ଭାଗ ୪ — ବୈଦେହୀଶ ବିଳାସ (ତୃତୀୟ ଖଣ୍ଡ) — ଉପେନ୍ଦ୍ର ଭଞ୍ଜ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
୧ମ ପଦ :- ଅତି ମନୋହର ବସନ୍ତ ସମୟ ହଠାତ୍ ଆସି ପୃଥିବୀରେ ଉପସ୍ଥିତ ହେବାରୁ ଉତ୍ତମ ବୃକ୍ଷ ଓ ଲତାମାନେ ବର୍ଣ୍ଣରେ ପୋହଳା ସହିତ ସମାନ ହେବାକୁ ଭାବି ନୂତନ ପତ୍ରମାନଙ୍କଦ୍ୱାରା ରକ୍ତବର୍ଣ୍ଣ ଧାରଣ କଲେ । ପୁଷ୍ପସବୁ ଘଞ୍ଚାଘଞ୍ଚ ହୋଇ ଫୁଟିଲେ । ‘ପୁଷ୍ପବତୀ’ ଯୁବତୀମାନେ ଯେଉଁପରି ଯୁବକମାନଙ୍କୁ ଶୃଙ୍ଗାରରସ ଦାନ କରନ୍ତି, ସେହିପରି ଲତାମାନେ ଶୀଘ୍ର ନୂତନ ପୁଷ୍ପରାଶି ଧାରଣ କରି ଭ୍ରମରମାନଙ୍କୁ ପୁଷ୍ପରସ ପ୍ରଦାନ କଲେ । (ବସନ୍ତ ଆଗମରେ ବୃକ୍ଷମାନେ ପଲ୍ଲବିତ, ଲତାମାନେ ପୁଷ୍ପିତ ଓ ଭ୍ରମରମାନେ ମଧୂପାନରେ ମତ୍ତ ହେଲେ ) ।
୨ୟ ପଦ :- ‘ବାସନ୍ତୀ’ ମାଧବୀ, ମଲ୍ଲୀ, ନିଆଳୀ ଓ ଛୁରୀଅନା ଏମାନେ ‘ଇଚ୍ଛାବତୀ ହେଲେ’ ଯଥେଷ୍ଟ ଫୁଲ ଧାରଣ କଲେ ଅଥବା କାମୁକୀ ସ୍ତ୍ରୀ ପରି ଆଚରଣ କଲେ । କାମୁକୀ ସ୍ତ୍ରୀର ଗୃହକୁ ଆସି ବିଟପୁରୁଷମାନେ ମଦ୍ୟର ମାଦକତା ବଶତଃ ରତିରସରେ ମାତିଲା ପରି ଭ୍ରମରମାନେ ସୁଗନ୍ଧ ହେତୁ ସେହି ବୃକ୍ଷମାନଙ୍କ ନିକଟକୁ ଆସି ପୁଷ୍ପରସର ମାଦକତାରେ ମାତିଲେ । ସତୀ ସ୍ତ୍ରୀ ମଦ୍ୟପାୟୀ ପୁରୁଷକୁ ପାଖରେ ବସାଇ ନ ଦେଲା ପରି କେତକୀ ‘ମଧୂପ’ ଭ୍ରମରକୁ ପାଖରେ ବସାଇ ଦେଲା ନାହିଁ । (କେତକୀ ଫୁଲର ଧୂଳିରେ ଭ୍ରମର ଆକ୍ଷୀ ଖରାପ ହୁଏ ଓ କଣ୍ଟା ଦ୍ୱାରା ପକ୍ଷ ଛିଡ଼ିଯାଏ) ସତୀର ବସ୍ତ୍ର ହରଣ କରିବାକୁ ତାର ସ୍ୱାମୀ ସମର୍ଥ ହେଲା ପରି, କେବଳ ବସନ୍ତ ପବନ କେତକୀର ବାସ, ଗନ୍ଧକୁ ହରଣ କଲା ।
୩ୟ ପଦ :- ବର୍ଯାନାରୀ-ସ୍ୱୟଂ ବର ସ୍ତ୍ରୀ । କିଂଶୁକ-ପଳାଶବୃକ୍ଷ । ଚ୍ୟୁତ-ଆମ୍ବଗଛ । ପରଭୃତ-କୋଳିକ, ପରପୁରୁଷ । ପୁନ୍ନାଗ- ପୁରୁଷଶ୍ରେଷ୍ଠ, ପୋଲାଙ୍ଗଗଛ । ସୁନାରୀ-ଉତ୍ତମ ସ୍ତ୍ରୀ ବା ସୁନାରୀ ଗଛ ।
୩ୟ ପଦ :- ସ୍ୱୟଂବରା ସ୍ତ୍ରୀ ଫୁଲମାଳ ଧଇଲା ପରି ପଲାଶ ଫୁଲମାନଙ୍କୁ ଧଇଲା । (ବସନ୍ତ ସମୟରେ ପଲାଶ ଫୁଟେ କିନ୍ତୁ ସେଥିରେ ସେପରି ମଧୁ ନ ଥିବାରୁ ଭ୍ରମର ଯାଏନାହିଁ) । ବେଶ୍ୟା ପରପୁରୁଷକୁ କୋଳରେ ବସାଇ ଗୀତ ଗାନ ଳରାଇଲା ପରି ଆମ୍ବଗଛ ‘ପରଭୃତ’ ପରପାଳିତ ଅର୍ଥାତ୍ କୋକିଳକୁ ନିଜର ପତ୍ରାଚ୍ଛାଦିତ ମଝି ଡାଳରେ ବସାଇ ଗୀତ ଗାନ କରାଇଲା । ବିଦେଶ ପ୍ରତ୍ୟାବୃତ ପୁରୁଷ ସହିତ ସାକ୍ଷାତ ହେବା ସମୟରେ ସ୍ତ୍ରୀ ପୁରୁଷ ଦୁହିଙ୍କର ଦେହ ପୁଲକିତ ହେଲା ପରି, ବସନ୍ତାଗମରେ ପୁଲାଙ୍ଗ ଓ ସୁନାରୀ ବୃକ୍ଷର ଦେହରେ ପୁଲକ ସଞ୍ଚାରିଲା ଅର୍ଥାତ୍ ପୁଷ୍ପ ବିକଶିତ ହେଲା ।
୪ର୍ଥ ପଦ :- ବଞ୍ଜୁଳବନେ-ଅଶୋକବନରେ । ମଞ୍ଜୁଳବତୀ-ମନୋହାରିଣୀ । ବିଧୃତ-ଧରିବା । ପାଣି-ଜଳ, ହସ୍ତ । ନଳିନ-ପଦ୍ମ । ତନ୍ତୁ-ବିସ୍ତୁତରୂପରେ । ମଦନ-ଦୁଦୁରା ଗଛ ।
୪ର୍ଥ ପଦ :- ସୁନ୍ଦରୀ ସୀତା ଅଶୋକ ବନରେ ‘ଏକାଳ ଅବସ୍ଥାକୁ ଧରି’ ଅର୍ଥାତ୍ ଏହି କାଳରେ ବିରହିଣୀ ଯେଉଁ ଅବସ୍ଥାକୁ ଧାରଣ କରେ ସେହି ଅବସ୍ଥାକୁ ଧରି ମଲି ବୋଲି ପ୍ରକାଶ କଲେ । ତାହାଙ୍କର ଶରୀର ରୂପ ଚମ୍ପାଫୁଲ ଶୃଙ୍ଗାର ରସରେ ପୂରି ବିକଶିତ ହେଲା ଅର୍ଥାତ୍ ଲଜ୍ଜାତ୍ୟାଗ, ଉନ୍ମାଦ ପ୍ରଭୃତି କାମ ଦଶା ତାଙ୍କ ଦେହରେ ପ୍ରକାଶିତ ହେଲା । ତାର ମୁଖଚନ୍ଦ୍ର ଧୂଳି ଧୂସରିତ ହେଲା ପରି ମଳିନ ଦେଖାଗଲା, କାତରତା ଅଧିକ ବଢ଼ିଲା, ତେଣୁ ସେ ଗାଲରେ ହାତ ଦେଇ ବସିଲେ । ବସନ୍ତ ସମୟରେ ଅଶୋକ, ମଲ୍ଲୀ, ଚମ୍ପା ଓ ପଦ୍ମମାନେ ଫୁଟିଲେ । ‘ମଦନ’ ଦୁଦୁରା ଫୁଲ ମହୁରେ ପୂର୍ଣ୍ଣ ହେଲା, ଚନ୍ଦ୍ର ଧୂଳି ପଟଳଦ୍ୱାରା ମଳିନ ଦେଖାଗଲେ, ଦିନ କ୍ରମେ ଅଧିକ ବଢ଼ିଲା ।
୫ମ ପଦ :- ମଧୁ-ବସନ୍ତକାଳ, ମଧୁରାକ୍ଷସ । ରମା-ଲକ୍ଷ୍ମୀ । ବସୁଧାଭୃତ-ପର୍ବତ । ହୃଦୟକ-ସ୍ତନ । ବୁଧେ-ପଣ୍ଡିତମାନେ । ଶମ୍ଭୁ-ମହାଦେବ ।
୫ମ ପଦ :- ସୀତା ବସନ୍ତକାଳକୁ ଦେଖି କହିଲେ, ‘‘ରେ ‘ମଧୁ’ ବସନ୍ତ? ତୁ ମଧୁଦୈତ୍ୟ ପରି ମତେ ସୁନ୍ଦରୀ ଦେଖି ରମା’ ଲକ୍ଷ୍ମୀ ବୋଲି ଭାବି ଡରାଉଛୁ । (ଅର୍ଥାତ୍ ମଧୁଦୈତ୍ୟ ଲକ୍ଷ୍ମୀକୁ ଡରାଇଲା ପରି ତୁ ମତେ ଡରାଉଛୁ ।) ମୋର ସ୍ତନ ତ ପର୍ବତ ନୁହେ, ତୁ ତହିଁରେ ବିରହାଗ୍ନି କାହିଁକି ସ୍ଥାପନ କରୁଛୁ ? (ପର୍ବତ ଅଗ୍ନିର ଅଧିକରଣ ବୋଲି ଦାର୍ଶନିକମାନେ ସ୍ଥିର ଅଛନ୍ତି) । ପଣ୍ଡିତମାନେ ମୋର ସ୍ତନ ସହିତ ଶିବଙ୍କୁ ଉପମା ଦେଇଥାନ୍ତି, ମାତ୍ର କର୍ମଦୋଷରୁ ପତିଙ୍କଠାରୁ ଦୂରରେ ରହିବା ଯୋଗୁଁ ସେହି ସ୍ତନ ନଖ କ୍ଷତ ରୂପ ଅର୍ଦ୍ଧଚନ୍ଦ୍ର ଶୂନ୍ୟ ହୋଇଅଛି । ତେଣୁ ତୋର କାହିଁକି ବା ଭ୍ରମ ନ ହେବ ?’’
ବସିଣ ରସାଳେ ସଂଯୋଗୀ ରସଳେ ପଞ୍ଚମ ସ୍ୱରକୁ ତହିଁ ଯେ ।
ବିହନ୍ତେ କୋକିଳ ଅଶ୍ରୁରେ ପଙ୍କିଳ ଗଣ୍ଡ କରି ବଇଦେହୀ ଯେ ।
ବୋଲନ୍ତି ! ବୋଲାଉ ମନ୍ଦତନୟ ଯେ ।
ବିଶେଷରେ ମନ୍ଦ ତନୟ ନ କର ପରଭୃତ ନାମେ ବୟା ଯେ
।୬ ।
ବନେ ଅଇଲ ତିନି ବେନି ରହିଲ ଏକ ଗଲା ଏକା ହୋଇ ଯେ ।
ବୋଲିବାକୁ ଆହା, କେହି ନାହିଁ ସାହା ସେ ଜନ ବଞ୍ଚିବ କେହି ଯେ ।
ବଲ୍ଲଭେ ! ବନପ୍ରିୟ କହ ଏତେ ଯେ ।
ବ୍ରହ୍ମାଣ୍ଡନାଥ-ହାତ ଧରି ଅନାଥ କି ଶୁଭୁଅଛି ଜଗତେ ଯେ ?
।୭ ।
ବୋଲିବେ ଅବା ସେ ଛାଡ଼ିଗଲା ସିନା ଆୟତ୍ତେ ମୁଁ ଆସିନାହିଁ ଯେ ।
ବେନି ପିଣ୍ଡ ଏକ ଜୀବନ ବିଚ୍ଛେଦ ପାଇଁ ବିହି ଥିଲା ବିହି ଯେ ।
ବଲ୍ଲଭେ ! ବନପ୍ରିୟ କହ ଏତେ ଯେ ।
କିଗୁଣ ସେବକୀରେ ପ୍ରଭୁ ଘେନିଲେ ସେ ଭଲ ହେବ କେମନ୍ତେ ଯେ ?
।୮ ।
ବଂଶ ତପି କୋପାନଳେ ଦଗ୍ଧ ଜାଣି ଯେ କୁଳଜାତ ନୃପତି ଯେ ।
ବୁହାଇ ଗଙ୍ଗା ବିଷ୍ଣୁପଦୁଁ ବହୁତ କ୍ଳେଶ କରାଇଲେ ଶାନ୍ତି ଯେ ।
ବଲ୍ଲଭେ ! ବନପ୍ରିୟା କହ ଏତେ ଯେ ।
ବିରହ ତାପାନଳେ ପ୍ରିୟା ଦଗ୍ଧ ଶାନ୍ତି ନ ବିଚାର ଚିତ୍ତେ ଯେ
।୯ ।
ବନେ ଆସିଲାଦିନୁ ମନେ ବିଚାର ପଲ୍ୟଙ୍କଶୟନା ଏହି ଯେ ।
ବକ୍ଷବିହୀନରେ ନବପଲ୍ଲବର ଶେଯେ ନ ଦିଅ ଶୁଆଇ ଯେ ।
ବଲ୍ଲଭେ ! ବନପ୍ରିୟ କହ ଏତେ ଯେ ।
ବସୁମତୀ ଧୂଳି ଏବେ କରି ତୁଳୀ ନିଦ୍ରା ସେ ଯିବ କେମନ୍ତେ ଯେ
।୧୦ ।
୬ଷ୍ଠ ପଦ :- ରସାଳ-ଆନନ୍ଦଦାୟକ । ରସାଳେ-ଆମ୍ବବୃକ୍ଷରେ । ମନ୍ଦତନୟ-କାଳଦ୍ୱାରା ପ୍ରତିପାଳିତ ପୁତ୍ର (କୋକିଳ) ।
୬ଷ୍ଠ ପଦ :- ସପତ୍ନୀକ ଲୋକମାନଙ୍କର ଆନନ୍ଦଦାୟକ ପଞ୍ଚମ ସ୍ୱରକୁ କୋକିଳ ଆମ୍ବଗଛ ଉପରେ ବସି ପ୍ରକାଶ କରନ୍ତେ, ସୀତା ତାହା ଶୁଣି ଗଣ୍ଡସ୍ଥଳକୁ ଅଶ୍ରୁସିକ୍ତ କଲେ ଏବଂ କହିଲେ, ‘‘ରେ କୋକିଳ ! ତୁ ‘ମନ୍ଦତନୟ’ କାକର ପାଳିତ ପୁତ୍ର ନୋହୁଁ ଯେ ପ୍ରକୃତରେ ଅତିଶୟ ‘ମନ୍ଦ’ ଖରାପ ପ୍ରାଣୀ ଅଟୁ । ଆଜିଠାରୁ ଆଉ ସେହି ମନ୍ଦ ‘ନୟ’ ନୀତି କରନାହିଁ ଏବଂ ତୋର ସେହି ‘ପରଭୃତ’ ଚାକର ନାମକୁ ପ୍ରକାଶିତ କର ଅର୍ଥାତ୍ ମୋର ଦୂତ ହୁଅ ।’’
୭ମ ପଦ :- ବଲ୍ଲଭେ-ସ୍ୱାମୀଙ୍କୁ । ବନପ୍ରିୟ-କୋକିଳ ।
୭ମ ପଦ :- ‘‘ବନକୁ ତିନି ଜଣ ଆସିଲ, ଦୁଇଜଣ ରହିଲ, ଜଣେ କେବଳ ଏକୁଟିଆ ହୋଇଗଲା । ତାକୁ ଆହା ବୋଲି କହି ସାହାଯ୍ୟ କରିବାକୁ କେହିନାହିଁ; ଏଣୁ ସେ କିପରି ବଞ୍ଚିବ ?’ ରେ କୋକିଳ ମୋର ପ୍ରିୟଙ୍କ ନିକଟରେ ଏତିକି ମାତ୍ର କହ । ସେ ବ୍ରହ୍ମାଣ୍ଡର ନାଥ, ମୁଁ ତାଙ୍କ ହାତ ଧରି ଅନାଥିନୀ ହେଲି, ଏଣୁ ବ୍ରହ୍ମାଣ୍ଡରେ ନିନ୍ଦା ଶୁଣାଯାଉଛି ।’’
୮ମ ପଦ :- ‘ଏହା ଶୁଣି ସେ ଅବା କହିବେ, ‘ସେ ସିନା ମତେ ଛାଡ଼ି ଚାଲିଗଲା ।’’ ମୁଁ ତାକୁ ମୋର ଆୟତ୍ତରେ ଥାଉଁ ଥାଉଁ ଛାଡ଼ି ଆସିନାହିଁ ।’ ମୁଁ ମନେ କରେ ବିଯୋଗ ଦୁଃଖ ଦେବା ପାଇଁ ବିଧାତା ଗୋଟିଏ ମାତ୍ର ଜୀବନକୁ ଦୁଇ ଗୋଟି ଦେହରେ ରଖି ଆମ୍ଭ ଦୁହିଁଙ୍କୁ ନିର୍ମାଣ କରିଥିଲା । ରେ କୋକିଳ ! ମୋର କାନ୍ତଙ୍କୁ କହିବୁ, ସେବକୀଠାରେ ଏପରି ବିରକ୍ତ ହେଲେ ତାର ମଙ୍ଗଳ କିପରି ହେବ ?’’
୯ମ ପଦ :- ବିଷ୍ଣୁପଦୁଁ-ସ୍ୱର୍ଗରୁ । ବିରହତାପାନଳେ-ବିରହତାପ ରୂପ ଅଗ୍ନିରେ ।
୯ମ ପଦ :- ‘‘ତୁମ୍ଭ ବଂଶରେ ଜନ୍ମ ଗ୍ରହଣ କରିଥିବା ଭଗୀରଥ ରାଜା ତପସ୍ୱୀ କପିଳଙ୍କର କୋପାନଳରେ ନିଜ ବଂଶୀୟ ରାଜାମାନେ ଦଗ୍ଧ ହେବାର ଜାଣି, ବହୁତ ଦୁଃଖ ସହି ଆକାଶରୁ ଗଙ୍ଗାଙ୍କୁ ବୁହାଇ ଆଣି ପୂର୍ବ ପୁରୁଷମାନଙ୍କ ଚିତାନଳର ଶାନ୍ତି ବିଧାନ କରିଥିଲେ । ବିରହାଅଗ୍ନିରେ ଦଗ୍ଧ ହେଉଥିବା ପ୍ରିୟାର ସେହି ତାପ ଶାନ୍ତି ନିମିତ୍ତ ତୁମ୍ଭେ ହୃଦୟରେ ବିଚାର କର ।’ ହେ କୋକିଳ ! ତୁ ଏହି କଥା ପ୍ରିୟଙ୍କୁ ଯାଇ କହ ।’’
୧୦ମ ପଦ :- ବସୁମତୀ-ପୃଥିବୀ । ତୁଳୀ-ତୁଳା ଶେଯ ।
୧୦ ପଦ :- ‘‘ପ୍ରିୟା ପଲଙ୍କରେ ଶୟନ କରୁଥିଲା; ଏହି କଥା ଭାବି, ବନକୁ ଆସିଲାଦିନୁ ସେ ମୋତେ ନିଜର ଛାତି ଉପରେ ଛଡ଼ା ନୂତନ ପତ୍ରଶଯ୍ୟାରେ ସୁଦ୍ଧା ଶୁଆଉ ନ ଥିଲେ । ଏବେ ସେହି ସୀତା ପୃଥିବୀସ୍ଥ ଧୂଳିମାନଙ୍କୁ ଶଯ୍ୟାକରି କିପରି ନିଦ୍ରା ଯିବ ? ହେ କୋକିଳ ! ଏହି କଥା ତାଙ୍କୁ କହିବୁ ।’’
ବସନ୍ତଦୂତ ଏମନ୍ତ କହୁଁ ଗତ ଭାଳିଲେ ସେ କହିଗଲା ଯେ ।ବିନ୍ଧ୍ୟେ ଥିଲା ସେନା ବିମନା ଅଙ୍ଗଦ ପ୍ରାଣ ବିସର୍ଜିବା କଲା ଯେ ।ବୋଇଲେ ! ବାରିଜୀବ ନୋହି ସର୍ବେ ଯେ ।ବାହୁପ୍ଳବନରେ କେତେଦୂର ଯିବା ଅନ୍ତ ତ ନାହିଁ ଅର୍ଣ୍ଣବେ ଯେ।୧୧ ।ବାହୁଡ଼ିଲେ ପରାକ୍ରମହୀନ ଲାଜ ଘନ ଗର୍ଜନ ସହି ଯେ ।ବିକ୍ରମୀ ଜଳେ ଡେଇଁ ପଡ଼ି ବୁଡ଼ିବା ଶରଭ ପରାୟେ ହୋଇ ଯେ!ବୁଦ୍ଧିକି ! ବୋଲେ ଶୁଣି ହନୁମନ୍ତ ଯେ ।ବିଚାରଇ ମୁହିଁ ଯିବି ଚନ୍ଦ୍ରମୁହିଁଠାରୁ ଆଣିମି ଉଦନ୍ତ ଯେ।୧୨ ।ବୋଲେ ଜାମ୍ବବ ତୋହରେ କାର୍ଯ୍ୟ ହେବ ବିଚାରି ରଘୁନନ୍ଦନ ଯେ ।ବେଦନା ନିବେଦନ କରି ସଙ୍କେତ ସମର୍ପି ଅଛନ୍ତି ପୁନଃ ଯେ ।ବେଗରେ ! ବିଲଙ୍ଘନ କର ସିନ୍ଧୁ ଯେ ।ବିୟତମାର୍ଗରେ ଯାବତ ପ୍ରକାରେ ମଙ୍ଗଳ କରନ୍ତୁ ବଧୂ ସେ।୧୩ ।ବୃକ୍ଷ ଦିବି ସ୍ଥିତି ଗିରି ଅଧୋଗତି ଭକ୍ଷଣେ ଉଦର ଫାଟି ଯେ ।ବୀର ହନୁମାନ କରନ୍ତେ ଗମନ ବିଷମସମସ୍ୟା ଘଟି ଯେ ।ବାହୁର ! ବାୟୁତେ ତରୁ ସଞ୍ଚାର ଯେ ।ବିଶ୍ରାମୁଁ ମୈନାକ ବୁଡ଼ୁଁ ଭକ୍ଷୁଁ ଦାରି ଉଦରକୁ ସିଂହିକାର ଯେ।୧୪ ।ବଚନେ ଦେବଙ୍କ ରତନେ ବିଘ୍ନକୁ କହୁ ଗଲେ ବାଟ ଛାଡ଼ି ସେ ।ବିଳୁଁ ବାହାର ନା ସର୍ପଙ୍କୁ ତିଆରି ପଡ଼ିଛି ବିଷମ ଧାଡ଼ି ଯେ ।ବିଷ୍ଣୁ ଯେ ! ବହିଛନ୍ତି ରାମମୂର୍ତ୍ତି ଯେ ।ବିଶିଖ ଧନ କରି ଚକ୍ର ଗଦାକୁ ହରି ଏ କୃତ ବିପତ୍ତି ଯେ।୧୫ ।
୧୧ଶ ପଦ :- ଏହିପରି କହୁ କହୁ କୋକିଳ ଉଡ଼ିଯିବାରୁ ସୀତା ଭାବିଲେ, ତାଙ୍କର ଏହି କଥାସବୁ ରାମଙ୍କୁ କହିବା ପାଇଁ ସେ ଉଡ଼ିଗଲା ।’ ଏଣେ ବିନ୍ଧ୍ୟ ପର୍ବତରେ ସୈନ୍ୟମାନଙ୍କ ସହିତ ରହିଥିବା ଅଙ୍ଗଦ କାର୍ଯ୍ୟ ସାଧନ କରି ନ ପାରିବାରୁ ବିମନା ହୋଇ ପ୍ରାଣତ୍ୟାଗ କରିବାକୁ ସ୍ଥିର କରନ୍ତେ ଅନ୍ୟମାନେ କଥାବର୍ତ୍ତା ହେଲେ, ‘‘ସମୁଦ୍ରର ଅନ୍ତନାହିଁ । ଆମ୍ଭେମାନେ ତ ଜଳଜୀବ ହୋଇ ନ ଥାଇଁ । ବାହୁଦ୍ୱାରା ପହଁରି କେତେ ଦୂର ଯିବା ?’’
