ସମୁଦ୍ର ଜଳରେ ଦ୍ୱାରକା ନିମଗ୍ନ ଓ ପ୍ରଭାସ ତୀର୍ଥରେ ଅଷ୍ଟପାଟବଂଶୀଙ୍କର ଦେହତ୍ୟାଗ — ହରିବଂଶ ସପ୍ତମ ଖଣ୍ଡ — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିରୁକ୍ମଣୀ ସତ୍ୟଭାମାଙ୍କୁ ନମସ୍କାର କଲେ ।
ମସ୍ତକେ ହସ୍ତ ଦେଇଣ ବୋଲଇ ବଚନ
ସାତ ଦିନ ହେଲା କୃଷ୍ଣ ତେଜିଲେ ଜୀବନ ।
ପୁତ୍ର ନାତି ଯେତେ ଥିଲେ ସର୍ବେ ନାଶଗଲେ
ଆପେ ପ୍ରଭୁ ନାରାୟଣ ବଂଶ ନାଶ କଲେ ।
କୃଷ୍ଣଙ୍କର ନାରୀମାନେ ସର୍ବେ ଶୋକ କରି
ଉଚ୍ଚସ୍ୱରରେ କାନ୍ଦନ୍ତି ପାର୍ଥ ପାଦଧରି ।
ପ୍ରବୋଧ ଦେଇ ଅର୍ଜ୍ଜୁନ ଶୋକ ଶାନ୍ତି କଲେ
ବୋଇଲେ କୃଷ୍ଣର ଆଜ୍ଞା ଶୁଣ ତୁମ୍ଭେ ଭଲେ ।
ଚାଲ ଚାଲ ସର୍ବେ ଯିବା ହସ୍ତିନା ନବର
ଆଜ୍ଞା ମୋତେ ଦେଇଛନ୍ତି ପ୍ରଭୁ ଦାମୋଦର ।
ରୁକ୍ମିଣୀ ଦେବୀ ବୋଲନ୍ତି ପାର୍ଥ ମୁଖ ଚାହିଁ
ଏତେଦିନେ ପୁତ୍ରକଷ୍ଟ ଦେଲେ ଭାବଗ୍ରାହୀ ।
ଏବେ କିସ କରିବୁଁ ହୋ ବୋଲ ମହାବୀର
ଦିବସରେ ଆମ୍ଭଙ୍କୁ ତ ଦିଶେ ଅନ୍ଧକାର ।
ଅର୍ଜ୍ଜୁନ ବୋଲନ୍ତି ତୁମ୍ଭେ ସ୍ଥିର ହୋଇ
ଗୁପ୍ତକଥା କହିଛନ୍ତି ପ୍ରଭୁ ଭାବଗ୍ରାହୀ ।
ସପତ ଦିନେ ଦ୍ୱାରକା ଜଳେ ଯିବ ନାଶ
ଭବିଷ୍ୟତ କଥା କହିଗଲେ ପୀତବାସ ।
ଦୈବର ଘଟନା ଏହା କେ କରିବ ଆନ
ହସ୍ତିନା ପୁରକୁ ଏବେ ଚାଲ ଗୋ ବହନ ।
ସମୁଦ୍ର ଆସିବ ଏହିକ୍ଷଣି ନିଶ୍ଚେ ଘୋଟି
ଏକ୍ଷଣି ଜାଣ ବୁଡ଼ିବ ଦ୍ୱାରକା ନଗ୍ରଟି ।
ଏହା ଶୁଣିଣ ଚକିତ ହୋଇଲେ ତରୁଣୀ
ଧନୁ ଧରି ଉଭାଛନ୍ତି ବରା ଚୂଡ଼ାମଣି ।
ସମସ୍ତଙ୍କୁ ଘେନି ବୀର ବାହାର ହୋଇଲା
ଗୋବିନ୍ଦ ଗୋବିନ୍ଦ ସ୍ମରି ପଥ କଢ଼ାଇଲା ।
ପଶ୍ଚିମକୁ ମୁଖ କରି ଯାନ୍ତି ନାରୀମାନେ
ଧନୁ ଧରି ଆଗେ ବାଟ କଢ଼ାନ୍ତି ଅର୍ଜ୍ଜୁନେ ।
ଦ୍ୱାରକା ପୁରରୁ ବେଗେ ଗଲେ ପଥ ବାହି
ପ୍ରଭାସ ନାମକ ତୀର୍ଥେ ପ୍ରବେଶିଲେ ଯାଇ ।
ଅର୍ଜୁନ ମୁଖକୁ ଚାହିଁ ରୁକ୍ମିଣୀ ବୋଲନ୍ତି
କ୍ଷଣେ ରହ ଅର୍ଜୁନ ହୋ ସ୍ନାନ କରୁ ଏଥି ।
ଅର୍ଜ୍ଜୁନ ବୋଇଲେ ଏଥେ ତୁମ୍ଭେ ସ୍ନାନ କର
ବିଧବା ଅବସ୍ଥାରୁ ଯେ ସର୍ବେ ହୁଅ ପାର ।
ପୁଣି ପାର୍ଥ ବୋଲଇ ମୁଁ କରିବି ସ୍ନାହାନ
ତେବେ ମୋର ପାପଭରା ହୋଇବ ଦହନ ।
ଏତେକ ବୋଲି ଅର୍ଜ୍ଜୁନ ଜଳରେ ବୁଡ଼ିଲା
ଗାଣ୍ଡୀବ ଧନୁ ଗୋଟିକ କୂଳରେ ଥୋଇଲା ।
ଗୋବିନ୍ଦ ଗୋବିନ୍ଦ ସ୍ମରି ଜଳରେ ବୁଡ଼ଇ
ସ୍ନାନସାରି ବେଗେ ଆସି କୂଳରେ ମିଳଇ ।
ଅଷ୍ଟ ପାଟବଂଶୀମାନେ ଏଥୁ ଅନନ୍ତରେ
ନାରାୟଣଙ୍କୁ ସୁମରି ପଶିଲେ ଜଳରେ ।
ତାଙ୍କ ସଙ୍ଗତେ ପଶିଲେ ସକଳ ନାୟିକା
ପୋଇଲୀ ପରିବାରୀଏ ଯେତେ ଥିଲେ ସଖା ।
