ଭାଗ ୫ — ବୈଦେହୀଶ ବିଳାସ (ତୃତୀୟ ଖଣ୍ଡ) — ଉପେନ୍ଦ୍ର ଭଞ୍ଜ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
୫୨ଶ ପଦ :- ସତ୍ୟବାଦୀ ହନୁମାନ କହିଲା, ‘‘ମୁଁ କଥା କହେ ବା ନ କହେ ସେ କଥା ଜଣାପଡ଼ିଛି । ତୁମ୍ଭେ ବୃଥାରେ ଏ ବିଷୟରେ ମତେ ବାଉଳା କରାଇ କଷ୍ଟ ଦେଉଛ କାହିଁକି ? ସେହି ଘର ମଧ୍ୟରେ ଦୀପସିନା ଥିଲା, ଆଉ କିଏ ଥାନ୍ତା ?’’
୫୩ଶ ପଦ :- ପୁଣି କହିଲା, ‘‘ଗୋ ସୀତେ ! ବିଯୋଗକୁ ନିକିତି କରି ସେଥିରେ ତୁମ୍ଭ ଦୁହିଁଙ୍କୁ ଦ୍ରବ୍ୟ କରି ତୁଳିଲେ ତୁମ୍ଭେ ଦୁହେଁ ସମାନ ହେବ । (ବିରହ ତୁମ୍ଭ ଦୁହିଁଙ୍କୁ ସମାନ ଭାବରେ ବାଧା ଦେଉଛି ଏବଂ ଏଥିରୁ ଜଣାଯାଉଛି ଯେ, ତୁମ୍ଭ ଦୁହିଁଙ୍କର ପରସ୍ପର ପ୍ରତି ସମାନ ସ୍ନେହ ଅଛି) କିନ୍ତୁ ତୁମ୍ଭ ଦୁହିଁଙ୍କ ମଧ୍ୟରେ କାହାର ସ୍ନେହ ଅଧିକ ଏହି କଥା ମୁଁ ଅନେକ ସମୟରେ ବିଚାରି ଅନ୍ୟମାନଙ୍କୁ ପଚାରିବାରେ ସେମାନେ କହିଲେ, ‘ଯେ ଯାହାକୁ ଛାଡ଼ିଲା, ତାର ସ୍ନେହ ଉଣା ପରି ଜଣାଯାଏ ।’
୫୪ଶ ପଦ :- ‘‘ତୁମ୍ଭେ ତ ବିଚାରନିପୁଣା, ମୁଁ ଅବା ଆଉ କଣ କହିବ ? ତଥାପି ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି । ତୁମ୍ଭେ ମୋର କାନ୍ଧରେ ବିଜେ କର, ତାହା ହେଲେ ତୁମ୍ଭର ପ୍ରିୟଙ୍କ ସହ ଭେଟ ହୋଇ ବିରହ ଦୁଃଖ ଦୂରହେବ ।’’
୫୫ଶ ପଦ :- ସୀତା କହିଲେ, ‘‘ହେ ହନୁମାନ ! ତୁମ୍ଭେ କଣ କହୁଛ ? ତୁମ୍ଭେ ତ ବୃକ୍ଷମାନଙ୍କରେ ଡ଼େଇଁ ବୁଲୁଥିବା ସାଧାରଣ ମାଙ୍କଡ଼ ନୁହେଁ (ଅର୍ଥାତ୍ ତୁମ୍ଭେ ଜ୍ଞାନହୀନ ପଶୁ ନୁହଁ) । ପ୍ରବଳ ପରାକ୍ରମୀ ରାବଣ ବଳାତ୍କାରେ ଆଣିବାରୁ ମୋତେ ‘ଅବଳା’ ଦୁର୍ବଳା ବା ସହାୟଶୂନ୍ୟ ବୋଲି ମନେ କରୁଛ କି ? ତା ନୁହେଁ, ରାମଙ୍କର ସ୍ନେହ ମୋଠାରୁ ଉଣା ହୋଇ ନାହିଁ (ତୁମ୍ଭେ ଜ୍ଞାନୀ ହୋଇ ମୋତେ ସାମାନ୍ୟ ସ୍ତ୍ରୀ ବୋଲି ଭାବି ଏପରି କହିବା ଉଚିତ ନୁହେଁ) ।’’
୫୬ଶ ପଦ :- ‘‘ହେ ବାୟୁପୁତ୍ର ! ତୁମ୍ଭ କହିବା ଅନୁସାରେ କାର୍ଯ୍ୟ କଲେ ରାମଚନ୍ଦ୍ରଙ୍କର ବୀରତ୍ୱର ନିନ୍ଦା ହେବ; କାରଣ ରାବଣ ଆଣିବା ଓ ତୁମ୍ଭେ ନେବା ଦୁଇଗୋଟି ଯାକ କାର୍ଯ୍ୟ ଚୋରୀରେ ଗଣ୍ୟ ହେବ । ଏଣୁ ତୁମ୍ଭେ ଏପରି ନ କହି ଦୁର୍ବହ ରାମଚନ୍ଦ୍ରଙ୍କୁ ସ୍କନ୍ଧରେ ବହି ସମୁଦ୍ର ଲଙ୍ଘନ ପୂର୍ବକ ଏଠାକୁ ଶୀଘ୍ର ଆସ, ତାହା ହେଲେ ତୁମ୍ଭ କୀର୍ତ୍ତି ଯୁଗେ ଯୁଗେ ଥିବ ।
୫୭ଶ ପଦ :- ପ୍ରତି ଆଶା - ପ୍ରତି ଦିଗ ।
୫୭ଶ ପଦ :- ‘‘ହେ ହନୁମାନ । ମୋର ଦୁର୍ଦ୍ଦଶାରୁପ ଅନ୍ଧାର ରାତି ଘୋଟି ରହିଥିବାରୁ ପ୍ରିୟପ୍ରାପ୍ତି ରୂପ ପ୍ରତିଆଶା ପ୍ରତିଦିଗ ପରି ପ୍ରକାଶିତ ହେଉ ନାହିଁ । ବର୍ତ୍ତମାନ ତୁମ୍ଭ କଥାରେ ପ୍ରତ୍ୟେକ ପଦ ଅର୍ଥାତ୍ତୁମ୍ଭେ ଯେଉଁ ସବୁ ଗୁପ୍ତକଥା କହିଲ ସେ ସବୁ କଥା ପ୍ରକାଶକ ବାକ୍ୟମାନଙ୍କରେ ଥିବା ପ୍ରତ୍ୟେକ ପଦ ମୋ ହୃଦୟରେ ସ୍ଥାନ ପାଇ ପ୍ରତିପଦା ତିଥିରେ ଚନ୍ଦ୍ର ପ୍ରକାଶିତ ହେଲା ପରି ମୋ ହୃଦୟରେ ରାମଙ୍କ ସହ ପୁନର୍ମିଳନ ଆଶା ପ୍ରକାଶିତ ହୋଇ ଦିତୀୟା ତିଥିରେ ଚନ୍ଦ୍ର କ୍ରମେ ବୃଦ୍ଧି ପାଇଲା ପରି ବୃଦ୍ଧି ହେବ । (ଅର୍ଥାତ୍ତୁମ୍ଭ କଥା ଶୁଣି ମନେ କରୁଛି, ତାଙ୍କ ସହ ଅଳ୍ପଦିନ ପରେ ମିଳନ ଘଟିବ ) ।’’
୫୮ଶ ପଦ :- ମଧୁପ - ମଦ୍ୟପାୟୀ । ସୁକାନ୍ତି - ସୁମନୋହର । ଈଶ - ମହାଦେବ । ବିଭାତକୀ - ନିର୍ଭୟରେ । ଶିବରାତ୍ରି- ମଙ୍ଗଳମୟୀ ରାତ୍ରି ।
୫୮ଶ ପଦ :- ପୁଣି କହିଲେ, ହେ ‘‘ବାୟୁପୁତ୍ର ! ତୁମ୍ଭେ ମନେ କରିପାର ମୁଁ ଏଠାରେ ବହୁଦିନ ରହିଲେ ମଦ୍ୟପ ରାବଣ ମତେ ବଶ କରିନେବ । ମାତ୍ର ଏହା ହୋଇନପାରେ । ତୁମ୍ଭେ ବୁଝ, ପାତକୀ କେତକୀ ଶିବରାତ୍ରି ଦିନ ନିଜର ମନୋହର ଶୋଭା ପ୍ରତି ଦୟା ନ ଦେଖାଇ ଅର୍ଥାତ୍ ଗଛରୁ ତୋଳି ହୋଇ ଆସିବାରୁ ଗଛକୁ ଅସୁନ୍ଦର କରି, ଅଥବା ତୋଳା ହୋଇଯିବାରୁ ଝାଉଁଳି ଯାଇ ମହାଦେବଙ୍କ ଭୋଗରେ ଲାଗେ । ମୁଁ ସେହିପରି ମଦୁଆ ରାବଣର ବଶତା ସ୍ୱୀକାର ପୂର୍ବକ କଳଙ୍କିନୀ ନ ହୋଇ ‘ଈଶ’ ସ୍ୱାମୀ ରାମଚନ୍ଦ୍ରଙ୍କ ସହ ସମ୍ଭୋଗରେ ଲାଗିବି ।’’
୫୯ଶ ପଦ :- ସୀତା ଏହିପରି କହିବାର ଶୁଣି ହନୁମାନ ହଠାତ୍ କହିଲା ‘‘ଗୋ ବୈଦେହୀ ‘ ଶଙ୍ଖାସୁର ବେଦକୁ ଚୋରାଇ ନେଇ ସମୁଦ୍ର ମଧ୍ୟରେ ଲୁଚାଇ ରଖିପାରିଲା କି ? ମୀନାବତାରରେ ରାମଚନ୍ଦ୍ର ତାକୁ ମାରି ବ୍ରହ୍ମାଙ୍କୁ ସୁଖୀ କଲେ । ରାମ ସେହିପରି ତୁମ୍ଭଙ୍କୁ ସୁଖୀ କରାଇବେ ।’’
୬୦ଶ ପଦ :- ବିଧୁରତା - ବିଚ୍ଛେଦ । ପ୍ରଭାବ - ଶକ୍ତି ।
୬୦ଶ ପଦ :- ପୁଣି କହିଲା, ‘‘ଗୋ ବୈଦେହୀ ! ବିଧାତାସହ ବେଦର ଯେତେଦିନ ବିଚ୍ଛେଦ ହେବାକୁ ଥିଲା ତାହା ହେଲା, କିନ୍ତୁ ସେହି ବେଦ ପୁଣି ବିଧାତାର ହସ୍ତଗତ ହେଲା । ସେହିପରି ତୁମ୍ଭ ଦୁହିଙ୍କର ଯେତେଦିନ ବିଚ୍ଛେଦ ଘଟିବାକୁ ଅଛି ଘଟିବ, ପୁଣି ତୁମ୍ଭେ ତାଙ୍କର ନିକଟକୁ ଯିବ । ବ୍ରହ୍ମା ଓ ବେଦର ଏବଂ ରାମଚନ୍ଦ୍ର ଓ ତୁମ୍ଭର ଚେଷ୍ଟା ଶକ୍ତି ଓ ପ୍ରକୃତି ସମାନ ଅଟେ । ଅତଏବ ସେ ଦୁହିଁଙ୍କର ବିଚ୍ଛେଦ ଲୁପ୍ତ ହେଲା ପରି ତୁମ୍ଭ ବିଚ୍ଛେଦ ନିଶ୍ଚୟ ଲୋପ ହେବ ।’’
ବେନିଜନଙ୍କର ଚେଷ୍ଟା ତୁମ୍ଭର ବୁଝି କରୁଛି ଏହି ବିଚାରବିଧାତା ସଂସାରସାର ପ୍ରଶଂସାର ବିହି ବସିଲା ଏକ ଶରୀର ଗୋ ।ବୈଦେହୀ ।୬୧ ।ବିଚାରିଲା ପୁରୁଷେ କରିବି ବାମା ଏପରି କାହୁଁ ଆଣିବିବେଭାରେ ଶୋଭାରେ ପ୍ରଭାରେ ସ୍ନେହରେ ଗୁଣେ ଦ୍ୱିମୂର୍ତ୍ତି କଲା କି ଭାବି ଗୋ ।ବୈଦେହୀ ।୬୨ ।ବପୁଁ ବିଚାରେ ଚାହିଁ ତୁମ୍ଭର ବିରହ ଯେ ଠକ ବଣିଜାରବେଗେ ରୁପ୍ୟ ଦେଇ ଜାତରୁପ ନେଇ ଘୋଟୁଁ ସ୍ୱରୂପ କାମ ଅନ୍ଧାର ଗୋ ।ବୈଦେହୀ ।୬୩ ।ବିକରତୁଁ ତବ ଧବ ଚିତ୍ତ ବର୍ଣ୍ଣ ପାଲଟ ଅତି ଦୁଃଖିତବ୍ୟକତ କରି ସ୍ଫଟିକ ମରକତ ନେଲା ଅଶକତ ଅତିଅନ୍ତ ଗୋ ।ବୈଦେହୀ ।୬୪ ।ବେନି ବର୍ଣ୍ଣ ଅମୂଲ୍ୟ ପଦାର୍ଥ ବ୍ୟାପି ପରସ୍ପରେ ହୃଦପଥବିହି ରତନ ସ୍ୱର୍ଣ୍ଣମାଳା ସତନ ତନମନ ଯେଣେ ମନୋରଥ ଗୋ ।ବୈଦେହୀ ।୬୫ ।୬୧ଶ ପଦ :- ବିହି - ନିର୍ମାଣ କରି ।
୬୧ଶ ପଦ :- ‘‘ଗୋ ବୈଦେହୀ ! ତୁମ୍ଭ ଦୁହିଙ୍କର ଗଠନ ଦେଖି ମୁଁ ଏହି ବିଚାର କରୁଛି, ବିଧାତା ପ୍ରଶଂସାଯୋଗ୍ୟ ସଂସାରସାର ବସ୍ତୁମାନଙ୍କଦ୍ୱାରା ଏକ ଶରୀର ନିର୍ମାଣ କରିବାକୁ ଇଚ୍ଛା କଲା ।’’
୬୨ଶ ପଦ :- ‘‘ଗୋ ବୈଦେହୀ ! ସମସ୍ତ ଉକ୍ତୃଷ୍ଟ ବସ୍ତୁର ସାର ସଂଗ୍ରହ କରି ବିଧାତା ଭାବିଲା; ଯଦି ଗୋଟିଏ ପୁରୁଷ ନିର୍ମାଣ କରିବ, ତାହାହେଲେ ଏହାପରି ଗୋଟିଏ ସ୍ତ୍ରୀ କାହୁଁ ଆଣିବି ? ସୁତରାଂ ସେ ବ୍ୟବହାର, ଶୋଭା, ପ୍ରଭାବ, ସ୍ନେହ, ଗୁଣରେ ସମାନ କରି ଭାବି ଭାବି ଦୁଇଗୋଟି ମୂର୍ତ୍ତି (ତୁମ୍ଭ ଦୁହିଙ୍କୁ) ନିର୍ମାଣ କଲା ।’’
୬୩ଶ ପଦ :- ରୁପ୍ୟ - ରୁପା । ଜାତରୂପ - ସୁବର୍ଣ୍ଣ ।
୬୩ଶ ପଦ :- ‘‘ଗୋ ବୈଦେହୀ ‘ ତୁମ୍ଭ ଦୁହିଙ୍କର ଦେହକୁ ଦେଖି ମୁଁ ଏପରି ବିଚାର କରୁଛି, ତୁମ୍ଭର ଯେ ବିରହ ସେ ଠକ ବେପାରୀ ଅଟେ । କାରଣ ଅନ୍ଧାର ଘୋଟିଲେ ଯେପରି ଠକ ବେପାରୀମାନେ ହଠାତ୍ ରୁପା ଦେଇ ସୁନା ନେଇଯାନ୍ତି ସେହିପରି କାମରୂପୀ ଅନ୍ଧକାର ଘୋଟିବାରୁ ଠକ ବିରହ ତୁମ୍ଭଙ୍କୁ ରୁପାର ବର୍ଣ୍ଣତୁଲ୍ୟ ପାଣ୍ଡୁର ବର୍ଣ୍ଣ ଦେଇ ତୁମ୍ଭଠାରୁ ସୁବର୍ଣ୍ଣ ତୁଲ୍ୟ କାନ୍ତିକୁ ଠକି ନେଇଯାଇଅଛି ଅର୍ଥାତ୍ ବିରହ ଯୋଗୁଁ ତୁମ୍ଭର ସବୁର୍ଣ୍ଣ ତୁଲ୍ୟ କାନ୍ତି ପାଣ୍ଡୁରତା ଧାରଣ କରିଅଛି ।’’
୬୪ଶ ପଦ :- ‘‘ଗୋ ବୈଦେହୀ ! ସେହି ବିରହ ଠକ ତୁମ୍ଭ ପ୍ରିୟଙ୍କ ମନରେ ବିରକ୍ତ ଜାତ କରାଇ, ତାହାଙ୍କୁ ଅତିଶୟ ଦୁଃଖିତ ଓ ବିବର୍ଣ୍ଣ କରିଅଛି । ଏବଂ ତାହାଙ୍କୁ ଅତ୍ୟନ୍ତ ଦୁର୍ବଳ କରି ଇନ୍ଦ୍ରମାଳମଣିର କାନ୍ତି ସଦୃଶ ଦେହର କାନ୍ତିକୁ ଅପହରଣ କରି, ସ୍ଫଟିକ ତୁଲ୍ୟ ଶୁକ୍ଳକାନ୍ତିକୁ ତାଙ୍କ ଦେହରେ ପ୍ରକାଶିତ କରିଅଛି ।’’
୬୫ଶ ପଦ :- ‘‘ତୁମ୍ଭ ଦୁହିଁଙ୍କର ଦେହରେ କାନ୍ତି ଅମୂଲ୍ୟ ପଦାର୍ଥ ଅଟେ । (ସୁନା ଓ ଇନ୍ଦ୍ରନୀଳମଣି ପରି ହୋଇଥିବାରୁ) । ତାହା ମଧ୍ୟ ଦୁହିଁଙ୍କର ହୃଦୟ ପଥରେ ବ୍ୟାପ୍ତ ହୋଇଅଛି । ଅର୍ଥାତ ସେ ତୁମ୍ଭଙ୍କୁ ସୁବର୍ଣ୍ଣବର୍ଣ୍ଣା ଓ ତୁମ୍ଭେ ତାଙ୍କୁ ନୀଳମଣି ବର୍ଣ୍ଣ ବୋଲି ମନେ କରୁଛ, ଏଣୁ ତୁମ୍ଭେ ତାଙ୍କୁ ରତ୍ନମାଳାପରି ଓ ସେ ତୁମ୍ଭଙ୍କୁ ସୁବର୍ଣ୍ଣମାଳା ପରି ଯତ୍ନପୂର୍ବକ ଆଦର କରୁଛ । ଗୋ ବୈଦେହୀ ! ମୁଁ ତୁମ୍ଭ ମନକଥା ଜାଣେ ।’’
ବୋଲେ ଜାନକୀ ତା ବାଣୀ ଶୁଣି ବିଖ୍ୟାତ ହୋ ଆଣି ରାମ ଆଣିବଳିଲେ କଣ୍ଟ ବଳିଷ୍ଠ ରକ୍ଷନାଥ ବଳିବତ କରିବଟି ପୁଣି ହେ ।ବାତଜ ।୬୬ ।ବେଦନାକୁ କି କହିବି ଦେଖ ବନ୍ଧୁ ଦୀନବନ୍ଧୁ ମୁଁ ନୀରକ୍ଷବୋଲି ରମଣୀଶିରୋମଣି ତା ଶିରୋମଣି ଦେଇ ଭାଷେ ରଖ ରଖ ହେ ।ବାତଜ ।୬୭ ।ବନ୍ଦାଇଲେ ଏ ରତ୍ନ ଶ୍ୱଶୁରେ ବିଦ୍ୟମାନ ପଦାର୍ଥ ଏ ସୁରେବସନସ୍ଥିତ ଶ୍ୱସନସୁତ କଲା ସୁପ୍ରସନ୍ନବଦନୀ ଦେବାରେ ସେ ।ବହନେ ।୬୮ ।ବୋଲେ ମେଲାଣି ହୋଇଲି ମୁହିଁ ବ୍ୟଥା ତେଜ ସୁଧାକର ମୁହିଁବିଦିତ କଥା କାଳକାଳ ହୋଇବ କାଳକାଳ ଏକା ଥାଅ ଧ୍ୟାୟି ଗୋ ।ବୈଦେହୀ ।୬୯ ।ବୋଇଲେ ଯେ ଜନକକୁମାରୀ ବୃକ୍ଷାଂଜନ ଯାରେ ଅନୁସରିବନ୍ଦୀ ମୁଁ ତାରେ ବନ୍ଦୀ ପରକାରେ ବନ୍ଦିଲେ ସେ ପାରିଲେ ନିସ୍ତାରି ହେ ।ବାତଜ ।୭୦ ।ବିଧାତାର ହିଁ ନାହିଁ ଆୟତ୍ତ ବେଦ ପଢ଼େ ଅନୁସରି ନିତ୍ୟବିଷ୍ଣୁ ମାତର କାତର ନୋହିଛନ୍ତି କଷ୍ଟ ଅନନ୍ତରକୁ ଧ୍ୟାୟି ଚିତ୍ତ ହେ ।ବାତଜ ।୭୧ ।ବାତାମ୍ବକ ସତ୍ୟ ବୋଲି ଯାଇ ବୀରବର ଉପଇନ୍ଦ୍ର କହିବାସ୍ତରିପଦ ଛାନ୍ଦ ବୁଧସମ୍ପଦ ମୁର୍ଖ ବିପଦକାରକ ଏହି ହେ ।ବିସ୍ତିର୍ଣ୍ଣେ ।୭୨ ।
୬୬ଶ ପଦ :- ହନୁମାନଠାରୁ ଏପରି କଥା ଶୁଣି ଜାନକୀ କହିଲେ, ‘‘ହେ ବାୟୁପୁତ୍ର ! ତୁମ୍ଭେ ରାମଚନ୍ଦ୍ରଙ୍କୁ ଏଠାକୁ ଆଣି ନିଜର ସମ୍ମାନ ସହିତ ଖ୍ୟାତିଲାଭ କର । କାରଣ କଣ୍ଟ ବଳିଗଲେ ବଳିଷ୍ଠ ରାବଣ ମୋତେ ଦେବୀମାନଙ୍କ ନିକଟରେ ଛାଗ ବଳି ଦେଲାପରି ବଳି ଦେବ ।’’
୬୬ଶ ପଦ :- ଆଣି - ଟେକି । ରକ୍ଷାନାଥ - ରାବଣ । ବଳିବତ - ପଶୁପରି ।
୬୭ଶ ପଦ :- ‘‘ହେ ବାୟୁପୁତ୍ର ! ମୋର ଦୁଃଖର କଥା ମୁଁ କଣ କହିବି, ତୁମ୍ଭେ ନିଜେ ଦେଖ । ମୋର ବନ୍ଧୁ (ସ୍ୱାମୀ) ଦୀନବନ୍ଧୁ ବୋଲି ଜଗତରେ ଖ୍ୟାତିଲାଭ କରିଅଛନ୍ତି; ମାତ୍ର ମୁଁ ‘ଅକ୍ଷର’ ବନ୍ଧୁହୀନ ହୋଇ ଏଠାରେ ପଡ଼ିଛି ।’’ ରମଣୀମଣି ସୀତା ଏହାକହି ନିଜର ମଥାମଣିଟିକୁ କାଢ଼ି ହନୁମାନକୁ ଦେଇ କହିଲେ, ‘‘ତୁମ୍ଭେ ଏହାକୁ ରଖ ।’’
୬୮ଶ ପଦ :- ବିଦ୍ୟମାନ - ଥାଏ । ସୁରେ - ଦେବତାମାନଙ୍କଠାରେ । ଶ୍ୱାନସୁତ - ହନୁମାନ ।
୬୮ଶ ପଦ :- ପୁଣି ସୀତା କହିଲେ, ‘‘ଏହି ମଥାମଣିଟିକୁ ମତେ ଶ୍ୱଶୁର ବନ୍ଦାଇ ଥିଲେ । ଏହି ପଦାର୍ଥ (ମଥାମଣି) କୁ ଦେବତାମାନେ ଜାଣନ୍ତି । (ଏହା ଦେବଯୋଗ୍ୟ ପ୍ରସିଦ୍ଧ ରତ୍ନ ଅଟେ ।’’ ସୀତା ଏପରି କହି ସେହି ମଥାମଣିକୁ ଦେବାରୁ ହନୁମାନ ତାହାକୁ ଲୁଗାରେ ବାନ୍ଧି ରଖିଲା ।
୬୯ଶ ପଦ :- ତତ୍ପରେ ହନୁମାନ କହିଲା, ‘‘ମୁଁ ମେଲାଣି ହେଉଛି । ହେ ଚନ୍ଦ୍ରମୁଖି ସୀତେ ! ମନରୁ ଚିନ୍ତା ଦୂର କର । ଏ କଥା ବହୁକାଳ ପର୍ଯ୍ୟନ୍ତ ଲୋକରେ ପ୍ରସିଦ୍ଧ ଲାଭ କରିବ । ତୁମ୍ଭେ ଏହି ଦୁଃଖରୁ ପରିତ୍ରାଣ ହେବା ପାଇଁ ‘କାଳକାଳ’ ମହାଦେବଙ୍କୁ ଧ୍ୟାନ କରୁଥାଅ ।’’
୭୦ଶ ପଦ :- ଏହା ଶୁଣି ସୀତା କହିଲେ, ହେ ବାୟୁପତ୍ର ! ମହାଦେବ ଯେଉଁ ରାବଣକୁ ଅନୁସରଣ କରି ଅଛନ୍ତି, ମୁଁ ସେହି ରାବଣ ଦ୍ୱାରା ବନ୍ଦୀ ହୋଇଅଛି । ସୁତରାଂ ମୁଁ ତାଙ୍କୁ ଭାଟପରି ସ୍ତୁତି କଲେ, ସେ କଣ ମୋତେ ଉଦ୍ଧାର କରିବେ ?’’
