ଭାଗ ୩ — ବୈଦେହୀଶ ବିଳାସ (ତୃତୀୟ ଖଣ୍ଡ) — ଉପେନ୍ଦ୍ର ଭଞ୍ଜ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
୨୧ଶ ପଦ :- ମାର୍କଣଣ୍ଡେୟଙ୍କଠାରୁ ଏହିପରି ଶୁଣି ଅଗସ୍ତ୍ୟ କହିଲେ, ‘‘ତୁମ୍ଭେ ଚତୁର ହୋଇ ବଣା ହେଉଛ । ପ୍ରଳୟ କାଳରେ କଳ୍ପବଟରେ ପତ୍ରପୁଟରେ ଚାରିଗୋଟି ହାତ ଥିଲା କି ? (ଅର୍ଥାତ୍ ତୁମ୍ଭେ ସାତକଳ୍ପ ବଞ୍ଚିବାକୁ ଶିବଙ୍କଠାରୁ ବର ପାଇଥିବାରୁ ଅବଶ୍ୟ ଜୀବରେ କେତୋଟି କଳ୍ପର ଶେଷକାଳୀନ ପ୍ରଳୟ ଦେଖିଲଣି । ସେହିସବୁ ପ୍ରଳୟ କାଳରେ ବଟପୁଟଶାୟୀ ଚତୁର୍ଭୁଜ ବିଷ୍ଣୁଙ୍କୁ ଦେଖିଛ କି ?) ସେ କେବଳ ଅତି ନିର୍ମଳ, ବାଳମୁକୁନ୍ଦ ମୂର୍ତ୍ତି ଧାରଣ କରିଥିଲେ ପରା ! (ଅତଏବ ଏବେ ରାମରୂପରେ ଦ୍ୱିଭୁଜ ହୋଇଅଛନ୍ତି) । ଯେତେବେଳେ ବ୍ରହ୍ମାଦି ଦେବତାମାନେ ଥାଇ ଅଭିଷେକ ହେବ, ସେତେବେଳେ ତାଙ୍କର ବୈଷ୍ଣବେଶ୍ୱର୍ଯ୍ୟ ଦେଖିବ ।’’
୨୨ଶ ପଦ :- ‘‘ଯେପରି ବାମନ ହେବ ତ୍ରିବିକ୍ରମ ହେଲେ ଅର୍ଥାତ୍ କ୍ରମେ କ୍ରମେ ସ୍ୱର୍ଗ, ମର୍ତ୍ତ୍ୟ, ପାତାଳକୁ ଅଧିକାର କରିଥିଲେ, ସେହିପରି ଏହାଙ୍କର ଐଶ୍ୱର୍ଯ୍ୟ କ୍ରମେ ବୃଦ୍ଧି ହେବ । (ଅର୍ଥାତ୍ କ୍ରମେ ବାନର, ରାକ୍ଷସ ଓ ଦେବତାମାନେ ଏହାଙ୍କ ସେବାରେ ନିଯୁକ୍ତ ହେବେ ବା ବିଷ୍ଣୁ ବୋଲି ଜାଣି ପାରିବେ ) ।’’ ମୁନି ଦୁହେଁ ଏହିପରି କଥାବାର୍ତ୍ତା ହୋଇ ଯାଉଁ ଯାଉଁ ଅଳ୍ପସମୟ ମଧ୍ୟରେ ନିଜ ନିଜ ଆଶ୍ରମରେ ପହଞ୍ଚିଲେ । ପ୍ରସିଦ୍ଧ ହେମନ୍ତ ଋତୁ ନିଜର ବର୍ଣ୍ଣ ରୂପ କୁହୁଡ଼ି ଦ୍ୱାରା ସଂସାରକୁ ହଠାତ୍ ବ୍ୟାପିଗଲା । ଏହା ଦେଖି ମନେ ହେଲା, ଏ ଐରାବତ ହସ୍ତୀ କି ? କାରଣ ସେ ମଧ୍ୟ ‘ବର୍ଣ୍ଣକୁଜ୍ଝଟୀ’ ଧୂସର ବର୍ଣ୍ଣ ଧାରଣ କରି ଜନ୍ମଗ୍ରହଣ କରିବା ସଙ୍ଗେ ସଙ୍ଗେ ଅତିବେଗରେ ‘ଜଗତୀ’ ଜଳକୁ ଆକ୍ରମଣ କରିଥିଲା ଅର୍ଥାତ୍ ସମୁଦ୍ରର ଚାରିଆଡ଼େ ପହଁରିବାରେ ଲାଗିଥିଲା ।
୨୩ଶ ପଦ :- ବିଭ୍ରାଜିତ-ବିରାଜିତ । ସୁରେ-ଦେବତାଙ୍କଠାରେ, ସୂର୍ଯ୍ୟଙ୍କଠାରେ । ବାସବ-ଇନ୍ଦ୍ର, ଉତ୍ତମଗୃହ, ଉତ୍ତମ ବସ୍ତ୍ର । ବାଳମାନସ-ବଳିଷ୍ଠ ଲୋକମାନଙ୍କର ହୃଦୟ । ମଦକଣ-ମତ୍ତହସ୍ତୀଠାରୁ ନିର୍ଗତ ଜଳ ।
୨୩ଶ ପଦ :- ଐରାବତ ହସ୍ତୀର କୁନ୍ଦଫୁଲ ପରି ଶୁଭ୍ରଦାନ୍ତ ଥିବାରୁ ସେ ଅତିଶୟ ସୁନ୍ଦର ଦେଖାଯାଏ ଏବଂ ସୁନ୍ଦର ପର୍ବତ ସୁମେରୁରେ କ୍ରୀଡ଼ା କରେ । ତାହା ଦେହରୁ ବିନ୍ଦୁ ବିନ୍ଦୁ ହୋଇ ଦାନଜଳ (ମଜ୍ଜଳ) ବୃଷ୍ଟି ହେଉଥାଏ ଅର୍ଥାତ୍ ଖସି ପଡ଼ୁଥାଏ । ସେ ଦେବତାମାନଙ୍କ ପ୍ରତି ଆଦର ପ୍ରକାଶ କରିଥିଲା । ଇନ୍ଦ୍ର ତାହାକୁ ଅତିଶୟ ସ୍ନେହ କରନ୍ତି ଓ ସେ ବଳ ନାମକ ଅସୁରର ହୃଦୟରେ ଭୟ ଜାତ କରାଇଥିଲା । ସେହିପରି ହେମନ୍ତକାଳ କୁନ୍ଦପୁଷ୍ପରୂପ ଦନ୍ତ ଧାରଣ କରି ସୁନ୍ଦର ଦେଖାଗଲା । (ଅର୍ଥାତ୍ ହେମନ୍ତ ଆସିବାରୁ କୁନ୍ଦ ଫୁଲମାନେ ଫୁଟିଲେ) ଏବଂ ଜଙ୍ଗଲ, ଗୃହ, ପର୍ବତମାନଙ୍କରେ ବିହାର କଲା ଅର୍ଥାତ୍ ଚାରିଆଡ଼େ ବ୍ୟାପିଗଲା । କାକର ବିନ୍ଦୁ ବିନ୍ଦୁ ହୋଇ ପଡ଼ିଲା, ସୂର୍ଯ୍ୟଙ୍କ ପ୍ରତି ଲୋକମାନଙ୍କର ଆଦର ବଢ଼ାଇଲା, ଭଲଲୁଗା ବା ଭଲଘର ପ୍ରତି ଲୋକମାନଙ୍କୁ ଆକୃଷ୍ଟ କରାଇଲା ଓ ବଳବାନ ଲୋକମାନଙ୍କୁ ମଧ୍ୟ କମ୍ପାଇଲା । (ଦୁର୍ବଳମାନଙ୍କ କଥା କଣ ବା କହିବା ?)
୨୪ଶ ପଦ :- ନମୁଚି-ରାକ୍ଷସ ବିଶେଷ, ଛଡ଼ାଇ ନ ଦେଇ । ଐନ୍ଦ୍ରି-ଇନ୍ଦ୍ରପୁତ୍ର ଜୟନ୍ତ, କାକସମୂହ, କାମୁକ । ବିରବ-ଘୋର ଗର୍ଜନ । ଘନ-ମେଘ ।
୨୪ଶ ପଦ :- ଯେପରି ଐରାବତ ଯୋଗୁଁ ନମୁଚିନାମକ ଅସୁର ଦୁଃଖିତ ହୋଇ ବିରସତା ପ୍ରାପ୍ତ ହୋଇଥିଲା ଓ ଇନ୍ଦ୍ରପୁତ୍ର ଜୟନ୍ତଙ୍କ ଚିତ୍ତ ପ୍ରଫୁଲ୍ଲିତ ହୋଇଥିଲା, ସେହିପରି ହେମନ୍ତ ଯୋଗୁଁ ଦରିଦ୍ରମାନେ ଅଥବା ‘ଦିନ’ ଦିବସଗୁଡ଼ିକ ଅନବରତ ଶୁଷ୍କତା ବା କ୍ଷୀଣତାକୁ ତ୍ୟାଗ କଲେନାହିଁ । (ଅର୍ଥାତ୍ ଶୀତ ପବନ ବହିବା ଯୋଗୁଁ ମନୁଷ୍ୟମାନେ ଓ ସୂର୍ଯ୍ୟଙ୍କର ଦକ୍ଷିଣାୟନ ଯୋଗୁଁ ଦିନସବୁ କ୍ଷୀଣ ହେବାକୁ ଲାଗିଲେ) । କାକରମାନଙ୍କର ଚିତ୍ତ ପ୍ରଫୁଲ୍ଲିତ ହେଲା ଅର୍ଥାତ୍ ସେମାନେ ସୁନ୍ଦର ଦେଖାଗଲେ । (ପୟା ଅମାବାସ୍ୟା ପରଦିନଠାରୁ କାକମାନେ ସୁନ୍ଦର ଦେଖାଯାନ୍ତି ବୋଲି ପ୍ରବାଦ ଅଛି, ଏଣୁ ସେହି ଦିନକୁ କାଉ ସୁନ୍ଦର ବୋଲି କହନ୍ତି) ଅଥବା ଐନ୍ଦ୍ରିୟ (ଇନ୍ଦ୍ରିୟ ବଶ) କାମୁକମାନଙ୍କର ମନରେ ଆନନ୍ଦ ପ୍ରକାଶିତ ହେଲା । ଏହି ସମୟରେ ଶରତ୍ ଋତୁ ହିରଣ୍ୟାକ୍ଷ ଅସୁରର ଶୋଭାକୁ ଧାରଣ କଲା । ହିରଣାକ୍ଷ ଯେପରି ଜଗତକୁ ଆକ୍ରମଣ କରିଥିଲା, ଶରତ୍ ସେହିପରି ଆକ୍ରମଣ କଲା । ହିରଣାକ୍ଷ ବରାହ ରୂପ ଧାରଣ କରିଥିବା ବିଷ୍ଣୁଙ୍କର ଅତି ମୁନିଆଁ ଦାନ୍ତରେ ଫୋଡ଼ିହେବା ଦ୍ୱାରା ଯେଉଁପରି ଶୋଭାଧାରଣ କରିଥିଲା, ଏହି ସମୟରେ ବାରିହାଦାଢ଼ ନାମକ ଫୁଲ ଫୁଟିବାରୁ ପୃଥିବୀ ସେହିପରି ଶୋଭା ଧାରଣ କଲା । ହିରଣାକ୍ଷ ମରି ଯିବାରୁ ପୃଥିବୀ ଯେପରି କମ୍ପ ଶୂନ୍ୟ ଓ ଗର୍ଜନ ଶୂନ୍ୟ ହୋଇଥିଲା, ଏହି ସମୟରେ ପୃଥିବୀ ସେହିପରି ‘ଘନବିରଦ’ ଘଡ଼ଘଡ଼ି ଶୂନ୍ୟ ଓ ଘଡ଼ଘଡ଼ି ଜନିତ କମ୍ପନ ଶୂନ୍ୟ ହେଲା ।
୨୫ଶ ପଦ :- ବିଦେଶ-ଆକାଶ ଦେଶ, ନାନାଦେଶ । ବନ-ଜଙ୍ଗଲ, ଜଳ । କମଳ-ପଦ୍ମ, ମୃଗ । ପାଶ-ଫାଶ, ନିକଟ ।
୨୫ଶ ପଦ :- ହିରଣ୍ୟାକ୍ଷ ନାଶ ହେବାରୁ ଆକାଶ ଦେଶରେ ଅର୍ଥାତ୍ ସ୍ୱର୍ଗରେ ଯେପରି ନୃତ୍ୟ, ଗୀତ ପ୍ରଭୃତି ମଙ୍ଗଳ କାର୍ଯ୍ୟସବୁ ଅନୁଷ୍ଠିତ ହୋଇଥିଲା, ଶରତ ପରେ ଆସିଥିବା ହେମନ୍ତ ଋତୁରେ ସେହିପରି ‘ବିଦେଶ’ ନାନା ଦେଶରେ ଅର୍ଥାତ୍ ପ୍ରତ୍ୟେକ ଗ୍ରାମରେ ବିବାହ ପ୍ରଭୃତି ମଙ୍ଗଳ କାର୍ଯ୍ୟସବୁ ଅନୁଷ୍ଠିତ ହେଲା । ହିରଣ୍ୟାକ୍ଷ ମରିବାରୁ ବରୁଣ ପ୍ରଭୃତି ଦେବତାମାନେ ଯେପରି ଆନନ୍ଦିତ ହୋଇଥିଲେ, ଏହି ଋତୁରେ ବରୁଣ ବୃକ୍ଷ ସେହିପରି ପୁଷ୍ପମଣ୍ଡିତ ହେଲା । ଆଉ ମଧ୍ୟ ବ୍ୟାଧ ଯେପରି ଖୋଜି ଖୋଜି ବନରୁ ମୃଗମାନଙ୍କୁ ନାଶ କରେ ହେମନ୍ତକାଳ ସେହିପରି ଜଳରୁ ପଦ୍ମମାନଙ୍କୁ ନାଶ କଲା । ସେହି ବ୍ୟାଧ ସମୟ ସମୟରେ ଫାଶ ଯୋଖି ଯେପରି ମୃଗକୁ ବାନ୍ଧି ରଖେ, ଏହି ହେମନ୍ତରେ ସେହିପରି ସ୍ତ୍ରୀମାନେ ସମୟ ସମୟରେ ପୁରୁଷମାନଙ୍କୁ ବାହୁରେ ବାନ୍ଧି ନିକଟରେ ରଖିଲେ ।
ବିତତରୁ ରାମ କହେ ଆତୁରେ ।ବୋଲାଉ ତୁ ୠତୁ ବାଧୁ ୠତୁରେ ।ବିଧାତା ତୁହି (ହୀ)ନ ବୋଲିଛି ଜାଣି ।ବିଦଗ୍ଧ କରୁ(ତୁ) ପଦ୍ମିନୀ ଶ୍ରେଣୀ ।ବନ୍ଧୁ ମୋ ପଦ୍ମିନୀ ।ବିନାଶ ନା ତାକୁ ଭ୍ରମକୁ ଘେନି ।୨୬ ।ବୃକ୍ଷେ ବସି ହୁଁ ହୁଁ କରୁ କପୋତ ।ବିଚାରିଲେ ଶୁଣି କଲା ସମ୍ମତବୋଇଲେ ଉଚ୍ଚେ ତୁଷାର ତୁଷାର ।ବ୍ରହ୍ମାଣ୍ଡେ ତ ହୋଇଥିଲୁ ତୁ ସାର ।ବିପକ୍ଷର ତହିଁ ।ବାଦ ଅନୁକୂଳ ସମୟ ତୁହି ।୨୭ ।ବର୍ତ୍ତିଥିବ ଏକା ନାଗରୀବର ।ବର୍ତ୍ତିଥିବ ସେ ତ ଜୀବନ ମୋର ।ବର୍ତ୍ତିଥିବାରେ ମୋ ନାହିଁ ସଂଶୟ ।ବଞ୍ଚାଇ ତ୍ରିକାଳେ ମୋତେ ତା ଦେହ ।ବଞ୍ଚୁଥିବ ସେହି ।ବର୍ଷ୍ମ ଉଷ୍ମ ଶୀତ ହିମତ ବହି ।୨୮ ।ବାନ୍ଧବୀ ପରା ମୋ ନାହିଁ ସୁନ୍ଦରୀ ।ବାସେ ଦେହ ସଜ ସରୋଜ ପରି ।ବାମଦେବାରି ହୃଦେ ଯୋଖି ଶର ।ବିନ୍ଧୁଁ ମୋହି ହୋଇ ଥରିବ କର ।ବାଜିବ କି ଲାଖ ।ବିଶୀର୍ଣ୍ଣ ହେବ ଗୁଣ ଶିଳୀମୁଖ ।୨୯ ।ବିରହାନଳ ଜାଳୁଁ ତା ଶରୀର ।ବୁଡ଼ିଥିବ ଭାବ ଭାବନା ନୀର ।ବହୁତ ଜନ୍ମର ସୁକୃତରାଶି ।ବିନୋଦ କଲେ ମୋ ଏଠାରେ ଆସି ।ବଧି ବଧି ଭଲା ।ବାରୁଣୀ ଶୋଭାରୀତି ତାକୁ ଦେଲା ।୩୦ ।୨୬ଶ ପଦ :- ବିତତରୁ-ବିସ୍ତୃତି ଲାଭ କରିବାରୁ । ଋତୁରେ- ସ୍ତ୍ରୀ, ସ୍ତ୍ରୀମାନଙ୍କର ରଜୋରୂପରେ । ବାଧୁ-ପୀଡ଼ଦେଉ । ତୁହିନ-ଶିଶିର ।
୨୬ଶ ପଦ :- ଏହିପରି ହେମନ୍ତଋତୁ କ୍ରମେ ବିସ୍ତୃତି ଲାଭ କରିବାରୁ ରାମଚନ୍ଦ୍ର ଆତୁର ହୋଇ କହିଲେ, ‘‘ହେ ହେମନ୍ତ ! ତୁ ଋତୁ ନାମରେ ଅଭିହିତ ଅଟୁ, ଏଣୁ ସ୍ତ୍ରୀମାନେ ରଜସ୍ୱାଳା ହେବା ସମୟରେ ସ୍ତ୍ରୀ ଓ ପୁରୁଷମାନଙ୍କ ବାଧା ଦେଉ । ଏହା ଜାଣ ବିଧାତା ଷଡ଼୍ଋତୁମାନଙ୍କ ମଧ୍ୟରେ ତୁ ହୀନ ବୋଲି କହିଛି, (ହେମନ୍ତର ଅନ୍ୟନାମ ତୁହିନ ଅଟେ) । ତୁ ପଦ୍ମିନୀମାନଙ୍କୁ ନାଶକରୁ; ମୋ ପ୍ରିୟା ପଦ୍ମିନୀ ଜାତୀୟା ଅଟେ, ସୁତରାଂ ତାକୁ ଭୁଲବଶତଃ ଆଉ ନାଶ କର ନାହିଁ ।’’
୨୭ଶ ପଦ :- ଏହି ସମୟରେ ଗଛ ଉପରେ ବସି କପୋତ ପକ୍ଷୀ ହୁଁ ହୁଁ ଶବ୍ଦ କରିବାରୁ ରାମଚନ୍ଦ୍ର ମନେ କଲେ ହେମନ୍ତ ମୋ କଥା ଶୁଣି ସମ୍ମତି ପ୍ରକାଶ କଲା । ମୋ ସ୍ତ୍ରୀକୁ ମାରିବ ନାହିଁ ବୋଲି କହିଲା । ଏଣୁ ଆନନ୍ଦିତ ହୋଇ ଉଚ୍ଚସ୍ୱରରେ କହିଲେ ‘‘ହେ ତୁଷାର । ତୁଷାର ! ଏହି ବ୍ରହ୍ମାଣ୍ଡରେ ତୋର ନାମ ଉତ୍କୃଷ୍ଟ ଅଟେ । କାରଣ ତୁ ଶତ୍ରୁ ସହ ବିବାଦ ରଚନା କରିବାର ଅନୁକୂଳ ସମୟ ଅଟୁ ।’’
୨୮ଶ ପଦ :- ‘‘ମୋର ନାଗରୀମଣି ଏକା ହୋଇ ବଞ୍ଚି ରହିଥିବ କି ? (ନିଶ୍ଚୟ ବଞ୍ଚିଥିବ) କାରଣ ସେ ତ ମୋର ଜୀବନ ଅଟେ । ମୁଁ ବଞ୍ଚିଥିବାରୁ ଏ ବିଷୟରେ ସନ୍ଦେହ କରିବା ଦରକାର ନାହିଁ । ତାର ଦେହ ମୋତେ ଗ୍ରୀଷ୍ମ, ବର୍ଷା ଓ ଶୀତ ଏହି ତିନି କାଳରେ ବଞ୍ଚାଇଥିଲା । (ଅର୍ଥାତ୍ ତା ଯୋଗୁଁ ମୁଁ ଏହି ତିନି ଋତୁରେ ଦୁଃଖ ଅନୁଭବ କରିନଥିଲି), ସେହି ପ୍ରିୟା ମଧ୍ୟ ନିଜ ଦେହରେ ଶୀତ କାଳରେ ଉଷ୍ମ, ଗ୍ରୀଷ୍ମରେ ଶୀତଳ ଓ ବର୍ଷାରେ ଶୀତୋଷ୍ଣଭାବ ବହନ କରି ବଞ୍ଚିଥିବ ।’’
୨୯ଶ ପଦ :- ସଜ ସରୋଜ-ସଦ୍ୟ ପ୍ରସ୍ଫୁଟିତ ପଦ୍ମ । ବାମଦେବାରି-କନ୍ଦର୍ପ । ଗୁଣ ଶିଳୀମୁଖ-ଗୁଣମୟ ଭ୍ରମରମାନେ ।
୨୯ଶ ପଦ :- ‘‘ମୋର ବାନ୍ଧବୀ ପରି ଆଉ ସୁନ୍ଦରୀ କେହି ନାହାଁନ୍ତି । ତାର ଦେହ ସଜ ପଦ୍ମଫୁଲ ପରି ବାସେ । କନ୍ଦର୍ପ ଧନୁରେ ଶର ଯୋଖି ପ୍ରିୟାର ହୃଦୟକୁ ଲକ୍ଷ୍ୟ କଲା ବେଳେ ସେ ତାର ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇଯିବ ଓ ତାର ହାତ ନିଶ୍ଚୟ ଥରିବ, ଏଣୁ ତାର ଲାଖ ବାଜିବ କି ? (ବାଜିବ ନାହିଁ) ମାତ୍ର ତାର ଧନୁର ଗୁଣ ଓ ଶର ଅଥବା ଗୁଣରୂପୀ ଭ୍ରମରମାନେ ଖସିଯାଇ ଇତସ୍ତତଃ ହୋଇ ପଡ଼ିବେ ବା ଉଡ଼ିବେ ।’’
୩୦ଶ ପଦ :- ବିନୋଦ-କ୍ରୀଡ଼ା । ବାରୁଣୀ-ବରୁଣ ସମ୍ୱନ୍ଧୀୟ ।
୩୦ଶ ପଦ :- ‘‘ବିରହାନଳ ତାର ଦେହକୁ ଅବା ପୋଡ଼ି ପକାନ୍ତା, କିନ୍ତୁ ତାହା ହୋଇ ନ ପାରେ; କାରଣ ସେ ମୋ ଭାବନାରୂପ ଜଳରେ ବୁଡ଼ି ରହିଥିବ । ଏଠାରେ ମୋର ବହୁତ ପୁଣ୍ୟସମୂହ ଆସି ଏକତ୍ରିତ ହୋଇ କ୍ରୀଡ଼ା କଲେ କି ? ବିଧାତାର ବିଧାନ ବିଚିତ୍ର ଅଟେ, ଯେ ହେତୁ ପ୍ରିୟାକୁ ବରୁଣଙ୍କ ସମ୍ୱନ୍ଧୀ ଶୋଭାର ଗତିକୁ ଦେଲା ଅର୍ଥାତ୍ ଜଳଦେବତା ବରୁଣ ଯେପରି ଜଳ ମଧ୍ୟରେ ବୁଡ଼ି ରହିଛନ୍ତି; ପ୍ରିୟାକୁ ସେହିପରି ମୋ ଭାବଜଳରେ ବୁଡ଼ାଇ ରଖିଲା । ଅଥବା ବାରୁଣୀ ଯୋଗରେ ସମୁଦ୍ରରେ ବା ପ୍ରୟାଗରେ ବୁଡ଼ ପକାଇ ଲୋକମାନେ ପୁଣ୍ୟ ଲାଭ କଲାପରି ପ୍ରିୟା ମୋ ଭାବରୁପ ଜଳାଧାରରେ ବୁଡ଼ି ପୁଣ୍ୟ ବଳରୁ ବିରହାନଳକୁ ଶାନତ କଲା ।’’
୩୧ଶ ପଦ :- ବହ୍ନିଶର-ଅଗ୍ନିଶର । ବଂଶ-ବାଉଁଶ ଗଛ । ବିଶ୍ରାମ-ନଗର-ବାସସ୍ଥାନ । ବିଶ୍ରମ ନଗ-ବିଶ୍ରାମ ପର୍ବତ ।
