ଜୀବଜନ୍ତୁ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ସାହିତ୍ୟ କୁସୁମ
- ପଢ଼ିବା ସମୟ
- ୫ ମିନିଟ୍
- ଶବ୍ଦ
- ୭୮୫
- ସ୍ଥିତି
- ସାର୍ବଜନୀନ (Public domain)
ଏହି ପୃଥିବୀରେ ଚକ୍ଷୁର ଅଗୋଚର ଅତି କ୍ଷୁଦ୍ର କୀଟାଣୁଠାରୁ ପ୍ରକାଣ୍ଡକାୟ ତିମି ପର୍ଯ୍ୟନ୍ତ ନାନାବିଧ ପ୍ରାଣୀ ଅଛନ୍ତି । ସେଥିମଧ୍ୟରୁ କେତେକ ଜଳରେ, କେତେକ ସ୍ଥଳରେ, କେତେକ ବୃକ୍ଷୋପରି ନିର୍ମିତ ନୀଡ଼ରେ, କେତେକ ବା ଗର୍ତ୍ତରେ ବାସ କରନ୍ତି । କେତେକ ତୃଣ, ପତ୍ର, ଫଳ, ମୂଳ ଭକ୍ଷଣ କରନ୍ତି; କେତେକ ଅନ୍ୟ ଜୀବର ରକ୍ତ ଓ ମାଂସ ଖାଆନ୍ତି । କେତେକ ଦ୍ୱିପଦ, କେତେକ ଚତୁଷ୍ପଦ, କେତେକ ବହୁପଦ ଏବଂ କେତେକ ନିଷ୍ପଦ । କାହାରି ଦେହ ଲୋମାଚ୍ଛାଦିତ, ଖାହାରି ହେହ ପର ଅଥବା କାତିଦ୍ୱାରା, କାହାରି ବା କଠିନ ଆବରଣ ଦ୍ୱାରା ଆଚ୍ଛାଦିତ । ଏହିପରି କେତେ ଆକାରର, କେତେ ପ୍ରକାରର, କେତେ ବର୍ଣ୍ଣର କେତେ ପ୍ରାଣୀ ଅଛନ୍ତି ତାହା କିଏ କହିପାରିବ ?
ଗୋ, ଛାଗ, ମେଷ, ଘୋଟକ, ମାର୍ଜାର, କୁକୁରାଦି ଗୃହପାଳିତ ଜନ୍ତୁମାନଙ୍କ ବିଷୟରେ ଏବଂ ସିଂହ, ବ୍ୟାଘ୍ର, ଭଲ୍ଲକାଦି ଶ୍ୱାପଦମାନଙ୍କ ବିଷୟରେ, ବାୟସାଦି ବିହଙ୍ଗ, ଭ୍ରମରାଦି ପତଙ୍ଗ ଏବଂ ସର୍ପାଦି ସରୀସୃପମାନଙ୍କ ବିଷୟରେ ଅନେକେ କିଛି କିଛି ଜାଣନ୍ତି; କିନ୍ତୁ ସେମାନଙ୍କର ଦେହଗଠନ, ବୁଦ୍ଧି, କୌଶଳ, ଅନୁରାଗ ପ୍ରଭୃତି ବିଷୟରେ ସମସ୍ତଙ୍କର ଅନେକ ଶିଖିବାର ଅଛି ।
ପୃଥିବୀରେ ଜୀବନଧାରଣ ନିମିତ୍ତ ସବୁ ଜନ୍ତୁମାନଙ୍କୁ ଶତ୍ରୁ ସଙ୍ଗେ ଯୁଝିବାକୁ ହୁଏ । ବଳବାନ୍ ଜନ୍ତୁ ଦୁର୍ବଳ ଜନ୍ତୁକୁ ମାରି ପକାଇବାକୁ ବା ତଡ଼ିଦେବାକୁ ଚେଷ୍ଟା କରେ । ଦୁର୍ବଳ ଜନ୍ତୁ ବୁଦ୍ଧିର ଚାତୁରୀଦ୍ୱାରା ବଳବାନ୍ ଜନ୍ତୁର ହିଂସାରୁ ଆପଣାକୁ ରକ୍ଷା କରିବାକୁ ଚେଷ୍ଟା କରେ । ଏହି ପ୍ରକାରେ ପ୍ରାଣରକ୍ଷାର୍ଥ ଶତ୍ରୁମାନଙ୍କ ସଙ୍ଗେ ଯୁଝିବା– ଅର୍ଥାତ୍ ଜୀବନ ନିମିତ୍ତ ସଂଗ୍ରାମ ଜୀବସଂସାରରେ ସର୍ବଦା ଲାଗିରହିଛି ।
