ବିଚାରଇ ମାଳଯମକରେ କବି ମନେ । (୩) — ବୈଦେହୀଶ ବିଳାସ (ଦ୍ୱିତୀୟ ଖଣ୍ଡ) — ଉପେନ୍ଦ୍ର ଭଞ୍ଜ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
୩୧ଶ ପଦ :- ସେ ରାକ୍ଷସ ଅଳ୍ପ ଦୂରରେ ବିଜୁଳି ପ୍ରାୟ ଦେଖାଦେଇ ପୁଣି ଅଦୃଶ୍ୟ ହୋଇଯାଏ । ଏହିପରି ରାମଙ୍କୁ ବହୁତ ଦୂରକୁ ନେଇଗଲା । ଅବଶେଷରେ ରାମ ଶର ମାରନ୍ତେ, ‘ହେ ଲକ୍ଷ୍ମଣ ରକ୍ଷାକର’ ! ଏହିପରି ତିନିଥର ଶୁଣାଇ (ସୀତା ଓ ଲକ୍ଷ୍ମଣ ଯେପରି ଶୁଣିପାରିବେ-ସେହିପରି ଉଚ୍ଚ ଶବ୍ଦରେ) ଡାକ ଦେଲା । ସେ ଶବ୍ଦ ଶୁଣି ଲକ୍ଷ୍ମଣ ସ୍ଥିର ଭାବରେ କାଲ ପରି (ଶୁଣି ନ ଶୁଣିଲା ପ୍ରାୟ) ହୋଇ ରହିଲେ । ମାତ୍ର ସୀତା କହିଲେ, ‘‘ହେ ଲକ୍ଷ୍ମଣ ! ତୁମ୍ଭେ ଶୀଘ୍ର ଯାଅ ।’’
୩୨ଶ ପଦ :- ‘‘ବିପତ୍ତି ପଡ଼ିବାରୁ ରାମଚନ୍ଦ୍ର ତୁମ୍ଭେ ନାମ ଧରି ଡାକୁଛନ୍ତି ।’’ ସୀତାଙ୍କ ବାଣୀ ଶୁଣି ଲକ୍ଷ୍ମଣ କହିଲେ, ‘‘ହେ ସତି ! ସଂସାର ମଧ୍ୟରେ ରାମ ଅଦ୍ୱିତୀୟ ବୀର । ତାଙ୍କଠାରୁ ଏପରି ନିଷତ ବଚନ ବାହାରିବ କି ?’’ ଲକ୍ଷ୍ମଣ ଏହା କହିବାରୁ ସୀତା ଉତ୍ତର ଦେଲେ, ‘‘ତୁ ମୋତେ ଭରତର ଭାର୍ଯ୍ୟା କରି ତା ପାଖରେ ଦେବୁ ବୋଲି ବିଚାରି କପଟରେ ବନକୁ ଆସିଅଛୁ ।’’
୩୩ଶ ପଦ :- ଈଶତ-ଇଚ୍ଛା ।
୩୩ଶ ପଦ :- ‘‘ମୁଁ ଯାଉଛି ଅଗ୍ନିରେ ଝାସ ଦେବି’’ ଏହା କହି ଶୀଘ୍ର ସେ ଅଗ୍ନି ପାଖକୁ ଝାସ ଦେବା ଇଚ୍ଛାରେ ଗଲେ । ତାହା ଦେଖି ଲକ୍ଷ୍ମଣ କହିଲେ, ‘‘ଆମ୍ଭେ ଏକ ଆତ୍ମା ଅଟୁଁ । ତୁମ୍ଭେ ଆମ୍ଭଙ୍କୁ ଭିନ୍ନ ମନେ କରୁଅଛ, ତେଣୁ ଦୂଷିତା ହେବ ।’’ ଏପରି କହି କ୍ରୁଦ୍ଧ ମନରେ ସେ ଲକ୍ଷ୍ମଣ ବ୍ୟାଘ୍ର ପ୍ରାୟ ଗତି କରି ଖରତରରେ ଗଲେ । ଲକ୍ଷ୍ମଣ ଚାଲିଯିବାରୁ ଜାନକୀ ନିର୍ଜନବନ ହେତୁ ଭୟ କରି ଲୁଚିଲେ ।
୩୪ଶ ପଦ :- ଲକ୍ଷ୍ମଣ ଚାଲିଯିବାରୁ ରାବଣ ନବ ମୁଖ ଓ ଅଠର ଭୁଜକୁ ଲୁଚାଇ, ବ୍ରହ୍ମଚାରୀ ବେଶ ଧରି, ଦେହଯାକ ଭସ୍ମ ବୋଳିହୋଇ, କଷାବସ୍ତ୍ର ପିନ୍ଧି, ହସ୍ତରେ କମଣ୍ଡଳୁ ଓ ମାଳାଧରି ଶଙ୍କର ନାମକୁ ଜପି ଜପି ଆସି ‘‘ଥଳିରେ ଭିକ୍ଷା ଆଣି ଦଅ’’ ବୋଲି ଡାକିଲା । ତାହା ଶୁଣି ସୀତା କହିଲେ, ‘‘କ୍ଷଣେ ମାତ୍ର ବସ, ‘ଈଶ’ ସ୍ୱାମୀ ଆସନ୍ତୁ ।’’
୩୫ଶ ପଦ :- ଈଶ ଆସନ୍ତୁ ବୋଲି କହିବାରୁ ରାବଣ ବକ୍ରୋକ୍ତିରେ କହିଲା, ‘‘ଏ ବନରେ ‘ଈଶାନ’ ମହାଦେବ ବସା କଲେଣି କି ?’’ ସୀତା କହିଲେ, ‘ଧବ’ ପତିଙ୍କୁ ଈଶ କହନ୍ତି, ଏହା କ’ଣ ତୁମ୍ଭେ ବୁଝିପାରିଲ ନାହିଁ ?’’ ରାବଣ ପୁଣି ପଚାରିଲା, ‘‘ଏ ବନରେ ଧବ ବୃକ୍ଷସବୁ ଯିବା ଆସିବା କରନ୍ତି କି ?’’ ଜାନକୀ ଉତ୍ତର ଦେଲେ, ‘ବଲ୍ଲଭ’ ପତିଙ୍କୁ ଧବ କହନ୍ତି, ମୋ ବଲ୍ଲଭଙ୍କ ନାମ ରାଘବ ଅଟେ ।’’
ବିଚିତ୍ର ବାଣୀ ଶୁଣିଲି ଦୈତ୍ୟ ଭଣି ତୁହି ତ ମାନୁଷୀ ।ବାରିଧିବାସୀ ମତ୍ସ୍ୟ ସେ ସ୍ଥଳେ ଆସି ତୋ ସଙ୍ଗେ ବିଳସି ।ବକ୍ର ଉକତି କହୁଛ ହୋଇ ଯତି ବୋଇଲେ ପାର୍ଥିବୀ ।ବୋଲେ ମୁଁ ଲଙ୍କେଶ ତୋତେ କରି ଆଶ ଆସିଛି ସାଧବି । ୩୬।ବିଭୂତି କିସ କହିବି ମୋର ଦେଶ କନକ ମୃତ୍ତିକା ।ବିଂଶଭୁଜ ଦଶବଦନ ବିଶେଷ ପଦ୍ମିନୀନାୟିକା ।ବଡ଼ପଣୁ ବସେ ଇନ୍ଦ୍ର ଦ୍ୱାସ୍ଥ ପାଶେ ବିଶୁଦ୍ଧ ଜାତିରେ ।ବ୍ରହ୍ମାର ଚତୁର୍ଥ ପୁରୁଷ ମୁଁ ସତ ଚିରାୟୁ ତା ବରେ । ୩୭।ବୋଇଲେ ମହୀଜା ଜାତୁଧାନ ଯା ଯା ନୋହି ଶିରଚ୍ଛେଦ ।ବୃଷାଳି ବଞ୍ଚକ ବିରୂପ କି ଠିକ ବଡ଼ାଇ ସମ୍ବାଦ ।ବୀରକେଶରୀ ଜାୟାକୁ ଲୋଡ଼ୁହରି ହୋଇଛି କେବେହେଁ ।ବୀର ଆରଣ୍ୟନୃପୁଁ ତୋ ପତି ଧନ୍ୟ ହେବ କି ସେ କହେ । ୩୮।ବପ୍ତା ଦଶରଥ ଜଣା ସାମରଥ ଡରାଉଁ ଭୃଗୁପ ।ବୋଲେ ମୈଥିଳୀ ତା ଗର୍ବଦଳି ନାଶ ଯିବୁରେ କୌଣପ ।ବିଂଶାଭିମାନ ଉଦ୍ଧରେ ସୁନନ୍ଦନ ସେ କାଳ ପ୍ରମାଣ ।ବହି ନିଜମୂର୍ତ୍ତି ବଳେ ନେବା ରୀତି ଆରମ୍ଭୁ ରାବଣ । ୩୯।ବରହି ଅନ୍ତରେ ଗୁପତ ସତ୍ୱରେ ନ ଦେଖି ଲଙ୍କେଶ ।
ବେଦମତୀ ମତ ଏହି ହେଲା ସତ ବିଚାରେ ମାନସ ।
ବ୍ୟକ୍ତ ଦିଶୁଁ ପୁଣି ବଳେ ଧରି ଆଣି ଆଣନ୍ତେ ଅଙ୍ଗଣ ।
ବାତ ସରିତ ସ୍ଥକିତ ତରଳିତ ହୋଇଲା ପାଷାଣ । ୪୦।
୩୬ଶ ପଦ :- ରାବଣ କହିଲା, ‘‘ତୋଠାରୁ ଆଶ୍ଚର୍ଯ୍ୟ କଥା ଶୁଣିଲି । ତୁ ତ ମାନବୀ, ସମୁଦ୍ର ମଧ୍ୟରେ ଥିବା ‘ରାଘବ’ ମତ୍ସ୍ୟ ସ୍ଥଳକୁ ଆସି ତୋ ସହିତ ବିହାର କରେ କି ?’’ ସୀତା କହିଲେ ‘‘ତୁମ୍ଭେ ଯତି ହୋଇ ଏପରି ବକ୍ରୋକ୍ତିରେ କଥା କହୁଅଛ? ଏହା ଶୁଣି ରାବଣ ଉତ୍ତର ଦେଲା ମୁଁ ଲଙ୍କାର ରାଜା, ହେ ସତି ! ତୋତେ ଆଶାକରି ଆସିଅଛି ।’’
୩୭ଶ ପଦ :- ‘‘ମୋର ଐଶ୍ୱର୍ଯ୍ୟ କଥା କ’ଣ ବା କହିବି ? ମୋ ଦେଶର ମାଟିସବୁ ସ୍ୱର୍ଣ୍ଣ ନିର୍ମିତ । ମୋର କୋଡ଼ିଏ ହାତ, ଦଶ ମୁଖ ବିଦ୍ୟମାନ । ମୋର ପଦ୍ମିନୀ ଜାତୀୟା ସ୍ତ୍ରୀମାନେ ଅଛନ୍ତି । ମୋର ବଳିଷ୍ଠପଣ ହେତୁ ଇନ୍ଦ୍ର ମୋର ଦ୍ୱାରପାଳ ପାଖରେ ଆସି ବସେ । ମୁଁ ବ୍ରହ୍ମାଙ୍କର ‘ଚତୁର୍ଥ ପୁରୁଷ’ ଅଣନାତି । (ତେଣୁ ଜାତିରେ ବିଶୁଦ୍ଧ) । ପୁଣି ବ୍ରହ୍ମାଙ୍କ ବରରେ ଦୀର୍ଘାୟୁ ହୋଇଅଛି ଏହା ମିଥ୍ୟା ନୁହେଁ ।’’
୩୮ଶ ପଦ :- ମହୀଜା-ସୀତା । ଜାତୁଧାନ-ରାକ୍ଷସ । ବୃଷ-ମୂଷା । ଆଳି-ବିଚ୍ଛା । ବଞ୍ଚକ-ବିଲୁଆ । ବିରୂପ-ବିକୃତ ରୂପ ।
୩୮ଶ ପଦ :- ରାବଣର କଥା ଶୁଣି ସୀତା କହିଲେ, ‘‘ରେ ରାକ୍ଷସ ! ଶିରଚ୍ଛେଦ ନ ହେଉଣୁ, ତୁ ଏଠାରୁ ଶୀଘ୍ର ପଳାଇ ଯା । ତୁ ମୂଷା, ବିଚ୍ଛା, ଭ୍ରମର, ବିକଳାଙ୍ଗ ଓ ବିଲୁଆ ଅଟୁ । (ତୁ କହିଲୁ ମୋ ଦେଶ କନକ ମୃର୍ତ୍ତିକା-ମୂଷାର ମୃର୍ତ୍ତିକାରେ ଆଦର ଥାଏ । ତୁ କହିଲୁ ମୋର ବିଂଶ ଭୂଜ-ବିଛାର ବହୁତ ଭୂଜ ଥାଏ । ତୁ କହିଲୁ ମୋର ପଦ୍ମିନୀ ନାୟିକା ଅଛନ୍ତି- ଭ୍ରମରର ବହୁତ ପଦ୍ମିନୀ ଥାନ୍ତି । ତୁ କହିଲୁ ଦଶମୁଣ୍ଡ- ତେଣୁ ବିକଳାଙ୍ଗ, ତୁ କହିଲୁ ଦୀର୍ଘାୟୁ- ବିଲୁଆ ଦୀର୍ଘାୟୁ ଅଟନ୍ତି) । ବିଲୁଆ ହୋଇ ତୁ ବୀର କେଶରୀ ଭାର୍ଯ୍ୟା ହରିବାବୁ ଇଚ୍ଛା କରୁଅଛୁ,-ଏହା ସମ୍ଭବ ହୋଇଛି କି ?’’ ସୀତାଙ୍କ କଥା ଶୁଣି ରାବଣ ପୁଣି କହିଲା, ‘‘ବୀର ଅନରଣ୍ୟ ରାଜାଠାରୁ (ରାମର ପୂର୍ବପୁରୁଷ) ତୋ ପତି ବେଶୀ ପ୍ରଶଂସାର ଯୋଗ୍ୟ କି ? (ବେଶୀ ବଳିଷ୍ଠ କି ?-ମୁଁ ତ ତାକୁ ମାରିଛି) ।
୩୯ ଓ ୪୦ଶ ପଦ :- ‘‘ତାହାର ପିତା [ତୋ ସ୍ୱାମୀର ପିତା] ଦଶରଥର ଯେପରି ସାମର୍ଥ୍ୟ, ତା ଜଣାଅଛି । ତାକୁ ପର୍ଶୁରାମ ଡରାଇବାୟରୁ ସେ ସ୍ତ୍ରୀମାନଙ୍କ ମଧ୍ୟରେ ଲୁଚି ରହିଲା ।’’ ସୀତା କହିଲେ, ‘‘ସେହି ପର୍ଶୁରାମର ଗର୍ବ ରାମଚନ୍ଦ୍ର ଦଳି ଅଛନ୍ତି । ରେ ରାକ୍ଷସ ! ତୁ ନିଶ୍ଚୟ ନାଶଯିବୁ । ପୂର୍ବପୁରୁଷ ଅନରଣ୍ୟକୁ ମାରିଛୁ ବୋଲି ଯେ ଗର୍ବ ଦେଖାଇଲୁ, ସୁପୁତ୍ର କୁଳର ଅଭିମାନକୁ ଉଦ୍ଧାର କରେ । ବର୍ତ୍ତମାନ ସେ ସମୟ ଉପସ୍ଥିତ (ସୁବଂଶଧର ରାମଚନ୍ଦ୍ର ତୋତେ ମାରି କୁଳ ମର୍ଯ୍ୟାଦା ବଢ଼ାଇବେ) ।’’ ଏହା ଶୁଣି ରାବଣ ନିଜ ରୂପ ଧରି ବଳପୂର୍ବକ ସୀତାଙ୍କୁ ନେବାକୁ ଆରମ୍ଭ କରନ୍ତେ, ସୀତା ଶୀଘ୍ର ଅଗ୍ନି ମଧ୍ୟରେ ଗୁପ୍ତ ହେଲେ । ରାବଣ ତାଙ୍କୁ ଦେଖି ନ ପାରି ମନ ମଧ୍ୟରେ ବିଚାର କଲା, ବେଦମତୀ କନ୍ୟା ପରି ଏ କନ୍ୟା ଦେଖି ନ ପାରି ମନ ମଧ୍ୟରେ ବିଚାର କଲା, ବେଦମତୀ କନ୍ୟା ପରି ଏ କନ୍ୟା ହେଲା ତା ପୁଣି ସୀତା ପ୍ରକାଶିତ ହୋଇ ଦେଖାଯାନ୍ତେ, [ମୟା ସୀତା ପ୍ରକାଶିତ ହୁଅନ୍ତେ] ରାବଣ ପତ୍ରକୁଡ଼ିଆର ଅଗଣାରୁ ବଳାତ୍କାରରେ ଧରି ଆଣିଲା । ସେତେବେଳେ ବାୟୁ ଓ ଜଳ ସ୍ରୋତ ସ୍ଥିର ହୋଇଗଲେ ଏବଂ ପାଷାଣ ତରଳି ଗଲା ।
ବସୁଧା କମ୍ପିତା ଚକିତ ଦେବତା କି ହେଲା କି ହେଲା ।ବଚନେ ଶୋଭନ ଅଶ୍ରୁ ବିମୋଚନେ ଆକାଶ ପୁରିଲା ।ବରଷିଲା ଟୋପା ଟୋପା ନୀର କିମ୍ପା ନ ଥାଇ ମୁଦୀରେ ।ବିହଙ୍ଗେ ଉତ୍ସୁକେ ଭାବନ୍ତି ଚାତକେ ବାରିଲେ ପାନରେ । ୪୧।ବିବୁଧ ବିବିଧ ବୁଦ୍ଧି କଲେ ସିଦ୍ଧି କେ ବୋଲେ ଏ ସୀତା ।ବୋଲେ କେ ଛାୟା କେ ବୋଲେ ମାୟା କାୟା ଜାଣଇ ବିଧାତା ।ବନ୍ଦୀ କାରାପୁରେ ମୁଦିଲା ପ୍ରକାରେ ବସାଇ ସ୍ୟନ୍ଦନେ ।ବନ୍ଦୀ ହୋଇ ସେ ସ୍ତୁତିପାଠ ପଠନେ ବାହିଲା ବହନେ । ୪୨।ବନ ବଳଜା ହା ରାମ ସ୍ୱନେ ପୂର୍ଣ୍ଣ ଜଟାୟୁ ତରକେ ।ବନପ୍ରିୟକୁ ଶିଖାଇ ଗୀତ ଶୋକବରାଡ଼ୀ ରାଗେ କେ ?ବଜାଇ ବୀଣାରେ ନାରଦ ରାମରେ ସଙ୍ଖୋଳି ଯାଇ କି ?ବିଂଶବାହୁ ସୀତା ଏକ ରଥେ ସ୍ଥିତା ଚାହାଁନ୍ତେ ବିଲୋକି । ୪୩।ବେଦପୋଥି କେ ପୁରାପ କରେ ଦେଲା ବୋଲି ସେ ଟାଇଁଲା ।ବିସ୍ତାରି ଚଞ୍ଚୁ ସ୍ୟନ୍ଦନ ଗ୍ରାସ ରଞ୍ଚୁଁଉଦ୍ଗାରି ଥୋଇଲା ।ବାର୍ଦ୍ଧି ଅଗସ୍ତି ଉଦରେ ଜୀର୍ଣ୍ଣମତି ଏକ୍ଷଣି ହୁଅନ୍ତୁ ।ବୈଦେହୀ ତ୍ରାହି କହି ଦେହ ବିଦାରି ମୁଖ କ୍ରୋଟି ହେତୁ । ୪୪।ବିମାନକୁ ପକ୍ଷପାତେ ପକ୍ଷଘାତେ ଭାଙ୍ଗିଲା ଉଦ୍ବେଗେ ।ବାମେ କ୍ଷୀଣକୁକ୍ଷୀ ଦକ୍ଷିଣେ ପକ୍ଷକୁ ଛେଦିଲା ଖଡ଼ଗେ ।ବସି ବୁଷ୍ପକରେଭାବୁଁ ଆସିବାରେ ପୁଷ୍କରେ ଗମନ ।ବାର୍ତ୍ତା ଦେବାଯାଏଅଯୋଧ୍ୟାଈଶ୍ୱରେ ଥାଉ ତୋ ଜୀବନ । ୪୫।
୪୧ଶ ପଦ :- ପୃଥିବୀ କମ୍ପିତ ହେଲା, ଦେବତାମାନେ ଚମତ୍କୃତ ହେଲେ । କି ହେଲା, କି ହେଲା ?- ଏହି ଶୋକପୂର୍ଣ୍ଣ ବାକ୍ୟରେ ଆକାଶ ପୂର୍ଣ୍ଣ ହେଲା । ସୀତା ଅଶ୍ରୁପାତ କରିବାରୁ ପକ୍ଷୀମାନେ ଉତ୍ସୁକ ମନରେ ଭାବିଲେ, ମେଘ ନ ଥାଇ ମେଘ ଟୋପାଟୋପା ହୋଇ ବର୍ଷିଲା କିପରି ? ଚାତକ ପକ୍ଷୀମାନେ ତା ପାନ କରିବାରୁ ଜାଣିଲେ, ତାହା ବୃଷ୍ଟିଜଳ ନୁହେଁ ।
