ଯଦୁବଂଶ ଧ୍ୱଂସ ଓ କୃଷ୍ଣଙ୍କର ଦେହତ୍ୟାଗ — ହରିବଂଶ ସପ୍ତମ ଖଣ୍ଡ — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିଦାନ ଧ୍ୟାନ କଲେ ବ୍ରହ୍ମ କଳୁଷ ଖଣ୍ଡଇ ।
ମିଷ୍ଟାନ୍ନ ଦେଇଣ ବିପ୍ରମାନଙ୍କୁ ତୋଷିବା
ଚାଟୁ କରିଣ ତାହାଙ୍କୁ ବଚନ କହିବା ।
ଆମ୍ଭର ବଚନେ ବିପ୍ରେ ଆନନ୍ଦ ଲଭିଲେ
ବ୍ରାହ୍ମଣର ଅଭିଶାପୁଁ ପାର ହେବା ଭଲେ ।
ପ୍ରଭାସ ତୀର୍ଥର ଜଳେ ସ୍ନାନ କରନ୍ତେଣ
ବ୍ରହ୍ମ ଅଭିଶାପ ଅବା ହୋଇବ ଖଣ୍ଡନ ।
ମାୟାରେ ବଳରାମଙ୍କୁ ଶ୍ରୀକୃଷ୍ଣ ମୋହିଲେ
ଗୋବିନ୍ଦଙ୍କର ମାୟା ସେ ଜାଣି ନ ପାରିଲେ ।
ତାହାଙ୍କର ଦୈବୀ ମାୟା ଲାଗିଲା ସବୁଙ୍କୁ
ବଳରାମ ପ୍ରତେ ଗଲେ କୃଷ୍ଣ ବଚନକୁ ।
ସଙ୍କର୍ଷଣ ପ୍ରବେଶିଲେ ତାଙ୍କ ନିଜପୁର
ରେବତୀଙ୍କ ସଙ୍ଗେ ସେହୁ କରନ୍ତି ବିଚାର ।
ଶ୍ରୀକୃଷ୍ଣ ମିଳିଲେ ଯାଇ ଆପଣା ମନ୍ଦିର
ଅଷ୍ଟ ପାଟବଂଶୀ ଆସି ମିଳିଲେ ଛାମୁର ।
ରୁକ୍ମିଣୀ ସତ୍ୟଭାମାଙ୍କୁ ନିକଟକୁ ରାଇ
ବୋଲନ୍ତି କୋକୁଆ କଥା ଶୁଣ ପ୍ରାଣସହି ।
ନଗର ଭିତରେ ପଶି ମନୁଷ୍ୟ ଭକ୍ଷଇ
ନଗର ଯାକରେ ହାଳହୁଳି ପଡ଼ିଛଇ ।
କାଲି ପ୍ରଭାତ ସମୟେ ପୁତ୍ର ନାତି ଘେନି
କୋଜିଣ ତାକୁ ମାରିବି ଶୁଣ ଗୋ ମିତଣି ।
ସତ୍ୟଭାମା ରୁକ୍ମିଣୀ ଯେ କୃଷ୍ଣଙ୍କୁ ପୁଛନ୍ତି
କୋକୁଆ ବୋଲିଣ ସେହୁ ଅଟେ କେଉଁ ଜାତି ।
ଗୋବିନ୍ଦ ବୋଇଲେ ତାର ଷଡ଼ଗୋଟି ପକ୍ଷି
ଛଅ ଗୋଟି ଗୋଡ଼ ତାର ନଅ ଗୋଟି ଆକ୍ଷି ।
ନଖ ମୁଖ ନାରାଚର ପରାୟେ ଦିଶଇ
ଦନ୍ତ ମୁଖ କୁନ୍ତମୁନ ପରୟେ ଲଗାଇ ।
ଜନ ମନୁଷ୍ୟ ସକଳ ପଡ଼ିଲେ ଛାମୁରେ
ନିର୍ଭୟରେ ଭକ୍ଷଇ ସେ ନ ଡରି କାହାରେ ।
ଦ୍ୱାରକାପୁରର ଲୋକେ ରହିଲେ ଗୁପତେ
ଜନ ମନୁଷ୍ୟ କୋକୁଆ ଭକ୍ଷେ ଅପ୍ରମିତେ ।
ତାହାର ଭୟରେ କେହି ନ ଚାଲନ୍ତି ବାଟ
ସହସ୍ରେ ପୁର ଦ୍ୱାରକା ହୋଇଲା ଉଚ୍ଚାଟ ।
ବିକଳରେ ପ୍ରଜାମାନେ ଗୁହାରି କରିଲେ
ମାରି ନ ପାରିଣ ରାଜା ବାହୁଡ଼ି ଅଇଲେ ।
କାଲି ପ୍ରଭାତରେ ବଳରାମଙ୍କୁ ଘେନିଣ
ପୁତ୍ର ନାତି ମିଳି ଆମ୍ଭେ ମାରିବୁ ବହନ ।
ସେମାନେ ଶୁଣି ମନରେ ହରଷ ହୋଇଲେ
ଗୋବିନ୍ଦ ଭୟରେ କେହି କଥା ନ କହିଲେ ।
ବୋଇଲେ ଦଇବ ଯାହା କରିଛି ଘଟନ
ଅନ୍ୟଥା କରିବ କିଏ ତାହାର ଲିଖନ ।
ଏଥୁ ଅନନ୍ତେଣ ପୁଣ ଦେବ ନାରାୟଣ
ପ୍ରଦ୍ୟୁମ୍ନ ଶାମ୍ବକୁ ପାଶେ ହକାରି ବହନ ।
ତ୍ୱରିତେ ମିଳିଲେ ଆସି ସମସ୍ତ କୁମର
ନମସ୍କାର କଲେ ବେଗେ ପିତାଙ୍କ ପୟର ।
କରପତ୍ର ଯୋଡ଼ି ଅଗ୍ରତରେ ଉଭା ହେଲେ
କି ନିମନ୍ତେ ହକାରିଲେ ବୋଲିଣ ବୋଇଲେ ।
ଶ୍ରୀକୃଷ୍ଣ ବୋଇଲେ ଶୁଣ ସକଳ କୁମରେ
ଅସ୍ତ୍ର ଘେନିଣ ମିଳିବ ସର୍ବେ ସିଂହଦ୍ୱାରେ ।
କୋକୁଆ ଜନ୍ତୁ ପଶିଣ ଦୁଷ୍ଟପଣ କଲା
ନଗରେ ପ୍ରବେଶ ହୋଇ ମନୁଷ୍ୟ ଖାଇଲା ।
ସମସ୍ତେ ବେଢ଼ି ତାହାକୁ କରିବା ବିନାଶ
ତେଣୁକରି ପୃଥ୍ୱୀଦେବୀ ଲଭିବେ ଉଶ୍ୱାସ ।
ଯାହାଙ୍କର ମାୟାବଳେ ଭୁଲିଲେ ଈଶ୍ୱର
ବ୍ରହ୍ମାଙ୍କୁ ଯା ମାୟାଗୋଟି ଅଟେ ଅଗୋଚର ।
ସେ ମାୟା କୁମରମାନେ ଜାଣିବେ କେମନ୍ତେ
ତାହାଙ୍କୁ ମାୟାରେ ଭୁଲାଇଲେ ଜଗନ୍ନାଥେ ।
କୁମରମାନେ ବୋଇଲେ ଆଜ୍ଞା ପରମାଣେ
ଶସ୍ତ୍ରମାନ ଘେନି ଆମ୍ଭେ ମିଳିବୁ ବହନେ ।
ପ୍ରତିଜ୍ଞା କଲେ ସେମାନେ ଶ୍ରୀକୃଷ୍ଣ ଆଗରେ
କୋକୁଆକୁ ମାରିବାଟି ପାଇବା ଯେଠାରେ ।
ସପତ ବ୍ରହ୍ମାଣ୍ଡେ ଯେବେ ପଶିବ ପାପିଷ୍ଠ
ଗୋଡ଼ାଇଣ ତାହାକୁ ହିଁ କରିଦେବୁ ନଷ୍ଟ ।
କୁମରଙ୍କର ପ୍ରତିଜ୍ଞା ଶୁଣି ଭାବଗ୍ରାହୀ
ବହୁତ ଚିନ୍ତା କରନ୍ତି କମଳାର ସାଇଁ ।
ଏହାଙ୍କ ପରାୟେ ପୁତ୍ର ପ୍ରାତେ ଯିବେ ନାଶ
ଏତେକ କୁଟୁମ୍ବ ଅର୍ଜି ହୋଇଲି ନିରାଶ ।
ଷଠୀ ଲେଖିଅଛି ଯାହା ମୋହର କପାଳେ
ପୁଛିଲେ ହିଁ ନ କହିଲେ କିଛି ତେତେବେଳେ ।
ଗାନ୍ଧାରୀ ଦେବୀର ଶାପ ଫିଟିଲାକ ଆସି
ଆବର ସାପ ଦେଇଛି ଦୁର୍ବାସା ମହର୍ଷି ।
କାହାର ହିଁ ବୋଲେ ତାହା ନୋହିବ ଅନ୍ୟଥା
ଏତେ ବୋଲିଣ ଚିନ୍ତିତ ହ୍ୱନ୍ତି ଜଗଜ୍ଜେତା ।
କୁମରଙ୍କୁ ବୋଇଲେ ସେ ଯାଅ ନିଜପୁର
ରାତ୍ର ପ୍ରହରକେ ଥାଉଁ ହୋଇବ ବାହାର ।
ଓଳଗି ମେଲାଣି ମାଗି ସେମାନେ ଚଳିଲେ
ଯେ ଯାହାର ମନ୍ଦିରରେ ଯାଇଁ ପ୍ରବେଶିଲେ ।
ଶ୍ରୀକୃଷ୍ଣଙ୍କର ଅଟନ୍ତି ବହୁତ ନନ୍ଦନ
ଆପଣା ରଥ ସାଜନ୍ତି ହୋଇ ଉଦବିଗ୍ନ ।
ସାରଥିଏ ରଥମାନ ମଣ୍ଡିଣ ଆଣିଲେ
ନାନାବିଧ ଅସ୍ତ୍ରମାନ ତହିଁରେ ଥୋଇଲେ ।
ସୁଦିବ୍ୟ ବେଶ ହୋଇଣ ବସିଲେ ରଥର
ଦେବତାମାନଙ୍କୁ ତାହା ନୁହଇ ଗୋଚର ।
ରାତ୍ର ପ୍ରହରେକ ଥାଉଁ ଆସିଣ ମିଳିଲେ
ସବୁ ନାତିମାନେ ଅଶ୍ୱ ଗଜରେ ଚଢ଼ିଲେ ।
ରାତ୍ର ପ୍ରହରେକ ଥାଉଁ ମିଳି ସିଂହଦ୍ୱାର
ସମୁଦ୍ର ଗର୍ଜନ ପ୍ରାୟେ ଶୁଭଇ ଚହଳ ।
ଆସ ଆସ ଚାଲ ଚାଲ ଶୁଭଇ ଶବଦ
ଆଷାଢ଼ ମାସରେ ଯେହ୍ନେ ଶୁଭେ ମେଘନାଦ ।
ଦାରୁକାକୁ ରାଇ ବୋଇଲେକ ଦାମୋଦର
ତୁରିତେ ସଜ କରିଣ ଆଣ ରହୁବର ।
ଆଜ୍ଞା ପାଇଣ ଦାରୁକ ବେଗେ ଚଳିଗଲା
