ସାବିତ୍ରୀ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ସାହିତ୍ୟ କୁସୁମ
- ପଢ଼ିବା ସମୟ
- ୫ ମିନିଟ୍
- ଶବ୍ଦ
- ୮୦୪
- ସ୍ଥିତି
- ସାର୍ବଜନୀନ (Public domain)
ପୁରାକାଳରେ ମଦ୍ର ଦେଶରେ ଅଶ୍ୱପତି ନାମକ ଜଣେ ଧାର୍ମିକ ରାଜା ଥିଲେ । ସେ ଅପୁତ୍ରିକ ଥିଲେ; କିନ୍ତୁ ସାବିତ୍ରୀ ନାମ୍ନୀ ତାହାଙ୍କର ଗୋଟିଏ ପରମା ସୁନ୍ଦରୀ କନ୍ୟା ଥିଲା । ସାବିତ୍ରୀ ବାଲ୍ୟକାଳରୁ ଧର୍ମନିଷ୍ଠା, ପିତୃଭକ୍ତି ଏବଂ ପୁଣ୍ୟ ଚରିତ୍ରଦ୍ୱାରା ସମସ୍ତଙ୍କର ଶ୍ରଦ୍ଧା ଓ ପ୍ରୀତି ଆକର୍ଷଣ କରିଥିଲେ । କ୍ରମେ କ୍ରମେ ସେ ବାଲ୍ୟକାଳ ଅତିକ୍ରମ କରି ଯୌବନରେ ପଦାର୍ପଣ କଲେ । ଦିନେ ସେ ସ୍ନାନାନ୍ତେ ଈଶ୍ୱରାଧନା କରି ଭକ୍ତିନମ୍ର ଚିତ୍ତରେ ପିତାଙ୍କୁ ସାଷ୍ଟାଙ୍ଗ ପ୍ରଣିପାତକରି ତାଙ୍କ ନିକଟରେ ଦଣ୍ଡାୟମାନ ହୁଅନ୍ତେ ଅଶ୍ୱପତି ଆନନ୍ଦାଶ୍ରୁପୂର୍ଣ୍ଣ-ନୟନରେ ସାବିତ୍ରୀଙ୍କର ପୁଣ୍ୟତେଜରେ ସମୁଜ୍ଜ୍ୱଳ ସୁନ୍ଦର ମୁଖପଦ୍ମ ନିରୀକ୍ଷଣ କରି କହିଲେ, ‘‘ବତ୍ସେ ! ତୁମ୍ଭର ପୁଣ୍ୟଚରିତ୍ରଦ୍ୱାରା ଏହି ରାଜବଂଶ ଉଜ୍ଜ୍ୱଳ ହୋଇଅଛି ଏବଂ ମୋର ଜୀବନ ସାର୍ଥକ ହୋଇଅଛି । ଏବେ ସୁଯୋଗ୍ୟ ସତ୍ପାତ୍ର ସଙ୍ଗରେ ତୁମ୍ଭର ପରିଣୟ ହେଲେ ମୁଁ ସୁଖୀ ହେବି । ତୁମ୍ଭର ଅଦ୍ଭୁତ ପୁଣ୍ୟତେଜ ଦେଖି କେହି ରାଜପୁତ୍ର ତୁମ୍ଭଙ୍କୁ ବିବାହ କରିବାର ପ୍ରସ୍ତାବ ଉତ୍ଥାପନ କରିବାକୁ ସାହସୀ ହେଉନାହାନ୍ତି; ଅତଏବ, ମୁଁ ତୁମ୍ଭଙ୍କୁ ସୁଯୋଗ୍ୟ ପତି ଅନ୍ୱେଷଣ କରିବା ନିମିତ୍ତ ଅନୁମତି ଦେଉଅଛି । ତୁମ୍ଭେ ବୃଦ୍ଧ ମନ୍ତ୍ରୀମାନଙ୍କ ସଙ୍ଗରେ ୠଷିମାନଙ୍କର ତପୋମତ ଏବଂ ନାନା ତୀର୍ଥ ଭ୍ରମଣ କରି ତୁମ୍ଭର ମନୋମତ ପତି ନିରୂପଣ କରି ମୋତେ ଜଣାଇଲେ ମୁଁ ଯଥାବିଧି ତୁମ୍ଭର ବିବାହର ଆୟୋଜନ କରିବି ।’’
ପିତାଙ୍କର ଆଦେଶ ଅନୁସାରେ ସାବିତ୍ରୀ ବହୁକାଳ ନାନା ଜନପଦ ଭ୍ରମଣ କରି ସତ୍ୟବାନ୍ ନାମଧେୟ ଶାଲ୍ୱ ଦେଶର ରାଜା ଦ୍ୟୁମତ୍ସେନଙ୍କର ଏକମାତ୍ର ପୁତ୍ରକୁ ମନୋନୀତ କଲେ । ଦିନେ ଅଶ୍ୱପତି ରାଜସଭାରେ ବସି ଦେବର୍ଷି ନାରଦଙ୍କ ସଙ୍ଗେ ଆଳାପ କରୁଅଛନ୍ତି, ଏମନ୍ତ ସମୟରେ ସାବିତ୍ରୀ ଦେଶାଟନରୁ ବାହୁଡ଼ି ଭକ୍ତିଭରେ ପିତା ଓ ନାରଦଙ୍କ ଚରଣବନ୍ଦନା କଲେ । ଅଶ୍ୱପତି ଜିଜ୍ଞାସା କଲେ, ‘‘ବତ୍ସେ ! ତୁମ୍ଭେ କାହାକୁ ମନୋନୀତ କଲ ?’’ ସାବିତ୍ରୀ ଲଜ୍ଜାରେ ମସ୍ତକ ଅବନତ କରି କହିଲେ, ‘‘ଶାଲ୍ୱ ଦେଶର ରାଜା ଦ୍ୟୁମତ୍ସେନ ଅନ୍ଧ ହୋଇଯିବାରୁ ଶତ୍ରୁମାନେ ତାହାଙ୍କର ରାଜ୍ୟ ଅପହରଣ କରି ତାହାଙ୍କୁ ତଡ଼ିହେଇଥିବାରୁ ସେ ତାହାଙ୍କର ପୁତ୍ର ସତ୍ୟବାନ୍ଙ୍କୁ ସଙ୍ଗରେ ଘେନି ଗୋଟିଏ ତପୋବନରେ ୠଷିଜୀବନ ଅବଲମ୍ବନ କରି ସେଠାରେ ଅଛନ୍ତି । ସତ୍ୟବାନ୍ ରାଜବଂଶରେ ଜାତ ହୋଇ ୠଷିକୁମାରରୂପେ ଶିକ୍ଷାଲାଭ କରି ପିତାଙ୍କର ସେବାରେ ନିଯୁକ୍ତ ଅଛନ୍ତି । ମୁଁ ତାହାଙ୍କୁ ମନେ ମନେ ବରଣ କରିଅଛି ।’’
ନାରଦ ସାବିତ୍ରୀଙ୍କର କଥା ଶୁଣି କହିଲେ, ‘‘ହେ ରାଜନ୍, ସାବିତ୍ରୀ ଯାହାଙ୍କୁ ବିବାହ କରିବାର ଅଭିଳାଷ କରିଅଛନ୍ତି, ସେ ସର୍ବଗୁଣାନ୍ୱତ, ସତ୍ୟବାଦୀ, ଦୟାଳୁ ଏବଂ ବିଦ୍ୱାନ୍ ହେଲେହେଁ ଅଳ୍ପାୟୁ ଅଟନ୍ତି । ଆଜିଠାରୁ ଯେଉଁ ଦିନ ଏକ ବର୍ଷ ପୂର୍ଣ୍ଣ ହେବ, ସେହି ଦିନ ତାହାଙ୍କର ମୃତ୍ୟୁ ହେବା-। ଏପରି ଅଳ୍ପାୟୁ ପୁରୁଷକୁ କିପରି କନ୍ୟା ସମ୍ପ୍ରଦାନ କରିବେ ?’’ ଏକଥା ଶୁଣି ଅଶ୍ୱପତି ସାବିତ୍ରୀଙ୍କୁ କହିଲେ ତାହା ତ ଶୁଣିଲ । ଏପରି ଅଳ୍ପାୟୁ ପୁରୁଷକୁ ବିବାହ କଲେ ତୁମ୍ଭେ ଚିରବୈଧବ୍ୟ-ଦୁଃଖାଗ୍ନିରେ ଦଗ୍ଧ ହେବ । ମୁଁ ତୁମ୍ଭର ଏପରି ଚିରଜୀବନବ୍ୟାପୀ ଦୁଃଖ ଦେଖି କେମନ୍ତ ବଞ୍ଚିବି ? ତୁମ୍ଭେ ଅନ୍ୟ ଉପଯୁକ୍ତ ରାଜକୁମାରଙ୍କୁ ବରଣ କର ।’’ ସାବିତ୍ରୀ ଉତ୍ତର କଲେ, ‘‘ମୁଁ ଯାହାଙ୍କୁ ମନେ ମନେ ବରଣ କରିଅଛି ସେ ଅଳ୍ପାୟୁ ହେଲେହେଁ ମୁଁ ଅନ୍ୟ କାହାକୁ ବିବାହ କରିପାରିବି ନାହିଁ ।’’
ସାବୀତ୍ରୀଙ୍କର ଧର୍ମନିଷ୍ଠ ମନ କୌଣସି ପ୍ରକାରେ ଟଳିବାର ନୁହେଁ ଜାଣି ଅଶ୍ୱପତି ଅଗତ୍ୟା ସତ୍ୟବାନ୍ଙ୍କ ସଙ୍ଗରେ ସାବିତ୍ରୀଙ୍କର ବିବାହ ଯଥାବିଧି ଅନୁଷ୍ଠାନ କଲେ । ସାବିତ୍ରୀ ପତି ସଙ୍ଗେ ତପୋବନକୁ ଯାଇ ସେଠାରେ ଶ୍ୱଶୁର ଓ ଶ୍ୱଶ୍ରୁଙ୍କର ସେବାଦ୍ୱାରା ଏବଂ ଆଶ୍ରମବାସୀ ୠଷି, ୠଷିପତ୍ନୀ, ୠଷିକୁମାର ଓ ୠଷିକୁମାରୀମାନଙ୍କ ସହିତ ପବିତ୍ର ଓ ମିଷ୍ଟ ବ୍ୟବହାରଦ୍ୱାରା ସମସ୍ତଙ୍କୁ ସନ୍ତୁଷ୍ଟ କରିବାକୁ ଲାଗିଲେ । କ୍ରମେ ସତ୍ୟବାନ୍ଙ୍କର ମୃତ୍ୟୁଦିନ ଉପସ୍ଥିତ ହେଲା । ସତ୍ୟବାନ୍ ପ୍ରତିଦିନ କାଷ୍ଟ ଆହାରଣ କରିବାପାଇଁ ବନକୁ ଯା’ନ୍ତି । ସେଦିନ ମଧ୍ୟ ବନକୁ ଯିବାପାଇଁ ବାହାରନ୍ତେ ସାବିତ୍ରୀ ଶ୍ୱଶୁର ଶ୍ୱଶ୍ରୁଙ୍କଠାରୁ ବନର୍ଦଶନ ନିମିତ୍ତ ଅନୁମତି ଗ୍ରହଣ କରି ପତିଙ୍କ ସଙ୍ଗରେ ଗମନ କଲେ । ମାର୍ଗରେ ସତ୍ୟବାନ୍ ସାବିତ୍ରିଙ୍କୁ ପତ୍ରପୁଷ୍ପଫଳଶୋଭିତ ବନ, କଳକଣ୍ଠ ନାନା ବିହଙ୍ଗ ଓ ନିର୍ମଳ ଜଳପୂର୍ଣ୍ଣ ନିର୍ଝରିଣୀ ଦେଖାଇବାକୁ ଲାଗିଲେ । କୀନ୍ତୁ ସାବିତ୍ରୀଙ୍କର ହୃଦୟ ପତିଙ୍କର ଆସନ୍ନ ମୃତ୍ୟୁକଥା ଭାଳି ଏପରି ଦୁଃଖପୂର୍ଣ୍ଣ ଥିଲା ଯେ, ସେ ପତିଙ୍କର ଅନୁରୋଧ ଅନୁସାରେ ଚାରିଆଡ଼କୁ ଅନାଇ ସୁଦ୍ଧା ଅନ୍ୟମନସ୍କା ଥିବାରୁ କିଛି ଦେଖିପାରି ନ ଥିଲେ ।
ଏଥିଉତ୍ତାରେ ସତ୍ୟବାନ୍ କୁଠାର ହସ୍ତରେ ଘେନି ଗୋଟିଏ ବୃକ୍ଷ ଆରୋହଣ କରି ଶୁଷ୍କ କାଷ୍ଠ କାଟୁ କାଟୁ ମସ୍ତକରେ ଭୟଙ୍କର ବେଦନା ଅନୁଭବ କରି ତଳକୁ ଓହ୍ଲାଇ ଆସି କହିଲେ, ‘‘ପ୍ରିୟେ, ମୋର ଶରୀର ଅବଶ ହୋଇ ଆସିଅଛି ମୋତେ ଧର ।’’ ସାବିତ୍ରୀ ସେହି ନିର୍ଜନ ବନରେ ପତିଙ୍କର ବହୁ ଶୁଶ୍ରୂଷା କଲେ ଏବଂ ରାତ୍ରିକାଳରେ ଘୋର କୃଷ୍ଣଚତୁର୍ଦ୍ଦଶୀର ଗାଢ ଅନ୍ଧାକାର ମଧ୍ୟରେ ସତ୍ୟବାନ୍ଙ୍କ ମସ୍ତକ କ୍ରୋଡ଼ରେ ରଖି ଏକାକିନୀ ବସିରହିଲେ । ସହସା ଜଣେ ଦୀର୍ଘକାୟ ଦିବ୍ୟକାନ୍ତି ପୁରୁଷ ସମ୍ମୁଖରେ ଉପସ୍ଥିତ ହୁଅନ୍ତେ ସାବିତ୍ରୀ ସସମ୍ଭ୍ରମେ ତାହାଙ୍କ ପଦତଳେ ପ୍ରଣାମ କରି କହିଲେ, ‘‘ଭଗବାନ୍, ଆପଣ କିଏ, କାହିଁକି ଆସିଛନ୍ତି ?’’ ଦିବ୍ୟ ପୁରୁଷ ଉତ୍ତର କଲେ, ‘‘ମୁଁ ଯମରାଜ, ସତ୍ୟବାନ୍ଙ୍କର ଆୟୁଷ ଶେଷ ହେବାରୁ ତାହାଙ୍କୁ ନେବାପାଇଁ ଆସିଅଛି ।’’ ଏହା କହି ଯମରାଜ ସତ୍ୟବାନ୍ଙ୍କ ଆତ୍ମାକୁ ଘେନି ପ୍ରସ୍ଥାନ କରନ୍ତେ ସାବିତ୍ରୀ ତାହାଙ୍କର ପଛେ ପଛେ ଯିବାକୁ ଲାଗିଲେ । ସାବିତ୍ରୀ ତାଙ୍କର ଅନୁଗମନ କରୁଥିବାର ଦେଖି ଯମରାଜ କହିଲେ, ‘‘ତୁମ୍ଭେ ଗୃହକୁ ଲେଉଟି ନଯାଇ ମୋ ସଙ୍ଗେ ଆସୁଅଛି ।’’ ସାବିତ୍ରି କହିଲେ, ‘‘ମୋ ସ୍ୱାମୀ ଯେଉଁଠାକୁ ଯିବେ, ମୁଁ ମଧ୍ୟ ସେହିଠାକୁ ଯିବି । ମୋତେ ନିବାରଣ କରନ୍ତୁ ନାହିଁ । ଯମରାଜ କହିଲେ, ‘‘ମୁଁ ତୁମ୍ଭର ଧର୍ମନିଷ୍ଟା ଓ ପତିପରାୟଣତା ଦେଖି ପ୍ରୀତ ହୋଇଅଛି, ତୁମେ ପତିଙ୍କ ଜୀବନଛଡ଼ା ଆଉ ଯେଉଁ ବର ମାଗିବ ତାହା ଦେବି ।’’ ସାବିତ୍ରୀ କହିଲେ, ‘‘ମୋର ଶ୍ୱଶୁର ଅନ୍ଧ ଓ ରାଜ୍ୟହୀନ ହୋଇ ବନରେ ବାସ କରୁଅଛନ୍ତି । ତାହାଙ୍କୁ ରାଜ୍ୟ ଓ ଚକ୍ଷୁ ଦାନ କରନ୍ତୁ ।’’ ଯମରାଜ କହିଲେ, ‘‘ଏ ଦୁଇ ବର ଦେଲି । ଏବେ ଫେରିଯାଅ; ନୋହିଲେ ପଥଶ୍ରମରେ ବହୁ କଷ୍ଟ ପାଇବ ।’’ ସାବିତ୍ରୀ କହିଲେ, ‘‘ଭଗବାନ୍, ଆପଣ ମୋ ପତିଙ୍କି ଘେନି ଯାଉଅଛନ୍ତି । ଆପଣଙ୍କ ସଙ୍ଗରେ ଆସି ପତିସଙ୍ଗ ଲାଭ କରୁଅଛି । ଆଉ କେଣେ ଯିବି ନାହିଁ ।’’ ଯମରାଜ କହିଲେ, ‘‘ଆଉ କି ବର ମାଗୁଅଛ ?’’ ସାବିତ୍ରୀ କହିଲେ, ‘‘ମୋର ପିତା ଅପୁତ୍ରିକ । ତାହାଙ୍କର ବହୁପୁତ୍ର ଲାଭ ହେଉ ।’’ ଯମରାଜ ‘ତଥାସ୍ତୁ’ କହି ପୁଣି ଫେରିଯିବା ନିମିତ୍ତ ଅନୁରୋଧ କଲେ । ସାବିତ୍ରୀ କହିଲେ, ‘‘ଆପଣ ଧର୍ମରାଜ, ଆପଣଙ୍କର ଶାସନରେ ମୋ ସ୍ୱାମୀ ଅଛନ୍ତି । ମୁଁ ତାଙ୍କାର ନିକଟରେ ଅଛି । ମୁଁ ଅନ୍ୟତ୍ର ଯିବି ନାହିଁ । ଯମରାଜ ପ୍ରୀତ ହୋଇ କହିଲେ, ‘‘ସତ୍ୟବାନ୍ଙ୍କ ଜୀବନ ଛଡ଼ା ଅନ୍ୟ ବର ପ୍ରାର୍ଥନା କର ।’’ ସାବିତ୍ରୀ କହିଲେ, ‘‘ମୋର ଶତପୁତ୍ର ହେଉ, ଏହି ବର ପ୍ରଦାନ କରନ୍ତୁ ।’’ ଯମରାଜ କହିଲେ, ‘‘ତଥାସ୍ତୁ, ଏବେ ଫେରିଯାଅ ।’’ ତହିଁ ସାବିତ୍ରୀ କହିଲେ, ‘‘ହେ ଧର୍ମରାଜ, ପତି ଛଡ଼ା ମୋର ଆଉ ଅନ୍ୟ ପ୍ରାର୍ଥନାର ବସ୍ତୁ ନାହିଁ । ମୁଁ ପତି ଛଡ଼ା ଧନ, ପୁତ୍ର ବା ସ୍ୱର୍ଗ କିଛି ପ୍ରାର୍ଥନା କରୁନାହିଁ । ମୋତେ ମୋ ସ୍ୱାମୀଙ୍କି ଫେରାଇ ଦିଅନ୍ତୁ ।’’ ଯମରାଜ ସାବିତ୍ରୀଙ୍କର ଅଲୌକିକ ପବିତ୍ରତା ଓ ପାତିବ୍ରତ୍ୟ ଦେଖି ପ୍ରସନ୍ନ ହୋଇ କହିଲେ, ‘‘ତଥାସ୍ତୁ, ତୁମ୍ଭର ଅଦ୍ଭୁତ, ଅକ୍ଷୟ ସ୍ନେହର ପୁରସ୍କାର ପାଇଲ । ପତି ସଙ୍ଗରେ ତୁମ୍ଭର ଯୋଗ କଦାପି ବିଚ୍ଛିନ୍ନ ନହେଉ ।’’
ସମ୍ବନ୍ଧିତ ରଚନା
ଚିଲିକା ହ୍ରଦ
ମଧୁସୂଦନ ରାଓ
ମନୁଷ୍ୟର ଧର୍ମବୁଦ୍ଧି
ମଧୁସୂଦନ ରାଓ
ଦ୍ୱିତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ତୃତୀୟ ପ୍ରସ୍ତାବ
ମଧୁସୂଦନ ରାଓ