ଲାବଣ୍ୟବତୀ ଓ ଚନ୍ଦ୍ରଭାନୁ — ବୈଷ୍ଣବ ପାଣି · ସ୍ୱର୍ଣ୍ଣଲିପିପ୍ରସ୍ତାବନାନଟୀର ଗୀତ ଗାଇ ଗାଇ ପ୍ରବେଶ(ଆହା ମୋର ସାରଦିଆ–ବୃତ୍ତେ)ହରି ହିରଣାକ୍ଷର ବକ୍ଷ ବିଦାରଣ । କର ମୋକ୍ଷଦାତା ଲକ୍ଷ ଜୀବ ପରାଣ । ପଦ ।କ୍ଷିରାବ୍ଧିତନୟା ଧବ, ରୁକ୍ଷ ବାନର ବାନ୍ଧବ, ବାକ୍ୟଦେବୀ କାନ୍ତ ସହସ୍ରାକ୍ଷ କାରଣ ।୧ ।ଅକ୍ଷୟ ଅକ୍ଷରେ ତୋର, ଯଶ ଘୋଷେ ଚରାଚର, ରଣଦକ୍ଷ ତକ୍ଷକ ଭକ୍ଷ ଯା ଶରଣ ।୨ ।ଲକ୍ଷ୍ମଣ ଲକ୍ଷଣବନ୍ତ, ଅଗ୍ରଜ ଅଯୋଧ୍ୟାନାଥ ଏହି ଭିକ୍ଷା କର ବଇଷ୍ଣବେ ତାରଣ । ୩ ।
ନଟ– (ପ୍ରବେଶି) ପ୍ରିୟେ, ମୁଁ ସବୁ ଶୁଣିଛି । ତୁମ୍ଭର ଏ ବୀଣା ବିନିନ୍ଦିତ କଣ୍ଠସ୍ୱର ମାନବ ମଣ୍ଡଳରେ କଳ୍ପନାତୀତ ଥିଲା, ଏହା ସୁରବାଳା କିନ୍ନରୀଙ୍କଠାରେ ଥାଇପାରେ – ଏପରି ଅନୁପ୍ରାସଯୁକ୍ତ ଭକ୍ତିରସ କବିତା ମଧ୍ୟ ଅତି ଅଳ୍ପ ଶୁଣିଛି । କିଛି ଚିନ୍ତାକରନା, ନିଶ୍ଚେ ବୈକୁଣ୍ଠପତି ଶ୍ରୀପତି ଆମ୍ଭଙ୍କୁ ଏ ସ୍ଥଳରେ ଭରସା ହେବେ । ଯେ ଏତେବଡ଼ ବିଶାଳ ଜଗତକୁ ଚଳାଉଛନ୍ତି ତାଙ୍କୁ ଏ ସାମାନ୍ୟ କାର୍ଯ୍ୟ ଚଳାଇବାକୁ ବଳାଇବ ନାହିଁ । ଭାବି କହିଲ ପ୍ରିୟେ ! ଏସ୍ଥଳରେ ଆଜି କେଉଁ ବିଷୟଟି ଦୃଶ୍ୟକାବ୍ୟରୂପେ ଦର୍ଶକଗଣଙ୍କୁ ଦେଖାଇବା ।
ନଟୀ– ନଟଶ୍ରେଷ୍ଠ ! ମୁଁ ମନେ ମନେ ସ୍ଥିର କରିଛି କବିକୁଳ-କଳାକର ମହାକବି ଶ୍ରୀ ଉପେନ୍ଦ୍ର ଭଞ୍ଜଙ୍କ ଲାବଣ୍ୟବତୀ କାବ୍ୟଟିକୁ ଗୀତିନାଟ୍ୟଭାବେ ଏ ରଙ୍ଗମଞ୍ଚରେ ଦେଖାଇ ଜନସାଧାରଣଙ୍କର ଶ୍ରଦ୍ଧାଭାଜନ ହେବା ।
ନଟ– ପ୍ରିୟେ ! ଠିକ୍ ମନେକରିଛ, ଆଜି ପର୍ଯ୍ୟନ୍ତ ସେହି କବିକୁଳତିଳକ ବାକ୍ୟଦେବୀଙ୍କ ବରପୁତ୍ର ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟଗୁଡ଼ିକୁ କେହି ଲେଖକ ନାଟକାକାରରେ କିବା ଗୀତିନାଟ୍ୟ ବା ଗୀତାଭିନୟ ରୂପରେ ପ୍ରକାଶ କରି ସାଧାରଣଙ୍କୁ ଦେଖାଇ ନାହାନ୍ତି । ମୋର ମଧ୍ୟ ଏହି ପ୍ରଥମ ଚେଷ୍ଟା, କିପରି ଏଥିରେ ସାଧାରଣଙ୍କ ରୁଚି ହେବ, ତାହା ଭାବି ମନ ଦୋଦୁଲ୍ୟମାନ ହେଉଛି ।
ନଟୀ– ନାଥ ! ଆଦିରସାତ୍ମକ ବିଷୟ ପ୍ରାୟ ଅଧିକାଂଶ ଜନଙ୍କର ଅନାଦର ହୁଏ ନାହିଁ, ଏ କାବ୍ୟରେ ବାତ୍ସଲ୍ୟ-ମିଶ୍ରିତ ହାସ୍ୟୋକ୍ତି ରସ ସ୍ଥାନେ ସ୍ଥାନେ ଅଛି । କର୍ଣ୍ଣାଟ ଯୁବରାଜ ନାୟକ ଚନ୍ଦ୍ରଭାନୁ ଓ ସିଂହଳ ରାଜଜେମା ନାୟିକା ଲାବଣ୍ୟବତୀଙ୍କର ବିରହଜନିତ ଦୁର୍ଦ୍ଦଶା ଯେ ସ୍ଥାନେ ସ୍ଥାନେ ବର୍ଣ୍ଣିତ ହୋଇଛି, ତାହା ଦେଖି ଶୁଣି କାହାର ପାଷାଣ ହୃଦୟ ତରଳି ନ ଯାଇ ରହିବ ?