୭୧ଶ ପଦ :- ‘‘ହେ ବାୟୁ ପୁତ୍ର । ମୋତେ ଏହି ଦୁଃଖରୁ ପରିତ୍ରାଣ କରିବା ପାଇଁ ବିଧାତାର ମଧ୍ୟ ଶକ୍ତି ନାହିଁ । ଯେ ହେତୁ ସେ ମଧ୍ୟ ରାବଣକୁ ଅନୁସରଣ କରି ପ୍ରତିଦିନ ବେଦପାଠ କରୁଅଛନ୍ତି । ମାତ୍ର ବିଷ୍ଣୁ ତାକୁ ଭୟ କରନ୍ତି ନାହିଁ । ଏଣୁ ମୋର ଦୁଃଖକୁ ଦୂର କରିବା ପାଇଁ କେବଳ ତାଙ୍କୁ ଧ୍ୟାନ କରୁଛି ।’’
୭୨ଶ ପଦ :- ସୀତା ଏହିପରି କହିବାରୁ ହନୁମାନ ଏହା ସତ୍ୟ ବୋଲି କହି ଚାଲିଗଲା । ପଣ୍ଡିତମାନଙ୍କର ଆନନ୍ଦଦାୟକ ଓ ମୂର୍ଖମାନଙ୍କର ବିପତ୍ତିଦାୟକ ଏହି ଛାନ୍ଦକୁ ବୀରବର ଉପେନ୍ଦ୍ର ବାସ୍ତରୀ ପଦରେ କହିଲେ ।
ଷଟ୍ତ୍ରିଂଶ ଛାନ୍ଦରାଗ-ବସନ୍ତବସତି ସେ ବସନ୍ତର ସକଳ କାଳରେ ।ବିଖନେ ନାମେ ଲେଖନ ମଧୁବନ କରେ ଯେ ।ବିବିଧ ତରୁଣ ତରୁ ଲତା ଚାରୁ ଅତି ।ବିନ୍ଧ୍ୟା ନାହିଁ ସର୍ବେ ଫଳବନ୍ତ ପୁଷ୍ପବତୀ ଯେ ।ବିଭାବସୁଅଂଶୁ ପଶୁ ନାହିଁ ପତ୍ରଘଞ୍ଚେ ।ବିହର ବିହଗେ ପଞ୍ଜରୀସ୍ଥ ଶୋଭା ରତେ ଯେ ।୧ ।ବିଜ୍ୱଳିତ ଯହିଁ ନାନାରତ୍ନ ଆଳବାଳ ।ବାସର ରଜନୀ ମେଳ ପ୍ରଭା ମହୋଜ୍ୱଳ ଯେ ।ବାସ୍ତୋଷ୍ପତି ଧନପତି ସେବେ ଲଙ୍କାନାଥ ।ବିନତି ସେ ବନରେ ନନ୍ଦନ ଚୈତ୍ରରଥ ଯେ ।ବିହନ୍ତି ଅମୃତତୁଲ୍ୟ ଶୀତଳ ଅମୃତ ।ବଢ଼ାନ୍ତି ଚାରି ଜୀମୁତେ ବାଦ କରି ନିତ୍ୟ ଯେ ।୨ ।ବିଦିତ ଚନ୍ଦନଗନ୍ଧ ଗନ୍ଧ ବହ ବହି ।ବାଲୁକା ବ୍ୟାଜରେ ହିମବାଲୁକା ସଞ୍ଚଇ ଯେ ।ବିହନ୍ତି ବାଦ ଆରମ୍ଭ ଗନ୍ଧର୍ବ ପଦକୁ ।ବିଞ୍ଚନ୍ତି କୁରଙ୍ଗ ଖତ କରି ତା ମଦକୁ ଯେ ।ବନପ୍ରିୟ ପଞ୍ଚମସ୍ୱରକୁ ଗୀତାରମ୍ଭେ ।ବହିଛୁଁ ଗନ୍ଧର୍ବ ପଦ ଛଡ଼ାଇଣ ଆମ୍ଭେ ଯେ ।୩ ।ବସୁମତୀ ଦେବ ଧର୍ମେ ନ ଛୁଉଁ ଚରଣେ ।ବୋଲାଉଛ ଗନ୍ଧର୍ବ କେବଣ ସୁଲକ୍ଷଣେ ଯେ ।ବୀଣା ବଡ଼ପଣ ଛଡ଼ାଇଣ ନାରଦର ।ବିନା ବାଦନେ ଝିଲ୍ଲିକା ଝର୍ଝର ସୁସ୍ୱର ଯେ ।ବିଅର୍ଥ ଏ ଅନୁମାନ ମାନହିଁ ନୁହଁଇ ।ବଳେ ଯକ୍ଷୁଁ ରକ୍ଷେ ପୁଣ୍ୟଜନପଦ ନେଇ ଯେ ।୪ ।ବଳେ ଯେବେ ନ ନେଲେ ପାତକୀ ପୁଣ୍ୟଜନ ।ବୋଲାଇଲେ କେଉଁ ଅର୍ଥେ ସର୍ବେ ମନେ ଘେନ ଯେ ।ବନ ଦେଖି ମହାତୋଷ ହନୁମାନ ପାଞ୍ଚି ।ବାଦକାଳେ ଚୋର ପ୍ରାୟେ ଯିବା କିଁପା ଲୁଚି ଯେ ।ବଳହୀନ ନୋହେ ଯିବି ହୋଇ କ୍ଷୁଧାତୁର ।ବୃକ୍ଷ ଉପାଡ଼ି ସେ ଫଳ ଝାଡ଼ିଲା ମୁଖର ଯେ ।୫ ।
୧ମ ପଦ :- ବିଖାନ - ବିଧାତା । ଗୁରୁ - ମନୋହର । ପତ୍ରଘଞ୍ଚେ - ପତ୍ର ଗହଳରେ । ବିଭାବସୁଅଂଶୁ - ସୂର୍ଯ୍ୟକିରଣ । ବିହଗେ - ପକ୍ଷୀମାନେ ।
୧ମ ପଦ :- ବସନ୍ତକାଳ ସର୍ବଦା ସେହି ଅଶୋକବନରେ ବାସ କରି ରହିଥିବାରୁ, ବିଧାତା ତାହାର ନାମ ମଧୁବନ ଦେଇଅଛନ୍ତି । ସେହି ବନ ନାନାବିଧ ତରୁଣ ବୃକ୍ଷ ଓ ଅତି ସୁନ୍ଦର ଲତାମାନଙ୍କଦ୍ୱାରା ପୂର୍ଣ୍ଣ ହୋଇଅଛି । ଗୋଟିଏ ସୁଦ୍ଧା ଅଫଳନ୍ତି ବୃକ୍ଷ ବା ଲତା ସେଠାରେ ନାହାଁନ୍ତି । ସମସ୍ତେ ଫଳ ପୁଷ୍ପରେ ବିମଣ୍ଡିତ ହୋଇଅଛନ୍ତି । ବୃକ୍ଷ ଲତାମାନଙ୍କର ସାନ୍ଦ୍ର ପତ୍ରରାଶି ଯୋଗୁଁ ସୂର୍ଯ୍ୟକିରଣ ସେଠାରେ ପ୍ରବେଶ କରିପାରୁନାହିଁ । ପକ୍ଷୀମାନେ ସେଠାରେ ରହି କ୍ରୀଡ଼ା କରୁଥିବାରୁ ସେହି ବନ ଗୋଟିଏ ମନୋହର ପିଞ୍ଜରା ପରି ଦେଖାଯାଉଛି ।
୨ୟ ପଦ :- ବିଜ୍ଜ୍ୱଳିତ - ସମୁଜ୍ଜ୍ୱଳ । ଆଳବାଳ - ବୃକ୍ଷମାନଙ୍କ ମୂଳରେ ଥିବା ମନ୍ଦା । ଧନପତି - କୁବେର । ନନ୍ଦନ - ଇନ୍ଦ୍ରଙ୍କର ଉଦ୍ୟାନ । ଚୈତ୍ରରଥ - କୁବେରଙ୍କର ଉଦ୍ୟାନ । ଅମୃତ - ଜଳ । ଜୀମୂତ - ମେଘ ।
୨ୟ ପଦ :- ସେହି ବନରେ ଥିବା ବୃକ୍ଷ, ଲତାମାନଙ୍କର ମୂଳରେ ନାନାରତ୍ନମାନଙ୍କ ଦ୍ୱାରା ମନ୍ଦା ନିର୍ମିତ ହୋଇଅଛି । ସେହି ମନ୍ଦାମାନଙ୍କରେ ଥିବା ରତ୍ନମାନ କିରଣଦ୍ୱାରା ବନଦେଶ ଆଲୋକିତ ହେଉଅଛି । ଏଣୁ ତାହା ଦେଖିଲେ ମନେ ହେଉଛି, ଦିନ ଓ ରାତ୍ର ଦୁହେଁ ଏଠାରେ ଏକତ୍ରିତ ହୋଇ ନିଜ ନିଜର ଅତି ଉଜ୍ଜ୍ୱଳ ତେଜପୁଞ୍ଜକୁ ବିସ୍ତାର କରୁଅଛନ୍ତି କି ? (ବନ ପତ୍ରଗହଳ ଯୋଗୁଁ ଅନ୍ଧାକାରଚ୍ଛନ୍ନ ଓ ରତ୍ନ କୁବେର ଦୁହେଁ ରାବଣକୁ ସେବା କରୁଥିବାରୁ ଇନ୍ଦ୍ରଙ୍କର ଉପବନ ନନ୍ଦନ ଓ କୁବେରଙ୍କର ଉପବନ ଚୈତ୍ରରଥ ଏ ଦୁହେଁ ଏଠାକୁ ଆସି ରାବଣର ଏହି ମଧୁବନକୁ ପ୍ରାର୍ଥନା କରୁଅଛନ୍ତି କି ? ଆଉ ମଧ୍ୟ ସମ୍ବର୍ତ୍ତକାଦି ଚାରିମେଘ ପରସ୍ପର ମଧ୍ୟରେ ବିବାଦ କରି ଅମୃତତୁଲ୍ୟ ହିତକର ଶୀତଳ ଜଳ ବୃଷ୍ଟି କରୁଥିବାରୁ ବୃକ୍ଷ ଲତାମାନେ ବଢ଼ୁଛନ୍ତି ।
୩ୟ ପଦ :- ବିବୃତ - ବେଷ୍ଟିତ, କୁଞ୍ଜକାର । ଗନ୍ଧବହ - ପବନ । ହିମବାଲୁକା - କର୍ପୁରରଜ । ବନପ୍ରିୟ - କୋକିଳ । ମଦ – କସ୍ତୁରୀ ।
୩ୟ ପଦ :- ସେହି ବନରେ ଅତି ଉତ୍କଟ ଚନ୍ଦନସୁଗନ୍ଧ ଧାରଣ କରି ବାୟୁ ବାଲି ବିଞ୍ଚିବା ଛଳରେ କର୍ପୂର ଗୁଣ୍ଡା ବିଞ୍ଚୁଛି କି ? ମୃଗମାନଙ୍କର ନାମ ଗନ୍ଧର୍ବ ହୋଇଥିବାରୁ ସେମାନେ ନନ୍ଦନବନ ଓ ଚୈତ୍ରୋଦ୍ୟାନରେ କାର୍ଯ୍ୟ କରୁଥିବା ଗନ୍ଧର୍ବମାନଙ୍କ ସହ ବିବାଦ କରି ସେହି ମଧୁବନରେ କସ୍ତୁରୀକୁ ଖତ କରି ବିଞ୍ଚୁଛନ୍ତି । ନନ୍ଦନ ଓ ଚୈତ୍ରୋଦ୍ୟାନରେ ଗନ୍ଧର୍ବମାନେ କାର୍ଯ୍ୟ କଲାବେଳେ ଗାନ କରୁଥାନ୍ତି । ଏହି ବନରେ କୋକିଳମାନେ ପଞ୍ଚମତାନରେ ଗାନ କରି ‘ଆମ୍ଭେମାନେ ଗନ୍ଧର୍ବମାନଙ୍କଠାରୁ ଗନ୍ଧର୍ବ ପଦ ଛଡ଼ାଇ ଆଣିଛୁ’ ବୋଲି ପ୍ରକାଶ କରୁଛନ୍ତି ।
୪ର୍ଥ ପଦ :- ବସୁମତୀ - ପୃଥିବୀ । ଝିଲ୍ଲିକ- ଝିଙ୍କାରୀ । ପୁଣ୍ୟଜନ ପଦ - ରାକ୍ଷସପଦବୀ ।
୪ର୍ଥ ପଦ :- କୋକିଳମାନେ ଗନ୍ଧର୍ବମାନଙ୍କୁ ଗାନ ଛଳରେ ପୁନଶ୍ଚ କହୁଛନ୍ତି, ‘‘ହେ ଗନ୍ଧର୍ବମାନେ ! ତୁମ୍ଭେମାନେ ଯେପରି ‘ଦେବଧର୍ମେ’ ଦେବତାମାନଙ୍କ ପରି ଆଚରଣ କରୁଥିବାରୁ ଅର୍ଥାତ୍ ସ୍ୱର୍ଗରେ ରହିଥିବା ହେତୁରୁ ପାଦରେ ପୃଥିବୀକୁ ସ୍ପର୍ଶ କରୁନାହିଁ, ଆମ୍ଭେମାନେ ମଧ୍ୟ ସେହିପରି ‘ଦେବ ଧର୍ମରେ’ ଆକାଶରେ ବିହାର କରୁଥିବାରୁ ପୃଥିବୀକୁ ପାଦରେ ସ୍ପର୍ଶ କରୁନାହୁଁ । ଆଉ କେଉଁ ଉତ୍ତମ ଲକ୍ଷଣ ଥିବାରୁ ତୁମ୍ଭେମାନେ ଗନ୍ଧର୍ବ ବୋଲାଉଛ ? ନାରଦଙ୍କର ବୀଣା ବଜାଇବାରେ ବଡ଼ପଣ (ଉଚ୍ଚଆସନ) ଥିଲା, କିନ୍ତୁ ଏହି ବନରେ ବିନା ବୀଣା ସାହାଯ୍ୟରେ ଝିଙ୍କାରିମାନେ ଝିଂଝିଂସ୍ୱର ପ୍ରକାଶ କରୁଛନ୍ତି । ଏଣୁ ତୁମ୍ଭେମାନେ ‘ଆମ୍ଭେ ବୀଣା ବଜାଇ ଭଲ ଗାନ କରୁ ବୋଲି ଗନ୍ଧର୍ବ ପଦରେ ଅଭିହିତ ହେବାର ଉପଯୁକ୍ତ’ ବୋଲି ଯଦି କହ, ତା ବୃଥା, କାରଣ ଆମ୍ଭେମାନେ ତୁମ୍ଭମାନଙ୍କଠାରୁ ସେ ପଦ ଛଡ଼ାଇ ନେଲୁଣି । ଆମ୍ଭେ ଯେଉଁ ସବୁ ଆନୁମାନିକ କଥା କହିଗଲୁ ସେହି କଥାମାନଙ୍କରେ ଥିବା ଅନୁମାନଗୁଡ଼ିକ ବୃଥା ନୁହଁନ୍ତି । ଦେଖ, ରାକ୍ଷସମାନେ ବଳପୂର୍ବକ ଯକ୍ଷମାନଙ୍କଠାରୁ ପୁଣ୍ୟଜନପଦକୁ କିପରି ନେଇଛନ୍ତି ।’’ (ସ୍ୱର୍ଗାୟକ; କୋକିଳ ମୃଗ ଏମାନଙ୍କୁ ଏବଂ ଗନ୍ଧର୍ବ, ଯକ୍ଷ ଓ ରାକ୍ଷସମାନଙ୍କୁ ପୁଣ୍ୟଜନ ବୋଲାଯାଏ ) ।
୫ମ ପଦ :- ‘‘ଯେବେ ରାକ୍ଷସମାନେ ବଳପୂର୍ବକ ପୁଣ୍ୟଜନପଦ ନ ନେଲେ, ତାହାହେଲେ ସେମାନେ ପାପୀ ହୋଇ କେଉଁ ହେତୁରୁ ପୁଣ୍ୟଜନ ବୋଲାଇଲେ, ସମସ୍ତେ ମନରେ ଏହା ବିଚାର କର ।’’ ହନୁମାନ ସେହି ବନକୁ ଦେଖି ଅତିଶୟ ସନ୍ତୁଷ୍ଟ ହୋଇ ମନେ ମନେ ଭାବିଲା, ‘ମୁଁ ବିବାଦ ସମୟରେ ଚୋର ପରି ଲୁଚି ଲୁଚି ଏଠାରୁ କାହିଁକି ଯିବି? ମୁଁ ତ ଦୁର୍ବଳ ନୁହେଁ, କ୍ଷୁଧାର୍ତ୍ତ ହୋଇ କାହିଁକି ବା ଯିବି?’ ଏହିପରି ଭାବି ସେ ବୃକ୍ଷମାନଙ୍କୁ ଓପାଡ଼ି ପାଟିରେ ଫଳମାନଙ୍କୁ ଝାଡ଼ିଲା ।
ବାହାସ୍ଫୋଟ ବିହିଲା ଉଦରଶାନ୍ତି ଅନ୍ତେ ।ବିମର୍ଦ୍ଦିଲା ପାଦେ ପୁଷ୍ପ ଛଦନ ସହିତେ ଯେ ।ବିଚାରନ୍ତି ରକ୍ଷୀରାକ୍ଷସୀ ଏ କି ଉତ୍ପାତ ?ବତାସ ବିହୀନେ ତ କାନନ ହେଲା ହତ ଯେ ।ବ୍ରହ୍ମର ଅର୍ଦ୍ଧ ବୟସ ପ୍ରଳୟ ତ ଦୂରେ ।ବିଂଶଭୁଜେ ନ ଡରି କେ ଅଛି ଏ ସଂସାରେ ଯେ ।୬ ।ବାଳୀ ଭାଳିଲେ ବାନର ଦେଖି ବାଳି ଏହି ।ବାର୍ତ୍ତା କହିବାର ଭୂପେ ନଦୀପ୍ରାୟେ ବିହି ଯେ ।ବିଭରଣ ରୋଦନ ଭୟଦ ଧ୍ୱନି ମେଳ ।ବର୍ଷ୍ମରୁ ଗଳିତ ଘର୍ମ ଉଲ୍ଲୋଳ କଲ୍ଲୋଳ ଯେ ।ବାଳ ଫିଟି ଲୋଟି ଶଇବାଳଚୟ କି ସେ ।ବାହୁ ଉରୁ ତରୁ କି ଉପୁଡ଼ି ଭାସି ଆସେ ଯେ ।୭ ।ବରଷାସୂଚକ ଏ କାଳକୁ ସଭାସ୍ଥାନ ।ବିସ୍ତାର ଘନ ରାବଣ ପ୍ରତିଭା ନିଃସ୍ୱନ ଯେ ।ବିଧି ବାତ ମେଳ ଯନ୍ତ୍ର ବାଜିବାରୁ ତହିଁ ।ବରୁଣ ଶକ୍ରାଦି ସୁମନସ ସ୍ଫୁଟ ଯହିଁ ଯେ ।ବିରଳରେ ନୀଳକଣ୍ଠ ନୃତ୍ୟେ ଶ୍ରଦ୍ଧାପର ।ବିହୁଁ ହରି ରୀତି ଘୋଟି ମୋହିତ ଅନ୍ଧାର ଯେ ।୮ ।ବିକାଶ ଚଞ୍ଚଳା ଅତି ସେ ଅନ୍ତେ ଶରଦ ।ବଚ ଚନ୍ଦ୍ରୋଦୟ କଲା ପୁଷ୍କର ସୁହୃଦ ଯେ ।ବିବେକ ପ୍ରସରି ହେତୁହୀନ ହେଲା ଆସି ।ବିଭୀଷଣ ଅରିଷ୍ଟ ମସୃଣ ଶୁକେ ଭାଷି ଯେ ।ବନରକ୍ଷ ବାଣୀ ନ୍ୟାସେ ପୁନଃ ଜଡ଼କୃତ ।ବିଶେଷିତେ ଚିତ୍ତେ ଗଲ ପ୍ରବର୍ତ୍ତି ଶୀ (ସୀ)ତାର୍ତ୍ତ ଯେ ।୯ ।ବସନ୍ତେ ଭାଳିତା କିଂସୁ (ଶୁ) କର ପ୍ରକାଶିତ ।ବିନାଶ ହୋଇବ ଗରୀଷମକାଳ ପ୍ରାନ୍ତ ଯେ ।ବ୍ରହ୍ମାଙ୍କ ପୁଚ୍ଛିଲା ଶାଖାମୃଗେ କାହୁଁ ଆସ ।ବିଭୀତରେ ମୃଗରାଜ କାନନେ ବିଳସ ଯେ ।ବୋଲେ ସେ ହେବ ସୁଗ୍ରୀବ ଅବା ଅନୁମାନ ।ବାଳି ବୋଲନ୍ତାଇଁ ରାମବାଣେ ସେ ନିଧନ ଯେ ।୧୦ ।୬ଷ୍ଠ ପଦ :- ଛଦନ - ପତ୍ର । ରକ୍ଷୀ - ରାକ୍ଷସୀ ବନ ରକ୍ଷାକାରିଣୀ - ରାକ୍ଷସୀମାନେ ।
୬ଷ୍ଠ ପଦ :- ତାହାର ଉଦର ବାଧା ଶାନ୍ତି ଲାଭ କରିବା ଉତ୍ତାରୁ ଅର୍ଥାତ୍ ପେଟ ପୂରିଯିବା ଉତ୍ତାରୁ ସେ ବାହୁରେ ହାତ ମାରି ବୃକ୍ଷ, ଲତାମାନଙ୍କ ପତ୍ର ଓ ଫୁଲ ସହିତ ପାଦରେ ଦଳି ପକାଇଲା । ସେ ବନରେ ଥିବା ବନରକ୍ଷିକ ରାକ୍ଷସୀମାନେ ଏହା ଦେଖି ବିଚାରିଲେ, ‘ଏ କି ଉତ୍ପାତ ? ବିନା ବତାସରେ ଏହି ଉଦ୍ୟାନଟି ନଷ୍ଟ ହେଲା କିପରି ? ବ୍ରହ୍ମାଙ୍କର ବୟସତ ବର୍ତ୍ତମାନ ଅଧେ (୫୦ ବର୍ଷ ମାତ୍ର) ହୋଇଅଛି । ଏଣୁ ପ୍ରଳୟ ବହୁତ ଦୂରରେ ଅଛି । (ବର୍ତ୍ତମାନ ଏପରି ହେଲା କାହିଁକି ?) ଏହି ସଂସାରରେ ରାବଣକୁ ନ ଡରି କିଏ ବା ଅଛି ?’