୪୨ଶ ପଦ :- ଦେବତାମାନେ ନାନାପ୍ରକାର ବିଚାର ଠିକ୍ କଲେ । କିଏ କହିଲା, ‘ଏ ସୀତା’, କିଏ କହିଲା, ‘ଏ ଛାୟା, ’ କିଏ କହିଲା, ‘‘ଏ ମାୟା ସୀତା,’ ଆଉ କିଏ କହିଲା, ‘ସତ କଥା କ’ଣ ବିଧାତା ଜାଣେ । ’ ବନ୍ଦୀଘରେ ବନ୍ଦୀ ଲୋକକୁ ବନ୍ଦ କରି ରଖିଲା ପରି ସୀତାଙ୍କୁ ରଥରେ ବସାଇ ରାବଣ ଶୀଘ୍ର ରଥ ଚଳାଇ ନେଲା । ସୀତା ସେ ରଥରେ ‘ବନ୍ଦୀ’ ଭାଟ ପ୍ରାୟ ସ୍ତୁତି ପାଠ କରିବାକୁ ଲାଗିଲା । [ସୀତା ରାମଚନ୍ଦ୍ରଙ୍କ ଗୁଣ ବାହୁନି କାନ୍ଦିବାକୁ ଲାଗିଲେ ।]
୪୩ଶ ପଦ :- ବନବଳକା-ବନଭୂମି । ବଳକା-ବରସ୍ତ୍ରୀ ।
୪୩ଶ ପଦ :- ବନଭୂମି ‘ହା ରାମ’ ସ୍ୱରରେ ପୂର୍ଣ୍ଣ ହୁଅନ୍ତେ [ଅଥବା ‘ବନଜା’ ଶ୍ରେଷ୍ଠ ସ୍ତ୍ରୀ ସୀତାଙ୍କ ହା ରାମ ସ୍ୱନରେ ବନ ପୂର୍ଣ୍ଣ ହୁଅନ୍ତେ] ଜଟାୟୁ ବିଚାର କଲା, ‘କୋକିଳକୁ ଶୋକବରାଡ଼ୀ ରାଗରେ କେଉଁ ଲୋକ ଗୀତ ଶିଖାଇଲା କି ? କିମ୍ବା ନାରଦ ବୀଣାରେ ରାମ ନାମ ବରାଡ଼ୀ ରାଗରେ ଗାଇ ରାମଙ୍କୁ ସଙ୍ଖୋଳିବାକୁ ଯାଉଅଛନ୍ତି କି?’ ଜଟାୟୁ ଏହା ବିଚାର ଉପରକୁ ଚାହାଁନ୍ତେ ଦେଖିଲା ଯେ, ରାବଣ ଓ ସୀତା ଏକା ରଥରେ ବସି ଅଛନ୍ତି ।
୪୪ଶ ପଦ :- ସୁରାପ-ମଦ୍ୟପ ଅର୍ଥାତ୍ ଯେ ସୁରାବା ମଦ୍ୟପାନ କରେ ।
୪୪ଶ ପଦ :- ‘‘ମଦୁଆ ହାତରେ ବେଦପୋଥି କିଏ ଦେଲା ?’’ ଏହା ଭାବି ଜଟାୟୁ ଧାଇଁଲା । ସେ ଥଣ୍ଟ ବିସ୍ତାର କରି ରଥକୁ ଗିଳିଦେଇ ପୁଣି ବାନ୍ତି କରି ପକାଇଲା । [ରଥରେ ସୀତା ଅଛନ୍ତି, ରଥ ଗିଳିଦେଲେ ସୀତା ପେଟରେ ଜୀର୍ଣ୍ଣ ହୋଇଯିବେ, ଏହା ଭାବି ବାନ୍ତିକଲା] । ରାବଣକୁ ଚାହିଁ କହିଲା, ‘‘ଅଗସ୍ତି ୠଷିଙ୍କ ପେଟରେ ସମୁଦ୍ର ଜୀର୍ଣ୍ଣ ହେଲା ପ୍ରାୟ ତୁ ଏକ୍ଷଣି ମୋ ପେଟରେ ଜୀର୍ଣ୍ଣ ହୋଇଯାନ୍ତୁ, ମାତ୍ର ସୀତା ଯୋଗୁ ରକ୍ଷା ପାଇଲୁଁ ।’’ ଏହା କହି ନଖ ଚଞ୍ଚୁଦ୍ୱାରା ରାବଣକୁ ବିଦାରି ପକାଇଲା ।
୪୫ଶ ପଦ :- ପୁଷ୍କରେ-ଆକାଶରେ ।
୪୫ଶ ପଦ :- ସୀତାଙ୍କୁ ରକ୍ଷା କରିବା ଆଶାରେ ଉଦ୍ବେଗ ହୋଇ ସୀତାଙ୍କ ପକ୍ଷ ନେଇ ନିଜର ପକ୍ଷାଘାତଦ୍ୱାରା ରାବଣର ରଥକୁ ଭାଙ୍ଗି ପକାଇଲା । ଏହା ଦେଖି ରାବଣ ବାମ ହସ୍ତରେ କ୍ଷୀଣକଟୀ ସୀତାଙ୍କୁ ଧରି, ଦକ୍ଷିଣ ହସ୍ତରେ ଖଡ଼୍ଗ ଧରି ଜଟାୟୁର ପକ୍ଷକୁ ଛେଦନ କଲା । ତତ୍ପରେ ପୁଷ୍ପକ ଯାନକୁ ସ୍ମରଣ କରନ୍ତେ, ସେ ରଥ ଆସିଲା । ରାବଣସୀତାଙ୍କୁ ଘେନି ତହିଁରେ ବସି ଶୂନ୍ୟମାର୍ଗରେ ଗମନ କଲା । ସେତେବେଳେ ସୀତା ଜଟାୟକୁ କହିଲେ, ‘‘ ‘ଅଯୋଧ୍ୟାବର’ ଶ୍ରୀରାମଙ୍କୁ ବାର୍ତ୍ତା ଦେବାଯାଏ, ତୋ ଜୀବନ ଥାଉ ।’’
ବୋଲୁଁ ଠାକୁରାଣୀ ରକ୍ଷ ଛଳ ଭଣି ଅଯୋଧ୍ୟାବର ଯେ ।ବାରତା ପ୍ରାପତେ କି କରିବ ମୋତେ ପୁଣି ସେ ନାରାଜେ ?ବ୍ୟୋମେ ରଥ ଯାଇ ଋଷ୍ୟମୂକେ ପାଇ ଅବଳା ଦେଖିଲେ ।ବସିଛି ସୁଗ୍ରୀବ ଘେନିଣ ସଚିବ ଭୂଷଣ କାଢ଼ିଲେ । ୪୬।ବସନେ ବାନ୍ଧି ପକାଇ କୃପାନିଧି ପାଇବେ କଳ୍ପିଣ ।ବାନରେଶ ପାଇ ଦେଲା ଶୂନ୍ୟେ ଚାହିଁ ଜାନକୀ ଭାଷଣ ।ବାର୍ତ୍ତା କହ ରାମେ ମୋତେ ଲଙ୍କାଗ୍ରାମେ ନେଲାଟି ରାବଣ ।ବିସୋରିଲେ ଚିତ୍ତୁଁ ମୂଳିଟି ମୋ ମୃତ୍ୟୁ କାହାକୁ ଦୂଷଣ ? ୪୭।ବୋଲିବାକୁ ରଥ ଗଲା ଏତେ ପଥ ଅଦୃଶ୍ୟ ହୋଇଲା ।ବିଭୂଷଣମାନ କରିଣ ଯତନ ସୁଗ୍ରୀବ ଥୋଇଲା ।ବିୟତୁଁ ଖସାଇ ରଥ ପୁରେ ଯାଇ ଅଶୋକ ବିପିନେ ।ବେଢ଼ାଇ ସହସ୍ର ଅସୁରୀ ଜଗାଇ ତହିଁରେ ପ୍ରଧାନେ । ୪୮।ବେଭାରେ ସମର୍ପି ସମର୍ପାକୁ ସଖୀ ତ୍ରିଜଟା କରାଇ ।ବୃଦ୍ଧି ହରଷ ଭବନରେ ପ୍ରବେଶ ହସିଲା ହୁଅଇ ।ବାନ୍ଧବୀ ରାମର ପାଶବନ୍ଧା ମୃଗୀ ପରାୟ ଭୟରୁ ।ବହିଲା ଶିଳା ପିତୁଳା ତୁଳା ସିଦ୍ଧି ସୁଶୀଳା ହେବାରୁ । ୪୯।ବିଧାତା ବଚନେ ସୁଧା ଘେନି ବନେ ନାରଦ ମିଳିତ ।ବିମୋହିତ କରି ଅସୁରୀମାନଙ୍କୁ କହିଲେ ସଙ୍କେତ ।ବିଚ୍ଛେଦ ତୁଟିବ ଚତୁର୍ଦ୍ଦଶମାସେ ନ କର ଶୋଚନା ।ବଧ ରାବଣ ସଗୋତ୍ର ହୋଇ ହେବ ବିମଳଲୋଚନା । ୫୦।ବାଧା ନ କରିବ କ୍ଷୁଧା ପିପାସା ଏ ସୁଧା କର ଗ୍ରାସ ।ବୈଦ୍ୟ ଅଷ୍ଟାଙ୍ଗବ୍ୟାଧିମନ୍ତେ ଔଷଧ ବିହିଲା ସଦୃଶ ।ବିବେକ ହେଲା ପାଇବି ତ ମୁଁ ଧନ୍ୟ ଈଶ୍ୱର ଭରସା ।ବାହୁଡ଼ିଲେ ଋଷି ଅମୃତକୁ ଗ୍ରାସି ବସିଲେ ସୁଦୃଶା । ୫୧।ବିମ୍ବୋଷ୍ଠୀ ଅବନୀଦୃଷ୍ଟି ଅତି କଷ୍ଟୀ କପୋଳେ ଶ୍ରୀକର ।ବ୍ୟାକୁଳ କେତେ ନ ଦେଖି ହେବେ ମୋତେ କରେ ଏ ବିଚାର ।ବଇଦେହୀଶ ବିଳାଶ ନାମ ଗୀତ ବକାରେ ରଚନ ।ବାମପଦେ ଛାନ୍ଦ ଉପୈନ୍ଦ୍ର କୃତ ବୁଝିବେ ସୁମନ । ୫୨।
୪୬ଶ ପଦ :- ସୀତା ଏହା କହନ୍ତେ, ରାବଣ ଛଳ କରି କହିଲା, ‘‘ସେ ‘ଅଯୋଧ୍ୟାବର’ ଶତ୍ରୁ ସଙ୍ଗେ ଯୁଦ୍ଧ କରିବାକୁ ଅସମର୍ଥ, ତେଣୁ ଅଯୋଧ୍ୟା ରାଜ୍ୟକୁ ‘ବରଦ’ ତ୍ୟାଗ କଲା । ସେ ପୁଣି ମାନବ ମାତ୍ର, ସେ ବାରତା ପାଇଲେ ତା ଶରଦ୍ୱାରା ମୋର କ’ଣ କରିବ ?’’ ଏହି ସମୟରେ ରଥ ଆକାଶମାର୍ଗରେ- ଯାଇ ଋଷ୍ୟମୂକ ଗିରି ସମାନ ପହଞ୍ଚିଲା । ସେ ଗିରିରେ ସୁଗ୍ରୀବ ମନ୍ତ୍ରୀମାନଙ୍କ ସଙ୍ଗତରେ ଘେନି ବସିଛନ୍ତି । ସୀତା ତାହା ଦେଖି ଆପଣ ଦେହରୁ ଅଳଙ୍କାରମାନ କାଢ଼ିଲେ ।
୪୭ଶ ପଦ :- ‘କୃପାନିଧି’ ରାମଚନ୍ଦ୍ର ଏହା ପାଇବେ, ସୀତା ଏହିପରି ମନରେ ବିଚାର କରି, ବସନରେ ବାନ୍ଧି ଅଳଙ୍କାରମାନ ପକାଇ ଦେଲେ । ବାନରରାଜ ସୁଗ୍ରୀବ ସେ ଅଳଙ୍କାର ପାଇ ଶୂନ୍ୟକୁ ଚାହିଁ ଦେଲେ । ତା ଦେଖି ଜାନକୀ କହିଲେ, ‘‘ରାମଙ୍କୁ ଏ ବାର୍ତ୍ତା କହିବ,- ରାବଣମୋତେ ଲଙ୍କା ଗ୍ରାମକୁ ନେଇଯାଉଛି । ସେ ମୋତେ ମନରୁ ପାସୋରି ଦେଲେ, ନିଶ୍ଚୟ ମୋର ମୃତ୍ୟୁ ହେବ । ଏ ନିନ୍ଦା କାହାକୁ ହେବ ? (ତାଙ୍କୁହିଁ ଏ ନିନ୍ଦା ହେବ) ।’’
୪୮ଶ ପଦ :- ବିୟତୁଁ-ଆକାଶରୁ ।
୪୮ଶ ଓ ୪୯ଶ ପଦ :- ସୀତା ଏହି କଥା କହୁ କହୁ ରଥ ଏତେ ଦୂର ଗଲା ଯେ, ଆଉ ଦୃଶ୍ୟ ହେଲା ନାହିଁ । ସୁଗ୍ରୀବ ସୀତା ପକାଇଥିବା ଅଳଙ୍କାରମାନ ଯତ୍ନ କରି ଥୋଇଲେ । ରାବଣ ଆକାଶରୁ ରଥ ଖସାଇ ଆପଣ ପୁରକୁ ଯାଇ ଅଶୋକ ବନରେ ସହସ୍ରେ ଅସୁରୀ ଘେରାଇ ସୀତାଙ୍କୁ ରଖିଲା । ସେମାନଙ୍କ ମଧ୍ୟରେ ପ୍ରଧାନ ସମର୍ପୀ ରାକ୍ଷସୀକୁ ସୀତାଙ୍କୁ ସମର୍ପଣ କଲା ଏବଂ ତ୍ରିଜଟା ନାମକ ରାକ୍ଷସୀକୁ ତାଙ୍କ ସଖୀ କରାଇ ଆନନ୍ଦ ବୃଦ୍ଧି ହୋଇଥିବାରୁ ହସ ହସ ହୋଇ ଯାଇ ନିଜ ଗୃହରେ ପହଞ୍ଚିଲା । ସୀତା ଭୟ ପାଇ ପାଶବଦ୍ଧ ହରିଣୀ ପ୍ରାୟ ହେଲେ, ମାତ୍ର ସୁଶୀଳା ହେତୁ ପ୍ରସ୍ତରମୂର୍ତ୍ତି ପରି ତୁନି ହୋଇ ରହିଲେ ।
୫୦ଶ ପଦ :- ବ୍ରହ୍ମାଙ୍କ ଆଜ୍ଞାରେ ନାରଦ ଅମୃତ ଘେନି ଯାଇ ଅଶୋକବନରେ ମିଳିଲେ, ଅସୁରୀମାନଙ୍କୁ ବିମୋହିତ କରି ସୀତାଙ୍କୁ ସଙ୍କେତ ଦେଇ କହିଲେ, ‘‘ଚଉଦ ମାସ ପରେ ତୁମ୍ଭର ବିଚ୍ଛେଦ କଷ୍ଟ ତୁଟିବ, ସେଥିପାଇଁ ଶୋକ କର ନାହିଁ । ହେ ନିର୍ମଳ ଲୋଚନେ । ରାବଣ ସବଂଶରେ ବିନାଶ ପ୍ରାପ୍ତ ହେବ ।’’
୫୧ଶ ପଦ :- ‘‘ଏ ଅମୃତ ନେଇ ଗ୍ରାସ କର, ତୁମ୍ଭଙ୍କୁ କ୍ଷୁଧା ତୃଷା ବାଧିବ ନାହିଁ ।’’ ଅଷ୍ଟାଙ୍ଗବ୍ୟାଧି ଘୋଟିଥିବା ରୋଗୀକୁ ବୈଦ୍ୟର ଔଷଧ ଭଲ କଲା ପରି ସୀତାଙ୍କୁ ନାରଦଙ୍କ ବାଣୀ ସୁସ୍ଥ କଲା । ସେ ବିଚାର କଲେ, ମୁଁ ରାମଚନ୍ଦ୍ରଙ୍କୁ ପୂନର୍ବାର ପାଇ ଧନ୍ୟ ହେବି । ଏଥିପାଇଁ କେବଳ ମାତ୍ର ଈଶ୍ୱର ଭରସା ।’ ତତ୍ପରେ ନାରଦ ଋଷି ବାହୁଡ଼ି ଗଲେ, ସୀତା ଅମୃତ ଖାଇ ବସିଲେ ।
୫୨ଶ ପଦ :- ସୀତା ରାମଚନ୍ଦ୍ରଙ୍କ ବିହରରେ ଅତି ଦୀନ ଭାବିରେ ମୁଖ ପୋତି ଭୂମିକୁ ଚାହିଁ ଦକ୍ଷିଣ ହସ୍ତ ଗଣ୍ଡସ୍ଥଳରେ ଦେଇ ଚିନ୍ତା କଲେ, ‘‘ରାମଚନ୍ଦ୍ର ମୋତେ ନ ଦେଖି କେତେ ବ୍ୟାକୁଳ ହେବେ । ବୈଦେହୀଶବିଳାସ ନାମକ କାବ୍ୟ ବ ଆଦ୍ୟ ଅକ୍ଷରରେ ରଚିତ ହୋଇଅଛି । ଉପେନ୍ଦ୍ର କୃତ ବାଉନ ପଦର ଏ ଛାନ୍ଦ ପଣ୍ଡିତମାନେ ବୁଝିବେ ।
ପଞ୍ଚବିଂଶ ଛାନ୍ଦ(ରାଗ-ଶଙ୍କରାଭରଣ)ବାଜୀ ବାଜିବାରେ ତ୍ରାହି ଲକ୍ଷ୍ମଣ ଶବଦ ।ବିରଚନେ ରାମ ରାମ ହୋଇଲେ ସ୍ତବଧ ।ବିହିଲାକ ନର-ବାଣୀ !ବିପଦ ନ ପୁଣ ଉପସ୍ଥିତ ହୁଏ ଶୁଣି । ୧।ବିମଳ କେମନ୍ତ ଚନ୍ଦ୍ର ସେ ନ ମାରୁଁ ମରି ।ବସିଲା କଳଙ୍କ ହୋଇ ଅଙ୍କେ ସେହିପରି ।ବଧ ମୋହ ଯୋଗୁଁ ଏହି ।ବିଶ୍ୱେ କଳଙ୍କ ନ କରୁ ରାମଚନ୍ଦ୍ର ମୁହିଁ । ୨।ବିଗ୍ରହ ମାୟାମୃଗର ଜ୍ୟୋତି ବାହାରିଲା ।ବପୁରେ ସେ ଦୂଷଣରିପୁର ମିଶିଗଲା ।ବଡ଼ ସୁକୃତ ଶବର ।ବାହୁଡ଼ିଲେ ଭାର କରି ସୁମନସବର । ୩।ବାଟରେ ଅନୁଜ ଭେଟ ମତି ବିରସିତା ।ବୋଲେ ବୀର ସୀତା କାହିଁ କଲୁ ତୁ ଏକତା ।ବକ୍ଷୁଁ ହୋଇଲେ ଅନ୍ତର ।ବହଇ ଯେ ଥର ଭୟେ ହୃଦର ପଥର । ୪।ବୋଇଲେ ସୁମିତ୍ରାସୁତ ଶୁଣ ରଘୁରାଣ ।ବଣାହେଲେ ଜଣାଥାଉଁ ତୁମ୍ଭ ବୀରପଣ ।ବାଣୀ ମୋର ନାମେ ତ୍ରାହି ।ବିକାଶରୁ ସରୁମଧ୍ୟା ଭୀରୁ ଭୟ ବହି । ୫।୧ମ ପଦ :- ବାଜୀ-ଶର । ରାମ-ମୃଗ । ନରବାଣୀ-ମନୁଷ୍ୟ ପରି କଥା ।
୧ମ ପଦ :- ଶର ବାଜିବା ମାତ୍ରକେ କନକମୃଗ ‘ତ୍ରାହି ଲକ୍ଷ୍ମଣ’ ଶବ୍ଦ କରିବାରୁ ରାମଚନ୍ଦ୍ର ଚକିତ ହୋଇ ଭାବିଲେ, ‘‘ଏ ପଶୁ ହୋଇ ମନୁଷ୍ୟପରି କଥା କହିଲା । ବିପଦ କିଛି ପଡ଼ିବ ନାହିଁ ତ ?’’ (ପଶୁ ବଚନ ଶ୍ରବଣରେ ବିପଦ ପଡ଼ିବାର ସମ୍ଭାବନା ।)
୨ୟ ପଦ :- ‘‘ଚନ୍ଦ୍ର କିପରି ନିଷ୍କଳଙ୍କ; ସେ ନ ମାରି ମଧ୍ୟ ମୃଗ ନିଜ ଇଚ୍ଛାରେ ମରି ତା କୋଳରେ କଳଙ୍କ ପ୍ରାୟ ହୋଇବସି ରହିଲା । ଅଥଚ ଏ ମୃଗ ମୋ ହସ୍ତରେ ବଧ ହେଲା । ମୁଁ ‘ରାମଚନ୍ଦ୍ର’ ମନୋହର ଚନ୍ଦ୍ର । ସଂସାର ମଧ୍ୟରେ ଏ ମୃଗ ମୋହର କଳଙ୍କସ୍ୱରୂପ ନ ହେଉ ।’’
୩ୟ ପଦ :- ବିଗ୍ରହୁଁ-ଦେହରୁ । ବପୁରେ-ଦେହରେ । ଦୂଷଣରିପୂ-ରାମଚନ୍ଦ୍ର । ଶବର-ମୃତଦେହର । ସୁମନସବର-ଦେବଶ୍ରେଷ୍ଠ ବା ପଣ୍ଡିତ ଶ୍ରେଷ୍ଠ ।
୩ୟ ପଦ :- ମାୟାମୃଗର ଦେହରୁ ଜ୍ୟୋତି ବାହାରିଲା । ସେ ଜ୍ୟୋତି ପାପର ଶତ୍ରୁ ରାମଚନ୍ଦ୍ରଙ୍କ ଦେହରେ ମିଶିଗଲା । ସେ ମୃତଦେହର ବଡ଼ ପୁଣ୍ୟ, କାରଣ ଦେବଶ୍ରେଷ୍ଠ ରାମଚନ୍ଦ୍ର ତାକୁ ଭାର କରି କାନ୍ଧରେ ବହି ବାହୁଡ଼ିଲେ ।