୩୧ଶ ପଦ :- ମୁଁ ମୋର ବିବାଦୀ ରାବଣ ଗ୍ରୀଷ୍ମକାଳ ପରି ହୋଇ ତାର ବହୁକାଳରୁ ବାଉଁଶ ଗଛପରି ବଢ଼ିଥିବା ବଂଶକୁ ଦାବାନଳ ତୁଲ୍ୟ ଅଗ୍ନିଶର ମାରି ପାଉଁଶ କରିଦେବି ଏବଂ ତାର ରହିବା ସ୍ଥାନ ଲଙ୍କା ନଗରୀକୁ ବାଉଁଶ ଗଛର ଆଶ୍ରୟସ୍ଥଳ ପର୍ବତ ପରି ପୋଡ଼ି ଦେଇ ସୈନ୍ୟରୂପ ପତଙ୍ଗମାନଙ୍କୁ ବଳପୂର୍ବକ ନେଇ ସେଥିରେ ପକାଇବି ।’’
୩୨ଶ ପଦ :- ବ୍ରହ୍ମପଦବୀ-ବ୍ରହ୍ମପଦ । ବାନରପତି- ସୁଗ୍ରୀବ ।
୩୨ଶ ପଦ :- ‘‘ରାବଣକୁ ରକ୍ଷା କରିବାପାଇଁ ବ୍ରହ୍ମା ଯଦି ତାର ପକ୍ଷ ଗ୍ରହଣ କରନ୍ତି, ତାହାହେଲେ ତାଙ୍କର ବ୍ରହ୍ମା ଉପାଧିକୁ ରଖିବି ନାହିଁ ଅର୍ଥାତ୍ ଜଗତରୁ ବ୍ରହ୍ମା ପଦ ଲୋପ କରିଦେବି ।’’ ଏହା କହି ରାମଚନ୍ଦ୍ର ତୁନି ହେଲେ ଏବଂ ସୁଗ୍ରୀବ କେବେ ଆସିବେ ମନେ ମନେ ଏହା ଭାବିବାକୁ ଲାଗିଲେ । ଏହି ମନୋହର ଛନ୍ଦକୁ ଉପେନ୍ଦ୍ର ବତିଶ ପଦରେ ରଚନା କଲେ ।
ଦ୍ୱାତ୍ରିଂଶ ଛାନ୍ଦବିକ୍ରମି ଲକ୍ଷ୍ମଣ ମିଳେ କିସ୍କିନ୍ଧ୍ୟାକାନନ ।ବସନ୍ତ ମଳୟାଦ୍ରିରୁ କି ସେ ଆଗମନ ?।୧।ବଚନ କୋକିଳ ସଦାଗତି ମେଳ ହୋଇ ।ବହୁତ ସୁମନାକୁ ସେ ଉତ୍ଫୁଲ୍ଲ କରାଇ।୨ ।ବିହୀବେ ଦକ୍ଷିଣଭାବେ ଯାତ୍ରା ଆରମ୍ଭିଣ ।ବନୌକା ଖେଳିସବ ରଖେ ଅବୀ(କି) ର କରିଣ। ୩ ।ବିଜେ ରାଜା ସିଂହଦ୍ୱାରେ ରାମାନୁଜ ଯାଇ ।ବନ୍ଧ ଲଭି ପ୍ରବୃଦ୍ଧ ସରିତ ସରି ରହି।୪ ।ବିଧିରେ ତ ଶରାଳୀରେ ଯୁକ୍ତ ହୋଇଛନ୍ତି ।ବାରି ପୁର୍ଣ୍ଣ ଅପଘନେ ରୁଚିର ଦିଶନ୍ତି।୫।ରାଗ - ମଙ୍ଗଳଗୁଜ୍ଜରୀ
୧ମ ପଦ :- ରାମଚନ୍ଦ୍ରଙ୍କ ଆଦେଶ ପାଇ ଲକ୍ଷ୍ମଣ ମାଲ୍ୟବନ୍ତରୁ ଅତି ଶିଘ୍ର ଯାଇ କିସ୍କିନ୍ଧ୍ୟା ପୁର ନାମକ ଜଙ୍ଗଲରେ ମିଳିଲେ । ସେହି ସମୟରେ ତାଙ୍କୁ ଦେଖି ମନେହେଲା, ବସନ୍ତ ମଳୟ ପର୍ବତରୁ ଆସୁଛି କି ? (ଏହା ଦ୍ୱାରା ଲକ୍ଷ୍ମଣଙ୍କର ନମନୀୟତା ପ୍ରକାଶିତ ହେଲା) ।
୨ୟ ପଦ :- ସଦାଗତି-ଅବିଶ୍ରାନ୍ତ ଗମନ, ପବନ । ବହୁତ ସୁମନା-ଅନେକ ପୁଷ୍ପ, ଦେବତାମାନେ । ଉତ୍ଫୁଲ-ପ୍ରସ୍ଫୁଟିତ ।
୨ୟ ପଦ :- ବସନ୍ତ ସମୟ ଯେପରି କୋକିଳର କୁହୁରାବ ଓ ଦକ୍ଷିଣା ପବନରେ ମିଳିତ ହୋଇଥାଏ ଏବଂ ବହୁତ ଫୁଲ ସେହି ସମୟରେ ଫୁଟିଥାନ୍ତି, ସେହିପରି ଲକ୍ଷ୍ମଣ କୋକିଳ ତୁଲ୍ୟ ମଧୁର ବଚନ ଓ ଅବିଶ୍ରାନ୍ତ ଗମନରେ ନିଯୁକ୍ତ ହୋଇ ଦେବତାମାନଙ୍କୁ ଆନନ୍ଦିତ କରାଇଲେ । (ଅର୍ଥାତ୍ ତାଙ୍କର କଥାଶୁଣି, ଅବିଶ୍ରାନ୍ତ ଗତି ଦେଖି ଦେବତାମାନେ ଆନନ୍ଦିତ ହେଲେ) ।
୩ୟ ପଦ :- ଯାତ୍ରା-ବସନ୍ତୋତ୍ସବ (ଦୋଳଯାତ୍ରା) । ବନୌକା-ବାନରମାନେ । ରକ୍ଷେ-ରାକ୍ଷସମାନଙ୍କୁ । ଅବୀର-ବୀର୍ଯ୍ୟହୀନା । ଅବିର-ଫଗୁ ।
୩ୟ ପଦ ;- ବସନ୍ତକାଳରେ ଯେପରି ଦୋଳଯାତ୍ରା ଆରମ୍ଭ କରି ଫଗୁ ଖେଳନ୍ତି, ସେହିପରି ଲକ୍ଷ୍ମଣ ଦକ୍ଷିଣ ଦିଗରେ ଥିବା ଲଙ୍କାକୁ ଯୁଦ୍ଧ ଯାତ୍ରା ଆରମ୍ଭ କରିବେ ଏବଂ ବାନରମାନେ ରାକ୍ଷସଙ୍କୁ ଯୁଦ୍ଧରେ ଅବୀର ଦୁର୍ବଳ କରି ସେମାନଙ୍କ ସହିତ ଖେଳିବେ ଅର୍ଥାତ୍ ଅନାୟାସରେ ସେମାନଙ୍କୁ ଜୟ କରିବେ ।
୪ର୍ଥ ପଦ :- ପ୍ରବୃଦ୍ଧ ସରିତ-ବଢ଼ିଲା ନଈ । ରାମାନୁଜ-ଲକ୍ଷ୍ମଣ ।
୪ର୍ଥ ପଦ :- ନଦୀ ବୃଦ୍ଧି ହେଉଥିବା ସମୟରେ ଉଭୟ ପାର୍ଶ୍ୱରେ ଥିବା ବନ୍ଧରେ ଅଟକି ରହିଲା ପରି, ଲକ୍ଷ୍ମଣ ରାଜସିଂହଦ୍ୱାର ପର୍ଯ୍ୟନ୍ତ ଯାଇ ସେହିଠାରେ ବିଜେକଲେ, ଅର୍ଥାତ୍ ଅଟକି ରହିଲେ ।
୫ମ ପଦ :- ଶରାଳୀ-ପକ୍ଷୀବିଶେଷ, ସରସମୁହ । ଅପଘନ-ଦେହ ।
୫ମ ପଦ :- ବିଧାତାର ନିୟମାନୁସାରେ ବଢ଼ିଥିବା ନଦୀର ଗର୍ଭଦେଶ ନାନାପ୍ରକାର ପକ୍ଷୀମାନଙ୍କଦ୍ୱାରା ଯୁକ୍ତ ହୋଇ ଜଳପୂର୍ଣ୍ଣ ହୋଇଥିବାରୁ ଯେପରି ମନୋହର ଦେଖାଯାଏ, ସେହିପରି କ୍ଷତ୍ରିୟ ନିୟମାନୁସାରେ ଲକ୍ଷ୍ମଣଙ୍କର ଦେହ ବ୍ରହ୍ମାସ୍ତ୍ର ପ୍ରଭୃତି ବହୁବିଧ ଶରରେ ଯୁକ୍ତ ହୋଇ ଝାଳ ଜର୍ଜରିତ ହୋଇଥିବାରୁ ସୁନ୍ଦର ଦେଖା ଯାଉଥିଲା ।
ବସିଥିଲା ଦ୍ୱିବି ନାମରେ କପି ଦ୍ୱାରେ ।ବୋଇଲେ କହି ଲକ୍ଷ୍ମଣ ଆଗତ ରାଜାରେ। ୬ ।ବୃଷଣ ବିଦାରି ଚକ୍ଷୁ ଚାଳି ସେ ରଦନ ।ବିକୃତମୁଖ ଦେଖାଇ ଭାଷେ କେ ତୁ ପୁନ। ୭ ।ବୋଇଲେ କେତୁ ହୁଅନ୍ତୁ ଏ ଦେହରେ ନାହିଁ ।ବିଳମ୍ବ ନ କରି ତୁ ଲକ୍ଷ୍ମଣ ହୁଅ କହି। ୮ ।ବଳୀ ବଳି ଦେଖେ ସେ ପ୍ଳବଗଚନ୍ଦ୍ର ଶୋଭା ।ବ୍ୟୋମଦୋଳିରେ ଉଦୟ କୋଳେ ତାରା ପ୍ରଭା। ୯ ।ବେନି କର ଯୋଡ଼ି ଜଣାଇଲା ତତ୍କ୍ଷଣ ।ବିଜୟ ପୁରୁଷେ ଦ୍ୱାରେ ବୋଲନ୍ତି ଲକ୍ଷ୍ମଣ୧୦ ।
୬ଷ୍ଠ ପଦ :- ଏହି ସମୟରେ ଦ୍ୱିବିତ ନାମରେ ପରିଚିତ ଏକ ବାନର ସିଂହଦ୍ୱାରରେ ବସିଥିଲା । ଲକ୍ଷ୍ମଣ ତାକୁ କହିଲେ, ‘‘ତୋ ରାଜା ଆଗରେ କହ, ଲକ୍ଷ୍ମଣ ଆସି ଅଛନ୍ତି ।’’
୭ମ ପଦ :- ବୃଷଣ-ଅଣ୍ଡକୋଷ । ଉଦନ-ଦନ୍ତ । ବିକୃତମୁଖ-ବିକଟ ମୁଖ ।
୭ମ ପଦ :- ଏହା ଶୁଣି ସେହି ଦ୍ୱିବିଦ ବାନର ଅଣ୍ଡ କୋଷକୁ କୁଣ୍ଡାଇ ଆକ୍ଷି ବୁଲାଇ, ଦାନ୍ତ ରଗଡ଼ି ଭୟଙ୍କର ମୁଖକୁ ଦେଖାଇ କହିଲା, ‘‘ତୁ ପୁଣି କିଏ ?’’(ଏହାଦ୍ୱାରା ବାନର ସ୍ୱଭାବୋକ୍ତି ବର୍ଣ୍ଣନା କରାଗଲା) ।
୮ମ ପଦ :- ଦ୍ୱିବିଦ ‘କେତୁ’ ବୋଲି ଲକ୍ଷ୍ମଣଙ୍କୁ କହିବାରୁ ଲକ୍ଷ୍ମଣ ତାକୁ କହିଲେ, ତୁ ଏହିକ୍ଷଣି କେତୁ ରାକ୍ଷସ ପରି ଦୁଇଖଣ୍ଡ ହୁଅନ୍ତ; କିନ୍ତୁ ଏ ଦେହରେ ନାହିଁ, ଅର୍ଥାତ୍ ଏହା ଲକ୍ଷ୍ମଣ ଦେହ ଧାରଣ କରି ତେତେ ତାହା କରି ହେବ ନାହିଁ । ଦ୍ୱାପର ଯୁଗରେ ବଳରାମ ଦ୍ୱିବିଦକୁ ଭୈବତକ ପର୍ବତରେ ବଧ କରିବେ) । ଏଣୁ ବିଳମ୍ୱ ନ କରି ଲକ୍ଷ୍ମଣ ଆସିଛନ୍ତି ବୋଲି କହି ହୁଅ ଅର୍ଥାତ୍ ସମସ୍ତଙ୍କୁ କହ । ଅଥବା ରାଜାଙ୍କୁ କହି ମୋ ନିକଟରେ ଆସି ଉପସ୍ଥିତ ହୁଅ ।’’
୯ମ ପଦ :- ବଳି-ଅତିକ୍ରମ କରି । ପବଗଚନ୍ଦ୍ର-ବାନରପତି, ସୁଗ୍ରୀବ । ବ୍ୟୋମ-ଆକାଶ । ବ୍ୟୋମଦୋଳାରେ-ଆକାଶରେ ଝୁଲୁଥିବା ଦୋଳିରେ ।
୯ମ ପଦ :- ସେହି ବଳଶାଳୀ ଦ୍ୱିବିଦ ସିଂହଦ୍ୱାରକୁ ଅତିକ୍ରମ କରି ଦେଖିଲା, ଚନ୍ଦ୍ର ଯେପରି ଆକାଶରେ ଉଦୟ ହୋଇ ନିକଟରେ ଥିବା ନକ୍ଷତ୍ରମାନଙ୍କ କାନ୍ତିଦ୍ୱାରା ଶୋଭା ପାଉଥାନ୍ତି, ବାନରଚନ୍ଦ୍ର ସୁଗ୍ରୀବ ଆକାଶରେ ଝୁଲୁଥିବା ଦୋଳିରେ ପ୍ରକାଶିତ ହୋଇ ଅର୍ଥାତ୍ ବସି କୋଳରେ ବସିଥିବା ତାରାର(ବାଳି ସ୍ତ୍ରୀ) କାନ୍ତିଦ୍ୱାରା ସେହିପରି ଶୋଭା ପାଉଛନ୍ତି ।
୧୦ମ ପଦ :- ସେହି ସମୟରେ ଦ୍ୱିବିଦ ଦୁଇହାତକୁ ଯୋଡ଼ି ଜଣାଇଲା, ‘‘ହେ ଦେବ ! ସିଂହଦ୍ୱାରରେ ଲକ୍ଷ୍ମଣ ନାମକ ଜଣେ ପୁରୁଷ ବିଜେ କରିଛନ୍ତି ।’’
ବିଚିତ୍ର ମଣି ଭଣିଲା ଶଶିରୁ ଖସିଲ ।ବହି ନରତନୁ କିମ୍ପା ଏଠାକୁ ଆସିଲା ?।୧୧।ବତିଶ ସଂଖ୍ୟା ସେ ଦେହେଁ ସହଜେ ମହତ୍ତ ।ବୋଲ ଯା କେଉଁ ଲକ୍ଷଣ ଆସି କି ନିମିତ୍ତ ?।୧୨ ।ବାହୁଡ଼ି ଦ୍ୱାସ୍ଥ ପୁଚ୍ଛନ୍ତେ ବୋଲଇ ସେ ବୀର ।ବୋଲ ସେ ରାମଅନୁଜ ଯେ ଶିରୀଦ ତୋର। ୧୩ ।ବାନର ଯାଉଁ ପାଞ୍ଚିଲେ ନ କହୁ ଏ ଭାଷ ।ବାତାୟୁ ରାମ ତା ଅନୁଯାୟୀ ସିନା ଶଶ ।। ୧୪ ।
୧୧ଶ ଓ ୧୨ଶ ପଦ :- ସୁଗ୍ରୀବ ଏହି କଥା ଶୁଣି ଆଶ୍ଚର୍ଯ୍ୟ ହୋଇ କହିଲା, ‘‘ଲକ୍ଷ୍ମଣ ଚନ୍ଦ୍ରଠାରେ ଥାଏ, ସେ କଣ ଚନ୍ଦ୍ରଠାରୁ ଖସି ପଡ଼ିଲା ? ଯଦିବା ଖସିପଡ଼ିଲା, ତାହାହେଲେ ମନୁଷ୍ୟ ଦେହ ଧରି ଏଠାକୁ ଆସିଲା କାହିଁକି ?’’ ପୁନର୍ବାର କହିଲା, ‘‘ବତିଶଗୋଟି ଲକ୍ଷଣ ଦେହରେ ଦେଖାଯାଏ । ସେ ତ ସ୍ୱଭାବତଃ ବଡ଼ଲୋକଙ୍କଠାରେ ଥାଏ ଯାଅ-ପଚାର ଏ କେଉଁ ଲକ୍ଷ୍ମଣ କି ନିମିତ୍ତ ଏଠାକୁ ଆସିଅଛ ?’’
୧୩ଶ ପଦ :- ରାମଅନୁଜ-ରାମଚନ୍ଦ୍ରଙ୍କର ସାନଭାଇ(ଲକ୍ଷ୍ମଣ) । ଶିରୀଦ-ସମ୍ପଦଦାତା । ଦ୍ୱାସ୍ଥ-ଦ୍ୱାରୀ ।
୧୩ଶ ପଦ :- ଦ୍ୱାରୀ ଦ୍ୱିବିଦ ବାହୁଡ଼ି ଆସି ପଚାରନ୍ତେ, ଲକ୍ଷ୍ମଣ କହିଲେ, ‘‘ଯା କହିବୁ, ଯେ ତୋତେ ଏହି ରାଜସମ୍ପଦ ଦେଇଅଛନ୍ତି, ସେହି ରାମଙ୍କ ସାନଭାଇ ଲକ୍ଷ୍ମଣ ଆସିଅଛନ୍ତି ।’’
୧୪ଶ ପଦ :- ବାତାୟୁ-ମୃଗ । ଅନୁଯାୟୀ-ସାନଭାଇ ।
୧୪ଶ ପଦ :- ଦ୍ୱିବିଦ ବାନର ଯିବାପରେ ଲକ୍ଷ୍ମଣ ଭାବିଲେ ମୃଗର ସାନ ଭାଇ ଶଶା ଆସିଛି’ ଏହି କଥା ଯାଇ ନ କହୁ । ଅର୍ଥାତ୍ ଯାହାର ‘ଲକ୍ଷ୍ମଣ’ ଶବ୍ଦରେ ଭ୍ରମ ଦେଖାଯାଉଅଛି, ତାର ରାମ ଶବ୍ଦରେ ମୃଗ ଭ୍ରମ ବା ନ ହେବ କାହିଁକି ?’
ବିନୋଦୀ ହସ୍ତରୁ ପୋଷା ମର୍କଟ ଫିଟଇ ।ବିକୃତିମୁଖ ଦେଖାଇ ଗୁଣ ନ ମାନଇ।୧୫ ।ବଳିମୁଖ ସିନା ଏହି ସେ ବୁଦ୍ଧି ରଚିତ ।ବାଳିନାଶାସ୍ତ୍ର ଧନୁରେ ଯୋଚି ତିଆରିତ।୧୬ ।ବସିବା ଦୋଳିସ୍ତମ୍ଭକୁ ଭେଦି ଦିଅ ତ୍ରାସ ।ବୋଲୁଛି ସୁଗ୍ରୀବେ ଏ ସମୟେ ତାରା ଭାଷ।୧୭ ।ବିଭ୍ରମ ହେଲ କିପାଇଁ ରଘୁତ୍ତମଭ୍ରାତେବଦାନ୍ୟ ସେ ସମ୍ପଦେ ସେହି ମଦମତ୍ତେ।୧୮ ।ବାଜେ ଆସି ସ୍ତମ୍ଭେ ଶର ପଡ଼େ କି ନିର୍ଘାତ ।ବାଣ ତେଜଘାତେ ରବିସୁତ ମୂରୁଛିତ।୧୯ ।୧୫ଶ ପଦ :- ବଳିମୁଖ-ମର୍କଟ ।
୧୫ଶ ଓ ୧୬ଶ ପଦ :- ‘ଖେଳାଳି ହାତରୁ ତାର ପୋଷା ମାଙ୍କଡ଼ଟି ଫିଟି ଚାଲିଗଲେ, ସେହି ଖେଳାଳିର ପୋଷିଥିବା ଗୁଣକୁ ନ ମାନି ତାକୁ ବିକୃତ ମୁଖ ଦେଖାଯାଏ । ଏହି ସୁଗ୍ରୀବ ସେହିପରି ବୁଦ୍ଧି ଓ ଚରିତ ଦେଖାଉଛି । ଯେହେତୁ ଏ ମଧ୍ୟ ସେହିପରି ଗୋଟାଏ ମାଙ୍କଡ଼ ।’ ଏହିପରି ବିଚାର ଲକ୍ଷ୍ମଣ ବାଳିମରା ଶରକୁ ଧନୁରେ ଯୋଚି କହିଲେ;-
୧୭ଶ ଓ ୧୮ଶ ପଦ :- ‘‘ହେ ଶର, ତୁ ସୁଗ୍ରୀବ ବସିଥିବା ଦୋଳିର ସ୍ତମ୍ଭକୁ ଭାଙ୍ଗି ତାକୁ ଭୟ ଦେଖା ।’’ ଏହି ସମୟରେ ତାରା ସୁଗ୍ରୀବକୁ କହିଲା, ‘‘ହେ ନାଥ ! ତୁମ୍ଭେ ରଘୁକୁଳ ଶ୍ରେଷ୍ଠ ରାମଙ୍କର ଭାଇ ଲକ୍ଷ୍ମଣଙ୍କୁ କାହିଁକି ଭୁଲି ଯାଉଛ? ସେହି ରାମ ତୁମ୍ଭଙ୍କୁ ଏ ସମ୍ପତ୍ତି ଦାନ କରି ଅଛନ୍ତି ପରା ! ତୁମ୍ଭେ ସେହି ସମ୍ପତ୍ତିରେ ଏବେ ଭୋଳ ହେଉଅଛ ।’’
୧୯ଶ ପଦ :- ରବିସୁତ-ସୁଗ୍ରୀବ ।
୧୯ଶ ପଦ :- ତାରା ଏହିପରି କହୁଥିବା ସମୟରେ ଶର ଆସି ବଜ୍ର ପଡ଼ିଲା ପରି ଦୋଳି ସ୍ତମ୍ଭରେ ପଡ଼ିଲା । ସେହି ଶରର ତେଜ ସୁଗ୍ରୀବ ଦେହରେ ପଡ଼ିବାରୁ ସେ ମୂର୍ଚ୍ଛିତ ହେଲା ।
ବାସାନ୍ତରେ ଥିଲେ ଶାଖାମୃଗ ମନ୍ତ୍ରୀ ପାଞ୍ଚ ।ବଜ୍ର ଇନ୍ଦ୍ର ବାଳିଛଳେ ମାଇଲା ଏ ପାଞ୍ଚ ।। ୨୦ ।ବଧ ପ୍ରାଣ ଯେବେ କରିଥିବ ସୁଗ୍ରୀବଙ୍କୁ ।ବୁଡ଼ାଇବା ତା ସମ୍ପଦ କହି ରାଘବଙ୍କୁ। ୨୧ ।ବୋଲେ କେ କହିବାଯାଏ ରାଘବଙ୍କୁ କାହିଁ ।ବାରି ସିଞ୍ଚି କର୍ଣ୍ଣ ଫୁଙ୍କେ ତାରା ମହାଦେଈ। ୨୨ ।ବସେ ଝାମ ଯାଇ ପିତ୍ତରୋଗୀ ପ୍ରାୟ ଛନ୍ନ ।ବୁଝିଲେ ସମସ୍ତ କଥା ଉପାୟ ବିହୀନ। ୨୩ ।ବନ୍ଦାପନାସ୍ଥଳୀ ଘେନି ବାହାରିଲେ ରାଣୀ ।ବାଡ଼ାନ୍ତରେ ମନ୍ତ୍ରୀ ଘେନି କପି ଚୂଡ଼ାମଣି। ୨୪ ।ବାଳିକା ଜାଙ୍ଗଳୀ ସ୍ତନ ପେଟୀ ବିଶାରଦ ।ବନ୍ଦାଣ ତଣ୍ଡୁଳ ଧୂଳି ତନୁଗନ୍ଧ ଗଦ। ୨୫ ।ବିନୟ ପଦହିଁ ରାଗଯୋଗରେ ଉକତ ।ବଶୀକୃତ ପୁନ୍ନାଗକୁ ବିହିତ ସ୍ଥକିତ। ୨୬ ।୨୦ଶ ପଦ :- ବାସାନ୍ତରେ-ଅନ୍ୟଗୃହରେ । ଶାଖାମୃଗମନ୍ତ୍ରୀ-ମର୍କଟ ମନ୍ତ୍ରୀ । ପାଞ୍ଚ-ବିଚାର ।
୨୦ଶ ପଦ :- ଏହି ସମୟରେ ଅନ୍ୟ ଘରେ ଥିବା ପାଞ୍ଚଜଣ ବାନର ମନ୍ତ୍ରୀ ମନେକଲେ, ସୁଗ୍ରୀବ ବାଳିକୁ ମରାଇଥିବାରୁ ଇନ୍ଦ୍ର ସେହି ରାଗରେ ବଜ୍ର ମାଇଲା କି ?