କୃଷ୍ଣ କୃଷ୍ଣ ବୋଲି ପଶିଲେକ ଜଳେ ଯାଇ
ହରି ହରି ଶବଦରେ କୂର୍ମ ଉଛୁଳଇ ।
କୃଷ୍ଣ କୃଷ୍ଣ ଶବଦ ଯେ ସ୍ୱର୍ଗକୁ ଶୁଭିଲା
ଦେବଗଣଙ୍କ ମନରେ ଉଲ୍ଲାସ ଜନ୍ମିଲା ।
ଶ୍ରୀକୃଷ୍ଣଙ୍କ ନାରୀମାନେ କରନ୍ତି ସ୍ନାହାନ
ଅଧାସ୍ୱର୍ଗେ ଥାଇ ଦେଖୁଛନ୍ତି ଦେବଗଣ ।
ଦଇବ ରଚନା କଥା କେ କରିବ ଆନ
ଆପେ ନାରାୟଣ ଯାହା କରିଛି ଭିଆଣ ।
ତେଣେ ଶ୍ରୀହରି ଗୋଟିଏ ମାୟା ବିରଚିଲେ
ଏକାବେଳକେ ବୁଡ଼ିଲେ କେହି ନ ଦେଖିଲେ ।
ଭୀଷଣ ଆକାର ଧରି ଉଠିଲା ଲହରୀ
ଚାହିଁ ଅଛନ୍ତି ଅର୍ଜ୍ଜୁନ ସର୍ବେ ଗଲେ ବୁଡ଼ି ।
ପ୍ରହରେକ ପରିଯନ୍ତେ ଅର୍ଜ୍ଜୁନ ଚାହିଁଲେ
କନ୍ୟାଙ୍କ ମଧ୍ୟରୁ ଜଣେ କେହି ନ ଉଠିଲେ ।
ଦେଖି ଅନେକ ବିକଳ ହେଲେ ମହାବୀର
ଏତେକ ଭିଆଣ ସିନା କଲେ ଚକ୍ରଧର ।
ଦେଖୁଁ ଦେଖୁଁ କନ୍ୟାମାନେ ଜଳରେ ଭାସିଲେ
ଗୋବିନ୍ଦଙ୍କୁ ସୁମରିଣ ପାର୍ଥ ଚଳିଗଲେ ।
କୂଳରେ ଯେଉଁ ଗାଣ୍ଡୀବ ଧନୁ ଥିଲେ ଥୋଇ
ଯାଇଣ ସେହି ଧନୁକୁ ଅର୍ଜ୍ଜୁନ ତୋଳଇ ।
ଉଠାଇ ନ ପାରି ପାର୍ଥ ବିମୁଖ ହୋଇଲା
ବିଷ୍ଣୁ ତେଜ ଯେଣୁକରି ଶରୀରରୁ ଗଲା ।
ତେଣୁକରି ବୀରବର ହୋଇଲା ଦୁର୍ବଳ
ହୃଦଗତେ ସୁମରଇ ଦେବକୀର ବାଳ ।
ଗୋବିନ୍ଦ ସୁମରି ଧନୁ ଦୁଇହସ୍ତେ ନେଲା
ମଥାର ଉପରେ ନେଇ ତାହାକୁ ଥୋଇଲା ।
ମନେ ବିଚାରେ ଯେ ଧନୁ ଧରଇ ମୋ ହାତ
ସେହି ଗାଣ୍ଡୀବ ଧନୁକୁ ଧଇଲା ମୋ ମାଥ ।
କୃଷ୍ଣର ଗୁଣ ସୁମରି ପଥେ ଚଳିଗଲା
ହସ୍ତିନା ନବରେ ଯାଇ ପ୍ରବେଶ ହୋଇଲା ।
ଯୁଧିଷ୍ଠିରଙ୍କୁ ଦେଖିଣ ଓଳଗି ମେଲାଇ
ବେନି ହସ୍ତେ ଧନୁଶର ମଥାରୁ ଓହ୍ଲାଇ ।
ଯୁଧିଷ୍ଠିରଙ୍କ ଛାମୁରେ ସମସ୍ତ କହିଲା
କୃଷ୍ଣ ନାରୀମାନେ ଜଳେ ଭାସିଲେ ବୋଇଲା ।
ଶୁଣି ଯୁଧିଷ୍ଠିର ରାଜା ବହୁ ଶୋକ କଲେ
ଅନାଥ ହୋଇଲୁଁ ବୋଲି ବଚନ ଭାସିଲେ ।
ବିଷ୍ଣୁ ନାମ ସୁମରିଣ ରହିଲେ ସ୍ୱଦେଶ
ଗୋବିନ୍ଦଙ୍କ ପାଦପଦ୍ମେ ଲଗାଇ ବିଶ୍ୱାସ ।
ଶୁଣ ଆହେ ପରୀକ୍ଷିତ ଭଣି ଶୁକ ଯତି
ଏଥୁ ଅନନ୍ତରେ ପୁଣ ହେଲା ଯେଉଁ ରୀତି ।
ଯେତେବେଳେ କୃଷ୍ଣ ନାରୀମାନେ ଭାସଗଲେ
କ୍ଷୀର ସମୁଦ୍ର ତଟରେ ନିରଞ୍ଜନ ଥିଲେ ।
ବରୁଣ ଦେବତାଙ୍କୁ ସେ ସନ୍ନିଧିକୁ ରାଇ
ବୋଇଲେ କଥା ଗୋଟିଏ କର ଜଳସାଇଁ ।
କୁଶସ୍ଥଳୀ ଦ୍ୱାରକା ତୁ ଜଳେ ବୁଡ଼ାଇବୁ
ରହସ୍ୟ ଦ୍ୱାରକାପୁର ପାଣିରେ ମାଡ଼ିବୁ ।
ଆଜ୍ଞା ପାଇଣ ବରୁଣ ବେଗ ହୋଇଗଲେ
ସମସ୍ତ ଦ୍ୱାରକାପୁର ଜଳେ ବୁଡ଼ାଇଲେ ।
ଜଳମୟ ହେଲା ଯହୁଁ ଦ୍ୱାରକା ନଗର
ପ୍ରଜାଜନମାନେ ତହୁଁ ଭାସିଲେ ଜଳର ।
ଉଗ୍ରସେନ ବାସୁଦେବ ସମସ୍ତେ ଭାଷିଲେ