୭ମ ପଦ :- ବାଳୀ - ରକ୍ଷାକାରିଣୀ ରାକ୍ଷସୀଗଣ । ବିଭରଣ - ପୂର୍ଣ୍ଣ । ବର୍ଷ୍ମରୁ - ଦେହରୁ । ଉଲ୍ଲୋଳ - ଚଞ୍ଚଳ । କଲ୍ଲୋଳ- ଲହରୀ । ଶୈବାଳଚୟ - ଶୀଉଳିସମୂହ ।
୭ମ ପଦ :- ସେହି ବନରକ୍ଷିକା ରମଣୀମାନେ ଗୋଟିଏ ବାନର ଦେଖି ଭାବିଲେ, ‘ଏ ନିଶ୍ଚୟ ବାଳ ( କପିରାଜା’) । ଏଣୁ ରାଜାଙ୍କୁ ସେମାନେ ଏହି ବାର୍ତ୍ତା କହିବା ପାଇଁ ନଦୀ ପରି ବୋହିଗଲେ, ଅର୍ଥାତ୍ ଜଣକ ପଛେ ଜଣେ ଦୌଡ଼ିବାକୁ ଲାଗିଲେ ।
୮ମ ପଦ :- ଘନ - ମେଘ । ପ୍ରତିଭା - ଦୀପ୍ତି । ନିଃସ୍ୱନ - ଶବ୍ଦ । ବିଧି - ନିୟମ, ବିଧାତା । ବାତ - ବାୟୁ । ବରୁଣ - ସ୍ୱନାମପ୍ରସିଦ୍ଧ ବୃକ୍ଷ ବିଶେଷ, ବରୁଣଦେବ ବା ସମୁଦ୍ର । ଶତ୍ରାଦି - ପିତାକୋରୁଆ, ବଣମଲ୍ଲୀ, ଅର୍ଜ୍ଜୁନବୃକ୍ଷ । ପ୍ରଭୃତି, ଇନ୍ଦ୍ରାଦି । ସୁମନସ - ଦେବତା, ଫୁଲ । ସ୍ଫୁଟ – ଫୁଟିବା, ପ୍ରକାଶିତ ହେବା । ବିରଳରେ - ନିର୍ମଳଭାବରେ । ନୀଳକଣ୍ଠ - ମୟୁର, ମହାଦେବ । ବାଜିବାର - ପକ୍ଷୀସମୂହ, ବାଜିବା । ହରି - ରଜନୀ, ବିଷ୍ଣୁ ।
୮ମ ପଦ :- ଏହି ରାକ୍ଷସୀମାନେ ରାବଣର ନିକଟରେ ଉପସ୍ଥିତ ହେବା ବେଳକୁ ସଭାସ୍ଥଳ ବର୍ଷାକାଳର ସୂଚନା ଦେଉଥିଲେ । କାରଣ ବର୍ଷାକାଳୀନ ମେଘ ଆକାଶକୁ ଆବୃତ କଲା ପରି ରାବଣ ତାର ‘ଘନ’ କୃଷ୍ଣବର୍ଣ୍ଣ (କାଳିଆ) ‘ପ୍ରତିଭା’ ଶାରୀରିକ ତେଜକୁ ବିସ୍ତାର କରି ସଭାସ୍ଥଳକୁ ଆବୃତ କରିଥିଲା ଏବଂ ତାର ଶବ୍ଦ (ଉଚ୍ଚଭାଷଣ) ମେଘର ଶବ୍ଦ ପରି ଶୁଣା ଯାଉଥିଲା । ବର୍ଷା କାଳରେ ବିଧାତାର ନିୟମାନୁସାରେ ମେଘ ସହିତ ପବନର ମିଳନ, ପକ୍ଷୀମାନଙ୍କର ନିୟନ୍ତ୍ରଣ ଓ ବରୁଣ, ଗରିମଲ୍ଲିକା ପ୍ରଭୃତି ବୃକ୍ଷମାନେ ପୁଷ୍ପିତ ହେଲାପରି, ସେହି ସଭାରେ ବ୍ରହ୍ମା ଓ ପବନ ମିଳିତ ହୋଇଥିଲେ, ଯନ୍ତ୍ର ବାଦ୍ୟ ବାଜୁଥିଲା ଓ ଇନ୍ଦ୍ର ବରୁଣ ପ୍ରଭୃତି ଦେବତାମାନେ ଏକତ୍ରିତ ହୋଇଥିଲେ । ବର୍ଷାକାଳରେ ମୟୁରମାନେ ଶ୍ରଦ୍ଧାଯୁକ୍ତ ହୋଇ ନିର୍ଜନ ସ୍ଥାନରେ ନୃତ୍ୟ କରୁଥାନ୍ତି ଏବଂ ‘ହରିରାତି’ ରାତ୍ରିର ଆଚରଣ ବିଧାନ କରୁଥିବାରୁ (ଅର୍ଥାତ୍ ରାତ୍ରିରେ ସୂର୍ଯ୍ୟ ଦେଖା ନ ଦେଲା ପରି ବର୍ଷା ସମୟରେ ଦିନବେଳେ ସୂର୍ଯ୍ୟ ମେଘଦ୍ୱାରା ଆବୃତ ହୋଇ ରହିବାରୁ ଦିନ ମଧ୍ୟ ରାତିପରି ଆଚରଣ କରିଥାଏ) ଅନ୍ଧକାର ବ୍ୟାପ୍ତ ହୋଇ ଲୋକମାନଙ୍କୁ ମୋହିତ କରେ, ସେହିପରି ଏ ସଭାରେ ମହାଦେବ ‘ବିରଳେ’ କେତେବେଳେ କେତବେଳେ ଅଥବା ପରିଷ୍କାର ଭାବରେ ନୃତ୍ୟ କରୁଥିଲେ ଓ ‘ହରିରାତି’ ବାନରର ଆଚରଣ ସେହି ସ୍ଥାନରେ ଘୋଟି (ପ୍ରଚାରିତ ହୋଇ) ରାବଣକୁ କର୍ତ୍ତବ୍ୟଶୂନ୍ୟ ଓ ମୋହିତ କରିଥିଲା । (ଲଙ୍କଦେବୀ ସ୍ୱପ୍ନରେ କହିଥିବା କଥା ରାବଣ ବସି ବିଚାର କରୁ କରୁ ଏପରି ହେଲା ) ।
୯ମ ପଦ :- ଚଞ୍ଚଳା - ବିଦ୍ୟୁତ୍ । ବଚ - କଥା । ପୁଷ୍କର - ଆକାଶ, ଜଳ । ଅରିଷ୍ଟ - କାକ, ଅଶୁଭ କଥା । ମସୃଣ - ଚିକ୍କଣ, ତୁନି ତୁନି କହିବା
୯ମ ପଦ :- ବର୍ଷା କାଳରେ ବିଜୁଳି ଯେପରି ଅତିଶୀଘ୍ର ପ୍ରକାଶିତ ହୁଏ, ସେହିପରି ରାବଣ ମୋହ ହୋଇ ଯିବାରୁ ସଭାସଦମାନେ ଅତିଶୟ ଚଞ୍ଚଳ ହେଲେ । ବର୍ଷାକାଳ ପରେ ଶରତ୍ ପ୍ରବେଶ ହେଲେ ଯେପରି ଆକାଶରେ ନିର୍ମଳଚନ୍ଦ୍ର ଉଦୟ ହୁଏ, ସେହିପରି ଚଞ୍ଚଳମନା ପ୍ରିୟ ସଭାସଦସମୂହ ଜଳ ଓ କର୍ପୂର ସେଠାରେ ଯୋଗାଇଲେ ଅର୍ଥାତ୍ ରାବଣ ଦେହରେ ଜଳ ସିଞ୍ଚି କର୍ପୂର ଘଷିଲେ । ଏହିପରି କରିବାରୁ ରାବଣର ଜ୍ଞାନ ହେଲା । ଶରତ୍ ପରେ ହେମନ୍ତ କାଳ ଉପସ୍ଥିତ ହେଲା । ତେଣୁ ଅତି ଭୟଙ୍କର କୁଆମାନେ ଚିକ୍କଣ ଦେଖାଗଲେ । ଶୁକପକ୍ଷୀମାନେ ପଡ଼ିଲେ । ଏହି ସମୟରେ ବିଭୀଷଣ ଆସି ‘କଣ ରାଜା ହେତୁହୀନ ହେଲେ ? ଏହା ଅଶୁଭ ହେଲା’ ବୋଲି ଗୁପ୍ତକରି ଶୁକ ନାମକ ମନ୍ତ୍ରୀକୁ କହିଲେ । ଏହି ସମୟରେ ବନରକ୍ଷିକମାନେ ବନଭଗ୍ନ କଥା କହିବାରୁ ହେମନ୍ତ ପରେ ଶିଶିର ଆସିଲେ କାକର ଲାଗି ଦେହ ଯେପରି ଜଡ଼ ହୋଇଯାଏ, ରାବଣ ସେହିପରି ଜଡ଼ ହୋଇଗଲା । ଶିଶିର ପରେ ଶୀତ ୠତୁରେ ଯେପରି ‘ଶୀତାର୍ତ୍ତ’ ଶୀତ ଯୋଗୁଁ ଦୁଃଖ ଅନୁଭବ କରିବାକୁ ହୁଏ, ସେହିପରି ରାବଣର ଚିତ୍ତରେ ପ୍ରବଳ ଭାବରେ ‘ସୀତାର୍ତ୍ତ’ ସୀତାଙ୍କ ହେତୁରୁ ଭୟ ଜାତ ହେଲା ।
୧୦ମ ପଦ :- ଚନ୍ଦ୍ର-ଚନ୍ଦ୍ର, କର୍ପୂର । ଶୁକ - ଶୁଆପକ୍ଷୀ, ଶୁକ ନାମକ ମନ୍ତ୍ରୀ । ବାଣୀନ୍ୟାସ-କହିବା ।
୧୦ମ ପଦ :- ରାବଣ ମୋହ ତ୍ୟାଗ କରି ବସନ୍ତେ ‘ଏ କଣ ହେଲା’ ଏତିକି ମାତ୍ର କହି ଭାଳିବାକୁ ଲାଗିଲା । ଯାହା ଭାବିବାକୁ ଲାଗିଲା ତାହାତ ଅନାୟସରେ ପ୍ରକାଶିତ ହେଉଛି, ଆଉ କଣ କହିବା ? ବର୍ତ୍ତମାନ ବସନ୍ତକାଳର ବିଷୟ ଭାବନା କରିବା କି ? କାରଣ ଏହି ସମୟରେ କିଂସୁକର’ ପଳାଶ ଫୁଲର ପ୍ରକାଶ ହେଲାପରି ‘କିଂ’ କିଞ୍ଚିତ ଶୁକ ନାମକ ମନ୍ତ୍ରୀଙ୍କର ମନରେ ଆନନ୍ଦ ପ୍ରକାଶିତ ହେଲା । ତେଣୁ ସେ କହିଲେ, ‘‘ଏହି ସମୟର ଶେଷକୁ ଅର୍ଥାତ୍ ମହାରାଜଙ୍କର ଏହି ଚିନ୍ତିତ ଅବସ୍ଥା ପରେ ଅଥବା ଏହିପରି ବନ ଭଙ୍ଗ ପ୍ରଭୃତି କିଛି କାର୍ଯ୍ୟ କରି ସାରିବା ପରେ ସେହି ରାମଦୂତ ‘କାଳପ୍ରାନ୍ତ’ ବସନ୍ତର ଶେଷ ସମୟ ଉପସ୍ଥିତ ହେଲେ ଅର୍ଥାତ୍ ଗ୍ରୀଷ୍ମ ଆସିଲେ (ଗିରିସମ) ପର୍ବତପରି ବିନାଶ ହେବ (ପୋଡ଼ିହୋଇ ମରିବ) । ଆଉ ମଧ୍ୟ ଗ୍ରୀଷ୍ମକାଳ ଓ ତତ୍ପରବର୍ତ୍ତୀ କାଳମାନ ଏହିପରି ଆସି ବିନାଶ ହେବେ ଅର୍ଥାତ୍ ଏମାନଙ୍କୁ କେତେ ବର୍ଣ୍ଣନା କରିବା ?’’ ଏହା ପରେ ରାବଣ ବ୍ରହ୍ମାଙ୍କୁ ପଚାରିଲା, ‘‘ହେ ବ୍ରହ୍ମା ! ମାଙ୍କଡ଼ଟାଏ କେଉଁଠାରୁ ଆସି ସିଂହର ବଗିଚାରେ (ମୋର ଅଶୋକ ବନରେ ) ନିର୍ଭୟ ଚିତ୍ତରେ କ୍ରୀଡ଼ା କରୁଅଛି ?’’ ବ୍ରହ୍ମା କହିଲେ, ‘‘ସୁଗ୍ରୀବ କିମ୍ୱା ହନୁମାନ ହେବ । ବାଳି ବୋଲି ଅବା କହନ୍ତି, ମାତ୍ର ସେ ରାମଚନ୍ଦ୍ରଙ୍କ ଶରାଘାତରେ ପ୍ରାଣତ୍ୟାଗ କରିଅଛି ।’’
ବିସ୍ମୟ ହରଷ ଶୁଣି ବହୁ ସୈନ୍ୟ ପେଷି ।ବାନ୍ଧି ଆଣିବଟି ନ ବିନାଶି ଏହା ଭାଷି ଯେ ।ବିଭୁ ହୋଇ ସେ କିଙ୍କରଗଣ-ଦଣ୍ଡଦାନୀ ।ବାହୁ ମୋଡ଼ି କେଶ ଧରି ପ୍ରାଣ-କର ଘେନି ଯେ ।ବିଭଞ୍ଜନ ଶାଳକାରେ ପବନଜନିତ ।ବଧି ଶାର୍ଦ୍ଦୁଳାଦି ପାଞ୍ଚ ସେ କେଶରୀସୁତ ଯେ ।୧୧ ।ବହି ମୃତ୍ୟୁମୂର୍ତ୍ତି ଜମ୍ବୁମାଳୀ ଅନନ୍ତମାଳୀ ।ବିଲମ୍ବାଇ ଗଳେ ପ୍ରଶସ୍ତର ଗର୍ବ ଦଳି ସେ ।ବଳପୂଚ୍ଛୁଁ ବୋଲେ ତବ ପ୍ରାଣସରି ଯୋଖ ।ବିଗ୍ରହ ତ ଉଦୟାଦି ବାଳଭାନୁ ମୁଖ ଯେ ।ବିଭୂଷା ମୁକୁଟ ଉର୍ଦ୍ଧ୍ୱମୁଖ କିରଣ କି ?ବିଳସେ ତହିଁ ଲାଙ୍ଗୁଳ ଆସି କି ବାସୁକି ଯେ ? ।୧୨ ।ବିଧ୍ୱଂସ ତମସ ଦମ୍ଭ ସେ ପ୍ରଭା ଅନାଇଁ ।ବଡ଼ଧର୍ମେ ଦୂର ମୁଁ ଦର୍ଦ୍ଦୁର ପରା ହୋଇ ଯେ ।ବଇଶ୍ରବଣ ଶ୍ରବଣେ ପେଷିଲା ଅକ୍ଷୟ ।ବିଚାରିଲା ନାହିଁ ବଧ ବୋଲି ନିଃସଂଶୟ ଯେ ।ବ୍ୟାଧ ଅହଙ୍କାର ଶାଖାମୃଗ ବୁଦ୍ଧି କରି ।ବେଢ଼ାଇ ସେ ସୈନ୍ୟଜାଳ କଳମ୍ବ ପ୍ରହାରି ଯେ ।୧୩ ।ବଳିମୁଖବଳୀ ଶଲ୍ୟ ଝଳିକି ବହିଲା ? ।ବିମାନ ଭଗନେ ଚକ୍ରଧର ସେ ହୋଇଲା ଯେ ।ବାନର ମଧ୍ୟରେ ସ୍ୱତଃ ମୁହିଁ ହନୁମାନ ।ବିଜୟରେ ବିଭୂତିରେ କରିବେ କଥନ ଯେ ।ବହି ଖଡ଼୍ଗଫଳକ ଅସୁର ଭୈରବ ।ବହୁତ ପ୍ରକାରେ ହେଲା ସଂଗ୍ରାମ ସମ୍ଭବ ଯେ ।୧୪ ।ବାଜି ବେନି ଶିରେ ବେନି ଆୟୁଧହିଁ ହତ ।ବିଗ୍ରହକୁ ବିଗ୍ରହରେ ବିଗ୍ରହେ ଜଡ଼ିତ ଯେ ।ବିନତାନନ୍ଦନ ଦ୍ୱନ୍ଦ୍ୱ ଦ୍ୱନ୍ଦ୍ୱ କଲା ପ୍ରାୟେ ।ବେପଥୁ ବହ ବହନ ବିଶ୍ୱମ୍ବରା ହୋଏ ଯେ ।ବିଘାତ ଖରନଖର ଖର ରକ୍ତ ସ୍ରବି ।ବିକଶି ନଦରେ କୋକନଦ କ୍ଷ୍ମାତ ଭାବି ଯେ ।୧୫ ।
୧୧ଶ ପଦ :- ବାଳିର ମରଣ ବୃତ୍ତାନ୍ତ ବ୍ରହ୍ମାଙ୍କଠାରୁ ଶୁଣି ରାବଣ ଯୁଗପତ୍ହର୍ଷ ଓ ବିସ୍ମୟରେ ନିମଗ୍ନ ହେଲା । (ଶତ୍ରୁ ମରିବାରୁ ଆନନ୍ଦିତ ଓ ରାମଦ୍ୱାରା ନିଜଠାରୁ ପରାକ୍ରମଶାଳୀ ବାଳିର ମରଣ ଏହା ଭାବି ବିସ୍ମିତ ହେଲା) ବାଳି ମରି ଯାଇଥିବାରୁ ଭୟଶୂନ୍ୟ ହୋଇ ‘ଏହିବାନରକୁ ନ ମାରି ବାନ୍ଧିଆଣ’ ବୋଲି କହି ବହୁତ ସୈନ୍ୟ ପଠାଇଲା । ହନୁମାନ ସେହି ବନରେ ରାଜତ୍ୱ ବିସ୍ତାର କରି, ରାଜାମାନେ ଚାକରମାନଙ୍କୁ ଦଣ୍ଡ ଦେଲାପରି, ସେହି ସୈନ୍ୟମାନଙ୍କର ବାହୁ ମୋଡ଼ି ଚୁଟି ଭିଡ଼ି, ପ୍ରାଣ ରୂପ ରାଜସ୍ୱ ଗ୍ରହଣ କଲା (ମାରି ପକାଇଲା) । ପବନ ଯୋଗୁଁ ଶାଳବୃକ୍ଷମାନେ ଯେପରି ଭାଙ୍ଗି ପଡ଼ନ୍ତି ସେହିପରି ପବନପୁତ୍ର ହନୁମାନ ରାବଣର ଶଳାମାନଙ୍କୁ ବିନାଶ କଲା ଏବଂ ସିଂହ ଶିଶୁ ଯେପରି ବ୍ୟାଘ୍ରମାନଙ୍କୁ ନାଶ କରେ, ସେହିପରି କେଶରୀ ନାମକ ବାନରର ସୁତ ହନୁମାନ ଶାର୍ଦ୍ଦୁଳାଦି ପାଞ୍ଚବୀରଙ୍କୁ ନାଶ କଲା ।
୧୨ଶ ପଦ :- ମୃତ୍ୟୁମୂର୍ତ୍ତି-ଯମ । ବାଳଭାନୁ-ପ୍ରାତଃକାଳର ସୂର୍ଯ୍ୟ । ଉଦାୟାଦ୍ରି-ଉଦାୟାଚଳ ।
୧୨ଶ ପଦ :- ତତ୍ପରେ ହନୁମାନ ଭୀଷଣମୂର୍ତ୍ତି ଧାରଣ କରି ଜମ୍ୱୁମାଳି ଅସୁରର ଅନ୍ତକୁ ବାହାର କରି ମାଳାପରି ବେକରେ ଲମ୍ୱାଇଲା ଏବଂ ପ୍ରଶସ୍ତର ଖର୍ବକୁ ଚୂନା କରି ଦେଲା । ପ୍ରଶସ୍ତ ପରାସ୍ତ ହୋଇ ଯାଇ ରାବଣ ନିକଟରେ ସମସ୍ତ ବୃତ୍ତାନ୍ତ କହି ସାରିବା ପରେ ରାବଣ ତାକୁ ପଚାରିଲା, ‘‘ତାର ବଳ କେତେ ?’’ ସେ କହିଲା, ତାର ବଳ ଆପଣଙ୍କ ‘ପ୍ରାଣସରି’ ବଳର ସହିତ ସମାନ ହେବ । ତାର ଦେହ ଉଦୟ ପର୍ବତପରି ଓ ମୁଖ ବାଳସୂର୍ଯ୍ୟ ପରି ଦେଖାଯାଉଛି ଏବଂ ତାର ଶିରୋଭୂଷଣ ମୁକୁଟକୁ ଦେଖିଲେ ମନେ ହେଉଛି, ଏହା ଉର୍ଦ୍ଧଗାମୀ ସୂର୍ଯ୍ୟକିରଣ କି ? ସେହିପରି ଲାଙ୍ଗୁଳକୁ ଦେଖି ମନେ ହେଉଛି, ବାସୁକି ଆସି ତା ଦେହରେ ଲାଙ୍ଗୁଳ ରୂପରେ ଲାଗି ରହି ଶୋଭା ପ୍ରକାଶ କରୁଛି କି ?’’
