ମହାରାଣୀ ଭିକ୍ଟୋରିୟା
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ସାହିତ୍ୟ କୁସୁମ
- ପଢ଼ିବା ସମୟ
- ୬ ମିନିଟ୍
- ଶବ୍ଦ
- ୧୦୦୧
- ସ୍ଥିତି
- ସାର୍ବଜନୀନ (Public domain)
୧୮୧୯ ଖ୍ରୀଷ୍ଟାବ୍ଦରେ ମହାରାଣୀ ଭିକ୍ଟୋରିୟା ଜନ୍ମଗ୍ରହଣ କରିଥିଲେ । ତାହାଙ୍କର ଜନ୍ମଦିବସ ସହିତ ମୃତ୍ୟୁଦିବସର ତୁଳନା କଲେ କଣ ଦେଖାଯାଏ ? ଯେଉଁଦିନ ସେ ଏହି ପୃଥିବୀକୁ ଆଗମନ କରିଥିଲେ, ସେଦିନ କେବଳ ତାହାଙ୍କର ପିତାଙ୍କର ପିତାମାତା ଓ ଆତ୍ମୀୟ ସ୍ୱଜନବର୍ଗ ଆନନ୍ଦିତ ହୋଇଥିଲେ । କିନ୍ତୁ ଯେଉଁ ଦିନ’‘ମହାରାଣୀ ଭିକ୍ଟୋରିୟା ଆଉ ଏ ଜଗତରେ ନାହାନ୍ତି’’ ଏହି ସମ୍ବାଦ ଦେଖୁ ଦେଖୁ ସର୍ବତ୍ର ବ୍ୟାପ୍ତ ହୋଇଗଲା, ରାଜା, ମହାରାଜା, ଧନୀ, ନିର୍ଦ୍ଧନ, ଦୁଃଖୀ, ଦରିଦ୍ର ଅଗଣ୍ୟ ନରନାରୀ ହାୟ ହାୟ କରିବାକୁ ଲାଗିଲେ । ଧନୀର ପ୍ରାସାଦ ଓ ଦରିଦ୍ରର କୁଟୀର ସର୍ବତ୍ର ମହାରାଣୀଙ୍କର ପବିତ୍ର ନାମ ଧ୍ୱନିତ ହେବାକୁ ଲାଗିଲା । ଜାତି, ଦେଶ ଓ ଧର୍ମର ପ୍ରଭେଦ ପାସୋରି ସମଗ୍ର ପୃଥିବୀର ଅଧିବାସୀମାନେ ମହାରାଣୀଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଲେ । ଜଣେ ନାରୀର ମୃତ୍ୟୁରେ ସମଗ୍ର ପୃଥିବୀ ଶୋକାର୍ତ୍ତ, ଏଥିର କାରଣ କଣ ? ମହାରାଣୀ କେବଳ ବିଶାଳ ସାମ୍ରାଜ୍ୟରେ ଅଧୀଶ୍ୱରୀ ଥିଲେ ବୋଲି କି ଏପରି ଶୋକପ୍ରକାଶ ଦେଖାଗଲା ? ନା, କେବଳ ସେଥିପାଇଁ ନୁହେଁ; ଏହାଙ୍କ ପରି ସତୀ, ପତିପ୍ରାଣା, ଦୟାଶୀଳା ଓ ସର୍ବଗୁଣ-ସମନ୍ୱିତା ନାରୀ ଏ ଯୁଗରେ ଜନ୍ମଗ୍ରହଣ କରିନାହାନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ । ସଂକ୍ଷେପରେ ତାହାଙ୍କର ଜୀବନବୃତ୍ତାନ୍ତ ନିମ୍ନରେ ବିବୃତ ହେଉଅଛି ।
