ତୃତୀୟ ଦୃଶ୍ୟ — ଲାବଣ୍ୟବତୀ ଓ ଚନ୍ଦ୍ରଭାନୁ — ବୈଷ୍ଣବ ପାଣି · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ତୃତୀୟ ଦୃଶ୍ୟ
ଚନ୍ଦ୍ରଭାନୁ ଓ ମନ୍ତ୍ରୀ ପୁତ୍ରର ପ୍ରବେଶ
ଚନ୍ଦ୍ର- ମିତ୍ର, ଯେତେବେଳେ ଶିବଙ୍କ ଦେଉଳ ଦ୍ୱାରଦେଶରେ ପ୍ରିୟତମା ଉପରେ ମୋର ଦୃଷ୍ଟି ପଡ଼ିଲା, ମନେକଲି ସୃଷ୍ଟିରେ ଯାହା ଉଚ୍ଚ ଉଚ୍ଚ ଅଭିଳାଷ କରି ଲୋକ ଯାହା ଲାଭ କରନ୍ତି; ସେ ରାଜକୁମାରୀ ନିକଟରେ ଅଣୁମାତ୍ର ତୁଳନା ହୋଇ ନ ପାରେ । ଯାହା ଦେଖିଲି ତାହା କହୁଛି ଶୁଣ ।
ଗୀତ- (କାହିଁ ପାଇଁ ଭଉଣୀ- ବୃତ୍ତେ)
ହରଉରଜା ଯେକାଳେ ହର ଦେଉଳରୁ ହେଲା ବାହାର । ହରଷ ନୟନା ହରି-କଟିଜିଣା ପରେ ନେତ୍ର ପଡ଼ିଗଲା ମୋହର । ପଦ । ଅଭ୍ର ଚିତା ଶୁଭ୍ର, ଦିଶେ ଭାଲପଟେ, ମଧ୍ୟଗଗନେ କି ଉଦେ ମିହିର । ଚକ୍ରାକୃତି ନଥ ଝରା ଥରାଇଲା, ଦେଖି ନ ଦ୍ରବିବ ଚିତ୍ତ କାହାର ।୧। ଉଚ୍ଚ କୁଟେ ଢଙ୍କା, କୁଞ୍ଚିତ କାଞ୍ଚଲା, ସୁଧାକୁମ୍ଭ ଢଙ୍କା କିବା ତାହାର । ହୋଇଛି ଢାଙ୍କୁଣୀ, ଦୋଳୁଅଛି ପୁଣି ତାପରେ ହୀରକ ତ୍ରିସରି ହାର । କର, ଟେକି ଚିର, ରଖିବାବେଳୁ, ଦିଶିଲା ଉଦର କେତେ ବାହାର । ଲଳିତ ତ୍ରିବଳି, ବଳି ହୋଇ ଦିଶେ, ମାର କି ପାବଛେ କରେ ବିହାର ।୩। ତେରଛାଇ ଚାହିଁ, ଗଲାବେଳେ ବାଳା, ଦାସ ହେବ କାମପାଶେ ତ ହାର । ବଇ ବୋଲେ ମୁଖ ଚନ୍ଦ୍ର ତା ନିରେଖି, ଉଠିଲା ମୋ ପ୍ରୀତି, ସିନ୍ଧୁ ଜୁଆର ।୪।
ଋତୁ- ସଙ୍ଗାତ, ତେବେ ଆଜି ଗଙ୍ଗାସ୍ନାର ଫଳ ଲାଭ ହୋଇଛି ।ଚନ୍ଦ୍ର- ତା’ର ସଙ୍ଗେ ସଙ୍ଗେ ହସ୍ତଲିପି ଖଣ୍ଡେ ପାଇଛି ।ୠତୁ- ଭାଷାରେ କି ଲେଖିଥିଲେ ରସାପତି-ସୁତା ?ଚନ୍ଦ୍ର- ଏକତ୍ର ହରଦର୍ଶନେ ବଳାଇ ମମତା ।ୠତୁ- ହେବ କେଉଁପରି ଲେଖିଛନ୍ତି ସେ ଉପାୟ ?ଚନ୍ଦ୍ର- ତୁମ୍ଭେ ଯାଇଁ ସିଂହଳନାଥଙ୍କୁ ଏହା କହ ।ୠତୁ- କେଉଁ କଥା କହିବି ସଙ୍ଗାତ ?ଚନ୍ଦ୍ର- କହ ଅବରୋଧ ଦର୍ଶନକୁ ଯିବେ ଆମ୍ଭ ନାରୀଯୁଥ ।ୠତୁ- ଏହା ହେଲେ ତୁମ୍ଭେ କେହ୍ନେ କରିବ ଦର୍ଶନ ?ଚନ୍ଦ୍ର- ଶୁଣ ପତ୍ରେ ଲେଖାଅଛି ମିତ୍ର ତହିଁର ବିଧାନ ।ଗୀତ