୪ର୍ଥ ପଦ :- ଅନୁଜ-ସାନଭାଇ । ଥର-କମ୍ପନ । ହୃଦୟପଥରେ-ମନରେ ।
୪ର୍ଥ ପଦ :- ବାଟରେ ଲକ୍ଷ୍ମଣଙ୍କର ଭେଟ ହେବାରୁ ରାମଚନ୍ଦ୍ରଙ୍କ ମନ ବିରସଯୁକ୍ତ ହେଲା । ସେ କହିଲେ, ‘‘ସୀତା କାହିଁ, ତାକୁ ଏକାକିନୀଛାଡ଼ି ଆସିଲୁ କାହିଁକି ? ମୋବକ୍ଷସ୍ଥଳରୁ ଅନ୍ତର ହେଲେ ସେ ଯେ ମନମଧ୍ୟରେ ଭୟରେ ଥରହର ହୁଏ ।’’
୫ମ ପଦ :- ସରୁମଧ୍ୟା-କ୍ଷୀଣକଟୀ ବିଶିଷ୍ଟା ।
୫ମ ପଦ :- ଲକ୍ଷ୍ମଣ କହିଲେ, ‘‘ହେ ରଘୁରାଣ ! ଶୁଣ, ତୁମ୍ଭର ବୀରପଣ ଜଣାଥିଲେ ମଧ୍ୟ ‘ତ୍ରାହି ଲକ୍ଷ୍ମଣ’ ଶବ୍ଦ ଶୁଣାଯିବାରୁ କ୍ଷୀଣକଟୀ ଭୀରୁ ସୀତା ବଣାହୋଇ ଭୟ କଲେ ।’’
ବୈଦେହୀ ପ୍ରମାଣ ଫଳେ କଟୁ କରି ଜାତ ।ବିଦାରିତ ହୃଦକ୍ଷେତ୍ର ସୀତା ନାମ ସତ ।ବିନା ଭକ୍ଷୁଁ ଜନେ ବାମା ।ବାଣୀ ସୁଧା ବୋଲେ ସୁରମତେ ନୋହେ ହେ ସମା । ୬।ବିଜ୍ଞ ଯେଣୁ ଯୋଗୀ ତେଣୁ ଶ୍ରଦ୍ଧାରେ ନ ଶୁଣି ।ବୋଲେ ରାମ ଶିବରୁ କେ ବଡ଼ ଯୋଗୀ ପୁଣି ।ବହି ଅର୍ଦ୍ଧ ଅବୟବେ ।ବିଦୁର ଶଙ୍କାରେ ଶୁଣୁଛନ୍ତି ରାତ୍ରଦିବେ । ୭।ବଚନ ଦୀର୍ଘ ରଚନ ସତ୍ୱର ଗମନ ।ବାଳା ଅନୁସରି ନ ଆସିବା ଦେଖି ଛନ୍ନ ।ବିଚାରନ୍ତି ସ୍ନେହାଧୀନା ।ବିମାନ ନୋହେ ସଦୋଷେ ଏବେ ଦୋଷ ବିନା । ୮ ।ବୃକ୍ଷ କରୁଣାରେ ସେ ନିରାଶ ଫଳ ବହି ।ବନ୍ଧୁ ସ୍ୱାଧୀନ ଭର୍ତ୍ତୃକା ବୋଲି ଯେବେ ମୁହିଁ ।ବାଡ଼େ ଲେଖିଥାଇଁ ସ୍ମରି ।ବୋଲୁଥାଇ ଲେଖ ତବାଧୀନଭର୍ତ୍ତା କରି । ୯।ବିରହୋତ୍କଣ୍ଠିତା ସାର ନାଗରୀ ରତନ ।ବିଚାରି ତ ଥାନ୍ତା ନବ ନବ ଭାବମାନ ।ବଚନକେ ମୁଁ ତାହାରି ।ବନ୍ଧନେ କବରୀ ଆଣି ଆସିଛି ଚଉଁରୀ । ୧୦।୬ଷ୍ଠ ପଦ :- ବୈଦେହୀ-ପିପ୍ଳୀ । ସୀତା-ଲଙ୍ଗଳଲୁହା । ସୁରମତେ-ଦେବତାମାନଙ୍କ ମତରେ ।
୬ଷ୍ଠ ପଦ :- ‘‘ତାଙ୍କର ବୈଦେହୀ ନାମ ପ୍ରମାଣିତ ହେଲା । ‘ବୈଦେହୀ’ ପିପ୍ଳୀ ବୃକ୍ଷର ଫଳ ଯେପରି କଟୁ ପ୍ରଦାନ କରେ, ସୀତା ସେହିପରି ଶେଷରେ ମୋତେ କଟୁକଥା କହିଲେ । ପୁଣି ତାଙ୍କର ସୀତା ନାମ ସାର୍ଥକ ଅଟେ । ‘ସୀତା’ ଲାଙ୍ଗଳାଗ୍ର କିଆରୀକୁ ଚଷି ଫାଳ ଫାଳ କଲା ପରି ସେ ମୋ ହୃଦୟ କ୍ଷେତ୍ରକୁ ବିଦାରି ପକାଇଲେ । ଲୋକେ ଅମୃତ ଖାଇ ନ ଥିବାରୁ ସ୍ତ୍ରୀଙ୍କ କଥାକୁ ଅମୃତ ସହିତ ତୁଳନା ଦେଇଥାନ୍ତି, ମାତ୍ର ଦେବତାମାନଙ୍କ ମତରେ ତା ଠିକ୍ ନୁହେଁ । (ଦେବତାମାନେ ଯେ ଅମୃତ ଖାଇଅଛନ୍ତି) ।’’
୭ମ ପଦ :- ବିଜ୍ଞ-ଜ୍ଞାନୀ । ବିଦୂର-ଅନ୍ତର ।
୭ମ ପଦ :- ‘‘ଯୋଗୀମାନେ ବିଶେଷ ଜ୍ଞାନୀ ଅଟନ୍ତି, ତେଣୁ ସ୍ତ୍ରୀଙ୍କ ବଚନରେ ସେମାନେ ଶ୍ରଦ୍ଧାନ୍ୱିତ ହୁଅନ୍ତି ନାହିଁ କି ତା ଶୁଣନ୍ତି ନାହିଁ ।’’ ଲକ୍ଷ୍ମଣ ଏହା କହିବାରୁ ରାମଚନ୍ଦ୍ର କହିଲେ, ‘‘ଶିବଙ୍କଠାରୁ ଆଉ ବଡ଼ଯାଗୀ କିଏ ଅଛି ? ସ୍ତ୍ରୀ ଅନ୍ତର ହେବା ଭୟରେ ସେ ଅର୍ଦ୍ଧାଙ୍ଗରେ ଦିନ ରାତି ସ୍ତ୍ରୀକୁ ବହନ କରି ସ୍ତ୍ରୀର ବଚନ ଶୁଣୁଅଛନ୍ତି ।’’
୮ମ ପଦ :- ରାମଚନ୍ଦ୍ର ଏ କଥା ଦୀର୍ଘ ସ୍ୱରରେ ଲକ୍ଷ୍ମଣଙ୍କୁ କହି ଶୀଘ୍ର ଗମନ କଲେ । କୁଟୀର ନିକଟରେ ପ୍ରବେଶ କରି ପ୍ରିୟା ଆସି ବାଟକୁ ଚାହୁଁ ନ ଥିବାର ଦେଖି ସେ କାତର ହେଲେ । ପୁଣି ମନ ମଧ୍ୟରେ ବିଚାର କଲେ, ସେ ତ ସ୍ନେହାଧୀନା, ମୁଁ ଦୋଷ କରିଥିଲେ ମଧ୍ୟ ମୋଠାରେ ସେ ବିମନା ହୁଏ ନାହିଁ । ଏବେ ବିନା ଦୋଷରେ ବିମନା କାହିଁକି ହେଲା ? (ସେ କାହିଁକି ଦୁଆର ମୁହଁରେ ମୋ ଆସିବା ବାଟକୁ ଚାହିଁ ଠିଆ ହୋଇନାହିଁ ?)
୯ମ ପଦ :- କରୁଣ-ଦୟା । ସ୍ୱାଧୀନଭର୍ତ୍ତୃକା-ଯେଉଁ ସ୍ତ୍ରୀର ଅଧୀନରେ ସ୍ୱାମୀ ଥାଏ । ଭର୍ତ୍ତା-ସ୍ୱାମୀ ।
୯ମ ପଦ :- କରୁଣା ବୃକ୍ଷରେ ନୈରାଶ୍ୟଫଳ କେବେ ଫଳେ କି ? ଯେବେ ମୁଁ କାନ୍ଥରେ ‘ମୋର ପ୍ରିୟା ସ୍ୱାଧୀନ ଭର୍ତ୍ତୃକା’ ମୁଁ ମୋ ପ୍ରିୟାର ଦାସ- ଏହା ଲେଖିଥାଏଁ, ତେବେ ସେ ତାହା ଦେଖି ମୋତେ କହେ ‘ତବାଧୀନଭର୍ତ୍ତା’- ତୁମ୍ଭର ମୁଁ ଦାସୀ ବୋଲି ଲେଖ ।
୧୦ମ ପଦ :- ସେ ନାଗରୀବରର ସୀତା ବିରହୋତ୍କଣ୍ଠିତା ନାୟିକାଙ୍କ ମଧ୍ୟରେ ଶ୍ରେଷ୍ଠ । ସେ ମୋର ବିରହରେ ନବ ନବ ଭାବନାମାନ ଚିତ୍ତରେ ବିଚାରୁଥାନ୍ତା । ମୁଁ ତାହାର ପଦେ କଥାରେ କେଶ ବନ୍ଧନ ପାଇଁ ଚଉଁରୀ ଆଣିଅଛି । (ତେବେ ସେ ବିମନା ହେଲା କାହିଁକି ? )
ବାସକସଜ୍ଜା ହୋଏ ମୁଁ ପାଶୁଁ ଗଲା କ୍ଷଣେ ।ବେଶ ସାରି ଶଯ୍ୟା କରି ନିରେଖେ ପ୍ରାଙ୍ଗଣେ ।ବିପ୍ରଲବ୍ଧା ହୋଇ ଧନ ।ବିକାଶ କୁସୁମକାଳେ ତେଜି କେଳି ସ୍ଥାନ । ୧୧।ବାର ବାର ଅଭିସାର ମୋ ପାଶେ ପଣ୍ଡିତା ।ବିପରୀତ ମାଗିବାରେ ହୁଅଇ ଖଣ୍ଡିତା ।ବିଧି ପ୍ରୋଷିତଭର୍ତ୍ତୃକା ।ବାନ୍ଧବୀକୁ କରିବାକୁ କରୁଅଛି ଦକା । ୧୨।ବହିଥିବାରେ ଶରୀର ଜୀବନଈଶ୍ୱରୀ ।ବହିବ ନାହିଁ କଳହାନ୍ତରିତା ଚାତୁରୀ ।ବିବର୍ଜିତ ପ୍ରିୟାହୃଦ ।ବିଚ୍ଛନ୍ଦରେ କେମନ୍ତେ କଲା ଆସପଦ । ୧୩।ବୋଇଲେ ଦେହଳୀ ପାଶେ ମୃଗଭାର ଥୋଇ ।ବାସ ଦେହରେ କି କରି ନିବାରିବୁତୁହି?ବିଳମ୍ବୁଁ ମୋ କରି ହଟ ।ବିଧାନ ଯେ କରିଅଛୁ ଲୁଚିବା କପଟ । ୧୪।ବିଲୋପ ନୋହିବୁ ରସବତୀ ପୁର ତମେ ।ବିଧିରେ ପ୍ରସନ୍ନମୁଖୀ ହାସ ହୀରା କ୍ରମେ ।ବିସ୍ତାରିତ କରି ପାଣି ।ବେଶ୍ମେ ପଶି କୋଳକୁ ଆସରେ ପ୍ରିୟ ଭଣି । ୧୫।
୧୧ଶ ପଦ :- ମୋ ପାଖରୁ ଗଲାକ୍ଷଣି ସେ ବାସକସଜ୍ଜା ନାୟିକାପ୍ରାୟ ହୁଏ । ଆପେ ବେଶ ସାରି ଶେଯ ପକାଇ ଅଗଣାରେ ଠିଆହୋଇ ମୋତେ ନିରେଖୁ ଥାଏ । ପୁଣି ସେହି ପ୍ରିୟା ମୋର ବିପ୍ରଲବ୍ଧା ନାୟିକା ହୋଇ ପୁଷ୍ପବତୀ ସମୟରେ କେଳି ସ୍ଥାନ ତେଜି ଚାଲିଯାଏ । (ତାହା ତ ହୋଇ ନାହିଁ ଏବେ ନ ଆସେ କାହିଁକି ?)
୧୨ଶ ପଦ :- ଅଭିସାର -ସଙ୍କେତ ସ୍ଥଳକୁ ଗମନ ।
୧୨ଶ ପଦ :- ‘ଅଭିସାରିକା ନାୟିକା ପରି ସେ ବାରମ୍ବାର ମୋ ପାଖକୁ ଆସିବାରେ ନିପୁଣ ଅଟେ । ମୁଁ ବିପରୀତ ରତି ମାଗିବାବେଳେ ସେ ଖଣ୍ଡିତା ନାୟିକା ହୁଏ ଅର୍ଥାତ୍ କ୍ରୋଧଯୁକ୍ତା ହୋଇ ମୋ ବାକ୍ୟ ଖଣ୍ଡନ କରେ । (ଏବେ ମୁଁ ବିପରୀତ ରତି ମାଗି ନାହିଁ- ତେବେ ସେ ବିମନା ହେଲା କାହିଁକି ?) । ବିଧାତା ମୋର ପ୍ରିୟାକୁ ‘ପ୍ରୋଷିତଭର୍ତ୍ତୃକା’ କରିବାକୁ [ମୋ ସହିତ ବିଚ୍ଛେଦ କରିବାକୁ] ମୁଁ ସବୁବେଳେ ଆଶଙ୍କା କରୁଥାଏ । ବର୍ତ୍ତମାନ ସେ ଆଶଙ୍କା ସତ୍ୟ ହେଲା କି ?’
୧୩ଶ ପଦ :- ବିବର୍ଜିତ-ଶୂନ୍ୟ । ବିଚ୍ଛନ୍ଦରେ-କୌଶଳରେ । ଛନ୍ଦ-କପଟ । ଆସପଦ-ସ୍ଥାନ ।
୧୩ଶ ପଦ :- ‘ମୋ ପ୍ରାଣେଶ୍ୱରୀ ଦେହ ଧରି ଥିବାଯାଏ; କଳହାନ୍ତରିତା ଚାତୁରୀ ବହିବ ନାହିଁ । (କଳହ କରି ମୋଠାରୁ ଅନ୍ତର ହେବ ନାହିଁ) । କାରଣ ମୋର ପ୍ରିୟାର ହୃଦୟ କପଟଶୂନ୍ୟ । ଏବେ କି କୌଶଳରେ ‘ଛନ୍ଦ’ କପଟ ସେ ହୃଦୟରେ ପାଇଲା ?’
୧୪ଶ ପଦ :- ଦେହଳୀ-ଏରୁଣ୍ଡୀବନ୍ଧ ।
୧୪ଶ ପଦ :- ରାମଚନ୍ଦ୍ର ମନେ ମନେ ଏହା ବିଚାରି ଯାଇ ଦ୍ୱାରମୁହଁ ପାଖରେ ମୃଗଭାର ଥୋଇ ଦେଇ କହିଲେ, ‘‘ମୋର ଆସିବାରେ ବିଳମ୍ବ ହେବାରୁ, ତୁ ହଟ କରି କପଟରେ ଲୁଚିଅଛୁ । ମାତ୍ର ତୋହର ଦେହର ବାସନାକୁ କିପରି ନିବାରି ତୁ ଲୁଚି ରହିପାରିବୁ ? (ତୋର ଦେହର ବାସନାରୁ ମୁଁ ଜାଣିପାରିବି ଯେ, ତୁ କେଉଁଠି ଲୁଚିଅଛୁ । ତେଣୁ ଲୁଚି ଫଳ କିଛି ନାହିଁ) ।’’
୧୫ଶ ପଦ :- ବିଲୋପ-ଛପିବା । ତମ-ଅନ୍ଧକାର । ପ୍ରସନ୍ନମୁଖୀ-ଉଜ୍ଜ୍ୱଳବଦନୀ ବା ଚନ୍ଦ୍ରମୁଖୀ । ପାଣି-ହସ୍ତ । ବେଶ୍ମ-ଘର ।
୧୫ଶ ପଦ :- ହେ ରସବତି ! ତୁ ଅନ୍ଧକାର ଗୃହରେ ମଧ୍ୟ ଅଦୃଶ୍ୟ ହୋଇପାରିବୁ ନାହିଁ । ଦୈବକ୍ରମେ ତୁ ପ୍ରସନ୍ନମୁଖୀ । ତୋର ହାସ୍ୟ ହୀରା ପରି ଝଟକିବ (ତେଣୁ ଅନ୍ଧକାରରେ ମଧ୍ୟ ତୋ ଦେଖା ମିଳିପାରିବ) ।’’ ଏହା କହି ରାମଚନ୍ଦ୍ର ଗୃହ ମଧ୍ୟରେ ପ୍ରବେଶ କରି ହସ୍ତ ବଢ଼ାଇ ଡାକିଲେ, ‘‘ହେ ପ୍ରିୟା ! ମୋ କୋଳକୁ ଆ ।’’
ବୋଲିଥିଲୁ ଆଣ ଏକା ମୃଗଚର୍ମ ପୁଚ୍ଛ ।ବାଛି ବାଛି ତୋଳି ଆଣିଅଛି ପୁଷ୍ପଗୁଚ୍ଛ ।ବସ ସେ ଅଜିନେ ବେଗେ ।ବାନ୍ଧଇଁ ମୁଁକୁନ୍ତଳ ଚାମର ଫୁଲଯୋଗେ । ୧୬।ବହିଛୁ ଶଙ୍କା ଚଉଁରୀ ଦେଇ ମୋର ହସ୍ତ ।ବଦାଇବେ ରଚିବାକୁ କି ପୁରୁଷାୟିତ ।ବୋଲିବାକୁ ନାହିଁ ତାହି ।ବୋଇଲା ବଚନ ଆନ ହୋଇଛି ମୋ କାହିଁ ? ୧୭।ବନ୍ଧୁ ତୁହି ଧନ ତୁହି ପ୍ରାଣ ତୁହି ସତେ ।ବନ୍ଧୁ ଧନ ଦୂର କରି ଆଣିଛି ସଙ୍ଗତେ ।ବିଗତ ତୁ ହେଲେ ରକ୍ଷା ।ବ୍ରହ୍ମାଣ୍ଡରେ କି ରୂପରେ ଅଛି ସୁକଟାକ୍ଷା । ୧୮।ବସଇ ହୃଦୟେ ଦୟା କଠିନ ଉରଜ ।ବନ୍ଦ୍ୟ ଜଗତରେ ଜ୍ୟେଷ୍ଠ ଅଟଇ ସହଜ ।ବିକର୍ମରୁ ମୋର ହେଜି ।ବରାରୋହା ଏମନ୍ତ ଭାବକୁ ଅଛୁ ଭଜି । ୧୯।ବିନତି ଇଙ୍ଗିତ ଛଳ ବଚନ ପ୍ରକାଶି ।ବେଳେ ନ ପାରିଲେ ଯହୁଁ ବାଳା ମନ ତୋଷି ।ବ୍ୟର୍ଥ ବାଚାଳେ ପଣ୍ଡିତ ।ବୁଝାଇଲା ପ୍ରାୟ ଶାସ୍ତ୍ର ହୋଇଲା ତେମନ୍ତ । ୨୦।୧୬ଶ ପଦ :- ପୁଷ୍ପଗୁଚ୍ଛ-ଫୁଲପେଣ୍ଡା । ଅଜିନ-ମୃର୍ଗଚର୍ମ । କୁନ୍ତଳ-କେଶ । ଚାମର-ଚଉଁରୀ ।
୧୬ଶ ପଦ :- ‘‘ତୁ କେବଳ ମୃଗଚର୍ମ ଓ ମୃଗପୁଚ୍ଛ ଆଣିବାକୁ କହିଥିଲୁ । ମାତ୍ର ମୁଁ ତାହା ବ୍ୟତୀତ ବାଛି ବାଛି ଫୁଲପେଣ୍ଡା ସବୁ ତୋଳି ଆଣିଛି । ତୁ ଶୀଘ୍ର ଆସି ସେ କନକ ମୃଗଛାଲରେ ବସ । ଫୁଲ ଓ ଚାମର ଯୋଗେ ମୁଁ ତୋର କେଶ ବାନ୍ଧି ଦେବି ।’’
୧୭ଶ ପଦ :- ପୁରୁଷାୟିତ-ବିପରୀତ ରତି ।
୧୭ଶ ପଦ :- ‘‘ହେ ପ୍ରିୟେ ! ଚଉଁରୀ ମୋର ହସ୍ତରେ ଦେଇ ବିପରୀତ ରତି କରିବାକୁ କୁହାଇବେ’- ଏହା ଭାବି ତୁ ଭୟ କରୁଛୁ କି ? ତା ମଧ୍ୟ ମୁଁ କହୁ ନାହିଁ । ମୋର କହିବା କଥା କେବେ ଅନ୍ୟଥା ହୋଇଛି କି ?’’