ନଟ– ଚାଲ ପ୍ରିୟେ, ତେବେ ଲାବଣ୍ୟବତୀର ଜନ୍ମଠାରୁ ବିଷୟଟି ଆରମ୍ଭ ନକରି ଯୌବନାବସ୍ଥାରୁ ଆରମ୍ଭ କରିବା । ତଥାପି ବିଷୟଟି ମଧ୍ୟ ବୃହତ୍ ଆକାର ଧାରଣ କରିବ । ଶୀଘ୍ର ଚାଲ, ଅଭିନେତୃ ଦଳେ ସଜାଇ ରଙ୍ଗଭୂମିରେ ଉପଗତ ହେବା ।
(ଉଭୟଙ୍କର ପ୍ରସ୍ଥାନ)
ପ୍ରଥମ ଅଙ୍କ
ପ୍ରଥମ ଦୃଶ୍ୟ
(ରାଜା ରତ୍ନେଶ୍ୱର ମନ୍ତ୍ରୀସହ ସଭାରେ ପ୍ରବେଶ)
ରାଜା– ମନ୍ତ୍ରୀମଣି ! ମୁଁ ଗୋଟାଏ ଭୟଙ୍କର ଉର୍ମିମାଳାଯୁକ୍ତ ଚିନ୍ତାସାଗର-ଗର୍ଭରେ ପଡ଼ି ଭାସୁଛି, ତୁମ୍ଭେ ମୋତେ ସୁଚେଷ୍ଟା ତରଣୀ ଦାନେ ଏ ଦୁଃସହ ସାଗରରୁ ପାରି କରିପାରିବ କି ? ମୋର ସର୍ବ ସୁଲକ୍ଷଣଯୁକ୍ତା ଏକମାତ୍ର କନ୍ୟା ଲାବଣ୍ୟବତୀର ସ୍ମରାବସ୍ଥା ପ୍ରାପ୍ତ ହୋଇଛି । ଏ ସମୟରେ ସେ ନେତ୍ର ପ୍ରତିମାକୁ ବିବାହ ନଦେଲେ ନିଶ୍ଚେଁ ସେ ଯେ ମୋ ନାମରେ ଛି ଛି ଶବ୍ଦ ରଟିବ । ଏହି କଥା ନିରନ୍ତର ଭାବି ଭାବି ମୋର ହସ୍ତ ପଦ ଅବଶ ହୋଇ ଯାଉଛି । ଏଥିକି ଶୀଘ୍ର ଉପାୟ କର ।
ମନ୍ତ୍ରୀ– ରତ୍ନେଶ୍ୱର ସିଂହଳପତି ! ଯାହା କି ମୋତେ ପ୍ରଶ୍ନ କଲେ, ତହିଁର ସଦୁତ୍ତର ଦେବାକୁ ମୋହର ସାହସ ହେଉନାହିଁ । ମୁଁ ମଧ୍ୟ ପୂର୍ବରୁ ମନେ ମନେ ବର ଖୋଜି ଖୋଜି ନିରୁପାୟ ହୋଇଲିଣି । ବର୍ତ୍ତମାନ ଯାହା ମୋତେ ଦେଖାଯାଉଛି ତାହା କହୁଛି ଶୁଣନ୍ତୁ ।
ଗୀତ
ସମ୍ବନ୍ଧିତ ରଚନା
କର୍ଣ୍ଣ-ଦାନ ପରୀକ୍ଷାବୈଷ୍ଣବ ପାଣି ବୈଷ୍ଣବ ପାଣି
ଜୟଦ୍ରଥବଧ ବା ଶକଟବ୍ୟୂହ-ଭେଦବୈଷ୍ଣବ ପାଣି ବୈଷ୍ଣବ ପାଣି
(କେତେ ଅଛୁ ଶୁଣା ତୋର – ବୃତ୍ତେ)
ତବ କନ୍ୟା ଅନୁରୂପେ କାନ୍ତ ମଣିମା ନାହିଁ ତ୍ରିଜଗତ । କୋଟି ଯୁଗ ବସି ଯାହାକୁ ଗଢ଼ିଛି ନିଜ ଭୁଜେ ବେଦନାଥ ॥ପଦ । ସାର ସାର କାନ୍ତି ସଂଗ୍ରହ, କରି ନର୍ମାଣିଛି ବିଗ୍ରହ, କାହାର ଆଗ୍ରହ ନ ବଢ଼ିବ ପଡ଼ିଗଲେ ସେ ରୂପରେ ନେତ୍ର । ହରେ ବର ବରନ୍ତେ କନ୍ୟା, ଅଭିଶାପ ଦେବେ ଅପର୍ଣ୍ଣା । ବିଭୁତି ଦାୟିନୀ ବିଭୁତି ଭୂଷଣ ଦେହେ ନ ରସିବ ଚିତ୍ତ ।୨। ଚନ୍ଦ୍ରେ ଅବା ବଳାନ୍ତେ ମନ, ସେ ତ କ୍ଷୀଣ କଳଙ୍କ ଚିହ୍ନ । ଅଶ୍ୱିନୀକୁମାର ଅଶ୍ୱମୁଖ ତା’ର ଅଙ୍ଗହୀନ ମନମଥ ।୩। ଇନ୍ଦ୍ର ତ ସହଜେ ଭଗାଙ୍ଗ, ନସାଜିବ ତା ଅଙ୍ଗସଙ୍ଗ । ମର୍ତ୍ତ୍ୟପୁରେ ଚିତ୍ରପଟ ତା’ ଫେରାଇ ରାଇବା ନୃପତି ଗୋତ୍ର ।୪। ଚିତ୍ତ ତା’ର ବଳିବ ଯାକୁ, ବାଳା ବଳେ ବରିବ ତାକୁ, ମାଳା ଦେବ ଗଳେ ବଇଷ୍ଣବ ଭାଳେ କାଳେ ନ ହେବ ଅହିତ ।୫।
ରାଜା– ମନ୍ତ୍ରି ! ଧନ୍ୟ ତୁମ୍ଭର ଅଲୌକିକ ପ୍ରତିଭା, ଶୀଘ୍ର ଜ୍ଞାନାନନ୍ଦ ସନ୍ନ୍ୟାସୀଙ୍କୁ ଡକାଇ ଆଦେଶ କର; ସେ ଯାଇ ବିଶ୍ୱବିନ୍ଧାଣୀ ବିଶ୍ୱକର୍ମାଙ୍କଠାରୁ ଲାବଣ୍ୟବତୀର ଚିତ୍ରପଟ ଘେନିଆସନ୍ତୁ । ତାଙ୍କ ହସ୍ତେ ସେହି ପ୍ରତିମୂର୍ତ୍ତିକୁ ଦେଇ ରାଜକୁମାରମାନଙ୍କ ନିକଟକୁ ପଠାଇବା । ଅନ୍ୟ ବିନ୍ଧାଣୀମାନେ ଜେମା ରୂପ ଚିତ୍ରରେ ଆଙ୍କିବାକୁ ନିଶ୍ଚେ ଅସମର୍ଥ ହେବେ । ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ବିନୁ ସେ ସବୁରି ଅସାଧ୍ୟ ।