ଦେବ ଦୁର୍ଲ୍ଲଭ ରଥ ସେ ମଣ୍ଡାଇ ଆଣିଲା ।
ଗୋବିନ୍ଦଙ୍କର ଛାମୁରେ ରଥ କଲା ଆଣି
ରଥ ଦେଖିଣ ପ୍ରଶଂସା କଲେ ଚକ୍ରପାଣି ।
ନାନାବିଧ ଶସ୍ତ୍ରମାନ ଥୋଇଲେ ରଥରେ
ଧନୁଶର ଯେତେ ଥିଲା ରଖିଲେ ତହିଁରେ ।
ଆପଣେ ସୁଦିବ୍ୟ ବେଶ ହୋଇଲେ ମାଧୋଇ
ଶଙ୍ଖ ଚକ୍ର ଗଦାପଦ୍ମ ଚତୁର୍ଭୁଜ ହୋଇ ।
ଶୁଭ ଅନୁକୂଳେ ସେହୁ ହୋଇଲେ ବାହାର
ବେଗେ ଯାଇ ବିଜେକଲେ ରଥର ଉପର ।
ଜଗନ୍ନାଥେ ଗୁଣ୍ଡିଚାକୁ ଯିବା ପ୍ରାୟ ହୋଇ
ତେସନେକ ପରକାରେ ଶୋଭାପାଏ ମହୀ ।
ଶୁଣ ପରୀକ୍ଷିତ ରାଜା ଉତ୍ତରା ନନ୍ଦନ
ସବୁ ଭିଆଇ ଅଛନ୍ତି ପ୍ରଭୁ ଭଗବାନ ।
ତେଣେ ବଳରାମ ସଜ ହୋଇଣ ରହିଲେ
ତାଳଧ୍ୱଜ ରଥ ବେଗେ ସାରଥି ସାଜିଲେ ।
ହଳ ମୂଷଳ ହସ୍ତରେ ଧରି ବଳରାମ
ରଥର ଉପରେ ଉଠି କଲେକ ବିଶ୍ରାମ ।
ଆନନ୍ଦାନନ୍ଦ ରଥର ଉପରେ ଚଢ଼ିଲେ
ନାନାବିଧ ଶସ୍ତ୍ରମାନ ଯତନେ ରଖିଲେ ।
ଯେଝା ଅନୁରୂପ ସଜ ହୋଇଣ ଯାଦବେ
ସିଂହଦ୍ୱାରେ ପରବେଶ ହୋଇଲେ ସରବେ ।
ନବରରୁ ଜଗନ୍ନାଥ ବାହାର ହୋଇଲେ
ଦକ୍ଷିଣ ମୂରତି ହୋଇ ରଥ ଚଳାଇଲେ ।
ମାର ମାର ଧରଧର ସମସ୍ତେ ବୋଲନ୍ତି
କୋକୁଆକୁ ମାର ବୋଲି ଆଣ୍ଟେ ଡାକଦ୍ୟନ୍ତି ।
ଶବଦ ଶୁଣି କୋକୁଆ ହୋଇଲା ବାହାର
ଘୋର ନାଦ କରିଣ ସେ ପଲାଏ ସତ୍ୱର ।
ଦ୍ୱାରକାକୁ ଛାଡ଼ି ପଞ୍ଚବିଂଶ ଯୁଣ ଗଲା
ସର୍ବେ ଦେଖନ୍ତି କୋକୁଆ ଜୀବ ପଳାଇଲା ।
ହରି ବଳରାମ ତାହା ଦେଖି ନୟନରେ
ରଥ ଧୂଆଇଁଣ ଗଲେ ତାହାର ପଛରେ ।
ରାମକୃଷ୍ଣ ଧାଇଁବାର ଦେଖନ୍ତେ ନୟନେ
ସକଳ ଯାଦବମାନେ ଧାମନ୍ତି ବହନେ ।
ଏକା ନିଶ୍ୱାସକେ ପଞ୍ଚବିଂଶ ଯୁଣଗଲେ
ଯମୁନା ନିକଟେ ଯାଇ ତକ୍ଷଣେ ମିଳିଲେ ।
ନଦୀର ଗୋଧିକା ଘାଟ ପଶ୍ଚିମ ପାଖରେ
ମାୟାବୀ କୋକୁଆ ଭେଟ ପାଇଲେ ସେଠାରେ ।
ମାୟା କରିଣ କୋକୁଆ କୃଷ୍ଣ ଦେଖାଇଲେ
ଏହିଟି ବୋଲିଣ ରଥ ବେଗେ ଧୂଆଁଇଲେ ।
କୁନ୍ତମୂନ ମାଇଲେକ ତାକୁ ନାରାୟଣ
ଖସି ପଳାଇଲା ତହୁଁ ନ ବାଜିଲା ମୁନ ।
ବେଗେ କଦମ୍ବମୂଳକୁ ତହୁଁ ଖସିଗଲା
ଖଣ୍ଡେ ଦୂରୁ ବଳରାମ ଦୃଷ୍ଟିରେ ପଡ଼ିଲା ।
ଆପେ ବଲରାମ ପ୍ରଭୁ ରଥରୁ ଓହ୍ଲାଇ
ମୂଷଳେ ତାକୁ ପିଟିଲେ ଅତି ବେଗେ ଯାଇ ।
ସେ ମୂଷଳ ନ ବାଜିଣ କୋକୁଆ ଅଙ୍ଗରେ
ବିଷମ ଆଘାତ ହେଲା କଦମ୍ବ ବୃକ୍ଷରେ ।
ମାୟା କୋକୁଆ ସେଠାରୁ କେଣେ ପଳାଇଲା
ସେ ବୃକ୍ଷର କାଦମ୍ବରୀ ଫୁଟି ବାହାରିଲା ।
ପଥଶ୍ରମେ ବଳରାମ ଶ୍ରାନ୍ତ ହୋଇଥିଲେ
ତୃଷାରେ ସେ କାଦମ୍ବରୀ ମଦ୍ୟପାନ କଲେ ।
ତାହା ଦେଖି ରୁଣ୍ଡହୋଇ ସକଳ କୁମରେ
କାଦମ୍ବରୀ ପାନ କଲେ ଯେ ଯାହା ଇଚ୍ଛାରେ ।
କାଦମ୍ବରୀ ପାନେ ସର୍ବେ ଉନମତ୍ତ ହୋଇ
କିଏ ପର କେ ଆପଣା ନ ଜାଣିଲେ କେହି ।
ମାୟାପଟଳ ଭିଆଣ କରିଛନ୍ତି ହରି
ପୁଣି ସେ କୋକୁଆ ଜୀବ ସେଠାରୁ ବାହାରି ।
ବଳରାମ ଦୃଷ୍ଟିପଥେ ପଳାଇଲା ବେଗେ
ତା ଦେଖି ରାହିଣୀ ସୁତ ଉଠି ଅତି ରାଗେ ।
ଏହିଟି କୋକୁଆ ବୋଲି ଆପଣେ ଧାଇଁଲେ
ପଞ୍ଚଚାଳିଶ ଯୋଜନ ପଥ ବାହିଗଲେ ।
ବିଶ୍ୱରୂପ ଧରିଛନ୍ତି ସ୍ୱାମୀ ହଳଧର
ଧାମନ୍ତେଣ ବସୁମତୀ କମ୍ପେ ଥରହର ।
ଶ୍ରୀ ନୀଳକନ୍ଦର ବନେ ଯାଇଣ ମିଳିଲେ
ସେଠାରେ କଳପବଟ ବୃକ୍ଷକୁ ଦେଖିଲେ ।
ସେ ବଟତଳେ କୋକୁଆ ଜୀବ ଗୋପ୍ୟ ହେଲା
ବଳରାମଙ୍କ ନଜର ତହିଁରେ ପଡ଼ିଲା ।
ମୂଷଳ ଉଞ୍ଚାଇ ପ୍ରଭୁ ଧାମନ୍ତେ କ୍ରୋଧରେ
ଆକାଶ ବଚନ ତାଙ୍କୁ ଶୁଭିଲା ସେଠାରେ ।
ଆସ ଆସ ବଳରାମ ବିଳମ୍ବ ନ କର
ଅନନ୍ତ ଶର୍ଯ୍ୟାରେ ନିଦ୍ରା କର ଯୋଗେଶ୍ୱର ।
ସର୍ପରୂପ ଧରି ପ୍ରଭୁ ଆସ ବେଗ ହୋଇ
ଦେବଙ୍କ ବଚନ ଶୁଣି ରେବତୀର ସାଇଁ ।
ଶ୍ୱେତ ନାଗରୂପ ତହୁଁ ହେଲେ ହଳପାଣି
ମସ୍ତକରେ ଶୋଭାବନ ଦିଶେ ସପ୍ତଫେଣୀ ।
ପାତାଳ ପୁରକୁ ପ୍ରଭୁ ବେଗେ ଗଲେ ଖସି
ବଟପୁରର ଭିତରେ ଶୋଇଲେକ ଆସି ।
ସର୍ପରୂପ ଧରି ଯହୁଁ ବଳରାମ ଗଲେ
ତାହା ଦେଖି ନାରାୟଣ ସନ୍ତୋଷ ହୋଇଲେ ।
କୁମରଙ୍କୁ ସେହି କଥା ନୋହିଲା ଗୋଚର
ସର୍ବେ ଜାଣିଲେ ଭକ୍ଷିଲା କୋକୁଆ ପାମର ।
ମାୟାବୀ କୋକୁଆ ତହୁଁ ହୋଇଲା ବାହାର
ପଶ୍ଚିମକୁ ମୁଖ କରି ଗଲା ଖରତର ।
ଖଣ୍ଡେଦୂରେ ଥାଇଁ ଜାଣିଲେକ ଚକ୍ରପାଣି
ଆପେ ଚକ୍ରଘେନି ଧାଇଁଛନ୍ତି ଯଦୁମଣି ।
ସନ୍ତରା ବନରେ ଯାଇ କୋକୁଆ ପଶଇ
କୁମରଙ୍କୁ ଘେନି ହରି ଗଲେ ତହୁଁ ଧାଇଁ ।
ସେହି ବନରେ ସମସ୍ତେ ଯାଇଁ ପ୍ରବେଶିଲେ
କଦମ୍ବ ମଦରେ ଅନ୍ଧ ସମସ୍ତେ ହୋଇଲେ ।
ସନ୍ତରା ବନେ ଅଭୁତ ଚହଲ ଶୁଭିଲା
ଜଗତଯାକ ସମସ୍ତ ଅନ୍ଧାର ଦିଶିଲା ।
କୁମରମାନେ ଦିଶିଲେ କୋକୁଆ ପ୍ରକାର
ତାହାଙ୍କ ପଛେ ଧାଇଁଲେ ପ୍ରଦ୍ୟୁମ୍ନ କୁମର ।
ତୀକ୍ଷ୍ଣ ଧାର ଖଣ୍ଡା ଏକ ବେଗେ ସେ ଧଇଲା
ଶାମ୍ବ କୁମରର ପୁଅ ବେକରେ ହାଣିଲା ।
ବେନିଖଣ୍ଡ ହୋଇ ପଡ଼ିଗଲା ସେ କୁମର
ପଛେ ପଛେ ତାହାର ଯେ ଧାଏଁ ଗଦବୀର ।
ଖଣ୍ଡାଏକ ଧରିଣ ସେ ଧାଇଁଲା ପ୍ରଦ୍ୟୁମ୍ନ
ତ୍ରିଶିରା ଖଣ୍ଡାଏ ନେଇ ମାରି ବହନ ।
ଅନିରୁଦ୍ଧର ଉପରେ ନେଇ ପ୍ରହାରିଲା