୧୨ଶ ପଦ :- ଶରଭ-ଅଷ୍ଠପାଦବିଶିଷ୍ଟ ମୃଗ ।
୧୨ଶ ପଦ :- ‘‘ଯଦି ଆମ୍ଭେମାନେ ଏହିଠାରୁ ଫେରିଯିବା, ତାହା ହେଲେ ଦୁର୍ବଳତାର ପରିଚୟ ଦେଇ ଲଜ୍ଜିତ ହେବା । ଅତଏବ ଏପରି ବଞ୍ଚି ରହିବା ଅପେକ୍ଷା ମେଘ ଗର୍ଜ୍ଜନ ଶୁଣି ଅଷ୍ଟାପଦ ମୃଗ ଜଳରେ ବୁଡ଼ି ମଲାପରି ଆମର ମରିବା ଶ୍ରେୟସ୍କର ।’’ ସେମାନଙ୍କର ଏହି ବିଚାରକୁ ଶୁଣି ହନୁମାନ କହିଲା, ‘‘ମୁଁ ବିଚାର କରୁଛି, ନିଜେ ଯାଇ ସୀତାଙ୍କଠାରୁ ସମ୍ବାଦ ଆଣିବି ।’’
୧୩ଶ ପଦ :- ବେଦନା-ଦୁଃଖ । ସଙ୍କେତ-ଚିହ୍ନ । ବିୟତମାର୍ଗରେ-ଆକାଶମାର୍ଗରେ । ବିଧୂ-ନାରାୟଣ ।
୧୩ଶ ପଦ :- ହନୁମାନଠାରୁ ଏହି କଥା ଶୁଣି ଜାମ୍ବବ କହିଲେ, ‘‘ତୁମ୍ଭଦ୍ୱାରା ଏହି କାର୍ଯ୍ୟ ହେବ,-ଏହା ବିଚାରି ରାମଚନ୍ଦ୍ର ତୁମ୍ଭଙ୍କୁ ତାଙ୍କର ଦୁଃଖ କହି ସଙ୍କେତ ଦେଇଅଛନ୍ତି । ଏଣୁ ଶୀଘ୍ର ସମୁଦ୍ର ଲଙ୍ଘନ କରିଯାଅ । ଆକାଶମାର୍ଗରେ ବିଷ୍ଣୁ ତୁମ୍ଭର ସମସ୍ତ ପ୍ରକାର ମଙ୍ଗଳ କରନ୍ତୁ ।’’
୧୪ଶ ପଦ :- ଦିବି-ଆକାଶ । ଅଧୋ-ପାତାଳ । ସିଂହିକା-ରାହୁ ମାତା । ଉଦର ଦାରି-ଉଦରକୁ ବିଦାରଣ କରି ।୧୪ଶ ପଦ :- ବୀର ହନୁମାନ ଯିବା ସମୟରେ ବିଷମ ସମସ୍ୟା ବା ଅତ୍ୟାଶ୍ଚର୍ଯ୍ୟ ଘଟଣା ଘଟିଲା ।ବିରୋଧାର୍ଥ- ବୃକ୍ଷମାନେ ‘ସ୍ୱର୍ଗ’ ଆକାଶରେ ରହିଲେ ଓ ପର୍ବତମାନେ ପାତାଳକୁ ଗଲେ । ଖାଇବା ଲୋକମାନଙ୍କର ପେଟ ଫାଟିଗଲା ।
ପ୍ରକୃତାର୍ଥ- ଯିବା ସମୟରେ ହନୁମାନର ବାହୁ ପବନରେ ବୃକ୍ଷମାନେ ଆକାଶରେ ଉଡ଼ିଲେ । ସେ ଯାଉଁ ଯାଉଁ ମେନାକ ରାହୁମାତା ସିଂହିକା ହନୁକୁ ଗିଳି ଦେବାରୁ ହନୁ ତାର ପେଟ ଫଟାଇ ବାହାର ହେଲା ।
୧୫ଶ ପଦ :- କଦ୍ରୁ-ନାଗମାତା । ବିଶିଖଧନୁ-ଧନୁଶର । ବିପତି-ଗରୁଡ଼ । ହରି-ମାଙ୍କଡ଼ ।
୧୫ଶ ପଦ :- ‘କଦ୍ରୁ’ ନାଗ ମାତା ବାଟମଝିରେ ବିଘ୍ନ ଘଟାଇବାକୁ ଆସି ଦେବତାମାନଙ୍କ କଥାରେ ବାଟ ଛାଡ଼ିଗଲେ ଓ ନିଜର ପୁତ୍ରମାନଙ୍କୁ ସତର୍କ କରାଇ କହିଲେ, ‘‘ଗାତରୁ ବାହାର ନାହିଁ, ବିଷମ ସମୟ ଉପସ୍ଥିତ ହୋଇଅଛି । କାରଣ ବିଷ୍ଣୁ ରମାରୂପ ଧାରଣ କରି ତାହାଙ୍କର ଚିତ୍ର ଓ ଗଦାକୁ ଧନୁଶର କରି ଗରୁଡ଼କୁ ମର୍କଟ କରିଅଛନ୍ତି । ସେ ବର୍ତ୍ତମାନ ବାହାରରେ ସୀତାଙ୍କୁ ଖୋଜି ବୁଲୁଛି ।’’
ବିଭାବସୁ ପରି ଗଗନେ ସଞ୍ଚରି ତାରାଏ ଖସିଲା ପରି ଯେ ।ବିପତିତ ଯେ ପତିତତ୍ରାହିହତ ସୁବେଳେ ସୁବଳଗିରି ଯେ ।ବିଲୋକି ! ବରଣ ଶୋଭା ଲଙ୍କାର ଯେ ।ବରଣ କଲା ମନେ ମର୍ତ୍ତ୍ୟଭୁବନେ ସର୍ବପୁର ଅଳଙ୍କାର ଯେ।୧୬ ।ବଳୟ ଏକ ପୃଥ୍ୱୀଦେବୀ କିପାଇଁ କେଉଁ କୁଣ୍ଡଳୀ ନିର୍ମାଣି ଯେ ।ବୋଲାଇ ଏଥିକି କନକକଟକ ଏଠାରୁ ହୋଇଲା ଜାଣି ଯେ ।ବିନ୍ଧାଣି ! ବିସ୍ତାରି ମୁଖକବାଟୀ ଯେ ।ବାଦ୍ୟନାଦ ଛଳେ ବୋଲେ ଲଗା ଲଗା ଆଉ ପଟେ ନାହିଁ ହଟି ଯେ।୧୭ ।ବିରୋଧାଭାଷ ଉଦୟେ ଏ ସମୟେ ଦିନ ଅହସାନ ହୋଇ ଯେ ।ବଳାଗତି ନାକ ବିହାରକୁ ମତି ସୁର ତ୍ୱରିତେ ପଳାଇ ଯେ ।ବିଳସେ ! ବହନ ଐନ୍ଦ୍ରିନୀଡ଼ରେ ଯେ ।ବରୁଣଦିଶି ଛକ୍ତମୟ ଆଉଁସି ଶୁକ ବି ତୁଣ୍ଡ ସତ୍ୱରେ ଯେ।୧୮ ।ବିସର୍ଜ୍ଜେ ଚକ୍ର ଅନନ୍ତ ପାଣି ରଙ୍ଗ ତମ ବାହୁଡ଼ାକୁ ଡରି ଯେ ।ବିଧାୟକ ଦରଧ୍ୱନିକି ପଞ୍ଚାସ୍ୟ ସଦ୍ମେ ପ୍ରଦୀପକ କରି ଯେ ।ବିକ୍ରମେ ! ବିଦିତ ନୋହି ମାରୁତି ଯେ ।ବତ୍ସ-ଧେନୁ-ସଙ୍ଗେ ପୁଣ୍ୟଜନପତି-ଦିଗୁ ପୁଣ୍ୟଜନପତି ଯେ।୧୯ ।ବଞ୍ଚକ ବିଡ଼ାଳ ଶ୍ୱାନ ଏହି ସ୍ୱନ କେ ଗଲା କେ ଗଲା ବିହି ଯେ ।ବଳିମୁଖ ପରା ମୁଖ ତ ଦିଶିଲା କପାଟ କିଳିଲେ କହି ଯେ ।ବାୟୁଜ ! ବିଚାରଇ ତାର ମତି ଯେ ।ବାସୁକିବିଷ କାଳନ୍ଦିଜଳ ଭ୍ରମେ ପିଇ ବାଞ୍ଛା କରେ ଶାନ୍ତି ଯେ।୨୦ ।
୧୬ଶ ପଦ :- ପତିତତ୍ରାହି ଦୂତ-ପତିତପାବନ ରାମଚନ୍ଦ୍ରଙ୍କ ଦୂତ (ହନୁମାନ) । ବିଭାବସୁ-ସୂର୍ଯ୍ୟ । କାରଣ-ପ୍ରାଚୀର । ବରଣ କଲା- ସ୍ଥିରକଲା ।
୧୬ଶ ପଦ :- ହନୁମାନ ସୂର୍ଯ୍ୟଙ୍କ ପରି ଆକାଶରେ ଗତିକରି ତାରା ଖସିଲାପରି ସେହି ଆକାଶରୁ ଖସି ଉତ୍ତମବେଳାରେ ସୁବଳୟା ପର୍ବତରେ ଉପସ୍ଥିତ ହେଲା । ତତ୍ପରେ ଲଙ୍କାଗଡ଼ର ପାଚେରିକୁ ଦେଖି, ‘ଏହା ପୁରୀ ଭୁଲୋକରେ ଥିବା ସମସ୍ତ ପୁରୀମାନଙ୍କର ଅଳଙ୍କାର’ ବୋଲି ମନରେ ସ୍ଥିର କଲା ।
୧୭ଶ ପଦ :- କୁଣ୍ଡଳୀ-ସ୍ୱର୍ଣ୍ଣକାର । ବଳୟ-କଙ୍କଣ ।
୧୭ଶ ପଦ :- ହନୁମାନ ସେହି ଚୁର୍ଣ୍ଣ ପ୍ରାଚୀରକୁ ଦେଖି ମନେକଲା, ‘ଜଣେ କେହି ବଣିଆଁ ପୃଥିବୀ ଦେବୀଙ୍କ ପାଇଁ ଏହି କଙ୍କଣକୁ ତିଆରି କରିଛି କି ? ଏହି ହେତୁରୁ ଏହାର ନାମ ‘କନକ କଟକ’ ସୁବର୍ଣ୍ଣ ପୁରୀ ବା ସୁନା କଙ୍କଣ ହୋଇଅଛି । ମୁଁ ଏହା ଜାଣିପାରୁଛି, ସେହି କାରିଗର କଙ୍କଣର ମୁଖରୂପ କବାଟକୁ ବିସ୍ତାରକରି ଏହି ଶୁଣାଯାଉଥିବା ବାଦ୍ୟଧ୍ୱନି ଛଳରେ କହୁଅଛି, ‘‘ହେ ପୃଥ୍ୱୀ ? ଏହାକୁ ଲଗାଅ ଲଗାଅ ।’’ ଏବଂ ସେହି ପୃଥ୍ୱୀଦେବୀ ଆଉ ପଟେ ନ ଥିବାରୁ ଦୂର ହୋଇ ରହିଛନ୍ତି ? (ପଟେ ଲଗାଇଲେ ଲୋକେ ହସିବେ) ।
୧୮ଶ ପଦ :- ବଳାରାତି-ଇନ୍ଦ୍ର, ପେଚା । ନାକ-ସ୍ୱର୍ଗ, ଆକାଶ । ସୁର-ଦେବତାମାନେ, ସୂର୍ଯ୍ୟ । ଐହି-ଇନ୍ଦ୍ରପୁତ୍ର ଜୟନ୍ତ, କାକ । ନୀଡ଼-ପକ୍ଷୀବସା, ନିର୍ଭୟରେ । ବରୁଣଦଶି-ପଶ୍ଚିମଦିଗରେ । ଶୁକ ବି-ଶୁଆ ନାମକ ପକ୍ଷୀ ।
୧୮ଶ ପଦ :- ଏହି ସମୟରେ ଦିନ ଶେଷ ହେବାରୁ ବିରୋଧାଭାଷ ପ୍ରକାଶ ପାଇଲା ।
ବିରୋଧାର୍ଥ- ଇନ୍ଦ୍ର ସ୍ୱର୍ଗରେ ବିହାର କରିବାକୁ ଇଚ୍ଛା କରିବାରୁ ସୂର୍ଯ୍ୟ ଶୀଘ୍ର ସେହି ସ୍ଥାନ ଛାଡ଼ି ଗଲେ । ଅତଏବ ଇନ୍ଦ୍ରଙ୍କ ପୁତ୍ର ଜୟନ୍ତ ନିର୍ଭୀକ ଭାବରେ ସେଠାରେ କ୍ରୀଡ଼ା କରୁଅଛନ୍ତି । ଆଉ ମଧ୍ୟ ବରୁଣ ବୃକ୍ଷ ରକ୍ତମୟ ଦେଖାଦେବାରୁ ଶୁକପକ୍ଷୀମାନେ ଶୀଘ୍ର ମୁହଁକୁ ଆଉଁସିଲେ ।
ପ୍ରକୃତାର୍ଥ- ସୂର୍ଯ୍ୟ ଆକାଶରୁ ଅସ୍ତ ହୋଇଯାନ୍ତେ ପେଚାମାନେ ଆକାଶରେ ବିହାର କରିବାକୁ ଇଚ୍ଛାକଲେ । କାକମାନେ ଶୀଘ୍ର ଯାଇ ବସାମାନଙ୍କରେ ରହିଲେ । ପଶ୍ଚିମ ଦିଗ ରକ୍ତବର୍ଣ୍ଣ ଦେଖାଯିବାରୁ ‘ସୁକବି’ ଉତ୍ତମ କବିମାନେ ତୁଣ୍ଡକୁ ଆଉଁସିଲେ ଅର୍ଥାତ୍ ସନ୍ଧ୍ୟା ଦେବାରୁ ଶାସ୍ତ୍ରଚର୍ଚ୍ଚା ବନ୍ଦକଲେ । ଅଥବା-ଶୁକ ପକ୍ଷୀମାନେ ପକ୍ଷପୁଟରେ ମୁଖରଖି ଶୋଇବା ପାଇଁ ମୁଖକୁ ଆଉଁସିଲେ ।
୧୯ଶ ପଦ :- ରଙ୍ଗ-ପୀଡ଼ା । ତମ-ରାହୁ, ଅନ୍ଧକାର । ଦର ଧ୍ୱନି-ଶଙ୍ଖଧ୍ୱନି, କାତର ସ୍ୱର । ପଞ୍ଚାସ୍ୟ-ସିଂହ, ମହାଦେବ । ସଦ୍ମ-ଗୃହ । ମାରୁତି-ହନୁମାନ । ପୁଣ୍ୟଜନମତି-ଦିଗୁଁ-କୁବେରଙ୍କ ଦିଗରୁ ଅର୍ଥାତ୍ ଉତ୍ତର ଦିଗରୁ । ପୁଣ୍ୟଜନମତି-ଧାର୍ମିକଶ୍ରେଷ୍ଠ । ଅନନ୍ତ-ଭଗବାନ । ଚକ୍ର-ସୁଦର୍ଶନ ଚକ୍ର । ପାଣି-ହସ୍ତ । ପୁଣ୍ୟଜନପତି-ଦ୍ୱାରପାଳ, ରାକ୍ଷସ ।
୧୯ଶ ପଦ :- ବିରୋଧାର୍ଥ- ସୁଦର୍ଶନ ଚକ୍ର ‘ରାହୁକାଳେ ଫେରିଆସିବ’ ଏହି କଥା ଭାବି ଭୀତହୋଇ ‘ଅନନ୍ତ ରଙ୍ଗପାଣି’ ବିଷ୍ଣୁଙ୍କ ହାତରେ ରହି ଯେଉଁ କ୍ରୀଡ଼ା କରୁଥିଲା ତାକୁ ତ୍ୟାଗକଲା । ସିଂହ ତାର ରହିବା ସ୍ଥାନ (ଗୁମ୍ଫା)ରେ ଦୀପ ଜାଳି ଭୟଙ୍କର ଶବ୍ଦକଲା ।
ପ୍ରକୃତାର୍ଥ- ଅନ୍ଧକାର ପ୍ରତ୍ୟାବୃତ୍ତ ହେବାରୁ ଦେଖି ଚକ୍ରବାକ ପକ୍ଷୀ ବହୁତ ସମୟରୁ ଆରମ୍ଭ କରିଥିବା ଜଳକ୍ରୀଡ଼ାକୁ ପରିତ୍ୟାଗ କଲା । ସେବକମାନେ ‘ପଞ୍ଚାସ୍ୟ’ ମହାଦେବଙ୍କ ଦେଉଳରେ ଦୀପ ଲଗାଇଲେ । ଏହି ସମୟରେ ହନୁମାନ ଗୁପ୍ତବେଶ ଧାରଣ କରି ଉତ୍ତରଦିଗରୁ ଆସୁଥିବା ଗାଈ ଓ ବାଛୁରୀମାନଙ୍କ ସଙ୍ଗେ ମିଶି ପୁରମଧ୍ୟକୁ ପ୍ରବେଶକଲା । ସେହି ସମୟରେ ଦ୍ୱାରୀମାନେ ତାକୁ ଦେଖିଲେ ।
୨୦ଶ ପଦ :- ବଞ୍ଚକ-ବିଲୁଆ । ଶ୍ୱାନ-କୁକୁର । ବଳିମୁଖ-ମାଙ୍କଡ଼ । ବାୟୁଜ-ହନୁମାନ ।
୨୦ଶ ପଦ :- ‘ଗାଈମାନଙ୍କ ସାଙ୍ଗରେ ବିଲୁଆ ବିରାଡ଼ି ବା କୁକୁର କେଉଁ ଜୀବ ଗଲା, ଦେଖ ଦେଖ’ ଦ୍ୱାରୀମାନେ ଏହିପରି ଗୋଳକଲେ । କିଏ କହିଲା, ‘ତା ମୁହଁ ତ ମାଙ୍କଡ଼ ମୁହଁ ପରି ଦେଖାଗଲା ।’ ସେମାନେ ଏହିପରି କଥାବର୍ତ୍ତା ହୋଇ ଉତ୍ତରଦ୍ୱାର ବନ୍ଦ କରିଦେଲେ । ଏହା ଦେଖି ହନୁମାନ ଭାବିଲା, ‘ଏମାନେ ଯମୁନା ବୋଲି ମନେ କରି ସର୍ପରାଜ ବାସୁକିର ବିଷ ପାନକରି ସୁସ୍ଥ ହେବାକୁ ଇଚ୍ଛା କରୁଅଛନ୍ତି । (ମୁଁ ବିଷପରି ଏମାନଙ୍କ ପ୍ରାଣ ନାଶ କରିବି) ।
ବିଶ୍ୱ ପ୍ରଳୟ କଜ୍ଜ୍ୱଳଜଳେ ହେଲା ପ୍ରାୟ ଧ୍ୱାନ୍ତ ନିଶା ଘୋଟି ଯେ ।ବାଜଇ କିଙ୍କିଣୀ ଭ୍ରମଇ ଲଙ୍କିନୀ ବାଟେ ହନୁମାନ ଭେଟି ଯେ ।ବୋଇଲା ! ବାନର ତୁ ଯାଉ କେଣେ ରେ ।ବିଧା ବିଧାନେ ଅରକ୍ଷିତ ପରାୟେ ମୂର୍ଚ୍ଛିତ ହୋଇଲା କ୍ଷଣେ ଯେ।୨୧ ।ବହି ଚେତା କହି ଗ୍ରାମଦେବୀ ମୁହିଁ ତୋରେ ହେଲି ପରାଭବୀ ଯେ ।ବେଧା କହିଛି ଦଶମୁର୍ଦ୍ଧ । ଅଶୁଭସୂଚକ ଲୋଡ଼ ପାର୍ଥିବୀ ଯେ ।ବାୟୁଜ ! ବଣିକମାନଙ୍କୁ ଚାହିଁ ଯେ ।ବିଚାରେ କୁବେର ନବନିଧି ଘେନି ଠାବେ ଠାବେ ଅଛି ରହି ଯେ।୨୨ ।ବିପଣି ଚାହିଁ ପୁଣି ପୁଣି ଭାଳଇ କିପାଁ ସିନ୍ଧୁ ରତ୍ନାକର ଯେ ।ବେଦାଧ୍ୟନ ଶୁଣି ମନେ ମନେ ଗୁଣି ଏହି ମୁଖ ବିଧାତାର ଯେ ।ବଡ଼ଭୀ ! ବିଲୋକି ଭ୍ରମ ଉପୁଜେ ଯେ ।ବିବୁଧପପର୍ବତ ଶତ ଶତ ନାନା ରତ୍ନଶୃଙ୍ଗେ ରାଜେ ଯେ।୨୩ ।ବୃଷା ଅଶ୍ୱକୁ ହୟଚୟ ହ୍ରେଷାରେ ପ୍ରଶଂସା ନ କରନ୍ତି ଯେ ।ବାରଣଗଣ ଅନୁକ୍ଷଣ ଦନ୍ତରେ ଦିଗନନ୍ତିଙ୍କି ହସନ୍ତି ଯେ ।ବିମାନ ! ବାଛି କି ସ୍ୱର୍ଗ ମଣ୍ଡପ ଯେ ।ବଇଜୟନ୍ତ ଅସମ କହେ ଚକ୍ରଚଳନେ ରଥକଳାପ ଯେ।୨୪ ।ବିୟଦ୍ଗଙ୍ଗା ବୀଚି ରୁଚିକ ଧରିବା ପାଞ୍ଚି ଚିରାଳ ବିଳସି ଯେ ।ବିଶାଳ କକୁଦ ଉଷ୍ଟ୍ରଙ୍କର ଚାହିଁ ଶୈଳୁଁ ଗଣ୍ଡଶୈଳ ଖସି ଯେ ।ବାୟଜ ! ବାସେ ବାସେ ପଶି ଖୋଜି ଯେ ।ବୁଲି ଆସେ ପାତ୍ର ସାମନ୍ତ ଉଆସ ସୀତା ଆଶେ ଚିତ୍ତ ମଜ୍ଜି ଯେ।୨୫ ।୨୧ଶ ପଦ :- କଜ୍ଜ୍ୱଳ ଜଳ-କଳାପାଣି । ଧାନ୍ତ-ଅନ୍ଧକାର । ଲଙ୍କିନୀ-ଲଙ୍କଦେବୀ ।
୨୧ଶ ପଦ :- ନୈଶ ଅନ୍ଧକାର ଘୋଟି ଯିବାରୁ ସଂସାର କୃଷ୍ଣବର୍ଣ୍ଣ ଜଳରେ ବ୍ୟାପ୍ତହୋଇ ପ୍ରଳୟର ନିକଟବର୍ତ୍ତୀ ହେଲାପରି ଦେଖାଗଲା । ହନୁମାନ ଯାଉଯାଉ ବାଟରେ ଅଣ୍ଟାବନ୍ଧା ଘଣ୍ଟି ବଜାଇ ଲଙ୍କଦେବୀ ବୁଲୁଥିବାର ଦେଖିଲା । ସେ ମଧ୍ୟ ହନୁମାନକୁ ଦେଖି କହିଲେ, ‘‘ରେ ମାଙ୍କଡ଼ । ତୁ କେଉଁଆଡ଼େ ଯାଉଛୁ ?’’ ତତ୍ପରେ ହନୁମାନ ଲଙ୍କାଦେବୀଙ୍କୁ ବିଧାଏ ମାରିବାରୁ ସେ ମୂର୍ଚ୍ଛିତ ହୋଇ ନିଃସହାୟ ଲୋକ ପରି ତଳେ ପଡ଼ିଗଲେ ।
୨୨ଶ ପଦ :- ଲଙ୍କଦେବୀ ଚେତନା ପାଇ ହନୁକୁ କହିଲେ, ‘‘ମୁଁ ଏହି ପୁରୀର ଅଧିଷ୍ଠାତ୍ରୀ ଦେବତା ହୋଇ ତୋହଠାରୁ ଅପମାନ ପାଇଲି । ମୋର ଅପମାନ ରାବଣର ଅମଙ୍ଗଳସୂଚକ ବୋଲି ମୋତେ ବିଧାତା କହିଅଛି । ବର୍ତ୍ତମାନ ଯାଇ ସୀତାଙ୍କୁ ଖୋଜ ।’’ ତାହାପରେ ହନୁମାନ ବଣିକମାନଙ୍କୁ ଦେଖି ଭାବିଲା, ‘ଏହିଠାରେ କୁବେର ଶଙ୍ଖ, ପଦ୍ମାଦି ଅଷ୍ଟନିଧିମାନଙ୍କୁ ଘେନି ସ୍ଥାନେ ସ୍ଥାନେ ରହିଛି କି ?’’