ଶିବ ଦରଶନେ ଆସିବ ଜୀବଧବ ଏପରି । ସାଜି ଯୋଷା ଖୋଷା ଖୋଷିବ ଶିରେ ନୋହିବ ବାରି ।୧। ନୀଳ ନିଚୋଳ ଓଢ଼ଆଣି ଓଢ଼ିଥିବ ଅଙ୍ଗରେ । ଚାଲିବା ବେଳେ ପକାଇବ ବାମ ପାଦ ଆଗରେ ।୨। ନାନା ଆଭରଣ ମଣ୍ଡିତ ଶିରୁ ଚରଣ ଯାକେ, ପୁରୁଷ ବୋଲି ନ ଭାବିବେ ଯେହ୍ନେ ଦ୍ୱାରା-ରକ୍ଷକେ ।୩। ଆମ୍ଭମାନଙ୍କର ସଙ୍ଗରେ ସାରି ଦରଶନକୁ । ଫେରିବା ବେଳରେ ଆଚରି ସେହି ବିଧିମାନଙ୍କୁ ।୪। ହର ଦେଉଳରେ କରିବି ହାର ଦେଇ ବରଣ । ପୁରୁଷ ବେଶେ ପ୍ରୀତି କାଳେ ଦିନେ ଶୁଝିବ ୠଣ ।୫। ଲେଖିଛି ଏପରି ସୁନ୍ଦରୀ ମିତ୍ର ଭାବି କି ଚିତ୍ତେ । ସାଜିଦିଅ ରାମା ସୁବେଶ ବଇ ଭାଷଇ ଗୀତେ ।୬।
ୠତୁ- ସଙ୍ଗାତ, ଆସ ମୁଁ ତୁମ୍ଭଙ୍କୁ ନାରୀ ବେଶ କରିଦିଏ । ମୁଁ ଆଗରେ ଯାଇ ସିଂହଳ ରାଜାଙ୍କ ଆଗରେ କହି ଆମ୍ଭ ରାଜ-ଅନ୍ତଃପୁର ନାରୀଗଣେ ତାଙ୍କ ଜେମା ଗହଣରେ ଦର୍ଶନକୁ ଯିବେ କହି ଅନୁମତି ତାଙ୍କଠାରୁ ମାଗିଆଣିବି । ତୁମ୍ଭେ ଏହି ଅବସରରେ ଆମ୍ଭ ସ୍ତ୍ରୀଗଣଙ୍କ ସଙ୍ଗେ ଶିବ ଦେଉଳ ଦରଜାରେ ହାନ୍ଦୋଳା ଆରୋହୀ ଠିଆ ହୋଇଥିବ ।
ଚନ୍ଦ୍ର- ସଙ୍ଗାତ ! ଆଗେ ମୋତେ ବେଶ କରିସାରି ପରେ ଅନୁମତି ପାଇଁ ଯିବ, ଆସ ।ଚନ୍ଦ୍ରଭାନୁକୁ ୠତୁଧ୍ୱଜ ନାରୀବେଶ କରିବା
ୠତୁ- ସଙ୍ଗାତ ! କାହାର ସାଧ୍ୟ ଯେ ତୁମ୍ଭକୁ ପୁରୁଷ ବୋଲି ବାଛିଦବ ? ସୁରପରିଗଣେ ଏ ଶୋଭାକୁ ହାରିଯିବେ । ତୁମ୍ଭେ ନାରୀଗଣଙ୍କ ସଙ୍ଗେ ଆସ, ମୁଁ ରାଜାଙ୍କ ପାଖକୁ ଯାଉଛି ।
ଚନ୍ଦ୍ର- ମିତ୍ର ! ତୁମ୍ଭେ ଚାଲ ମୁଁ ଥରେ ଏ ଦେହକୁ ମୋର ପ୍ରିୟା ନାମ କବଚରେ କବଚି ନିୟେଁ ।
ଗୀତ
(ଶ୍ରୀରାଧା ବାତୁଳି- ବୃତ୍ତେ)
ଆରେ କୁଟିଳାକ୍ଷୀ, ବାରେ କରୁ ରକ୍ଷା, ଚନ୍ଦ୍ରମୁଖୀ ନାମ ମୁଖ ମୋର । ତରଳ ନେତ୍ରୀ ମୋ; ନେତ୍ର ରକ୍ଷା କରୁ, ତୋଷିକା ନାମ ନାସିକାସାର । ଶ୍ରୁତି ବେନିଥରେ । ସୁବଚନା ନାମ ରକ୍ଷା କରିବ ରେ । ଅରୁଣାଧରି ଅଧର କମ୍ବୁକଣ୍ଠୀ, କଣ୍ଠଦେଶେ ଆସ ବସ ଧୀରେ ।୧। ମୃଣାଳବାହୁରେ, ରସ ଏ ବାହୁରେ, ଉଦରେ କୃଶ-ଉଦରୀ ଭାବେ । ପରମାନନ୍ଦ-ଦାୟିନୀ ପୃଷ୍ଠ ରଖ, କଟୀ ଦେଶ ହରି-ମଧ୍ୟ ଏବେ । ରମ୍ଭା-ଜାନୁ ଜାନୁ । ପାଦପଦ୍ମ ଚରଣ କେ ତୋ’ର ବିନୁ ରକ୍ଷା କରିବାରେ ସକ୍ଷମ ହୋଇବ, ଡାକେ ଅନୁସରି ଅନୁମାନ ।