ନନ୍ଦ ଯଶୋଦାଦି ଷୋଳସସ୍ର ଗୋପୀମୂଳେ ।
କହି ଅବା କେ ପାରିବ କେଣେ ଗଲେ ଭାସି
ଦଇବ ବଳେ ଲାଗିଲା ଆସି କାଳଫାଶୀ ।
କୁଶସ୍ଥଳୀ ଦ୍ୱାରକା ଯେ ଜଳେ ଭାସିଗଲା
ରଙ୍ଗାଅବତାର ଏହିଠାରୁ ଶେଷ ହେଲା ।
ଦ୍ୱାପର କଥା ଶୁଣିଲ କି ହୋ ନୃପସାଇଁ
ରଙ୍ଗାଅବତାର କଥା ବିଚିତ୍ର ଅଟଇ ।
ଶୁଣିକରି ନୃପବର କୃତ୍ୟକୃତ୍ୟ ହେଲା
ମୁନିଙ୍କ ଚରଣ ବେନି ହସ୍ତରେ ଧଇଲା ।
ତୁମ୍ଭର ପ୍ରସାଦେ ମୁହିଁ କୃତାର୍ଥ ହୋଇଲି
ମଥୁରା ମଙ୍ଗଳ କଥା ଶ୍ରବଣେ ଶୁଣିଲି ।
ଦେବକୀ ନନ୍ଦନ ପାଦପଦ୍ମରେ ନମଇଁ
ରଙ୍ଗାବତାର ହୋଇଲୁ ପ୍ରଭୁ ଭାବଗ୍ରାହୀ ।
ଦୈତ୍ୟ ବିନାଶ କରନ୍ତେ ନାମ ଦଇତ୍ୟାରି
ଦଇତ୍ୟାରି ବାନା ଗୋଟି ବହୁ ମଧୁହାରୀ ।
ପୃଥିବୀର ମହାଭରା ଉଶ୍ୱାସ କରିଣ
ଅନ୍ତେ ବୈକୁଣ୍ଠପୁରକୁ ଗଲ ହୋ ଆପଣ ।
ଯାଇଣ କ୍ଷୀର ସମୁଦ୍ରେ ନିଶ୍ଚିନ୍ତେ ଶୋଇଲ
ଲକ୍ଷ୍ମୀ ସରସ୍ୱତୀଙ୍କି ଯେ ପାଦେ ଖଟାଇଲ ।
କଳିଯୁଗେ ନୀଳଗିରି ଶିଖରେ ବସିବ
ଭୟ ଭୟ ନାଶି ମ୍ଳେଚ୍ଛ ଜନଙ୍କୁ ତାରିବ ।
ଲକ୍ଷ୍ମୀ ନାରାୟଣ ପାଦପଦ୍ମେ ମୋର ଆଶ
ଅଚ୍ୟୁତଦାସଙ୍କୁ ରଖ କମଳା ବିଳାସ ।
ନୀଳାଚଳରେ ଶବରର ବିଷ୍ଣୁ ପ୍ରତିମା ପୂଜା ଓ ଦାରୁବ୍ରହ୍ମ ରୂପେ ଜଗନ୍ନାଥଙ୍କର ଅବସ୍ଥିତି
ଏଥୁଅନନ୍ତରେ ଶୁଣ ପରୀକ୍ଷ ନୃପତି
ଶୁକ ମହାମୁନିଙ୍କର ଚରଣେ ନମନ୍ତି ।
ସାବଧାନେ ମୋ ବଚନ ଶୁଣ ମୁନିବର
କଥାଏ ପୁଛିବି ମୁହିଁ ଅବଧାନ କର ।
ଦ୍ୱାପର ଯୁଗ ଯେ ଶେଷ ହୋଇଲା ଗୋସାଇଁ
କଳିର ପୂର୍ବବୃତ୍ତାନ୍ତ କହ ଭାବଗ୍ରାହୀ ।
ଦୟା କରି କହ ମୋତେ ହେ ମୁନିପୁଙ୍ଗବ
ତେବେ ମହାପାପ ମୋର ଛେଦନ ହୋଇବ ।
ରାଜାର ବଚନେ ଶୁକ ଅଳପ ହସିଲେ
ନରବରଙ୍କୁ ଚାହିଁଣ ବଚନ ଭାସିଲେ ।
କୃଷ୍ଣଙ୍କୁ ପାଣ୍ଡବମାନେ ସମୁଦ୍ରେ ମେଲିଲେ
ଭାସି ଭାସି ଦେବ ବାଙ୍କିମୃହାଣେ ଲାଗିଲେ ।
ଦଇବ ରଚନା କଥା କେ କରିବ ଆନ
ଆପେ ନାରାୟଣ ଯାହା କରିଛି ଭିଆଣ ।
ଶୁଣ ପରୀକ୍ଷା ରାଜନ ପୁଣ୍ୟମୟ ଧ୍ୱନି
ସେ ଜରାଶବର ପ୍ରଭୁଙ୍କର ଆଜ୍ଞା ଘେନି ।
ବଇକୁଣ୍ଠପୁରେ ଯାଇ ବସିଲେ ନିଶ୍ଚିନ୍ତେ
ଆପେ ତାଙ୍କୁ ଆଜ୍ଞା ଦେଇ ଗଲେ ଜଗନ୍ନାଥେ ।
ତାର ପୁତ୍ର ଅଟେ ବସୁ ନାମରେ ଶବର
ସୁରେଶ୍ୱର ବନମଧ୍ୟେ ଅଟେ ତାର ଘର ।
କନ୍ଦମୂଳ ଫଳମୂଳ ବନରୁ ଆଣଇ
ପତ୍ନୀ ସହିତରେ ତାହା ଭକ୍ଷଣ କରଇ ।
ପୂର୍ବଭାଗ୍ୟ କଥା ତାର ଅଛଇ ମନର
ଅନୁକ୍ଷଣେ ବିଷ୍ଣୁ କଥା ସୁମରେ ହୃଦର ।
ତହୁଁ ଚାରିକ୍ରୋଶ ନୀଳସୁନ୍ଦର ପର୍ବତ
ପ୍ରତିଦିନ ସେ ବନକୁ ଆସଇ କିରାତ ।