ପକ୍ଷୀ ପୋକ ଖାଏ; ପକ୍ଷୀର ଗ୍ରାସରୁ ଆପଣାକୁ ରକ୍ଷାକରିବା ପାଇଁ ଯେଉଁ ପୋକମାନେ ପତ୍ର ଖାନ୍ତି, ସେହି ପତ୍ରର ଅନୁରୂପ ବର୍ଣ୍ଣ ଧାରଣ କରି ପତ୍ରପରି ଦିଶିବାକୁ ଚେଷ୍ଟା କରିନ୍ତି । ହରିଣର ଦେହଗଠନ ଏପରି ଯେ ସେ ସିଂହ ବା ବ୍ୟାଘ୍ର ନିକଟରେ ଥିବାହ ଜାଣିପାରିଲେ, ଏମନ୍ତ ଦ୍ରୁତବେଗରେ ଦୌଡ଼େ ଯେ, ତାହାକୁ ଧରିବା ଅସମ୍ଭବ । ପଳାଇବାର ଉପାୟ ନ ଥିଲେ କେତେକ ଜୀବ ମରିଯାଇଥିବାର ବାହାନା କରନ୍ତି, ଅର୍ଥାତ୍ ମଲାପରି ପଡ଼ିରହନ୍ତି; ଯଥା : ତେଲୁଣୀପୋକ । ସମୁଦ୍ରବାସୀ କୌଣସି କୌଣସି ଜୀବ ଶତ୍ରୁର ଆକ୍ରମଣରୁ ରକ୍ଷା ପାଇବାପାଇଁ ଦେହରୁ ଏକପ୍ରକାର କଳାରସ ବାହାରକରି ଜଳକୁ ଏପରି କଳା କରିଦିଅନ୍ତି ଯେ, ଶତ୍ରୁ କିଛି ଦେଖି ନ ପାରି ସେମାନଙ୍କୁ ଆକ୍ରମଣ କରିପାରେ ନାହିଁ ।
ଅଭିଧାନ ପୁସ୍ତକରେ ଶବ୍ଦଗୁଡ଼ିକ ଅକ୍ଷର ଅନୁସାରେ ନାନା ଶ୍ରେଣୀରେ ବିଭକ୍ତ ହୋଇ ଲେଖାଯାଇଥାଏ ବୋଲି ଅନାୟାସରେ ଶବ୍ଦର ଅର୍ଥ ଖୋଜି ବାହାର କରାଯାଏ । ସେହିପାରି ପ୍ରାଣୀମାନଙ୍କ ଶ୍ରେଣୀବିଭାଗ କରି ସେମାନଙ୍କ ବିଷୟ ଆଲୋଚନା କଲେ ସେମାନଙ୍କ ସମ୍ବନ୍ଧରେ ଜ୍ଞାନଲାଭର ସୁବିଧା ହୁଏ ।
ସ୍ଥୂଳରେ ପ୍ରାଣୀମାନଙ୍କୁ ଦୁଇ ଶ୍ରେଣୀରେ ବିଭକ୍ତ କରାଯାଏ–ଅସ୍ଥିମାନ୍ ପ୍ରାଣୀ ଓ ଅସ୍ଥିହୀନ ପ୍ରାଣୀ । ଆମ୍ଭେମାନେ ଅସ୍ଥିମାନ୍ ପ୍ରାଣୀ; କିନ୍ତୁ ମାଛି, ବିଛା, ବୁଢିଆଣୀ ଏମାନେ ଅସ୍ଥିହୀନ ପ୍ରାଣୀ । ଅସ୍ଥିବାନ୍ ଜୀବମାନଙ୍କ ଶରୀରରେ ଗୋଟିଏ ମେରୁଦଣ୍ଡ ବା ଦୀର୍ଘ ଅସ୍ଥିମାଳା ଥାଏ । ମନୁଷ୍ୟ, ବାନର, ଘୋଟକ, ମାର୍ଜାର, ସର୍ପ, ପକ୍ଷୀ ପ୍ରଭୃତି ଜନ୍ତୁମାନଙ୍କର ପୃଷ୍ଠଦେଶରେ ଥିବା ମଝିହାଡ଼ ମେରୁଦଣ୍ଡ ଅଟେ । ଅସ୍ଥିମାନ୍ ଅର୍ଥାତ୍ ମେତୃସ୍ତନରୁ ଦୁଗ୍ଧ ପାନକରି ଜୀବନଧାରଣ କରନ୍ତି । ସେମାନେ ସ୍ତନ୍ୟପାନ କରନ୍ତି ବୋଲି ସେମାନଙ୍କ ସ୍ତନ୍ୟପାୟୀ ବୋଲାଯାଏ । କେତେକ ପ୍ରାଣୀ ଅଣ୍ଡାରୁ ଜନ୍ମି ସ୍ତନ୍ୟପାନ କରନ୍ତି ନାହିଁ, ଯେପରି ପକ୍ଷୀ ଏବଂ କୁମ୍ଭୀର, ମତ୍ସ୍ୟ, କଚ୍ଛପ, ଭେକ, ସର୍ପାଦି ସରୀସୃପ । ଆମ୍ଭେମାନେ ସ୍ତନ୍ୟପାୟୀ ଶ୍ରେଣୀର ଅନ୍ତର୍ଗତ । ସ୍ତନ୍ୟପାୟୀ ଶ୍ରେଣୀର ଜୀବମାନଙ୍କୁ ନାନା କ୍ଷୁଦ୍ର ଶ୍ରେଣୀରେ ବିଭାଗ କରାଯାଏ; ଯଥା–ବାନରବଂଶ, ବିଡ଼ାଳବଂଶ, କୁକୁରବଂଶ ଇତ୍ୟାଦି । ଅସ୍ଥିମାନ୍ ଓ ଅସ୍ଥିହୀନ କେତେକ ପ୍ରାଣୀଙ୍କର ଚିତ୍ର ପୂର୍ବପତ୍ରରେ ଦିଆଗଲା ।
ସମ୍ରାଟ୍ ସପ୍ତମ ଏଡ଼ଉଆର୍ଡ଼
ଖ୍ରୀଷ୍ଟାବ୍ଦ ୧୯୦୧ ସାଲର ଜାନୁଆରୀ ୨୨ ତାରିଖ ଦିନ ଭାରତ-ସାମ୍ରାଜ୍ଞୀ ଇଂଲଣ୍ଡେଶ୍ୱରୀ ମହାରାଣୀ ଭିକ୍ଟୋରିୟା ପରଲୋକ ଗମନ କଲେ । ସେହି ଦିନ ତାହାଙ୍କର ଜ୍ୟେଷ୍ଠ ପୁତ୍ର ଆଲବର୍ଟ ଏଡ୍ଉଆର୍ଡ଼ ବ୍ରିଟିଶ ସାମ୍ରାଜ୍ୟର ଅଧିପତି ବୋଲି ଗଣ୍ୟ ହେଲେ । କିନ୍ତୁ ତାହାଙ୍କର ଅଭିଷେକୋତ୍ସବ ସେହି ବର୍ଷର ଜୁନ୍ ମାସର ୨୬ ତାରିଖ ଦିନ ହେବା ବୋଲି ଧାର୍ଯ୍ୟ ହୋଇଥିଲା । ଏସିଆ, ଇଉରୋପ, ଆଫ୍ରିକା, ଆମେରିକା, ଅଷ୍ଟେଲିଆ ପ୍ରଭୃତି ପୃଥିବୀର ସର୍ବ ଅଞ୍ଚଳରୁ ଅନେକ ରାଜା ଓ ରାଜପ୍ରତିନିଧିମାନେ ନିମନ୍ତ୍ରିତ ହୋଇ ଇଂଲଣ୍ଡକୁ ଆସିଥିଲେ ଏବଂ ବହୁସଂଖ୍ୟକ ସୈନ୍ୟସାମନ୍ତ ମଧ୍ୟ ନାନା ସ୍ଥାନରୁ ଆନୀତ ହୋଇଥିଲେ; କିନ୍ତୁ ହଠାତ୍ ସମ୍ରାଟ୍ କଠିନ ରୋଗକ୍ରାନ୍ତ ହେଲେ ଏବଂ ଅଭିଷେକୋତ୍ସବ ହଠାତ୍ ସ୍ଥଗିତ ହୋଇଗଲା । ଚିକିତ୍ସକ ଡାକ୍ତରମାନେ ସମ୍ରାଟଙ୍କୁ ଔଷଧଦ୍ୱାରା ଅଜ୍ଞାନ କରି