୨। କବଚିଲି ଯେଉଁ ଯଉଁ ସ୍ଥାନମାନ, ତୋ ନାମ କବଚେ ଛୁଇଁ କରେ । ସେହି ସେହି ସ୍ଥାନ, ରକ୍ଷା କରି କରୀ-ଗମନା ପାରି କରିବୁ କିରେ । ବଇଷ୍ଣବ ଗିର । ନାହିଁ ତୋ ନାମ ବିନୁ କେ ସାହା ମୋର । ପୂର୍ଣ୍ଣକରି ଶିବେ ଲକ୍ଷେ ସ୍ୱର୍ଣ୍ଣଚମ୍ପା, ଚଢ଼ାଇବି ଯେବେ ହେବି ତୋର ।୩।
ଚତୁର୍ଥ ଦୃଶ୍ୟ
ଶିବକ୍ଷେତ୍ର ସିଂହଳ ନୃପତିଙ୍କ ବାସଗୃହେ ୠତୁଧ୍ୱଜର ପ୍ରବେଶ
ୠତୁ- ସିଂହଳପତି ! କାଲି ଯେଉଁ କର୍ଣ୍ଣାଟ ଯୁବରାଜଙ୍କୁ ଛାମୁଙ୍କ ପାଖକୁ ଦେଖିବା ନିମନ୍ତେ ଡକେଇ ଆଣିଥିଲେ, ସେ ମୋତେ ଆଜି ଶ୍ରୀଛାମୁକୁ ପଠାଇଛନ୍ତି ଯେତେବେଳେ ଛାମୁଙ୍କ ଅନ୍ତଃପୁରସ୍ଥା ନାରୀଗଣେ ଅବରୋଧ କକ୍ଷକୁ ଯିବେ; ସେହିକାଳେ ତାଙ୍କର ନାରୀଗଣେ ଏମାନଙ୍କ ସଙ୍ଗେ ଯିବାକୁ ଅନୁମତି ମାଗିଛନ୍ତି ।
ରାଜା- ତେବେ ଭଲ ହେଲା; ଟିକଏ ରହନ୍ତୁ, ମୁଁ ସମସ୍ତ ପଣ୍ଡା ପଢ଼ିହାରିମାନଙ୍କୁ ଡାକି କହିଦେଉଛି ।ଦ୍ୱାରୀ- ମହାରାଜ !ରାଜ- ଯାଅ କେତେକ ପଣ୍ଡାପଢ଼ିହାରିଙ୍କି ଆମ୍ଭ ଛାମୁକୁ ଡାକି ଆଣିବ ।ଦ୍ୱାରୀ- ଯେ ଅଜ୍ଞା ଛାମୁଁ !(ଦ୍ୱାରୀ ପ୍ରସ୍ଥାନ)(କେତେକଜଣ ପଣ୍ଡାପଢ଼ିହାରି ଆସି ପ୍ରବେଶ)ଗୀତସତେ ବୃନ୍ଦାବନେ- ବୃତ୍ତେ
ସବୁଦିନେ ଯେବେ ପଡ଼ୁଥାନ୍ତା, ନାନା, ଏମନ୍ତ ଜାଗରଯାତ । ଗଣ୍ଡା ଗଣ୍ଡା ପଣ୍ଡା ପଢ଼ିହାରିଙ୍କର, ଉଚ୍ଛୁଳି ଉଠନ୍ତା ହାତ । ପଦ । ଟଙ୍କା ପଇସାକୁ ଥୋଇବାକୁ ପରା, ନ ମିଳନ୍ତା ଫୁରୁସତ । ଶିବ ଶକତିକି ଅଣ୍ଡାଳି ପକାନ୍ତେ, ଏକାବେଳେ ପାଞ୍ଚ ସାତ ।୧। ସୁନାର କଠାଉ ଗୋଟାଉଁ, ଉଲୁସି ଉଠନ୍ତେ ଚିତ୍ତ । କେତେ ସୁନାଚିତା ଟୋପର ମିଳନ୍ତା ଫୁରୁସତ । ଶିବ ଶତକିତି ଅଣ୍ଡାଳି ପକାନ୍ତେ, ଏକାବେଳେ ପାଞ୍ଚ ସାତ ।୧। ସୁନାର କଠାଉ, ଗୋଟାଉଁ, ଉଲସି ଉଠନ୍ତା ଚିତ୍ତ । କେତେ ସୁନାଚିତା ଟୋପର ମିଳନ୍ତା, ଶୁଣୁଥାନ୍ତ ନାନାଗୀତ ।୨। ପୁଞ୍ଜା ପୁଞ୍ଜା ରାଜପୁଅ ଆସି ପୁଣି, ବାଣ୍ଟୁଛନ୍ତି ଯେତେ ବିତ୍ତ । ସବୁଠାରୁ ବେଶି ବିଞ୍ଚୁଅଛି ଧନ, କାଞ୍ଚିଦେଶ ରାଜାସୁତ ।