ମହାରାଣୀ ଭିକ୍ଟୋରିୟା ଇଂଲଣ୍ଡର ରାଜା ଚତୁର୍ଥ ଜର୍ଜ୍ଜଙ୍କର ଚତୁର୍ଥ ପୁତ୍ରଙ୍କର ଏକମାତ୍ର କନ୍ୟା । ମହାରାଣୀ ଶୈଶବରୁ ପିତୃହୀନା ହୋଇଥିଲେ । ପିତୃବ୍ୟମାନଙ୍କର ସନ୍ତାନ ନ ଥିବାରୁ ସେ ରାଜସିଂହାସନର ଅଧିକାରିଣୀ ହେଲେ । ଭିକ୍ଟୋରିୟା ବାଲ୍ୟକାଳରେ ତାହାଙ୍କର ବୁଦ୍ଧିମତୀ ଓ ଗୁଣବତୀ ଜନନୀଙ୍କର ଯତ୍ନରେ ସୁଶିକ୍ଷିତା ହୋଇଥିଲେ । ୧୮୩୭ ଖ୍ରୀଷ୍ଟାବ୍ଦରେ ତାହାଙ୍କର ପିତୃବ୍ୟ ରାଜା ଚତୁର୍ଥ ଉଇଲିୟମ୍ଙ୍କର ମୃତ୍ୟୁ ହେଲା । ସେଦିନର ଗୋଟିଏ ଘଟନା ଏକାନ୍ତ ହୃଦୟସ୍ପର୍ଶିନୀ ଅଟେ । ରାତ୍ରିର ଶେଷ ଭାଗରେ ଉଇଲିୟମ୍ଙ୍କର ମୃତ୍ୟୁ ହେବାରୁ ସେହିକ୍ଷଣି ଇଂଲଣ୍ଡର ପ୍ରଧାନ ଧର୍ଧଯାଜକ ଓ ଜଣେ ପ୍ରଧାନ ରାଜପୁରୁଷ ଏହି ସମ୍ୱାଦ ଶୁଣାଇବାପାଇଁ ଭିକ୍ଟୋରିୟାଙ୍କ ନିକଟକୁ ଗମନ କଲେ । ସେତେବେଳେ ଭିକ୍ଟୋରିୟା ନିଜର ଶୟନାଗାରରେ ନିଦ୍ରିତା ଥିଲେ । ପରିଚାରିକା ତାହାଙ୍କୁ ଉଠାଇ ଧର୍ମଯାଜକ ଓ ପ୍ରଧାନ ରାଜକର୍ମଚାରୀଙ୍କର ଆଗମନ ବାର୍ତ୍ତା ଜଣାଇଲାରୁ ସେ ସେମାନଙ୍କର ନିକଟରେ ଉପସ୍ଥିତ ହୋଇ ଶୁଣିଲେ ଯେ, ସେ ବ୍ରିଟିଶ୍ ରାଜାଙ୍କ ବ୍ରିଟିଶ୍ ରାଜ୍ୟର ଅଧୀଶ୍ୱରୀ ହୋଇଅଛନ୍ତି । ଏହି କଥା ଶୁଣିଲାକ୍ଷଣି ସେ ଧର୍ମଯାଜକଙ୍କ ଆଡ଼କୁ ଅଶ୍ରୁପୂର୍ଣ୍ଣ ନୟନରେ ଅନାଇ କହିଲେ, ‘‘ଆପଣ ମୋ ନିମନ୍ତେ ଈଶ୍ୱର ନିକଟରେ ପ୍ରର୍ଥନା କରନ୍ତୁ ।’’ ଧର୍ମଯାଜକ ସେହିକ୍ଷଣି ପ୍ରାର୍ଥନା କଲେ ଓ ଭିକ୍ଟୋରିୟା ଭକ୍ତିପୂର୍ଣ୍ଣ ଚିତ୍ତରେ ଜାନୁପାତପୂର୍ବକ ସେ ପ୍ରାର୍ଥନାରେ ଯୋଗଦେଲେ । ସପ୍ତଦଶବର୍ଷିୟା ବାଳିକା ପକ୍ଷରେ ନିଜ ନୂତନ ଜୀବନର ମହାଦାୟିତ୍ୱ ଏପରି ଗମ୍ଭୀରଭାବରେ ହୃଦୟଙ୍ଗମ କରି ଈଶ୍ୱରଙ୍କର ଶରଣାପନ୍ନ ହେବା କି ଅତି ସୁନ୍ଦର ଓ ମନୋହର କଥା ନୁହେଁ ।
ଭିକ୍ଟୋରିୟା ଏତେ ଅଳ୍ପ ବୟସରେ ରାଜ୍ୟଭାର ଗ୍ରହଣ କଲେ ଦେଖି ଅନେକେ ଆଶଙ୍କା ପ୍ରକାଶ କରିଥିଲେ । କିନ୍ତୁ ଭିକ୍ଟୋରିୟା ଏପରି ସୁଚାରୁରୂପେ ରାଜକାର୍ଯ୍ୟ ନିର୍ବାହ କରିବାକୁ ଲାଗିଲେ ଯେ, ଅତ୍ୟଳ୍ପ ଦିନମଧ୍ୟରେ ସମସ୍ତଙ୍କର ଆଣଙ୍କା ଦୂରୀଭୂତ ହେଲା ।
ମହାରାଣୀ ଭିକ୍ଟୋରିୟା ଏକ ବର୍ଷ ରାଜତ୍ୱ କରିବା ଉତ୍ତାରୁ ତାହାଙ୍କର ରାଜ୍ୟାଭିଷେକ ହୋଇଥିଲା । ଓୟେଷ୍ଟମିନିଷ୍ଟର ଏବି ନାମକ ଗିର୍ଜାରେ ବିଧିମତେ ଅଭିଷେକ କାର୍ଯ୍ୟ ସମାପ୍ତ ହେଲା ଉତ୍ତାରୁ ମହାରାଣୀଙ୍କୁ ସିଂହାସନରେ ବସାଇ ରାଜ୍ୟର ପ୍ରଧାନ ପ୍ରଧାନ ବ୍ୟକ୍ତିମାନେ ଏକେ ଏକେ ଆସି ତାହାଙ୍କୁ ଅଭିବାଦନ କରିଥିଲେ । ଜଣେ ନବତିବର୍ଷ ବୟସ୍କ ବୃଦ୍ଧ କୁଳୀନ ସେହି ସମୟରେ ଅଭିବାଦନ କରିବାକୁ ଯାଇ ଗୋଡ଼ ଖସିଯିବାରୁ ପଡ଼ିଗଲେ । ମହାରାଣୀ ନିଜେ ସିଂହାସନରୁ ଉଠି ବୃଦ୍ଧଙ୍କର ହାତ ଧରି ତାହାଙ୍କୁ ସମାଦରପୂର୍ବକ ଉଠାଇ ଦେଇଥିଲେ । ତାହାଙ୍କର ଏହିପ୍ରକାର ସହୃଦୟତା ହେଖି ସମସ୍ତେ ମୁଗ୍ଧ ହୋଇଥିଲେ ।
୧୮୪୦ ଖ୍ରୀଷ୍ଟାବ୍ଦରେ ସେକ୍ସକୋବର୍ଗ ନାମକ ସ୍ଥାନର ସର୍ବଗୁଣାନ୍ୱିତ ରାଜକୁମାର ଆଲବାର୍ଟଙ୍କ ସଙ୍ଗରେ ମହାରାଣୀଙ୍କର ବିବାହ ହୋଇଥିଲା । ଏହି ବିବାହରେ ନିଜେ ମହାରାଣୀ ଏବଂ ତାହାଙ୍କର ଆତ୍ମୀୟ ସ୍ୱଜନ ଓ ପ୍ରଜାସାଧାରଣ ସମସ୍ତେ ସୁଖୀ ହୋଇଥିଲେ । ମହାରାଣୀ ସ୍ୱାମୀଙ୍କର ପରାମର୍ଶ ଅନୁସାରେ ରାଜକାର୍ଯ୍ୟ ନିର୍ବାହ କରି ଦେଶର ଅନେକ ଉପକାର କରିଥିଲେ । ଆଲବାର୍ଟ ସକଳ ବିଷୟରେ ମହାରାଣୀଙ୍କର ଉପଯୁକ୍ତ ପତି ହୋଇଥିଲେ । ଏହି ସୁଖୀ ରାଜଦମ୍ପତି ଚାରି ପୁତ୍ର ଓ ପାଞ୍ଚ କନ୍ୟାର ପିତା-ମାତା ହୋଇ ୨୧ ବର୍ଷ ସୁଖରେ ବାସ କଲେ । ସେମାନଙ୍କର ପ୍ରତ୍ୟେକ କାର୍ଯ୍ୟ ଗୁରୁତର ଦାୟିତ୍ୱଜ୍ଞାନ ଓ ପ୍ରଗାଢ ଈଶ୍ୱରନିଷ୍ଠାର ପରିଚୟ ପ୍ରଦାନ କରେ । ମହାରାଣୀ ଏତେ ବଡ଼ ବିସ୍ତୀର୍ଣ୍ଣ ସାମ୍ରାଜ୍ୟର ସର୍ବଦା ତାହାର ମଙ୍ଗଳସାଧନରେ ଯତ୍ନବତୀ ଥିଲେ । ରାଜକାର୍ଯ୍ୟରେ ତାହାଙ୍କର ପ୍ରଗାଢ ମନୋଯୋଗ ଥିଲା ଅଥଚ ପାରିବାରିକ କର୍ତ୍ତବ୍ୟସାଧନରେ କିଛିମାତ୍ର ତ୍ରୁଟି ହେଉ ନ ଥିଲା । ଅଧିକାଂଶ ସ୍ଥାନରେ ଦେଖାଯାଏ ଯେ, ଧନୀ ପରୀବାରର ରମଣୀମାନେ ଭୋଗ-ବିଳାସ-ଆମୋଦ-ପ୍ରମୋଦରେ ମାତି ପାରିବାରିକ କର୍ତ୍ତବ୍ୟ ପାଳନରେ ଅବହେଳା କରନ୍ତି । କିନ୍ତୁ ମହାରାଣୀ ଗୃହକାର୍ଯ୍ୟର ଏପରି ସୁବ୍ୟବସ୍ଥା କରିଥିଲେ ଯେ, ଇଉରୋପର ଅପରାପର ଦେଶର ରାଜାମାନେ ଇଂଲଣ୍ଡକୁ ବୁଲିବାକୁ ଆସି ତାହାଙ୍କର ଗୃହର ଶୃଙ୍ଖଳା ଓ ଶୋଭା ଏବଂ ତାହାଙ୍କର ପତିଭକ୍ତି ଓ ସନ୍ତାନବାତ୍ସଲ୍ୟ ଦେଖି ମୁଗ୍ଧ ହୋଇ ଯାଉଥିଲେ । ମହାରାଣୀ ତାହାଙ୍କର ସନ୍ତାନମାନଙ୍କଠାରୁ ଯେପରି ଶ୍ରଦ୍ଧାଭକ୍ତି ପାଇଥିଲେ, ଏପରି ପ୍ରାୟ ଦେଖାଯାଏ ନାହିଁ । ଏପରି ମାତୃଭକ୍ତିର ପ୍ରଧାନ କାରଣ ଏହି ଯେ, ନିଜେ ମହାରାଣୀ ପୂତ୍ରକନ୍ୟାମାନଙ୍କର ପାଳନ ଓ ସୁଶିକ୍ଷା ବିଷୟରେ ସର୍ବଦା ଯତ୍ନବତୀ ଥିଲେ ।