ମୁଣ୍ଡ ଛିଡ଼ିଣ ତାହାର ଭୂମିରେ ପଡ଼ିଲା ।
ତାହାର ପଛରେ ଯେଉଁ ଗଦବୀର ଥିଲା
ଜାମ୍ବବତୀର ସୁତକୁ ଆକର୍ଷି ଧଇଲା ।
ଯେଉଁ ତ୍ରିଶିରା ଖଣ୍ଡାକୁ ଧରିଥିଲା କର
ଗଦର ଉପରେ ସେହୁ କଲାକ ପ୍ରହାର ।
ଗଦର ମୁଣ୍ଡ ଛିଡ଼ିଣି ପଡ଼ିଲା ତଳର
ମୁଣ୍ଡଗୋଟି ତାହାର ଯେ କମ୍ପେ ଥରହର ।
ଆନନ୍ଦ କୁମରକୁ ଯେ ସାନନ୍ଦ ମାଇଲା
ତୀକ୍ଷ୍ଣ ତ୍ରିଶିରାରେ ତାହା ମୁଣ୍ଡ ଛିଡ଼ିଗଲା ।
ଦେଖିଣ ଶ୍ରୀକୃଷ୍ଣଚନ୍ଦ୍ର ବଡ଼ ଦୁଃଖ କଲେ
ପଞ୍ଚଭୂତ ଆତ୍ମାରେ ସେ ବିକଳ ହୋଇଲେ ।
ଦୁଇଯୋଜନ ଅଟଇ ସନ୍ତରା କାନନ
ତିଳେ ଛଡ଼ା ନାହିଁ ଘଞ୍ଚ ଅତି ବିତପନ ।
ପରସ୍ପର ମଧ୍ୟରେ ସେ ହେଲେ ହଣାହଣି
ଆପଣା ପର ସେମାନେ ନ ପାରିଲେ ଜାଣି ।
ଯୋଡ଼ି ଯୋଡ଼ି ହୋଇ କରୁଛନ୍ତି ମହାରଣ
ଆପଣାର ଶସ୍ତ୍ରମାନ ପକାଇ ତଳେଣ ।
ତୀକ୍ଷ୍ଣ ପତ୍ର ଘେନି ପୁଣି ହ୍ୱନ୍ତି ମରାମରି
ବ୍ରହ୍ମ ଅଭିଶାପେ ସେହି ବୃକ୍ଷ ଅବତରି ।
ସନ୍ତରାବନେ ଯାଦବ ହୋଇଲେ ନିଧନ
ଆଗହୁଁ ବିଧାତା ତାହା କରିଛି ଭିଆଣ ।
ରାତ୍ର ଦିନ ନ ମାନିଣ କଲେ ଘୋର ଯୁଦ୍ଧ
ଲକ୍ଷେ ଷାଠିଏସହସ୍ର ହେଲେ ଶିରଚ୍ଛେଦ ।
ସନ୍ତରା ବନରେ ବହିଗଲା ରକ୍ତନଦୀ
ସକଳ ଯାଦବମାନେ ହେଲେ ଶିରଚ୍ଛେଦି ।
ଦେଖି କରିଣ ବିସ୍ମୟ ହେଲେ ଭାବଗ୍ରାହୀ
ପଦ୍ମଲୋଚନରୁ ଅଶ୍ରୁ ଯାଉଅଛି ବହି ।
ବିଶ୍ୱନାଥ ଶିରରୁ କି ଗଙ୍ଗା ବହିଯାଏ
ତେସନ ଅଶ୍ରୁରେ ମହୀ କରଦମ ହୁଏ ।
ଏହି ପରକାରେ ତହିଁ ବହେ ଅଶ୍ରୁଧାର
ଚାରିଆଡ଼କୁ ଚାହିଁଲେ ଦିଶେ ଅନ୍ଧକାର ।
ମଡ଼ାର ଉପରେ ମଡ଼ା ପଡ଼ୁଅଛି ମାଡ଼ି
ଦେଖିକରି ଗୋପୀନାଥ ମୁଣ୍ଡ ହ୍ୱନ୍ତି କୋଡ଼ି ।
ଧାର ଧାର ହୋଇଣ ଯେ ବହଇ ଶୋଣିତ
ବରଷାକାଳରେ ଯେହ୍ନେ ବହେ ନଦୀ ସ୍ରୋତ ।
ଏମନ୍ତ ପ୍ରକାରେ କୃଷ୍ଣ ନିରେଖି ଚାହିଁଲେ
ପୃଥିବୀଭରା ଉଶ୍ୱାସ ହେଲା ବିଚାରିଲେ ।
ବ୍ରହ୍ମ ଅଭିଶାପ ମୋତେ ହୋଇଲା ପ୍ରାପତ
ଗାନ୍ଧାରୀର ବଚନ ତ ନୋହେ ଅନ୍ୟମତ ।
ଯେତେବେଳେ କୁରୁବଳ ଲଭିଲେ ବିନାଶ
କୋପ କରଣ ବୋଇଲା ଶୁଣ ପୀତବାସ ।
ମୋ ଆଗେ ମୋହର ପୁତ୍ର ମରାଇଲୁ ହରି
ତୋ ଆଗେ ତୋ ପୁତ୍ରେ ଯାନ୍ତୁ ଶମନ ନଗରୀ ।
ତାହାର ବଚନ କେଭେ ନୋହିଲା ମେଣ୍ଟନ
ଆବର ବଚନେକ ସେ କହିଥିଲା ପୁଣ ।
ବୋଇଲା ଭୋ ନାରାୟଣ ଏହା ଜାଣିଥିବୁ
ମୋହର ଏ ବଚନକୁ ଦୃଢ଼ ତୁ ମଣିବୁ ।
ମୋହର ମୃତ୍ୟୁ ବେଳକୁ ଏକ କେହି ନାହିଁ
ତୋ ମୃତ୍ୟୁବେଳେ ସଙ୍ଗରେ ନ ଥିବେଟି କେହି ।
ଏମନ୍ତ ବୋଲିଣ ମୋତେ ଦେଇଅଛି ଶାପ
ସେହିକଥା କେତେବେଳେ ନ ହୋଇବ ଲୋପ ।
ମନେ ମନେ ଏସନକ ଭାଳି ହୃଷକେଶୀ
ଏମନ୍ତ ବେଳେ ପଦ୍ମନ ମିଳିଲାକ ଆସି ।
ତାକୁ ଦେଖି ଜଗନ୍ନାଥ କୋପଭର ହେଲେ
ସୁଦର୍ଶନ ଚକ୍ରକୁ ସେ ବେଗେ ଫିଙ୍ଗି ଦେଲେ ।
ପଦ୍ମନର ଗ୍ରୀବାଦେଶେ ପଡ଼େ ଚକ୍ରଧର
ତାହାର ମୁଣ୍ଡ ଛିଡ଼ିଲା ପଡ଼ିଲା ଭୂମିର ।
ପଦ୍ମନର ଶିର ଚ୍ଛେଦି ଚକ୍ର ଚଳିଗଲା
ଶ୍ରୀକୃଷ୍ଣ ହସ୍ତକୁ ଆଉ ଲେଉଟି ନଇଲା ।
କ୍ଷୀରୋକ ମଧ୍ୟେ ବିଷ୍ଣୁଙ୍କ ଶୟନ ମନ୍ଦିରେ
ପ୍ରବେଶ ହୋଇଲା ସେହୁ ଯାଇଁ ଧାତିକାରେ ।
ଚକ୍ରପେଷି ମହାପ୍ରଭୁ ପଦ୍ମନେ ନାଶିଲେ
ବିକଳ ହୋଇଣ କୃଷ୍ଣ ଅନେକ ଭାଳିଲେ ।
ତଦନ୍ତରେ ଖଣ୍ଡେ ଦୂର ବେଗେ ଗଲେ ଚଳି
ଶିଆଳିର ଲତାଏକ ଦେଖି ବନମାଳୀ ।
ଖଟ ଦୋଳୀ ପରାୟେ ସେ ହୋଇଛି ପ୍ରତ୍ୟକ୍ଷ
ଦେଖିକରି ସନ୍ତୋଷ ଯେ ଲଭିଲେ ପଦ୍ମାକ୍ଷ ।
ମହା ଶୋକ ମନ ମଧ୍ୟେ ଜନ୍ମିଲା ତାଙ୍କରି
ପଦ୍ମଲୋଚନକୁ ତାଙ୍କର ବହେ ଅଶ୍ରୁବାରି ।
ପାଦର ଉପରେ ପ୍ରଭୁ ପାଦେକ ଦେଇଣ
ଶିଆଳୀ ଲତା ଉପରେ କଲେକ ଶୟନ ।
ଦକ୍ଷିଣା ପବନ ତହିଁ ବହେ ଧୀର ଧୀର
ପୂର୍ବେ ମୁଣ୍ଡକରି ଶୋଇଲେକ ଦାମୋଦର ।
ସମୟରେ ମହାନିଦ୍ରା ତହିଁ ପ୍ରବେଶିଲା
ଆଳସ୍ୟ ଜନ୍ମନ୍ତେ ତନ୍ଦ୍ରା ନୟନେ ଘାରିଲା ।
କ୍ଷଣକାଳ ଚକ୍ଷୁବୁଜି ତହିଁ ନିଦ୍ରାଗଲେ
ଚିନ୍ତାଭରେ ନୟନ ସେ ଫେଡ଼ିଣ ଚାହିଁଲେ ।
ଏମନ୍ତେଣ ରାତ୍ର ଗଲା ପ୍ରହରେକ ବହି
ଦଇବର ମାୟା କେଭେ ଅନ୍ୟଥା ନୁହଇ ।
ଦେବର ମାୟା ଲାଗିଲା ଜରା ଶବରକୁ
ଭାରିଯାର ନାମ ଧରି ଡାକିଲା ପାଶକୁ ।
ବୋଇଲା ବଚନ ମୋର ଶୁଣ ପ୍ରାଣମିତ
ଫିରିକି କାଠ ନାରାଚ ଦିଅ ମୋର ହାତ ।
ମୃଗୟା ବିନୋଦେ ମୁହିଁ ଏକ୍ଷଣି ଯିବଇଁ
ହରିଣ ମୃଗ ପ୍ରଭୃତି ମାରି ଆଣିବଇଁ ।
ଶବରୂଣୀକି କହଣ ବାହାର ହୋଇଲା
ଫିରିକି କାଠ ଧନୁରେ ଶର ଚଢ଼ାଇଲା ।
ସୁରେଶ୍ୱର ବନଯାକ ବୁଲିଲା ଶବର
କାହିଁ ନ ଦେଖିଲା ସେହୁ ହରିଣ ଶମ୍ବର ।
ରାତ୍ର ପ୍ରହରେକ ଥାଉଁ ବୁଲିଲା ବନସ୍ତ
କାହିଁ ନ ଦେଖିଲା ସେହୁ ଜୀବ ଜନ୍ତୁ ମାତ୍ର ।
ଦଇବୀ ଘଟନା ତୁମ୍ଭେ ଶୁଣ ହେ ରାଜନ
ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମାର ଦିନ ।
ଆୟୁଷ୍ମାନ ଯୋଗ ପୁଣି ରେବତୀ ନକ୍ଷତ୍ର
ମୀନ ଚନ୍ଦ୍ର ଯୋଗେ ଦିନ ଅଟଇ ପବିତ୍ର ।
ଶଉରିର ବାରଗୋଟି ସେ ଦିନ ଅଟଇ
ପୌର୍ଣ୍ଣମାସୀ ଦିବସରେ ଚନ୍ଦ୍ରକ୍ଷୟ ନାହିଁ ।
