ଭାଗ ୬ — ବୈଦେହୀଶ ବିଳାସ (ତୃତୀୟ ଖଣ୍ଡ) — ଉପେନ୍ଦ୍ର ଭଞ୍ଜ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
୪୧ଶ ପଦ :- ‘ବିଧିରେ’ ଶବ୍ଦଶାସ୍ତ୍ରର ନିୟମାନୁସାରେ ବାନରମାନଙ୍କୁ ଓ ଭଗବାନଙ୍କୁ ହରି ବୋଲାଯାଏ, ସୁତରାଂ ଭଗବାନ ଯେପରି ମଧୁଦୈତ୍ୟକୁ ବଳପୂର୍ବକ ବିନାଶ କରିଥିଲେ, ଏମାନେ ମଧ୍ୟ ସେହିପରି ମଧୁବନକୁ ନାଶକଲେ । ସେହି ମଧୁବନରେ ଥିବା ବୃକ୍ଷମାନେ କଳ୍ପବୃକ୍ଷପରି ମନୋହର ଦେଖା ଯାଉଥିଲେ ।
୪୨ଶ ପଦ :- କଳ୍ପବୃକ୍ଷ ଯେପରି ଇପ୍ସିତ ଫଳ ପ୍ରାର୍ଥନାକାରୀ ଲୋକମାନଙ୍କୁ ଦେବା ନିମିତ୍ତ ଆଦରଯୁକ୍ତ ହୋଇଥାଏ (ଅର୍ଥାତ୍ ଯେ ଯାହା ମାଗେ ତାକୁ ତାହା ଆଦର ପୂର୍ବକ), ସେହିପରି ଏହି ବନର ବୃକ୍ଷମାନେ ବାନରମାନଙ୍କୁ ମନୋମତ୍ତ ଫଳ ଦେବାପାଇଁ ନିଜ ନିଜର ଶୋଭାକୁ ବିସ୍ତାର କରିଥିଲେ । ଅପୂର୍ବ ଚ୍ୟୁତେ ଅର୍ଥାତ୍ ‘ଅଚ୍ୟୁତେ’ ବିଷ୍ଣୁଙ୍କ କୋଳରେ ଲକ୍ଷ୍ମୀ ବିରାଜିତ ହୋଇଥିଲା ପରି ଆମ୍ବ ବୃକ୍ଷମାନଙ୍କର ମନୋହର ଆମ୍ବସବୁ ବିରାଜୁଥିଲେ । (ଅର୍ଥାତ୍ ବାନରମାନେ ପ୍ରଥମେ ଆମ୍ବ ଖାଇଲେ) ।
୪୩ଶ ପଦ :- ରମ୍ଭା-କଦଳୀ, ସ୍ତ୍ରୀବେଶ୍ୟା । ନଳକୁବର-କୁବେରଙ୍କ ପୁତ୍ର ।
୪୩ଶ ପଦ :- ସେମାନେ କଦଳୀ ଖାଇବାର ଦେଖି ମନେ ହେଲା, ଏମାନେ କୁବେର ପୁତ୍ର ନଳକୁବର କି ? (ନଳକୁବର ରମ୍ଭାବେଶ୍ୟାସକ୍ତ ଅଟନ୍ତି) । କଦଳୀ ଖାଇସାରି ସେମାନେ ବାହାସ୍ଫୋଟ ମାରି ମାଲମାନଙ୍କପରି ଯୁଦ୍ଧ କ୍ରୀଡ଼ା ଆରମ୍ଭ କଲେ ।
୪୪ଶ ପଦ :- କୁବେର ଯେପରି ପୁଷ୍ପକ ବିମାନରେ ବସି କ୍ରୀଡ଼ା କରନ୍ତି, ଯୁଦ୍ଧ କ୍ରୀଡ଼ା ପରେ ସେମାନେ ସେହିପରି ଫୁଲପେଣ୍ଡା ସବୁ ହାତରେ ଧରି କ୍ରୀଡ଼ା କରିବାକୁ ଲାଗିଲେ । ତତ୍ପରେ ରାଜାମାନେ ଦଣ୍ଡଧାରଣ କରି ସେହି ଦଣ୍ଡଯୋଗେ ପ୍ରଜାମାନଙ୍କୁ ବଶ କଲାପରି ସେମାନେ ‘ଦଣ୍ଡେ’ ସେହି ବନରେ ପଡ଼ିଥିବା କାଠଖଣ୍ଡମାନଙ୍କଦ୍ୱାରା ପ୍ରହାର କରି ଦଧିମୁଖ ନାମକ ବାନର ରକ୍ଷକକୁ ବଶକଲେ ।
୪୫ ଓ ୪୬ଶ ପଦ :- ଦଧିମୁଖ ସେଠାରୁ ଯାଇ ସୁଗ୍ରୀବଙ୍କୁ ପ୍ରଣାମ ପୂର୍ବକ ଜଣାଇଲା, ‘‘ପ୍ରଭୋ ! ଦକ୍ଷିଣଦିଗରୁ ବାହୁଡ଼ିଥିବା ସୈନ୍ୟମାନେ ଗ୍ରୀଷ୍ମକାଳୀନ ସୂର୍ଯ୍ୟକିରଣ ପରି ଉଗ୍ରପ୍ରଭାବ ଧାରଣ କରି ବନର ଶୋଭା ନଷ୍ଟକଲେ । ତାଙ୍କର ଜୀବ ପ୍ରତି ଲେଶମାତ୍ର ଦୟାନାହିଁ l ଏହା ଅତି ଆଶ୍ଚର୍ଯ୍ୟ ଅଟେ ।’’
୪୭ଶ ପଦ :- ବିବୟାନ ସୁତ-ସୂର୍ଯ୍ୟପୁତ୍ର ( ସୁଗ୍ରୀବ ) । ବିପିନ-ବନ ( ମଧୁବନ ) ।୪୮ଶ ପଦ :- ବସୁରେ-ଦେହରେ ।୪୯ଶ ପଦ :- ଉଷ୍ଣୀଷ-ପଗଡ଼ି । ବିଭ୍ରାଜ-ଅତି ସୁନ୍ଦର ବା ଚକଚକିଆ । ଶୀର୍ଷ-ମସ୍ତକ । ବିଶଦ-ଶୁକ୍ଳ । ପଟ୍ଟ ଅମ୍ବର-ପଟ୍ଟବସ୍ତ୍ର ।୫୦ଶ ପଦ :- ବନୋକାପତି-ସୁଗ୍ରୀବ । ପରିକର-ଚାକର ।୫୧ଶ ପଦ :- ବିଧୁ-ଚନ୍ଦ୍ର । ବାର୍ତ୍ତିକ-ଦୁତ ( ଦକ୍ଷିଣଦିଗରେ ) ।
୪୭ଶ ଠାରୁ ୫୧ ଶ ପଦ :- ଏହି କଥା ଶୁଣିବା ସଙ୍ଗେ ସଙ୍ଗେ ସୁଗ୍ରୀବ ଆନନ୍ଦିତ ହେଲା । କାରଣ ତାର ‘ବିବେକ’ ସଦସତ୍ ବିବେଚନକାରିଣୀ ବୁଦ୍ଧି ମଧୁବନ ଭାଙ୍ଗିବା କଥା ହୃଦୟରେ ପ୍ରଚାର କରିବାକୁ ( ଅର୍ଥାତ୍ ଯେଉଁ ବନରେ ପ୍ରବେଶ କରିବାକୁ ମନା, ତାକୁ ଏମାନେ ଜାଣିଶୁଣି ଭାଙ୍ଗିଲେ କାହିଁକି ? । ଏହି କଥା ବାରମ୍ବାର ମନରେ ବିଚାର ) ସ୍ଥିର କଲେ ଯେ, ଏମାନେ ସୀତାଙ୍କୁ ଖୋଜି ପାଇଲେ । ଏଣୁ ଆନନ୍ଦ ସମୟରେ ରାଜଭଣ୍ଡାର ତୁଲ୍ୟ ମଧୁବନକୁ ଲୁଟି କଲେ ) । ଏଣୁ ଆନନ୍ଦିତ ହୋଇ ଦେହରେ ଚନ୍ଦନ ବୋଳି ମୁଣ୍ଡରେ ମନୋହର ଫୁଲମାନଙ୍କ ଦ୍ୱାରା ନିର୍ମିତ ପଗଡ଼ି ବନ୍ଧାଇ, ଅତି ଶୁକ୍ଳ ପାଟ ପିନ୍ଧି ଓ ଚଦର ଶୀଘ୍ର ପିନ୍ଧି, ମୁହଁରେ କର୍ପୂରକୁ ପୁରାଇ ( ଅର୍ଥାତ୍ କର୍ପୂରକୁ କଳରେ ଯାକି ) ବାନର ରାଜ ସୁଗ୍ରୀବ ବାହାର ହେଲା । ଏହି ସମୟରେ ତାର ଆନନ୍ଦ ବର୍ଦ୍ଧନକାରୀ ଚାକରମାନେ ଅତି ଶୁକ୍ଳ ଚାମର ଓ ଚନ୍ଦ୍ର ତୁଲ୍ୟ ଶୁଭ୍ର ଛତିକୁ ତାର ନିକଟରେ ଧାରଣ କରିବା ଦ୍ୱାରା ସୌନ୍ଦର୍ଯ୍ୟକୁ ବଢ଼ାଇ ନାନାପ୍ରକାର ବାଜା ବଜାଇଲେ । ସୁଗ୍ରୀବ ଦଧିମୁଖ ପ୍ରଭୃତି ସୈନ୍ୟମାନଙ୍କ ଦ୍ୱାରା ବେଷ୍ଟିତ ହୋଇ ରାଜସମାରୋହରେ ସେହି ଦକ୍ଷିଣ ଦିଗର ଚାରମାନଙ୍କ ନିକଟକୁ ଗମନ କଲା ।
ବିଧୁସମ ଛତ୍ର ଶୋହି ।ବିବିଧ ବାଦ୍ୟ ବାଜଇ ।
ବେଢ଼ି ଦଧିମୁଖ ସୈନ୍ୟ ।
କାର୍ତ୍ତିକ ପାଶେ ଗମନ ।୫୧ ।
ବାନ୍ଧି ଦଧିମୁଖେ ଶାଢ଼ୀ ।
ବିମନକୁ ଦେଇ ଛାଡ଼ି ।
ବୀରବର ଉପଇନ୍ଦ୍ର, ।
ବିରଚେ ଏ ବାନ ପଦ ।୫୨ ।
୫୨ଶ ପଦ :- ବିମନ-ଦୁଃଖ ବା ମନୋବେଦନା ।
୫୨ଶ ପଦ :- ସେହିଠାରେ ଦଧିମୁଖ ମୁଣ୍ଡରେ ଶାଢ଼ୀ ବାନ୍ଧି ଦେବାରୁ ସେ ମନଦୁଃଖ ଛାଡ଼ି ଆନନ୍ଦିତ ହେଲା । ବୀରବର ଉପେନ୍ଦ୍ର ଭଞ୍ଜ ଏ ଛାନ୍ଦକୁ ବାଉନ ପଦରେ ରଚନା କଲେ ।
ଅଷ୍ଟତ୍ରିଂଶ ଛାନ୍ଦରାଗ-କଳହଂସ କେଦାରବଦନ ପୂରିଅଛି ହା ସହରଷେ ।ବିକର୍ତ୍ତନଜ ଯାଇ ଶ୍ରୀରାମ ପାଶେ ଯେ ।ବିକର୍ତ୍ତନ ସନ୍ତାପ ହେଲା ପ୍ରଭୁର ।ବାହୁଡ଼େ କାର୍ଯ୍ୟ କରି ଦକ୍ଷିଣଚାର ଯେ ।୧ ।ବୋଲୁଁ ବୋଇଲେ ରାମ ହେ ମିତ୍ର ବସ ।ବଡ଼ ମଙ୍ଗଳଯୁକ୍ତ ଭାଷ ତ ଭାଷ ଯେ ।ବଧର ବ୍ୟାଧି ସତେ ଶ୍ରୁତିରୁ ଯିବ ।ବୈଦ୍ୟଦୁତ ଉଦନ୍ତ ଔଷଧ ଦେବ ଯେ ।୨ ।ବିଳମ୍ବ କୁ ମହାପିପାସୀ ସହି ।ବାରିପୂର୍ଣ୍ଣ କାସାର ଦେଖାଅ କାହିଁ ଯେ ।ବୃହସ୍ପତି ଚଳନେ ବରଷେ ଘନ ।ବିଚାରେ ତଥା ଧ୍ୱସ୍ତ କଲେ ମୋ ବନ ଯେ ।୩ ।ବୋଲୁଁ ସୁଗ୍ରୀବ ସତ କରୁ ରାଘବ ।ବୀର ଅଷ୍ଟ ଅଗ୍ରତେ ପ୍ରବେଶ ଜବ ଯେ ।ବିନୟରେ ତାଙ୍କର ଲୟ ନ ରଖି ।ବକ୍ର ହରଷେ ମାତ୍ର ନୟନେ ରଖି ଯେ ।୪ ।ବାଳିନନ୍ଦନ ରାମ-ହୃଦୟ ମଣି ।ବୋଲେ ଖୋଜିଲା ତବ ହୃଦୟମଣି ଯେ ।ବିବର୍ଦ୍ଧନ କେଶରୀପାଳନେ ଯେହି ।ବିଭେଦିତ ସିନ୍ଧୂର ହୋଇଲା ସେହି ଯେ ।୫ ।୧ମ ପଦ :- ବିକର୍ତ୍ତନଜ-ସୁଗ୍ରୀବ । ବିକର୍ତ୍ତନ-ଛିନ୍ନ ।
୧ମ ପଦ :- ଏହା ପରେ ସୁଗ୍ରୀବ ଯାହାଙ୍କର ମୁଖ ‘ହା’ ଏହି ବିସ୍ମୟ ସୂଚକ ଶବ୍ଦରେ ପୂର୍ଣ୍ଣ ହୋଇଅଛି, ସେହି ଶ୍ରୀରାମଙ୍କ ନିକଟକୁ ଯାଇ ଆନନ୍ଦର ସହିତ କହିଲା, ‘‘ପ୍ରଭୁଙ୍କର ଦୁଃଖ ଦୂର ହେଲା, କାରଣ ଦକ୍ଷିଣ ଦିଗର ଦୂତମାନେ କାର୍ଯ୍ୟ କରି ଫେରିଲେ ।’’
୨ୟ ପଦ :- ଉଦନ୍ତ-ସମ୍ବାଦ ବା ଖବର । ଶ୍ରୁତି-କର୍ଣ୍ଣ ।
୨ୟ ପଦ :- ସୁଗ୍ରୀବ ଏହିପରି କହିବାରୁ ରାମଚନ୍ଦ୍ର କହିଲେ, ‘‘ହେ ମିତ୍ର ! ବସ, ଅତି ମଙ୍ଗଳଯୁକ୍ତ କଥା ତ କହୁଛ । ଦକ୍ଷିଣ ଦିଗରେ ଦୂତରୂପୀ ବୈଦ୍ୟ ସୀତାଙ୍କ ସମ୍ବାଦ ରୂପ ଔଷଧ ମୋତେ ଦେବ ? ଯାହାଦ୍ୱାରା କି ମୋର କାନରୁ କାଲ ଦୋଷ ଯିବ । ଏହା କଣ ସତ୍ୟ ?’’