୧୮ଶ ପଦ :- ସୁକଟାକ୍ଷା-ସୁଦୃଶା ।
୧୮ଶ ପଦ :- ‘‘ତୁ ମୋର ବନ୍ଧୁ, ତୁ ମୋର ଧନ, ତୁ ମୋର ପ୍ରାଣ ଅଟୁ, ଏହା ସତ୍ୟ ଅଟେ । ତେଣୁ ବନ୍ଧୁ ଧନ ଦୂରକରି ତୋତେ ସଙ୍ଗତରେ ଆଣିଅଛି । ହେ ସୁଦୃଶା ! ତୁ ମୋର ପ୍ରାଣ, ତୁ ଛାଡ଼ି ଚାଲିଗଲେ ମୋର ଆଉ ବ୍ରହ୍ମାଣ୍ଡରେ କିପରି ରକ୍ଷା ଅଛି ? (ପ୍ରାଣହୀନ ଶରୀର ରହିବା ଅସମ୍ଭବ) ।’’
୧୯ଶ ପଦ :- ବରାରୋହା-ସୁନ୍ଦରୀ ।
୧୯ଶ ପଦ :- ‘‘ତୋ ହୃଦୟରେ ଦୟା ଓ କଠିନ ସ୍ତନଯୁଗଳ ଉଭୟେ ବାସ କରନ୍ତି । ତାଙ୍କ ମଧ୍ୟରେ ଜ୍ୟେଷ୍ଠ ଦୟା ସ୍ୱଭାବରେ ଜଗତରେ ପୂଜ୍ୟ ଅଟେ (କଠିନ ଗୁଣ ପୂଜ୍ୟ ନୁହେଁ) । ହେ ପରମାସୁନ୍ଦରୀ ! ମୋର କର୍ମ ବିପାକରୁ ତୁ କନିଷ୍ଠ କଠିନ ଗୁଣକୁ ଧାରଣ କରିଅଛୁ କି ? (ଏ ଜ୍ୟେଷ୍ଠ ହୋଇ ସୁଦ୍ଧା ପୂଜ୍ୟ ହେଲେନାହିଁ, ମାତ୍ର ଭରତ କନିଷ୍ଠ ହୋଇ ପୂଜ୍ୟ ହେଲେ । ଏହି କଥା ହେଜି ତୁ ଜ୍ୟେଷ୍ଠ ଗୁଣ ଦୟାକୁ ଛାଡ଼ି କଠିନ ଗୁଣକୁ କହିଲୁ କି ?)’’
୨୦ଶ ପଦ :- ବାଚାଳ-ବାତୁଳ ବା ବାବଦୁକ ।
୨୦ଶ ପଦ :- ରାମଚନ୍ଦ୍ର ଏହିପରି ବିନୟ, ପରିହାସ, ଛଳ ପୂର୍ଣ୍ଣ ବାକ୍ୟମାନ ପ୍ରକାଶ କରି ମଧ୍ୟ ସୀତାଙ୍କ ମନ ତୋଷି ପାରିଲେ ନାହିଁ । ବାତୁଳ ଲୋକକୁ ପଣ୍ଡିତ ଶାସ୍ତ୍ର ବୁଝାଇଲା ପ୍ରାୟଏ ବଚନ ସବୁ ବ୍ୟର୍ଥ ହେଲା ।
ବକ୍ତବ୍ୟ ଲକ୍ଷ୍ମଣେ କି ଜାନକୀ କ୍ଷୀଣକୁକ୍ଷୀ ।ବିଗ୍ର ହେଲା ରାକ୍ଷସୀ କପଟେ ଗଲା ଭକ୍ଷି ।ବାଧ ବୋଲି ସ୍ତିରୀହତ୍ୟା ।ବଧ ନ କଲାକୁ ଶୁଝାଇଲା ବଇରତା । ୨୧।ବିଧାତା ନିର୍ମାଣ କଲା କେ ଆନ କରିବ ।ବୋଲୁଁ ପିତା ହା ରାମ ରାମ ଗଲା ଜୀବ ।ବେଳ ପଡ଼ିଲା ଲକ୍ଷ୍ମଣ ।ବୋଲୁ ହା ରାମା ହା ରାମା ଯିବ ମୋ ପରାଣ । ୨୨।ବିରଚି କରୁଣ ତୋତେ କୃପାସିନ୍ଧୁ ମିତ ।ବୋଲଇ ଯେ ପ୍ରଥମୁଁପୀୟୁଷ କରି ଜାତ ।ବଶ କରି କଲୁ ଶିବ ।ବିଷ ଜନ୍ମାଇଲୁ ଆନ ଅର୍ଥେ ପାର ଯବ । ୨୩।ବୋଲନ୍ତି ଯେ ଚନ୍ଦ୍ର ଶଶୀ କର୍ପୂର ହାଟକ ।ବାର ଶଶୀ ମାତ୍ର କରେ ଜଗତ ଆଲୋକ ।ବିଧ୍ୱଂସଇ ତମ ଘୋର ।ବିବେକିରତନ ଧନ ମନେ ବେଳ କର । ୨୪।ବସନ୍ତ ଋତୁ ତ ଅନ୍ତ ହୋଇ ନାହିଁ ଗୋରି ।ବଚନ କୋକିଳ କିପାଁ ଛାଡ଼ିଲା ମାଧୁରୀ ।ବେଳୁ ବେଳୁ ସେ ଅଧିକ ।ବିଭ୍ରମ ଜନ୍ମୁ ପାଦବେ ବିନୟ ସର୍ଜକ । ୨୫।୨୧ଶ ପଦ :- କ୍ଷୀଣକୁକ୍ଷୀ-କ୍ଷୀଣୋଦରୀ । ବିଗ୍ର-ନାକକଟା ବ୍ୟକ୍ତି । ବଇରତା-ଶତ୍ରୁତା ।
୨୧ଶ ପଦ :- ତତ୍ପରେ ଲକ୍ଷ୍ମଣଙ୍କୁ କହିଲେ, ‘କୃଶୋଦରୀ ସୀତାକୁ ବିଗତ ନାସିକା ସୂର୍ପଣଖା ରାକ୍ଷସୀ କପଟରେ ଆସି ଖାଇଗଲା କି ? ସ୍ତ୍ରୀ ହତ୍ୟା ଦୋଷ ବାଧିବ ବୋଲି ବିଚାରି ତାକୁ ବଧ ନ କରିବାରୁ ସେ ଏହିପରି ଶତ୍ରୁତା ଶୁଝାଇଲା କି ?’’
୨୨ଶ ପଦ :- ‘‘ହେ ଲକ୍ଷ୍ମଣ ! ବିଧାତାର ବିଧାନ କଥା କିଏ ଅନ୍ୟଥା କରିବ ? ପିତା ଦଶରଥ ‘ହା ରାମ ହା ରାମ’ କହି ଜୀବନ ଛାଡ଼ିଲେ; ଏବେ ସେହି ସମୟେ ଆସି ପଡ଼ିଲା, ‘ହା ରାମା, ହା ରାମା, କହି ମୋର ଜୀବନ ଯିବ ।’’
୨୩ଶ ପଦ :- କରୁଣ-କ୍ରନ୍ଦନ । ପୀୟୂଷ-ଅମୃତ । ଶିବ-ମଙ୍ଗଳ, ମହାଦେବ ।
୨୩ଶ ପଦ :- ତତ୍ପରେ ରାମଚନ୍ଦ୍ର ରୋଦନ କରି କହିଲେ, ‘‘ହେ ବନ୍ଧୁ ! ତୋତେ ମୁଁ କୃପାସମୁଦ୍ର ବୋଲି କହେ । ସମୁଦ୍ର ପ୍ରଥମରେ ଅମୃତ ଜାତ କରି ପରେ ବିଷ ଜାତ କଲା; ସେହିପରି ତୁ ପ୍ରଥମେ ସୁଖରୂପ ଅମୃତ ଦେଇ ମୋତେ ବଶ କଲୁ । ବର୍ତ୍ତମାନ ଶେଷରେ ତୁ ବିଷ ଜନ୍ମାଇଲୁ । ସେ ବିଷ ଶିବ ଭିନ୍ନ ଅନ୍ୟ କାହାଠାରେ ପାର ହେବ କି ? (ମୋର ହୃଦୟରେ ବିଷ ଭରି ଦେଲୁ, ମୁଁ ତାହା ସହ୍ୟ କରି ନ ପାରି ନିଶ୍ଚୟ ନାଶ ଯିବି ) ।’’
୨୪ଶ ପଦ :- ଶଶୀ-ଚନ୍ଦ୍ର । ହାଟକ-ସୁବର୍ଣ୍ଣ । ତମ-ଅନ୍ଧକାର । ବିବେକିରତନ-ବିଚାରଚତୁରୀ ।
୨୪ଶ ପଦ :- ଶଶୀ, କର୍ପୂର, ହାଟକ (ସୁବର୍ଣ୍ଣ), ବାରି (ଜଳ) ଏ ସମସ୍ତ ଚନ୍ଦ୍ର ବୋଲାନ୍ତି, ମାତ୍ର କେବଳ ଶଶୀ ଘୋର ଅନ୍ଧକାରକୁ ନାଶ କରେ ଓ ସଂସାରକୁ ଆଲୋକିତ କରେ । ସେହିପରି ସୀତା ଅନେକ ଥିଲେ ମଧ୍ୟ ତୁ କେବଳ ଏକା ମୋର ଆନନ୍ଦଦାୟିନୀ । ଓ ଦୁଃଖବିନାଶିନୀ ଅଟୁ । (କର୍ପୂର, ସୁବର୍ଣ୍ଣ, ଜଳ, ଚନ୍ଦ୍ର ନାମ ବହନ କଲେ ମଧ୍ୟ ଯେପରି ଜଗତକୁ ଆଲୋକିତ କରିବାର ଗୁଣ ତାଙ୍କର ନାହିଁ, ସେହିପରି ଏକା ତୋ ବ୍ୟତୀତ ଅନ୍ୟ କୌଣସି ସୀତା ନାମ୍ନୀ ରମଣୀର ମୋତେ ତୋଷ କରିବାର କ୍ଷମତା ନାହିଁ) । ରେ ବିବେକିରତ୍ନ ! ରେ ଧନ ! ଏକଥାକୁ ଥରେ ମାତ୍ର ତୋ ମନରେ ବିଚାର କର ।’’
୨୫ଶ ପଦ :- ‘‘ରେ ଗୋରି ! ବସନ୍ତ ଋତୁ ତ ଶେଷ ହୋଇନାହିଁ । ତୋର ବଚନ କୋକିଳ କିମ୍ପା ମାଧୁର୍ଯ୍ୟ ଛାଡ଼ିଲା ? (ବସନ୍ତ ଋତୁ ଥାଉଁ ଥାଉଁ ତୋର ବଚନ ରୂପ କୋକିଳର ଶବ୍ଦ ନିରବ ହେଲା କାହିଁକି ?)’’ ଏହିପରି କହୁ କହୁ ରାମଙ୍କର ଅଧିକ ବିଭ୍ରମ ଜାତ ହୁଅନ୍ତେ, ସେ ବୃକ୍ଷମାନଙ୍କୁ ବିନୟ କରି କହିଲେ -
ବଲ୍ଲୀ ଆଲିଙ୍ଗନ ତ ତୁମ୍ଭର ନାହିଁ ଭଳି ।ବିଯୋଗୀ ହେଲି ବିଶେଷେ ଅନୁସରିଥିଲି ।ବାଳୀ କାହିଁ ଗଲା ଭାଷ ।ବିକଶିତେ ପୁଷ୍ପେ ତ ନିର୍ଦ୍ଦୟ ହୋଇ ହସ । ୨୬।ବୋଲାଉଛ କେ ରସାଳ କେ ପୁଣି ଅଶୋକ ।ବିଭୀତକ କେହି କରି ତୁମ୍ଭ ମଧ୍ୟେ ଓକ ।ବିନା ରସ ମୁଁ ହୋଇବି ।ବୁଡ଼ି ଶୋକରେ ଭୀତକ ହୋଇ ଦିନ ନେବି । ୨୭।ବୋଲାଅ ଯେ ଫଳବନ୍ତ ମୋ ପ୍ରତିଆଶାରେ ।ବିଫଳ ହୋଇଣ କିଏ ହୋଇବ ସଂସାରେ ।ବିହୃଦ ମୁଁ ନୋହେ ମିତ ।ବହ ବୋଲି ତୁମ୍ଭେ ଜଟା ମୁଁ ବହିଛି ସତ । ୨୮।ବିମୋହିତ ଏକ ପତ୍ର-ବାସ ସୁମନରେ ।ବଳ୍କଳ ପିଧାନ ପୁଣି ଶାଖା ରଞ୍ଜନରେ ।ବିଳସିତ କରେ ଖଗ ।ବାର୍ତ୍ତା କହି ମୋ ପ୍ରିୟାର ନାଶ ହେ ଉଦ୍ବେଗ । ୨୯।ବାତ ପଲ୍ଲବ ଚଳିଲେ ଯେଉଁ ମାର୍ଗେ ନଗେ ।ବିବେକ ଏ ଠାରନ୍ତି ଅଛି କି ଏହି ଦିଗେ ।ବାସ ନିକଟେ ଋଷିଙ୍କ ।ବିଶୁଦ୍ଧ ବାକ୍ୟକୁ ଶିଖିଛନ୍ତି ସାରୀ ଶୁକ । ୩୦।
୨୬ଶ ପଦ :- ‘‘ହେ ବୃକ୍ଷଗଣ ! ତୁମ୍ଭଙ୍କୁ ତ ଲତାମାନେ ଆଲିଙ୍ଗନ କରି ଅଛନ୍ତି- ତା ଅନ୍ୟଥା ହୋଇନାହିଁ । ମୁଁ ବିଶେଷରେ ତୁମ୍ଭଙ୍କୁ ଅନୁସରଣ କରି ଏଠାରେ ରହିଥିଲି । ବର୍ତ୍ତମାନ ମୁଁ ବିରହୀ ହେଲି । ମୋର ସୀତା କୁଆଡ଼େ ଗଲା କହ । ପୁଷ୍ପ ବିକାଶ ଛଳରେ ତ ନିର୍ଦ୍ଦୟ ଭାବରେ ହସୁଅଛ । (ମୁଁ ତମ୍ଭର ଆଶ୍ରି-ତଥାପି ମୋ ବିପଦ ବଳେ ହସୁଛ । ଏ କ’ଣ ଭଲ ବ୍ୟବହାର ?)’’
୨୭ଶ ପଦ :- ରସାଳ-ରସଯୁକ୍ତ, ଆମ୍ବଗଛ । ଅଶୋକ-ଶୋକହୀନ, ଅଶୋକ ବୃକ୍ଷ । ବିଭୀତକ-ନିର୍ଭୀକ, ବାହାଡ଼ା ଗଛ ।
୨୭ଶ ପଦ :- ‘‘ତୁମ୍ଭମାନଙ୍କୁ ମଧ୍ୟରେ କିଏ ‘ରସାଳ’ ରସବନ୍ତ (ଆମ୍ବ), କିଏ ପୁଣି ‘ଅଶୋକ’ ଶୋକବିହୀନ, କିଏ ‘ବିଭୀତକ’ ଭୟହୀନ (ବାହାଡ଼ା) ବୋଲାଉଛ । ତୁମ୍ଭମାନଙ୍କ ମଧ୍ୟରେ ମୁଁ ବାସକରି ନୀରସ ହେବି, ପୁଣି ଶୋକରେ ବୁଡ଼ି ଭୟାଳୁ ହୋଇ ଦିନ ନେବି । (ତୁମ୍ଭଙ୍କୁ ଆଶ୍ରୟ କରିବାରୁ କ’ଣ ଏହି ଫଳ ମିଳିଲା) ?’’
୨୮ଶ ପଦ :- ‘‘ତୁମ୍ଭେମାନେ ପୁଣି ‘ଫଳବନ୍ତ’ ଫଳଯୁକ୍ତ ବୋଲାଅ, ମୋ ପ୍ରତି ଆଶାରେ ବିଫଳ ହୋଇବ କି ? (ମୋ ଆଶାକୁ ବିଫଳ କରିବ କି ?) । ସଂସାର ମଧ୍ୟରେ ମୁଁ ତୁମ୍ଭର ଶତ୍ରୁ ନୁହେ, ମିତ୍ର ଅଟେ । ତୁମ୍ଭେ ‘ଜଟା’ ଚେର ଧାରଣ କରିଅଛ ବୋଲି ମୁଁ ମଧ୍ୟ ବହିଅଛି । ଏହା ମଧ୍ୟ ମିଥ୍ୟା ନୁହେଁ ।’’
୨୯ଶ ପଦ :- ବିମୋଦିତ-ସୁବାସିତ ବା ପରମାନନ୍ଦିତ । ପିଧାନ-ପିନ୍ଧିବା । ଶାଖା-ଡାଳ, ସହାୟ । କରେ-କରିବା, ହସ୍ତରେ । ଖଗ-ପକ୍ଷୀ, ଶର ।
୨୯ଶ ପଦ :- ‘‘ତୁମ୍ଭେ ପତ୍ର ଓ ‘ବାସ ସୁମନରେ’ ସୁବାସିତ କୁସୁମରେ ବିମୋହିତ ହୋଇଅଛ, ସେହିପରି ମୁଁ ମଧ୍ୟ ଉତ୍ତମ ମନରେ ପତ୍ର କୁଡ଼ିଆରେ ମୋହିତ ହୋଇଅଛି । ପୁଣି ତୁମ୍ଭେ ବକଳ ପିନ୍ଧିଛ (ତୁମ୍ଭ ଦେହରେ ବକଳ ଜଡ଼ି ତହୋଇ ରହିଛି) ଓ ଡାଳମାନଙ୍କରେ ରଞ୍ଜିତ ହୋଇଅଛି । ମୁଁ ସେହିପରି ବକଳ ପିନ୍ଧୁଅଛି ଓ ଲକ୍ଷ୍ମଣର ସହାୟରେ ରହିଅଛି । ତୁମ୍ଭଠାରେ ପକ୍ଷୀମାନେ ବିଳାସ କରନ୍ତି, ମୋ ହସ୍ତରେ ବାଣମାନେ ଶୋଭିତ ହୁଅନ୍ତି । (ସବୁ ପ୍ରକାରରେ ମୁଁ ତୁମ୍ଭର ମିତ୍ର ଅଟେ) । ଅତଏବ ମୋ ପ୍ରିୟାର ଖବର କହି ମୋର ଉଦ୍ବେଗ ଦୂର କର ।’’
୩୦ଶ ପଦ :- ପଲ୍ଲବ-ପତ୍ର । ନଗେ-ବୃକ୍ଷମାନେ ।
୩୦ଶ ପଦ :- ପବନଦ୍ୱାରା ବୃକ୍ଷମାନଙ୍କର ପତ୍ର ଯେଉଁ ଦିଗକୁ ଚାଳିତ ହେଲା, ରାମ ସେ ଦିଗକୁ ଚାହିଁ ବିଚାର କଲେ, ‘ତୁମ୍ଭର ପ୍ରିୟା ଏହି ଦିଗରେ ଅଛି’- ବୃକ୍ଷମାନେ ମୋତେ ଠାରି ଏହା କହୁଅଛନ୍ତି କି ? ଏହା ଭାବି ସେ ସେହି ଦିଗକୁ ଯିବାରୁ ଋଷିଙ୍କ ମଠ ନିକଟରେ ଥିବା ଶାରୀ ଶୁକ ବିଶୁଦ୍ଧଭାବରେ କଥାବାର୍ତ୍ତା କରୁଥିବାର ଶୁଣିଲେ ।
ବୋଲନ୍ତେ ରାମ ରାଘବ ଦାଶରଥି ତହିଁ ।ବିବେଚନା ନାମ ଧରି ଡାକେ କି ବୈଦେହୀ ।ବେଗି ହୋଇ ଦେଖି ମାର୍ଗ ।ବୈଷ୍ଣବ ସରସୀ ପ୍ରାୟ ଚକ୍ରଚିହ୍ନେ ଯୋଗ । ୩୧।ବଦନ୍ତି ଭ୍ରାତେ ସୁଦନ୍ତି ସୁଦନ୍ତୀଗମନୀ ।ବଳେ ବସାଇ ସ୍ୟନ୍ଦନେ କେ ଗଲା କି ଘେନି ।ବାରି-ରାଶି ମଧ୍ୟେ ମୋର ।ବହିତ୍ର କଟାଇ ଧନ ହରିନେଲା ଜୂର । ୩୨।ବାଣିଜ୍ୟ ବିହୀନେ କେହି ଜୀବନ ପୋଷିବି ?ବର୍ଷ୍ମଶିଳେ କାହା ତନୁ ସୁବର୍ଣ୍ଣ କଷିବି?ବାରବାନରୁ ସେ ପାଇଁ ।ବୃଦ୍ଧି ରତି ଲାଭ ମନ ଅନୁରୂପେ ପାଇ । ୩୩।ବିହ୍ୱଳିଲା ମାନସ ଝିଲ୍ଲିକା ସ୍ୱନ ଶୁଣି ।ବାଜୁଛି ତ ନୁପୁର ସଂଦ୍ରାବ ଯୋଷାମଣି ।ବେଗି ପୁଣି ଏତେ ଭଣି ।ବିଭଞ୍ଜନ ରଥକୁ ଦେଖିଲେ ଚାପପାଣି । ୩୪।ବିଲୋଳ ଚିତ୍ତ ମୋ ଶୁଭ କର୍ମେ ଏ ଭଗନ ।ବାମାଚୋର ଧରି ତାକୁ କରେ କି ଗମନ ।ବଦେ ଭ୍ରମର କିଙ୍କିଣୀ ।ବିରଚିବାରୁ କି ରଣ ରଣ ପୁଣି ପୁଣି । ୩୫।ବାଣୀ ଶୁଣାଇବା ଭଳି ରହ ରହ ଡାକି ।ବନ୍ଧୁ ରସସିନ୍ଧୁରସାଭୂଷା ବୋଲି ଟେକି ।ବକ୍ରତୁଲେ ବିଧୁ ତୁଳୁଁ ।ବିଦ୍ୟମାନେ କବି ହୁଦପାତ୍ରେ ଲଘୁ କଲୁ । ୩୬।ବ୍ରହ୍ମା ଯହୁଁ ଜାତ ତାକୁ ଦଳିଛୁ ପାଦରେ ।ବନ୍ଧାଉ ଶାଟୀ ଧଟୀରେ ସିଂହକୁ ମଧ୍ୟରେ ।ବିପକ୍ଷର ଜୀବନକୁ ।ବଳାଇଛୁ ମୋର କରେ ଦେବାର ମନକୁ । ୩୭।ବୋଲି ବୋଲି ଯାଉଁ ଏହା ଜଟାୟୁ ପିଚ୍ଛନ୍ତି ।ବିଜ୍ଞାନ ହତ ଅନ୍ତରେ କହିଲା ଏମନ୍ତ ।ବିଭୋ କୋଦଣ୍ଡଧାରଣା !ବୈଦେହୀ ଘେନି ଗଲାଟି ଲଙ୍କାକୁ ରାବଣ । ୩୮।ବିବାଦେ ମୁଁ ଭାଙ୍ଗିଲି ଶତାଙ୍ଗ ମୋତେ ହାଣି ।ବସାଇ ପୁଷ୍ପକେ ଘେନି ଗଲା ରାମାମଣି ।ବସା ମଧ୍ୟରୁ କପୋତୀ ।ବନ୍ଦୀ କରି ଜାଲେ ଯଥା ଲୁବ୍ଧକେ ନିଅନ୍ତି । ୩୯।ବିଜେ କର ଦକ୍ଷିଣେ ଦକ୍ଷିଣ ତୁମ୍ଭେ ଗୁଣେ ।ବିଂଶକର ପ୍ରାଣ କ୍ଷୀଣ କର ତୀକ୍ଷ୍ଣବାଣେ ।ବୋଲେ ବିସର୍ଜିଲା ଜୀବ ।ବିହାୟସେ ରହି ଦିବ୍ୟରୂପେ କଲା ସ୍ତବ । ୪୦।