୩। କାଲିପରା ପୁଣି ପାଖକୁ ଡକାଇଥିଲେ, ଆମ୍ଭ ନରନାଥ । କୋଠା ଛାତପରେ ଭେଟାଭେଟି ହେଲେ ରୂପଗୁଣେ ଆଚମ୍ବିତ ।୪। ଦେଖୁଥାଅ ରହି ତା’ର ପରି କାହି, ଦେଉନାହିଁ ଖଇରାତ । ବଇଷ୍ଣବ ଭାଳେ ଦରଶନବେଳେ, ଦେଖିବୁ ତା’ କରାମତ ।୫।
ରାଜା- ଶୁଣ ଶୁଣ କର୍ଣ୍ଣଡେରି ମନ୍ତ୍ରୀପୁତ୍ର ! ତୁମ୍ଭ ରାଜକୁମାରଙ୍କ ସୁଖ୍ୟାତି କିପରି ପଣ୍ଡାମାନେ ଗଣ୍ଡା ଗଣ୍ଡା ହୋଇ ଗାଉଛନ୍ତି ? ପୁଣି ଆମ୍ଭେ ସେମାନଙ୍କୁ ତୁମ୍ଭର କାର୍ଯ୍ୟରେ ସାବଧାନ କରାଇ ଦେଉଛୁ ।
(ପଣ୍ଡାପଢ଼ିହାରିଗଣ ପ୍ରବେଶ)ପଣ୍ଡା- ମଣିମାଙ୍କର ଜୟ ହେଉ, ଛାମୁରୁ କି ଆଦେଶ ଶୀଘ୍ର କରନ୍ତୁ, ଆଜି ଯାତଟା ଭାରି ଗହଳ ।
ରାଜ- ଶୁଣ ପଣ୍ଡାପଢ଼ିହାରିଗଣେ ! କର୍ଣ୍ଣାଟ ରାଜାଙ୍କର ସ୍ତ୍ରୀଗଣଙ୍କୁ ଆମ୍ଭ ଜେମା ଇତ୍ୟାଦି ଅବରୋଧ କକ୍ଷକୁ ଗଲାବେଳେ ତାହାଙ୍କ ସଙ୍ଗେ ଛାଡ଼ିବ-ଯେପରି ସେମାନେ ସୁବିଧାରେ ଦର୍ଶନ ପାଆନ୍ତି ।
ପଢ଼ିହାରି- ମହାରାଜ ! ଏମନ୍ତଭାବେ ଦର୍ଶନ ହେବ ଯେପରି କାର ଦେହକୁ ଦେହ-ଲାଗିବ ନାହିଁ !ୠତୁ- ଖୁବ୍ ସାବଧାନରେ ଦର୍ଶନ କରାଇଲେ ଖୁବ୍ ପୁରସ୍କାର ପାଇବ । ମୋତେ ଚିହ୍ନିଥାଅ; ସେତେବେଳେ ଯେପରି ଭୁଲ ନ ଥାଏ ।ପଣ୍ଡା- ଛାମୁଙ୍କୁ କିଏ ନ ଚିହ୍ନେ, ଛାମୁଙ୍କ ରାଜକୁମାରଙ୍କ ଯଶ ପରା ରାମେଶ୍ୱରର କାଙ୍ଗାଳିଠାରୁ ଧନୀ ଲୋକ ସୁଦ୍ଧା ଘୋଷୁଛନ୍ତି ।ରାଜା- ହଉ ହଉ ତୁମ୍ଭେମାନେ ଯାଅ, ଦର୍ଶନବେଳା ହେଲାଣି । (ସମସ୍ତଙ୍କ ପ୍ରସ୍ଥାନ)ନେପଥ୍ୟେ, ନାନା ବାଦ୍ୟଧ୍ୱନି- ଚାରିଜଣ ପଣ୍ଡାଙ୍କରଭାଙ୍ଗ ଘୋଟାବାଡ଼ି, ପଥୁରି ହସ୍ତେ ପ୍ରବେଶ ।
୧ମ ପଣ୍ଡା- (ଭାଙ୍ଗ ଘୋଟୁ ଘୋଟୁ) ଭାଇନା, ବେହିପୋ ଆଜି ପାଗ ଯୋଗଟା ପରା କାହିଁ ମିଳିବ ନାହିଁ । ଯେତେବେଳେ ଖେଦାଟାଏ ମାଇପେ ଝମ ଝମ ହୋଇ ଦିଅଙ୍କ ଦିହୁଡ଼ି ଭିତରକୁ ପଶିଗଲେ । ତେଣେ ଚାହିଁଦେଇ ମୋ’ ମୁଣ୍ଡଟା ପରା ଝାଇଁ ଝାଇଁ ହୋଇଗଲା ।