୩ୟ ପଦ :- କାସାର-ପୁଷ୍କରିଣୀ ।
୩ୟ ପଦ :- ‘‘ହେ ମିତ୍ର ! ଅତି ତୃଷାର୍ତ୍ତ ଲୋକ ବିଳମ୍ବ ସହିପାରେ କି ? ସହିପାରେ ନାହିଁ । ( ସେହିପରି ମୁଁ ସୀତା ବାର୍ତ୍ତା ଶ୍ରବଣରୂପ ଜଳପାନ କରିବାରେ ଯେଉଁ ବିଳମ୍ବ ଘଟୁଛି ତାହା ସହିବାକୁ ଅକ୍ଷମ) ଏଣୁ ତୃଷାର୍ତ୍ତକୁ କୌଣସି ସ୍ଥାନରେ ଥିବା ଜଳପୂର୍ଣ୍ଣ ପୁଷ୍କରିଣୀ ଦେଖାଇଲା ପରି ସୀତାଙ୍କଠାରୁ ଯେଉଁ ଲୋକ ସମ୍ବାଦ ଆଣିଅଛି, ସେ କେଉଁଠାରେ ଅଛି, ତାକୁ ଡାକି ଶୀଘ୍ର ମତେ ଦେଖାଅ ।’’ ଏହା ଶୁଣି ସୁଗ୍ରୀବ କହିଲେ, ‘‘ଯେପରି ଲୋକମାନେ ବୃହସ୍ପତି ଚଳନ ହେଲେ ମେଘ ବର୍ଷିବ ବୋଲି ବିଚାରନ୍ତି, ସେହିପରି ଦକ୍ଷିଣ ଦିଗ ଦୂତମାନେ ମୋର ବନକୁ ବିନାଶ କରିବାରୁ ମୁଁ ବିଚାରୁଛି, ସେମାନେ ଏଠାକୁ ଆସି ସୀତାଙ୍କ ସମ୍ବାଦରୂପ ଜଳ ଆପଣଙ୍କୁ ଦେଇ ସନ୍ତୋଷ କରିବେ ।’’
୪ର୍ଥ ପଦ :- ସୁଗ୍ରୀବ ଏହି କଥା କହିବାରୁ ରାମଚନ୍ଦ୍ର ସତ୍ୟ ମନେ କଲେ । ଏହି ସମୟରେ ଜାମ୍ବବ ପ୍ରଭୃତି ଆଠଜଣ ଯାକ ବୀର ହଠାତ୍ ରାମଚନ୍ଦ୍ରଙ୍କ ନିକଟରେ ଉପସ୍ଥିତ ହୋଇ ନମସ୍କାର କଲେ କିନ୍ତୁ ରାମଚନ୍ଦ୍ର ତାଙ୍କର ଏହି ବିନୟ ସୂଚକ ବ୍ୟବହାର ପ୍ରତି ଦୃଷ୍ଟି ନ ଦେଇ କେବଳ ତାଙ୍କର ହର୍ଷୋତ୍ଫୁଲ ମୁଖକୁ ଦେଖିବାକୁ ଲାଗିଲେ ।
୫ମ ପଦ :- ସିନ୍ଧୁର-ହସ୍ତୀ, ସମୁଦ୍ରର । ବିରେଦିତ-ବିଦାରଣ ।
୫ମ ପଦ :- ଅଙ୍ଗଦ ରାମଙ୍କ ହୃଦୟର ଭାବ ଜାଣିପାରି କହିଲା, ‘‘ସିଂହଦ୍ୱାରା ପାଳିତ ହୋଇ ବଢ଼ିଥିବା ସିଂହ ଶିଶୁ ଯେପରି ହସ୍ତୀକୁ ବିଦାରଣ କରିଥାଏ, ସେହିପରି କେଶରୀ ନାମକ ବାନର ଦ୍ୱାରା ପାଳିତ ଓ ବର୍ଦ୍ଧିତ ହନୁମାନ ସମୁଦ୍ରକୁ ଡେଇଁ ଆପଣଙ୍କର ହୃଦୟମଣି ସୀତାଙ୍କୁ ଖୋଜି ବାହାର କରିଅଛି ।’’
ବ୍ୟକ୍ତ କରି ଅଞ୍ଜନା-ରଞ୍ଜିତ ସିଦ୍ଧି ।ବିପଥ ଦୃଶ୍ୟତମ ଜନିତା ବଧି ଯେ ।ବିହରିତ ଲଙ୍କାରେ ସ୍ୱଭାବବଶେ ।ବନ୍ଧନ ପାଏ ରକ୍ଷ-ଚଉରବାସେ ଯେ ।୬ ।ବୋଲେ ମୁଁ ଦାଶରଥି ସେ ସୀ(ଶୀ) ତା ପୁଣି ।ବାର୍ତ୍ତା କହ ପଡ଼ିବା ଯୋଗ ବାରୁଣୀ ଯେ ।ବୋଲାଉ ତୁ ପାବନି ପାବନ କର ।ବିଧିରେ ତୋ ମଜ୍ଜନେ ମୁଁ ତତ୍ପର ଯେ ।୭ ।ବେଗରେ ହନୁମାନ କଥନ ଚାରୁ ।ବରତରୁଣୀ ବାସେ ଚନ୍ଦନତରୁ ଯେ ।ବେଷ୍ଟିତ ନିଶାଚରୀ ନାଗାବଳୀରେ ।ବିଲୋକିଲି ଅତ୍ୟନ୍ତ ରମ୍ୟ ବନରେ ଯେ ।୮ ।ବିଶ୍ୱଜନକ ଚିତ୍ତହରିଣୀ ତହିଁ ।ବିଭ୍ରମ ହେଲା ନିଶ୍ଚେ ହରିଣୀ ଏହି ଯେ ।ବିରହ ସତ ଯୋଗ ସତ ସୂରୁପା ।ବାମକର କପୋଳେ ଚଣ୍ଡୀସ୍ୱରୂପା ଯେ ।୯ ।ବିଷମଶର ବ୍ୟାଧ ହରିଣୀ କରି ।ବିଚ୍ଛେଦ ଘାଟ ଜଗି ବାଣ ପ୍ରହାରି ଯେ ।ବିଶେଷେ ପୁଙ୍ଖବ୍ୟକ୍ତ ଛବିକି କହି ।ବହିବାର କ୍ଷତଜଟି ନୀର ହୋଇ ଯେ ।୧୦ ।
୬ଷ୍ଠ ପଦ :- ଆଞ୍ଜନ ଆରଞ୍ଜିତ - ଅଞ୍ଜନ ( ନେତ୍ରୌଷଧି ) ଲଗାଇଲେ । ତମଜନିତା - ଅନ୍ଧରକଣା, ରାହୁମାତା । ବି-ପଅ - ଅପଥ, ଆକାଶ ମାର୍ଗ । ଅଞ୍ଜନାରଞ୍ଜିତ - ଅଞ୍ଜନାପାଳିତା । ଲଙ୍କା - ଗଛଡାଳ, ଲଙ୍କାପୁର, ବିଟପୀ ସ୍ତ୍ରୀ । ଚଉରବାସ - ବନ୍ଦୀଘର ।
୬ଷ୍ଠ ପଦ :- ‘‘ଚକ୍ଷୁରେ ପରିଣାମାଦି ସିଦ୍ଧ ଅଥବା ସିଦ୍ଧମନ୍ତ୍ରରେ ଅଭିମନ୍ତ୍ରିତ ଅଞ୍ଜନ ଲଗାଇଲେ, ସେହି ଅଞ୍ଜନ ଯେପରି ଅନ୍ଧୋକାରୋତ୍ପନ୍ନ ଅଦୃଶ୍ୟତା ଦୋଷକୁ ( ଅନ୍ଧାରକଣା ରୋଗକୁ ) ନାଶ କରେ, ସେହିପରି ଅଞ୍ଜନା ନନ୍ଦନ ‘ସିଦ୍ଧି’ ସ୍ୱନାମ ଧନ୍ୟ ହନୁମାନ ଆକାଶ ମାର୍ଗରେ ଲଙ୍କାକୁ ଯିବା ସମୟରେ ରାହୁର ମାତାକୁ ଦେଖି ବଧ କଲା । ଯେଉଁ ବ୍ୟକ୍ତି ନିଜର ସ୍ୱଭାବବଶରୁ ବ୍ୟଭିଚାରିଣୀ ସ୍ତ୍ରୀ ସହିତ କ୍ରୀଡ଼ା କରେ, ସେ ଯେପରି ଗୋଡ଼କଡ଼ି ପିନ୍ଧି ବନ୍ଦୀଘରେ ରହେ, ସେହିପରି ହନୁମାନ ନିଜର ସ୍ୱଭାବବଶରୁ ଲଙ୍କାରେ ମଧୁବନରୁ ଡାଳ ଭାଙ୍ଗି ରାକ୍ଷସମାନଙ୍କର ବନ୍ଦୀଘରେ ଗୋଡ଼କଡ଼ି ପିନ୍ଧି ରହିଲା ।’’
୭ମ ପଦ :- ଅଙ୍ଗଦଠାରୁ ସମସ୍ତ କଥା ଶୁଣି ସାରିବା ପରେ ରାମଚନ୍ଦ୍ର ହନୁମାନଙ୍କୁ କହିଲେ, ହେ ହନୁମାନ ! ‘‘ମୁଁ ଦାଶରଥି ଅର୍ଥାତ୍ ସୀତାଙ୍କର ଶ୍ରେଷ୍ଠ ସେବକ ବା ଭକ୍ତ । ସେହି ସୀତା ତ ‘ଶୀତା’ ଗଙ୍ଗା । ଗଙ୍ଗାରେ ବାରୁଣୀଯୋଗ ପଡ଼ିଲା ପରି ତୋର ଓ ତାଙ୍କର ହୋଇଥିବା କଥାବାର୍ତ୍ତା ମୋତେ କହ । କାରଣ ସେହି କଥା ମୋ ପକ୍ଷରେ ବାରୁଣୀ ଯୋଗ ଅଟେ । ବାରୁଣୀଯୋଗ ଲୋକମାନଙ୍କୁ ପବିତ୍ର କଲାପରି ତୁ ମୋତେ ପବିତ୍ର କର । ଯେହେତୁ ତୁ ‘ପାବନି’ ପବନ ପୁତ୍ର ବା ପବିତ୍ରକାରୀ ଏହି ନାମ ଧାରଣ କରିଅଛୁ । ମୁଁ ମଧ୍ୟ ‘ବିଧିରେ’ ପବନ ଧୀର ସ୍ଥିର ଭାବରେ ତୋର କଥାରୂପ ଗଙ୍ଗାବାରୁଣୀଯୋଗରେ ମଜ୍ଜିବା ପାଇଁ ( ଅର୍ଥାତ୍ ତୋର ଓ ସୀତାଙ୍କର ହୋଇଥିବା ସମୁଦାୟ କଥା ମନ ଦେଇ ଶୁଣିବାପାଇଁ ) ଉତ୍କଣ୍ଠିତ ହେଉଅଛି ।’’
୮ମ ପଦ :- ଗୁରୁ - ମନୋହର । ନାଗାବଳୀ - ସର୍ପସମୂହ । ନିଶାଚରୀ - ରାକ୍ଷସୀ ।
୮ମ ପଦ :- ଏହା ଶୁଣି, ହନୁମାନ କଥାକୁ ସଜାଇ ଅତିଶୀଘ୍ର କହିଲା, ‘ମଳୟ ପର୍ବତ ନିକଟବର୍ତ୍ତୀ ଅତ୍ୟନ୍ତ ରମଣୀୟ ବନରେ ସର୍ପ ବେଷ୍ଟିତ ହୋଇ ଚନ୍ଦନ ବୃକ୍ଷ ରହିଲା ପରି ସେହି ରମଣୀମଣି ସୀତା ଲଙ୍କାସ୍ଥ ମନୋହର ବନମଧ୍ୟରେ ରାକ୍ଷସୀ ପରିବେଷ୍ଟିତ ହୋଇ ବାସ କରୁଅଛନ୍ତି ।’’
୯ମ ପଦ :- ବିଶ୍ୱଜନ ଚିତ୍ତ ହରିଣୀ - ଜଗଜ୍ଜନ ମନ ମୋହିନୀ । ହରିଣୀ - ସୂବର୍ଣ୍ଣ ପ୍ରତିମା । ସୁତ - ପାରଦ । ଚଣ୍ଡୀ - ମାନିନୀ ସ୍ତ୍ରୀ । ସ୍ୱରୂପା - ଉତ୍ତମା ରୂପା ।
୯ମ ପଦ :- ‘‘ଜଗଜ୍ଜନମୋହିନୀ ସୀତାଙ୍କୁ ସେହି ବନମଧ୍ୟରେ ଦେଖି, ‘ଏହା ନିଶ୍ଚୟ ଗୋଟିଏ ସୁବର୍ଣ୍ଣ ପ୍ରତିମା’ ଏହି ଭ୍ରମ ଧାରଣା ମୋର ମନରେ ଜାତ ହେଲା, କିନ୍ତୁ ବିରହ ପାରଦର ସଂଯୋଗରୁ ସେ ଉତ୍ତମ ରୂପା ପରି ଦେଖାଯାଉ ଥିଲେ । ବାମ ହସ୍ତକୁ ଗଣ୍ଡଦେଶରେ ସ୍ଥାପନ କରି ବସିଥିବାରୁ କୋପନା ସ୍ତ୍ରୀ ପରି ମଧ୍ୟ ଦେଖାଯାଉଥିଲା ।’’
୧୦ମ ପଦ :- ବିଷମଶର-କନ୍ଦର୍ପ । ବ୍ୟାଧ-ବାଣୁଆ । ପୃଙ୍ଖ-ଶରର ପଶ୍ଚଭାଗସ୍ଥ ପକ୍ଷଯୁକ୍ତ ଅଂଶ । କ୍ଷତକ-ରକ୍ତ ।
୧୦ମ ପଦ :- ‘ବଣୁଆଁ ଜଳଘାଟରେ ଜଗି ହରିଣୀକୁ ଶର ମାରିଲାପରି ବାଣୁଆଁ କନ୍ଦର୍ପ ତାହାଙ୍କର ବିଯୋଗରୂପ ଛିଦ୍ରକୁ ଉଣ୍ଡି ଶର ପ୍ରହାର କରୁଥିଲା । ବାଣୁଆର ଶର ମୃଗ ଦେହରେ ଗଳିଗଲେ ସେପରି ସେହି ଶରର ପଶ୍ଚାଭାଗସ୍ଥ ପକ୍ଷଯୁକ୍ତ ଅଂଶ ଦେଖାଯାଉଥାଏ ଏବଂ ସେହି ସ୍ଥାନରୁ ରକ୍ତ ବହୁଥାଏ, ତାଙ୍କର ଲୋତକ ଜର୍ଜ୍ଜରିତ ଉତ୍ପକ୍ଷ୍ମ ଲୋଚନ ଦୁଇଟି ସେହିପରି ଦେଖାଯାଉଥିଲା ।’’
ବିଚାରିଲି ଏ ଚିତ୍ରପ୍ରତିମା ପୁନଃ ।ବିଧାତା କେତେ କଳ୍ପି କଲା ଲେଖନ ଯେ ।ବାୟୁସଂଯୋଗେ ସାର୍ଥ ପ୍ରଦ୍ମିନୀପଦ ।ବିତରଣ କୁସୁମ ସ୍ୱେଦ ମରନ୍ଦ ଯେ ।୧୧ ।ବଚନେ ଆଣେ ଅବା ଈଶ ସେ ଈଶୀ ।ବାରି ନୁହଇ ଯେଣୁ ବିଗତ ଶଶୀ ଯେ ।ବିହରୁଅଛି ଭିନ୍ନରୂପେ ପ୍ରଳୟ ।ବାଧିବାରୁ ସାର୍ତ୍ତ୍ୱିକ ସେ କ୍ଷୀଣକାୟ ଯେ ।୧୨ ।ବିରହିଣୀ ଏ ପୁରେ ଆଉ ସେ ବିନା ।ବାମା କିପାଇଁ ଥିବ କଲି କଳ୍ପନା ଯେ ।ବିରହିଣୀ ବା ଥିବ ଏ ଶୋଭା ପରି ।ବାର ବେନି ଭୁବନେ କାହିଁ ସୁନ୍ଦରୀ ଯେ ।୧୩ ।ବିଂଶତି ପାଣି ମିଳି ଏହି ସମୟ !ବିଚ୍ଛେଦନ କଲା ମୋ ଚିତ୍ତୁ ସଂଶୟ ଯେ ।ବିନତି ବିରଚନ ଉନ୍ନତି ତେଜି ।ବଧିରା ପରା ଧୀରା କଦା ନ ମଜ୍ଜି ଯେ ।୧୪ ।ବିହିଗଲା ସେ କଣ୍ଟ ମାସକେ ତୋର ।ବଲ୍ଲଭକୁ ଦେଖାଅ ନୋହିଲେ ମୋର ଯେ ।ବଲ୍ଲଭୀ ହେବୁ ଏଥି ସଂଶୟ ନାହିଁ ।ବ୍ରହ୍ମାଣ୍ଡେ ଅଧିକାରୀ ଅଟଇ ମୁହିଁ ଯେ ।୧୫ ।୧୧ଶ ପଦ :- ମରନ୍ଦ ପୁଷ୍କରସ - ମକରନ୍ଦ । ସ୍ୱେଦ -ଝାଳ ।
୧୧ଶ ପଦ :- ‘‘ମୁଁ ତାଙ୍କୁ ଦେଖି ପୁଣି ବିଚାରିଲି, ‘ଏ ଗୋଟିଏ ଚିତ୍ର ପ୍ରତିମା,’ ଏହାକୁ ବିଧାତା କେତେ ଯୁଗ କଳ୍ପନା କରି ଲେଖିଅଛି । ଅଥବା କେତେଜଣ ବିଧାତା ଏକତ୍ରିତ ହୋଇ କଳ୍ପନା କରି ଏହାକୁ ଲେଖିଅଛନ୍ତି । ପଦ୍ମଲତାକୁ ବାୟୁ ସ୍ପର୍ଶ କରି ଯେପରି ତାର ଫୁଲମାନଙ୍କୁ ସଞ୍ଚାଳିତ ଓ ସେହି ସେହି ପୁଷ୍ପସ୍ଥିତ ମକରନ୍ଦମାନଙ୍କୁ ଚତୁର୍ଦ୍ଦିଗରେ ବିକ୍ଷିପ୍ତ କରେ, ସେହିପରି ତାକୁ ଅସ୍ଥିର ଓ ଅଶ୍ରୁ ବିସର୍ଜନ କରୁଥିବାର ଦେଖି ଏ ଗୋଟିଏ ପଦ୍ମିନୀ ( ନାୟିକା ) ବୋଲି ସ୍ଥିର କଲି ।’’
୧୨ଶ ପଦ :- ‘‘ସୀତା ସେହି ସମୟରେ ‘ଇଶ’ ସ୍ୱାମୀଙ୍କ ନାମ ଉଚ୍ଚାରଣ କରୁଥିଲେ କି ଦୁଃଖହେତୁ ବସି ଇଶୀ ବୋଲି କହୁଥିଲେ, ତାହା ବୁଝା ପଡ଼ୁନଥିଲା । କାରଣ ତାଙ୍କ ଉଚ୍ଚାରିତ ଶବ୍ଦର ଶେଷ ବର୍ଣ୍ଣ ପରିଷ୍କାର ରୂପେ ବ୍ୟକ୍ତ ହେଉନଥିଲା । ପ୍ରଳୟ କାଳରେ ଚନ୍ଦ୍ର ଯେପରି ବିନାଶ ହୁଅନ୍ତି, ସେହିପରି ସେ କହୁଥିବା ଶବ୍ଦର ଶେଷ ଅକ୍ଷର ବିନାଶ ପ୍ରାପ୍ତ ହେବା ଦ୍ୱାରା ତାଙ୍କର କାମବିକାର ଜନିତ ପ୍ରଳୟାବସ୍ଥା ପ୍ରକାଶିତ ହେଉଥିଲା । ଅନବରତ କାମପୀଡ଼ାରେ ଜର୍ଜ୍ଜରିତ ହେଉଥିବାରୁ ତାଙ୍କ ଦେହ ଅତିଶୟ କ୍ଷୀଣ ହୋଇଥିଲା ।’’
୧୩ଶ ପଦ :- ବାରବେନିଭୁବନ - ଚତୁର୍ଦ୍ଦଶ ଭୁବନ ।
୧୩ଶ ପଦ :- ‘‘ମୁଁ ତାଙ୍କୁ ଦେଖି ଭାବିଲି, ଏହି ଲଙ୍କାପୁରରେ ସୀତାଙ୍କ ଭିନ୍ନ ଅନ୍ୟ ସ୍ତ୍ରୀ କାହିଁକି ବିରହିଣୀ ହୋଇଥିବ ? ବିରହିଣୀ ଅବା ଥାଇପାରନ୍ତି କିନ୍ତୁ ଏପରି ସୁନ୍ଦରୀ ତ ଚଉଦଭୁବନରେ ନ ଥିବେ, ଏଣୁ ଏହି ଶ୍ରେଷ୍ଠା ରମଣୀ ନିଶ୍ଚୟ ସୀତା ।’’
୧୪ଶ ପଦ :- ବଲ୍ଲଭ-ସ୍ୱାମୀ । ଉନ୍ନତି-ଗର୍ବ ।
୧୪ଶ ପଦ :- ‘‘ଏହି ସମୟରେ ରାବଣ ତାଙ୍କ ନିକଟରେ ଉପସ୍ଥିତ ହେବାରୁ ମୋର ସନ୍ଦେହ ତୁଟିଲା । କାରଣ ସେ ସ୍ୱୀୟଗର୍ବ ପରିତ୍ୟାଗ ପୂର୍ବକ ତାଙ୍କୁ ବିନୀତ ଭାବରେ ପ୍ରାର୍ଥନା କରିବାକୁ ଲାଗିଲା । ମାତ୍ର ସୀତା ତାହାର କଥା ଶୁଣି କାଲପରି ରହିଲେ ।’’
୧୫ଶ ପଦ :- ବଲ୍ଲଭ-ସ୍ୱାମୀ । ବଲ୍ଲଭୀ-ସ୍ତ୍ରୀ ।
୧୫ଶ ପଦ :- ସୀତା ରାବଣର କଥାରେ ଆଦର ପ୍ରକାଶ ନ କରିବାରୁ ସେ କଣ୍ଟ ଦେଇ କହିଲା, ଯଦି ଆଜିଠାରୁ ମାସକ ମଧ୍ୟରେ ତୋର ସ୍ୱାମୀକୁ ନ ଦେଖାଇବୁ ତାହା ହେଲେ ମୋର ସ୍ତ୍ରୀ ହେବୁ, ଏଥିରେ କିଛିମାତ୍ର ସନ୍ଦେହ ନାହିଁ । କାରଣ ମୁଁ ଜଗତର ପତିଅଟେ ତୋର ବା ପତି ନ ହେବି କାହିଁକି ?’’