୧୩ଶ ପଦ :- ତମସ-ଅନ୍ଧକାର । ଦର୍ଦ୍ଦୁର-ଭେକ । ବୈଶ୍ରବଣ-ରାବଣ । ଶାଖାମୃଗ-ମର୍କଟ । ବ୍ୟାଧ--ବାଣୁଆ । କଳମ୍ୱ-ଶର ।
୧୩ଶ ପଦ :- ସୂର୍ଯ୍ୟାଦୟରେ ଅନ୍ଧକାର ନଷ୍ଟ ହେଲାପରି ତା ମୁଖର ତେଜକୁ ଦେଖି ମୋର ଧୈର୍ଯ୍ୟରୂପ ଅନ୍ଧକାର ଧ୍ୱଂସ ହୋଇଗଲା । ମୋର ଅତିଶୟ ଧର୍ମବଳ ଥିବାରୁ ମୁଁ ତାର ବାସୁକି ପ୍ରାୟ ଲାଙ୍ଗୁଳକୁ ଦେଖି ବେଙ୍ଗପରି କୁଦାମାରି ପଳାଇ ଆସିଲି ।’’ ରାବଣ ଏହା ଶୁଣି ଅକ୍ଷୟକୁ ପଠାଇଲା । କାରଣ ସେ ମନେ କରିଥିଲା ଯେ, ଏହାର କେବେ ହେଲେ ‘କ୍ଷୟ’ ମୃତ୍ୟୁ ହେବ ନାହିଁ, ଏହା ସତ୍ୟ । ଅକ୍ଷୟ ଅହଂକାର ବଶତଃ ନିଜକୁ ବ୍ୟାଧ ଓ ହନୁମାନକୁ ‘ଶାଖାମୃଗ’’ ଡାଳଖିଆ ହରିଣ ମନେ କରି ତାର ଚାରିଆଡ଼େ ସୈନ୍ୟମାନଙ୍କୁ ଜାଲପରି ଘେରାଇ ଶର ବିନ୍ଧିଲା ।
୧୪ଶ ପଦ :- ବଳିମୁଖବଳୀ-ମର୍କଟବୀର ହନୁମାନ । ଶଲ୍ୟ-ଝିଙ୍କପକ୍ଷୀ । ବିମାନ ଭଗନେ - ଗର୍ବ ଚୂର୍ଣ୍ଣ କରିବାପାଇଁ । ବିମାନ-ରଥ । ବିଜୟରେ-ଅର୍ଜୁନଙ୍କୁ ।
୧୪ଶ ପଦ :- ବାନରବୀର ହନୁମାନ ଝିଙ୍କ ପକ୍ଷୀର ଶୋଭାକୁ ଧାରଣ କଲା । (ଅକ୍ଷୟର ଶରସବୁ ତା ଦେହରେ ଫୋଡ଼ିହୋଇ ଲାଗି ରହିବାରୁ ସେ ଏପରି ଦେଖାଗଲା ) । ତତ୍ପରେ ସେ ଅକ୍ଷୟର ରଥକୁ ଭାଙ୍ଗି ତାର ଚକକୁ ଧରିବାରୁ ଚକ୍ରଧର’ ବିଷ୍ଣୁଙ୍କ ପରି ଦେଖାଗଲା । ଏହି ସମୟରେ ସେ କହିଲା, ‘‘ବାନରମାନଙ୍କ ମଧ୍ୟରେ ମୁଁ ଶ୍ରେଷ୍ଠ, ମୋର ନାମ ହନୁମାନ । ଏହି ବିଷୟ ଗୀତର ବିଭୂତି ଅଧ୍ୟାୟରେ ଭଗବାନ ନିଜେ ଅର୍ଜୁନଙ୍କୁ କହିବେ ।’’ ଏହା ଶୁଣି ଅକ୍ଷୟ ଖଣ୍ଡା ଧରି ଭୟଙ୍କର ମୂର୍ତ୍ତି ପ୍ରକାଶ କଲା । ତତ୍ପରେ ସେ ଦୁହିଁଙ୍କ ମଧ୍ୟରେ ଅନେକ ପ୍ରକାର ଯୁଦ୍ଧ ଲାଗିଲା ।
୧୫ଶ ପଦ :- ବିଗ୍ରହ-ଦେହ । ଦ୍ୱନ୍ଦ୍ୱ-ଯୁଦ୍ଧ । ବିଗ୍ରହ-ମଲ୍ଲଯୁଦ୍ଧ । ବିଶ୍ୱମ୍ୱରା-ପୃଥିବୀ । ଖରନଖ-ତୀକ୍ଷ୍ଣ ନଖ । ଖର-ପ୍ରବଳବେଗରେ । କୋକନଦ-ରକ୍ତପଦ୍ମ । ବେପଥୁ-କମ୍ପନ ।
୧୫ଶ ପଦ :- ଦୁହିଁଙ୍କର ଅସ୍ତ୍ର ଶସ୍ତ୍ର ଦୁହିଁଙ୍କ ମୁଣ୍ଡରେ ବାଜି ଚୂର୍ଣ୍ଣ ହୋଇଗଲା । ଏଣୁ ଦୁହେଁ ବିନତାଙ୍କ ପୁତ୍ର (ଗରୁଡ଼ ଓ ଅରୁଣ) ଦେହରେ ଦେହକୁ ଜଡ଼ାଇ ଯୁଦ୍ଧ କଲାପରି ମାଲଯୁଦ୍ଧ କଲେ । ଏହି ଯୁଦ୍ଧ ଯୋଗୁଁ ପୃଥିବୀ ହଠାତ୍ କମ୍ପିବାକୁ ଲାଗିଲା ଏବଂ ଦୁହିଁଙ୍କର ତୀକ୍ଷ୍ଣ ନଖ ଦୁହିଁଙ୍କର ଦେହରେ ବାଜି କ୍ଷତ ହେବାରୁ ରକ୍ତ ପ୍ରବଳବେଗରେ ଝରିଲା । ସେହି ରକ୍ତ ପଡ଼ିବାରୁ ‘କ୍ଷ୍ମା’ ପୃଥିବୀ ପ୍ରସ୍ଫୁଟିତ ରକ୍ତକୁମୁଦମଣ୍ଡିତା ନଦୀ ପରି ଦେଖାଗଲା ।
ବରଷା ଗ୍ରୀଷମ ନଦୀ ମାରୁତି ଅକ୍ଷୟ ।ବୃଦ୍ଧି ହେଲା ସଲୀଳ ଜୀବନ ହେଲା କ୍ଷୟ ଯେ ।ବ୍ୟୁହବ୍ୟୁହ ସୈନ୍ୟ ମୀନ ସଙ୍ଗୀ ନାଶ ପୁଣ ।ବିହେ ଆର୍ତ୍ତସ୍ୱର ଚାରଗଣ ପଳାଇଣ ଯେ ।ବିଚିତ୍ର କର୍ମ ଶ୍ରବଣେ ଇନ୍ଦ୍ରଜିତ ପୋଷି ।ବିମାନ ଆରୋହି ମାନମାନସେ ସେ ଆସି ଯେ ।୧୬ ।ବିପିନରେ ଦୀପ୍ତ ନୋହି ଛପି ଦ୍ୱୀପୀପରି ।ବୁଲି ତ୍ରବ୍ୟାଦେ ଖୋଜନ୍ତି ରାଜାଜ୍ଞାକୁ ଡରି ଯେ ।ବାଜୀ ଚଢ଼ ଇନ୍ଦ୍ରଜିତ ଭ୍ରମେ ଉଚ୍ଚେ ଡାକି ।ବନ୍ଦି କହେ ବନ୍ଦୀ କପିଇନ୍ଦ୍ର ଗଲା ଶଙ୍କି ଯେ ।ବୃକ୍ଷେ ଗୁପ୍ତେ ଥିଲା ରେ ରେ କାରେ କରି ରଡ଼ି ।ବଜରବେ କାକପ୍ରାୟେ ସୈନ୍ୟଗର୍ବ ଛାଡ଼ି ଯେ ।୧୭ ।ବସି ସୁରଭିବରେ ସେ ଶିବ ଅଛି ହୋଇ ।ବିଶାଖା ଶକ୍ରାରି କରୁଁ ବାଣକୁ ବଞ୍ଚାଇ ଯେ ।ବିଭୂଷି ସ୍ଥାଣୁ ଶିରକୁ ଇନ୍ଦ୍ରପ୍ରଭା ଖ୍ୟାତେ ।ବିନ୍ଧ ବୋଲେ ଗୁରୁଶିକ୍ଷା ଶର ଅଛି ଯେତେ ରେ ।ବଡ଼ାଇ କୃତେ ଭୁଜଙ୍ଗ ପ୍ରୟୋଗ ସେ କଲା ।ବନ୍ଧା କି ସେ ସୁରମଣି ସେ ପାଶେ ହୋଇଲା ଯେ ।୧୮ ।ବଳୀବର୍ଦ୍ଦେ କାଷ୍ଠ ପରି ନେବା ମଲ୍ଲେ ବୋଲେ ।ବାହୁ ରଜ୍ଜୁ ଲଗାଇଲେ ସ୍ୱଇଚ୍ଛାରେ ଚାଲେ ଯେ ।ବିଷବୈଦ୍ୟ ଯଥା ସର୍ପଭୂଷଣରେ ଆସେ ।ବଳଦନ ବଡ଼ ଦେଖିଲାର ଜନ ଭାଷେ ଯେ ।ବେଢ଼ିଛନ୍ତି ଯାତୁଧାନ ମଧ୍ୟେ ହନୁମାନ ।ବନ୍ଧନ କରି ତସ୍କର ଆଣିଲା ବିଧାନ ଯେ ।୧୯ ।ବିଚିତ୍ର କପି ଦେଖିବା ବୋଲି ଲଙ୍କବାସୀ ।ବାଳ ବୃଦ୍ଧ ଯୁବା ସ୍ତିରୀ ପୁଂସ ମିଶାମିଶି ଯେ ।ବୋଲଇ କେ ବିନାଶିଲା ମୋ ଭ୍ରାତ ଜନକ ।ବଧ କଲା ମୋ ଧବ ବୋଲି କେ କରେ ଶୋକ ଯେ ।ବୋଲେ କେ ରଖିଛ କୀଶ ସଜୀବେ ନଗରେ ।ବେଗରେ ଗର୍ତ୍ତେ ପକାଇ ପୋତିବା ନଗରେ ଯେ ।୨୦ ।
୧୬ଶ ପଦ :- ତତ୍ପରେ ହନୁମାନ ଓ ଅକ୍ଷୟ ଦୁହେଁ ଯଥାକ୍ରମେ ବର୍ଷା ଓ ଗ୍ରୀଷ୍ମକାଳୀନ ନଦୀ ପରି ଦେଖାଗଲେ କାରଣ ବର୍ଷାକାଳରେ ନଦୀ ଜଳ ବୃଦ୍ଧିଲାଭ କଲାପରି, ହନୁମାନ ସେହିଯୁଦ୍ଧରେ ‘ସଲୀଳ’ କୌତୁକର ସହିତ ନିଜର ଦେହ ବଢ଼ାଇବାକୁ ଲାଗିଲା ଏବଂ ଗ୍ରୀଷ୍ମକାଳରେ ନଦୀର ‘ଜୀବନ’ ଜଳ ଶୁଷ୍କ ହେଲା ପରି ଯୁଦ୍ଧରେ ଅକ୍ଷୟର ‘ଜୀବନ’ ପ୍ରାଣ କ୍ଷୟ ହେଲା (ସେ ମଲା) । ଯେପରି ନଦୀରୁ ଜଳ ଶୁଷ୍କ ହୋଇଗଲେ ଦଳ ଦଳ ହୋଇ ମାଛମାନେ ମରି ପଡ଼ନ୍ତି, ସେହିପରି ଅକ୍ଷୟର ସୈନ୍ୟମାନେ ଦଳ ଦଳ ହୋଇ ମରି ପଡ଼ିଲେ । ଏହା ଦେଖି ଦୂତମାନେ ପଳାଇଯାଇ କାତର ସ୍ୱରରେ ରାବଣ ନିକଟରେ ସମସ୍ତ କଥା ଜଣାଇଲେ । ରାବଣ ସେମାନଙ୍କଠାରୁ ହନୁମାନର ଏହି ସବୁ ଆଶ୍ଚର୍ଯ୍ୟ କାର୍ଯ୍ୟ ଶୁଣି ଇନ୍ଦ୍ରଜିତକୁ ପଠାଇଲା । ଇନ୍ଦ୍ରଜିତ ରଥରେ ବସି ଗର୍ବର ସହିତ ହନୁମାନର ନିକଟକୁ ଗମନ କଲା ।
୧୭ଶ ପଦ :- ଦ୍ୱୀପୀ-ବ୍ୟାଘ୍ର । କ୍ରବ୍ୟାଦେ-ରାକ୍ଷସମାନେ । ବାଜୀ-ଅଶ୍ୱ । ବନ୍ଦି-ଭାଟ । କ୍ଷ୍ମା-ପୃଥିବୀ ।
୧୭ଶ ପଦ :- ହନୁମାନ ଇନ୍ଦ୍ରଜିତକୁ ଦେଖା ନ ଦେଇ ବ୍ୟାଘ୍ର ପରି ସେହି ବନରେ ଛପି ରହିଲା । ରାକ୍ଷସମାନେ ରାଜାର ଆଜ୍ଞାକୁ ଡରି ବୁଲି ବୁଲି ତାକୁ ଖୋଜିବାକୁ ଲାଗିଲେ । ଇନ୍ଦ୍ରଜିତ ମଧ୍ୟ ଅଶ୍ୱାରୋହଣ ପୂର୍ବକ ଚାରିଆଡ଼େ ବୁଲି ବଡ଼ ପାଟିରେ ଡାକିବାକୁ ଲାଗିଲା । ଏହି ସମୟରେ ଇନ୍ଦ୍ରଜିତ ସ୍ତୁତି କରୁଥିବା ଲୋକମାନେ ବା ଭାଟମାନେ ସ୍ତୁତି କରି କହିଲେ ‘‘କପିନ୍ଦ୍ର ଆପଣଙ୍କୁ ଦେଖି ଡରିଗଲା ।’’ ଏହିକଥା ଶୁଣି ବୃକ୍ଷରେ ଲୁଚି ରହିଥିବା ହନୁମାନ ରେ ରେ କାର ରଡ଼ି କରିବାରୁ ବାଜପକ୍ଷୀର ଶବ୍ଦ ଶୁଣି କୁଆମାନେ ଉଡ଼ି ପଳାଇଲା ପରି ସୈନ୍ୟମାନେ ଗର୍ବ ଛାଡ଼ି ପଳାଇଲେ ।
୧୮ଶ ପଦ :- ସୁରଭିବର-ବୃଷଭ, ଜାଇଫଳ ବୃକ୍ଷ । ବିଶାଖା-ଶାଖାଶୂନ୍ୟ ବା ଅସହାୟ । ଶକ୍ର-ବିଷ୍ଣୁ । ଅରି-ଚକ୍ର । ସ୍ଥାଣୁ-ମହାଦେବ; ଲଣ୍ଡା ବୃକ୍ଷ । ଶକ୍ରାର-ଇନ୍ଦ୍ରଜିତ ।
୧୮ଶ ପଦ :- ଏହି ସମୟରେ ହନୁମାନ ମହାଦେବଙ୍କ ପରି ଦେଖାଯାଉଥିଲା । କାରଣ ଶିବ ‘ସୁରଭିବରେ’ ବୃଷଭ ଉପରେ ବସିଲା ପରି ଏ ‘ସୁନ୍ଦଭିବରେ’ ଯାଇଫଳ ଗଛ ଉପରେ ବସିଅଛି । ‘ଶକ୍ରାରି’ ଯାମଳାର୍ଜ୍ଜୁନ ଭଞ୍ଜନକାରୀ କୃଷ୍ଣ ବାଣାସୁରର ସମୁଦାୟ ହସ୍ତ ଚ୍ଛେଦନ କରିବାକୁ ଉଦ୍ୟତ ହୁଅନ୍ତେ ଶିବ ଯେପରି ତାକୁ ରକ୍ଷା କରିଥିଲେ, ସେହିପରି ଇନ୍ଦ୍ରଜିତ ଯାଇଫଳ ବୃକ୍ଷକୁ ଡାଳଶୂନ୍ୟ କରିବାକୁ ଉଦ୍ୟତ ହୁଅନ୍ତେ, ହନୁମାନ ସେହି ଇନ୍ଦ୍ରଜିତ ମାରୁଥିବା ଶରମାନଙ୍କୁ ପ୍ରତାରିତ କଲା ଅର୍ଥାତ୍ ସେ ଆଡ଼ ହୋଇ ଯିବାରୁ ଶରସବୁ ତା ଦେହରେ ବାଜିନଥିଲା । ତତ୍ପରେ ଇନ୍ଦ୍ରଜିତ ଶର ମାରି ସେହି ବୃକ୍ଷର ଡାଳମାନଙ୍କୁ କାଟି ପକାଇବାରୁ ହନୁମାନ ଚନ୍ଦ୍ରଙ୍କ ପରି ଦେଖାଗଲା । କାରଣ ଚନ୍ଦ୍ର ଯେପରି ଶିବଙ୍କର ମୁଣ୍ଡକୁ ନିଜର କିରଣ ଦ୍ୱାରା ମଣ୍ଡିତ କରିଥାଏ, ଏ ସେହିପରି ନିଜର ବୀରତେଜ ଦ୍ୱାରା ସେହି ଲଣ୍ଡା ବୃକ୍ଷକୁ ମଣ୍ଡିତ କରିଥିଲା । ସେହି ବୃକ୍ଷ ଉପରେ ଥାଇ ହନୁମାନ ଇନ୍ଦ୍ରଜିତକୁ କହିଲା, ‘‘ରେ ଇନ୍ଦ୍ରଜିତ ? ତୁ ତୋର ଗୁରୁଙ୍କଠାରୁ ଯେତେ ଶର ପ୍ରୟୋଗ କରିବାର ଶିଖିଅଛୁ ସେ ସବୁ ମାର ।’’ ହନୁମାନ ଗର୍ବକରି ଏପରି କହିବାରୁ, ଇନ୍ଦ୍ରଜିତ ନାଗଫାଶ ନାମକ ଶର ପ୍ରୟୋଗ କଲା । ବୀରଶ୍ରେଷ୍ଠ ହନୁମାନ ସେହି ନାଗଫାଶରେ ବନ୍ଧା ହେଲା । ତାହା ଦେଖି ମନେହେଲା ‘ସୁରମଣି’ ସୂର୍ଯ୍ୟ ନାଗଫାଶରେ ବନ୍ଧା ହେଲେ କି ?
୧୯ଶ ପଦ :- ବିଷବୈଦ୍ୟ-ସାପୁଆ କେଳା । ତସ୍କର-ଚୋର । ଯାତୁଧାନ-ରାକ୍ଷସ ।
୧୯ଶ ପଦ :- ହନୁମାନ ଫାଶରେ ବନ୍ଧା ହେବାରୁ ମଲ୍ଲମାନେ କହିଲେ, ‘‘ବଳଦମାନେ କାଠ ନେଲାପରି ଏହାକୁ ନେବା (ଅର୍ଥାତ୍ ଏହାକୁ ଘୋଷାରି ଘୋଷାରି ନେବା । ବଳଦମାନେ ଜଙ୍ଗଲ ମଧ୍ୟରୁ କାଠ ଘୋଷାରି ଘୋଷରି ଆଣନ୍ତି କାରଣ ସେ ସ୍ଥାନକୁ ଶଗଡ଼ ଯାଇପାରେ ନାହିଁ )’’ । କିନ୍ତୁ ତାର ବାହୁରେ ଦଉଡ଼ି ବାନ୍ଧିବାରୁ ସେ ନିଜ ଇଚ୍ଛାରେ ଚାଲିବାକୁ ଲାଗିଲା । ଅର୍ଥାତ୍ ମଲ୍ଲମାନଙ୍କ ବିଚାର ବୃଥା ହେଲା । କାରଣ ବଳଦ ହଳୁଆ ବା ଶଗଡ଼ିଆର ଇଚ୍ଛା ଅନୁସାରେ ଚାଲେ) । ସାପୁଆକେଳା ବା ଗୁଣିଆ ଯେପରି ଦେହରେ ସାପଗୁଡ଼ାଇ ହୋଇ ଆସୁଥାଏ । ହନୁମାନ ସେହିପରି ଆସୁଥିଲା । ଦର୍ଶକମାନେ ତାକୁ ଦେଖି, ‘ଏ ବଡ଼ ବଳବାନ୍’ ବୋଲି କହିଲେ । ରକ୍ଷିମାନେ ଚୋରକୁ ବାନ୍ଧି ତାର ଚାରିପଟରେ ଘେରି ଆସିଲା ପରି ରାକ୍ଷସମାନେ ହନୁମାନକୁ ବାନ୍ଧି ମଧ୍ୟରେ ରଖି ଆଣିଲେ ।
୨୦ଶ ପଦ :- ଜନକ-ପିତା । ଧବ-ପତି । କୀଶ-ବାନର । ନଗରରେ-ନଗର ମଧ୍ୟରେ, ପର୍ବତରେ ।
୨୦ଶ ପଦ :- ଏହି ଅଦ୍ଭୁତ ମାଙ୍କଡ଼କୁ ଦେଖିବା ପାଇଁ ଲଙ୍କା ପୁରବାସୀ ବାଳ, ବୃଦ୍ଧା, ଯୁବକ, ଯୁବତୀମାନେ ଏକତ୍ରିତ ହେଲେ । ସେମାନଙ୍କ ମଧ୍ୟରୁ କେହି କହିଲା, ‘‘ଏ ମୋର ଭାଇଙ୍କି ବିନାଶ କଲା ।’’ କିଏ କହିଲା ‘‘ମୋର ପିତାଙ୍କୁ ବଧକଲା ।’’ ସେହିପରି କୌଣସି ସ୍ତ୍ରୀଲୋକ ମଧ୍ୟ ‘‘ମୋର ବରକୁ ନାଶ କଲା’’ ବୋଲି କହି କାନ୍ଦିବାକୁ ଲାଗିଲା । ଅନ୍ୟ କେହି କହିଲା, ‘ଏହି ମାଙ୍କଡ଼ଟାକୁ ଜୀବିତ ରଖି ନଗରକୁ ଆଣୁଛ ! ଚାଲ; ଶୀଘ୍ର ଏହାକୁ ଗାତରେ ପକାଇ ପର୍ବତ ମଡ଼ାଇ ପୋତି ଦେବା ।’
ବିଜେ ଯେ ସଭାରେ ରାକ୍ଷସେନ୍ଦ୍ର ସେ ଚତ୍ୱରେ ।ବନ୍ଦୀ ପରିବେଶ କରୁଁ ଅନାଇ ସତ୍ୱରେ ଯେ ।ବୋଲେ ରେ କପି ଆସିଲୁଁ ଏଥେଁ ମରିବାକୁ ।ବୋଲିବା ଆଦ୍ୟରେ ଦିଅ ବୋଲେ ଆକାରକୁ ଯେ ।ବଦନ ହଲାଇ କହେ କି ବଳିଷ୍ଠ ତୁହି ।ବାଳୁତ ବାନ୍ଧି ଆଣିଲା କହୁଛୁ ବଢ଼ାଇ ଯେ ।୨୧ ।ବାଣୀ ନ୍ୟାସ କରେ ଜନ୍ମି କ୍ଷୁଧାତୁର ହୋଇ ।ବିମ୍ବ ବୋଲି ବାଳକକୁ ଜନନୀ ଦେଖାଇ ଯେ ।ବାନ୍ଧିଲି ଲାଙ୍ଗୁଳେ ଭାନୁ ସେ ଦୋଷରୁ ବନ୍ଧା ।ବିଧ୍ୱଂସିବି ଲଙ୍କା ଏହିକ୍ଷଣି ଦଶମୂର୍ଦ୍ଧାରେ ।ବିଶ୍ରବାନନ୍ଦନ ବୋଲେ ଅମର କିନ୍ନର ।ବିନୟ ସେ ହାରି କିସ କରିବୁ ବାନର ରେ ।୨୨ ।ବାନରପ୍ରାଭବ ମନୁ ଗଲା କି ପାଶୋର ?ବାଳୀଶରେ ବାଳି ଯାହା କରିଛି ବିଚାର ଯେ ।ବାଣକେ ସେ ବାଳିକି ନାଶିଲେ ରଘୁବୀର ।ବଲ୍ଲଭୀ ଆଣିଛୁ ତାଙ୍କ କାହିଁ ରକ୍ଷା ତୋର ରେ ।ବନ୍ଧାଇ ହୋଇ ସୁଗ୍ରୀବେ ମିତ୍ର ବଳ ସାଜି ।ବାରିଧି ପଲ୍ଲ୍ୱଳ ଡ଼େଇଁ ଆସିଛି ମୁଁ ଖୋଜି ଯେ ।୨୩ ।ବୋଲୁଁ ମାରୁତି ବୋଇଲା ଦଶଗ୍ରୀବ ହସି ।ବ୍ୟାଧ ଜଳଘାଟ ଜଗି ଶାର୍ଦ୍ଦୂଳ ବିନାଶି ଯେ ।ବନୌକା ସଙ୍ଗେ ବନୌକା ନୁହନ୍ତି କି ମିତ ?ବୁଡ଼ିଥିଲା ପଙ୍କେ ମୁଁ ମାଣିକ୍ୟ ଉଦ୍ଧରିତ ଯେ ।ବରହି ମୃଗ ପଛରେ ପୁଚ୍ଛକୁ ଲୁଚାଇ ।ବସୁଧାପତି ନେଇ ତା ମସ୍ତକେ ଚଳାଇ ଯେ ।୨୪ ।ବାରିଧି ଡେଇଁ ଆସିବା ବଡ଼ାଇ କି ଭାବୁ ।ବତାସ ଯୋଗରେ ଯୋଗେ ଉଡ଼ି ପଡ଼ିଥିବୁ ରେ ।ବଇଶ୍ରବଣ ବଚନେ ବୋଇଲା ସେ ପୁଣ ।ବୀରପଣ ମୋହର ଜାଣନ୍ତୁ ଏହିକ୍ଷଣ ରେ ।ବାହୁଯାକ ଉପାଡ଼ି ମୋଡ଼ନ୍ତି ଶିର ଦଶ ।ବୁଜିନୀ ତୁ ପତିତପାବନ ତୋରେ ବଶ ଯେ ।୨୫ ।୨୧ଶ ପଦ :- ରାକ୍ଷସେନ୍ଦ୍ର-ରାକ୍ଷସାଧିପତି । ଚତ୍ୱର-ଅଗଣା ।
୨୧ଶ ପଦ :- ରାବଣ ଯେଉଁ ଗୃହରେ ସଭାକରି ବସିଥିଲା, ସେହି ସଭାଗୃହରେ ଅଗଣାରେ ବନ୍ଦୀ ହନୁମାନ ପ୍ରବେଶ କରିବାରୁ ରାବଣ ତା ଆଡ଼କୁ ଶୀଘ୍ର ଅନାଇଁ କହିଲା, ‘‘ରେ ବାନର ! ତୁ ମରିବାକୁ ଏଠାକୁ ଆସିଲୁ ?’’ ସେ ଏହିପରି କହିବାରୁ, ହନୁମାନ କହିଲା, ‘‘ତୁମ୍ଭ କହିବାର କଥା ଆଦ୍ୟ ଅକ୍ଷରରେ ଆକାରକୁ ଦିଅ ।’’ (ଅର୍ଥାତ୍ ମୁଁ ମରିବାକୁ ଆସି ନାହିଁ ଯେ ତୁମ୍ଭଙ୍କୁ ମାରିବାକୁ ଆସିଛି ବୋଲି ଜାଣ) ଏହା ଶୁଣି ରାବଣ ମୁହଁ ହଲାଇ କହିଲା, ‘‘ତୋର ବଳ କେତେ? ପିଲାଟିଏ ତୋତେ ବାନ୍ଧି ଆଣିଲା, ତୁ ପୁଣି ଗର୍ବ କରୁଛୁ ?’’