୨ୟ ପଣ୍ଡା- ଭାଇନା, ମୁଁ ତେତେବେଳେ କସିକରି ପାଚକଟାଏ ପକେଇ କମରଭିଡ଼ି ବାସୁଆ ପଛପଟରେ ଠିଆ ହୋଇ ଥାଏଁ, ସେ ଗହଣା ଝମ ଝମ ନାଦଟା ହଠାତ୍ ମୋ କାନରେ ପଶିଗଲା; ମନେକଲି ବେହିପୋ ବରଷା ତ ଆସିଲା । କେଡ଼େ ଯାତ ସୁଖଟାଏ ଭାଙ୍ଗି ପକାଇବ । ଉପରକୁ ଚାହିଁଲି ଆାକାଶ ସଫା; ବାଦଲ ଖଣ୍ଡେ ବି ନାହିଁ । ଚାହିଁଲା ବେଳୁ ତ ବାଦଲା କାମ ପରି ଆକାଶ ପରି ପଞ୍ଝାଟାଏ ଦେଉଳକୁ ଧାଇଁଚନ୍ତି । ଭାଇନା, ସେଠୁ ତାଙ୍କ ପଛ ପଟ ଧରି ଆସ୍ତେ ଆସ୍ତେ ଗଲି । ମନେକରୁଥାଏ ଧନ ନ ଦେଇ ଯଦି ୟାଙ୍କ ହାତରେ ମୋତେ କାନମୋଡ଼ାଏ ଦିଅନ୍ତେ କି, କେଡ଼େ ସୁନ୍ଦର ହାତ ପାପୁଲି ରଙ୍ଗ, ଯେମନ୍ତେ ଫାଳେ ମାଲପୁଆ ପରି ଦିଶୁଥାଏ । ମୋର ଅସରଫି କିଏ ଗୋଟାଏ ରେ – ସେ ତ ଏଣେ ପଣପଣ ହୋଇ ପଡ଼ୁଥାଏ ।
୩ୟ ପଣ୍ଡା- ଭାଇନା, ରହ ମୁଁ ତ ମନେ ଭାବିଲି ଏ ବଡ଼ଘର ଢିଲା । ଏ ବୋଧହୁଏ ଅସରଫି ପ୍ରସବ କରନ୍ତି । ଆରେ ତାଙ୍କୁ ଅନେଇବି ନା ଧନ ଗୋଟେଇବି ? ନନା କେତେ ଯେ ମାଳ ପଦକ ସବୁ ଝଡ଼ି ଛିଡ଼ିପଡ଼ିଲା, ଯେ ପାଇଚି ସେଇ ସେ ମଜା ଜାଣେ । ଆଉ ବେହିପୋ ତାଙ୍କ ନାଦ ଯେମନ୍ତେ କୋକିଳ ନାଦ, ମନେ ମନେ କହୁଥାଏ ଦି’ଚାରିପଦ ଗାଳି ଦ୍ୟନ୍ତେ କି ଭଲ କରି କଣ୍ଠ ସୁଆଦଟା ବୁଝନ୍ତି ।
୪ର୍ଥ ପଣ୍ଡା- ମୁ ମଧ୍ୟ ମନେକଲି ଭାଇନା, ପ୍ରକୃତରେ ବଡ଼ଘର ପିଲାଏ ଭଲ ଦାମୀ ଦାମୀ ଜିନିଷ ପ୍ରସବ କରନ୍ତି ।
୧ମ ପଣ୍ଡା- ଯା କହିଲୁ ନନା ତା ମିଛ ନୁହେଁ । ବଡ଼ଘରେ ବଡ଼ ଜିନିଷର ଜନମ । ସାନଘରେ ତା’ କାହୁଁ ମିଳିବ ? ଯଦିଚ ଦୁଇଘଣ୍ଟା ସେମାନେ ଦେଉଳ ଭିତରେ ରହିଯାଇଥାନ୍ତେ, ଜନ୍ମଟା ଯାକ ସେବକ ଗିରି ନ କଲେ କ’ଣ ଭାସି ଯାଉଥିଲା ହେ । ଗୋଟା ସର୍ବନାଶିନୀ ବୁଢ଼ୀଟାଏ ଏତିକି ବେଳେ ପହଞ୍ଚି କ’ଣ ବେହିପୋ ମନ୍ତର ଝାଡ଼ିଲା, ସେ ପଞ୍ଝାଟା ଯାକ ତ ସେଠୁ ଆସିବାଯାଏ ବାହାରକୁ ବାଆର ସଇଲା ନାହିଁ ।
୨ୟ ପଣ୍ଡା- ଭାଇନା, ସେଟା ବୃଦ୍ଧା ରାଣ୍ଡୀଟାଏ ହେ । ତାକୁ ବୋଧହୁଏ ମୁଦୁସୁଲୀ ବୋଲନ୍ତି କି କ’ଣ ? ନଇଲେ ଏତେ ପୋଖତା ମାଇକିନିଆଟା ଯାଇଁ କାହିଁକି ତାଙ୍କୁ ଗୋରୁପରି ଅଡ଼େଇ ଆଣନ୍ତେ ହେ ।