୨୩ଶ ପଦ :- ବିପଣୀ-ବଜାର । ବଡ଼ଭୀ-ଅଟ୍ଟାଳିକା । ବିବୁଧ ପର୍ବତ- ମେରୁ ପର୍ବତ ।
୨୩ଶ ପଦ :- ସେହିପରି ସେହି ନଗରୀରେ ଥିବା ଦୋକାନମାନଙ୍କୁ ବାରମ୍ବାର ଦେଖି ଭାବିଲା, ‘ଲୋକେ ସମୁଦ୍ରକୁ କାହିଁକି ରତ୍ନାକର ବୋଲି କହନ୍ତି ? ସେ ରତ୍ନାକର ନୁହେଁ, ଏହି ପୁରୀ ନିଶ୍ଚୟ ରତ୍ନାକର ।’ ବେଦ ଧ୍ୱନି ଶୁଣି ଭାବିଲା; ‘ଏହି ନଗରୀ ବିଧାତାର ମୁଖ କି ?’ ବଡ଼ ବଡ଼ ପକ୍କା ଘରମାନଙ୍କୁ ଦେଖି ଭ୍ରାନ୍ତ ହୋଇ ଭାବିଲା, ‘ଏସବୁ ନିଶ୍ଚୟ ନାନା ରତ୍ନବିମଣ୍ଡିତ ମେରୁ ପର୍ବତର ଶୃଙ୍ଗ ସମୂହ ।’
୨୪ଶ ପଦ :- ହୟଚୟ-ଘୋଟକସମୂହ । ବୃଷାଅଶ୍ୱ-ଉଚ୍ଚୈଃଶ୍ରବା । ବାରଣଗଣ-ହସ୍ତିମାନେ । ରଥକଳାପ ରଥସମୂହ । ବଇଜୟନ୍ତ (ବୈଜୟନ୍ତ)-ଇନ୍ଦ୍ରଙ୍କ ପ୍ରାସାଦ ।
୨୪ଶ ପଦ :- ପୁନର୍ବାର ଲଙ୍କାସ୍ଥ ଘୋଟକମାନଙ୍କୁ ଦେଖି ମନେକଲା, ‘ଏମାନେ କଣ ହ୍ରେଷା ପ୍ରକାଶ କରି ଇନ୍ଦ୍ରଙ୍କ ଘୋଡ଼ା ଉଚ୍ଚୈଃଶ୍ରବାକୁ ଉପହାସ କରୁଅଛନ୍ତି କି ?’ ହାତୀମାନଙ୍କୁ ଦେଖି ଭାବିଲା; ‘ଏମାନେ ଦାନ୍ତର ଶୋଭା ଦ୍ୱାରା ଐରାବତକୁ ହସୁଛନ୍ତି କି ?’ ସେଠାରେ ଥିବା ବିମାନମାନଙ୍କୁ ଦେଖି ଭାବିଲା, ‘ସ୍ୱର୍ଗ ମଣ୍ଡପକୁ ଏହା ସହ ତୁଳନା କରିବା ଦ୍ୱାରା କି ଲାଭ ? ଅର୍ଥାତ୍ ସ୍ୱର୍ଗ ଏହା ସହ କୌଣସି ଗୁଣରେ ସମାନ ନୁହେଁ ।’ ଅନବରତ ଗମ୍ଭୀରଧ୍ୱନି ପ୍ରକାଶ କରି ଗମନାଗମନ କରୁଥିବା ରଥମାନଙ୍କୁ ଦେଖି ମନେକଲା; ‘‘ଏମାନେ କଣ ଏହି ଶବ୍ଦ ଛଳରେ-ଇନ୍ଦ୍ରପୂରୀ ଆମ୍ଭର ଏହି ପୁରୀର ସମାନ ନୁହେଁ,-ଏହି କଥା କହୁଅଛନ୍ତି କି ?’
୨୫ଶ ପଦ :- ବିୟଦ୍ଗଙ୍ଗା-ସ୍ୱର୍ଗଙ୍ଗା । ବୀଚି-ଲହରୀ । ଚିରାଳ-ପତାକା ।
୨୫ଶ ପଦ :- ହନୁମାନ ସେହି ପୁରୀର ଗୃହମାନଙ୍କ ଉପରେ ଉଡ଼ୁଥିବା ପତାକାମାନଙ୍କୁ ଦେଖି ମନେକଲା, ‘ଆକାଶ ଗଙ୍ଗାରେ ଲହରୀ ଯେଉଁପରି ଶୋଭାଧାରଣ କରେ, ଏମାନେ କଣ ସେହି ଶୋଭାଧାରଣ କରିବାକୁ ଶିକ୍ଷା କରୁଛନ୍ତି କି ? ଅର୍ଥାତ୍ ନିଜର ଶୋଭାରେ ସ୍ୱର୍ଗଗଙ୍ଗା ଲହରୀକୁ ଧିକ୍କାର କରୁଛନ୍ତି ।’ ସେହି ପୁରୀସ୍ଥ ଓଟମାନଙ୍କର କୁଜକୁ ଦେଖି ମନେକଲା, ‘ପର୍ବତରୁ ବଡ଼ ବଡ଼ ପଥର ଖଣ୍ଡସବୁ ଖସିପଡ଼ୁଛି କି ?’ ଏହିପରି ଭାବି ଭାବି ସୀତାଙ୍କୁ ଦେଖିବା ଆଶାରେ ହନୁମାନ ଲଙ୍କାବାସୀମାନଙ୍କର ଗୃହ ଖୋଜି ଖୋଜି ଯାଇ ପାତ୍ର, ମନ୍ତ୍ରୀ ଓ ସାମନ୍ତମାନଙ୍କ ଉଆସ ସବୁ ମନ ଲଗାଇ ଖୋଜିଲା ।
ବଲ୍ଲିକା ପାଦପ ଜଡ଼ିତ ସ୍ୱରୂପ ଭିଡ଼ାଭିଡ଼ି ଜାୟାପତି ଯେ ।ବିଭୂଷିତ ପୁଷ୍ପଗୁଚ୍ଛେ ହୋଇଛନ୍ତି ମଧୁ ଗର୍ଭରେ ଦୀପତି ଯେ ।ବାୟୁଜ ! ବିଳମ୍ବ ନ କରି ଯାଇ ଯେ ।ବାତ ଯେମନ୍ତ ସରଭି ଘେନି ମନ୍ଦଗତିକି ପ୍ରଚାରି ଥାଇ ଯେ।୨୬ ।ବାସବଜିତ କୁମ୍ଭକର୍ଣ୍ଣ ଇତ୍ୟାଦି ବାସବରେ ଭ୍ରମି ଗଲା ଯେ ।ବାସରମୁଖ ଯୋଖ ଶୋଭା ରତନପ୍ରଭାରେ ସେ ହୋଇଥିଲା ଯେ ।ବାୟୁଜ ! ବିଳାସିନୀଙ୍କୁ ଲୋକନେ ଯେ ।ବିବେକ ଏ ସ୍ୱର୍ଗେ ନଥିବେ ନୋହିବେ ରାମବଲ୍ଲଭୀ ସମାନେ ଯେ।୨୭ ।ବାସେ ପୂର୍ଣ୍ଣ ଜାତି ମାଳତୀ ସେବତୀ କେତକୀ ତୁଲେ କି ସରି ଯେ ।ବାସନିକରେ ଅତ୍ୟନ୍ତ ମନୋହରେ ଯେମନ୍ତ ପ୍ରକାରେ ଜରି ଯେ ।ବାୟୁଜ । ବକ୍ରମାଳୀ ପୁରେ ମିଳି ଯେ ।ବିରଚନ ଶଯ୍ୟାମାନ ସ୍ଥାନେ ସ୍ଥାନେ ଶୋଇଛନ୍ତି ଦିବ୍ୟବାଳୀ ଯେ।୨୮ ।ବାରଣ ପଦ୍ମିନୀବନ ମନ୍ଥିଛି କି ଶେଯସରୋବରେ ଆସି ଯେ ।ବାଳ ଶୈବାଳ ଅସ୍ତବ୍ୟସ୍ତ ଜଘନ ପୁଳିନ ଅଳପ ଦିଶି ଯେ ।ବିଦୀପ୍ତ ! ବାତାୟୁ ମଦକର୍ଦ୍ଦମ ଯେ ।ବିଛିନ୍ନ ହାରମୁ କୁତା ହସୁଅଛି କଳୀ ତହ୍ଳାର କୁସୁମ ଯେ।୨୯ ।ବାହୁ ଟେକି ହସ୍ତ ଛନ୍ଦୁ କେ ଅଳସେ ଅବଶେ ସେଭାବେ ମୋହି ଯେ ।ବାତେ ଉପୁଡ଼ି ସନାଳ ପଦ୍ମ ଦିଶେ କୁଚ ପୃଥୁ କନ୍ଦ ଦୁଇ ଯେ ।ବାମା କେ ! ବିଜୃମ୍ଭିତ ହୋଇ ବସେ ଯେ ।ବିକଶି ଆସିଲା କୋକନଦ ଛବି ଅଙ୍ଗୀକାର କରିଆସେ ଯେ।୩୦ ।୨୬ଶ-ପଦ :- ବଲ୍ଲିକା-ଲତା । ପାଦପ-ବୃକ୍ଷ । ଜାୟପତି-ସ୍ତ୍ରୀ ଓ ପୁରୁଷ । ମଧୁ-ପୁଷ୍ପରସ, ମଦ୍ୟ । ସୁରଭି-ସୁଗନ୍ଧ ।
୨୬ଶ ପଦ :- ବୃକ୍ଷରେ ଲତା ଗୁଡ଼ାଇ ହୋଇ ରହିଲା ପରି ସ୍ତ୍ରୀ ପୁଂସମାନେ ଭିଡ଼ାଭିଡ଼ି ହୋଇ ଶୟନ କରିଅଛନ୍ତି ଏବଂ ଲତା ଓ ବୃକ୍ଷ ଦୁହେଁ ଯେପରି ମଧୁଯୁକ୍ତ ପୁଷ୍ପରାଶିରେ ବିମଣ୍ଡିତ ହୋଇଥାନ୍ତି, ଏମାନେ ସେହିପରି ମଦ୍ୟାପାନ କରି ବହୁ ସଂଖ୍ୟକ ଫୁଲମାଳରେ ମଣ୍ଡିତ ହୋଇଅଛନ୍ତି । ହନୁମାନ ଏହା ଦେଖି ପବନ ଯେପରି ପୁଷ୍ପମାନଙ୍କଠାରୁ ସୁଗନ୍ଧ ହରଣ କରିବା ନିମିତ୍ତ ଧୀରେ ଧୀରେ ବହେ, ସେହିପରି ଧୀରେ ଧୀରେ ବୁଲି ଦେଖିବାକୁ ଲାଗିଲା ।
୨୭ଶ ପଦ:- ବାସବଜିତ-ଇନ୍ଦ୍ରଜିତ । ବାସବରେ-ରମଣୀୟ ଗୃହମାନଙ୍କରେ । ବାସର ମୁଖ-ପ୍ରଭାତ । ବିଳାସିନୀଙ୍କୁ-ସ୍ତ୍ରୀମାନଙ୍କୁ । ରାମବଲ୍ଲଭୀ-ସୀତା ।
୨୭ଶ ପଦ :- ହନୁମାନ କ୍ରମେ ଇନ୍ଦ୍ରଜିତ, କୁମ୍ଭକର୍ଣ୍ଣ ପ୍ରଭୃତି ରାକ୍ଷସମାନଙ୍କର ଗୃହରେ ବୁଲି ଦେଖିଲା ଯେ, ସେ ସବୁ ଗୃହ ନାନାରତ୍ନମାନଙ୍କ ତେଜରେ ପ୍ରଭାତକାଳ ପରି ମନୋହର ହୋଇଅଛି । ଆଉ ମଧ୍ୟ ସେହିସବୁ ଗୃହମଧ୍ୟରେ ଶୋଇଥିବା ରସିକା ରମଣୀମାନଙ୍କୁ ଦେଖି ମନେକଲା, ‘ସ୍ୱର୍ଗରେ ଏପରି ରମଣୀ ନ ଥିବେ; ମାତ୍ର ସୀତାଙ୍କ ସହ ଏମାନେ ସମାନ ହେବେ ନାହିଁ ।’
୨୮ଶ ପଦ :- ‘ଯେପରି ଜାଈ, ଯୁଈ, ମାଳତୀ, ସେବତୀ ପ୍ରଭୃତି ଫୁଲ ଗନ୍ଧ ପୂର୍ଣ୍ଣହେଲେ ସୁଦ୍ଧା ସୀତାଙ୍କ ସଙ୍ଗେ ସମାନ ନୁହଁନ୍ତି । ଆଉମଧ୍ୟ ଲୁଗାମାନଙ୍କ ମଧ୍ୟରେ ଜରୀଦିଆ ଲୁଗା ଯେପରି ସୁନ୍ଦର, ସେହିପରି ଏମାନଙ୍କ ମଧ୍ୟରେ ସୀତା ଅତ୍ୟନ୍ତ ସୁନ୍ଦର ଅଟନ୍ତି ।’ ଏହିପରି ବିଚାରି ହନୁ ରାବଣ ଗୃହରେ ପହଞ୍ଚି ଦେଖିଲା ଯେ, ସ୍ଥାନେ ସ୍ଥାନେ ସୁସଜ୍ଜିତ ଶଯ୍ୟାମାନଙ୍କରେ ଦିବ୍ୟ ସୁନ୍ଦରୀ ସ୍ତ୍ରୀମାନେ ଶୋଇ ଅଛନ୍ତି ।
୨୯ଶ ପଦ :- ବାରଣ-ହସ୍ତୀ । ପୁଳିନ-ତଟ ବା କୂଳ । ଜଘନ-ଜାନୁ । କର୍ଦ୍ଦମ-କାଦୁଅ । କହ୍ଲାର-କଇଁ । କଳୀ-କଢ଼ି ।
୨୯ଶ ପଦ :- ହନୁମାନ ସେହି ସୁନ୍ଦରୀ ସ୍ତ୍ରୀମାନଙ୍କୁ ଶୋଇଥିବା ସମୟରେ ଦେଖି ମନେକଲା ‘ହାତୀ ପୁଷ୍କରିଣୀରେ ପ୍ରବେଶ କରି ପଦ୍ମବନକୁ ଦଳି ପକାଇଲା ପରି ରାବଣ ଏହି ସ୍ତ୍ରୀମାନଙ୍କର ଶଯ୍ୟାରୂପ ପୁଷ୍କରିଣୀରେ ପ୍ରବେଶ କରି ରତି ଛଳରେ ଏହି ପଦ୍ମିନୀମାନଙ୍କୁ ଦଳି ପକାଇଛି କି ?’ କାରଣ, ହାତୀ ପ୍ରବେଶ କରିଥିଲେ ପୁଷ୍କରିଣୀର ଯେପରି ଦଶା ହୁଏ, ସେହିପରି ଏହି ଶଯ୍ୟା ପୁଷ୍କରିଣୀରେ ବାଳରୂପ ଶିଉଳି ସବୁ ଛିଣ୍ଡି ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି ଓ ଜଘନ (ଅଣ୍ଟା ଆଗପଟ) ରୂପ ବାଲୁକାମୟ ପ୍ରବେଶ ଅଳ୍ପ ଦେଖାଯାଉଛି, କସ୍ତୁରୀରୂପ ପଙ୍କ ପ୍ରକାଶିତ ହୋଇଅଛି ଏବଂ ମୁକ୍ତାମାଳା ଛିଣ୍ଡିଯାଇ ଗୋଟି ଗୋଟି ହୋଇ ପଡ଼ିଥିବା ମୁକ୍ତା ସବୁ କଇଁଫୁଲର କଢ଼ପରି ଦେଖା ଯାଉଅଛନ୍ତି ।
୩୦ଶ ପଦ :- କୋକନଦ – ରକ୍ତପଦ୍ମ । ପୃଥୁ – ପୃଥୁଳ । କନ୍ଦ – ପଦ୍ମମୂଳ । ବିଜୃମ୍ଭିତ – ହାଇ ମାରିବା ।
୩୦ଶ ପଦ :- ସେହି ସ୍ତ୍ରୀମାନଙ୍କମଧ୍ୟରୁ କୌଣସି ସ୍ତ୍ରୀ ଆଳସ୍ୟ ବଶରୁ ବାହୁଦ୍ୱୟକୁ ଟେକି ଛନ୍ଦୁଥିବାର ଦେଖି ମନେକଲା, ‘ପବନଯୋଗୁଁ ପଦ୍ମ ନାଡ଼ି ସହିତ ଉପୁଡ଼ି ପଡ଼ୁଛି କି ? ଏଣୁ ତାହାର ପୃଥୁଳ ମୂଳରୂପ କୂଚ ଦୁଇଟି ଦେଖାଯାଉଛି ।’ ପୁଣି କୌଣସି ସ୍ତ୍ରୀ ହାଇମାରି ବସିବାର ଦେଖି ମନେକଲା, ‘ଏହାର ମୁଖ ଶୋଭାକୁ ଫୁଟି ଆସୁଥିବା ଲାଲ କଇଁର ଶୋଭା ସହିତ ସମାନ ବୋଲି ସ୍ୱୀକାର କରିବା ଉଚିତ ।’
ବନିତା କେ ରତିଶ୍ରମେ ଖରଶ୍ୱାସ ମୁଞ୍ଚିବାରେ ନାସା ଫୁଲି ଯେ ।ବଲ୍ଲଭୀ ଯନ୍ତ୍ର ତାଉଛି କି କାମର ଲୌହଶର ଗଢ଼ା ବୋଲି ଯେ ।ବକ୍ଷୋଜେ ! ବସି ନଖଚିହ୍ନ ଚାହେଁ ଯେ ।ବଡ଼ଭରେ ରଙ୍ଗ ସୁଚିରକେତୁ କି ରୁଚି ଚାଞ୍ଚଲ୍ୟ ନ ବହେ ଯେ।୩୧ ।ବକ୍ଷଭେଦ ଚିତ୍ର କଲା ପ୍ରାୟ କେଉଁ କେଉଁ ଶେଯ ସୁରଞ୍ଜନ ଯେ ।ବରବର୍ଣ୍ଣିନୀ ସଞ୍ଚା ଲାକ୍ଷା ଅଙ୍କିତ ଘନସାର ସୁଅଞ୍ଜନ ଯେ ।ବ୍ୟକ୍ତି କେ ! ବ୍ୟକ୍ତ କେ ରାମା ଏ ତହିଁ ଯେ ।ବିଶ୍ୱସୃକ ଚିତ୍ରକାର ହୋଇଛି କି ରାବଣ ବନକେ ଲହି ଯେ।୩୨ ।ବର୍ଣ୍ଣେ ଶ୍ୟାମା ହୋଇ ସମସ୍ତେ ଗୋଟିଏ ନାହିଁ ତ ଆଣିଛି ବାଛି ଯେ ।ବସୁଧା ସ୍ୱର୍ଗରେ ସ୍ୱର୍ଗଯୋଗମାନଙ୍କୁ କରିଛି ଛି ଛି ଯେ ।ବାୟୁଜ ! ବିଚାରେ କି ଭାଗ୍ୟବନ୍ତ ଯେ ।ବୃନ୍ଦକ ଧେନୁରେ ଏକ ଷଣ୍ଢ ପରି ବିଭୋଗେ ହୋଇଛି ମତ୍ତ ଯେ।୩୩ ।ବିଞ୍ଚଣୀ ଚାମର ପାଣିରେ ଚରଣେ କରିଣ କରକୁ ନ୍ୟାସ ଯେ ।ବୋଳେ ଚନ୍ଦନ ଦଳେ ଘନସାରକୁ ଦୀପିତ କରେ ସ୍ନେହାଶ ଯେ ।ବାମାଏ ! ବିଚେତନ ନିଦ୍ରାବଶେ ଯେ ।ବାରି ପରିଚାରୀ ବାରୀଜଗନ୍ଧାଙ୍କୁ ହସ୍ତିନୀ କରି ମାନସେ ଯେ।୩୪ ।ବାଡ଼େ ବାଡ଼େ ଲେଖା ମଧୁସୂଦନ ସେ ଦାଶରଥି ନାମ ଯେହି ଯେ ।ବିଦେହରାଜନ ପାଳନ୍ତା ଯେ ସୂତା ସୀତା ଚୋରି ବିନା କେହି ଯେ ।ବଧେ ମୋ ! ବ୍ରହ୍ମାଣ୍ଡେ ନୋହିବ କ୍ଷମ ଯେ ।ବଢ଼ିଲା ବିବେକ ପଢ଼ ପାବନିର ଏ ଜାଣ ପଶୁ ଜନମ ଯେ।୩୫ ।୩୧ଶ ପଦ :- ବଲ୍ଲଭୀ-ସ୍ତ୍ରୀ । ବକ୍ଷୋଜ-ସ୍ତନ । ବଡ଼ଭୀ-ଅଟ୍ଟାଳିକା । ସୁଚିରକେତୁ-ପାଟପତାକା । ରୁଚି-ସୁନ୍ଦର ।
୩୧ଶ ପଦ :- କୌଣସି ଏକ ରମଣୀ ରତିଜନିତ ପରିଶ୍ରମ ବଶରୁ ଦୀର୍ଘ ନିଃଶ୍ୱାସ ପରିତ୍ୟାଗ କରନ୍ତେ ତାହାର ନାକପୁଡ଼ା ଫୁଲି ଉଠିଲା । ତାହା ଦେଖି ହନୁମାନ ମନେ କଲା, ‘ଏହି ରମଣୀ‘‘ରେ କାମ ! ଫୁଲଶର ଦ୍ୱାରା ମୋର କିଛି କରିପାରିବୁ ନାହିଁ; ବର୍ତ୍ତମାନ ଲୁହା ଶର ତିଆର କର’’ ଏହା କହି, ସେହି ଲୁହା ଶର ତିଆରି କରିବା ପାଇଁ ଭାତି ତାଉଛି କି ?’’ କୌଣସି ସ୍ତ୍ରୀ ତାହାର ସ୍ତନ ଉପରେ ଥିବା ନଖକ୍ଷତକୁ ଦେଖୁଛି; ଏହା ଦେଖି ହନୁମାନ ମନେ କଲା, ଅଟ୍ଟାଳିକା ଅଶୋଭା ଓ ଚଞ୍ଚଳତାକୁ ଧାରଣ କରିନାହିଁ । (ପତାକାର ସୌନ୍ଦର୍ଯ୍ୟ ସର୍ବଦା ରହେ ନାହିଁ ଓ ଚଞ୍ଚଳତା ମଧ୍ୟ ବର୍ଷାଦିନରେ ରହେ ନାହିଁ । ନଖ ଚିହ୍ନରୂପ ପତାକା ସର୍ବଦା ସୌନ୍ଦର୍ଯ୍ୟପୂର୍ଣ୍ଣ ଓ ନିଶ୍ଚଳ ) ।
୩୨ଶ ପଦ :- ବରବର୍ଣ୍ଣିନୀ-ହଳଦୀ । ଘନସାର-କର୍ପୂର । ଲାକ୍ଷା-ଅଳତା ।
୩୨ଶ ପଦ :- ହନୁମାନ ଦେଖିଲା, କୌଣସି ଗୋଟିଏ ଶଯ୍ୟା ରତି ଶାସ୍ତ୍ରୋକ୍ତ ବନ୍ଧମାନଙ୍କଦ୍ୱାରା ଚିତ୍ରିତ ହୋଇଥିଲା ପରି ଦେଖାଯାଉଛି ଏବଂ ସେହି ଶଯ୍ୟାରେ ହଳଦି, ଅଳତା ଘେନି ମୁଣ୍ଡରେ କର୍ପୂର ଗୁଣ୍ଡ ପକାଇ ଓ ଆକ୍ଷିରେ ମେଘ ପରି ଗାଢ଼ କଳା କଜ୍ଜ୍ୱଳ ଲଗାଇ ସ୍ତ୍ରୀମାନେ ଶୋଇଅଛନ୍ତି । ତାହା ଦେଖି ମନେକଲା, ‘ବିଧାତା ଚିତ୍ରକର ହୋଇ ରାବଣ ରୂପ ରଙ୍ଗରେ ଏମାନଙ୍କୁ ଚିତ୍ର କରିଛି କି ?’ ରମଣୀମାନେ ରାବଣ ସହ କେଳି କରିବାରୁ ସେମାନଙ୍କ ଶରୀରସ୍ଥ ହଳଦୀ ପ୍ରଭୃତି ଶେଯରେ ଲାଗି ତାହା ଚିତ୍ରିତ ହୋଇଅଛି ।
୩୩ଶ ପଦ :- ବିରୋଧାର୍ଥ- ସମସ୍ତେ ‘ବର୍ଣ୍ଣରେ’ ଶରୀର କାନ୍ତିରେ ‘ଶ୍ୟାମା’ କଳା ହୋଇଛନ୍ତି ଅର୍ଥାତ୍ ସମସ୍ତେ କାଳିଆ ଦେଖାଯାଉ ଅଛନ୍ତି, ମାତ୍ର ସେମାନଙ୍କ ମଧ୍ୟରେ ଗୋଟିଏ ସୁଦ୍ଧା କାଳିଆ ହୋଇନାହିଁ ।
ପ୍ରକୃତାର୍ଥ- ସେମାନେ ସମସ୍ତେ ‘ବର୍ଣ୍ଣରେ’ ରୂପରେ ଗୌରାଙ୍ଗୀ ଅଟନ୍ତି, କିନ୍ତୁ ସେମାନଙ୍କ ମଧ୍ୟରେ କେହି ହେଲେ ବର୍ଣ୍ଣରେ ଜଣେ ‘ଶ୍ୟାମା’ ଯୌବନ ମଧ୍ୟବର୍ତ୍ତିନୀ- ଅର୍ଥାତ୍ ଷୋଡ଼୍ଶବର୍ଷିୟା ନାହିଁ । ଅଥବା କୃଷ୍ଣାଙ୍ଗୀ (କାଳୀ) ନାହିଁ । ରାବଣ ସେମାନଙ୍କୁ ଭୁଲୋକର ସ୍ୱର୍ଗତୁଲ୍ୟ ଲଙ୍କାରେ ରଖି ସ୍ୱର୍ଗ ରମଣୀମାନଙ୍କୁ ଛି ଛି କରୁଛି କି ? ଏହା ଦେଖି ହନୁମାନ ବିଚାର କଲା, ‘ଆହା’ ! ରାବଣ କେଡ଼େ ଭାଗ୍ୟବାନ ! ଗାଈପଲ ମଧ୍ୟରେ ଏକମାତ୍ର ଷଣ୍ଢ ପରି ସମ୍ଭୋଗରେ ମତ୍ତ ହୋଇଅଛି ।’