୨୨ଶ ପଦ :- ହନୁମାନ କହିଲା, ‘‘ମୁଁ ଜନ୍ମହେବା ସଙ୍ଗେ ସଙ୍ଗେ କ୍ଷୁଧାପୀଡ଼ିତ ହେବାରୁ, ମୋର ମା(ଅଞ୍ଜନା)ବାଳ ସୂର୍ଯ୍ୟଙ୍କ ବିମ୍ୱଫଳ ବୋଲି କହି ମୋତେ ଦେଖାଇ ଦେଲେ । ତହୁଁ ମୁଁ ଡେଇଁଯାଇ ସୂର୍ଯ୍ୟଙ୍କୁ ଲାଙ୍ଗୁଳରେ ବାନ୍ଧିଥିଲି । ବର୍ତ୍ତମାନ ସେହି ଦୋଷରୁ ମୁଁ ବନ୍ଧା ହୋଇଅଛି । ରେ ଦଶମୁଖ ! ଦେଖ୍, ଏହିକ୍ଷଣି ଲଙ୍କା ବିଧ୍ୱଂସ କରିବି ।’’ ରାବଣ କହିଲା, ରେ ‘‘ବାନର! ଦେବତା ଓ କିନ୍ନରମାନେ ମୋ ନିକଟରେ ପରାସ୍ତ ହୋଇ ବିନତି କରୁଛନ୍ତି, ତୁ ବା କଣ କରିବୁ?’’
୨୩ଶ ପଦ :- ବାନରପ୍ରାଭବ-ମର୍କଟକୃତ ତିରସ୍କାର । ବାଳୀଶ-ମୂର୍ଖ । ରଘୁବୀର-ରାମଚନ୍ଦ୍ର । ବଲ୍ଲଭୀ - ପ୍ରିୟା ବା ପତ୍ନୀ । ବାରିଧି-ସମୁଦ୍ର । ପଲ୍ୱଳ-କ୍ଷୁଦ୍ରପୁଷ୍କରଣୀ ।
୨୩ଶ ପଦ :- ହନୁମାନ କହିଲା, ‘‘ବାନରଠାରୁ ପାଇଥିବା ଅପମାନ ତୋ ମନରୁ ପାଶୋର ହୋଇଗଲାଣି କି ? ରେ ମୂର୍ଖ ! ତୋତେ ବାଳି ଯାହା କରିଛି, ସେ କଥା ସ୍ମରଣ କର । ରାମଚନ୍ଦ୍ର ସେହି ବାଳିକୁ ଏକାଶରକେ ବିନାଶ କଲେ । (ସେ ସୁଗ୍ରୀବର ସ୍ତ୍ରୀକୁ ହରଣ କରିଥିଲା ବୋଲି) । ତୁ ତାଙ୍କର ସ୍ତ୍ରୀକୁ ଆଣିଛୁ, ତୋର ରକ୍ଷା କାହିଁ ? ଅର୍ଥାତ୍ ତୁ ଯେଉଁ ସ୍ଥାନରେ ଲୁଚିଲେ କିମ୍ୱା ଯେ କୌଣସି ଦେବତାର ଶରଣ ନେଲେ ସୁଦ୍ଧା ବଞ୍ଚି ପାରିବୁ ନାହିଁ । ରାମଚନ୍ଦ୍ର ସୁଗ୍ରୀବର ସହିତ ମିତ୍ରତା ସୁତ୍ରରେ ବନ୍ଧନ ହେବାରୁ ମିତ୍ର ସୁଗ୍ରୀବ ସୈନ୍ୟ ସଜ୍ଜିତ କରୁଅଛନ୍ତି । ମୁଁ ସମୁଦ୍ରକୁ କ୍ଷୁଦ୍ର ପୁଷ୍କରିଣୀ ପରି ଡେଇଁ ସୀତାଙ୍କୁ ଖୋଜିବାକୁ ଆସିଅଛି ।
୨୪ଶ ପଦ :- ହନୁମାନ ଏହିପରି କହିବାରୁ ରାବଣ ହାସ୍ୟ ପ୍ରକାଶ କରି କହିଲା, ‘‘ବ୍ୟାଧ ପାଣିଘାଟ ଜଗି ବ୍ୟାଘ୍ରକୁ ମାରିଲାପରି ରାମ ବାଳିକୁ ଲୁଚି କରି ମାଇଲା । (ଏହାଦ୍ୱାରା କଣ ତାର ବୀରତ୍ୱ ପ୍ରକାଶ ପାଇଲା) ? ବନବାସୀମାନେ ବନବାସୀମାନଙ୍କ ସହିତ ମିତ୍ର ହୁଅନ୍ତି ନାହିଁକି ? ଅତଏବ ଏହା କିଛି ଗୋଟାଏ ଆଶ୍ଚର୍ଯ୍ୟ କଥା ନୁହେଁ । ମାଣିକ୍ୟ ପଙ୍କରେ ପଡ଼ି ବୁଡ଼ି ଯାଇଥିଲେ, ଲୋକମାନେ ଯେପରି ତାକୁ ସେହି ପଙ୍କରୁ ଉଦ୍ଧାର କରନ୍ତି, ମୁଁ ସେହିପରି ପଙ୍କ ତୁଲ୍ୟ କଦର୍ଯ୍ୟ ବନ ମଧ୍ୟରେ ଲୁଚି ରହିଥିବା ସ୍ତ୍ରୀରତ୍ନ ସୀତାଙ୍କୁ ଉଦ୍ଧାର କରିଅଛି ଏବଂ ମୃଗ ଓ ମୟୁର ନିଜ ନିଜର ପୁଚ୍ଛକୁ ପଛରେ ଲୁଚାଇଥିଲେ ସୁଦ୍ଧା ରାଜାମାନେ ତାକୁ ଆଣି ଯେପରି ମୁଣ୍ଡ ଉପରେ ସଂଚାଳିତ କରୁଥାନ୍ତି (ଚାମର ଓ ପଙ୍ଖା ଭାବରେ ), ସେହିପରି ରାମଚନ୍ଦ୍ର ବନରେ ଲୁଚାଇ ରଖିଥିବା ସୀତାଙ୍କୁ ମୁଁ ଆଣି ରାଜ ଗୃହରେ ଚଳାଉଛି ।’’
୨୫ଶ ପଦ :- ବାରିଧି-ସମୁଦ୍ର । ବୃଜିନୀ-ପାପୀ । ପତିତପାବନ-ପାପୀମାନଙ୍କର ତ୍ରାଣକର୍ତ୍ତା ।
୨୫ଶ ପଦ :-‘‘ତୁ କଣ ସମୁଦ୍ରକୁ ଡେଇଁ ଆସିବା କଥାଟାକୁ ଗୋଟାଏ ଗର୍ବର ବିଷୟ ବୋଲି ଭାବୁଛୁ ? ଏଥିରେ ଗର୍ବ କରିବାର କିଛି ନାହିଁ, ବୋଧହୁଏ ପ୍ରଚଣ୍ଡ ପବନଯୋଗେ ଉଡ଼ିଆସି ତୁ ଏଠାରେ ପଡ଼ିଥିବୁ ।’’ ରାବଣ ଏହିପରି କହିବାରୁ ପୁଣି ହନୁମାନ କହିଲା, ‘‘ରେ ରାବଣ ! ତୁ ମୋର ବୀରପଣ ଜାଣନ୍ତୁ ଯଦି ମୁଁ ତୋର ଏହିକ୍ଷଣି କୋଡ଼ିଏଟି ଯାକ ବାହୁ ଓପାଡ଼ି ଦଶୋଟିଯାକ ମୁଣ୍ଡ ମୋଡ଼ିପକାନ୍ତି । କିନ୍ତୁ ତୁ ପାତକୀ ଥିବାରୁ ପତିତପାବନ ରାମ ତୋଠାରେ ବଶୀଭୂତ ହୋଇଅଛନ୍ତି । (ଅର୍ଥାତ୍ ତୋତେ ସ୍ୱହସ୍ତରେ ମାରି ଉଦ୍ଧାର କରିବାକୁ ଇଚ୍ଛା କରିଛନ୍ତି) ।’’
ବୋଲିଛନ୍ତି ମୁଁ ମାରିବି ଧନୁଶର ଛୁଇଁ ।ବିଭୁ ଆଜ୍ଞା ଭାଙ୍ଗିବି କି କରି ଭୃତ୍ୟ ହୋଇ ଯେ ।ବିଂଶଲୋଚନ ଏ ବଚନରେ କୋପୀ ଜବ ।ବଡ଼ାଇ ନ ଛାଡ଼େ କପି ବଧ କେ ରଖିବ ଯେ ?ବୋଲେ ଖଡ଼ଗ ପ୍ରହାରୁଁ ଖଡ଼ଗ ପରାୟେ ।ବିଶ୍ୱାଏ ନ ଭେଦି ଦେହେଁ ବିକମ୍ପିତ ହୋଏ ଯେ ।୨୬ ।ବିଘାତ ମୃଦ୍ଗର ଅନ୍ୟ ଶସ୍ତ୍ରମାନଙ୍କର ।ବର୍ଷୋତ୍ପଳ ବୃଷ୍ଟି ପରା ମହୀଧର ଶିର ଯେ ।ବିକୋଷକ ଛୁରୀକ ଭଲ୍ଲକ ଯେବେ ମାରି ।ବିକାଶଇ ଆଚ୍ଛୁ ରିତକକୁ ଭଲ କରି ଯେ ।ବିଚାରିଲେ ଟାଣ କହୁଥିଲେ ନାଗପାଶ ।ବିବନ୍ଧୁ ମୁକ୍ତ ନୋହିବ ପୂର୍ବକର୍ମ ଦୋଷ ଯେ ।୨୭ ।ବୋଇଲା ବଧରେ ମୋର ଇଚ୍ଛା କଲୁ ଯେବେ ।ବଚନକୁ ମୋର ସତ୍ୟକରି ପାଳ ତେବେ ରେ ।ବସ୍ତ୍ର ବେଢ଼ାଇ ଲାଙ୍ଗୁଳେ ଜଡ଼ଇ ତଇଳେ ।ବହ୍ନି ଜାଳିଦେଲେ ନାଶ ଅଛି ଶାପବଳେ ଯେ ।ବୋଲୁଁ ବୋଲେ ରାମଦୂତ ସତ୍ୟ ଏ କହିଲା ।ବପ୍ତା ବୋଲେ ଇନ୍ଦ୍ରଜିତ ଶସ୍ତ୍ର ସଂହାରିଲା ଯେ ।୨୮ ।ବାର୍ତ୍ତା ପାଇ ଅଶୋକକଳିକା ସୀତା ଗ୍ରାସି ।ବନ୍ଧା ଫିଟୁ ହନୁମାନ ମାନସେ ମନାସି ଯେ ।ବଞ୍ଜୁଳେ ଅଶୋକ ନାମ ପ୍ରସିଦ୍ଧେ ରହିଲା ।ବିଭୀଷଣ ଏହି କାଳେ ଲଙ୍କେଶେ କହିଲା ଯେ ।ବଧ୍ୟ ନୁହଁଇଟି ଚାର କରିବା ବିବେକ ।ବିଂଶବାହୁ ଭାଷେ ଚୋର ଚାରେ କି ପାତକ ଯେ ?୨୯ ।ବଧି ଧନଦ ଚାରକୁ ପୁଷ୍ପକେ ବିଳସି ।ବୈଦେହୀ ଭୋଗ କରିବି ଏହାକୁ ବିନାଶି ଯେ ।ବାରିଧିକି ସରିତସରି ଲଙ୍ଘନ ହୋଇ ?ବିଭୀଷଣ ମଉନ ହୋଇଲା ଏତେ କହି ଯେ ।ବିତର୍କି ଶୁକ ବୋଇଲା ଶଙ୍କା ଏଥେ ଅଛି ।ବିନାଶ ହେତୁ ତ କେ କାହାକୁ ନ କହିଛି ଯେ ।୩୦ ।୨୬ଶ ପଦ :- ଖଡ଼୍ଗ-ଶସ୍ତ୍ରବିଶେଷ, ଗଣ୍ଡାପଶୁ । ବିକମ୍ପିତ-କମ୍ପିତ ନ ହୋଇ ଅର୍ଥାତ୍ ସ୍ଥିର ଭାବରେ ।
୨୬ଶ ପଦ :- ‘‘ରାମଚନ୍ଦ୍ର ଧନୁଶର ଛୁଇଁ ନିୟମ କରି କହିଛନ୍ତି ଯେ, ମୁଁ ରାବଣକୁ ମାରିବି । ଏଣୁ ଚାକର ହୋଇ ମୁଁ କିପରି ପ୍ରଭୃଙ୍କର ଆଦେଶ ଭଙ୍ଗ କରିବି ? ଏହିକଥା ଶୁଣି ରାବଣ ହଠାତ୍ କୁପିତ ହୋଇ କହିଲା, ‘‘ଏହି ମାଙ୍କଡ଼ ଗର୍ବ ତ୍ୟାଗ କରୁ ନାହିଁ; ସୁତରାଂ ଏହାକୁ ବଧକର, କିଏ ରକ୍ଷା କରିବ ଦେଖିବା ।’’ ରାବଣର ଏହି ଆଦେଶ ଶୁଣି, ଅସୁରମାନେ ଖଣ୍ଡାଦ୍ୱାରା ହାଣିବାରୁ ଗଣ୍ଡା ଦେହରେ ଅସ୍ତ୍ର ନ ଭେଦିଲାପରି ହନୁମାନ ଦେହରେ ବିଶ୍ୱାଏ ମାତ୍ର ଖଣ୍ଡା ଭେଦ କଲା ନାହିଁ କି ସେ ଟିକିଏ ସୁଦ୍ଧା ବିଚଳିତ ହେଲା ନାହିଁ ।
୨୭ଶ ପଦ :- ବର୍ଷୋତ୍ପଳ-କୁଆପଥର । ମହୀଧର ଶିର-ପର୍ବତଶୃଙ୍ଗ । ଆଚ୍ଛୁରିତକ-ଅଟ୍ଟହାସ୍ୟ ।
୨୭ଶ ପଦ :- ତତ୍ପରେ ଗଦା, ମୁଦ୍ଗର ପ୍ରଭୃତି ଅନ୍ୟାନ୍ୟ ଶସ୍ତ୍ରମାନଙ୍କଦ୍ୱାରା ତାର ମୁଣ୍ଡକୁ ପିଟିବାକୁ ଲାଗିଲେ । ପର୍ବତର ଶିଖରଦେଶରେ କୁଆପଥର ବୃଷ୍ଟି ହେଲେ ଯେପରି ପର୍ବତ ଶିଖରର କିଛିମାତ୍ର କ୍ଷତି ହୁଏ ନାହିଁ, ସେହିପରି ଏହି ସବୁ ଶସ୍ତ୍ର ହନୁମାନର ମୁଣ୍ଡରେ ବାଜି କିଛିମାତ୍ର କ୍ଷତି କରି ପାରିନଥିଲା । ଏହିପରି କରିବାଦ୍ୱାରା ହନୁମାନ ନ ମରିବାରୁ, ଅସୁରମାନେ ଛୁରା ଓ ଭଲ୍ଲ ପ୍ରଭୃତି ଅସ୍ତ୍ର ଖାପରୁ ବାହାର କରି ତାକୁ ମାରିବାକୁ ଲାଗିଲେ । ଏହି ସମୟରେ ହନୁମାନ ଉଚ୍ଚହାସ୍ୟ ପ୍ରକାଶ କଲା । ତତ୍ପରେ ହାସ୍ୟ ସମ୍ବରଣ କରି ସେ ମନେ ମନେ ଭାବିଲା, ମୁଁ ଏହିପରି ଟାଣ କହୁଥିଲେ ଅର୍ଥାତ୍ ଗର୍ବ କରୁଥିଲେ, ନାଗପାଶ ବନ୍ଧନରୁ ମୁକ୍ତ ହୋଇପାରିବି ନାହିଁ । ଯେହେତୁ ମୁଁ ମୋର ପୂର୍ବକର୍ମ ଦୋଷରୁ ଏଥିରେ ବନ୍ଧା ହୋଇଅଛି ।’
୨୮ଶ ପଦ :- ବପ୍ତା-ପିତା । ସଂହରିଲା-ନିବାରଣ କଲା ।
୨୮ଶ ପଦ :- ଏହିପରି ବିଚାରି ସେ ରାବଣକୁ କହିଲା, ‘‘ରେ ରାବଣ ! ଯଦି ମୋତେ ମାରିବାକୁ ଇଚ୍ଛା କରୁଅଛ, ତାହା ହେଲେ ମୁଁ ଯାହା କହୁଛି ତାହାକୁ ସତ୍ୟ ମନେକରି ପାଳନ କର । ମୋର ଲାଙ୍ଗୁଳରେ ଲୁଗା ଗୁଡ଼ାଇ ସେହି ଲୁଗାମାନଙ୍କୁ ତେଲରେ ଭିଜାଇ ନିଆଁ ଲଗାଇ ଜାଳି ଦେଲେ, ମୋର ବିନାଶ ହେବ । ମତେ ଏହିପରି ମରିବାକୁ ପୂର୍ବରୁ ଶାପ ଅଛି । ଏହା ଶୁଣି ରାବଣ କହିଲା, ‘‘ଏ ରାମର ଦୂତ, ତେଣୁ ଯାହା କହିଲା ତାହା ସତ୍ୟ ଅଟେ ।’’ ତତ୍ପରେ ପିତାଙ୍କର ଆଦେଶରେ ଇନ୍ଦ୍ରଜିତ ଶସ୍ତ୍ର ପ୍ରହାରରୁ ନିବୃତ୍ତ ହେଲା ।
୨୯ଶ ପଦ :- ବଞ୍ଜୁଳ-ଅଶୋକବନ ।
୨୯ଶ ପଦ :- ହନୁମାନ ବନ୍ଧନରେ ପଡ଼ିଅଛି,-ସୀତା ଏହି ବାର୍ତ୍ତା ପାଇ ହନୁମାନ ବନ୍ଧନରୁ ଫିଟୁ ଏହି କଥା ମନରେ ମନାସି ଅଶୋକ କଢି ଭକ୍ଷଣ କଲେ । ସେହିଦିନଠାରୁ ବଞ୍ଜୁଳ ବୃକ୍ଷ ଅଶୋକ ନାମରେ ପରିଚିତ ହେଲା । ଏହି ସମୟରେ ବିଭୀଷଣ ରାବଣକୁ କହିଲା, ‘‘ଦୂତ କୌଣସି ସମୟରେ (ଯେତେ ଅନ୍ୟାୟ କଲେ କଲେ ସୁଦ୍ଧା) ବଧ ଯୋଗ୍ୟ ନୁହେଁ,- ଏ କଥା ମନରେ ବିଚାର କରନ୍ତୁ ।’’ ରାବଣ କହିଲା, ‘‘ଏପରି ଚୋର ଦୂତକୁ ମାଇଲେ ପାପ ନାହିଁ ।’’
୩୦ଶ ପଦ :- ଧନଦ-କୁବେର । ସରିତ-ନଦୀ । ବିତକ-ବିଶେଷ ଭାବେ ଅନୁମାନକରି ।
୩୦ଶ ପଦ :- ‘‘ମୁଁ ଯେପରି କୁବେରର ଦୂତକୁ ମାରି ପୁଷ୍ପକଯାନରେ ବିହାର କରୁଅଛି, ସେହିପରି ଏହାକୁ ମାରି ସୀତାକୁ ଭୋଗ କରିବି ।’’ ‘‘ସମୁଦ୍ରକୁ କିଏ କଣ ନଦୀ ପରି ଲଙ୍ଘନ କରିଥାଏ କି ।’’ ଏତିକି ମାତ୍ର କହି ବିଭୀଷଣ ତତ୍ପରେ ନୀରବ ହେଲା । ବିଭୀଷଣର କଥା ଶୁଣି ଶୁକମନ୍ତ୍ରୀ ଯୁକ୍ତି କରି କହିଲା, ‘‘ଏହାଙ୍କର କଥାରେ ସନ୍ଦେହ ହେଉଅଛି । କେହି ତ କାହାକୁ ମୃତ୍ୟୁ ଭେଦ କହେ ନାହିଁ ।’’
ବିଳମ୍ବ ନ କର ଉତେ ହନୁମାନ ଭାଷି ।ବ୍ୟାଧିରୂପେ ସଲାଙ୍ଗୁଳ ପରକଟ ଆସି ଯେ ।ବାସପିଧାନରେ ପୁଚ୍ଛ ଦିବ୍ୟ କନ୍ୟାପରି ।ବିଶେଷତ ଦୟିତ ତହିଁରେ ସ୍ନେହଭରି ଯେ ।ବିଭାବଶୁ ଯୋଗକୃତେ ପାଦକୁ ବଢ଼ାଇ ।ବସିଲା ମଣ୍ଡପପରେ ଜ୍ୟୋତିମନ୍ତ ହୋଇ ଯେ ।୩୧ ।ବୋଇଲା ସେ ଦୀର୍ଘକରି ଆତେ ଦଶଗ୍ରୀବ ।ବୁଦ୍ଧି ବଳ ତୋହର କଳନା କଲି ସର୍ବ ଯେ ।ବଡ଼ କରି ଲଙ୍କେଶ୍ୱର କଲା ପ୍ରତ୍ୟୁତ୍ତର ।ବୈଶ୍ୱାନର ଘେନି ନ ଉଡ଼ନ୍ତି କି ଚକୋର ଯେ ।ବରହବାନପଦଦୀ ତର୍ଜ୍ଜନରେ ଲିଭି ।ବ୍ରହ୍ମାଗ୍ନି କପୋଳୁଁ ଜାତ କଲା ବର ଭାବି ଯେ ।୩୨ ।ବିଚିତ୍ରକର୍ମା ତ କପି ବୋଇଲା ପ୍ରଶସ୍ତ ।ବଞ୍ଚକ ଅଗ୍ନି ଦେଖାଇ ମୁଖୁଁ କି ବିଚିତ୍ର ଯେ ।ବୋଲୁଁ ରାବଣ ଜ୍ୱଳିତ ହୋଇଲା ନଗର ।ବାହାରିଲେ ସୁକର କଣ୍ଢାଇ ପରକାର ଯେ ।ବହି କକ୍ଷେ କରେ ଧରି ଶିଶୁ ବାମାବର ।ବୋଲନ୍ତି ଅଘରବଶୁଁ ହୋଇଲୁ ଅଘର ଯେ ।୩୩ ।ବଳିଗଲା ଶିଖିଶଖା ଧ୍ରୂବମଣ୍ଡଳକୁ ।ବିଳେ ପଶି ଧୂମ ପୂର୍ଣ୍ଣ କଲା ପାତାଳକୁ ଯେ ।ବାସୁକି ନୟନ ସେହିକାଳେ ଜଳସ୍ଥାନ ।ବୈନତେୟ ଭାଳେ ଭଲା ସ୍ଫୁଟ ଜବା ମନ ଯେ ।ବିହିଲା ଉତ୍ତରେ ରଥ ଭାସ୍କର ଉତ୍ତରେ ।ବଡ଼ବାନଳ ନିଉନ ଭଜେ ପାରାବାରେ ଯେ ।୩୪ ।ବଞ୍ଚିବା ଭରସା ଅପସରସାସାଏ ତେଜି ।ବେହରଣେ ଯେଣୁ ତା ନୃତ୍ୟରେ ଥିଲେ ମଜ୍ଜି ଯେ ।ବିଷମୃତ୍ୟୁ ବଂଶ ସତୀ ଯିବା ପ୍ରାୟେ ବୁଲି ।ବିଚଳିତ ଅର୍ଚ୍ଚି ରୁଚି ଖେଳେ କି ବିଜୁଳୀ ଯେ ।ବାହୁଡ଼ନ୍ତି ଆଳୀ ପ୍ରାୟେ ମିଳିଣ ସାରଙ୍ଗେ ।ବିଦଗ୍ଧ କାଳବଶରେ ପୁରବର ରଙ୍ଗେ ଯେ ।୩୫ ।୩୧ଶ ପଦ :- ପିଧାନ-ବସ୍ତ୍ର । ଦୟିତ-ନାୟକ, ଅସୁର । ସ୍ନେହ-ତୈଳ । ବିଭାବଶୁଁ-ବିବାହ ହେବା ନିମିତ୍ତ । ବିଭାବସୁ-ଅଗ୍ନି ।
