ବସି ବଶିଷ୍ଠଜାବାଳି ବାମଦେବ — ବୈଦେହୀଶ ବିଳାସ (ଦ୍ୱିତୀୟ ଖଣ୍ଡ) — ଉପେନ୍ଦ୍ର ଭଞ୍ଜ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ବସି ବଶିଷ୍ଠଜାବାଳି ବାମଦେବ
ବସି ବଶିଷ୍ଠଜାବାଳି ବାମଦେବ କଶ୍ୟପ ସୁମନ୍ତ୍ର ଘେନି ।ବୋଲେ ଦଶରଥ ମୋର ମନୋରଥ ମଣ୍ଡାଇବି ରାଜଧାନୀ ।ବୀରବୃନ୍ଦରେ ଇନ୍ଦ୍ର ।ବସୁ ନୃପପଦେ ରାମଚନ୍ଦ୍ର । ୧।ବ୍ରହ୍ମା ସର୍ଜନାରେ ବ୍ରହ୍ମାଣ୍ଡେ କାହିଁଛି ଆଉ ମୋ ତନୟ ସରି ।ବାମେ ବାମଦେବ ଧନୁକୁ ଭାଙ୍ଗିଲା ବାମେ ଭୃଗୁପତି ହାରି ।ବସୁପତି ସମସ୍ତ ।ବସୁଁ ସେବିବେ ସେବକ ମତ । ୨।ବୋଇଲେ ସୁମନ୍ତ୍ର ସେ ପୁଣି ଏମନ୍ତ ସୁଝିବେଟି ପିତୃଋଣ ।ବଧକାରକଅନରଣ୍ୟ ରାଜାର ବଧରେ ହେବେ ନିପୁଣ ।ବେଧାବିଧାନ ପୁଣି ।ବୈବସ୍ୱତବଂଶୀ ତୋଷ ଶୁଣି । ୩।ବୁଝିଲେ ଲଗ୍ନ ମଗ୍ନ ହୋଇ ସୁଝିଲେ ମଙ୍ଗଳ ଦାନରେ ତହିଁ ।ବୃହସ୍ପତି ରାଶି ଅଷ୍ଟମେ ବିଳାସୀ ନୃପତି ହୋଇବେ କେହି ।ବାମଦେବ ଉତ୍ତର ।ବକ୍ତା ବଶିଷ୍ଠ ହେବେ ଈଶ୍ୱର । ୪।ବିଷେ କି ପୁଚ୍ଛୁଁ ରାଜା ଦୀର୍ଘେ କହିଲେ ହେବେ ଦିବ୍ୟଭୁତି ଭୋଗୀ ।ବଇଶ୍ରବଣକୁ ଜିଣିବେ ବୁଷ୍ପକ ମଣ୍ଡନେ ହୋଇ ସରାଗୀ ।ବୋଲୁଅଛୁଁ ଏମନ୍ତ ।ବୋଧ ନରଦେବ ଦେବଚିତ୍ତ । ୫।
୧ମ ପଦ :- ବଶିଷ୍ଠ, ଜାବାଳି, ବାମଦେବ, କଶ୍ୟପ, ସୁମନ୍ତ, ଏମାନଙ୍କୁ ଘେନି ସଭାରେ ବସି ଦଶରଥ କହିଲେ, ‘‘ମୋର ଇଚ୍ଛା, ବୀରମାନଙ୍କ ମଧ୍ୟରେ ଶ୍ରେଷ୍ଠ ରାମଚନ୍ଦ୍ର ସିଂହାସନରେ ବସୁ, ସେଥିପାଇଁ ନଗର ମଣ୍ଡାଇବା ।’’
୨ୟ ପଦ :- ‘‘ସଂସାର ମଧ୍ୟରେ ବିଧାତା ସର୍ଜନା ଭିତରେ ମୋ ପୁତ୍ର ସମାନରେ ଆଉ କିଏ ଅଛି କି ? (ଆଉ କେହି ନାହିଁ) । ସେ ବାମହସ୍ତରେ ଶିବଧନୁ ଭାଙ୍ଗିଲା, ପର୍ଶୁରାମ ପ୍ରତିକୂଳ ହୋଇ ତା’ ପାଖରେ ହାରିଗଲେ । ସେ ନୃପତି ପଦରେ ବସିଲେ, ସମସ୍ତ ରାଜା ସେବକପରି ତାକୁ ସେବା କରିବେ ।’’
୩ୟ ପଦ :- ସୁମନ୍ତ୍ର ଏହା ଶୁଣି କହିଲେ, ‘‘ତୁମ୍ଭ ପୂର୍ବ ପୁରୁଷ ଅନରଣ୍ୟ ରାଜାର ବଧକାରକ ରାବଣକୁ ମାରିବା ପାଇଁ ସେ ପୁଣି ସମର୍ଥ ହେବେ । ଏହିପରି ସେ ପିତୃଋଣ ସୁଝିବେଟି କି ? ଏ ତ ବିଧାତାର ବିଧାନ ।’’ ଏହା ଶୁଣି ଦଶରଥ ତୋଷ ହେଲେ ।
୪ର୍ଥ ପଦ :- ସେ ସ୍ଥାନରେ ବସି ବଶିଷ୍ଠାଦି ଋଷିମାନେ ନିବିଷ୍ଟ ଚିତ୍ତରେ ଶୁଭଲଗ୍ନ ବୁଝିଲେ । ମଙ୍ଗଳ ବ୍ୟୟରେ ଥିବାର ସୁଝିଲେ । (ମଙ୍ଗଳକୁ ଖଣ୍ଡିବାର ସୁଝିଲେ) । ରାଶିର ଅଷ୍ଟମରେ ବୃହସ୍ପତି ସ୍ନେହୀ ହୋଇ ରହିଅଛନ୍ତି । ସେ ରାଜା କିପରି ହେବେ ? (ରାମଚନ୍ଦ୍ରଙ୍କର ଧନୁରାଶି, ତାହାର ଅଷ୍ଟମ କର୍କଟ ରାଶି, ତହିଁରେ ବୃହସ୍ପତି ଅଛନ୍ତି । ତେଣୁ ଜନ୍ମ ବୃହସ୍ପତି ହେଲା, ଏ ଲଗ୍ନରେ ରାଜା ହୋଇପାରିବେ ନାହିଁ) । ବାମଦେବ ଏପରି କହନ୍ତେ, ବଶିଷ୍ଠ ଶେଷରେ ଉତ୍ତର ଦେଲେ, ‘‘ସେ ରାଜା ନ ହୋଇ ‘ଈଶ୍ୱର’ ଜଟାଜୂଟଧାରୀ ଓ ବିଭୂତି ଭୂଷିତ ହେବେ ।’’
୫ମ ପଦ :- ଦିବ୍ୟଭୂତିଭୋଗୀ-ଐଶ୍ୱର୍ଯ୍ୟଭୋଗୀ, ଭସ୍ମଭୋଗୀ । ବଇଶ୍ରବଣ-କୁବେର, ରାବଣ । ପୁଷ୍ପକ-ଦେବଯାନ ବିଶେଷ, ରତ୍ନକଙ୍କୁଣ । ନରଦେବ-ରାଜା । ଦେବଚିତ୍ତ-ଦେବତାମାନଙ୍କର ଚିତ୍ତ ।
୫ମ ପଦ :- ବାମଦେବ ଓ ବଶିଷ୍ଠାଦି ଏପରି କଥାବାର୍ତ୍ତା ହୁଅନ୍ତେ ରାଜା ଦଶରଥ ପୁଚ୍ଛା କଲେ, ‘‘କଥା କ’ଣ ?’’ ବଶିଷ୍ଠ ଉଚ୍ଚ ସ୍ୱରରେ କହିଲେ, ‘‘ରାମଚନ୍ଦ୍ର ପ୍ରଭୁ ହୋଇ ଦିବ୍ୟ ସମ୍ପତ୍ତି ଭୋଗ କରିବେ । ସମ୍ପଦର କୁବେରକୁ ଜିଣିଯିବେ, ରତ୍ନକଙ୍କଣ ଭୂଷଣରେ ସ୍ନେହୀ ହେବେ ।’’ ଏହା ଦଶରଥ ବୁଝିଲେ, ମାତ୍ର ବଶିଷ୍ଠଙ୍କ କଥାର ମର୍ମ ଅନ୍ୟ ପ୍ରକାର, ଯଥା-ରାମଚନ୍ଦ୍ର ମହାଦେବଙ୍କ ସମାନ ଉତ୍ତମ ଭସ୍ମ ବୋଳି ହେବେ, ରାବଣକୁ ଜିଣିବେ, ପୁଷ୍ପକଯାନରେ ସରାଗ ସହିତ ବସିବେ । ବଶିଷ୍ଠଙ୍କ ବାକ୍ୟ ଶୁଣି ପ୍ରଥମ ଅର୍ଥ ବୁଝି ନରପତି ଦଶରଥ ସନ୍ତୁଷ୍ଟ ହେଲେ ଓ ଦ୍ୱିତୀୟ ଅର୍ଥ ବୁଝିପାରି ଦେବତାମାନେ ଆନନ୍ଦିତ ହେଲେ ।
ବାର୍ତ୍ତା ପାଇ ମାତାମାନେ ହରଷିତା ସୀତା ତୋଷ ନୁହେଁ କହି ।ବିଧୁ ଦର୍ଶନେ ଯଥା ସିନ୍ଧୁ କଲ୍ଲୋଳ ଅଧିକରେ ଲୋଳ ବହି ।ବେଶ ଅଭିଷେକର ।ବେଳ ଦେଖି ହେବା ସେ ପ୍ରକାର । ୬।ବିଚାରନ୍ତି ତହିଁ ରାଉତ ମାହୁନ୍ତ ରଥୀ ପଦାତିଏ ମିଶି ।ବସିଲେ ରାମ ସିଂହାସନେ ଦ୍ୱିଗୁଣେ ଆମ୍ଭ ଗୁଣେ ଯିବେ ଦିଶି ।ବିବେକ ଏ ପ୍ରକାର ।ବଡ଼ ସୁଖ ଜନ୍ମୁଛି ଆମ୍ଭର । ୭।ବନ୍ଦୀ କେରଳ ଇତ୍ୟାଦି ଭିକ୍ଷୁ ମେଳ ଭାବି ମାଗି ନ ଜାଣିବା ।ବ୍ରାହ୍ମଣକୂଳର ଆକୁଳ ତୁଟିଲା ଇଷିତେ ଯାଜ୍ଞିକ ହେବା ।ବିନା ପୂଜା ଦେବତା ।ବିଚାରିଲେ ହୋଇବା ପୂଜିତା । ୮।ବଞ୍ଚିବେ ପାଞ୍ଚିଲେ ସୁଲଭେ ଧେନୁ ଯେ ହେବେ ଆମ୍ଭକ୍ଷୀରବତୀ ।ବାସବାଦି ଦେବେ ଆମ୍ଭ ବାଦୀ ଏବେ ନାଶ ନୋହିଲା ଏ ମତି ।ବ୍ରହ୍ମା ସମୀପେ ଗଲେ ।ବିଭ୍ରମ ସେ କୈକେୟୀଙ୍କି କଲେ । ୯।ବିପଣୀରେ ଶୁଣି ରାମରାଜା ବାଣୀ ବାହୁଡେ଼ ମନ୍ଥରା ତ୍ୱରା ।ବାରି ଭରିଅଛି ନୟନଯୁଗଳେ ଗଳେ ପ୍ରାଣ ଥିଲା ପରା ।ବୃକ୍ଷ କାଟିଲା ପ୍ରାୟେ ।ବିପତିତ ତା ଅଗ୍ରତେ ହୁଏ । ୧୦ ।
୬ଷ୍ଠ ପଦ :- ‘ରାମଚନ୍ଦ୍ରଙ୍କ ଅଭିଷେକ ହେବ’- ଏହି ବାର୍ତ୍ତା ପାଇ ମାତାମାନେ ଆନନ୍ଦିତା ହେଲେ । ସୀତାଙ୍କର ହର୍ଷ କଥାରେ କହି ହେବ ନାହିଁ । ଚନ୍ଦ୍ର ଦର୍ଶନରେ ଯେପରି ସମୁଦ୍ରର ଲହରୀ ଅଧିକ ଉଛୁଳି ଉଠେ, ସେହିପରି ରାମଙ୍କ ଅଭିଷେକ ବେଳର ବେଶ ଦେଖି ଆମେ ଉଲ୍ଲଷିତା ହେବା’ ମାତାମାନେ ଏହା ଭାବିଲେ ।
୭ମ ପଦ :- ସେହି ନଗରୀର ଅଶ୍ୱାରୋହୀ, ଗଜାରୋହୀ, ରଥରୋହୀ, ପଦାତିକ ସୈନ୍ୟମାନେ ମିଶି ବିଚାର କଲେ, ‘‘ରାମ ସିଂହାସନରେ ବସିଲେ ଆମ୍ଭର ଗୁଣ ଦ୍ୱିଗୁଣ ଦେଖାଯିବ; (ରାମ ଅତ୍ୟନ୍ତ ଗୁଣଗ୍ରାହକ ତେଣୁ ଆମ୍ଭ ଗୁଣକୁ ଭଲରୂପେ ଚିହ୍ନି ପାରିବେ’’ । ପ୍ରଜାମାନେ ବିଚାର କଲେ ‘‘ଆମ୍ଭର ଭାରି ଆନନ୍ଦ ହେଉଛି । (ରାମ ରାଜା ହେଲେ ଆମ୍ଭଙ୍କୁ ସୁଖରେ ପାଳିବେ) ।’’
୮ମ ପଦ :- ବନ୍ଦୀ-ସ୍ତୁତିପାଠକ ବା ଭାଟ । କେରଳ-କେଳାମାନେ ।
୮ମ ପଦ :- ଭାଟ, କେଳା ପ୍ରଭୃତି ଭିକ୍ଷୁକମାନେ ମେଳ ହୋଇ ବିଚାର କଲେ, ‘‘ଆମ୍ଭେମାନେ ତ ଆଉ ମାଗି ଜାଣିବା ନାହିଁ, (ରାମଚନ୍ଦ୍ର ମହାଦାନୀ, ସେ ଯାଚି କରି ଧନ ଦେବେ) । ବ୍ରାହ୍ମଣମାନେ ଧନ ଅଭାବରୁ ଯଜ୍ଞ କରି ନ ପାରି ଯେଉଁ ନିରାଶ ଭାବ ହୃଦୟରେ ରଖିଥିଲେ, ସେ ବ୍ୟାକୁଳତା ତୁଟିଗଲା । ସେମାନେ ଭାବିଲେ, ‘ଆମେ ପ୍ରଚୁର ଧନ ପାଇ ଅଳ୍ପକରେ ଯାଜ୍ଞିକ ହୋଇ ପାରିବା (ଯାଜ୍ଞ କରିପାରିବା) । ଅପୂଜ୍ୟଦେବତା ସବୁ ବିଚାର କଲେ, ‘‘ଆମେ ପୂଜା ପାଇବା ।’’ (ଏହାଦ୍ୱାରା ରାମଚନ୍ଦ୍ର ଦୀନପ୍ରିୟ, ଦ୍ୱିଜପ୍ରିୟ ଓ ଦେବପ୍ରିୟ ବୋଲି ଜଣାଗଲା) ।
୯ମ ପଦ :- ବଲ୍ଲବେ- ଗୋପାଳମାନେ ।
୯ମ ପଦ :- ଗୋପାଳମାନେ ଭାବିଲେ, ‘‘ଆମର ଗାଈମାନେ ବହୁତ ଦୁଧ ଦେବେ ।’’ ବାସବାଦି ଦେବତାମାନେ ପାଞ୍ଚିଲେ, ଆମର ଶତ୍ରୁ ରାବଣ ତ ଆଉ ବିନାଶ ହେବ ନାହିଁ ।’’ ଏହା ପାଞ୍ଚି ସେମାନେ ବ୍ରହ୍ମାଙ୍କ ପାଖକୁ ଗଲେ । ବ୍ରହ୍ମା ବାସବଙ୍କଠାରୁ ସମ୍ବାଦ ଶୁଣି କୈକେୟୀଙ୍କ ଚିତ୍ତ ବିଭ୍ରମ କଲେ ।
୧୦ ମ ପଦ :- ରାମ ରାଜା ହେବା ସମ୍ବାଦ ବଜାରରେ ଶୁଣି ମନ୍ଥରା ଶୀଘ୍ର ଫେରି ଆସିଲା । ନେତ୍ର ଦ୍ୱୟରେ ଲୋତକଜଳ ପୂର୍ଣ୍ଣ କରି କଣ୍ଠାଗ୍ରତ ପ୍ରାଣ ହୋଇ ଆସି କୈକେୟୀଙ୍କ ଅଗ୍ରତରେ ଛିନ୍ନବୃକ୍ଷ ପ୍ରାୟ ପତିତ ହେଲା ।
ବୋଲେ ଟେକି ଏ କି ଭରତିଜନନୀ ? କହୁଅଛି ତହୁଁ ଜବ ।ବଡ଼ ସୁଭାଗୀ ବୋଲାଉରେ ଶୋଭାଙ୍ଗି ଭାଙ୍ଗିଗଲା ତୋ ଗରବ ।ବେର କି ହୁଏ ତୋର ।ବିଷ ପ୍ରାୟେ ଘାରେ ମୋ ଶରୀର । ୧୧।ବିବେକୀ ଧାର୍ମିକ ଶୋଭା ପ୍ରଶଂସାରେ ସଂସାରେ ଜଣେ ନ ଗଣ ।ବାଟୁଳି ଯାହାର ବଜ୍ରରୁ ଅଧିକ କି ବର୍ଣ୍ଣିତା ତାର ବାଣ ।ବିଦିତ ସେ ନନ୍ଦନ ।ବୋଲିବୁ ବା ବୟସରେ ସାନ । ୧୨।ବଳିଷ୍ଠ ଦାନବେ ପୂର୍ବଦେବ କହି ଅନୁଜ ଦେବତା ଇନ୍ଦ୍ର ।ବୋଲାଇ ସପତ୍ନୀ ଯେ ଯାହାର ପ୍ରୀତି କେହି ହୋଇ ନାହିଁ ସାନ୍ଦ୍ର ।ବସା କରି ନୃପତି ।ବୁଦ୍ଧିଥିଲେ ବୋଧି କ୍ଷିତିପତି । ୧୩।ବିହ୍ୱଳିତ ମତି କିତବେ ଅହଲ୍ୟା ଦୂଷଣ ଲଭିଲା ପରି ।ବଦନ ମାଡ଼ି ଶୟନ ସଦନରେ ନୟନରେ ପୂରି ବାରି ।ବିଜେ ନୃପ ଏକାଳେ ।ବନ୍ଧୁ ବନ୍ଧୁ ବୋଲିଣ ଡାକିଲେ । ୧୪।ବିଷବୈଦ୍ୟ ପଦ ନ ମାନିଲା ପ୍ରାୟେ ସହଜେ ଭୋଗିନୀ ସେହି ।ବହ୍ନି ସେନେହରେ ପତଙ୍ଗ ପ୍ରକାରେ ପାଶେ ପରବେଶ ତହିଁ ।ବୋଧେ ଚିବୁକ ଧରି ।ବିନା ଦୋଷେ ପ୍ରଣୟିନି ଗୋରି । ୧୫।୧୧ଶ ପଦ :- ଜବ-ଶୀଘ୍ର । ବେର-ଶରୀର, ଦେହ ।
୧୧ଶ ପଦ :- ଭରତ ଜନନୀ କୈକେୟୀ ତାକୁ ଦେଖି ଉଠାଇ କହିଲେ, ‘‘କଥା କ’ଣ ?’’ ଏହା ଶୁଣି ସେ ବେଗରେ କହିଲା, ‘‘ରେ ଶୋଭାଙ୍ଗି ତୁ ପରା ରଜାର ବଡ଼ ସୁଆଗୀ ବୋଲାଉ, ତୋର ସେ ଗର୍ବ (ସେ ସୁଆଗୀପଣ) ଏବେ ଭାଙ୍ଗିଗଲା । ତୋ ଦେହ କ’ଣ ହୁଏ, ତା’ ତୁ ଜାଣୁ, ମାତ୍ର ମୋ ଦେହ ବିଷ ଖାଇଲା ପରି ଘାରି ହେଉଛି ।’’
୧୨ଶ ପଦ :- ‘‘ତୋର ପୁତ୍ର ବିଚାରବନ୍ତ, ଧାର୍ମିକ ଅଟେ । ତା’ ସମାନ ସୁନ୍ଦର ଏ ସଂସାରରେ ଆଉଜଣେ ଅଛି ବୋଲି ମୁଁ ଗଣନା କରୁନାହିଁ । ଯାହାର ବାଟୁଳି ବଜ୍ରରୁ ବେଶି ଟାଣ, ତା’ର ଶରକଥା ବା କ’ଣ ବର୍ଣ୍ଣନା କରିବି ? ସେ ପୁତ୍ର ପ୍ରସିଦ୍ଧି ଲଭିଅଛି । ତୁ ବା କହିବୁ ସେ ବୟସରେ ସାନ ଅଟେ, ମାତ୍ର ତାହା ଯୁକ୍ତିଯୁକ୍ତ ନୁହେଁ ।’’
୧୩ଶ ପଦ :- ପୂର୍ବଦେବ- ଅସୁରମାନେ । ଅନୁଜ-କନିଷ୍ଠ । କ୍ଷିତିପତି-ରାଜା ।
୧୩ଶ ପଦ :- ବଳିଷ୍ଠ ଦୈତ୍ୟମାନେ ଅଗ୍ରଜ ହେଲେହେଁ ସାନଭାଇ ଦେବତା ଇନ୍ଦ୍ର ଅର୍ଥାତ୍ ସ୍ୱର୍ଗର ରାଜା ହେଲେ । ସେହିପରି ତୋ ପୁତ୍ର ସାନ ହେଲେ ମଧ୍ୟ ରାଜା ହୋଇପାରେ । ସଉତୁଣୀମାନେ କେବେହେଲେ ସ୍ନେହର ଗାଢ଼ ବନ୍ଧନରେ ଏକତ୍ର ରହି ପାରନ୍ତି ନାହିଁ । ତୋର ବୁଦ୍ଧି ଥିଲେ ତୁ ରାଜାଙ୍କୁ ମନାଇ ପୁତ୍ରକୁ ସିଂହାସନରେ ବସା ।’’
୧୪ଶ ପଦ :- କିତବ-କପଟ । ଦୂଷଣ-ନିନ୍ଦା ।
୧୪ଶ ପଦ :- ଗୌତମ ପତ୍ନୀ ଅହଲ୍ୟା ଇନ୍ଦ୍ରର ମନ୍ତ୍ରଣାରେ ପଡ଼ି ବିଚଳିତ ମତି ହୋଇ ନିନ୍ଦା ପାଇଲା ପ୍ରାୟ, କୈକେୟୀଙ୍କ ବୁଦ୍ଧି ମନ୍ଥରାର ମନ୍ତ୍ରଣାରେ ବିଚଳିତ ହେଲା । (ପରେ ସେ ନିନ୍ଦା ପାଇବେ) ସେ ଗୃହମଧ୍ୟରେ ଲୋତକପୂର୍ଣ୍ଣ ଚକ୍ଷୁରେ ମୁହଁ ତଳେ ମାଡ଼ି ଶୟନ କଲେ । ସେହି ସମୟରେ ନୃପତି ବିଜେ କରି ‘ବନ୍ଧୁରେ ବନ୍ଧୁ’ ବୋଲି ଡାକିଲେ ।
୧୫ଶ ପଦ :- ବିଷବୈଦ୍ୟ-କେଳା । ଭୋଗୀନୀ- ସର୍ପିଣୀ, ପଟ୍ଟମହିଷୀ-ବ୍ୟତୀତ ରାଜାଙ୍କର ଅନ୍ୟ ସ୍ତ୍ରୀ । ବହ୍ମି-ନିଆଁ ।
୧୫ଶ ପଦ :- ‘ଭୋଗିନୀ’ ସର୍ପିଣୀ ସାପୁଆ କେଳାର ମନ୍ତ୍ର ପଦକୁ ନ ଶୁଣିଲା ପରି ସେ ‘ଭୋଗିନୀ’ ରାଜରାଣୀ କୈକେୟୀ ଦଶରଥଙ୍କ ଡାକ ଶୁଣିଲେ ନାହିଁ । ଅଗ୍ନିକୁ ସ୍ନେହ କରି ପତଙ୍ଗ ତହିଁରେ ପ୍ରବେଶ କଲା ପ୍ରାୟ ରାଜା ତାଙ୍କ ପାଖରେ ପ୍ରବେଶ ହେଲେ । (ପତଙ୍ଗ ଅଗ୍ନିରେ ପଡ଼ି ବିନାଶ ହୁଏ, ରାଜା ଭବିଷ୍ୟତରେ ସେହି କୈକେୟୀ ଯୋଗୁଁ ବିନାଶ ହେବେ) । ପରେ କୈକେୟୀଙ୍କ ଚିବୁକ ଧରି କହିଲେ, ‘‘ହେ ପ୍ରଣୟିନି ! ହେ ଗୋରି ! ବିନା ଦୋଷରେ ଏ ଅଭିମାନ କାହିକି ?’’ (ଅଥବା ହେ ଗୋରି ! ଦୋଷ କରିଥିଲେ ମଧ୍ୟ ତୁ ପ୍ରଣୟିନୀ ହେଉ, ଏବେ ବିନା ଦୋଷରେ ରୁଷ୍ଟା ହୋଇଛୁ କାହିଁକି ?)