ମନ୍ତ୍ରୀ– ତେବେ ମହାରାଜ ମୁଁ ଯୋଗୀଙ୍କି ଡାକି ଆଣେ ?ରାଜା– ନା ଆଉ ତୁମ୍ଭଙ୍କୁ ଯିବାକୁ ହେବ ନାହିଁ । ମୋର ଭାଗ୍ୟ ବଶରୁ ସେ ନିଜେ ବିଜେ କରି ଏଠାକୁ ଆସୁଛନ୍ତି ।(ଗୀତ ଗାଇ ଗାଇ ସନ୍ନ୍ୟାସୀଙ୍କର ପ୍ରବେଶ)ଜୟ ଶିବ ଶଙ୍କର ହର ହର ଶୂଳୀ । ଭବ ଭବଭୟହାରୀ ଚନ୍ଦ୍ରମଉଳି । ପଦ ।ଅନ୍ଧକ ତ୍ରିପୁର ହନ୍ତ । ଆଶୀବିଷ ଭୂଷିତ । ବ୍ୟାଘ୍ର ଚର୍ମାମ୍ବରଧର ଭୂତରେ କେଳି । ୧ ।ପର୍ବତ-ଜେମା-ଜୀବନ । ଭୂତନାଥ ଭଗବାନ । ଭଇରବ ଭକ୍ତ ପ୍ରିୟାଙ୍କ ମୁଣ୍ଡମାଳି । ୨ ।ଦଣ୍ଡପରଶୁ ଧାରଣ ଘୋର ସଂକଟ ତାରଣ, ବାଞ୍ଛେ ବଇଷ୍ଣବ ତବ ପୟର ଧୂଳି । ୩ ।
ମନ୍ତ୍ରୀ– ହେ ଯୋଗୀନ୍ଦ୍ର ! ତୁମ୍ଭେ ଏକ୍ଷଣି ଦେବଶିଳ୍ପୀ ବିଶ୍ୱକର୍ମାଙ୍କଠାକୁ ଯାଅ । ତାଙ୍କଠାରୁ ଆମ୍ଭ ରାଜଜେମା ଲାବଣ୍ୟବତୀଙ୍କ ଚିତ୍ରପଟ ନେଇ, ମାନବ ଲୋକରେ ବୁଲି ସେ ଚିତ୍ରକୁ ରାଜପୁତ୍ରମାନଙ୍କୁ ଦେଖାଇବ । ତାଙ୍କୁ କହିବ ଯେ ରତ୍ନେଶ୍ୱର ରାଜା ଆସନ୍ତା ଫାଲ୍ଗୁନ ମାସରେ ସେତୁବନ୍ଧ ରାମେଶ୍ୱରଠାରେ ସ୍ୱୟମ୍ବର କରିବେ । ସିଏ କ’ଣ କହିବେ ଫେରିଆସି ଶୀଘ୍ର ରାଜାଙ୍କୁ ଜଣାଇବ ।
ଦ୍ୱିତୀୟ ଦୃଶ୍ୟ
(ପୁଷ୍କରିଣୀ ମଧ୍ୟ-ମଣ୍ଡପେ କନ୍ୟା ଓ ଯୁବରାଜ ଚନ୍ଦ୍ରଭାନୁ ମିତ୍ରଗଣ ସହ ଉପବେଶନ)
ଋତୁଧ୍ୱଜ– ଯୁବରାଜ ! ଏତେ ବ୍ୟସ୍ତ ହୁଅନା, ଭାଗ୍ୟେ ଥିଲେ କାମିନୀ-କାଞ୍ଚନ ଭୋଗହୁଏ । ଅଦୃଷ୍ଟ ସୁମରି କର୍ତ୍ତବ୍ୟ ପଥରେ ଅଗ୍ରସର ହୁଅ । ତା’ହେଲେ ଅସାଧ୍ୟ ସାଧନ ହେବ ।
ଚନ୍ଦ୍ରଭାନୁ– ମିତ୍ର ସେ ବୋଇତିଆଳଠାରୁ ସିଂହଳ ରାଜକନ୍ୟାଙ୍କ ରୂପଗୁଣ ଶୁଣିଲା ବେଳରୁ ମନ ମୋର ଅଥୟ ହେଉଛି । ଆହା,
ସାମାନ୍ୟ ଶୁକପକ୍ଷୀଟାଏ - ସେ କ’ଣ ମିଛ କହନ୍ତା । ସେ ନିଶ୍ଚୟ ତ୍ରିପୁରସୁନ୍ଦରୀ ସୁର-ସମ୍ପଦଦାୟିନୀ ମନମୋହିନୀ ହୋଇଥିବ । ଆହା, ଏତେବେଳେ ଯଦି କେହି ରତ୍ନେଶ୍ୱର ଜେମାର ପ୍ରତିମୂର୍ତ୍ତି ମୋତେ ଦେଖାନ୍ତା ମିତ୍ର, ତା’ହେଲେ ଏ ଚକ୍ଷୁ-କର୍ଣ୍ଣର ବିବାଦ କେଭେ ରହନ୍ତା ନାହିଁ ।
ଗୀତ(ବେଗେ ଯାଅ ଯାଅ ଲଙ୍କାପୁରରେ – ବୃତ୍ତେ)
ମିତ୍ର ଆଜି କି ଶୁଣିଲି ଶ୍ରୁତିପଥେ ହେ । ନାମରେ ଯାହାର ଏତେ ଶକ୍ତି ଅଛି କାମରେ ନଥିବ କେତେ ହେ । ପଦ । ଲବଣୀ ପିତୁଳା, ନିଶ୍ଚେ ରାଜବାଳା, ହୋଇଥିବ ଏ ଜଗତେ । ବତିଶ ଲକ୍ଷଣା-, ଯୁକ୍ତ ସୁଲକ୍ଷଣା, ବଣିକ ବୋଇଲେ ଏଥେ ହେ ।୧। ଏ ଘେନି ସୁଷମା, ବହିଛି ସେ ରାମା, କ୍ଷମାଗୁଣ ଥିବ ଚିତ୍ତେ । ସେ ଗଜ ଗମନା, କାମୁକ କାମନା, ପୂରାଇବ ଅବିରତେ ।୨। କହନ୍ତା କେ ଥରେ, ରତି ପଣ୍ଡିତାକୁ, ମୋ ମନ ଭାବ ଗୁପତେ । ଅହନ୍ତା କରିଣ, ମାରୁଅଛି ମୋର, ମରମକୁ ଶରାଘାତେ ହେ ।୩। ହର କୋପେ ପରା, ଡରେ ଫୁଲଚାପ ବୋଲନ୍ତି ଶାସ୍ତ୍ରେ ପଣ୍ଡିତେ । ପାଣି ଭଣି ଶମ୍ଭୁ-, ପରେ ପାଣି ଦେଇ ତୋଷନ୍ତି ପରୀ ନିରତେ ହେ ।୪।