ସେ ରାତିରେ ପୃଥ୍ୱୀଯାକ ଶୁକଳ ଦିଶଇ
ଦିନର ପରାୟେ ପୃଥ୍ୱୀ ଦେବୀ ଶୋଭାପାଇ ।
ରାତ୍ର ପାହିବାକୁ ଆଉ ଅଛି ଚାରିଦଣ୍ଡ ।
ମୃଗ ନ ପାଇ ଶବର ମନରେ ବିଖଣ୍ଡ ।
ଖୋଜି ଖୋଜି କିଛିଦୂର ତହୁଁ ଚଳିଗଲା
ପ୍ରଭୁଙ୍କ ବାମ ଚରଣ ଅଙ୍ଗୁଷ୍ଠି ଦେଖିଲା ।
ମୃଗର କର୍ଣ୍ଣ ପରାୟେ ମଣିଲା ଶବର
ଶରକୁ ସନ୍ଧାନ କରି ବିନ୍ଧିଲା ସତ୍ୱର ।
ପ୍ରଭୁଙ୍କ ଚରଣେ ଯାଇ ଯେଣୁ ସେ ବାଜିଲା
ତତକ୍ଷଣେ ତାହାଙ୍କର ନିଦ୍ରାଭଙ୍ଗ ହେଲା ।
କାଣ୍ଡ ଯାଇ ବାଜନ୍ତେଣ ଜାଣିଲେ ଶ୍ରୀହରି
ଜରା-କାଣ୍ଡ ବୋଲି ଜାଣିଲେକ ଦଇତ୍ୟାରି ।
ଏହି କାଣ୍ଡରେ ବାଳିକି ମାରିଥିଲି ମୁହିଁ
ଜାଣିଣ ଜରାଶବର ବିନ୍ଧିଲା ମୋତେ ହିଁ ।
ଏସନକ ବିଚାରକୁ କରି ନନ୍ଦନାନ
ଅଚେତନ ହୋଇ ଶୋଇଗଲେ ଭଗବାନ ।
ବାଣ ବାନ୍ଧି ସେ ଶବର ଧାଇଁଣ ଅଇଲା
ଶତଦଳ ପଦ୍ମପ୍ରାୟ ମୁଖ ନିରେଖିଲା ।
ଶଙ୍ଖ ଚକ୍ର ଗଦା ପଦ୍ମ ଚତୁର୍ଭୁଜେ ଶୋହି
ଶିଆଳୀ ଲତା ମଧ୍ୟରେ ଛନ୍ତି ଦେବ ଶୋଇ ।
ଦେଖିଣ ସେହି ଶବର ତାଟକା ହୋଇଲା
ପାଦରେ କାଣ୍ଡ ଲାଗିଛି ନୟନେ ଦେଖିଲା ।
ଭୋ ଧର୍ମ ଦେବତା ବୋଲି ସ୍ମରଇ ହୃଦରେ
ବ୍ୟାଧ ଜାତିରେ ଜନମ ଲଭିଲି ମର୍ତ୍ତ୍ୟରେ ।
ଧିକ ଧିକ ମୋ ଜୀବନ ଅଛଇ ଜୀବିତ
ଜନ୍ତୁଙ୍କର ଶରୀରରେ କରି ଶତଘାତ ।
ସେମାନଙ୍କୁ ମାରିଣ ମୁଁ କରଇ ଭୋଜନ
ପାପିଷ୍ଠପାମର ମୁହିଁ ଅଟେ ଜାତି ହୀନ ।
ଏଡ଼େ ବଡ଼ ପ୍ରଭୁ ଠାରେ ଦ୍ରୋହ ଅର୍ଜିଲଇଁ
ସପତ ବ୍ରହ୍ମାଣ୍ଡ ମଧ୍ୟେ ରଖନ୍ତା କେ ନାହିଁ ।
ଜରାଶବର ବହୁତ ବିକଳ ହୋଇଲା
ଭୟକରି ପ୍ରଭୁଙ୍କର ପାଶକୁ ନ ଗଲା ।
ଖଣ୍ଡେ ଦୂରରେ ଥାଇଣ କରଇ ସେ ସ୍ତୁତି
ଦୟା ତୁମ୍ଭେ କର ମୋତେ କମଳାର ପତି ।
ଜରାଶବରର ମନ ଜାଣି ଭାବଗ୍ରାହୀ
ଆସ ଆସ ଶବର ତୁ ଭୟ କର ନାହିଁ ।
ମୋହର ସନ୍ନିଧିକୁ ତୁ ଆସ ହେ ଶବର
ଭୟ କରିଣ ଶବର ନ ପଶେ ପାଖର ।
ଗୋବିନ୍ଦ ବୋଇଲେ ଜରା ନ କର ତୁ ଭୟ
ପୂର୍ବରୁ ଏହି କଥାର ହୋଇଛି ଉପାୟ ।
ଆଶ୍ୱାସ ବାକ୍ୟେ ଶବର ତହୁଁ ଶାନ୍ତ ହେଲା
କରପତ୍ର ଯୋଡ଼ିଣ ସେ କିରାତ ରହିଲା ।
ଶ୍ରୀକୃଷ୍ଣ ବୋଇଲେ ଶୁଣରେ ଶବରମଣି
ହସ୍ତିନାର ଭୁବନକୁ ଯାଆ ତୁ ଏକ୍ଷଣି ।
ପଞ୍ଚପାଣ୍ଡବେ ଅଛନ୍ତି ହସ୍ତିନା ନଗରେ
ତାହାଙ୍କୁ ଘେନିଣ ତୁହି ମିଳିବୁ ଏଠାରେ ।
କରପତ୍ର ଯୋଡ଼ିଣ ସେ କିରାତ ବୋଲଇ
ସାବଧାନ ହୋଇ ତୁମ୍ଭେ ଶୁଣିମା ଗୋସାଇଁ ।
ଶ୍ରୀପାଦପଦ୍ମରୁ ମୁହିଁ କାଢ଼ିବି ନାରାଜ
ଫୁଙ୍କିଣ ଘାଆ ଶୁଖାଇ ଦେବି ଦେବରାଜ ।
କାଣ୍ଡ ଘାଆ ଶୁଖିବାର ଜାଣଇ ମୌଷଧି
ତୁମ୍ଭେ ଆଜ୍ଞା ଦିଅ ମୋତେ କରୁଣା ବାରିଧି ।
ଶବର ମୁଖରୁ ପ୍ରଭୁ ଏସନକ ଶୁଣି
ବୋଇଲେ ଶ୍ରୀଅଙ୍ଗ ତୁ ନ ଛୁଇଁ ବୀରମଣି ।
ବିଳମ୍ବ ନ କରି ଯାଅ ହସ୍ତିନା ନବର
ପାଣ୍ଡବଙ୍କୁ ଆଣି ଦିଅ ମୋହର ଛାମୁର ।
ଆମ୍ଭର ଶ୍ରୀଅଙ୍ଗ ଗୋଟି ଜଳୁଣ ଅଛଇ
ପାର୍ଥ ଛୁଅନ୍ତେ ଶୀତଳ ହେବ ମୋର ଦେହୀ ।
ଆଜ୍ଞା ପାଇଣ ଶବର ତ୍ୱରିତ ଉଠିଲା
ଶ୍ରୀଗୋବିନ୍ଦଙ୍କ ପୟରେ ଓଳଗି ଶୋଇଲା ।
ଫିରିକ କାଠ ନିର୍ମିତ ଧନୁ ଏକ ଧରି
ଉତ୍ତର ମୁଖ ହୋଇଣ ଚଳେ ମହାବଳୀ ।
ହସ୍ତିନା ନଗରେ ଯାଇ ହୋଇଲା ପ୍ରବେଶ
ଭୃତ୍ୟଜନଙ୍କୁ କହଇ କରିଣ ବିଶ୍ୱାସ ।
ଯୁଧିଷ୍ଠିରଙ୍କ ଛାମୁରେ ଜଣା ବେଗେ ଯାଇ
ଗୋବିନ୍ଦ ପାଖରୁ ଜଣେ ଦୂତ ଆସିଛଇ ।
ଏହା ଶୁଣି ଭୃତ୍ୟମାନେ ଭିତରକୁ ଗଲେ
କୃଷ୍ମ ଦୂତ ଆସିଅଛି ବୋଲିଣ ବୋଇଲେ ।
ଯୁଧିଷ୍ଠିର ଆଜ୍ଞା ଦେଲେ ଭିତରକୁ ଆଣ
କିସ ଆଜ୍ଞା ଦେଇଛନ୍ତି ଦେବ ନାରାୟଣ ।
ଠାକୁରଙ୍କ ଆଜ୍ଞା ତୁମ୍ଭେ ଶୁଣ ହେ ଶବର
ଉତ୍ତର ଜଗତୀଠାକୁ ଚଳ ତତପର ।
ରାଜା ଆଜ୍ଞାରେ ଶବର ତହୁଁ ଗଲା ଚଳି
ଯୁଧିଷ୍ଠିରଙ୍କ ଛାମୁରେ କରେ ନିଉଛାଳି ।
କରପତ୍ର ଯୋଡ଼ିଣ ସେ ବୋଲର ବଚନ
ଆଜ୍ଞା କରିଛନ୍ତି ମହାପ୍ରଭୁ ଭଗବାନ ।
ସୁରେଶ୍ୱର ବନମଧ୍ୟେ ଛନ୍ତି ଜଗନ୍ନାଥ
ଆଜ୍ଞା କରିଛନ୍ତି ଘେନି ଆସ ପ୍ରାଣବନ୍ତ ।
ଚାରି ଭାଇ ନ ଆସିବେ ଯେବେ ତାହାଙ୍କର
କେବଳ ଘେନି ଆସିବୁ ବାସବ କୁମର ।
ଆସ ଆସ ବେଗ ହୋଇ ନ ପାରଇ ସହି
ବିଳମ୍ବରେ କୁପିତ ଯେ ହେବେ ଭାବଗ୍ରାହୀ ।
ଯୁଧିଷ୍ଠିର ନିରେଖିଲେ ଅର୍ଜ୍ଜୁନ ବଦନ
କି ନିମନ୍ତେ ଲୋଡ଼ୁଛନ୍ତି ପ୍ରଭୁ ନାରାୟଣ ।
ଅର୍ଜ୍ଜୁନ ପୁଛନ୍ତି ପୁଣ ହେ କିରାତ ଭାଇ
କେବଣ କଥା ନିମନ୍ତେ ଡକରା ହୁଅଇ ।
ଶବର ବୋଇଲେ ମୁହିଁ ନ ଜାଣଇଁ କିଛି
ଆଜ୍ଞାରେ ତୁମ୍ଭଙ୍କୁ ନେବା ପାଇଁ ଆସିଅଛି ।
ବିସ୍ମୟରେ ବୋଲନ୍ତି ଯେ ଅନ୍ୟ ଚାରିଭାଇ
ଭୀମସେନ କହି ଯୁଧିଷ୍ଠିର ମୁଖ ଚାହିଁ ।
ସହଦେବଙ୍କୁ ପଚାର ତହିଁର ବୃତ୍ତାନ୍ତ
କିମ୍ପାଇ ଲୋଡ଼ୁ ଅଛନ୍ତି ଦେବ ଜଗନ୍ନାଥ ।
ସୁରେଶ୍ୱର ବନମଧ୍ୟେ ଛନ୍ତି ଭାବଗ୍ରାହୀ
ଭଲ ପ୍ରାୟ ମୋତେ ଏହି କଥା ନ ଦିଶଇ ।
ତରକ କରିଣ ଏହୁ କଥାଏ କହିଲା
ଯୁଧିଷ୍ଠିରଙ୍କ ମନକୁ ସେ କଥା ରୁଚିଲା ।
ତହୁଁ ନକୁଳ ବୋଲଇ କହ ସହଦେବ