ବିପ୍ରେ ଇନ୍ଧନଦେବୀ ମନ୍ତ୍ରେ ପୂଜିଲେ ସେ ଯଥା ନ କହେ କଥା ।ବଇଦ ହୋଇଲା ପ୍ରାୟେ ସ୍ୱପନରେ ବସି ନ ଟେକିଲା ମଥା ।ବାରେ ମୋତେ ତୁ ଚାହାଁ ।ବନ୍ଧୁ ଦେବି ମୁଁ ମାଗିବୁ ଯାହା । ୧୬।ବୋଲୁଁ ନରପତି ବୋଇଲା ଯୁବତି ତିନିବାର ସତ୍ୟ କଲେ ।ବୃକାସୁର ତାହା କର ନିଜ ଶିରେ ଯଥା ଦେଲା ହରି ବୋଲେ ।ବିଧି କଲେ ନୃପତି ।ବିଶ୍ୱମୋହିନୀ ନାରୀଙ୍କ ପ୍ରୀତି । ୧୭ ।ବାହିଲି ରଥ ସ୍ତିରୀ ହୋଇ ଶମ୍ବର ସମରେ ନାହିଁ କି ମନ ।ବିହିଲ ସତ୍ୟ ସୂତ ହୋଇ ତୋଷିଲୁ ତୋ ସୂତ ହେବ ରାଜନ ।ବାଳ ବାଲୁକା ଖେଳ ।ବିଧିରେ ତ ଆନ ତୁମ୍ଭ ବୋଲ । ୧୮।ବସୁଧାପତି ପଦ ରାମେ ଉଚିତ ନୋହେ ସେ ଜାମାତା ତାର ।ବନେ ହରୁ ଦିନ ଚଉଦବରଷ ପୁତ୍ର ରାଜା ହେଉ ମୋର ।ବାମା ବଚନ ଶୁଣି ।ବିଜ୍ଞାନ ସେ ଜ୍ଞାନ କହେ ବାଣୀ । ୧୯।ବିରୋଚନ ନାରୀ ଛଦ୍ମେ ହୋଇ ହରି ତା ଜୀବ ଯେମନ୍ତ ହରି ।ବଧ ସଧ କରି ମୋର ସେହିରୂପେ ତୁହି ଥିଲୁ ଅବତରି ।ବୋଲି ଏତେ ମଉନ ।ବିଭୋଜନେ ହରିଲେ ସେ ଦିନ । ୨୦।୧୬ଶ ପଦ :- ଇନ୍ଧନଦେବୀ-କାଷ୍ଠ ନିର୍ମିତ ଦେବୀ ।
୧୬ଶ ପଦ :- ବ୍ରାହ୍ମଣମାନେ କାଷ୍ଠର ଦେବୀ ପ୍ରତିମାକୁ ମନ୍ତ୍ରପଢ଼ି ପୂଜାକଲେ, ସେ ଯେପରି କଥା କହେ ନାହିଁ ଏବଂ ସ୍ୱପ୍ନରେ ବର ଦାନ କରିଥାଏ, ସେହିପରି କୈକେୟୀ ଉଠି ବସିଲା, ମାତ୍ର ମସ୍ତକ ଟେକିଲା ନାହିଁ । ତାହା ଦେଖି ରାଜା କହିଲେ, ‘‘ରେ ବନ୍ଧୁ ! ଥରେ ମୋତେ ତୁ ଚାହାଁ । ତୁ ଯାହା ମାଗିବୁ ମୁଁ ତାହା ଦେବି ।’’
୧୭ଶ ପଦ :- ଦଶରଥ ଏପରି କହନ୍ତେ, ଯୁବତୀ କୈକେୟୀ କହିଲା, ‘‘ସତ୍ୟ କର ।’’ ନୃପତି ତିନିବାର ସତ୍ୟକଲେ । ଯେପରି ହରିଙ୍କ କଥା ମାନି ବୃକାସୁର ଆପଣା ମସ୍ତକରେ ନିଜର କର ଦେଲା, (ବୃକାସୁର ମହାଦେବଙ୍କଠାରୁ ବର ପାଇଥିଲା ଯେସେ ଯାହା ମୁଣ୍ଡରେ ହାତ ଦେବ, ସେ ଭସ୍ମ ହୋଇଯିବ, ବିଷ୍ଣୁଙ୍କ କୌଶଳରେ ନିଜେ ନିଜ ମୁଣ୍ଡରେ ହାତ ଦେଇ ଭସ୍ମ ହୋଇଥିଲା) କୈକେୟୀ ବୋଲରେ ଦଶରଥ ସେହିପରି କଲେ । (ନିଜେ ମରିବାର ବାଟ କଲେ) ରମଣୀମାନଙ୍କ ପ୍ରୀତି ବିଶ୍ୱମୋହିନୀ ଅଟେ ।
୧୮ଶ ପଦ :- ଦଶରଥ ସତ୍ୟ କରିବାକୁ କୈକେୟୀ କହିଲେ, ‘‘ସମ୍ବରାସୁରର ଯୁଦ୍ଧରେ ମୁଁ ସ୍ତ୍ରୀ ହୋଇ ସୁଦ୍ଧା ସୂତରୂପେ ତୁମ୍ଭର ରଥ ଚଳାଇଲି; ତା’ କ’ଣ ମନେନାହିଁ । ତୁମ୍ଭେ ସେତେବେଳେ ସତ୍ୟ କରିଥିଲ, ତୁ ‘ସୁତ’ ସାରଥି ହୋଇ ମୋତେ ଖୁସି କରିଅଛୁ, ତୋର ‘ସୁତ’ ପୁତ୍ର ରାଜା ହେବ । ପିଲାଙ୍କର ଧୂଳିଘର ଖେଳ ସମାନରେ ତୁମ୍ଭ ସତ୍ୟ ଅନ୍ୟଥା ହେଲା । (ମୋ ପାଖରେ ସତ୍ୟ କରି ରାମଙ୍କୁ ରାଜା କରୁଅଛ) ।’’
୧୯ଶ ପଦ :- ବସୁଧାପତି ପଦ-ରାଜପଦ । ଜାମାତା-ଜ୍ୱାଇଁ । ବିଜ୍ଞାନ-ଜ୍ଞାନଶୂନ୍ୟ । ଜ୍ଞାନେ-ସଂଜ୍ଞା ପାଇ ।
୧୯ଶ ପଦ :- ପୁଣି ମହୀପତି ହେବା ରାମ ପକ୍ଷରେ ଉଚିତ ନୁହେଁ । କାରଣ, ରାମ ପୃଥିବୀର ଜାମାତା (ସୀତା ପୃଥିବୀରୁ ଜାତ,- ଜୂଆଇଁ ହୋଇ ଶାଶୁର ପତି କିପରି ହେବ ?) । ସେ ଚଉଦବର୍ଷ ବନରେ ଦିନ କଟାଉ, ମୋର ପୁତ୍ର ରାଜା ହେଉ ।’’ କୈକେୟୀଙ୍କ ଏହି ବଚନ ଶୁଣି ରାଜା ଅଜ୍ଞାନ ହୋଇ ପଡ଼ିଲେ । ପରେ ଜ୍ଞାନ ଲାଭ କରି କହିଲେ :-
୨୦ଶ ପଦ :- ଛଦ୍ମେ -କପଟରେ । ସଧ- ଇଚ୍ଛା ବା କାମନା । ବିଭୋଜନେ-ଅନାହାରରେ ।
୨୦ଶ ପଦ :- ‘‘ଯେପରି ବିଷ୍ଣୁ କପଟରେ ବିରୋଚନ ରାକ୍ଷସର ନାରୀ ହୋଇ ତା’ର ପ୍ରାଣ ବିନାଶ କରିଥିଲେ, ସେହିପରି ତୁ ମୋର ମୃତ୍ୟକୁ ଶ୍ରଦ୍ଧା କରି ଜନ୍ମ ହୋଇଥିଲୁ ।’’ ଏତେ କହି ସେ ମୌନ ହେଲେ । ସେ ଦିନ ଉପବାସରେ ରହିଲେ ।
ବେଳାକୁ ନ ଲଙ୍ଘେ ସତ୍ୟେ ପାରାବାର ଯଥା ତାକୁ ନ ଲଙ୍ଘିଲା ।ବିଷଭକ୍ଷଣେ ବିରୁପାକ୍ଷ ପରାୟେ ମୂକେ ସମ୍ମତ ଦିଶିଲା ।ବଡ଼ ସନ୍ତୋଷ ରାଣୀ ।ବିଜ୍ଞ ଶ୍ରୀରାମ ଡ଼କାଇ ଆଣି । ୨୧।ବଦିଲା ପ୍ରଥମେ ପିତାର ସତ୍ୟକୁ ରଖିବ କି ନାହିଁ ସାଧୁ ।ବଂଶେ ଯାହାର ଭଗୀରଥ ସମ୍ଭବ ଉଦ୍ଧରିଲେ ପିତୃ ଦଗ୍ଧୁଁ ।ବୋଲେ ରାମ ବହନ ।ବିଷୟ କି କର ଅବଧାନ । ୨୨।ବନେ ତୁମ୍ଭେ ଯିବ ଭରତ ହୋଇବ କୋଶଳପତି କୁଶଳେ ।ବେଶକୁ ଇଙ୍ଗୁଦୀ ରୁଦ୍ରାକ୍ଷ ବିଭୁତି ଥୋଇଦେଲା ଆଣି ତଳେ ।ବାଳିଶା ଯେ ମନ୍ଥରୀ ।ବେଗେ ଶ୍ରୀରାମ ସମ୍ମତି କରି । ୨୩।ବୈଦେହୀ ଲକ୍ଷ୍ମଣ ପ୍ରବେଶ ତକ୍ଷଣ ସଙ୍ଗେ ଯିବାକୁ ଆତୁରେ ।ବଶିଷ୍ଠାଦି ପାତ୍ରେ ପ୍ରବେଶ ହୋଇଣ ଦଶରଥଙ୍କୁ ପଚାରେ ।ବିଭାବରୀ ପ୍ରାନ୍ତରେ ।ବିଭୁ ହୁଅନ୍ତେ ପରା ରାଜ୍ୟରେ । ୨୪।ବିଭାକରକୁଳେ ନାସତ୍ୟ ହୋଇଲି ସତ୍ୟ କରିବାରେ ମୁହିଁ ।ବିବେକ ମୋର କୈକେୟୀ ପୂର୍ବଜନ୍ମେ ପିଶାଚୀ ଥିଲା କି ହୋଇ ।ବାକ୍ୟ ଯେତେ ମୁଖରେ ।ବୈଶ୍ୱାନରହିଁ ଜଳେ ତହିଁରେ । ୨୫।୨୧ ଶ ପଦ :- ପାରାବାର-ସମୁଦ୍ର । ବେଳା-ତଟଭୂମି । ବିରୂପାକ୍ଷ-ମହାଦେବ ।
୨୧ଶ ପଦ :- ସମୁଦ୍ର ଯେପରି ସତ୍ୟରେ କୂଳକୁ ଲଙ୍ଘେ ନାହିଁ, ସେହିପରି ରାଜା ସତ୍ୟକୁ ଲଙ୍ଘିଲେ ନାହିଁ । ମହାଦେବ ବିଷ ଭକ୍ଷଣ ସମୟରେ ମୌନ ହୋଇ ରହିଲା ପରି (ମୌନ ରହିବାରୁ ବିଷ ଭକ୍ଷିବାକୁ ସମ୍ମତ ଥିବାର ପ୍ରକାଶ ପାଇଲା) ଦଶରଥ ତୁନୀହୋଇ ରହିବାରୁ ତାଙ୍କର ସମ୍ମତି ପ୍ରକାଶ ପାଇଲା । ରାଣୀ ତାହା ଜାଣିପାରି ବଡ଼ସନ୍ତୋଷ ହେଲେ ଏବଂ ଜ୍ଞାନୀ ରାମଚନ୍ଦ୍ରଙ୍କୁ ଡକାଇ ଆଣିଲେ ।
୨୨ଶ ପଦ :- ରାମଚନ୍ଦ୍ର ଆସିବାରୁ କୈକେୟୀ ପ୍ରଥମରୁ କହିଲେ, ‘‘ହେ ସାଧୁ ! ତୁମ୍ଭେ ପିତାଙ୍କ ସତ୍ୟକୁ ରଖିବ କି ନାହିଁ ? ଯାହାର ବଂଶରେ ଭଗୀରଥ ଜାତ ହୋଇ (କପିଳମୁନିଙ୍କ କୋପ ନଳରେ) ଦଗ୍ଧ ହେଉଥିବା ପିତ୍ରୃଲୋକଙ୍କୁ ଉଦ୍ଧରିଥିଲେ, ତୁମ୍ଭେ ସେହି ବଂଶରେ ଜନ୍ମ ହୋଇଅଛ ।’’ ଏହି ଶୁଣି ରାମ ଚଞ୍ଚଳ କହିଲେ, ‘‘କଥା କଅଣ ? ମୋତେ କୁହ ।’’
୨୩ଶ ପଦ :- କୋଶଳପତି-ଅଯୋଧ୍ୟାରାଜା । ଇଙ୍ଗୁଦୀ-ତୈଳପ୍ରସୁ ବୃକ୍ଷ ବିଶେଷ ।
୨୩ଶ ପଦ :- ରାମଙ୍କ ପ୍ରଶ୍ନ ଶୁଣି କୈକେୟୀ ଉତ୍ତର ଦେଲେ, ‘‘ତୁମ୍ଭେ ବନକୁ ଯିବ, ଭରତ କୁଶଳରେ ଅଯୋଧ୍ୟାର ରାଜା ହେବ ।’’ ସେହି ସମୟରେ ପାପିଷ୍ଠା ମନ୍ଥରା ତପସ୍ୱୀ ବେଶ ହେବା ନିମିତ୍ତ ଇଙ୍ଗଦୀ ଓ ରୁଦ୍ରାକ୍ଷର ମାଳା, ଭସ୍ମ ଆଣି ତଳେ ଥୋଇଦେଲା । ଶ୍ରୀରାମ ସମ୍ମତି ପ୍ରକାଶ କଲେ ଅର୍ଥାତ୍ ସେ ମାଳା ଓ ଭସ୍ମ ଗ୍ରହଣ କଲେ ।
୨୪ ଶ ପଦ :- ବିଭାବରୀ-ରାତ୍ରି । ପ୍ରାନ୍ତରେ-ଶେଷରେ । ବିଭୁ-ରାଜା ।
୨୪ଶ ପଦ :- ରାମଚନ୍ଦ୍ର ବନକୁ ଯିବା ଶୁଣି ସୀତା ଓ ଲକ୍ଷ୍ମଣ ଦୁହେଁ ତାଙ୍କ ସହିତ ବନକୁ ଯିବା ପାଇଁ ବ୍ୟାକୁଳ ଭାବରେ ସେଠାରେ ପ୍ରବେଶ କଲେ । ସେହି ସମୟରେ ବଶିଷ୍ଠାଦି ପାତ୍ରମାନେ ପହଞ୍ଚି ଦଶରଥଙ୍କୁ ପଚାରିଲେ, ‘‘ରାତ୍ରର ଶେଷରେ ରାମ ରାଜ୍ୟରେ ପ୍ରଭୁ ହେବେ ପରା ?’’ ( ଏ ତପସ୍ୱୀ ବେଶ କାହିଁକି ହେଲେ) ?