ମାଳୀ ପ୍ରବେଶମାଳୀ– ଯୁବରାଜ ! ମହ୍ଲାରୁ ମଦନିକା ନାମେ ବେଶ୍ୟା ଆସିଛି । ସେ ଶ୍ରୀଛାମୁରେ ସାକ୍ଷାତ ଇଚ୍ଛା କରେ ।ଋତୁ– ହଉ ହଉ ମାଳୀ, ତେବେ ଏଠାକୁ ଆସିବାକୁ କହ ?ମାଳୀ– ଯେ ଆଜ୍ଞା ।(ପ୍ରସ୍ଥାନ)ମାଳୀ ସହ ମଦନିକାର ପ୍ରବେଶ
ଚନ୍ଦ୍ର– ମିତ୍ର ଏ ଗଣିକାମଣି ମର୍ତ୍ତ୍ୟର ନୁହେଁ । କେହି ଗନ୍ଧର୍ବୀ ସୁରମଣ୍ଡଳରୁ ଶାପଭ୍ରଷ୍ଟା ହୋଇ ମହୀରେ ଜାତ ହୋଇଚି – ଏହାର ରୂପ ବର୍ଣ୍ଣନା କବିର କଳ୍ପନାତୀତ ।
ଋତୁ– ବରାଙ୍ଗନେ ଆଉ ବସନା । ଆମ୍ଭ ରାଜପୁତ୍ରଙ୍କ ମନ ଭଲ ହେବା ପାଇଁ ଗୋଟିଏ ଗୀତ ଗାଇଲେ ଅନେକ ଧନରତ୍ନ ଉପହାର ପାଇବ ।ମଦନିକା– ଛାମୁଁଙ୍କ ଆଜ୍ଞା ଶିରୋଧାର୍ଯ୍ୟ ।ଗୀତ(କାହିଁଗଲା ସଖୀ ଯମୁନା କୂଳିଆ– ବୃତ୍ତେ)
ଫୁଟିଚି ସୁମନା ଲୁଟିବ ମଧୁ ଭ୍ରମରା-ବନ୍ଧୁ ଯାଅ ହେ । ବିଧୁରଜନୀରେ ମଜ୍ଜି ପ୍ରେମ-ନୀରେ ଗୁଣୁ ଗୁଣୁ ଗୀତ ଗାଅ ହେ । ବିଞ୍ଚିଦେଇ ବାସ ରହିଛି ଅନାଇ, ସଞ୍ଚିଥୋଇ ସୁଧା ଅଛି ପରା ଚାହିଁ । ନ ଜୁଟିଲେ ଅଳି ଯିବଟି ମଉଳି କାଳି ପଡ଼ିବ ତା ଦେହ ହେ ।୧। ମାଳୀ ଦେଖି କାଳେ ତୋଳି ଘେନିଯିବ, ମାଳ କରି ଗୁନ୍ଥି ଆନ ଗଳେ ଦେବ, ବେଶି ଦିନ ଗଲେ ବାସି ହେଲେ ରସି ନଚାହିଁବେ କେହି ମୁହଁ ହେ ।୨। ସ୍ନେହଜଳେ ଭାସି ଜଳେ ତା’ର ଅଙ୍ଗ, କିଏ ବଳେ ଚାପେ ଯୋଖିବ ଅନଙ୍ଗ, ଭୃଙ୍ଗ ଅଙ୍ଗ ସଙ୍ଗ ହେବ ନିଶ୍ଚେ ଭଙ୍ଗ ଫେରିବ ନାହିଁ ସନ୍ଦେହ ହେ ।୩। ନିଶିରେ ଚନ୍ଦ୍ରକୁ ଦେଖିଦେଲେ ଶିବ, ଦିନେ ଭାନୁମୁଖ ଚାହିଁ ବିକଶିବ, ହସିଦେଲାକ୍ଷଣି କିଏ ନରସିବ ବଇଷ୍ଣବ ବୋଲେ କହ ହେ ।୪।
ଋତୁ– ଧନ୍ୟ ଧନ୍ୟ ମଦନିକେ, ସଙ୍ଗାତଙ୍କ ମନ ଜାଣି ଗୀତ ଗାଇଚ – ବସ, ଉପହାର ନେଇ ବାହୁଡ଼ିଯିବ ।
ମାଳୀ– (ପ୍ରବେଶି) ଯୁବରାଜ, ସିଂହଳଦ୍ୱୀପରୁ ଜଣେ ସନ୍ନ୍ୟାସୀ ସିଂହଳ ଜେମା-ଚିତ୍ରପଟ ଘେନି ଦ୍ୱାରେ ଅଛନ୍ତି, ଛାମୁଙ୍କ ଆଜ୍ଞାଙ୍କୁ ଅପେକ୍ଷା ।
ଚନ୍ଦ୍ର– ମିତ୍ର ତୁମ୍ଭେ ଏଠାରେ ବସ, ମୁଁ ଯାଉଛି ଯୋଗୀଙ୍କି ପାଛୋଟିଆଣେ ।ଋତୁ– ମିତ୍ର ସେ କଣ, କେଉଁଠାକୁ ଯିବ, ସିଂହଳ ନାମ ଶୁଣି ଯେ ଏକାବେଳେ ବିହ୍ୱଳ ହୋଇଯାଉଛ, ବସ ଆମ୍ଭ ଲୋକ ଯାଇ ତାଙ୍କୁ ଘେନି ଆସିବେ ।ଜଣେ ଲୋକ ସହ ସନ୍ନ୍ୟାସୀ ପ୍ରବେଶଋତୁ– ଯୋଗୀବର ପ୍ରଣାମ, ଏହି ଆସନରେ ବସନ୍ତୁ ।
ଚନ୍ଦ୍ର– ସଙ୍ଗାତ, ଏ ଗଣିକାର ନେତ୍ରଛଟା ଆଉ ତା’ର ଭାବଭଙ୍ଗିରେ ନିଶ୍ଚେ ହର-ବ୍ରହ୍ମା ବଶ ହୋଇଯିବେ । ଆହା ଏପରି ମୋହିନୀ ମୂର୍ତ୍ତି କି ଜଗତରେ ଅଛନ୍ତି, କେତେ ଶ୍ରମ କରି ବିହି ଏ ପ୍ରତିମାକୁ ନିର୍ମାଣ କରିଥିବ ।