୩୧ଶ ପଦ :- ଏହି ସମୟରେ ହନୁମାନ ବଡ଼ପାଟି କରି କହିଲା, ‘‘ଆଉ ଡେରି କରନାହିଁ । ମୋର ଦେହରେ ଲାଗିଥିବା ଲାଙ୍ଗୁଳ ମୋତେ କଷ୍ଟଦାୟକ ବ୍ୟାଧି ପରି ବୋଧ ହେଲାଣି ।’’ ସେ ସମୟରେ ତାର ଲାଙ୍ଗୁଳ ଲୁଗା ପିନ୍ଧିବାରୁ ସୁନ୍ଦରୀ କନ୍ୟାପରି ଦେଖା ଯାଉଥିଲା । ସୁନ୍ଦରୀ କନ୍ୟା ପ୍ରତି ବର ଅତିଶୟ ସ୍ନେହୀ ହେଲାପରି ସେହି ଲାଙ୍ଗୁଳକୁ ଅସୁରମାନେ ତେଲରେ ପୂର୍ଣ୍ଣ କଲେ । କନ୍ୟା ବିଭା ହେଉଥିବାରୁ ଶୁଭଯୋଗ ନିର୍ଦ୍ଧାରିତ ହୋଇଥିବା ସମୟରେ ପାଦକୁ ବଢ଼ାଇ ମଣ୍ଡପ ଉପରେ ସୁସଜ୍ଜିତ ହୋଇ ବସିଲାପରି ଲାଙ୍ଗୁଳରେ ରାକ୍ଷସମାନେ ନିଆଁ ଲଗାଇ ଦେବାରୁ ହନୁମାନ ପାଦକୁ ବଢ଼ାଇ ତେଜୋମୟ ମୂର୍ତ୍ତି ଧାରଣ ପୂର୍ବକ ମଣ୍ଡପ ଉପରେ ବସିଲା ।
୩୨ଶ ପାଦ :- ବୈଶ୍ୱାନର-ଅଗ୍ନି । ବର୍ହବାନ-ଶିଖାବାନ୍ ।
୩୨ଶ ପାଦ :- ହନୁମାନ ମଣ୍ଡପଉପରେ ବସି ବଡ଼ପାଟି କରି କହିଲା, ‘‘ଆରେ ରାବଣ ମୁଁ ଏବେ ତୋର ବୁଦ୍ଧି, ବଳ ପ୍ରଭୃତି କଳନା କଲି ।’’ ରାବଣ ମଧ୍ୟ ସେହିପରି କହିଲା, ‘‘ଚକୋରପକ୍ଷୀ ନିଆଁକୁ ଧରି ଉଡ଼େ ନାହିଁକି ? (ତୁ ଆଉ ଅଧିକ କଣ କଲୁ) ।’’ ଏହି ସମୟରେ ହନୁମାନର ଲାଙ୍ଗୁଳରେ ଶିଖା ଟେକି ଜଳୁଥିବା ଅଗ୍ନି ରାବଣର ଭୟରେ ଲିଭିଗଲା । ଏହା ଦେଖି ସେ ପୂର୍ବେ ପାଇଥିବା ବରକୁ ସ୍ମରଣ କରି ନିଜର କପାଳରୁ ବ୍ରହ୍ମଅଗ୍ନି ବାହାରକଲା ।
୩୩ଶ ପଦ :- ବିଚିତ୍ରକର୍ମା-ଅଦ୍ଭୁତ କାର୍ଯ୍ୟକାରୀ । ବଞ୍ଚକ-ବିଲୁଆ । ସୁକର-ମନୋହର । ବାମାବାର-ସ୍ତ୍ରୀ ସମୂହ(ରାକ୍ଷସୀମାନେ) । ଅଘର-ପାପ ଯୋଗୁଁ । ଅଘୋର-ଗୃହଶୂନ୍ୟ ।
୩୩ଶ ପଦ :- ତହୁଁ ପ୍ରଶସ୍ତ କହିଲା, ‘‘ଏହି ବାନର ତ ଆଶ୍ଚର୍ଯ୍ୟ କାର୍ଯ୍ୟ କରିପାରେ !’’ ରାବଣ କହିଲା, ‘‘ବିଲୁଆ ତ ମୁହଁରୁ ନିଆଁ ବାହାର କରିବାର ଦେଖି ଆଶ୍ଚର୍ଯ୍ୟ ହେଉଛ କାହିଁକି ?’’ ରାବଣ ଏହି କଥା କହୁ କହୁ ନଗର ଜଳିଉଠିଲା । ଲୋକମାନେ ଅନାୟସରେ କଣ୍ଢେଇସବୁ ହାତରେ ଧରି ନେଇଗଲା ପରି ସ୍ତ୍ରୀମାନେ ପିଲାମାନଙ୍କୁ କାଖେଇ କାହାକୁ ବା ହାତରେ ଧରି ଘରୁ ବାହାର ହେଲେ । ଏହି ସମୟରେ ସେମାନେ ବିକଳ ହୋଇ କହିଲେ, ‘‘ରାଜାଙ୍କର ପରସ୍ତ୍ରୀ ହରଣ ପାପରୁ ଆମ୍ଭେମାନେ ଗୃହଶୂନ୍ୟ ହେଲୁଁ ।’’
୩୪ଶ ପଦ :- ଏହି ସମୟ ମଧ୍ୟରେ ଅଗ୍ନି ଶିଖା ଧ୍ରୁବ ମଣ୍ଡଳକୁ ଅତିକ୍ରମ କରି ଉପରକୁ ଉଠିଲା । ଧୂଆଁ ସବୁ ଗାତ ଭିତର ଦେଇ ପାତାଳ ପୁରରେ ପ୍ରବେଶ କରିବାରୁ, ପାତାଳପୁର ଧୂଆଁରେ ପୂର୍ଣ୍ଣ ହେଲା । ଏଣୁ ବାସୁକିଙ୍କ ଆକ୍ଷି ଲୋତକ ପୂର୍ଣ୍ଣ ହେଲା । ଏହି ସମୟରେ ଅରୁଣ ଲଙ୍କାକୁ ଦେଖି ମନେ କଲେ, ଲଙ୍କାରେ କଣ ବହୁତ ଗୁଡ଼ିଏ ମନ୍ଦାର ଫୁଲ ଫୁଟିଛି କି? ନଚେତ୍ ଏପରି ଦେଖା ଯାଉଛି କାହିଁକି ? ତତ୍ପରେ ଅରୁଣ ସୂର୍ଯ୍ୟଙ୍କ ଆଦେଶାନୁସାରେ ରଥକୁ ଉତ୍ତର ଦିଗକୁ ନେବାକୁ ଲାଗିଲେ । ସେହି ଅଗ୍ନି ଶିଖାର ତେଜରେ ସମୁଦ୍ର ମଧ୍ୟରେ ଥିବା ବଡ଼ବାଗ୍ନି ନିସ୍ତେଜ ହୋଇଗଲେ ।
୩୫ଶ ପଦ :- ବେହରଣ-ସଭାମଣ୍ଡପ । ବିଚଳିତ-ଅଚ୍ଚ-ରୁଚି-ଚଞ୍ଚଳ ଅଗ୍ନିଶିଖା କାନ୍ତି । ସାରଙ୍ଗେ-ଚାତକସମୂହ । ଆଳୀ-ସଖୀ । ପୁରବର-ପୁରଶ୍ରେଷ୍ଠ ।
୩୫ଶ ପଦ :- ସଭାମଣ୍ଡପରେ ରାବଣର ଆଗରେ ନୃତ୍ୟ କରୁଥିବା ସ୍ୱର୍ଗବେଶ୍ୟାମାନେ ସେହି ଦିଗନ୍ତ ବ୍ୟାପି ଅଗ୍ନିକୁ ଦେଖି, ବଞ୍ଚିବା ଆଶା ପରିତ୍ୟାଗ କଲେ । ସତୀ ସ୍ତ୍ରୀ ଶ୍ମଶାନଅଗ୍ନିରେ ପ୍ରବେଶ କରିବାକୁ ଯିବା ସମୟରେ ତାହାର ଚାରି ଆଡ଼ରେ ବୁଲିଲାପରି ଚକୋରମାନେ ସେହି ଅଗ୍ନିର ଚାରିଆଡ଼େ ବୁଲିବାକୁ ଲାଗିଲେ (ଅର୍ଥାତ୍ ଚକୋରମାନେ ରଡ଼ନିଆଁ ଖାଇବା ପାଇଁ ସେଠାରେ ବୁଲିଲେ) । ସତୀ ସ୍ୱାମୀର ଚିତାନଳରେ ପ୍ରବେଶକରି ସାରିବା ପରେ ତାହାର ଅନୁଗାମିନୀ ସଖିମାନେ ଏକତ୍ରିତ ହୋଇ ଫେରି ଆସିଲାପରି, ଚକୋରମାନଙ୍କ ପରେ ଅତି ଚଞ୍ଚଳ ଅଗ୍ନି ଶିଖାକୁ ବିଜୁଳି ମନେ କରି, ତାର ନିକଟକୁ ଉଡ଼ି ଯାଇଥିବା ଚାତକମାନେ ଏକତ୍ରିତ ହୋଇ ଫେରି ଆସିଲେ । କାଳବଶରେ ପୁରଶ୍ରେଷ୍ଠ ଲଙ୍କା ଆଶ୍ଚର୍ଯ୍ୟ ଭାବରେ ଦଗ୍ଧ ହେବାକୁ ଲାଗିଲା ।
ବିଧି ବାକ୍ୟେ ପୁଷ୍ପକରେ ସକୁଟୁମ୍ବେ ବସି ।ବୋଧ ମାରୁତି ବୋଲି ରାବଣ ଧାତା ପେଷି ଯେ ।ବିବୁଧାଳୟେ ଚଳନ୍ତେ ଯଥା ପାବନିରେ ।ବୋଲେ ସେ ସୁଦୟା କର ରାମଭାବିନୀରେ ଯେ ।ବାଧ ନ କରୁ ରାକ୍ଷସ ପ୍ରଚଣ୍ଡ ତପନ ।ବଇଦେହୀ ନାମ ରମ୍ୟ ସରରୁ ଜୀବନ ଯେ ।୩୭ ।ବିଧାତା କଥିତ ଚନ୍ଦ୍ର ସ୍ୱରୂପ ରମ୍ଭୋରୁ ।ବେଳେ ଅସୁର ରାହୁର ସ୍ପରଶ ପୂର୍ବରୁ ଯେ ।ବର୍ତ୍ତମାନ ସେ ଯୋଗ ଏ ସମ୍ବତ୍ସରେ ନାହିଁ ।ବହନ ତୁ ରାମ ଆଣି ସନ୍ଦେଶକୁ କହି ଯେ ।ବିଭୀଷଣ କୁମ୍ଭକର୍ଣ୍ଣ ମନ୍ଦିର ନ ନାଶି ।ବଟ ମାର୍କଣ୍ଡେୟ କରି ପ୍ରଳୟ ସଦୃଶି ଯେ ।୩୭ ।ବାୟୁଜ ଶାନ୍ତିକି ଭଜି ଅଗ୍ନିକି ସଂହରି ।ବିଦେହଭୁପଜା ଭେଟି ତ୍ରିଜଟା ତିଆରି ଯେ ।ବସୁମତୀ ଦୁହିତା ହିତରେ ଥିବୁ ତୁହି ।ବୀରେନ୍ଦ୍ର ଶ୍ରୀରାମଚନ୍ଦ୍ର ଛାମୁରେ ଜଣାଇଁ ଯେ ।ବିଭୀଷଣେ କରାଇବି ଲଙ୍କାରେ ଅଧିପ ।ବୈବସ୍ୱତପୁରେ ଯିବେ ଦୁଷ୍ଟ କଉଣପ ଯେ ।୩୮ ।ବକ୍ତବିକୃତରେ ପୁଣ ରାକ୍ଷସୀଙ୍କି ବଦେ ।ବନ୍ଦୁଥିବ ଭଲଯୋଗ ଥିଲେ ସୀତା ପାଦେ ଯେ ।ବଦନ୍ତେ ମଣି ବିଷୟ ଫେଡ଼ି ଦେଖାଇଲା ।ବସନାଞ୍ଚଳରେ ପୁଣି ଗଣ୍ଠିରେ ରଖିଲା ଯେ ।ବାହୁ ବିସ୍ତାରି ଗଗନେ ଗଲା ଯେ ସୁବଳେ ।ବିଂଶପାଣି ଦଗ୍ଧଶେଷ ଦ୍ରବ୍ୟ ଆୟ କଲେ ଯେ ।୩୯ ।ବିର ହରି ଲଙ୍କା ପୋଡ଼ି ଧୂମସ୍ତୋମ କି ସେ ।ବିହରି ସେ ହରି ସନ୍ଧ୍ୟା ହୋଇ କି ଆକାଶେ ଯେ ।ବୁଝ ରକ୍ତବର୍ଣ୍ଣ ବହ୍ନି ଜ୍ୟୋତ୍ସ୍ନା ଘେନିଅଛି ।ବିହରିବା ନିଶାଚରଙ୍କର ପ୍ରଚାରୁଛି ଯେ ।ବିଦିତ ହୋଇବେ ରାମ ଲକ୍ଷ୍ମଣ ସେ ଅନ୍ତେ ।ବିଶ୍ୱକର୍ମା ଶେଷେ ଧାତା ଲଙ୍କାକୁ ତ୍ୱରିତେ ଯେ ।୪୦ ।
୩୬ଶ ପଦ :- ଏହି ସମୟରେ ବ୍ରହ୍ମାଙ୍କ କଥା ଅନୁସାରେ ରାବଣ ନିଜର ବଂଶୀୟମାନଙ୍କ ସହ ପୁଷ୍ପକ ଯାନରେ ବସି ରକ୍ଷା ପାଇଲା ଏବଂ ହନୁମାନକୁ ବୁଝାଇବା ପାଇଁ ବ୍ରହ୍ମାଙ୍କୁ ତା ନିକଟକୁ ପଠାଇଲା । ବ୍ରହ୍ମା ସ୍ୱର୍ଗକୁ ଯାଉଥିବା ବାଟରେ ହନୁମାନ ବ୍ରହ୍ମାଙ୍କୁ କହିଲା, ‘‘ଗ୍ରୀଷ୍ମକାଳୀନ ସୂର୍ଯ୍ୟ ମନୋହର ପୁଷ୍କରିଣୀମାନଙ୍କରୁ ଜଳ ନଷ୍ଟ କଲାପରି, ପ୍ରଚଣ୍ଡ ରାକ୍ଷସରୂପ ସୂର୍ଯ୍ୟ ବୈଦେହୀ ନାମ୍ନୀ ମନୋହର ପୁଷ୍କରିଣୀର ‘ଜୀବନ’ ପ୍ରାଣ ନାଶ ନ କରୁ । ଆପଣ ରାମଙ୍କ ସ୍ତ୍ରୀ ସୀତାଙ୍କଠାରେ କୃପା ପ୍ରକାଶ କରନ୍ତୁ ।’’
୩୬ଶ ପଦ :- ବ୍ରହ୍ମା କହିଲେ, ‘‘ସୀତା ଏହି ଜଗତରେ ଥିବା ସ୍ତ୍ରୀମାନଙ୍କ ମଧ୍ୟରେ ଚନ୍ଦ୍ରପରି ଅଟନ୍ତି । କାଳର ଗତି ଅନୁସାରେ ପୂର୍ବରୁ ଅସୁର ରାହୁ ଚନ୍ଦ୍ରକୁ ସ୍ପର୍ଶ କରି ଆସୁଅଛି । କୌଣସି କୌଣସି ପାଠକ ‘ପୂର୍ବରୁ’ ଏହି ପଦ ସ୍ଥାନରେ ପୂର୍ବରୁ ଏହି ପଦ ରଖି ଅର୍ଥ କରନ୍ତି, ଯଥା-‘ପୂର୍ବରୁ’ ପ୍ରତିପଦ ଓ ପୂର୍ଣ୍ଣିମାର ସନ୍ଧିରୁ ଅଥବା ପ୍ରସ୍ତାବ ବଶରୁ ଅସୁର ରାହୁ ଥରେ ମାତ୍ର ଚନ୍ଦ୍ରକୁ ସ୍ପର୍ଶ କରୁଅଛି । ସେହିପରି କାଳର ଗତି ଅନୁସାରେ ଅଥବା ପୂର୍ବରୁ ହୋଇଥିବା ଶାପରୂପ ପ୍ରସ୍ତାବ ଅନୁସାରେ ଅସୁର ରାବଣ ସୀତାଙ୍କୁ ଥରେ ମାତ୍ର ସ୍ପର୍ଶ କରିଅଛି । ବର୍ତ୍ତମାନ ସେ ଯୋଗ ଏ ବର୍ଷ ନାହିଁ । ତୁ ଶୀଘ୍ର ଏ ଖବର ରାମଙ୍କୁ କହି ଏଠାକୁ ଆଣ ।’’ ପ୍ରଳୟକାଳ ବଟ ଓ ମାର୍କଣ୍ଡେୟଙ୍କୁ ଛାଡ଼ି ସମଗ୍ର ଜଗତ ଧ୍ୱସଂ କଲା ପରି ଲଙ୍କାପୁରର ପ୍ରଳୟ କାଳ ତୁଲ୍ୟ ହନୁମାନ ବିଭୀଷଣ ଓ କୁମ୍ଭକର୍ଣ୍ଣର ଗୃହକୁ ଛାଡ଼ି ସମସ୍ତ ଧ୍ୱଂସ କଲା ।
୩୮ଶ ପଦ :- ବାୟୁଜ-ହନୁମାନ । ସଂହରି-ନିର୍ବାପିତ କରି । ବିଦେହଭୂପଜା-ସୀତା । ବସୁମତୀ ଦୁହିତା-ସୀତା । ଅଧିପ-ରାଜା । ବୈବସ୍ୱତପୁର-ଯମପୁର । କଉଣପ-ରାକ୍ଷସ ।
୩୮ଶ ପଦ :- ତତ୍ପରେ ହନୁମାନ ଶାନ୍ତି ହୋଇ ନିଜ କପାଳରୁ ବାହାରୁଥିବା ବ୍ରହ୍ମାଗ୍ନିକୁ ବନ୍ଦ କରିଦେଲା ଓ ସୀତାଙ୍କ ସହିତ ଭେଟ ହୋଇ ତ୍ରିଜଟାକୁ ବୁଝାଇବାକୁ ଲାଗିଲା । ସେ କହିଲା, ‘‘ହେ ତ୍ରିଜଟା ! ତୁ ବସୁଧାପୁତ୍ରି ସୀତାଙ୍କର ହିତରେ ସର୍ବଦା ନିଯୁକ୍ତ ଥିବୁ । ମୁଁ ବୀରବର ରାମଚନ୍ଦ୍ରଙ୍କ ନିକଟରେ ତୋ କଥା ଜଣାଇଁ ବିଭୀଷଣକୁ ଲଙ୍କାରେ ରାଜା କରାଇବି । ଏହି ଦୁଷ୍ଟ ରାକ୍ଷସଗୁଡ଼ାକ ଯମପୁରକୁ ଯିବେ (ମରିବେ) ।’’
୩୯ଶ ପଦ :- ବକ୍ର ବିକୃତରେ-ମୁଖ ବିକୃତିରେ । ବସ୍ତ୍ରାଞ୍ଚଳେ-କାନିରେ ।
୩୯ଶ ପଦ :- ପୁଣି ହନୁମାନ ମୁଖକୁ ବିକୃତ କରି ରାକ୍ଷସୀମାନଙ୍କୁ କହିଲା, ‘ତୁମ୍ଭମାନଙ୍କୁ ଭଲ ଯୋଗଥିଲେ ସୀତାଙ୍କର ପାଦ ପୂଜା କରୁଥିବ ।’ ଏହି ସମୟରେ ସୀତା ମଥାମଣିର କଥା ପଚାରିବାରୁ ହନୁମାନ ତାହା କାନିରୁ ଫିଟାଇ ଦେଖାଇଲା ଏବଂ ପୂର୍ବପରି କାନିରେ ଗଣ୍ଠି ଦେଇ ବାନ୍ଧିରଖିଲା । ତତ୍ପରେ ସେ ବାହୁ ବିସ୍ତାର କରି ଆକାଶ ମାର୍ଗରେ ସୁବଳ ପର୍ବତକୁ ଗଲା । ଏଣେ ରାବଣ ପୋଡ଼ି ନ ଯାଇଥିବା ଦ୍ରବ୍ୟମାନଙ୍କୁ ଆଦାୟ କରିବାରେ ଲାଗିଲେ ।
୪୦ଶ ପଦ :- ବିହରି-ନାଶ କଞ୍ଚ । ଧୂମସ୍ତୋମ - ଧୂମରାଶି । ହରି-ସୂର୍ଯ୍ୟ । ନିଶାଚର-ପେଚକ, ରାକ୍ଷସ ।
୪୦ଶ ପଦ :- ବୀର ହନୁମାନ ଲଙ୍କା ପୋଡ଼ି ଦେବାରୁ ଉଠିଥିବା ଧୁଆଁ ସବୁ ଆକାଶରେ ବ୍ୟାପ୍ତ ହାଇ ସୂର୍ଯ୍ୟଙ୍କର ଶୋଭାକୁ ହରଣ କଲା କି ? ଏହିଭ୍ରମ ଜନ୍ମାଇଁ ସନ୍ଧ୍ୟା ପ୍ରକାଶିତ ହେଲା । ହେ ପାଠକମାନେ ! କାହିଁକି ଏପରି ଭ୍ରମ ହେଲା ତାହା ବୁଝ । କାରଣ ଲଙ୍କା ପୋଡ଼ିବାବେଳେ ଆକାଶ ଯେପରି ଅଗ୍ନିର ତେଜରେ ରକ୍ତବର୍ଣ୍ଣ ଦେଖା ଯାଉଥିଲା, ଏହି ସମୟରେ ମଧ୍ୟ ସେହିପରି ଦେଖା ଯାଉଥିଲା । ସେ ସମୟରେ ପୋଡ଼ିଯିବା ଭୟରେ ରାତ୍ରିଚର ପକ୍ଷୀମାନେ ବସାରୁ ଓ ରାକ୍ଷସମାନେ ଘରୁ ବାହାରି ବୁଲୁଥିଲେ, ଏହି ସମୟରେ ମଧ୍ୟ ସେହିପରି ବୁଲୁଥିଲେ । ଏଣୁ କାହାରି ମନରେ ସନ୍ଧ୍ୟା ହେଲାଣି ବୋଲି ଧାରଣା ହେଉ ନ ଥିଲା । (ରାବଣ ରାଜତ୍ୱର ସନ୍ଧ୍ୟାକାଳ ଉପସ୍ଥିତ ହେଲାଣି ଏହି କଥା କେହି ଜାଣିପାରୁନଥିଲେ ) । କିନ୍ତୁ ସନ୍ଧ୍ୟା ପରେ ଚନ୍ଦ୍ର ଆକାଶରେ ପ୍ରକାଶିତ ହେଲା ପରି ଏହି ସନ୍ଧ୍ୟାର ଶେଷରେ ଅର୍ଥାତ୍ ରାବଣ ରାଜତ୍ୱର ଶେଷରେ ରାମ ଓ ଲକ୍ଷ୍ମଣ ଏଠାରେ ପ୍ରକାଶିତ ହେବେ । ବ୍ରହ୍ମା ଏହି ରାବଣ ରାଜତ୍ୱର ସନ୍ଧ୍ୟା ସମୟରେ ବିଶ୍ୱକର୍ମାଙ୍କୁ ଅତିଶୀଘ୍ର ଲଙ୍କାକୁ ପଠାଇଲେ ।
୪୧ଶ ପଦ :- ବିଶ୍ରବାନନ୍ଦନ-ରାବଣ । ବିସ୍ରବାଇ-ତରଳାଇଁ । ମନୋରମ-ସୌନ୍ଦର୍ଯ୍ୟ ।
୪୧ଶ ପଦ :- ବିଶ୍ୱକର୍ମା ରାବଣର ନିକଟରେ ପ୍ରବେଶ ହୋଇ ଅମୋହ ମଣି ଦେବାଦ୍ୱାରା ତାହାର ଚିତ୍ତକୁ ତରଳାଇ ଆନନ୍ଦିତ କରାଇଲା । ସେ ନିର୍ଜ୍ଜନରେ ବସି ଲଙ୍କାପୁରକୁ ନିର୍ମାଣ କଲା । ସେହି ନବନିର୍ମିତ ପୁର ଏପରି ମନୋହର ହୋଇଥିଲା ଯେ, ତାହା ବର୍ଣ୍ଣନା କରି ହେଉନଥିଲା । ଏହି ପୁର ପୋଡ଼ି ଯାଇଥିଲା, ଏ କଥା ଶୁଣି ଲୋକେ କହୁଥିଲେ, ‘‘ଏହା ସତ୍ୟ ନା ସ୍ୱପ୍ନ । କେହି କେହି କହୁଥିଲେ, ଆଉ କେହି ଏ ପୁରକୁ ପୋଡ଼ିବା ପାଇଁ ସମର୍ଥ ହେବେନାହିଁ ।’’
