ଆକବର
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ସାହିତ୍ୟ କୁସୁମ
- ପଢ଼ିବା ସମୟ
- ୪ ମିନିଟ୍
- ଶବ୍ଦ
- ୫୯୮
- ସ୍ଥିତି
- ସାର୍ବଜନୀନ (Public domain)
ମୁସଲମାନ ରାଜାମାନଙ୍କ ମଧ୍ୟରେ ଆକବର ସର୍ବଶ୍ରେଷ୍ଠ । ଆକବରଙ୍କ ଜନନୀ ସୁଲତାନା ହାମିଦା ଯେତେବେଳେ ଆସନ୍ନପ୍ରସବା, ସେତେବେଳେ ତାଙ୍କର ସ୍ୱାମୀ ବାଦସାହ ହୁମାୟୁନ ଘୋର ବିପଦରେ ପଡ଼ିଥିଲେ । ଶତ୍ରୁ ଶେରସାହଙ୍କଦ୍ୱାରା ପରାସ୍ତ ହୋଇ ସେ କତିପୟ ବିଶ୍ୱସ୍ତ ଅନୁଚରଙ୍କ ସଙ୍ଗରେ ପଳାଇ ଯାଇ ସିନ୍ଧୁନଦୀତଟବର୍ତ୍ତୀ ଅମରକୋଟ ନାମକ ସ୍ଥାନରେ ଆଶ୍ରୟ ନେଇଥିଲେ । ଦୁର୍ଗମ ପଥ ଓ ମରୁଭୂମି ମଧ୍ୟରେ ଯାଉ ଯାଉ ମାର୍ଗରେ ଅନେକ ଅନୁଚର ପ୍ରାଣତ୍ୟାଗ କଲେ ।
୧୫୪୨ ଖ୍ରୀଷ୍ଟାବ୍ଦରେ, ୧୫ ତାରିଖ ଅକ୍ଟୋବର ରବିବାରରେ ଆକବର ଅମରକୋଟ୍ରେ ଭୂମିଷ୍ଠ ହୋଇଥିଲେ । ହୁମାୟୁନ ପୁତ୍ରମୁଖ ଦେଖି ସୁଖୀ ହୋଇପାରିଲେନାହିଁ; କାରଣ ଶତ୍ରୁମାନେ ସେଠାରେ ମଧ୍ୟ ଉପସ୍ଥିତ ହେଲେ । ତହିଁ ନିରୁପାୟ ହୋଇ ସଦ୍ୟପ୍ରସୂତ ସନ୍ତାନକୁ କରିତ୍ୟାଗକରି ପଳାୟନ କଲେ । ତତ୍ପରେ ଶିଶୁ ଆକବର ହୁମାୟୁନଙ୍କ ଭାଇ କାମରାନ୍ଙ୍କ ହସ୍ତରେ ପତିତ ହେଲେ । କାମରାନ୍ ଭାଇ ହୋଇ ସୁଦ୍ଧା ଭଗାରି ହୋଇଥିଲେ । ସେ ଅନେକ ଥର ଆକବରଙ୍କୁ ବିନାଶ କରିବାପାଇଁ ଚେଷ୍ଟା କରିଥିଲେ; କିନ୍ତୁ ସେ ଚେଷ୍ଟା ସଫଳ ହେଲା ନାହିଁ ।
ଏଣେ ହୁମାୟୁନ ପାରସ୍ୟକୁ ଯାଇ ପାରସ୍ୟ ରାଜାଙ୍କ ଶରଣ ନେଲେ । ପାରସ୍ୟ ରାଜା ହୁମାୟୁନଙ୍କୁ ଯଥେଷ୍ଟ ସୈନ୍ୟସାମନ୍ତ ଦେଇ ସାହାଯ୍ୟ କରିବାରୁ ହୂମାୟୁନ୍ କିଛିକାଳ ପରେ କାବୁଲ, କାନ୍ଦାହାର ଏବଂ ଗଜନୀ ଅଧିକାର କଲେ । ହୁମାୟୁନ ଯେତେବେଳେ କାବୁଲ୍ ଅବରୋଧ କଲେ, ସେତେବେଳେ ତାଙ୍କ ଭାଇ କାମରାନ୍ ଶିଶୁ ଆକବରଙ୍କୁ ଦେଖାଇ କହିଲେ- ‘‘ଦେଖ, ଅଗ୍ନିକୁଣ୍ଡ ଜଳୁଅଛି; ଯଦି ତୁମ୍ଭେ ଯୁଦ୍ଧ କରିବାକୁ ଅଗ୍ରସର ହୁଅ, ତାହାହେଲେ ନିଶ୍ଚୟ ମୁଁ ଏ ଶିଶୁକୁ ଅଗ୍ନିକୁଣ୍ଡରେ ନିକ୍ଷେପ କରିବି ।’’ ହୁମାୟୁନ ତହିଁରେ କିଛିମାତ୍ର ଭୀତ ହେଲେନାହିଁ; ସାହସ ସହିତ ଯୁଦ୍ଧରେ ଅଗ୍ରସରହୋଇ ପୁତ୍ରକୁ ଉଦ୍ଧାର କଲେ । ଏହି ଘଟନାର କିଛିକାଳ ପରେ ଦିଲ୍ଲୀରୁ ହୁମାୟୁନଙ୍କର ପୂର୍ବତନ ଅନୁଚରମାନେ ଲେଖିପଠାଇଲେ,’‘ଆପଣଙ୍କର ଶତ୍ରୁମାନେ ଆଉ ଜୀବିତ ନାହାନ୍ତି । ବର୍ତ୍ତମାନ ଅଳ୍ପସଂଖ୍ୟକ ସୈନି ଘେନି ଦିଲ୍ଲୀରେ ଉପସ୍ଥିତ ହେଲେ ଆପଣ ପୁଣି ଭାରତସମ୍ରାଟ୍ ହୋଇପାରିବେ ।’’ ହୁମାୟୁନ ଏ ସମ୍ବାଦ ପାଇ ଭାରତବର୍ଷ ଆଡ଼କୁ ଅଗ୍ରସର ହେଲେ-। ଲାହୋରଠାରେ ଏକ ତୁମୁଳ ସଂଗ୍ରାମ ହେଲେ; ତହିଁରେ ତ୍ରୟୋଦଶବର୍ଷୀୟ ବାଳକ ଆକବର ପିତାଙ୍କ ସହିତ ଯୁଦ୍ଧକ୍ଷେତ୍ରରେ ଅଦ୍ଭୁତ ସାହସ ଓ ବଳ ଦେଖାଇଲେ । ତତ୍ପରେ ହୁମାୟୁନ ପୁତ୍ରସହ ଦିଲ୍ଲୀରେ ଉପସ୍ଥିତ ହୋଇ ଶତ୍ରୁମାନଙ୍କୁ ପରାଜିତ କରି ସିଂହାସନ ଅଧିକାର କଲେ । ହୁମାୟୁନ ରାଜ୍ୟଲାଭ କରିବାର ଅତ୍ୟଳ୍ପ ଦିନପରେ ଉପାସନା କରୁ କରୁ ପ୍ରସ୍ତରନିର୍ମିତ ମସୃଣ ସୋପାନରୁ ଗୋଡ଼ ଖସି ପଡ଼ିଯାଇ ଦାରୁଣ ଆଘାତ ପାଇଲେ ଏବଂ ସେହି ଆଘାତଯୋଗୁଁ କିଛି ଦିନ ପରେ ତାହାଙ୍କର ମୃତ୍ୟୁ ହେଲା ।
୧୫୫୬ ଖ୍ରୀଷ୍ଟାବ୍ଦରେ ଆକବର ଦିଲ୍ଲୀର ସମ୍ରାଟ୍ପଦରେ ଅଧିରୂଢ ହେଲେ । ସେତେବେଳେ ସେ ଅପ୍ରାପ୍ତବୟସ୍କ ବାଳକ ଥିବାରୁ ପିତାଙ୍କର ପ୍ରିୟମନ୍ତ୍ରୀ ବୈରାମ ଖାଁ ସମସ୍ତ ରାଜକାର୍ଯ୍ୟ ବୁଝିବାକୁ ଲାଗିଲେ । ଆକବର କିଛିକାଳ ପରେ ନିଜେ ସାମ୍ରାଜ୍ୟଶାସନର ଭାର ଗ୍ରହଣ କରି କ୍ରମେ କ୍ରମେ ବଳ ଓ କୌଶଳ ପ୍ରୟୋଗ କରି ପୂର୍ବରେ ବଙ୍ଗ ଓ ଆସାମ, ଦକ୍ଷିଣରେ ଆହମ୍ମଦ ନଗର, ମଧ୍ୟଭାରତରେ ରାଜପୁତାନା, ପଶ୍ଚିମରେ କାବୁଲ, କାନ୍ଦାହାର ତାହାଙ୍କର ସାମ୍ରାଜ୍ୟଭୁକ୍ତ କଲେ । ମୁସଲମାନ ସମ୍ରାଟ୍ମାନଙ୍କ ମଧ୍ୟରେ ଆକବର ସର୍ବଶ୍ରେଷ୍ଟ ଥିଲେ । ତାଙ୍କ ସ୍ୱଭାବରେ କଠୋର ବୀରଭାବ ଓ କୋମଳ ସ୍ନେହ-ଦୟା ଉଭୟ ସମଭାବରେ ଥିଲା । ସେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ ପ୍ରଭୃତି ସବୁ ପ୍ରଜାଙ୍କୁ ସମାନ ଭାବରେ ଦେଖିଥିଲେ । ସବୁ ସମ୍ପ୍ରଦାୟର ଧର୍ମଶାସ୍ତ୍ରକୁ ସମ୍ମାନ କରୁଥିଲେ । ପୂର୍ବବର୍ତ୍ତୀ ସମ୍ରାଟ୍ମାନେ ହିନ୍ଦୁମାନଙ୍କ ଉପରେ ଜିଜିୟା କର ବସାଇଥିଲେ; ଆକବର ତାହା ଉଠାଇ ଦେଇଥିଲେ । ଯହିଁରେ ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ସଦ୍ଭାବ ଜନ୍ମିପାରେ, ସେ ବିଷୟରେ ଆକବରଙ୍କର ବିଶେଷ ଯତ୍ନ ଥିଲା । ଈଶ୍ୱରଙ୍କର ଆରାଧନା, ସତ୍ୟପ୍ରତି ଆଦର, ସଦନୁଷ୍ଠାନରେ ଉତ୍ସାହ-ଦାନ ତାଙ୍କ ଜୀବନର ଦୈନିକ ବ୍ରତ ଥିଲା । ଧନୀ, ନିର୍ଦ୍ଧନ ସମସ୍ତ ପ୍ରଜା ତାଙ୍କର ସାକ୍ଷାତ୍ଲାଭ କରିପାରୁଥିଲେ । ସେ ଇନ୍ଦ୍ର ତୁଲ୍ୟ ଐଶ୍ୱର୍ଯ୍ୟର ଅଧୀଶ୍ୱର ହୋଇ ସୁଦ୍ଧା ଅହଙ୍କାରୀ ନ ଥିଲେ । ଆକାବର ତାହାଙ୍କାର ପୁସ୍ତକାଗାରରେ ଆରବୀ, ପାରସୀ, ସଂସ୍କୃତ, ହିନ୍ଦୀ, ଗ୍ରୀକ୍ ପ୍ରଭୃତି ବିଭିନ୍ନ ଭାଷାର ପୁସ୍ତକସମୂହ ପୃଥକ ପୃଥକ ସ୍ଥାନରେ ସୁସଜ୍ଜିତ କରି ରଖିଥିଲେ । ରାଜକାର୍ଯ୍ୟ ଶେଷ କରି ଅବସରକ୍ରମେ ପୁସ୍ତକପାଠ ଶ୍ରବଣ କରୁଥିଲେ ଏବଂ ପାଠ ସମାପ୍ତି ପରେ ପାଠକମାନଙ୍କୁ ସ୍ୱର୍ଣ୍ଣରୌପ୍ୟାଦି ପୁରସ୍କାର ଦେଉଥିଲେ । ଆକାବରଙ୍କ ସମୟରେ ଚିତ୍ରବିଦ୍ୟାର ମହୋନ୍ନତି ହୋଇଥିଲା । ସେ ସ୍ୱୟଂ ଚିତ୍ର