ସନ୍ନ୍ୟାସୀ– ଯୁବରାଜ, ଏ କିଛି ବଡ଼ ନୁହେଁ, ମୋ ନିକଟରେ ଯେଉଁ ଚିତ୍ରପଟ ସିଂହଳ ଜେମାଙ୍କର ଅଛି ତା’ଠାରୁ ଏ ଶତେଗୁଣେ ଊଣା, ତା’ର ପାଦଘଷା ପଥରକୁ ସରି ହେବା କଠିନ । ଏହି ଦେଖନ୍ତୁ ଯୁବରାଜ ସେ ଚିତ୍ର ।
ଋତୁ– (ଚିତ୍ରଦେଖି) ଭାଷ ଯୋଗୀ ସତ ଏହି ଚିତ୍ର ଅଟଇ କାହାର ?ସନ୍ନ୍ୟାସୀ– ଏ ଅଟଇ ରତ୍ନେଶ୍ୱର ରାଜଜେମାଙ୍କର ।ଋତୁ– ପ୍ରକୃତରେ ଏ ପ୍ରତିମା ଜଗତେ ଦୁର୍ଲ୍ଲଭ ।ସନ୍ନ୍ୟାସୀ– ଯାର ଭାଗ୍ୟେ ଥିବ ୟାକୁ ସେ କରିବ ଲାଭ ।ଚନ୍ଦ୍ର– (ଚିତ୍ରକୁ ଚାହିଁ) ସଙ୍ଗି ! ନିଶ୍ଚେ ଯୁବା-ସୃଷ୍ଟି ନାଶିବାକୁ ଧାତା ଏହାକୁ କରିଛି ନିର୍ମାଣ ।ଋତୁ– ପ୍ରକୃତ ଏ ତବ ଅନୁରୂପା ନାରୀ ଜାଣ ।ଚନ୍ଦ୍ର– ଯତ୍ନ କଲେ ଫଳିବ କି ବନ୍ଧ୍ୟା ବୃକ୍ଷେ ଫଳ ।ଋତୁ– ଉପାୟ କରିବି ମିତ୍ର ନହୁଅ ଚଞ୍ଚଳ ।ସନ୍ନ୍ୟାସୀ– ଯୁବରାଜ, ମେଲାଣି ନେଉଛି – ନିକଟରେ ହେବ ଏ କନ୍ୟାର ସ୍ୱୟମ୍ବର ଆସିଥିଲି ନିମନ୍ତ୍ରଣେ ।(ପ୍ରସ୍ଥାନ)ଚନ୍ଦ୍ର– ପାଗଳ କରି ହେ ଯୋଗୀ ପଳାଉଛ କେଣେ ।ଦ୍ୱାରୀ– ପିତାଙ୍କ ଡକରା, ଯୁବରାଜ ଆସନ୍ତୁ ବହନ ।ଚନ୍ଦ୍ର– ମିତ୍ର କରନ୍ତୁ ବିଦାୟ ଗଣିକାକୁ, ଜାଣେ ଏ ସନ୍ନ୍ୟାସୀ କିବା ବଶ୍ୟ ଉଚ୍ଚାଟନ ।(ସମସ୍ତଙ୍କର ପ୍ରସ୍ଥାନ)
ତୃତୀୟ ଦୃଶ୍ୟ
ଶୟନାଗାରକାମକଳାଦି ସଖିଗଣ ପାର୍ଶ୍ୱେ ଉପବେଶନ – ଲାବଣ୍ୟବତୀର ନିଦ୍ରାଭଙ୍ଗ
କାମକଳା– ଜେମାଦେଈ, ବାୟାଣୀ ପରି ହୋଇ ଶେଯରେ କ’ଣ ହଜାଇ ଖୋଜୁଛ କି ? କେଶରେ, ଊରୁ ସନ୍ଧିରେ କ’ଣ ଥୋଇଥିଲ କିଏ ନେଇଗଲା କି ? ହଠାତ୍ ନିଦରୁ ଉଠି ଏପରି ହେଲ କାହିଁକି, କ’ଣ ସପନ ଦେଖିଲ ନା କଅଣ ?
ଲାବଣ୍ୟ- କାମକଳା, ମୁଁ ତୁମ୍ଭଙ୍କୁ ସେକଥା କଅଣ କହିବି – ମୋ ହୀନ କପାଳକୁ କାହିଁକି ବିଧାତା ସୁଧାପାନ ଦେଇ ଛଡ଼ାଇ ନେଲେ । ମୋର କି ଖଣ୍ଡ ତପସ୍ୟା ଥିବାରୁ ଏ ଦଶା ଘଟିଲା । (ରୋଦନ)
କାମମଳା– ଜେମାମଣି, କାନ୍ଦନା– କଅଣ ଘଟଣା ପ୍ରକୃତ ଭାବରେ ଆମ୍ଭ ଆଗରେ କହ ।ଲାବଣ୍ୟ- ସଖୀଗଣ, ମୁଁ ତାହା କହୁଛି ଶୁଣ ।ଗୀତ(ରୁହ ରୁହ ରୁହ ବାବାଜୀ– ବୃତ୍ତେ)(ମୁଁ) ପାଇବା ରତନ ଦେଲି ହଜାଇ ।ସ୍ୱପନେ ମୋ ମନ ମଜାଇ, ସହି ନିଦ ନାଶେ ଗଲା ସେ କାହିଁ ।ଆସି ପୁରୁଷ ଏକ ବସି ମୋ’ ପାଖ ଊରେ ନିବେଶି କର,ଅଙ୍ଗେ ଅଙ୍ଗ ମିଶାଇ ରଚନ୍ତେ କେଳି ଭାଜିଲା ନିଦ୍ରା ମୋର ।ରତି ଚୋରକୁ ଲୋଡ଼ି ତ ପାଉନାହିଁ,ଧୀରସ୍ଥିରଭାବେ ମନ ରହୁନାହିଁ ।ସେହି ରସିକ ଶଶୀ କାଳେ ବା ରସିଲୁଚିଥିବ ନୀଳନୀରଦେ ଯାଇଁ ।୧।ତେଣୁ ଘନକୁନ୍ତଳେ ଫିଟାଇ ବଳେ ପାଇଲି ନାହିଁ ଦେଖା,ଭାବି କରିଲି ସ୍ଥିର ମୋ ବେନି ଊର ଗିରି ସମାନ ଏକା,କାଳେ ଉପତ୍ୟକା ମଣି ମଧ୍ୟଦେଶେ,ଲୁଚିଥିବେ ଅସ୍ତାଚଳ-ମଣି ଶେଷେତେଣୁ ସଙ୍ଗିନୀ ଈଶ କଲି ତଲାସସେ ତ ଶେଯେ ଥିବା ପାଞ୍ଚିଲି ମୁହିଁ ।୨।ତା’ର ମୋହନ ରୂପ ସଖି କଳାପ ନାଚେ ନୟନରେ,ଯେବେ ଆସନ୍ତେ ପାଶେ ବାନ୍ଧନ୍ତି ବାସେ ସ୍ୱପନେ ଶୟନରେ ।ବଶ୍ୟ ଉଚ୍ଚାଟନ ଜାଣେ ସେ ନାଗର,ତାକୁ ଆଣିଦେବ କିଏ ମୋ ଆଗର ।ତାର ହୁଅନ୍ତି ଋଣୀ ତରୁଣିମଣିବଇ ଭଣି ଆଉ ନପାରେ କହି ।୩।