୨୫ଶ ପଦ :- ବିଭାକରକୂଳେ-ସୂର୍ଯ୍ୟବଂଶରେ । ନାସତ୍ୟ-ଅଶ୍ୱିନୀ କୁମାର ଅର୍ଥାତ୍ ଘୋଡ଼ାମୁହାଁ ପୁଅ । ବୈଶ୍ୱାନର-ଅଗ୍ନି ।
୨୫ଶ ପଦ :- ରାଜା ଉତ୍ତର ଦେଲେ, ‘‘ସୂର୍ଯ୍ୟବଂଶରେ ମୁଁ ସତ୍ୟ କରିବାରେ ‘ଅଶ୍ୱିନୀ କୁମାର’ ଅର୍ଥାତ୍ ଘୋଡ଼ାମୁହାଁ ହେଲି (କୁଳ ନାଶବେଳେ ଘୋଡ଼ାମୁହାଁ ପୁଅ ଜାତ) । ମୋର ମନେହୁଏ, ପୂର୍ବ ଜନ୍ମରେ କୈକେୟୀ ପିଶାଚୀ ହୋଇଥିଲା । ପିଶାଚୀ ମୁଖରୁ ଅଗ୍ନି ନିର୍ଗତ ହେଲା ପ୍ରାୟ କୈକେୟୀ ମୁଖରୁ ଯେତେ କଥା ବାହାରେ, ତହିଁରେ ଅଗ୍ନି ଜଳୁଅଛି । (ସେ କଥା ଅଗ୍ନି ପ୍ରାୟ ଦଗ୍ଧ କରୁଅଛି) ।
ବିଦୁଷେ ଧୀରେ ରାଜା ଗିରେ କହିଲେ ଏ କଥା ପ୍ରମାଣ ହେବ ।ବାହୁଜବ୍ରତ ଫଳଦ ଧର୍ମଦତ୍ତ ଦେବ ଦରଶନେ ଥିବ ।ବଇକୁଣ୍ଠ ପ୍ରତିମ ।ବସତିରେ ଦେବୀ ହେଲା କ୍ଷମ । ୨୬।ବଧିରା ପ୍ରାୟେ ଯହିଁ ଲୟ ଆବେଶ ତହିଁ ସେ କାହିଁ ନ ରସେ ।ବହନ ଗହନଗାମୀ ହେଉ ରାମ ଶିଶୁପାଠ ପରା ଘୋଷେ ।ବଳିଭୁଜ ଯେସନ ।ବନପ୍ରିୟମଧ୍ୟେ କରେ ସ୍ୱନ । ୨୭।ବଂଶନଳୀରେ ରଖି ଲେଖି ବସନ ଦେଲେ ସୀତା ପାଇଁ ଆଣି ।ବହିଲେ ସେ ପାତ୍ର ଲକ୍ଷ୍ମଣ ଇକ୍ଷ୍ୱାକୁ କୁଳର ଯେ ଚୂଡ଼ାମଣି ।ବାହାରିଲେ ସେ ତିନି ।ବଧୂ ବୋଧନ୍ତି ରାମଜନନୀ । ୨୮।ବିପିନରେ ପୀନଉରଜା ଅପୂର୍ବ ଦ୍ରବ୍ୟ ଦେଖି ନ ମାଗିବୁ ।ବେନି ସହୋଦର ମଧ୍ୟରେ ଆଦର ବିପଥରେ କରିଥିବୁ ।ବାଷ୍ପେ ତିନ୍ତିଲା ଉର ।ବାଣୀ ନ ସ୍ଫୁରେ କଣ୍ଠୁ ତାଙ୍କର । ୨୯।ବୋଇଲେ ସୁମିତ୍ରା ପୁତ୍ରେ ସେବିଥିବୁ ଶ୍ରୀରାମ ମାନସ ଜାଣି ।ବିନିଦ୍ରେ ସର୍ବ ଶର୍ବରୀକି ହରିବୁ ହୋଇ ଧନୁଶରପାଣି ।ବଧୂ ଯାଉଛି ସଙ୍ଗେ ।ବଡ଼ମାୟାବୀ ରାକ୍ଷସପୁଙ୍ଗେ । ୩୦।୨୬ଶ ପଦ :- ବିଦୁଷେ-ପଣ୍ଡିତମାନେ ।
୨୬ଶ ପଦ :- ରାଜାଙ୍କ କଥା ଶୁଣି ପଣିତମାନେ (ବଶିଷ୍ଠାଦି ପାତ୍ରମାନେ) ଧୀର ଭାବରେ କହିଲେ, ‘‘ଏ ଯାହା କହିଲ, ତା’ ପ୍ରମାଣ । ଧର୍ମଦତ୍ତ ବ୍ରାହ୍ମଣ ଦେବ ଦର୍ଶନକୁ ଗଲାବେଳେ କାର୍ତ୍ତିକବ୍ରତ ଫଳ ପିଶାଚୀକୁ ଦାନ କରିଥିଲେ । ବୋଧହୁଏ ସେହି ଫଳ ଲାଭ ହେତୁ କୈକେୟୀ ବୈକୁଣ୍ଠ ସଦୃଶ ଅଯୋଧ୍ୟା ନଗରୀରେ କୁଶଳରେ ବାସ କଲା ।’’
୨୭ଶ ପଦ :- ଗହନଗାମୀ-ବନଗାମୀ । ବଳିଭୁକ-କୁଆ । ବନପ୍ରିୟ-କୋକିଳ ।
୨୭ଶ ପଦ :- ଯେପରି ବଧିରା ସ୍ତ୍ରୀର ମନ ଯେଉଁଥିରେ ଲାଗିଥାଏ, ସେ ସେହି ବିଷୟରେ ରତ ଥାଏ, ଆଉ କାହିଁରେ ରସେ ନାହିଁ; ସେହିପରି କୈକେୟୀ ‘ରାମ ଶୀଘ୍ର ବନକୁ ଯାଉ’ କେବଳ ଏହିକଥା ଶିଶୁ ପାଠ ଘୋଷିଲା ପ୍ରାୟ କାକ ଯେପରି କୋକିଳଙ୍କ ମଧ୍ୟରେ ରାବ କରେ ସେହିପରି ସଉତୁଣୀଙ୍କ ମଧ୍ୟରେ ଘୋଷି ହେଲା ।
୨୮ଶ ପଦ :- କୈକେୟୀ ବାଉଁଶ ନଳରେ ରଖି ସୀତାଙ୍କର ପିନ୍ଧିବା ପାଇଁ ଚଉଦ ବର୍ଷ ଲାଗି ଲୁଗାମାନ ଆଣି ଦେଲା । ଈକ୍ଷ୍ୱାକୁବଂଶର ଶିରୋମଣି ରାମଚନ୍ଦ୍ର ଓ ଲକ୍ଷ୍ମଣ ‘ଇକ୍ଷ୍ୱାକୁପାତ୍ର’ ତୁମ୍ବାପାତ୍ର ଓ ଲୁଗାଥିବା ବାଉଁଶ ନଳୀ ଧଇଲେ । ରାମ, ଲକ୍ଷ୍ମଣ ଓ ସୀତା ତିନିଜଣ ବନକୁ ଯିବାକୁ ବାହାରିଲେ । ତାହା ଦେଖି ଶ୍ରୀରାମଙ୍କ ମାତା କୌଶଲ୍ୟା ବଧୂ ସୀତାଙ୍କୁ ବୋଧକରି କହିଲେ, -
୨୯ଶ ପଦ :- ପୀନଉରଜା-ପୃଥିବୀ ସମ୍ଭୁତା ।
୨୯ଶ ପଦ :- ‘‘ଗୋ ପୃଥିବୀସମ୍ଭୂତା ସୀତେ ! ଅରଣ୍ୟ ମଧ୍ୟରେ ଅପୂର୍ବ ପଦାର୍ଥ ଦେଖିଲେ ମାଗିବୁ ନାହିଁ । (କୌଣସି ଅପୂର୍ବ ଜିନିଷ ପ୍ରତି ଆଶା କରିବୁ ନାହିଁ) । ଦୁର୍ଗମ ପଥରେ ଗଲାବେଳେ ରାମ ଓ ଲକ୍ଷ୍ମଣ ବେନି ସହୋଦରଙ୍କ ମଧ୍ୟରେ ଯିବୁ । (ତାଙ୍କ ପାଖରୁ ଅଲଗା ହେବୁ ନାହିଁ) ।’’ ଏହା କହୁ କହୁ ଲୋତକରେ ତାଙ୍କର ବକ୍ଷ ତିନ୍ତିଗଲା । ଶୋକରେ ପ୍ରାବଲ୍ୟ ହେତୁ ପାଟିରୁ କଥା ବାହାରିଲା ନାହିଁ ।
୩୦ଶ ପଦ :- ଶର୍ବରୀ-ରାତ୍ରି । ମାୟାବୀ-କପଟୀ । ରାକ୍ଷସ ପୁଙ୍ଗେ-ରାକ୍ଷସ ସମୁହ ।
୩୦ଶ ପଦ :- ସୁମିତ୍ରା ତାଙ୍କ ପୁତ୍ର ଲକ୍ଷ୍ମଣଙ୍କୁ କହିଲେ, ‘‘ରାମର ମନ ଜାଣି ସେବିଥିବୁ । ସମସ୍ତ ରାତ୍ରି ଅନିଦ୍ରାରେ ରହି ଧନୁଶର ଧରିୁ ଜଗି ବସିଥିବୁ ! ବଧୁ ସୀତା ସଙ୍ଗତରେ ଯାଉଛି । ବନରେ ବଡ଼ ମାୟାବୀ ରାକ୍ଷସମାନେ ଅଛନ୍ତି । (ତେଣୁ ସର୍ବଦା ଧନୁଶର ଧରି ଜଗି ରହିଥିବୁ) ।
ବିମାନେ ବସାଇ ନେବାରେ ସୁମନ୍ତ୍ର ଯିବାରେ ଦେଖିଲେ ଜନେ ।ବିସ୍ମୟ ହୋଇଲେ ପଛେ ଗୋଡ଼ାଇଲେ ନିନ୍ଦା ବିହିଲେ ରାଜନେ ।ବୃଦ୍ଧ ସମୟେ କିପାଁ ।ବାମାଠାରେ ଏଡେ଼ ଅନୁକମ୍ପା । ୩୧।ବୈଶାଖ ହୋଇଲା ମନ୍ଥରା ଅଯୋଧ୍ୟା-ଭାଣ୍ଡେ ଥିଲା କ୍ଷୀର ପୂରି ।ବଲ୍ଲବୀ କୈକେୟୀ ମନ୍ଥନରୁ ନବନୀତ ବିଶେଷ ବାହାରି ।ବନବାସିଙ୍କି ଦେଇ ।ବହୁଲୋଚନ ଅଶନ ପାଇଁ । ୩୨।ବାକି ମନ୍ଦପଣତକ୍ରଚକ୍ର ଥୋଇ ହୃଦ ପିଞ୍ଜରେ ଆସକ୍ତେ ।ବ୍ୟକ୍ତ ଲୋକରେ ଶ୍ରବଣେ ପାନ କରି ଛି ଛି ତ କରିବେ ତିକ୍ତେ ।ବୋଲାବୋଲି ଏମନ୍ତ ।ବିରକତେ ସମସ୍ତ ଶୋକିତ । ୩୩।ବୃକ୍ଷରାଜ ପରି ସାକେତ ନଗରୀ କରି ଅଲକ୍ଷ୍ମୀ ଆଶ୍ରିତ ।ବାର ରବିର କୈକେୟୀ ଆୟତ୍ତରୁ ଅସ୍ପରଶ ହେଲା ମତ ।ବଳ ଦଳ ଚଳନ ।ବଶ ମନ୍ଥରା କରିଣୀ ମନ । ୩୪।ବଳି ତାମସୀ ନଦୀକି ବନେ ପଶି ସେ ଦିନ ତହିଁ ରହିଲେ ।ବାର୍ତ୍ତା ପାଇ ଶୃଙ୍ଗବେର ପତି ମିଳେ ପୁଚ୍ଛୁଁ ସୁମନ୍ତ୍ର କହିଲେ ।ବୋଲେ ଶବରଈଶ ।ବାଣ୍ଟି ନ ଦେଲେ କିପାଇଁ ଦେଶ ? । ୩୫।ସପ୍ତଦଶ ଛାନ୍ଦ୩୧ଶ ପଦ :- ବାମା-ସ୍ତ୍ରୀ, ଭାର୍ଯ୍ୟା । ଅନୁକମ୍ପା-ଦୟା ।
୩୧ଶ ପଦ :- ତତ୍ପରେ ସୁମନ୍ତ୍ର ମନ୍ତ୍ରୀ ରାମ, ଲକ୍ଷ୍ମଣ ଓ ସୀତାଙ୍କୁ ବିମାନରେ ହସାଇ ବନକୁ ନିଅନ୍ତେ ଲୋକମାନେ ତାହା ବିସ୍ମିତ ହୋଇ ଦେଖିଲେ । ରଥ ପଛରେ ଗୋଡ଼ାଇ ଗୋଡ଼ାଇ ଯାଇ ରାଜାଙ୍କୁ ନିନ୍ଦା କରି କହିଲେ, ‘‘ଏ ବୁଢ଼ା ଦିନେ ରାଜାର ସ୍ତ୍ରୀଠାରେ ଏତେ ଅନୁଗ୍ରହ କାହିଁକି ହେଲା ?’’