ଯିବାପାଇଁ ଡାକୁଛନ୍ତି କିମ୍ପା ବାସୁଦେବ ।
ଯୁଧିଷ୍ଠିର ଦେବଙ୍କର ଆଜ୍ଞା ପରମାଣେ
ସହଦେବ ଚାହିଁ କରି ବୋଇଲେ ତକ୍ଷଣେ ।
କର ଚାହିଁ ସହଦେବ ବିସ୍ମୟ ମଣିଲା
ଦୁଇ ଖଣ୍ଡ ପରିଯନ୍ତ କଥା ନ କହିଲା ।
ତହୁଁ ଭୀମସେନ ବୋଲେ କହରେ କୁମାର
କି ନିମନ୍ତେ ଲୋଡ଼ୁଛନ୍ତି ପ୍ରଭୁ ଚକ୍ରଧର ।
ତହୁଁ ସହଦେବ ବୋଲେ ଶୁଣିମା ଗୋସାଇଁ
ବିପରୀତ କଥା ଗୋଟି ଉପୁଜି ଅଛଇ ।
ଶ୍ରୀଜଗନ୍ନାଥ ପ୍ରଭୁଙ୍କୁ ବିପତ୍ତି ପଡ଼ିଲା
ସନ୍ତରା ବନରେ କୃଷ୍ଣ ବଂଶ ନାଶ ଗଲା ।
ଏହି ଶବର କୃଷ୍ଣଙ୍କୁ ବିନ୍ଧିଅଛି ଶର
ଅର୍ଜ୍ଜୁନ ଠାକୁର ଗଲେ ଛାଡ଼ିବେ ଶରୀର ।
କାଣ୍ଡ ଘାଆରେ ପ୍ରଭୁଙ୍କ ଜଳୁଅଛି ଦେହୀ
ଶିଆଳୀ ଲତାରେ ଶୋଇଛନ୍ତି ଭାବଗ୍ରାହୀ ।
ଲକ୍ଷେ ଷାଠିଏ ସହସ୍ର ତାହାଙ୍କ ନନ୍ଦନ
ସନ୍ତରା ବନରେ ସର୍ବେ ଲଭିଲେ ନିଧନ ।
ଅନନ୍ତ ଚଳି ଗଲେଣି ତାଙ୍କ ନିଜଧାମ
ତିନି ଦିବସ ଛାଡ଼ିଲେ ଦ୍ୱାରକା ଆଶ୍ରମ ।
ତାହାଙ୍କଠାରୁ ଅର୍ଜ୍ଜୁନ ଯିବେ ଯେତେବେଳେ
ଠାକୁରେ ବୋଲିବେ ପାର୍ଥ ଧରମୋତେକୋଳେ ।
ତୋଦେହ ଲାଗୁଁ ଶୀତଳ ହେବ ମୋ ଶରୀର
ପାର୍ଥ ଅଙ୍ଗ ଲାଗୁଁ କୃଷ୍ଣ ଯିବେ ନିଜପୁର ।
ଅର୍ଜ୍ଜୁନ ଠାକୁର ଦେହେ ବିଷ୍ଣୁ କଳା ଅଛି
ତାହା ନ ହେଲେ କେମନ୍ତେ ଯିବେଟି ଶ୍ରୀବତ୍ସି ।
ଅର୍ଜ୍ଜୁନ ଠାକୁର ତହିଁ ଯାନ୍ତୁ ଏହିକ୍ଷଣି
କେତେବେଳେ ନ ଛୁଇଁବେ ତାଙ୍କ ଦେହ ପୁଣି ।
ଗୁପ୍ତ କଥା କହନ୍ତେଣ ମାଦ୍ରୀର ନନ୍ଦନ
ଯୁଧିଷ୍ଠିର ମହାରାଜା ହରାଇଲେ ଜ୍ଞାନ ।
କି ବୁଦ୍ଧି କରିବା ବୋଲି କରନ୍ତି ବିଚାର
ଶବର ବୋଲଇ ଉଠ ବିଳମ୍ବ ନ କର ।
ଶବର ବଚନେ ବୋଲୁଛନ୍ତି ପାଞ୍ଚଭାଇ
ଆମ୍ଭ ଯିବାଯାଏ ଥିବେଟିକି ଭାବଗ୍ରାହୀ ।
ଶବର ବୋଲଇ ଦେବ ନ କର ହୋ ଚିନ୍ତା
ବେଗେ ଆସ ଦେଖିବଟି ଯେବେ ଜଗଜ୍ଜିତା ।
ଯୁଧିଷ୍ଠିର ପୁଛନ୍ତି ହୋ ଶୁଣ ସହଦେବ
କିମ୍ପାଇଁ ଶବର ଶର ବିନ୍ଧେ ବାସୁଦେବ ।
ଏଥିର ଚରିତ ମୋତେ କହ ହୋ ବୁଝାଇ
ସନ୍ଦେହର କଥା ମୁଁ ତୋ ମୁଖୁଁ ଶୁଣିବଇଁ ।
ଏହା ଶୁଣି ସହଦେବ କରକୁ ଚାହିଁଲା
ତ୍ରେତୟା ଯୁଗର କଥା ମାନ ବଖାଣିଲା ।
ସାବଧାନ ହୋଇ ତୁମ୍ଭେ ଶୁଣିମା ଗୋସାଇଁ
ଦଶରଥ ଗୃହେ ଜନ୍ମିଥିଲେ ଭାବଗ୍ରାହୀ ।
ରାବଣର ଭୟେ ଦେବେ ରହି ନ ପାରିଲେ
ବିଷ୍ଣୁ ପାଶେ ଯାଇ ସର୍ବେ ଗୁହାରି କରିଲେ ।
ମର୍ତ୍ତ୍ୟ ପୁରେ ଅବତାର ହେଲେ ନାରାୟଣ
ଦଶରଥ ରାଜାଙ୍କର ହୋଇଲେ ନନ୍ଦନ ।
ବାଳକାଳେ ବିଶ୍ୱାମିତ୍ର ଯାଗ ରକ୍ଷାକଲେ
ତାଡ଼କାସୁରୀକି ଯାଇ ନାରାଚେ ମାଇଲେ ।
ବାୟୁଶରେ ମାରୀଚକୁ ଦେଲେକ ଉଡ଼ାଇ
ଅସୁର ମାରିଣ ଯାଗ ରଖି ରଘୁସାଇଁ ।
ସୁଖେ ଦେବତାଏ ହବିର୍ଭାଗ ପ୍ରାପ୍ତ ହେଲେ
ଋଷିମାନେ ଶ୍ରୀରାମଙ୍କ କଲ୍ୟାଣ ବାଞ୍ଚିଲେ ।
ବିଶ୍ୱାମିତ୍ର ଶସ୍ତ୍ର ଶାସ୍ତ୍ର ବିଦ୍ୟା ଶିଖାଇଲେ
ଶ୍ରୀରାମ ପାଦେ ଅହଲ୍ୟା ମୁକତି ଲଭିଲେ ।
ତଦନ୍ତରେ ମିଥିଳାକୁ ଗଲେ ରାମ ରାଣ
ତହିଁ ଯାଇଁ ଶିବଧନୁ କଲେକ ଭଗନ ।
ସୀତାଙ୍କୁ ବିବାହ ହୋଇ ତହୁଁ ବାହୁଡ଼ିଲେ
ପଥେ ପର୍ଶୁରାମଙ୍କର ଦର୍ପ ଚୂର୍ଣ୍ଣକଲେ ।
ଅଯୋଧ୍ୟା କଟକେ ଆସି ହୋଇଲେ ପ୍ରବେଶ
ସୀତାଙ୍କୁ ଘେନିଣ ଦିନ ବଞ୍ଚି ରଘୁଶିଷ୍ୟ ।
ଏହିରୂପେ କିଛଦିନ ହୁଅନ୍ତେ ଅନ୍ତର
ଶ୍ରୀରାମଙ୍କୁ ରାଜା କର ବୋଲି ନୃପବର ।
କଇକେୟୀ ପାଶେ ରାଜା ସତ୍ୟ କରିଥିଲେ
ସତ୍ୟ ପାଳିବାକୁ ରାମ ବନବାସ ଗଲେ ।
ପିତାଙ୍କର ସତ୍ୟ କେଭେ ଅନ୍ୟଥା ନ କଲେ
ସୀତାଙ୍କୁ ଘେନିଣ ରାମ ବନବାସୀ ହେଲେ ।
ବନେ ଭ୍ରମିଣ ରହିଲେ ଗୋଦାବରୀ କୂଳ
ସୀତାଙ୍କୁ ଚୋରାଇ ନେଲା ବିଶ୍ରବାର ବାଳ ।
ଲଙ୍କାଗଡ଼କୁ ନେଇଣ ଗୋପନେ ରଖିଲା
ଅଶୋକବନରେ ନେଇ ତାହାଙ୍କୁ ଥୋଇଲା ।
ମାୟା ମୃଗ ମାରିବାକୁ ଯାଇଥିଲେ ରାମ
ବାହୁଡ଼ି ଆସିଣ ତହିଁ ଦେଖିଲେ ଶ୍ରୀରାମ ।
ସୀତାଙ୍କୁ ନ ଦେଖି ରାମ ବିକଳ ହୋଇଲେ
ଘୋର ବନସ୍ତରେ ବୁଲି ତାହାଙ୍କୁ ଲୋଡ଼ିଲେ ।
ଜଟାୟୁ ପକ୍ଷୀ କହିଲା ରାମଙ୍କ ପାଶେଣ
ସୀତୟାଙ୍କୁ ଘେନିଗଲା ଲଙ୍କାର ରାବଣ ।
ବାର୍ତ୍ତା ପାଇ ରାମଚନ୍ଦ୍ର ବିସ୍ମୟ ହୋଇଲେ
ହା ସୀତା ହା ସୀତା ବୋଲି ଉଚ୍ଚରେ ରୋଦିଲେ ।
ଏହିପରି କିଛିଦିନ ଗତ ହୋଇବାରେ
ଋଷ୍ୟମୂକ ପର୍ବତରେ ଶ୍ରୀରାମ ମିଳିଲେ ।
ବାଳି ଭୟ ରେ ସୁଗ୍ରୀବ ପର୍ବତରେ ଥିଲା
ବାଳୀର ଏ ଦୂତ ବୋଲି ଭୟେ ପଳାଇଲା ।
ହନୁମନ୍ତ ବୋଇଲା ତୁ କାହିଁକି ପଳାଉ
ଧନୁର୍ଦ୍ଧରଙ୍କୁ ଦେଖିଣ ମନେ ଭୟ ପାଉ ।
ଏତେ କହି ହନୁମନ୍ତ ହୋଇଲା ବାହାର
ଖଣ୍ଡେ ଦୂର ଯାଇକରି ଦେଖେ ରଘୁବୀର ।
ତହୁଁ ବ୍ରାହ୍ମଣ ସ୍ୱରୂପ ଗୋଟି ସେ ଧଇଲା
ଶ୍ରୀରାମଙ୍କର ଛାମୁରେ ଯାଇଣ ମିଳିଲା ।
ନୀରେଖି ଜାଣି ପାରିଲେ ପ୍ରଭୁ ରଘୁରାଣ
ସକଳ କଥା କହିଲା ତାଙ୍କୁ ହନୁମାନ ।
ହନୁମନ୍ତ ସଙ୍ଗେ ରାମ ଲକ୍ଷ୍ମଣ ଚଳିଲେ
ସୁଗ୍ରୀବର ସଙ୍ଗତରେ ମଇତ୍ର ହୋଇଲେ ।
ମଇତ୍ରର ଛଳେ ରାମ କିଷ୍କିନ୍ଧ୍ୟାକୁ ଗଲେ
ସୁଗ୍ରୀବର ଦୁଃଖ ଦେଖି ବାଳିକି କୋପିଲେ ।
ଦୁଇଭାଇ ଡାକିହାକି କରନ୍ତେ ସମର
ବାଳିକି ବିନ୍ଧିଲେ ରାମ ବାଛି ତୀକ୍ଷଣଶର ।
ସେ କାଣ୍ଡରେ ବାଳିବୀର ଢଳିଣ ପଡ଼ିଲା
ଶ୍ରୀରାମଙ୍କୁ ଚାହିଁ ସେହୁ ଏମନ୍ତ କହିଲା ।
ମୁଁ ତୋହର କେତେବେଳେ ନୁହଇ ବଇରୀ
ଅକାରଣେ ମାଇଲୁ ତୁ ମୋତେ ଶସ୍ତ୍ର ଧରି ।
ଏତେ କହି ବାଳି ତହିଁ ହରାଇଲା ପ୍ରାଣ
କିଷ୍କିନ୍ଧ୍ୟାରେ ସୁଗ୍ରୀବକୁ କଲେକ ରାଜନ ।
ସୁଗ୍ରୀ ସତ୍ୟକଲା ଚତୁର୍ମାସ୍ୟା ଶେଷ ହେଲେ
ରାବଣେ ବଧି ସୀତାଙ୍କୁ ଆଣିବି ମୁଁ ବୋଲେ ।
ଏହା ଶୁଣି ରାମଚନ୍ଦ୍ର ତହୁଁ ଚଳିଗଲେ
ମାଲ୍ୟବନ୍ତ ପର୍ବତରେ ଯାଇଣ ମିଳିଲେ ।
ଚତର୍ମାସ୍ୟା ପହିବାରେ ସୁଗ୍ରୀବ ଅଇଲା
ଶ୍ରୀରାମଚନ୍ଦ୍ର ଚରଣେ ଯାଇଣ ଖଟିଲା ।
ସେ ସୁଗ୍ରୀବ ଚତୁର୍ଦ୍ଦିଗେ ଦୁତ ବରଗିଲେ
ଲଙ୍କାପୁରେ ହନୁମନ୍ତ ସୀତା ଠାବକଲେ ।
ରୂକ୍ଷକପି ଘେନି ରାମ ବାନ୍ଧି ସେତୁ ବନ୍ଧ
ଯାଇଣ ରହିଲେ ସୁବଳୟା ଗିରି ମଧ୍ୟ ।
ଇନ୍ଦ୍ରଜିତ କୁମ୍ଭକର୍ଣ୍ଣ ସବୁଙ୍କୁ ମାଇଲେ
ରାମ ପାଦେ ବିଭୀଷଣ ଶରଣ ପଶିଲେ ।
ଆପଣେ ଶ୍ରୀରଘୁନାଥ ମାଇଲେ ରାବଣ
ସୀତାଙ୍କୁ ଘେନିଣ ତହୁଁ ବାହାରିଲେ ପୁଣ ।
ଅଯୋଧ୍ୟାପୁରେ ଆସିଣ ପ୍ରବେଶ ହୋଇଲେ
ସୀତାଙ୍କୁ ଘେନିଣ ରାମ ଅଭିଷେକ ହେଲେ ।
ଅଭିଷେକ ବିଧାନକୁ ସାରି ରଘୁନାଥ
ଆସ୍ଥାନ ଉପରେ ବିଜେ କଲେ ସୀତାକାନ୍ତ ।
ରୂକ୍ଷ କପିମାନେ ତହୁଁ ପଟୁଆରେ ରହି
ଆସ୍ଥାନ ତଳେ ରହିଲେ ସର୍ବେ ଉଭା ହୋଇ ।
ଜଣେ ଜଣେ ଋକ୍ଷ କପିମାନଙ୍କୁ ରାଇଣ
ଶାଢ଼ୀ ପ୍ରସାଦ ତାହାଙ୍କୁ ଦ୍ୟନ୍ତି ରାମରାଣ ।
ଯେ ଯାହାର ମନକଥା ସମସ୍ତ ଜାଣିଲେ
ଏକାନ୍ତ ସ୍ଥାନକୁ ଅଙ୍ଗଦକୁ ହକାରିଲେ ।
ବୋଇଲେ ଅଙ୍ଗଦ ଯାହା ବାଞ୍ଛା କଲ ମନେ
ସେ କଥା କହଇ ଶୁଣ ତୁହି ଏକମନେ ।
ଅକାରଣେ ତୋ ପିତାକୁ ଆମ୍ଭେ ନାଶ କଲୁ
କିଷ୍କିନ୍ଧ୍ୟାରେ ସୁଗ୍ରୀବକୁ ରାଜା କରାଇଲୁଁ ।
ଯଥାର୍ଥ ହିଁ ଆମ୍ଭେ ଅଟୁ ତୋ ପିତା ବଇରୀ
ପୁତ୍ର ହୋଇ ଯେବେ ପିତା କାର୍ଯ୍ୟ ସେ ନ କରି ।
ସେହି ପୁତ୍ର ଗୋଟି ପଶୁ ସଙ୍ଗେ ଗଣ୍ୟହୋଇ
ଜୀବନ ଧରିବା ତାର ବିଅର୍ଥ ଅଟଇ ।
ତୁ ଏବେ ଆମ୍ଭ ବଚନ ହେତୁ କରିଥିବୁ
ଯେମନ୍ତେ ପିତୃ ଋଣରୁ ମୁକତି ହୋଇବୁ ।
ଏହି ତ୍ରେତା ଯୁଗ ଗଲେ ଦ୍ୱାପର ଯୁଗରେ
ଆମ୍ଭେ ଜନ୍ମ ହେବୁ ଆସି ବସୁଦେବ ଘରେ ।
ପୃଥ୍ୱୀଭାରା ନିବାରଣେ ମର୍ତ୍ତ୍ୟେ ହୋଇ ଜାତ
ଅନେକ ଅସୁରବଳ କରିବୁ ନିପାତ ।
ତହିଁର ଅନ୍ତରେ ପୁଣ ଯୁଗ ଶେଷ କାଳେ
ତୁହି ଜାତ ହେବୁ ବସୁ ଶବର ଗୃହରେ ।
ଜାରାଶବର ବୋଲିଣ ନାମ ହେବ ତୋର
ଏକଥାକୁ ହେତୁ କରିଥିବୁ ତୁ ମନର ।
ବାଳିକି ମାଇଲା କାଣ୍ଡ ତାକୁ ତୋଳିଦେଲେ
ଦ୍ୱାପରରେ ପିତୃ କାର୍ଯ୍ୟ କରିବୁ ବୋଇଲେ ।
ବ୍ରହ୍ମଶାପ ଫଳେ ମୋର ପୁତ୍ରେ ରୁଣ୍ଡ ହୋଇ
ସନ୍ତରାବଣେ ମରିବେ ହଣା ହଣି ହୋଇ ।
ଲକ୍ଷେ ଷାଠିଏ ସହସ୍ର ଅଶୀଏ ନନ୍ଦନ
ଏକାବେଳେକରେ ସର୍ବେ ହାରିବେ ଜୀବନ ।
ତେତେବେଳେ ଯାଇ ଆମ୍ଭେ ଶୀଆଳିଲତାରେ
ସୁଖେ ନିଦ୍ରା କରିଥିବୁ ତହିଁର ଉପରେ ।
ସେତେବେଳେ ମୃଗୟାରେ ତୁହି ଆସିଥିବୁ
ମୃଗ ଶମ୍ବର ନ ପାଇ ବିମନ ହୋଇବୁ ।
ପାଦପରେ ପାଦ ଦେଇ ମୁହିଁ ଥିବି ଶୋଇ
ଶ୍ରୀଚରଣ ଗୋଟି ହଲାଉଣଥିବି ମୁହିଁ ।
ମୃଗ କର୍ଣ୍ଣ ପ୍ରାୟ ତାହା ମଣିବୁ ମନରେ
ନ ନାରାଚ ପ୍ରହାରିବୁ ଆମ୍ଭର ପୟରେ ।
ବାମ ପାଦରେ କନିଷ୍ଠ ଅଙ୍ଗୁଳିରେ ଯାଇ
ବାଜନ୍ତେ ତୁ ପିତୃଋଣ ଶୁଝିବୁ ତନୟୀ ।
ଏତେ କହି ଅଙ୍ଗଦକୁ ମେଲାଣି ସେ ଦେଲେ
ଯେଉଁରୂପେ ପ୍ରଭୁ ତାକୁ ଆଜ୍ଞା ଦେଇଥିଲେ ।
ସେ କାଳର କଥା ଏବେ ସ୍ୱରୂପ ଘଟିଲା
ଶବର ରୂପ ଧରିଣ ଅଙ୍ଗଦ ଜନ୍ମିଲା ।
ନୋହିଲେ କୃଷ୍ଣଚନ୍ଦ୍ରଙ୍କୁ ବିନ୍ଧନ୍ତା କି ସେହି
ଦେବାଧି ଦେବତାଙ୍କର ପ୍ରଭୁ ଯେ ଅଟଇ ।
ଏହା ଶୁଣି ଯୁଧିଷ୍ଠିର ଅର୍ଜ୍ଜୁନେ ଚାହିଁଲେ
ସହଦେବ ମୁଖୁ ଯହୁଁ ଏସନ ଶୁଣିଲେ ।
ତହୁଁ ପଣ୍ଡୁସୁତମାନେ ଏକତ୍ରିତ ହୋଇ
ସୁରେଶ୍ୱର ଅରଣ୍ୟକୁ ଯାଆନ୍ତି ଚଳାଇ ।
ଆଗେ ଆଗେ ଶବର ଯେ କଢ଼ାଉଛି ବାଟ
ପଛରେ ଗୋଡ଼ାଇଛନ୍ତି ପଣ୍ଡୁଙ୍କର ଚାଟ ।
ଯେଉଁଠାରେ ପଡ଼ିଛନ୍ତି ପ୍ରଭୁ ନାରାୟଣ
ସେ ସ୍ଥାନେ ମିଳିଲେ ଯାଇ ପଣ୍ଡୁଙ୍କର ନାନ ।
ଦେଖିଲେ ଉତ୍ତାନ ଶୋଇଛନ୍ତି ନାରାୟଣ
ଜାରାଶବର ନାରାଚ ପାଦରେ ବାଜିଣ ।
ପଦ୍ମଲୋଚନରୁ ବହୁଅଛି ଅଶ୍ରୁଧାର
ପାଣ୍ଡବ ଆଗମ ଚାହିଁ ଅଛନ୍ତି ଶ୍ରୀଧର ।
ବେନିଗୋଟି ନୟନକୁ କୃଷ୍ଣ ଛନ୍ତି ବୁଜି
ନାରାଚ ଆଘାତ ଚିହ୍ନ ଅଙ୍ଗୁଳିରେ ରାଜି ।
ଏମନ୍ତବେଳେ ମିଳିଲେ ତହିଁ ପାଞ୍ଚ ଭାଇ
ଦେଖି ଭୀମ ଅର୍ଜ୍ଜୁନାଦି ପ୍ରଣମନ୍ତି ଯାଇ ।
ପାଣ୍ଡବଙ୍କର ଆସିବା ଜାଣି ଦାମୋଦର
ଚକ୍ଷୁ ଫେଡ଼ି ନିରେଖିଲେ ବଦନ ତାଙ୍କର ।
ଦେଖିଲେ ପାଦର ତଳେ ଉଭା ଅରଜୁନ
ଗଦ ଗଦ ହୋଇ ତାଙ୍କୁ ବୋଲନ୍ତି ବଚନ ।
ସତ୍ୱର ଆସ ହେ ପାର୍ଥ କତିକି ମୋହର
ନାରାଚ ଆଘାତେ ଜଳୁଅଛି ମୋ ଶରୀର ।
ତୋହର ଅଙ୍ଗ ଲାଗନ୍ତେ ଶୀତଳ ହୋଇବ