୪୨ଶ ପଦ :- ବିବୁଧେ-ଦେବତାମାନେ । ସାଧୁମତି-ପଣ୍ଡିତ ।
୪୨ଶ ପଦ :- କେହି କେହି କହିଲେ, ‘‘ରାବଣର ‘ବଡ଼ାଇ’ ବୀରତ ଧନ୍ୟ ଅଟେ । ଯେ ହେତୁ ଲଙ୍କାପୁର ପୋଡ଼ି ଯାଇଛି, ଏହା ଜାଣି ଦେବତାମାନେ ବିଶ୍ୱକର୍ମା ଦ୍ୱାରା ତାହାକୁ ଗଢ଼ାଇଦେଲେ ।’’ କେହି କହିଲା, ‘‘ମୟ ମାହାସୁର ଯାହାର ଶ୍ୱଶୁର ତାର ଏପରି ମନୋରମ ପୁର ତିଆରି ହେବାରେ ଆଶ୍ଚର୍ଯ୍ୟ କଣ ଅଛି । ଆଦ୍ୟରେ ବକାର ରଖି ବୟାଳିଶ ପଦରେ ଉପେନ୍ଦ୍ରଭଞ୍ଜଙ୍କ ଦ୍ୱାରା ରଚିତ ହୋଇଥିବା ଏହି ଛାନ୍ଦ ସାଧୁଲୋକମାନଙ୍କର ମନକୁ ମୋହୁ ।
ସପ୍ତତ୍ରିଂଶ ଛାନ୍ଦରାଗ-ନଳିନୀଗୌଡ଼ାବୁଧେ ଶୁଣ ଏକ ଲୟେ ।ବାତସୁତ ସୁବଳୟେ ।ବଞ୍ଚିଲା ସୁଖେ ତାମସୀ ।ବାସର ପ୍ରବେଶ ଆସି ।୧ ।ବିବସ୍ୱାନ ଉଦେ ଚାହିଁ ।ବାହାର ଓଳଗ ବିହି ।ବିୟଦ୍ଗତି ହନୁମାନ ।ବୋଲାବୋଲି ଦେଖି ଜନ ।୨ ।ବିନିଦ୍ର ହେଉ ଧୁର୍ଜଟୀ ।ବେନି ନେତ୍ର ଅଛି ଫୁଟି ।ବୁଜିଛି ନୟନ ସତ ।ବିଶେଷିତ ଅଳସିତ ।୩ ।ବିଚିତ୍ର ପ୍ରଭାତ ଆଜ ।ବିଦିତ ତ ବେନି ସୂର୍ଯ୍ୟ ।ବିମାନୁ ଭାନୁର ଡେଇଁ ।ବିନତ ସୁତ କି ଯାଇ ।୪ ।ବୋଧ କେ ତହିଁରେ ସ୍ଥାପି ।ବିଧ୍ୱଂସିଲା ଲଙ୍କା କପି ।ବ୍ୟୋମମାର୍ଗେ ଯିବା ଚାହିଁ ।ବ୍ୟେମ-ଭଗ୍ନୀପତି କହି ।୫ ।ବାହିନୀ ବେହି ପ୍ଳଗବ ।ବଧି ଦିଅନ୍ତା ମୋ ଆଗ ।ବିଳସନ୍ତା ସେହି ଯୋଦ୍ଧା ।ବଧାଇ ପାଇ ଅଯୋଧ୍ୟା ।୬ ।ବିଭୀଷଣ ଭାଷେ ଗିର ।ବାମନ ବଢ଼ାଇ କର ।ବିଧୁ ଧରିବାକୁ ମନ ।ବିନ୍ୟାସ କରେ ଯେସନ ।୭ ।ବିଲଙ୍ଘି ପଲ୍ୱଳ ଯେହି ।ବିଧିରେ ନ ପାରେ ସେହି ।ବାରିଧି ତରିବା ଚିତ୍ତ ।ବିଚାରିବା ସେହି ମତ ।୮ ।ବିଦୀପ୍ତ ଦୀପ ଯେମନ୍ତ ।ବିନା ତୈଳେ ହୋଇ ହତ ।ବିଂଶାର୍ଦ୍ଧମୁଖ ତେମନ୍ତ ।ବିହାୟସେ ହନୁମନ୍ତ ।୯ ।ବିନ୍ଧ୍ୟ ପର୍ବତେ ପ୍ରବେଶ ।ବହିଲା ପରା ବତାସ ।ବିହି ଜାମ୍ବବେ ଓଳଗ ।ବସି ବାଳିସୁତ ଆଗ ।୧୦ ।୧ମ ପଦ :- ବୁଧ-ପଣ୍ଡିତ । ବାତସୁତ-ହନୁମାନ । ତାମସୀ-ରାତ୍ରି । ବାସର-ଦିବସ ।
୧ମ ପଦ :- ହେ ପଣ୍ଡିତମାନେ ! ଏକଚିତ୍ତରେ ଶୁଣିବା ହୁଅନ୍ତୁ । ହନୁମାନ ସୁବଳ ପର୍ବତରେ ରହି ସୁଖରେ ରାତ୍ରି ଯାପନ କଲା । ରାତ୍ରି ଶେଷ ହେବାରୁ ଦିନ ଆସି ପ୍ରବେଶ ହେଲା ।
୨ୟ ପଦ :- ବିବସ୍ୱାସ-ସୂର୍ଯ୍ୟ । ବିୟଦ୍ଗତି-ଆକାଶ ସଂଚାରୀ ।
୨ୟ ପଦ :- ସୂର୍ଯ୍ୟ ଉଦୟ ହେଉଥିବାର ଦେଖି, ସେ ତାଙ୍କୁ ପ୍ରଣାମ କରି ସେଠାରୁ ବାହାରିଲା । ଆକାଶମାର୍ଗରେ ଯାଉଥିବା ହନୁମାନଙ୍କୁ ଦେଖି ଲୋକମାନେ କଥାବାର୍ତ୍ତା ହେଲେ ।
୩ୟ ପଦ :- ‘‘ମହାଦେବଙ୍କର ନିଦ ଭାଙ୍ଗିବାରୁ ତାଙ୍କର ସୂର୍ଯ୍ୟ ଓ ଅଗ୍ନିରୂପ ଦୁଇଗୋଟି ଚକ୍ଷୁ ଫିଟିଛିକି ? ବୋଧହୁଏ ଅତିଶୟ ଆଳସ୍ୟବଶରୁ ସେ ଚନ୍ଦ୍ରରୂପ ଚକ୍ଷୁକୁ ମୁଦି ଅଛନ୍ତି, ଏହା ସତ୍ୟ ଅଟେ ।’’
୪ର୍ଥ ପଦ :- ବିନତାସୁତ-ଅରୁଣ(ସୂର୍ଯ୍ୟସାରଥି) । ଭାନୁ ବିମାନୁଁ-ସୂର୍ଯ୍ୟଙ୍କ ରଥରୁ ।
୪ର୍ଥ ପଦ :- ‘‘ଆଜିକାର ସକାଳ ଆଶ୍ଚର୍ଯ୍ୟ ଦାୟକ ଅଟେ । ଯେହେତୁ ଏକ ସମୟରେ ଦୁଇଗୋଟି ସୂର୍ଯ୍ୟ ପ୍ରକାଶିତ ହୋଇଅଛନ୍ତି । ଯଦି ଏହା ନୁହେଁ, ତାହା ହେଲେ ଅରୁଣ ସୂର୍ଯ୍ୟଙ୍କର ରଥରୁ ଡେଇଁ ପଳାଉଛନ୍ତି କି ?’’
୫ମ ପଦ :- ସେମାନଙ୍କ ମଧ୍ୟରୁ କେହି ଜଣେ ଲୋକ ବୁଝାଇ କହିଲା, ‘‘ ଏ ସେହି ଲଙ୍କା ପୋଡ଼ା ବାନର ।’’ ଏହି ସମୟରେ ‘ବ୍ୟୋମ ଭଗ୍ନୀପତି’ ବ୍ୟୋମା, ସୁରର ଭିଣୋଇ (ରାବଣ) ଆକାଶମାର୍ଗରେ ହନୁମାନ ଯାଉଥିବାର ଦେଖି କହିଲା ।
୬ଷ୍ଠ ପଦ :- ବାହିନୀ-ସେନା । ପ୍ଳବଗ-ବାନର । ବଧାଇ-ପୁରସ୍କାର ।
୬ଷ୍ଠ ପଦ :- ‘‘ଯଦି କେହି ଯୋଦ୍ଧା ଏହି ମାଙ୍କଡ଼କୁ ମାରି ମୋ ଆଗରେ ଦିଅନ୍ତା, ତାହା ହେଲେ ସେ ଅଯୋଧ୍ୟା ପୁରକୁ ପୁରସ୍କାର ରୂପେ ପାଇ ସେଠାରେ କ୍ରୀଡ଼ା କରନ୍ତା ।’’
୭ମ ପଦ :- ବାମନ-ଖର୍ବାକୃତି ବା ଗେଡ଼ା ମନୁଷ୍ୟ ।୮ମ ପଦ :- ପଲ୍ୱଳ-କ୍ଷୁଦ୍ର ପୁଷ୍କରିଣୀ । ବାରିଧି- ସମୁଦ୍ର ।
୭ମ ଓ ୮ମ ପଦ :- ଏହା ଶୁଣି ବିଭୀଷଣ କହିଲା, ‘‘ବାମନ ହାତ ବଡ଼ାଇ ଚନ୍ଦ୍ରର ଧରିବା ପାଇଁ ଯେପରି ଇଚ୍ଛା ପ୍ରକାଶ କରେ ଏବଂ ଯେଉଁ ଲୋକ ଛୋଟିଆ ପୋଖରୀକୁ ଡେଇଁନପାରେ, ସେ ଯେପରି ସମୁଦ୍ରକୁ ଡେଇଁବା ପାଇଁ ମନରେ ବିଚାର କରେ, ଏହି ବିଚାର ସେହିପରି ଅଟେ ।’’
୯ମ ଓ ୧୦ମ ପଦ :- ଜଳୁଥିବା ଦୀପ ତେଲ ଶେଷ ହେଲେ ଯେପରି ଲିଭିଯାଏ, ବିଭୀଷଣର କଥା ଶୁଣି ରାବଣର ମୁଖ ସେହିପରି ମଳିନ ହୋଇଗଲା । ହନୁମାନ ପବନ ବେଗରେ ଗତି କରି ବିନ୍ଧ୍ୟ ପର୍ବତରେ ଉପସ୍ଥିତ ହେଲା ଏବଂ ଜାମ୍ବବଙ୍କୁ ନମସ୍କାର କରି, ଅଙ୍ଗଦର ଆଗରେ ବସିଲା ।
ବିନାଶ ସନ୍ଧ୍ୟାସମୟ ।ବିୟତ ଶୋଭା ଉଦୟ ।ବାନରସଭା ହୋଇଲା ।ବିଧାନ ଶ୍ଲେଷ ବହିଲା ।୧୧ ।ବିକାଶି ନୀଳ ପ୍ରଭାତ ।ବିଶେଷ ତାରାଜନିତ ।ବିଦିତ ଯେ ଋକ୍ଷବର ।ବିଦ୍ୟ ମଙ୍ଗଳ ସଞ୍ଚାର ।୧୨ ।ବାର୍ତ୍ତା ହନୁମନ୍ତ କହି ।ବାରାଂନିଧି ଯାଉ ଡେଇଁ ।ବିଘ୍ନ କରି ଗିଳିଦେଲା ।ବିଧୁନ୍ତୁଦମାତା ମଲା ।୧୩ ।ବିରୋଧି ହୋଇ ସୁରସା ।ବଳିଲା ନାହିଁ ଭରସା ।ବୋଧି ଆସି ମଇନାକ ।ବୁଡ଼ିଲା ସିନ୍ଧୁ ଉଦକ ।୧୪ ।ବେଳାସ୍ତେ ସୁବେଳ ହୋଇ ।ବିକ୍ରମି ଲଙ୍କାକୁ ଯାଇ ।ବିଧା ଲଙ୍କିନୀ ପାଇଲ ।ବୈଦେହୀ ଥିଲା କହିଲା ।୧୫ ।ବିଚିତ୍ର ହୋଇ ସେ ପୁର ।ବେଭାରେ ସବିତ୍ର ସାର ।ବିଶାଳ ମୋ ଭୁରିଶାଳ ।ବିଲୋକ ଲୋକରେ ମେଳ ।୧୬ ।ବହୁ ଜଗତିରେ ନାହିଁ ।ବହୁ ଜଗତୀରେ ଶୋହି ।ବିହୀନ ପୁଣ୍ୟଜନରେ ।ବ୍ୟାପିତ ପୁଣ୍ୟ ଜନରେ ।୧୭ ।ବଜ୍ର ପ୍ରଭାରେ ଜ୍ୱଳିତ ।ବଜ୍ର ପ୍ରଭା ଅବିହିତ ।ବୁଲି ଏମନ୍ତ କଟକେ ।ବାସ ନ ଛାଡ଼ି ଝଟକେ ।୧୮ ।ବିଂଶକର ଅନ୍ତଃପୁରେ ।ବୁଲି ଖୋଜିଲା ଉତ୍ତାରେ ।ବନାଏ ଅଶୋକ ନାମା ।ବଡ଼ ରମ୍ୟ କି ଉପମା ।୧୯ ।ବିରାଜେ ମଧ୍ୟେ ଜଗତୀ ।ବିଜେ ଜନକ ଦୁହିତୀ ।ବିଜୁଳିଝଟକ ମାତ୍ର ।ବୁଜି ହୋଇ ଯଥା ନେତ୍ର ।୨୦ ।
୧୧ଶ ପଦ :- ଏହି ସମୟକୁ ସନ୍ଧ୍ୟା ଶେଷ ହୋଇ ଯିବାରୁ ଆକାଶ ଯେପରି ଶୋଭା ଧାରଣା କଲା, ହନୁମାନ ପ୍ରବେଶ ହେବାରୁ ବାନରମାନଙ୍କର ଯେଉଁ ସଭା ହେଲା, ସେ ମଧ୍ୟ ସେହିପରି ଶୋଭାକୁ ଧାରଣ କଲା, ଏଣୁ ଏଠାରେ ରାତ୍ରି ବର୍ଣ୍ଣନା ଓ ସଭା ବର୍ଣ୍ଣନା ଶ୍ଳେଷାଳଙ୍କାରରେ କରାଗଲା ।
୧୨ଶ ପଦ :- ପ୍ରଭା-କାନ୍ତି । ତାରାଜନିତ-ଅଙ୍ଗଦ । ଋକ୍ଷବର-ଚନ୍ଦ୍ର ।
୧୨ଶ ପଦ :- ରାତ୍ରି ହେବାରୁ ନୀଳବର୍ଣ୍ଣ ପ୍ରଭା ପ୍ରକାଶିତ ହେଲା ( ଅର୍ଥାତ୍ ଚାରିଆଡେ ଅନ୍ଧକାର ଘୋଟିଗଲା ) । ଆକାଶରେ ଅନେକ ତାରା ଦେଖା ଦେଲେ, ଚନ୍ଦ୍ର ଉଦୟ ହେଲେ ଓ ମଙ୍ଗଳ ଗ୍ରହର ଗତି ଦେଖାଗଲା । ସେହିପରି ସଭାରେ ନୀଳ ସେନାପତିଙ୍କର ତେଜ ପ୍ରକାଶିତ ହେଲା, ‘ତାରାଜନିତ’ ତାରା ପୁତ୍ର ଅଙ୍ଗଦ ସମ୍ମାନର ସହିତ ଆସି ଉପସ୍ଥିତ ହେଲେ ଓ ‘ଋକ୍ଷବର’ ବିଖ୍ୟାତ ବୀର ଭାଲୁଶ୍ରେଷ୍ଠ ଜାମ୍ବବାନ ମଧ୍ୟ ଆଗମନ କଲେ ଏବଂ ସେହି ସମୟରେ ସମସ୍ତ ଶୁଭ ଖବର ପ୍ରକାଶିତ ହେଲା ।
୧୩ଶ ପଦ :- ବାରାଂନିଧି-ସମୁଦ୍ର । ବିଧୁନ୍ତୁଦମାତା-ରାହୁମାତା ( ସିଂହିକା ) ।
୧୩ଶ ପଦ :- ହନୁମାନ କହିଲା, ‘‘ସମୁଦ୍ରକୁ ଡେଇଁ ଯାଉଥିବା ସମୟରେ ମୋର ଅନିଷ୍ଟ ଇଚ୍ଛା କରି ରାହୁର ମାତା ( ସଂହିକା ) ମୋତେ ଗିଳି ଦେଲା । ମାତ୍ର ସେ ମୋ ଦ୍ୱାରା ମଲା ।’’
୧୪ଶ ପଦ :- ସୁରସା-ନାଗମାତା ।
୧୪ଶ ପଦ :- ‘‘ତତ୍ପରେ ସୁରସା ମୋର ଅନିଷ୍ଟ କରିବା ପାଇଁ ଉପସ୍ଥିତ ହେଲା କିନ୍ତୁ ତାହାର ସାହାସ ପାଇଲା ନାହିଁ । ମୈନାକ ପର୍ବତ ମଧ୍ୟ ମୋତେ ପ୍ରବୋଧ ଦେବା ନିମିତ୍ତ ଆସିଲା ଓ କିଛିକ୍ଷଣ ପରେ ସମୁଦ୍ର ଜଳରେ ବୁଡ଼ି ଗଲା ।’’
୧୫ଶ ପଦ :- ବେଳାସ୍ତେ-ବେଳ ଅସ୍ତହେବା ସମୟରେ ଅର୍ଥାତ୍ ସନ୍ଧ୍ୟାବେଳେ । ସୁବେଳ - ସୁବଳପର୍ବତ । ଲଙ୍କିନୀ-ଲଙ୍କାର ଅଧିଷ୍ଠାତ୍ରୀ ଦେବୀ ।
୧୫ଶ ପଦ :- ‘‘ସୂର୍ଯ୍ୟାସ୍ତ ହେବା ସମୟରେ ମୁଁ ସୁବେଳ ପର୍ବତରେ ଯାଇ ପହଞ୍ଚିଲି । ସେଠାରୁ ଡେଇଁ ଲଙ୍କାକୁ ଗଲି । ଲଙ୍କାଦେବୀ ମୋଠାରୁ ବିଧାଏ ପାଇବାରୁ ସୀତା ଏଠାରେ ଅଛି ବୋଲି ମୋତେ କହିଲା ।’’
୧୬ଶ ପଦ :- ବିରୋଧାର୍ଥ- ସେହି ଲଙ୍କାପୁର ‘ବିଚିତ୍ର’ ଚିତ୍ରଶୂନ୍ୟ ହୋଇଥିଲେ ସୁଦ୍ଧା ପ୍ରକୃତରେ ଉତ୍ତମ ଚିତ୍ରମାନଙ୍କ ଦ୍ୱାରା ଚିତ୍ରିତ ହୋଇଅଛି । ‘ବିଶାଳ’ ଗୋଟିଏ ସୁଦ୍ଧା ଶାଳବୃକ୍ଷ ସେଠାରେ ନ ଥିଲେ ମଧ୍ୟ ଅନେକ ଶାଳ ବୃକ୍ଷରେ ପୂର୍ଣ୍ଣ ହୋଇଅଛି ଏବଂ ଜଣେ ସୁଦ୍ଧା ଲୋକ ସେଠାରେ ନ ଥିଲେ ମଧ୍ୟ ବହୁତ ଲୋକ ସେଠାରେ ମିଳିତ ହୋଇ ଅଛନ୍ତି ।
ପ୍ରକୃତାର୍ଥ- ‘‘ସେହି ପୁର ଉତ୍କଷ୍ଟ ଚିତ୍ରମାନଙ୍କଦ୍ୱାରା ଚିତ୍ରିତ ହୋଇଥିବାରୁ ଦର୍ଶକର ମନରେ ଆଶ୍ଚର୍ଯ୍ୟ ଉତ୍ପାଦନ କରୁଅଛି । ବହୁ ସଂଖ୍ୟକ ଗୃହରେ ପୂର୍ଣ୍ଣ ହୋଇ ବହୁଦୂର ପର୍ଯ୍ୟନ୍ତ ବିସ୍ତୁତ ହୋଇଅଛି ଏବଂ ଗାଢ଼ ଦୃଷ୍ଟି ନିଷେପ କରି ଦେଖିଲେ ସେହି ପୁରରେ ବହୁତ ଲୋକ ଥିବାର ଜଣାଯାଉଛି । ଅଥବା ବହୁତ ‘ବିଲୋକ’ ଦର୍ଶନ ଲୋକ ସେଠାରେ ଏକତ୍ରିତ ହୋଇଥିବା ପରି ଜଣାଯାଉଛି ।’’
୧୭ଶ ପଦ :- ପୃଣ୍ୟଜନ-ରାକ୍ଷସ । ଧାମକ-ଲୋକ ।
୧୭ଶ ପଦ :- ବିରୋଧାର୍ଥ- ସେଠାରେ ମୋଟେ ପକ୍କା ଘର ନାହିଁ ବହୁତ ପକ୍କା ଘରରେ ସେହି ପୁର ମନୋହର ଦେଖାଯାଉଛି । ଜଣେ ସୁଦ୍ଧା ଧାର୍ମିକ ଲୋକ ସେଠାରେ ନାହାଁନ୍ତି କିନ୍ତୁ ଧାମକମାନେ ସେହି ପୁରରେ ଭର୍ତ୍ତି ହୋଇରହିଛନ୍ତି ।’’
ପ୍ରକୃତାର୍ଥ- ‘‘ଚତୁର୍ଦ୍ଦଶ ଭୁବନରେ ଏପରି ପୁର ନାହିଁ ସେହି ପୁର ପକ୍କା ଘରମାନଙ୍କଦ୍ୱାରା ପୂର୍ଣ୍ଣ ହୋଇଅଛି । ସେଠାରେ ଜଣେ ହେଲେ ଧାର୍ମିକ ଲୋକ ନାହାନ୍ତି କିନ୍ତୁ ରାକ୍ଷସମାନେ ପୂର୍ଣ୍ଣ ହୋଇ ରହିଅଛନ୍ତି ।’’
୧୮ଶ ପଦ :- ବଜ୍ର-ହୀରକ, ଅସ୍ତ୍ର ବିଶେଷ ।୧୮ଶ ପଦ :- ବିରୋଧାର୍ଥ- ତାହା ବଜ୍ରର ତେଜରେ ପ୍ରକାଶିତ ଓ ବଜ୍ରର ତେଜରେ ଅପ୍ରକାଶିତ ହୋଇ ରହିଅଛି ।’’
ପ୍ରକୃତାର୍ଥ- ‘‘ ସେହି ପୁର ହୀରାମାନଙ୍କର ତେଜରେ ଆଲୋକିତ ହୋଇଅଛି । ସେଠାରେ ବଜ୍ରଘାତ ମୋଟେ ହେଉନାହିଁ । ଏହିପରି ସୌନ୍ଦର୍ଯ୍ୟଶାଳୀ ପୁରରେ ଥିବା ପ୍ରତ୍ୟେକ ଘର ଅଳ୍ପ ସମୟ ମଧ୍ୟରେ ବୁଲି ଶେଷ କଲି ।’’
୧୯ଶ ପଦ :- ବମାଏ-ବନ ବା ଉପବନ । ରମ୍ୟ-ସୁନ୍ଦର ।
୧୯ଶ ପଦ :- ତୟରେ ରାବଣର ଅନ୍ତଃପୁର ମଧ୍ୟରେ ପଶି ଖୋଜି ସାରିବା ପରେ ଅଶୋକ ନାମକ ଏକ ବନ ଦେଖିଲି । ସେହି ବନ ଏଡ଼େ ସୁନ୍ଦର ଯେ, ତାହାର ଉପମା କଣ ମୁଁ ଦେଇ ପାରିବି ।’’
୨୦ଶ ପଦ :- ଜଗତୀ-ଅଟ୍ଟାଳିକା । ଜନକଦୁହିତୀ-ସୀତା ।