ବ୍ରହ୍ମାଦି କେ ରଖିବ ଦେଖିବା ଦେଖି ।ବୋଇଲେ ଏତେ ନ ସହି ତା ସୁମୁଖୀ ଯେ ।ବଜ୍ରପାତକୁ ଡର କରି ଶାରଙ୍ଗ ।ବାରିଧର ଆଶାକୁ ଛାଡ଼ିଛି ଅଜ୍ଞାରେ ? ।୧୬ ।ବିହଗ କେତେ ନାହିଁ କେ ପାରେ ଭକ୍ଷି ।ବହ୍ନିକଣକୁ ଯଥା ଚକୋର ପକ୍ଷୀ ଯେ ।ବଧିବି ନିଶ୍ଚେ ଥାଅ ଅଳ୍ପ ଦିବସ ।ବୀରକେଶ ଆଉଁଷି ଗଲା ରାକ୍ଷସ ଯେ ।୧୭ ।ବିସ୍ମୟ ଶୁଣି ରାମ ଶ୍ୱାସ ପକାଇ ।ବୋଇଲେ ମୁଁ ସୁଧାଂଶୁ ହୃଦୟସ୍ଥାୟୀ ଯେ ।ବୋଧକର ଆସର ରାମାରେ ହେଲା ।ବିହି ଜୀବନେ ଥାଉଁ କି ଶୁଣାଇଲା ଯେ ? ।୧୮ ।ବାଞ୍ଛା ନତାନଚ ସରଣୀ ଧୀବର ।ବେଗେ ହେବାକୁ ଦୀପ୍ତି କରି ମୟୂର ଯେ ।ବସି ମଧ୍ୟେ ଗ୍ରୀଷମ ରଚନାବଳେ ।ବରଦ ଗାତ୍ରପାତ ସ୍ୱନାମେ କଲେ ଯେ ।୧୯ ।ବିଳସେ ହାସ ମାନସରେ ଯେସନ ।ବିରଚି କରିଥିଲି ସିନା ପ୍ରସନ୍ନ ଯେ ।ବାଟତ ଦେଖାଇଲୁ ଏଥି ଉତ୍ତାରୁ ।ବିଧାନ କହ କି କହିଛି ରମ୍ବୋରୁ ଯେ ।୨୦ ।୧୬ଶ ପଦ :- ଶାରଙ୍ଗ - ଚାତକ । ବାରିଧର - ମେଘ । ଅଜ୍ଞ - ମୁର୍ଖ ।
୧୬ଶ ପଦ :- ‘‘ଦେଖିବା, ବ୍ରହ୍ମା ପ୍ରଭୃତି ଦେବତାମାନଙ୍କ ମଧ୍ୟରୁ କେଉଁ ଦେବତା ତୋତେ ରକ୍ଷା କରିବ । ରାବଣର ଏହିସବୁ କଥା ସହିନପାରି ସୁବଦନୀ ସୀତା କହିଲେ, ‘ରେ ଦୁର୍ବୁଦ୍ଧି ! ଚାତକପକ୍ଷୀ ବଜ୍ରପାତକୁ ଡରି କେବେ ହେଲେ ମେଘଠାରୁ ଆଶା ତ୍ୟାଗ କରିଛି କି’ ? ( ସେହିପରି ମୁଁ ତୋତେ ଡରି ରାମଙ୍କଠାରୁ ଆଶା ତ୍ୟାଗ କରିନପାରେ ) ।’’
୧୭ଶ ପଦ :- ବିହଗ - ପକ୍ଷୀ । ବହ୍ନିକଣ - ଅଗ୍ନିକଣା । ବୀରକେଶ - ନିଶ ।
୧୭ଶ ପଦ :- ‘‘ଏହି ଜଗତରେ କେତେ ବା ପକ୍ଷୀ ନାହାଁନ୍ତି; କିନ୍ତୁ ଚକୋର ଯେପରି ଅଗ୍ନିକଣାକୁ ଭକ୍ଷଣ କରେ ସେହିପରି ଅନ୍ୟ କୌଣସି ପକ୍ଷୀ କରିପାରେ କି ? ରାମଙ୍କ ବ୍ୟତୀତ ସୀତା ଅନ୍ୟର ଭୋଗ୍ୟ ହୋଇନପାରେ ।’’ ସୀତାଙ୍କଠାରୁ ଏହି କଥାଶୁଣି, ଆଉ ଅଳ୍ପଦିନ ରହ ମୁଁ ନିଶ୍ଚୟ ତୋତେ ବଧ କରିବି । ଏହିକଥା ରାବଣ କହି ନିଶ ଆଉଁଷି ବାହାରିଗଲା ।’’
୧୮ଶ ପଦ :- ସୁଧାଂଶୁ-ଚନ୍ଦ୍ର । ବୋଧକର-ଚାଟୁକାର । ଆସର-ରାକ୍ଷସ ।
୧୮ଶ ପଦ :- ରାମଚନ୍ଦ୍ର ହନୁମାନଠାରୁ ଏହିସବୁ କଥା ଶୁଣି ବିସ୍ମିତ ହୋଇ ଦୀର୍ଘନିଶ୍ୱାସ ପରିତ୍ୟାଗ ପୂର୍ବକ କହିଲେ, ‘‘ମୁଁ ଚନ୍ଦ୍ରଙ୍କର ହୃଦୟ ସ୍ଥିତ କଳଙ୍କ ପରି ସୂର୍ଯ୍ୟବଂଶର ଏକମାତ୍ର କୁଳକଳଙ୍କ ଅଟେ । କାରଣ ମୁଁ ଜୀବନରେ ଥାଉଁ ଥାଉଁ ନଗଣ୍ୟ ରାକ୍ଷସ ମୋର ସ୍ତ୍ରୀ ନିକଟରେ ପ୍ରଣୟ ପ୍ରାର୍ଥନା କରୁଅଛି । ଆହା ! ବିଧାତା ମୋତେ କଣ ନ ଶୁଣାଗଲା ।’’
୧୯ଶ ପଦ :- ନତାନତ-ବନ୍ଧୁର, ଅର୍ଥାତ୍ ବିପଦସଂକୁଳ । ସରଣୀ-ମାର୍ଗ । ଧୀବର-ବୁଦ୍ଧିମାନ୍ । ଗାତ୍ର-ଦେହ । ମୟୂର-ସୂର୍ଯ୍ୟ କିରଣର ।
୧୯ଶ ପଦ :- ବୁଦ୍ଧିମାନ ଲୋକ ବିପଦସଂକୁଳ ସଂସାର ପଥକୁ ଅତିକ୍ରମ କରିବା ଆଶାରେ ଇଚ୍ଛାନୁସାରେ ଅତିଶୀଘ୍ର ଚତୁର୍ଦିଗରେ ପ୍ରଜ୍ୱଳିତ ଅଗ୍ନି ସ୍ଥାପନ ପୂର୍ବକ ମଧ୍ୟରେ ବସି ତପସ୍ୟା କଲାପରି, ବୁଦ୍ଧିମାନ ରାମଚନ୍ଦ୍ର ପ୍ରିୟା ରହିଥିବା ସ୍ଥାନ ପ୍ରତି ପଡ଼ିଥିବା ବିପଦସଂକୁଳ ମାର୍ଗକୁ ଅତିଶୀଘ୍ର ଅତିକ୍ରମ କରିବା ଇଚ୍ଛାପୋଷଣ ପୂର୍ବକ ଗ୍ରୀଷ୍ମକାଳୀନ ସୂର୍ଯ୍ୟ କିରଣ ତୁଲ୍ୟ ତେଜସ୍ୱୀ ସେନାପତିମାନଙ୍କ ମଧ୍ୟରେ ବସି ମନେ ମନେ ପ୍ରତିଜ୍ଞା କଲେ, ମୁଁ ନିଜର ଚାତୁରୀ ବଳରେ ସୀତାଙ୍କୁ ଉଦ୍ଧାର କରିବି ନଚେତ୍ ତାଙ୍କ ନାମ ଗୁଣି ଗୁଣି ମରିବି ।’
୨୦ଶ ପଦ :- ମନେ ମନେ ଏହିପରି ପ୍ରତିଜ୍ଞା କରିସାରି ରାମଚନ୍ଦ୍ର କହିଲେ, ‘‘ହେ ହନୁମାନ ! ହଂସ ଯେପରି ମାନସରୋବରରେ କ୍ରୀଡ଼ା କରି ଆନନ୍ଦିତ ହେଉଥାଏ, ମୁଁ ସେହିପରି ମନେ ମନେ ସୀତାଙ୍କର ସେବା କରି ଆନନ୍ଦିତ ହେଉଥିଲି । ବର୍ତ୍ତମାନ ତୁ ତ ତାଙ୍କ ନିକଟକୁ ଯାଇ ସେବା କରିବାକୁ ବାଟ ଦେଖାଇଲୁଣି । ଆଉ ସେହି ମାନସିକ ସେବା କାହିଁକି କରିବି ? ତାଙ୍କ ନିକଟକୁ ଯିବାକୁ ହେଲେ ମୋତେ କଣ କଣ କରିବାକୁ ହେବ ବୋଲି ସେହି ସୀତା କହିଛନ୍ତି, ତାହା ପ୍ରକାଶ କର ।’’
ବୋଲେ କର କୋରକ କରି ମାରୁତି ।ବିନାଶ ହେଲା ଏହି ସମୟେ ରାତି ଯେ ।ବୃଦ୍ଧଗଣ୍ଡୁକୀସ୍ମାନେ ଏକା ସଞ୍ଚରି ।ବେଶ ମହିଳାମଣି ମହୀକି କରି ଯେ ।୨୧ ।ବକ୍ଷକୁ ଅଶ୍ରୁଧାରା ହାରକୁ ଦେଇ ।ବାନ୍ଧି ଜବାଚରଣେ ଗଭାକୁ ନେଇ ଯେ ।ବିଳସେ ଫାଶ ଭୃଙ୍ଗ ଭୃଙ୍ଗୀନିକର ।ବାଜେଣୀବଳା ପରଦାନ ପ୍ରକାର ଯେ ।୨୨ ।ବିଶ୍ରାମୁଁ କୃଷ୍ଣସାର ତଳରେ ଲେକ୍ଷେ ।ବାଳକ କୃଷ୍ଣସାର ତଳର ନେତ୍ରା ଅବଶେ ଯେ ।ବିସ୍ତାରୁ ତବ ନାମ ଥାଇ ନଗରବିନ୍ଧିଲା ପ୍ରାୟ କୃଷ୍ଣ ସାର ସଶର ଯେ ।୨୩ ।ବିସୋଉଁ ଯେ ସାରଙ୍ଗ ଯଥା କମଳେ ।ବିଳସାଇଲେ ଦୃଷ୍ଟି ନଭେ ଚଞ୍ଚଳେ ଯେ ।ବଚନ ରଚନ କେ ସୁଧା ସିଞ୍ଚିଲା ।ବନପ୍ରିୟ ତା ଶୁଣି ଧ୍ୱନି ମୁଞ୍ଚିଲା ଯେ ।୨୪ ।ବ୍ୟକ୍ତ ପରତେ ଦୃଶ୍ୟ ମୁକୁଟ କୂଟବିଚାରି ନ ପଚାରି ବାର୍ତ୍ତ ପ୍ରକଟ ଯେ ।ବ୍ୟବହାର ନ କରୁଁ ଦେଲି ମୁଁ ମୁଦି ।ବିଧୁ ହୋଇ ଫୁଟାଇ କୁମୁଦହୁଦି ଯେ ।୨୫ ।
୨୧ଶ ପଦ :- କର କୋରକ କରି - ହାତ ଯୋଡ଼ି ବା କୃତାଞ୍ଜଳି ପୁଟରେ । ମାରୁତି - ହନୁମାନ । ସଞ୍ଚରି - ଯାଇ । ମହୀଳାମଣି - ନାରୀରତ୍ନ ସୀତା । ମହୀକି - ପୃଥିବୀକୁ ।
୨୧ ଓ ୨୨ ପଦ :- ହନୁମାନ ହାତ ଯୋଡ଼ି କହିଲା, ‘‘ଏହି ସମୟରେ ରାତି ପାହି ଯିବାରୁ ସୀତା ସ୍ନାନ କରିବା ପାଇଁ ବୃଦ୍ଧଗଣ୍ଡକୀ ନଦୀକୁ ଏକାକିନୀ ଗମନ କଲେ । ତାଙ୍କ ଗମନରେ ପୃଥିବୀ ସୁବେଶ ହେଲା ପରି ଦେଖାଗଲେ । କାରଣ ସୀତା ତାହାଙ୍କର ଅନବରତ ପ୍ରବାହିତ ଅଶ୍ରୁଧାରା ରୂପ ମୁକ୍ତାମାଳାକୁ ପୃଥିବୀ ଦେବୀଙ୍କର ବକ୍ଷରେ ଲମ୍ବାଇ ଦେଲେ ଓ ସ୍ୱୀୟ ବରଣ ରୂପ ସୀତାଙ୍କର ଅଙ୍ଗ ଗନ୍ଧ ଲୋଭରେ ନିକଟକୁ ଆସି ଗୁଣୁ ଗୁଣୁ ଶବ୍ଦ ପ୍ରକାଶ କରି ଘୁରୁଥିବା ଭ୍ରମରମାନଙ୍କୁ ବାଜେଣୀ ବଳା କର ପୃଥିବୀ ଦେବଙ୍କୁ ଅର୍ପଣ କଲେ । ( ଅର୍ଥାତ୍ ସ୍ନାନ କରିବାକୁ ଗଲାବେଳେ ମଧ୍ୟ ସେ କାନ୍ଦୁ ଥିଲେ ) ।’’
୨୩ଶ ପଦ :- ବାଳକକୃଷ୍ଣ ସାରନେତ୍ରା - ଶିଶୁ କୁରଙ୍ଗୀନୟନା । ଅବଶେ - ଦୁର୍ବଳତା ହେତୁ । କୃଷ୍ଣସାର - ଶିଂଶୁପାବୃକ୍ଷ । ନଗ - ବୃକ୍ଷ । କୃଷ୍ଣ - କନ୍ଦର୍ପ । ସାରସଶର - ପଦ୍ମପୁଷ୍ପ ଶର ।
୨୩ଶ ପଦ :- ‘‘ସେହି ବାଳମୃଗାକ୍ଷୀ ସୀତା ଶିଂଶୁପାବୃକ୍ଷ ମୂଳରେ କିଛିକ୍ଷଣ ଦୁର୍ବଳତା ହେତୁ ବିଶ୍ରାମ କରନ୍ତେ ମୁଁ ସେହି ବୃକ୍ଷ ଉପରେ ଥାଇ ତୁମ୍ଭର ନାମ ଉଚ୍ଚାରଣ କଲି । ସେ ତାହା ଶୁଣି କନ୍ଦର୍ପର ପଦ୍ମଶର ଦ୍ୱାରା ବିଦ୍ଧ ହେଲାପରି ଛନ୍ନ ଛନ୍ନ ହୋଇ ଉଠିଲେ ।’’
୨୪ଶ ପଦ:- ସାରଙ୍ଗ- ଭ୍ରମରମାନେ । କମଳେ – ପଦ୍ମରେ । ନଭେ -ଆକଶରେ । ସୁଧା – ଅମୃତ । ବନପ୍ରିୟ କୋକିଳ ।