୩୧ଶ ପଦ :- ସେହି ଶୁକ ଶାରୀ ‘ରାମ ରାଘବ ଦାଶରଥି’ ବୋଲି କହନ୍ତେ ରାମ ବିଚାରିଲେ, ‘‘ବୈଦେହୀ ମୋର ନାମ ଧରି ଡାକେ କି ?’’ ଏହା ଭାବି ଖରତରରେ ଯାନ୍ତେ ଦେଖିଲେ, ବାଟ ବୈଷ୍ଣବ ଓ ପୁଷ୍କରିଣୀ ପରି ଚକ୍ରଚିହ୍ନ ଯୁକ୍ତ ହୋଇଅଛି । (ବୈଷ୍ଣବମାନେ ଯେପରି ଚକ୍ର ଛାପାରେ ଯୁକ୍ତ ହୋଇଥାନ୍ତି, ପୁଷ୍କରିଣୀ ଯେପରି ଚକ୍ରବାକ ପକ୍ଷୀ ଦ୍ୱାରା ଯୁକ୍ତ ହୋଇଥାଏ, ସେହିପରି ପଥ ରଥର ଚକ ଚିହ୍ନରେ ଯୁକ୍ତ ହୋଇଅଛି) ।
୩୨ଶ ପଦ :- ସୁଦନ୍ତି-ସୁଦଶନା । ସୁଦନ୍ତୀଗମନୀ-ଗଜଗମନା । ସ୍ୟନ୍ଦନ-ରଥ । ବହିତ୍ର-ବୋଇତ ବା ଜାହାଜ । ଜୂର-ଲୁଟି ।
୩୨ଶ ପଦ :- ରଥ ଚକ ପଡ଼ିଥିବାର ଦେଖି ରାମ ଲକ୍ଷ୍ମଣଙ୍କୁ କହିଲେ, ‘‘ଗଜରାଜ ଗମନା ସୁଦର୍ଶନା ସୀତାକୁ ବଳାତ୍କାରରେ ରଥରେ ବସାଇ କିଏ ଘେନି ଗଲା କି ? ଏହା ଯେ କଲା, ସେ ମୋର ଭାବସମୁଦ୍ର ମଧ୍ୟରେ ପ୍ରତି ବାଣିଜ୍ୟର ବୋଇତକୁ ଫଟାଇ ସୀତାରୂପ ଧନକୁ ଲୁଟି କରି ନେଇଗଲା ।’’
୩୩ଶ ପଦ :- ବର୍ଷ୍ମ-ଶିଳ-ଦେହରୂପ କଷଟି ପଥର । ବାରବାନ-ବାରବାନୀ ସ୍ୱର୍ଣ୍ଣ ଅର୍ଥାତ୍ ଖାଣ୍ଟି ସୁନା । ପାଇଁ-ଲାଭ ।
୩୩ଶ ପଦ :- ‘‘ଏବେ ବାଣିଜ୍ୟ ବିହୁନରେ ମୁଁ କିପରି ଜୀବନ ପୋଷିବି ? (ଧନ ଥିବାରୁ ସିନା ପ୍ରେମ ବାଣିଜ୍ୟ କରି ଜୀବନ ପୋଷୁଥିଲି, ଏବେ ତ ସୀତାରୂପ ଧନ ଗଲା, ମୁଁ କିପରି ଚଳିବି) କାହା ଦେହ ସୁନାକୁ ମୋ ଦେହରୂପ କଷଟି ପଥରରେ କଷିବି ? (ମୁଁ ଆଉ କାହାକୁ ଆଲିଙ୍ଗନ କରିବି ?) ବିଶୁଦ୍ଧ ସୁନାଠାରୁ ମୋ ପ୍ରିୟା ତନୁରୂପ ସୁନା ଅଧିକ ଅଟେ । ମନ ଅନୁରୂପେ ବାଣିଜ୍ୟରେ ସୁନା ରତିଏ ମାତ୍ରାରେ ବୃଦ୍ଧି ହେଲେ, ଯେପରି ବଣିକର ଆନନ୍ଦ ଜାତ ହୁଏ, ସେହିପରି ମୁଁ ସୁରତି ଲାଭକରି ସୁଖୀ ହେଉଥିଲି ।’’
୩୪ଶ ପଦ :- ଝିଲ୍ଲିକା-ଝିଙ୍କାରୀ । ସଂଦ୍ରାବ-ପଳାଇଯିବା ।
୩୪ଶ ପଦ :- ଏହି ସମୟରେ ରାମଚନ୍ଦ୍ରଙ୍କ ମନ ଝିଙ୍କାରି ନାଦ ଶୁଣି ବିହ୍ୱଳିତ ହେଲା । ସେ ଭାବିଲେ, ନେଉଥିବା ଲୋକ ପାଶରୁ ସୀତା ପଳାଇ ଯାଉଛି କି ? ତେଣୁ ନୂପୁର ଶବ୍ଦ ଶୁଣାଯାଉଛି, (ଝିଙ୍କାରି ଶବ୍ଦ ଶୁଣି ନୂପୁର ଶବ୍ଦ ବୋଲି ମନେ କଲେ) । ଏହା ଭାବି ରାମ ଶୀଘ୍ର ଆଗକୁ ଓ ଭଙ୍ଗା ହୋଇ ପଡ଼ିଥିବା ରଥକୁ ଦେଖିଲେ ।
୩୫ଶ ପଦ :- ଭଙ୍ଗା ରଥ ଦେଖି ରାମଚନ୍ଦ୍ର ପୁଣି ଅସ୍ଥିର ମନରେ ଭାବିଲେ, ‘ମୋହର ଶୁଭକର୍ମଯୋଗୁ ଏ ରଥ ଭଗ୍ନ ହେଲା । ନାରୀ ଚୋର ମୋ ପ୍ରିୟାକୁ ଧରି ଚାଲି ଚାଲି ଯାଉଅଛି କି ?’ ସେହି ସମୟରେ ଭ୍ରମର ଗୁଞ୍ଜନ ଶବ୍ଦ ଶୁଣି ସେ ମନେକଲେ, ‘ମୋ ପ୍ରିୟା ନାରୀଚୋର ସହିତ ଯୁଦ୍ଧ କରିବାରୁ ତାରକଟି କିଙ୍କିଣୀ ଏପରି ଶବ୍ଦ କରୁଅଛି କି ?’
୩୬ଶ ପଦ :- ସୀତାଙ୍କୁ ଶୁଣାଇବା ଭଳି ଉଚ୍ଚରେ ଡାକି କହିଲେ, ‘‘ହେ ବନ୍ଧୁ ! ହେ ରସସିନ୍ଧୁ ! ହେ ପୃଥିବୀ ଶୋଭିନି ! ରହ, ରହ । କବିମାନେ ଚନ୍ଦ୍ରକୁ ତୋ ମୁଖ ସଙ୍ଗେ ହୃଦୟ ନିକିତିରେ ଓଜନ କରନ୍ତେ, (ତୋର ମୁଖ ଚନ୍ଦ୍ରକୁ ଲଘୁ କରିଦେଲା, ତେଣୁ ସେ ଉପରକୁ ଉଠିଗଲା (ତୋର ମୁଖଶୋଭା ଚନ୍ଦ୍ରର ଗର୍ବକୁ ଦଳୁଅଛି) । ’
୩୭ଶ ପଦ :- ‘‘ଯେଉଁ ପଦ୍ମରୁ ବ୍ରହ୍ମା ଜାତ ହେଲେ, ସେହି ପଦ୍ମକୁ ତୁ ପାଦରେ ଦଳିଅଛୁ । (ପଦ୍ମ ଶୋଭାଠାରୁ ତୋ ପାଦର ଶୋଭା ବେଶି) । ତୁ କଟୀରେ ପିନ୍ଧିଥିବା ଶାଢ଼ିର ଧଡ଼ିରେ ସିଂହକୁ ବନ୍ଧାଇଥାଉ (ତୋ କଟୀ ସିଂହକଟୀ ଅପେକ୍ଷା ସରୁ) । ତୁ ସିଂହକୁ ବନ୍ଧାଇ ଥିବାରୁ ମହାବୀର ଅଟୁ,- ତେଣୁ ଶତ୍ରୁକୁ ନିଜେ ସଂହାର ନ କରି ତାହାର ପ୍ରାଣକୁ ମୋ ହାତରେ ଦେବାକୁ ମନ ବଳାଇଛୁ । (ତୁ ନିଜେ ସଂହାର କରିବାକୁ ଇଚ୍ଛା କରିଥିଲେ ବହୁତ ବେଳୁ ସିଂହାର କରି ସାରନ୍ତୁଣି, ମାତ୍ର ମୋ ହାତରେ ମରାଇବାକୁ ମନ କରିଥିବାରୁ ଏ ପର୍ଯ୍ୟନ୍ତ ରଖିଅଛୁ) । ’
୩୮ଶ ପଦ :- ପିଚ୍ଛନ୍ତି-ପକ୍ଷୀ ।
୩୮ଶ ପଦ :- ରାମ ଏହା କହି କହି ଯାଆନ୍ତେ, ଜଟାୟୁ ପକ୍ଷୀ ସେ ଶବ୍ଦ ଶୁଣି ଚେତନା ପାଇ ଉଠିଲା ଏବଂ ଉଚ୍ଚ ସ୍ୱରରେ ଦେଇ କହିଲା, ‘‘ହେ ବିଭୋ ! ହେ କୋଦଣ୍ଡ ଧାରଣ ! ରାବଣ ସୀତାଙ୍କୁ ନେଇ ଲଙ୍କାକୁ ଚାଲିଗଲା ।’’
୩୯ଶ ପଦ :- ‘‘ସେ ସୀତାଙ୍କୁ ନେବାର ଦେଖି ମୁଁ ତା ସହିତ ଯୁଦ୍ଧ କରି ତା ରଥ ଭାଙ୍ଗିଦେଲି । ସେ ରାବଣ ମୋ ଡେଣା ହାଣି ରତ୍ନ କଙ୍କଣରେ ମଣି ବସାଇଲା ପ୍ରାୟ ପୁଷ୍ପକ ବିମାନରେ ସୀତାଙ୍କୁ ବସାଇ ଘେନିଗଲା । ଯେପରି ବ୍ୟାଧମାନେ ବସା ମଧ୍ୟରୁ କପୋତୀ ପକ୍ଷୀକି ଜାଲରେ ବନ୍ଦୀ କରି ନିଅନ୍ତି, ସହିପରି ରାବଣ ପତ୍ର କୁଡ଼ିଆରୁ ସୀତାଙ୍କୁ ରଥରେ ବନ୍ଦିକରି ନେଇଗଲା ।’’
୪୦ଶ ପଦ :- ଦକ୍ଷିଣ-ପ୍ରବୀଣ । ବିହାୟସେ-ଆକାଶରେ । ଦିବ୍ୟରୂପେ-ଦେବତା ରୂପରେ ।
୪୦ଶ ପଦ :- ‘‘ଆପଣ ତ କ୍ଷତ୍ରୀୟ ଗୁଣରେ ପ୍ରବୀଣ ଅଟନ୍ତି । ଏବେ ଦକ୍ଷିଣ ଦିଗକୁ ବିଜେ କରି [ଲଙ୍କାକୁ ଯାଇ] ତୀକ୍ଷ୍ଣ ବାଣରେ ରାବଣର ପ୍ରାଣକୁ ବିନାଶ କରନ୍ତୁ ।’’ ଏହା କହି ଜଟାୟୁ ପ୍ରାଣ ଛାଡ଼ିଲା । ଦିବ୍ୟରୂପ ଧରି ଆକାଶରେ ରହି ସ୍ତୁତି କଲା ।
ବିମଳ ହୋଇ ଲଭିଲା ସେ ପରମଗତି ।ବହ୍ନି ଯୋଗ କଲେ ଶବ ସ୍ୱୟଂ ରଘୁପତି ।ବାସବରେ ବନ୍ଦ୍ୟ ଯେହି ।ବିପ୍ର ପୋଷ୍ୟପୁତ୍ର ପ୍ରାୟ ପ୍ରେତକ୍ରିୟାବିହି । ୪୧।ବହିଲା ପ୍ରାୟେ କଳିନ୍ଦପର୍ବତୁଁ କାଳିନ୍ଦୀ ।ବକ୍ଷସ୍ଥଳେ ପଡ଼େ ଅଶ୍ରୁ ଗଲେ କାନ୍ଦି କାନ୍ଦି ।ବୟାଳିଶ ପଦେ ଛାନ୍ଦ ।ବିରଚନ ବୀରବର ଚିନ୍ତି ରାମଚନ୍ଦ୍ର । ୪୨।
୪୧ଶ ପଦ :- ସେ ଜଟାୟୁ ଏହି ପୂଣ୍ୟକାର୍ଯ୍ୟ କରି ପରମ ଗତି ଲଭିଲା । ନିଜେ ରଘୁପତି ସେ ମୃତ ପିଣ୍ଡକୁ ଅଗ୍ନି ସଂଯୋଗ କଲେ । ଯେଉଁ ରାମଚନ୍ଦ୍ର ଇନ୍ଦ୍ରର ପୂଜ୍ୟ ଅଟନ୍ତି, ସେ ପାଳିତ ବ୍ରାହ୍ମଣପୁତ୍ର ପରି ପ୍ରେତକର୍ମ କଲେ । [ରାଜାମାନେ ମୃତ୍ୟୁପରେ ପ୍ରେତକ୍ରିୟା କରିବା ପାଇଁ ବ୍ରାହ୍ମଣ ପୁତ୍ରମାନଙ୍କୁ ଆଣି ପୋଷି ରଖିଥାନ୍ତି] ।
୪୨ଶ ପଦ :- କାଳିନ୍ଦୀ-ଯମୁନା ନଦୀ ।
୪୨ଶ ପଦ :- କଳିନ୍ଦ ପର୍ବତରୁ ଯମୁନା ନଦୀ ବହିଲାପରି ରାମଙ୍କ ଛାତିରେ ଲୁହ ବହି ପଡ଼େ । ସେ ଏହିପରି କାନ୍ଦି କାନ୍ଦି ସେଠାରୁ ଗଲେ । ଏ ଛାନ୍ଦକୁ ବୀରବର ଉପେନ୍ଦ୍ର ବୀରବର ରାମଚନ୍ଦ୍ରଙ୍କ ଚିନ୍ତା କରି ବୟାଳିଶ ପଦରେ ରଚନା କଲେ ।
ଷଡ଼୍ବିଂଶ ଛାନ୍ଦରାଗ ମଙ୍ଗଳବିରାଡ଼ି(ମୁନିବର ବାଣୀ)ବନେ ଘନେ ରଘୁମଣି ।ବିପଥ ପଥ ନ ମଣି ।ବନପୂର୍ଣ୍ଣ ଅନୁକ୍ଷଣ ।ବେନି ଈକ୍ଷଣ ଯେ । ୧ ।ବିଚ୍ଛନ୍ନ ମନ ଉଚିତ ।ବଚନ ଉଚ୍ଚେ ।ବିଚ୍ଛେଦ ହେଲୁ ଈଷିତେ ।ବୈଦେହୀ ସୀତେ ଯେ । ୨ ।ବଦନ ତମାଳ ତମ ।ବାଳେ ନୋହେ ତାରତମ ।ବିଚ୍ଛେଦାଇ ହେଲେ ତମ ।ବିଶ୍ୱ ଉତ୍ତମ ଏ । ୩ ।ବାୟୁବାହନ ଚମରୀ ।ବନ୍ଧେ ଗର୍ଭକ ସୁମରି ।ବିଦୂର ସେହି ସକାଶେ ।ବିହି ପ୍ରକାଶେ କି । ୪ ।ବସିବେ ଉଚ୍ଚ ସମାନେ ।ବେଭାରେ କିଞ୍ଚିତ ମାନେ ।ବିଧି ସିଦ୍ଧିକି ରଖିଛି ।ବୁଦ୍ଧି ଶିଖୁଛି ଯେ । ୫ ।୧ମ ପଦ :- ଘନ-ନିବିଡ଼ । ବିପଥ-ଅବାଟ । ବନ-ଜଳ ଅର୍ଥାତ୍ ଲୋତକ ଜଳ । ଈକ୍ଷଣ-ଚକ୍ଷୁ ।
୧ମ ପଦ :- ରାମଚନ୍ଦ୍ରଙ୍କର ଦୁଇ ଆଖି ସର୍ବଦା ଲୋତକ ପୂର୍ଣ୍ଣ ହୋଇଥିବାରୁ, ସେ ନିବିଡ଼ କାନନରେ ବାଟ ଅବାଟ ଜ୍ଞାନ ନ କରି ଚାଲୁଥାନ୍ତି ।
୨ୟ ପଦ :- ସୀତାଙ୍କ ବିଚ୍ଛେଦ ହେତୁ, ତାଙ୍କ ମନ ବିଶେଷ ଭାବରେ ଛନ୍ନ ହୋଇଅଛି । ତେଣୁ ସେ ଉଚ୍ଚ ସ୍ୱରରେ କହିଲେ, ‘‘ଗୋ ବୈଦେହୀ ! ଗୋ ସୀତେ ! ତୁ ଲେଶମାତ୍ର ଦୁଃଖିତ ନ ହୋଇ ମୋ ନିକଟରୁ ଅନ୍ତର ହୋଇଗଲୁ ।’’
୩ୟ ପଦ :- ବନଦ-ମେଘ । ତମ-ଅନ୍ଧକାର । ତାରତମ-ପ୍ରଭେଦ । ତମ-ରାହୁ ।
୩ୟ ପଦ :- ‘‘ମେଘ, ତମାଳ ବୃକ୍ଷ, ଅନ୍ଧକାର, ଏମାନେ ତୋ କେଶ ସହିତ ଦେବୀପ୍ୟମାନ ନୁହନ୍ତି । ରାହୁ କେଶ ସହିତ ସମାନ ବୋଲି ମନେକଲା; ମାତ୍ର ସମାନ ନ ହେବାରୁ ଭଗବାନଙ୍କଦ୍ୱାରା ସୁଦର୍ଶନ ଚକ୍ରରେ ବିଖଣ୍ଡିତ ହେଲା ।’’
୪ର୍ଥ ପଦ :- କବରୀ-ଜୁଡ଼ା । ଗର୍ଭକ-କେଶ ମଧ୍ୟସ୍ଥ । ବାୟୁବାହାନ ଚମରୀ-ମୃଗର ପୃଚ୍ଛ ।
୪ର୍ଥ ପଦ :- ‘‘ଏପରି ଯେ ସର୍ବୋତ୍କୃଷ୍ଟ କେଶ- ତାକୁ ‘ବାୟୁବାହାନ’ ଚମରୀ ମୃଗର ପୁଚ୍ଛରେ ବାନ୍ଧି ମଧ୍ୟଭାଗରେ ରଖିବାକୁ ମନ କରିବାରୁ ସେଥିପାଇଁ ବିଧାତା ଏ ବିଚ୍ଛେଦ ଘଟାଇଲା କି ?
୫ମ ପଦ :- ‘‘ନୀଚଲୋକମାନେ ମର୍ଯ୍ୟାଦାରେ ବଡ଼ଲୋକଙ୍କ ସମାନରେ କାଳେ ସ୍ଥାନ ପାଇବେ, ବିଧାତା ଏହି ସିଦ୍ଧାନ୍ତ କରି ଏପରି ବୁଦ୍ଧି କଲା କି ? (ଚମରୀ ମୃଗର ପୁଚ୍ଛ ରୂପ ନୀଚ ଲୋକ କେଶ ରୂପ ବଡ଼ ଲୋକଙ୍କ ସଙ୍ଗରେ ଏକାଠି ସ୍ଥାନ ପାଇ ନ ପାରିବ- ସେଥିପାଇଁ ବିଧାତା ଏ ବିରହ କରାଇ ଦେଲା କି) ?’’
ବିହରାଇଲା ଚନ୍ଦନେ ।ବ୍ୟାଳ ପାଇଲା ନିନ୍ଦନେ ।ବସାଇ ଚନ୍ଦ୍ରରେ ଶଶା ।ବିନା ପ୍ରଶଂସା ଏ । ୬ ।ବିଭୋଗ କାଳ ବିଚାରି ।ବନ୍ଧୁ କଲି ବନଚାରୀ ।ବାଞ୍ଛିଲା ଅକର୍ମବନ୍ତ ।ବିଫଳବନ୍ତ ଏ । ୭ ।ବିପିନେ କରି ବିଳାସ ।ବଢ଼ାଇଥିଲି ଉଲ୍ଲାସ ।ବିଧ୍ୱଂସ ଯଥା ସ୍ୱପନ ।ବୃଦ୍ଧି କମ୍ପନ ଯେ । ୮ ।ବୋଲାଉ ଅତି ଗୁଣିକ ।ବନିତାରତ୍ନେ ମାଣିକ୍ୟ ।ବେଳୁଁ ବେଳ ରାଗନିଧି ।ବସୁଁ ସନ୍ନିଧି ଯେ । ୯ ।ବାହୁରେ କରି ବନ୍ଧନ ।ବୋଲୁଥାଉ ଏକା ଧନ ।ବାଧି ନ ପରେ ଦୀନତା ।ବଡ଼ ଉନ୍ନତା ମୁଁ । ୧୦ ।୬ଷ୍ଠ ପଦ :- ବ୍ୟାଳ-ସର୍ପ ।
୬ଷ୍ଠ ପଦ :- ‘‘ବିଧାତା ଚନ୍ଦନ ବୃକ୍ଷରେ ସର୍ପଙ୍କୁ ବିଳସାଇ ନିନ୍ଦା ପାଇଅଛି, ଚନ୍ଦ୍ର କୋଳରେ ଶଶାକୁ ଅପ୍ରଶଂସ୍ୟ ହୋଇଅଛି । (ସେଥିପାଇଁ ଅଧିକ ନିନ୍ଦା ପାଇବା ଭୟରେ ତୋ କେଶ ସହିତ ଚାମରୀ ପୁଚ୍ଛକୁ ସ୍ଥାନ ନ ଦେବା ପାଇଁ ଏହା ହେଲା କି ) ?’’