ଚାହିଁ ରହିଅଛି ଦୈବେ ମିଳିଲୁ ମୋ ଠାବ ।
ଅନେକ ବିକଳେ ଡାକ ଦ୍ୟନ୍ତି ଜଗନ୍ନାଥ
ଜଳୁଛି ଶରୀର କୋଳେ ଧର ବୀର ପାର୍ଥ ।
ବହୁତ ବିକଳ ହୋଇ ଡାକନ୍ତି ଗୋସାଇଁ
କେବେହେଁ ସେ ଅରଜୁନ ପାଶେ ନ ଆସଇ ।
ସହଦେବ ବାକ୍ୟ ଧରିଅଛି ଦୃଢ଼ କରି
ଛୁଇଁଲେ ମୁଁ ଜୀବନକୁ ଛାଡ଼ିବେ ଦୈତାରି ।
ତହୁଁ ଅର୍ଜ୍ଜୁନ ବୋଇଲେ ଶୁଣିମା ଗୋସାଇଁ
ଯୁଧିଷ୍ଠିରଙ୍କର ଛୁଇଁବାକୁ ଆଜ୍ଞା ନାହିଁ ।
ଏହା ଶୁଣିଣ କୁପିତ ହେଲେ ଜଗନ୍ନାଥ
ବୋଇଲେ ଜାରଜାତକା ଅଟୁ ପାଣ୍ଡୁ ସୁତ ।
ତୁମ୍ଭପାଇଁ ମୁହିଁ କେତେ ଦୁଃଖ ପାଇନାହିଁ
ପ୍ରାଣ ଯିବାବେଳେ ମୋତେ ନ ଛୁଇଁଲୁ ତୁହି ।
ଏମନ୍ତ ପ୍ରକାରେ ଗାଳି ଦେଲେକ ବହୁତ
ବୋଇଲେ ଜାରଜାତକା ନାହିଁ କୁଳଗୋତ୍ର ।
ଏସନକ ପରକାରେ ବହୁ ଗାଳି ଦେଲେ
କେବେହେଁ ଅର୍ଜ୍ଜୁନ ତାଙ୍କ ଅଙ୍ଗ ନ ଛୁଇଁଲେ ।
ଅର୍ଜ୍ଜୁନ ଅଙ୍ଗରେ ଏକ କଳା ଥୋଇଛନ୍ତି
ପଞ୍ଚଦଶ କଳା ଘେନି ଆପେ ଜନ୍ମିଛନ୍ତି ।
ଅରଜୁନ ନ ଛୁଇଁଲେ ଯହୁଁ ତାଙ୍କ ଗାତ୍ର
ପ୍ରାଣ ବିକଳରେ କୃଷ୍ଣ ହୋଇ ଉତ୍କଣ୍ଠିତ ।
ଜାଣିଲି ଅର୍ଜ୍ଜୁନ ମୋତେ ନ ଛୁଇଁଲା ଭୟେ
ତେଣୁ ଛଦ୍ମେ ଡାକ ଦ୍ୟନ୍ତି ପ୍ରଭୁ ଦେବରାୟେ ।
ଡାକି ଡାକି ଜଗନ୍ନାଥ ନିରାଶ ହୋଇଲେ
ଅର୍ଜ୍ଜୁନ ବୀରର ଦୃଢ଼ ବଚନ ଜାଣିଲେ ।
ବୋଲନ୍ତି ଅର୍ଜ୍ଜୁନ ଯେବେ ନ ଛୁଇଁବୁ ମୋତେ
ଧନୁହୁଳ ଗୋଟିକ ତୁ ଦିଅ ମୋର ହସ୍ତେ ।
ଗୋବିନ୍ଦର ମାୟା ପାର୍ଥ ଜାଣି ନ ପାରିଲେ
ଧନୁହୁଳ ଗୋଟିକ ସେ ବଢ଼ାଇଣ ଦେଲେ ।
ଦନୁହୁଳ ଗୋଟି ହରି ଧରି ବାମକରେ
ଅର୍ଜ୍ଜୁନର ମୁଖକୁ ସେ ଚାହିଁଲେ ସଧୀରେ ।
ବୋଇଲେ ଅର୍ଜ୍ଜୁନ ତୁହି କଥାଏ କରିବୁ
ଦ୍ୱାରକା ଭୁବନକୁ ତୁ ଏହିକ୍ଷଣି ଯିବୁ ।
ମୋହର ଭାର୍ଯ୍ୟା କୁଟୁମ୍ବ ଆଣିବୁ ସମ୍ଭାଳି
ହସ୍ତିନାପୁରେ ଥୋଇବୁ ତାଙ୍କୁ ଯତ୍ନକରି ।
ତୋଠାରୁ ବିଶ୍ୱାସୀ ଆଉ ନାହିଁ ମୋର କେହି
ଯେତେବେଳେ କୁଟୁମ୍ବ ମୋ ଆଣିବୁ କଢ଼ାଇ ।
ତକ୍ଷଣେ ଦ୍ୱାରକାପୁର ଜଳେ ବୁଡ଼ିଯିବ
ତେଡ଼େ ବଡ଼ ନଗ୍ର ଜଳେ ନିମଗ୍ନ ହୋଇବ ।
ମୋହର ଏହି ବଚନ ଦୃଢ଼ କରି ଘେନ
ଏତେ ବୋଲି ଜୀବନକୁ ତେଜିଲେ ମୋହନ ।
ଶୁଣ ହୋ ପରୀକ୍ଷ ରାଜା ଶୁକମୁନି କହି
ଯେତେବେଳେ ଦେହ ଛାଡ଼ିଗଲେ ଭାବଗ୍ରାହୀ ।
ନିଜ ସ୍ଥାନେ ଯାଇଣ ସେ ହୋଇଲେ ପ୍ରବେଶ
ନିଶ୍ଚିନ୍ତ ହୋଇ ଶୟନ କଲେ ପୀତବାସ ।
ଏକାହୋଇ ଶୋଇଲେ ସେ ସଙ୍ଗେ କେହିନାହିଁ
କମଳାଦେବୀ ଅଛନ୍ତି ମର୍ତ୍ତ୍ୟେ ଦେହବହି ।
କଳେବର ଛାଡ଼ି ହରି ଗଲେ ନିଜ ଧାମ
ପିଣ୍ଡଗୋଟି ପଡ଼ି ରହେ ମର୍ତ୍ତ୍ୟ ଭୁବନେଣ ।
ଛାମୁରେ ଉଭା ହୋଇଣ ଅଛନ୍ତି ଅର୍ଜ୍ଜୁନ
ଆକୁଳରେ ପଣ୍ଡୁସୁତେ କରନ୍ତି ରୋଦନ ।
ହା ଜଗନ୍ନାଥ ଅନାଥ କରି କେଣେ ଗଲୁ
ଏଭାବ ସମୁଦ୍ରେ ଆମ୍ଭ ଭେଳା ବୁଡ଼ାଇଲୁ ।
ଅନାଥର ନାଥ ତୁମ୍ଭେ କରୁଣା ସାଗର
ପଞ୍ଚ ପାଣ୍ଡବେ ତୁମ୍ଭର ସର୍ବଦା କିଙ୍କର ।
ସମସ୍ତେ କହନ୍ତି ତୁମ୍ଭେ ପାଣ୍ଡବଙ୍କ ହରି
ତୁମ୍ଭ ସକାଶୁ ପାଣ୍ଡବେ କାହାକୁ ନ ଡରି ।
ଯୁଧିଷ୍ଠିର ଦେହ ରାଜସୂୟ ଯାଗ କଲେ
ତୋହର ଆଜ୍ଞାରେ ଲକ୍ଷେ ରାଜା ପ୍ରବେଶିଲେ ।
ତୋ ହେତୁ ଆମ୍ଭ ମହିମା ଗୋଟି ବିକାଶିଲ
ଏତେ କହି ପାର୍ଥବୀର ବହୁତ ରୋଦିଲା ।
ତୋହର ହିଁ ଆଜ୍ଞାରେ ଯେ ଆମ୍ଭଙ୍କୁ ତ୍ରିପୁରେ
କ୍ଷତ୍ରିୟ ସମ ନୋହିଲେ ସମର କ୍ଷେତ୍ରରେ ।
ଏବେ ତ ଅନାଥ କରି ଗଲ ଜଗନ୍ନାଥେ
କେସନେ ରହିବେ ଏବେ କହ ପଣ୍ଡୁସୁତେ ।
ଦିବସରେ ଆମ୍ଭଙ୍କୁ ତ ଲାଗେ ଅନ୍ଧକାର
ରାଜ୍ୟ ଛାଡ଼ି ଆମ୍ଭେ ସିନା ପଶିବୁଁ ବନର ।
ସହଦେବ ବୋଇଲେ ହୋ କାନ୍ଦନାହିଁ କେହି
ଶ୍ରୀକୃଷ୍ଣ ପିଣ୍ଡଗୋଟିକ ଦଗ୍ଧ କର ନେଇ ।
ସହଦେବଙ୍କ ବଚନେ ଯୁଧିଷ୍ଠି ବୋଲନ୍ତି
ଚିନ୍ତାକଲେ ଶତ୍ରୁ ଛିଦ୍ର ପାଇବେ ଏଘାନ୍ତି ।
ଏ କଥା ଭାବି ପାଣ୍ଡବେ ଶୋକ ନିବାରିଲେ
ଦାହ କରିବା ନିମନ୍ତେ ମନ ବଳାଇଲେ ।
ଚନ୍ଦନ କାଠରେ ଖଟ ନିର୍ମାଣ କରାଇ
କୃଷ୍ଣଙ୍କର ମୃତପିଣ୍ଡ ଶୁଆଇଲେ ତହିଁ ।
ସୁରଶ୍ୱର ଅରଣ୍ୟକୁ ଚାରି କ୍ରୋଶ ଦୂର
ପିଣ୍ଡ ଘେନି ଚଳିଗଲେ ପଣ୍ଡୁଙ୍କ କୁମର ।
ପର୍ବତକୁ କୋଶେ ଛଡ଼ା ଅଟେ ମହୋଦଧି
ତହିଁରେ ପିଣ୍ଡ ଦହିଲେ ସ୍ୱର୍ଗପଥ ଭେଦି ।
ନୀଳଗିରିର ମଧ୍ୟରେ କଳ୍ପବଟ ଅଛି
ଏଣେ ମହୋଦଧି ତୀର୍ଥ ତାହାକୁ ଘୋଟିଛି ।
ସେ ସ୍ଥାନକୁ ଯାଇ କରି ମରେ ଯେଉଁ ଜନ
ଅମର ବୈକୁଣ୍ଠେ ଯାଇ ବସଇ ତକ୍ଷଣ ।
ପାରିଜାତ ପୁଷ୍ପ ସେହୁ ମଥାରେ ବାନ୍ଧଇ
ସର୍ବଦା କାଳେ ଅମୃତ ଭୋଗ ସେ କରଇ ।
ଦେବତାଙ୍କର ସଙ୍ଗରେ ନିତ୍ୟ ବସିଥାନ୍ତି
ନକ୍ଷତ୍ର ମଧ୍ୟରେ ରହି ସଂସାର ଦେଖନ୍ତି ।
ସେ ପ୍ରାଣୀକି ଯମଦେବ କେବେ ନ ଦଣ୍ଡଇ
ବଟସାଗର ମଧ୍ୟରେ ଯେ ଜନ ମରଇ ।
ସ୍ୱର୍ଗକୁ ଯିବାକୁ ସେହି ସ୍ଥାନେ ଅଛି ଦ୍ୱାର
ତେଣୁକରି ନାମଗୋଟି ଅଟେ ସ୍ୱର୍ଗଦ୍ୱାର ।
ଏସନକ ଭେଦ ତହିଁ ପାଣ୍ଡବେ ଜାଣିଲେ
ପ୍ରଚଣ୍ଡ ଅନଳ ନେଇ ପିଣ୍ଡ ଦାହ କଲେ ।
ଅନଳ ଯହୁଁ ଲାଗିଲା ପ୍ରଭୁଙ୍କ ଶରୀରେ
