ପ୍ୟାରୀମୋହନ ଆଚାର୍ଯ୍ୟ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ସାହିତ୍ୟ କୁସୁମ
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୫୪୦
- ସ୍ଥିତି
- ସାର୍ବଜନୀନ (Public domain)
ଦରିଦ୍ର ହୋଇ ସୁଦ୍ଧା ଲୋକ କିପରି ମହତ୍ କାର୍ଯ୍ୟ ସାଧନ କରିପାରେ ପ୍ୟାରୀମୋହନ ଆଚାର୍ଯ୍ୟ ତାହାର ଉଦାହରଣ । କଟକ ନଗରରେ ପ୍ୟାରୀମୋହନ ଏକାଡେମୀ ନାମରେ ଯେଉଁ ବିଖ୍ୟାତ ଉଚ୍ଚ ଇଂରାଜୀ ବିଦ୍ୟାଳୟଟି ଅଛି, ତାହା ଏହି ମହାତ୍ମାଙ୍କ ଦ୍ୱାରା ସ୍ଥାପିତ । କଟକ ଜିଲ୍ଲା ଅନ୍ତର୍ଗତ କୁଆଁପାଳ ଅଞ୍ଚଳରେ ବ୍ରାହ୍ମଣକୁଳରେ ପ୍ୟାରୀମୋହନ ଜନ୍ମଗ୍ରହଣ କରିଥିଲେ । ତାହାଙ୍କର ପିତା କଟକରେ ଜଣେ ମୋକ୍ତାର ଥିଲେ । ବାଲ୍ୟକାଳରେ ପ୍ୟାରୀମୋହନ କୁଆଁପାଳର ପାଠଶାଳାରେ ବାଲ୍ୟଶିକ୍ଷା ସମାପ୍ତ କରି ବାରବର୍ଷ ବୟସରେ (୧୮୬୩ ଖ୍ରୀଷ୍ଟାବ୍ଦରେ) କଟକ ଆସିଲେ ଏବଂ ଏଠା ଜିଲ୍ଲାସ୍କୁଲରେ ଅଧ୍ୟୟନ କଲେ । ପଠନ ସମୟରେ ସହପିଠୀମାନଙ୍କ ମଧ୍ୟରେ ଏପରି ଧାରଣା ଜନ୍ମିଥିଲା ଯେ, ପ୍ୟାରୀମୋହନ ବଡ଼ ଅନ୍ୟମନସ୍କ ଏବଂ ଖିଆଲବାଗୀ । କିନ୍ତୁ ତାଙ୍କର ସ୍ମରଣଶକ୍ତି ଏପରି ପ୍ରବଳ ଥିଲା ଯେ, ଅଳ୍ପ ସମୟ ମଧ୍ୟରେ ସେ ସମସ୍ତ ପଢା ଶେଷ କରି ଦେଉଥିଲେ । ବିଶ୍ରାମ ସମୟରେ ବନ୍ଧୁମାନଙ୍କ ସହିତ ବସି ନାନା ବିଷୟରେ ତର୍କ-ବିତର୍କ କରୁଥିଲେ-। ବାଲ୍ୟକାଳରୁ ତାହାଙ୍କୁ ସମସ୍ତେ ସତ୍ୟପ୍ରିୟ ଏବଂ ସ୍ପଷ୍ଟବକ୍ତା ବୋଲି ଜାଣିପାରିଥିଲେ । ୧୮୬୯ ଖ୍ରୀଷ୍ଟାବ୍ଦରେ ସେ ବିଶ୍ୱବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଏଫ୍.ଏ ଶ୍ରେଣୀରେ ଅଧ୍ୟୟନ କରିଥିଲେ । ଏହି ସମୟରେ ସେ ବ୍ରାହ୍ମଧର୍ମ ପ୍ରତି ଆକୃଷ୍ଟ ହୋଇ ଧର୍ମପୁସ୍ତକମାନ ଆଲୋଚନା କରିଥିଲେ ।