୩୪ଶ ପଦ :- ପାଣିରେ-ହସ୍ତରେ । ଘନସାର-କର୍ପୂର । ସ୍ନେହାଶ-ଦୀପ ।
୩୪ଶ ପଦ :- ଯେଉଁମାନେ ନିଦ୍ରାରେ ଅଚେଷ୍ଟ ହୋଇଅଛନ୍ତି, ସେମାନଙ୍କୁ ଆଉ କେତେଗୁଡ଼ିଏ ସ୍ତ୍ରୀ ବିଞ୍ଚଣା ଓ ଚାମର ଧରି ବିଞ୍ଚୁଅଛନ୍ତି । କେହି କେହି ବା ଗୋଡ଼ରେ ହାତକୁ ଦେଇଛନ୍ତି ଅର୍ଥାତ୍ ଗୋଡ଼ ଘଷୁଛନ୍ତି ଏବଂ କେହି ଚନ୍ଦନ ବୋଳି ଦେଉଛି, କେହି ବା କର୍ପୂର ଗୁଣ୍ଡ କରୁଅଛନ୍ତି ଓ କେହି କେହି ଦୀପ ଜାଳୁଅଛନ୍ତି । ସେମାନଙ୍କୁ ଦେଖି ହନୁମାନ ‘ଏହି ହସ୍ତିନୀ ସ୍ତ୍ରୀମାନେ ସେହି ସୁପ୍ତା ପଦ୍ମିନୀମାନଙ୍କର ଦାସୀ ବୋଲି ମର୍ମରେ ଜାଣିଲା ।
୩୫ଶ ପଦ :- ‘ଜନକଙ୍କ ପାଳିତାକନ୍ୟା ସୀତାଙ୍କୁ ଚୋରି କଲେ ମଧୁଦୈତ୍ୟ ହନ୍ତା ଦାଶରଥି ନାମରେ ପରିଚିତ ଅର୍ଥାତ୍ ଦଶରଥ ପୁତ୍ର ରାମରୂପରେ ଅବତୀର୍ଣ୍ଣ ବିଷ୍ଣୁ ମୋତେ ବଧ କରିବେ, ତାଙ୍କ ଛଡ଼ା ଏ ବ୍ରହ୍ମାଣ୍ଡରେ ମୋତେ ମାରିବାକୁ କେହି ସମର୍ଥ ହେବେ ନାହିଁ’- ଏହିପରି ପ୍ରତ୍ୟେକ କାନ୍ଥରେ ଲେଖା ହୋଇଥିବାର ଦେଖି ଓ ତାକୁ ପଢ଼ି ହନୁର ବିଚାରଶକ୍ତି ବୃଦ୍ଧି ହେବାରୁ ସେ ନିଶ୍ଚୟ କଲା, ‘ରାବଣ ପଶୁଜନ୍ମ ଲାଭ କରିଅଛି । ତେଣୁ ଜାଣୁ ଜାଣୁ ମରଣକୁ ଆହ୍ୱାନ କରୁଛି ।’
ବୃଦ୍ଧି ପରସନ୍ନ ହେବ ଦରଶନ ଲୋକଜନନୀର ଭାଳି ଯେ ।ବିହରୁ ବିହରୁ ରାବଣ ଶୟନ ସଦନରେ ଯାଇଁ ମିଳି ଯେ ।ବିଲୋକି ! ବରାଙ୍ଗନାଏ ତା କୋଳ ଯେ ।ବାହୁକୁ ବାହୁ ସର୍ପେ ସର୍ପ ମୁଖକୁ ମୁଖରାହୁ-ଚନ୍ଦ୍ର ମେଳ ଯେ।୩୬ ।ବିରାଜୁଛି ବିଦ୍ୟୁବନେ କି ମାଂସଳ ମୀନ ସ୍ଥକିତ ମାଧୁରୀ ଯେ ।ବୁଜିବା ନୟନ ଯୁଗଳ ଉରଜ ମଙ୍ଗଳକୁମ୍ଭ ଚାତୁରୀ ଯେ ।ବିହିତ ।ବିଦ୍ୟ ଗୁବାକ ଚୁଚୁକ ଯେ ।ବସନ୍ତଦ୍ରୁମ ଛଦନ ଆଚ୍ଛାଦନ କୁରଙ୍ଗମଦଚିତ୍ରକ ଯେ।୩୭ ।ବିଛନ୍ଦ ଉରୁ ଉରୁକୁ ଦିଗଦନ୍ତୀ କରେ କି କଦଳୀତରୁ ଯେ ।ବିଚିତ୍ରକର୍ମା ବୋଲାଇ ଥିବ ବିଧି ନିର୍ମାଣ କରି ଏ ଭୀରୁ ଯେ ।ବିଲୋକି ! ବାତସୂତ ବିଚାରିଲା ଯେ ।ବତିଶଲକ୍ଷଣ ପୁରିତ ଏ ସୀତା ନିଶ୍ଚେଁ ନୀଚବୁଦ୍ଧି କଲା ଯେ।୩୮ ।ବିଧିପଦକୁ ଅବିଧି ସିଦ୍ଧି କଲା ଧାତା ଏ ବିଧାନ ରଚି ଯେ ।ବିଶୁଦ୍ଧ ରାମସୁଧାପାନୀ ସୀତାକୁ କୋଚିଳାଶନ ରୁଚି ଯେ ।ବାୟୁଜ ! ବହୁଦୀନ ହୋଇ ଧ୍ୟାୟି ଯେ ।ବଦନମଧୂଗନ୍ଧରୁ ଜଣା ଅର୍ଥେ ଭୃଙ୍ଗ ହୋଇ ପାଶେ ଯାଇ ଯେ।୩୯ ।ବଣା ହେଲି ଆକ୍ଷି ଥାଉଁ ନ ରଖିଲି ହୀରକ ସ୍ଫଟିକ ହେଜ ଯେ ।ବଣିକ ପରାୟେ ହୋଇଲି ସୁବର୍ଣ୍ଣ ତୁଳରେ ତୁଳିଲି ଗୁଞ୍ଜ ଯେ ।ବିତୁଳ ! ବାତୁଳ ହୋଇଲି ମୁହିଁ ଯେ ।ଚକ୍ର ମୃଣାଳଖଣ୍ଡକୁ ଏ ଦ୍ୱିତୀୟାଚାନ୍ଦ ବୋଲି ଦେଲି କହି ଯେ।୪୦ ।
୩୬ଶ ପଦ :- ‘ଏଥର ଜଗତ୍ଜନନୀ ସୀତାଙ୍କ ଦର୍ଶନ ମିଳିବ,’ ଏହା ଭାବି ହନୁମାନ ଅତିଶୟ ଆନନ୍ଦିତ ହୋଇ ବୁଲୁ ବୁଲୁ ରାବଣର ଶୋଇବା ଘର ମଧ୍ୟକୁ ପ୍ରବେଶ କଲା । ସେଠାରେ ସେ ଦେଖିଲା, ଗୋଟିଏ ପରମାସୁନ୍ଦରୀ ରମଣୀ ସର୍ପରେ ସର୍ପ ଛନ୍ଦି ହେଲାପରି ରାବଣର ବାହୁରେ ନିଜର ବାହୁକୁ ଛନ୍ଦି, ତାର ମୁଖରେ ନିଜର ମୁଖକୁ ଲଗ୍ନ କରିବା ଦ୍ୱାରା ରାହୁଗ୍ରସ୍ତ ଚନ୍ଦ୍ରର ଶୋଭାକୁ ଧାରଣ କରି କୋଳରେ ଶୋଇଅଛି । (ରାବଣମୁଖ ରାହୁ ଓ ସ୍ତ୍ରୀ ମୁଖ ଚନ୍ଦ୍ର ସହ ଉପମିତ) ।
୩୭ଶ ପଦ :- ମାଂସଳ-ସ୍ଥୂଳ ଅର୍ଥାତ୍ ବିସ୍ତୃତ । ମାଧୁରୀ-ଶୋଭା । ଉରଜ-ସ୍ତନ । ଚୁଚୁକ-ସ୍ତନାଗ୍ର । ବସନ୍ତଦ୍ରୁମ-ଆମ୍ବଗଛ । ଛଦନ-ପତ୍ର । କୁରଙ୍ଗମଦଚିତ୍ରକ-କସ୍ତୁରିରେ ଲେଖାହୋଇଥିବା ମୀନ ମକରାଦିଙ୍କର ଚିତ୍ର ।
୩୭ଶ ପଦ :- ପୁନଶ୍ଚ ସେହି ଦୁହିଙ୍କୁ ଦେଖି ହନୁମାନ ମନେକଲା, ‘ମେଘରେ ବିଜୁଳି ସ୍ଥିର ହୋଇ ରହିଛି କି ? ଏବଂ ତାହାର ନିଦ୍ରା ମୁଦ୍ରିତ ନୟନଯୁଗଳ ନିରୀକ୍ଷଣ କରି ମନେକଲା, ‘ଏ ଦୁଇଟି ସ୍ଥିର ହୋଇ ରହିଥିବା ପୃଥୁଳ ରୋହିମାଛର ଶୋଭାକୁ ଧାରଣ କରିଅଛନ୍ତି ।’ ଆଉ ମଧ୍ୟ ସେହି ସ୍ତ୍ରୀର ସ୍ତନଯୁଗଳରେ ଲେଖା ହୋଇଥିବା କସ୍ତୁରୀ ଚିତ୍ରକମାନେ ଆମ୍ବପତ୍ରପରି ଓ ସ୍ତନର ଅଗ୍ରଭାଗ (ଚୁଚୁକ) ଗୁଆପରି ଦେଖା ଯାଉଥିବାରୁ ତାହା ପୂର୍ଣ୍ଣକୁମ୍ଭ ଶୋଭାକୁ ପ୍ରକାଶ କରୁଥିଲା ।
୩୮ଶ ପଦ :- ସେହି ରମଣୀ ରାବଣର ଜଙ୍ଘକୁ ଜଙ୍ଘ ଛନ୍ଦି ଶୋଇଥିବାର ଦେଖି ମନେହୁଏ, ‘ଐରାବତ ତାର ଶୁଣ୍ଢରେ କଦଳୀଗଛକୁ ଧରିଛି କି ? ବିଧାତା ବିଚିତ୍ରକର୍ମା ବୋଲାଇବା ପାଇଁ ଏହି ରମଣୀକୁ ନିର୍ମାଣ କରିଛି କି ?’ ସେ ସ୍ତ୍ରୀକୁ ଦେଖି ହନୁମାନ ଏହିପରି ବିଚାରି ଠିକ୍ କଲା, ‘ଏ ସ୍ତ୍ରୀ ବତିଶ ଲକ୍ଷଣରେ ଯୁକ୍ତ ହୋଇଅଛି, ଏଣୁ ଏ ନିଶ୍ଚୟ ସୀତା; ମନ୍ଦବୁଦ୍ଧି କରି ରାବଣର କୋଳରେ ଶୋଇଅଛି ।’’
୩୯ଶ ପଦ :- ‘ବିଧାତା ଏହି କାର୍ଯ୍ୟକୁ ରଚନା କରି ନିଜର ବିଧି ନାମକୁ ଅବିଧି ବୋଲି ସିଦ୍ଧ କଲା । (ଅର୍ଥାତ୍ ବିଧାତା ନିୟମାନୁସାରେ କାର୍ଯ୍ୟ କରୁଥିବାରୁ ବିଧି ନାମରେ ପ୍ରସିଦ୍ଧି ଲାଭ କରିଥିଲା, ବର୍ତ୍ତମାନ ରାବଣ ଓ ସୀତାଙ୍କର ମିଳନ ଭଳି ଅକାର୍ଯ୍ୟ କରିବାରୁ ‘ଅବଧି’ ଅନ୍ୟାୟକାରୀ ବୋଲି ଜଗତରେ ଖ୍ୟାତି ଲାଭ କରିବା । ) ଆହା ! ରାମଚନ୍ଦ୍ରଙ୍କର ପବିତ୍ର ପ୍ରେମାମୃତ ପାୟିନୀ ସୀତାଙ୍କୁ ଏହି କୋଚିଳାଫଳ ତୁଲ୍ୟ ରାବଣର ପ୍ରୀତି ବା କିପରି ରୁଚିଲା । ହନୁମାନ ଏହିପରି ଭାବି ଅତ୍ୟନ୍ତ ଦୁଃଖିତ ହେଲା । ମୁଖର ଗନ୍ଧରୁ ଏ ସୀତା କି ରାକ୍ଷସୀ ଏହା ବାରିବା ପାଇଁ ଭ୍ରମର ରୂପଧରି ସେହି ସ୍ତ୍ରୀର ନିକଟକୁ ଗଲା । ମାତ୍ର ତାର ମୁଖରୁ ମଦ୍ୟଗନ୍ଧ ବାହାରୁ ଥିବାରୁ ଏ ନିଶ୍ଚୟ ରାକ୍ଷସୀ ବୋଲି ସ୍ଥିରକଲା ।
୪୦ଶ ପଦ :- ଗୁଞ୍ଜ-କାଇଁଚ । ବିତୁଳ-ଅତୁଳନୀୟ । ମୃଣାଳଖଣ୍ଡକୁ-ପଦ୍ମନାଡ଼ ଖଣ୍ଡକୁ ।
୪୦ଶ ପଦ :- ସେହି ସ୍ତ୍ରୀକୁ ରାକ୍ଷସୀ ବୋଲି ଜାଣିବା ପରେ ହନୁ ମନରେ ଭାବିଲା ‘ମୁଁ କଣ ଭୁଲିଗଲି, ଆକ୍ଷି ଥାଉଁ ଥାଉଁ ହୀରା ଓ ସ୍ଫଟିକମଣି ମଧ୍ୟରେ ପ୍ରଭେଦ କଣ ଜାଣିପାରିଲି ନାହିଁ । ପୁଣି ବଣିଆଁ ସୁନା ସହ କାଇଁଚକୁ ସମାନ କରି ତୁଳିଲା ପରି ମୁଁ ତୁଳନାର ଅଯୋଗ୍ୟ ରାକ୍ଷସୀକୁ ସୀତାଙ୍କ ସହ ତୁଳନା କଲି । ଅଥବା ମୁଁ କଣ ପାଗଲ ହେଲି, ଯେହେତୁ ବଙ୍କା ପଦ୍ମନାଡ଼ ଖଣ୍ଡକୁ ଦ୍ୱିତୀୟାଚନ୍ଦ୍ର ବୋଲି କହିଲି ।’
ବହ୍ନି ସେନେହୀ ପତଙ୍ଗ ସିନା ହୋଇ ତହିଁ ବହ୍ନିଭାବ ଯେ ।ବିବେଚନା କିପାଁ ଏତେକ ନ କଲି ପୋଡ଼ି ଯାନ୍ତା ଅବୟବ ଯେ ।କୋଇଲି ! ବ୍ରହ୍ମକନ୍ୟାକୁ ମାତଙ୍ଗୀ ଯେ ।ବୁଡ଼ି ମରିବି ସିନ୍ଧୁଜଳେ ଗଳେ ମୁଁ ଶିଳେ ବାନ୍ଧି ଏ ଆତଙ୍ଗୀ ଯେ।୪୧ ।ବିଚାରେ ଯେବେ ଶ୍ରୀରାମଙ୍କ କାର୍ଯ୍ୟ ତେବେ କରି ନ ପାରିଲି କିଛି ଯେ ।ବୋଲିବା ଏମନ୍ତ ଦୋଷ ହେବ ସତ ଚିତ୍ର ସୁକୃତ ତ ଅଛି ଯେ ।ବାହୁଡ଼ି ! ବୈଦେହୀ କହିଲା ବାଣୀ ଯେ ।ବ୍ରହ୍ମପଦବୀକି ଭାବିଲେ ପାଇବି ରାଘବ ଛାମୁରେ ଭଣି ଯେ।୪୨ ।ବନୀଏ ଦେଖିଲା କେତେ ଦୂରେ ଯାଇ ସେହି ପୁର ସନ୍ନିକଟେ ଯେ ।ବିଶୋକମନା ହୋଇ ତହିଁ ଗମନ ଜଗତୀ ତଥି ପ୍ରକଟେ ଯେ ।ବେଷ୍ଟିତ ! ବିଶେଷ ହୋଇ ରାକ୍ଷସୀ ଯେ ।ବାମ ହସ୍ତ ନ୍ୟସ୍ତ କପୋଳେ ଅବନୀ ଦୃଷ୍ଟିରେ ରାମାଏ ବସି ଯେ।୪୩ ।ବିଦ୍ରୁମ ମାଣିକ୍ୟ ମୁକୁତା ମର୍କତ ନୀଳମଣିରେ ରଚନା ଯେ ।ବିନିତାରତନ ପଦ ତାକୁ ସାନ ହୋଇଛି ହିରାବିହୀନା ଯେ ।ବିପୁଳ ! ବିରହଶାଣରେ ବସି ଯେ ।ବିଶୀର୍ଣ୍ଣ ସମସ୍ତ ଶେଷ ହୋଇ ଏକ ଗଲା କି ଚିତ୍ତେ ଆଭାସି ଯେ।୪୪ ।ବନଜ ନିଉଁଛାଳି କରି ଖଞ୍ଜନ ନିଉଁଛାଳିବାରେ ନେତ୍ରେ ଯେ ।ବିତର୍କ ପଦେ ପତନ କେ ଚଞ୍ଚଳ ସଦା କେ ବହିଛି ଗାତ୍ରେ ଯେ ।ବହଇ ! ବାରି ଯା ଜନମି ତହୁଁ ଯେ ।ବିଖନରେ ଧନ୍ୟ ଭାବି ଦ୍ରବୀଭୂତ ନୟନ ହୋଇଛି ଯହୁଁ ଯେ।୪୫ ।
୪୧ଶ ପଦ :- ପତଙ୍ଗ ଅଗ୍ନିଠାରେ ସ୍ନେହ କରେ କିନ୍ତୁ ଅଗ୍ନି ପତଙ୍ଗଠାରେ ସ୍ନେହ କରେନାହିଁ । ମୁଁ ପୂର୍ବରୁ ଏହିକଥା କାହିଁକି ନ ବିଚାରିଲି ? ଅର୍ଥାତ୍ ସୀତା କେବେ ହେଲେ ରାବଣ ନିକଟକୁ ଯାଇନଥିବେ ) । ଯଦି ରାବଣ ବଳାତ୍କାରେ ତାଙ୍କୁ ଧରିଥାନ୍ତା, ତା ହେଲେ ତାହାର ହସ୍ତ ପଦାଦି ଅବୟବମାନେ ପୋଡ଼ି ଯାଇଥାନ୍ତେ । ମୁଁ ଋଷିକନ୍ୟାକୁ ଚାଣ୍ଡାଳୀ ବୋଲି କହିଲି, ‘ଏହି ଦୋଷରୁ ମୁକ୍ତ ହେବା ନିମିତ୍ତ ବେକରେ ପଥର ବାନ୍ଧି ସମୁଦ୍ର ଜଳରେ ବୁଡ଼ିମରିବି ।’
୪୨ଶ ପଦ :- ପୁଣି ଭାବିଲା, ‘ଯଦି ଏହିପରି ଆତ୍ମହତ୍ୟା କରି ମରିବି ତାହା ହେଲେ ରାମଚନ୍ଦ୍ରଙ୍କର କୌଣସି ମାତ୍ର କାର୍ଯ୍ୟ କରିପାରିବିନାହିଁ, କିନ୍ତୁ ସୀତାଙ୍କୁ ଚଣ୍ଡାଳୀ ବୋଲି କହିବା ଦୋଷ ନିଶ୍ଚୟ ମୋ ଉପରେ ପ୍ରବର୍ତ୍ତିବ (ଅର୍ଥାତ୍ ସେ ଦୋଷରେ ମୁଁ ନିଶ୍ଚୟ ଦୋଷୀ ହେବି) । ଏଠାରୁ ବାହୁଡ଼ି ଯାଇ ସୀତାଙ୍କର କଥା ରାମଙ୍କ ନିକଟରେ ପ୍ରକାଶ କଲେ, ବ୍ରହ୍ମପଦବୀକୁ ମଧ୍ୟ ପାଇ ପାରିବା ଭଳି ପୁଣ୍ୟ ମିଳିପାରେ । ଏଣୁ ସମୁଦ୍ରରେ ବୁଡ଼ି ମରିବା ଅନୁଚିତ ।’
୪୩ଶ ପଦ :- ବନୀ-ବନ ବା ବଗିଚା । ବିଶୋକମନା-ଶୋକାକୂଳ ଚିତ୍ତ । ଜଗତ-ଅଟ୍ଟାଳିକା । ଅବନୀଦୃଷ୍ଟି-ତଳକୁ ମୁହଁ ପୋତି ।
୪୩ଶ ପଦ :- ଏହିପରି ଭାବି ଯାଉଁ ଯାଉଁ ହନୁମାନ ସେହି ରାବଣ ପୁରୀର ନିକଟରେ ଗୋଟିଏ ଉପବନ ଦେଖିଲା । ସୀତାଙ୍କୁ ନ ଦେଖି ଶୋକାଭିଭୂତ ହୋଇ ସେହି ଉପବନ ମଧ୍ୟରେ ପ୍ରବେଶ କରି ଦେଖିଲା ଯେ, ସେହି ବନ ମଧ୍ୟବର୍ତ୍ତୀ ଏକ ଅଟ୍ଟାଳିକାରେ ଜଣେ ରମଣୀ ବାମ ହସ୍ତକୁ ଗଣ୍ଡରେ ଦେଇ ବିଷର୍ଣ୍ଣ ମନରେ ମୁଖକୁ ପୋତି ବସିଛି ଏବଂ ଅନେକ ଗୁଡ଼ିଏ ରାକ୍ଷସୀ ତାର ଚାରିପଟେ ଘେରି ବସିଛନ୍ତି ।
୪୪ଶ ପଦ :- ସେହି ସ୍ତ୍ରୀ ପୋହଳା, ମାଣିକ୍ୟ ପ୍ରଭୃତି ରତ୍ନମାନଙ୍କଦ୍ୱାରା ନିର୍ମିତ ହୋଇଥିବା ଗୋଟିଏ ପ୍ରତିମା ପରି ଦେଖାଯାଉଛି । କାରଣ ତାର କରତଳ ପୋହଳା, ଦାନ୍ତ ମୁକ୍ତା, ଅଧର ମାଣିକ୍ୟ, କେଶ ମରକତ ଓ ଡୋଳା ନୀଳମଣିର ଶୋଭା ଧାରଣ କରିଅଛି । ସେହି ସ୍ତ୍ରୀ ହୀରା ତୁଲ୍ୟ ଅତି ସ୍ୱଚ୍ଛ ହାସ ପ୍ରକାଶ କରୁନଥିଲେ ମଧ୍ୟ ତାକୁ ସ୍ତ୍ରୀରତ୍ନ ବୋଲି କହିଲେ ସୌନ୍ଦର୍ଯ୍ୟର ନ୍ୟୁନତା ସୁଚିତ ହେବନାହିଁ । ବିରହକ୍ଷୀଣା ହାସ୍ୟଶୂନ୍ୟା ସେହି ସ୍ତ୍ରୀଙ୍କୁ ଦେଖି ମନେହୁଏ, ସମସ୍ତ ରତ୍ନଶାଣରେ ବସି କ୍ଷୀଣ ହୋଇ ରହିଲେ ମାତ୍ର ହୀରା ନିଃଶେଷିତ ହୋଇଗଲା । (ବିରହରେ ମଧ୍ୟ ତାଙ୍କର ସୌନ୍ଦର୍ଯ୍ୟ ଲୋପ ପାଇନଥିଲା, କିନ୍ତୁ ମୁଖ ହାସ୍ୟଶୂନ୍ୟ ହୋଇଥିଲା) ।
୪୫ଶ ପଦ :- ସେହି ସ୍ତ୍ରୀର ପଦ୍ମ ତୁଲ୍ୟ ରମଣୀୟ ପାଦ ଓ ଖଞ୍ଜନ ପକ୍ଷୀ ତୁଲ୍ୟ ଚଞ୍ଚଳ ନେତ୍ରକୁ ଦେଖି ହନୁମାନ ମନେକଲା, ‘ବିଧାତା ଏ ଦୁହିଁଙ୍କୁ ସୀତାଙ୍କ ସଙ୍ଗେ ସମାନ କରିବା ପାଇଁ ଇଚ୍ଛା କରି ତାଙ୍କର ନେତ୍ରକୁ ପଦ୍ମ ଦ୍ୱାରା ଓ ଖଞ୍ଜନ ଦ୍ୱାରା ବନ୍ଦାଇଲେ; କିନ୍ତୁ ଏ ଦୁହେଁ ନେତ୍ରଠାରୁ ପରାସ୍ତ ହେବାରୁ ପଦ୍ମ ବିନୀତ ହୋଇ ପାଦତଳେ ପଡ଼ିଛି ଓ ଖଞ୍ଜନ ଚକ୍ଷୁଠାରୁ ଚଞ୍ଚଳତାକୁ ଆଣି ଦେହରେ ରଖିଛି ।’ ତାଙ୍କର ଚକ୍ଷୁରୁ ଲୁହ ବହୁଥିବାର ଦେଖି ମନେକଲା, ପଦ୍ମ ଓ ଖଞ୍ଜନର ଦୁଃଖ ନେତ୍ରର ହୃଦୟ ବିଚଳିତ ହେଉଅଛି କି ? ଏଣୁ ମୁଁ ବିଧାତାଙ୍କୁ ଧନ୍ୟବାଦ ଅର୍ପଣ କରୁଛି । କାରଣ ସେ ପଦ୍ମ ଓ ଖଞ୍ଜନ ସହ ନେତ୍ର ବନ୍ଦାଇବାରୁ ନେତ୍ରର ସେ ଦୁହିଙ୍କ ପାଇଁ ସିନା ହୃଦୟରେ ଦୟା ଜାତ ହେଲା ?’’