୨୧ଶ ପଦ :- ଯେବେ ଇନ୍ଦ୍ର ସୁଗ୍ରୀବଙ୍କ ପ୍ରାଣ ନାଶ କରିଥିବ, ତେବେ ରାମଚନ୍ଦ୍ରଙ୍କୁ କହି ତା ସମ୍ପତ୍ତିକୁ ବୁଡ଼ାଇବା ।
୨୨ଶ ଓ ୨୩ଶ ପଦ :- ସେମାନଙ୍କ ମଧ୍ୟରୁ ଜଣେ କହିଲା, ‘‘ରାମଚନ୍ଦ୍ରଙ୍କୁ କହିବାକୁ ଆଉ ସମୟ ନାହିଁ । ମହାଦେଈ ତାରା ପାଣି ସିଞ୍ଚି କାନ ଫୁଙ୍କିବାରୁ ସେ ବସି ପୁନର୍ବାର ପିତ୍ତରୋଗୀ ପରି ଶୀଘ୍ର ମୂର୍ଚ୍ଛା ଯାଇଅଛନ୍ତି ।’’ ମନ୍ତ୍ରୀମାନେ ଏହି ସମସ୍ତ କଥା ବୁଝି ଅର୍ଥାତ୍ଲକ୍ଷ୍ମଣଙ୍କ ଦ୍ୱାରା ଏହା ହୋଇଛି ଜାଣି ନିରୂପାୟ ହେଲେ ।
୨୪ଶ ପଦ :- ତତ୍ପରରେ ରାଣୀ ତାରା ବନ୍ଦାପନା ଥାଳୀ ଘେନି ଲକ୍ଷ୍ମଣଙ୍କୁ ବୋଧିବା ପାଇଁ ବାହାରିଲେ । ସୁଗ୍ରୀବ ମନ୍ତ୍ରୀମାନଙ୍କୁ ଘେନି ବାଡ଼ର ଅନ୍ତରାଳରେ ଲୁଚିଲେ ।
୨୫ଶ ପଦ :- ବିଶାରଦ-ଚତୁର । ଜାଙ୍କଳୀ-ବିଷବୈଦ୍ୟ, (ସାପୁଆ କେଳା) ।୨୬ଶ ପଦ :- ପୁନ୍ନାଗ-ପୁରୁଷଶ୍ରେଷ୍ଠ, ପୁରୁଷ ନାଗସର୍ପ ।
୨୫ଶ ଓ ୨୬ଶ ପଦ :- ଚତୁର ବିଶବୈଦ୍ୟ ବା ସାପୁଆ କେଳା ଯେପରି ପେଡ଼ା ଦେଖାଇ ମନ୍ତ୍ରଧୂଳି ପକାଇ ଗଦ ସୁଙ୍ଘାଇ ଅତି ମଧୂର ସ୍ୱରରେ ପଦ୍ମତୋଳା ଗାନ କରି ଅଥବା ଆନନ୍ଦରେ ‘ପଦ’ ମନ୍ତ୍ରପଢ଼ି ପୁରୁଷ ନାଗସର୍ପକୁ ବଶୀଭୂତ କରି ବନ୍ଦୀକରେ, ସେହିପରି ଚତୁରୀ ଯୁବତୀ ତାରା ବିଷବୈଦ୍ୟା ସାଜି ସ୍ତନକୁ ପେଡ଼ି, ବନ୍ଦାଣ ତଣ୍ଡୁଳକୁ ମନ୍ତ୍ରଧୂଳି, ଦେହରେ ସୁଗନ୍ଧକୁ ଗଦ ଓ ମଧୁର କଣ୍ଠରେ କହୁଥିବା ସବିନୟ କଥାଗୁଡ଼ିକୁ ପଦ୍ମତୋଳା ବା ମନ୍ତ୍ର ପଦ ପରି ପ୍ରକାଶ କରି ପୁରୁଷଶ୍ରେଷ୍ଠ ବା କ୍ରୋଧାନିତ୍ୱ ଲକ୍ଷ୍ମଣଙ୍କୁ ବଶୀଭୂତ କରି ସେହି ସ୍ଥାନରେ ବସାଇଲା ।
ବାନରଈଶ ସମନ୍ତ୍ରୀ କରି ଭେଟାଇଲା ।ବଚନ ରଚନ ତାଙ୍କ ଏମନ୍ତେ ହୋଇଲା। ୨୭ ।ବତ୍ସେ ଭକ୍ତ ପାଦଘାତେ ବିହିଲେ ମାଧବ ।ବତ୍ସଳେ ସହିଲେ ଏତେ ବୋଇଲେ ସୁଗ୍ରୀବ। ୨୮ ।ବୋଇଲେ ମନ୍ତ୍ରୀଏ ପ୍ରହ୍ଲାଦକୁ ଇନ୍ଦ୍ର କଲେ ।ବିଭୂତିମଦେ ସେ ନ ଚିହ୍ନିଲା କି କୋପିଲେ। ୨୯ ।ବାହୁଳେ ଘୃତ ଢାଳିଲେ ଯଥା ତେଜରାତି ।ବିହିଲେ ଦୁଗ୍ଧ ଆହୁତି ତଥା ଶାନ୍ତି ଭଜି। ୩୦ ।
୨୭ଶ ପଦ :- ତତ୍ପରେ ତାରା ମନ୍ତ୍ରୀମାନଙ୍କ ସହ ବାନର ରାଜା ସୁଗ୍ରୀବଙ୍କୁ ଲକ୍ଷ୍ମଣ ଛାମୁରେ ଭେଟ କରାଇଲା । ସେମାନେ ଏହିପରି ଲକ୍ଷ୍ମଣଙ୍କୁ ସ୍ତୁତି କଲେ ।
୨୮ଶ ପଦ :- ମାଧବ -ବିଷ୍ଣୁ । ବତ୍ସଳେ - ଛାତିରେ ।
୨୮ଶ ପଦ :- ସୁଗ୍ରୀବ କହିଲେ, ‘‘ଭକ୍ତ ଭୃଗୁଋଷି ବା ଶ୍ରବତ୍ସ ବିଷ୍ଣଙ୍କ ବକ୍ଷସ୍ଥଳରେ ପଦାଘାତ କରିଥିଲେ । ତାଙ୍କର ଏଡ଼େ ଅପରାଧ ସେହି ବିଷ୍ଣୁ ସ୍ନେହ ଭାବରେ ସହ୍ୟ କରିଥିଲେ । (ପ୍ରଭୁମାନେ ଭକ୍ତବତ୍ସଳ ହେବା ଉଚିତ ଏଣୁ ମୋ ପ୍ରତି ଆପଣ ସଦୟ ହୁଅନ୍ତୁ ) ।’’
୨୯ଶ ପଦ :- ମନ୍ତ୍ରୀମାନେ କହିଲେ, ‘‘ ଭଗବାନ ପ୍ରହ୍ମାଦକୁ ସ୍ୱର୍ଗରେ ଇନ୍ଦ୍ର କରିଥିଲେ, ସେ ମଧ୍ୟ ସମ୍ପତ୍ତି ଗର୍ବରେ ଉନ୍ନତ୍ତ ହୋଇ ଭଗବାନଙ୍କୁ ଚିହ୍ନି ପାରି ନ ଥିଲା । ଏଥିପାଇଁ ସେ କଣ ତା ପ୍ରତି କ୍ରୁଦ୍ଧ ହୋଇଥିଲେ କି ? (ଅତଏବ ସୁଗ୍ରୀବ ପ୍ରତି ଆପଣଙ୍କର କ୍ରୋଧ କରିବା ଉଚିତ ନୁହେଁ) ।’’
୩୦ଶ ପଦ :- ଅଗ୍ନିରେ ଘିଅ ଢାଳିଲେ ସେ ତେଜ ସମୂହକୁ ପ୍ରକାଶ କରନ୍ତି ଏବଂ ଦୁଧ ଢାଳିଲେ ଶାନ୍ତି ହୁଅନ୍ତି । ସେହିପରି ଦ୍ୱାରା ଦ୍ୱିବିକର କଥାରେ କ୍ରୁଦ୍ଧ ହୋଇଥିବା ଲକ୍ଷ୍ମଣ ସୁଗ୍ରୀବ ଓ ମନ୍ତ୍ରୀମାନଙ୍କର ବିନୟ ବାକ୍ୟରେ ଶାନ୍ତି ହୋଇଥିଲେ ।
ବିଜେ କର ପୁରେ ବୋଲୁଁ ବସି ତରୁତଳ ।ବିଧାନ ଲଙ୍କାକୁ ସୁଗ୍ରୀବଙ୍କ ଅନୁକୂଳ ।। ୩୧ ।ବ୍ୟଥିତ ରାମର ସୈନ୍ୟ ଆଣି ଗଲା ଚାରେ ।ବଞ୍ଚନ୍ତି ଯେ ନିଶିଥିନୀ କଥା ପରସ୍ପରେ। ୩୨ ।ବୋଲାଇତ କ୍ଷଣଦା ସେ କ୍ଷଣ ପ୍ରାୟେ ଗଲା ।ବାସର ପ୍ରସରୁଁ ଦ୍ୱିଜ ଆନନ୍ଦ ବଢ଼଼ିଲା। ୩୩ ।ବିଶୁଦ୍ଧକର୍ମ ଉଦୟେ ସ(ଲି)ଲୀଳେ ଗମନ ।ବିନାଶିଲା ତମ (ଦୀ) ଦିନବନ୍ଧୁ ଦରଶନ। ୩୪ ।ବଳ ଘେନି ଏ ସମୟେ ଅଙ୍ଗଦ ପ୍ରବେଶ ।ବ୍ରହ୍ମାଣ୍ଡ ପୂରିତ ହେଲା କିଳିକିଳାଘୋଷ।୩୫।
୩୧ଶ ପଦ :- ‘ନବରକୁ ବିଜେ କରନ୍ତୁ, ବୋଲି ସୁଗ୍ରୀବ ଲକ୍ଷ୍ମଣଙ୍କୁ କହିବାରୁ ସେ ନ ଯାଇ ଗୋଟିଏ ଗଛ ମୁଳରେ ବସିଲେ । ସୁଗ୍ରୀବ ପ୍ରଭୁତି ବାନରମାନେ ଯଥାବିଧାନରେ ଲଙ୍କାକୁ ଯିବାପାଇଁ ଅନୁକୁଳ କଲେ ।
୩୨ଶ ପଦ :- ‘ରାମଚନ୍ଦ୍ର ଦୁଃଖିତ ହେଉଛନ୍ତି’ ଏହି କଥା ଲକ୍ଷ୍ମଣ କହିବାରୁ ସୁଗ୍ରୀବ କହିଲେ, ସୈନ୍ୟ ଦୂତ ଆଣିବାକୁ ଗଲା ।’’ ସେ ଦୁହେଁ ନିଜ ନିଜ ମଧ୍ୟରେ ଏହି ପରି କଥାବାର୍ତ୍ତା କରି ରାତ୍ରି ଅତିବାହିତ କଲେ ।
୩୩ଶ ପଦ :- କ୍ଷଣଦା - ରାତ୍ରି । ବାସର- ଦିନ । ଦ୍ୱିଜ -ପକ୍ଷୀ, ବ୍ରାହ୍ମଣ ।
୩୩ଶ ପଦ :- ଏହିପରି କଥାବାର୍ତ୍ତା କରୁ କରୁ ରାତ୍ରି ଏକ ମୁହୁର୍ତ୍ତ ପରି ଚାଲିଗଲା । ତେଣୁ ସେହିଦିନଠାରୁ ରାତ୍ରି କ୍ଷଣଦା ନାମକୁ ଧାରଣ କଲା । ଦିନ ହେବାରୁ ବ୍ରାହ୍ମଣ ବା ପକ୍ଷୀମାନଙ୍କର ଆନନ୍ଦ ବଢ଼ିଲା ।
୩୪ଶ ପଦ :- ସଲୀଳେ - କ୍ରୀଡ଼ା ପ୍ରକାଶପୂର୍ବକ । ଦିନବନ୍ଧୁ- ସୂର୍ଯ୍ୟ । ତମ- ଅନ୍ଧକାର । ସଲିଳେ - ଜଳରେ । ଦୀନବନ୍ଧୁ- ଭଗବାନ୍ । ତମ - ଅଜ୍ଞାନତା ।
୩୪ଶ ପଦ :- ସୂର୍ଯ୍ୟ ଉଦୟ ହେବା ସମୟରେ ‘ବିଶୁଦ୍ଧ କର୍ମ’ ସନ୍ଧ୍ୟା ବନ୍ଦନାଦି କରିବା ନିମିତ୍ତ ବ୍ରାହ୍ମଣମାନେ ଜଳ ମଧ୍ୟକୁ ପ୍ରବେଶ କଲେ ଅର୍ଥାତ୍ ସ୍ନାନ କରିବାକୁ ଲାଗିଲେ (ସୂର୍ଯ୍ୟଙ୍କର ଅର୍ଦ୍ଧୋଦୟ ସମୟରେ ସନ୍ଧ୍ୟା କରାଯାଏ ) । ପକ୍ଷୀମାନେ ‘ବିଶୁଦ୍ଧ କର୍ମ’ ଭକ୍ଷଣାଦି କାର୍ଯ୍ୟ କରିବା ନିମିତ୍ତ କ୍ରୀଡ଼ା ପ୍ରକାଶପୂର୍ବକ ଗମନ କଲେ, ଅର୍ଥାତ୍ ଖାଦ୍ୟ ଖୋଜିବାପାଇଁ ଚାରିଆଡ଼େ ଆନନ୍ଦରେ ଡେଇଁ ଡେଇଁ ବୁଲିଲେ । ସୂର୍ଯ୍ୟ ଦେଖା ଦେଇ ଅର୍ଥାତ୍ ଉଦୟ ହୋଇ ଅନ୍ଧାରକୁ ନାଶ କଲେ । ଅଥବା ବ୍ରାହ୍ମଣମାନେ ସ୍ନାନ ପରେ ସୂର୍ଯ୍ୟଙ୍କୁ ବା ‘ଦୀନବନ୍ଧୁ’ ବିଷ୍ଣୁଙ୍କୁ ଦେଖିବାରୁ ସେମାନଙ୍କର ଅଜ୍ଞାନ ବା ଦୁଃଖ ବିନାଶ ହେଲା । (ଅସାବାଦିତ୍ୟୋ ବ୍ରହ୍ମ ଅର୍ଥାତ୍ ଏହି ସୂର୍ଯ୍ୟ ‘ବ୍ରହ୍ମ’ ପରମାତ୍ମା, ଏଣୁ ସୂର୍ଯ୍ୟ ଦର୍ଶନ ଅଜ୍ଞାନକୁ ଓ ବିଷ୍ଣୁ ଦୁଃଖର ବନ୍ଧୁ ଯୋଗୁଁ ଦୁଃଖକୁ ନାଶ କଲେ ) ।
୩୫ଶ ପଦ :- ଏହି ସମୟରେ ଅଙ୍ଗଦ ସୈନ୍ୟମାନଙ୍କୁ ଘେନି ସେଠାରେ ପ୍ରବେଶ ହେଲା । ସେହି ସୈନ୍ୟମାନଙ୍କର କିଳିକିଳା ଶବ୍ଦରେ ବ୍ରହ୍ମାଣ୍ଡ ପୂରିଗଲା ।
ବୋଲି ଶ୍ରୀଜଗନ୍ନଙ୍ଗଳ ସୁଗ୍ରୀବ ଲକ୍ଷ୍ମଣ ।ବାହାରିଲେ ସଙ୍ଗ କରି ସେନାପତିଗଣ। ୩୬ ।ବସୁଧାଭୄତରେ ଥାଇ ଭାଳେ ଦାଶରଥି ।ବାହୁଡ଼ି ତ ନ ଆସିଲା ସୌମିତ୍ରେୟ ଏଥି। ୩୭ ।ବୈଦ୍ୟ ସେହି ରୋଗୀ ମୁହିଁ ତାହା ଉପଚାରେ ।ବ୍ୟବହାର କରି ରହିଥିଲି ଜୀବନରେ। ୩୮ ।ବ୍ୟାଧି ଅସାଧ୍ୟ ଜାଣି କି ନ ଆସେ ସନ୍ନିଧି?ବିନାଶ ହୋଇବା କଥା ମୋର ହେଲା ସିଦ୍ଧି। ୩୯ ।ବାଣୀ ଶୁଭିଲା ଏ କାଳେ ଧାମ ରହ ଗମ ।ବିଷୟ କି ଭାଳି ଅନାଇ ରଘୁତ୍ତମ।୪୦ ।
୩୬ଶ ପଦ :- ତତ୍ପରେ ସୁଗ୍ରୀବ ଓ ଲକ୍ଷ୍ମଣ ଶ୍ରୀଜଗନ୍ମଙ୍ଗଳ (ଶ୍ରୀ ସୀତା, ଜଗନ୍ମଙ୍ଗଳ ଜଗତର ମଙ୍ଗଳକର୍ତ୍ତା) ରାମ ସୀତାରାମ ବୋଲି ସେନାପତିମାନଙ୍କ ସହ ରାମଙ୍କ ନିକଟକୁ ବାହାରିଲେ ।
୩୭ଶ ପଦ :- ବସୁଧାଭୃତ - ପର୍ବତ (ମାଲ୍ୟବାନ) । ସୌମତ୍ରେୟ - ଲକ୍ଷ୍ମଣ ।୩୭ଶ ପଦ :- ତେଣେ ରାମଚନ୍ଦ୍ର ମାଲ୍ୟବାନ୍ତ ପର୍ବତରେ ଥାଇ ଭାବୁଛନ୍ତି, ‘‘ଲକ୍ଷ୍ମଣ କାହିଁକି ଏଠାକୁ ଏପର୍ଯ୍ୟନ୍ତ ଫେରିଲା ନାହିଁ ।୩୮ଶ ପଦ :- ଉପଚାର - ଚିକିତ୍ସା । ବ୍ୟବହାର - କାର୍ଯ୍ୟ ।୩୯ଶ ପଦ :- ସନ୍ନିଧି - ନିକଟ । ସିଦ୍ଧି - ନିଶ୍ଚିତରୂପେ, ସ୍ଥିର ।
୩୮ଶ ଓ ୩୯ଶ ପଦ :- ‘‘ସେ ବୈଦ୍ୟ, ମୁଁ ରୋଗୀ । ତାହାର ଚିକିତ୍ସାନୁସାରେ କାର୍ଯ୍ୟ କରି ମୁଁ ପ୍ରାଣରେ ବଞ୍ଚି ରହିଥିଲି । ବର୍ତ୍ତମାନ ମୋର ରୋଗ ଅସାଧ୍ୟ ଜାଣିପାରି ସେ ମୋ ନିକଟକୁ ଆସୁନାହିଁ କି ? ତାହା ହେଲେ ମୋର ମରିବା କଥା ନିଶ୍ଚିନ୍ତ ଅର୍ଥାତ୍ ଲକ୍ଷ୍ମଣ ନ ଆସିଲେ ମୁଁ ନିଶ୍ଚୟ ମରିବି ।’’
୪୦ ଶ ପଦ :- ଏହି ସମୟରେ ‘ଦୌଡ଼ନାହିଁ’ ଧୀରସ୍ଥିର ହୋଇ ଚାଲ’ ଏହି କଥା ଶୁଣାଯିବାରୁ ‘ଏହା କି ଶବ୍ଦ ବୋଲି ଭାବି ରାମଚନ୍ଦ୍ର ଚାରିଆଡ଼େ ଚାହିଁବାକୁ ଲାଗିଲେ ।
ବନ ଗିରି ବ୍ୟାପି ଆସେ ଅଲେଖ ପ୍ଲବଗ ।ବାରୁଣୀ ସନ୍ଧ୍ୟା ଅରୁଣୀ ପ୍ରାୟ କେଉଁ ମାର୍ଗ ।। ୪୧ ।ବ୍ୟାପିଲା ପରି କେ ଦିଗେ ଧୂମ ପାଣ୍ଡୁରତା ।ବିଧୂକର ନବୋଦୟେ ଆସିବା ଶୋଭିତା ।। ୪୨ ।ବିଦିତ କେଉଁ ଦିଗରେ କୁଜ୍ଝଟିକା ପରା ।ବହେ କେଉଁ ପଥର କି ହରିତାଳଧାରା ?। ୪୩ ।ବିଷବୈଦ୍ୟ ପରା ଶୋଭା ଅଛନ୍ତି ସେ ପାଇ ।ବିଳେଶୟ ଲଙ୍ଗୁଳକୁ ଆଣନ୍ତି ଖେଳାଇ ।। ୪୪ ।ବୀଚିଏ ବୀଚିଏ କି ନଦୀର ଆଳୀ ଆଳୀ ।ବକ୍ର ନୀଳାବଜ କୈରବ କୋକନଦ ଝଳି ।। ୪୫ ।୪୧ଶ ପଦ :- ଅଲେଖ - ଅଗଣିତ । ପ୍ଳବଗ - ବାନର । ଅରୁଣୀ - ଲୋହିତବର୍ଣ୍ଣ । ବାରୁଣୀସନ୍ଧ୍ୟା - ସନ୍ଧ୍ୟାକାଳୀନ ପଶ୍ଚିମାକାଶ ।
୪୧ଶ ପଦ :- ରାମଚନ୍ଦ୍ର ଦେଖିଲେ, ଅସଂଖ୍ୟ ବାନର ବନଗିରି ପୂର୍ଣ୍ଣକରି ଆସୁଅଛନ୍ତି । ସେମାନଙ୍କର ଆସିବା ବାଟମାନଙ୍କ ମଧ୍ୟରୁ କେଉଁ ବାଟ ସନ୍ଧ୍ୟାକାଳୀନ ପଶ୍ଚିମାକାଶପରି ଲୋହିତ ବର୍ଣ୍ଣ ଦେଖାଯାଉଛି ।
୪୨ଶ ପଦ :- ବିଧୂକର - ଚନ୍ଦ୍ର କିରଣ ।
୪୨ଶ ପଦ :- କେଉଁ ଦିଗ ଧୂମ୍ରବର୍ଣ୍ଣ ଓ ପାଣ୍ଡୁର ବର୍ଣ୍ଣ ଦ୍ୱାରା ଆଚ୍ଛାଦିତ ହେଲା ପରି ଦେଖାଗଲା । ଚନ୍ଦ୍ର ନୂତନ ହୋଇ ଉଦୟ ହେଉଥିବା ସମୟରେ ଦିଗମାନେ ଯେଉଁପରି ଶୋଭାକୁ ଧାରଣ କରନ୍ତି, ବାନରମାନେ ଆସୁଥିବା ଯୋଗୁଁ କେଉଁ ଦିଗମଧ୍ୟ ସେହିପରି ଶୋଭାକୁ ଧାରଣ କଲା ।
୪୩ଶ ପଦ :- କୁଜ୍ଝଟିକା- କୁହୁଡ଼ି ।
୪୩ଶ ପଦ :- କେଉଁ ଦିଗ କୁହୁଡ଼ିରେ ବ୍ୟାପ୍ତ ହେଲାପରି ଜଣାଗଲା । କେଉଁ ରାସ୍ତାରେ ହରିତାଳ ସ୍ରୋତ ବହିଯାଉ ଥିବା ପରି ମନେହେଲା । (ଅତଏବ ଏଥିରୁ ଜଣାଗଲା ଯେ, ସୁଗ୍ରୀବ ରକ୍ତବର୍ଣ୍ଣ, ଧୂମ୍ରବର୍ଣ୍ଣ, ପାଣ୍ଡୁବର୍ଣ୍ଣ, ଶୁକ୍ଲବର୍ଣ୍ଣ, କୁହୁଡ଼ିବର୍ଣ୍ଣ ଓ ହଳଦିଆ ବର୍ଣ୍ଣର ବାନରମାନଙ୍କସହ ଆଗମନ କରିଥିଲେ ।)
୪୪ଶ ପଦ :- ବିଷବୈଦ୍ୟ- ସାପୁଆକେଳା । ବିଳେଶୟ - ସର୍ପ ।୪୪ଶ ପଦ :- ସେହି ବାନରମାନେ ଲାଙ୍ଗୁଳରୂପ ସାପକୁ ଖେଳାଇବା ପାଇଁ ସାପୁଆକେଳାପରି ଆସୁଥିବାର ଦେଖା ଯାଉଥିଲେ ।
୪୫ ଶ ପଦ :- ବୀଚିଏ ବୀଚିଏ - ଲହରୀ ପରେ ଲହରୀ । ଆଳୀ ଆଳୀ - ଧାଡ଼ି ଧାଡ଼ି । ବକ୍ତ୍ରଂ -ମୁଖ । ନୀଳାବ୍ଜ - ନୀଳପଦ୍ମ । କୈରବ - କୁମୁଦ ବା ଶ୍ୱେତକଇଁ । କୋଳନଦ - ରକ୍ତ ପଦ୍ମ ।
୪୫ଶ ପଦ :- ନୀଳକଇଁ, ଧଳାକଇଁ ଓ ରକ୍ତକଇଁଫୁଲ ପରି ମୁଖ ସବୁ ଦେଖାଇ ଦଳ ଦଳ ହୋଇ ମାଡ଼ି ଆସୁଥିବା ବାନରମାନଙ୍କୁ ଦେଖି ମନେ ହେଲା ଏ କଣ ନାନାବିଧ କୁମୁଦ ମଣ୍ଡିତା ଲହରୀ ମାଳିନୀ ନଦୀ କି ?