ଏହିପରି ମହାରାଣୀ ରାଜ୍ୟର ମଙ୍ଗଳ ସାଧନ କରି ସ୍ୱାମୀ ଓ ସନ୍ତାନମାନଙ୍କୁ ନେଇ ପରମ ସୁଖରେ ବହୁବର୍ଷ ଯାପନ କଲେ । କିନ୍ତୁ ତାହାଙ୍କୁ ମଧ୍ୟ-ଜୀବନରେ ଶୋକ ଉପରେ ଶୋକର ଦାରୁଣ ଦୁଃଖ ଭୋଗକରିବାକୁ ହୋଇଥିଲା । ୧୮୬୧ ଖ୍ରୀଷ୍ଟାବ୍ଦରେ ତାହାଙ୍କର ପରମାରାଧ୍ୟା ମାତୃଦେବୀ ମାତୃଦେବୀ ଭବଧାମ ପରିତ୍ୟାଗ କରିଥିଲେ । ଭିକ୍ଟୋରିୟା ଶୈଶବରୁ ପିତୃହୀନା; ସୁତରାଂ ପିତୃସ୍ନେହ କିପରି ଜାଣିନଥିଲେ । ମାତାଙ୍କୁ ହରାଇ ସେ ଅତ୍ୟନ୍ତ କାତର ହୋଇପଡ଼ିଲେ । ପୁଣି ଅଳ୍ପ ଦିନପରେ ତାହାଙ୍କର ଜୀବନବ୍ୟାପୀ ସର୍ବପ୍ରଧାନ ଦୁଃଖର ଆରମ୍ଭ ହେଲା । ତାହାଙ୍କର ପ୍ରିୟତମ ସ୍ୱାମୀ ରାଜକୁମାର ଆଲବାର୍ଟ ମଧ୍ୟ ଇହଲୋକ ପରିତ୍ୟାଗ କରି ଗଲେ । ମହାରାଣୀଙ୍କର ଜୀବନ ସେହିଦିନୁଁ ଶୋକର ଛାୟାରେ ଆଚ୍ଛାନ୍ନ ରହିଲା । ସେହିଦିନୁଁ ଜୀବନର ଶେଶମୁହୂର୍ତ୍ତ ପର୍ଯ୍ୟନ୍ତ ମହାରାଣୀ ପବିତ୍ର ବୈଧବ୍ୟ ବ୍ରତ ଅତି ପବିତ୍ରଭାବରେ ପାଳନ କରିଥିଲେ । ପତିଙ୍କର ବିୟୋଗ ଦିନରୁ ସେ କୌଣସି ପ୍ରକାର ଆମୋଦ-ପ୍ରମୋଦରେ ଯୋଗଦେଇ ନ ଥିଲେ । ଏପରିକି ତାହାଙ୍କର ଜ୍ୟେଷ୍ଠପୁତ୍ର, ଆମ୍ଭମାନଙ୍କର ଭୂତପୂର୍ବ ରାଜା ସପ୍ତମ ଏଡ଼ଉଆର୍ଡ଼ଙ୍କ ବିବାହର ଆମୋଦରେ ସୁଦ୍ଧା ସେ ଯୋଗ ଦେଇ ନ ଥିଲେ । ତାହାଙ୍କର ସୁହୋଗ୍ୟ ପୁତ୍ରବଧୂଙ୍କ ପ୍ରତି ଆମୋଦ ପ୍ରମୋଦରେ ଯୋଗ ଦେବାର ଭାର ଦେଇ ନିଜେ ଗମ୍ଭୀର ବୈରାଗ୍ୟବ୍ରତ ଅବଲମ୍ବନ କରିଥିଲେ । ସେ ପ୍ରତିଦିନର ଘଟଣାବଳୀ ଦୈନିକ ଲିପିରେ ଲେଖି ରଖୁଥିଲେ । ସେହି ଦୈନିକଲିପି ଦେଖିଲେ ଜଣାଯାଏ ଯେ, ସେ ଦିନକ ପାଇଁ ସୁଦ୍ଧା ତାହାଙ୍କର ପତିଙ୍କୁ ବିସ୍ମୃତ ହୋଇ ନ ଥିଲେ ।