ବିକ୍ଷୋଜେ ପୁଣି ଅଶ୍ରୁ ଜଡ଼ି ପଡ଼ି ସେ ବେନି ଉପମା ସମ୍ଭବେ ଯେ ।ବ୍ୟୋମ ହୃଦୟେ ରାମଚନ୍ଦ୍ର ଉଦୟେ ଚନ୍ଦ୍ରଶିଳ ଶୈଳଦ୍ରବେ ଯେ ।ବିଦିତ ! ବେନି ଶାତକୁମ୍ଭ କୁମ୍ଭ ଯେ ।ବିଭର୍ତ୍ତି ରାମ-ପ୍ରେମ ନୀର ବହୁତ ଉଚ୍ଛୁଳିବାର ଆରମ୍ଭ ଯେ।୪୬ ।ବଢ଼ି ଅଳକା ଭାଲ ଅର୍ଦ୍ଧ ଗ୍ରାସିକା ଏ ଲକ୍ଷରେ ଚିତ୍ତ ତ୍ୱରା ଯେ ।ବିରୁପାକ୍ଷ-ଅରି ଜାତରୂପ ଫରି କଳଙ୍କି ଆସିଲା ପରା ଯେ ।ବେଣୀର ! ବନ୍ଧା ଫିଟିବାର ନାହିଁ ଯେ ।ବ୍ୟାକୋଷ ପୁଷ୍ପ ମଣ୍ଡନ କୋଷହୀନ ପଟ୍ଟିଶକି ଡେରା ହୋଇ ଯେ।୪୭ ।ବୀର ହନୁମାନ ମାନସେ ଭାବନ ଏହି କଥାମାନ କଲା ଯେ ।ବାମ ହେଲେ ରାମ କାମରେ ପୁରୁଷ ପ୍ରଶଂସା ସଂସାରେ ଥିଲା ଯେ ।ବନିତା ! ବର ହୋଇଥିଲା ରମ୍ଭା ଯେ ।ବିଶେଷ ଶୋଭା ନଳିନୀ ନଳିନୀରେ ନଳିନୀ ପରି ଅରମ୍ଭା ଯେ।୪୮ ।ବାନ୍ଧବୀ ଏହି ସେ ରାମର ରାମର-ନିକେତନ କି ସଂଶୟ ଯେ ।ବିରହୀ ବିରହିଣୀ ପରସ୍ପରରେ ହୋଇଛନ୍ତି ଅତିଶୟ ଯେ ।ବିଲୋକି ! ବେନିଙ୍କି ଧନ୍ୟ ମୋ ନେତ୍ର ଯେ ।ବାଣୀ ଶୁଣିଛି ତାଙ୍କର ଏହାଙ୍କର ବାଣୀ କି ଶୁଣିବ ଶୋତ୍ର ଯେ।୪୯ ।ବସୁଧା ଶିରୀ ଏ ଶିରୀ ଏ ଶିରୀକ୍ଷ ଅଙ୍ଗିନୀ ସନ୍ଦେହ ନାହିଁ ଯେ ।ବିଶାଳ ନିତମ୍ବ ରୋମାବଳୀ ବ୍ୟାଜ ଚକ୍ର ଗଦା ଅଛି ଥୋଇ ଯେ ।ବିଚ୍ଛେଦ ! ବିଧାନେ ଡରାଉ ଦୈତ୍ୟ ଯେ ।ବିଶ୍ୱମ୍ଭରାପତି ଜାଣି ଦେଇଛନ୍ତି ଏ ମୂର୍ତ୍ତିରେ ନାହିଁ ହସ୍ତ ଯେ।୫୦ ।
୪୬ଶ ପଦ :- ବକ୍ଷୋଜ-ସ୍ତନ । ବ୍ୟୋମ-ଆକାଶ । ରାମଚନ୍ଦ୍ର-ରମଣୀୟ ଚନ୍ଦ୍ର । ଚନ୍ଦ୍ରଶିଳଶୈଳ-ଚନ୍ଦ୍ରକାନ୍ତ ପର୍ବତ । ଶାତକୁମ୍ଭ କୁମ୍ଭ-ସୁବର୍ଣ୍ଣ କଳଶ ।
୪୬ଶ ପଦ :- ସେହି ସ୍ତ୍ରୀର ସ୍ତନ ଉପରେ ଅଶ୍ରୁ ବିନ୍ଦୁ ପଡ଼ି ଲାଗି ରହିଥିବାରୁ ପୁଣି ହନୁମାନ ଏହି ଉପମା ସମ୍ଭବ ହେବ ବୋଲି ମନେକଲା, ‘ହୃଦୟ ରୂପ ଆକାଶରେ ରାମଚନ୍ଦ୍ର ରୂପ ରମଣୀୟ ଚନ୍ଦ୍ର ଉଦୟ ହେବାରୁ ଚନ୍ଦ୍ରକାନ୍ତ ପର୍ବତ ରୂପ ସ୍ତନଦ୍ୱୟ ଦ୍ରବିଭୂତ ହେଉଅଛି କି ? କିମ୍ବା ଏହାଙ୍କର ସ୍ତନ ରୂପ ସୁବର୍ଣ୍ଣ କଳଶଦ୍ୱୟ ରାମଙ୍କର ପ୍ରେମନୀରରେ ପୂର୍ଣ୍ଣ ହୋଇଯିବାରୁ ସେହି ନୀର ଉଚ୍ଛୁଳି ପଡ଼ିବାକୁ ଆରମ୍ଭ କରୁଛି କି ?’
୪୭ଶ ପଦ :- ବିରପାକ୍ଷ ଅରି-କନ୍ଦର୍ପ । ଜାତରୂପ-ସୁବର୍ଣ୍ଣ । ପଟ୍ଟିଶ-ଅସ୍ତ୍ରବିଶେଷ (ଖଣ୍ଡା) । ବ୍ୟାକୋଷପୁଷ୍ପ-ପ୍ରସ୍ଫୁଟିତ ପୁଷ୍ପ ।
୪୭ଶ ପଦ :- ଆଉ ମଧ୍ୟ ସୀତାଙ୍କର ଚୂର୍ଣ୍ଣକୁନ୍ତଳ ବଢ଼ି ଭାଲ ଦେଶକୁ ଘୋଡ଼ାଇ ପକାଇ ଥିବାର ଦେଖି ମନେ କଲା, ‘କନ୍ଦର୍ପର ସୁବର୍ଣ୍ଣ ଫେରିରେ କଳଙ୍କ ଲାଗି ଆସୁଛି କି ?’ ତାଙ୍କର ବନ୍ଧନମୁକ୍ତ ହୋଇ ନ ଥିବା ବେଣୀକୁ ଦେଖି ମନେ କଲା, ‘କନ୍ଦର୍ପର ଖଣ୍ଡା ପ୍ରସ୍ଫୁଟିତ ପୁଷ୍ପ ରୂପ ଖୋଳରୁ ନିଷ୍କାସିତ ହୋଇ ଏଠାରେ ଡେରା ହୋଇଛି କି ?’
୪୮ଶ ପଦ :- ବନିତାର-ନାରୀଶ୍ରେଷ୍ଠ । ନଳିନୀ-ପଦ୍ମିନୀ, ପୁଷ୍କରିଣୀ, ପଦ୍ମ ।
୪୮ଶ ପଦ :- ‘ଏ ସଂସାରରେ ସୌନ୍ଦର୍ଯ୍ୟରେ କାମ ପୁରୁଷମାନଙ୍କ ମଧ୍ୟରେ ପ୍ରଶଂସା ଲାଭ କରିଥିଲା । ଅର୍ଥାତ୍ କନ୍ଦର୍ପ ସୁନ୍ଦର ପୁରୁଷ ବୋଲି ଖ୍ୟାତି ଲାଭ କରିଥିଲା । ବର୍ତ୍ତମାନ ରାମଚନ୍ଦ୍ର ତାହାର ଶତ୍ରୁ ହେଲେ (ସୁନ୍ଦର ବୋଲି ଖ୍ୟାତ ହେଲେ) । ସ୍ତ୍ରୀମାନଙ୍କ ମଧ୍ୟରେ ରମ୍ଭା ପରମା ସୁନ୍ଦରୀ ବୋଲି ଖ୍ୟାତି ଲାଭ କରିଥିଲା, କିନ୍ତୁ ବର୍ତ୍ତମାନ ପଦ୍ମିନୀ ସୀତା ପୁଷ୍କରିଣୀରେ ପଦ୍ମଲତା ନିଜର ଶୋଭା ବିସ୍ତାର କଲା ପରି ସଂସାରରେ ସ୍ୱୀୟ ଶୋଭା ବିସ୍ତାର କରିବାରୁ ସେହି ରମ୍ଭା ‘ଅରମ୍ଭା’ ଅପ୍ରଶଂସା ହୋଇ ରହିଲାଣି ।’ ହନୁମାନ ଏହିପରି ଭାବିବାକୁ ଲାଗିଲା ।
୪୯ଶ ପଦ :- ରାମର ନିକେତନ-ସୌନ୍ଦର୍ଯ୍ୟର ଗୃହସଦୃଶ । ଶ୍ରୋତ୍ର-ବର୍ଣ୍ଣ ।
୪୯ଶ ପଦ :- ହନୁମାନ ମନେ କଲା, ‘ଏହି ପରମାସୁନ୍ଦରୀ ନିଶ୍ଚୟ ରାମଚନ୍ଦ୍ରଙ୍କର ପ୍ରିୟା, ଏଥିରେ କିଛି ମାତ୍ର ସନ୍ଦେହ ନାହିଁ । ସେ ଦୁହେଁ ପରସ୍ପରଠାରୁ ଅନ୍ତର ହୋଇ ବିରୁହୀ ଓ ବିରହିଣୀ ହୋଇଛନ୍ତି । ଦୁହିଁଙ୍କୁ ଦେଖି ମୋର ଚକ୍ଷୁ ଧନ୍ୟ ହେଲା । ମୁଁ ରାମଚନ୍ଦ୍ରଙ୍କ କଥା ଶୁଣିଛି, ଆଉ ଏହାଙ୍କର କଥା ମୋ କାନ ଶୁଣିବ ବି ?’’
୫୦ଶ ପଦ :- ବସୁଧାଶ୍ରୀ-ଧରଣୀମଣ୍ଡନୀ । ଶ୍ରୀ-ଲକ୍ଷ୍ମୀ । ବିଧାନେ-ଚେଷ୍ଟାକରି । ବିଶ୍ୱମ୍ଭରାପତି-ନାରାୟଣ ।
୫୦ଶ ପଦ :- ଶେଷରେ ହନୁମାନ ମନେ ମନେ ଭାବିଲା, ‘ଏହି ମହୀମଣ୍ଡନା ଶିରୀଷକୋମଳାଙ୍ଗୀ ଲଳନା ନିଶ୍ଚୟ ଲକ୍ଷ୍ମୀ-ଏଥିରେ ସନ୍ଦେହ ନାହିଁ । ବୋଧହୁଏ ଏ ରମଣୀ ତାହାଙ୍କ ଦେହରେ ଉନ୍ନତ୍ତ ନିତମ୍ବ ଓ ରୋମରାଜିର ବ୍ୟାଜରେ ଗଦା ଓ ଚକ୍ରକୁ ଥୋଇ ଅଛନ୍ତି । ବିଯୋଗ ସମୟରେ ଅସୁରମାନେ ଚେଷ୍ଟାକରି ଏହାଙ୍କୁ ଡରାଇବେ, ଏହି କଥା ଜାଣି ଜଗତ୍ପାଳନ ନାରାୟଣ ସେହି ଗଦା ଓ ଚକ୍ରକୁ ଦେଇଛନ୍ତି; ଏଣୁ ଏହି ଅବତାରରେ ନିଜର ହାତରେ ସେ ଦୁହେଁ ନାହାନ୍ତି ।’
ବିରାଜମାନ ଦ୍ୱିଭୁଜ ଏହି ହେତୁ ଶାରଙ୍ଗ ଶର ବିଧୃତ ଯେ ।ବ୍ୟାଜ ନାସିକା ଦେଖାଇ ଚଞ୍ଚୁ ଅଙ୍ଗେ ଖଗେଶ୍ୱରହିଁ ଗୁପତ ଯେ ।ବାହାନ ! ବାରଣ ଗତିରେ ଥିବ ଯେ ।ବାରିଜାସନୀ ସରୋଜପାଦ ବେନି ବାଞ୍ଛା ସିଦ୍ଧ ମୋ କରିବ ଯେ।୫୧ ।ବର୍ଷୁ ପୁଲକିତ ବିଚାରୁ ଏମନ୍ତ ପ୍ରିୟକ ପ୍ରିୟକ ଘେନି ଯେବେଭାରେ ହୋଇଲା ପରାଏ ସନିଧି ସନ୍ନିଧି ଗମେ ପାବନୀ ଯେ ।ବୁଝ ହେ ! ବୁଦ୍ଧି ଉତ୍ତମ କେ ବିଦ ହେ ।ବାନପଦେ ଉପଇନ୍ଦ୍ର ଭଞ୍ଜ ବୀରବର ଶେଷ କରେ ଛାନ୍ଦ ଯେ।୫୨ ।୫୧ଶ ପଦ :- ଶାରଙ୍ଗ-ଧନୁ । ଖଗେଶ୍ୱର-ଗରୁଡ଼ । ଚଞ୍ଚୁ-ଥଣ୍ଟ । ବାରିଜାସନୀ-ପଦ୍ମାସନୀ (ଲକ୍ଷ୍ମୀ) । ସରୋଜ-ପଦ୍ମ ।
୫୧ଶ ପଦ :- ସେହି ହେତୁରୁ ଅର୍ଥାତ୍ ଗଦା ଓ ଚକ୍ର ଏହି ଲକ୍ଷ୍ମୀଙ୍କୁ ଦେଇ ପକାଇଥିବାରୁ ବର୍ତ୍ତମାନ ରାମାବତାରରେ ଦୁଇହାତରେ ଧନୁ ଓ ଶର ଧରି ବିରାଜିତ ହୋଇଅଛନ୍ତି । ଗରୁଡ଼ ଏହାଙ୍କ ଦେହରେ ଲୁଚିରହି, ନିଜର ଥଣ୍ଟକୁ ନାସିକା ଛଳରେ ପ୍ରକାଶ କରିଛି । ଲକ୍ଷ୍ମୀଙ୍କର ବାହାନ ହସ୍ତୀ ମଧ୍ୟ ଏହାଙ୍କର ଗତିକୁ ଆଶ୍ରୟ କରିଥିବ । ଲକ୍ଷ୍ମୀ ପଦ୍ମାସିନୀ, ସେଥିଯୋଗୁଁ ଏହାଙ୍କର ପଦଯୁଗଳ ପଦ୍ମପରି ଦେଖାଯାଉଛି । ଏହି ପାଦଦ୍ୱୟ ନିଶ୍ଚୟ ମୋର ମନବାଞ୍ଛା ପୂର୍ଣ୍ଣ କରିବ’ ।
୫୨ଶ ପଦ :- ପ୍ରିୟକ-ପ୍ରୀତିପ୍ରଦ, କଦମ୍ବଫୁଲ । ବର୍ଷୁ-ଦେହ । ପାବନୀ-ହନୁମାନ ।
୫୨ଶ ପଦ :- ଏହିପରି ପ୍ରୀତିପ୍ରଦ ବିଷୟମାନଙ୍କୁ ଭାବୁଭାବୁ ହନୁମାନର ଦେହ ପୁଲକିତ ହୋଇ କଦମ୍ବଫୁଲର ଶୋଭାକୁ ଧାରଣ କଲା । ବେପାରଦ୍ୱାରା ଉତ୍କୃଷ୍ଟ ରତ୍ନଲାଭ ହେଲାପରି ସେ ସୀତାଙ୍କର ସାମୀପ୍ୟକୁ ଲାଭ କଲା (ନିକଟବର୍ତ୍ତୀ ହେଲା) । ବୀରବର ଉପେନ୍ଦ୍ର ଭଞ୍ଜ ଏ ଛାନ୍ଦକୁ ବାଉନପଦରେ ଶେଷ କଲେ । ହେ ଉତ୍ତମ ବୁଦ୍ଧିମାନ୍ ପଣ୍ଡିତବୃନ୍ଦ ! ଏହାକୁ ଭଲକରି ବୁଝ ।
ପଞ୍ଚତ୍ରିଂଶ ଛାନ୍ଦରାଗ-ଚିନ୍ତା ଭୈରବବୁଧେ ଶୁଣିବା ହେଉ ସୁମତିବଇଶ୍ରବଣେ ଲଙ୍କ ଦେବତୀବିହିଲା ସନ୍ଦେଶ ହେଲାଟି ଜୀବେଶ ବାର୍ତ୍ତା ପ୍ରବେଶ ଜାନକୀ କତି ରେ ।ବିଂଶାକ୍ଷ ।୧ ।ବସି ସ୍ୱପନ ଚେତି କମ୍ପନବାହାରିଲା ସେ ଅଶୋକ ବନବହୁତ ଦିହୁଡ଼ି ଅନ୍ଧାର ଘଉଡ଼ି ଶୁଭେ ମଣିମା ମଣିମା ସ୍ୱନ ସେ ।ବୀଥିରେ ।୨ ।ବୁଲାଉଛି ଚକ୍ର ପ୍ରାୟେ ନେତ୍ରବହି ଶୂଳଗଦା ଅସିପତ୍ରବିଂଶାର୍ଦ୍ଧ ଆନନ ଶୋଭା ଆନ-ଆନ ଆନନ ଲଙ୍ଘେ ଯା ଦେବଗୋତ୍ର ସେ ।ବିଂଶାକ୍ଷ ।୩ ।ବଡ଼ଭୀକି ଉଠି ଯାଉଁ ଦୁଷ୍ଟବଡ଼ଭୀରେ ସୀତା କଲେ ପୃଷ୍ଠବିଶୟମାନ ଅତିଶୟ ସଂଶୟ ନଷ୍ଟ ହେବ ଭାବି ହେଲା ହୁଷ୍ଟ ସେ ।ବୀତଜ ।୪ ।ବସେ ପାଶେ ହୋଇ ମଧୁ ବ୍ରତେବାଣୀ ସରସ ଶର କି ଶ୍ରୁତେବସଇ ଭାଷଇ ଦୈତ୍ୟ ନ ବସଇ କିପାଁ କୃପା ମୋହଠାରେ ଚିତ୍ତେ ରେ ।ବରାଙ୍ଗି ।୫ ।ବଇଶ୍ରବଣ-ରାବଣ । ସନ୍ଦେଶ-ଖବର । ଜୀବେଶ-ପ୍ରାଣପତି (ରାମଚନ୍ଦ୍ର) । ବିଂଶାକ୍ଷ-ରାବଣ ।
୧ମ ପଦ :- ହେ ବୁଦ୍ଧିମାନ ପଣ୍ଡିତବର୍ଗ ! ଶୁଣିବା ହୁଅନ୍ତୁ । ଲଙ୍କାଦେବୀ ସ୍ୱପ୍ନରେ ରାବଣକୁ ଏହି ସମ୍ବାଦ ଦେଲେ, ‘‘ରେ ରାବଣ ! ସୀତାଙ୍କ ନିକଟରେ ତାଙ୍କ ପତିଙ୍କର ବାର୍ତ୍ତା ପହଞ୍ଚିଲାଣି ।’’
୨ୟ ପଦ :- ରାବଣ ଶଯ୍ୟାରୁ ଉଠି ଅଳ୍ପକ୍ଷଣ ବସି ସ୍ୱପ୍ନ ବିଷୟ ଚିନ୍ତା କରି କ୍ରୋଧକମ୍ପିତ କଳେବରରେ ଅଶୋକ ବନକୁ ଗମନ କଲା । ସେ ଯିବା ସମୟରେ ଅସଂଖ୍ୟ ଦିହୁଡ଼ି ଲାଗି ଅନ୍ଧକାରକୁ ଦୂରକରିବାକୁ ଲାଗିଲେ ଓ ବାଟରେ ମଣିମା ମଣିମା ଡାକ ଶୁଣାଗଲା ।
୩ୟ ପଦ :- ଅସିପତ୍ର-ଖଣ୍ଡା । ଆନ-ଆନ-ଆଉ ଆଉ ପ୍ରକାର । ଆନ-ରାଣ । ଦେବଗୋତ୍ର-ଦେବତାମାନେ ।
୩ୟ ପଦ :- ଯାହାର ରାଣକୁ ଦେବତାମାନେ ସୁଦ୍ଧା ଲଙ୍ଘନ କରନ୍ତି ନାହିଁ ଅର୍ଥାତ୍ ଦେବତାମାନେ ଯାହାର ଆଜ୍ଞାବହ, ସେହି ରାବଣ ଯିବା ସମୟରେ ଚକ୍ଷୁମାନଙ୍କୁ ଚକ୍ର ପରି ବୁଲାଉଥିଲା ଓ ହସ୍ତମାନଙ୍କରେ ଶୂଳ, ଗଦା ଓ ଖଣ୍ଡା ଧାରଣ କରିଥିଲା ଏବଂ ତାହାର ଦଶଗୋଟିଯାକ ମୁଖ ଭିନ୍ନ ଭିନ୍ନ ଶୋଭା ଧାରଣ କରିଥିଲେ ।
୪ର୍ଥ ପଦ :- ବଡ଼ଭୀ-ଅଟ୍ଟାଳିକା, ଅତି ଭୟ । ବାତଜ-ହନୁମାନ ।
୪ର୍ଥ ପଦ :- ଏହିପରି ଭାବରେ ଯାଇ ରାବଣ ଅଟ୍ଟାଳିକା ଉପରକୁ ଉଠିଯାନ୍ତେ ସୀତା ଅତିଶୟ ଭୟପାଇ ତା ଆଡ଼କୁ ପିଠି କରି ବସିଲେ । ‘ଅତିଶୟ ସନ୍ଦେହପୂର୍ଣ୍ଣ ବିଷୟମାନଙ୍କରୁ ସନ୍ଦେହ ସବୁ ନଷ୍ଟ ହେବ କି ? ଅର୍ଥାତ୍ ମୋର ସୀତାଙ୍କଠାରେ ଥିବା ସନ୍ଦେହ ତୁଟିଯିବ କି ? ଏହା ଭାବି ହନୁମାନ ଆନନ୍ଦିତ ହେବାକୁ ଲାଗିଲା ।
୫ମ ପଦ :- ରାବଣର କଥା ସୀତାଙ୍କୁ ଆନନ୍ଦ ପ୍ରଦାନ କରିବ ବା ଶରତୁଲ୍ୟ ଯନ୍ତ୍ରଣା ଦେବ, ଏହା ଜାଣିବା ପାଇଁ ହନୁମାନ ମହୁମାଛି ରୂପ ଧାରଣ କରି ସୀତାଙ୍କ ନିକଟରେ ବସିଲା । ଏହି ସମୟରେ ରାବଣ କହିଲା, ‘‘ରେ ବରାଙ୍ଗି ! ମୋ ପ୍ରତି ତୋ ହୃଦୟରେ କାହିଁକି ଟିକିଏ ହେଲେ ଦୟା ବସୁ ନାହିଁ ?’’