୩୨ଶ ପଦ :- ବୈଶାଖ-ଖୁଆଦଣ୍ଡ ବା ମନ୍ଥନ ଦଣ୍ଡ । ବଲ୍ଲବୀ-ଗୋପାଳୁଣୀ । ନବନୀତ-ଲହୁଣୀ । ଅଶନ-ଭୋଜନ ।
୩୨ଶ ପଦ :- ‘କୈକେୟୀ ଗୋପଳୁଣୀରୂପରେ ମନ୍ଥରା ରୂପ ଖୁଆଦଣ୍ଡଦ୍ୱାରା ଅଯୋଧ୍ୟା ଭାଣ୍ଡରେ ଥିବା ସ୍ନେହ ସୌହାର୍ଦ୍ଦ୍ୟ ରୂପ କ୍ଷୀରକୁ ମନ୍ଥନ କରି ତହିଁରୁ ଉଦ୍ଭବ ରାମ ଲକ୍ଷ୍ମଣ ସୀତା ରୂପ ଲହୁଣୀକୁ ବନବାସୀ ଋଷିମାନଙ୍କୁ ବହୁଲୋଚନରେ ଭୋଜନ କରିବା ନିମିତ୍ତ ଦେଲା । (ଋଷିମାନେ ବହୁତ ଲୋଚନରେ ଦେଖି ସୁଖୀ ହେବ; ଏ ଭାଗ୍ୟ ତାଙ୍କର ଅଛି ମାତ୍ର ଅଯୋଧ୍ୟାବାସୀଙ୍କର ନାହିଁ) ।
ଅନ୍ୟାର୍ଥ :- ‘ବହୁଲୋଚନ’ ଇନ୍ଦ୍ର, ଶିବ, ବ୍ରହ୍ମାଦି ଦେବତାମାନଙ୍କର ‘ଅଶ’ ଅମଙ୍ଗଳ ନ ହେବା ପାଇଁ ଅର୍ଥାତ୍ ରାବଣ ବଧ ପାଇଁ ବନଙ୍କୁ ପଠାଇଲା ।
୩୩ଶ ପଦ :- ତକ୍ରଚକ୍ର-ଘୋଳଦହି ସମୂହ ।
୩୩ଶ ପଦ :- ‘‘ଅବଶିଷ୍ଟ ମନ୍ଦସ୍ୱଭାବରୂପ ଘୋଳଦହିକୁ ଅଯୋଧ୍ୟା ଲୋକଙ୍କ ହୃଦୟରୂପ ପିତ୍ତଳ ପାତ୍ରରେ ଘୋଡ଼ାଇ ଥୋଇଦେଲେ । ତାହା ପିତ୍ତଳ ପାତ୍ରରେ ରହି ଉକୁଟି ଯିବା ଦ୍ୱାରାଲୋକେ ପାନ କଲେ ପିତା ଲାଗିବ । ତେଣୁ ସେମାନେ ତାହା ଛି ଛି କରିବେ । (ଲହୁଣୀ ବନକୁ ଗଲା, କୈକେୟୀର ଏହି ମନ୍ଦପଣ ଅଯୋଧ୍ୟାରେ ରହିଲା, ଲୋକେ ସବୁ ଦିନ ତାହା ଶୁଣି ତାକୁ ଛି ଛି କରି ଧିକ୍କାରୁ ଥିବେ) । ଏମନ୍ତ ବିରକ୍ତ ଭାବରେ ବୋଲାବୋଲି ହୋଇ ସମସ୍ତେ ଶୋକାକୁଳ ହୋଇ ପଡ଼ିଲେ ।
୩୪ଶ ପଦ :- ବୃକ୍ଷରାଜ-ଅଶ୍ୱତ୍ଥ । ସାକେତ ନଗରୀ-ଅଯୋଧ୍ୟାପୁରୀ ।
୩୪ଶ ପଦ :- ଅଯୋଧ୍ୟା ନଗରୀ ଅଶ୍ୱତ୍ଥ ବୃକ୍ଷ ପ୍ରାୟ ହେଲା । ଅଶ୍ୱତ୍ଥ ବୃକ୍ଷରେ ଅଲକ୍ଷ୍ମୀ ଆଶ୍ରୟ କରି ରହିଥିବାରୁ ତାହା ରବିବାର ଦିନ ଅସ୍ପୃଶ୍ୟ ଅଟେ । ସେହିପରି ଅଯୋଧ୍ୟା ନଗରୀକୁ କୈକେୟୀ ରୂପୀ ରବିବାର ଆଶ୍ରୟ କରି ରହି ଥିବାରୁ ତାହା ଅସ୍ପୃଶ୍ୟ ଅଟେ । (ଅଯୋଧ୍ୟାରେ ଆଉ ରହିବାକୁ କେହି ଇଛା କରୁନାହାଁନ୍ତି,- ରଥ ପଛରେ ଗୋଡ଼ାଉ ଅଛନ୍ତି) । ଅଶ୍ୱତ୍ଥ ପତ୍ର ହଲିଲେ ହସ୍ତିନୀ ଯେପରି ବଶ ହୁଏ, ସେହିପରି ରାମଙ୍କ ବନଗମନ ସମୟରେ ସୈନ୍ୟବଳ ସବୁ ଅଯୋଧ୍ୟାରେ ନ ରହି ରଥ ପଛରେ ଗୋଡ଼ାଇବାରୁ ମନ୍ଥରା ଆନନ୍ଦିତା ହେଲା ।
୩୫ଶ ପଦ :- ଶୃଙ୍ଗବେର ପତି-ଗୁହଶବର । ଶବର ଈଶ-ଶଦରରାଜ ।
୩୫ଶ ପଦ :- ତମସା ନଦୀକି ବଳି ଯାଇ ସୁମନ୍ତ୍ର ରାମ, ଲକ୍ଷ୍ମଣ ଓ ସୀତା ସହିତ ବନରେ ପଶି ସେ ରାତିରେ ସେଠାରେ ରହିଲେ । ଶୃଙ୍ଖବେର ରାଜା ଗୁହଶବର ଖବର ପାଇ ଆସି ସେଠାରେ ପହଞ୍ଚିଲେ । ସେ ପଚାରିବାରୁ ସୁମନ୍ତ୍ର ସବୁ କଥା ବୁଝାଇ କହିଲେ । ତାହା ଶୁଣି ଶବରରାଜ କହିଲେ, ‘‘ରାଜା ଦେଶକୁ ବାଣ୍ଟି ନ ଦେଲେ କାହିଁକି ?’’ (ଦେଶ ଭାଇମାନଙ୍କୁ ବାଣ୍ଟି ଦେଇଥିଲେ ରାମ ତ ବନକୁ ଯାଆନ୍ତେ ନାହିଁ) ।
ବାଣ୍ଟିଲେ ଯେ ଛଳେ ଏ ବନ ନଗରେ ଭବନ ନଗରେ ସେହି ।ବ୍ୟକ୍ତି ବ୍ୟକ୍ତି ହୋଇ ସାନୁଜଯୁଗଳ ଅନୁସରଣକୁ ବିହି ।ବଞ୍ଚିଲେ ସେ ଶର୍ବରୀ ।ବେଢ଼ି ସୈନ୍ୟ ରାଜଧାନୀ ପରି । ୩୬।ବତିଶ ଅବତାରେ ଏକ କପିଳ ପୁଣି ସେ ଛବି ଲମ୍ପଟ ।ବଟକ୍ଷୀରେ ଜଟ କରି ପରକଟ ପିନ୍ଧିଲେ ବକଳପଟ ।ବାହେ ଇଙ୍ଗୁଦୀମାଳ ।ବହେ କର୍ଣ୍ଣେ ରୁଦ୍ରାକ୍ଷ କୁଣ୍ଡଳ । ୩୭।ବୋଳିହେଲେ ଭସ୍ମ ନର ନାରାୟଣ ପ୍ରାୟ ବେନିଭାଇ ଦିଶେ ।ବଦରିକା ବନ ଭାବକୁ ସେ ବନ ସେବନ କଲା ରଭସେ ।ବିକଳିତ ରଞ୍ଜନ ।ବିକଳିତ ଦେଖି ହେଲେ ଜନ । ୩୮।ବାହୁଡ଼ା ନଗ୍ରକୁ ବୋଲୁଁ ଯେ ଘେନିଲେ ବେଢ଼ି ଗତି ଅତି ତ୍ୱରା ।ବସନ୍ତଗୁଣ୍ଡିଚା ଏକାମ୍ରବନେ କି ଯାତ୍ରୀ ଅନୁଗତ ପରା ।ବିଧୁଚୂଡ଼ ଗଉରୀ ।ବିଭାତିକି ରାମ ସୀତା ଧରି । ୩୯।ବିଲେପନ ଭୂତି ଏଣୁ ଶୁଭ୍ରକାନ୍ତି ଚନ୍ଦ୍ରାର୍ଦ୍ଧ ଛବି ମୁକୁଟ ।ବରବର୍ଣ୍ଣିନୀ ନାନାରତ୍ନଭୁଷଣୀ ପାରୁଶରେ ଝଟ ଝଟ ।ବାହକ ଯେ ସୁମନ୍ତ୍ର ।ବ୍ରହ୍ମଚାରୀ ଲକ୍ଷ୍ମଣ ବିନତ । ୪୦।
୩୬ଶ ପଦ :- ସୁମନ୍ତ୍ର ଛଳ ବାକ୍ୟରେ ଉତ୍ତର ଦେଲେ, ‘‘ରାଜା ଦେଶକୁ ଭାଇମାନଙ୍କ ମଧ୍ୟରେ ବାଣ୍ଟି ଦେଲେ ତ । ରାମଚନ୍ଦ୍ର ପର୍ବତସଙ୍କୁଳ ଅରଣ୍ୟ ଭାଗରେ ରହିବେ, ଭରତ ଗୃହପୂର୍ଣ୍ଣ ନଗରରେ ରହିବେ । ସାନ ଦୁଇଭାଇ ଅର୍ଥାତ୍ ଲକ୍ଷ୍ମଣ ଓ ଶତ୍ରୁଘ୍ନ ଜଣ ଜଣ ହୋଇ ଦୁହିଙ୍କ ପାଖରେ ଅନୁସରଣ କରି ରହିବେ ।’’ ରାମଲକ୍ଷ୍ମଣାଦି ସେ ରାତ୍ର ସେଠାରେ କଟାଇଲେ ଓ ରାଜଧାନୀରେ ସୈନ୍ୟ ବେଢ଼ି ରହିଲା ପରି ସେଠାରେ ସୈନ୍ୟମାନେ ବେଢ଼ି ରହିଲେ ।
୩୭ଶ ପଦ :- ବିଷ୍ଣୁଙ୍କର ବତିଶ ଅବତାର ମଧ୍ୟରେ କପିଳ ଅବତାର ଗୋଟିଏ । ରାମଚନ୍ଦ୍ର ସେହି ଅବତାରରେ ଅର୍ଥାତ୍ କପିଳ ଋଷିଙ୍କ ବେଶରେ ଆସକ୍ତ ହୋଇ ବଟକ୍ଷୀରରେ ଜଟା ବାନ୍ଧିଲେ ଓ ବୃକ୍ଷର ବକ୍କଳ ରୂପ ବସ୍ତ୍ର ପିନ୍ଧିଲେ । ଇଙ୍ଗୁଦୀମାଳ ବାହୁରେ ବାନ୍ଧି ରୁଦ୍ରାକ୍ଷ କୁଣ୍ଡଳକୁ କର୍ଣ୍ଣରେ ବହିଲେ ।
୩୮ଶପଦ :- ରଭସେ -ଶୀଘ୍ର । ବିକଳିତ-ଯାହା କଳ୍ପନା କରି ହେବ ନାହିଁ ।
୩୮ଶ ପଦ :- ଅନନ୍ତର ରାମଲକ୍ଷ୍ମଣ ବେନି ଭାଇ ଭସ୍ମ ବୋଳି ହେଲେ, ତେଣୁ ନରନାରାୟଣ ଋଷି ପ୍ରାୟ ଦେଖାଗଲେ । ତତ୍କ୍ଷଣାତ୍ ସେ ବନ ବଦରିକାଶ୍ରମର ଭାବକୁ ପ୍ରାପ୍ତ ହେଲା । (ବଦାରିକାଶ୍ରମରେ ନରନାରାୟଣ ଋଷି ଅବସ୍ଥାନ କରିଥାନ୍ତି) । ରାମ ଲକ୍ଷ୍ମଣଙ୍କର ଶୋଭା ସେ ସମୟରେ କଳି ହେଲାନାହିଁ (ସେ ଅତ୍ୟନ୍ତ ସୁନ୍ଦର ଦିଶିଲେ; ଲୋକମାନେ ତାହା ଦେଖି ବ୍ୟାକୁଳିତ ହେଲେ ।)
୩୯ଶ ପଦ :- ବସନ୍ତଗୁଣ୍ଡିଚା-ଚୈତ୍ର ଗୁଣ୍ଡିଚା । ଏକାମ୍ର ବନେ-ଭୁବନେଶ୍ୱରରେ । ବିଧୁଚୂଡ଼ା-ମହାଦେବ । ଗଉରୀ-ପାର୍ବତୀ । ବିଭାତି-ଶୋଭା ।
୩୯ଶ ପଦ :- ଶ୍ରୀରାମଚନ୍ଦ୍ର ପ୍ରଜାଙ୍କୁ ‘‘ନଗରକୁ ଫେରିଯାଅ’’ ଏହା କହିବାରୁ, ସେମାନେ ତାହା ଶୁଣିଲେ ନାହିଁ । ରଥକୁ ଘେରି ଚଞ୍ଚଳ ଗତିରେ ଗମନ କରନ୍ତେ ତାହା ଭୁବନେଶ୍ୱରର ଅଶୋକାଷ୍ଟମୀ ଯାତ୍ରା ପରି ଶୋଭା ପାଇଲା । (ଅଶୋକାଷ୍ଟମୀ ଯାତ୍ରାରେ ରଥ ଚାଲିଲେ ତାହାର ଚାରିଆଡ଼େ ବହୁତ ଯାତ୍ରୀ ଘେରି ଚାଲୁଥାନ୍ତି) । ରାମ ଓ ସୀତା ମହାଦେବ ଓ ପାର୍ବତୀ ପରି ସେ ରଥରେ ଶୋଭା ପାଇଲେ ।
୪୦ ପଦ :- ମହାଦେବ ଶୁକ୍ଲକାନ୍ତି ବିଶିଷ୍ଟ, ଭସ୍ମ ବିଲେପିତ ଓ ଶିରରେ ଅର୍ଦ୍ଧ ଚନ୍ଦ୍ରର ମୁକୁଟ ଧାରଣ କରିଥାଆନ୍ତି, ସେହିପରି ରାମ ଭସ୍ମ ବୋଳିହୋଇ ଥିବାରୁ ଶୁଭ୍ରକାନ୍ତି ବିଶିଷ୍ଟ ହୋଇଅଛନ୍ତି ଓ ତାହାଙ୍କ ଶରରେ ଅର୍ଦ୍ଧଚନ୍ଦ୍ରାକୃତି ମୁକୁଟ ଶୋଭା ପାଉଅଛି । ସୁବର୍ଣ୍ଣବର୍ଣ୍ଣା ନାନା ରତ୍ନାଳଙ୍କାର ଭୂଷିତା ପାର୍ବତୀ ଶିବଙ୍କ ପାର୍ଶ୍ୱରେ ଝଟ ଝଟ ଦିଶିଲା ପରି ଉତ୍ତମବର୍ଣ୍ଣା ବିବିଧ ରତ୍ନାଳଙ୍କାର ମଣ୍ଡିତା ସୀତା ରାମଙ୍କ ପାର୍ଶରେ ଶୋଭା ପାଉଅଛନ୍ତି । ଶିବଙ୍କ ରଥବାହକ ‘ସୁମନ୍ତ୍ର’ ଅର୍ଥାତ୍ ରଥଚାଳନ ମନ୍ତ୍ରଣାରେ ଦକ୍ଷ ଓ ଏ ରଥ ଚାଳକ ସୁମନ୍ତ୍ର ମନ୍ତ୍ରୀ । ଶିବଙ୍କ ପାଶରେ ବ୍ରହ୍ମଚାରୀମାନେ ଆନନ୍ଦ ହେଲା ପ୍ରାୟ ରାମଙ୍କ ସମୀପରେ ବ୍ରହ୍ମଚାରୀ ଲକ୍ଷ୍ମଣ ବିଦ୍ୟମାନ ।
ବିଶ୍ରାମନ୍ତେ କିଛିଦୂରେ କହେ ନରେ ବନରେ ରଚିବା ପୁର ।ବପ୍ତା ଦେଇଛନ୍ତି ଦଣ୍ଡକରେ ପୂର୍ବେ ନ ଥିଲା କି ଦଣ୍ଡଧର ।ବୋଲ ତାଙ୍କର ମାନ ।ବର୍ତ୍ତୁଁ ଆମ୍ଭେ ହୋଇ ପ୍ରଜାଜନ । ୪୧।ବକ୍ତବ୍ୟ ରାଘବ ଏଥି ଅନୁରୂପ ପ୍ରଜା ଚତୁରଙ୍ଗଛନ୍ତି ।ବତ୍ସକସହ ସୁରଭି ପୟୋଧର ବ୍ରଜବ୍ରଜ ଝଟକନ୍ତି ।ବୃତ ସୁନାରୀଚୟ ।ବିହରନ୍ତି କେତେ ତନ୍ତୁବାୟ । ୪୨ ।ବ୍ୟୁତପନ ରଥ ଗନ୍ଧର୍ବ ଉଟଜେ କରିବାର ବିହାରକୁ ।ବିଧିରେ ଶାଖୀ ଫଳକଧାରୀ ଶୋଭା ଆମ୍ଭ ପ୍ରତିପାଳନକୁ ।ବୋଲି ମଉନ ହେଲେ ।ବଞ୍ଚାଇ ସେ ପଥ ରାତ୍ରୁଁ ଗଲେ । ୪୩।ବାହି ସୁମନ୍ତ୍ର ବିମାନ ରାମ ଆଜ୍ଞାବଶେ ଅଯୋଧ୍ୟା ଗମନ ।ବାହୁଡ଼ିଲେ ଜନେ ସେ ଚକ୍ରଚିହ୍ନକୁ ଗୋଡ଼ାଇ ହରଷ ମନ ।ବଶ ମୃଗତୃଷ୍ଣାରେ ।ବାରି ବୁଦ୍ଧି ଯଥା ମୃଗ କରେ । ୪୪।ବେଗି ଉଦବେଗୀ ହୋଇ ପରବେଶ ଭରଦ୍ୱାଜ ଆଶ୍ରମରେ ।ବୀକ୍ଷଣ କରି ସୀତା ରାମ ଲକ୍ଷ୍ମଣ ତକ୍ଷଣ ସବୁ ପଚାରେ ।ବୋଧି କହିଲେ ଭାଷ ।ବୀରସିଂହ ଅରଣ୍ୟେ ବିଳସ । ୪୫।
୪୧ଶ ପଦ :- କିଛିଦୂର ଯାଇ ବନରେ ବିଶ୍ରାମ କରିବାକୁ ଲୋକମାନେ କହିଲେ, ‘‘ଏ ବନରେ ନଗର ନିର୍ମାଣ କରିବା । ପୂର୍ବେ ଦଣ୍ଡକାରଣ୍ୟରେ କ’ଣ ରାଜା ନ ଥିଲେ ? (ନିଶ୍ଚୟ ଥିଲେ) ମାତ୍ର ବର୍ତ୍ତମାନ ରାଜା ନ ଥିବାରୁ ତୁମ୍ଭ ପିତା ତୁମ୍ଭଙ୍କୁ ଏ ଅରଣ୍ୟ ଦେଇଅଛନ୍ତି । ତୁମ୍ଭେ ତାଙ୍କ କଥା ମାନି ଏଠାରେ ରାଜା ହୁଏ । ଆମ୍ଭେ ପ୍ରଜା ହୋଇ ଏଠାରେ ରହିବୁ । ତୁମ୍ଭଙ୍କୁ ଛାଡ଼ି ଆମ୍ଭେ ଅଯୋଧ୍ୟାକୁ ଯିବୁ ନାହିଁ ।’’
୪୨ଶ ପଦ :- ବତ୍ସକ ସହ-ବାଛୁରୀ ସହିତ, ବଣମଲ୍ଲୀ ସହିତ । ସୁରଭୀ-ଗାଈ, ଚମ୍ପାଗଛ । ପୟୋଧର-ନଡ଼ିଆ, କ୍ଷୀରଧାରୀ । ବ୍ରଜ ବ୍ରଜ-ଗୋପାଳ ସମୂହ । ସୁନାରୀଚୟ-ସୁନାରୀ ଗଛସମୃହ, ବଣିଆସବୁ । ତନ୍ତୁବାୟ- ତନ୍ତୀ, ବୁଢ଼ୀଆଣି ।