୭ମ ପଦ :- ‘‘ଯୌବନ କାଳ ଭୋଗ କରିବାର ସମୟ,- ଏହା ବିଚାର କରି ପ୍ରିୟାକୁ ସଙ୍ଗତରେ ବନକୁ ଆଣିଲି । କିନ୍ତୁ ଅକର୍ମା ଲୋକ ଯାହା ବାଞ୍ଛାକରେ, ତାହା ନିଷ୍ଫଳା ହୁଏ (ସେହିପରି ମୋର ଏ ବିଚାର ନିଷ୍ଫଳ ହେଲା) ।’’
୮ମ ପଦ :- ‘‘ବନରେ ପ୍ରିୟା ସହିତ ବିହାର କରି ଆନନ୍ଦ ବର୍ଦ୍ଧନ କରୁଥିଲି,- ତାହା ଏବେ ସ୍ୱପ୍ନ ପ୍ରାୟ ନାଶ ହୋଇଗଲା (ନିଦ୍ରା ଭଙ୍ଗରେ ସ୍ୱପ୍ନ କଥା ନାଶ ଗଲା ପ୍ରାୟେ ମୋର ଏ ଆନନ୍ଦ ନାଶ ଗଲା) ।’’ ଏହା କହିବା ସାଙ୍ଗେ ସାଙ୍ଗେ ତାଙ୍କର ଦେହ ବିରହବାଧାରେ ବେଶି କମ୍ପିବାକୁ ଲାଗିଲା ।
୯ମ ପଦ :- ‘‘ହେ ପ୍ରିୟେ ! ତୁ ଅତି ଗୁଣବତୀ ବୋଲାଉ, ପୁଣି ବନିତାରତ୍ନଙ୍କ ମଧ୍ୟରେ ମାଣିକ୍ୟ ପ୍ରାୟ ଅଟୁ । ତୁ ବେଳକୁ ବେଳ ବେଶି ସ୍ନେହ ପ୍ରକାଶ କରି ଆସି ମୋ ପାଖରେ ବସୁଥିଲୁ ।’’
୧୦ମ ପଦ :- ‘‘ମୁଁ ତୋତେ ବାହୁଦ୍ୱାରା ଆଲିଙ୍ଗନ କରି କହେ ‘‘ହେ ଧନ ! ତୋ ଯୋଗୁଁ ମୋର କିଛି ଦୁଃଖ ନାହିଁ, ମୁଁ ବଡ଼ ମହତ୍ ହୋଇଛି ।’’ (ମାଣିକ୍ୟ ବାହୁରେ ବାନ୍ଧିଲେ କୋଳକୁ ଦୁଃଖ ବାଧେ ନାହିଁ- ସେ ଉଦ୍ଧତ ହୋଇଥାଏ) ।’’
ବଣା ହେଲି ତେଜୁଁ ଦଣ୍ଡେ ।ବିଭର୍ତ୍ତି ହେଲି କି ଦଣ୍ଡେ ।ବାହୁଡ଼ି ଆଉ ପାଇବି ।ବୋଧି ହୋଇବି କି । ୧୧ ।ବିଦାରି ହେଉଛି ଉର ।ବସିଥିଲା କେ ଚଉର ।ବିଦୂର ମୋର ହେବାକୁ ।ବେଗେ ନେବାକୁ ସେ । ୧୨ ।ବିଚିତ୍ର ଥିଲା ସେ ବନ ।ବିମ୍ବ ଚନ୍ଦ୍ରର ଚୁମ୍ବନ ।ବାଳାରୁଣୁ ପାନ ସୁଧା ।ବଡ଼ ବିଶୁଦ୍ଧା ଯେ । ୧୩ ।ବିଚିତ୍ର ଏବେ ଭାବନ ।ବଞ୍ଚଇ ଦୂର ଜୀବନ ।ବିନା ପିତୁଳା ନୟନ ।ବ୍ୟକ୍ତ ଅୟନ ଏ । ୧୪ ।ବପୁ ନ ମରୁଁ ପୋଡ଼ଇ ।ବେଳ ପ୍ରଭାତୁଁ ବୁଡ଼ଇ ।ବିଶେଷେ ଅନ୍ଧାର ଦିଶେ ।ବ୍ୟୋମାଦି ଦିଶେ ଯେ । ୧୫ ।
୧୧ଶ ପଦ :- ‘‘ମୁଁ ମୃଗ ଲୋଭରେ ବଣା ହୋଇ ଦଣ୍ଡେମାତ୍ର ସମୟ ଛାଡ଼ି ଯାଇ ମୋ ଧନ ହରାଇ ଏବେ ଏପରି ଦଣ୍ଡ ଭୋଗ କରୁଅଛି । ଆଉ କ’ଣ ସତେ ମୋର ଧନକୁ ଫେରି ପାଇ ମୁଁ ସ୍ଥିର ଚିତ୍ତ ହେବି ?’’
୧୨ଶ ପଦ :- ‘‘ମୋ ଛାତି ବିଦାରି ହେଉଛି । ଚୋର କ’ଣ ଜଗି ବସିଥିଲା ? ମୁଁ ଅନ୍ତର ହେବା ମାତ୍ରକେ, ତତ୍କ୍ଷଣାତ୍ ମୋ ଧନକୁ ଚୋରାଇ ନେଇଗଲା ?’’
୧୩ଶ ପଦ :- ‘‘ସେ ଦଣ୍ଡକାରଣ୍ୟ ଆଶ୍ଚର୍ଯ୍ୟ ଜନକ ଥିଲା । କାରଣ ସେ ବନରେ ମୁଁ ଏକାବେଳକେ ତୋର ମୁଖରୂପ ଚନ୍ଦ୍ରମଣ୍ଡଳରୁ ଏବଂ ଅଧରରୂପ ବାଳସୂର୍ଯ୍ୟ ମଣ୍ଡଳରୁ ଅତି ବିଶୁଦ୍ଧ ଅମୃତ ପାନ କରୁଥିଲି ।’’
୧୪ଶ ପଦ :- ‘‘ଏବେ ମଧ୍ୟ ମୁଁ ଭାବୁଛି, ବିଚିତ୍ର ରକମର ଘଟନା ହେଉଅଛି । କାରଣ ମୋ ପ୍ରାଣ ଅନ୍ତର ହେଲା, ଅଥଚ ମୁଁ ବିଞ୍ଚି ରହିଅଛି । ମୋର ଚକ୍ଷୁ ପିତୁଳାଶୂନ୍ୟ ହେଲା, ତଥାପି ବାଟ ମୋତେ ଦେଖା ଯାଉଅଛି ।’’ (ତୁ ମୋର ପ୍ରାଣ ଓ ନେତ୍ରର ପିତୁଳା) ।
୧୫ଶ ପଦ :- ‘‘ପୁଣି ଆଶ୍ଚର୍ଯ୍ୟ କଥା ଯେ, ମରଣ ନ ହେଉଣୁ ଏ ଦେହ ପୋଡ଼ିଯାଏ । ସନ୍ଧ୍ୟା ହେଲେ ସିନା ବେଳ ବୁଡ଼େ, ମାତ୍ର ମୋର ସକାଳେ ବେଳ ବୁଡ଼ି ଯାଉଅଛି । ଆକାଶ ଏବଂ ଦିଗମାନେ ବିଶେଷରେ ଅନ୍ଧକାର ଦେଖା ଯାଉଅଛନ୍ତି ।’’
ବର ଯେ ବୀରବୃନ୍ଦର ।ବିଦେହ ହୋଏ ତା ଦର ।ବିଭେଦିବ ଫୁଲଶର ।ବପୁଦେଶର ଯେ । ୧୬ ।ବଜ୍ର ପାକ ବଚୋଦୟେ ।ବାଜିବ ଆସ ହୃଦୟେ ।ବୁଦ୍ଧି ଆଉ ନ ଦିଶିଲେ ।ବୁଝି ବସିଲେ ଯେ । ୧୭ ।ବୋଲୁଁ ଏମନ୍ତ ଶୁଭିଲା ।ବିବନ୍ଧ କୃତେ ଲୋଭିଲା ।ବାହୁ ଯୋଜନ ପ୍ରମାଣ ।ବରୁଁ ନିର୍ମାଣ ତା । ୧୮ ।ବଡାଇ ଜୀବ ଭୁଞ୍ଜିତ ।ବୁକୁରେ ତୁଣ୍ଡ ରାଜିତ ।ବିକଟମୂର୍ତ୍ତି କବନ୍ଧ ।ବିହିଲା ବନ୍ଧ ସେ । ୧୯ ।ବୋଲନ୍ତି ଭ୍ରାତେ ରାଘବ ।ବାହୁ ହେଲା କି ଲାଘବ ।ବାଟରେ ଏକ କମଠ ।ବିହିଛି ମଠ ଏ । ୨୦ ।
୧୬ଶ ପଦ :- ଯେଉଁ ରାମଚନ୍ଦ୍ର ବୀରମାନଙ୍କ ମଧ୍ୟରେ ଶ୍ରେଷ୍ଠ, ତାହାଙ୍କର ମଧ୍ୟ କନ୍ଦର୍ପଠାରେ ଭୟ ଜାତ ହେଉଅଛି, କାରଣ ଫୁଲଶର ତାଙ୍କର ଦେହ ଭେଦ କରିବ । (ବଜ୍ରସମ ତାଙ୍କ କଠିନ ଦେହରେ କୋମଳ ଫୁଲଶର ମଧ୍ୟ ଭେଦ କରିବ ଏ ମଧ୍ୟ ଏକ ଆଶ୍ଚର୍ଯ୍ୟ ଘଟନା) ।
୧୭ଶ ପଦ :- ‘‘କୋକିଳସ୍ୱନ କରିବା ମାତ୍ରକେ ତାହା ଆସି ଛାତିରେ ବଜ୍ର ପ୍ରାୟ ଭେଦ କରିବ । ଏ କଥା ଚିନ୍ତା କଲାବେଳକୁ ମୋତେ ଆଉ କିଛି ବୁଦ୍ଧି ଦିଶୁ ନାହିଁ ।’’
୧୮ଶ ପଦ :- ରାମଚନ୍ଦ୍ର ଏହା କହିବାର ଶୁଣିପାରି କବନ୍ଧ ତାଙ୍କୁ ବାହୁରେ ବନ୍ଧନ କରିବାକୁ ଲୋଭ ପ୍ରକାଶ କରି ବର ପ୍ରଭାବରୁ ତାହାର ବାହୁଦ୍ୱୟକୁ ଯୋଜନେ ପର୍ଯ୍ୟନ୍ତ ବଢ଼ାଇ ଦେଲା ।
୧୯ଶ ପଦ :- ସେ ରାକ୍ଷସ ଯୋଜନପ୍ରମାଣ ବାହୁଦ୍ୱୟକୁ ବଢ଼ାଇ ଜୀବମାନଙ୍କୁ ଆଣି ଭୋଜନ କରେ । ତାହାର ଛାତିରେ ମୁଖ ବିଦ୍ୟମାନ । ଏହିପରି ବିକରାଳ ମୂର୍ତ୍ତି ‘କବନ୍ଧ’ ଶିରିବିହୀନ ରାକ୍ଷସ ରାମଲକ୍ଷ୍ମଣଙ୍କୁ ଧରି ବନ୍ଧନ କଲା ।
୨୦ଶ ପଦ :- କବନ୍ଧ ବନ୍ଧନରେ ପଡ଼ି ରାମ ଲକ୍ଷ୍ମଣଙ୍କୁ କହିଲେ, ‘‘ଆମ୍ଭର ବାହୁବଳ କ୍ଷୀଣ ହୋଇଗଲାଣି କି ? ଦେଖ, ବାଟରେ ଗୋଟିଏ କଇଁଛ ଆମର ପ୍ରତିବନ୍ଧକ ହେଉଅଛି ।’’
ବଦନ ଗୁପ୍ତ ହୋଇଛି ।ବିନାଶି ଭକ୍ଷିବାଇଛି ।ବିପାକକର୍ମରେ ରୋଧ ।ବ୍ୟଙ୍ଗ ନିରୋଧ ଏ । ୨୧ ।ବିକୋଷ କୃପାଣ କରେ ।ବିଘାତ କଲେ ତା କରେ ।ବ୍ୟୋମେ ଦିବ୍ୟ ରୂପସ୍ଥିତ ।ବାର୍ତ୍ତା କଥିତ ସେ । ୨୨ ।ବକ୍ତ୍ରମାଳୀ ଲଙ୍କପତି ।ବିହିଛି ଭିନ୍ନ ବିପତ୍ତ ।ବସୁମତୀ ସ୍ଥିରତାକୁ ।ବିନାଶ ତାକୁ ଯେ । ୨୩ ।ବିବୁଧ ଭାବ ଘେନି ତ ।ବିଧିରେ ନରେ ଜନିତ ।ବିଷ୍ଣୁ ମା ତୁମେ ଦମ୍ପତି ।ବ୍ରହ୍ମାଣ୍ଡପତି ହେ । ୨୪ ।ବିଗ୍ରହାନୁଗ୍ରହେ ସରି ।ବିଶିଷ୍ଟ ଗତି ପ୍ରସରି ।ବିଦୃଶ୍ୟ କହି ବହନେ ।ବିଜେ ଗହନେ ସେ । ୨୫ ।
୨୧ଶ ପଦ :- ‘‘ଏହାର ମୁଖ ଅଦୃଶ୍ୟ ହୋଇଅଛି; ମାତ୍ର ଆମ୍ଭଙ୍କୁ ଭକ୍ଷିବା ଇଚ୍ଛାରେ ମୁଖ ପ୍ରକାଶିତ କରୁଅଛି । (କଇଁଛ ମୁହଁ ଲୁଚାଇ ଥାଏ ଖାଇବାକୁ ଦରକାର ପଡ଼ିଲେ ମୁହଁ ବାହାର କରେ) । ତେଣୁ ମୁଁ ବିଚାରୁଛି, କର୍ମବିପାକ ବେଳେ ‘ବ୍ୟଙ୍ଗ’ ଅଙ୍ଗହୀନ କବନ୍ଧ ବାଟ ରୋଧ କରୁଅଛି । (ଅଥବା କର୍ମ ପଡ଼ିଲାବେଳେ ବେଙ୍ଗ ମଧ୍ୟ ବାଟ ପାତେ) ।’’
୨୨ଶ ପଦ :- ଏହା ଶୁଣି ଲକ୍ଷ୍ମଣ ନିଜ ହସ୍ତରେ ଖଗଡ଼୍କୁ ଖାପରୁ ବାହାର କରି କବନ୍ଧର ହସ୍ତରେ ପ୍ରହାର କଲେ । ହାତ ଛିଡ଼ି ଯିବାରୁ ସେ କବନ୍ଧ ଦେବତା ରୂପ ଧାରଣ କରି ଆକାଶକୁ ଉଠିଯାଇ ସେଠାରେ ରହି ସୀତାଙ୍କ ବାର୍ତ୍ତା କହିଲା :-
୨୩ଶ ପଦ :- ‘‘ବିଂଶମୁଖ ରାବଣ ତୁମ୍ଭର ବିରହ ଦୁଃଖକୁ ବିଧାନ କରିଅଛି । ତୁମ୍ଭେ ତାକୁ ବିନାଶ କରି ପୃଥ୍ୱୀକୁ ସ୍ଥିର କର ।’’୨୪ଶ ପଦ :- ଦମ୍ପତି-ସ୍ତ୍ରୀ ଓ ପୁରୁଷ । ବିବୁଧ-ଦେବତା । ମା-ଲକ୍ଷ୍ମୀ ।
୨୪ଶ ପଦ :- ‘‘ହେ ବ୍ରହ୍ମାଣ୍ଡର ପାଳନକର୍ତ୍ତା ! ତୁମ୍ଭେ ସ୍ତ୍ରୀ ପୁରୁଷ ଦୁଇଜଣ ଲକ୍ଷ୍ମୀ ଓ ନାରାୟଣ ଅଟ । ଦେବତାମାନଙ୍କ ସକାଶେ ରାବଣର ବିନାଶ ପାଇଁ ନର ଦେହରେ ଜନ୍ମ ହୋଇଅଛି ।’’
୨୫ଶ ପଦ :- ‘‘ତୁମ୍ଭେ ଶତ୍ରୁ ଓ ମିତ୍ରଙ୍କଠାରେ ସମାନ ବ୍ୟବହାର କର । ତୁମ୍ଭଠାରୁ ମୋକ୍ଷଗତି ପ୍ରାପ୍ତ ହୁଏ । (ଶତ୍ରୁ ଓ ମିତ୍ର ଉଭୟଙ୍କୁ ମୋକ୍ଷଗତି ଦିଅ) ।’’ ଏହା କହି କବନ୍ଧ ଶୀଘ୍ର ଅଦୃଶ୍ୟ ହୋଇଗଲା । ରାମ ଲକ୍ଷ୍ମଣ ଦୁହେଁ ବନମଧ୍ୟରେ ବିଜେ କଲେ ।
ବିକଳ ଚିତ୍ତେ ଶ୍ରୀରାମ ।ବିଶ୍ୱଲୋଚନାଭିରାମ ।ବିଗ୍ରହ କ୍ଷୁଧାରେ ଥରେ ।ବହୁ ପଥରେ ଯେ । ୨୬ ।ବିହେ ସ୍ତୁତି ଯାରେ ଶ୍ରୁତି ।ବତ୍ସା ଧେନୁସ୍ୱନ ଶ୍ରୁତି ।ବରଜେ କ୍ଷୀର ମାଗ ତ ।ବିହୁ ଇଙ୍ଗିତ ସେ । ୨୭ ।ବୋଲନ୍ତେ ହୋଇ ବିରକ୍ତ ।ବିଦୁହଁ ନ ପୟଃ ରକ୍ତ ।ବିନୟ ବ୍ରଜ ସରବ ।ବିନା ଗରବ ସେ । ୨୮ ।ବଲ୍ଲବେ କ୍ଷୀର ଦାନକୁ ।ବିହି ବୋଧିଲା ମନକୁ ।ବିପୁଳ ତୋଷ ଚିତ୍ତରେ ।ବରଦ ତାରେ ସେ । ୨୯ ।ବଞ୍ଛା ତୋ ଦେବୁଁ କୁମର ।ବର ଏ କେଉଁ ଅମର ।ବର୍ତ୍ତିବୁ ହୋଇ ତୁ ନନ୍ଦ ।ବହି ଆନନ୍ଦ ଯେ । ୩୦ ।
୨୬ଶ ପଦ :- ସଂସାରସ୍ଥ ପ୍ରାଣୀମାନଙ୍କ ନୟନର ଆନନ୍ଦ ପ୍ରଦାନକାରୀ ଶ୍ରୀରାମ ବିକଳ ମନରେ ପଥ ଚାଲୁ ଚାଲୁ କ୍ଷୁଧାରେ ତାଙ୍କ ଦେହ ଥରିଲା ।
୨୭ଶ ପଦ :- ଶ୍ରୁତି-ବେଦ । ବତ୍ସା-ବାଛୁରୀ । ଧେନୁସ୍ୱନ-ଗାଈମାନଙ୍କରଧ୍ୱନି । ଶ୍ରୁତି-ଶୁଣି । ବରଜେ-ଗୋପାଳମାନଙ୍କୁ । କ୍ଷୀର-ଦୁଧ ।୨୮ଶ ପଦ :- ବିଦୁହଁ-ବିଶେଷରୂପେ ଦୋହନ କର । ପୟ-ଦୁଧ ।
୨୭ ଓ ୨୮ଶ ପଦ :- ଯେଉଁ ରାମଚନ୍ଦ୍ରଙ୍କୁ ବେଦ ସ୍ତୁତି କରେ, ସେହି ସର୍ବଶ୍ରେଷ୍ଠ ପୁରୁଷ ଗାଈ ବାଛୁରୀଙ୍କ ରାବ ଶୁଣି ସେଠାକୁ ଯାଇ ଗୋପାଳଙ୍କୁ କ୍ଷୀର ମାଗିଲେ । ଗୋପାଳମାନେ କ୍ଷୀର ନ ଦେଇ ପରିହାସ କରିବାରୁ ରାମଚନ୍ଦ୍ର ବିରକ୍ତ ହୋଇ କହିଲେ, ‘‘ତୁମ୍ଭେ ଦୁଧ ନ ଦୁହିଁ ରକ୍ତକୁ ଦୋହନ କର ।’’ ଏହା କହିବାକ୍ଷଣି ଗୋପାଳମାନଙ୍କର ଦୁହୁଁଥିବା କ୍ଷୀର ରକ୍ତ ହୋଇଯିବାରୁ; ସେମାନେ ଗର୍ବହୀନ ହୋଇ ବିନୟୀ ହେଲେ । ରାମଚନ୍ଦ୍ର ଆଜ୍ଞା ଦେଲେ,-‘ରକ୍ତ ନ ଦୁହଁ’ ରକ୍ତ ଦୋହନ କରି କ୍ଷୀର ଦୁହଁ ।
୨୯ଶ ପଦ :- ତାଙ୍କ ମଧ୍ୟରୁ ଗୋଟିଏ ଗୋପାଳାକ୍ଷୀର ଦାନ କରି ରାମଚନ୍ଦ୍ରଙ୍କ ମନକୁ ତୋଷ କଲା । ରାମଚନ୍ଦ୍ର ଚିନ୍ତାଯୁକ୍ତ ହୋଇଥିଲେ ମଧ୍ୟ କ୍ଷୀର ପାନ ଯୋଗେ ସନ୍ତୁଷ୍ଟ ହେବାରୁ ସେ ଗୋପାଳକୁ ବର ପ୍ରଦାନ କଲେ ।
୩୦ଶ ପଦ :- ଅନ୍ତର୍ଯ୍ୟାମୀ ହେତୁ ସେ ଗୋପାଳର ମନ କଥା ଜାଣିପାରି କହିଲେ, ‘‘ତୁମ୍ଭର ଏହି ଇଚ୍ଛା ଯେ, ଏ କେଉଁ ଦେବତା ଆସିଛନ୍ତି, ମୋତେ ପୁତ୍ରଦାନ ରୂପ ବର ଦେବେ । ତୁମ୍ଭେ ପରଜନ୍ମରେ ନନ୍ଦ ନାମ ବହି ଆନନ୍ଦରେ ରହିବ ।’’
ବାରେ କ୍ଷୀରଦାନେ ଜୀବ ।ବୋଧିଲୁ ଏ ଶୁଝାଯିବ ।ବଢ଼ିବୁଁ ପୁତ୍ର ଭାବରେ ।ବ୍ରଜ ନବରେ ଯେ । ୩୧ ।ବାମା ଯଶୋଦା ବୋଲାଉ ।ବାଳଖେଳରେ ଭୁଲାଉ ।ବନମାଳୀ କୃଷ୍ଣ ହରି ।ବୋଲି ବିହରି ଯେ । ୩୨ ।ବଳଭଦ୍ର ଅବରଜ ।ବୋଲାଇବ ହେ ବରଜ ।ବୁଡ଼ ନା ଆଉ ଦ୍ୱାପରେ ।ବିଦ୍ୟଦ୍ୱାପରେ ଏ । ୩୩ ।ବାସ ସେ ସ୍ଥାନେ ନିଶିକ ।ବାସରେ ସୂର୍ଯ୍ୟବଂଶିକ ।ବନେ ଦକ୍ଷିଣ ମୁଖରେ ।ବିହାର ଖରେ ସେ । ୩୪ ।ବିପିନେ ଅତି ଝଳିକା ।ବିକଚନବମାଳିକା ।ବିଳସେ ଅଳିପାଳିକା ।ବାଣମେଳିକା କି ?୩୫ ।
୩୧ଶ ପଦ :- ‘‘ଥରେ କ୍ଷୀର ଦେଇ ଆମ୍ଭ ପ୍ରାଣ ରଖିଲ । ଏହି ସୁକୃତ ଫଳରୁ ଗୋପପୁରରେ ତୁମ୍ଭ ଘରେ ଆମ୍ଭେ ପୁତ୍ର ରୂପରେ ବଢ଼ିବୁଁ-ସେତେବେଳେ ଏ ଉପକାର ଶୁଝାଯିବ ।’’
୩୨ଶ ପଦ :- ‘‘ତୁମ୍ଭ ଗୃହିଣୀ ଯଶୋଦା ବୋଲାଇ ଆମ୍ଭଙ୍କୁ ବାଲ୍ୟକ୍ରୀଡ଼ାରେ ଭୁଲାଇବ । ପୁଣି ଆମ୍ଭଙ୍କୁ ସେ ବନମାଳୀ, କୃଷ୍ଣ, ହରି ବୋଲି ଡାକି ଆନନ୍ଦରେ କାଳ ହରଣ କରିବ ।’’
୩୩ଶ ପଦ :- ବରଜ-ଗୋପାଳ । ଅବରଜ-ସାନଭାଇ । ଦ୍ୱାପରେ-ସନ୍ଦେହରେ, ଦ୍ୱାପର ଯୁଗରେ ।
୩୩ଶ ପଦ :- ‘‘ହେ ଗୋପାଳ ! ଆମ୍ଭର ଏ ସାନଭାଇ ଲକ୍ଷ୍ମଣ ବଳଭଦ୍ର ବୋଲାଇବ । ତୁମ୍ଭେ ଆଉ ସଂସୟ କର ନାହିଁ । ଏହା ଦ୍ୱାପର ଯୁଗରେ ଘଟିବ ।’’
୩୪ଶ ପଦ :- ରାମ ଲକ୍ଷ୍ମଣ ସେ ସ୍ଥାନରେ ସେ ରାତ୍ରକ ବାସ କଲେ । ପର ଦିବସ ଦକ୍ଷିଣ ମୁଖରେ ବନ ମଧ୍ୟରେ ଶୀଘ୍ର ଗମନ କଲେ ।୩୫ଶ ପଦ :- ବିପିନ-ବନ । ନବମାଳିକା-ନିଆଳୀଫୁଲ । ବିକଚ-ପ୍ରଷ୍ଫୁଟିତ । ଅଳିପାଳିକା-ଭ୍ରମରଶ୍ରେଣୀ ।
୩୫ଶ ପଦ :- ସେ ବନରେ ବିଶେଷରୂପେ ଶୋଭା ପାଉଥିବା ପ୍ରଷ୍ଫୁଟିତ ନିଆଳୀ ଫୁଲରେ ଭ୍ରମରଶ୍ରେଣୀ ବିହାର କରୁଥାନ୍ତି । ତାହା ଦେଖି ରାମଚନ୍ଦ୍ର ଭାବିଲେ, ‘ଏ କନ୍ଦର୍ପର ଶର ସମୂହ କି ?’