୩ୟ ପଣ୍ଡା- ଆରେ ଭାଇନା, ଆଉ ଗୋଟିଏ ଖୁସ୍ଖବର, ମୋର ମନେନଥିଲା । ଯେଉଁ କାଞ୍ଚିରାଜା ପୁଅ ଆସିଚି, ତା’ ସଙ୍ଗେ ଆମ ସିହଂଳ ରାଜା ଝିଅର ବିଭାଘର ଠିକ୍ ହେଲା । ଶୁଣିଲି ଆଜି ଆମ ରଜା ଘରକୁ ଚାଲିଯିବେ । କାଲି ଭୋର କାଞ୍ଚି ରଜାପୁଅ ସିଂହଳକୁ ଯିବେ । ଆଚାର୍ଯ୍ୟ ଯାଇ ସବୁ ଠିକ୍ ଠାକ୍ କରି ଚାଲିଆସିଚି ।
୪ର୍ଥ ପଣ୍ଡା- ତେବେ ତ ବାହାଘରକୁ ଗଲେ ପେଟଭରି ଭୋଜନ, ଅଣ୍ଟାଭରି ପଇସା ଦକ୍ଷିଣା ମିଳିବ । ଆଉ ବେହିପୋ ଏ ଯେଉଁ ହାଉଳି ରରଜାଗୁଡ଼ାଏ ଆସିଛନ୍ତି ତାଙ୍କୁ କିଏ ପଚାରେ । ପୁଅ ତ କାଞ୍ଚି ରଜାର ପୁଅ, ଝିଅ ତ ସିଂହଳ ରଜାର ଝିଅ । ଆଉ ଗୁଡ଼ାଏ ବେହିପୋ ବଣଭୂତ । ଚାଲ ଯେଉଁ ସେତୁବନ୍ଧ ରାମେଶ୍ୱରଙ୍କ ଯୋଗେ ଆମ ପଟେ ହାତେ ହାତେ ପଦାକୁ ବାହାରିଛି, ଯାହାଙ୍କର ଦାନା ଖାଇ ଏତେଦିନ ମଉଜରେ କଟେଇଲେ ତାଙ୍କ ନାଆଁରେ ଗୋଟିଏ ନୂଆ ଭଜନ ଗାଇ ଗାଇ ଚାଲିଯିବା ।
ସମସ୍ତେ- ତେବେ ପାଚକଟା ପଡ଼ୁଥାଉ । ଗୀତଟା ଆରମ୍ଭ କର ।(ସମସ୍ତେ ପାଚକ ଖାଇ ଗୀତ ଗାୟନ କରିବା)ମୁଝେ ଦେଖାଦେଓରେ- ବୃତ୍ତେ
ହର ହର ବଂ ବଂ ବଂ ସେତୁବନ୍ଧ ରାମେଶ୍ୱର । କପର୍ଦିଚନ୍ଦ୍ର ମଉଳି ଅନାଦି ଈଶ୍ୱର । ପଦ । ଅନ୍ଧକ ଦୈତ୍ୟ ନାଶକ ଦୈତ୍ୟ ନାଶନ ସଂହାର । ମାର ଦର୍ପହାରୀ ନୃପସୁତ ଦୁଃଖହର ।୧। ତୋତେ ସେବି ସୀତାନାଥ ନାଶିଲେ ଅସୁର । ଯେସନେ ଲଭିଲେ ଜୟ ତାହା ନ ପାସୋର ।୨। ଭୃତ୍ୟବାଞ୍ଛା ବାଞ୍ଛାନିଧି ପୂରାଅ ସତ୍ୱର । ବଞ୍ଚିତ କରନା ବର ଦେନା ଦିଗମ୍ବର ।୩। ଯେ ପଦେ ସେବନ୍ତି ସଦା ନର ନାଗ ସୁର । ଦିଅ ସ୍ଥାନ ବଇଷ୍ଣବେ ସେ ପଦ ପାଶର ।୪।
(ସମସ୍ତଙ୍କ ନାଚି ନାଚି ପ୍ରସ୍ଥାନ)
ଚତୁର୍ଥ ଦୃଶ୍ୟ-ସିଂହଳ ରାଜଭବନ
କାମକଳା- ଜେମାମଣି ଆଉ ଭାବନା କ’ଣ, ରାଜ ତ ବର ବରି ଆସିଲେ । କାଲି ତ ବାହାଘର, ଆଉ ସ୍ୱପନ ଦିନ ଆତୁରିଆ ଆଜି ଅଛି ନା । ପୁଣି ତ ଶିବ ଦେଉଳରେ ପ୍ରତ୍ୟକ୍ଷେ ମାଳ ଦିଆନିଆ ହୋଇଗଲା, ଖାଲି ଲୋକ ଜାଣିବାକୁ ହବ ବାହା ।
ଲାବଣ୍ୟ- ମନ୍ତ୍ରୀ ଜେମା ମୋତେ ପରିହାସ ଆଉ କରନା । ଯେତେବେଳେ ଧନ ହାତକୁ ଆସିନି ତା’ର କୋଉ ସ୍ଥିର ।