୨୪ଶ ପଦ:- ‘‘ଭ୍ରମର ପଦ୍ମ ମଧ୍ୟରେ ବିଶ୍ରାମ କଲେ ପଦ୍ମ ଯେଉଁ ଶୋଭାକୁ ଧାରଣ କରେ, ସୀତା ସେହିପରି ନିଜର ନେତ୍ର ଦୁଇଟିକୁ ଆକାଶରେ ଖେଳାଇଲେ ଏବଂ କହିଲେ, ‘କିଏ ମୋ କାନରେ ଅମୃତ ଢାଳିଲା ?’ ତାଙ୍କର ସେହି କଥା ଶୁଣି କୋକିଳ ତାର ରାବ ବନ୍ଦ କରି ଦେଲା ।’’
୨୫ଶ ପଦ :- ‘‘ମୁଁ ତାଙ୍କୁ ଦେଖା ଦିଅନ୍ତେ ସେ ମୋର ମୁକୁଟକୁ ଦେଖି ‘ଏ ସେହି ପ୍ରତାରକ ରାବଣ’ ବୋଲି ବିଚାରି ମୋତେ କୌଣସି କଥା ପ୍ରକାଶ୍ୟ ଭାବରେ ପଚାରିନଥିଲେ । ମୁଁ ତାଙ୍କ ମନରୁ ସେହି ସନ୍ଦେହକୁ ଦୂର ନ କରି ହଠାତ୍ ଆପଣ ଦେଇଥିବା ସେହି ମୁଦ୍ରିକାଟି ପ୍ରଦାନ କରିଥିଲି । ଚନ୍ଦ୍ର କୁମୁଦକୁ ପ୍ରଷ୍ଫୁଟିତ କଲାପରି ସେହି ମୁଦି ତାଙ୍କରି ହୃଦୟ କୁମୁଦକୁ ପ୍ରଷ୍ଫୁଟିତ କଲା ଅର୍ଥାତ୍ ମୁଦିଟି ପାଇ ସେ ଅତିଶୟ ଆନନ୍ଦିତା ହେଲେ ।’’
ବିନ୍ଧ୍ୟଶୃଙ୍ଗ ଉଦୟ ତରଣି ପରି ।ବକ୍ଷୋଜ ପରେ ଆଗ କରି ତା ଧରି ଯେ ।ବୋଲି ଦେଲେ ସୁମୁହୀଁ ଅନ୍ତର ମୁହିଁ ।ବିଭୁ ଶ୍ରୀକର କିପାଁ ଛାଡ଼ିଲୁ ତୁହି ରେ ।୨୬ ।ବାରିପୂର୍ଣ୍ଣତା କୁମ୍ଭେ ଇଚ୍ଛି ତ୍ୱରିତ ।ବୋଇଲେ କହ କି କଥନ ଗୁପତ ଯେ ।ବ୍ୟାଖ୍ୟାନ କଲି ମୁହିଁ ଦ୍ରୋଣ ଚରିତ ।ବନାଲକ୍ତକ ଚିତ୍ର ଭାବ ଯେମନ୍ତ ଯେ ।୨୭ ।ବରଚତୁରୀ ଭାଷେ ଯେ ପ୍ରଭୁ ରୂପ ।ବିଶେଷରେ ଧ୍ୱଂସିଲା ମୁନିଙ୍କ ତପ ଯେ ।ବରଦ ହେଲେ ଜନ୍ମାନ୍ତରେ ସଙ୍ଗତି ।ବିଜନ୍ୟ ଭାବ ମୋର କେଡ଼େ ପୀରତି ଯେ ।୨୮ ।ବିସର୍ଜି ନାହିଁ ପ୍ରାଣ ଏହି ମୋ କାମ ।ବ୍ୟର୍ଥ ନୋହିବ ମଧୁଶଯ୍ୟା ନିୟମ ଯେ ।ବୋଲିବ ମନ ମୋର ସେହି ମୋହନେ ।ବଶ ହୋଇଛି ଏକା ରଜନୀ ଦିନେ ଯେ ।୨୯ ।ବିବୁଧ ନୋହେ ପାନ କରି ପୀୟୂଷ ।ବିଭୋଗେ ଇକ୍ଷୁରସେ ହେବାକୁ ବଶ ଯେ ।ବନଜିନୀ ବୋଲାଇ ସେ ରାତି ନାହିଁ ।ବିଭାବସୁରେ ପ୍ରୀତି ମଧୁପେ ସ୍ନେହୀ ଯେ ।୩୦ ।
୨୬ଶ ପଦ :- ‘‘ସୀତା ସଙ୍ଗେ ସଙ୍ଗେ ମୁଦିକୁ ଧରି ସ୍ତନର ଉପରିଭାଗକୁ ଉଠାଇ ନେଲେ । ସୂର୍ଯ୍ୟ ଉଦୟ ହୋଇ ବିନ୍ଧ୍ୟ ପର୍ବତର ସଙ୍ଗକୁ ଆଶ୍ରୟ କଲେ, ଯେପରି ଶୋଭା ପ୍ରକାଶିତ ହୁଏ, ସେହି ମୁଦି ତାଙ୍କର ସ୍ତନ ଉପରେ ରହି ସେହିପରି ଶୋଭା ପ୍ରକାଶିତ କରାଇଲା । ସୁବଦନା ସୀତା ସେହି ମୁଦିକୁ ଚାହିଁ କହିଲେ, ‘ମୁଁ ସିନା ମୋର ନିଜ ଦୋଷରୁ ପ୍ରଭୁଙ୍କଠାରୁ ଅନ୍ତର ହେଲି, ତୁ କାହିଁକି ତାଙ୍କର ଶ୍ରୀକର ଛାଡ଼ି ଆସିଲୁ ?’’
୨୬ଶ ପଦ :- ଦ୍ରୋଣଚରିତ - କାକ ଚରିତ । ବନା ଲକ୍ତକ ଚିତ୍ର - ଗେରୁଚିତ୍ର ।
୨୬ଶ ପଦ :- ‘‘ଲୋକମାନେ ଶୁଭ ପ୍ରଶ୍ନ କରିବା ସମୟରେ ପୂର୍ଣ୍ଣକୁମ୍ଭ ସ୍ଥାପନ କରିଥାନ୍ତି । ସୀତା ସେହି ପୁର୍ଣ୍ଣକୁମ୍ଭ ସ୍ଥାପନ କରିବା ଇଚ୍ଛାରେ ତାଙ୍କର ସ୍ତନରୂପ କୁମ୍ଭଦ୍ୱୟକୁ ହଠାତ୍ ଅଶ୍ରୁ ଜର୍ଜରିତ କରି ମୋତେ କହିଲେ, ‘ପ୍ରଭୁ କି ଗୁପ୍ତ କଥା କହିଛନ୍ତି କହ ।’ ତହୁଁ ମୁଁ ସେହି କୁଆର ବିଷୟ ବର୍ଣ୍ଣନା କଲି ଏବଂ ସେହି ଗୈରିକ ଚିତ୍ରକୁ ଦେଖି ଯେଉଁ ଭାବ ତୁମ୍ଭ ଦୁହିଁଙ୍କର ଜନ୍ମିଥିଲା ତାକୁ ମଧ୍ୟ ବର୍ଣ୍ଣନା କଲି ।’’
୨୮ଶ ପଦ :- ‘‘ଚତୁରୀ ସୀତା କହିଲେ, ପ୍ରଭୁ ରାମଚନ୍ଦ୍ରଙ୍କର ରୂପକୁ ଦେଖି ମୁନିମାନଙ୍କର ତପସ୍ୟା ଭଗ୍ନ ହେବାରୁ, ରାମଚନ୍ଦ୍ର ସେମାନଙ୍କୁ ବରପ୍ରଦାନ କରି କହିଥିଲେ କି, ଅନ୍ୟ ଜନ୍ମରେ ତୁମ୍ଭମାନଙ୍କର ମୋ ସହିତ ମିଳନ ହେବ । କିନ୍ତୁ ମୋ ସହିତ ଏହି ଜନ୍ମରେ ପୁନର୍ବାର ମିଳନ ହେବ ବୋଲି ଯାହା ଇଚ୍ଛା ପ୍ରକାଶ କରିଅଛନ୍ତି, ତାହାହିଁ ମୋର ଅତିଶୟ ଭାଗ୍ୟର ବିଷୟ ।’’
୨୯ଶ ପଦ :- ‘‘ପୁନର୍ବାର କହିଲେ, ସେ ମଧୁଶଯ୍ୟା ଗୃହରେ କରିଥିବା ନିୟମ କଦାପି ବ୍ୟର୍ଥ ହେବ ନାହିଁ, ଏହି କଥା ମୋର ମନରେ ନିଶ୍ଚୟ କରି ମୁଁ ଏ ପର୍ଯ୍ୟନ୍ତ ପ୍ରାଣତ୍ୟାଗ କରି ନାହିଁ । (ସେ ନିୟମ କରିଥିଲେ ଯେ, ମୋ ବ୍ୟତୀତ ଅନ୍ୟ ସ୍ତ୍ରୀ ମୁଖ ଚାହିଁବେ ନାହିଁ । ମୁଁ ମଲେ ସେ ଏହି ନିୟମ ପାଳିବା ଦ୍ୱାରା ବଡ଼ କଷ୍ଟ ପାଇବେ) । ହେ ହନୁମାନ ! ତୁମ୍ଭେ ମୋହନ ରାମଚନ୍ଦ୍ରଙ୍କୁ କହିବ, ମୋର ମନ ଦିନ ରାତି (ସବୁବେଳେ) ତାଙ୍କର ଅଧିନ ହୋଇ ରହିଛି ।’’
୩୦ଶ ପଦ :- ବିବୁଧ - ଦେବତା । ପୀୟୁଷ - ଅମୃତ । ବନଜିନୀ - ପଦ୍ମିନୀ । ବିଭାବସୁ - ସୂର୍ଯ୍ୟ । ମଧୁପ - ଭ୍ରମର, ମଦ୍ୟପାୟୀ ।
୩୦ଶ ପଦ :- ‘‘ଦେବତାମାନେ ଅମୃତ ପାନ କଲା ପରେ ଆଖୁରସ ପାନ କରିବାରେ ଆସକ୍ତ ହୋଇଥାନ୍ତି, ମାତ୍ର ମୁଁ ସେ ଦେବତାମାନଙ୍କ ପରି ନୁହେଁ ଯେ, ରାମଚନ୍ଦ୍ରଙ୍କୁ ପରିତ୍ୟାଗ କରି ଅନ୍ୟ ଲୋକପ୍ରତି ଆସକ୍ତ ହେବାକୁ ଇଚ୍ଛୁକ ହେବି । ପଦ୍ମିନୀ ସୂର୍ଯ୍ୟଙ୍କ ସହିତ ରତି କରି ସୁଦ୍ଧା ଭ୍ରମର ପ୍ରତି ଆକୃଷ୍ଟ ହୋଇଥାଏ, ମାତ୍ର ମୁଁ ପଦ୍ମିନୀ ଜାତୀୟା ସ୍ତ୍ରୀ ହେଲେ ସୁଦ୍ଧା ସେପରି ଆଚରଣକୁ ପସନ୍ଦ କରେନାହିଁ । ଏଣୁ ସୂର୍ଯ୍ୟବଂଶୀୟ ରାମଙ୍କ ସହ ପ୍ରୀତି କରି ‘ମଧୁପ’ ମଦୁଆ ରାବଣପ୍ରତି କଦାପି ଆକୃଷ୍ଟ ହେବି ନାହିଁ ।’’
ବୁଝାଇ ଏହା ଘେନିଆସ ଝଟତି ।ବୀର ବିରୋଧି ବଧି ରଖନ୍ତୁ କୀର୍ତ୍ତି ଯେ ।ବିକଳ୍ପ ଥିଲେ ଦେବି ଅନଳେ ଝାସ ।ବିହନ୍ତି ଜନେ ଝାସ ଲାଗନ୍ତେ ଦୋଷ ଯେ ।୩୧ ।ବେଦନା ନିବେଦନା କଲେ ଯେତେକ ।ବେଦପରାୟେ ହେବ କହୁଁ ରାସ୍ତକ ଯେ ।ବୋଲି ସେ ଶିରୋମଣି ଦେଲେ ମୋ କରେ ।ବାସାଞ୍ଚଳୁ ଫିଟାଇ ଦେଲା ସତ୍ୱରେ ଯେ ।୩୨ ।ବକ୍ଷେ ଥୋଇଲେ ଘେନି ମଣିଯନ୍ତ୍ରକୁ ।ବିଧିରେ ଜପୁଥିଲେ ନାମ ମନ୍ତ୍ରକୁ ଯେ ।ବାର୍ତ୍ତା-ଔଷଧ ଶ୍ରୁତି-ମୁଖରେ ପିଇ ।ବେଗେ ଚିନ୍ତାଜ୍ୱରକୁ ଶାନ୍ତି କରାଇ ଯେ ।୩୩ ।ବାଳୀ ନାମବାଳୀକି ସରାଗ ରଜ୍ଜୁ ।ବଶେ ଗୁନ୍ଥି ବଚନେ ସେକାଳେ ମଞ୍ଜୁ ଯେ ।ବାରିଜମୁଖୀ ନୀଳୋତ୍ପଳ ଇକ୍ଷଣା ।ବନ୍ଧୁକ ଅଧରୀ ପାଟଳୀଶ୍ରବଣା ଯେ ।୩୪ ।ବିମଳତିଳ ଫୁଲନାସା ଶୋଭିନୀ ।ବର୍ଣ୍ଣ ଚମ୍ପା ଶିରୀଷ ମୃଦୁଅଙ୍ଗିନୀ ଯେ ।ବଞ୍ଜୁଳାଙ୍ଗୁଳି ଜାତି ନଖତୀକ୍ଷଣା ।ବଚ ଉତ୍ପଳବାସୀ ଜବାଚରଣା ଯେ ।୩୫ ।
୩୧ଶ ପଦ :- ‘‘ହେ ହନୁମାନ । ତୁମ୍ଭେ ରାମଚନ୍ଦ୍ରଙ୍କୁ ଏହିସବୁ କଥା ବୁଝାଇ ଏଠାକୁ ଶୀଘ୍ର ଘେନିଆସ । ବୀର ରାମଚନ୍ଦ୍ର ତାଙ୍କର ଶତ୍ରୁ ରାବଣକୁ ମାରି କୀର୍ତ୍ତି ରଖନ୍ତୁ । ମୋର ସତୀତ୍ୱରେ ତାଙ୍କର ସନ୍ଦେହ ଥିଲେ, ମୁଁ ଅଗ୍ନିରେ ପ୍ରବେଶ କରି ସେ ସନ୍ଦେହ ମୋଚନ କରିବି । କାରଣ ଦୋଷୀ ଲୋକମାନେ ଅଗ୍ନିରେ ପ୍ରବେଶ କରି ପ୍ରାଣ ବିସର୍ଜନ କରନ୍ତି ।’’
୩୨ଶ ପଦ :- ବାସାଞ୍ଚଳୁ - ଲୁଗାକାନିରୁ ।
୩୨ଶ ପଦ :- ‘‘ସୀତା ଏହିପରି ତାଙ୍କର ଯେତେ ମନୋବେଦନା ପ୍ରକାଶ କଲେ, ସେ ସମସ୍ତ ଲେଖିଲେ ବେଦପରି ଖଣ୍ଡିଏ ପୁସ୍ତକ ହେବ । ସେ ସମସ୍ତ କଥା କହିସାରିବା ପରେ ଏହି ମଥାମଣିଟି ମୋ ହସ୍ତରେ ଦେଲେ ।’’ ଏହା କହି ହନୁମାନ ମଥାମଣିଟି ଲୁଗା କାନିରୁ ଫିଟାଇ ସଙ୍ଗେ ସଙ୍ଗେ ରାମଚନ୍ଦ୍ରଙ୍କ ହସ୍ତରେ ଦେଲା ।
