ମହାଭାରତ କଥା
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ସାହିତ୍ୟ କୁସୁମ
- ପଢ଼ିବା ସମୟ
- ୪ ମିନିଟ୍
- ଶବ୍ଦ
- ୭୦୫
- ସ୍ଥିତି
- ସାର୍ବଜନୀନ (Public domain)
ପ୍ରାଚୀନ କାଳରେ ଦିଲ୍ଲୀ ନିକଟସ୍ଥ ହସ୍ତିନାପୁର ବିଖ୍ୟାତ କୁରୁବଂଶୀୟ ରାଜାମାନଙ୍କ ରାଜଧାନୀ ଥିଲା । ସେହି ରାଜବଂଶରେ ଧୃତରାଷ୍ଟ୍ର ଓ ପାଣ୍ଡୁ ନାମରେ ଦୁଇ ଭାଇ ଜନ୍ମଗ୍ରହଣ କରିଥିଲେ । ବଡ଼ ଭାଇ ଧୃତରାଷ୍ଟ୍ର ଜନ୍ମାନ୍ଧ ଥିଲେ ବୋଲି ସାନ ଭାଇ ପାଣ୍ଡୁ ରାଜା ହୋଇଥିଲେ । ଧୃତରାଷ୍ଟ୍ରଙ୍କର ସ୍ତ୍ରୀଙ୍କର ନାମ ଗାନ୍ଧାରୀ । ଏହାଙ୍କ ଗର୍ଭରୁ ଦୁର୍ଯ୍ୟୋଧନ, ଦୁଃଶାସନ ପ୍ରଭୃତି ଏକଶତ ପୁତ୍ର ଜନ୍ମଗ୍ରହଣ କରିଥିଲେ । ସେମାନେ କୌରବ ନାମରେ ଖ୍ୟାତ । ପାଣ୍ଡୁଙ୍କର ଦୁଇ ସ୍ତ୍ରୀ ଥିଲେ, କୁନ୍ତୀ ଓ ମାଦ୍ରୀ । କୁନ୍ତୀଙ୍କ ଗର୍ଭରେ ଯୁଧିଷ୍ଠିର, ଭୀମ, ଅର୍ଜ୍ଜନ ଏବଂ ମାଦ୍ରାଙ୍କ ଗର୍ଭରେ ନକୁଳ ଓ ସହଦେବ ଜନ୍ମଗ୍ରହଣ କରିଥିଲେ । ଏମାନେ ପାଣ୍ଡବ ନାମରେ ଖ୍ୟାତ । ପାଣ୍ଡବମାନଙ୍କର ଶୈଶବାବସ୍ଥାରେ ପାଣ୍ଡଙ୍କ ମୃତ୍ୟୁ ହେଲା । ଧୃତରାଷ୍ଟ୍ର କୈାରବ ଓ ପାଣ୍ଡବମାନଙ୍କୁ ଅସ୍ତ୍ର ବିଦ୍ୟା ଶିଖାଇବା ନିମିତ୍ତ ଦ୍ରୋଣାଚାର୍ଯ୍ୟଙ୍କୁ ନିଯୁକ୍ତ କଲେ । ଦ୍ରୋଣାଚାର୍ଯ୍ୟ ସେମାନଙ୍କୁ ଯତ୍ନପୂର୍ବକ ଯୁଦ୍ଧବିଦ୍ୟା ଶିଖାଇଲେ । ଧନୁର୍ବିଦ୍ୟାରେ ଅର୍ଜ୍ଜୁନ ଅନ୍ୟ ଭ୍ରାତାମାନଙ୍କ ଅପେକ୍ଷା ଅଧିକତର ନିପୁଣ ହୋଇଥିଲେ । ମହାବଳଧାରୀ ଭୀମ ସର୍ବାପେକ୍ଷା ଗଦା ଯୁଦ୍ଧରେ ଅଧିକତାର ପାରଦର୍ଶୀ ହୋଇଥିଲେ । ପାଣ୍ଡବମାନେ ଧାର୍ମିକ ଓ ସତ୍ୟପ୍ରିୟ ଥିଲେ; କିନ୍ତୁ ଦୁର୍ଯ୍ୟୋଧନାଦି କୌରବମାନେ ଅହଂକାରି, ହିଂସ୍ରକ ଓ କପଟାଚାରୀ ଥିଲେ । ସେମାନେ ସର୍ବଦା ପାଣ୍ଡବମାନଙ୍କର ଅନିଷ୍ଟ ପାଞ୍ଚୁଥିଲେ । ଥରେ ସେମାନେ ଭୀମଙ୍କୁ ବିଷ ଖୁଆଇ ତାହାଙ୍କୁ ଅଚେଥିଲେ; କିନ୍ତୁ ସେଥିରେ ଭୀମ ମଲେ ନାହିଁ । ଅବଶେଷରେ ଦୁର୍ଯ୍ୟୋଧନ ପଞ୍ଚପାଣ୍ଡବଙ୍କର ପ୍ରାଣ ବିନାଶ ନିମିତ ଗୋଟିଏ ଚକ୍ରାନ୍ତ କଲେ । ଜତୁଗୃହ ପ୍ରସ୍ତୁତ କରାଇ, ସେଥିରେ ପାଣ୍ଡବମାନଙ୍କୁ ବାସ କରିବାକୁ କହି ରାତ୍ରିକାଳରେ ସେହି ଗୃହ ଦଗ୍ଧ କରାଇ ଦେଲେ; କିନ୍ତୁ ପାଣ୍ଡବମାନଙ୍କର ପରମବନ୍ଧୁ ଧାର୍ମିକ ବିଦୁର ସେମାନଙ୍କୁ ପୂର୍ବରୁ ସତର୍କ କରିଦେଇଥିବାରୁ ସେମାନେ ଗୃହଦାହ ପୂର୍ବରୁ ପଳାଇ ଯାଇଥିଲେ । ଅନନ୍ତର ସେମାନେ ଛନ୍ମବେଶ ଧାରଣ କରି ଦେଶଦେଶାନ୍ତରରେ ଭ୍ରମଣ କରିବାକୁ ଲାଗିଲେ । ଏଣେ ଦୁର୍ଯ୍ୟୋଧନ ପ୍ରଭୃତି କୌରବମାନେ ପାଣ୍ଡବମାନଙ୍କର ମୃତ୍ୟୁ ହୋଇଅଛି ବିଚାର ଆନନ୍ଦିତ ଚିତ୍ତରେ ରାଜ୍ୟ ଭୋଗ କରିବାକୁ ଲାଗିଲେ ।
ଏଥିମଧ୍ୟରେ ପଞ୍ଚଳ ଦେଶର ରାଜକନ୍ୟା ଦ୍ରୌପଦୀଙ୍କର ସ୍ୱୟମ୍ବର ଉପସ୍ଥିତ ହେଲା । ପଞ୍ଚାଳ ରାଜା ଦ୍ରୁପଦଙ୍କର ଏହି ପଣ ଥିଲା ଯେ, ଊର୍ଦ୍ଧ୍ୱରେ ଗୋଟିଏ ମତ୍ସ୍ୟ ଥିବ ଏବଂ ତଳରେ ଗୋଟିଏ ଜଳପାତ୍ର ଥିବ । ସେହି ଜଳପାତ୍ର ମଧ୍ୟରେ ମତ୍ସ୍ୟର ପ୍ରତିବିମ୍ୱ ଦେଖି ଯେ ସେହି ମତ୍ସ୍ୟର ଚକ୍ଷୁକୁ ବାଣବିଦ୍ଧ କରି ପାରିବ, ତାହାଙ୍କୁ ଦ୍ରୌପଦୀ ବରମାଲ୍ୟ ଦେବେ । ପାଣ୍ଡବମାନେ ଦ୍ରୌପଦୀଙ୍କର ସ୍ୱୟମ୍ୱର ହେବ ବୋଲି ସମ୍ବାଦ ପାଇ ପଞ୍ଚାଳ ରାଜ୍ୟକୁ ଆଗମନ କଲେ । ନାନା ଦେଶମାନଙ୍କରୁ ରାଜ୍ୟ ଓ ରାଜପୁତ୍ରମାନେ ଆସି ସେହି ଲକ୍ଷ୍ୟଭେଦ କରିବାକୁ ଚେଷ୍ଟା କଲେ; କିନ୍ତୁ କେହି ଲକ୍ଷ୍ୟଭେଦ କରିପାରିଲେ ନାହିଁ । ପରିଶେଷରେ ବ୍ରାହ୍ମଣ ବେଶଧାରୀ ଅର୍ଜ୍ଜନ ଲକ୍ଷ୍ୟଭେଦ କଲେ । ରାଜା ଦ୍ରୁପଦ ସେମାନଙ୍କର ପରିଚୟ ଗ୍ରହଣକରି ସେମାନଙ୍କୁ ଆଦେଶ ଅନୁସାରେ ଦ୍ରୌପଦୀ ପଞ୍ଚୁପାଣ୍ଡବଙ୍କର ପତ୍ନୀ ହେଲେ । ଏଥି ଉତ୍ତାରେ ଧୃତରାଷ୍ଟ୍ର ପାଣ୍ଡବମାନେ ଜୀବିତ ଅଛନ୍ତି ଏବଂ ଦ୍ରୌପଦୀଙ୍କୁ ବିବାହ କରିଅଛନ୍ତି ଶୁଣି ସେମାନଙ୍କୁ ଡକାଇ ଅର୍ଦ୍ଧ-ରାଜ୍ୟ ପ୍ରଦାନ କଲେ । ଇନ୍ଦ୍ରପ୍ରସ୍ଥ ସେମାନଙ୍କର ରାଜଧାନୀ ହେଲା ।
ଏଥିଉତ୍ତାରେ ପାଣ୍ଡବମାନେ ନାନା ଦେଶ ଜୟକରି ଯଶସ୍ୱୀ ହେଲେ । କିଛି କାଳପରେ ରାଜସୁୟଯଜ୍ଞ ଆରମ୍ଭ କରି ଭାରତର ସମସ୍ତ ରାଜାମାନଙ୍କୁ ନିମନ୍ତ୍ରଣ କଲେ । ରାଜାମାନେ ନାନା ଉପହାର ଘେନି ଯଜ୍ଞସଭାରେ ଉପସ୍ଥିତ ହେଲେ । ପାଣ୍ଡବମାନଙ୍କର ଐଶ୍ୱର୍ଯ୍ୟ ଦେଖି କ୍ରୁର ଦୁର୍ଯ୍ୟୋଧନଙ୍କର ହୃଦୟ ହିଂସା-ଜର୍ଜ୍ଜରିତ ହେଲା ଏବଂ ସେ ପାଣ୍ଡବମାନଙ୍କର ଅନିଷ୍ଟ ଚିନ୍ତା କରିବାକୁ ଲାଗିଲେ । ଦୁର୍ଯ୍ୟୋଧନଙ୍କର ମାତୁଳ ଶକୁନି ଦ୍ୟୂତକ୍ରୀଡ଼ାରେ ଅତ୍ୟନ୍ତ ନିପୁଣ ଥିଲେ । ତାହାଙ୍କର ପରାମର୍ଶରେ ଦୁର୍ଯ୍ୟୋଧନ ଯୁଧିଷ୍ଠରଙ୍କୁ ଦ୍ୟୂତକ୍ରୀଡ଼ା କରିବାପାଇଁ ଆହ୍ୱାନ କଲେ । ଯୁଧିଷ୍ଠିର ଦ୍ୟୂତ କ୍ରୀଡ଼ାରେ ପରାଜିତ ହୋଇ କ୍ରମେ କ୍ରମେ ଧନ, ରତ୍ନ, ରାଜ୍ୟ, ଦାସଦାସୀ, ଭ୍ରାତାମାନଙ୍କୁ ଏବଂ ଆପଣାକୁ ସୁଦ୍ଧା ହରାଇ ହୃତସର୍ବସ୍ୱ ହେଲେ । ପରିଶେଷରେ ଦ୍ରୌପଦୀ ଙ୍କୁ ପଣ ରଖି ପୁନର୍ବାର କ୍ରୀଡ଼ା କଲେ । ସେଥିରେ ମଧ୍ୟ ଶକୁନି ଜୟଲାଭ କରିବାରୁ ଦୁର୍ଯ୍ୟୋଧନ ଦ୍ରୌପଦୀଙ୍କୁ ସଭା ମଧ୍ୟକୁ ଅଣାଇ ଅପମାନ କରାଇଲେ । ଦୁର୍ଯ୍ୟୋଧନ ସେଥିରେ ସନ୍ତୁଷ୍ଟ ନହୋଇ ପୁଣି ଦ୍ୟୂତକ୍ରୀଡ଼ା ନିମିତ୍ତ ଯୁଧିଷ୍ଠିରଙ୍କୁ ତୃତୀୟଥର ଆହ୍ୱାନ କଲେ । ଏଥର କ୍ରୀଡ଼ାରେ ଏହି ପଣ ହେଲା ଯେ, ଯେଉଁ ପକ୍ଷ ପରାଜିତ ହେବେ ସେ ପକ୍ଷର ସମସ୍ତେ ଦ୍ୱାଦଶ ବର୍ଷ ବନବାସ ଏବଂ ଏକ ବର୍ଷ ଅଜ୍ଞାତବାସ କରିବେ । ଯୁଧିଷ୍ଠିର ପୁଣି ପରାଜିତ ହେବାରୁ ପାଣ୍ଡବମାନେ ଦ୍ରୌପଦୀଙ୍କୁ ଘେନି ବନଗମନ କଲେ । ଦୁର୍ଯ୍ୟୋଧନ ପାଣ୍ଡବମାନଙ୍କ ସଙ୍ଗରେ ପଣ କରିଥିଲେ ଯେ, ସେମାନେ ବନବାସ ଓ ଅଜ୍ଞାତବାସ କରି ଲେଉଟି ଆସିଲେ ସେ ସେମାନଙ୍କୁ ରାଜ୍ୟଧନାଦି ପ୍ରତ୍ୟର୍ପଣ କରିବେ-।
ପାଣ୍ଡବମାନେ ଦ୍ୱାଦଶ ବର୍ଷକାଳ ନାନା ତୀର୍ଥପର୍ଯ୍ୟଟନ କରି, ବର୍ଷେ ବିରାଟ ରାଜ୍ୟରେ ଛଦ୍ମବେଶରେ ଅଜ୍ଞାତବାସ କଲେ । ଅଜ୍ଞାତବାସ ଉତ୍ତାରୁ ସେମାନେ ଭୁବନବିଖ୍ୟାତ ଦ୍ୱାରକାପତି କୃଷ୍ଣଙ୍କୁ ଦୂତସ୍ୱରୂପ ଦୁର୍ଯ୍ୟୋଧନଙ୍କ ନିକଟକୁ ପ୍ରେରଣ କଲେ । କୃଷ୍ଣ ହସ୍ତିନାପୁରକୁ ଯାଇ ପାଣ୍ଡବମାନଙ୍କ ପାଇଁ ରାଜ୍ୟ-ପ୍ରତ୍ୟର୍ପଣ ପ୍ରାର୍ଥନା କଲେ; କିନ୍ତୁ ଖଳବୁଦ୍ଧି ଦୁର୍ଯ୍ୟୋଧନ କହିଲେ, ମୁଁ ବିନାଯୁଦ୍ଧରେ ସୁଚ୍ୟଗ୍ର ପରିମାଣ ଭୂମି ସୁଦ୍ଧା ଦେବି ନାହିଁ । ବିଜ୍ଞ ବ୍ୟକ୍ତିମାନେ ଦୁର୍ଯ୍ୟୋଧନଙ୍କୁ ଯେତେ ସଦୁପଦେଶ ଦେଲେ, ସେ ସମସ୍ତ ବ୍ୟର୍ଥ ହେଲା । ପାଣ୍ଡବମାନେ ବାଧ୍ୟହୋଇ ଯୁଦ୍ଧ ନିମିତ୍ତ ଉଦ୍ଯୋଗ କଲେ । ଦୁର୍ଯ୍ୟୋଧନ ମଧ୍ୟ ଯୁଦ୍ଧର ଆୟୋଜନ କଲେ । ଉଭୟପକ୍ଷ ଯୁଦ୍ଧ ନିମିତ୍ତ କୁରୁକ୍ଷେତ୍ରନାମକ ମହାସମର କ୍ଷେତ୍ରରେ ଉପସ୍ଥିତ ହେଲେ । ଏହି ଯୁଦ୍ଧରେ ଭାରତର ଅଧିକାଂଶ ରାଜା ଯୋଗ ଦେଇଥିଲେ । ଏମାନଙ୍କ ମଧ୍ୟରୁ ପଞ୍ଚାଳର ଅଧୀଶ୍ୱର ଦ୍ରୁପଦ, ଅଙ୍ଗ ରାଜ୍ୟର ନୃପତି କର୍ଣ୍ଣ, ଦ୍ୱାରକାର ଅଧିକାର ଅଧିପତି କୃଷ୍ଣ, ସିନ୍ଧୁ ଦେଶରେ ନରପତି ଜୟଦ୍ରଥ ପ୍ରଧାନ ଥିଲେ । କୃଷ୍ଣ ପାଣ୍ଡବମାନଙ୍କ ପକ୍ଷ ପ୍ରହଣ କଲେ । ଦୁର୍ଯ୍ୟୋଧନଙ୍କ ପକ୍ଷରେ ସୈନ୍ୟ ଏବଂ ବୀର ସଂଖ୍ୟା ଅଧିକ ଥିଲେହେଁ କୃଷ୍ଣଙ୍କ ମନ୍ତ୍ରଣାବଳରେ ପାଣ୍ଡବମାନେ ଜୟଲାଭ କଲେ ।
ଏହି ମହାସମର ୧୮ଦିନ ପର୍ଯ୍ୟନ୍ତ ହୋଇଥିଲା । ଯୁଦ୍ଧରେ ଭ୍ରାତାମାନଙ୍କ ସହିତ ଦୁର୍ଯ୍ୟୋଧନ ଏବଂ ତାହାଙ୍କ ପକ୍ଷୀୟ ମହାରଥୀ ଭୀଷ୍ମ, ଦ୍ରୋଣ, କର୍ଣ୍ଣ, ଶଲ୍ୟ, ଜୟଦ୍ରଥ ପ୍ରଭୃତି ଏବଂ ପାଣ୍ଡବପକ୍ଷର ଅଭିମନ୍ୟୁ, ଦ୍ରୁପଦ, ଧୃଷ୍ଟଦ୍ୟୁନ୍ନ ପ୍ରଭୃତି ମହାବୀରମାନେ ନିହତ ହେଲେ । ଯୁଦ୍ଧକ୍ଷେତ୍ର ମହାଶ୍ମଶାନରେ ପରିଣତ ହେଲା । ବିଧବାମାନଙ୍କର ହୃଦୟ-ବିଦାରକ ବିଳାପ-ନାଦରେ କୁରୁକ୍ଷେତ୍ର ପରିପୂର୍ଣ୍ଣ ହେଲା ।
ଯୁଦ୍ଧାନ୍ତେ ଯୁଧିଷ୍ଠିର ରାଜସିଂହାସନରେ ଆରୋହଣକରି ଅଶ୍ୱମେଧ ଯଜ୍ଞ ଅନୁଷ୍ଠାନ କଲେ । କେତେକ ବର୍ଷ ରାଜତ୍ୱ କଲା ଉତ୍ତାରେ, ଶ୍ରୀକୃଷ୍ଣଙ୍କର ମୃତ୍ୟୁ ସମ୍ବଦ ପାଇ ଏକାନ୍ତ ଶୋକାର୍ତ୍ତ ଓ ସଂସାର ପ୍ରତି ବିରାଗୀ ହୋଇ ସେ ରାଜସିଂହାସନ ତ୍ୟାଗକଲେ ଏବଂ ଦ୍ରୌପଦୀ ଓ ଚାରି ଭାଇଙ୍କି ସଙ୍ଗରେ ଘେନି ତପସ୍ୟାର୍ଥେ ହିମାଳୟକୁ ପ୍ରସ୍ଥାନ କଲେ ।
ସମ୍ବନ୍ଧିତ ରଚନା
ଚିଲିକା ହ୍ରଦ
ମଧୁସୂଦନ ରାଓ
ମନୁଷ୍ୟର ଧର୍ମବୁଦ୍ଧି
ମଧୁସୂଦନ ରାଓ
ଦ୍ୱିତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ତୃତୀୟ ପ୍ରସ୍ତାବ
ମଧୁସୂଦନ ରାଓ