କାମକଳା- ମଲା, ଆଉ କଅଣ କିଓ ବାକି ରହିଲା । ରାଣି ପରା ବୋଇତରେ ଆସିଲା ବେଳେ ପାଖରେ ବସି ଏତେ ବୁଝାଉଥିଲେ, ସେ ପରା କହୁଥିଲେ ବର କାଲି ଆସିବ । ଆମେ ଆଗରେ ଆସିଲୁ । ସେ ସୈନ୍ୟ ଘେନି କେଶର ବନରେ ଅଛନ୍ତି । ହେଇମ ଚାହିଁ, ସେ ବୁଢ଼ୀ ଦାସୀ କାହିଁକି ମାତାମହୀଙ୍କ ପାଖରୁ ଏଠିକି ଧାଇଁଛି ।
ଲାବଣ୍ୟ- ସଖି, ଏକ୍ଷଣି କେତେ କେତେ ଥଟ୍ଟା କଥା ବାହାରକରିବ, ତୁମେ ତା’ ସାଙ୍ଗରେ ତର୍କ କରିବ, ମୁଁ କିଛି କହିପାରିବି ନାହିଁ ।
ଦାସୀ- (ପ୍ରବେଶ) କି ନାତୁଣୀଯାକ, ଲାବଣ୍ୟକୁ ମୋହର କଅଣ ବସି ପଢ଼ାଉଛ କି ? ଏଥର ତ ସବୁଆଡ଼ୁ ଭାଙ୍ଗିଗଲା । ଏଣିକି ଦେହକୁ ଭଲକରି ରଖୁ, ମୁଁ ଔଷଧ ବତେଇ ଦେଉଛି । କାମ ତୁ ସେହି ସେହି ଔଷଧ ଖୋଇ ବର ପାଇଁ ନାତୁଣୀକି ମୋର ଦମ୍ଭ କରି ରଖ, ଶୁଣ ।
ଗୀତଆଉ ନ ଭାଳ ନ ଭାଳ ରାଣୀ- ବୃତ୍ତେ
ଗୋ ଜେମା ବେଳସୁଁ ଉପାୟ କର । ଯେଉଁ କଥା ହିତ ହେବ ଏ ଅଟଇ ନାଗରୀଙ୍କ କାରବାର ଗୋ । ପଦ । କନ୍ଦ କ୍ଷୀର ମେଥି ଖାଅ ନିତି ପ୍ରତି ଦିନକରେ ବେନିଥର । ବିଜୟା ଚୂର୍ଣ୍ଣକୁ କରି ସୂର୍ଯ୍ୟପାକ ମହୁ ଲବଣୀ ସଙ୍ଗର ।୧। ସକାଳ ସନ୍ଧ୍ୟାରେ ଖାଇଲେ ଏମାନ ସବଳ ହେବ ତୋ’ ଦେହ । ରତି ରସେ ପଡ଼ି ହାରିବରେ ଗୋରୀ ତିଳେ କରନା ସନ୍ଦେହ ଗୋରୀ ତିଳେ କରନା ସନ୍ଦେହ ଗୋ ।୨। ତିଳ ତଇଳକୁ ଡାଳିମ୍ବ ରସରେ ମିଳାଇ ଉରଜେ ବୋଳ । କାନ୍ତ କର ପୀଡ଼ା ନ କରିବ କୁଚ ହେବ ଯେହ୍ନେ ତାଳ ଫଳ ଗୋ ।୩। ବିଡ଼ଙ୍ଗ ଗନ୍ଧ ଉତ୍ପଳକୁ ସୋରିଷ ତଇଳରେ ମିଶାଇବ । ବେଶ କଲା କାଳେ କେଶରେ ବୋଳନ୍ତେ କଜ୍ଜ୍ୱଳ କୁଟିଳ ହେବ ।୪। ସୈନ୍ଧବ ପିପ୍ପଳୀ ନେଳିକି ଗୋଳି ଗୋ ବସନରେ ଛାଣି ତାହା । ଚିକୁରେ ଚିକ୍କଣ କରି ଲଗାଇଲେ ବଢ଼ିବ ନ ଭୁଲ ଏହା ।୫। ମୁଖ ଦୁର୍ଗନ୍ଧ ବିନାଶ ପାଇଁ ଦିଅ ନାଗେଶ୍ୱର ଜାତିଫଳ । ଗୁଡ଼ତ୍ୱକ୍-ଘନସାରରେ ମିଶାଇ ପାନେ ଭୁଞ୍ଜ ବେନିବେଳ ।୬। ସ୍ୱେଦ ଗନ୍ଧନାଶେ ନାଗ କେଶରକୁ ଚନ୍ଦନ ତୁଲେ ମିଶାଅ । ଅଭୟା ହଳଦୀ ସଙ୍ଗେ ଅଙ୍ଗେ ଲେପ ମହକିବ ମହ ମହ ଗୋ ।୭। ନାୟକ ନାୟିକା ସୁଖ ଭୋଗ ପାଇଁ ସରଜିଲେ ଏହା ଧାତା । ବଇଷ୍ଣବ ଭଣି ରମଣୀ ରମଣ ରସେ ହେବେ ଉନମତ୍ତା ।୮।