୩୩ଶ ପଦ :- ବ୍ୟାଧିଗ୍ରସ୍ତ ଲୋକ ଯେପରି ମନ୍ତ୍ର, ଯନ୍ତ୍ର, ଔଷଧ ଏହି ତିନିପ୍ରକାର ଉପାୟରେ ରୋଗ ଶାନ୍ତି କରାଏ, ରାମଚନ୍ଦ୍ର ସେହିପରି ଆଗରୁ ତ ସୀତାଙ୍କର ନାମକୁ ଜପୁଥିଲେ, ବର୍ତ୍ତମାନ ସେହି ମଥାମଣିକୁ ଯନ୍ତ୍ର ମନେକରି ବକ୍ଷସ୍ଥଳରେ ସ୍ଥାପନ ପୂର୍ବକ ଏବଂ ହନୁମାନଠାରୁ ତାଙ୍କର ବାର୍ତ୍ତାରୂପ ଔଷଧକୁ କାନରୂପ ମୁଖରେ ପାନ କରି କଷ୍ଟଦାୟକ ଚିନ୍ତା ଜ୍ୱରକୁ ଶାନ୍ତି କଲେ ।
୩୪ଶ ୩୫ଶ ପଦ :- ଯେପରି ମାଳୀ, ଆଦର ସହିତ ପଦ୍ମ, ନୀଳକଇଁ ବଧୁଲୀ, ପାଟଳୀ, ରାଶିଫୁଲ, ଚମ୍ପା, ଶିରୀଷ, ଅଶୋକ, ଜାଈ, କଇଁ ବା ପଦ୍ମ, ମନ୍ଦାର ପ୍ରଭୃତି ଫୁଲମାନଙ୍କୁ ଅତି ସୁନ୍ଦର ଭାବରେ ସୂତାରେ ଗୁନ୍ଥେ, ସୀତାଙ୍କର ସମସ୍ତ ବାର୍ତ୍ତା ଶୁଣି ଶାନ୍ତ ହେଲାପରେ ରାମଚନ୍ଦ୍ର ସେହିପରି ବନ୍ଧୁକ ଅଧୁରା ପ୍ରଭୃତି ନାମମାନଙ୍କୁ ଉଚ୍ଚାରଣ କରି ନିଜର ସ୍ନେହରୂପ ସୂତାରେ ଗୁନ୍ଥିଲେ, ଏଣୁ ମନେହୁଏ ସେ କଣ ଜଣେ ମାଳୀ କି ? ।
ବିଷାଦେ ହର ହର ଶୁଣି ଉଚ୍ଚାରି ।ବପୁରେ ଗଲା ରୋମ ଅଙ୍କୁର ପୂରି ଯେ ।ବିଶେଷ ସ୍ନେହ ପୁନଃ ହୋଇଲେ କହି ।ବରସୁନ୍ଦରୀ ଥିଲି କି ଯୋଗେ ପାଇ ଯେ ।୩୬ ।ବାଳାହିଁ ଗୁରୁସ୍ନେହୀ ଝୀନବସନେ ।ବିଦୁର କରୁଥାଇ ମୋ ଆଲିଙ୍ଗନେ ଯେ ।ବାରିରେ ବାରି ପରି ମୋ ଅଙ୍ଗେ ମିଶି ।ବୋଳି ହେଲା କୁସୁମ ପ୍ରାୟ ମୁଁ ଦିଶି ଯେ ।୩୭ ।ବର୍ଣ୍ଣକେ ସିନା ମାତ୍ର ରହଇ ଭେଦ ।ରସିବା କାଳେ କାଳେ ଶିବସମ୍ପଦ ଯେ ।ବିଭେଦ ନ ଥାଇ ତ ବିଷ୍ଣୁ ଶିରୀରେ ।ବିଭୋଗୀ ହୋଇଥିଲି ବେନି ପରିରେ ଯେ ।୩୮ ।ବାଳା ଅନୁସରଣେ ସ୍ୱତଃ ମୁଁ ଛାଇ ।ବକ୍ର ପଦ ଚୁମ୍ବନେ ଭ୍ରମର ହୋଇ ଯେ ।ବ୍ରହ୍ମାନିଶା ଅଭାଗ୍ୟ କାହୁଁ ଘୋଟିଲା ।ବେନି କଥା ଏ ଘେନି ଅନ୍ତର ହେଲା ଯେ ।୩୯ ।ବ୍ରହ୍ମା ହେଲୁ ତୁ ଭାଗ୍ୟ ଭାନୁ ଉଦିତେ ।ବିଧାନ ହେବ ପ୍ରେମ ସୃଷ୍ଟି ତେମନ୍ତେ ଯେ ।ବୋଇଲା ହନୁମାନ ଅଶ୍ରୁ ପ୍ରଳୟ ।ବିଶୀର୍ଣ୍ଣ ହେଲା ଏବେ ତେଜ ସଂଶୟ ଯେ ।୪୦ ।ବରାହବର ଯୋଗେ ଧରାସୁନ୍ଦରୀ ।ବଳେ ବାରୀଶସ୍ଥଳୁଁ ଆଣି ଉଦ୍ଧରି ଯେ ।ବରଣ ଥିଲା ପୁରେ କେଳି ରଚିବ ।ବିଜୟ ଦୈତ୍ୟ ସ୍ୱତଃ କାହୁଁ ବଞ୍ଚିବ ଯେ ।୪୧ ।ବୟାଳିଶ ପଦରେ ଏ ଚମତ୍କାର ।ବୁଧେ ହେଳା ନ କରି ମନେ ବିଚାର ଯେ ।ବୋଲଇ ଉପଇନ୍ଦ୍ର ଭଞ୍ଜ ଏ ଗୀତ ।ବୈଦେହୀଶବିଳାସ ନାମ ଉଦିତ ଯେ । ୪୨।୩୬ଶ ପଦ :- ବିଷାଦ - ଦୁଃଖ । ବପୁ - ଦେହ ।
୩୬ଶ ପଦ :- ତତ୍ପରେ ‘ହେ ଶିବ ମୋର ଦୁଃଖ ହରଣ କର’ ଏହି ବାକ୍ୟ ଉଚ୍ଚାରଣ କରୁ କରୁ ତାଙ୍କର ଦେହର ଲୋମ ଟାଙ୍କୁରି ଉଠିଲା । ଏହି ସାତ୍ତ୍ୱିକ ବିକାର ଜାତ ହେବାରୁ ରାମଚନ୍ଦ୍ର ଅତିଶୟ ସ୍ନେହବଶତଃ ପୁନର୍ବାର କହିଲେ, ‘‘ମୁଁ କେଉଁ ପୁଣ୍ୟବଶରୁ ସେହି ସୁନ୍ଦରୀଶ୍ରେଷ୍ଠାକୁ ପାଇଥିଲି ?’’
୩୭ଶ ପଦ :- ଗୁରୁସ୍ନେହୀ - ଅତି ସ୍ନେହୀ ବା ଅତି ଅନୁରାଗବତୀ । ଝୀନ ବସନେ - ସୂକ୍ଷ୍ମ ବସ୍ତ୍ରରେ ବା ପତଳା ଲୁଗାରେ ।
୩୭ଶ ପଦ :- ‘‘ପ୍ରିୟା ପାତଳ ଲୁଗାକୁ ଅତିଶୟ ଆଦର କଲେ, କିନ୍ତୁ ମୁଁ ତାକୁ ଆଲିଙ୍ଗନ କଲେ, ସେହି ଆଦରଣୀୟ ଲୁଗାକୁ ମଧ୍ୟ ଦେହରୁ ଅନ୍ତର କରେ । ଜଳରେ ଜଳ ମିଶିଗଲା ପରି ମୋର ଦେହରେ ତାର ଦେହ ମିଶିଯାଏ । ଏଣୁ ସେହି ସମୟରେ ମୁଁ କୁଙ୍କୁମ ବୋଳି ହେଲା ପରି ଦିଶେ ।’’
୩୮ଶ ପଦ :- ‘‘ପ୍ରିୟା ମୋ କୋଳରେ ବସିବା ସମୟରେ ଆମ୍ଭ ଦୁହିଁଙ୍କର ଶୋଭା ଶିବ ପାର୍ବତୀଙ୍କର ଶୋଭାର ସହିତ ସମାନ ଦେଖାଯାଏ । କେବଳ ଏକମାତ୍ର ମୋର ବର୍ଣ୍ଣରେ ପ୍ରଭେଦ ରହିଯାଏ । (କାରଣ ମୁଁ ଦୁର୍ବାଦଳ ଶ୍ୟାମଳ, ଶିବ ରଜତ ଗୌର ଅଟନ୍ତି) । କିନ୍ତୁ ବିଷ୍ଣୁ ଓ ଲକ୍ଷ୍ମୀଙ୍କର ଯୁଗଳ ଶୋଭା ସହିତ ଆମ୍ଭ ଶୋଭାର କୌଣସି ମାତ୍ର ପ୍ରଭେଦ ଦେଖାଯାଏ ନାହିଁ । (କାରଣ ବିଷ୍ଣୁ ଓ ମୁଁ ଦୁହେଁ ଶ୍ୟାମଳ ବର୍ଣ୍ଣ ଅଟୁଁ) । ଅତଏବ ପାର୍ବତୀ ଓ ଲକ୍ଷ୍ମୀଙ୍କର ସମାନ ବର୍ଣ୍ଣା ସୀତାଙ୍କୁ ପାଇ ମୁଁ ଶିବ ଓ ବିଷ୍ଣୁଙ୍କ ପରି ଭୋଗୀ ହୋଇଥିଲି ।’’
୩୯ଶ ପଦ :- ‘‘ମୁଁ ମୋର ପ୍ରିୟାକୁ ଛାଇ ପରି ଅନୁସରଣ କରୁଥିଲି ଓ ତାର ମୁଖପଦ୍ମକୁ ଭ୍ରମର ପରି ଚୁମ୍ବନ କରୁଥିଲି, କିନ୍ତୁ ମୋର ଅଭାଗ୍ୟ ରୂପ ବ୍ରହ୍ମରାତ୍ରି କାହୁଁ ଘୋଟି ଆସି ସେହି ଦୁଇଗୋଟି କଥା ମୋଠାରୁ ଛଡ଼ାଇ ନେଲା ।’’
୪୦ଶ ପଦ :- ଭାନୁ-ସୂର୍ଯ୍ୟ । ଭାନୁଉଦିତ-ସୁଗ୍ରୀବ । ଅଶ୍ରୁ-ଲୋତକ ।
୪୦ଶ ପଦ :- ଏହି ସବୁ ଭାବନା ଶେଷ କରି ରାମଚନ୍ଦ୍ର କହିଲେ ‘‘ହେ ହନୁମାନ ! ବ୍ରହ୍ମରାତ୍ର ଶେଷ ହେଲେ ବ୍ରହ୍ମା ନିଦ୍ରା ତ୍ୟାଗକରି ସ୍ୱୀୟ କାର୍ଯ୍ୟ କ୍ଷେତ୍ରରେ ଉପସ୍ଥିତ ହୁଅନ୍ତି, ସେହିପରି ମୋର ଦୁର୍ଭାଗ୍ୟ ରାତ୍ରି ଶେଷ ହେବାରୁ ତୁ ବ୍ରହ୍ମାଙ୍କ ପରି ଏଠାରେ ଉପସ୍ଥିତ ହୋଇଅଛୁ ଏବଂ ବ୍ରହ୍ମଦିବସର ପ୍ରଭାତରେ ସୂର୍ଯ୍ୟ ଉଦୟ ହେଲାପରି, ମୋର ସୌଭାଗ୍ୟ ସୂଚକ ସୂର୍ଯ୍ୟ ତୁଲ୍ୟ ‘ଭାନୁ’ ସୂର୍ଯ୍ୟଙ୍କ ପୁତ୍ର ସୁଗ୍ରୀବ ପ୍ରକାଶିତ ହୋଇଅଛନ୍ତି । କାର୍ଯ୍ୟକ୍ଷେତ୍ରରେ ପ୍ରବିଷ୍ଟବ୍ରହ୍ମା ପୁନର୍ବାର ସ୍ୱୀୟ କାର୍ଯ୍ୟ ସୃଷ୍ଟିକୁ ଆରମ୍ଭ କଲା ପରି ତୁମ୍ଭେ ଦୁହେଁ ଆମ୍ଭ ଦୁହିଁଙ୍କର ପୁନର୍ବାର ପ୍ରେମ ସୃଷ୍ଟିହେବା ନିମିତ୍ତ କାର୍ଯ୍ୟାରମ୍ଭ କର ।’’ ଏହା ଶୁଣି ହନୁମାନ କହିଲା, ଆଜିଠାରୁ ଆପଣଙ୍କର ‘‘ଅଶ୍ରୁ ପ୍ରଳୟ’’ ପ୍ରଳୟକାଳୀନ ଜଳ ପରି ସନ୍ତତି ପରିବର୍ଦ୍ଧିତ ଲୋତକଧାରା କ୍ଷୟପ୍ରାପ୍ତ ହେଲା । ସୁତରାଂ ମନରୁ ସନ୍ଦେହ ଦୂର କରନ୍ତୁ ।’’
୪୧ଶ ପଦ :- ବରାହବର - ଶ୍ରେଷ୍ଠ ବରାହ । ଧରାସୁନ୍ଦରୀ - ମନୋହାରିଣୀ ପୃଥ୍ୱୀଦେବୀ । ବାରୀଶସ୍ଥଳୁଁ - ବରୁଣ ପୁରରୁ ଅର୍ଥାତ୍ ସମୁଦ୍ର ଜଳରୁ, ଲଙ୍କାପୁରରୁ । ବରାହବ-ବଡ଼ଯୁଦ୍ଧ । ବରଣ-ପ୍ରାଚୀର ।
୪୧ଶ ପଦ :- ‘‘ଆପଣ ଶ୍ରେଷ୍ଠ ବରାହ ଅବତାରରେ ଯେପରି ପୃଥିବୀ ଦେବୀଙ୍କୁ ଜଳମଧ୍ୟରୁ ବଳପୂର୍ବକ ଉଦ୍ଧାର କରିଥିଲେ, ସେହିପରି ଏହି ଅବତାରରେ ପୃଥିବୀ ପୁତ୍ରୀ ସୀତାଙ୍କୁ ଯୁଦ୍ଧଦ୍ୱାରା ସମୁଦ୍ର ଜଳ ପରିବେଷ୍ଟିତ ଲଙ୍କାପୁରରୁ ବଳପୂର୍ବକ ଉଦ୍ଧାର କରି ପ୍ରାଚୀର ବେଷ୍ଟିତ ସେହି ଲଙ୍କାପୁରରେ କ୍ରୀଡ଼ା କରିବେ । ଆପଣ ସେଠାରେ କ୍ରୀଡ଼ା କଲେ ଦୁର୍ଜ୍ଜୟ ରାବଣ ବଞ୍ଚି ରହିବ କି ? ଅର୍ଥାତ୍ ସେ ବଞ୍ଚି ପାରିବ ନାହିଁ ।’’
୪୨ଶ ପଦ :- ରୁଧେ-ପଣ୍ଡିତମାନେ ।
୪୨ଶ ପଦ :- ହେ ପଣ୍ଡିତମାନେ ଏହି ଛାନ୍ଦ ବୟାଳିଶ ଗୋଟି ପଦରେ ଅତି ଚମତ୍କାର ହୋଇଅଛି । ଏଣୁ ଏହିସବୁ ପଦଗୁଡ଼ିକୁ ହେୟ ମନେ ନ କରି ବିଚାର କର । ବୈଦେହୀଶବିଳାସ ନାମରେ ପ୍ରକାଶିତ ଏହି ଗୀତକୁ ଉପେନ୍ଦ୍ର ଭଞ୍ଜ ରଚନା କରି ଅଛନ୍ତି ।