ବାଉଁଶ ଗୁଣ ଧାମଣା କାଷ୍ଠରେ ଲଗାଇ
ମୃଗ ଶମ୍ବର ମାରିଣ ଆଶ୍ରମେ ଆସଇ ।
ଏହିପରି ପ୍ରତିଦିନ ଶବର କରଇଁ
ପର୍ବତ ଶିଖରେ ବୁଲି ଚାରି ଦିଗେ ଚାହିଁ ।
କଳପ ବଟରତଳେ ଥାଇ ଠଣା ଗୋଟି
ଦୈବ ବଳରେ ତାହାକୁ ଦିଶେ ଦେବଗୋଟି ।
ମୂଢ଼ ଶବର କେମନ୍ତେ ସେ କଥା ଜାଣିବ
ବିଷ୍ଣୁ ସ୍ଥାନ ବୋଲିଣ ସେ ନ ଜାଣଇ ଭାବ ।
ଗନ୍ଧ ଚନ୍ଦନ କର୍ପୂର ଆତଯାତ ହୋଇ
ବଟ ବୃକ୍ଷ ତଳେ ଠଣା ଗୋଟିଏ ଅଛଇ ।
ସେ ଗଛ ମୂଳକୁ ଗଲେ ତା ଦେହ ବାସଇ
ବିଷ୍ଣୁଙ୍କର ସ୍ଥାନ ସେହୁ ଜାଣି ନ ପାରଇ ।
ଏମନ୍ତ ପ୍ରକାରେ କିଛିଦିନ ବହିଗଲା
ଏକ ଦିନରେ ଶବର ପୁଣି ଯାଇଥିଲା ।
ସେ ଦିନ ସେ ବଟତଳେ ବସିଲାକ ଯାଇ
ଆଗେ ଦେଖିଲା ଚନ୍ଦନ ବୃକ୍ଷେକ ଅଛଇ ।
କୁଣ୍ଡ ଗୋଟିଏ ଦେଖିଲା ଅଛଇ ତା ତଳେ
ସେ କୁଣ୍ଡଟି ପରିପୂର୍ଣ୍ଣ ହୋଇଅଛି ଜଳେ ।
ତା ଉପରେ ଏକ ବୃଦ୍ଧ କାକ ବସିଥିଲା
ନିଦ ଲାଗନ୍ତେ ସେ କାକ ତହିଁରେ ପଡ଼ିଲା ।
ଚତୁର୍ଭୁଜ ହୋଇଣ ସେ ବୈକୁଣ୍ଠକୁ ଯାଇ
କଳ୍ପବଟ ତଳେ ଥାଇ ଶବର ଦେଖଇ ।
କାକ ଚତୁର୍ଭୁଜ ହେଉଁ ତରସ୍ତ ହୋଇଲା
ଦେବତାର ସ୍ଥାନ ବୋଲି ମନେ ବିଚାରିଲା ।
ଦଇବ ବଳେ ତାହାକୁ ନିଦ୍ରା ଆକର୍ଷଇ
ସେଠାରେ ଶୋଇଲା ଦକ୍ଷିଣକୁ ଶିର ଦେଇ ।
ସ୍ୱପନରେ ତାକୁ ଦେଖା ଦେଇ ଚକ୍ରଧର
ବୋଇଲେ ଆମ୍ଭର ବାକ୍ୟ ଶୁଣ ହୋ ଶବର ।
ଏହିକ୍ଷଣି ତୁହି ବାଙ୍କିମୁହାଣକୁ ଯିବୁ
ଆମ୍ଭ ରୂପ ସମୁଦ୍ରର କୂଳରେ ଦେଖିବୁ ।
ପ୍ରତିମା ଗୋଟିକ ତୁହି ଘେନିଆସ ଯାଇ
କ୍ଷଣେ ନ ରହି ଏକ୍ଷଣି ଯାଅ ବେଗେ ଧାଇଁ ।
ରୂପ ଗୋଟି ଆଣି ବଟତଳରେ ଥୋଇବୁ
କନ୍ଦମୂଳ ଭୋଗ ଦେଇ ଆମ୍ଭଙ୍କୁ ପୂଜିବୁ ।
ଏ ନୀଳ ସୁନ୍ଦର ଗିରି ଆମ୍ଭ ରମ୍ୟ ଭୂମି
ଏଥେ ବିହରନ୍ତି ଦେବେ ଗୁପ୍ତଭାବେ ପୁଣି ।
କେବେହେଁ ମୁଁ ଏହି ସ୍ଥାନ ଛାଡ଼ି ନ ପାରଇ
କୋଟି କୋଟି ଯୁଗ ଏଥେ ଗଲାଣି ଯେ ବହି ।
ଗୋଲେକ ଭୂମି ଏ ଅଟେ ମୋର ରମ୍ୟସ୍ଥଳ
ରାଧାଙ୍କୁ ଘେନିଣ ମୁହିଁ କରଇ ବିହାର ।
ଏ ଭୋଗ ଭୁଞ୍ଜିବା ପାଇଁ ଥୋକେଦିନ ମନ
ପ୍ରତିଦିନ ଭୋଗ ଦେଇ କରିବୁ ପୂଜନ ।
ପ୍ରତିମା ଆଣିଣ ତୁହି ଥୁଅ ବଟତଳ
ସେ ପ୍ରତିମା ଯୋଗେ ତୋର ହେବ ବହୁଫଳ ।
ଆମ୍ଭର ଆଜ୍ଞାରେ ତୁହି ଏହିକ୍ଷଣି ଯିବୁ
ବିଳମ୍ବ କଲେ ନିଶ୍ଚୟ ଭସ୍ମରାଶି ହେବୁ ।
ଏତେକ କହିଣ ପ୍ରଭୁ ଅନ୍ତର୍ଦ୍ଧାନ ହେଲେ
ନାରାୟଣ ଯାଇ ବାଙ୍କୀ ମୁହାଁଣେ ଲାଗିଲେ ।
ଚେତିଣ ଶବରମଣି ଉଠଇ ତକ୍ଷଣେ
ବିଚାର କରଇ ସେହୁ ଆପଣାର ମନେ ।
ସ୍ୱପ୍ନଯୋଗେ ମୁହିଁ ବିଶ୍ୱମୂର୍ତ୍ତି ଦେଖିଲଇଁ
ସତ୍ୟ ବୋଲି କି ପ୍ରକାରେ ଏହା ଜାଣିବଇଁ ।