କାମ- ରାଜବାଳା ଏକଥା କହୁଛ ତୁମ୍ଭକୁ ଲାଜ ମାଡ଼ୁନାହିଁ ? ଯେଉଁ ପୁର ମଧ୍ୟରେ ଚନ୍ଦ୍ର ସୂର୍ଯ୍ୟଙ୍କ ଛାଇ ପଡ଼େନା, ଚନ୍ଦନ ତରୁକୁ ଅହି ଜଗିଲା ପରି ଯେ ପୁର ଚାରିପାଖେ ବିଷଧର ଅହି ତୁଲ୍ୟ ପ୍ରହରୀମାନେ ରହିଛନ୍ତି, କେବଳ ଉପବନର ସମାଗମ ବିନା ଏ ପୁର ଅନ୍ୟ କେ ଗମିବା ଅସମ୍ଭବ । ଦେବ-ଅଗମ୍ୟପୁରେ ତୁ ମାନବ ବା ପାଇଲୁ କିପରି ? ଯେବେ ସ୍ୱପ୍ନ ସତ୍ୟ ହୋଇଥାଏ, ତେବେ ସେ ପୁରୁଷ ନିଶ୍ଚେ କେହି ଦେବଅଂଶୀ ହେବ ।
ବିମଳା- ଜେମା ତାଣ୍ଡବ ଚିତ୍ରକୁ ତ ମହାଦେବ ଆଳୟରେ ଦେଖିଚ, ତହିଁରୁ କେହି ହେବ କି ନା ମଦନକୁ ଦେଖିଲ ?ଲାବଣ୍ୟ- ନା ସଖୀ ।
ପରିମଳା- ମଲା, ସଖୀଏ ଏତେ ପଚାରୁଛ କାହିଁକି, କ’ଣ ଦେଖିପାରୁନାହଁ । ଏ ଧରା ପଡ଼ିଲାଣି ଚୋର । ଖୋଜା ଲାଗିଅଛି ବରଘର । ସଙ୍କେତ ପରା ଆଗରେ ପଡ଼ିଛି, ସପନ କିଆଁ ହେବ ? ଏ ତ ସତକଥା !
ଗୀତ(ଚନ୍ଦ୍ରବଦନାରେ ଜଣାଉଚି ଘେନ- ବୃତ୍ତେ)ଦେଖ ସଙ୍ଗିନୀ ଗୋ ଗଣ୍ଡେ ଲାଗିଛି ତାମ୍ୱୁଳ ବୋଳ ।ଅଛି ଦନ୍ତକ୍ଷତ ଚାହାଁରେ ସଙ୍ଗାତ ଗାଢ଼େ ଚୁମ୍ୱି କଲା କୋଳ ॥
ଉରଜ ଉପରେ କରଜର ଗାର ଅର୍ଦ୍ଧଚନ୍ଦ୍ର ପରା ଦିଶେ ।ଗୋଟି ଗୋଟି ହୋଇ ଫୁଟି ଚହଟୁଛି କି ସୁନ୍ଦର ଝୀନ ବାସେ ।୧।ଠାବେ ଠାବେ ବିଧୁରାଜ ବିରାଜଇ କସ୍ତୁରୀ ଚନ୍ଦନ ଛଟା ।ପୁଂସ ଅଙ୍ଗେ ଅଙ୍ଗ ଯୋଗ ହେଲାବେଳେ ପଡ଼ିଛି ପୀରତିଭଟ୍ଟା ॥
ଭିଡ଼ିବାର କାଳେ କନକତନୁରେ କନକ କଙ୍କଣ ଦାଗ ।କାମକଳା ପରା ଧରା ପଡ଼ିଯାଏ କାମ ବହି ଅନୁରାଗ ।୩।ଭେଟିବା ବେଳେ ତ ଭେଟି ଦେଇ ସେହି ତା ଅଙ୍ଗୁଷ୍ଠିର ମୁଦ୍ରିକା ।ସୃଷ୍ଟି ମଣ୍ଡନାର ମଣ୍ଡନ ହୋଇଛି ତା’ ଅଙ୍ଗୁଷ୍ଠି ଅନାମିକା ।୪।କେଉଁ ଦେବୀ ନିଦ୍ରାଭୋଳେ ମାୟାବଳେ କରାଇଚି ଏତେକାଣ୍ଡବଇଷ୍ଣବ କହି ଉଣ୍ଡ ତା’ ସନ୍ଧାନ ଶ୍ରମ ହେବ ନାହିଁ ପଣ୍ଡ ।୫।କମଳା- ପରିମଳା ଦେଖିଲଣି ନା ଏ ଚିତ୍ର ଏଠାରେ ନ ଥିଲା - ଏଠି କିଏ ରାତି ମଧ୍ୟରେ ୟାକୁ ଆଙ୍କିଦେଇଗଲା ।
ଲାବଣ୍ୟ- ସଖୀଗଣେ, ଯେଉଁ ପୁରୁଷ-ସିଂହକୁ ମୁଁ ସ୍ୱପ୍ନରେ ହରାଇଛି ଏ ତାଙ୍କରି ପ୍ରତିମୂର୍ତ୍ତି । ନଳନାକୁ ଛଳନା କରିବାକୁ କିଏ ପ୍ରତିବିମ୍ୱ ଏଠି ରଖିଗଲା । ହା ନାଥ ! ସଖୀ, ଏ ଚନ୍ଦ୍ର କିରଣ, ମଳୟ ପବନ, ଭ୍ରମର ଗୁଞ୍ଜନ, କୋକିଳସ୍ୱନ, ଫୁଲସୁବାସ, ଚନ୍ଦନ, କସ୍ତୁରୀ, କର୍ପୂରରଜ, ଝୀନବସନ, ମୁକ୍ତାହାର ମୋତେ ବିଷପରି ଲାଗୁଛି । ହାୟ ସଖୀଗଣେ, ମୋ ଆଶା ଛାଡ଼ ।
ଗୀତ(ଦଇବରେ ଏଡ଼େ ଦାରୁଣ ତୋ ଛାତି- ବୃତ୍ତେ)
