ଦ୍ୱିତୀୟ ପ୍ରସ୍ତାବ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ପ୍ରବନ୍ଧ (2)
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୬୨
- ସ୍ଥିତି
- ସାର୍ବଜନୀନ (Public domain)
‘‘ଲୋକେ ତ ପୁରୁଣା ଧାରା ଛାଡ଼ିବେ ନାହିଁ, କଣ କରିବ ?’’ ଅନେକ ପାଠଶାଳା ଶିକ୍ଷକଙ୍କଠାରୁ ଏହି ନୈରାଶ୍ୟ ଉକ୍ତି ଶୁଣାଯାଏ । ଯେଉଁମାନେ ଏପରି କଥା କହନ୍ତି, ସେମାନଙ୍କର ଧୈର୍ଯ୍ୟ ଏବଂ ସହାନୁଭୂତି ନିତାନ୍ତ ଅଳ୍ପ ଅଟେ । ପୁରୁଣା ଧାରା କଣ, ଆଗେ ତାହା ବିଚାରିଦେଖ । ପୂର୍ବକାଳରେ ପାଠଶାଳାରେ ତାଳପତ୍ର ପୋଥି ପଠନ, ତାଳପତ୍ର ଲିଖନ, ଗଣିତ ଓ ଜମିଦାରୀ ସିରସ୍ତାର କେତେକ ବିଷୟ ପଠିତ ହେଉଥିଲା । ବର୍ତ୍ତମାନ ମଧ୍ୟ ସେହି ପାଠଶାଳାମାନଙ୍କରେ ପଠନ, ଲିଖନ, ଅଙ୍କ ଏବଂ ଜମିଦାରୀ ସିରସ୍ତା ପଠିତ ହେଉଅଛି । ପ୍ରଭେଦ ମଧ୍ୟରେ ଏତିକି ଯେ ବର୍ତ୍ତମାନ ପଠନ ବୋଇଲେ ଗଦ୍ୟ ଓ ପଦ୍ୟ ଉଭୟକୁ ବୁଝାଏ । ପୁସ୍ତକ ବୋଇଲେ ଛାପା ଏବଂ ହାତଲେଖା ପୋଥି ବୁଝାଏ । ଲେଖିବାର ସାମଗ୍ରୀ ବୋଇଲେ କାଗଜ ଓ ତାଳପତ୍ର ଉଭୟକୁ ବୁଝାଏ । ଗଦ୍ୟ, ଛାପାପୁସ୍ତକ ଏବଂ କାଗଜର ବ୍ୟବହାର ଓଡ଼ିଶାରେ ଅଳ୍ପଦିନ ହେଲା ଆରମ୍ଭ ହୋଇଅଛି । ଏହି ଅଳ୍ପ ସମୟ ମଧ୍ୟରେ ଲୋକ ଏହି ପଦାର୍ଥମାନଙ୍କର ବ୍ୟବହାର ବିଷୟରେ ଏତେଦୂର ଅଗ୍ରସର ହେଲେଣି ଯେ ଆଉ ଦଶ କୋଡ଼ିଏ ବର୍ଷ ମଧ୍ୟ କେହି ଏ ବିଷୟରେ କୈାଣସି ବାଧା ଦେବେନାହିଁ, ଏହା ନିଶ୍ଚୟ କଥା । ମୁସଲମାନ ଅଧିକାର ବହୁକାଳ ପୂର୍ବରୁ ହୋଇଥିବାରୁ, ବଙ୍ଗଦେଶରେ କାଗଜର ପ୍ରଚାର ପୂର୍ବରୁ ହୋଇଥିଲା । ଇଂରେଜ ଅଧିକାର ମଧ୍ୟ ପୂର୍ବରୁ ହୋଇଥିବାରୁ ବଙ୍ଗଦେଶରେ ଛାପା ଓ ଗଦ୍ୟ ପୁସ୍ତକର ପ୍ରଚାର ମଧ୍ୟ ସେହିପରି ବହୁପୂର୍ବରୁ ହୋଇଅଛି । ଓଡ଼ିଶାର ଅବସ୍ଥା ଭିନ୍ନପ୍ରକାର । ବଙ୍ଗଦେଶ ସହିତ ତୁଳନା କଲେ, ଓଡ଼ିଶାର ଶିକ୍ଷା ନିତାନ୍ତ ଶୈଶବାବସ୍ଥାରେ ଥିବାର ସମସ୍ତେ ସ୍ୱୀକାର କରିବେ । ଏହି ଅଳ୍ପକାଳ ମଧ୍ୟରେ, ବିଶେଷତଃ ଗତ ଦଶ ଏଗାର