ଉନଚତ୍ୱାରିଂଶ ଛାନ୍ଦରାଗ-ମଙ୍ଗଳବାତସୁତ ଶୁଭ୍ରପକ୍ଷ ଉତ୍ତର ।ବିବୃଦ୍ଧି କଲା ରାମଚନ୍ଦ୍ରର।୧ ।ବିରାଜି ଧନୁରେ ମଣ୍ଡଳ ରଚି ।ବିହିତ କର ଶରରେ ରୁଚି।୨ ।ବିସ୍ତାର କରେ କୁମୁଦ ପ୍ରସିଦ୍ଧ ।ବିହିତ ପଦ୍ମପରରେ କ୍ରୋଧ।୩ ।ବିଧିରେ ଉଦୟ ଗିରି ଉପର ।ବିହାରକାରୀ କଉଶିକର।୪ ।ବୋଇଲେ ଯିବା ଏହି ଅନୁକୂଳେ ।ବନିତା ଅଙ୍ଗେ ଶୁଭ ଦିଶିଲେ।୫ ।ବିଶେଷ ଲାବଣ୍ୟ ଲକ୍ଷ୍ମୀର ପୁର ।ବିଦିତ ମଧ୍ୟେ ସିଂହବତାର।୬ ।ବିଦ୍ୟ ପାରାବତ ହୁଁ ହୁଁ ଆରମ୍ଭି ।ବେଭାରେ ଦ୍ୱୀଜ ସମ୍ମତି ଲଭି।୭ ।ବାର ଲଗ୍ନ ଯୋଗ ଜାମ୍ବବ ହେଜି ।ବହନ ବନ୍ଦାପନା ସରଜି।୮ ।ବନପ୍ରିୟ ଗାନ ଗୀତ ମଙ୍ଗଳେ ।ବିୟତେ ରାଜହଂସ ମିଳିଲେ।୯ ।ବାମେ ଶିବା ଗତ ଶବ ଘେନିଣ ।ବାହାର ହେଲେ ରାମ ଲକ୍ଷ୍ମଣ।୧୦ ।୧ମ ପଦ :- ବାତସୁତ-ହନୁମାନ । ଶୁଭ୍ରପକ୍ଷ-ଶୁକ୍ଳପକ୍ଷ । ରାମଚନ୍ଦ୍ର-ରମଣୀୟ ଚନ୍ଦ୍ର ।
୧ମ ପଦ :- ଶୁକ୍ଳପକ୍ଷରେ ଚନ୍ଦ୍ର ବୃଦ୍ଧି ପ୍ରାପ୍ତ ହେଲାପରି ହନୁମାନର ନିଷ୍କପଟ ଉତ୍ତରରେ ରାମଚନ୍ଦ୍ରଙ୍କର ଆନନ୍ଦ ବୃଦ୍ଧି ପ୍ରାପ୍ତ ହେଲା ।
୨ୟ ପଦ :- ଧନୁରେ-ଧନୁରାଶିରେ । ମଣ୍ଡଳ-ଗୋଲାକାର । କର-ହସ୍ତ, କିରଣ । ରୁଚିର-ମନୋହର ।
୨ୟ ପଦ :- ଚନ୍ଦ୍ର ଯେପରି ଧନୁରାଶିରେ ଅବସ୍ଥାନ କରି ଗୋଲାକାର ଧାରଣ ପୂର୍ବକ ମନୋହର କିରଣପୁଞ୍ଜଦ୍ୱାରା ସ୍ୱୀୟ ସୌନ୍ଦର୍ଯ୍ୟକୁ ପ୍ରକାଶିତ କରନ୍ତି, ରାମଚନ୍ଦ୍ର ସେହିପରି ବାମ ହସ୍ତରେ ଧନୁ ଧରି ତାର ଗୁଣକୁ ଶରଧାରୀ ଦକ୍ଷିଣ ହସ୍ତରେ କାନ ପର୍ଯ୍ୟନ୍ତ ଟାଣି ମଣ୍ଡଳାକାର କରି ଦେବା ଦ୍ୱାରା ନିଜର ଶୋଭାକୁ ବିସ୍ତାରିତ କଲେ ।
୩ୟ ପଦ :- କୁମୁଦ-କଇଁ ଫୁଲ, ପୃଥିବୀର ଆନନ୍ଦ । ପର-ଶତ୍ରୁ, ଉତ୍କୃଷ୍ଟ ।
୩ୟ ପଦ :- ଚନ୍ଦ୍ର ଯେପରି କଇଁଫୁଲକୁ ପ୍ରଷ୍ଫୁଟିତ କରି ପଦ୍ମକୁ ମୁଦ୍ରିତ କରନ୍ତି, ସେହିପରି ରାମଚନ୍ଦ୍ର ପୃଥିବୀକୁ ଆନନ୍ଦିତ କରି ଶତ୍ରୁମାନଙ୍କ ଉପରେ କ୍ରୋଧ ପ୍ରକାଶ କଲେ ।
୪ର୍ଥ ପଦ :- କୌଶିକ-ପେଚକ, ଇନ୍ଦ୍ର ।
୪ର୍ଥ ପଦ :- ଚନ୍ଦ୍ର ଯେପରି ନିୟମାନୁସାରେ ଉଦୟ ପର୍ବତର ଶିଖର ଦେଶରେ ଉଦୟ ହୋଇ ପେଚାମାନଙ୍କୁ ନିର୍ବାଧରେ କ୍ରୀଡ଼ା କରିବା ପାଇଁ ସୁଯୋଗ ପ୍ରଦାନ କରନ୍ତି, ରାମଚନ୍ଦ୍ର ସେହିପରି ନିୟମାନୁସାରେ ଯୁଦ୍ଧଯାତ୍ରା କରିବା ନିମିତ୍ତ ମାଲ୍ୟବନ୍ତ ଗିରିର ଉପରିଭାଗରେ ପ୍ରକାଶିତ ହୋଇ ଇନ୍ଦ୍ରଙ୍କୁ କ୍ରୀଡ଼ା କରିବାକୁ ସୁଯୋଗ ପ୍ରଦାନ କଲେ ।
୫ମ ପଦ :- ଯୁଦ୍ଧଯାତ୍ରା କରିବାର ମନେ ମନେ ନିଶ୍ଚୟ କରି ରାମଚନ୍ଦ୍ର କହିଲେ, ‘‘ବର୍ତ୍ତମାନ ଅନୁକୂଳ କରି ଲଙ୍କାକୁ ଯିବା; କାରଣ ପ୍ରିୟା ଅଙ୍ଗରେ ଥିବା ଶୁଭଲକ୍ଷଣମାନ ମୋତେ ଦେଖା ଦେଉଅଛନ୍ତି । ଅର୍ଥାତ୍ ଭାବନା କରିବା ଦ୍ୱାରା ସୀତାଙ୍କର ରୂପ ମୋତେ ଦେଖାଯାଉଛି ।’’
୬ଷ୍ଠ ପଦ :- ‘‘ପ୍ରିୟା ଲାବଣ୍ୟରୂପା ଲକ୍ଷ୍ମୀଙ୍କର ବାସସ୍ଥାନ ଅଟେ ଏବଂ ତାହାର କଟୀ ପ୍ରଦେଶ ନୃସିଂହାବତାର ପରି ଦେଖାଯାଏ । ଅର୍ଥାତ୍ ମୁଁ ଭାବନାରେ ପ୍ରିୟାକୁ ଦେଖି ତାର ସୌନ୍ଦର୍ଯ୍ୟକୁ ଲକ୍ଷ୍ମୀ ଓ ତାର ସିଂହକଟୀ ତୁଲ୍ୟ କଟୀଦେଶକୁ ନୃସିଂହ ବୋଲି ମନେ କରୁଛି । (ଲୋକମାନେ ଲକ୍ଷ୍ମୀ ନୃସିଂହକୁ ସ୍ମରଣ କରି ଅନୁକୂଳ କରନ୍ତି କିନ୍ତୁ ସେହି ଲକ୍ଷ୍ମୀ ନୃସିଂହ ସ୍ୱତଃ ମୋ ମନରେ ପ୍ରକାଶିତ ହେଉ ଅଛନ୍ତି ଏଣୁ ଅନୁକୂଳ କରିବାର ଏ ଯଥାର୍ଥ ସମୟ) ।
୭ମ ପଦ :- ଦ୍ୱିଜ-ବ୍ରାହ୍ମଣ, ପକ୍ଷୀ ।
୭ମ ପଦ :- ‘‘ଅନୁକୂଳ କରିବାକୁ ହେଲେ ବ୍ରାହ୍ମଣଙ୍କଠାରୁ ଆଦେଶ ଗ୍ରହଣ କରିବା ଦରକାର । ବର୍ତ୍ତମାନ ଲୋକମାନଙ୍କର ବା ଶବ୍ଦଶାସ୍ତ୍ରର ବ୍ୟବହାର ଅନୁସାରେ ଦ୍ୱିଜ ନାମରେ ପରିଚିତ ମନୋହର କପୋତ ପକ୍ଷୀମାନେ ହୁଁ ହୁଁ ଶବ୍ଦ ଆରମ୍ଭ କରି ଅନୁକୂଳ କରିବାପାଇଁ ଏହା ଉପଯୁକ୍ତ ସମୟ ବୋଲି ଆମ୍ଭମାନଙ୍କୁ ସମ୍ମତି ପ୍ରଦାନ କରୁଅଛନ୍ତି ।’’
୮ମ ପଦ :- ରାମଚନ୍ଦ୍ର ଏହିପରି କହିବାରୁ ଜାମ୍ବବାନ ବାର, ଲଗ୍ନ ଓ ଯୋଗ ପ୍ରଭୃତି ‘ବିଚାର କରି ଅତିଶୀଘ୍ର ବନ୍ଦାପନାର ଆୟୋଜନ କଲେ ।୯ମ ପଦ :- ବନପ୍ରିୟଗାନ-କୋକିଳ ସ୍ୱର । ବିୟତେ-ଆକାଶରେ ।
୯ମ ପଦ :- ଅନୁକୂଳ କରିବା ସମୟରେ ମଙ୍ଗଳାଷ୍ଟକ ପାଠ ହୁଏ । ମାତ୍ର ଏହି ଅନୁକୂଳ ସମୟରେ ସ୍ୱନ ଶୁଣା ଯିବାରୁ ତାହା ମଙ୍ଗଳାଷ୍ଟକ ଗାନର ସ୍ଥାନ ଅଧିକାର କଲା ଏବଂ ଏହି ସମୟରେ ଆକାଶରେ ଉଡ଼ୁଥିବା ହଂସମାନେ ମଙ୍ଗଳସୂଚକ ହୋଇ ଦେଖାଦେଲେ ।
୧୦ମ ପଦ :- ଶିବା-ଶୃଗାଳ ।୧୦ମ ପଦ :- ଏହି ସମୟରେ ବାମ ଦିଗରେ ବିଲୁଆ ମୃତଜୀବକୁ ନେଇ ଯାଉଥିବାର ଦେଖି ରାମ ଲକ୍ଷ୍ମଣ ଦୁହେଁ ଯାତ୍ରା କରି ବାହାରିଲେ ।ବିଜୟ ମାରୁତି ଅଙ୍ଗଦ ସ୍କନ୍ଧେ ।ବିନୟେ ସଙ୍ଗେ ସୁଗ୍ରୀବ ବୋଧେ।୧୧ ।ବେନିଭ୍ରାତ ବେନିଭ୍ରାତେ ରୁଚିର ।ବିପତ୍ତି ବୃଷ କି ହରି ହର।୧୨ ।ବୁଜାଇ ନୟନ ରଜନିକରେ ।ବଳରେ ସୃଷ୍ଟି କବଳ କରେ।୧୩ ।ବ୍ୟାମଗଙ୍ଗାରେ ସ୍ୱେଦ - ନଦୀ ବାଦୀ ।ବିଗ୍ରହେ ସନ୍ଧି ଯେ ନ ସମ୍ପାଦି।୧୪ ।ବାସୁକି ସମାନ ସୋଦର ଡାକି ।ବସୁଧା ଥିବା ସଙ୍ଗତେ ଟେକି।୧୫ ।ବଲ୍ଲଭ ସଙ୍ଗ ମାନବ ଯୁବତୀ ।ବହିଲା ସେହି ଉପମା କ୍ଷିତି।୧୬ ।ବ୍ୟଥା ପାଇଲେ ତାହା ନ ଗଣିଲା ।ବିବେକ ଚିରସଂତାପ ଗଲା।୧୭ ।ବିକଳ କେତକୀରେ ଭୃଙ୍ଗ ପ୍ରାୟେ ।ବହିବା ମାର୍ଗ ବାୟୁ ନ ପାଏ।୧୮ ।ବଜ୍ରପାତ ଘୋଷା ନିଷାଦ ରବେ ।ବିଷାଦ ବଳି ଜାତ ସ୍ୱଭାବେ।୧୯ ।ବାରାନିଧିକି କେତେ ଦିନେ ଭେଟି ।ବୀଚି ତା ଅଧିକରେ ପ୍ରକଟି।୨୦ ।
୧୧ଶ ପଦ :- ତତ୍ପରେ ସୁଗ୍ରୀବ ବିନୟ ପୂର୍ବକ ଅନୁରୋଧ କରି କହିଲେ, ‘‘ହେ ଦେବ ! ଆପଣ ଦୁହେଁ ହନୁମାନ ଓ ଅଙ୍ଗଦ ଏହି ଦୁହିଁଙ୍କର ସ୍କନ୍ଧରେ ବିଜେ କରନ୍ତୁ ।’’
୧୨ଶ ପଦ :- ତହୁଁ ରାମ, ଲକ୍ଷ୍ମଣ ଦୁଇଭାଇ ହନୁମାନ ଓ ଲକ୍ଷ୍ମଣ ଏହି ଦୁଇ ଭାଇଙ୍କ ସ୍କନ୍ଧରେ ବସି ଗରୁଡ଼ ଓ ବୃଷଭ ଉପରେ ବିଜେ କରିଥିବା ବିଷ୍ଣୁ ଓ ଶିବଙ୍କ ପରି ଦେଖାଗଲେ ।
୧୩ଶ ପଦ :- ରଜନିକରେ-ଧୂଳିପଟଳ ଦ୍ୱାରା । କବଳ-ଗ୍ରାସ ।
୧୩ଶ ପଦ :- ଏହି ଯାତ୍ରା ସମୟରେ ସୈନ୍ୟମାନଙ୍କ ପଦାଘାତଦ୍ୱାରା ଉଡ଼ୁଥିବା ଧୂଳିସମୁହରେ ଲୋକମାନଙ୍କ ଚକ୍ଷୁ ବୁଜି ହୋଇଗଲା । ସୈନ୍ୟମାନେ ସ୍ୱୀୟ ବଳରେ ସୃଷ୍ଟିକୁ ଆକ୍ରମଣ କରିବାକୁ ଲାଗିଲେ । ଏହା ଦେଖି ଦର୍ଶକମାନେ ମନେ କଲେ, ସେହି ହରିହର ଦୁହିଁଙ୍କ ମଧ୍ୟରୁ ହରି ଚକ୍ଷୁ ବୁଜି ରାତ୍ରିକୁ ପ୍ରକାଶିତ କଲେ କି ? ଏବଂ ହର ନିଜର ବଳରେ ସୃଷ୍ଟିକୁ ନାଶ କରିବାକୁ ଇଚ୍ଛା ପ୍ରକାଶ କଲେ କି ? (ଅର୍ଥାତ୍ ପ୍ରଳୟକାଳ ଉପସ୍ଥିତ ହେଲା କି) ?’
୧୪ଶ ପଦ :- ସ୍ୱେଦ-ଝାଳ । ବ୍ୟୋମଗଙ୍ଗା-ଆକାଶ ଗଙ୍ଗା । ବିଗ୍ରହ-ଦେହ ।
୧୪ଶ ପଦ :- ଏହି ସମୟରେ ସୈନ୍ୟମାନଙ୍କ ଦେହରୁ ବହୁଥିବା ଝାଳ ନଦୀ ରୂପରେ ପରିଣତ ହୋଇ ସ୍ୱର୍ଗଗଙ୍ଗା ସହିତ ସମାନ ହେବାରୁ ଇଚ୍ଛା କଲା, ତେଣୁ ଗଙ୍ଗା ଯେପରି ନିଜ ଦେହରେ ଜଳଶୂନ୍ୟ ସ୍ଥାନ ନ ରଖି ଅର୍ଥାତ୍ ଉଭୟ ତଟକୁ ପୂର୍ଣ୍ଣକରି ପ୍ରବାହିତ ହୁଅନ୍ତି, ଏହି ଝାଳ ନଦୀ ସେହିପରି ହେବାକୁ ଲାଗିଲା । (ସୈନ୍ୟମାନେ ଲଗା ଲାଗି ହୋଇ ଯାଉଥିବାରୁ ତାଙ୍କର ଦେହରୁ ନିର୍ଗତ ସ୍ୱେଦରାଶି ଏକର ଦେହରୁ ଅନ୍ୟର ଦେହରେ ଲାଗି ଆକାଶବାହିନୀ ଗଙ୍ଗାର ଶୋଭାକୁ ପ୍ରକାଶ କରୁଥିଲା) ।
୧୫ଶ ପଦ :- ଏହି ସମୟରେ ପୃଥିବୀ ଭାରବତୀ ବୋଧ ହେବାରୁ ବାସୁକି ଆପଣା ସମାନ ବଳବାନ ଭାଇମାନଙ୍କୁ ଡାକି କହିଲା, ‘‘ହେ ଭାଇମାନେ ଆସ, ଆମ୍ଭେମାନେ ଏକତ୍ରିତ ହୋଇ ପୃଥିବୀକୁ ଟେକି ରଖିବା ।’’
୧୬ଶ ପଦ :- କ୍ଷିତି-ପୃଥିବୀ ।୧୬ଶ ପଦ :- ନୂତନ ଯୁବତୀମାନେ ଯେପରି ନିଜ ସ୍ୱାମୀଙ୍କ ସଙ୍ଗ ପାଇଲେ ଆନନ୍ଦିତା ହୁଅନ୍ତି, ପୃଥିବୀ ସେହିପରି ଆନନ୍ଦିତା ହେଲେ ।
୧୭ଶ ପଦ :- ରାମଚନ୍ଦ୍ରଙ୍କ ସୈନ୍ୟମାନେ ଯିବା ଦ୍ୱାରା ଯେଉଁ କଷ୍ଟ ଅନୁଭବ କରିବାକୁ ହେଉଥିଲା, ପୃଥିବୀ ତାହାକୁ ଗଣନା କରିନଥିଲେ । କାରଣ ସେ ସ୍ଥିର କଲେ ଯେ, ବହୁକାଳ ହେଲା ରାବଣଠାରୁ ଯେଉଁ ଦୁଃଖ ଭୋଗ କରିବାକୁ ହେଉଥିଲା, ତାହା ଆଜିଠାରୁ ଗଲା ।
୧୮ଶ ପଦ :- ଭ୍ରମର କେତକୀ ଫୁଲରେ ବସିଲେ ଯେପରି ବିକଳ ହୁଏ ସେହିପରି ପବନ ଜଗତକୁ ସୈନ୍ୟସଂକୂଳ ଦେଖି କେଉଁ ଦିଗରେ ପ୍ରବାହିତ ହେବ ସ୍ଥିର କରିନପାରି ବିକଳ ହେବାକୁ ଲାଗିଲା ।
୧୯ଶ ପଦ :- ସେହି ସୈନ୍ୟମାନଙ୍କର ବଜ୍ରନାଦ ତୁଲ୍ୟ ଅତି ଭୀଷଣ ଶବ୍ଦ ଶୁଣି ବଳି ରାଜାଙ୍କ ମନରେ ଦୁଃଖ ଜାତ ହେଲା ।୨୦ଶ ପଦ :- ବାରାନିଧି-ସମୁଦ୍ର । ବୀଚି-ଲହରୀ ।
୨୦ଶ ପଦ :- ଏହିପରି ଯାଉ ଯାଉ ସେହି ସୈନ୍ୟମାନେ କେତେ ଦିନପରେ ସମୁଦ୍ର କୂଳରେ ପହଞ୍ଚିଲେ । ଏହି ସୈନ୍ୟମାନଙ୍କୁ ଦେଖି ସମୁଦ୍ରର ଲହରୀ ଭୀଷଣ ଆକାର ଧାରଣ କଲା ।
ବୀଣାପୁଞ୍ଜ ପ୍ରାୟେ ବହୁ ପ୍ରବାଳେ ।ବିରାଜି ଖ୍ୟାତି ଇକ୍ଷ୍ୱାକୁକୁଳେ।୨୧ ।ବୃନ୍ଦ ବୃନ୍ଦ ଯହିଁ କଚ୍ଛପଯୁକ୍ତ ।ବିଶିଷ୍ଟ ସାରଗୁଣାହିଁ ବ୍ୟକ୍ତ।୨୨ ।ବିପିନ ପ୍ରାୟେ ପଲାଶୀରେ ମେଳ ।ବିହାରୀ ବନେ ଲଭ୍ୟ ସୁଫଳ।୨୩ ।ବିଳସନ୍ତି ପରିଭୃତି ଭ୍ରମରେ ।ବରହୀ ସ୍ଥିତ ଯହିଁ ମଧ୍ୟରେ।୨୪ ।ବିକୁକ୍ଷିବଂଶୀ ସିନ୍ଧୁକୂଳେ ସ୍ଥିତ ।ବ୍ୟୁହକୁ କପିସୈନ୍ୟେ ରଚିତ।୨୫ ।ବାର୍ତ୍ତାବହ ଲଙ୍କେଶ୍ୱରେ କହିଲା ।ବାହୁଡ଼ିର ପୂର୍ବପଦ ଅଇଲା।୨୬ ।ବାନର ୠକ୍ଷ କେତେ ରାଜା ପୁଚ୍ଛେ ।ବାରିଧି ଲଙ୍ଘନରେ କି ଇଚ୍ଛେ।୨୭ ।ବୋଲେ ଚାରକି ପଚାର ସେ ସୈନ୍ୟ ।ବାରିଧି ବେନି ଭେଟ ରଞ୍ଜନ।୨୮ ।ବୋଲନ୍ତି ପିଇଲା ଅଗସ୍ତି ଏକ ।ବହୁତ ଗ୍ରାସେ କେତେ ଉଦକ ?୨୯ ।ବିନାଶରେ ପୂର୍ବପୁରୁଷ କୀର୍ତ୍ତି ।ବୁଝିବା ବୋଲି ରାମ ବୋଲନ୍ତି।୩୦ ।୨୧ଶ ପଦ :- ପୂବାଳ-ବୀଣାଦଣ୍ଡ, ପୋହଳା । ଇକ୍ଷ୍ୱାକୁକୁଳେ-ଲାଉତୁମ୍ବାମାନଙ୍କରେ, ସୂର୍ଯ୍ୟ ବଂଶରେ ।
୨୧ଶ ପଦ :- ସେହି ସମୟରେ ସମୁଦ୍ର ବୀଣାସମୂହ ପ୍ରାୟ ପରିଲକ୍ଷିତ ହେଲା । କାରଣ ବୀଣାସମୂହ ଯେପରି ବହୁତ ଦଣ୍ଡ ଓ ଲାଉତୁମ୍ବାରେ ସୁଶୋଭିତ ହୋଇଥାଏ, ସେହିପରି ସମୁଦ୍ରକୂଳ ବହୁସଂଖ୍ୟକ ପୋହଳା ଓ ଇକ୍ଷ୍ୱାକୁବଂଶୀୟ ଖ୍ୟାତନାମା ରାମଚନ୍ଦ୍ରଙ୍କ ଦ୍ୱାରା ସୁଶୋଭିତ ହୋଇଥିଲା ।
୨୨ଶ ପଦ :- କଚ୍ଛପ-ବୀଣାପୀଠ, କଇଁଛ । ସାରଗୁଣା-ଉତ୍କୃଷ୍ଟ ତାରମାନ; ଉତ୍କୃଷ୍ଟଗୁଣ ବିଶିଷ୍ଟ ।
୨୨ଶ ପଦ :- ଯେପରି ବୀଣାସମୂହରେ ଅସଂଖ୍ୟ ଅଂଶ ସଂଯୋଗ କରାଯାଇଥାଏ ଏବଂ ସେହି ଅଂଶମାନଙ୍କ ମଧ୍ୟରେ ପ୍ରଧାନ ଗୁଣ (ବୀଣାତାର) ସବୁ ପରିସ୍କାରଭାବରେ ଦେଖା ଯାଉଥାନ୍ତି ସେହିପରି ସମୁଦ୍ର ଅସଂଖ୍ୟ କଇଁଛ, ଅପରିମିତ ଜଳ ଓ ସ୍ୱୀୟ ଲୁଣିଆଁ ଗୁଣରେ ବା ନାନାବିଧ ରତ୍ନରେ ପ୍ରକାଶିତ ହୋଇଅଛି ।
୨୩ଶ ପଦ :- ବିପିନ-ବନ । ପଲଶୀ-ବୃକ୍ଷ, ମାଂସାଶୀ ।
୨୩ଶ ପଦ :- ଆଉ ମଧ୍ୟ ସେହି ସମୁଦ୍ର ଗୋଟିଏ ଅରଣ୍ୟପରି ଦେଖାଯାଉଥିଲା । କାରଣ ଅରଣ୍ୟ ଯେପରି ନାନାବିଧ ବୃକ୍ଷରେ ପୂର୍ଣ୍ଣ ହୋଇ ଭ୍ରମଣକାରୀମାନଙ୍କୁ ଉତ୍ତମ ଫଳ ପ୍ରଦାନ କରେ, ସେହିପରି ସମୁଦ୍ର କୁମ୍ଭୀର ପ୍ରଭୃତି ନାନାବିଧ ମାଂସାଶୀ ପ୍ରାଣୀରେ ପୂର୍ଣ୍ଣହୋଇ ମଧ୍ୟ ସମୁଦ୍ରସ୍ନାନକାରୀ ଲୋକମାନଙ୍କୁ ଉତ୍ତମ ଫଳ (ତୀର୍ଥରାଜ ହେତୁ ପୁଣ୍ୟ) ପ୍ରଦାନ କରୁଅଛି । ଅଥବା ତାହାର ଜଳରେ ସଂଚାର କରୁଥିବା ମୁକ୍ତା ସଂଗ୍ରହକାରୀ ବା ପୋତ ବଣିକମାନଙ୍କୁ ପ୍ରଚୁର ରତ୍ନ ପ୍ରଦାନ କରୁଅଛି ।
୨୪ଶ ପଦ :- ପରଭୃତି-କୋକିଳ, ଉତ୍କୃଷ୍ଟ ଜଳଭଉଁରୀମାନ । ବର୍ହୀ-ମୟୂର, ବଡ଼ବାଗ୍ନି ।
୨୪ଶ ପଦ :- ବନରେ ଯେପରି କୋକିଳମାନେ ଏବଂ ଭ୍ରମରମାନେ ବିହାର କରୁଥାନ୍ତି ସମୁଦ୍ରରେ ସେହିପରି ବଡ଼ ବଡ଼ ଭଅଁର (ଭଉଁରୀ) ମାନେ ଦେଖାଯାଉ ଅଛନ୍ତି । ବନରେ ମୟୂରମାନେ ରହିଥାଆନ୍ତି, ସମୁଦ୍ରରେ ମଧ୍ୟ ବଡ଼ବାଗ୍ନି ରହିଅଛି ।
୨୫ଶ ପଦ :- ରାମଚନ୍ଦ୍ର ସମୁଦ୍ର କୂଳରେ ରହି ବାନର ସୈନ୍ୟମାନଙ୍କ ଦ୍ୱାରା ବ୍ୟୁହ ରଚନା କଲେ ଅର୍ଥାତ୍ ଯୁଦ୍ଧ ନିମିତ୍ତ ସୈନ୍ୟମାନଙ୍କୁ ଶ୍ରେଣୀବଦ୍ଧ କରି ରଖିଲେ ।
୨୬ଶ ପଦ :- ବାର୍ତ୍ତାବହ-ଦୂତ ।
୨୬ଶ ପଦ :- ଏହି ସମୟରେ ଜଣେ ଦୂତ ରାବଣକୁ କହିଲା । ଦୂତ ରାବଣକୁ ଯାହା କହିଲା, ତାହା ଜାଣିବା ପାଇଁ ପଚିଶ ଅର୍ଥକୁ ଏହି ଛବିଶ ପଦର ଅର୍ଥ ସ୍ଥାନରେ ଯୋଗ କରିବାକୁ ହେଲା । ଅର୍ଥାତ୍ ଦୂତ କହିଲା, ‘‘ରାମଚନ୍ଦ୍ର ସମୁଦ୍ର କୂଳରେ ରହି ବାନର ସୈନ୍ୟମାନଙ୍କ ଦ୍ୱାରା ବ୍ୟୁହ ରଚନା କଲେ ।’’
୨୭ଶ ପଦ :- ଋକ୍ଷ-ଭଲ୍ଲୁକ । ବାରିଧି-ସମୁଦ୍ର ।
୨୭ଶ ପଦ :- ଦୂତଠାରୁ ଏହା ଶୁଣି ରାବଣ ତାକୁ ପଚାରିଲା, ‘‘ମର୍କଟ ଓ ଭାଲୁ ସୈନ୍ୟଙ୍କ ସଂଖ୍ୟା କେତେ ହେବ? ଏବଂ ସେମାନେ ସମୁଦ୍ର ପାର ହେବାପାଇଁ କି ଉପାୟ ଅବଲମ୍ବନ କରୁଅଛନ୍ତି ?’’
୨୮ଶ ପଦ :- ଦୂତ କହିଲା, ‘‘ସେହି ସୈନ୍ୟମାନଙ୍କ ସଂଖ୍ୟା କଣ ପଚାରୁଛନ୍ତି ? ଅର୍ଥାତ୍ ସେମାନଙ୍କୁ ଗଣନା କରିହେବ ନାହିଁ । ସମୁଦ୍ରତୀରରେ ଥିବା ସେହି ସୈନ୍ୟମାନଙ୍କୁ ଦେଖିଲେ ମନେ ହେଉଛି, ଏଠାରେ ଦୁଇଗୋଟି ସମୁଦ୍ର ମିଳିତ ହୋଇ ଶୋଭା ପ୍ରକାଶ କରୁଅଛନ୍ତି କି ?’’
୨୯ଶ ୩୦ଶ ପଦ :- ‘‘ସେହି ସୈନ୍ୟମାନେ କହୁଛନ୍ତି, ଅଗସ୍ତ୍ୟ ଋଷି ଏକାକୀ ସମୁଦ୍ର ଜଳକୁ ପାନ କରିଥିଲେ । ଆମ୍ଭେମାନେ ବହୁସଂଖ୍ୟକ, ସୁତରାଂ ସମସ୍ତେ ପାନ କଲେ ସମୁଦ୍ର ଜଳ କେତେ କି ? କିନ୍ତୁ ପୂର୍ବପୁରୁଷମାନଙ୍କର କୀର୍ତ୍ତି ନଷ୍ଟ ହୋଇଯିବ-ଏହା ବିଚାରି ରାମଚନ୍ଦ୍ର ସୈନିକମାନଙ୍କୁ କହୁଛନ୍ତି, ଅପେକ୍ଷା କର ଆମ୍ଭେ ସେ ବିଷୟ ବୁଝିବୁ ।’’
ବକ୍ରବିକାରେ କହେ ଲଙ୍କେଶ୍ୱର ।ବାରତାଯାକ ମିଥ୍ୟା ତୋହର। ୩୧ ।ବ୍ରହ୍ମାଣ୍ଡରେ ଏତେ ବାନର କାହିଁ ।ବଶ ସେ ପୁଣ ମନୁଷ୍ୟେ ହୋଇ। ୩୨ ।ବିଭୀଷଣ ଶୁଣି ଯୋଡ଼ିଲା କର ।ବୋଇଲା ସତ କହୁଛି ଚାର। ୩୩ ।ବଣା ହେଉ ହନୁମାନ ଆସିବା ।ବାଳିକି ବିନାଶିବା ଭାଷିବା। ୩୪ ।ବୋଲେ ରାବଣ ବଧ ବିଚାରିଲେ ।ବୃକ୍ରାରି ତ୍ରିପୁରାରି କି କଲେ। ୩୫ ।ବସାଇ ଦ୍ୱାସ୍ଥ ପାଶରେ ନର୍ତ୍ତନ ।ବିରଚବୋଲୁଁ ଲଙ୍ଘିଲେ କୋଳ। ୩୬ ।ବଜ୍ର ଶୂଳ ଲୋକ ବକ୍ର ନ କରି ।ବାନର ନର କି କରି ପାରି। ୩୭ ।ବିଭୀଷଣ କଲା ପ୍ରତିଉତ୍ତର ।ବିବେକ କର ଚିତ୍ତେ ତୋହର। ୩୮ ।ବହି ନ ପାରିଲୁ ପଶାକାଠିକି ।ବୃଷାଙ୍କ ଗିରି ଥିଲୁ ଯେ ଟେକି। ୩୯ ।ବଜ୍ରରେ ନମୁଚି ଦୈତ୍ୟ ନ ମଲା ।ବାରିର ଫେନେ ବଧ ହୋଇଲା। ୪୦ ।୩୧ଶ ପଦ :- ବକ୍ରବିକାରେ-ବିକୃତ ମୁଖରେ ।
୩୧ଶ ଓ ୩୨ଶ ପଦ :- ଏହା ଶୁଣି ରାବଣ ମୁଖକୁ ବିକୃତ କରି କହିଲା, ‘‘ରେ ଦୂତ ! ତୁ ଯାହା କହୁଛୁ ସେହି ସମସ୍ତ କଥା ମିଥ୍ୟା ଅଟେ । ଏହି ପୃଥିବୀରେ ଏତେ ମାଙ୍କଡ଼ କେଉଁଠାରେ ଅଛନ୍ତି ? ପୁଣି ସେମାନେ ମନୁଷ୍ୟର ଅଧୀନତା ସ୍ୱୀକାର କଲେ କିପରି ?’’
୩୩ଶ - ୩୪ଶ ପଦ :- ରାବଣର କଥା ଶୁଣି ବିଭୀଷଣ ହାତଯୋଡ଼ି କହିଲା, ‘‘ଦୂତ ଯାହା କହୁଅଛି ତାହା ସତ୍ୟ ଅଟେ । ହନୁମାନ ସମୁଦ୍ର ଲଙ୍ଘି ଏଠାକୁ ଆସିଲା ଏବଂ ରାମଚନ୍ଦ୍ର ବାଳିକୁ ବଧ କରିବା କଥା କହିଗଲା । ଏହା ଦେଖି ଓ ଶୁଣି ତଥାପି ତୁମ୍ଭେ ଭ୍ରମରେ ପଡ଼ୁଅଛ କାହିଁକି ?’’
୩୫ଶ ପଦ :- ବୃତ୍ରାରି-ଇନ୍ଦ୍ର । ତ୍ରିପୁରାରି-ମହାଦେବ ।
୩୫ଶ ପଦ :- ରାବଣ କହିଲା, ‘‘ଇନ୍ଦ୍ର ଓ ମହାଦେବ ମୋତେ ମାରିବାକୁ ଇଚ୍ଛା କରିଥିଲେ, କିନ୍ତୁ ମୋର କିଛି କରିପାରିଲେ ନାହିଁ, (ସେହିପରି ରାମ ମୋର କଣ କରିବ ?’’ )
୩୬ଶ ପଦ :- ‘‘ମୁଁ ଇନ୍ଦ୍ରକୁ ହାରୀ ପାଖରେ ବସାଇ ଶିବଙ୍କୁ ନାଚିବା ପାଇଁ ଆଦେଶ ଦେଇଥିଲି । ସେ ଦୁହେଁ ମୋର ଆଦେଶ ଲଙ୍ଘନ କରିଥିଲେ କି ?’’
୩୭ଶ ପଦ :- ରାବଣ କହିଲା, ‘‘ଇନ୍ଦ୍ର ଓ ଶିବ ଯଥାକ୍ରମେ ବଜ୍ର ଓ ଶୂଳ ମାରି ମୋର ଲୋମ ସୁଦ୍ଧା ବଙ୍କା କରି ପାରିନଥିଲେ । ଏହି ମନୁଷ୍ୟ ଓ ମାଙ୍କଡ଼ ବା ମୋର କଣ କରିବେ ?’’