ଯେବଣ ପୁରୁଷ ମୋତେ ଏହା କହୁଥିଲେ
ସେ ପୁରୁଷ ବର୍ତ୍ତମାନ କେଉଁଠାକୁ ଗଲେ ।
ମନେ ମନେ ଏହି କଥା ବିଚାରେ ଶବର
ଆଜ୍ଞା ମୋତେ ଦେଇଗଲେ ଦେବଚକ୍ରଧର ।
ଦେବତାଙ୍କ ସ୍ଥାନ ବୋଲି ଜାଣି ନ ପାରଇ
ଦେଖିଲଇଁ କାକ ଗଲା ଚତୁର୍ଭୁଜ ହୋଇ ।
ପୁଣ ପୁଣ ଏହି କଥା ବିଚାରେ ମନରେ
ବାଙ୍କୀମୁହାଁଣ ପାଖକୁ ଯିବି ମୁହିଁ ଥରେ ।
ଏତେ ବିଚାରି ଶବର ବାହାର ହୋଇଲା
ବାଙ୍କୀମୁହାଁଣ ପାଖରେ ତ୍ୱରତ ମିଳିଲା ।
ଦେଖିଲା ବିଷ୍ଣୁ ପ୍ରତିମା ଗୋଟିଏ ଭାସୁଛି
ଶଙ୍ଖଚକ୍ର ଗଦାପଦ୍ମ ଦେହରେ ବହିଛି ।
କୋଟିଏ ଚନ୍ଦ୍ର କି ସେହିଠାରେ ଅଛି ଉଇଁ
ଏସନକ ରୂପ ଗୋଟି ତହିଁ ଅଛି ରହି ।
ନାସିକା ଶ୍ରବଣ ଚକ୍ଷୁ କିଛି ଦିଶୁନାହିଁ
ଦେଖିଣ କିରାତ ମନେ ବିଚାର କରଇ ।
କେମନ୍ତ ପ୍ରକାରେ କନ୍ଦମୂଳ ଏ ଭକ୍ଷିବ
ଏହି କଥା ଗୋଟି ମୋତେ ଅଟେ ଅସମ୍ଭବ ।
ଶବରର ମନକଥା ଜାଣି ନାରାୟଣ
ଶୂନ୍ୟରେ ଥାଇଣ ପ୍ରଭୁ କହନ୍ତି ବଚନ ।
ପାଦ ପାଣି ନାହିଁ ବୋଲି ଭାବିଲୁ ଶବର
ତୋହର ହସ୍ତ ଲାଗନ୍ତେ ହୋଇବ ବାହାର ।
କିଛି ନ ବିଚାରି ତୁହି ମୋତେ ଘେନିଚଳ
କେମନ୍ତେ ପୂଜିବୁ ବୋଲି ବିଚାରୁ ମନର ।
ମନ୍ତ୍ର କିଛି ଜାଣୁ ନାହିଁ କରୁଅଛୁ ଭୟେ
ତହିଁର ବିଚାର ଆମ୍ଭେ କହିବା ଥୋକାଏ ।
ଶିଆଳୀ ପତ୍ରରେ ଦନା ଗୋଟିଏ କରିବୁ
ଏହିରୂପେ ଦନା ତିନିଗୋଟି ସଜାଡ଼ିବୁ ।
ସେ କନ୍ଦମୂଳ ରୋହିଣୀ କୁଣ୍ଡରେ ଧୋଇବୁ
ଦନାରେ ପୂରାଇ ଆମ୍ଭ ଛାମୁରେ ଥୋଇବୁ ।
ହସ୍ତରେ ଧରି କରିବୁ ଆମ୍ଭେ ତାକୁ ଗ୍ରାସ
ତାଳି ମାରିଶ ବୋଲିବୁ ଭୁଞ୍ଜ ପୀତବାସ ।
ଚନ୍ଦନ ବୃଷରୁ ଖଣ୍ଡେ ଭାଙ୍ଗିଣ ଆଣିବୁ
ମର୍କତ ଶିଳା ଉପରେ ତାହାକୁ ଘଷିବୁ ।
ସେ ଚନ୍ଦନ ଆମ୍ଭ ଅଙ୍ଗେ ବୋଳିବୁ ତୁ ନେଇ
ତୁଳସୀ ଆବର ଫୁଲ ଶିରେ ଦେବୁ ଥୋଇ ।
ବୃଷରୁ ବକଳ ଆଣି ପିନ୍ଧାଇଣ ଦେବୁ
ଏହି ପ୍ରକାରେ ଆମ୍ଭଙ୍କୁ ପୂଜା ତୁ କରିବୁ ।
ରୋହିଣୀ କୁଣ୍ଡ ମଧ୍ୟରୁ ଆଣିଥିବୁ ଜଳ
ସେ ଜଳେ ଆମ୍ଭର ଅଙ୍ଗ କରିବୁ ନିର୍ମଳ ।
ଆବର କଥା ଗୋଟିଏ କରିବୁ ଶବର
କନ୍ଦମୂଳେ ପକାଇବୁ ତୁଳସୀ ପତର ।
ଏତେକରେ ସନ୍ତୋଷ ଯେ ହେବ ଆମ୍ଭ ଦେହି
କିଛି ନ ଭାଳି ଆମ୍ଭଙ୍କୁ ନିଅ ଏଥୁ ବହି ।
ବିଚାରୁଛୁ ଶ୍ରୀଅଙ୍ଗ ମୁଁ କେହ୍ନେ ଛୁଇଁବଇଁ
ତୁ ଛୁଇଁଲେ ପୁଲକିତ ହେବ ଆମ୍ଭ ଦେହୀ ।
ତୁ ଆମ୍ଭ ସେବକ ସିନା ଅଟୁରେ କିରାତ
ତୋହର ଛୁଅନ୍ତେ ଅଙ୍ଗ ହେବ ପୁଲକିତ ।
ଶୂନ୍ୟରେ ଏହି ଶବଦ ଶୁଭିଲାକ ଯହୁଁ
ମନ ମଧ୍ୟରେ ଉସତ ହୋଇଲାକ ତହୁଁ ।
ଜଳର ଭିତରେ ଯେଉଁ ପ୍ରଭୁ ଭାସୁଥିଲେ
ତତକ୍ଷଣେ ଆସିଣ ସେ କୂଳରେ ଲାଗିଲେ ।
ଧାଇଁଯାଇଣ ଶବର ଧରେ କୋଳକରି
ବେନି ହସ୍ତେ ଧରି ବକ୍ଷେ ଲଦି ଧୀର କରି ।
ଯେତେବେଳେ ସେ ଶବର ପ୍ରଭୁଙ୍କୁ ଛୁଇଁଲା
ପାଦ ପାଣି ତାହାଙ୍କର ସମସ୍ତ ଦିଶିଲା ।
ନାସିକା ଶ୍ରବଣ ଚକ୍ଷୁ ସକଳ ଦିଶଇ
ଚତୁର୍ଭୁଜ ମୂର୍ତ୍ତି ଦେଖାଇଲେ ଭାବଗ୍ରାହୀ ।
ଘେନିଣ ନୀଳସୁନ୍ଦର ପର୍ବତକୁ ଗଲା
ବଟମୂଳେ ଦିବ୍ୟସ୍ଥାନ ଗୋଟିଏ ରଚିଲା ।
ଜଗଦବନ୍ଦ୍ୟ ପ୍ରଭୁଙ୍କୁ ତହିଁରେ ବସାଇ
ଜଳ ନିମନ୍ତେ ରୋହିଣୀ କୁଣ୍ଡକୁ ଚଳଇ ।
ଜଳ ଆଣି ପ୍ରଭୁଙ୍କୁ ସେ ସ୍ନାନ କରାଇଲା
ଗଛରୁ ବକଳ ଆଣି ତାଙ୍କୁ ପିନ୍ଧାଇଲା ।
ଚନ୍ଦନ ଗଛରୁ କାଠ ଖଣ୍ଡିଏ ଭାଙ୍ଗଇ
ମର୍କତ ଶିଳା ଉପରେ ତାହାକୁ ଘଷଇ ।
ପ୍ରଭୁଙ୍କର ଶ୍ରୀଅଙ୍ଗରେ ବୋଳିଲାକ ନେଇ
ତୁଳସୀପତ୍ରଗୁଡ଼ିଏ ତୋଳିଣ ଆଣଇ ।
ପ୍ରଭୁଙ୍କର ମଥାପରେ ଏକ ନେଇ ଦେଲା
ଯତ୍ନକରି ତିନିଗୋଟି ଦନା ନିର୍ମାଣିଲା ।
କନ୍ଦମୂଳଗୁଡ଼ିଏ ସେ ଖୋଜିଣ ଆଣଇ
ରୋହିଣୀ କୁଣ୍ଡରେ ତାକୁ ଯତନେ ଧୁଅଇ ।
ତୁଳସୀର ପତ୍ର ସେହି ଦନାରେ ପକାଇ
ବୋଲଇ ମନ୍ତ୍ର ମୁହିଁ ତ କିଛି ନ ଜାଣଇ ।
ସନ୍ତୋଷ ହୋଇଣ ଏହା ଭୁଞ୍ଜ କମଳାକ୍ଷ
ମୋହର ଦୋଷ କ୍ଷମିବ ନୋହିଣ ବିମୁଖ ।
ତହୁଁ ସନ୍ତୋଷ ଲଭିଣ ଦେବ ନାରାୟଣ
ଆନନ୍ଦ ମନରେ ତାହା କରନ୍ତି ଭୋଜନ ।
ଦେଖିଣ ଶବର ମନେ ଆନନ୍ଦ ଲଭିଲା
ନିସ୍ତରିଲି ବୋଲିଣ ସେ ପାଦରେ ଶୋଇଲା ।
ରବି ଅସ୍ତ ହେଲା ସନ୍ଧ୍ୟା ଆସି ହେଉଅଛି
ବୋଇଲା ଆଜ୍ଞା ହୋଇଲେ ଯିବି ଶିରୀବତ୍ସି ।
ତାକୁ ହସ୍ତ ଠାରିଦେଲେ ଦେବ ଶିରୀହରି
ଆଜ୍ଞା ପାଇଣ ଶବର ଗଲା ନିଜପୁରୀ ।
ଶୁଣିଲଟିକି ହୋ ପରୀକ୍ଷିତ ନୃପବର
ଏସନକ ପରକାରେ ଦେବ ଚକ୍ରଧର ।
ପ୍ରତିଦିନ ସେ ଶବର ଆସିଣ ପୂଜଇ
ଶ୍ରୀଜଗନ୍ନାଥ ଭୁଞ୍ଜନ୍ତି ଆନନ୍ଦିତ ହୋଇ ।
ଏହିପରି କିଛିଦିନ ତହିଁ ବହିଗଲା
ଶବର ପୂଜନ୍ତେ ମନେ ସନ୍ତୋଷ ଜନ୍ମିଲା ।
ଗୋବିନ୍ଦଙ୍କୁ ସେ ଶବର ନିରତେ ପୂଜଇ
କଳିଯୁଗୁଁ ଦଶସସ୍ର ବର୍ଷ ଗଲା ବହି ।
ଶୁଣିକରି ପରୀକ୍ଷିତ କୃତକୃତ୍ୟ ହେଲା
ମୁନିଙ୍କ ଚରଣ ତଳେ ଦଣ୍ଡବତ କଲା ।
ଶୁଣିଲଇଁ ମୁହିଁ ସାତଖଣ୍ଡ ହରିବଂଶ
ପାପ ଅତିପାତକାଦି ହେଲା ମୋର ଧ୍ୱଂସ ।
ତୁମ୍ଭ ପ୍ରସାଦେ କୃତାର୍ଥ ହୋଇଲଇଁ ମୁହିଁ
ଆବର ଭବିଷ୍ୟ କଥା ମୁହିଁ ପୁଛିବଇଁ ।
ମୁନି ବୋଇଲେ ଭବିଷ୍ୟ ପଚାରିଲୁ ମୋତେ
ଯାହା ଦୃଶ୍ୟ ହେଲା କିଛି କହିଦେବା ତୋତେ ।
ଏହି ପରକାରେ କିଛି ଦିନ ଗଲା ବହି
ପ୍ରତ୍ୟହ ଶବର ନୀଳଗିରିକି ଆସଇ ।
କନ୍ଦମୂଳ ଭୋଗ ଦେଇ ବିଷ୍ଣୁ ପୂଜାକରେ