ବୃଦ୍ଧଶ୍ରବାଦିଗୁଁ ସନ୍ଧ୍ୟା ତମ ଯଥା ଘୋଟି ।ବିହରନ୍ତି କେଉଁ ପଥେ ୠକ୍ଷ କୋଟି କୋଟି ।। ୪୬ ।ବସୁଧାଭୃତ ଜଳରେ ରଖି କପିସୈନ୍ୟ ।ବ୍ରଧ୍ନସୁତ ଲକ୍ଷ୍ମଣ ସୁଷେଣ ହନୁମାନ ।। ୪୭ ।ବାଳିପୁତ୍ର ଜାମ୍ବବ ତାରାକ୍ଷ ସାତେ ଯାଇ ।ବିନତି ରାଘବେ ଉଚ୍ଚ ଆସନେ ବସାଇ ।। ୪୮ ।ବିଶ୍ରାମିଲା ରାମଚନ୍ଦ୍ରେ ରାମଚନ୍ଦ୍ର ବିଧି ।ବିଦିତ ଉଦିତ ସପ୍ତୠଷି କି ସନ୍ନିଧି ?। ୪୯ ।ବେଢ଼ିବେ କ୍ରମକ୍ରମରେ ୠକ୍ଷପନ୍ତି ପୁଣି ।ବାତାତ୍ମଜ ଯୁବରାଜ ଦୁହେଁ ଗଲେ ଆଣି ।। ୫୦ ।୪୬ଶ ପଦ :- ବୃଦ୍ଧଶ୍ରବା ଦିଗୁଁ - ପୂର୍ବଦିଗରୁ । ତମ - ଅନ୍ଧକାର । ଋକ୍ଷ - ଭଲ୍ଲୁକ ।
୪୬ଶ ପଦ :- ସନ୍ଧ୍ୟାସମୟରେ ପୂର୍ବଦିଗରୁ ଅନ୍ଧକାର ଯେପରି ମାଡ଼ିଆସେ, ସେହିପରି କେଉଁ ରାସ୍ତା ଦେଇ ଅସଂଖ୍ୟ ଭାଲୁ ଡେଇଁ ଡେଇଁ ଆସୁଥିବାର ଦେଖାଗଲା ।
୪୭ଶ ପଦ :- ବସୁଧାଭୃତ ତଳେ - ମାଲ୍ୟବନ୍ତ ପର୍ବତ ତଳରେ । ବ୍ରଧ୍ଣସୁତ - ସୁଗ୍ରୀବ ।୪୮ଶ ପଦ :- ବାଳିପୁତ୍ର - ଅଙ୍ଗଦ । ତାରାକ୍ଷ - ଏହି - ନାମଧାରୀ ବାନର ବିଶେଷ ।
୪୭ଶ ୪୮ଶ ପଦ :- ମାଲ୍ୟବନ୍ତ ପର୍ବତତଳେ ବାନରସେନାମାନଙ୍କୁ ରଖି ସୁଗ୍ରୀବ, ଲକ୍ଷ୍ମଣ, ସୁଷେଣ, ହନୁମାନ, ଅଙ୍ଗଦ, ଜାମ୍ବବ, ତାରାକ୍ଷ, ଏହି ସାତଜଣ ଯାଇ ରାମଚନ୍ଦ୍ରଙ୍କୁ ଉଚ୍ଚ ଆସନରେ ବସାଇ ବନ୍ଦନା କଲେ । (ଶାଳଗ୍ରାମ, ରାଜା ଓ ଅତିଥି ଏମାନଙ୍କୁ ଆସନ ପ୍ରଦାନ କରି ଅଭିବାଦନ କରିବା ନିୟମ ) ।
୪୯ ଶ ପଦ :- ଏହି ସମୟରେ ରାମଚନ୍ଦ୍ରଙ୍କଠାରେ ‘ରାମଚନ୍ଦ୍ର’ ରମଣୀୟ ଚନ୍ଦ୍ର ( ପୂର୍ଣ୍ଣଚନ୍ଦ୍ର)ଙ୍କର ବିଧି ବିଶ୍ରାମ କଲା ଅର୍ଥାତ୍ ତାଙ୍କୁ ଦେଖି ଏ ପୂର୍ଣ୍ଣଚନ୍ଦ୍ର ବୋଲି ମନେ ହେଉଥିଲା । କାରଣ, ତାଙ୍କ ନିକଟରେ ଥିବା ଏହି ବିଖ୍ୟାତନାମା ସାତ ଜଣଙ୍କୁ ଦେଖି ବୋଧ ହେଉଥିଲା, ସେମାନେ ସେହି ଚନ୍ଦ୍ରଙ୍କ ନିକଟରେ ଥିବା ମରୀଚି ଆଦି ସପ୍ତର୍ଷି ନକ୍ଷତ୍ର ଉଦୟ ହୋଇଅଛନ୍ତି କି ?
୫୦ ଶ ପଦ :- ଋକ୍ଷପନ୍ତି - ତାରକା ସମୁହ, ଭଲ୍ଲୁକଶ୍ରେଣୀ । ବାତାତ୍ମଜ - ହନୁମାନ । ଯୁବରାଜ - ଅଙ୍ଗଦ ।
୫୦ ଶ ପଦ :- ପୁଣି ମଣ୍ଡଳାକାରରେ ଭାଲୁମାନେ ନକ୍ଷତ୍ର ସମୁହପରି ଏହାଙ୍କୁ ବେଢ଼ିବେ, ଏଣୁ ହନୁମାନ ଓ ଅଙ୍ଗଦ ଦୁହେଁ ସେମାନଙ୍କୁ ଆଣିବାପାଇଁ ଗଲେ ।
ବିଭ୍ରାଜନ୍ତି ଚକ୍ରବର୍ତ୍ତୀ ପରା ଚାପଧାରୀ ।ବାହିନୀ ପୁଚ୍ଛନ୍ତି ନାମ ବଳକୁ ଉଚ୍ଚାରି ।। ୫୧ ।ବସନ୍ତ ତୋଷବର୍ଦ୍ଧନ ସେ ନବ ମଦନ ।ବନ୍ଦ୍ୟ ହେଲେ ଚନ୍ଦନେ ଜଗତପ୍ରାଣ ପୁନଃ ।। ୫୨ ।ବେଳେ ବେଳେ ଅନାଇଲେ ଗବାକ୍ଷ ବୋଲନ୍ତେ ।ବିକ୍ରମି ସେପରି ଆସ୍ତେ ଗବୟ ଆସନ୍ତେ ॥
୫୩ ।ବର୍ଷୁ ମଧୁରେ କଞ୍ଚନ ଡାଳିମ୍ବ ଉତ୍ଫୁଲ୍ଲ ।ବ୍ୟବସ୍ଥିତେ ପନସକୁ ବରାଇ ସଫଳ ।। ୫୪ ।ବର୍ଦ୍ଧନକାରକ ପନଶୀଳରେ ସୁଶୀଳ ।ବିକାଶି ମହୀନ୍ଦ୍ରଶିରୀ ମହୀନ୍ଦ୍ରେ ଚପଳ ।। ୫୫ ।୫୧ ଶ ପଦ :- ଚାପଧାରୀ - ଧନୁର୍ଦ୍ଧାରୀ । ଚକ୍ରବର୍ତ୍ତୀ - ସମ୍ରାଟ । ବାହିମା - ସୈନ୍ୟଦଳ । ବଳ - ସୈନିକ । ଉଚ୍ଚାରି - ଡାକି ।
୫୧ଶ ପଦ :- ଧନୁର୍ଦ୍ଧାରୀ ରାମଚନ୍ଦ୍ର ଏହି ସମୟରେ ସମ୍ରାଟ ପରି ଶୋଭା ପାଇଲେ ଏବଂ ସେନାପତିଙ୍କୁ ଡାକି ସେମାନଙ୍କର ନାମ ଓ ବଳ (ତାଙ୍କ ଅଧୀନରେ ଥିବା ସୈନିକଙ୍କ ସଂଖ୍ୟା ) ପଚାରିଲେ ।
୫୨ ଶ ପଦ :- ନବ ମଦନ - ନୂତନ କନ୍ଦର୍ପ । ଜଗତପ୍ରାଣ- ବାୟୁ । ସୃଷ୍ଟିରକ୍ଷକ - ରାମଚନ୍ଦ୍ର ।
୫୨ ଶ ପଦ :- ବସନ୍ତଋତୁ କନ୍ଦର୍ପର ଆନନ୍ଦ ବୃଦ୍ଧି କଲାପରି ବସନ୍ତ ନାମକ ସେନାପତି ସେହି ନୂତନ କନ୍ଦର୍ପ ରାମଚନ୍ଦ୍ରଙ୍କର ଆନନ୍ଦ ବୃଦ୍ଧିକଲା । ଆଉ ମଧ୍ୟ ଚନ୍ଦନ ବାସିତ ବାୟୁ ସମସ୍ତଙ୍କଦ୍ୱାରା ‘ବନ୍ଦ୍ୟ’ ଆଦରଣୀୟ ହେଲାପରି ରାମଚନ୍ଦ୍ର ଚନ୍ଦନନାମକ ସେନାପତିଦ୍ୱାରା ବନ୍ଦନୀୟ ହୋଇଥିଲେ ।
୫୩ଶ ପଦ :- ଗବାକ୍ଷ - ଝରକା, କପି ସେନାପତି ବିଶେଷ । ଗବୟ - ଗୟଳ, କପି ସେନାପତି ବିଶେଷ ।
୫୩ଶ ପଦ :- ଗବାକ୍ଷ ସେନାପତି ରାମଙ୍କ ନିକଟକୁ ଆସୁଥିବାର ଦେଖି କେହି ଏ ‘ଗବାକ୍ଷ’ ବୋଲି କହିଲା, ତେଣୁ ରାମଚନ୍ଦ୍ର ଝରକାରେ ବାରମ୍ବାର ଅନାଇଲା ପରି ତାକୁ ଅନାଇଲେ । ସେହିପରି ଗବୟ ଆସୁଛି ବୋଲି କେହି କହିବାରୁ, ଏ ପ୍ରକୃତରେ ଗୟଳ ପରି ଦ୍ରୁତଗତିରେ ଆସୁଛି ବୋଲି ରାମଚନ୍ଦ୍ର ଭାବିଲେ ।
୫୪ଶ ପଦ :- ମଧୁ - ବସନ୍ତକାଳ । ବର୍ଷ୍ମମଧୁରେ- ମନୋହର ରୂପରେ ।
୫୪ଶ ପଦ :- ଯେପରି ବସନ୍ତ ସମୟ କାଞ୍ଚନ ଓ ଡାଳିମ୍ବ ବୃକ୍ଷକୁ ପ୍ରଷ୍ଫୁଟିତ କରାଏ, ସେହିପରି କଞ୍ଚନ ଓ ଡାଳିମ୍ବ ନାମକ ସେନାପତି ଦୁହିଙ୍କୁ ରାମଚନ୍ଦ୍ରଙ୍କର ମନୋହର ଶରୀର ଆନନ୍ଦିତ କରାଇଲା ଅର୍ଥାତ୍ ରାମଚନ୍ଦ୍ରଙ୍କର ସୁନ୍ଦର ରୂପ ଦେଖି ଏ ଦୁହେଁ ଆନନ୍ଦିତ ହେଲେ । ଆଉ ମଧ୍ୟ ବସନ୍ତକାଳ ପଣସ ଗଛକୁ ଫଳମାନଙ୍କ ଦ୍ୱାରା ମଣ୍ଡିତ କରାଇଲା ପରି, ରାମଚନ୍ଦ୍ରଙ୍କର ମନୋହର ଶରୀର ପନସ ନାମକ ସେନାପତିଙ୍କୁ ସଫଳ କରାଇଲା ଅର୍ଥାତ୍ ରାମଙ୍କୁ ଦେଖି ତାର ଜୀବନ ସଫଳ ହେଲା ।
୫୫ଶ ପଦ :- ସୁଶୀଳ - ସଦ୍ବ୍ୟବହାର । ଚପଳେ - ଶୀଘ୍ରେ । ମହୀନ୍ଦ୍ରଶ୍ରୀ - ରାଜଲକ୍ଷ୍ମୀ ।
୫୫ଶ ପଦ :- ରାମଚନ୍ଦ୍ର ପନଶୀଳ ସେନାପତିଠାରେ ସଦ୍ବ୍ୟବହାର ବଢ଼ାଇଲେ, ଅର୍ଥାତ୍ ତାକୁ ଅତିଶୟ ଆଦର କଲେ ଏବଂ ସେହିପରି ମହେନ୍ଦ୍ର ନାମକ ସେନାପତିଠାରେ ଇନ୍ଦ୍ର ସମ୍ପଦକୁ ପ୍ରକାଶ କଲେ ଅର୍ଥାତ୍ ସେ ଇନ୍ଦ୍ର ସମ୍ପତ୍ତି ପାଇଲା ପରି ଆନନ୍ଦିତ ହେଲା ।
ବିବଧସୁଖଦ ସେ ଦ୍ୱିବିଦ ନାମ ଯେଣୁ ।ବଳ କଷି ଦାଶରଥି ଶଉରିର ଏଣୁ ।। ୫୬ ।ବର୍ଣ୍ଣ ଚାହୁଁ ନୀଳ ଦେଖି ସେ ନାମ ଉଦିତ ।ବୋଲୁଁ ନଳ ବୋଇଲେ ଅବଧି ସଂଖ୍ୟାକୃତ ।। ୫୭ ।ବଲୋକି ଗନ୍ଧମାର୍ଦନ ସେହି ବୋଲି ସ୍ମରେ ।ବିକାଶେ କୁମୁଦ ରାମଚନ୍ଦ୍ର ସହଜରେ ।। ୫୮ ।ବଳ ଗଲେ କେଶରୀ ଏହାକୁ କେ ସମାନ ।ବର୍ଣ୍ଣ ବେନି କାଳିଞ୍ଜନୁ ଶୁଣି ମହାସ୍ୱନ ।। ୫୯ ।ବିଲ୍ୱବନେ ପୃଥ୍ୱୀ କପିଯାକ ନେଲେ ସ୍ଥାନ ।ବିଷ୍ଣୁ ମାୟାରୁ କରି ସେ ହୋଇଲା ବର୍ଦ୍ଧନ ।। ୬୦ ।ବ୍ରହ୍ମାଣ୍ଡ ଯାହା ଉଦରେ ପ୍ରଳୟେ ସମ୍ଭାଇ ।ବୁଲି ମାର୍କଣ୍ଡେୟ ୠଷି ଅନ୍ତ ପାଇ ନାହିଁ ।। ୬୧ ।ବାଷଠି ପଦରେ ସୈନ୍ୟଭେଟ ଛାନ୍ଦ ଶେଷ ।ବୀରବର ଉପଇନ୍ଦ୍ର ଭଞ୍ଜ କହେ ରସ ।। ୬୨ ।
୫୬ଶ ପଦ :- ତୟଳରେ ଦ୍ୱିବିଦ ନାମକ ସେନାପତିକୁ ବହୁବିଧ ସୁଖ ପ୍ରଦାନ କଲେ; ଯେହେତୁ ତାଙ୍କ ନାମ ଦ୍ୱିବିଦ । ଏହି ଦ୍ୱିବିଦ ଶବ୍ଦରୁ ସେ ସୁଖ ଓ ଦୁଃଖ ଦୁହିଁଙ୍କୁ ଜାଣନ୍ତି ବୋଲି ଜାଣିପାରି ଶ୍ରଦ୍ଧେୟକୁ ଦୁଃଖ ଦେବା ଉଚିତ ନୁହେଁ ଭାବି ସେ କେବଳ ସୁଖ ଜାଣିଥିବାରୁ ବହୁବିଧ ସୁଖ ପ୍ରଦାନ କଲେ । ସେ ଦାଶରଥି ଦଶରଥଙ୍କର ପୁତ୍ର, ତେଣୁ ଶଉରି ନାମକ ସେନାପତିର ବଳକୁ କଷିଲେ, କାରଣ ତାଙ୍କ ପିତା ଦଶରଥ ‘ଶଉରି’ ଶନିଙ୍କର ବଳ କଷିଥିଲେ ।
୫୭ଶ ପଦ :- ଶୌରି - ଶନିଶ୍ଚର, କପି ସେନାପତି ବିଶେଷ ।
୫୭ଶ ପଦ :- ନୀଳ ନାମକ ସେନାପତିର ବର୍ଣ୍ଣକୁ ଦେଖି ରାମ କହିଲେ, ‘‘ଏହାର ନାମ ନୀଳ କି ? ’’ ସେ ମଧ୍ୟ ‘ତାହିଁ ମୋର ନାମ’ ବୋଲି ପ୍ରକାଶ କଲା । ତତ୍ପରେ ନଳ ସେନାପତି ଉପସ୍ଥିତ ହୁଅନ୍ତେ କେହି ଜଣେ ଏ ନଳ ବୋଲି କହିବାରୁ ରାମଚନ୍ଦ୍ର କହିଲେ, ‘‘ଏ ନଳ ଅର୍ଥାତ୍ ପଦିକା, ଏଣୁ ଏହାଦ୍ୱାରା ‘ଅବଧି’ ଲଙ୍କା ଏଠାରୁ କେତେ କ୍ରୋଶ ଦୂର ଅଥବା ‘ଅବଧି’ ସମୁଦ୍ର କେତେ ଯୋଜନ ବିସ୍ତୀର୍ଣ୍ଣ ଏହା ମାପି ଠିକ୍କରି ହେବ ।’’
୫୮ଶ ପଦ :- ରାମଚନ୍ଦ୍ର ଗନ୍ଧମାର୍ଦନ ନାମକ ସେନାପତିକୁ ଦେଖି ‘ଏ ସେହି ଗନ୍ଧମାର୍ଦନ ପର୍ବତ କି ?’ ବୋଲି ଭାବିଲେ; ଯେ ହେତୁ ତାର ଦେହ ପର୍ବତ ପରି ଉନ୍ନତ ଓ ବିଶାଳ ଦେଖାଯାଉଥିଲା । ଚନ୍ଦ୍ରଙ୍କୁ ଦେଖି କଇଁଫୁଲ ଯେପରି ବିକଶିତ ହୁଏ, ସେହିପରି କୁମୁକ ନାମକ ସେନାପତି ରାମଙ୍କୁ ଦେଖି ହଠାତ୍ ଆନନ୍ଦିତ ହୋଇଥିଲେ ।
୫୯ଶ ପଦ :- ତତ୍ପରେ କେଶରୀ ସେନାପତିକୁ ଦେଖି କହିଲେ, ‘‘ ଏ ତ କେଶରୀ ଅର୍ଥାତ୍ ସିଂହ, ଏଣୁ ଏହାକୁ ଆଉ କିଏ ସମାନ ହେବ ? (ଏହାକୁ କେହି ସରିହେବେ ନାହିଁ ) ଏବଂ କାଳିଞ୍ଜନ ସେନାପତିର ଉତ୍କଟ ଶବ୍ଦକୁ ଶୁଣି ମନେ କଲେ, ‘‘ଏହା ନାମର ଆଦ୍ୟ ଦୁଇ ଅକ୍ଷରକୁ ‘ସମାନ’ ସାର୍ଥକ କରୁଛି ।’’ (ଅର୍ଥାତ୍ ଏ କାଳୀ ଦେବୀ ବା କଳା ମେଘ ଅଟେ ) ।
୬୦ଶ ପଦ :- ପୃଥିବୀ ଦେବୀ ବେଲବଣରେ ବାନରମାନଙ୍କୁ ରହିବାକୁ ସ୍ଥାନ ଦେଲେ ଅର୍ଥାତ୍ ସେମାନେ ସେହି ବେଲ ବୃକ୍ଷ ସଂକୁଳି ଭୂମିରେ ରହିଲେ । ବିଷ୍ଣୁ ମାୟାରୁ ସେ ସ୍ଥାନ ବୃଦ୍ଧି ପାଇଲା ।
୬୧ଶ ପଦ :- କେଉଁ ବିଷ୍ଣୁଙ୍କର ଗର୍ଭରେ ପ୍ରଳୟ ସମୟରେ ବ୍ରହ୍ମାଣ୍ଡ ରହିଥିଲା, ଯେଉଁ ଗର୍ଭରେ ବୁଲି ବୁଲି ମାର୍କଣ୍ଡ କେଉଁଠାରେ ଶେଷ ବୋଲି ଠିକ୍ କରିପାରି ନ ଥିଲେ, ତାଙ୍କର ମାୟାରେ ବହୁ ସଂଖ୍ୟକ କପି ସେନା ସାମାନ୍ୟ ବେଲ ବଣରେ ରହିଗଲେ, - ଏଥିରେ ଆଶ୍ଚର୍ଯ୍ୟ ବା କଣ ଅଛି ?
