଛି ମୂଲ୍ୟ ଦେଇ ତାହାଙ୍କୁ ବିକ୍ରୟ କରିଦେଲେ । ଊକ୍ତ ଦାସକ୍ରେତା କିଛିଦିନ ଉତ୍ତାରେ ତାହାଙ୍କୁ ଗଜନୀ ଅଧିପତି ଅଲପ୍ତଗୀନ୍ଙ୍କଠାରେ ବିକ୍ରୟ କଲା । ଦାସ କିଛିକାଳ ଉକ୍ତ ରାଜାଙ୍କର ଆଶ୍ରୟରେ ରହି ତାହାଙ୍କୁ ନିଜ ଧର୍ମପରାୟଣତା ଓ କର୍ମଠତା ପ୍ରଭୃତି ଗୁଣଦ୍ୱାରା ସନ୍ତୁଷ୍ଟ କରିବାରୁ ସେ ତାହାଙ୍କୁ ଦାସତ୍ୱରୁ ମୁକ୍ତ କରି କ୍ରମେ କ୍ରମେ ଉଚ୍ଚ ପଦମାନଙ୍କରେ ନିଯୁକ୍ତ କଲେ । ଅବଶେଷରେ ସେ ରାଜାଙ୍କର ମନ୍ତ୍ରୀ ଏବଂ ବ୍ୟକ୍ତି ସହାୟସମ୍ପତ୍ତିହୀନ ହୋଇ ବନରେ ଭ୍ରମଣ କରୁ କରୁ ଦାସରୂପେ ବିକ୍ରୀତ ହୋଇଥିଲେ, ସେ ବର୍ତ୍ତମାନ ଗୋଟିଏ ବିପୁଳ ରାଜ୍ୟର ସୈନ୍ୟାଧ୍ୟକ୍ଷ ଓ ପ୍ରଧାନମନ୍ତ୍ରୀରୂପେ ପ୍ରତିଷ୍ଠିତ ହେଲା ! କିଛିକାଳ ପରେ ବିଧାତା ତାହାଙ୍କୁ ଆହୁରି ଉଚ୍ଚପଦ ପ୍ରଦାନ କଲେ । ଅଲପ୍ତଗୀନ୍ ରାଜାଙ୍କର ଗୋଟିଏ ପରମାସୁନ୍ଦରୀ କନ୍ୟା ଥିଲା ଏବଂ ସେହି କନ୍ୟାଟି ରାଜାଙ୍କର ଏକମାତ୍ର ଅପତ୍ୟ ଥିଲା । ରାଜା ଅନୁସନ୍ଧାନ ଦ୍ୱାରା ଜାଣିଲେ ଯେ ତାହାଙ୍କର ନୂତନ ମନ୍ତ୍ର ଏବଂ ସୈନ୍ୟାଧ୍ୟକ୍ଷ ଉଚ୍ଚବଂଶରେ ଜାତ । ଇତିପୂର୍ବେ ରାଜା ତାଙ୍କର ବଳବୀର୍ଯ୍ୟ, ରୂପ ଓ ଗୁଣରେ ମୁଗ୍ଧ ହୋଇଥିଲେ । ବର୍ତ୍ତମାନ ତାହାଙ୍କର ଉଚ୍ଚକୁଳରେ ପ୍ରସୁତ ହୋଇଥିବାରୁ ଜାଣି ତାହାଙ୍କୁ ନିଜ କନ୍ୟା ସମ୍ପ୍ରଦାନ କରିବାର ଇଚ୍ଛା ପ୍ରକାଶ କଲେ ଏବଂ କିଛି ଦିନ ଉତ୍ତାରେ ମହା-ସମାରୋହରେ ନିଜ କନ୍ୟାର ବିବାହ ସମ୍ପନ୍ନ କଲେ- ! ରାଜା ଅଲପ୍ତଗୀନଙ୍କର ମୃତ୍ୟୁପରେ ତାହାଙ୍କର ଜୀମାତା ରାଜ୍ୟଧିପତି ହୋଇ ସବକ୍ତଗୀନ୍ ନାମରେ ବିଖ୍ୟାତ ହେଲେ । ଏହି ପ୍ରକାରେ ତାହାଙ୍କର ସ୍ୱପ୍ନ ସଫଳ ହେଲା ।
ସମ୍ବନ୍ଧିତ ରଚନା
ଚିଲିକା ହ୍ରଦ
ମଧୁସୂଦନ ରାଓ
ମନୁଷ୍ୟର ଧର୍ମବୁଦ୍ଧି
ମଧୁସୂଦନ ରାଓ