୪୨ଶ ପଦ :- ଲୋକମାନଙ୍କ କଥା ଶୁଣି ରାମଚନ୍ଦ୍ର କହିଲେ, ‘‘ଏଠାରେ ବନ ସଦୃଶ ପ୍ରଜା ଓ ଚତୁରଙ୍ଗ ବଳ ଅଛନ୍ତି; ଏଠାରେ ‘ବତ୍ସକ ’ ଗରିମଲ୍ଲିକା ସହ ‘ସୁରଭି’ ଚମ୍ପକ ଓ ଜାତୀଫଳ ବୃକ୍ଷ ରାଜ୍ୟରେ ବତ୍ସାସହ ଧେନୁ ରହିଲା ପ୍ରାୟ ରହିଅଛନ୍ତି । ‘ପୟୋଧର ବ୍ରଜ’ ନାରିକେଳ ବୃକ୍ଷସମୂହ ‘ପୟୋଧରବ୍ରଜ’ ଦୁଗ୍ଧ ବହନକାରୀ ଗୋପାଳଙ୍କ ପରି ବିଦ୍ୟମାନ ଅଛନ୍ତି । ସୁନାରୀ ବୃକ୍ଷସବୁ ସ୍ୱର୍ଣ୍ଣକାରଙ୍କ ପରି ବନକୁ ବେଢ଼ି ରହିଅଛନ୍ତି । ଏଥିରେ ବହୁତ ‘ତନ୍ତୁବାୟ’ ମାଙ୍କଡ଼ସା ରାଜ୍ୟର ତନ୍ତୀ ପ୍ରାୟ ବିହାର କରନ୍ତି । (ଏ ବନରେ ସବୁପ୍ରକାର ପ୍ରଜା ଅଛନ୍ତି, ତୁମ୍ଭର ରହିବା ପ୍ରୟୋଜନ ନାହିଁ) ।’’
୪୩ଶ ପଦ :- ରଥ-ଯାନବିଶେଷ, ବେତସବୃକ୍ଷ । ଗନ୍ଧର୍ବ-ଘୋଡ଼ା, ମୃଗ । ଉଟଜ-ଓଟ, ପର୍ଣ୍ଣଶାଳା । କରିବାର-ହସ୍ତିସମୁହ, କରିବା ପାଇଁ । ଶାଖୀ-ପଦାତି, ବୃକ୍ଷ । ଫଳଧାରୀ-ଖଡ଼୍ଗଧରୀ; ଫଳବନ୍ତ ।
୪୩ଶ ପଦ :- ‘‘ଏଠାରେ ମୋର ବିହାର କରିବା ପାଇଁ ‘ଉଟଜ’ ପର୍ଣ୍ଣଶାଳା ରୂପ ଓଟ, ହସ୍ତୀସମୁହ, ‘ରଥ’ ବେତସବୃକ୍ଷ ରୂପ ରଥସବୁ ବିଦ୍ୟମାନ ଅଛନ୍ତି । ମୋତେ ରକ୍ଷାକରିବା ପାଇଁ ଏଠାରେ ଫଳବନ୍ତ ବୃକ୍ଷସମୂହ ଖଡ଼୍ଗଧାରୀ ପଦାତିକଙ୍କ ପରି ରହିଅଛନ୍ତି ।’’ (ହସ୍ତୀ, ଅଶ୍ୱ, ରଥ ଓ ପଦାତିକ ଏହି ଚତୁରଙ୍ଗବଳ ରହିଥିବାର ସୂଚିତ ହେଲା) । ଏହା କହି ରାମଚନ୍ଦ୍ର ମୌନ ହେଲେ । ରାତ୍ର ଥାଉଁ ସେ ବାଟ ଛାଡ଼ି ଅନ୍ୟ ବାଟରେ ଗଲେ ।
୪୪ଶ ପଦ :- ରାମଙ୍କ ଆଜ୍ଞାରେ ସୁମନ୍ତ୍ର ମନ୍ତ୍ରୀ ଅଯୋଧ୍ୟାକୁ ଲେଉଟି ଗଲା ପରି ରଥ ବାହି ନେଲେ । ଲୋକେ ରଥ ଚକ୍ରର ସେ ଚିହ୍ନକୁ ଦେଖି ହର୍ଷ ମନରେ ଗୋଡ଼ାଇ ଅଯୋଧ୍ୟାକୁ ବାହୁଡ଼ିଲେ । ଚକ ଚିହ୍ନ ଅଯୋଧ୍ୟାକୁ ପଡ଼ିଥିବାର ଦେଖି ରାମ ଅଯୋଧ୍ୟାକୁ ଫେରିଗଲେ ଏହା ଭାବି ପ୍ରଜାମାନେ ଫେରିଗଲେ) ।
୪୫ଶ ପଦ :- ବେଗି-ବେଗବନ୍ତ । ଉଦ୍ବେଗୀ-ଉବ୍ଦିଗ୍ନ ପ୍ରଜାଙ୍କ ଲାଗି ବିଚଳିତ । ବୀରସିଂହ-ବୀରଶ୍ରେଷ୍ଠ ।
୪୫ଶ ପଦ :- କାଳେ ପ୍ରଜାମାନେ ପୁଣି ପଛରେ ଗୋଡ଼ାଇ ଆସିବେ, ଏହି ଉଦ୍ବେଗରେ ଶୀଘ୍ର ଯାଇ ଭରଦ୍ୱାଜ ଋଷିଙ୍କ ଆଶ୍ରମରେ ପ୍ରବେଶ ହେଲେ । ଋଷି ରାମ, ସୀତା ଓ ଲକ୍ଷ୍ମଣ ଏହି ତିନିମୂର୍ତ୍ତିଙ୍କୁ ଦେଖି ତତ୍କ୍ଷଣାତ୍ ସବୁକଥା ପଚାରିଲେ । ରାମ ସମସ୍ତ ବୁଝାଇ କହିଲେ । ତାହା ଶୁଣି ଋଷି କହିଲେ, ‘‘ହେ ବୀରସିଂହ ! ଅରଣ୍ୟରେ ସିଂହ ସମ ବିହାର କର ।’’
ବିରାଜ ତୀକ୍ଷ୍ଣ ନାରାଚ କରଦରେ ମଦାନ୍ଧକରୀ ଅସୁରେ ।ବିମୋହିତ ହେବ ଚିତ୍ରକୂଟ ଗିରି କ୍ରୋଟେ କରିବାରୁ ପୁର ।ବହେ ପୟସ୍ୱୀ ନଦୀ ।ବିଶେଷିତ ତହିଁ ହୋଇ ସ୍ୱାଦ୍ୱୀ । ୪୬।ବଞ୍ଚି ସେ ଦିନକ ଜନକ ଗଉରୀ ଗଉର ମର୍କତଗାତ୍ର !ବର୍ତ୍ମରେ ଗମନ ବନ୍ୟନାରୀ ଚାହିଁ ଚକିତ ସ୍ଥକିତ ନେତ୍ର ।ବର କାଗଜଚକୀ ।ବିଲୋକନ୍ତି ଯେମନ୍ତ କୁତୁକୀ । ୪୭।ବୋଲାବୋଲି ହେଲେ ପରମ ସୁନ୍ଦର ବର ଏ ପଥିକ ଦୁଇ ।ବଲ୍ଲଭୀ ପୁଣି ରମଣୀ ଶିରୋମଣି କାହାର ଥିବଟି ହୋଇ ।ବୋଲି ନିକଟେ ଗଲେ ।ବଇଦେହୀଙ୍କି ସେ ପଚାରିଲେ । ୪୮।ବରାରୋହା ଏ ପୁରୁଷ ସାର ଦୁହେଁ ସୋଦର କିବା ତୁମ୍ଭର ।ବୁଲନ୍ତି ଜଗତେ ଘେନି ସଙ୍ଗତରେ ସୁସମେ ନ ମିଳେ ବର ।ବୋଲୁଁ ଶିର କମ୍ପାଇ ।ବର ଦେବର କେ ଯାଅ କହି । ୪୯।ବିଳମ୍ବ କରନ୍ତେ ପ୍ରଳମ୍ବ-କୁନ୍ତଳା ଡ଼ାକେ ଲକ୍ଷ୍ମଣ କୁମାର ।ବାମାଙ୍କୁ ବୋଧିଲେ ଏ ଦେବର ବୋଲି ମନ୍ଥର ଗତି ସତ୍ୱର ।ବୃଦ୍ଧି କରନ୍ତେ ନୋହି ।ବରଟା କି ଗର୍ଭାଳସୀ ହୋଇ । ୫୦।ବନରୁହଦଳେ ଚାଳିଲା ପରାୟେ ପରତେ ଏ ନୋହେ ଛଦ୍ମ ।ବିନ୍ୟାସ ଚରଣ କଲା ସ୍ଥଳେ ଯହିଁ ଉତ୍କୁଟି ଯାଉଛି ପଦ୍ମ ।ବସୁଛନ୍ତି ରୋଲମ୍ବ ।ବାଲିଚିହ୍ନକୁ ଦିଅନ୍ତି ଚୁମ୍ବ । ୫୧।ବ୍ୟକତ ହୋଇବାଯାଏ ଚାହୁଁଥିଲେ ପକ୍ୱଣବାସୀ ଗମିଲେ ।ବିହି ଭେଳା ବାଳା ସହୋଦର ମେଳାଗଙ୍ଗା ପାର ହୋଇ ଗଲେ ।ବିଜେ ଚିତ୍ରକୂଟର ।ବାନପଦେ କହେ ବୀରବର । ୫୨।
୪୬ଶ ପଦ :- ତୀକ୍ଷ୍ଣ ନାରାଚ- ମୁନିଆଁ ଶର । କରଜ-ନଖ । ମଦାନ୍ଧକରୀ-ମଦମତ୍ତ ହସ୍ତୀ । ପୟସ୍ୱୀ-ଜଳପୂର୍ଣ୍ଣ । ସ୍ୱାଦ୍ୱୀ-ସ୍ୱାଦଯୁକ୍ତ ।
୪୬ଶ ପଦ :- ‘‘ସିଂହ ମଦମତ୍ତ ହସ୍ତୀକୁ ସୁତୀକ୍ଷ୍ଣ ନଖରେ ବିଦୀର୍ଣ୍ଣ କରି ପର୍ବତ ଗୁହାରେ ବାସ କଲାପରି ତୁମ୍ଭେ ତୀକ୍ଷ୍ଣ ଶରରେ ଗର୍ବୀ ଅସୁରଙ୍କୁ ବିନାଶ କରି ଚିତ୍ରକୂଟ ପର୍ବତରେ ଆନନ୍ଦ ମନରେ ବାସକର । ସେଠାରେ ବହୁଥିବା ପୟସ୍ୱୀ ନଦୀର ସୁସ୍ୱାଦୁ ଜଳ ପାନ କରି ପରିତୃପ୍ତ ହେବ ।’’
୪୭ଶ ପଦ :- ସ୍ୱର୍ଣ୍ଣବର୍ଣ୍ଣା ସୀତା, ଗୌରବର୍ଣ୍ଣ ଲକ୍ଷ୍ମଣ ଓ ମରକତମଣି ତୁଲ୍ୟ ନୀଳବର୍ଣ୍ଣ ରାମ ସେ ଦିନକ ଭରଦ୍ୱାଜଙ୍କ ଆଶ୍ରମରେ ରହିଲେ । ପରଦିନ ପ୍ରତ୍ୟୁଷରୁ ସେ ତିନିହେଁ ଅରଣ୍ୟ ପଥରେ ଗମନ କରନ୍ତେ ବନବାସୀ ସ୍ତିରୀମାନେ ତାଙ୍କୁ ଦେଖି ଚକିତ ଓ ସ୍ଥିର ହେଲେ ଏବଂ ଉତ୍କୃଷ୍ଟ କାଗଜ ଚକିକୁ (ଆକାଶରେ ଉଡ଼ୁଥିବା ଘୁଡ଼ିକୁ) ଦେଖି ଯେପରି କୌତୁକୀ ଲୋକମାନେ ଉତ୍ସୁକ ହୁଅନ୍ତି, ସେମାନେ ସେହିପରି ଉତ୍ସୁକ ହେଲେ ।
୪୮ଶ ପଦ :- ବନବାସୀ ନାରୀମାନେ କୁହାକୋହି ହେଲେ, ‘‘ଏ ବାଟୋଇ ଦୁହେଁ ସୁନ୍ଦର ପୁରୁଷଙ୍କ ମଧ୍ୟରେ ଶ୍ରେଷ୍ଠ ଅଟନ୍ତି । ଏ ରମଣୀ ଶିରୋମଣି ସେ ଦୁହିଁଙ୍କ ମଧ୍ୟରୁ କାହାର ସ୍ତ୍ରୀ ହୋଇଥିବ ?’’ ଏହା କଥାବାର୍ତ୍ତା ହୋଇ ସେମାନେ ସୀତାଙ୍କ ନିକଟକୁ ଗଲେ ଓ ବୈଦେହୀଙ୍କି ପଚାରିଲେ ।
୪୯ଶ ପଦ :- ‘ହେ ଶ୍ରେଷ୍ଠନାରୀ ! ଏ ପୁରୁଷଶ୍ରେଷ୍ଠ ଦୁହେଁ ତୁମ୍ଭର ଭାଇ କି ? ତୁମ୍ଭ ସମାନରେ ଏ ସଂସାର ମଧ୍ୟରେ ବର ନ ମିଳିବାରୁ ସଙ୍ଗେ ସଙ୍ଗେ ଘେନି ବୁଲୁ ଅଛନ୍ତି କି ? ନାରୀମାନେ ଏପରି ପଚାରନ୍ତେ, ସୀତା ମୁଣ୍ଡ ହଲାଇଲେ (ଭାଇ ନୁହଁନ୍ତି ବୋଲି କହିଲେ) । ସୀତାଙ୍କ ହଥା ବୁଝିପାରି କେଉଁ ନାରୀ କହିଲା ‘‘ତାହା ହେଲେ ଏହାଙ୍କ ମଧ୍ୟରୁ ବର କିଏ ଓ ଦିଅର କିଏ ? ଏହା କହି ଯାଅ ।’’
୫୦ଶ ପଦ :- ପ୍ରଳମ୍ବକୁନ୍ତଳା-ସୁଦୀର୍ଘକେଶୀ । ବରଟା-ହଂସୀ ।
୫୦ଶ ପଦ :- ଦୀର୍ଘକେଶୀ ସୀତା ବନବାସୀ ନାରୀଙ୍କ ସହିତ କଥାବାର୍ତ୍ତା କରିବା ହେତୁ ବାଟ ଚାଲିବାରେ ବିଳମ୍ବ କରନ୍ତେ, ଲକ୍ଷ୍ମଣ ଡାକ ଦେଲେ (ବିଳମ୍ବ ନ କରି ଆସ- କହିଲେ) । ସେତିକିବେଳେ ସୀତା ସେ ନାରୀମାନଙ୍କୁ ‘ଏ ଦିଅର’ ଏହା କହି ବୋଧ ଦେଲେ (ଏ ଦେବର ଚିହ୍ନାଇ ଦେବାରୁ ଅପର ଜଣକ ବର ବୋଲି ପ୍ରକାଶ ପାଇଲା) ଓ ଗର୍ଭାଳସୀ ହଂସୀର ମନ୍ଥର ଗତିକୁ ନିନ୍ଦା କରୁଥିବା ମନ୍ଦ ଗତିକୁ ସେ ବୃଦ୍ଧି କରି ଶୀଘ୍ର ଚାଲିଲେ ।
୫୧ଶ ପଦ :- ବନରୁହଦଳେ-ପଦ୍ମରେ । ଛଦ୍ମ- କପଟ । ରୋଲମ୍ବ- ଭ୍ରମର ।
୫୧ଶ ପଦ :- ଗର୍ଭାଳସୀ ହଂସୀ ପଦ୍ମପତ୍ରରେ ଚାଲିଲା ପ୍ରାୟ ସୀତାଙ୍କ ଗମନ ପ୍ରତୀତି ହେଲା । ଏହା ମିଥ୍ୟା କଥା ନୁହେଁ, କାରଣ ସୀତାଙ୍କ ପଦକ୍ଷେପ ସ୍ଥାନରେ ପଦ୍ମଫୁଟି ଉଠୁଛି (ତାଙ୍କ ପାଦଚିହ୍ନ ପଦ୍ମଫୁଲ ପ୍ରାୟ ଦେଖାଯାଉଛି) ଓ ସେଥିରୁ ପଦ୍ମଗନ୍ଧ ବାହାରୁ ଥିବାରୁ ଭ୍ରମରମାନେ ତାହା ପଦ୍ମ ଭ୍ରମରେ ଚୁମ୍ବନ କରୁଅଛନ୍ତି ।
୫୨ଶ ପଦ :- ଏମାନେ ଅଦୃଶ୍ୟ ହେବାଯାଏ ଅରଣ୍ୟର କୁଟୀରବାସୀ ନାରୀମାନେ ଚାହୁଁଥିଲେ । ଅଦୃଶ୍ୟ ହୋଇଯାନ୍ତେ ସେମାନେ ଫେରିଗଲେ । ଅନନ୍ତର ସୀତା ଓ ଲକ୍ଷ୍ମଣ ସହିତ ମିଳି ରାମଚନ୍ଦ୍ର ଭେଳା ବାନ୍ଧି ଗଙ୍ଗାନଦୀକୁ ପାର ହୋଇ ଗଲେ ଓ ଚିତ୍ରକୂଟ ପର୍ବତରେ ବିଜେକଲେ । ବୀରବର ବାଉନ ପଦରେ ଏ ଛାନ୍ଦ କହିଲେ ।
ଅଷ୍ଟାଦଶ ଛାନ୍ଦ(ରାଗ-ବିଭାସଗୁଜ୍ଜରୀ)ବନ୍ୟା ଶିଖରିର ତହିଁ ବିପ୍ରଲବ୍ଧ ପ୍ରାୟ ହୋଇଋଷିବାର ପ୍ରବର୍ତ୍ତାଇ ଅଛି ଯେ ।ବିଟପ ପ୍ରକମ୍ପକର ସଙ୍ଗତି ସହଚରୀରପୁର ଅଭିମୁଖହିଁ ହୋଇଛି ଯେ । ୧।ବିରସ ଖଣ୍ଡିତା ସେହି ପିକବାଣୀରେ ଛଳଇପ୍ରବୃଦ୍ଧି କରଇ ମଦନକୁ ଯେ ।ବିସ୍ପରଶ କର ସଙ୍ଗ ପୟୋଧର ଫଳ ତୁଙ୍ଗପୁରୁଷ ପ୍ରକାଶି ରଞ୍ଜନକୁ ଯେ । ୨।ବିଦୁର ଲକ୍ଷ୍ମଣ ଘନ ପବନ ଭଗ୍ନ ଚନ୍ଦନଦାରୁ ଆଣି ଚାରୁବାସ ବିହି ଯେ ।ବିଦ୍ରୁମେ ତାହାର ଛାଇ ବାଡ଼ ନଳଦରେ ଦେଇକସ୍ତୁରୀ ଗୈରିକେ ଚିତ୍ର ଲିହି ଯେ । ୩।ବାରଣ ବାରଣ ରଣ- ବଶେ ଯେଉଁ ରଦଚୂର୍ଣ୍ଣକ୍ଷୋଦ କରି ଅଜିରେ ପକାଇ ଯେ ।ବୈଦେହୀ ରାଘବ ମିଳି ଇଛନ୍ତି ଏକାନ୍ତେ କେଳିହରଷେ ଦିବସ ନିଶି ନେଇ ଯେ । ୪।ବୃକଧୂପରେ ଧୂପିତ ସେ ଓକ କଲେ ନିରତଦ୍ରାକ୍ଷା ଅଶନରେ ହୋଇ ତୋଷ ଯେ ।ବିସ୍ମରିସ୍ୱପୁର ନର୍ମ ଶଯ୍ୟା କୃଷ୍ଣସାର ଚର୍ମଏବେ ଶୁଣ ସାଧୁ ଆନ ରସ ହେ । ୫।
୧ମ ପଦ :- ବନ୍ୟା-ବନସମୂହ । ଶିଖରୀ-ପର୍ବତ । ଋଷିବାର-ଋଷିସମୂହ । ବିଟପ-ପତ୍ର; ବିଟପୁରୁଷ । ସହଚରୀ-ସଖୀ, ଝିଣ୍ଟିନାମକ ବୃକ୍ଷ ବିଶେଷ । ପୁର-ଗୃହ, ଗୁଲ୍ମ ।
୧ମ ପଦ :- ଚିତ୍ରକୂଟ ପର୍ବତର ବନସମୂହ ବିପ୍ରଲବ୍ଧା ସ୍ତ୍ରୀ ପ୍ରାୟ ଶୋଭା ପାଉଅଛି । ବିପ୍ରଲବ୍ଧା ସ୍ତ୍ରୀ ‘ଋଷିବାର’ ମାନ କରିବାରେ ମଜ୍ଜିଥାଏ, ଏ ବନ ସେହିପରି ‘ ଋଷିବାର’ ଋଷିସମୂହଙ୍କ ଦ୍ୱାରା ମଜ୍ଜିଅଛି । ବିପ୍ରଲବ୍ଧା ନାରୀ ବିଟ ପୁରୁଷଙ୍କୁ ହସ୍ତ ହଲାଇ ନାହିଁ କହିଲା ପ୍ରାୟ, ଏ ବନ ବୃକ୍ଷର ପତ୍ରମାନଙ୍କୁ ପବନଦ୍ୱାରା ଦୋହଲାଉଅଛି । ଆଉ ମଧ୍ୟ ସେ ସଖୀଙ୍କ ସହିତ ଗୁହାଭିମୁଖିନୀ ହେଲା ପରି ଏ ବନ ଝିଣ୍ଟି ବୃକ୍ଷର ସଙ୍ଗତି ଲାଭ କରିଅଛି, ଗୁଗ୍ଗୁଳୁ ବୃକ୍ଷର ଅଭିମୁଖୀ ହୋଇଅଛି ।
୨ୟ ପଦ :- ପୟୋଧର-ନାରିକେଳ, ସ୍ତନ । ତୁଙ୍ଗ-ଉନ୍ନତ । ପୁରୁଷ-ପୁନ୍ନାଗ ବୃକ୍ଷ, ନାୟକ । ରଞ୍ଜନ-ରକ୍ତଚନ୍ଦନ ।
୨ୟ ପଦ :- ପୁଣି ସେହି ବନ-ନାୟିକା କୋଳିଳଧ୍ୱନି ରୂପ କଥାରେ ଖଣ୍ଡିତା ବଚନ କହି କାମରୂପ ବସନ୍ତ ପବନକୁ ବୃଦ୍ଧି କରୁଅଛି । ଉନ୍ନତ ଓ ହସ୍ତଦ୍ୱାରା ସ୍ପର୍ଶ ହୋଇନଥିବା ସ୍ତନ ରୂପ ନାରିକେଳ ଫଳ ଦେଖାଇ ପୁରୁଷର ଅନୁରାଗକୁ ବଢ଼ାଉଅଛି ।
ଫଳିତାର୍ଥ :- ଉକ୍ତ ବନରେ ସର୍ବଦା ବସନ୍ତ ପବନ ବହୁଛି, କୋକିଳ ବୋବାଉଛି । ଖୁବ୍ ଉଚ୍ଚରେ ଫଳିଥିବା ହେତୁ ଉକ୍ତ ବନର ନାରିକେଳ ଅସ୍ପରଶ ହୋଇଅଛି । ଆଉ ମଧ୍ୟ ସେଠାରେ ପୁନାଙ୍ଗ, ଚନ୍ଦନ ପ୍ରଭୃତି ବହୁତ ଗଛ ଅଛି ।
୩ୟ ପଦ :- ବିଦୂର-ଅଳ୍ପଦୂର । ବିଦ୍ରୁମ-କୋମଳ ପତ୍ର ।
୩ୟ ପଦ :- ଲକ୍ଷ୍ମଣ ସେହି ବନର ଖୁବ୍ ଦୂରକୁ ଯାଇ ନିବିଡ଼ ବନରୁ ପବନ ଯୋଗେ ଭଗ୍ନ ହୋଇଥିବା ଚନ୍ଦନ କାଷ୍ଠ ଆଣି ସୁନ୍ଦର ଗୃହ ନିର୍ମାଣ କଲେ ଓ ତାହା ବୃକ୍ଷର କୋମଳ ପତ୍ରରେ ଛାଆଣି କରି ବେଣା ଚେରର ବାଡ଼ ଦେଲେ ଏବଂ କସ୍ତୁରୀ ଓ ଗେରୁରେ ଚିତ୍ର ଲେଖିଲେ ।
୪ର୍ଥ ପଦ :- ବାରଣ-ହସ୍ତୀ । ରଣ-ଯୁଦ୍ଧ । ରଦଚୂର୍ଣ୍ଣ-ଦନ୍ତଚୁର୍ଣ୍ଣ । କ୍ଷେଦ-ଚୁର୍ଣ୍ଣ ବା ଧୂଳି । ଅଜିରେ-ଅଗଣାରେ ।
୪ର୍ଥ ପଦ :- ହସ୍ତୀ ହସ୍ତୀଙ୍କ ଯୁଦ୍ଧ ସମୟରେ ଦନ୍ତର ଘର୍ଷଣ ହେତୁ ଯେଉଁ ଦନ୍ତଚୁର୍ଣ୍ଣସବୁ ପଡ଼ିଥିଲା, ତାହା ଆଣି ଗୃହର ଅଗଣାରେ ପକାଇଲେ । ସେହି ଗୃହରେ ରାମଚନ୍ଦ୍ର ଓ ସୀତା ଦୁହେଁ ମିଳି ଆନନ୍ଦରେ ଦିନରାତି ଯାପନ କରି ଏକାନ୍ତରେ କେଳି କଲେ ।
୫ମ ପଦ :- ବୃକ ଧୂପରେ-କୃତ୍ତ୍ରିମ ଧୂପରେ ବା ସରଳ ଧୂପରେ । ଧୂପିତ-ସୁବାସିତ । ଓକ-ଗୃହ ।
୫ମ ପଦ :- ସେହି ପର୍ଣ୍ଣକୁଟୀରକୁ ସରଳ ଧୂପରେ ସୁବାସିତ କଲେ । ଦ୍ରାକ୍ଷାରସ ଭୋଜନରେ ନିରନ୍ତର ତୋଷହୋଇ ମୃଗ ଚର୍ମର ଶଯ୍ୟାରେ ଶୋଇ ଅଯୋଧ୍ୟାର ଖେଳ କୌତୁକ ହାସ ପରିହାସକୁ ଭୁଲିଗଲେ । ହେ ସାଧୁଜନେ । ଏବେ ଆନ କଥା ଶ୍ରବଣ କର ।
ବାହୁଡ଼ି ସୁମନ୍ତ୍ର ଗଲା ନୃପ ପଚାରୁଁ କହିଲା,ରାଣୀଗୋତ୍ରେ ପାତ୍ରେ ତହିଁ ଥିଲେ ଯେ ।ବହି ମୁନିଛବି ବେନି ଜାନକୀ ସଙ୍ଗତେ ଘେନିନ କହି ବିପଥେ ରାତ୍ରୁଁ ଗଲେ ଯେ । ୬।ବନବାସ ରୀତି ଶୁଣି ବନବାସ ନେତ୍ରେ ଆଣିହୃଦମଧ୍ୟେ ରାମ ବିହରିତ ଯେ ।ବି-କଳଧ୍ୱନିରେ ଲୋଳ ସୁମନ ଭ୍ରମରେ ମେଳଦଶରଥ ଏମନ୍ତ କଥିତ ଯେ । ୭।ବ୍ୟାଧ ପ୍ରାୟ ହୋଇ ମୁହିଁ ଜଳଘାଟ ଜଗିଥାଇଅନ୍ଧ ତପିସୂତ ନେଉଁ ନୀର ଯେ ।ବୁଡ଼ାଉଁ କୁମ୍ଭ ସେ କୁମ୍ଭୀ ଶବଦ ଭ୍ରମେ ଆରମ୍ଭିତାକୁ ନାଶିଲି ପ୍ରହାରି ଶର ଯେ । ୮।ବ୍ୟଥିତ କହନ୍ତେ ମାତା ପିତା ଯଥା ପତିବ୍ରତାଚିତା କରାଇ ମୋହର କରେ ଯେ ।ବାୟୁସଖାରେ ପଶିଲେ ସେକାଳେ ଏ ଶାପ ଦେଲେସୂତ ମୁଖ ନ ଦେଖ ନାଶରେ ଯେ । ୯।ବିଶ୍ରାମଟି ସେହି କାଳ ଜୀବନ ଯିବାର ମୂଳହେଲା ଅଶୁଭସ୍ୱପ୍ନ ମହିଷୀ ଯେ ।ବୀର ଗଣେଶ ଶ୍ରୀରାମ ମୂଷିକ କରଣେ କ୍ଷମଯମକୁ ସେ ହୋଇ ନାହିଁ ପାଶି ଯେ । ୧୦।୬ଷ୍ଠ ପଦ :- ରାଣୀଗୋତ୍ରେ-ରାଣୀସମୂହ । ବିପଦରେ-ଅବାଟରେ ।
୬ଷ୍ଠ ପଦ :- ରାମ, ଲକ୍ଷ୍ମଣ ଓ ସୀତାଙ୍କୁ ତମସାତୀରରେ ଛାଡ଼ି ସୁମନ୍ତ୍ର ବାହୁଡ଼ି ଗଲେ । ରାଣୀ ସମୁହ ଓ ପାତ୍ର ମନ୍ତ୍ରୀଙ୍କ ସହିତରେ ଥାଇ ରାଜା ଦଶରଥ ପଚାରନ୍ତେ, ସେ କହିଲେ ‘‘ରାମ ଓ ଲକ୍ଷ୍ମଣ ଦୁଇଭାଇ ମୁନିବେଶ ଧରି ଜାନକୀଙ୍କୁ ସଙ୍ଗରେ ନେଇ ମୋତେ ନ କହି ରାତ୍ର ଥାଉଁ ଅବାଟରେ ଚାଲିଗଲେ ।’’
୭ମ ପଦ :- ବନବାସ-ଲୋତକ ଜଳ । ବି-କଳ ଧ୍ୱନି- ପକ୍ଷୀମାନଙ୍କର ମଧୁର ସ୍ୱାନ । ଲୋଳ-ଚଞ୍ଚଳ । ସୁମନ- ପୁଷ୍ପ, ଉତ୍ତମ ମନ ।
୭ମ ପଦ :- ରାମ ଲକ୍ଷ୍ମଣଙ୍କର ବନବାସ କଥାମାନ ଶୁଣି ରାଜା ସେହି ବନବାସକୁ ନେତ୍ର ହୃଦୟରେ ସ୍ଥାନ ଦେଲେ, ନେତ୍ରରେ ‘ବନ’ ଅର୍ଥାତ୍ ଜଳ ବାସ କଲା (ନେତ୍ରରୁ ଲୋତକ ଝରିଲା) ବନରେ ମୃଗ ବିହାର କଲାପରି ହୃଦୟରେ ରାମଚନ୍ଦ୍ର ବିହାର କଲେ । ସେ ସବୁବେଳେ ରାମ ରାମ ହୃଦୟରେ ଗୁଣି ହେଲେ । ବନ ମଧ୍ୟରେ ପକ୍ଷୀମାନେ ଅବ୍ୟକ୍ତ ମଧୁର ଧ୍ୱନିରେ ଶବ୍ଦ କଲାପରି ରାଜାଙ୍କ ହୃଦୟ ବ୍ୟାକୁଳ ଶବ୍ଦରେ ପୁରି ଉଠିଲା । ବନରେ ପୁଷ୍ପସବୁ ଭୃଙ୍ଗମାନଙ୍କର ମିଳିତ ହେଲାପରି ରାଜାଙ୍କର ଉତ୍ତମ ମନ ଭ୍ରାନ୍ତିରେ ପୂର୍ଣ୍ଣ ହେଲା । (ରାମଙ୍କ ବନବାସ କଥା ଶୁଣି ଦଶରଥଙ୍କ ନେତ୍ରେରୁ ଲୋତକ ଝରିଲା, ସେ ହୃଦୟରେ ରାମ ନାମ ଘୋଷି ହେଲେ । ଚିତ୍ତ ବଡ଼ ବ୍ୟାକୁଳ ହେଲା ଏବଂ ତାଙ୍କର ଅଟଳ ମନରେ ମଧ୍ୟ ବିଭ୍ରମ ଉପୁଜିଲା ।) ଅନନ୍ତର ଏହିପରି ବ୍ୟାକୁଳିତ ଓ ଅସ୍ଥିର ଚିତ୍ତ ଦଶରଥ କହିଲେ, -
୮ମ ପଦ :- ବ୍ୟାଧ- ଶବର । କୁମ୍ଭ- ମାଠଆ । କୁମ୍ଭୀ-ହସ୍ତୀ ।
୮ମ ପଦ :- ‘‘ପୂର୍ବେ ମୁଁ ବ୍ୟାଧପ୍ରାୟ ହୋଇ ଜଳି ଘାଟରେ ଜୀବ ବଧ କରିବା ପାଇଁ ଜଗି ବସିଥିଲି । ଦିନେ ଅନ୍ଧ ମୁନିଙ୍କ ପୁତ୍ର ଜଳ ନେବାବେଳେ କୁମ୍ଭ ଜଳରେ ବୁଡ଼ାନ୍ତେ, ସେ କୁମ୍ଭ ‘କୁମ୍ଭୀ’ ହସ୍ତୀର ପ୍ରାୟ ଶବ୍ଦ କଲା । (ମାଠିଆ ପାଣିରେ ବୁଡ଼ାଇଲାବେଳେ ଯେ ଶବ୍ଦ ହେଲା, ତା ହାତୀର ଶବ୍ଦପରି ଶୁଭିଲା) । ମୁଁ ଭୂଲ୍ବଶତଃ ହସ୍ତୀ ବୋଲି ମନେକରି ଶର ପ୍ରହାରଦ୍ୱାରା ତାକୁ ବିନାଶ କଲି ।’’
୯ମ ପଦ :- ଚିତା-ଶ୍ମଶାନାଗ୍ନି । ବାୟୁସଖା-ଅଗ୍ନି ।
୯ମ ପଦ :- ‘‘ପରେ ଜାଣିପାରି ସେ କଥା ଯାଇ କହିବାରୁ ତାହାର ମାତା ପିତା ବ୍ୟଥିତ ଚିତ୍ତରେ ମୋହ ହସ୍ତରେ ଚିତାଗ୍ନି କରାଇଲେ ଏବଂ ଯେପରି ପତିବ୍ରତା ନାରୀ ପତିର ଚିତାରେ ପ୍ରବେଶ କରେ; ସେହିପରି ସେ ଅଗ୍ନିରେ ପଶିଲେ । ସେତେବେଳେ ମୋତେ ଶାପ ଦେଲେ, ତୋହର ନାଶ ସମୟରେ ତୁ ପୁତ୍ରର ମୁଖ ଦେଖିବୁ ନାହିଁ ।’’
୧୦ମ ପଦ :- ସେହି ଶାପର ସମୟ ଆସି ଉପସ୍ଥିତ ହେଲା (ମୋହର ମୃତ୍ୟୁ ସୁନିଶ୍ଚିତ) । ମହିଷୀ କୈକେୟୀ ମଇଁଷୀରୂପ ଅଶୁଭ ସ୍ୱପ୍ନ ପରି ହେଲା । (ମଇଁଷୀ ସ୍ୱପ୍ନ ଦେଖିଲେ ମୃତ୍ୟ ହୁଏ) । ବୀର ଗଣେଶ ଯମକୁ ମୂଷିକ କରିବାକୁ ଏକା ସକ୍ଷମ । ଗଣେଶରୂପୀ ବୀରଶ୍ରେଷ୍ଠ ରାମଚନ୍ଦ୍ର ତ ମୋ ପାଖରେ ନାହାନ୍ତି । (ଯମ ହାତରୁ ମୋତେ ଆଉ କିଏ ରକ୍ଷା କରିବ ?)
ବଦୁ ପ୍ରତିପଦୁଁ ତହିଁ ପକ୍ଷ ବାର ଯୋଗ ହୋଇପୂର୍ଣ୍ଣେ ରାଜା କ୍ଷୟାତିଥି ହେଲା ଯେ ।ବିଦିତ ଏଣୁ ସେକ୍ଷଣ ମାସ ସଦୃଶ ପ୍ରମାଣକରଣ ରାଶି ସଞ୍ଚାର ଥିଲା ଯେ । ୧୧।ବଡ଼ିମାହର ମନ୍ଦିରେ ସେ ନୃପ ଯେଣୁ ବିଚାରେତୈଳପାତ୍ରେ ତେଣୁ କଲେ ଦାନ ସେ ।ବହତୁ ଭରତପାଶେ ପ୍ରେରଣ କଲେ ରଭସେନଟ ବିଦ୍ୟାପ୍ରାୟ ରଚି ଆନ ସେ । ୧୨।ବତାସେ ମେଘ ଗମନ ପ୍ରାୟେ ଚଳାଇ ବିମାନପ୍ରବେଶ ହୋଇଲେ ଅଯୋଧ୍ୟାର ଯେ ।ବିଧବା ନାରୀ ସମାନ ଦିଶେ ସେ ଲକ୍ଷ୍ମଣ ହୀନରାମରଙ୍ଗ ହୋଇବାରୁ ଦୂର ଯେ । ୧୩।ବିମନରେ ନରପନ୍ତି କୁରରୀ ପରି ଝୁରନ୍ତିନିଶବଦ ଯଥା ମୁନିଗଣ ଯେ ।ବରଷାଋତୁ ପ୍ରକାର ଅନ୍ତଃପୁରସ୍ଥା ନିକରଉର-ଭୁମି ପଙ୍କିଳ କରିଣ ଯେ । ୧୪।ବଣା ଗଣଏଣୀ ପ୍ରାୟେ ଏଣେ ତେଣେ ଚାହିଁଦିଏଚିତାପରି ହୃଦେ ଜଳେ ଚିନ୍ତା ଯେ ।ବିନତିମାତାଙ୍କୁ ଚଣ୍ଡୀ ଅଗ୍ରେ ଯଥା ସିଂହ ମଣ୍ଡିପୁରାଣ ପୁଚ୍ଛିଲା ପ୍ରାୟେ ଶ୍ରୋତା ଯେ । ୧୫।
୧୧ଶ ପଦ :- ଯେପରି ଚାନ୍ଦ୍ର ମାସରେ ପ୍ରତିପଦାଦି ତିଥି, ପକ୍ଷ, ଯୋଗ, ବାର, କରଣ ଓ ରାଶିମାନଙ୍କର ସଞ୍ଚାର ଥାଏ, ସେହିପରି ଏହି କଥା କହୁ କହୁ ତାଙ୍କର ପ୍ରତି କଥାରେ ସ୍ୱରଭଙ୍ଗ ହେଲା ଓ ମୃତ୍ୟୁସମୟର ସାତ୍ତ୍ୱିକ କ୍ଷଣମାନ ପ୍ରକାଶ ପାଇଲା । କ୍ରମେ ଇନ୍ଦ୍ରିୟସମୂହ ଶିଥିଳ ହୋଇପଡ଼ିଲା । ମୃତ୍ୟୁ ତାହାଙ୍କର ଅତିଥିରୂପେ ଉପସ୍ଥିତ ହେଲା । ତେଣୁ ଏହି ମୃତ୍ୟୁ ସମୟ ଚାନ୍ଦ୍ରମାତ୍ର ସଦୃଶ ବିଦିତ ହେଲା । (ଚନ୍ଦ୍ର ଯେପରି କ୍ରମଶଃ କ୍ଷୀଣ ହୋଇ ଅମାବାସ୍ୟାରେ କ୍ଷୟ ହୁଏ, ସେହିପରି ରାଜା ଦଶରଥ କ୍ରମଶଃ ଶିଥିଳ ହୋଇ ଶେଷରେ ବିନାଶ ଲଭିଲେ ।)
୧୨ଶ ପଦ :- ବଡ଼ିମାହର-ଗର୍ବହର । ମନ୍ଦ-ଶିନିମହାଗ୍ରହ । ବହତୁ-ଦୂତ ।
୧୨ଶ ପଦ :- ରାଜା ଦଶରଥ ଯେହେତୁ ଶନିଶ୍ଚରର ବଡ଼ିମାକୁ ଖର୍ବ କରିଥିଲେ, ତେଣୁ ପାତ୍ର ମନ୍ତ୍ରୀମାନେ ବିଚାର କରି ତାଙ୍କର ମୃତ ଦେହକୁ ତୈଳ ପାତ୍ରରେ ରଖିଲେ । (ପୁତ୍ରମାନେ ପାଖରେ ନ ଥିବାରୁ ମହାବୀର ଦଶରଥଙ୍କ ମୃତ ଦେହ ତୈଳ ପାତ୍ରରେ ରଖା ଗଲା । ପୁଣି ଶନିଦୃଷ୍ଟି ସମୟରେ ତୈଳପାତ୍ର ଦାନ କରିବା ବିଧି) । ଭରତଙ୍କ ନିକଟକୁ ବେଗରେ ଦୂତ ପ୍ରେରଣ କଲେ । ସେ ଦୂତମାନେ ଐନ୍ଦ୍ରଜାଲିକ ପରି କପଟ କଥାମାନ ଭରତଙ୍କୁ କହିଲେ ।
୧୩ଶ ପଦ :- ଲକ୍ଷ୍ମଣହୀନ-ଲକ୍ଷଣଶୂନ୍ୟ, ଲକ୍ଷ୍ମଣ ନଥିବାରୁ । ରାମରଙ୍ଗ-ରାମରୂପ ରଙ୍ଗରସ ।