କମଳା ଗୋ ଛାଡ଼ ମୋର ପ୍ରତି ଆଶା । ବିରହୀ ନାରୀକଣ୍ଟକ ବସନ୍ତ ବରଷା । ପଦ । ପୁଣି ଏ ଶରଦଶଶୀ, କିରଣରାଶି ବରଷି । ଶୋଷିବ ପିଣ୍ଡ ପରାଣ ଜାଣି ମୋ କୁଦଶା ।୧। ମାରର ବିଷମ ରୀତି । ଯିବ କେ ତହୁଁ ବରତି । ଜଳେ ଜଳେ ଶୀତଳ ସେ ନ ଭଜେ ସହସା ।୨। ଚନ୍ଦ୍ର ଚନ୍ଦନ ମିଶାଇ ଅଙ୍ଗରେ ଘଷନ୍ତେ ସହି । ଛଟକେ ସ୍ଫୋଟକ ଜନମାଏ ଦିବାନିଶି ।୩। ପୁଣି ସେ କଳାକଣ୍ଟକ । ହୋଇଛି କାଳକଣ୍ଟକ । ଚାରିଯୁଗେ ନାରୀକୁଳଠାରେ ତା’ର ହିଂସା ।୪। ପୁରୁଷ ପରଶ ବିନା । ଆନେ ମୋ ନାହିଁ କାମନା । ଲୁହା ଚୁମ୍ୱକ ସମାନ ବଇଷ୍ଣବ ଭାଷା ।୫।
କମଳା- ଜେମାମଣି ତୁମେ ଯେଉଁ ବିରହ ରୋଗରେ ପଡ଼ି କଷ୍ଟ ପାଉଚ, ତା’ର କ’ଣ ଉପାୟ କିଛି ନାହିଁ ? ଆମ୍ଭେମାନେ ଏତେ ସଖୀ ଥାଇ ତୁମର କ’ଣ କିଛି ଉପାୟ କରିପାରିବୁ ନାହିଁ । ଥୟ ହୁଅ, ଏ ରାଜଭବନରେ ତୁମ୍ଭର କିଛି ଅଭାବ ନାହିଁ । ଧନ ଥିଲେ ଜନ ଅବଶ୍ୟ ମିଳେ । ଏ କାମନା ଯେବେ କର ଖରଚ ଯେତେ ହୁଏ ବେଶି ତେତେ ବରଷିବ ନୀର । ହେଇ ମାଳିନୀ ଆସିଲା ପରି ତ ଦିଶୁଚି । ତା’ର ମୁହଁ କାହିଁକି ପ୍ରଫୁଲ୍ଲ ଜଣାଯାଉଚି । କ’ଣ ଭଲ ଖବର ଆଣିଚି କି ? ତାକୁ ପରା ହରଦେଉଳରେ ଫୁଲ ଖଞ୍ଜା କରିଥିଲ । ତା’ର ଫଳ କ’ଣ କିଛି ନାହିଁ- ତେବେ କିଏ କାହିଁକି ଏଣିକି ଦିଅଁ ଦେବତା ପୂଜିବ ।
ଲାବଣ୍ୟ- କମଳା ! ସବୁ କପାଳ, ବଡ଼ଲୋକ ହେଲେ କି ହେଲା ଶିବଙ୍କଠାରୁ ବଡ଼ କିଏ ଅଛି । ସମୁଦ୍ର ମନ୍ଥନରେ କେବଳ ତାଙ୍କ କପାଳରେ ବିଷ ପଡ଼ିଲା । ଯେବେ ସେହିପରି ମୋ କପାଳ ମନ୍ଦ ହୋଇଥିବ କୋଟି ଦିଅଁ ଦେବତା ପଥର ହୋଇଯିବ । ତୁମ୍ଭେ ଏତେ ସଖୀ ଥାଇଁ କ’ଣ କରିବ ?
(ମାଳିନୀର ପ୍ରବେଶ)ମାଳିନୀ- ଆଲୋ ରାଜା ଝିଅ ଭଲ ଅଛୁ ତ ? କି ଲୋ କାମକଳା-କମଳା-ବିମଳା-ପରିମଳା, ହେ ମଞ୍ଜରିଝିଅ, କାହିଁକି ଏଡ଼େ ଶୁଖିଲାଟା ଦିଶୁଚ ?କମଳା- ମାଉସୀ କ’ଣ କହିଁବୁ ତାଙ୍କୁ ବିରହ ବେଦନା ଶୋଷୁଚି ।ମାଳିନୀ- ମଲା ! ଝିଅକୁ ଥିର କରାଅ, ମୁଁ ପରା ତାହାରି ଲାଗି ତରତର ହୋଇ ଧାଇଁଚି, ଶୁଣ ....ଗୀତ(କି ନାମ ବୋଇଲୁ - ବୃତ୍ତେ)
ଗଲା କାଲି ଚତୁର୍ଦ୍ଦଶୀ ନିଶିରେ, ଜାଗର ଶିବ ଦେଉଳେ । ହୋଇ ଉପବାସୀ, ଜାଳୁଥିଲି ବସି, ରାତିଅଧେ ତୋ’ ମଙ୍ଗଳେ ।୧। ଅଳପ ଘୁମାଇ, ପଡ଼ୁ ପଡ଼ୁ ମୁହିଁ, ଏକାଳେ ଉମା ମହେଶ । ଘେନି ଦୀର୍ଘବେତ, କରେ ଭୂତନାଥ, ଆସି ମିଳିଲେ ମୋ ପାଶ ।୨। ଛୁଇଁ ସେହି ବେତ, କରାଇ ସତେ, ଏ ଭାବ ବ୍ୟକତ କଲେ । କଷ୍ଟ ପାଉଅଛି ସିଂହଳେଶ ଜେମା, ତୁଷ୍ଟ କର ଯା ବୋଇଲେ ।୩। ଶଶୀଶେଖର କୋଳରେ ଚନ୍ଦ୍ରଭାନୁ କର୍ଣ୍ଣାଟେ ହୋଇଛି ଜାତ । ଲଭୁ ସେ ତାହାକୁ ନାହା ଭାବେ ବରି, ପୂରିବ ତା ମନୋରଥ ।୪। ସୁନ୍ଦରପଣକୁ ଚନ୍ଦ୍ର, ପୁରନ୍ଦର, କନ୍ଦର୍ପ ନୋହିବେ ସରି । ସ୍ୱପନବଶେ ଯା ଲପନକୁ ଚୁମ୍ୱି, ମରୁଅଛି ଝୁରି ଝୁରି ।୫। ଶୁକ ବ୍ରହ୍ନଚାରୀ ଆସି କାଲିପରି ସଙ୍କେତ ଘେନି ମିଳିବ । ଏତେ କହି ହର ଅନ୍ତର ହୋଇଲେ ଭାଷେ ବିପ୍ର ବଇଷ୍ଣବ ।୬।