କାମ- ଆଈ ଯାହା କହିଲୁ ତା ସତ, ଶାଣ ଦେଲେ ମଣିଷେ ଏବେ ସରୁ ହୋଇଯାଏ ତା’ ହେଲେ କ’ଣ ତା’ର ଶୋଭା ତୁଟିଯିବ । ଏଥିପାଇଁ ସଖୀର ଦେହ ଶୁଖି ଯାଇଛି ବୋଲି ମେଥି ଲହୁଣୀ ଇତ୍ୟାଦି ଖୋଇବୁଁ ଯେ କୁଚଯୁଗ କମଠ ପୃଷ୍ଠରୁ କର୍କଶତାକୁ ଆହୁରି କଠିନ କରି କିଆଁ ପତି କରକୁ ଏତେ ବିପତ୍ତି ଦେବୁଁ ? ଯେଉଁ କେଶ ଚିକ୍କଣ ନବ ନିରଦକୁ ଜିଣି କଳା ନଦୀ ଲହରୀ ପରି ଯାହାର କୁଟିଳତା, ସେ କେଶ ଶୋଭାରେ ଜଗତ ଜନ ମନକୁ ବାନ୍ଧି ରଖିଚି, ତାକୁ କୁଟିଳ ଚିକ୍କଣ କଳା କରିବାକୁ ଆହୁରି ଓଷଦି କରିବାକୁ ହେବ ! ଯାର ମୁଖ ବିଷ୍ଣୁଙ୍କ ଶିର ତୁଳସୀଦଳପରି ବାସେ, ଯାର ଦେହ ସବୁବେଳେ ପଦ୍ମଫୁଲପରି ସୁଗନ୍ଧରେ ଦିଗ ଚହଟାଇ ଦିଏ, ତାହାଠାରୁ ଆଉ ସୁଗନ୍ଧ ପଦାର୍ଥ ଜଗତରେ କଅଣ ଅଛି ? ଥାଉ ଆଉ ସେକଥା ବେଶି କହନାହିଁ ।
ଦାସୀ- ଆଲୋ କାମକଳା, ଲାବଣ୍ୟ ହାତରେ କି ଶାସ୍ତ୍ରପୋଥି ଦିଅ, ସେ ବସିବା ଶୋଇବା ବନ୍ଧ ଚିତ୍ରମାନ ଶିଖୁ ।କାମ- ତା କ’ଣ ହଉ ହଉ ଆସିଯିବ ନାହିଁ, କହନି ହଂସକୁ ଧଳା ମୟୂର ଚନ୍ଦ୍ରିକା ଚିତ୍ର କରିଚି କେ ତାକୁ ?
ଦାସୀ- ହଉଲୋ, ନବ ବରଷୀ ରସିକିନୀ ଯାକ, ତୁମକୁ କଥାରେ କିଏ ପାରିବ । ତୁମର ପଇସା ସିନା ଦାଉ ହୋଇ ଦିଶୁଚି, ବୁଢ଼ୀ ହେଲାଣି ଘସରା ପଇସା, ତୁମେ ଆଉ ତା’ କଥା ମାନୁଚ, ଏଇକ୍ଷଣି ଚିତା ରହିଲାଣି ଟୋପିରେ, କଥା ରହିଲାଣି ଠେକିରେ, ମୁଁ ଯାଉଚି ତୁମେ ଥାଅ । (ପ୍ରସ୍ଥାନ)
କମଳା- ଦେଖିଲ, ବୁଢ଼ୀ କେଡ଼େ ଚତୁରୀ, ଆମେ ସିନା ତା’ କଥାକୁ ହସରେ ହସରେ ଉଡ଼େଇ ଦେଲେ, ନଇଲେ ଯାହା କହିଲା ସେ ପରା ଠିକ୍ ଓଷଦ ।ଲାବଣ୍ୟ- ସଖିମାନେ, ଯେବେ ବୁଢ଼ୀକଥା ମନକୁ ଗଲା ଥରେ ଥରେ ନିଜେ ସେ ଔଷଧକୁ ବିଡ଼ିଲ, କେମନ୍ତେ ଫଳ ହେବ ।
କାମ- ମଲା, ଗଲା କଥା ତ ଗଲାଣି, ଚାଲ ମନ ବିଡ଼ିଲାବେଳେ ବିଡ଼ିବ । ନିଶାଣ ଶୁଭୁଚି, ବର ଆସିଲାଣି ପରା ସମୁଦ୍ର କୂଳେ ତୋପ ପଡ଼ୁଛି । ଚାଲ ମାଜଣା ସାରି ଯିବେ ଜେମାକୁ ବେଶି ନ କରିବା ରାଣୀ ଗାଳିଦେବେ ।
କମଳା- ହଉ ଚାଲ । (ସମସ୍ତଙ୍କ ପ୍ରସ୍ଥାନ)