ଏହି ଛାତ୍ରାବସ୍ଥାରେ ସେ ‘ଉତ୍କଳପୁତ୍ର’ ନାମକ ଖଣ୍ଡିଏ ସମ୍ବାଦପତ୍ର ବାହାର କରିଥିଲେ । ସେଥିରେ ଖଣ୍ଡିଏ ସମ୍ବାଦପତ୍ର ବାହାର କରିଥିଲେ । ସେଥିରେ ନାନା ପ୍ରୟୋଜନୀୟ ବିଷୟର ଆଲୋଚନା ହେଉଥିଲା । କୌଣସି ଗୋଟିଏ ଲେଖାଯୋଗୁଁ ସେ କର୍ତ୍ତୃପକ୍ଷଙ୍କ ବିଷଦୃଷ୍ଟିରେ ପଡ଼ି ସ୍କୁଲରୁ ବହିଷ୍କୃତ ହେଲେ । ସରକାରୀ ସ୍କୁଲରୁ ବାହାରି ଆସି ତାହାଙ୍କ ମନରେ ଏହି ଧାରଣା ଦୃଢ଼ ହେଲା ଯେ, ଆଉ ଗୋଟିଏ ସ୍କୁଲ ଏ ସହରରେ ରହିଲେ ଏ ପ୍ରକାର କର୍କଶ ବ୍ୟବହାର ଆଉ ରହିବ ନାହିଁ । ତହୁଁ ସେ ଗୋଟିଏ ନୂତନ ବିଦ୍ୟାଳୟ ସ୍ଥାପନ କରିବାର ସଂକଳ୍ପ କରି ପ୍ରିୟ ବନ୍ଧୁମାନଙ୍କୁ ତାହା ଜଣାଇଲେ । ଦରିଦ୍ର ଯୁବକଙ୍କର ଏକଥା ଶୁଣି ଅନେକ ଉପହାସ କରିଥିଲେ ସତ୍ୟ; ମାତ୍ର ମନ ଥିଲେ ଉପାୟ ଆପେ ଆସିବ, ଏହା ଦୃଢ଼ ଜାଣି ସେ ଆପଣାର ପ୍ରତିଜ୍ଞା ପାଳନ କରିବାକୁ ବଦ୍ଧପରିକର ହେଲେ । ପ୍ରଥମେ ଗୋଟିଏ ପାଠଶାଳା ସ୍ଥାପନ କରି ସେଥିରେ ଜଣେ ଦୁଇଜଣ ବନ୍ଧୁଙ୍କୁ ଘେନି ନିଜେ ଶିକ୍ଷା ଦେବାକୁ ଲାଗିଲେ । ତାହାଙ୍କ ଶିକ୍ଷାଦାନ ଗୁଣରେ ଅନେକ ଛାତ୍ର ଆସିବାରୁ କ୍ରମେ ତାହାର ଉନ୍ନତି ଦେଖାଗଲା । ପ୍ୟାରୀମୋହନ ପରେ ଅଳ୍ପ ଟଙ୍କା ବେତନରେ ଗୋଟିଏ କିରାଣୀ କର୍ମ ଗ୍ରହଣ କରି ତହିଁରୁ ଲବ୍ଧ ଧନରେ ସ୍କୁଲକୁ ସାହାର୍ଯ୍ୟ କରିବାକୁ ଲାଗିଲେ । ଦେଖୁ ଦେଖୁ ଚାରି ପାଞ୍ଚ ବର୍ଷ ପରେ ୧୮୭୯ ଖ୍ରୀଷ୍ଟାବ୍ଦରେ ଏହି ସ୍କୁଲଟି ହାଇସ୍କୁଲରେ ପରିଣତ ହେଲା ବର୍ତ୍ତମାନ ଅଧିକ ସଂଖ୍ୟକ ଶିକ୍ଷକ ହେବାରୁ ସେମାନଙ୍କୁ ବେତନ ଯୋଗାଇଦେବା ଲାଗି ଧନ ନଥିଲା ସତ୍ୟ; କିନ୍ତୁ ମନ ଯଥେଷ୍ଟ ମାତ୍ରାରେ ଥିବାରୁ ଧନର ଅଭାବ ରହିଲା ନାହିଁ । ସତ୍କାର୍ଯ୍ୟରେ ଈଶ୍ୱର ସର୍ବଦା ସହାୟ । ବର୍ତ୍ତମାନ ସେହି ସ୍କୁଲ ବୃହତ ଆକାର ଧାରଣ କରିଅଛି ଏବଂ ପ୍ରତିବର୍ଷ ବହୁସଂଖ୍ୟକ ଛାତ୍ର ସେଥିରୁ ଉତ୍ତୀର୍ଣ୍ଣ ହେଉଅଛନ୍ତି । ପ୍ରତିଷ୍ଠାତାଙ୍କ ନାମାନୁସାରେ ବିଦ୍ୟାଳୟର ନାମ ‘ପ୍ୟାରୀମୋହନ ଏକାଡେମୀ’ ହୋଇଅଛି ।