୬୨ଶ ପଦ :- ସୈନ୍ୟ ଭେଟ ଛାନ୍ଦ ବାଷଠି ପଦରେ ଶେଷ ହେଲା; ବୀରବର ଉପେନ୍ଦ୍ର ଭଞ୍ଜ ଏ ରସକୁ କହିଲେ ।ତ୍ରୟତ୍ରିଂଶ ଛାନ୍ଦରାଗ – ଘଣ୍ଟାରବବିଭୁଷା ଜଟା ମୁକୁଟ ।ବିଜେ ମାଲ୍ୟବନ୍ତ କୁଟ ।ବେଢ଼ିଛନ୍ତି ଚଉକତି ଯୂଥପତି କି ଆଜ୍ଞା ଦେବେ ସମ୍ରାଟ ।୧ ।ବାର ବେନି ଲୋକେ ସାର ।ବିରଧୂ ଖ୍ୟାତ ଯାହାର ।ବୋଲନ୍ତି ସୁଗ୍ରୀବେ ପ୍ରିୟା ଖୋଜି ଏବେ ଦିଗେ ଯାନ୍ତୁ ଚାର ।୨ ।ବିଲ ବନ ଗିରି ପୁରେ ।ବିଳସନ୍ତୁ ଲୋଡ଼ିବାରେ ।ବିଳମ୍ବ ନ କରି ସନ୍ଦେଶ ସମସ୍ତ ଦେଶରୁ ଆଣନ୍ତୁ ଖରେ ।୩ ।ବଡ଼ ଯେ ରାବକୁ ବିହି ।ବୋଲାଇ ରାବଣ ସେହି ।ବନ୍ଦୀ କରିଛି କେ ରମଣୀ ମଣି କି ସମୂଳ କରିବା ତହିଁ ।୪ ।ବସିବା ସ୍ଥାନ ଆହୁରି ।ବଣା ହେବ ସେହିପରି ।ବାସ କୁଳଟାର ସ୍ଥିତି ଡାକିନୀର ରକ୍ଷଗ୍ରାମ ଲଙ୍କାପୁରୀ ।୫ ।୧ମ ପଦ :- କୂଟ - ଶିଖର ।
୧ମ ପଦ :- ଜଟାରୂପ ମୁକୁଟରେ ଅଳଙ୍କୃତ ହୋଇ ରାମଚନ୍ଦ୍ର ମାଲ୍ୟବନ୍ତଗିରିର ଶିଖର ଦେଶରେ ବିଜେ କରି ଅଛନ୍ତି ଏବଂ ତାଙ୍କର ଚାରିପଟେ ଦଳପତିମାନେ ‘ମହାରାଜ କି ଆଦେଶ ପ୍ରଦାନ କରିବେ’ ବୋଲି ବେଢ଼ି ରହିଛନ୍ତି ।
୨ୟ ପଦ :- ବାରବେନି - ଚଉଦ । ଲୋକ - ଭୁବନ । ବୀରଧୂ - ବୀରତ୍ୱ ।
୨ୟ ପଦ :- ଚଉଦ ଭୁବନରେ ଯାହାଙ୍କର ବୀରତ୍ୱ ଉତ୍କୃଷ୍ଟ ବୋଲି କଥିତ ହୋଇଅଛି, ଅର୍ଥାତ୍ ଜଗତରେ ଏକମାତ୍ର ବୀର ବୋଲି ଯେ ବିବେଚିତ ହୋଇଅଛନ୍ତି, ସେହି ରାମଚନ୍ଦ୍ର ସୁଗ୍ରୀବଙ୍କୁ କହିଲେ, ‘‘ଦୂତମାନେ ପ୍ରିୟାଙ୍କୁ ଖୋଜିବାପାଇଁ ପ୍ରତ୍ୟେକ ଦିଗକୁ ଯାଆନ୍ତୁ ।’’
୩ୟ ପଦ :- ବିଳ- ଗୁହା । ଗିରି - ପୁରେ - ପର୍ବତ ଓ ଗ୍ରାମରେ ବା ପର୍ବତ କନ୍ଦରରେ । ସନ୍ଦେଶ - ଖବର ।
୩ୟ ପଦ :- ‘‘ଦୂତମାନେ ବନ, ଗିରି ଗୁହା ଓ ଘରମାନଙ୍କରେ ପ୍ରିୟାଙ୍କୁ ଖୋଜିବା ପାଇଁ ପ୍ରବେଶ କରନ୍ତୁ ଏବଂ କୌଣସି ସ୍ଥାନରେ ବିଳମ୍ବ ନକରି ସମସ୍ତ ଦେଶରୁ ଅତିଶୀଘ୍ର ସମ୍ବାଦ ଆଣନ୍ତୁ ।’’
୪ର୍ଥ ପଦ :- ‘‘ଯେ ବଡ଼ ପାଟି କରେ ତାକୁ ରାବଣ କହନ୍ତି । ସେହି ବଡ଼ ପାଟିଆ ରାବଣ - ଯେ କି ସ୍ତ୍ରୀଶ୍ରେଷ୍ଠ ସୀତାଙ୍କୁ ବନ୍ଦିକରି ରଖିଛି, ତାକୁ ଉତ୍ତମରୂପେ ଜାଣିବା ଦରକାର ।’’
୫ମ ପଦ :- ‘‘ ସେହିପରି ମଧ୍ୟ ରାବଣର ରହିବା ସ୍ଥାନ ବିଷୟରେ ବଣା ହେବାକୁ ପଡ଼ୁଛି । କାରଣ ଅସତୀ ସ୍ତ୍ରୀ, ଡାହାଣୀ ଓ ରାକ୍ଷସମାନଙ୍କର ରହିବା ସ୍ଥାନକୁ ଲଙ୍କା କହନ୍ତି । ଅତଏବ କେଉଁ ଲଙ୍କାରେ ସୀତା ଚୋର ରାବଣର ଘର - ଏହା ଜାଣିବା ନିତାନ୍ତ ଦରକାର ।’’
ବାଦ କନକ ନଗରେ ।ବିହନ୍ତାଇବା ବେଗରେ ।ବିବୁଧାଚଳେ କି ସମୁଦ୍ର ସେ କୂଳେ ଯିବାକୁ ସଂଶୟ କରେ ।୬ ।ବୈଦେହୀ ସୀତା ମୋ ରାମା ।ବୈଦେହୀ ବଣିକ ବାମା ।ବିଷ୍ଣୁପଦୀ ସୀତା ଗୁଡ଼କାର ଗୃହ ସିତାରେ ନୋହି ବିଭ୍ରାମା ।୭ ।ବୁଝିବ ପୁଣି ସହଜେ ।ବହେ ଷଡ଼ନାମ ସେ ଯେ ।ବୈଦେହୀ ଜାନକୀ ମୈଥିଳୀ ପାର୍ଥିବୀ ଯୋଜନାଗନ୍ଧା ସୀତା ଯେ ।୮ ।ବ୍ରହ୍ମାଣ୍ଡେ ନ ଥିଲା ସରି ।ବିପାକ କର୍ମୁ ମୋହରି ।ବିନିନ୍ଦ୍ୟରେ ନିନ୍ଦ୍ୟ ଉପମା ଦେବାକୁ ହୋଇଲା ସମାନ କରି ।୯ ।ବିଧାତା ବିଧାନୀ ନୋହି ।ବୁଧ କବି ଥିଲେ କହି ।ବହି ଈରଷା ତା ସର୍ଜନା ଉପମା ଦିଅଇ ବିଚ୍ଛେଦ ବିହି ।୧୦ ।୬ଷ୍ଠ ପଦ :- କନକ ନଗର - ସୁବର୍ଣ୍ଣପୁରୀ (ଲଙ୍କା) । ବିବୁଧାତଳ - ମେରୁ ପର୍ବତ ।
୬ଷ୍ଠ ପଦ :- ‘‘ଆମ୍ଭେମାନେ ଶୀଘ୍ର ଯାଇ ସ୍ୱର୍ଣ୍ଣପୁରୀ (ରାକ୍ଷସମାନଙ୍କ ରହିବା ସ୍ଥାନ) ଲଙ୍କାରେ ଯୁଦ୍ଧ କରନ୍ତେ, ମାତ୍ର ସେହି ସ୍ୱର୍ଣ୍ଣପୁରୀ ମେରୁ ପର୍ବତରେ କି ସମୁଦ୍ରର ଆରପଟ କୂଳରେ ଅଛି, ତାହା ଜଣା ନ ପଡ଼ିବାରୁ ସେଠାକୁ ଯିବାକୁ ସନ୍ଦେହ ଜାତ ହେଉଅଛି ।’’
୭ମ ପଦ :- ବିଷ୍ଣୁପଦୀ - ଗଙ୍ଗା । ଗୁଡ଼କାର - ଗୁଡ଼ିଆ ।
୭ମ ପଦ :- ‘‘ମୋର ସ୍ତ୍ରୀର ନାମ ବୈଦେହୀ ଏବଂ ସୀତା; କିନ୍ତୁ ବେପାରୀର ସ୍ତ୍ରୀକୁ ମଧ୍ୟ ବୈଦେହୀ କୁହାଯାଏ । ଆଉ ମଧ୍ୟ ଗଙ୍ଗାଙ୍କର ନାମ ସୀତା ଏବଂ ଗୁଡ଼ିଆ ଘରେ ଥିବା ଶାକରର ନାମ ସିତା । ସୁତରାଂ ନାମରେ ସମାନତା ଯୋଗୁଁ ତୁମ୍ଭମାନଙ୍କର ଏମାନଙ୍କଠାରେ ଯେପରି ଭ୍ରମ ନ ହୁଏ ।’’
୮ମ ପଦ :- ‘‘ତୁମ୍ଭେମାନେ ନିଃସନ୍ଦେହ ରୂପେ ଜାଣିବା ଦରକାର, ଯେ ବୈଦେହୀ, ଜାନକୀ, ମୈଥିଳୀ, ପାର୍ଥିବୀ, ଯୋଜନାଗନ୍ଧା ଓ ସୀତା ଏହି ଛ ନାମ ସୀତା ଏବଂ ଗୁଡ଼ିଆ ଘରେ ଥିବା ଶାକରର ନାମ ଧାରଣ କରିଥିବ ସେ ମୋର ସ୍ତ୍ରୀ ଅଟେ ।’’
୯ମ ପଦ :- ବିପାକ କର୍ମୁ - ଦୁର୍ଭାଗ୍ୟ ହେତୁରୁ । ବିନିନ୍ଦ୍ୟ - ପ୍ରଶଂସନୀୟ ।
୯ମ ପଦ :- ‘‘ଏହି ବ୍ରହ୍ମାଣ୍ଡରେ ମୋର ପ୍ରିୟା ସହିତ ସମାନ ହେବାକୁ କେହି ନ ଥିଲା, କିନ୍ତୁ ମୋର ଦୁର୍ଭାଗ୍ୟ ହେତୁ ସେହି ଅନିନ୍ଦ୍ୟା ସୀତାଙ୍କଠାରେ ସମାନ କରିବା ପାଇଁ ନିନ୍ଦନୀୟ ଉପମାମାନଙ୍କୁ ଦେବାକୁ ହେଲା ।’’
୧୦ମ ପଦ :- ‘‘କବି ଓ ପଣ୍ଡିତମାନେ କହିଲେ କି, ସୀତା ବିଧାତାଦ୍ୱାରା ନିର୍ମିତ ନୁହଁନ୍ତି, ତେଣୁ ବିଧାତା କ୍ରୋଧ ବହି ତାର (ବିଧାତାର ) ଅନ୍ୟ ଜିନିଷମାନଙ୍କ ସହ ତୁଳନା କରାଇବା ପାଇଁ ପ୍ରିୟାକୁ ମୋଠାରୁ ଅନ୍ତର କରାଇଲା କି ?’’
ବଢ଼ିଣ ଚୂର୍ଣ୍ଣ କୁନ୍ତଳ ।ବଳିଥିବ ଅର୍ଦ୍ଧଭାଳ ।ବକ୍ଷେ ରୁହେ ମୁଖ ମେଳ କରିଥିବ ଏ ଦୃଷ୍ଟି କୃତେ ସଫଳ ।୧୧।ବିଭାବରୀ ଅବଶେଷେ ।ବିଧୁ ନ୍ତୁଦ ଅଳ୍ପ ଗ୍ରାସେ ।ବାରୁଣୀ ଅଚଳ ଚୂଳେ ପୂର୍ଣ୍ଣଶଶୀ ପ୍ରଭାହୀନ ଯଥା ଦିଶେ ।୧୨।ବଳି ଶୋଭା ରୋମାବଳି ।ବର୍ଣ୍ଣ କୁଚ ପାଣ୍ଡୁ ଝଳି ।ବଲ୍ଲକୀ ଉରେ ଆଉଯାଇ ଶାରଦା ଚିନ୍ତା ରାଗ ଭାଳି ।୧୩।ବିମଳନୟନୁ ଜଳ ।ବହି ପଡ଼ୁଥିବ ତଳ ।ବଜ୍ୱଳିତ ଶଙ୍ଖ ନୀଳ ହିଙ୍ଗୁଳରେ ଶାୟକୁଁ ଖସେ କି ଫଳ ? ।୧୪।ବକ୍ରଚାହାଣୀ ସନ୍ଧାନ ।ବିଫଳୁ ନ ଥିବ ଘେନ ।ବାଣାସକଭୁରୁ ଗଭୀର ଅଞ୍ଜନ ସିଞ୍ଜିନୀ ହେବାରୁ ଶୀର୍ଣ୍ଣ ।୧୫।୧୧ଶ ପଦ :- ଚୂର୍ଣ୍ଣଚୁନ୍ତଳ - କୁଞ୍ଚିତ କେଶ । ବକ୍ଷୋରୁହେ - ସ୍ତନରେ ।୧୨ଶ ପଦ :- ବିଭାକରୀ – ରାତ୍ରି । ବିଧୁନ୍ତୁଦ – ରାହୁ । ବାରୁଣୀ ଅଚଳ - ଚୂଳେ - ପଶ୍ଚିମ ଦିଗସ୍ଥ ପର୍ବତ ଶିଖରରେ ।
୧୧ଶ ଓ ୧୨ଶ ପଦ :- ‘‘ଯେଉଁ ସ୍ତ୍ରୀର ଅଳକା କପାଳର ଅଧକୁ ବଳି ପଡ଼ିଥିବ, କେଶ ବାନ୍ଧୁ ନ ଥିବାରୁ ଛୋଟ ଛୋଟ ବାଳସବୁ ଖସି କପାଳ ସ୍ପର୍ଶ କରୁଥିବ, ଯେଉଁ ସ୍ତ୍ରୀ ସ୍ତନଦ୍ୱୟରେ ମୁଖ ରଖିଥିବ, ଚିନ୍ତାଯୋଗୁଁ ମୁଖ ପୋତି ବସିଥିବ, ଏହିପରି ସ୍ତ୍ରୀକୁ ଦେଖିଲେ ତୁମ୍ଭ ପରିଶ୍ରମ ସଫଳ ହେବ (ଅର୍ଥାତ୍ ତାକୁ ମୋର ସ୍ତ୍ରୀ ବୋଲି ଜାଣିବ ) । ଶେଷରେ ରାହୁ ଅଳ୍ପ ଗ୍ରାସ କରିଥିଲେ ଅସ୍ତଗିରିର ଶିଖର ଦେଶରେ ପୂର୍ଣ୍ଣଚନ୍ଦ୍ର ଯେପରି ଦେଖାଯାଏ; ଚୂର୍ଣ୍ଣ କୁନ୍ତଳାଛନ୍ନ ପ୍ରିୟାର ମୁଖ ସେହିପରି ଦେଖାଯାଉଥିବ ।’’
୧୩ଶ ପଦ :- ଶାରଦା - ସରସ୍ୱତୀ । ବଲ୍ଲକୀ - ବୀଣା ।
୧୩ଶ ପଦ :- ‘‘ଆଉ ମଧ୍ୟ ପ୍ରିୟାର ‘ବର୍ଣ୍ଣ’ ରୂପ ତ୍ରିବଳୀଠାରୁ ଶୋଭା ବିସ୍ତାର କରି ପାଣ୍ଡୁବର୍ଣ୍ଣ କୁଚ ପର୍ଯ୍ୟନ୍ତ ବିସ୍ତୃତ ହୋଇଥିବା ରୋମରାଜିରେ ଯୁକ୍ତ ହୋଇଥିବ ଅଥବା ପ୍ରିୟାର ‘ବର୍ଣ୍ଣ’ ରୂପ ତ୍ରିବଳୀଠାରୁ ଶୋଭାବିସ୍ତାର କରି (ଆରମ୍ଭ ହୋଇ ବା ଦେଖାଦେଇ) ପାଣ୍ଡୁର- ବର୍ଣ୍ଣ କୁଚ ପର୍ଯ୍ୟନ୍ତ ବିସ୍ତୁତ ହୋଇଥିବା ରୋମରାଜି ଦ୍ୱାରା ଯୁକ୍ତ ହୋଇଥିବ ଏବଂ ସେ ଅନୁରାଗ ବଶତଃ ଗୁଣରୂପୀ ମୋର ଗୁଣମାନଙ୍କୁ ଭାଳି ଚିନ୍ତା କରୁଥିବ । ଏଣୁ ବୀଣାକୁ ଛାତିରେ ଆଉଯାଇ ସେହି ବୀଣାର ‘ଗୁଣ’ ତାରମାନଙ୍କୁ ଭାଳି ବିବେଚନା ପୂର୍ବକ ସଂଚାଳନ କରି ରାଗିଣୀମାନଙ୍କ ବିଷୟ ଚିନ୍ତା କରୁଥିବା ସରସ୍ୱତୀଙ୍କ ପରି ମଧ୍ୟ ଦେଖାଯାଉଥିବ ।’’ ଏଠାରେ ତ୍ରିବଳି ବାଣୀ ସାର, ରୋମାବଳି ଦଣ୍ଡ, କୁଚ ତୁମ୍ଭୀ ଗୁଣ ବୀଣାତାର, ବର୍ଣ୍ଣ ଶୁଳ୍ଳ ହୋଇ ବର୍ଣ୍ଣିତ ହେବାରୁ ସରସ୍ୱତୀଙ୍କ ସହ ତୁଳନା କରାଗଲା । )
୧୪ଶ ପଦ :- ବିଜ୍ଜ୍ୱଳିତ - ଦୀପ୍ତିମନ୍ତ । ଶାୟକୁଁ- ଶରରୁ ।୧୫ଶ ପଦ :- ବାଣାସନ- ଧନୁ । ଭୀରୁ- ସ୍ତ୍ରୀ । ଅଞ୍ଜନ- କଜ୍ଜ୍ୱଳ । ସିଞ୍ଜିନୀ- ଧନୁର ଗୁଣ । ଶୀର୍ଣ୍ଣ - ଛିଣ୍ଡି ଯିବାରୁ ।୧୬ଶ ପଦ :- ବିଭଙ୍ଗ - ରକ୍ତିମାହୀନ । ବିମ୍ବଫଳ - କରଞ୍ଚିକାକୁଡ଼ି ।
୧୪ଶ ପଦ :- ‘‘ପ୍ରିୟାର ଚକ୍ଷୁ ଦୁଇଟିରୁ ଜଳ (ଲୁହ) ବହି ତଳେ ପଡ଼ୁଥିବ । ତାହା ଦେଖିଲେ ମନେହେବ, ଶଙ୍ଖ, ନୀଳ ଓ ହେଙ୍ଗୁଳରେ ରଞ୍ଜିତ ଲୁହା ନିର୍ମିତ ଶରର ଅଗ୍ରଭାଗ ଶରରୁ ଖସିପଡ଼ୁଛି କି ?’’
୧୫ଶ ପଦ :- ‘‘ସେହି ଭୟଶୀଳା ପ୍ରିୟା ତାହାର ଭ୍ରୁଲତା ରୂପ ଧନୁରୁ କଜ୍ଜ୍ୱଳ ରୂପ ଗୁଣ ଛିଣ୍ଡି ଯାଇଥିବାରୁ, (ଅର୍ଥାତ୍ ଅନବରତ କାନ୍ଦିବା ଦ୍ୱାରା କଜ୍ଜ୍ୱଳ ଧୋଇ ହୋଇଯାଇଥିବାରୁ) ସେ ବିଫଳ ହେବାର ଜାଣି ବକ୍ର ଚାହାଁଣି ରୂପ ଶରକୁ ଯୋଗ କରୁ ନ ଥିବ,-ଏହା ମନେରଖ ।’’ ଅତଏବ କ୍ରନ୍ଦନାତୁରା କାମୋଦପନକାରିଣୀ ହେବା ଅସମ୍ଭବ । )
ବାଜି ଖରଶ୍ୱାନ ତାର ।ବିଭଙ୍ଗ ଭଳି ଅଧର ।ବିମ୍ବଫଳ ପାଚି ଶୁଖିଗଲା ରୁଚି କରିଥିବ ଅଙ୍ଗୀକାର ।୧୬।ବିଶୀର୍ଣ୍ଣରେ ସୁକୁମାରୀ ।ବହିଥିବ ମଧ୍ୟ ଶିରୀ ।ବିଚାରୁଛି ଚାରୁମଧ୍ୟ ଅତି ସରୁ ହୋଇଥିବ କାହା ପରି ।୧୭।ବୋଲିବ ଯେତେ ଯୁବତୀ ।ବିରହିଣୀ ଏହିମତି ।ବିଗତ ଚନ୍ଦନେ ପଲ୍ଲବ ଶୟନେ ନ ଥିବ ଯେ ଘେନ ମତି ।୧୮।ବାମଦେବବାମା କେତେ ।ବିଭାତି ସମ ଜଗତେ ।ବନ୍ଧୁ ସଙ୍ଗତେ ମୋ ସେ ତ ଅର୍ଦ୍ଧଅଙ୍ଗୀ ବିରହୀ ହେବେ କେମନ୍ତେ ? ।୧୯।ବାକ୍ୟ ମନ୍ଦ ହୋଇଥିବ ।ବରଷା ପିକ ସ୍ୱଭାବ ।ବୃକ୍ଷ ହେବ ତୁମ୍ଭେ ମୋ କଥା ଶ୍ରବଣ ଜମ୍ବୁ ପାନ କରାଇବ ।୨୦।
୧୬ଶ ପଦ :- ‘‘ତାର ଉତପ୍ତ ନିଶ୍ୱାସ ବାଜି ଓଷ୍ଠ ଅସୁନ୍ଦର ଦେଖାଯାଉଥିବ । ମନେ ହୁଏ, ବିମ୍ବଫଳ ପାଚି ଶୁଖିଗଲେ ଯେଉଁପରି ଶୋଭା ଧାରଣ କରେ, ଓଷ୍ଠ ସେହି ଶୋଭାକୁ ଧରିଥିବ ।’’
୧୭ଶ ପଦ :- ‘‘ସୁକୁମାରୀ ଅତିଶୟ କ୍ଷୀଣ ହେଇ ତାର କଟୀର ଶୋଭାକୁ ଧାରଣ କରିଥିବ । (ଅର୍ଥାତ୍ ତାର ଅଣ୍ଟା ଯେଡ଼େ ସରୁଥିଲା, ସେ ଏବେ ଚିନ୍ତା କରି କରି ସେତିକି ସରୁ ହୋଇଯିବଣି) । ମୁଁ ଭାବୁଛି, ତାର ଅତିସୁନ୍ଦର ସେହି ଅଣ୍ଟାଟି ଏବେ କାହାପରି ସରୁ ହୋଇଥିବ ?’’
୧୮ଶ ପଦ :- ‘‘ତୁମ୍ଭେମାନେ ଅବା କହିବ, ଯେତେ ସ୍ତ୍ରୀ ବିରହିଣୀ ହୁଅନ୍ତି, ସମସ୍ତେ ଏହିପରି କ୍ଷୀଣ ହୋଇଯାନ୍ତି, କିନ୍ତୁ ଯେ ଚନ୍ଦନ ବୋଳି ହୋଇ ନ ଥିବ କି କୋମଳ ପତ୍ରଶଯ୍ୟାରେ ଶୋଇ ନ ଥିବ, ତାକୁ ମୋର ସ୍ତ୍ରୀ ବୋଲି ଜାଣିବ ।’’
୧୯ଶ ପଦ :- ବାମଦେବବାମା-ମହାଦେବଙ୍କ ସ୍ତ୍ରୀ । ବିଭାତି-ସୌନ୍ଦର୍ଯ୍ୟ ।
୧୯ଶ ପଦ :- ‘‘ଏହି ଜଗତରେ ମୋର ସ୍ତ୍ରୀ ସହିତ ମହାଦେବଙ୍କ ସ୍ତ୍ରୀ ପାର୍ବତୀ କେତେକ ଅଂଶରେ ସମାନ ଅଟନ୍ତି । ମହାଦେବ ତ ଅର୍ଦ୍ଧାଙ୍ଗ ଅଟନ୍ତି ତେବେ ପାର୍ବତୀ କିପରି ବିରହିଣୀ ହେବେ ? କିନ୍ତୁ ମୋର ପ୍ରିୟା ସୀତା ସଙ୍ଗତରେ ଥିବାରୁ (ମହାଦେବଙ୍କ ପରି ମୁଁ ଅର୍ଦ୍ଧାଙ୍ଗ ହୋଇ ନ ଥିବାରୁ) ରାବଣ ନେଇଯିବା ଦ୍ୱାରା ସେ ବିରହିଣୀ ହେଲା ।’’
୨୦ଶ ପଦ :- ‘‘ବର୍ଷାକାଳରେ ସ୍ୱଭାବତଃ କୋକିଳର ସ୍ୱର ବନ୍ଦ ହେଲା ପରି ପ୍ରିୟାର ସ୍ୱର ବନ୍ଦ ହୋଇଥିବ, କିନ୍ତୁ ଜାମୁକୋଳିର ରସ ଆସ୍ୱାଦନ କଲେ କୋକିଳର ସ୍ୱର ମନୋହର ହୁଏ । ସେହିପରି ତୁମ୍ଭେମାନେ ଜାମୁଗଛପରି ହୋଇ ମୋର କଥା ରୂପ ଜାମୁଫଳ ତାଙ୍କୁ ଆସ୍ୱାଦନ କରାଇବ । (ଅର୍ଥାତ୍ ସେ ବିରହରେ ମୂକ ହୋଇ ବସିଥିଲେ ସୁଦ୍ଧା ମୋ କଥା ଶୁଣିଲେ ନିଶ୍ଚୟ କଥା କହିବ ) ।
ବରତା ଶୁଣିଲେ ମୋର ।ବଦନେ ପ୍ରସନ୍ନ ତାର ।ବହି ଆଣୁ ମନ୍ଦେ ଦୃଢ଼ କରି ଶିଳେ କଚାଡ଼ି ଦେବ ମୁକୁର ।୨୧।ବହିବାକୁ ଶାତ ରଙ୍ଗେ ।ବୀର ସାତ ସାତ ସଙ୍ଗେ ।ବସନ୍ତେ ପୂର୍ବରେ ପଦ୍ମିନୀ କ୍ଷୀଣକୁ ନାଶ ଅର୍ଥେ ପେଶି ବେଗେ ।୨୨।ବିଭେଦନେ ଦୁଃଖରାଶି ।ବାରୁଣୀକି ଶୌରି ପେଷି ।ବର୍ଗେ ଉତ୍ତରେ ଶତବଳୀ ଅବଳା ବଳଦ ହେବା ମନାସି ।୨୩।ବାଳୀ ଆନନ୍ଦ କରଣେ ।ବାଳିନନ୍ଦନ ଦକ୍ଷିଣେ ।ବିଘ୍ନ ନାହିଁ ହନୁମାନ ଅନୁମାନ ମାନଘ୍ନ ହେବ ବୀକ୍ଷଣେ ।୨୪।ବାର୍ତ୍ତା କହେ ରାମ ନେଇ ।ବନ୍ଧୁ ଦେଖ ସିନ୍ଧୁ ଡ଼େଇଁ ।ବିଶ୍ୱାସ ନ କଲେ ଆଶ୍ୱାସ କର ତୁ ଏହି ମୁଦ୍ରିକାକୁ ଦେଇ ।୨୫।୨୧ଶ ପଦ :- ମୁକୁର-ଦର୍ପଣ । ମନ୍ଦେ-ଧୀରେ । ଶିଳେ-ପଥରରେ ।
୨୧ଶ ପଦ :- ‘‘ମୋର କଥା ଶୁଣିବାକ୍ଷଣି ତାର ମୁଖ ଧୀରେ ଧୀରେ ପ୍ରସନ୍ନତାକୁ ବହି ଆଣିବ ଅର୍ଥାତ୍ ନିର୍ମଳ ଦେଖାଯିବ । ସେହି ନିର୍ମଳ ମୁଖ ଦର୍ପଣକୁ ତୁଚ୍ଛ ମନେ କରି ଜୋର ସହିତ ପଥରରେ କଚାଡ଼ି ଦେବ ।’’
୨୨ଶ ପଦ :- ରଙ୍ଗେ-ହର୍ଷରେ । ଶାତ-ସୁଖ !
୨୨ଶ ପଦ :- ରାମଚନ୍ଦ୍ର ପ୍ରତ୍ୟେକ ସେନାପତିମାନଙ୍କ ସଙ୍ଗରେ ସାତ ସାତ ଜଣ ବୀର ଦେଇ ବିଦାୟ କଲେ, କାରଣ ସେ ମନେ କଲେ,- ଏହିପରି ଗଲେ ଏମାନେ ସୁଖ ଓ ଆନନ୍ଦର ଉପଭୋଗ କରିବେ । ବସନ୍ତ ୠତୁ ପଦ୍ମିନୀର କ୍ଷୀଣତାକୁ ନାଶ କରେ, ଏହି ଅଭିପ୍ରାୟକୁ ପୋଷଣକରି, ବସନ୍ତ ନାମକ ସେନାପତିକୁ ପଦ୍ମିନୀ ସୀତାଙ୍କର ବିରହ ‘କ୍ଷୀଣତାକୁ’ ଦୁଃଖକୁ ଶୀଘ୍ର ନାଶ କରିବା ନିମିତ୍ତ ପୂର୍ବଦିଗକୁ ପଠାଇଲେ ।
୨୩ଶ ପଦ :- ବାରୁଣୀକି-ପଶ୍ଚିମ ଦିଗକୁ । ଶୌରି-ଭଗବାନ୍, ଶନିଗ୍ରହ । ଅବଳା-ସ୍ତ୍ରୀ ।
୨୩ଶ ପଦ :- ‘ଏ ମୋ ପ୍ରିୟାର ଦୁଃଖମାନଙ୍କୁ ଖଣ୍ଡନ କରିବ’ ଏହା ଭାବି ଶୌରି ସେନାପତିଙ୍କୁ ପଶ୍ଚିମ ଦିଗକୁ ପ୍ରେରଣ କଲେ । କାରଣ ପଶ୍ଚିମ ଦିକ୍ପତି ଶନି ଦୁଃଖ ବିନାଶ କରନ୍ତି । ଅଥବା ‘ଶୌରୀ’ ବିଷ୍ଣୁ ଦୁଃଖନାଶକ ଅଟନ୍ତି । ‘ମୋର ଦୁର୍ବଳା ସ୍ତ୍ରୀକୁ ବଳଦାନ କରିବ’ ଅର୍ଥାତ୍ ସହାୟ ହେବ ଏହି କଥା ବିଚାରି ଶତବଳୀ ନାମକ ସେନାପତିକୁ ଉତ୍ତର ଦିଗକୁ ପଠାଇଲେ ।
୨୪ଶ ପଦ :- ବାଳିନନ୍ଦନ-ଅଙ୍ଗଦ । ବାଳୀ-ସୀତା । ବୀକ୍ଷଣେ-ଦେଖାଦେବା ମାତ୍ରେ ।
୨୪ଶ ପଦ :- ‘ଏ ବାଳିକୁ ଆନନ୍ଦ ପ୍ରଦାନ କରିଥିଲା (ପୁତ୍ର ଜନ୍ମ ହେଲେ ପିତା ଆନନ୍ଦିତ ହୁଏ) ଅତଏବ ମୋର ବାଳୀ (ସୀତାଙ୍କୁ ଆନନ୍ଦ ପ୍ରଦାନ କରିବ’ । ଏହା ବିଚାରି ଅଙ୍ଗଦକୁ ଦକ୍ଷିଣ ଦିଗକୁ ପ୍ରେରଣ କଲେ ଏବଂ ‘ଏହାକୁ ଦେଖିଲେ ବିଘ୍ନ ହେବନାହିଁ ଓ ଅଭିମାନୀର ଅଭିମାନ ନାଶ ହେବ’ (ସୀତାଙ୍କର ମୋ ପ୍ରତି ଥିବା ମାନ ତୁଟି ଯିବ)- ଏହା ଭାବି ହନୁମାନକୁ ଅଙ୍ଗଦ ସହିତ ପ୍ରେରଣ କଲେ ।
୨୫ଶ ପଦ :- ରାମଚନ୍ଦ୍ର ହନୁମାନକୁ ଡାକି ନେଇ ଏହି କଥା କହିଲେ, ‘‘ସମୁଦ୍ର ଡେଇଁ ପ୍ରିୟାକୁ ଦେଖ, ଯଦି ସେ ତୋତେ ବିଶ୍ୱାସ କରିବ ନାହିଁ, ତାହାହେଲେ ଏହି ମୁଦ୍ରିକାକୁ ଦେଇ ଆଶ୍ୱାସ କରାଅ ଅର୍ଥାତ୍ ବିଶ୍ୱାସ ଉତ୍ପାଦନ କର ।’’
ବିଶ୍ୱାସ ଏଣେ ନ କଲେ ।ବୋଲ ଚିତ୍ରକୂଟ ଶୈଳେ ।ବିଚିତ୍ର ଚିତ୍ରକ ଗଇରିକେ ପରା ଲେଖିଥିଲେ ତବ ଭାବେ ।୨୬।ବିଳମ୍ବ ଯେ କୀଶଶିଶୁ ।ବଡ଼ ଭୟେ କୋଳେ ପଶୁଁ ।ବିରାଜେ ତୋ ଚିତା କାନ୍ତ ହୃଦେ କାନ୍ତ ତୋ ଭାଲେ ସେ ହୃଦପାଂଶୁ ।୨୭।ବାରୁଣୀ ପ୍ରାଚୀ ମାଧୁରୀ ।ବେନି ସ୍ଥାନ ସନ୍ଧ୍ୟା ପରି ।ବିମ୍ବ ସବିତାର ଚନ୍ଦ୍ର କର ତାର କଥା ହେଲେ ସ୍ନେହ ଭରି ।୨୮।ବତାଇ ଦେବୁ ପାବନି ।ବିହୁଁ ମଧୁଶଯ୍ୟା ବେନି ।ବହ୍ନି ସାକ୍ଷୀ କରି କଲା ନିୟମକୁ ଚିତ୍ତେ ଥିବ ଏକା ଘେନି ।୨୯।ବଡ଼ ଚତୁରୀ ସେ ସତ ।ବୋଲନ୍ତେ କିସ କହ ତ ।ବୋଲିବୁ ବୋଲିଛ ଆନ ଆନନକୁ ନ ଚାହିଁବ ଶ୍ରଦ୍ଧାଯୁକ୍ତ ।୩୦।
୨୬ଶ ପଦ :- ‘‘ସେ ଏହି ମୁଦ୍ରିକାକୁ ଦେଖି ବିଶ୍ୱାସ ନ କଲେ କହିବ;- ଚିତ୍ରକୂଟ ପର୍ବତରେ ତୁମ୍ଭ କପାଳରେ ରାମ ଗୈରିକ ହାରା ମନୋହର ତିଳକ ଲେଖିଥିଲେ ପରା ।’’
୨୭ଶ ପଦ :- କୀଶଶିଶୁ-ବାନର ଶିଶୁ ବା ମାଙ୍କଡ଼ ଛୁଆ । ପାଂଶୁ-ଭସ୍ମ ବା ପାଉଁଶ ।
୨୭ଶ ପଦ :- ‘‘ସେହି ସମୟରେ ମାଙ୍କଡ଼ ଛୁଆସବୁ ନିକଟରେ ଆସି ଖେଳିବାକୁ ଲାଗିଲେ । ତୁମ୍ଭେ ଅତିଶୟ ଭୟ କରି କୋଳରେ ପଶିବାରୁ, ତୁମ୍ଭର ସେହି ଚିତା ରାମଚନ୍ଦ୍ରଙ୍କ ବକ୍ଷରେ ଓ ତାଙ୍କ ବକ୍ଷରେ ବୋଳା ହୋଇଥିବା ପାଉଁଶ ତୁମ୍ଭର କପାଳରେ ଲାଗି ଶୋଭା ପ୍ରକାଶ କରିଥିଲା ।’’
୨୮ଶ ପଦ :- ସବିତାବିମ୍ବ-ସୂର୍ଯ୍ୟମଣ୍ଡଳ । ବାରୁଣୀ-ପଶ୍ଚିମଦିଗ । ପ୍ରାଚୀ-ପୂର୍ବଦିଗ ।
୨୮ଶ ପଦ :- ‘‘ରାମଚନ୍ଦ୍ରଙ୍କୁ ସେହି ସମୟରେ ତୁମ୍ଭେ କହିଲ, ସନ୍ଧ୍ୟା ସମୟରେ ସୂର୍ଯ୍ୟମଣ୍ଡଳ ପଶ୍ଚିମଦିଗକୁ ପ୍ରାପ୍ତ ହେଲେ ସେ ପଶ୍ଚିମାକାଶ ଯେଉଁପରି ଶୋଭାକୁ ଧାରଣ କରେ, ହେ ନାଥ ! ତୁମ୍ଭର ବକ୍ଷସ୍ଥଳ ସେହି ଶୋଭାକୁ ଧାରଣ କରିଅଛି । ସେ କହିଲେ, ହେ ପ୍ରିୟେ ! ସନ୍ଧ୍ୟା ସମୟରେ ଉଜ୍ଜ୍ୱଳ ଚନ୍ଦ୍ର କିରଣ ପୂର୍ବ ଦିଗରେ ପଡ଼ିଲେ ପୂର୍ବାକାଶ ଯେପରି ଶୋଭାକୁ ପ୍ରାପ୍ତ ହୁଏ, ତୁମ୍ଭର ମୁଖ ସେହି ଶୋଭାକୁ ଧାରଣ କରିଅଛି । ଏହିପରି ଦୁହେଁ ସ୍ନେହପୂର୍ଣ୍ଣ କଥାବାର୍ତ୍ତା ହୋଇଥିଲେ ।’’
୨୯ଶ ପଦ :- ପାବନି-ପବନପୁତ୍ର (ହନୁମାନ) । ବହ୍ନି-ଅଗ୍ନି (ଦୀପନିଆଁ) ।
୨୯ଶ ପଦ :-ହେ ପବନପୁତ୍ର ! ସେ ଏହି ସବୁ କଥା ଦ୍ୱାରା ଯଦି ବିଶ୍ୱାସ ନ କରେ ତେବେ କହିବୁ ହେ, ମଧୁଶଯ୍ୟା ବିଧାନ ହେବା ସମୟରେ ଅର୍ଥାତ୍ ପ୍ରଥମ ମିଳନ ସମୟରେ ଦୁହେଁ ଅଗ୍ନିଙ୍କୁ ସାକ୍ଷୀକରି ନିୟମ କରିଥିଲ ପରା । ତୁମ୍ଭେ ନିଜେ ଏହି କଥା ମନେ ରଖିଥିବ ଯେ, କାରଣ ସେ ସମୟରେ ତୁମ୍ଭ ଛଡ଼ା ଆଉ କେହି ନ ଥିଲେ ।’’
୩୦ଏ ପଦ :- ‘‘ସେ ବଡ଼ ଚତୁରୀ । ତୋର ଏହିପରି କଥା ଶୁଣି ସେ କହିବ, ତୁମ୍ଭେ ଯାହା କହୁଛ; ଏହା କଣ ସତ ? ଆଚ୍ଛା ମୁଁ ଆଉ ନିୟମ କରିଥିଲି ? ଏପରି କହିଲେ,- କହିବୁ ମୁଁ ଆଦର ସହିତ ଆଉ କାହାର ମୁଖ ଚାହିଁବି ନାହିଁ; ତୁମ୍ଭେ ଏହି କଥା କହିଥିଲ ।’’
ବହ୍ନି ସ୍ୱରୂପ କନ୍ଦର୍ପ ।ବଶୀକରଣକୁ ଆପ ।ବସାଇ ଚାପରେ ଉନ୍ମାଦ ମୋହନ ରୋପି ମିଳିଲେ ସମୀପ ।୩୧ ।ବୋଲିବ ଏଥକୁ ଯାହା ।ବାନ୍ଧି ଗଣ୍ଠି କରି ତାହା ।ବାଣିଜ୍ୟ କରିବା ସେହି ସୁବର୍ଣ୍ଣରେ ନାଶ ନୋହିବ ଉତ୍ସାହା ।୩୨ ।ବରଷା ଯାଏ ନୋହିବ ।ବିଯୋଗ ଭରସା ଦେବ ।ବଲ୍ଲଭ ଜାନୁସିଂହାସନଭିଷେକୀ ଏଥି ଭିତରେ ହୋଇବ ।୩୩ ।ବୋଲିବ ନ କର ଚିନ୍ତା ।ବଧେ ରାବଣର ସୀତା ।ବିରାଧ-ବଧ ପରଶୁରାମ ଗର୍ବ ଖର୍ବ ତବ ବିଲୋକିତା ।୩୪ ।ବେଳ ହେଉ ଶୁଭ ସର୍ବlବରଦ ଦୁର୍ଗା ମାଧବ ।ବାରିଧିସୁତା ନରସିଂହ ହୁଅନ୍ତୁ ଠାବ କରି ବାହୁଡ଼ିବ ।୩୫ ।୩୧ଶ ପଦ :- ଚାପ-ଧନୁ । ରୋପି-ସନ୍ଧାନ କରି ।
୩୧ଶ ପଦ :- ‘‘ପୁଣି କହିବୁ,- ତୁମ୍ଭେ ଆହୁରି କହିଛ ଯେ, କନ୍ଦର୍ପ ବଶୀକରଣମନ୍ତ୍ରକୁ ଜପ, ନିଜର ରୂପକୁ ଧାରଣ କରି, ତାହାର ଧନୁରେ ଉନ୍ମାଦନ ଓ ସଂମୋହନ ନାମକ ଶରଦ୍ୱୟକୁ ସନ୍ଧାନ କରି ମୋର ନିକଟକୁ ଆସିଲେ ସୁଦ୍ଧା ମୁଁ ଅନ୍ୟ ପୁରୁଷର ମୁଖ ଚାହିଁବି ନାହିଁ ।’’
୩୨ଶ ପଦ :- ସୁବର୍ଣ୍ଣ-ଉତ୍ତମ ବର୍ଣ୍ଣ, ଉତ୍ତମ, ଅକ୍ଷର ସୁନା ।
୩୨ଶ ପଦ :- ‘‘ତୋହର ଏହି ସବୁ କଥା ଶୁଣି ସେ ଯାହା କହିବ, ତାହାକୁ ଗଣ୍ଠି ପକାଇ ବାନ୍ଧି ଆଣିବୁ । ସେହି ସୁବର୍ଣ୍ଣ ଅର୍ଥାତ୍ ଉତ୍ତମ ବର୍ଣ୍ଣ (ଅକ୍ଷର) ରୂପ ସୁନା ଦ୍ୱାରା ବାଣିଜ୍ୟ କରିବା (ବାରମ୍ବାର ସେହି ଅକ୍ଷରଗୁଡ଼ିକୁ ଘୋଷି ମନକୁ ଉଦୀପ୍ତ କରିବା) ଏଣୁ ଯୁଦ୍ଧ ପ୍ରତି ହତୋତ୍ସାହ ହେବା ନାହିଁ ।’’
୩୩ଶ ପଦ :- ‘‘ହେ ହନୁମାନ ! ତୁ ତାକୁ ଭରସା ଦେଇ କହିବୁ ଯେ, ବର୍ଷାକାଳ ପର୍ଯ୍ୟନ୍ତ ତୁମ୍ଭର ଏ ବିରହ ଦଶା ରହିବ ନାହିଁ । (ଅର୍ଥାତ୍ ବର୍ଷାକାଳ ଆସିବା ପୂର୍ବରୁ ତୁମ୍ଭର ସହିତ ନିଶ୍ଚୟ ମିଳନ ହୋଇ ସାରିଥିବ) । ଏହି ଶିଶିର କାଳଠାରୁ ଗ୍ରୀଷ୍ମକାଳ ମଧ୍ୟରେ ତୁମ୍ଭେ ତାଙ୍କ ଜାନୁ ସିଂହାସନରେ ବସି ଅଭିଷେକ ହେବ ।’’
୩୪ଶ ପଦ :- ‘‘ଆଉ ମଧ୍ୟ କହିବୁ, ହେ ସୀତା ! ତୁମ୍ଭେ ରାବଣର ବଧ ବିଷୟରେ କିଛି ଚିନ୍ତା କରନାହିଁ । ଯେ ହେତୁ ତୁମ୍ଭେ ବିରାଧର ବଧ ଓ ପର୍ଶୁରାମଙ୍କର ଗର୍ବ ଖର୍ବ ହେବାର ନେତ୍ରରେ ଦେଖିଅଛ ।’’
୩୫ଶ ପଦ :- ବାରିଧିସୁତା-ଲକ୍ଷ୍ମୀ ।
୩୫ଶ ପଦ :- ତତ୍ପରେ ରାମ ହନୁମାନ ପ୍ରଭୃତିଙ୍କର ମଙ୍ଗଳ କାମନା କରି କହିଲେ, ‘‘ସର୍ବଦା ତୁମ୍ଭମାନଙ୍କର ମଙ୍ଗଳ ହେଉ ଏବଂ ସୀତାଙ୍କୁ ଠାବ କରି କୁଶଳରେ ଫେରି ଆସିବା ନିମିତ୍ତ ଦୁର୍ଗାମାଧବ ଓ ଲକ୍ଷ୍ମୀ ନୃସିଂହ ବର ପ୍ରଦାନ କରନ୍ତୁ ।’’
ବାହାର ତାରାନନ୍ଦନ ।ବାତକ ଗନ୍ଧମାର୍ଦନ ।ବୈଦ୍ୟ କପିଙ୍କ ତାରାକ୍ଷ ଜାମ୍ବୁବାନ ନଳନୀଳ ବିଦ୍ୟମାନ ।୩୬ ।ବିହରିଲେ ଦିଶେ ଦିଶେ ।ବାନର ଦୁତ ରଭସେ ।ବିଶେଷ କଟକ ଗ୍ରାମ ଘୋଷ ପକ୍ୱଣାଦି ତହିଁ ବାସେ ବାସେ ।୩୭ ।ବସୁଧାଭୁତେ ନ ଛାଡ଼ି ।ବଡ଼ ସାନ ଆଦି ଲୋଡ଼ି ।ବିବରେ ବିବରେ ଶୃଙ୍ଗେ ରଙ୍ଗେ ଖୋଜିଗଲେ ଦୁଃଖ ପଡ଼ି ।୩୮ ।ବନେ ବନେ ପୁଣି ଲୋଡ଼େ ।ବୃକ୍ଷେ ବୃକ୍ଷେ କ୍ରୋଡ଼େ କ୍ରୋଡ଼େ ।ବିଭାକର ଉଦେ ହୋଇବା ସ୍ଥାନରୁ ଯେଉଁ ସ୍ଥାନେ ଯାଇଁ ବୁଡ଼େ ।୩୯ ।ବାରିଦ ଶୀତ ବସତି ।ବିରଚିବା ଯାଏ ଗତି ।ବାହୁଡ଼େ ତ୍ରିଦିଗ ଦୂତ ମାସ ପୂର୍ଣ୍ଣ କାହିଁ ନ ଦେଖିଣ ସତୀ ।୪୦ ।୩୬ଶ ପଦ :- ବାତଜ-ହନୁମାନ । କପିଙ୍କ ବୈଦ-ସୁଷେଣ । ତାରାନନ୍ଦନ-ଅଙ୍ଗଦ ।
୩୬ଶ ପଦ :- ଏହି ସମୟରେ ଅଙ୍ଗଦ, ହନୁମାନ ଗନ୍ଧମାର୍ଦନ, ସୁଷେଣ, ତାରାକ୍ଷ, ଜାମ୍ବୁବାନ, ନଳ ଓ ନୀଳ ଏହି ସାତଜଣ ପ୍ରଧାନ ସେନାପତି ସୀତାଙ୍କୁ ଅନ୍ୱେଷଣ କରିବା ନିମିତ୍ତ ଅନୁକୂଳ କରି ବାହାରିଲେ ।
୩୭ଶ ପଦ :- ରଭସେ-ଶୀଘ୍ର ବା ବେଗରେ । କଟକ-ନଗର । ଘୋଷ-ଗଉଡ଼ପଲ୍ଲୀ । ପକ୍ୱଣାଦି-ଶବରଗୃହାଦି ।
୩୭ଶ ପଦ :- ବାନର ଦୂତମାନେ ଅତି ବେଗରେ ପ୍ରତ୍ୟେକ ଦିଗରେ ବୁଲିବାକୁ ଲାଗିଲା ଓ ସେହି ସେହି ଦିଗମାନଙ୍କରେ ଥିବା ସହର, ଗ୍ରାମ, ଗଉଡ଼ପଲ୍ଲୀ ଓ ଶବର ପଲ୍ଲୀମାନଙ୍କରେ ଥିବା ପ୍ରତ୍ୟେକ ଗୃହରେ ବିଶେଷ ଭାବରେ ଦୃଷ୍ଟି ନିକ୍ଷେପ କଲେ ।
୩୮ଶ ପଦ :- ବସୁଧାଭୃତେ-ପର୍ବତମାନଙ୍କୁ । ବିବରେ-ପର୍ବତ ଗହ୍ୱରରେ । ରଙ୍ଗେ-କୌତୁକରେ ।
୩୮ଶ ପଦ :- ସେମାନେ ଗୋଟିଏ ସୁଦ୍ଧା ସ୍ଥାନ ଛାଡ଼ି ଛୋଟ ବଡ଼ ଆଦି ସମସ୍ତ ପର୍ବତ ପ୍ରତ୍ୟେକ ଗୁମ୍ଫା ଓ ପ୍ରତ୍ୟେକ ଓ ଶୃଙ୍ଗ ଦୁଃଖ ସହ୍ୟ କରି ଆନନ୍ଦରେ ଖୋଜିଲେ ।
୩୯ଶ ପଦ :- ବିଭାକର-ସୂର୍ଯ୍ୟ ।
୩୯ଶ ପଦ :- ଆଉ ମଧ୍ୟ ପ୍ରତ୍ୟେକ ବନ, ପ୍ରତ୍ୟେକ ଗଛ ଓ ଗଛମାନଙ୍କରେ ଥିବା ପ୍ରତ୍ୟେକ କୋରଡ଼ ଖୋଜିଲେ । ପୂର୍ବଦିଗକୁ ଯାଇଥିବା ଦୂତମାନେ ମାଲ୍ୟବନ୍ତ ପର୍ବତଠାରୁ ସୂର୍ଯ୍ୟ ଉଦୟ ହେବା ସ୍ଥାନ ପର୍ଯ୍ୟନ୍ତ ଅର୍ଥାତ୍ ଉଦୟାଚଳ ପର୍ଯ୍ୟନ୍ତ ଓ ପଶ୍ଚିମଦିଗକୁ ଯାଇଥିବା ଦୂତମାନେ ସୂର୍ଯ୍ୟ ଯେଉଁ ସ୍ଥାନକୁ ଯାଇ ଅସ୍ତ ହୁଅନ୍ତି ଅର୍ଥାତ୍ ଅସ୍ତାଚଳ ପର୍ଯ୍ୟନ୍ତ ଯାଇ ଖୋଜିଲେ ।
୪୦ଶ ପଦ :- ସେହିପରି ଉତ୍ତରଦିଗ ଦୂତମାନେ ବର୍ଷା ଓ ଶୀତଋତୁ ଦୁହେଁ ଏକତ୍ର ଯେଉଁଠାରେ ବାସ କରନ୍ତି ସେ ପର୍ଯ୍ୟନ୍ତ ଅର୍ଥାତ୍ ଉତ୍ତର ଦିଗର ଚକ୍ରବାଳ ପର୍ଯ୍ୟନ୍ତ ଯାଇ ଖୋଜିଲେ । ମାତ୍ର ଏହି ତିନିଦିଗର ଦୂତମାନେ କୌଣସିଠାରେ ସତୀ ସୀତାଙ୍କୁ ନ ଦେଖି ନିର୍ଦ୍ଧାରିତ ମାସ ପୂରିଯିବାରୁ ଫେରିଲେ ।
ବିଧିପୂର୍ବ କରି ପୂର୍ବ ।ବାରତା କଥିତ ସର୍ବ ।ରହିଲେ ଉତ୍ତର, ଉତ୍ତର କହିଲେ ପ୍ରତୀଚୀର ପ୍ରତିଠାବ ।୪୧ ।ବୃକ୍ଷକ ନାମରେ ରମ୍ୟା ।ବେନି ଫୁଲ ଜଳଧାମା ।ବାମା-ନେତ୍ରସ୍ଥିତ, ଲତା ମୁଖ ଜାତ, ଠିକ ମହୀପତି ନାମା ।୪୨ ।ବପୁସାର ଆଦିକରି ।ବିଲୋକ ବାର୍ତ୍ତା ପ୍ରଚାରି ।ବଳିଦାନ ଘେନା ଏକା ଦେଖି ନାହୁଁ କାହିଁ ଅଛି ସୁକୁମାରୀ ।୪୩ ।ବିସ୍ମୟେ ରାମ ନିର୍ବାକ ।ବୋଲେ ପୁବଗନାୟକ ।ବଳାହକ ହୋଇ ଦକ୍ଷିଣ ଦୂତେ ସେ ତୋଷିବେ ଚିତ୍ତଚାତକ ।୪୪ ।ବଜ୍ର ଅଙ୍ଗଚ ସମ୍ଭବ ।ବିଦ୍ୟୁଜ୍ମରଚ୍ଚ ଜାମ୍ବବ ।ବର୍ଣ୍ଣ ନିଳ ପଦମାନ ଜାତ ମେଳ ଘନ ରସ ଉପଜିବ ।୪୫ ।୪୧ଶ ପଦ :- ବିଧିପୂର୍ବକ-ଯଥାବିଧି । ପ୍ରତୀଚୀ-ପଶ୍ଚିମ ଦିଗ ।