ବିଷମ ବିଶିଖ ଗୁଣେ ।ବଳାଇ ଅଛି କି ଗୁଣେ ।ବହି ଅତସୀ ପ୍ରମାଣ ।ବିଦ୍ୟ କମାଣ କି ?୩୬ ।ବିଷାଇ ମଧୁପ ତନୁ ।ବନେ ଚମକିତ ତନୁ ।ବଲ୍ଲଭୀମଣି ହା ସୀତା ।ବଳେ ଭାଷିତା ସେ । ୩୭ ।ବୃଷା ଶରଭଙ୍ଗାଳୟେ ।ବସିଥିଲେ କଲେ ଲୟେ ।ବିଷ୍ଣୁ ଆମ୍ଭ କଷ୍ଟ ଭାଙ୍ଗି ।ବିପଦଭାଗୀ ସେ । ୩୮ ।ବନ୍ଦୀ ଜଗତଜନନୀ ।ବିମଳ କମଳାନନୀ ।ବୋଲି ରହିଲେ ଅନ୍ତରେ ।ବିଜେ ସତ୍ୱରେ ସେ । ୩୯ ।ବାଣ ଶରାସନଧର ।ବେନି ମୁନି ସନ୍ନିଧିର ।ବିବୁଧାଳୟକୁ ଗମେ ।ବନ୍ଦି ନିଗମେ ସେ । ୪୦ ।୩୬ଶ ପଦ :- ବିଷମବିଶିଖ-କନ୍ଦର୍ପ । କମାଣ-ଧନୁ ।
୩୬ଶ ପଦ :- ‘କନ୍ଦର୍ପ’ କେଉଁ ଗୁଣରେ ଅତସୀ ପୁଷ୍ପ ରୂପ ପ୍ରଧାନ ଧନୁରେ ଭ୍ରମର ରୂପଗୁଣ ଚଢ଼ାଇ ଅଛି ? (କନ୍ଦର୍ପ ଅର୍ଦ୍ଧ ଚନ୍ଦ୍ରାକାର ଅତସୀ ଫୁଲ ଧନୁରେ ଭ୍ରମର ଶ୍ରେଣୀ ରୂପ ଗୁଣ ଚଢ଼ାଇ ନିଆଳୀ ଫୁଲ ଶର ବିନ୍ଧିଛି କି ?) ଅଥବା- କନ୍ଦର୍ପ କି ଅବିଗୁଣ ହେତୁ ନିଆଳୀ ରୂପ ଫୁଲରେ ଭ୍ରମର ରୂପ ଗୁଣ ଯୋଗ କରିଅଛି ? (ବିନା ଗୁଣରେ ବି ସେ ଫୁଲ ବିରହୀଙ୍କ ହୃଦୟ ଭେଦ କରିବ) । ଅତସୀ ଫୁଲକୁ ଦେଖି ମନେ କଲେ, ‘ଏ କନ୍ଦର୍ପର ଧନୁ କି ?’
୩୭ଶ ପଦ :- ବିଷାଇ-ବିଷଯୁକ୍ତ କରି ।
୩୭ଶ ପଦ :- ଏହି ସମୟରେ ଫୁଲ ଝଡ଼ି ରାମଚନ୍ଦ୍ରଙ୍କ ଦେହରେ ପଡ଼ିବାରୁ ସେ ଭାବିଲେ ‘ମକରନ୍ଦ ରୂପ ବିଷରେ ବିଷ ଯୁକ୍ତ କରି କନ୍ଦର୍ପ ଏ ଫୁଲ ଶରକୁ ମୋତେ ମାଇଲା କି ?’ ଏହା ଭାବି ସେହି ବନରେ ତାଙ୍କ ଦେହ ଥରି ଉଠିଲା । ସେତେବେଳେ ସେ କହି ଉଠିଲେ, ‘‘ହେ ପ୍ରିୟାମଣି ! ହେ ସୀତା ! (ତୋ ସକାଶେ ସିନା ମୋର ଦୁଃଖ) ।’’
୩୮ଶ ପଦ :- ଇନ୍ଦ୍ର ସେ ସମୟରେ ଶରଭଙ୍ଗ ଋଷିଙ୍କ ଆଶ୍ରମରେ ବସିଥିଲେ । ସେ ଚିନ୍ତା କଲେ,- ବିଷ୍ଣୁ ଆମ କଷ୍ଟ ଦୂର କରିବାପାଇଁ ରାମ ରୂପରେ ଏ ବିପଦର ଭାଗୀ ହୋଇଅଛନ୍ତି ସିନା !
୩୯ଶ ପଦ :- ଶରାସନ ଧର-ଧନୁର୍ବାଣଧାରୀ ।
୩୯ଶ ପଦ :- ନିର୍ମଳ ପଦ୍ମମୁଖୀ ଜଗତ୍ଜନନୀ ସୀତାରୂପେ ବନ୍ଦୀ ହୋଇ ଅଛନ୍ତି । ଏହା ଭାବି ଇନ୍ଦ୍ର ଗୁପ୍ତ ହୋଇ ରହିଲେ । ରାମ ଶୀଘ୍ର ସେଠାରେ ବିଜେ କଲେ ।
୪୦ଶ ପଦ :- ବିବୁଧାଳୟ-ସ୍ୱର୍ଗ । ବନ୍ଦି ନିଗମେ-ବେଦବାକ୍ୟରେ ସ୍ତୁତି କରି ।
୪୦ଶ ପଦ :- ଶରଭଙ୍ଗ ମୁନି କାଣ୍ଡ କୋଦଣ୍ଡଧାରୀ ରାମ ଲକ୍ଷ୍ମଣ ଦୁହିଁଙ୍କୁ ନିଜ ଆଶ୍ରମରେ ଦେଖି ବେଦବାକ୍ୟରେ ସ୍ତୁତି କରି ସ୍ୱର୍ଗକୁ ଗମନ କଲେ ।
ବଡ଼ ସୁକୃତି ଶବରୀ ।ବୁଲିଣ ଦିବା ଶର୍ବରୀ ।ବୁଝେ ରସାଳ ଅସ୍ୱାଦୁଁ ।ବାଛଇ ସ୍ୱାଦୁ ସେ । ୪୧ ।ବିଜୟ ରାମ କରିବେ ।ବିଭୁକ୍ତେ ମୋତେ ତାରିବେ ।ବିଲୋକି ସନ୍ତାପ ଚ୍ୟୁତ ।ବଢ଼ାଇ ଚୂତ ସେ । ୪୨ବିଶ୍ୱବ୍ୟାପୀ ତା ଭାବରେ ।ବିଭୋଗୀ ହେଲେ ଜବରେ ।ବିଦ୍ୟ ଭାବଗ୍ରାହୀ ପଦ ।ବେଗେ ଆସ୍ପଦ ସେ । ୪୩ ।ବିଦନ୍ତମୁଦ୍ରା ରସାଳ ।ବିଯୋଗ କଲେ ବିଶାଳ ।ବନଜାକ୍ଷ ତତପର ।ବସୁଧାପର ଯେ । ୪୪ ।ବିଚିହ୍ନ ଏ ଦଶନରେ ।ବିରୋଧୀ ମୋ ଅଶନରେ ।ବୋଲି ଚାହିଁ ପ୍ରସନ୍ନରେ ।ବିଦ୍ୟମାନରେ ସେ । ୪୫ ।୪୧ଶ ପଦ :- ଦିବା ଶର୍ବରୀ-ଦିନରାତି ।୪୧ଶ ପଦ :- ଅତି ପୁଣ୍ୟବତୀ ଶବରୀ ଦିନ ରାତି ବୁଲି ବୁଲି ପାଚିଲା ଆମ୍ବ ସବୁ ଚାଖି ତନ୍ମଧ୍ୟରୁ ସ୍ୱାଦୁ ଆମ୍ବକୁ ବାଛି ରଖିଥିଲା ।
୪୨ଶ ପଦ :- ଆସ୍ୱାଦୁଁ-ଚାଖିବାଦ୍ୱାରା । ରସାଳ-ଆମ୍ବ । ବିଭୁକ୍ତେ-ବିଶେଷ ରୂପରେ ବା ସନ୍ତୋଷରେ ଭୋଜନ କରି । ଚୂତ-ଆମ୍ବ । ଚ୍ୟୁତ-ଦୂର ।
୪୨ଶ ପଦ :- ‘ରାମଚନ୍ଦ୍ର ଏଠାକୁ ବିଜେ କରିବେ ଏବଂ ଏ ସୁସ୍ୱାଦ ପାଚିଲା ଆମ୍ବକୁ ଭୋଜନ କରି ମୋତେ ଏ ଜନ୍ମରୁ ଉଦ୍ଧାର କରିବେ’- ଏହା ଭାବି ସେ ଆମ୍ବ ଚାଖି ରଖୁଥାଏ । ରାମଚନ୍ଦ୍ର ସେଠାକୁ ଯିବାରୁ ସେ ତାଙ୍କୁ ଦେଖି ଦୁଃଖ ଦୂର କଲା ଓ ଚାଖି ରଖିଥିବା ସ୍ୱାଦୁ ଆମ୍ବ ଭୋଜନ ପାଇଁ ରାମଙ୍କ ହାତକୁ ବଢ଼ାଇ ଦେଲା ।
୪୩ଶ ପଦ :- ଚରାଚରବ୍ୟାପୀ ରାମଚନ୍ଦ୍ର ଶବରୀର ଭକ୍ତି ଭାବରେ ବଶ ହୋଇ ଶୀଘ୍ର ସେ ଆମ୍ବ ଭକ୍ଷଣ କଲେ । ଭାବଗ୍ରାହୀ ଏହି ନାମ ବିଦ୍ୟମାନ ଥିବାରୁ ସେ ଅତିଶୀଘ୍ର ଭକ୍ତିର ପାତ୍ର ହେଲେ (ଅର୍ଥାତ୍ ‘ଭାବଗ୍ରାହୀ’ ଏହି ନାମକୁ ସାର୍ଥକ କଲେ) ।
୪୪ଶ ପଦ :- ବିଶାଳ ବନଜାକ୍ଷ- ବୃହତ୍ ନେତ୍ରପଦ୍ମ । ବିଦନ୍ତ-ମୁଦ୍ରା-ଦନ୍ତଚିହ୍ନ ରହିତ ।୪୪ଶ ପଦ :- ବୃହତ୍ ପଦ୍ମନେତ୍ର ରାମଚନ୍ଦ୍ର ଦନ୍ତଚିହ୍ନ ନ ଥିବା ପାଚିଲା ଆମ୍ବ ଗୋଟିକୁ ପୃଥିବୀ ଉପରେ ଥୋଇ ଦେଲେ ।୪୫ଶ ପଦ :- ଅଶନ-ଭୋଜନ
୪୫ଶ ପଦ :- ‘ଏ ଆମ୍ବର ଦନ୍ତ ଚିହ୍ନ ନାହିଁ, ତେଣୁ ମୋର ଭକ୍ଷଣର ଉପଯୁକ୍ତ ନୁହେଁ’- ଏହା କହି ରାମଚନ୍ଦ୍ର ପ୍ରସନ୍ନ ଚିତ୍ତରେ ସେ ଶବରୀକୁ ଚାହିଁ ରହିଲେ ।
ବ୍ୟାଖ୍ୟାନ ଶବରୀ କରେ ।ବସତି ଋଷ୍ୟମୂକରେ ।ବିହି ସୁଗ୍ରୀବ କ୍ରୋଡ଼ରେ ।ବାଳିର ଡ଼ରେ ଯେ । ୪୬ ।ବିଘ୍ନକର ଏ ଦଶା ସେ ।ବିବାଦ ରଚି ଦଶାସ୍ୟେ ।ବିମ୍ବୋଷ୍ଠୀକି ଦେବ ଆଣି ।ବିକାଶି ଆଣି ସେ । ୪୭ ।ବାରତା କହି ଭକତି ।ବିମାନେ ସେ ନଭଗତି ।ବାହାର ସେହି ଆଦେଶେ ।ବନପ୍ରଦେଶେ ସେ । ୪୮ ।ବାଟେ ପମ୍ପା ସାରସର ।ବିରାଜିତ ସାରସର ।ବିରାଜିତ ସାରସର ।ବୃଷାର ସର ସେ । ୪୯ ।ବିଧିରେ ହୀନ ଭ୍ରମର ।ବିଳସୁଛନ୍ତି ଭ୍ରମର ।ବିଳାସ ଯହିଁ ଭ୍ରମର ।ବାଞ୍ଛେ ଅମର ସେ । ୫୦ ।
୪୬ଶ ପଦ :- ରାମଙ୍କ ଚାହିଁବା ଭଙ୍ଗୀରୁ ଜାଣିପାରି ଶବରୀ କହିଲା ‘‘କିଷ୍କିନ୍ଧ୍ୟାରାଜ ବାଳିର ଭୟରେ ସୁଗ୍ରୀବ ରୁଷ୍ୟମୂକ ପର୍ବତ ଗୁହାରେ ବାସ କରିଅଛି ।’’
୪୭ଶ ପଦ :- ‘‘ସେ ସୁଗ୍ରୀବ-ତୁମ୍ଭର ଏ ଅବସ୍ଥାର ବିଘ୍ନକର ହେବ । ସେ ତାହାର ବୀରତ୍ୱ ପ୍ରକାଶ କରି ରାବଣ ସଙ୍ଗେ ବିବାଦ ଲଗାଇ ତୁମ୍ଭ ବିମ୍ବାଧରୀକୁ ଆଣିଦେବ ।’’
୪୮ଶ ପଦ :- ସେ ଶବରୀ ଭକ୍ତିର ସହିତ ଏ ବାର୍ତ୍ତା କହି ଦେଇ ବିମାନରେ ଆରୋହଣ କରି ଆକାଶମାର୍ଗରେ ଗମନ କଲା । ଶବରୀର କଥା ଅନୁସାରେ ରାମ ଲକ୍ଷ୍ମଣ ଅରଣ୍ୟ ମଧ୍ୟରେ ବିଜେ କଲେ ।
୪୯ଶ ପଦ :- ସାରସର-ଉତ୍ତମ ସରୋବର । ବିରାଜି-ପକ୍ଷୀଗଣ । ସାରସ-ଜଳଚର ପକ୍ଷୀବିଶେଷ । ବରାଜିତ-ପକ୍ଷୀଙ୍କଦ୍ୱାରା ମଣ୍ଡିତ, ଶୋଭିତ । ସାରସର-ପଦ୍ମମାନଙ୍କର । ବୃକ୍ଷା-ଇନ୍ଦ୍ର । ସର-ପୁଷ୍କରିଣୀ ।
୪୯ଶ ପଦ :- ରାମ ଲକ୍ଷ୍ମଣ ଯାଉଁ ଯାଉଁ ବାଟରେ ପମ୍ପା ନାମକ ଏକ ସରୋବର ଦେଖିଲେ । ସେ ସରୋବର ପଦ୍ମମାନଙ୍କରେ ଶୋଭିତ, ପୁଣି ହଂସ ଓ ପକ୍ଷୀମାନଙ୍କଦ୍ୱାରା ମଣ୍ଡିତ ହୋଇଅଛି । ସେ ଇନ୍ଦ୍ରଙ୍କ ସରୋବର ଅଟେ ।
୫୦ଶପଦ :- ଭ୍ରମର-ଭଉଁରୀ । ଭ୍ରମର-ଭ୍ରମବଶତଃ । ଅମର-ଦେବତା ।
୫୦ଶ ପଦ :- ଦୈବଯୋଗରେ ସେ ସରୋବରରେ ଜଳ ଭଉଁରୀ ନାହିଁ, ଭ୍ରମରମାନେ ତହିଁରେ ଫୁଟିଥିବା ପଦ୍ମମାନଙ୍କରେ ବିହାର କରୁଅଛନ୍ତି । ସେହି ସରୋବରରେ ଦେବତାମାନେ ସ୍ୱର୍ଗ ଗଙ୍ଗା ଭ୍ରମରେ ଜଳକ୍ରୀଡ଼ା କରିବାକୁ ବାଞ୍ଛା କରନ୍ତି ।
ବାରିରେ ଆଦର ସରେ ।ବିମଳ ଆଦରଶରେ ।ବିବେକ ହଂସ ମାନସ ।ବଳି ମାନସ ଯେ । ୫୧ ।ବିଧ୍ୱଂସ ତାପ ସ୍ପରଶ ।ବଡ଼ ଅତଳସ୍ପରଶ ।ବିନିଦ୍ର ନୀଳ ସାରସ ।ବହଇ ରସ ସେ । ୫୨ ।ବାଞ୍ଛି ତୃଷାର୍ତ୍ତ କମଳ ।ବିଘନ ତୀରେ କମଳ ।ବିରତେଭୃଙ୍ଗ କୁମୁଦ ।ବହୁ କୁମୁଦ ଏ । ୫୩ ।ବିଡ଼ି ଉଠେ ଚକ୍ରଚକ୍ର ॥
ବହେ ଗତି ଯଥା ଚକ୍ର ।ବିନୋଦରେ ଚକ୍ରବାକୀ ।ବିଚକ୍ରବାକି ସେ । ୫୪ ।ବୀକ୍ଷଣେ ହୋଇ ବିରହୀ ।ବୋଲେ ରଘୁବୀର ରହି ।ବିଷ୍କିର କହ ମଧୁର ।ବାର୍ତ୍ତା ବଧୂର ମୋ । ୫୫ ।୫୧ଶ ପଦ :- ଆଦର୍ଶ-ଦର୍ପଣ ।
୫୧ଶ ପଦ :- ସେ ସରୋବରର ଜଳ ଏପରି ସ୍ୱଚ୍ଛ ଯେ, ତାକୁ ଦେଖିଲେ ନିର୍ମଳ ଦର୍ପଣର ଗୌରବ ରହିବ ନାହିଁ, (ନିର୍ମଳ ଦର୍ପଣଠାରୁ ସେ ଜଳର ନିର୍ମଳତା ଖୁବ୍ ବେଶି) । ହଂସମାନେ ସେ ସରୋବରରେ କ୍ରୀଡ଼ା କରି ମନେକରନ୍ତି, ମାନସରୋବରଠାରୁ ଏହା ଉତ୍କୃଷ୍ଟତର ।
୫୨ଶ ପଦ :- ସ୍ପରଶ-ଛୁଇଁବା । ଅତଳସ୍ପରଶ-ଅତିଗଭୀର । ବିନିଦ୍ର-ପ୍ରସ୍ଫୁଟିକ । ନୀଳସାରସ-ନୀଳପଦ୍ମ ।
୫୨ଶ ପଦ :- ସେ ସରୋବର ଜଳ ଏପରି ଶୀତଳ ତାହା ସ୍ପର୍ଶକଲେ ଗ୍ରୀଷ୍ମ ତାପ ଦୂର ହେବ, ପୁଣି ସେ ଅତି ଗଭୀର ଅଟେ । ତହିଁରେ ବିକଶିତ ଓ ମଧୁପୂର୍ଣ୍ଣ ନୀଳପଦ୍ମ ଶୋଭା ପାଉଅଛି ।
୫୩ଶ ପଦ :- କମଳ-ମୃଗ । ବିଘନ-ପୂର୍ଣ୍ଣ । କମଳ-ଜଳ । ଭୃଙ୍ଗ-ଭ୍ରମର । କୁମୁଦ-କଇଁଫୁଲ । କୁମୁଦ-ଆନନ୍ଦ ।