ବଦାନ୍ୟ ଯେ ଲୋକେ ହୋଇଥାଇ ବୁଝ ତନୁ ଦାନ କି ନ ଦେଇ ।ବିଧିରେ ତୁ ନିଧିରୂପା ରସନିଧି ମୁଁ ଯେ ତୋହର ସନ୍ନିଧିସ୍ଥାୟୀ ରେ ।ବରାଙ୍ଗି ।୬ ।ବିଭାକର ବଲ୍ଲଭୀ ପଦ୍ମିନୀ ବିଳସଇ ସେ ମଧୁପ ଘେନି ।ବିଭାକରବଂଶୀ ପ୍ରିୟା ତୁ ପଦ୍ମିନୀ ମୁଁ ମଧୁପ ହୁଅ ରସଦାନୀ ରେ ।ବରାଙ୍ଗି ।୭ ।ବାରି ପାଶକୁ ତୃଷାର୍ତ୍ତୀ ଯାଇ ବିଚାର ତ କରେ ସେ କି ନାହିଁ ।ବାରିଦବାରିରେ ଆଶାୟୀ ଚାତକ ତୃଷା ନିବାରେ ତୁଷାର ପିଇ ରେ ।ବରାଙ୍ଗି ।୮ ।ବହୁ ନାୟିକା ବଲ୍ଲଭ ଶଙ୍କା ବହୁ ବିମୁଖ ପାଞ୍ଚି ରସିକା ।ବିପ୍ରଲ୍ବଧା ସମ ସୁଷମ ସମସ୍ତେ ହେବେ ହେବୁ ସ୍ୱାଧୀନଭର୍ତ୍ତୃକା ରେ ।ବରାଙ୍ଗି ।୯ ।ବିଂଶ ସପ୍ତାଧିକ ତାରାପତି ବିଧୁ ରୋହିଣୀ ତା ପ୍ରିୟବତୀବିକୃତ ନୁହ ମୁଁ ସ୍ୱୀକୃତ କରୁଛି ତୋହ କୃତ ରସେ ମୋର ପ୍ରୀତି ରେ ।ବରାଙ୍ଗି ।୧୦ ।୬ଷ୍ଠ ପଦ :- ବଦାନ୍ୟ-ଦାତାଶ୍ରେଷ୍ଠ । ତନୁ-ଦେହ, ଅଳ୍ପ । ନିଧିରୂପା-ରତ୍ନସ୍ୱରୂପା । ରସନିଧି-ରସସମୁଦ୍ର ।
୬ଷ୍ଠ ପଦ :- ପୁନର୍ବାର କହିଲା, ‘‘ଥରେ ମାତ୍ର ବିଚାର କର, ଯେଉଁ ଲୋକ ବଡ଼ ଦାନୀ ହୋଇଥାଏ, ସେ କଣ ‘ତନୁ’ ଅଳ୍ପ ଦାନ (ଗୋଟିଏ ସାମାନ୍ୟ ଜିନିଷ ଦାନ) ଦିଏ ନାହିଁ ? (ନିଶ୍ଚୟ ଦିଏ) । ଅଥବା ଯେ ମହାଦାନୀ ସେ କଣ ‘ତନୁ’ ଦେହ ଦାନ ଦିଏ ନାହିଁ ? ‘ମୋ ନିକଟରେ କଣ ଅଛି ଯେ, ମୁଁ ଦେବି,- ଏହା କହିପାର, କିନ୍ତୁ ତୁମ୍ଭର ମୁଖ ପ୍ରଭୃତି ପଦ୍ମାଦି ନିଧିମାନଙ୍କ ସହ ସମାନ ହୋଇ ଥିବାରୁ ତୁ ନିଧିରୂପିଣୀ ଅଟୁ ଓ ଶୃଙ୍ଗାରରସର ମଧ୍ୟ ‘ନିଧି’ ସ୍ଥାନ ବା ସମୁଦ୍ର ଅଟୁ । ରେ ସୁନ୍ଦରୀ ! ମୁଁ ତୋ ନିକଟରେ ଭିକ୍ଷାର୍ଥୀ ହୋଇଅଛି ।’’
୭ମ ପଦ :- ମଧୁପ-ମଦ୍ୟପାୟୀ, ଭ୍ରମର । ବିଭାକ-ବଲ୍ଲରୀ-ସୂର୍ଯ୍ୟପ୍ରିୟା (ପଦ୍ମିନୀ) ।
୭ମ ପଦ :- ‘‘ତୁ ସୂର୍ଯ୍ୟବଂଶୀୟ ରାମଙ୍କର ପ୍ରିୟା ପଦ୍ମିନୀ (ସତୀ) ଅଟୁ । ମୁଁ ମଧ୍ୟ ‘ମଧୁପ’ ମଦୁଆ ଅଟେ । ‘ମଧୁପ’ ଭ୍ରମର ସୂର୍ଯ୍ୟଙ୍କର ପ୍ରିୟ । ପଦ୍ମିନୀକୁ ଘେନି କ୍ରୀଡ଼ା କରେ । ରେ ସୁନ୍ଦରୀ ! ଏଣୁ ତୁ ମଧ୍ୟ ତୁମ୍ଭ ବଂଶର ପଦ୍ମିନୀପରି ରସଦାନ କର (ପ୍ରୀତିଭିକ୍ଷା ଦେ) ।’’
୮ମ ପଦ :- ବାରି-ଜଳ । ତୃଷାର୍ତ୍ତୀ-ଶୋଷୀ । ବାରିଦ ବାରିରେ-ମେଘ ଜଳରେ । ତୁଷାର-କାକର ।
୮ମ ପଦ :- ‘‘ରେ ସୁନ୍ଦରୀ ! ତୁ ମନରେ ବିଚାର କର, ଜଳନିକଟକୁ ତୃଷାର୍ତ୍ତୀ ଲୋକ ଯଦି ଯାଏ ସେ କଣ ତାକୁ ନାହିଁକରେ? (ଅର୍ଥାତ୍ ନାହିଁ କରେନାହିଁ ) । ତା ହେଲେ ତୁ କାହିଁକି ନାହିଁ କରୁଛୁ । ତୁ କହିପାରୁ ‘ଯଦି ଆତୁର ହେଉଛ ତାହାହେଲେ ଅନ୍ୟ ସ୍ତ୍ରୀ ନିକଟକୁ ଯାଆ’ ମାତ୍ର ତା ହେବ ନାହିଁ । କାରଣ ମେଘଜଳପ୍ରତି ଆଶା କରିଥିବା ଚାତକ ତୁଷାର ପିଇ ତୃଷା ଶାନ୍ତି କରି ପାରେ କି ?’’
୯ମ ପଦ :- ବହୁ ନାୟିକାବଲ୍ଲଭ-ବହୁ ସ୍ତ୍ରୀଙ୍କର ପତି । ସୁଷମ-ସୁନ୍ଦରୀ । ବିପ୍ରଲବ୍ଧା ନାୟିକା-ବଞ୍ଚିତା ନାୟିକା ।
୯ମ ପଦ :- ‘‘ରେ ରସିକା ! ମୁଁ ବହୁ ରମଣୀର ପ୍ରିୟ ହୋଇଥିବାରୁ ତୁ ମୋଠାରେ ଶଙ୍କା କରି ବିମୁଖ ହେଉଛୁ କି ? (ଯାହାର ଏତେ ସ୍ତ୍ରୀ ସେ କଣ ଜଣକୁ ଭଲ ପାଇବ ?) ହେ ସୁନ୍ଦରୀ ! ତୋର ଏପରି ଶଙ୍କା କରିବା ଉଚିତ ନୁହେଁ । ମୋର ସମସ୍ତ ସ୍ତ୍ରୀ ବିପ୍ରଲବ୍ଧା ସ୍ତ୍ରୀର ଶୋଭାକୁ ଧାରଣ କରିବେ (ଅର୍ଥାତ୍ ସେମାନେ ବଞ୍ଚିତ ହୋଇ ରହିବେ ।) ତୁ ସ୍ୱାଧୀନଭର୍ତ୍ତୃକା ହେବୁ ମୁଁ ସର୍ବଦା ତୋର କଥା ମାନି ରହିବି ।’’
୧୦ମ ପଦ :- ‘‘ଚନ୍ଦ୍ର ସତାଇଶଗୋଟି ନକ୍ଷତ୍ରର ପତି ହେଲେ ସୁଦ୍ଧା ରୋହିଣୀ ତାଙ୍କର ପ୍ରିୟବତୀ ନାୟିକା ଅଟନ୍ତି । ସେହିପରି ମୋର ଅନେକ ସ୍ତ୍ରୀ ଥିଲେ ସୁଦ୍ଧା ତୁ ପ୍ରିୟବତୀ ରମଣୀ ହେବୁ । ରେ ସୁନ୍ଦରୀ ! ତୁ ବିମନା ହୁଅନାହିଁ । ମୁଁ ନିୟମ କରି କହୁଛି, ତୁ ଯାହା କରିବୁ ସେଥିରେ ମୋର ଆନନ୍ଦ ହେବ ।’’
ବାଣୀ ବାଣ ମୋହର ହୋଇଲା ବ୍ୟଥା ସୀତାଙ୍କୁ ଦେଲା ଜାଣିଲା ।ବେଦମତୀମତି ନ ପୁଣ ଯୁବତୀ ଶାପଦେବ ଏ ଭୟେ ଉଠିଲା ସେ ।ବିଂଶାକ୍ଷ ।୧୧ ।ବୋଇଲା ସେ ଏମାସେ ରମଣି ବଲ୍ଲଭକୁ ନ ପାରିଲେ ଆଣି ।ବିଧିବି ଅବଧି ଚନ୍ଦ୍ରହାସ ଘେନି ଚନ୍ଦ୍ରହାସଶୋଭି ଥାଅ ଜାଣି ରେ ।ବରାଙ୍ଗି ।୧୩ ।ବାହୁଡ଼ିଲା ଯେ ସକ୍ରୋଧ ହୋଇ ବାଟେ ରାକ୍ଷସୀମାନଙ୍କୁ କହି ।ବଶ ତ ନୋହିଲା ସ୍ନେହରେ କହନ୍ତେ ଏବେ ରହରେ ଭୟ ଦେଖାଇ ସେ ।ବାମାକୁ ।୧୪ ।ବୋଲୁଁ ବାହୁଡ଼ିଣ ନିଶାଚରୀ ବେଢ଼ି ଭୟଙ୍କର ରୂପ ଧରି ।ବାଣ୍ଟି ପଳ ପଳ କରି ଏହା ପଳ ଶିରେ ଉପଳ ତାଡ଼ ପ୍ରତାରି ସେ ।ବାମାଏ ।୧୫ ।
୧୧ଶ ପଦ :- ‘ମୋର କଥା ଶର ପରି ସୀତାଙ୍କୁ କଷ୍ଟ ଦେଲା’ ରାବଣ ଏହା ଜାଣିପାରି କାଳେ ଏହି ଯୁବତୀ ବେଦମତୀ ପରି ପୁଣି ଶାପ ଦେବ ଏହା ଭାବି ଭୟରେ ଶୀଘ୍ର ଉଠିଗଲା ।
୧୨ଶ ପଦ :- ଚନ୍ଦ୍ରହସ-ଖଡ଼୍ଗ । ଚନ୍ଦ୍ରହାସଶୋଭା-ଶୁକ୍ଳ ହାସିନୀ ସୀତେ ।
୧୨ଶ ପଦ :- ସେ ଯିବା ସମୟରେ ଏହି ସବୁ କଥା କହିଗଲା । ‘‘ରେ ରମଣୀ ! ଏହି ମାସ ମଧ୍ୟରେ ଯଦି ତୋର ପତିକୁ ଆଣିନପାରିବୁ, ତାହା ହେଲେ ତୋତେ ନିଶ୍ଚୟ ଖଣ୍ଡା ଧରି ହାଣିବି । ରେ ଶୁଭ୍ରହାସିନୀ ସୁନ୍ଦରୀ ଏହା ଜାଣିଥା ।’’
୧୩ଶ ପଦ :- ‘‘ରେ ସୁନ୍ଦରୀ ! ଭିକ୍ଷୁକ ବହୁମୂଲ୍ୟ ମଣି ମାଣିକ୍ୟ ପ୍ରଭୃତି ଯଦି ହାତରେ ବାନ୍ଧି ନିଜ ନିକଟରେ ରଖିଥାଏ ଏବଂ ସେହି ରତ୍ନ ଯଦି ଚୋର ହାତରେ ପଡ଼େ, ତାହା ହେଲେ ସେହି ମଣି ମାଣିକ୍ୟକୁ ଭିକ୍ଷୁକର ତାଠାରୁ ବଳପୂର୍ବକ ଆଣିବାର ଶକ୍ତି ଥାଏ କି ? ସେହିପରି ରାମ ମୋଠାରୁ ତୋତେ ନେଇପାରିବ ନାହିଁ ।’’
୧୪ଶ ପଦ :- ରହରେ-ଏକାନ୍ତରେ । ବାମକୁ-ସ୍ତ୍ରୀକୁ (ସୀତାକୁ)
୧୪ଶ ପଦ :- ରାବଣ ଏପରି କହି କ୍ରୋଧରେ ଫେରି ଗଲାବେଳେ ବାଟରେ ରାକ୍ଷସୀମାନଙ୍କୁ କହିଲା, ‘‘ମୁଁ ସ୍ନେହରେ ଯେତେ କହିଲେ ସୁଦ୍ଧା ସେ ମୋ କଥା ମାନିଲା ନାହିଁ । ଏବେ ତୁମ୍ଭେମାନେ ଏକାନ୍ତରେ ଭୟ ଦେଖାଇ ସେହି ସୁନ୍ଦରୀକୁ ମୋର ବଶ କରାଅ । ଅଥବା ରେ ରାକ୍ଷସୀମାନେ ! ଏବେ ତାକୁ ଭୟ ଦେଖାଇ ସେଠାରେ ରହ ।’’
୧୫ଶ ପଦ :- ନିଶାଚରୀ-ରାକ୍ଷସୀମାନେ । ପଳ-ମାଂସ । ଉପଳ-ପଥର ।
୧୫ଶ ପଦ ;- ରାବଣ ଏପରି କହି ଚାଲିଯିବାରୁ ରାକ୍ଷସୀମାନେ ଭୟଙ୍କର ରୂପ ଧରି ସୀତାଙ୍କୁ ବେଢ଼ିଗଲେ । ସେମାନଙ୍କ ମଧ୍ୟରୁ କେହି କେହି କହିଲେ, ‘‘ହେ ସ୍ତ୍ରୀମାନେ ! ମୁଣ୍ଡରେ ପଥର ଛେଚି ଏହାକୁ ମାରି ପକାଅ ଏବଂ ଏହା ମାଂସକୁ ପଳ ପଳ କରି ବାଣ୍ଟ ।’’
ବଶ ନୋହେ ଏ ରାଜାଧିରାଜେ ବଡ଼ପଣ ଦେଖାଇଛି ଧୈର୍ଯ୍ୟେବାୟସୀ ହଂସ ପ୍ରେୟସୀ ଯୋଗ କାହିଁ ବର୍ଣ୍ଣ ଅସିତ ସିତ କି ଭଜେ ଗୋ ।ବାମାଏ ।୧୬ ।ବ୍ୟବହାର ଏହା ଶୁକ ପରି ବିଳସନ୍ତା ସୁବର୍ଣ୍ଣ ପଞ୍ଜରୀବନ ଭବନ ଭାବନା ଏକା କରେ ଭଲା ପଢ଼ାଇଛି ଜଟାଧାରୀ ।ଗୋ ବାମାଏ ।୧୭ ।ବୋଲୁଅଛି ଏକା ରାମ ରାମ ବନ୍ଦିମୋକ୍ଷଣେ ହେବ କି କ୍ଷମବିବେକ ପ୍ରଚରୀ ପକ୍ଷୀ ବନଚାରୀ ବାଇ ପଶୁ ଚାରି ଏ ସୁଷମ ଗୋ ।ବାନ୍ଧବୀ ।୧୮ ।ବୋଧି ତ୍ରିଜଟା ତାହାଙ୍କ ରଖି ବୋଲେ ସୀତା ସୀତାଂଶୁସୁମୁଖୀବରୁଣଦିଗେ କି ତରୁଣ ଅରୁଣ ଉଦେ ହୋଇଛି କେ ଅଛ ଦେଖି ଗୋ ।ବାମାଏ ।୧୯ ।ବିକଶିଛି କି ଶିଖରିଶିଖେ ବିନା ଜଳରେ ପଦ୍ମ ତା ସୁଖେବନ୍ଧନ ଆଶାବନ୍ଧରେ କି କୁଞ୍ଜର ଶୁଣା ପ୍ରବନ୍ଧ କି ମୁର୍ଖମୁଖେ ଗୋ ।ବାମାଏ ।୨୦ ।୧୬ଶ ପଦ :- ରାଜାଧିରାଜ-ସମ୍ରାଟ । ବାୟସୀ-କାକସ୍ତ୍ରୀ । ଅସିତ-କଳା । ସିତ-ଧଳା ।
୧୬ଶ ପଦ :- ଅନ୍ୟ ଜଣେ କହିଲା, ‘‘ଏ ରାଜାଧିରାଜ ରାବଣେଶ୍ୱରଙ୍କର ବଶ ନ ହୋଇ ଧୈର୍ଯ୍ୟ ଧରି ବଡ଼ପଣ (ସତୀତ୍ୱର ଗର୍ବ) ଦେଖାଉଛି କିନ୍ତୁ କାକୀ କେବେହେଲେ ହଂସର ପ୍ରିୟା ହୋଇପାରେ କି ? ଅଥବା କଳାରଙ୍ଗ କେବେ ହେଲେ ଧଳା ହୋଇପାରେ କି ? ହେ ସୁନ୍ଦରୀମାନେ ! ଏ ସେହିପରି ରାବଣର ଭାର୍ଯ୍ୟା ହେବାର ଅଯୋଗ୍ୟ ।’’
୧୭ଶ ପଦ :- ଆଉ କେହି କହିଲା, ‘‘ଏହାର ବ୍ୟବହାର ଠିକ୍ ଶୁଆପରି ଅଟେ । ଶୁଆ ସୁବର୍ଣ୍ଣ ପିଞ୍ଜରାରେ ବିଳାସ କଲେ ମଧ୍ୟ ଯେପରି କେବଳ ମନ କଥା ଭାବି ହେଉଥାଏ, ସେପରି ଏ ସୀତା । ହେ ସୁନ୍ଦରୀମାନେ ! ଶୁଆ ପୋଷିବା ଲୋକେ ଦେଇଥିବା ଶିକ୍ଷାକୁ ଯେପରି ଶୁଆ ଘୋଷି ହେଉଥାଏ, ସେହିପରି ସେ ଜଟାଧାର ଏହାକୁ ଭଲ ଶିକ୍ଷା ଦେଇଛି ଯେ, ଏ ସବୁବେଳେ ତାହା ଘୋଷୁଅଛି ।’’
୧୮ଶ ପଦ :- ପୁଣି କହିଲା ‘‘ଏତ ସବୁବେଳେ ଶୁଆ ପରି ରାମ, ରାମ, ବୋଲୁଅଛି, ସେହି ରାମ କଣ ସତେ ଏହାକୁ ବନ୍ଦୀରୁ ମୁକ୍ତ କରିବାକୁ ସକ୍ଷମ ହେବ ? (ପିଞ୍ଜରା ବଦ୍ଧ ଶୁକ ରାମ ନାମ ଧରି କେବେ ହେଲେ ପିଞ୍ଜରାରୁ ମୁକ୍ତ ହେବାର ଦେଖା ନାହିଁ) । ମୋ ବିଚାରରେ ପକ୍ଷୀ, ବନବାସୀ, ପାଗଳ ଓ ପଶୁ ଏମାନେ ସମାନ (ଅର୍ଥାତ୍ ଏମାନଙ୍କର ଭଲ ମନ୍ଦ ବାରିବା ଶକ୍ତି ନାହିଁ) । ଏଣୁ ଏ ରାବଣକୁ ଛାଡ଼ି ରାମ ରାମ ଭଜୁଛି ।’’
୧୯ଶ ପଦ :- ରାକ୍ଷସୀମାନେ ଏହିପରି କହୁଥିବାର ଶୁଣି ତ୍ରିଜଟା ସେମାନଙ୍କୁ ବୁଝାଇ ତୁନି କରାଇଲା । ତତ୍ପରେ ଚନ୍ଦ୍ରମୁଖୀ ସୀତା କହିଲେ, ‘‘ଆଗୋ ସୁନ୍ଦରୀମାନେ ! କେବେହେଲେ ପଶ୍ଚିମ ଦିଗରେ ସୂର୍ଯ୍ୟ ଉଦୟ ହେବାର ଦେଖିଛ କି?’’