୧୩ଶ ପଦ :- ଦୂତଙ୍କଠାରୁ କପଟ କଥାମାନ ଶୁଣି ବାୟୁଯୋଗେ ମେଘ ଗମନ କଲା ପ୍ରାୟ ଭରତ ରଥ ଚଳାଇ ଆସି ଅଯୋଧ୍ୟାରେ ପ୍ରବେଶ ହେଲେ; ଆସି ଦେଥିଲେ, ଅଯୋଧ୍ୟା ରାମ ଓ ଲକ୍ଷ୍ମଣଙ୍କ ବିହୁନରେ ‘ରାମରଙ୍ଗ’ କେଳି ଓ ‘ଲକ୍ଷ୍ମଣ’ ସିନ୍ଦୂରାଦି ଚିହ୍ନ ଶୂନ୍ୟ ବିଧବା ନାରୀ ପ୍ରାୟ ଦେଖା ଯାଉଅଛି ।
୧୪ଶ ପଦ :- ଦୁଃଖ ମନରେ ଲୋକମାନେ କପୋତୀ ପରି ଝୁରୁଛନ୍ତି ଓ ମୁନିଗଣ ନିଃଶବ୍ଦରେ ଯୋଗ ସାଧନା କଲା ପରି ପୁରୀ ନୀରବ ହୋଇଅଛି । ବର୍ଷା ଋତୁରେ ଭୂମି କାଦୁଆ ହେଲା ପରି ଅନ୍ତଃପୁରର ସ୍ତ୍ରୀମାନେ ନେତ୍ର ଜଳରେ ବକ୍ଷଦେଶକୁ ତିନ୍ତାଇ ଦେଇ ଅଛନ୍ତି ।
୧୫ଶ ପଦ :- ଯୁଥବଣା ହରିଣୀ ପରି କେଉଁ ସ୍ତ୍ରୀ ଏଣେତେଣେ ଚାହୁଁଛି । ସମସ୍ତଙ୍କ ହୃଦୟରେ ଚିତା ଅଗ୍ନି ପରି ଚିନ୍ତା ଜଳୁଅଛି । ଏ ସବୁ ଅମଙ୍ଗଳମାନ ଦେଖି ଭରତ ମାତାଙ୍କୁ ପ୍ରଣାମ କରି ଦୁର୍ଗାଙ୍କ ଅଗ୍ରତରେ ସିଂହ ଉପବେଶନ କଲା ପ୍ରାୟ ମାତାଙ୍କ ଆଗରେ ବସିଲେ । ପୁଣି ଶ୍ରୋତା ପୌରାଣିକଙ୍କୁ ପଚାରି ସବୁ ବୁଝିଲା ପରି ଅଯୋଧ୍ୟାର କଥା ସବୁ ପଚାରିଲେ ।
ବକ୍ତା ହୋଇଲେ ଜନନୀ ପ୍ରଥମ ଯୁଗ ନ ମାନିଜଳାବର୍ତ୍ତ ବହି ତବ ତାତ ଯେ ।ବିହୁଥିଲେ ଅଭିଷେକ ଶ୍ରୀରାମେ ହୋଇ ଉତ୍ସୁକଉପାୟେ ମୁଁ ତାହା କଲି ହତ ଯେ । ୧୬।ବିଶ୍ୱମ୍ଭରା ପତି ହୋଇ ସୀତାବଲ୍ଲଭ ଉତ୍ସାହୀପଶୁ ବୁଦ୍ଧି ଦେଖି ପେଷି ବନ ଯେ ।ବିନାଶ ତାମସୀ ମତେ ରାମ ଲକ୍ଷ୍ମଣଙ୍କ ଅସ୍ତେନରପତି ହୋଇଲେ ବହନ ଯେ । ୧୭।ବିଳସ ତୁ ଈନ ହୋଇ କରି ଦୀପ୍ତ କର ମହୀଶ୍ରବଣରେ ସେ ଭରତ ଭାଷେ ଯେ ।ବୋଲିବା କି ମାତା ତୁମ୍ଭେ ରାହୁ ହେଲ ଏ ଆରମ୍ଭେପୂର୍ବକାଳେବେନିକୁଳ ଗ୍ରାସେ ସେ । ୧୮।ବନ୍ଧ ପକାଇ ମଧ୍ୟର ବେନିଭାଗ କଲ ନୀରଏ ବୁଦ୍ଧି ଶିଖିଲ କାହୁଁ ଏବେ ଯେ ।ବୋଇଲେ ଧାତ୍ରୀ ମନ୍ଥରା ସୁରଭି ସେ ପରମ୍ପରାଗୋପାଳପୁତ୍ରେ ଧାଇଁଲେ ଜବେ ଯେ । ୧୯।ବିଷାଣ କେଶ ଧଇଲେ ଲଗୁଡ଼ ପ୍ରହାର କଲେଚରଣକୁ ବାନ୍ଧିଲେ ରଜ୍ଜୁରେ ଯେ ।ବେନି ହସ୍ତ ଯୋଡ଼ି ଯାଇଁ କୌଶଲ୍ୟା ପାଶେ ବିନୟୀବୋଧିଲେ ସେ ବଚନ ମଞ୍ଜରେ ଯେ । ୨୦।୧୬ଶ ପଦ :- ପ୍ରଥମଯୁଗ-ସତ୍ୟ । ଜଳ ବର୍ତ୍ତ ବହି-ଭ୍ରମରେ ପଡ଼ି ।
୧୬ଶ ପଦ :- ଜନନୀ କୈକେୟୀ ବକ୍ତା ହୋଇ କହିଲେ; ‘‘ତୁମ୍ଭର ପିତା ଦଶରଥ ଭ୍ରମବଶତଃ ସତ୍ୟ ଲଙ୍ଘନ କରି ଉତ୍ସୁକ ମନରେ ଶ୍ରୀରାମଙ୍କର ଅଭିଷେକ କରୁଥିଲେ । ମୁଁ ଉପାୟ ଦ୍ୱାରା ତାହା ବିନାଶ କଲି ।’’
୧୭ଶ ପଦ :- ବିଶ୍ୱମ୍ଭରା ପତି-ପୃଥିବୀ ପତି । ତାମସୀ-ରାତ୍ରି ।
୧୭ଶ ପଦ :- ‘‘ପୃଥିବୀ କନ୍ୟା ସୀତାଙ୍କର ପତି ରାମଚନ୍ଦ୍ର ଶାଶୁ ପୃଥିବୀର ପତି ହେବା ପାଇଁ ଉତ୍ସୁକ ହୋଇଥିଲେ । ତାଙ୍କର ଏହି ପଶୁ ବୁଦ୍ଧି ଦେଖି ତାଙ୍କୁ ମୁଁ ବନକୁ ପେଷିଦେଲି (ପଶୁ ବନ ମଧ୍ୟରେ ବାସ କରେ) । ଲକ୍ଷଣଯୁକ୍ତ ମନୋହର ଚନ୍ଦ୍ର ଅସ୍ତ ହେଲେ ଯେପରି ରାତ୍ର ବିନଷ୍ଟ ହୁଏ, ସେହିପରି ରାମ ଲକ୍ଷ୍ମଣଙ୍କ ବନ ଗମନରେ ରାଜା ଦଶରଥ ବିନାଶ ହେଲେ ।’’
୧୮ଶ ପଦ :- ଈନ-ସୂର୍ଯ୍ୟ । କର- କିରଣ । ଦୀପ୍ତ-ଉଜ୍ଜ୍ୱଳ ।
୧୮ଶ ପଦ :- ‘‘ରାତ୍ର ଗଲେ ସୂର୍ଯ୍ୟ ନିଜ କିରଣପ୍ରଭା ଦେଖାଇ ପୃଥିବୀରେ ବିଳସିଲା ପରି ତୁ ରାଜା ହୋଇ ପ୍ରଜାଙ୍କଠାରୁ କର ଆଦାୟ କରି ଅଯୋଧ୍ୟା ପୁରୀରେ ବିହାର କର ।’’ ଭରତ ମାତାଙ୍କର ଏହି କଥା ଶ୍ରବଣ କରି କହିଲେ, ‘‘ତୁମ୍ଭେ ତ ମାତା, ତୁମ୍ଭଙ୍କୁ ଅଧିକ ବା କଅଣ କହିବି ? ରାହୁ ପ୍ରତିପଦ୍ଯୁକ୍ତ ଆମାବାସ୍ୟା ଓ ପୂର୍ଣ୍ଣିମାରେ ଚନ୍ଦ୍ର ଓ ସୂର୍ଯ୍ୟ ଉଭୟଙ୍କୁ ଗ୍ରାସ କଲାପରି ତୁମ୍ଭେ ଅଯୋଧ୍ୟାର ଉତ୍ସବ ସମୟରେ ଆମ୍ଭ ଦୁଇକୁଳ (ତୁମ୍ଭ କଥାନୁସାରେ ରାମଚନ୍ଦ୍ର ରୂପୀ ଚନ୍ଦ୍ର ଓ ମୋପରି ସୂର୍ଯ୍ୟକୁଳ) ଗ୍ରାସ କଲ ।
୧୯ଶ ପଦ :- ‘‘ଜଳ ମଧ୍ୟରେ ବନ୍ଧ ପକାଇ ଦୁଇ ଭାଗ କରି ଦେଲ । ଏବେ ଏବୁଦ୍ଧି କାହୁଁ ଶିଖିଲ ?’’ (ଆଗେ ତ ଏ ବୁଦ୍ଧି ନ ଥିଲା) । ଭରତଙ୍କ କଥା ଶୁଣି କୌକେୟୀ କହିଲେ, ‘‘ଦାସୀ ମନ୍ଥରା ହିଂସାରେ ମାତୃଭେଦ ଶିଖାଇଲା ।’’ ଏହା ଶୁଣି ଗୋପାଳ ପିଲା ଗାଈ ପାଖକୁ ଧାଇଁ ଗଲା ପରି ଭରତ ବେଗରେ ମନ୍ଥରା ପାଖକୁ ଦଉଡ଼ି ଗଲେ ।
୨୦ଶ ପଦ :- ବିଷାଣ କେଶ-କେଶରୂପକ ଶୃଙ୍ଗ । ଲାଗୁଡ଼-ବାଡ଼ି । ମଞ୍ଜୁରେ-ମନୋହର ଭାବରେ ।
୨୦ଶ ପଦ :- ଗଉଡ଼ ପିଲା ଗାଈର ଶିଙ୍ଘ ଧଇଲା ପରି ଭରତ ମନ୍ଥରାର କେଶ ଧଇଲେ । ତାକୁ ବାଡ଼ିଦ୍ୱାରା ପ୍ରହାର କରି ତାହାର ପାଦକୁ ଦଉଡ଼ାରେ ବାନ୍ଧିଲେ । ତତ୍ପପରେ କୌଶଲ୍ୟାଙ୍କ ପାଖକୁ ଯାଇ ଦୁଇହାତ ଯୋଡ଼ି ବିନୟ ପ୍ରକାଶପୂର୍ବକ ତାଙ୍କୁ ବୋଧ କଲେ ।
ବଶିଷ୍ଠାଦି ଶୁଣି ଆସି ମହୀପତି ହୁଅ ଭାଷିବୋଇଲେ ସେ କି ବୋଲ କୋବିଦେ ହେ ।ବଜ୍ର ସଙ୍ଗରେ ସ୍ଫଟିକ ସମମୂଲ୍ୟ ଅବିବେକଏତେ ବିବେକ ନ କଲ ହୃଦେ ଯେ । ୨୧।ବିଧିପୂର୍ବେ ତହୁଁ ଗଲେ ପ୍ରେତକ୍ରିୟାକୁ ସାରିଲେଆସ୍ଥାନେ ବସିଲେ ପ୍ରାନ୍ତ ଦିନ ଯେ ।ବେଷ୍ଟନ ଜନସମସ୍ତ ସୁମନ୍ତ୍ରେ ପୁଚ୍ଛେ ଭରତକେଉଁ ଦିଗେ ଶ୍ରୀରାମ ଗମନ ହେ । ୨୨।ବିନାୟକ ଲମ୍ବୋଦର ହେଳେହେଲେ ଗଣେଶ୍ୱରତାତ ବୋଲେ ତାତ ତୋତେ ଦେଲେ ଯେ ।ବାଳଚର୍ଯ୍ୟ ସେ ଅଛନ୍ତି ରାମ ହେଲେ ସେହିମତିହୁଅ ନୃପ ବଶିଷ୍ଠେ ବୋଇଲେ ଯେ । ୨୩।ବାଣୀରେ ଭରତ ମୋହି ଗଜମୂର୍ଖ ନୋହେ ମୁହିଗିରାଙ୍କୁଶ ଘାତ କିପାଁ କର ହେ ।ବିଧୁର ଅଜ୍ଞାତ ଦୋଷ କଳଙ୍କ ଯଥା ପ୍ରକାଶଧାତା ମାତା ରଖିଲା ମୋଠାର ଯେ । ୨୪।ବାହାରିଲେ ରାମ ଆଣି ନଗ୍ର ଶୂନ୍ୟ ସେହିକ୍ଷଣିବୃଥା ବୋଲି ମନ୍ତ୍ରୀ କରୁଁ ବିଘ୍ନ ଯେ ।ବିଶୁଦ୍ଧ ସ୍ୱର୍ଣ୍ଣ ପିତ୍ତଳ ମିଶିଛି ଯେବେ ତା ଜଳପ୍ରତିଉତ୍ତର କଲେ ଶତ୍ରୁଘ୍ନ ଯେ । ୨୫।
୨୧ଶ ପଦ :- ଭରତ ଆସିବାର ଶୁଣି ବଶିଷ୍ଠାଦି ପାତ୍ରମାନେ ଆସି କହିଲେ, ‘‘ତୁମ୍ଭେ ରାଜା ହୁଅ’’ । ଭରତ କହିଲେ, ‘‘ହେ ଜ୍ଞାନୀବର୍ଗ ! କି କଥା କହୁଅଛ ? (ଜ୍ଞାନୀ ହୋଇ ଅଜ୍ଞାନଙ୍କ ପରି କହୁଅଛ ) ତୁମ୍ଭେ କ’ଣ ହୃଦୟରେ ବିଚାର କରିପାରୁନାହଁ ଯେ, କେବଳ ଅବିବେକ ଲୋକ ହୀରକର ମୂଲ୍ୟ ସହିତ ସ୍ଫଟିକ ପଥରର ମୂଲ୍ୟକୁ ସମାନ କରିଥାଏ । (ରାମଙ୍କ ସହିତ ମୋତେ ସମାନ କଲେ ତୁମ୍ଭେ ଅବିବେକଙ୍କ ସହିତ ଗଣନା ହେବ) ।’’
୨୨ଶ ପଦ :- ଆସ୍ଥାନେ-ସଭାରେ । ପ୍ରାନ୍ତ-ଶେଷ ।
୨୨ଶ ପଦ :- ତତ୍ପରେ ଭରତ ଯାଇ ବିଧିପୂର୍ବକ ଶ୍ରାଦ୍ଧାଦି ପ୍ରେତକର୍ମ ସମାପ୍ତ କଲେ । ଶେଷଦିନ ସଭା ମଣ୍ଡପରେ ପାତ୍ରମନ୍ତ୍ରୀଙ୍କଦ୍ୱାରା ବେଷ୍ଟିତ ହୋଇ ବସି ସୁମନ୍ତ୍ର ମନ୍ତ୍ରୀଙ୍କି ପଚାରିଲେ, ‘‘ଶ୍ରୀରାମ କେଉଁ ଦିଗରେ ଗଲେ କି ?’’
୨୩ଶ ପଦ :- (ମୁଁ ରାଜା ହେବାକୁ ଅଯୋଗ୍ୟ, ଏହା ଭରତ ପୂର୍ବେ କହିଥିବାରୁ) ବିଶିଷ୍ଠ କହିଲେ ‘‘ସାନ ପୁତ୍ର ଗଣେଶ ‘ବିନାୟକ’ ନାୟକ ପଦର ଅଯୋଗ୍ୟ, ପୁଣି ଲମ୍ବୋଦର ହୋଇ ମଧ୍ୟ (ଅଯୋଗ୍ୟ ହେଲେ ସୁଦ୍ଧା) ପିତା ମହାଦେବଙ୍କ ବୋଲରେ ଗଣନାଥ ହୋଇଅଛନ୍ତି । ସେହିପରି ପିତା ଦଶରଥ ତୁମ୍ଭଙ୍କୁ ରାଜପଦ ଦେଇ ଅଛନ୍ତି । କାର୍ତ୍ତିକେୟ ଥାଉଁ ଥାଉଁ ଗଣେଶ ଗଣନାଥ ହେଲା ପ୍ରାୟ ରାମ ଥିଲେ ସୁଦ୍ଧା ପିତା ବୋଲରେ ତୁମ୍ଭେ ରାଜା ହୁଅ ।’’
୨୪ଶ ପଦ :- ବିଶିଷ୍ଠଙ୍କ କଥା ଶୁଣି ଭରତ ଉତ୍ତରରେ ମୋହିତ କରି କହିଲେ, ‘‘ମୁଁ ଗଜମୁର୍ଖ ନୁହେଁ, ମୋତେ କାହିଁକି ଏ ବଚନ ରୂପ ଅଙ୍କୁଶରେ ଆଘତ କରୁଅଛ ? ଯେପରି ବିଧାତା ଅଜ୍ଞାତ ଦୋଷରେ (ବିନା ଦୋଷରେ) ଚନ୍ଦ୍ରଠାରେ କଳଙ୍କ ରଖିଲା, ସେହିପରି ମାତା କୈକେୟୀ ମୋ’ଠାରେ ମୋର ଅଜ୍ଞାତରେ ଅପବାଦରୂପ କଳଙ୍କ ରଖିଅଛି ।’’
୨୫ଶ ପଦ :- ଏହା କହି ଭରତ ରାମଙ୍କୁ ଆଣିବାପାଇଁ ବାହାରନ୍ତେ ନଗ୍ର ଶୂନ୍ୟ ହୋଇଗଲା, (ନଗ୍ରର ପ୍ରଜାମାନେ ତାଙ୍କ ସହିତ ରାମକୁ ଆଣିବାପାଇଁ ବାହାରିଲେ) । ଏହା ଦେଖି ମନ୍ତ୍ରୀମାନେ ‘ଯିବା ବୃଥା’ ଏହା କହି ଯିବାପାଇଁ ବାଧା ଦିଅନ୍ତେ, ଶତ୍ରୁଘ୍ନ ପ୍ରତି ଉତ୍ତର କଲେ, ‘‘ବିଶୁଦ୍ଧ ସୁବର୍ଣ୍ଣରେ ପିତ୍ତଳ ମିଶିଅଛି, ତାକୁ ପୋଡ଼ିଦେବା ଉଚିତ । (ବିଶୁଦ୍ଧ ସୁବର୍ଣ୍ଣ ଭରତଙ୍କ ସଙ୍ଗରେ ମାତୃ କୁମନ୍ତ୍ରଣା ରୂପ ପିତ୍ତଳ ମିଶିଛି । ରାମଙ୍କୁ ଆଣିଯିବା ରୂପ ଅଗ୍ନିରେ ପୋଡ଼ିଦେଲେ ଭରତଙ୍କ ବିଶୁଦ୍ଧତା ପ୍ରକାଶ ପାଇବ) ।’’
ବାଟରେ ହେଲା ଏମନ୍ତ ଶୃଙ୍ଗବେର ଆତଯାତ-କର ମହାଧନୀରେ ବିବାଦୀ ଯେ ।ବିଧୃତ ଏକ ପଦିକା ସେ ନାନାରତ୍ନେ ଶୋଭିକାନିର୍ମଳ ହୃଦେ ହେଲା ପ୍ରମୋଦି ଯେ । ୨୬।ବିପିନେ ଭରଦ୍ୱାଜର ସବଳେ ପ୍ରବେଶ ବୀରତପୋବଳେ ସମସ୍ତ ଚର୍ଚ୍ଚିଲେ ସେ ।ବିଧୁପ୍ରାୟେ ସୁଧାତୁଲ୍ୟ ଭୋଜନ ଦେଲେ ତତ୍କାଳସୁରପ୍ରାୟ ସନ୍ତୋଷେ ଭୁଞ୍ଜିଲେ ସେ । ୨୭।ବ୍ୟୁତପତ୍ତ ଉତ୍ତରରୁ ଭୋଗ ପ୍ରାୟ ଦିବ୍ୟଭୀରୁସେବିଲେ ଫଳଚନ୍ଦନେ ଶୋହି ଯେ ।ବିତାନ ତଳେ ଶେଯରେ ବିହରି ମହାସୁଖରେକିଛି ନାହିଁ ରାତ୍ର ଗଲା ପାହି ଯେ । ୨୮।ବଚସ୍କର ମୁନି ଯେହୁ ସୁବାହୁବଳେ ସୁବାହୁନାଶିଭୂତି ବିନା ଭୂତି ଭୂଷା ଯେ ।ବିହୀନ ଲକ୍ଷ୍ମଣେ ଯେହି ସହିତ ଲକ୍ଷ୍ମଣେ ସେହିଜାନକୀ ନୋହି ଜାନକୀ ଆଶା ଯେ । ୨୯।ବିରକ୍ତ ଚିତ୍ରକୂଟରେ ବିହରେ ଚିତ୍ରକୂଟରେକଟକକୁ ତେଜି କଟକରେ ସେ ।ବିରୋଧାଭାଷ ଶୁଣି ସେ ଗମନ କଲେ ରଭସେପରବେଶ ହୋଇ ନିକଟରେ ସେ । ୩୦।୨୬ଶ ପଦ :- ଶୃଙ୍ଗବେର-ଅଦା । ଏକପଦିକା-ଚାରିପଣ ।