ଆମ୍ଭମାନଙ୍କର ଦେଶ ମହାରାଣୀଙ୍କର ସ୍ୱଦେଶ ନୋହିଲେହେଁ ସେ ଆମ୍ଭମାନଙ୍କ ପ୍ରତି ସର୍ବଦା ସ୍ନେହଦୃଷ୍ଟି ହଖିଥିଲେ । ଭାରତବାସୀ ପ୍ରଜାମାନଙ୍କ ପ୍ରତି ସେ ଜନନୀ ପ୍ରାୟ ସର୍ବଦା ବାତ୍ସଲ୍ୟ ପ୍ରକାଶ କରୁଥିଲେ । ୧୮୫୮ ଖ୍ରୀଷ୍ଟବ୍ଦରେ ମହାରାଣୀ ସାକ୍ଷାଦ୍ଭାବରେ ଭାରତର ଶାସନ ଭାର ଗ୍ରହଣ କରି ଯେଉଁ ଘୋଷଣାପତ୍ର ପ୍ରଚାର କରିଥିଲେ, ତାହାର ପ୍ରତ୍ୟେକ ପଂକ୍ତିରେ ତାହାଙ୍କର ଧର୍ମଭାବ, ପ୍ରଜାବାତ୍ସଲ୍ୟ ଓ ଉଦାରତା ଜାଜ୍ୱଲ୍ୟମାନ ରହିଅଛି ।
ଇଂଲଣ୍ଡର ପ୍ରଚଳିତ ରାଜବିଧାନ ଅନୁସାରେ ଇଂଲଣ୍ଡର ରାଜା ବା ରାଣୀଙ୍କୁ ପ୍ରାଣଦଣ୍ଡରେ ଦଣ୍ଡିତ ଅପରାଧୀମାନଙ୍କର ଦଣ୍ଡାଜ୍ଞାପତ୍ରରେ ସ୍ୱାକ୍ଷର କରିବାକୁ ହେଉଥିଲା । ମହାରାଣୀ ଅପରାଧୀମାନଙ୍କୁ ପ୍ରାଣଦଣ୍ଡରେ ଦଣ୍ଡିତ କରିବାକୁ ଅତ୍ୟନ୍ତ କ୍ଲେଶ ବୋଧକରି ଦଣ୍ଡତ ବ୍ୟକ୍ତିମାନଙ୍କୁ କ୍ଷମା କରିବାରୁ ପାର୍ଲେମେଣ୍ଟ ମହାସଭା ରାଜକୀୟ ବିଧିପ୍ରଣୟନକରି ପ୍ରାଣଦଣ୍ଡାଜ୍ଞାପତ୍ରରେ ମହାରାଣୀର ସ୍ୱାକ୍ଷର କରିବାର ପ୍ରଥା ରହିତ କରିହେଇଥିଲେ ।
ମହାରାଣୀ ଅନେକ ସମୟରେ ରାଜଧାନୀ ପରିତ୍ୟାଗ କରି ନିର୍ଜନ ସ୍ଥାନମାନଙ୍କରେ ବାସ କରୁଥିଲେ ।ସେହି ସବୁ ସ୍ଥାନରେ ନିରାଡ଼ମ୍ବର ଭାବରେ ରହି ନିକଟବର୍ତ୍ତୀ ଗ୍ରାମମାନଙ୍କରେ ଥିବା ଦୁଃଖୀ ପ୍ରଜାମାନଙ୍କର ଗୃହକୁ ନିଜେ ଯାଇ ସେମାନଙ୍କର ଦୁଃଖ ହରଣ କରୁଥିଲେ । ଇତର ଜନ୍ତୁମାନେ ମଧ୍ୟ ମହାରାଣୀଙ୍କ ଦୟାରୁ ବଞ୍ଚିତ ନ ଥିଲେ । ଗୃହପାଳିତ ଜନ୍ତୁଗୁଡ଼ିକ ବୃଦ୍ଧ ଓ ଅକର୍ମଣ୍ୟ ହୋଇଗଲେ, ସେ ସେମାନଙ୍କର ସେବା ନିମିତ୍ତ ବିହିତ ବ୍ୟବସ୍ଥା କରିଦେଉଥିଲେ ।