୪୧ଶ ପଦ ;- ପୂର୍ବଦିଗକୁ ଯାଇଥିବା ଦୂତମାନେ ବିଧିପୂର୍ବ କରି ଅର୍ଥାତ୍ କିପରି ଭାବରେ ଗଲେ, କେଉଁ କେଉଁ ସ୍ଥାନରେ ରହିଲେ ଓ କି ରୀତିରେ ଖୋଜିଲେ-ଏହି ସମସ୍ତ କଥା କହିଲେ । ଉତ୍ତର ଦିଗ ଦୂତମାନେ ମଧ୍ୟ ସେହିପରି (ପୂର୍ବଦିଗ ଦୂତମାନେ ଯେଉଁପରି କହିଥିଲେ, ସେହିପରି) ଉତ୍ତର ଦେଲେ । ପଶ୍ଚିମ ଦିଗର ଦୂତମାନେ କହିଲେ, ‘‘ଆମ୍ଭେମାନେ ପ୍ରତ୍ୟେକ ସ୍ଥାନ ସେମାନଙ୍କ ପରି ଖୋଜିଲୁଁ ।’’
୪୨ଶ ପଦ ;- ବୃକ୍ଷକ ନାମ-ନାରଙ୍ଗ, ଐରାବତ ।
୪୨ଶ ଓ ୪୩ଶ ପଦ :- ଶେଷରେ ସମସ୍ତେ ଏକତ୍ରିତ ହୋଇ କହିଲେ, ‘‘ଆମ୍ଭେମାନେ ରମଣୀୟ ପୂର୍ବଦିଗରେ କୌଣସି ଏକ ବୃକ୍ଷ (ନାରଙ୍ଗ ବୃକ୍ଷ)ର ନାମମାନଙ୍କ ମଧ୍ୟରୁ ଏକମାତ୍ର ନାମରେ ଅଭିହିତ ହସ୍ତୀ ଐରାବତକୁ, ଆଗ୍ନେୟ ଓ ନୈରୁତ ଦିଗରେ ଜଳଜାତ ଦୁଇଗୋଟି ପୁଷ୍ପର (ପଦ୍ମ ଓ କଇଁ) ପ୍ରଧାନ ନାମରେ ଅଭିହିତ ହୋଇଥିବା ହସ୍ତୀ । (ପୁଣ୍ଡରୀକ ଓ କୁମୁଦ) ଦୁହିଁକୁ, ପଶ୍ଚିମଦିଗରେ ସ୍ତ୍ରୀମାନେ ଆକ୍ଷିରେ ଯାହା ଲଗାଇଥାନ୍ତି ଅର୍ଥାତ୍ ଅଞ୍ଜନ ଏହି ନାମରେ ଅଭିହିତ ହସ୍ତୀକୁ, ବାୟବ୍ୟରେ ଲତାରୁ ଜାତ ଅର୍ଥାତ୍ ପୁଷ୍ପ ଓ ମୁଖରେ ଜାତ ଅର୍ଥାତ୍ ଦନ୍ତ ଏହି ଦୁଇଶବ୍ଦର ମିଳନରେ ନିଷ୍ପନ୍ନ ହେଲା ଯେଉଁ ଶବ୍ଦ ଅର୍ଥାତ୍ ପୁଷ୍ପଦନ୍ତ ଏହି ନାମରେ ଅଭିହିତ ହସ୍ତୀକୁ, ଉତ୍ତର ଦିଗରେ ରାଜାମାନଙ୍କ ମଧ୍ୟରେ ପ୍ରଧାନ ରାଜା ଯେଉଁ ନାମରେ ଅଭିହିତ ହୁଅନ୍ତି ଅର୍ଥାତ୍ ସାର୍ବଭୌମ ନାମରେ ବିଖ୍ୟାତ ହସ୍ତୀକୁ ଓ ଐଶାନ୍ୟରେ ସାର (ଉତ୍କୃଷ୍ଟ) ଏହି ଅର୍ଥକୁ ପ୍ରକାଶ କରୁଥିବା ସୁଶବ୍ଦକୁ ଆଦ୍ୟରେ ରଖି ବପୁ ଏହି ଅର୍ଥକୁ ପ୍ରକାଶ କରୁଥିବା ପ୍ରତୀକ ଶବ୍ଦକୁ ଶେଷରେ ରଖିଲେ ଯେଉଁ ଶବ୍ଦ ହେବ ଅର୍ଥାତ୍ ସୁପ୍ରତୀକ ଏହି ନାମରେ ପ୍ରସିଦ୍ଧ ହସ୍ତୀକୁ ଦେଖି; ସୀତା ହରଣ ବିଷୟ ପ୍ରଚାର କରି ଅର୍ଥାତ୍ ଦିଗନ୍ତବ୍ୟାପୀ ଅନ୍ୱେଷଣ ଓ ପ୍ରଚାର ଚଳାଇ ଆସିଲୁ; କିନ୍ତୁ ଏକମାତ୍ର ସେହି ‘ବଳି ଦାନଘେନା’ ବାମନ ନାମକ ହସ୍ତୀର ଦିଗକୁ ଓ ଏକମାତ୍ର ସହି ସୁକୁମାରୀ ସୀତା ଥିବା ସ୍ଥାନକୁ କେଉଁ ଦିଗରେ ଦେଖିଲୁ ନାହିଁ’’ (ପୂର୍ବଦିଗରେ ହସ୍ତୀ ଐରାବତ, ଆଗ୍ନେୟର ପୁଣ୍ଡରୀକ୍, ନୈରୁତର କୁମୁଦ, ପଶ୍ଚିମ ଦିଗର ଅଞ୍ଜନ, ବାୟବ୍ୟର ପୁଷ୍ପଦନ୍ତ, ଉତ୍ତର ଦିଗର ସାର୍ବଭୌମ, ଐଶାନର ସୁପ୍ରତୀକ, ଦକ୍ଷିଣ ଦିଗର ବାମନ) ।
୪୪ଶ ପଦ :- ପ୍ଲବଗନାୟକ-ସୁଗ୍ରୀବ । ବଳାହକ ମେଘ ।
୪୪ଶ ପଦ :- ରାମ ଦୁତମାନଙ୍କଠାରୁ ଏହି କଥା ଶୁଣି ବିସ୍ମୟବଶତଃ ନିରବ ହେଲେ । ତାଙ୍କର ଏହିପରି ଅବସ୍ଥା ଦେଖି ସୁଗ୍ରୀବ କହିଲେ, ଆପଣଙ୍କ ଚିତ୍ତରୂପ ଚାତକକୁ ଦକ୍ଷିଣ ଦିଗର ଦୂତମାନେ ମେଘପରି ହୋଇ ତୋଷିବେ । (ଅର୍ଥାତ୍ ମେଘ ଯେଉଁପରି ଚାତକକୁ ସନ୍ତୁଷ୍ଟ କରେ, ଦକ୍ଷିଣ ଦିଗର ଦୂତମାନେ ସେହିପରି ଆପଣଙ୍କ ଚିତ୍ତକୁ ସନ୍ତୁଷ୍ଟ କରିବେ) ।
୪୫ଶ ପଦ :- ଜରତ-ବୃଦ୍ଧ । ପବମାନ-ପବନ, ହନୁମାନ । ଘନରସ-ପ୍ରଗାଢ଼ ଆନନ୍ଦ, ମେଘ ଜଳ । ବ୍ରଜ-ହୀରକ, ବଜ୍ର । ବିଦ୍ୟୁତ ନିଷ୍ପ୍ରଭ- ବିଜୁଳୀ ।
୪୫ଶ ପଦ :- ବଜ୍ର, ବିଜୁଳି; ନୀଳବର୍ଣ୍ଣ ଓ ପବନ ଏକତ୍ର ମିଳିତ ହେଲେ ଯେପରି ‘ଘନରସ’ ବର୍ଷା ଜଳର ଉତ୍ପତ୍ତି ହୁଏ ଅର୍ଥାତ୍ ବୃଷ୍ଟି ହୁଏ, ସେହିପରି ବଜ୍ର ତୁଲ୍ୟ ଅପ୍ରତିହତ ଗତି ଅଙ୍ଗଦ, ବୃଦ୍ଧ ହୋଇଥିଲେ ସୁଦ୍ଧା ବିଜୁଳିପରି ଅତି ଅଳ୍ପ ସମୟ ମଧ୍ୟରେ ବହୁଦୂରଗାମୀ ଜାମ୍ବବ, (ବିଜୁଳି ଯେପରି ହଠାତ୍ ବହୁଦୂର ଗତି କରି ଅଦୃଶ୍ୟ ହୋଇଯାଏ, ଜାମ୍ବବ ବୃଦ୍ଧ ହୋଇଥିଲେ ମଧ୍ୟ ସେହିପରି ଅଳ୍ପ ସମୟରେ ବହୁଦେଶ ଗମନ କରିପାରନ୍ତି ) । ମେଘ ଯେପରି ସ୍ୱୀୟ ନୀଳିମା ଦ୍ୱାରା ଜଗତକୁ ଆଚ୍ଛନ୍ନ କରି ବୃଷ୍ଟି କରିବାରେ ଦକ୍ଷ, ସେହିପରି ନୀଳବର୍ଣ୍ଣ ନୀଳ ସମସ୍ତଙ୍କ ଦୃଷ୍ଟିକୁ ଅନ୍ଧକାରାଚ୍ଛନ୍ନ କରି ନିଜ କାର୍ଯ୍ୟ କରିବାରେ ପାରଙ୍ଗମ (ଅର୍ଥାତ୍ ପ୍ରଧାନ ଗୁପ୍ତଚର) ଏବଂ ପବନ ପରି ସର୍ବତ୍ର ସଞ୍ଚରଣଶୀଳ ତାହାଙ୍କର ପୁତ୍ର ହନୁମାନ ମେଳ ହୋଇଥିବାରୁ ‘ଘନରସ’ ପ୍ରଗାଢ଼ ଆନନ୍ଦ ଅର୍ଥାତ୍ ସୀତାଙ୍କ ସମ୍ୱାଦଜନିତ ହର୍ଷ ଉପୁଜିବ ବୋଲି ସମ୍ଭବ ହେଉଅଛି ।
୪୬ଶ ପଦ :- ସୁଗ୍ରୀବ ଏହିପରି ବୋଧ ଦେବାରୁ ରାମଚନ୍ଦ୍ର ହସିଲେ । ଏହି ସମୟରେ ଶିଶିର ଋତୁ ପ୍ରଭାଶୂନ୍ୟ ହୋଇଯିବାରୁ ଜାଡ଼ ବାଘପରି ଆସି ମାଡ଼ି ବସନ୍ତେ, ଲୋକମାନେ ମୋଡ଼ି ହୋଇ ଇଷି ଇଷି ଭାଷିଲେ ।
ବୋଧନ୍ତେ ଶ୍ରୀରାମ ହସି ।ବିକାଶେ ଶିଶିର ଆସି ।ବ୍ୟାଘ୍ର ପ୍ରିୟ ମାଡ଼ିବସୁଁ ଲୋକେ ମୋଡ଼ି ହୋଇ ଇଷି ଭାଷି ।୪୬ ।ବାସର ଶିଶୁ ସମରେ ।ବଢ଼ି ଆସଇ କ୍ରମରେ ।ବାଣୀ ଶୁକପୋତ ରୁତ ପ୍ରକାଶିତ କଉତୁକ ସୁରମ୍ୟରେ ।୪୭ ।ବିଗତ ଶଯ୍ୟା ପ୍ରାତରେ ।ବୁଡ଼ କରେ ସାଧୁନୀରେ ।ବୃଜିନ ଦୋଷ ନାହିଁ ବୋଲି ଆମ୍ଭର ମାଧବ ନାମ ଉଚ୍ଚାରେ ।୪୮ ।ବର୍ତ୍ତୁଳ ଲାଙ୍ଗଳୀଫଳ ।ବିଚିତ୍ର ଚିତ୍ରେ ଉଜ୍ଜ୍ୱଳ ।ବଚନ ଏରୂପ ଧରିବା ବିଚାର ପୂଜିଲେ କିଶୋରକୁଳ ।୪୯ ।ବାଲ୍ୟ ଅବସ୍ଥା ସେବତୀ ।ବିସଜ କି ପୁଷ୍ପବତୀ?ବହେ ରାଗ ଅତି ତରୁଣ ଧାତୁକୀ ଅନୁସରିଣ ଝଟତି ।୫୦ ।୪୭ଶ ପଦ :- ବସର-ଦିବସ । ଶୁକପୋତ-ଶୁକଶାବକ । ରୂତ-ଧ୍ୱନି ।
୪୭ଶ ପଦ :- ଶୀତକାଳ ଉପସ୍ଥିତ ହେବାରୁ ଦିନମାନେ ଛୋଟ ଛୋଟ ପିଲାମାନଙ୍କ ପରି ବଢ଼ିବାକୁ ଲାଗିଲେ । ପିଲାମାନେ ଦରୋଟି କଥା କହିଲା ପରି ଶୁକ ଶାବକସବୁ କୌତୁକଜନକ ମନୋହର ଧ୍ୱନି ପ୍ରକାଶ କଲେ ।
୪୮ଶ ପଦ :- ବିଗତଶଯ୍ୟା-ଶଯ୍ୟା ତ୍ୟାଗ କରି । ବୃଜିନ-ପାପ । ମାଧବ-ବିଷ୍ଣୁ ।
୪୮ଶ ପଦ :- ସାଧୁ ଲୋକମାନେ ପ୍ରଭାତରୁ ଶଯ୍ୟା ପରିତ୍ୟାଗ କରି ସ୍ନାନ କରି ସାରିବା ପରେ ‘ଆମ୍ଭଠାରେ ପାପ ବା ଅନ୍ୟ କୌଣସି ଦୋଷ ନରହୁ’ ବୋଲି ବିଷ୍ଣୁଙ୍କ ନାମ ଉଚ୍ଚାରଣ କରିବାକୁ ଲାଗିଲେ । (ଲୋକମାନେ ମାଘ ସ୍ନାନ କରି ବିଷ୍ଣୁଙ୍କ ଭାଜନରେ ରତହେଲେ) ।
୪୯ଶ ପଦ :- ଲାଳଙ୍ଗୀଫଳ-ନଡ଼ିଆ । ବିଚିତ୍ର-ବିଶେଷରେ ଚିତ୍ରିତ । ବକ୍ଷୋଜ-ସ୍ତନ । କିଶୋରକୁଳ-ଦଶଠାରୁ ପନ୍ଦର ବର୍ଷ ବୟସ୍କ ବାଳକଗଣ ।
୪୯ଶ ପଦ :- ଦଶବର୍ଷଠାରୁ ପନ୍ଦରବର୍ଷ ବୟସ୍କ ବାଳକମାନେ ଗୋଲାକାର ନଡ଼ିଆ ସବୁ ନାନାରଙ୍ଗରେ ଅତି ସୁନ୍ଦର ଭାବରେ ଚିତ୍ର କରି ‘‘ଗୁରୁଙ୍କ କଥାନୁସାରେ ଆମ୍ଭେ ଏହାକୁ ଧରିବା’’ ଏହି କଥା ବିଚାରି ପୂଜିବାକୁ ଲାଗିଲେ (କ୍ରମେ ବସନ୍ତ ପଞ୍ଚମୀ ଉପସ୍ଥିତ ହେଲା ) ।
୫୦ଶ ପଦ :- ତରୁଣ-ଯୁବା । ରାଗ-ସ୍ନେହ, ରକ୍ତିମା । ଧାତୁକୀ-ବୃକ୍ଷ ବିଶେଷ ।
୫୦ଶ ପଦ :- ସେବତୀ ଲତା ବାଲ୍ୟାବସ୍ଥା ତ୍ୟାଗ କରି ‘ପୁଷ୍ପବତୀ’ ପୁଷ୍ପବିମଣ୍ଡିତା ହେଲା କି ? ନା ତାହା ନୁହେଁ, ସେ ପୁଷ୍ପବତୀ ଅର୍ଥାତ୍ ରଜସ୍ୱଜା ହେଲା । ଯେପରି ଯୁବକ ହଠାତ୍ ପୁଷ୍ପବତୀ ହୋଇସାରିଥିବା ସ୍ତ୍ରୀକୁ ଅନୁସରଣ କରି ତା ପ୍ରତି ଅନୁରକ୍ତ ହୁଏ; ଯୁବକ ଧାତୁକୀ ବୃକ୍ଷ ଶୀଘ୍ର ତାହାକୁ ଅନୁସରଣ କରି (ସେ ଫୁଟିବାର ପରେ ପରେ) ଅତିଶୟ ‘ରାଗ’ ରକ୍ତିମା ଧାରଣ କଲା ଅର୍ଥାତ୍ ରକ୍ତବର୍ଣ୍ଣ କୁସୁମରେ ମଣ୍ଡିତ ହେଲା ।
ବିରହୀ ସୁମନାହତେ ।ବିଟ ବଧୁଲିଟବ୍ରାତେ ।ବ୍ୟଥିତ ତ୍ୟଜି ସମତ୍ତେ ରସେ ମଜ୍ଜି ଅନବରତରେ ମାତେ ।୫୧ ।ବିହରୁ ଦକ୍ଷିଣଚାରେ ।ବାଟେ ଏକ ମହାସୁରେ ।ବିରୋଧୀ କେଶ ଭୁଜ ପାଦ ଧରିଣ ମାରେ କଫୋଣୀ ପ୍ରହାରେ ।୫୨ ।ବୁଲି ବୁଲି ଶ୍ରମ ପାଇ ।ବିଳେକ ଭେଟିଲେ ଯାଇ ।ବ୍ୟାଳ ସାହସ ଗୁନ୍ଥାମାଳୀ ସଦୃଶ ପ୍ରବେଶ ତହିଁ ଝସାଇ ।୫୩ ।ବୈକୁଣ୍ଠ ଖର୍ବଟ ପରି ।ବିଲୋକିତ ଏକ ପୁରୀ ।ବସିଛ ରାମାଏ ଲାବଣ୍ୟଧାମାଏ ନାନାରତ୍ନକୁଟ ସରି ।୫୪ ।ବାଳ ଅକଳ ଗୋମାଳୀ ।ବକ୍ରଡୋଳା ଭୁରୁବଲ୍ଲୀ ।ବାର ବାର ନୀଳମଣି ମରକତ ଶ୍ରେଣୀରୁ ଦିଶିଲା ଝଳି ।୫୫ ।୫୧ଶ ପଦ :- ସୁମନା- ପ୍ରିୟା, ମାଳତୀଫୁଲ । ବିଟ-ଲମ୍ପଟ ପୁରୁଷ । ମଧୁଲିଟବ୍ରାତ- ଭ୍ରମର ସମୂହ ।
୫୧ଶ ପଦ :- ପ୍ରିୟାର ବିନାଶ ଘଟିଲେ ଲମ୍ପଟ ପୁରୁଷମାନେ ଯେପରି ବିରହୀ ହୁଅନ୍ତି, ଶିଶିର ଋତୁରେ ମାଳତୀ ଫୁଲ ନାଶ ହେବାରୁ ଭ୍ରମରମାନେ ସେହିପରି ବିରହୀ ହେଲେ ଏବଂ ବିରହୀମାନେ ଅନ୍ୟ ସ୍ତ୍ରୀ ସହ ଶୃଙ୍ଗାରରେ ମଜ୍ଜିଲେ ଯେପରି ସେହି ପର୍ବ ଦୁଃଖକୁ ଛାଡ଼ି ଅନବରତ ନବପ୍ରାପ୍ତା ରମଣୀ ସହ ମାତନ୍ତି, ସେହିପରି ଭ୍ରମରମାନେ ମାଳତୀ ବିଯୋଗ ଦୁଃଖକୁ ପାଶୋରି ଅନ୍ୟ ଫୁଲମାନଙ୍କରୁ ରସ ଉପଭୋଗ କରିବାରେ ଲାଗିଲେ ।
୫୨ଶ ପଦ :- ଦକ୍ଷଣ ଦିଗର ଦୂତମାନେ ବାଟରେ ଯାଉଥିବା ସମୟରେ ଗୋଟାଏ ବଡ଼ ଅସୁର ସେମାନଙ୍କର ବିରୋଧ ହେଲା । ସେମାନେ ତାହାର କେଶ, ଭୂଜ ଓ ପାଦ ଧରି କହୁଣୀ ମାଡ଼ରେ ତାକୁ ମାରି ପକାଇଲେ ।
୫୩ଶ ପଦ :- ବିଳ-ଗର୍ତ୍ତ । ବ୍ୟାଳ-ସର୍ପ ।
୫୩ଶ ପଦ :- ସେମାନେ ବୁଲି ବୁଲି ପଥଶ୍ରାନ୍ତ ହୋଇ ଯାଉଥିବା ସମୟରେ ଗୋଟିଏ ଗାତ ଦେଖି ସାପ ପରି ସାହସ ଅବଲମ୍ବନ କରି ଗୁନ୍ଥା ହୋଇଥିବା ମାଳୀ ସଦୃଶ ଜଣକ ପରେ ଜଣେ ସେହି ଗାତରେ ବଳାତ୍କାର ପୂର୍ବକ ପ୍ରବେଶ କଲେ ।
୫୪ଶ ପଦ :- ଖର୍ବଟ-ପଡ଼ାଗ୍ରାମ । ନାନାରତ୍ନକୁଟ-ବିବିଧ-ରତ୍ନପୁଞ୍ଜ । ରାମା-ସ୍ତ୍ରୀ ।
୫୪ଶ ପଦ :- ସେମାନେ ସେହି ଗର୍ତ୍ତ ମଧ୍ୟରେ ପ୍ରବେଶ କରି ବୈକୁଣ୍ଠପୁରର ପଡ଼ାଗ୍ରାମ ପରି ଗୋଟିଏ ସୁନ୍ଦର ନଗରୀ ଦେଖିଲେ । ସେହି ପୁର ମଧ୍ୟରେ ନାନାବିଧ ରତ୍ନପୁଞ୍ଜ ତୁଲ୍ୟ ଗୋଟିଏ ଲାବଣ୍ୟମୟୀ ରମଣୀ ବସିଅଛି ।
୫୫ଶ ପଦ :- ଅଳକ-ଚୁର୍ଣ୍ଣକୁନ୍ତଳ । ରୋମାବଳି-ନାଭିର ଅଧୋ ଦେଶରୁ ବକ୍ଷ ପର୍ଯ୍ୟନ୍ତ ଲାଗିରହିଥିବା ଲୋମରାଜି ।
୫୫ଶ ପଦ :- ସେହି ରମଣୀର କେଶ, ଚୂର୍ଣ୍ଣ କୁନ୍ତଳ, ରୋମାବଳୀ, ବକ୍ର ଡୋଳା (ଅପାଙ୍ଗ ଦୃଷ୍ଟି), ଭ୍ରୂଲତା, ଏମାନଙ୍କୁ ଯେତେ ଦେଖୁଥିଲେ ସୁଦ୍ଧା ନୀଳମଣି ଓ ମରକତମଣି ସମୂହଠାରୁ ଅଧିକ ଉଜ୍ଜ୍ୱଳ ଦେଖାଯାଉଥିଲା ।
ବିଡ଼ମ୍ବ ଓଷ୍ଠ ନେତ୍ରାନ୍ତ ।ବନଜ ଚରଣ ହସ୍ତ ।ବିଦ୍ରୁମ ମାଣିକ୍ୟ ଅମୁଲ୍ୟ ଛବିରେ ଚିତ୍ତି ହୁଏ ଅନୁରକ୍ତ ।୫୬ ।ବିକାଶ ହାସ ଦଶନେ ।ବିଘଟେ ନଖ ପ୍ରସନ୍ନେ ।ବଜ୍ରମଣି ମୋତିପନ୍ତ ଅପଘନ କାଞ୍ଚନେ ଜଡି ଯତନେ ।୫୭ ।ବୋଲେ କେ ନୋହେ ଏ ରାମା ।ବିଧାତା ଯୁକ୍ତା ପ୍ରତିମା ।ବାଞ୍ଛିତ ତ୍ରିପୁର ମୋହେ ତିନି ପୁଷ୍ପ ଦେଇ କରିଛି ସୁଷମା ।୫୮ ।ବାସୁଅଛି ମହମହ ।ବଦନ ସରସୀରୁହ ।ବିରଳ ଅଙ୍ଗୁଳି ନିଶ୍ଚେ ଚମ୍ପାକଳୀ ଶିରୀଷକୋମଳ ଦେହ ।୫୯ ।ବୋଲେ କେ ମନ୍ତ୍ରେ ସ୍ୱଜୀବ ।ବ୍ୟର୍ଥ ନୁହଇ ଏ ଧ୍ରୁବ ।ବସେ ସ୍ଥାନେ ସ୍ଥାନେ ଖଞ୍ଜନ ମକ୍ଷିକା ଚକ୍ରବାକ ଅସମ୍ଭବ ।୬୦ ।୫୬ଶ ପଦ :- ବିଡ଼ମ୍ବ-ଉପହସିତ । ଛବି-କାନ୍ତି । ବନଜ-ପଦ୍ମ । ବିଦ୍ରୂମ-ପୋହଳା ।