ଲୋମେକ ନ ଟଳିବାର ପାଣ୍ଡବେ ଦେଖିଲେ ।
ଅନଳେ ସ୍ୱର୍ଣ୍ଣ ଦହିଲା ପରାୟକ ହୋଇ
ଉଜ୍ଜଳ ହୋଇ ଉଠଇ ପ୍ରଭୁଙ୍କର ଦେହୀ ।
ରାତ୍ର ଦିବସ ସେମାନେ ଶରୀର ଦହିଲେ
ଲୋମେକ ନ ପୋଡ଼ିବାର ସେମାନେ ଦେଖିଲେ ।
ପୁଣିହିଁ ଚନ୍ଦନ କାଷ୍ଠ ପଣ୍ଡୁ ସୁତେ ଆଣି
ବର୍ଷା ହେଲା ପ୍ରାୟ ଘୃତେ ନିଉଡ଼ନ୍ତି ପୁଣି ।
ଏମନ୍ତ ପ୍ରକାରେ ପାଞ୍ଚ ରାତ୍ର ଗଲା ବହି
ପ୍ରଭୁଙ୍କର ନିଜ କାୟା ଦଗଧ ନୁହଇ ।
ନିରସ୍ତ ହୋଇଣ ତହୁଁ ପାଣ୍ଡବେ ରହିଲେ
ଦଇବ ମାୟା ଚକ୍ରରେ ମୋହିତ ହୋଇଲେ ।
ମାୟା ଶରୀର ତାଙ୍କର ଦହିଯ୍ୟ ନୋହିଲା
ମାୟା ଶରୀରର ଲୋମ ଗୋଟେ ନ ପୋଡ଼ିଲା ।
ମହାଶୂନ୍ୟ ପୁରୁଷଟି ଯାର ଅନ୍ତ ନାହିଁ
ସଂସାର ନିମନ୍ତେ ପାଦ ପାଣି ଛନ୍ତି ବହି ।
ନାସିକା ଶ୍ରବଣ ଚକ୍ଷୁ ଅଧର ସହିତେ
ଏହା ବହିଥିଲେ ଦୈତ୍ୟ ନିବାରଣ ଅର୍ଥେ ।
ଯେତେବେଳେ ପୃଥ୍ୱୀଭାରା ହୋଇଲା ଉଶ୍ୱାସ
ତେତେବେଳେ ନାରାୟଣ କଲେ ସ୍ୱର୍ଗବାସ ।
ଅଣାକାର ପୁରୁଷ ଯେ ବର୍ଣ୍ଣ ଗୁପ୍ତ କଲେ
ଅଲକ୍ଷଣ ରୂପ ସେହୁ ଆପେ ପ୍ରକାଶିଲେ ।
ପାଣି ପବନ କାହିଁରେ ନୁହନ୍ତି ସେ କ୍ଷୟ
ବାଇ ପ୍ରାୟ ହୋଇଛନ୍ତି ପଣ୍ଡୁଙ୍କ ତନୟ ।
ନିରାକାର ପୁରୁଷ ଯା ଆକାରହିଁ ନାହିଁ
ଅଛିଦ୍ର ପୁରୁଷ ସେହୁ ଛିଦ୍ର କି ଅଛଇ ।
ଶୁଣ ପରୀକ୍ଷ ରାଜନ ଗୋବିନ୍ଦର ମାୟା
କେଭେ ଦହିଯ୍ୟ ନୋହିଲା ତାହାଙ୍କର କାୟା ।
ମହା ବିସ୍ମୟ ପାଇଲେ ପଣ୍ଡୁଙ୍କ କୁମରେ
କିବୁଦ୍ଧି କରିବା ବୋଲି ଭାଳନ୍ତି ମନରେ ।
ଆକାଶରୁ ଏରୂପରେ ଶୁଭିଲା ଶବଦ
ବାଇ ହୋଇଲ କି ତୁମ୍ଭେ ଯୁଧିଷ୍ଠିର ଦେବ ।
ଏ ବାଇ ବୁଦ୍ଧି ତୁମ୍ଭଙ୍କୁ କିଏ ଅବା ଦେଲା
ଦାହ କରିବାକୁ ଜଗତ୍ବନ୍ଦ୍ୟଙ୍କୁ କହିଲା ।
ଅଗ୍ନି ପବନ ପାଣିରେ ବିନାଶ ନୁହଇ
ତୁମ୍ଭେ ଦହନ କରୁଛ ବାଇପ୍ରାୟ ହୋଇ ।
ଶୀତଳ କର ହୋଇ ଅଙ୍ଗ ତୀର୍ଥର ଜଳରେ
ସମୁଦ୍ରରେ ମେଲି ଦେଇ ଯାଅ ନିଜପୁରେ ।
ସାତ ରାତ୍ର ସାତଦିନ ଦାହ ତୁମ୍ଭେ କଲ
ଲୋମେକ ଜଳାଇ ଅଙ୍ଗମଧ୍ୟୁ ନ ପାରିଲ ।
ଆକାଶବାଣୀ ଶୁଣିଲେ ଯହୁଁ ପଞ୍ଚବୀରେ
ସମୁଦ୍ରରେ ମେଲି ଦେଇ ଗଲେ ନିଜ ପୁରେ ।
ପୁଣି ହିଁ ଦଇବ ବାଣୀ ହୋଇଲା ତତ୍କ୍ଷଣେ
ଏହି ପିଣ୍ଡ ଲାଗିବ ଯେ ଏ ବାଙ୍କି ମୁହାଣେ ।
କଳିଯୁଗ ପ୍ରବେଶନ୍ତେ ଏ ନୀଳଗିରିରେ
ବଉଦ୍ଧ ରୂପ ଧରିଣ ବସିବେ ତହିଁରେ ।
ଥୋକାଏ ଦିନ ତାହାଙ୍କୁ ଶବର ପୁଜିବ
ପଛେ ଇନ୍ଦ୍ରଦ୍ୟୁମ୍ନ ରାଜା ପ୍ରାସାଦ କରିବ ।
ଏହି ରୂପେ ହୋଇବେ ଯେ ଚତୁର୍ଦ୍ଧା ମୁରତି
ଦାରୁବ୍ରହ୍ମ ସ୍ୱରୂପରେ ହେବେ ଉତପତ୍ତି ।
ଏତେ କହି ଦେବତାଏ ଅନ୍ତର୍ଦ୍ଧାନ ହେଲେ
ପିଣ୍ଡ ପକାଇ ପାଣ୍ଡବେ ତୀର୍ଥେ ସ୍ନାନ କଲେ ।
ହସ୍ତିନା ନଗରକୁ ଯେ ଗଲେ ଚାରିଭାଇ
ଆଜ୍ଞା ପ୍ରମାଣେ ଅର୍ଜ୍ଜୁନ ଦ୍ୱାରକା ଚଳଇ ।
ପରୀକ୍ଷିତ ପଚାରନ୍ତି ଶୁକମୁନି ପାଶ
କଥାଏ ମୁହିଁ ପୁଛିବି ଶୁଣ ବ୍ରହ୍ମଶିଷ୍ୟ ।
ଗୋଟିଏ କଥା ମୋହର ପଡ଼ିଲା ମନର
ତୁମ୍ଭେ ସର୍ବଜ୍ଞ ପୁରୁଷ ଅବଧାନ କର ।
ଯେତେବେଳେ ପାଣ୍ଡବଙ୍କୁ ଶବର ଆଣିଲା
ଜଗନ୍ନାଥଙ୍କ ଛାମୁରେ ପୈଠ ଆଣିକଲା ।
ଶବର କି କୀର୍ତ୍ତି କଲା ସେଠାବରେ ରହି
ସେହି କଥା ଗୋଟିଏ ହେ ପଚାରୁଛି ମୁହିଁ ।
ପରୀକ୍ଷିତ ପଚାରନ୍ତେ ଶୁକ ହାସ୍ୟ କଲେ
କରକୁ ଚାହିଁଣ ମୁନି ବଚନ ଭାଷିଲେ ।
ପାସୋରି ଥିବାରୁ ଆମ୍ଭେ ନ କହିଲୁ ତାହା
ତୋର ଯେବେ ଶ୍ରଦ୍ଧା ହେଲା ଶୁଣ ନରନାହା ।
ଯେତେବେଳେ ପାର୍ଥ ଧନୁ ବଢ଼ାଇଣ ଦେଲା
ଅର୍ଜ୍ଜୁନ ଦେହରୁ ବିଷ୍ଣୁ କଳା ଛାଡ଼ିଗଲା ।
ଗୋବିନ୍ଦ ବୋଇଲେ ଏବେ ଦେହ ଛାଡ଼ିବଇଁ
ଦେଖିଲେ ଶବର କର ଯୋଡ଼ିଣ ଅଛଇ ।
ଶବରର ମନକଥା ଜାଣି ଦାମୋଦର
ହସ୍ତ ଠାରିଣ କହନ୍ତି ଭୟ ତୁ ନ କର ।
ପୂର୍ବଜନ୍ମେ ଥିଲୁ ତୁହି ଆମ୍ଭର ଭକତ
ପିତୃଋଣ ଶୁଝିବାକୁ ଜନ୍ମିଅଛୁ ଏଥ ।
ଏହି ଦେହ ଘେନି ତୁହି ଯାଅ ସ୍ୱର୍ଗପୁର
ନକ୍ଷତ୍ର ହୋଇବୁ ଯାଇ ଆକାଶ ପଥର ।
ଆମ୍ଭେ ତିନି ମୁରତି ଯେ ହେବୁଁ ଆକାଶରେ
ନକ୍ଷତ୍ର ହୋଇ ଉଦୟ ହୋଇବୁ ଶୂନ୍ୟରେ ।
ଆମ୍ଭର ପାଖରେ ଥାଇ ଉଦେ ହେଉଥିବୁ
ଯୁଗ ଯୁଗାନ୍ତର କାଳେ କ୍ଷୟ ତୁ ନୋହିବୁ ।
ଏତେକ କହିଣ ଦେବ ଛାଡ଼ିଲେ ଶରୀର
ସେହି ଦେହରେ ଶବର ଗଲା ଶୂନ୍ୟପୁର ।
ନକ୍ଷତ୍ର ହୋଇଣ ସେହି ଦିଶିଲା ଶୂନ୍ୟରେ
ଏ ପର୍ଯ୍ୟନ୍ତ ଅଛଇ ସେ ପ୍ରଭୁଙ୍କ ସଙ୍ଗରେ ।
ଶୁଣିଲୁଟିକି ହେ ପରୀକ୍ଷିତ ମହୀପାଳ
ସେହି ବେଳରେ ଶବର ଗଲା ସ୍ୱର୍ଗଆଳ ।
ଜୟ ଜୟ ଜଗନ୍ନାଥ ଜଗତ ଜୀବନ
ଜଗତର ହିତେ ତୋର ଶଙ୍ଖ ଚକ୍ର ଚିହ୍ନ ।
ସଂସାର ଜନମାନଙ୍କୁ ନିସ୍ତାରିବା ପାଇଁ
ବଉଦ୍ଧ ରୂପ ତୁ ବହୁ କମଳାର ସାଇଁ ।
ତେଣୁ ନୀଳଗିରିରେ ତୁ ବିହାର କରିବୁ
ନାସିକା ଶ୍ରବଣ ପାଦ ପାଣି ନ ବହିବୁ ।
ନୀଳଗିରି ଶିଖରେ ତୁ ବିମ୍ବାଧର ବହି
ଅମୃତ ପାନ କରିବୁ ପ୍ରଭୁ ଭାବଗ୍ରାହି ।
ଅତି ଦୀନହୀନ ମୁହିଁ ଅଚ୍ୟୁତ ଅଟଇ
ଶ୍ରୀରଙ୍ଗାଚରଣ ବିନୁ ମୋର ଆଶ୍ରା ନାହିଁ ।