ଭୁଞ୍ଜନ୍ତି ଶ୍ରୀଜଗନ୍ନାଥ ଆନନ୍ଦ ମନରେ ।
ଦିନକରେ ତାର ଭାର୍ଯ୍ୟା ପଚାରଇ ତୋଷେ
ତୋ ଦେହେ ନିତ୍ୟ ଚନ୍ଦନ ଗନ୍ଧ କିପାଁ ବାସେ ।
ତହୁଁ ଶବର ବୋଇଲା ଶୁଣ ପ୍ରାଣସହି
ନୀଳଗିରି ବନେ ଜଗନ୍ନାଥଙ୍କୁ ପୂଜଇ ।
ଏହି କଥା ଗୋଟି ସଖି ନ ଜାଣନ୍ତି ଆନ
ତୋହର ଆଗେ କହିଲି ଗୁପତ ବଚନ ।
ସ୍ତିରୀ ବୋଇଲା ମୋତେ ତା ଦେଖାଇବ ନେଇ
ଶବରୀକି ଘେନିଣ ସେ ନୀଳଗିରି ଯାଇ ।
ପ୍ରବେଶିଣ ନିତ୍ୟ କର୍ମ ସମସ୍ତ ସାରିଲା
ରୋହିଣୀ କୁଣ୍ଡକୁ ଯାଇ ଜଳ ସେ ଆଣିଲା ।
ଜଳ ନେଇ ପ୍ରଭୁଙ୍କର ଶିରରେ ଢାଳଇ
ଖଣ୍ଡେ ନୂତନ ବକଳ ତାହାଙ୍କୁ ପିନ୍ଧାଇ ।
ଅଗୁରୁ ଚନ୍ଦନ ଘଷି ଲେପେ ଶ୍ରୀଅଙ୍ଗରେ
ତୁଳସୀର ପତ୍ର ଆଣି ଦିଏ ମସ୍ତକରେ ।
ତିନିଗୋଟି ଦନାରେ ସେ ଦିଅଇ ଭୋଜନ
ଆପଣେ ତାହା ଭୁଞ୍ଜନ୍ତି ପ୍ରଭୁ ନାରାୟଣ ।
ଖଣ୍ଡେଦୂର ଥାଇ ତାହା ଶବରୀ ଦେଖିଲା
ତାର କୋଟି ଜନ୍ମ ପାପ ଦହନ ହୋଇଲା ।
ଏଥୁ ଅନନ୍ତରେ ରାୟେ ଶୁଣ ଦିବ୍ୟ ରସ
ଶବର ଶବରୀ ଦୁହେଁ ଗେ ନିଜ ବାସ ।
ରଜନୀ ପ୍ରଭାତେ ପୁଣି ଅଇଲା ଶବର
ନିତ୍ୟକର୍ମ ବେଭାରେ ସେ ପୂଜେ ଦାମୋଦର ।
ତିନି ଦନା କନ୍ଦମୂଳ ଛାମୁରେ ଥୋଇଲା
ଏକାନ୍ତ ଭକ୍ତିରେ ତାହା ସମର୍ପଣ କଲା ।
ପ୍ରତିଦିନ ଶ୍ରୀହସ୍ତରେ ନେଉଥାନ୍ତି ହରି
ସେ ଦିନ ନ ଦେଲେ ତାହା ରହିଲା ସେପରି ।
ଏହା ଦେଖି ଦୁଃଖମନେ ବୋଲଇ କିରାତ
ପ୍ରତ୍ୟହ ଶ୍ରୀହସ୍ତ ପାତି ଭୁଞ୍ଜନ୍ତି ଅଚ୍ୟୁତ ।
ମୁଁ ତ ଜାଣିବାରେ କରିନାହିଁ ଅପରାଧ
ଆଜ କିପାଁ ନ ଭୁଞ୍ଜିଲେ ପ୍ରଭୁ କରି କ୍ରୋଧ ।
ଶବର ବିନୟ ଭାବ ଜାଣି ନାରାୟଣ
ଶୂନ୍ୟରେ ଥାଇଣ ପ୍ରଭୁ କହନ୍ତି ବଚନ ।
ଭୋଗରେ ଇଛା ଆମ୍ଭର ହେଲା ଏତେକାଳ
ଏଥିପାଇଁ ଚିନ୍ତା ତୁହି ନ କର ଶବର ।
ଶୂନ୍ୟବାଣୀ ଶୁଣି ଶାନ୍ତ ଶବର ହୋଇଲା
ଗୋବିନ୍ଦଙ୍କର ଚରଣେ ଚିତ୍ତ ଲଗାଇଲା ।
ସେ ରାତ୍ରେ ଇନ୍ଦ୍ରଦ୍ୟୁମ୍ନକୁ ପ୍ରଭୁ ଆଜ୍ଞା ଦେଲେ
ନୀଳଗିରିରେ ଦେଉଳ ତୋଳାଅ ତୁ ଭଲେ ।
ଆଜ୍ଞା ପାଇ ନରପତି ବହନ ଉଠିଲା
ଥାଟ ସୈନ୍ୟ ସଜ କରି ବେଗେ ବାହାରିଲା ।
ନୀଳଗିରି ପାଞ୍ଚକ୍ରୋଶ ପ୍ରଦକ୍ଷିଣ କଲା
ବୁଲି ବୁଲିଣ ଅପୋଡ଼ା ଭୂମି ଠିକ କଲା ।
ଅପୋଡ଼ା ଭୂମି ନୃପତି ତହିଁ ଠାବ କରି
ପ୍ରାସାଦ ଗୋଟିଏ ତୋଳାଇଲେ ଦଣ୍ଡଧାରୀ ।
ସେହି କ୍ଷେତ୍ର ଅଟଇ ଯେ ଶଙ୍ଖର ଆକାର
ହୀରା ନୀଳାରେ ଦେଉଳ ତୋଳାଇ ଅପାର ।
ଅଟ୍ଟାଳିକା ଦେଉଳ ସେ ନିର୍ଭା କରାଇଲା
ଦେବତା ନାହାନ୍ତି ବୋଲି ମନରେ ଭାଳିଲା ।
ଯେରୂପ ଶବର ବଟମୂଳେ ପୂଜୁଥିଲା