୫୩ଶ ପଦ :- ତୃଷାତୁର ମୃଗଯୂଥ ଜଳପାନ କରିବା ଇଚ୍ଛାରେ ସେହି ସରୋବର ତଟଦେଶରେ ବିଶେଷରୂପେ ରୁଣ୍ଡ ହୋଇଅଛନ୍ତି । ଜଳରେ ଫୁଟିଥିବା କଇଁଫୁଲ ଭ୍ରମରମାନଙ୍କୁ ବହୁତ ଆନନ୍ଦ ପ୍ରଦାନ କରୁଅଛି । (କଇଁ ସବୁ ଫୁଟିଥିବାରୁ ଭ୍ରମରମାନେ ଆନନ୍ଦମନରେ ସେଠାରେ ବିହାର କରୁଅଛନ୍ତି) ।
୫୪ଶ ପଦ :- ଚକ୍ର-ଚକ୍ରବାକପକ୍ଷୀ । ଚକ୍ର-ସମୂହ । ବିନୋଦରେ-ଆନନ୍ଦରେ । ବିଚକ୍ରବାକି-ଖଣ୍ଡିଆଭୁତ ।
୫୪ଶ ପଦ :- ଚକ୍ରବାକ ପକ୍ଷୀସମୂହ ସେ ସରୋବର ଜଳରେ ବୁଡ଼ି ଉଠନ୍ତି । ସେମାନେ ଚକ୍ରବାକୀ ସହିତ କ୍ରୀଡ଼ାରେ ରତହୋଇ ଜଳରେ ବିହାର କଲାବେଳେ ଏପରିଭାବରେ ଗତି କରୁଅଛନ୍ତି ଯେ, ତାଙ୍କୁ ଦେଖି ଖଣ୍ଡିଆଭୁତ ଗତି କଲାପରି ବୋଧ ହେଉଅଛି । (ଖରାଦିନେ ପ୍ରାନ୍ତର ସ୍ଥାନରେ ପବନ ବକ୍ରକାରରେ ଖୁବ୍ ଯୋରରେ ବୁଲି ବୁଲି ଉପରକୁ ଉଠିଯାଏ, ତାକୁ ଖଣ୍ଡିଆଭୁତ କହନ୍ତି) ।
୫୫ଶ ପଦ :- ବୀଷଣେ-ଦେଖିବାରେ । ବିଷ୍କିର-ପକ୍ଷୀର ।
୫୫ଶ ପଦ :- ସେ ଚକ୍ରବାକ ଓ ଚକ୍ରବାକୀଙ୍କ କେଳି ଦେଖିବାରୁ ରାମଙ୍କର ବିରହ ଯନ୍ତ୍ରଣା ବର୍ଦ୍ଧିତ ହୁଅନ୍ତେ, ସେ କହିଲେ, ‘‘ହେ ପକ୍ଷୀ ! ମୋ ପ୍ରିୟାର ମନୋହର ବାର୍ତ୍ତାକୁ କୁହ ।’’
ବାଳା ମୋ ରସସରସୀ ।ବିହରେ ମୁଁ ମୀନ ରସି ।ବିଧୂରେ କେମନ୍ତ ଜୀବ ।ବୁଝ ନ ଯିବ ଯେ । ୫୬ ।ବଡ଼ିଶଶରେ ମଦନ ।ବିଚାରୁଅଛି ଭେଦନ ।ବହିଛି ସେ କେଉଁ ଦେଶ ।ବୁଝି ସନ୍ଦେଶ ଏ । ୫୭ ।ବଦନ ସଦା ଅମଳ ।ବିକାଶି ଥିଲା କମଳ ।ବିଲୋଳ ନେତ୍ର ଖଞ୍ଜନ ।ବସି ରଞ୍ଜନ ସେ । ୫୮ ।ବିଲୋକି ମୋ ସୁରପତି ।ବିଭୁତି ଥିଲା ପ୍ରାପତି ।ବିଚ୍ଛେଦୁ ଦୀନ ହୋଇଛି ।ବାହୁଡୁଁ ଇଚ୍ଛି ଏ । ୫୯ ।ବକ୍ଷୋଜେ ତବ ଯୁଗକୁ ।ବିହନ୍ତି କବି ଯୋଗକୁ ।ବଦ ଅଛି ସୋଦରତା ।ବନ୍ଧୁ ବାରତା ତୁ । ୭୦ ।
୫୬ଶ ପଦ :- ‘‘ମୋ ପ୍ରିୟା ରସବତୀ ହେତୁ ଜଳପୂର୍ଣ୍ଣ ସରୋବର ପରି ଅଟେ । ତେଣୁ ମୁଁ ମୀନ ପ୍ରାୟ ବିହାରରେ ରସିଥିଲି । ଜଳ ବିହୁନରେ ମୀନ ନାଶ ହେଲାପରି ତାର ବିଚ୍ଛେଦରେ ମୋ ପ୍ରାଣ ବା ନ ଯିବ କିପରି ? (ମୁଁ ନିଶ୍ଚୟ ନାଶ ଯିବି) ।’’
୫୭ଶ ପଦ :- ମଦନ-କନ୍ଦର୍ପ । ବଡ଼ିଶ-ଶର-ବନିଶକଣ୍ଟା ରୂପ ଶର ।
୫୭ଶ ପଦ :- ‘‘କନ୍ଦର୍ପ ବନିଶ କଣ୍ଟାରୂପ ଶରରେ ମୋତେ ବଦ୍ଧ କରିବାକୁ ବିଚାରୁଅଛି । ମୋ ପ୍ରିୟା କେଉଁ ଦେଶରେ ରହିଛି; ଏ ବାର୍ତ୍ତା ମୋତେ ବୁଝାଇ କହ ।’’
୫୮ଶ ପଦ :- ବଦନା-ମୁଖ । କମଳ-ପଦ୍ମ । ବିଲୋକ-ଚଞ୍ଚଳ ।
୫୮ଶ ପଦ :- ‘‘ମୋର ପ୍ରିୟାର ମୁଖ ସର୍ବଦା ଫୁଟିଥିବା ପଦ୍ମପ୍ରାୟ ନିର୍ମଳ ଦିଶେ । ତହିଁରେ ଚଞ୍ଚଳ ହେଉଥିବା ନେତ୍ରଯୁଗଳ ଖଞ୍ଜନ ପକ୍ଷୀ ପ୍ରାୟ ଖେଳା କରି ଶୋଭା ପାଉଥିଲା ।’’
୫୯ଶ ପଦ :- ସୁରପତି-ଇନ୍ଦ୍ର । ବିଭୁତି-ଐଶ୍ୱର୍ଯ୍ୟ ବା ସମ୍ପତ୍ତି ।
୫୯ଶ ପଦ :- ‘‘ତା ମୁଖ ପଦ୍ମରେ ନେତ୍ର ଖଞ୍ଜନର ଖେଳା ଦେଖି ମୁଁ ଇନ୍ଦ୍ର ସମ୍ପତ୍ତି ପ୍ରାପ୍ତ ହୋଇଥିଲି । ମାତ୍ର ବର୍ତ୍ତମାନ ତାହାର ବିଚ୍ଛେଦରୁ ବଡ଼ ଦୁଃଖୀ ହୋଇଅଛି । ସେ ଫେରି ଆସୁ-ମୁଁ ଏହା ଭାବନା କରୁଅଛି ।’’
୬୦ଶ ପଦ :- ବକ୍ଷୋଜ-ସ୍ତନ ବା କୁଚ । ସୋଦରତା-ବନ୍ଧୁତା ।
୬୦ଶ ପଦ :- ‘‘ମୋ ପ୍ରିୟାର ସ୍ତନଯୁଗଳ ସହିତ ତୁମ୍ଭ ଦୁହିଙ୍କର ମିଳନକୁ କବିମାନେ ଉପମା ଦେଇଥାନ୍ତି । ସୁତରାଂ ତା ସହିତ ତୁମ୍ଭର ବନ୍ଧୁତା ଅଛି । ଅତଏବ ମୋ ପ୍ରିୟାର ବାର୍ତ୍ତା କହ ।’’
ବୋଲୁଁ କୋପି ଚକ୍ରବାକ ।ବୋଇଲା ଏମନ୍ତ ବାକ ।ବେନିନାବେ ଦେଇ ପଦ ।ବ୍ୟର୍ଥ ସମ୍ପଦ ଏ । ୬୧ ।ବହୁ ଜଟା ସ୍ତିରୀହିତ ।ବୁଡ଼ିମରିବା ବିହିତ ।ବିହଗ ରତି ବିଲୋକ ।ବିଲଜ୍ଜ ଲୋକ ତୁ । ୬୨ ।ବୋଲୁଁ ବୋଇଲେ ତକ୍ଷଣ ।ବିଚକ୍ଷଣ ସୁଲକ୍ଷଣ ।ବିଜ୍ଞ ହେଉଛୁ ଇଚ୍ଛାର ।ବିହଗ ଛାର ତୁ । ୬୩ ।ବିଖ୍ୟାତୁ ତପ ହେତୁ ହି ।ବୋଲାଉ କୁଟୁମ୍ବୀ ତୁହି ।ବଶିଷ୍ଠାଦି ଏ ଅଜାଣ ।ବଡ଼ ସୁଜାଣ ତୁ । ୬୪ ।ବିଯୋଗରେ ନିଅ କାଳ ।ବିହି ଏ ଶାପ ତତ୍କାଳ ।ବେନି ସୋଦର ବହନେ ।ବିଜେ ଗହନେ ସେ । ୬୫ ।
୬୧ଶ ପଦ :- ରାମଚନ୍ଦ୍ର ଏହା କହନ୍ତେ ଚକ୍ରବାକ ପକ୍ଷୀ କୋପ କରି କହିଲା, ‘‘ଦୁଇ ନାବରେ ଗୋଡ଼ ଥୋଇଲେ ସମସ୍ତ ସମ୍ପତ୍ତି ବ୍ୟର୍ଥ ହୁଏ । (ଦୁଇ ନାରେ ଗୋଡ଼ ଦେଲେ ମଣିଷ ବୁଡ଼ିମରେ) ।’’
୬୨ଶ ପଦ :- ବିହଗ-ପକ୍ଷୀ । ବିଲଜ୍ଜ-ଲଜ୍ୟାଶୂନ୍ୟ ।
୬୨ଶ ପଦ :- ‘‘ତୁମ୍ଭେ ଶିରରେ ଜଟା ବହିଅଛ, ପୁଣି ସ୍ତ୍ରୀ ଲମ୍ପଟ ଅଟ; (ଦୁଇ ନାବରେ ଗୋଡ଼ ଦେଇଛ) ତେଣୁ ବୁଡ଼ି ମରିବା ତୁମ୍ଭ ପକ୍ଷରେ ନିଶ୍ଚିତ ଅଟେ । ପୁଣି ଏଡ଼େ ନିର୍ଲ୍ଲଜ ଯେ ପକ୍ଷୀଙ୍କ ରତିକ୍ରୀଡ଼ା ଦେଖୁଅଛ ।’’
୬୩ଶ ପଦ :- ଚକ୍ରବାକଠାରୁ ଏହା ଶୁଣି ଲକ୍ଷଣବନ୍ତ ଓ ପଣ୍ଡିତ ଲକ୍ଷ୍ମଣ ତତ୍କ୍ଷଣାତ କହିଲେ, ‘‘ତୁ ଚ୍ଛାର ପକ୍ଷୀ ହୋଇ ମନେ ବଡ଼ ବିଜ୍ଞ ବୋଲି ଜଣାଇ ଦେଉଛୁ ।’’
୬୪ଶ ପଦ :- ବିଖ୍ୟାତୁ-ବିଖ୍ୟାତ କରୁ ।
୬୪ଶ ପଦ :- ‘‘ତୁ ସାମାନ୍ୟ ପକ୍ଷୀ ମାତ୍ର ପୁଣି ତୁ ଗୃହୀ, ଅଥଚ ତପସ୍ୟାର ଲକ୍ଷଣ କହୁଅଛୁ । ବଶିଷ୍ଠାଦି ଋଷିମାନେ କ’ଣ ବଡ଼ ଅଜ୍ଞ ? -ସେ ଜଟାଜୁଟ ବାନ୍ଧି, ତପସ୍ୟା କରି ମଧ୍ୟ ଗୃହୀ ହୋଇଅଛନ୍ତି । ତୁ ତାଙ୍କଠାରୁ ବଡ଼ ପଣ୍ଡିତ ପରା !’’
୬୫ଶ ପଦ :- ‘‘ଆଜିଠାରୁ ବିଚ୍ଛେଦରେ ସମୟ କଟାଅ ।’’ ଏହି ଶାପ ଦେଇ ରାମ ଲକ୍ଷ୍ମଣ ଦୁଇ ଭାଇ ତତ୍କ୍ଷଣାତ ସେଠାରୁ ଗହନ ବନ ମଧ୍ୟକୁ ବିଜେ କରି ଗଲେ ।
ବ୍ୟାକୁଳରେ ହୋଇ କ୍ଷୀଣୀ ।ବଲ୍ଲଭେ ଭାଷେ ପକ୍ଷିଣୀ ।ବିଭୋଗରେ ରତି ସାର ।ବିଦ୍ୟ ସଂସାର ଏ । ୬୬ ।ବିପଦ କି ଶିରଚ୍ଛେଦ ।ବଡ଼ ବିପଦ ବିଚ୍ଛେଦ ।ବଂଶ ବଢ଼ିବା ଅର୍ଜ୍ଜନ ।ବ୍ୟର୍ଥ ସର୍ଜ୍ଜନ ଏ । ୬୭ ।ବିଚାରି ସେ ଗୋଡ଼ାଇଲେ ।ବିନୟ ରାମେ ହୋଇଲେ ।ବିଭୋ ଦକ୍ଷିଣ ଗମନ ।ବାମ ସୁମନ ହେ । ୬୮ ।ବହି ମଧୁର ମୂରତି ।ବିହିଲେ କଟୁ ଭାରତୀ ।ବି-ଜାତ କେତେ ମାତ୍ରକେ ।ବେଳେ ବିତର୍କ ଯେ । ୬୯ ।ବଦନ ଦଶ ବିଂଶତି ।ବାହୁ ତା ଆଗେ ବସତି ।ବିମାନେ ଶୋକ ଜନିତା ।ବରବନିତା ଯେ । ୭୦ ।ବିଲୋକ ଏତେ ମାତର ।ବିବେକ କର ଚିତ୍ତର ।ବିହ ଶାପକୁ ସୁଗତି ।ବିହୁଁ ଭଗତି ସେ । ୭୧ ।ବାସରେ ମାତର ତର ।ବିଭାବରୀରେ ଅନ୍ତର ।ବେନିକୂଳେ ନଦେ ରହି ।ବାଧୁ ବିରହ ଏ ।ବରଦ ରାଘବ ହେଲେ ।ବାହୁଡ଼ିଲେ ପକ୍ଷୀ ହେଳେ ।ବୋଲେ ଉପେନ୍ଦ୍ର ଆସ୍ପଦ ।ବାସ୍ତରୀ ପଦ ଏ । ୭୨ ।
୬୬ଶ ପଦ :- ଶାପ ପାଇବାରୁ ଚକ୍ରବାକୀ ବ୍ୟାକୁଳରେ କ୍ଷୀଣଦଶା ପ୍ରାପ୍ତ ହୋଇ କାନ୍ତକୁ କହିଲା, ‘‘ଏ ସଂସାର ଭିତରେ ସମସ୍ତ ଭୋଗ ମଧ୍ୟରେ ରତି ସମ୍ଭୋଗ ଶ୍ରେଷ୍ଠ ବୋଲି କଥିତ ହୋଇଅଛି ।’’
୬୭ଶ ପଦ :- ‘‘ଶିରଚ୍ଛେଦ ହେବା ବା କି ବିପଦ ? ତା ଅପେକ୍ଷା ବିରହ ବିପଦ ବେଶୀ କଷ୍ଟଦାୟକ । ବଂଶ ବୃଦ୍ଧି ପ୍ରାପ୍ତ ନ ହେଲେ ଆମ୍ଭ ଜୀବନ ବୃଥା ସିନା ! (ସମ୍ଭୋଗ ନ ହେଲେ ବଂଶ ବୃଦ୍ଧି ହେବ ନାହିଁ । ତେଣୁ ଆମ କୁଳ ଏହିଠାରୁ ଲୋପ ପାଇବ) ।’’
୬୮ଶ ପଦ :- ସେ ଚକ୍ରବାକ ଓ ଚକ୍ରବାକୀ ଏମନ୍ତ ବିଚାର କରି ରାମଙ୍କ ପଛରେ ଗୋଡ଼ାଇଲେ ଓ ବିନୟ ପ୍ରକାଶ କରି କହିଲେ, ‘‘ହେ ବିଭୋ ! ତୁମ୍ଭେ ଦକ୍ଷିଣ ଦିଗକୁ ଗମନ କରିବାରେ ଆଗ୍ରହୀ ହୋଇଅଛ (ଅଥବା-ତୁମ୍ଭେ ଦେବତା ବା ବିଜ୍ଞ ପରି ସମଦର୍ଶୀ ହୋଇଅଛ) ଅଥଚ ଆମ୍ଭଠାରେ ପ୍ରତିକୂଳ ଆଚରଣ କରୁଅଛ ।’’
୬୯ଶ ପଦ :- ‘‘ତୁମ୍ଭେ ସୁନ୍ଦର ମୂର୍ତ୍ତି ଧାରଣା କରିଅଛି । ଅଥଚ ଏପରି କଟୁ କଥା କହିଲ (ମଧୁରଠାରେ କଟୁ ରହିବା ଅସମ୍ଭବ) । ଆମ୍ଭେ ଛାର ପକ୍ଷୀ ଜାତି- ଆମର ଜ୍ଞାନ ଅବା କେତେ ? ଅଭିଶାପ ଦେଲାବେଳେ ଏହା ଟିକିଏ ମାତ୍ର ବିଚାର କଲ ନାହିଁ ?’’
୭୦ଶ ପଦ :- ‘‘ଦଶମୁଖ ବିଂଶବାହୁ ବିଶିଷ୍ଟ କେହି ବିମାନରେ ବସି ସାଉଥିବାବେଳେ, ତା ଆଗରେ ଏକ ଶ୍ରେଷ୍ଠ ମହିଳା ବସି ଶୋକ କରୁଥିଲା ।’’
୭୧ଶ ପଦ :- ‘‘ଆମ୍ଭେ ଏତିକି ମାତ୍ର ଦେଖିଅଛୁ,- ତୁମ୍ଭେ ହୃଦମଧ୍ୟରେ ବିଚାର କର । ଆମ୍ଭଙ୍କୁ ଦେଇଥିବା ଶାପରୁ ମୁକ୍ତି ପାଇବାର ଉପାୟ କହ ।’’ ଏହା କହି ସେମାନେ ବିଶେଷ ଭାବରେ ଭକ୍ତି କଲେ ।
୭୨ଶ ପଦ :- ବାସର-ଦିନ । ହର-ରକ୍ଷାପାଅ । ଆସ୍ପଦ-ସ୍ଥାନ ।
୭୨ଶ ପଦ :- ତାଙ୍କର ଭକ୍ତି ଦେଖି ରାମଚନ୍ଦ୍ର ତାଙ୍କୁ ବର ପ୍ରଦାନ କଲେ, ‘‘ତୁମ୍ଭେ ଦିବସରେ କେବଳ ଏକତ୍ର ହେବ । ରାତ୍ରିରେ ନଦୀର ଦୁଇ କୂଳରେ ଅନ୍ତର ହୋଇ ରହିବ । ତେଣୁ ବିଚ୍ଛେଦ ଘଟିବ ।’’ ରାମଚନ୍ଦ୍ର ଏହି ବର ଦେବାରୁ ପକ୍ଷୀଦୁହେଁ ତତ୍କ୍ଷଣାତ୍ ଫେରିଗଲେ । ଉପେନ୍ଦ୍ର ବାସ୍ତରୀପଦର ସ୍ଥାନ ଏହି ଛାନ୍ଦକୁ କହିଲେ । (ଶେଷ ପଦ ବାସ୍ତରୀ ପଦ ମିଶିଅଛି)