୨୦ଶ ପଦ :- ଶିଖରୀ ଶିଖେ - ପର୍ବତ ଶୃଙ୍ଗରେ । ଆଶାବନ୍ଧରେ-ବୁଢ଼ିଆଣୀ ସୂତାରେ । କୁଞ୍ଜର-ହସ୍ତୀ ।
୨୦ଶ ପଦ :- ‘‘ହେ ସୁନ୍ଦରୀମାନେ ! ଜଳବିନା ପର୍ବତ ଉପରେ ପଦ୍ମ କେବେ ହେଲେ ସ୍ୱଇଚ୍ଛାରେ ଫୁଟିଛି କି ? ବୁଢ଼ୀଆଣି ସୂତାରେ କେବେ ହସ୍ତୀ ବନ୍ଧା ଯାଇପାରେ କି ? ମୁର୍ଖ ଲୋକର ମୁଖରୁ କେବେ ହେଲେ ଶାସ୍ତ୍ର ଶୁଣାଯାଏ କି?
ବଳିପଡ଼ି ବା ଏମାନ ହେବ ବଇଦେହୀ ଚିତ୍ତ ନ ଟଳିବବିନା ଶ୍ରୀରାମରେ କୋଟିଏ କାମରେ ଏ ତ ପାମରେ କି ସମ୍ଭବିବ ଗୋ ।ବାମାଏ ।୨୧ ।ବୋଲି ମଉନ ଜାନକୀ ହେଲେ ବିଭାବରୀ ଶେଷ ଏହିକାଳେବିରଞ୍ଚି ନାରଦ ତୁମ୍ବୁରୁ ଲଙ୍କାରେ ସେବା ବିରଚିବାକୁ ଆସିଲେ ସେ ।ବେଗରେ ।୨୨ ।ବେଦ ବୀଣା ସ୍ତୁତି ଆରମ୍ଭଣେ ବୋଲେ ଦ୍ୱାସ୍ଥ କେଉଁ ବଡ଼ପଣେବିଷୟ ନ ଜାଣି ହୁଅ କଳକଳ ରହ ସକଳେ ମଉନେ କ୍ଷଣେ ହେ ।ବିବୁଧେ ।୨୩ ।ବିଷେ କି ବୋଲୁଁ ବୋଲେ ତ୍ୱରିତ ବ୍ୟାଧି ରାଜା ଅନ୍ତର୍ଗତେ ଜାତବୈଦେହୀ ପାଚନ ରସ ରତ୍ନାକର ବିରଚନକୁ ଅର୍ଚ୍ଚିତ ଚିତ୍ତ ହେ ।ବିବୁଧେ ।୨୪ ।ବ୍ରହ୍ମା ବୋଲେ ତେବେ ସନ୍ନିପାତ ବିନାଶନେ ତେଜ ହୁଏ ସତବିହିଲ ଭଙ୍ଗୀ ତ ନ ବୁଝି ଇଙ୍ଗୀତ ଜାଣ ପରା ସଙ୍ଗୀତ ସାହିତ୍ୟ ହେ ।ବିଧାତା ।୨୫ ।୨୧ଶ ପଦ :- ବଇଦେହୀ-ସୀତା । ପାମର-କୁତ୍ସିତ ।
୨୧ଶ ପଦ :- ‘‘ଆଗୋ ସୁନ୍ଦରୀଏ ! ଏହି ମୋର କହିଥିବା କଥାସବୁ ଅବା ସମ୍ଭବ ହୋଇପାରେ (ଅର୍ଥାତ୍ ମଣି, ମନ୍ତ୍ର ଓ ଔଷଧି ବଳରେ କିଏ କରି ଦେଇପାରେ) କିନ୍ତୁ ସୀତାର ଚିତ୍ତ ରାମଙ୍କ ବ୍ୟତୀତ କୋଟିଏ ସଂଖ୍ୟକ କନ୍ଦର୍ପମାନଙ୍କଠାରେ ଅର୍ଥାତ୍ କୋଟି କନ୍ଦର୍ପଜିତ ସୁନ୍ଦର ପୁରୁଷଠାରେ ମଧ୍ୟ ଭୁଲିବ ନାହିଁ । ତେବେ ଏହି ନୀଚଠାରେ ଭୁଲିଯିବାର ସମ୍ଭବ ହୋଇପାରେ କି ?’’
୨୨ଶ ପଦ :- ସୀତା ଏତିକି କହି ମଉନ ହେଲେ । ଏହି ସମୟରେ ରାତି ଶେଷ ହେବାରୁ ବ୍ରହ୍ମା, ନାରଦ ଓ ତୁମ୍ବ୍ରରୁ (ଗର୍ବେ ବାଦକ) ଏମାନେ ନିଜ ନିଜର ସେବାରେ ଯୋଗ ଦେବା ପାଇଁ ଲଙ୍କାକୁ ଆସିଲେ ।
୨୩ଶ ପଦ :- ଏମାନେ ରାଜଦ୍ୱାରରେ ଉପସ୍ଥିତ ହୋଇ ବେଦ ପାଠ, ବୀଣା ବାଦନ ଓ ସ୍ତୁତିଗାନ କରିବାକୁ ଆରମ୍ଭ କରନ୍ତେ ଦୌବାରିକ କହିଲା, ‘‘ହେ ଦେବତାମାନେ ! ତୁମ୍ଭେମାନେ ବର୍ତ୍ତମାନ ରାଜନବରର ହାଲ ଚାଲ ନ ଜାଣି କେଉଁ ବଡ଼ପଣ ବଳରେ କୋଳାହଳ କରୁଅଛ ? ସମସ୍ତେ କ୍ଷଣେ ତୁନି ହୋଇ ରହ ।’’
୨୪ଶ ପଦ :- ବୈଦେହୀ-ସୀତା, ପିପୁଳୀ ।
୨୪ଶ ପଦ :- ସେହି ଦେବତାମାନେ ଦ୍ୱାରୀ ଠାରୁ ଏହି କଥା ଶୁଣି କଥା କ’ଣ ବୋଲି ହଠାତ୍ ପଚାରିବାକୁ ସେ କହିଲା, ‘‘ହେ ଦେବତାମାନେ ! ରାଜାଙ୍କର ‘ଅନ୍ତବ୍ୟାଧି’ ପେଟଭିତରେ ରୋଗ ହେବାରୁ ସେ ‘ବୈଦେହୀ ପାଚନ’ ପିପ୍ଳୀ କ୍ୱାଥ ଏ ରସ ରତ୍ନାକର ନାମକ ଔଷଧ ପ୍ରସ୍ତୁତ କରି ଖାଇବା ପାଇଁ ମନରେ ଅନୁରାଗ ପ୍ରକାଶ କରୁଅଛନ୍ତି ।’’
ଇଙ୍ଗିତାର୍ଥ- ରାଜା କାମବ୍ୟାଧି ପ୍ରପୀଡ଼ିତ ହୋଇ ସୀତାଙ୍କଠାରୁ କିପରି ଅଧିକ ରତିସୁଖ ପାଇବେ ଏହା ଚିନ୍ତା କରୁଛନ୍ତି ।
୨୫ଶ ପଦ :- ଏହା ଶୁଣି ବ୍ରହ୍ମା କହିଲେ, ‘‘ତେବେ ତାଙ୍କର ସନ୍ନିପାତ ରୋଗ ହେଲା । ଉପଯୁକ୍ତ ଔଷଧ ନ ଖାଇଲେ, ରୋଗର ତେଜ ବୃଦ୍ଧି ହୁଏ, ଏହା ସତ୍ୟ ।’’
ଇଙ୍ଗିତାର୍ଥ- ‘‘ତେବେ ତାଙ୍କର ‘ତେଜ’ ପ୍ରତାପ ଧ୍ୱଂସ ହେବାର ସମୟ ହେଲା । ପ୍ରତାପ କମିଲେ, ‘ସନ୍ନିପାତ’ ବଂଶ ନାଶ ହୁଏ, ଏହା ସତ୍ୟ ।’’
ବ୍ରହ୍ମାଙ୍କ କଥା ଶୁଣି ଦ୍ୱାରୀ କହିଲା, ‘‘ହେ ବିଧାତା ! ଆପଣ ପରା ସଙ୍ଗୀତ ଓ ସାହିତ୍ୟ ଜାଣନ୍ତି, ତାହା ହେଲେ ମୋର ଅଭିପ୍ରାୟ ନ ବୁଝି କାହିଁକି ଉପହାସ କଲେ ?’’ (ଏହି ଉକ୍ତିରୁ ଜଣାଗଲା ଯେ, ବ୍ରହ୍ମା ଦ୍ୱାରୀର ଅଭିପ୍ରାୟ ବୁଝିଲେ ମାତ୍ର ଦ୍ୱାରୀ ବ୍ରହ୍ମାଙ୍କର ଅଭିପ୍ରାୟ ବୁଝି ନ ପାରି ଏପରି କହିଲା) ।
ବିଧ୍ୱଂସନ ତମସ କ୍ରମଶେ ବିକର୍ତ୍ତନ ଉଦେ ହୋଇ ଆସେବିଶ୍ୱଚତୁରୀ ଉକୁଟାଇ କସ୍ତୁରୀ ଘେନେ କୁଙ୍କୁମ ଚାତୁରୀବଶେ ସେ ।ବିଗ୍ରହେ ।୨୬ ।ବୃଷା ବାହାର ଚଢ଼ି କୁଞ୍ଜର ବ୍ୟକତ କି ତା ଶିର-ସିନ୍ଦୂର ।ବହେ ରଙ୍ଗାମ୍ବର ଛତ୍ର ଆଡ଼ମ୍ବରେ ଅମ୍ବରେ କି ଦିଗପରିଚାର ସେ ।ବିରାଜେ ।୨୭ ।ବାହାରିଲେ ଐନ୍ଦ୍ରିୟେ ଆନନ୍ଦ ବାଳେ ଦେବାଳୟେ ଶଙ୍ଖବୃନ୍ଦ ।ବଞ୍ଚିଲେ କ୍ରୋଡ଼େ ଲୁଚିଲେ ରାତ୍ରିଚରେ ନ ମୁଞ୍ଚିରେ କଦା ଭୟ ହୃଦ ସେ ।ବାସରେ ।୨୮ ।ବୀକ୍ଷଣ ଏ ସମୟକୁ କଲେ ବିଭକ୍ଷଣେ ମନ ବଳାଇଲେ ।ବିଗତ କର୍ବୁରୀ ପୂଗତ ଜଗତରଞ୍ଜନୀର ପାରୁଶରୁ ହେଲେ ସେ ।ବେଗରେ ।୨୯ ।ବୃଦ୍ଧଗଣ୍ଡକୀ ନଦୀ ସ୍ନାନରେ ବଳାଇଲେ ଚିତ୍ତ ତତ୍ପରେ ।ବିଳମ୍ବ ଗମନ ପ୍ରଳମ୍ବକୁନ୍ତଳା ଅବଲମ୍ବ ଏହି ମନୋହରେ ସେ ।ବୈଦେହୀ ।୩୦ ।୨୬ଶ ପଦ :- ବିକର୍ତ୍ତନ-ସୂର୍ଯ୍ୟ । ତମସ-ଅନ୍ଧକାର । ବିଶ୍ୱ ଚତୁରୀ-ପୃଥିବୀରୂପା ସ୍ତ୍ରୀ । ବିଗ୍ରହେ-ଦେହରେ ।
୨୬ଶ ପଦ :- ଏହି ସମୟରେ ସୂର୍ଯ୍ୟ ଉଦୟ ହେବାରୁ ଅନ୍ଧାର ଆସ୍ତେ ଆସ୍ତେ ଲୋପ ପାଇଗଲା । ସେହି କାଳର ଦୃଶ୍ୟ ଦେଖି ମନେ ହେଲା, ସଂସାରରୂପା ଚତୁରୀ ରମଣୀ ଦେହରେ କସ୍ତୁରୀ ବୋଳି ହୋଇ ତାକୁ ଛଡ଼ାଇ ସାରି ଦେହରେ କାନ୍ତି ବର୍ଦ୍ଧନ କରିବା ନିମିତ୍ତ ଚତୁରତା ଦେଖାଇ କୁଙ୍କୁମ ଘେନୁଛି କି?
୨୭ଶ ପଦ :- ବୃଷା-ଇନ୍ଦ୍ର । କୁଞ୍ଜର - ହସ୍ତୀ (ଐରାବତ) ।
୨୭ଶ ପଦ :- ତତ୍ପରେ ସମ୍ପୂର୍ଣ୍ଣ ପ୍ରକାଶିତ ସୂର୍ଯ୍ୟମଣ୍ଡଳକୁ ଦେଖି ମନେ ହେଲା; ଇନ୍ଦ୍ର ହାତୀ ଉପରେ ଚଢ଼ି ବାହାରୁ ଥିବାରୁ ସେହି ହାତୀର ମୁଣ୍ଡରେ ଥିବା ସିନ୍ଦୁର ଦେଖାଯାଉଛି କି ? କିମ୍ବା ଇନ୍ଦ୍ର ବିଜେ କରୁଥବାରୁ ତାଙ୍କର ବିଜୟବାର୍ତ୍ତା ପ୍ରଚାରକ ଦିଗ ରୂପ ଭୃତ୍ୟ ରଙ୍ଗ ଲୁଗାନିର୍ମିତ ଛତ୍ରକୁ ଆଡ଼ମ୍ବର ପୂର୍ବକ ଆକାଶରେ ଧରିଛି କି ? ସେହିପରି ଦେଖା ଯାଉଛି ।
୨୮ଶ ପଦ :- ଐନ୍ଦ୍ରିଏ - କୁଆମାନେ । ଶଙ୍ଖବୃନ୍ଦ - ଶଙ୍ଖସମୂହ । ରାତ୍ରିଚରେ – ପେଚକାଦି ପକ୍ଷୀମାନେ । ବାସରେ - ଦିବସରେ, ବସାରେ ।
୨୮ଶ ପଦ :- ସୁର୍ଯ୍ୟୋଦୟ ହେବାରୁ କୁଆମାନେ ଆନନ୍ଦରେ ବାହାରିଲେ, ଦେବାଳୟମାନଙ୍କରେ ଶଙ୍ଖସବୁ ବାଜିଲା, ବୃକ୍ଷ କୋରଡ଼ରେ ପେଚାମାନେ ଲୁଚିଲେ ଏବଂ ଲୁଚି ରହିଲେ ସୁଦ୍ଧା ସେମାନଙ୍କଠାରୁ କେବେହେଲେ ଭୟ ତୁଟିଲା ନାହିଁ ।
୨୯ଶ ପଦ :- କର୍ବୁରୀପୁର - ରାକ୍ଷସୀମାନେ । ବୀକ୍ଷଣ - ଦେଖି । ବିଭକ୍ଷଣେ - ଖାଇବା ବିଷୟରେ । ଜଗତରଞ୍ଜନୀ - ଜଗନ୍ମୋହନୀ ।
୨୯ଶ ପଦ :- ଏହି ପ୍ରଭାତ ସମୟକୁ ଦେଖି ପକ୍ଷୀମାନେ ଖାଇବା ପାଇଁ ମନ ବଳାଇଲେ ଓ ଅସୁରୀମାନେ ଜଗନ୍ମୋହିନୀ ସୀତାଙ୍କ ନିକଟରୁ ଶୀଘ୍ର ଅନ୍ତର ହେଲେ ।
୩୦ଶ ପଦ :- ପ୍ରଳମ୍ବକୁନ୍ତଳା - ସୁଦୀର୍ଘକେଶୀ । ଅବଲମ୍ବ - ଧାରଣ ।
୩୦ଶ ପଦ :- ଦୀର୍ଘ କେଶୀ ସୀତା ସ୍ନାନ କରିବା ଇଚ୍ଛାରେ ବୃଦ୍ଧଗଣ୍ଡକୀ ନଦୀରେ ଧୀରେ ଧୀରେ ଗମନ କଲେ । ତାଙ୍କର ସେହି ଧୀର ଗତି ଏହି ଶୋଭାକୁ ଧାରଣ କଲା; -
ବିଶେଷିତ ଗର୍ଭାଳସୀ ହଂସୀ ବନଜିନୀଦଳେ କି ବିଳସି ।ବାହୁ ଲମ୍ବିତ କୁଚ ଚକ୍ର ଚୁମ୍ବିତ ମୃଣାଳକୁ ଏହି ଲକ୍ଷ ଆସି ସେ ।ବୈଦେହୀ ।୩୧ ।ବେଣୀ ଅଳପ ଚରମେ ଚଳେ । ବସ ମୟୂରପୁଚ୍ଛ କି ଚାଳେ ।ବେନି ଡୋଳା ହିଁ ନଚାହିଁଲା ଚାହିଁଲା କି ଶୋଇଲା ହୋଇ ଭୃଙ୍ଗ ଖେଳେ ସେ ।ବାରିଜେ ।୩୨ ।ବାର୍ଦ୍ଧିଜାତେ ଇନ୍ଦୁ ନିଷ୍କଲଙ୍କା ବଦନରେ ଛାଡ଼ି କି ସେ ଶଙ୍କାବେଢ଼ିଲେ ଜଡ଼ିଲେ ଘୋଡ଼ିଲେ ଭାଲାର୍ଦ୍ଧ ବେଢ଼ି ଚକୋରପନ୍ତି ଅକାଳ ସେ ।ବୈଦେହୀ ।୩୩ ।ବିଚଳିତ ନାସା ଶ୍ୱାସ ବଳେ ବସି ଉର୍ଦ୍ଧ୍ୱେକି ଶୁକ ଚଞ୍ଚଳେବିମ୍ବାଧର ଶୁଷ୍କ ଧରଣୁ ଧରଷେ ନାହିଁ ଏହି ଉପଲକ୍ଷ ମିଳେ ସେ ।ବୈଦେହୀ ।୩୪ ।ବକ୍ଷୋଜ ତଳେ ରୋମାଳୀ ସାଧୁ ବିଜନସ୍ଥାନ ହୃଦ ବିଶୁଦ୍ଧୁବାହୁଡ଼େ ଶରଘା ଶରଧାରେ ଉରେ ସଞ୍ଚି ଅବା ରାମ-ପ୍ରେମ ମଧୁସେ ।ବୈଦେହୀ ।୩୫ ।୩୧ଶ ପଦ :- ବନଜିନୀଦଳେ - ପଦ୍ମ ପତ୍ରରେ । ମୃଣାଳ - ପଦ୍ମନାଡ଼ ।
୩୧ଶ ପଦ :- ଗର୍ଭ ଭାରରେ ଅତିଶୟ ବିଧୁରା ହୋଇଥିବା ହଂସୀ ପଦ୍ମପତ୍ରରେ କ୍ରୀଡ଼ା କରୁଛି କି ? ଏବଂ ତାଙ୍କର ବିଳମ୍ବିତ ବାହୁଦ୍ୱୟ ଓ ଉନ୍ନତ ସ୍ତନଦ୍ୱୟ ଦେଖି ମନେହେଲା, ଚକ୍ରବାକ ଓ ଚକ୍ରବାକୀ ମୁଖରେ ପଦ୍ମନାଡ଼ ଧରି ଅଛନ୍ତି କି ? (ଏଠାରେ ଚକ୍ରବାକ ଦମ୍ପତି ସହ ସ୍ତନ ଓ ମୃଣାଳ ସହ ବାହୁ ଉପମିତ ହେଲା) ।
୩୨ଶ ପଦ :- ଚରମେ - ପିଠିରେ । ଭୃଙ୍ଗ - ଭ୍ରମର । ବାରିଜେ - ପଦ୍ମଉପରେ ।
୩୨ଶ ପଦ :- ସୀତା ଚାଲୁଥିବା ବେଳେ ପୃଷ୍ଠଦେଶରେ ମନ୍ଦ ମନ୍ଦ ଦୋହଲୁଥିବା ବେଣୀକୁ ଦେଖି ମନେ ହେଲା, ମୟୁର ଏଠାରେ ବସି ତାର ଲମ୍ବ ପୃଚ୍ଛକୁ ଖେଳାଉଛି କି ? କେତେବେଳେ ଚାହିଁଲାପରି ଓ କେତେବେଳେ ନ ଚାହିଁଲା ପରି ଦେଖା ଯାଉଥିବା ଚକ୍ଷୁଦ୍ୱୟ ଦେଖି ମନେ ହେଲା, ଶୋଇଲାପରି ହୋଇଥିବା ଅର୍ଥାତ୍ ଅଳ୍ପ ଲଇଁ ପଡ଼ିଥିବା ପଦ୍ମ ଉପରେ ବସି ଭ୍ରମର କ୍ରୀଡ଼ା କରୁଛି କି ?
୩୩ଶ ପଦ :- ଇନ୍ଦୁ - ଚନ୍ଦ୍ର । ବାର୍ଦ୍ଧି - ସମୁଦ୍ର ।
୩୩ଶ ପଦ :- ଚୁର୍ଣ୍ଣକୁନ୍ତଳଦ୍ୱାରା ଘୋଡ଼ାଇ ହୋଇଥିବା ସୀତାଙ୍କର ଅର୍ଦ୍ଧାଂଶ ମୁଖମଣ୍ଡଳକୁ ଦେଖି ମନେ ହୁଏ, ଚନ୍ଦ୍ର ବର୍ତ୍ତମାନ କଳଙ୍କିତ ହୋଇଥିଲେ ସୁଦ୍ଧା ସମୁଦ୍ରର ଜନ୍ମ ହେବା ସମୟରେ ନିଷ୍କଳଙ୍କ ଥିଲେ । ଏହି କଥା ଚକୋରମାନେ ମନେ କରି, ସୀତାଙ୍କ ମୁଖକୁ ଦେଖି ଏହା ସେହି କଳଙ୍କଶୂନ୍ୟ ଚନ୍ଦ୍ର ବୋଲି ସ୍ଥିର କଲେ, ଏଣୁ ସେହି ଚକୋରମାନେ ଅଳକା ରୂପକୁ ଆଶ୍ରୟ କରି ଏହାଙ୍କ କପାଳର ଅର୍ଦ୍ଧଭାଗକୁ ଏକତ୍ରିତ ଆଚ୍ଛାଦନ କରି ରହିଅଛନ୍ତି କି?
୩୪ଶ ପଦ :- ସୀତା ଯାଉଥିବା ବେଳେ ପ୍ରଖର ନିଃଶ୍ୱାସ ବଶରୁ ତାଙ୍କର ନାକପୁଡ଼ା ଫୁଲି ଉଠୁଥିଲା ଏବଂ ଅଧର ଶୁଷ୍କ ହୋଇ ଯାଉଥିଲା; ଏଣୁ ତାହା ଦେଖି ଏହିପରି ଭାବନା ହେଲା, ଉପରେ ବସି ଶୂଆ ଆହାର ଇଚ୍ଛାରେ ଚଞ୍ଚଳ ହେଉଛି କି ? ଏବଂ ଅଧର ରୂପ ବିମ୍ବଫଳକୁ ଶୁଖିଲା ମନେ କରି ଥଣ୍ଟରେ ଧରିବାକୁ ଇଚ୍ଛା କରି ପୁଣି ପଶ୍ଚାତ୍ପଦ ହେଉଛି କି ?
୩୫ଶ ପଦ :- ବକ୍ଷୋଜ - ସ୍ତନ । ସାଧୁ - ମନୋହର । ଶରଘା - ମଧୁମକ୍ଷିକାସମୂହ ।
୩୫ଶ ପଦ :- ସୀତାଙ୍କର ସ୍ତନର ନିମ୍ନଦେଶରେ ଥିବା ମନୋହର ରୋମାବଳିକୁ ଦେଖି ମନେହୁଏ, ଏହାଙ୍କର ହୃଦୟକୁ ପରିଷ୍କୃତ ଓ ନିର୍ଜନ ଦେଖୀ ମହୁମାଛିମାନେ ରାମଚନ୍ଦ୍ରଙ୍କର ପ୍ରେମରୂପ ମହୁ ସଞ୍ଚିତ କରିବା ପାଇଁ ଆସି ଏଠାରେ ସ୍ତନରୂପ ମହୁଫେଣାକୁ ଶ୍ରଦ୍ଧାରେ ତିଆରି କରି ଫେରି ଯାଉଅଛନ୍ତି କି ?