ପ୍ୟାରୀମୋହନ ବଡ଼ ସ୍ୱାଧୀନଚେତା ଥିଲେ । ତାହାଙ୍କର ନିର୍ଭୀକ ସ୍ୱଭାବ ଏବଂ ତେଜସ୍ୱୀଭାବ ଦେଖି ଅନେକ ବଡ଼ଲୋକ ମନେ ମନେ ଭାରୀ ଭୟ କରୁଥିଲେ । ଦେଶରେ କୌଣସି ପ୍ରକାର ଅତ୍ୟାଚାର ଦେଖାଗଲେ ସେ ତାହା ନିବାରଣ କରିବା ପାଇଁ ଆଗରୁ ବାହାରି ପଡୁଥିଲେ । କଟକ ନଗରରେ ସେ ଅନେକ ସମୟରେ ଶିକ୍ଷା, ସମାଜ ସଂସ୍କାର ଓ ଧର୍ମନୀତି ବିଷୟରେ ବକ୍ତୃତାମାନ ପ୍ରଦାନ କରୁଥିଲେ । ପରୋପକାରରେ ଆପଣାର ଧନ ବ୍ୟୟ କରିବାକୁ ସେ ଅଧିକ ସୁଖ ପାଉଥିଲେ । ତାହାଙ୍କର ଆଉ ଗୋଟିଏ କାର୍ଯ୍ୟ ଅତି ମହତ୍ ଗୁଣ ଥିଲା । ମୃତ୍ୟୁର କିଛିକାଳ ପୂର୍ବେ ପୁରୀରେ ବିସୂଚିକା ରୋଗ ପ୍ରବଳ ହେବାରୁ ଅନେକ ଯାତ୍ରୀ ଧରାଶାୟୀ ହେବାକୁ ଲାଗିଲେ । ପ୍ୟାରୀମୋହନ ଯେତେବେଳେ ଶୁଣିଲେ ଯେ, ଶତ ଶତ ଯାତ୍ରୀ ଅସହାୟ ଅବସ୍ଥାରେ ପ୍ରାଣ ହରାଉଅଛନ୍ତି, ତେତେବେଳେ ସେ ଅପୂର୍ବ ସାହସରେ କଟକରୁ ବାହାରି କିଛି ସାଗୁ ଏବଂ କେତୋଟି ଔଷଧ ଶିଶି ଘେନି ଜଗନ୍ନାଥ ସଡ଼କରେ ପୁରୀ ଅଭିମୁଖରେ ଯାତ୍ରା କରିଥିଲେ । ତାଙ୍କର ଅଭିପ୍ରାୟ ଏହି ଥିଲା, ସଡ଼କରେ ଯେଉଁଠାରେ ଉକ୍ତ ରୋଗଗ୍ରସ୍ତ ଲୋକ ଦେଖିବେ ତାହାକୁ ଉପଯୁକ୍ତ ଔଷଧ ଦେବେ ଏବଂ ତାହାର ଆତ୍ମୀୟ ସ୍ୱଜନଙ୍କୁ ସାଗୁରେ ପଥ୍ୟ ପ୍ରସ୍ତୂତ କରିବାକୁ ଉପଦେଶ ଦେବେ । କି ଉଚ୍ଚ ହୃଦୟ ! ଏହିପରି କାର୍ଯ୍ୟରୁ ମନୁଷ୍ୟ-ହଦୟର ସ୍ୱର୍ଗ ପାତାଳ ପ୍ରଭେଦ ଜଣାପଡ଼େ ।
ସମ୍ବନ୍ଧିତ ରଚନା
ଚିଲିକା ହ୍ରଦ
ମଧୁସୂଦନ ରାଓ
ମନୁଷ୍ୟର ଧର୍ମବୁଦ୍ଧି
ମଧୁସୂଦନ ରାଓ