ସେହି ପ୍ରତିମା ଗୋଟିକ ଗୁପତ ହୋଇଲା ।
ଆପେ ଚନ୍ଦନ କାଷ୍ଠରେ ଦାରୁବ୍ରହ୍ମ ହେଲେ
ବାଙ୍କୀ ମୁହାଁଣ ସଳଖେ ଯାଇଣ ଲାଗିଲେ ।
ନୃପତିଙ୍କି ସ୍ୱପନରେ କହିଲେ ଶ୍ରୀଧର
ମୋତେ ଏ ସ୍ଥାନକୁ ନେଇ ଦେଉଳରେ ଭର ।
ସେ ଦାରୁକୁ ରତ୍ନସିଂହାସନେ ସେ ଥୋଇଲେ
ଆପଣା ଇଛାରେ ପ୍ରଭୁ ନିର୍ମିତ ହୋଇଲେ ।
ଚତୁର୍ଦ୍ଧା ମୂରତି ତହିଁ ହେଲେ ଭଗବାନ
ବଳଭଦ୍ର ଜଗନ୍ନାଥ ଭଦ୍ରା ସୁଦର୍ଶନ ।
କପାଟ ଫିଟାଇ ରାଜା ନୟନେ ଦେଖିଲା
କୋଟି କୋଟି ଜନମର ପାତକ ଧ୍ୱଂସିଲା ।
ଛତିଶି ନିୟୋଗ କରି ଭୋଗ ସେ ଖଞ୍ଜାଇ
ତିନି ଧୂପ ପାଞ୍ଚ ଅବକାଶକୁ କରାଇ ।
ସେ କ୍ଷେତ୍ରର ଜଗୁଆଳି ହେଲେ ଛଅ ଜଣ
ମାର୍କଣ୍ଡେଶ୍ୱର ରହିଲେ ଉତ୍ତର ପାଶେଣ ।
ଯମେଶ୍ୱର ରହି ଶଙ୍ଖ ଦକ୍ଷିଣ ଦିଗରେ
ଲାଉକେଶ୍ୱର ରହିଲେ ଶଙ୍ଖର ମୁଣ୍ଡରେ ।
ବାଲୁକେଶ୍ୱର ରହିଲେ ଶଙ୍ଖର ନାଭିରେ
କପାଳମୋଚନ ରହି ଶଙ୍ଖର ପେଟରେ ।
ନୀଳକଣ୍ଠେଶ୍ୱର ରହି ସଙ୍ଖର ମଧ୍ୟରେ
ଶଙ୍ଖର ଛଅ ସ୍ଥାନରେ ଛ ଲିଙ୍ଗ ରହିଲେ ।
ଏମନ୍ତେଣ ପ୍ରଭୁଙ୍କର ନିଜସ୍ଥାନେ ଖଟି
ସେବକ ରହିଲେ ଦେବ ତିନିତ୍ରିଂଶ କୋଟି ।
ନୀଳାଚଳେ ଜଗନ୍ନାଥ ଏମନ୍ତେ ରହିଲେ
ଭୋ ପରୀକ୍ଷ ଭବିଷ୍ୟ ତୁ ଶୁଣିଲୁ କି ଭଲେ ।
ଆଗତ ଭବିଷ୍ୟ କଥା କହି ମହାମୁନି
ଅନ୍ତର୍ଦ୍ଧାନ ହେଲେ କୃଷ୍ଣ ନାମ ଗୁଣି ଗୁଣି ।
ବନ୍ଦଇ ଶ୍ରୀ ଜଗନ୍ନାଥ କମଳାର ସାଇଁ
ଆରତ ଜନଙ୍କ ଦୁଃଖ ଫେଡ଼ ଭାବଗ୍ରାହୀ ।
ରତ୍ନ ସିଂହାସନ ପରେ ବିଜେ ଚକ୍ରଧର
ଶଙ୍ଖ ଚକ୍ର ଗଦା ପଦ୍ମ ଧରିଛ ହସ୍ତର ।
ଭୃତ୍ୟ ଜନଙ୍କର ଦୁଃଖ ଦେଖି ଜଗନ୍ନାଥ
ତାଙ୍କ ଦୁଃଖରେ ଦୁଃଖିତ ହେଉ ତୁ ନିୟତ ।
ଯେଣୁ ଦୀନ ଜନଙ୍କର ଦୁଃଖ ଖଣ୍ଡୁ ତୁହି
ଦୀନବନ୍ଧୁ ନାମ ଗୋଟି ତୋହର ଅଟଇ ।
ମୁହିଁ ଅତି ଦୀନହୀନ ଅଟେ ଅରକ୍ଷିତ
ଜଗନ୍ନାଥ ବିନୁ ନୋହେ କାହାରି ଆଶ୍ରିତ ।
ଅଧମ ଦେଖିଣ ମୋତେ ତୁମ୍ଭେ ଦୟା କଲ
ମୁକତି ପାଇବା ପଥ ଆଣି ଦେଖାଇଲ ।
ରଣପୁର ମଧ୍ୟ ଗ୍ରାମେ ବାସ କରିଥାଇ
ପଦ୍ମ ନରେନ୍ଦ୍ର ପୋଷନ୍ତି ଅନ୍ନ ବସ୍ତ୍ର ଦେଇ ।
ଶୂଦ୍ର ମଧ୍ୟରେ ଗଣନା ମୁହିଁ ତ ଅଟଇ
ଦୀକ୍ଷା ଗୋଟି ପାଇଅଛି ଗୋପ କୁଳେ ଥାଇ ।
ସବୁ ଗୋପାଳ ମାନଙ୍କୁ ନାମ ଦୀକ୍ଷା ଦିଏ
ଶ୍ରୀକୃଷ୍ଣ ପାଦ ପଦ୍ମରେ ଚିତ୍ତ ମୋର ଥାଏ ।
ତେଣୁ ଗୋପାଳ କୁଳରେ ବୋଲାଇ ମହନ୍ତ
ଦୟା କରିଛନ୍ତି ଯହୁଁ କମଳାର କାନ୍ତ ।
ଗୋପୀନାଥ ଚରଣକୁ ସଦା ମୋର ଆଶ
ଅଚ୍ୟୁତ ଦାସ କବିକୁ ରଖ ପୀତବାସ ।
ସପ୍ତଖଣ୍ଡ ଏହିଠାରେ ହୋଇଲା ସମ୍ପୂର୍ଣ୍ଣ
ଦୋଷ ମୋର ନ ଧରିବ ଆହେ ସୁଜ୍ଞଜନ ।