କରିବାକୁ ଭଲ ପାଉଥିଲେ ଏବଂ ଚିତ୍ରକାରମାନଙ୍କୁ ପାରତୋଷିକ ଦାନକରି ଉତ୍ସାହ ଦେଉଥିଲେ । ଶିଳ୍ପକାର୍ଯ୍ୟରେ ମଧ୍ୟ ତାଙ୍କର ଅନୁରାଗ ଥିଲା ଏବଂ ସେ ନିଜେ କେତେଗୁଡ଼ିଏ କୌଶଳପୂର୍ଣ୍ଣ ଯନ୍ତ୍ର ନିର୍ମାଣ କରିଥିଲେ । ତାଙ୍କ ରାଜସଭାରେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ ପ୍ରଭୃତି ଧର୍ମାବଲମ୍ବୀମାନେ ନିଜର ମତ ନିର୍ଭୟରେ ବ୍ୟକ୍ତ କରିବାର ପାଇଥିଲେ । ଦୁର୍ଦ୍ଧର୍ଷ ରାଜପୁତ ରାଜାମାନଙ୍କୁ ବନ୍ଧୁତାସୂତ୍ରରେ ବାନ୍ଧି ସେ ଶତ୍ରୁମାନଙ୍କୁ ପରମବନ୍ଧୁ କରିନେଲେ । ସେ ନିଜେ ରାଜପୁତ ରାଜକୁମାରୀଙ୍କୁ ବିବାହ କରିଥିଲେ ଏବଂ ନିଜ ପୁତ୍ରଙ୍କୁ ରାଜପୁତ୍ର କନ୍ୟା ସହିତ ବିବାହ କରାଇଥିଲେ । ରାଜା ମାନସିଂହ ଓ ରାଜା ତୋଡ଼ରମଲ୍ଲ ରାଜପୁତଦ୍ୱୟ ସେନାପତି ଓ ରାଗସ୍ୱମନ୍ତ୍ରୀ ପଦରେ ନିଯୁକ୍ତ ହୋଇ ରାଜ୍ୟର ଶ୍ରୀବୃଦ୍ଧି ସାଧନ କରିଥିଲେ ।
ଆକବରଙ୍କ ଧର୍ମାନୁଷ୍ଠାନ ମଧ୍ୟରୁ ନିମ୍ନଲିଖିତ ଅନୁଷ୍ଠାନଟି ସ୍ମରଣୀୟ । ସୂର୍ଯ୍ୟ ମେଷରାଶିସ୍ଥ ହେବାର ଊନବିଂଶ ଦିବସରେ ସେ ସୌରାଗ୍ନି ଆହରଣ କରୁଥିଲେ । ଦିବା ଦ୍ୱିପ୍ରହର ସମୟରେ ଅନୁଚରମାନେ ସୂର୍ଯ୍ୟକାନ୍ତମଣି ରୌଦ୍ରରେ ରଖି ସେଥିରେ ଉଦ୍ଭୂତ ଅଗ୍ନିଦ୍ୱାରା ତୁଳା ଜାଳି ନିଅନ୍ତୁ । ବର୍ଷଯାକ ଅଗ୍ନିପାତ୍ରରେ ସେହି ଅଗ୍ନି ରକ୍ଷାକରିବା ପାଇଁ କେତେଗୁଡ଼ିଏ ବିଶ୍ୱାସୀ ଲୋକ ନିଯୁକ୍ତ ରହୁଥିଲେ । ସମ୍ରାଟ୍ଙ୍କର ରନ୍ଧାନାଦି କାର୍ଯ୍ୟ ସେହି ଅଗ୍ନିରେ ହେଉଥିଲା ।
ସମ୍ବନ୍ଧିତ ରଚନା
ଚିଲିକା ହ୍ରଦ
ମଧୁସୂଦନ ରାଓ
ମନୁଷ୍ୟର ଧର୍ମବୁଦ୍ଧି
ମଧୁସୂଦନ ରାଓ
ଦ୍ୱିତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ତୃତୀୟ ପ୍ରସ୍ତାବ
ମଧୁସୂଦନ ରାଓ