୫୬ଶ ପଦ :- ତାର ପଦ୍ମକାନ୍ତି ଜିଣା ଓଷ୍ଠ, ନେତ୍ରପ୍ରାନ୍ତ, ହାତ ଓ ପାଦ ପୋହଳା ଏବଂ ମାଣିକ୍ୟ ଏହି ଦୁଇ ଅମୂଲ୍ୟ ବସ୍ତୁର କାନ୍ତିକୁ ଧାରଣ କରିଥିବାରୁ ଦର୍ଶକର ଚିତ୍ତ ତାହା ପ୍ରତି ଆକୃଷ୍ଟ ହେଉଥିଲା ।
୫୭ଶ ପଦ :- ଦଶନ-ଦାନ୍ତ । ବିଘଟେ-ପ୍ରକାଶିକ ହେବାରେ । ପ୍ରସନ୍ନ-ନିର୍ମଳ । ବଜ୍ରମଣି-ହୀରା । ଅପଘନ-କାଞ୍ଚନ-ଦେହସୁବର୍ଣ୍ଣ । ଯତ୍ନେ-ମନୋହର ଭାବରେ ।
୫୭ଶ ପଦ :- ସେ ହସିଲେ ତାର ଦାନ୍ତରେ ହୀରାର ଶୋଭା ଦୃଶ୍ୟ ହେଉଥିଲା ଓ ନିର୍ମଳ ନଖପଂକ୍ତିରେ ମୋତିସମୂହର ଶୋଭା ପ୍ରକାଶିତ ହେଉଥିଲା । ଏହି ରତ୍ନତୁଲ୍ୟ ଅଙ୍ଗଗୁଡ଼ିକ ସୁବର୍ଣ୍ଣସମ ଦେହରେ ଯତ୍ନ ପୂର୍ବକ ଜଡ଼ିତ ହୋଇ ଅଛନ୍ତି ।
୫୮ଶ ପଦ :- ସୁଷମା-ଶୋଭା ।୫୯ଶ ପଦ :- ସରସୀରୁହ-ପଦ୍ମ । ବିରଳ-ପୃଥକ ପୃଥକ୍ ।
୫୮ଶ ଓ ୫୯ଶ ପଦ :- ସେହି ସ୍ତ୍ରୀକୁ ଦେଖି ଦୂତମାନଙ୍କ ମଧ୍ୟରୁ କେହି କହିଲା, ‘‘ଏହି ସ୍ତ୍ରୀ ‘ରାମା’ ରାମଙ୍କ ସ୍ତ୍ରୀ ସୀତା ନୁହେଁ । ଅଥବା ଏ ସ୍ତ୍ରୀ ନୁହେଁ, ବିଧାତା ପୂଜା କରୁଥିବା ପ୍ରତିମା । ସୁତରାଂ ବିଧାତା ତ୍ରିପୁରକୁ ମୋହିବା ଇଚ୍ଛାରେ ତିନିଗୋଟି ଫୁଲ ଦେଇ ଏହାକୁ ଶୋଭାବତୀ କରିଅଛି । ଅର୍ଥାତ୍ ଏହାର ମୁଖ ସ୍ଥାନରେ ପଦ୍ମ, ଅଙ୍ଗୁଳି ସ୍ଥାନରେ ଚମ୍ପାକଢ଼ି ଓ ଦେହରେ ଶିରୀଷ ଫୁଲ ଖଞ୍ଜି ଶୋଭାକୁ ବଢ଼ାଇଛି । ସେହି ହେତୁରୁ ଏହାର ମୁଖ ପଦ୍ମଫୁଲପରି ମହ ମହ ବାସୁଛି । ଅଙ୍ଗୁଳିଗୁଡ଼ିକ ନ ବାସି ପୃଥକ୍ ପୃଥକ୍ ହୋଇ ରହିଥିବାରୁ ନିଶ୍ଚୟ ଚମ୍ପାକଢ଼ୀ ଓ ଦେହ ବାସୁ ନ ଥିଲେ ସୁଦ୍ଧା କୋମଳତାର ଅନ୍ତୁମାନରୁ ନିଶ୍ଚୟ ‘‘ଏହା ଶିରୀଷ ପୁଷ୍ପରେ ତିଆରୀ ବୋଲି ଜଣାଯାଉଛି ।’’ (ପୁଷ୍ପ କଢ଼ି ଅବସ୍ଥାରେ ବାସେ ନାହିଁ) ।
୬୦ଶ ପଦ :- ପୁଣି କେହି କହିଲା, ‘‘ଏହି ପୂଜା ପ୍ରତିମା ‘ମନ୍ତ୍ରଦ୍ୱାରା’ ବିଧାତା ନ୍ୟାସ କରିଥିବା ଜୀବନ୍ୟାସ ମନ୍ତ୍ରଦ୍ୱାରା ସଜୀବ ହୋଇଅଛି । ଏ କଥା ମିଥ୍ୟା ନୁହେଁ, ସତ୍ୟ । ଯେହେତୁ ଏହାର ଏକ ଏକ ଅଙ୍ଗରେ ଖଞ୍ଜନ ପକ୍ଷୀ, ମାଛି, ଚକୋର ପକ୍ଷୀ ସବୁ ବସିଥିବାରୁ ଅର୍ଥାତ୍ ଏହାର ମୁଖସ୍ଥ ନେତ୍ରରୂପୀ ଖଞ୍ଜନ, ଉଦରସ୍ଥ ରୋମାବଳୀ ରୂପୀ ମକ୍ଷିକ ଶ୍ରେଣୀ ଓ ବକ୍ଷସ୍ଥ ସ୍ତନରୂପା ଚକୋରଯୁଗଳକୁ ଦେଖିଲେ କିଏ କଳ୍ପନା ନ କରିବ ଯେ, ଏ ପ୍ରତିମା ‘ସଜୀବ’ ଜୀବମାନଙ୍କ ସହିତ ଯୁକ୍ତ ନୁହେଁ ।
ବିଚାରୁଁ ବୋଇଲେ ବାଳୀ ।ବାନରେ କାହିଁରେ ମିଳି ।ବୋଇଲେ ଶ୍ରୀରାମଦୁତ ଆମ୍ଭ ଖୋଜୁଅଛୁଁ ବନେ ମଇଥିଳୀ ।୬୧ ।ବଡ଼ ତୃଷାର୍ତ୍ତୀ ହୋଇଲୁଁ ।ବିବରକୁ ଚାହିଁ ଦେଲୁଁ ।ବିଷ୍କିରେ ନୀରେ ଜରଜର ତହିଁରେ ବାହାରେ ଆମ୍ଭେ ପଶିଲୁଁ ।୬୨ ।ବିନାଶ ହେ ତୃଷା କ୍ଷୁଧା ।ବାନରେ ବୋଇଲା ମୁଗ୍ଧା ।ବୁଜି ନେତ୍ର ଯାଅ ବିଦୃଶ୍ୟପୁରରୁ ସ୍ୱୟଂପ୍ରଭା ମୁହିଁ ସିଦ୍ଧା ।୬୩ ।ବିଂଶଭୁଜ ପୁରେ ନେଇ ।ବନ୍ଦୀ କରିଛି ବୈଦେହୀ ।ବୋଲକୁ ତାହାର ଆଚରଣ କରି ବିନ୍ଧ୍ୟଗିରିପରେ ଶୋହି ।୬୪ ।ବିଦୁଶ୍ୟନ୍ତେ ତହିଁ ଦିଶ ।ବିହିଲେ ଖର ନିଃଶ୍ୱାସ ।ବିହୁଁ କୁଶଶଯ୍ୟା ଅଙ୍ଗଦ ସମ୍ପାଦ ପାଞ୍ଚିଲା କରିବି ଗ୍ରାସ ।୬୫ ।୬୧ଶ ପଦ :- କାହିଁର-କେଉଁସ୍ଥାନର ବା କେଉଁଠାରେ । ମଇଥିଳୀ ବା ମୈଥିଳୀ-ସୀତା ।
୬୧ଶ ପଦ :- ଦୂତମାନେ ଏହିପରି ବିଚାର କରୁଥିବା ସମୟରେ ସେହି ସ୍ତ୍ରୀ କହିଲା, ‘‘ରେ ବାନରମାନେ ! କେଉଁଠାରୁ ଆସି ଏଠାରେ ପହଞ୍ଚିଛ ? ବାନରମାନେ କହିଲେ, ‘‘ଆମ୍ଭେମାନେ ଶ୍ରୀରାମଙ୍କର ଦୂତ; ମିଥିଳା ରାଜକୁମାରୀ ସୀତାଙ୍କୁ ବନରେ ବୁଲି ଖୋଜୁଛୁ ।’’
୬୨ଶ ପଦ :- ବିଷ୍କିରେ-ପକ୍ଷୀମାନେ । ନୀରେ-ପାଣିରେ । ବାହାରେ-ଅର୍ଥାତ୍ ବାହାରିବାର ଦେଖି ।
୬୨ଶ ପଦ :- ‘‘ଆମ୍ଭେମାନେ ଅତିଶୟ ତୁଷାର୍ତ୍ତ ହୋଇ ଏହି ଗାତକୁ ଚାହିଁ ଦେଖିଲୁ ଯେ, ଏହା ମଧ୍ୟରୁ ପାଣି ସର ସର ହୋଇ ପକ୍ଷୀମାନେ ବାହାରୁ ଅଛନ୍ତି । ତେଣୁ ପାଣି ପାଇବା ଆଶାରେ ଭିତରକୁ ପ୍ରବେଶ କଲୁଁ ।’’
୬୩ଶ ପଦ :- ମୁଗ୍ଧା-ସୁନ୍ଦରୀ । ସିଦ୍ଧା-ତପସ୍ୱୀନୀ ।୬୪ଶ ପଦ :- ବିଂଶଭୂଜ-ରାବଣ ।
୬୩ଶ ଓ ୬୪ଶ ପଦ :- ଏହା ଶୁଣି ସେହି ପରମା ସୁନ୍ଦରୀ କହିଲା, ‘‘ହେ ବାନରମାନେ ! ମୁଁ ସିଦ୍ଧା ଅର୍ଥାତ୍ ତପସ୍ୟାକରି ସିଦ୍ଧିଲାଭ କରିଅଛି । ମୋର ନାମ ସ୍ୱୟଂପ୍ରଭା ଅର୍ଥାତ୍ ମୁଁ ଏହି ଗାତ ମଝିରେ ଥାଇ ସୁଦ୍ଧା ସମସ୍ତ ବସ୍ତୁ ଦେଖିପାରେ । ତୁମ୍ଭେମାନେ ମୋ କଥାନୁସାରେ କ୍ଷୁଧାତୃଷାଶୂନ୍ୟ ହୋଇ ଆକ୍ଷି ବୁଜି ଏହି ଅଦୃଶ୍ୟ ପୂରରୁ ଫେରିଯାଅ । ରାବଣ ସୀତାଙ୍କୁ ନେଇ ତାର ପୁରୀରେ (ଲଙ୍କାରେ) ବନ୍ଦୀକରି ରଖିଛି ।’’ ଏହା ଶୁଣି ଦୂତମାନେ ତାର କଥା ଅନୁସାରେ ଆକ୍ଷି ବୁଜିବାରୁ ବିନ୍ଧ୍ୟ ପର୍ବତ ଉପରେ ଉପସ୍ଥିତ ହେଲେ ।
୬୫ଶ ପଦ :- ଦୂତମାନେ ସେହି ପର୍ବତ ଉପରେ ରହି ସମୁଦ୍ରର ଉତ୍ତାଳ ତରଙ୍ଗମାଳା ଆଲୋଡ଼ିତ ଦକ୍ଷିଣଦିଗକୁ ଦେଖି ଅତି ଦୀର୍ଘ ନିଶ୍ୱାସ ତ୍ୟାଗ କଲେ । ଅର୍ଥାତ୍ ‘କିପରି ଏହି ଦୁର୍ଦ୍ଧର୍ଷ ସମୁଦ୍ରକୁ ପାରି ହେବା’- ଏହିକଥା ଭାବି ଦୁଃଖିତ ହେବାକୁ ଲାଗିଲେ । ସମସ୍ତଙ୍କୁ ଭୀତ ହେବାର ଦେଖି, ଅଙ୍ଗଦ ପ୍ରାଣତ୍ୟାଗ କରିବା ନିମିତ୍ତ କୁଶଶଯ୍ୟା ବିଧାନ କଲା (କୁଶ ବିଛାଇ ଶୋଇଲା) । ଏହି ମସୟରେ ସମ୍ପାତି ତାକୁ ଖାଇବ ବୋଲି ଭାବିଲା ।
ବଦୁଁ ସେ ଆଉମାନଙ୍କୁ ।ବାର୍ତ୍ତା କହ ଶ୍ରୀରାମଙ୍କୁ ।ବିନାଶ ତାହାଙ୍କ କାର୍ଯ୍ୟରେ ଜଟାୟୁ ଲଭେ ପରମଧାମକୁ ।୬୬ ।ବିହଗ ପଚାରେ ତାକୁ ।ବଧିଲା କେ ଜଟାୟୁକୁ?ବ୍ୟବସ୍ଥିତେ ସର୍ବ କହୁଁ ବୋଲେ ଟେକି ନିଅ ହେ ମୋତେ ସ୍ନାନକୁ ।୬୭ ।ବାଜ ପଲ୍ଲବିଲା ତାର ।ବିକ୍ଳେଶେ ଛୁଇଁ ସେ ବୀର ।ବସାଇ ପୃଷ୍ଠରେ ଲଙ୍କା ଦେଖାଗଲା ସୁମରୁଁ ଆସି ତୁମର ।୬୮ ।ବେନି ଗଲେ ହିମାଳୟେ ।ବଞ୍ଚେ ଅତି କଷ୍ଟମୟେ ।ବିନିଦ୍ରେ ରଜନୀ ନିଏ ରଘୁପତି ଶୀତାର୍ତ୍ତେ ସୀତାର୍ଥେ ଲୟେ ।୬୯ ।ବପୁ ଏକେ ଥର ଥର ।ବାଜେ ପଞ୍ଚଶର ଶର ।ବଳବନ୍ତକୁ ଏତେ ଦୂର କରଇ କି ନୋହିଲେ ଅବଳାର ? ୭୦ ।ବେନି ବେନି ମେଳ ହୋଇ ।ବାନ୍ଧେ କେ ପାଶ ନ ଥାଇ ।ବିନ୍ଧେ କେ ଦେହ ବିହୀନେ କ୍ଷତ ବିନା ହୃଦୟ ମଧ୍ୟେ ଭେଦଇ ।୭୧ ।ବିଚାରିଲେ ରାମଚନ୍ଦ୍ର ।ବାସ୍ତରୀ ପଦେ ଏ ଛନ୍ଦ ।ବୋଲେ ଉପଇନ୍ଦ୍ର ଲେଖି କୃଶ ବୈଦେହୀ ଶୋକରେ ସାନ୍ଦ୍ର ।୭୨ ।୬୭ଶ ପଦ :- ବିହଗ-ପକ୍ଷୀ (ସଂପାତି) । ବ୍ୟବସ୍ଥିତେ-ଆମୁଳ ଚୂଳ ।
୬୬ଶ ଓ ୬୭ଶପଦ :- ‘‘ହେ ସୈନିକମାନେ ! ତୁମ୍ଭେମାନେ ଏଠାରୁ ଯାଇ ଶ୍ରୀରାମଙ୍କୁ କହ ଯେ, ଜଟାୟୁ ତାଙ୍କ କାର୍ଯ୍ୟରେ ଯେପରି ପ୍ରାଣତ୍ୟାଗ କରି ବୈକୁଣ୍ଠଧାମକୁ ଗମନ କଲା, ମୁଁ ସେହିପରି ତାହାଙ୍କ କାର୍ଯ୍ୟରେ ଅକୃତକାର୍ଯ୍ୟ ହୋଇ ପ୍ରାଣତ୍ୟାଗ କରୁଅଛି । ମାତ୍ର ଯେପରି ବୈକୁଣ୍ଠଧାମ ଲାଭ କରିବି ।’’ ଏହି କଥା ଅଙ୍ଗଦ ଅନ୍ୟମାନଙ୍କୁ କହିବାରୁ ନିକଟସ୍ଥ ସମ୍ପାତି ତାହା ଶୁଣିପାରି ପଚାରିଲା, ‘‘ଜଟାୟୁକୁ କିଏ ବଧ କଲା ?’’ ଅଙ୍ଗଦ ଆମୂଳଚୂଳ ସମସ୍ତ କଥା ବର୍ଣ୍ଣନା କରିବାରୁ, ସେ କହିଲା, ‘‘ହେ ବୀର ! ମୋତେ ସ୍ନାନ କରିବା ପାଇଁ ଟେକିନିଅ ।’’
୬୮ଶ ପଦ :- ବାଜ-ଡେଣା । ବିକ୍ଲେଶେ-ଅନାୟାସରେ ଏଠାରେ ହଠାତ୍ ।
୬୮ଶ ପଦ :- ବୀର ଅଙ୍ଗଦ ସମ୍ପାତିକୁ ଛୁଇଁବାରୁ ହଠାତ୍ ତାର ପକ୍ଷ କଅଁଳି ଗଲା । ତତ୍ପରେ ସମ୍ପାତି ତାର ପୁତ୍ରକୁ ସ୍ମରଣ କରିବାରୁ ସେ ଆସି ଦୂତମାନଙ୍କୁ ପିଠିରେ ବସାଇ ଲଙ୍କା ଦେଖାଇ ଦେଲା ।
୬୯ଶ ପଦ :- ଶୀତାର୍ତ୍ତେ-ଶୀତରେ କାତର ହୋଇ । ସୀତାର୍ଥେ-ସୀତା ନିମିତ୍ତ ।
୬୯ଶ ପଦ :- ସମ୍ପାତି ଓ ତାର ପୁତ୍ର ହିମାଳୟକୁ ଗଲେ ଏବଂ ଏହି ଅଷ୍ଟବୀର ଅତି ଦୁଃଖରେ ଦିନ ଯାପନ କରିବାକୁ ଲାଗିଲେ । ରାମଚନ୍ଦ୍ର ଶୀତରେ ଅତ୍ୟନ୍ତ ପୀଡ଼ିତହେବାରୁ ସୀତାଙ୍କ ବିଷୟ ଭାବନାପୂର୍ବକ ଅନିଦ୍ରା ହୋଇ ରାତ୍ରି ଯାପନ କଲେ ।
୭୦ଶ ପଦ :- ବୟ-ଦେହ । ପଞ୍ଚଶର-କନ୍ଦର୍ପ । ଶର-ବାଣ । ଅବଳାର-ସ୍ତ୍ରୀର (ସୀତାର) ।
୭୦ଶ ପଦ :- ରାମଚନ୍ଦ୍ର ଭାବିଲେ, ‘‘ଦେହ ତ ଶୀତ ଯୋଗୁଁ ଥରଥର ହେଉଅଛି, ସେଥିରେ ପୁଣି କନ୍ଦର୍ପର ଶର ବାଜିବାରୁ ମୋ ଭଳି ବଳବାନ୍ ଲୋକକୁ ମଧ୍ୟ ଏତେ ଦୂର କଷ୍ଟ ଅନୁଭବ କରିବାକୁ ହେଉଛି । ‘ଅବଳା’ ଦୂର୍ବଳା ସୀତାର କି ଦୁଃଖ ହେଉ ନ ଥିବ ?’’
୭୧ଶ ପଦ :- ‘‘ଏହି ଶୀତ ଋତୁରେ ସ୍ତ୍ରୀ ପୁରୁଷଙ୍କର ମିଳନ ହେବା ସମୟରେ ମନେ ହୁଏ, କିଏ ବିନା ପାଶରେ ବାନ୍ଧୁଛି କି ? ପୁଣି ବିରହ ହେବା ସମୟରେ ମନେ ହୁଏ, କେହି ଜଣେ ଦେହ ଶୂନ୍ୟ ଲୋକ କ୍ଷତ ନ କରି ହୃଦୟକୁ ଶରଦ୍ୱାରା ଭେଦ କରୁଛି କି ?’’
୭୨ଶ ପଦ :- ରାମଚନ୍ଦ୍ର ଏହିପରି ବିଚାରି ବିଚାରି କ୍ରମେ କ୍ଷୀଣ ଓ ଶୋକାକୁଳିତ ହୋଇ ସୀତା ଯେତେ ମାସ ହେଲା ଅନ୍ତର ହେଲେଣି ତାହା ସବୁ ଗଣନା କଲେ । ଉପଇନ୍ଦ୍ର ଭଞ୍ଜ ଏ ଛାନ୍ଦକୁ ବାସ୍ତରୀ ପଦରେ ରଚନା କଲେ ।
ଚତୁତ୍ରିଂଶ ଛାନ୍ଦରାଗ-ବସନ୍ତବସନ୍ତ ସମୟ ଅତି ରସମୟ ରଭସେ ପ୍ରବେଶ ଆସି ଯେ ।ବିଦ୍ରୁମ ଛବି ସୁଦ୍ରୁମ ଲତା ଭାବି ପଲ୍ଲବେ ସରାଗ ଦିଶି ଯେ ।ବିକଶି ! ବିକଶି କୁସୁମମାନ ଯେ ।ବୋଲାଇଲେ ଜବ ନବ ପୁଷ୍ପବତୀ ଭାବରସ କଲେ ଦାନ ଯେ।୧ ।ବାସନ୍ତୀ ମଲ୍ଲୀ ନିଆଳୀ ଛୁରିଅନା ଯହିଁ ହେଲେ ଇଚ୍ଛାବତୀ ଯେ ।ବାସକୁ ଆସି ଭ୍ରମରଜାରେ ରସି ମଧୁମାଦକରେ ମାତି ଯେ ।ବସନ୍ତ ! ବାତ ବାସ ହରେ ଏକା ଯେ ।ବସାଇ ନ ଦିଅ ପାଶେ ମଧୁପକୁ କେତକୀ ସତୀନାୟିକା ଯେ।୨ ।ବର୍ଯ୍ୟାନାରୀ ପରି ଫୁଲମାଳ ଧରି କେବଳ କିଂଶୁକ ଥାଇ ଯେ ।ବେଶ୍ୟା ପରି ଚୂତ କୋଳେ ପରଭୃତ ବସାଇ ଗୀତ ଗୁଅଇ ଯେ ।ବିହିତ ! ବିହି ପୁନ୍ନାଗ ସୁନାରୀ ଯେ ।ବିଦେଶ ବାହୁଡ଼ା ସମୟେ ବସନ୍ତେ ପୁଲକ ଯାଇ ସଞ୍ଚରି ଯେ।୩ ।ବଞ୍ଜୁଳବନେ ମଞ୍ଜୁଳବତୀ ସୀତା ଏକାଳ ଅବସ୍ଥା ଧରି ଯେ ।ବିକାଶିଲେ ମଲ୍ଲୀ ଫୁଟେ ତନୁଚମ୍ପା ମଦନରସରେ ପୁରି ଯେ ।ବିଧୃତ ! ବିଧୁମୂଖ ଧୂଳି ମ୍ଳାନ ଯେ ।ବୃଦ୍ଧି ହୋଇ ଦୀନଭାବ ଅତିଶୟ ସଂଯୋଗ ପାଣି-ନଳିନ ଯେ।୪ ।ବୋଇଲେ ମଧୁ ତୁ ମୋତେ ଡରାଉଛୁ ରମ୍ୟାପଦୁ ରମା ଘେନି ଯେ ।ବସୁଧାଭୃତ ନୁହଇ ହୃଦୟକୁ ସ୍ଥାପୁ ତୁ ବିରହଅଗ୍ନି ଯେ ।ବୁଧେ ଯେ ! ବିହନ୍ତି ଶମ୍ଭୁ ଉପମା ଯେ ।ବିନାଶ ଚନ୍ଦ୍ରାର୍ଦ୍ଧ ବିପାକ କର୍ମରୁ ନୋହିବୁ କିପାଇଁ ଭ୍ରମା ଯେ।୫ ।୧ମ ପଦ :- ରଭସ-ଶୀଘ୍ର । ବିଦ୍ରୁମ-ପୋହଳା । ସୁଦ୍ରୂମ-ଉତ୍ତମ ବୃକ୍ଷ । ସରାଗ-ରକ୍ତବର୍ଣ୍ଣ । ବିକଶି-ଘଞ୍ଚାଘଞ୍ଚ ହୋଇ । ଜବ-ଶୀଘ୍ର ।