ଅସ୍ତ୍ରକ୍ରିୟା କଲେ ଏବଂ କହିଲେ ଯେ, ଅସ୍ତ୍ରକ୍ରିୟା ହୋଇ ନ ଥିଲେ ଆଉ ଦୁଇ ତିନି ଘଣ୍ଟା ମଧ୍ୟରେ ସମ୍ରାଟ୍ଙ୍କର ମୃତ୍ୟୁ ଘଟିବାର ଆଶାଙ୍କା ଥିଲା । ସମ୍ରାଟ୍ ଅସ୍ତ୍ରକ୍ରିୟା ପରେ ଚୈତନ୍ୟ ଲାଭ କଲାକ୍ଷଣି କହିଲେ, ‘‘ମୋ ପ୍ରଜାମାନେ କି ମୋତେ କ୍ଷମା କରିବେ- ?’’ ଆହା, ପ୍ରଜାମାନେ ପ୍ରତି କି ଗଭୀର ଅନୁରାଗ ! ତାହାଙ୍କର ବିଶାଳ ସାମ୍ରାଜ୍ୟର ସର୍ବାଞ୍ଚଳରେ ପ୍ରଜାମାନେ ତାଙ୍କ ପୀଡ଼ାର ବାର୍ତ୍ତା ଶୁଣି ତାଙ୍କର ଆରୋଗ୍ୟ ପ୍ରାର୍ଥନା କରିବାକୁ ଲାଗଲେ ଏବଂ ସୌଭାଗ୍ୟକ୍ରମେ ସେ ଆରୋଗ୍ୟଲାଭ କରି ଯଥାବିଧି ସମ୍ରାଟ୍ ପଦରେ ଅଭିଷିକ୍ତ ହେଲେ ।
କୁମାର ଏଡ୍ଉଆର୍ଡ଼ ୧୮୪୧ ଖ୍ରୀଷ୍ଟବ୍ଦର ନଭେମ୍ବର ମାସରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ରାଜକୁମାର ଆଲବାର୍ଟ ସର୍ବଗୁଣାନ୍ୱତ, ସୁଶିକ୍ଷିତ ଓ ଧାର୍ମିକ ପୁରୁଷ ଥିଲେ । ତାହାଙ୍କର ଜନନୀ ମହାଦେବୀ ଭିକ୍ଟୋରିୟାଙ୍କର ଗୁଣରାଶି ଜଗତ୍ପ୍ରସିଦ୍ଧ । ପିତା ମାତା ଉଭୟେ କୁମାର ଏଡ୍ଉଆର୍ଡଙ୍କର ସୁଶିକ୍ଷା ବିଷୟରେ ଏକାନ୍ତ ମନୋଯୋଗୀ ଥିଲେ । ତାଙ୍କର ଅଷ୍ଟାଦଶ ବର୍ଷ ବୟସ ପର୍ଯ୍ୟନ୍ତ ପିତାମାତା ତାହାଙ୍କୁ କଠିନ ଶାସନରେ ରଖିଥିଲେ । ବିଷୟଲାଳସା ବା କୌଣସି ପ୍ରକାର ଦୁଷ୍ପ୍ରବୃତ୍ତି ଯେପରି ତାଙ୍କ ମନରେ ପ୍ରବେଶ ନ କରେ, ସେ ବିଷୟରେ ସେମାନଙ୍କର ତୀକ୍ଷ୍ଣ ଦୃଷ୍ଟି ଥିଲା । ସପ୍ତବର୍ଷ ବୟସ ସମୟରୁ କୁମାର ଉଦ୍ୟାନରେ ଭୂମିକର୍ଷଣ, ବୃକ୍ଷରୋପଣ, ବୃକ୍ଷରେ ଜଳସେଚନ ପ୍ରଭୃତି କାର୍ଯ୍ୟ କରିବାକୁ ଶିଖିଥିଲେ । ପରେ ସେ ଅକ୍ସଫୋର୍ଡ ଓ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ଅନ୍ୟାନ୍ୟ ଛାତ୍ରମାନଙ୍କ ସଙ୍ଗରେ ନାନା ବିଦ୍ୟା ଅଧ୍ୟୟନ କଲେ । ୧୮୬୧ ଖ୍ରୀଷ୍ଟବ୍ଦରେ ତାହାଙ୍କୁ ପିତୃବିୟୋଗ ଶୋକ ସହିବାକୁ ହୋଇଥିଲା । ୧୮୬୩ ଖ୍ରୀଷ୍ଟବ୍ଦରେ ଡେନ୍ମାର୍କ ଦେଶର ରାଜତନୟା ଆଲେକଜାଣ୍ଡ୍ରାଙ୍କ ସହିତ ମହା- ସମାରୋହରେ ତାହାଙ୍କର ପରିଣୟକ୍ରିୟା ସମ୍ପନ୍ନ ହେଲା । ବିବାହ ପରେ ସେ ପୃଥିବୀରେ ଅନେକ ଦେଶ ଭ୍ରମଣ କରିଥିଲେ । ୧୮୭୬ ଖ୍ରୀଷ୍ଟାବ୍ଦରେ ଯୁବରାଜ ଏଡ୍ଉଆର୍ଡ ଭାରତବର୍ଷକୁ ଭ୍ରମଣାର୍ଥ ଆସିଥିଲେ । ତାହାଙ୍କର ଆଗମନରେ ସମଗ୍ର ଭାରତବର୍ଷରେ ଉତ୍ସବାନନ୍ଦର ମହାତରଙ୍ଗ ଉଠିଥିଲା ।
ସମ୍ରାଟ୍ ଏଡ୍ଉଆର୍ଡଙ୍କର ପତ୍ନୀ ଆଲେକ୍ଜାଣ୍ଡ୍ରାଙ୍କ ପରି ରୂପବତୀ, ଗୁଣବତୀ ନାରୀ ପୃଥିବୀରେ ଅତି ବିରଳ । ତାହାଙ୍କର ପିତୃମାତୃଭକ୍ତି, ପତିସେବା, ସନ୍ତାନବାତ୍ସଲ୍ୟ, ପ୍ରଜାନୁରାଗ ଏବଂ ଜୀବଦୟା ବିଷୟରେ ଅନେକ ସୁନ୍ଦର କଥା ବର୍ଣ୍ଣିତ ଅଛି ।
ସିଂହାସନ ଆରୋହଣ କଲା ଦିନୁ ସମ୍ରାଟ୍ ଏଡ୍ଉଆର୍ଡ ପୃଥିବୀରେ ଯୁଦ୍ଧ ପରିବର୍ତ୍ତରେ ସର୍ବତ୍ର ଶାନ୍ତି ପ୍ରତିଷ୍ଠିତ ହେବାଲାଗି ଏବଂ ନାନା ଜନହିତକର କାର୍ଯ୍ୟଦ୍ୱାରା ପ୍ରଜାମାନଙ୍କର କଲ୍ୟାଣସାଧନ ନିମିତ୍ତ ସର୍ବଦା ଚେଷ୍ଟା କରୁଥିଲେ ।
ହାୟ ! ହାୟ ! ତାହାଙ୍କର ରାଜତ୍ୱର ଦଶମବର୍ଷ ପୂର୍ଣ୍ଣ ନୋହୁଣୁ ସେ ୧୯୧୦ ସାଲ ମେ ମାସ ୬ ତାରିଖରେ ପରଲୋକପ୍ରାପ୍ତ ହେଲେ । ତାଙ୍କର ବିୟୋଗବାର୍ତ୍ତା ପ୍ରଚାରିଚ ହେଲାକ୍ଷଣି ସମସ୍ତ ପୃଥିବୀ ମହାଶୋକରେ ନିମଜ୍ଜିତ ହେଲା । ତାଙ୍କ ଅନ୍ତେ ତାଙ୍କର ପୁତ୍ର ମହାନୁଭବ ଜର୍ଜ (ପଞ୍ଚମ) ସୁବିଶାଳ ବ୍ରିଟିଶ୍ ସାମାଜ୍ର୍ୟର ସମ୍ରାଟ୍ରୂପେ ପ୍ରତିଷ୍ଠିତ ହୋଇଅଛନ୍ତି ।
ସମ୍ବନ୍ଧିତ ରଚନା
ଚିଲିକା ହ୍ରଦ
ମଧୁସୂଦନ ରାଓ
ମନୁଷ୍ୟର ଧର୍ମବୁଦ୍ଧି
ମଧୁସୂଦନ ରାଓ
ଦ୍ୱିତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ତୃତୀୟ ପ୍ରସ୍ତାବ
ମଧୁସୂଦନ ରାଓ