ମାଳିନୀ- ଜେମା, ମୋତେ ସେତିକିବେଳୁ ତ ନିଦ ନାହିଁ । ଖବର ତ ପାଇଲ ମୋତେ ମେଲାଣି କର ।
ଲାବଣ୍ୟ- ମାଳିନି ! ସେକଥା ମୋତେ ପୁଣି ଥରେ କହ; ଚିର କ୍ଷୁଧାତୁରକୁ ସୁଧା ପରସିଲୁ, ମୁଁ ତୋର ଏ ଋଣ ସାତଜନ୍ମେ ଶୁଝି ପାରିବି ନାହିଁ । ମାଉସୀ ଦୁର୍ଗାଙ୍କୁ ସୁନା ଚିତା ଓ ମନ୍ଦାର ମାଳ, ଶିବ ଶିରେ ଗୋ ଦୋହନ ଓ ବେଲପତ୍ରି ଲକ୍ଷେ ଦେଇ ଜଳଛାଇ କରାଇବୁ, ମୁଁ ସବୁ ଦରବ ତୋ’ ପାଖକୁ ପଠାଇ ଦେଉଚି ।
ଗୀତ(ମାନକର ଦାନ ଧନ - ବୃତ୍ତେ)
ମାଳିନି ! ମୋ ପାଇଁ ଆଉ ଥରେ କହ ଯାଇ ଲୋ । ଉମା ମହେଶଙ୍କୁ ସେବା ପୂଜାରେ ମନାଇ ଲୋ । ପଦ । ଜୀବ ଥିଲେ ଶିବ ସେବା, କରୁଥିବି ନିଶିଦିବା, ଯୁବା ଯୁବତୀଙ୍କ ମନ ରଖିବେ ରଞ୍ଜାଇ ଲୋ ।୧। ନ ଘଟିବ ବିଘ୍ନବାଧା, ଏ ବସୁଧା ପରେ ସଦା, ତେଜିବି ଜୀବନଧନେ ବସିଲେ ହଜାଇ ଲୋ ।୨। କଷ୍ଟେ ଉପାର୍ଜିତ ଫଳ, ସେ ଯେବେ ହୁଏ ବିଫଳ, ଇଷ୍ଟ ବୋଲି କେ କିମ୍ପା ଭଜିବ ଭାଷେ ବଇ ଲୋ ।୩।
କମଳା- ରାଜଜେମା ! ଏଡ଼େ ଅସ୍ଥିର ନହୋଇ ସାହାସ ବାନ୍ଧ, ଯେତେ ଯେତେ ଶୁଭସୂଚକ ଦେଖାଯାଉଛି ଏ କାର୍ଯ୍ୟ ନିଶ୍ଚୟ ସିଦ୍ଧି ହେବ । ଦେବୀଙ୍କ ଦୟାରୁ ସ୍ୱପନ ତ ସତ ହୋଇଛି । ଭୋକ କଲେ କି ଲୋକ ଦୁଇ ହାତରେ ଖାଇଯାଏ ? ହିମଋତୁ ପଦ୍ମବନକୁ ଜାଳିଦିଏ । ମୂଳ ଥିବାରୁ ସିନା ସେ ବସନ୍ତରେ ପୁଣି ପଲ୍ଲବିଉଠେ । ସେହିପରି ଯେବେ ତୁମ୍ଭେ ଜୀର୍ଣ୍ଣଶୀର୍ଣ୍ଣ ଦେହରେ ପଡ଼ିଥିବ, ତେବେ ନିଶ୍ଚେ ତୁମ୍ଭର ବାଞ୍ଛିତ ଧନ ପାଇ ମହା ସୁଖୀ ହେବ । ଆହୁରି କହୁଛି ଶୁଣ ।
ଗୀତ(ଜଣାଯାଉ ନାହି ଆଉ ସ୍ନେହ- ବୃତ୍ତେ)
ମୋର କଥା ମନେରଖିଥା ଗୋ ରାଜସୁତା । ବନେ ଫୁଟିଲେ ମାଳତୀ ନ ଭୋଗଇ ଭୃଙ୍ଗ କି ତା । ପଦ । ମଧୁମକ୍ଷିକା ସଞ୍ଚିତ, ମଧୁ ଯେବେ ପରାପତ । ଅହି ଚନ୍ଦନେ ରକ୍ଷିତ ଥିଲେ ଘେନନ୍ତି ଦେବତା ।୧। ବିକଶି କୁସୁମ ବାସ, ନ କରି କି ପରକାଶ । ସାଗରେ ଯାଇ କି ନଦୀ ନ ମିଳଇ ତେଜି ଚିନ୍ତା ।୨। ବାଳ ଅରୁଣ କିରଣ, ଜଳଦେ କି ଲୁଚେ ପୁଣ । ଚହଟି ଦିଶଇ ଫୁଟି ରେ କାମକଳପ ଲତା ।୩। ଚେତାଇଦେଲି ସୁତନୁ, ନ ପାସୋରୁ ଏହା ମନୁ । ଅନୁଭବୀ ବଇଷ୍ଣବ ଭାବି ଲେଖଇ କବିତା ।୪।
ପରିମଳା - ମାଳିନି ! ଚାଲ ତୁମ୍ଭର ଉପହାର ତୁମ୍ଭେ ଘେନି ଯିବ । ଆମ୍ଭର ତ ଏଣିକି ଏଇ ବେପାର ଲାଗିଲା । ଜେମାଦେଈ କାହିଁକି ମାଳିନୀକି ବସାଇଛ – ଚାଲନ୍ତୁ ତାକୁ ମେଲାଣି କରିଦେବା । ଯେ ଯହିଁକି ଅଟଇ ଯୋଗ ସେ ତା’ ବାନ୍ଧି ହେଉଥାଏ ଭୋଗ ।
ସମସ୍ତେ- ହଉ ଚାଲ ।(ସମସ୍ତଙ୍କର ଧୀରେ ଧୀରେ ପ୍ରସ୍ଥାନ)
ଗୀତିନାଟ୍ୟ କର୍ଣ୍ଣବଧବୈଷ୍ଣବ ପାଣି ପାର୍ବତୀ ବା ଗଙ୍ଗେଶ୍ୱର ଗୀତିନାଟ୍ୟବୈଷ୍ଣବ ପାଣି ବୈଷ୍ଣବ ପାଣି