୨୦ଶ ପଦ :- ‘‘ସେହି ବନ ମଧ୍ୟରେ ଗୋଟିଏ ଅତି ସୁନ୍ଦର କୋଠାଘର ଅଛି । ସେହି କୋଠାରେ ସୀତା ବିଜେ କରି ଅଛନ୍ତି । ବିଜୁଳି ଝଟକିବା ମାତ୍ରେ ଯେପରି ଆକ୍ଷି ମୁଦି ହୋଇଯାଏ, ତାଙ୍କୁ ଦେଖିବା ମାତ୍ରେ ସେହିପରି ମୋର ଆକ୍ଷି ମୁଦି ହୋଇଗଲା ।’’
ବିଲୋକି ଉତ୍ତମ କରି ।ବିଧିରେ ମୁଁ ଯେ ନ ପାରି ।ବଇକୁଣ୍ଠ ଶିରୀ ଶିରୀ ।ବିସ୍ତାରିଥିଲାର ପରି ।୨୧ ।ବିଚାର ଶୋଭାସାଗର ।ବିଧାତା ମନ୍ଥୁ ବାହାର ।ବାରିଧିରୁ ଯେତେ ଦ୍ରବ୍ୟ ।ବିଜନ୍ୟ ସେ ଏକଠାବ ।୨୨ ।ବିଚାରେ ଅଧିକ ଏହି ।ବୁଧେ ତାଙ୍କୁ ଧିକ କହି ।ବଦନ ସର୍ବଦା ପୂର୍ଣ୍ଣ ।ବିଧୁ କଳଙ୍କବିହୀନ ।୨୩ ।ବୋଲିବ ଏମନ୍ତ ବିଧୂ ।ବିଭାବରୀରେ ସେ ସାଧୁ ।ବିଭାବରୁ ନିଶାକର ।ବୋଲିଅଛି ବେଦବର ।୨୪ ।ବାସର ନିଶାରେ ସରି ।ବାଳା ଆନନ୍ଦ ମାଧୁରୀ ।ବିମଳ ହାସ କରଣ ।ବିଧାନ ସେ ଅନୁକ୍ଷଣ ।୨୫ ।ବିଭୁଷା ତ୍ରିନେତ୍ର ସେହି ।ବହୁ ନେତ୍ରଭୂଷା ଏହି ।ବିଦ୍ରବାଇ ସେ ଶିଳାଏ ।ବହୁ ଶୀଳା ଏ ଦୃବାଏ ।୨୬ ।ବିଦ୍ୟୁତ ସେ କ୍ଷଣପ୍ରଭା ।ବାମାକାନ୍ତି ଚିରଶୋଭା ।ବଞ୍ଚି ଲଚି ସ୍ୱର୍ଗେ ଧିକ ।ବାସକୁ ପାରିଜାତକ ।୨୭ ।ବଡ଼ ସୁନ୍ଦରୀ ରମ୍ଭା ଯେ ।ବପୁରେ ଶରଣ ଭଜେ ।ବାରଣେନ୍ଦ୍ର ମନ୍ଥେ ଗତି ।ବାସବେ ସେହି ବିନତି ।୨୮ ।ବିଷ୍ଣୁ ମୋହିନୀ ହୋଇବା ।ବୁଝ କେତେ ଲକ୍ଷ ଦେବା ।ବିପୁଳ ପୀୟୁଷକୁମ୍ଭ ।ବକ୍ଷୋରୁହେ ସେ ଆରମ୍ଭ ।୨୯ ।ବଇଶ୍ରବଣ ଆସିଲା ।ବସି ବିନୟ ଭାଷିଲା ।ବିଅର୍ଥ ଅଜ୍ଞ ବଚନ ।ବିଜ୍ଞଜନରେ ଯେସନ ।୩୦ ।
୨୧ଶ ପଦ :- ‘‘ଏଣୁ ମୁଁ ତାଙ୍କୁ ଭଲକରି ଦେଖି ପାରିଲିନାହିଁ । ଲକ୍ଷ୍ମୀଦେବୀ ବୈକୁଣ୍ଠ ପୁରରେ ଶୋଭା ବିସ୍ତାର କଲାପରି ସୀତା ସେଠାରେ ଶୋଭା ବିସ୍ତାର କରିଅଛନ୍ତି ( ସୀତା ଲକ୍ଷ୍ମୀଙ୍କପରି ଦେଖା ଯାଉ ଅଛନ୍ତି ) ।’’
୨୨ଶ ପଦ :- ବିଜନ୍ୟ-ଜାତ ।୨୩ଶ ପଦ :- ବୁଧେ-ପଣ୍ଡିତମାନେ ।
୨୨ଶ -୨୪ଶ ପଦ :- ମୁଁ ତାଙ୍କୁ ଦେଖି ବିଚାରିଲି, ବିଧାତା ଶୋଭା ସମୁଦ୍ରକୁ ମନ୍ଥନ କରିବାକୁ ଏହି ସୀତା ବାହାର ହେଲେ କି ? ଯେତେ ଦ୍ରବ୍ୟ ସମୁଦ୍ରରୁ ବାହାରି ଥିଲା ସେ ସବୁକୁ ଏକତ୍ର କରି ବିଚାର କଲେ, ସେହି ବିଚାରରେ ପଣ୍ଡିତମାନେ ଏହାକୁ ଅଧିକ ଓ ଅନ୍ୟମାନଙ୍କୁ ଧିକ୍ ବୋଲି କହିବେ । କାରଣ ସୀତାଙ୍କର ମୁଖଚନ୍ଦ୍ର ସବୁବେଳେ ନିଷ୍କଳଙ୍କ ଓ ପୂର୍ଣ୍ଣ ଅଟେ । ତୁମ୍ଭେମାନେ କହିପାର, ରାତ୍ରିରେ ଚନ୍ଦ୍ର ଠିକ୍ ଏହିପରି ମନୋହର ଦେଖାଯାନ୍ତି । ଦିବସରେ ତାଙ୍କ କିରଣର ଅଭାବ ଘଟୁ ଥିବାରୁ ବ୍ରହ୍ମା ତାଙ୍କୁ ନିଶାକର ନାମ ଦେଇଅଛି ।’
୨୫ଶ ପଦ :- ଆନନମାଧୁରୀ-ମୁଖଶୋଭା । ବାସର ନିଶାରେ - ଦିନ ଓ ରାତିରେ । ଅନୁକ୍ଷଣ-ସର୍ବଦା ।୨୫ଶ ପଦ :- ‘‘ସୀତାଙ୍କର ମୁଖଶୋଭା ଦିନ ଓ ରାତ୍ରିରେ ସମାନ ଅଟେ । ତହିଁରେ ନିର୍ମଳ ହାସରୂପ କିରଣ ସବୁବେଳେ ପ୍ରକାଶିତ ହେଉଅଛି ।’’୨୬ଶ ପଦ :- ତ୍ରିନେତ୍ର-ମହାଦେବ । ଚନ୍ଦ୍ରଶିଳାଏ-ଚନ୍ଦ୍ରକାନ୍ତମଣି । ଶୀଳ-ସ୍ୱଭାବ ।
୨୬ଶ ପଦ :- ‘‘ଚନ୍ଦ୍ର କେବଳ ମହାଦେବଙ୍କର ଶିରୋଭୂଷଣ ଅଟେ । ମାତ୍ର ସୀତାଙ୍କ ମୁଖଚନ୍ଦ୍ର ବହୁତ ଲୋକମାନଙ୍କର ନୟନର ଭୂଷଣ ଅଟେ । ଚନ୍ଦ୍ର ଏକମାତ୍ର ଚନ୍ଦ୍ରକାନ୍ତ ମଣିକୁ ତରଳାଇ ଦିଏ । କିନ୍ତୁ ସୀତାଙ୍କର ମୁଖଚନ୍ଦ୍ର ଅନେକ ସଚ୍ଚରିତ୍ର ଲୋକଙ୍କର ଚିତ୍ତକୁ ତରଳାଇ ଦିଏ ।’’
୨୭ଶ ପଦ :- ‘‘ବିଜୁଳୀ ଅଳ୍ପ ସମୟରେ ଲୀନ ହୋଇଯାଏ, କିନ୍ତୁ ଏହି ସୁନ୍ଦରୀ ସୀତାଙ୍କର ଶୋଭା ବହୁକାଳ ସ୍ଥାୟୀ । ପାରିଜାତ ପୁଷ୍ପ ସୀତାଙ୍କର ଅଙ୍ଗଗନ୍ଧଠାରୁ ହାରି ଯାଇ ସ୍ୱର୍ଗରେ ଲୁଚି ବଞ୍ଚି ରହିଛି, ଏଣୁ ତାକୁ ଧିକ୍ ।’’
୨୮ଶ ପଦ :- ବପୁ-ଶରୀର ବା ଦେହ । ବାଇଣେନ୍ଦ୍ର-ଗଜରାଜ (ଐରାବତ) । ବାସବ-ଇନ୍ଦ୍ର ।
୨୮ଶ ପଦ :- ‘‘ଯେଉଁ ରମ୍ଭା (ଅପ୍ସରା) ବଡ଼ ସୁନ୍ଦରୀ ବୋଲି ବିଖ୍ୟାତ, ସେ ସୀତାଙ୍କ ଦେହରେ ଶରଣ ପଶିଛି ( ଅର୍ଥାତ୍ ସୀତା ରମ୍ଭୋରୁ ଅଟନ୍ତି ) ଏବଂ ତାଙ୍କର ଗମନ ଐରାବତର ଗମନକୁ ଦଳି ଦେବାରୁ ( ଅର୍ଥାତ୍ ଐରାବତ ଗମନରେ ପରାସ୍ତ ହେବାରୁ ) ସେ ଇନ୍ଦ୍ରଙ୍କୁ ପ୍ରାର୍ଥନା କରୁଅଛି ( ସୀତା ଗଜଗମନୀ ଅଟନ୍ତି ) ।’’
୨୯ଶ ପଦ :- ‘‘ଆପଣମାନେ ଏହି କଥାରୁ ସବୁ ବୁଝି ନିଅନ୍ତୁ, ଅଧିକ ଉପମା ଦେଇ କହିବା ନିଷ୍ପ୍ରୟୋଜନ । ବିଷ୍ଣୁ ମୋହିନୀରୂପ ଧାରଣ କରିଥିବା ସମୟରେ ଅତି ଉନ୍ନତ ଅମୃତ ମାଠିଆକୁ ଛାତିର ନିକଟରେ ରଖିଥିଲାପରି ସେହି ସୀତା ‘ମୁଁ ବିଷ୍ଣୁଙ୍କୁ ମୋହିତ କରିବି’ ଏହି ଇଚ୍ଛାରେ ଅମୃତକୁମ୍ଭ ତୁଲ୍ୟ ଅତି ଉନ୍ନତ ଦୁଇଗୋଟି ସ୍ତନ ପ୍ରକାଶିତ କରି ଅଛନ୍ତି । ଅଥବା ସେ ବିଷ୍ଣୁ ମୋହିନୀ ହେବା ଆଶାରେ ସ୍ତନଦ୍ୱୟରେ ପୃଥଳ ଅମୃତ କୁମ୍ଭର ଶୋଭାକୁ ଧାରଣା କରିଅଛନ୍ତି ।’’
୩୦ଶ ପଦ :- ବଇଶ୍ରବଣ-ରାବଣ । ବିଅର୍ଥ-ବୃଥା । ଅଜ୍ଞ-ମୁର୍ଖ ବିଜ୍ଞଜନରେ-ପଣ୍ଡିତଲୋକଠାରେ ।
୩୦ଶ ପଦ :- ‘‘ଏହି ସମୟରେ ରାବଣ ସେଠାକୁ ଆସି ସୀତାଙ୍କ ନିକଟରେ ବସି ବିନୟ ବାକ୍ୟମାନ କହିଲା । ମାତ୍ର ମୁର୍ଖମାନଙ୍କର କଥା ପଣ୍ଡିତମାନଙ୍କ ଦ୍ୱାରା ଯେପରି ଅନାଦୃତ ହୋଇଥାଏ, ତାହା ସେହିପରି ହୋଇଥିଲା ( ସୀତା ତାହାର ବିନୟ ବାକ୍ୟ ପ୍ରତି ଅନାଦର ପ୍ରକାଶ କରିଥିଲେ ) ।’’
ବିନାୟକ ଜନ୍ମଦିନ- ।ବିଧୂକୃତ ତା ବଦନ ।ବୋଧକର ବିନା ଦାନେ ।ବାହୁଡ଼ିଲାର ସମାନେ ।୩୧ ।ବଦନ ତେଜି ନନ୍ଦନ ।ବିହି ଗଲା ଦଶାନନ ।ବିଯୋଗ ହେଉଁ ତାମସୀ ।ବିଗତ ପାଶୁଁ ରାକ୍ଷସୀ ।୩୨ ।ବାର୍ତ୍ତା କହି ଦେଲି ମୁଦି ।ବାଳିକାମଣି ପ୍ରମୋଦୀ ।ବିନୟ ପୁଣି ତ ଭଣି ।ବଲ୍ଲଭ ଛାମୁକୁ ମଣି ।୩୩ ।ବୈଦେହୀ କେଉଁ ଆସିଲି ।ବନୀସାର ଭଗ୍ନ କଲି ।ବାଦାରମ୍ଭେ ନିଶାଚର ।ବଧ ମୁଁ କଲି ଅପାର ।୩୪ ।ବୈଶ୍ରବଣ ଏକ ସୁତ ।ବିଦାରଣେ ସେ କୋପିତ ।ବାସବାରି ବରଗିଲା ।ବିଳେଶୟେ ବାନ୍ଧିନେଲା ।୩୫ ।ବିବିଧ ଦଣ୍ଡ ବିହିତ ।ବାଣୀ ପରୁଷ ରଚିତ ।ବଡ଼ାଇ ମୁଁ ନ ଛାଡ଼ିଲି ।ବାହୁ ମୋଡ଼ିବି ବୋଇଲି ।୩୭ ।ବାସ ଲାଙ୍ଗୁଡ଼େ ବେଢ଼ାଇ ।ବହ୍ନିରେ ଦେଲା ପୋଡ଼ାଇ ।ବିଧ୍ୱଂସି ତହିଁ ନଗର ।ବୋଧ ଘେନି ଦେବଙ୍କର ।୩୭ ।ବିଚାର ପାରଇଁ ଯେତେ ।ବଳବଶେ କଲି ତୋତେ ।ବୋଲୁଁ ବୋଲେ ବଳିସୁତ ।ବଧାଇ ମାଗ ତ୍ୱରିତ ।୩୮ ।ବତାତ୍ମଜ ତହୁଁ ଭାଷି ।ବହୁଦିନୁ ଉପବାସୀ ।ବାଟିକା କିଷ୍କିନ୍ଧ୍ୟା ଅଛି ।ବିବିଧ ଫଳେ ଶୋଭିଛି ।୩୯ ।ବୋଧ କରିବା ଉଦର ।ବଦିବା ରାମଛାମୁର ।ବିଚାର ସର୍ବେ ଯୋଗାଇ ।ବାୟୁରୁ ସତ୍ୱରେ ଯାଇ ।୪୦ ।୩୧ଶ ପଦ :- ବିନାୟକ ଜନ୍ମଦିନ ବିଧୁକୃତ-ହରିତାଳିମା ଦିନର ଚନ୍ଦ୍ରପରି । ବୋଧକର-ଭାଟ ।
୩୧ଶ ଓ ୩୨ଶ ପଦ :- ସୀତା ସେହି ସମୟରେ ରାବଣର ମୁଖକୁ ଗଣେଶଚତୁର୍ଥୀ ଦିନ ଚନ୍ଦ୍ରପରି କରିଥିଲେ ( ଅର୍ଥାତ୍ ତାର ମୁଖକୁ ଚାହିଁନଥିଲେ ) । ଭାଟମାନଙ୍କୁ କିଛି ନ ଦେଲେ ଯେପରି ସେମାନେ ସ୍ତୁତିତ୍ୟାଗ ପୂର୍ବକ ନିନ୍ଦା କରି ଫେରିଯାନ୍ତି ସେହିପରି ରାବଣ ସ୍ତୁତି ପରିତ୍ୟାଗ ପୂର୍ବକ ନିନ୍ଦା କରି ତାଙ୍କ ନିକଟରୁ ବାହାରିଗଲେ ।’’ ତତ୍ପରେ ରାତ୍ରି ପାହି ଯିବାରୁ ରାକ୍ଷସୀମାନେ ତାଙ୍କ ନିକଟରୁ ବାହାରିଗଲେ ।
୩୩ଶ ପଦ :- ବାଳିକାମଣି-ସୀତା । ପ୍ରମୋଦି-ଆନନ୍ଦିତ ହୋଇ । ମଣି-ମଥାମଣି ।୩୪ଶ ପଦ :- ବନୀସାର-ଶ୍ରେଷ୍ଠବନ ( ମଧୁବନ) । ବାଦାରମ୍ଭେ-ଯୁଦ୍ଧରେ । ନିଶାଚର-ରାକ୍ଷସ । ଅପାର-ଅପରିମିତ ବା ବହୁତ ।
୩୩ଶ ଓ ୩୪ଶ ପଦ :- ‘‘ଏହି ସମୟରେ ମୁଁ ସମସ୍ତ କଥା କହି ମୁଦିଟି ଦେଲି ତାକୁ ପାଇ ସେହି ଯୁବତୀ (ସୀତା) ଅତିଶୟ ଆନନ୍ଦିତ ହେଲେ, ପୁଣି ବିନୀତା ହୋଇ କେତେ କଥା କହିଲେ । ସେହି ବୈଦେହୀ ପ୍ରିୟ ରାମଙ୍କ ନିକଟକୁ ନେବା ପାଇଁ ମଣିଟି ମୋତେ ଦିଅନ୍ତେ, ମୁଁ ଆସି ମଧୁବନକୁ ଭାଙ୍ଗିଲି । ରାକ୍ଷସମାନେ ଆସି ଯୁଦ୍ଧ ଆରମ୍ଭ କରିବାରୁ ମୁଁ ଅନେକ ଅସୁର ମାଇଲି ।’’
୩୫ଶ ପଦ :- ବାସବାରି-ଇନ୍ଦ୍ରଜିତ । ବିଳେଶ୍ୱୟେ-ନାଗପାଶରେ ।
୩୫ଶ ପଦ :- ମୁଁ ରାବଣର ଗୋଟିଏ ପୁଅକୁ ବିଦାରି ମାରି ପକାଇବାରୁ ସେ କ୍ରୁଦ୍ଧ ହୋଇ ଇନ୍ଦ୍ରଜିତକୁ ପଠାଇଲା । ସେ ଆସି ମୋତେ ନାଗଫାଶରେ ବାନ୍ଧି ନେଲା ।’’
୩୬ଶ ପଦ :- ପରୁଷବାଣୀ-କଟୁକଥା ।
୩୬ଶ ପଦ :- ‘‘ତତ୍ପରେ ମୋତେ ନାନାପ୍ରକାର ଦଣ୍ଡ ଦେଇ ଭର୍ତ୍ସନା ଦେବାକୁ ଲାଗିଲେ । ତଥାପି ମୁଁ ମୋର ବଡ଼ାଇ ନ ଛାଡ଼ି, ତୋର ବାହୁମାନଙ୍କୁ ମୋଡ଼ି ଛିଣ୍ଡାଇ ଦେବି ବୋଲି ରାବଣକୁ କହିଲି ।’’
୩୭ଶ ପଦ :- ବହ୍ନିରେ-ନିଆଁରେ । ବିଧ୍ୱଂସି - ପୋଡ଼ି ।
୩୭ଶ ପଦ :- ‘‘ସର୍ବଶେଷରେ ରାବଣ ମୋର ଲାଙ୍ଗୁଳରେ ଲୁଗା ଗୁଡ଼ାଇ ନିଆଁ ଲଗାଇ ପୋଡ଼ିଦେଲା । ମୁଁ ସେ ନିଆଁରେ ତାର ନଗରକୁ ପୋଡ଼ିଦେଲି । ତତ୍ପରେ ଦେବତାମାନେ ମୋତେ ବୁଝାଇବାରୁ ଆଉ ଅଧିକ ପୋଡ଼ାପୋଡ଼ି ନ କରି ଚାଲି ଆସିଲି ।’’
୩୮ଶ ପଦ :- ‘‘ତୁମ୍ଭେମାନେ ଯାହା ବିଚାରିବ ବିଚାର, ମାତ୍ର ମୁଁ ମୋର ବଳକୁ ଦେଖି ଯେତେ କରିବାର କଥା ତେତେ କଲି ।’’ ହନୁମାନ ଏହା କହିବାରୁ ଅଙ୍ଗଦ କହିଲା, ତୁମ୍ଭେ ମୋଠାରୁ କି ପୁରସ୍କାର ପାଇବାକୁ ଇଚ୍ଛା କର ତାହା ଶୀଘ୍ର ମାଗ ।’’
୩୯ଶ ପଦ :- ଏହା ଶୁଣି ହନୁମାନ କହିଲା, ଆମ୍ଭେମାନେ ବହୁତ ଦିନରୁ ଉପବାସରେ ରହିଥାଇଁ, କିସ୍କିନ୍ଧ୍ୟାରେ ନାନାବିଧ ଫଳପୂର୍ଣ୍ଣ ମଧୁବନନାମକ ବଗିଚା ଅଛି, ସେହି ବଗିଚାକୁ ପାଇ ଫଳମାନଙ୍କ ଦ୍ୱାରା ପେଟ ପୂର୍ଣ୍ଣ କରିସାରିବା ପରେ ରାମଚନ୍ଦ୍ରଙ୍କ ନିକଟକୁ ଯାଇ ସମସ୍ତ ବାର୍ତ୍ତା ଜଣାଇବା ।’’ ଏହିକଥା ସମସ୍ତଙ୍କ ବିଚାରକୁ ଆସିବାରୁ ଅଧିକ ବେଗରେ ଯାଇ ସମସ୍ତେ ସେ ସ୍ଥାନରେ ଉପସ୍ଥିତ ହେଲେ ।
ବିଧିରେ ବୋଲନ୍ତି ହରି ।ବଳେ ମଧୁ ନାଶ କରି ।ବୃକ୍ଷମାନ ମନୋରମ ।ବହି କଳ୍ପଦ୍ରୁମ ସମ ।୪୧ ।ବାଞ୍ଛିତ ଫଳ ପ୍ରଦାନ ।ବିରଚନେ ସୁରଞ୍ଜନ ।ବାରିଧିଜର ପରା କେତେ ।ବିରାଜେ ଅପୂର୍ବ ଚ୍ୟୁତେ ।୪୨ ।ବଶ ରମ୍ଭାରେ ତରକି ।ବିଦ୍ୟ ନଳକୁବର କି ?ବାହାସ୍ଫୋଟମାନ କରେ ।ବିନ୍ଧାଣ ମଲ୍ଲପ୍ରକାରେ ।୪୩ ।ବିହରିଲେ ପୁଷ୍ପକରେ ।ବଇଶ୍ରବଣ ସମରେ ।ବହିଣ ରାଜନ ଯୋଖ ।ବଶ ଦଣ୍ଡେ ଦଧିମୁଖ ।୪୪ ।ବନରଇନ୍ଦ୍ରେ ଗୁହାରି ।ବିହି ଓଜଗ ସେ କରି ।ବନ କଲେ ଶୀର୍ଣ୍ଣ ଶୋଭା ।ବହି ଗ୍ରୀଷ୍ମସୂର୍ଯ୍ୟ ପ୍ରଭା ।୪୫ ।ବାହୁଡ଼ି ଦକ୍ଷିଣ ଦୂତେ ।ବ୍ୟବହାର ଅଦଭୁତେ ।ବିନାଶ ଜୀବେ କରୁଣା ।ବହୁତ ପ୍ରକାରେ ଊଣା ।୪୭ ।ବିବସ୍ୱାନ ସୁତ ଶୁଣି ।ବହେ ହରଷ ସେକ୍ଷଣି ।ବିବେକ ତା ହୃଦୟରେ ।ବିପିନ ଭଗ୍ନ ପ୍ରଚାରେ ।୪୭ ।ବ୍ୟବହାରୁ ମନେ ହେଜି ।ବୈଦେହୀ ପାଇଲେ ଖୋଜିବେଶ ହେଲା ଏହା ଭାଳି ।ବପୁରେ ଚନ୍ଦନ ବୋଳି ।୪୮ ।ବନ୍ଧାଇ ଫୁଲେ ଉଷ୍ଣୀଷ ।ବିଭାଜ କଲା ସେ ଶୀର୍ଷ ।ବିଶଦ ପଟ୍ଟ ଅମ୍ବର ।ବେଡ଼ାଣ ପିନ୍ଧା ସତ୍ୱର ।୪୯ ।ବେଦନ କର୍ପୂରେ ପୂରି ।ବନୌକାପତି ବାହାରି ।ବିମଳ ଶ୍ୱେତ ଚାମର ।ବିନୋଦୀ ସେ ପରିକର ।୫୦ ।