ଏପରି ସୁଦୀର୍ଘକାଳ ନ୍ୟାୟ ଓ ଦୟାରା ରାଜତ୍ୱ କରି ମହାରାଣୀ ଭିକ୍ଟୋରିୟା ୧୯୦୧ ଖ୍ରୀଷ୍ଟାବ୍ଦର ଜାନୁୟାରୀ ୨୨ ତାରିଖ ଦିନ ସ୍ୱର୍ଗାରୋହଣ କଲେ । ଆଜି ପର୍ଯ୍ୟନ୍ତ କୌଣସି ରାଜା ଏତେ ଦୀର୍ଘକାଳ ରାଜତ୍ୱ କରିନାହାନ୍ତି । ସିଂହାସନର ଅଧିକାରିଣୀ ହୋଇଅଛନ୍ତି, ଏହି ସଂବାଦ ପାଇଲାକ୍ଷଣି ମହାରାଣୀ ପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ପ୍ରଭୁଙ୍କ ଆଶୀର୍ବାଦରୁ ତାହାଙ୍କର ରାଜତ୍ୱରେ ସମସ୍ତେ ସୁଖୀ ହୋଇଥିଲେ । ତାହାଙ୍କର ବିଶାଳ ସାମ୍ରାଜ୍ୟ ମଧ୍ୟରେ ତାହାଙ୍କର ଶାସନ ସମୟରେ ଅଶେଷ ପ୍ରକାର ଉନ୍ନତି ସାଧିତ ହୋଇଅଛି । ଜ୍ଞାନ, ବିଜ୍ଞାନ, ଶିଳ୍ପ ପ୍ରଭୃତିର ଯେପରି ଉନ୍ନତି ହୋଇଅଛି, ସେପରି ଉନ୍ନତି ପୂର୍ବେ କେବେ ଦେଖାଯାଇ ନାହିଁ । ରେଲ୍ମାର୍ଗରେ ବାଷ୍ପୀୟ ରଥର ଚାଳନା, ତାର ଯୋଗେ ମୁହୂର୍ତ୍ତ ମଧ୍ୟରେ ସହସ୍ର ସହସ୍ର କ୍ରୋଶ ଦୂରକୁ ସମ୍ବାଦ ପ୍ରେରଣ ପ୍ରଭୃତି ଅଦ୍ଭୁତ ବ୍ୟାପାରମାନ ମହାରାଣୀଙ୍କ ରାଜତ୍ୱ ସମୟରେ ଏ ସଂସାରରେ ପ୍ରତିଷ୍ଠିତ ହେଲା । ମହାଦେବୀ ଭିକ୍ଟୋରିୟାଙ୍କର ଜୀବନ ଚରିତ ନାନା ଘଟନାରେ ପରିପୂର୍ଣ୍ଣ; ତେଣୁ ବିଚିତ୍ର ଓ ମନୋହର ଅଟେ । ସେ ସବୁ ବିଷୟରେ ଆଦର୍ଶ ନାରୀ ଥିଲେ । କନ୍ୟାରୂପେ, ପତ୍ନୀରୂପେ, ଜନନୀରୂପେ ଏବଂ ବିଶାଳ ସାମ୍ରାଜ୍ୟର ଅଧୀଶ୍ୱରୀରୂପେ ସେ ଜଗତର ମୁଖ ଉଜ୍ଜ୍ୱଳ କରିଯାଇଅଛନ୍ତି ।
ସମ୍ବନ୍ଧିତ ରଚନା
ଚିଲିକା ହ୍ରଦ
ମଧୁସୂଦନ ରାଓ
ମନୁଷ୍ୟର ଧର୍ମବୁଦ୍ଧି
ମଧୁସୂଦନ ରାଓ
ଦ୍ୱିତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ତୃତୀୟ ପ୍ରସ୍ତାବ
ମଧୁସୂଦନ ରାଓ