ବିଲକ୍ଷି ଏମାନ ହନୁମାନ ବିଚାରି ଏ ଅନୁମାନମାନବିଶ୍ରମୁ ଏକ ତରୁତଳେ ତରୁଣୀ ଏଥି ଉତ୍ତାରୁ ଅମୃତ ପାନ ସେ ।ବିହିଲେ ।୩୬ ।ବୋଲେ ଦାଶରଥି ଚାପଧାରୀ ବନ ଦଣ୍ଡକେ ପୁଣି ବିହରିବହେ ନାମ ରାମ ଶ୍ରୀରାମ ରାଘବ ରାମଚନ୍ଦ୍ର ରାମଭଦ୍ର କରି ସେ ।ବିଧାତା ।୩୭ ।ବନ୍ଧୁ ପ୍ରାଣର ପୃଥ୍ୱୀକୁମାରୀ ବିସର୍ଜନ୍ତି କି ଦିବା ଶର୍ବରୀବିଚକ୍ଷଣ ସେ ଲକ୍ଷଣରେ ରକ୍ଷଣ ଭ୍ରାତ ଲକ୍ଷ୍ମଣହିଁ ଅନୁସରି ହେ ।ବିଧାତା ।୩୮ ।ବାଳା ଗଳାମାଳା ହୋଇଥିଲା ବିଚ୍ଛଦିଣ କେ ତା ଚୋରୀ କଲାବାରତା ଶ୍ରବଣ ରାବଣ ଦ୍ରବିଣ କ୍ରମେ ସୁଗ୍ରୀବ ସଂଯୋଗ ହେଲା ହେ ।ବିଧାତା ।୩୯ ।ବେନି ଚେତନକୁ ପ୍ରାଣ ଜାତ ବିମଳିନେ ହୋଇଛି ମିଳିତବୋଲନ୍ତି ତ ଜାଣୁ ରମଣୀମଣିକି ହୃଦେ ମଣି ଆଣିଲେ ଏ ସତ ହେ ।ବିଧାତା ।୪୦ ।
୩୬ଶ ପଦ :- ହନୁମାନ ସୀତାଙ୍କର ଏହି ସବୁ ଅବୟବାଦିମାନଙ୍କୁ ଦେଖି ଅନୁମାନ ଦ୍ୱାରା ପୂର୍ବୋକ୍ତ ପ୍ରକାରେ ବିଚାରିଲା । ଯୁବତୀ ସୀତା ସ୍ନାନ ପରେ ଏକ ବୃକ୍ଷମୂଳରେ ବସି ହନୁ କହୁଥିବା ରାମକଥାମୃତ ପାନ କଲେ ।
୩୭ଶ ପଦ :- ହନୁମାନ କହିଲା, ‘‘ହେ ବିଧାତା ! ଯେ ଦଶରଥ ମହାରାଜାଙ୍କ ପୁତ୍ର, ଯେ ରାମ, ରାଘବ, ରାମଭଦ୍ର ଏହି ନାମମାନଙ୍କୁ ଧାରଣା କରି ଅଛନ୍ତି, ସେହି ରାମ ପୁଣି ଦଣ୍ଡକାରଣ୍ୟରେ ଧନୁଶର ଧରି ବୁଲୁଛନ୍ତି ।’’
୩୮ଶ ପଦ :- ‘‘ହେ ବିଧାତା ! ସୀତା ତାଙ୍କର ପ୍ରାଣେଶ୍ୱରୀ ଅଟନ୍ତି । ରାମ ତାଙ୍କୁ ଦିନ ରାତି କେତେବେଳେ ସୁଦ୍ଧା ନିକଟରୁ ଅନ୍ତର କରନ୍ତି ନାହିଁ । ଏକଦା ସେହି ରାମ ସର୍ବଲକ୍ଷଣରେ ମଣ୍ଡିତ ଭାଇ ଲକ୍ଷ୍ମଣଙ୍କର ଉପରେ ସୀତାଙ୍କର ରକ୍ଷାଭାର ଅର୍ପଣ କରି ମୃଗାନ୍ୱେଷଣରେ ବାହାରିଗଲେ ଏବଂ କିଛିକ୍ଷଣ ପରେ ଳକ୍ଷ୍ମଣ ମଧ୍ୟ ତାଙ୍କୁ ଅନୁସରଣ କଲେ ।’’
୩୯ଶ ପଦ :- ଦ୍ରବିଣ - ପରାକ୍ରମ, ସ୍ୱର୍ଣ୍ଣଦି ବିତ୍ତ ।
୩୯ଶ ପଦ :- ‘‘ହେ ବିଧାତା ! ସେହି ସୀତା ତାଙ୍କର ଗଳାମାଳା ହୋଇଥିଲେ । ଚୋର ଗଳାରୁ କାଟି ମାଳା ନେଲା ପରି କୌଣସି ଲୋକ ଏହି ସମୟରେ ବିଯୋଗ ଘଟାଇ ସୀତାଙ୍କୁ ଚୋରି କରି ନେଲା । ତାହା ପରେ ରାବଣ ଚୋରାଇ ନେଲା ଏହି ବାର୍ତ୍ତା ଶୁଣାଗଲା । କ୍ରମେ ସୁଗ୍ରୀବ ରାମଙ୍କୁ ‘ଦ୍ରବିଣ’ ସୀତା ପକାଇ ଦେଇଥିବା ଅଳଙ୍କାର ଦେଲା ଓ ନିଜେ ‘ଦ୍ରବିଣ’ ରାଜ ସମ୍ପତ୍ତି ପାଇଲା ।’’
୪୦ଶ ପଦ :- ‘‘ହେ ବିଧାତା ! ବର୍ତ୍ତମାନ ଏହି ଦୁହିଙ୍କୁ ନିର୍ମଳ ଭାବରେ ମିଳିତ କରାଇବା ନିମିତ୍ତ ‘ପ୍ରାଣଜାତ’ ବାୟୁପୁତ୍ର ଅର୍ଥାତ୍ ମୁଁ ‘ପ୍ରାଣଜାତ’ ପଞ୍ଚପ୍ରାଣ ପରି ଏଠାରେ ମିଳିତ ହୋଇଅଛି । (ଅର୍ଥାତ ବିଚ୍ଛେଦ ଯୋଗୁଁ ଏ ଦୁହେଁ କେହି କାହାରି କଥା ଜାଣି ନ ଥିବାରୁ ମୃତ ପରି କର୍ତ୍ତବ୍ୟଶୂନ୍ୟ ହୋଇ ରହିଛନ୍ତି, ମୁଁ ଏହାଙ୍କର ବାର୍ତ୍ତା ତାଙ୍କୁ ଓ ତାଙ୍କର ବାର୍ତ୍ତା ଏହାଙ୍କୁ ଦେଇ ପ୍ରାଣଯୁକ୍ତ କରାଇବି) ।’’ ଏ ସଂସାରରେ ରମଣୀମାନଙ୍କ ଯାହା ମଣି ବୋଲି କହନ୍ତି ତା ଠିକ୍ । କାରଣ ସୀତା ସ୍ତ୍ରୀ ଶ୍ରେଷ୍ଠା ହୋଇଥିବାରୁ ଏ କଥାକୁ ସତ ବୋଲି ମଣିଲେ (ଅର୍ଥାତ୍ ହନୁମାନର ଏହି ସବୁ କଥା ଶୁଣି ରାମଙ୍କ ନିକଟରୁ କିଏ ଆସିଲା ବୋଲି ଭାବିଲେ ) ।
ବାଳୀ ମୃତପିଣ୍ଡ ହୋଇଥିଲା ବଚ ସଞ୍ଜୀବନୀମନ୍ତ୍ର ହେଲାବହିଲା ଜାଡ଼ୀ ଶୁକକଣ୍ଠେ ରହିଲା ନାହିଁ କହିବାର ଆରମ୍ଭିଲା ସେ ।ବୈଦେହୀ ।୪୧ ।ବାବୁ କେ ତୁମ୍ଭେ ପାଶକୁ ଆସ ବେଗେ ପୂର୍ଣ୍ଣକର ମୋର ଆଶବଚନ ସଳିଳ ସେଚନ ରଚନ ତାପ ମୋଚନକୁ ହେଲା ଲେଶ ସେ ।ବିଶେଷ ।୪୨ ।ବପୁବନ୍ତ ଦୁର୍ଲ୍ଲଭ ମର୍କଟ ବିଲୋକିଣ ହୁଅନ୍ତେ ପ୍ରକଟବିଚାରେ ଲମ୍ପଟ ଏ ନିଶ୍ଚେ କପଟ ବହେ ଅମୂଲ୍ୟ ପଟମୁକୁଟ ଏ ।ବାନର ।୪୩ ।ବହି ସ୍ଥକିତ ନ କହୁଁ ଗୀର ବିଚାରିଲି ସେ ପାବନି ଧୀରବୋଲେ ସୁରରାମାଧିକ ସୁକୁମାରଅଙ୍ଗି ବାତକୁମର ମୁଁ ସୁର ଗୋ ।ବୈଦେହୀ ।୪୪ ।ବସନରେ ରଖିଥିଲା ମୁଦି ବସ୍ତ୍ର ପାଞ୍ଚି ଫେଡ଼ି ଦେଲା ମୁଦୀବେଗରେ ଅଦରେ ଶିରେ ଥୋଇ ଦରେ ଚୋରୀ କଲା ହୃଦୟରେ ସମ୍ପାଦି ସେ ।ବୈଦେହୀ ।୪୫ ।
୪୧ଶ ପଦ :- ସୀତା ବିରହ ଯୋଗୁଁ ମୃତପିଣ୍ଡପରି ହୋଇଥିଲେ, ହନୁମାନ ପୂର୍ବୋକ୍ତ କଥା ସବୁ ଜୀବନ୍ୟାସ ମନ୍ତ୍ର ପରି ତାହାଙ୍କର ସେହି ପିଣ୍ଡରେ ଜୀବନସଞ୍ଚାର କଲା (ଅର୍ଥାତ୍ ହନୁର କଥା ଶୁଣି ସେ ସଚେତ ହେଲେ ) । ବିରହ ଯୋଗୁଁ ତାଙ୍କର କଣ୍ଠ ଶୁଷ୍କ ହୋଇ ଯେଉଁ ଜଡ଼ତାକୁ ଧରିଥିଲା, ତାହା ଦୂର ହେବାରୁ ସେ କଥା କହିବାକୁ ଆରମ୍ଭ କଲେ (ଅର୍ଥାତ୍ ହନୁମାନର କଥା ଶୁଣି ସେ ବିରହ ଦୁଃଖରୁ କିଛି ସମୟ ମୁକ୍ତି ଲାଭ କରିବାରୁ, ସେହି ବିରହଜନିତ ଜଡ଼ତା ବିଦୂରିତ ହେଲା; ଏଣୁ ସେ କଥା କହିବାକୁ ସମର୍ଥ ହେଲେ) ।
୪୨ଶ ପଦ :- ସୀତା ହନୁମାନଙ୍କ କହିଲେ, ‘‘ବାବୁ ! ତୁମ୍ଭେ କିଏ ? ମୋ ନିକଟକୁ ଆସ ଏବଂ ଶୀଘ୍ର ମୋର ଆଶା ପୂର୍ଣ୍ଣକର । ତୁମ୍ଭର କଥାସବୁ ଜଳ ସିଞ୍ଚିଲା ପରି ମୋ ହୃଦୟସ୍ଥ ଘୋର ତାପକୁ କିୟତ୍ ପରିମାଣରେ ଦୁର କରିଅଛି ।’
୪୩ଶ ପଦ :- ତତ୍ପରେ ହନୁମାନ ଗୋଟିଏ ପରମସୁନ୍ଦର ବାନରରୂପ ଧାରଣ କରିବାର ଦେଖି ସୀତା ବିଚାରିଲେ ‘‘ଏ ନିଶ୍ଚୟ କପଟବେଶଧାରୀ ଲମ୍ପଟି ରାବଣ, ନ ହେଲେ ବାନର କେବେ ବହୁ ମୂଲ୍ୟବାନ ପାଟ ନିର୍ମିତ ମୁକୁଟ ଧାରଣ କରିଥାଏ କି ?’’
୪୪ଶ ପଦ :- ଗିର - କଥା । ଧୀର - ପଣ୍ଡିତ । ପାବନି - ହନୁମାନ । ବାତକୁମର - ହନୁମାନ ।
୪୪ଶ ପଦ :- ଏହିପରି ଭାବି ସୀତା କିଛିମାତ୍ର ନ କହି ସ୍ଥିର ହୋଇ ରହିଲେ । ହନୁମାନ କହିଲା, ‘ହେ କନ୍ଦର୍ପ ପ୍ରିୟାଠାରୁ ଅଧିକ ସୁକୁମାରୀ ସୀତେ; ମୁଁ ପବନପୁତ୍ର ହନୁମାନ, ଜାଣ ।’
୪୫ଶ ପଦ :- ସୀତା ମୋତେ କିପରି ବିଶ୍ୱାସ କରିବେ ଏହି କ
ଥାକୁ ବିଚାରି ହନୁମାନ ଲୁଗାରେ ବାନ୍ଧି ରଖିଥିବା ମୁଦ୍ରିକାକୁ ଫିଟାଇ ତାଙ୍କୁ ଦେଲା । ସୀତା ସେହି ମୁଦ୍ରିକାକୁ ଆଦରର ସହିତ ଅତି ଶୀଘ୍ର ନେଇ ମୁଣ୍ଡରେ ଲଗାଇଲେ ଏବଂ ଭୟାତୁରା ହୋଇ ମନେ ମନେ ଭାବିଲେ, ‘‘ଏ କପଟୀ ବାନର ରୁପଧାରୀ ରାବଣ ମୁଦିଟିକି ଚୋରାଇ ଆଣିଲା କି ?’’
ବୋଲ ଦେଲା ତହିଁ ହନୁମନ୍ତ ବିଖ୍ୟାତିବା କହିବା ଗୁପତବିରସ ହରଷ ବିବାଦ ସାରସ ଆନନ୍ଦରେ କରାଇଲା ଜାତ ସେ ।ବାତଜ ।୪୬ ।ବାଦେ କ୍ରୀଡ଼ଁ ଚିତ୍ରକୂଟାଚଳେ ବିହୁଁ ଗଇରିକେ ଚିତା ଭାଲେବିଜନ୍ୟ ଭୟରେ କୀଶନିଚୟରେ ଲଗାଇଛ ପ୍ରିୟ ବକ୍ଷସ୍ଥଳେ ଗୋ ।ବୈଦେହୀ ।୪୭ ।ବାସକରେ ଅବନୀଶୋଭି ବିଞ୍ଚି ଜଗିଥିଲି ମୃଗନାଭିବଳରେ ମିଥ୍ୟା କି କବଳ ଅର୍ଥରେ ବିମ୍ବାଧରେ କ୍ଷତ କଲା ଲୋଭୀ ସେ ।ବାୟସ ।୪୮ ।ବଲ୍ଲଭହିଁ କହିଛନ୍ତି କାହିଁ ବିଘାତିକ ପଦ ହେଲା ଯହିଁବୋଲ ମିଥ୍ୟା ଏ ସେ ଶବଦ ବଦନେ କହିବାକୁ ମୁଁ ସ୍ତବ୍ଦ ହୋଇ ଗୋ ।ବୈଦେହୀ ।୪୯ ।ବିଭା ଦିନାନ୍ତେ ମଧୁଶୟନେ ବିଧନନ ନ ରଚୁଁ ସୁମନେବିଧି କରିଛ ନବୀନା ରାମ ବିନା ବିନ୍ୟାସିବ ନାହିଁ ଚିତ୍ତ ଆନେ ଗୋ ।ବୈଦେହୀ ।୫୦।ବୋଲେ ନିଃସଂଶୟ ସୀତା ଗିର ବିଶ୍ୱାସୀ ତୁ ବଡ଼ ପ୍ରଭୁଙ୍କରବୋଇଲୁ ନାହିଁ ତ ସେ କଥା ବିହିତ ସାକ୍ଷୀ ରହିତ କେ ସେ ସ୍ଥାନର ହେ ।ବାତଜ ।୫୧।୪୬ଶ ପଦ :- କୀଶନୀଚୟ - ମର୍କଟସମୂହ । ବିଜନ୍ୟ - ଜାତ ।
୪୬ଶ ପଦ :- ମୁଦି ଦେଖି ସୁଦ୍ଧା ସୀତାଙ୍କର ତା ଠାରେ ବିଶ୍ୱାସ ନ ଜନ୍ମିବାର ଜାଣିପାରି ହନୁମାନ କହିଲା, ‘‘ଆଚ୍ଛା ତୁମ୍ଭ ପତି ମୋ ଆଗରେ କହିଥିବା ସମସ୍ତ ଗୁପ୍ତକଥା ପ୍ରକାଶ କରିବି ।’’ ସେ ଏହା କହି ସୀତାଙ୍କ ପଦ୍ମ ମୁଖରେ ହସ ଓ ବିଷାଦର କାଳିମା ଜାତ କରାଇଲା । (ଗୁପ୍ତକଥା ଶୁଣିବା ପାଇଁ ସୀତା ଆନନ୍ଦିତା ହେଲେ ଓ ରାବଣ କାଳେ କପଟ କରିଥିବ ଭାବି ଦୁଃଖିତା ହେଲେ ) ।
୪୭ଶ ପଦ :- ତତ୍ପରେ ହନୁମାନ କହିଲା, ‘‘ହେ ସୀତେ ! ଏକଦା ଚିତ୍ରକୂଟରେ କ୍ରୀଡ଼ା କରୁଥିବା ସମୟରେ ରାମଚନ୍ଦ୍ର କୌତୁକ ବଶତଃ ତୁମ୍ଭର ଲଲାଟରେ ଗେରୁର ତିଳକ ଲେଖିଥିଲେ । ଏହି ସମୟରେ ତୁମ୍ଭେ ମାଙ୍କଡ଼ମାନଙ୍କ ଦ୍ୱାରା ଭୀତ ହୋଇ ତାଙ୍କ ବକ୍ଷସ୍ଥଳରେ ସେହି ତିଳକ ଲଗାଇ ଦେଇଥିଲ । ’’ ଅର୍ଥାତ୍ ତୁମ୍ଭେ ତାଙ୍କୁ ଆଲିଙ୍ଗନ କରିବାରୁ ତିଳକ ତାଙ୍କ ବକ୍ଷରେ ଲାଗିଗଲା ।
୪୮ଶ ପଦ :- ‘‘ଗୋ ଧରାମଣ୍ଡନା ସୀତେ ! ଏକଦା ତୁମ୍ଭେ ଖରାରେ କସ୍ତୁରୀ ଶୁଖାଇ ତାକୁ ଜଗିଥିଲ । ଏହି ସମୟରେ ଗୋଟାଏ ଲୋଭି କୁଆ ବଳପୂର୍ବକ ଖାଇବା ଇଚ୍ଛାରେ ତୁମ୍ଭର ବିମ୍ବାଧରରେ ଆଘାତ କଲା; ଏକଥା ମିଥ୍ୟା କି ?’’
୪୯ଶ ପଦ :- ‘‘ଗୋ ବୈଦେହୀ ! ସେହି କୁଆ ତୁମ୍ଭର ଯେଉଁ ସ୍ଥାନରେ ପଦାଘାତ କଲା, ତାହା ମଧ୍ୟ ତୁମ୍ଭର ପ୍ରିୟ ମୋତେ କହିଅଛନ୍ତି । ମୁଁ ସେହି ସ୍ଥାନରେ ନାମ ମୁଖରେ କହିବାକୁ ଲଜ୍ଜିତ ହେଉଅଛି, ଏହା କଣ ମିଥ୍ୟା?’’
୫୦ଶ ପଦ :- ବିଧୁନନ – ରତିକ୍ରୀଡ଼ା ।
୫୦ଶ ପଦ :- ‘‘ହେ ବୈଦେହୀ ! ଆହୁରି ମଧ୍ୟ ତୁମ୍ଭେ ବିବାହ ଦିନ ରାତ୍ରିରେ ମଧୁଶଯ୍ୟାରେ ରତି ନ କରିବା ପୂର୍ବରୁ ନିର୍ମଳ ମନରେ ନିୟମ କରିଛ ଯେ; ରାମଙ୍କ ବ୍ୟତିତ ଅନ୍ୟଠାରେ ମନ ବଳାଇବ ନାହିଁ, ଏହା କଣ ମିଥ୍ୟା?’’
୫୧ଶ ପଦ :- ହନୁମାନ ଏହିପରି ସମସ୍ତ ଗୁପ୍ତକଥା କହିବାରୁ ସୀତା ମନରୁ ଶଙ୍କା ତେଜି କହିଲେ, ହେ ବାୟୁପୁତ୍ର ତୁ ନିଶ୍ଚୟ ପ୍ରଭୁଙ୍କର ବଡ଼ ବିଶ୍ୱାସୀ ଅଟୁ l ମାତ୍ର ମୁଁ ନିୟମ କଲାବେଳେ ସେ ସ୍ଥାନରେ କିଏ ଥିଲା, ଏହାତ କହିଲୁ ନାହିଁ l
ବିହେ ଉତ୍ତର ସେ ସତ୍ୟସନ୍ଧ ବୋଇଲେ ସେ ନ ବୋଇଲେ ସିଦ୍ଧବିଭ୍ରମ ଏଥି ତ ଦେଉଛ ବ୍ୟଥିତ ଦୀପ ସିନା ସ୍ଥିତ ପୁର ମଧ୍ୟ ଗୋ ।ବୈଦେହୀ ।୫୨ ।ବିଚ୍ଛେଦକୁ ତୁଳ ପାତ୍ର କରି ବେନି ଦ୍ରବ୍ୟକୁ ତୁଳିଲେ ସରିବିଚାର ପ୍ରଚାରେ ପଚାରେ ଯାହାକୁ ଯେହୁ ଛିଡ଼ିଲା ସେ ଊଣା ପରି ଗୋ ।ବୈଦେହୀ ।୫୩ ।ବିନଶ୍ୟତି ହେବ ଏତେ କହି ବିବେକୀରେ କି କହିବି ମୁହିଁବିଜେକର ମୋର ସ୍କନ୍ଧରେ ହରିବ ତାପ ବିହରିବ ଭେଟ ହୋଇ ଗୋ ।ବଲ୍ଲଭେ ।୫୪ ।ବୋଲେ ଜାନକୀ ତୁମ୍ଭେ କି କହ ବୃକ୍ଷେ ଡେଇଁଲା କପି ତ ନୁହବଳତ୍କାରେ ବଳପ୍ରବଳ ଅବଳା ଆଣିଲାକୁ ଊଣା ସତ୍ୟ ସ୍ନେହ ହେ ।ବାତଜ ।୫୫ ।ବାଧ ପ୍ରଭୁବୀରଧୁକୁ ହେବ ବେନି ବିଷୟ ଚଉର୍ଯ୍ୟେ ଯିବବହି ରାମଚନ୍ଦ୍ର ଦୁର୍ବହ ସାଗର ତର ବହନ କୀରତି ଥିବ ହେ ।ବାତଜ ।୫୬ ।ବିକାଶଇ ନାହିଁ ପ୍ରତିଆଶା ବେଢ଼ି ଦୁର୍ଦ୍ଦଶା ଅନ୍ଧାର ନିଶା ।ବିଳସାଇଣ ପ୍ରତିପଦ ଆସ୍ପଦ ହେବ ଦ୍ୱିତୀୟା ଭାବ ସଦୃଶା ହେ ।ବାତଜ ।୫୭ ।ବଶ ମଧୁପ କାହୁଁ ଲଭିବ ବୁଝ ଶିବରାତ୍ରି ସମ୍ବବିବବିଭାତକୀ ହୋଇ ପାତକୀ କେତକୀ ସୁକାନ୍ତିରେ ଈଶ ଭୋଗ ହେବ ହେ ।ବାତଜ ।୫୮ ।ବଦୁଁ ତୁରିତେ ପାବନି କହି ବେଦ ଶଙ୍ଖାସୁର ଯେ ଚୋରାଇବଞ୍ଚାଇ ପାରିଲା ଲୁଚାଇ ସିନ୍ଧୁରେ ସୁଖ ରଚଇ ଧାତାରେ ସେହି ଗୋ ।ବୈଦେହୀ ।୫୯ ।ବିଧୁରତା ଯେତେ ଦିନ ଥିଲା ବିଧିଠାରେ ପୁଣି ସମ୍ଭାଳିଲାବେନି ବେନି ଭାବ ପ୍ରଭାବ ସ୍ୱଭାବ ମୋକ୍ଷ କାହୁଁ ଆଶେ ନ ପାଇଲା ଗୋ ।ବୈଦେହୀ ।୬୦ ।