୩୮ଶ-୪୦ଶ ପଦ :- ରାବଣର ଏହିପରି ହେୟତା ପ୍ରକାଶକ କଥାର ଉତ୍ତମ ସ୍ୱରୂପ ବିଭୀଷଣ କହିଲା, ‘‘ତୁ ତ ମହାଦେବଙ୍କର କୈଳାସ ପର୍ବତକୁ ଟେକିଥିଲୁ, ମାତ୍ର ପାତାଳ ବୈକୁଣ୍ଠରେ ପଶାକାଠି ଟେକି ପାରିଲୁନାହିଁ । ଇନ୍ଦ୍ରଙ୍କ ବଜ୍ରରେ ନମୁଚି ଦୈତ୍ୟ ନ ମରି ସାମାନ୍ୟ ଜଳ ଫେଣରେ ମଧ୍ୟ ମରିଥିଲା । ଏହି ସବୁ ବିଷୟ କିପରି ଆଶ୍ଚର୍ଯ୍ୟକର । ହେ ରାବଣ ! ଟିକିଏ ମନରେ ବିଚାର କର । (ଏଣୁ ଇନ୍ଦ୍ର ଓ ଶିବଙ୍କ ଦ୍ୱାରା ତୁ ମଲୁ ନାହିଁ ବୋଲି ଯେ, ରାମ ତୋର କିଛି କରି ପାରିବେ ନାହିଁ, ଏ କଥା ଭାବିବା ଠିକ୍ ନୁହେଁ) । ’’
ବୋଇଲା ଲଙ୍କେଶ ସକ୍ରୋଧ ହୋଇ ।ବରଜୁ ପର ଦର୍ପ ଦେଖାଇ। ୪୧ ।ବସୁଧାଯୁକ୍ତ ସୁନାମକୁ କହି ।ବାହାର କରି ଲଙ୍କାରୁ ଦେଇ। ୪୨ ।ବିବିଧ ଆଦି ଚାରି ମନ୍ତ୍ରୀ ସଙ୍ଗେ ।ବିହଗଗତି ନଭରେ ରଙ୍ଗେ। ୪୩ ।ବଳାହକ ପ୍ରାୟେ ଦିଶେ ଦିଶନ୍ତି ।ବେଢ଼ାଣ ବାସ ସେ ବକପନ୍ତି। ୪୪ ।ବହେ ସ୍ୱେଦଜଳ ବିନ୍ଦୁ ପ୍ରକଟ ।ବାସବ ଧନୁ ପରି ମୁକୁଟ। ୪୫ ।ବହଇ ଶ୍ୱାସଝଞ୍ଜାନିଳ ବତ ।ବଚନ ଘୋଷ କରି ଜନିତ। ୪୬ ।ବନୌକାପତି ମହୀଧର ତୁଳା ।ବିଳାସ ଆସି ତା ପାଶେ କଲା। ୪୭ ।ବଟସୁବେଳେ ରାମ ବିଷ୍ଣୁ ସ୍ଥିତେ ।ବିହିବ ରକ୍ଷପ୍ରଳୟ ସତେ। ୪୮ ।ବାର୍ତ୍ତା ପାଇ ରାମ ରାଜା ପ୍ରେଷଣ ।ବହନେ ଜ୍ୟୋତିର୍ବିଦ ଲକ୍ଷ୍ମଣ। ୪୯ ।ବୁଡ଼ାଇମାନପାତ୍ର କରି ଜଳେ ।ବୁଝିଲେ ଶୁଭ ଅଶୁଭ ବେଳେ। ୫୦ ।
୪୧ଶ ଓ ୪୨ଶ ପଦ :- ଏହା ଶୁଣି ରାବଣ କ୍ରୋଧାନ୍ୱିତ ହୋଇ କହିଲା, ‘‘ତୁ ମୋତେ ଶତ୍ରୁର ଗର୍ବ ଦେଖାଇ ନିବର୍ତ୍ତାଉଅଛୁ । ’’ ଏହା କହି ‘ବସୁଧାଯୁକ୍ତ ସ୍ୱନାମକୁ’ ମହୀରାବଣକୁ ଆଦେଶ ଦେଇ ବିଭୀଷଣକୁ’ ଲଙ୍କାରୁ ବାହାର କରିଦେଲା ।
୪୩ଶ ପଦ :- ବିହଗ-ପକ୍ଷୀ । ନଭରେ-ଆକାଶରେ ।୪୩ଶ ପଦ :- ତତ୍ପରେ ବିଭୀଷଣ ବିବିଧ ପ୍ରଭୃତି ଚାରି ମନ୍ତ୍ରୀଙ୍କୁ ସଙ୍ଗରେ ନେଇ ଆନନ୍ଦ ମନରେ ପକ୍ଷୀମାନଙ୍କ ପରି ଆକାଶରେ ଗମନ କଲା ।୪୪ଶ ପଦ :- ବଳାହକ-ମେଘ । ଦିଶେ-(ଦକ୍ଷିଣ) ଦିଗରେ ।
୪୪ଶ ପଦ :- ରାକ୍ଷସମାନେ ସ୍ୱଭାବତଃ କୃଷ୍ଣକାୟ, ଏଣୁ ସେମାନେ ଉଡ଼ିଲାବେଳେ ଦକ୍ଷିଣ ଦିଗରୁ ମାଡ଼ି ଆସୁଥିବା ମେଘ ପରି ଦେଖାଯାଉଥିଲେ ଓ ସେମାନେ ପିନ୍ଧିଥିବା ଲୁଗା ମେଘାଗମ ଦେଖି ଆନନ୍ଦରେ ଉଡ଼ୁଥିବା ବକପଂକ୍ତି ପରି ଦେଖାଯାଉଥିଲା ।
୪୫ଶ ପଦ :- ସ୍ୱେଦ-ଝାଳ । ବାସବଧନୁ-ଇନ୍ଦ୍ରଧନୁ ।
୪୫ଶ ପଦ :- ସେମାନେ ଆସୁଥିବାବେଳେ ସେମାନଙ୍କ ଦେହରୁ ବିନ୍ଦୁ ବିନ୍ଦୁ ହୋଇ ପଡ଼ୁଥିବା ଝାଳ ଟୋପା ଟୋପା ହୋଇ ପଡ଼ୁଥିବା ବର୍ଷାଜଳର ଭ୍ରମକୁ ଜନ୍ମାଉଥିଲା ଏବଂ ସେମାନଙ୍କର ମୁକୁଟ ଇନ୍ଦ୍ରଧନୁ ପରି ଦେଖାଯାଉଥିଲା ।
୪୬ଶ ପଦ :- ସେମାନଙ୍କର ନିଶ୍ୱାସ ପବନ ବର୍ଷାକାଳୀନ ପ୍ରବଳ ପବନ ପରି ପ୍ରବାହିତ ହେଉଥିଲା ଏବଂ ବିଭୀଷଣର କଥା ବଜ୍ରନାଦ କରି ପ୍ରତୀୟମାନ ହେଉଥିଲା ।
୪୭ଶ ପଦ :- ମହୀଧର-ପର୍ବତ । ବନୌକାପତି-ସୁଗ୍ରୀବ ।
୪୭ଶ ପଦ :- ମେଘମାନେ ପର୍ବତରେ ବିହାର କଲାପରି ମେଘତୁଲ୍ୟ ରୂପଧାରୀ ବିଭୀଷଣ ପର୍ବତୋପମ ସୁଗ୍ରୀବଙ୍କ ନିକଟରେ ବିହାର କଲା ଅର୍ଥାତ୍ ବିଭୀଷଣ ସୁଗ୍ରୀବଙ୍କ ନିକଟରେ ଉପସ୍ଥିତ ହେଲା) ।
୪୮ଶ ପଦ :- ବିଷ୍ଣୁ ବଟପୁଟରେ ରହି ଜଗତକୁ ନାଶ କଲାପରି ରାମଚନ୍ଦ୍ର ସୁବେଳ ପର୍ବତ ଉପରେ ରହି ରାକ୍ଷସ-ଜଗତକୁ ନାଶ କରିବେ,-ଏହା ସତ୍ୟ ଅଟେ ।
୪୯ଶ ପଦ :- ରାମଚନ୍ଦ୍ର ରାଜା ସୁଗ୍ରୀବଙ୍କଠାରୁ ବିଭୀଷଣକୁ ଆସିବା ସମ୍ବାଦ ପାଇ ଜ୍ୟୋତିଷ ବିଦ୍ୟାରେ ନିପୁଣ ଲକ୍ଷ୍ମଣଙ୍କୁ ତାର ନିକଟକୁ ପଠାଇଲେ ।
୫୦ଶ ପଦ :- ଜ୍ୟୋତିଷମାନେ ଘାଟୀଯନ୍ତ୍ରକୁ ପାଣିରେ ବୁଡ଼ାଇ ଶୁଭାଶଭ ଜାଣିପାରିଲା ପରି, ଲକ୍ଷ୍ମଣ ବିଭୀଷଣକୁ ପାଣିରେ ବୁଢ଼ାଇ ଅର୍ଥାତ୍ ଜଳଦିବ୍ୟ କରାଇ ଶୁଭାଶୁଭ ବୁଝି ନେଲେ, (ଏ ଅବିଶ୍ୱାସୀ ନୁହେଁ ବୋଲି ବୁଝି ନେଲେ ) ।
ହରି ହରି ସଙ୍ଗେ ହରି ହେଲା ।ବିଲୋକ ରାମ ରାମ ପଠିଲା। ୫୧ ।ବିସ୍ତାର ଖର ତେଜ ଆହାଲାଦ ।ବିଚାରେ ହରି କରି ତା ହୃଦ। ୫୨ ।ବିଶ୍ୱ - ଆତ୍ମା - ରୂପ ସୁମନା ମୁଦେ ।ବିଚାରେ ହରି କରି ତା ହୃଦେ। ୫୩ ।ବିଲକ୍ଷ ଏତେ ହରି ବନ୍ଦେ ପାଦେ ।ବିଚାରେ ହରି କରି ତା ହୃଦେ। ୫୪ ।ବାରେ ସଂଶୟ ଦଣ୍ଡକ ରଭସେ ।ବୈକୁଣ୍ଠମୂର୍ତ୍ତି ଦଣ୍ଡକ ଦିଶେ। ୫୫ ।ବସୁଧାପାତ ଦଣ୍ଡକ ସଦୃଶୀ ।ବୋଇଲେ ଉଠ ଦଣ୍ଡକ ବାସୀ। ୫୬ ।ବିନ୍ୟସ୍ତ କର କକ୍ଷେ ଉଭା ହୋଇ ।ବସାଇ ତାର ଚିତ୍ତ ରସାଇ। ୫୭ ।ବିଶ୍ୱରେ ରାମ ରାମ ଥିବା ଯାକ ।ବିଗ୍ରହେ ଥିବୁ ବରଦାୟକ। ୫୮ ।ବାହାର କରି ଯମଦାଢ଼ୁ ବାସ ।ବାନ୍ଧିଲେ ଶାଢ଼ୀ ହେଲୁ ଲଙ୍କେଶ। ୫୯।ବ୍ୟବସ୍ଥିତେ ରାମ ପଚାରୁ ତହିଁ ।ବ୍ୟବସ୍ଥା ସର୍ବ ଲଙ୍କାର କହି। ୬୦ ।୫୧ଶ ପଦ :- ହରି-ସୁଗ୍ରୀବ, ଶୁକପକ୍ଷୀ । ହରିସଙ୍ଗେ-ମର୍କଟମାନଙ୍କ ସଙ୍ଗେ ।
୫୧ଶ ପଦ :- ବିଭୀଷଣ ସେହିଦିନଠାରୁ ସୁଗ୍ରୀବାଦିମାନଙ୍କ ସହ ଏକତ୍ର ବାସକରି ସର୍ବଦା ରାମଙ୍କର ଦର୍ଶନ ଓ ସ୍ତୁତିପଠନରେ ନିଯୁକ୍ତ ହେଲା ।
୫୨ଶ ପଦ :- ଖର-ପ୍ରଚଣ୍ଡ । ହରି-ସୂର୍ଯ୍ୟ, ଚନ୍ଦ୍ର ।
୫୨ଶ ପଦ :- ରାମଚନ୍ଦ୍ରଙ୍କ ଦେହରୁ ପ୍ରଚଣ୍ଡ କିରଣ ବାହାରି ଚତୁର୍ଦ୍ଦିଗରେ ବିସ୍ତୃତ ହେଉଅଛି । ଏହା ଦେଖୀ ବିଭୀଷଣ ତାଙ୍କୁ ସୂର୍ଯ୍ୟ ବୋଲି ମନେ କଲା ଏବଂ ରାମଙ୍କୁ ଦେଖି ହୃଦୟ ଆନନ୍ଦପୂର୍ଣ୍ଣ ହେଉଥିବାରୁ ନିଜକୁ ଚନ୍ଦ୍ର ବୋଲି ମନେ କଲା ।
୫୩ଶ ପଦ :- ବିଶ୍ୱାତ୍ମା-ବିଷ୍ଣୁ । ସୁମନା-ଦେବତାମାନଙ୍କୁ । ହରି-ଭଗବାନ ।
୫୩ଶ ପଦ :- ପୁନଶ୍ଚ ବିଭୀଷଣ ମନେ ମନେ ଭାବିଲା, ‘ଏ ସଂସାରର ଆତ୍ମାରୂପୀ ବିଷ୍ଣୁ ଦେବତାମାନଙ୍କୁ ଆନନ୍ଦିତ କରିବାପାଇଁ ଦେହଧାରଣ କରି ଅଛନ୍ତି । ’
୫୪ଶ ପଦ :- ହରି-ମର୍କଟ । ଅଲକ୍ଷ-ଅନୁପମ ।
୫୪ଶ ପଦ :- ବିଭୀଷଣ ଏହିପରି ମନରେ ଭାବି ଭାବି ଶେଷରେ ସ୍ଥିର କଲା ଯେ, ‘ଏ ନିଶ୍ଚୟ ବିଷ୍ଣୁ । ଯେହେତୁ ଏହି ଅସଂଖ୍ୟ ବାନର ଏହାଙ୍କର ପାଦ ବନ୍ଦନା କରୁଅଛନ୍ତି । ’
୫୫ଶ ପଦ :- ରଭସେ-ତତ୍କ୍ଷଣାତ୍ । ବୈକୁଣ୍ଠମୂର୍ତ୍ତି-ନାରାୟଣରୂପ । ଦଣ୍ଡକ-ଯମ, ମୁହୂର୍ତ୍ତକ ।
୫୫ଶ ପଦ :- ତତ୍ପରେ ସେ ରାମଙ୍କୁ ଦେଖିବା ସଙ୍ଗେ ସଙ୍ଗେ ଏ ଯମ ବୋଲି ସନ୍ଦେହ କଲା, କିନ୍ତୁ ରାମଙ୍କର ବିଷ୍ଣୁ ମୂର୍ତ୍ତି ଦେଖି ତାର ସେହି ସନ୍ଦେହ ଅଳ୍ପକ୍ଷଣ ମଧ୍ୟରେ ନାଶ ହୋଇଗଲା ।
୫୬ଶ ପଦ :- ବିଭୀଷଣ ବିଷ୍ଣୁ ମୂର୍ତ୍ତି ଦେଖିଯିବାରୁ ସେ ଦଣ୍ଡ ପ୍ରଣାମ କରି ଭୂମିରେ ପଡ଼ି ରହିଲା । ଏହା ଦେଖି ଦଣ୍ଡକାରଣ୍ୟବାସୀ ରାମଚନ୍ଦ୍ର ତାକୁ ଉଠ ବୋଲି କହିଲେ ।
୫୭ଶ ପଦ :- ତହୁଁ ବିଭୀଷଣ ଉଠି ଦୁଇ ହାତକୁ କାଖ ସନ୍ଧିରେ ରଖି ଠିଆ ହେଲା । ତତ୍ପରେ ରାମଚନ୍ଦ୍ର ତାକୁ ନିକଟରେ ବସାଇ ତାର ଚିତ୍ତରେ ଆନନ୍ଦ ଜନ୍ମାଇ କହିଲେ-
୫୮ଶ ପଦ :- ‘‘ଏ ଜଗତରେ ଯେତେକାଳ ପର୍ଯ୍ୟନ୍ତ ରାମ ନାମ ଥିବ, ତୁମ୍ଭେ ସେତେକାଳ ପର୍ଯ୍ୟନ୍ତ ଏହି ଦେହ ଧାରଣ କରି ଥିବ ଅର୍ଥାତ୍ ଅମର ହୋଇ ରହିଥିବ । ମୁଁ ତୁମ୍ଭଙ୍କୁ ଏହି ବର ପ୍ରଦାନ କଲି । ’’
୫୯ଶ ପଦ :- ଯମଦାଢ଼ୁ-କଟାରୀ ଶସ୍ତ୍ରରୁ ।
୫୯ଶ ପଦ :- ରାମଚନ୍ଦ୍ର ଏହି ବର ଦେବା ପରେ କଟାରୀ ଶସ୍ତ୍ରରୁ ଓ ଶାଢ଼ୀ ବାହାର କରି ତାହା ବିଭୀଷଣର ମୁଣ୍ଡରେ ବାନ୍ଧି କହିଲେ, ‘‘ତୁମ୍ଭେ ଆଜିଠାରୁ ଲଙ୍କାର ରାଜା ହେଲ । ’’
୬୦ଶ ଓ ୬୧ଶ ପଦ :- ତତ୍ପରେ ରାମଚନ୍ଦ୍ର ତାକୁ ଲଙ୍କାର ସମସ୍ତ ବିବରଣ ପଚାରିବାରୁ ବିଭୀଷଣ କହିଲା, ‘‘ରାବଣ ବିରଜା ମଣ୍ଡଳରେ ତପସ୍ୟା କରି ବ୍ରହ୍ମାଙ୍କ ବର ପ୍ରଭାବରେ ଜଗତକୁ ଜୟ କରିଅଛି । ’’
୬୨ଶ ପଦ :- ଏହି ଛାନ୍ଦକୁ ଉପେନ୍ଦ୍ର ଭଞ୍ଜ ବାଷଠି ପଦରେ ରଚନା କରିଅଛନ୍ତି । ହେ ସାଧୁବୃନ୍ଦ-ଏହାକୁ ଭଲ ଭାବରେ ବିଚାର କର ।