ବର୍ଷ ମଧ୍ୟରେ ଓଡ଼ିଶାର ଗ୍ରାମମାନଙ୍କରେ ଶିକ୍ଷାର ଅବସ୍ଥା ଅନେକ ବଦଳିଅଛି । ନୂଆରୀତି ପ୍ରତି ଲୋକଙ୍କର ମନ କ୍ରମଶଃ ପକ୍ଷପାତୀ ହେଉଅଛି । ମାତ୍ର କାହାଣୀର ପିଠାଗଛ ପରି ଏହି ପରିବର୍ତ୍ତନ ଯେ ଏକାଦିନକେ ଅଙ୍କୁରିବ, ପଲ୍ଲବିବ, ବଉଳିବ ଏବଂ ଫଳିବ, ଏପରି ଆଶା କରିବା ନିତାନ୍ତ ଅସଙ୍ଗତ ଅଟେ । ଏ ବିଷୟରେ ଧୈାର୍ଯ୍ୟ ଆବଶ୍ୟକ । ଶିକ୍ଷକ ଏହିସବୁ ବିଷୟରେ ବାହାରେ ଗ୍ରାମବାସୀଙ୍କର ଅଧୀନ ନହୋଇ ପ୍ରକୃତରେ ସେମାନଙ୍କର ନେତା ହେବେ । ଆମ୍ଭେମାନେ ପଲ୍ଲୀଗ୍ରାମମାନଙ୍କରେ ଅନେକ ଚତୁର ଶିକ୍ଷକ ଦେଖିଅଛୁ ଯେଉଁମାନେ ପୁରୁଣା ଓ ନୂଆ ଉଭୟ ରୀତିକୁ ମିଶାଇ ଏମନ୍ତ ଭାବରେ ଶିକ୍ଷା ଦିଅନ୍ତି ଯେ ଲୋକ ପରିବର୍ତ୍ତନର ବେଗ ଆଦୈା ଅନୁଭବ ନକରି ଧୀରେ ଧୀରେ ନୂଆ ରୀତି ଆଡ଼କୁ ଚାଲି ଆସନ୍ତି । ଏହିପରି କୈାଣସି ଶିକ୍ଷକଙ୍କ ପାଠଶାଳାରେ ଦିନେ ଆମ୍ଭେମାନେ ଉପସ୍ଥିତ ହୋଇ ଛାତ୍ରମାନଙ୍କୁ ବନାନରେ ପରୀକ୍ଷା କର ଆଶ୍ଚର୍ଯ୍ୟାନ୍ୱିତ ହେଲୁଁ । ଆମ୍ଭେ ଅନେକ ଥର ସେ ପାଠଶାଳାର କର୍ଯ୍ୟ ଦେଖିଦେଲୁଁ, ମାତ୍ର ଶିକ୍ଷକଙ୍କୁ କୈାଣସି ଦିନ ବନାନ ଶିଖାଇବାର ଦେଖିନଥିଲୁଁ । ବିନା ଶିକ୍ଷାରେ ଏପରି ସଫଳ କିରୂପେ ଫଳିଲା, ଶିକ୍ଷକଙ୍କୁ ଏହା ପଚାରିବାର ସେ କହିଲେ, ‘‘ଗ୍ରାମର ଲୋକ ନୂଆ ରୀତିର ବନାନ ଶିକ୍ଷାକୁ ସୁଖ ପାଆନ୍ତି ନାହିଁ । ବନା ତୁଣ୍ଡରେ ନ ପଚାରି, ପିଲାଙ୍କୁ ଖଡ଼ିରେ ଧାଡ଼ି ଧାଡ଼ି କରି ଶବ୍ଦ ଲେଖାଏଁ । ବିଶେଷତଃ ଗ୍ରାମବାସୀମାନେ ଥିଲେ, ସେମାନଙ୍କର ନାମ, ସେମାନଙ୍କର ବନ୍ଧୁବାନ୍ଧବର ନାମ, ଦେବାଦେବୀଙ୍କର ନାମ ଲେଖାଏଁ ଏବଂ ଭୁଲ ସବୁ ଖଡ଼ିରେ ଗୋଲା କରିଦିଏଁ । ଏ ରାତିରେ ପିଲାମାନେ ବନାନ ଶିଖନ୍ତି, ଗ୍ରାମବାସୀମାନେ ମଧ୍ୟ ବିରକ୍ତ ହୁଅନ୍ତି ନାହିଁ ।
ସମ୍ବନ୍ଧିତ ରଚନା
ମନୁଷ୍ୟର ଧର୍ମବୁଦ୍ଧି
ମଧୁସୂଦନ ରାଓ
ତୃତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ବର୍ତ୍ତମାନ ଶିକ୍ଷାପ୍ରଣାଳୀ
ମଧୁସୂଦନ ରାଓ
ପ୍ରଥମ ପ୍ରସ୍ତାବ
ମଧୁସୂଦନ ରାଓ