୨୬ଶ ପଦ :- ଅଦା ବ୍ୟବସାୟୀ ଚାରିପଣ କଉଡ଼ି ଧରି ନାନାରତ୍ନରେ ମଣ୍ଡିତ ମହା ଧନବନ୍ତ ଲୋକ ସହିତ ବିବାଦୀ ହେଲାପରି, ଭରତ ଯାଉଁ ଯାଉଁ ଶୃଙ୍ଗବେରପୁରର ଅଧିପତି ଗୁହକ ଶବର ବହୁସୈନ୍ୟ ପରିବେଷ୍ଟିତ ଭରତଙ୍କ ସଙ୍ଗେ ବିବାଦୀ ହୋଇ ବାଟରେ ବାଧା ଦେଲା । ମାତ୍ର କଥାବର୍ତ୍ତା ହେଲାପରେ ଚିହ୍ନାଚିହ୍ନି ହୋଇ ସ୍ୱଚ୍ଛ ହୃଦୟରେ ଆନନ୍ଦ ଅନୁଭବ କଲା ।
୨୭ଶ ପଦ :- ସେଠାରୁ ଯାଇ ବୀର ଭରତ ସୈନ୍ୟ ସହିତରେ ଭରଦ୍ୱାଜ ମୁନିଙ୍କ ଆଶ୍ରମରେ ପ୍ରବେଶିଲେ । ସେ ମୁନି ତପଃପ୍ରଭାବରେ ସେମାନଙ୍କୁ ଚର୍ଚ୍ଚା କଲେ । ଚନ୍ଦ୍ର ଦେବତାଙ୍କୁ ଅମୃତ ଦେଲା ପ୍ରାୟ, ଋଷି ତତ୍କ୍ଷଣାତ୍ ସେମାନଙ୍କୁ ଅମୃତ ସମ ଭୋଜନ ଦେଲେ । ସେମାନେ ଦେବତାଙ୍କ ପରି ସନ୍ତୋଷ ମନରେ ତାହା ଭୁଞ୍ଜିଲେ ।
୨୮ଶ ପଦ :- ଭୋଗ-ସ୍ୱର୍ଗଭୋଗ । ଦିବ୍ୟଭୀରୁ-ସ୍ୱର୍ଗର ରମଣୀ । ବିତାନ-ଚାନ୍ଦୁଆ ।
୨୮ଶ ପଦ :- ଜ୍ଞାନୀଶ୍ରେଷ୍ଠ ଋଷି ସେମାନଙ୍କୁ ସ୍ୱର୍ଗ ସୁଖ ପ୍ରଦାନ କଲେ । ଦିବ୍ୟ ସ୍ତ୍ରୀମାନେ ଫୁଲ ଚନ୍ଦନରେ ଶୋଭିତ ହୋଇ ଆସି ସେମାନଙ୍କୁ ପୂଜା କଲେ । ଚାନ୍ଦୁଆ ତଳେ ମହାସୁଖରେ ବିହାର କରି ସେମାନଙ୍କର ରାତ୍ର ପାହିଗଲା । ପ୍ରଭାତରେ ସେମାନେ ଦେଖିଲେ ଯେ ଆଉ କିଛି ନାହିଁ । ଋଷିଙ୍କର ତପ ପ୍ରଭାବରେ ରାତ୍ରରେ ସବୁ ସୁଖ ମିଳିଲା, ମାତ୍ର ପ୍ରଭାତରେ ବିଲୀନ ହୋଇଗଲା) ।
୨୯ଶ ପଦ :- ମୁନି ଭାରଦ୍ୱାଜ ବିରୋଧ ବାକ୍ୟରେ କହିଲେ, ‘‘ରାମଚନ୍ଦ୍ର, ‘ସୁବାହୁ’ ଉତ୍ତମ ବାହୁବଳରେ ସୁବାହୁ ଦୈତ୍ୟକୁ ମାରି ‘ଭୂତି’ ସମ୍ପତ୍ତି ତ୍ୟାଗ କରି ‘ଭୂତି’ ଭସ୍ମ ବିଭୁଷିତ ହୋଇଅଛନ୍ତି । ‘ଲକ୍ଷଣେ’ ଛତ୍ର ଚାମରାଦି ରାଜଚିହ୍ନ ଶୂନ୍ୟ ହୋଇ ଲକ୍ଷ୍ମଣଙ୍କ ସହିତ ଏବଂ ‘ଜାନକୀ’ ରଥ ସୁଖ ପରିହାର ପୂର୍ବକ ‘ଜାନକୀ’ ସୀତାଙ୍କ ସଙ୍ଗରେ ବନରେ ବୁଲୁଅଛନ୍ତି ।’’
୩୦ଶ ପଦ :- ‘‘ଅଯୋଧ୍ୟାର ଅପୂର୍ବ କପଟରେ ବିରକ୍ତ ହୋଇ ସେ ରାମ ଚିତ୍ରକୂଟ ପର୍ବତ ତଳଦେଶରେ ବିହାର କରୁଅଛନ୍ତି ।’’ ଭରତ ଭରଦ୍ୱାଜ ଋଷିଙ୍କଠାରୁ ଏହିପରି ବିରୋଧାଭାଷ ଶୁଣି ସେଠାରୁ ବେଗରେ ଗମନ କଲେ ଓ ଚିତ୍ରକୁଟ ପର୍ବତ ନିକଟରେ ପ୍ରବେଶ ହେଲେ ।’’
ବ୍ୟାଳସମୂହକୁ ତ୍ରାସି ସିଂହ କି ଘଉଡ଼ି ଆସିଘୋଷି ଦନ୍ତେ ଉଠି ସୌମିତ୍ରେୟ ଯେ ।ବିଲୋକିଲେ ପ୍ରଜାପତ୍ତି ବାଜୀ ହସ୍ତେ ଧରିଛନ୍ତିହରି ଚଢ଼ି ଆସେ ଚୟ ଚୟ ଯେ । ୩୧।ବାହନ କରି ସୁଦନ୍ତୀ କେତେ ବିହେ ରଥେ ଗତିକନ୍ଦଳୀ ଚଳିଅଛନ୍ତି ଶୂନ୍ୟେ ଯେ ।ବିଷ୍ଣୁପଦ ଦିଏ ଗିଳି ରଜନୀକରହିଁ ମିଳିଲକ୍ଷ୍ମଣ ଚିହ୍ନି କହେ ବହନ ଯେ । ୩୨।ବୈମାତ୍ରେୟ ଗୁଣ ଭାଳି ଗରୁଡେ଼ ଯେମନ୍ତ କାଳୀବିଭୋଗ ଖଣ୍ଡନେ ସାଜି ରଣେ ଯେ ।ବିବାଦ ରଚି ତେମନ୍ତ ସସୈନ୍ୟ ହୋଇ ଭରତଗମନ କରିବା ପ୍ରାୟ ମଣେ ଯେ । ୩୩।ବୋଧେ ରାମ ନଦୀ ସର ତଡ଼ାଗ କୂପ ଆବରମୂର୍ତ୍ତି ଭିନ୍ନ ସେ ଏକ ଜୀବନ ଯେ ।ବରଷା କରେ ଆବିଳ ତା ନିଜ ଗୁଣ ନିର୍ମଳଶୀତଳକୁ ନ ଛାଡ଼ନ୍ତି ଘେନ ଯେ । ୩୪।ବିନତି ଯୋଡ଼ିଣ କର ବିନତାସୁତ ପ୍ରକାରଦଣ୍ଡ ପ୍ରାୟ ଦଣ୍ଡେ ମହୀ ଭଜି ଯେ ।ବେଗେ ସରାଗେ ତୋଳିଲେ ଶିଷ୍ୟେ ଗୁରୁପ୍ରାୟ ହେଲେବେନିଭ୍ରାତ ମନ ରଞ୍ଜାରଞ୍ଜି ଯେ । ୩୫।
୩୧ଶ ପଦ :- ଭରତ ସୈନ୍ୟମାନଙ୍କ ସହିତ ଶୀଘ୍ର ଗତିରେ ଆସନ୍ତେ ବନଜନ୍ତୁମାନେ ପଳାଇ ଯିବାରୁ ‘ବାଘ, ଭାଲୁ, ଗଣ୍ଡା ପ୍ରଭୃତି ହିଂସ୍ରପଶୁଙ୍କୁ ତ୍ରାସ ଦେଇ ସିଂହ ଘଉଡ଼ି ଆସୁଛି କି ?’ ଏହା ବିଚାରି ଲକ୍ଷ୍ମଣ ପର୍ବତ ଉପରେ ଉଠି ଦେଖିଲେ ଯେ, ପଦାତି ଅଶ୍ୱାରୋହୀ ସୈନ୍ୟମାନେ ହସ୍ତରେ ଧନୁଶର ଧରି ଶ୍ରେଣୀବଦ୍ଧ ଭାବରେ ଆସୁଅଛନ୍ତି ।
୩୨ଶ ପଦ :- କେତେକ ସୈନ୍ୟ ଉତ୍ତମ ହସ୍ତୀ ଉପରେ ବସି କେତେକ ରଥରେ ବସି ଆସୁଅଛନ୍ତି । ପତାକା ସମୂହ ଶୂନ୍ୟରେ ଉଡ଼ୁଅଛି (ଏହାଦ୍ୱାରା ଚତୁରଙ୍ଗ ବଳ ଥିବାର ସୂଚିତ ହେଲା) । ଧୂଳିରାଶି ଉଡ଼ି ଆକାଶକୁ ଆଚ୍ଛାଦନ କରି ପକାଉଅଛି । (ବିରୋଧାଭାଷ-‘ରଜନୀ କର’ ଚନ୍ଦ୍ର ବିଷ୍ଣୁଙ୍କ ପାଦକୁ ଗିଳୁଅଛି) । ଭରତଙ୍କର ସୈନ୍ୟ ବୋଲି ଲକ୍ଷ୍ମଣ ଚିହ୍ନିପାରି ରାମଙ୍କ ଆଗରେ ଆସି କହିଲେ-
୩୩ଶ ପଦ :- ‘‘କାଳୀସର୍ପ ବୈମାତ୍ରେୟ ଗୁଣ ବହନ କରି ଗରୁଡ଼ ସହିତ ଯେପରି ଯୁଦ୍ଧ କରିଥିଲା (କାଳୀ ସର୍ପ କଦ୍ରୁପୁତ୍ର ଓ ଗରୁଡ଼ ବିନତା ସୁତ କଦ୍ରୁବିନତାର ସପତଣୀ), ସେହିପରି ଭରତ ବୈମାତ୍ରେୟ ଗୁଣଘେନି ସୈନ୍ୟ ସହିତରେ ଆମ୍ଭମାନଙ୍କ ସହିତ ବିବାଦ କରିବାକୁ ଆସିଲାପରି ମୁଁ ମନେକରୁଛି ।’’
୩୪ଶ ପଦ :- ଲକ୍ଷ୍ମଣଙ୍କର ଏପରି କଥା ଶୁଣି ରାମ ବୋଧଦେଇ କହିଲେ, ‘‘ନଦୀ, ହ୍ରଦ, ପୁଷ୍କରିଣୀ ଓ କୂଅର ମୂର୍ତ୍ତି ଭିନ୍ନ, ମାତ୍ର ସେମାନଙ୍କର ଜୀବନ ଏକ ଅର୍ଥାତ୍ ସେ ସବୁଥିରେ ଯେ ପାଣି ରହିଥାଏ ସେ ଅଭିନ୍ନ; ସେହିପରି ଆମ୍ଭ ଚାରିଭାଇଙ୍କର ମୂର୍ତ୍ତି ଭିନ୍ନ ମାତ୍ର ଜୀବନ ଏକ । ବୃଷ୍ଟି ଜଳ ସେ ନଦୀ, ହ୍ରଦ, ପୁଷ୍କରିଣୀ ଓ କୂପର ଜଳକୁ ଗୋଳିଆ କରିଥାଏ, କିନ୍ତୁ ତାଙ୍କର ନିଜ ଗୁଣ ନିର୍ମଳତା ଓ ଶୀତଳତାକୁ ସେ ଛାଡ଼ନ୍ତି ନାହିଁ; ଏହା ମନରେ ହେଜ । (କୈକେୟୀଦ୍ୱାରା କଳୁଷିତ ହେଲେ ମଧ୍ୟ ଭରତ ନିଜର ନିର୍ମଳ ଗୁଣ ଛାଡ଼ିପାରିବ ନାହିଁ) ।’’
୩୫ଶ ପଦ :- ଏହି ସମୟରେ ଭରତ ଆସି ଗରୁଡ଼ ପ୍ରକାର ବିନୟରେ କରଦ୍ୱୟ ଯୋଡ଼ିଲେ (ଜଗନ୍ନାଥଙ୍କ ଆଗରେ ଗରୁଡ଼ ଯେପରି ବସିଥାଏ) ଏବଂ ଦଣ୍ଡେ ପର୍ଯ୍ୟନ୍ତ ଦଣ୍ଡ ପ୍ରାୟ ମହୀକ ଭଜିଲେ ଅର୍ଥାତ୍ ଦଣ୍ଡେ ପର୍ଯ୍ୟନ୍ତ ଭୂମିରେ ଶୋଇ ସାଷ୍ଟାଙ୍ଗ ପ୍ରଣିପାତ କଲେ । ରାମଚନ୍ଦ୍ର ସ୍ନେହର ସହିତ ଗୁରୁ ଶିଷ୍ୟକୁ ତୋଳି ଧଇଲା ପ୍ରାୟ ତତ୍କ୍ଷଣାତ୍ ତୋଳି ଧଇଲେ । ତାହା ପରେ ଦୁଇ ଭାଇ ମନ ଘେନା ଘେନି ହେଲେ ।
ବେଢ଼ିଲେ ଜନ ଜନନୀ ଗୁରୁ ଚତୁରଙ୍ଗ ଘେନିଦରିଦ୍ର ଧନ ଲଭିଲା ପରି ସେ ।ବିଶିଷ୍ଠ ସର୍ବ କହିଲେ, ଭରତ ପଦ ଧଇଲେଗମନ କରିବା ପାଇଁ ପୁରୀ ଯେ । ୩୬।ବୋଲେ ରାମ ସତ୍ୟବାଦୀ ପଦେଅନ୍ୟାର୍ଥ ସମ୍ପାଦିସମସ୍ତେ ପଣ୍ଡିତ ଗୁଣେ ଆସି ହେ ।ବଚ ଯେହୁ ଜନକର ନ ପାଳେ ସେ କି କୁମର ?ପର୍ଶୁଧର ରେଣୁକାକୁ ନାଶି ହେ । ୩୭।ବୋଇଲେ କୈକେୟୀସୁତ ଦୈତ୍ୟମାତାଠାରୁ ଜାତହେଉଁ ବାତ ଇନ୍ଦ୍ର ଘାତ କରି ହେ ।ବିଶ୍ୱାସୀ ତାଙ୍କର ହେଲା ଦେବ ହୋଇ ନ ଧଇଲାମନ୍ଦଗୁଣ, ମୁହିଁ ସେହିପରି ହେ । ୩୮।ବିହରିବା ମାନସର ମଧ୍ୟେ ହଂସକୁ ସୁନ୍ଦରଆନ ପକ୍ଷିରେକିସେ ବାଞ୍ଛିତ ଯେ ?ବିଷମ ବୁଦ୍ଧି ପ୍ରକାଶ କେବେ ନୋହିବ ନହୁଷପ୍ରାୟ ନାଶ ଯିବାକୁ ମୋ ଚିତ୍ତ ଯେ । ୩୯।ବାହୁଡ଼ିବାକୁ ସମ୍ମତି ନ କରୁଁ ଜାନକୀପତିକୁଶେଶୟ ହେଲେ ସଭ୍ରମରେ ଯେ ।ବିହାୟସୁଁ ବେଦବାଣୀ ତୋ ପ୍ରସୂ ପୃଥ୍ୱୀରକ୍ଷିଣୀନିଶା ଦୋଷା ହୋଇଲା ପ୍ରକାରେ ଯେ । ୪୦।
୩୬ଶ ପଦ :- ତଦନନ୍ତର ପ୍ରଜାଲୋକେ ଓ ମାତାମାନେ ବିଶିଷ୍ଠ, କଶ୍ୟପ, ଜାବାଳି, ବାମଦେବ-ଏହି ଚାରି ଗୁରୁଙ୍କ ସହିତ ଦରିଦ୍ର ଧନ ଲାଭ କଲା ପରି ରାମଚନ୍ଦ୍ରଙ୍କୁ ପାଇ ଆନନ୍ଦରେ ବେଢ଼ିଗଲେ । ବଶିଷ୍ଠ ସବୁ କଥା କହିଲେ । ଅଯୋଧ୍ୟାକୁ ଫେରିଯିବା ପାଇଁ ଭରତ ରାମଚନ୍ଦ୍ରଙ୍କ ପାଦ ଧରି ଅନୁନୟ କଲେ ।
୩୭ଶ ପଦ :- ଅନନ୍ତର ରାମଚନ୍ଦ୍ର କହିଲେ, ‘‘ତୁମ୍ଭେ ସମସ୍ତେ ପଣ୍ଡିତ ହୋଇ ସୁଦ୍ଧା ମୋର ପିତୃସତ୍ୟକୁ ଅନ୍ୟଥା କରିବାକୁ ଆସିଅଛ । ଯେଉଁ ପୁତ୍ର ପିତାଙ୍କର ବାକ୍ୟ ନ ପାଳେ ସେ କ’ଣ ପୁତ୍ରରୂପେ ଗଣ୍ୟ ? (ସେ ପୁତ୍ର ହୋଇ ସୁଦ୍ଧା ପୁତ୍ର ନୁହେଁ) । ପର୍ଶୁରାମ ପିତାଙ୍କ କଥା ପାଳି ନିଜ ମାତା ରେଣୁକାକୁ ନାଶ କରିଥିଲେ ।’’
୩୮ଶ ପଦ :- ତତ୍ପରେ ଭରତ କହିଲେ, ‘‘ଦୈତ୍ୟମାତା ଦିତିଠାରୁ ଜାତ ହୋଇଥିବା ପବନକୁ ଇନ୍ଦ୍ର ଅଣଚାଶ ଖଣ୍ଡ କରି ହାଣିଥିଲେ ସୁଦ୍ଧା ସେ ଦେବତା ହୋଇ ଇନ୍ଦ୍ରଙ୍କର ବିଶ୍ୱାସୀ ହେଲା; ବୈମାତ୍ରେୟ ମନ୍ଦଗୁଣ ଧଇଲା ନାହିଁ । ମୁଁ ସେହିପରି ମାତା ଦୋଷରେ ଦୋଷୀ ସିନା ! (ମୋତେ ସେହିପରି ବିଶ୍ୱାସ କରନ୍ତୁ) ।
୩୯ଶ ପଦ :- ‘‘ହଂସ ସିନା ମାନସରୋବରେ ବିହାର କଲେ ସୁନ୍ଦର ଦିଶିବ, ଅନ୍ୟ ପକ୍ଷୀ ତାହା ଇଚ୍ଛା କରିବା କି ? (ଅନ୍ୟ ପକ୍ଷୀ ବିହାର କଲେ କ’ଣ ସୁନ୍ଦର ଦିଶିବ ? ସେହିପରି ଅଯୋଧ୍ୟାରେ ଆପଣ ରାଜା ହେଲେ ଯେପରି ସୁନ୍ଦର ଦିଶିବ; ମୁଁ ରାଜା ହେଲେ ସେପରି ଦିଶିବ କି ?) ନହୁଷ ପ୍ରାୟ ନାଶଯିବ ପାଇଁ ମୋ ମନରେ ରାଜା ହେବା ରୂପକ ବିଷମ ବୃଦ୍ଧି କେବେ ହେଲେ ପ୍ରକାଶିତ ହେବ ନାହିଁ ।’’ (ନହୁଷ ସ୍ୱର୍ଗର ଇନ୍ଦ୍ର ହେବାକୁ ଇଚ୍ଛା କରି ବିନାଶ ହୋଇଥିଲେ, ମୁଁ ସେହିପରି ଅଯୋଧ୍ୟାର ରାଜା ହେବାକୁ ଇଚ୍ଛା କଲେ ବିନାଶ ହେବି) ।
୪୦ଶ ପଦ :- ସୀତାପତି ରାମଚନ୍ଦ୍ର ଅଯୋଧ୍ୟାକୁ ଫେରି ଯିବାକୁ ସମ୍ମତି ନ ଦେବାରୁ ଭରତ ପଦ୍ମ ଭ୍ରମରଯୁକ୍ତ ହେଲା ପ୍ରାୟ ଭ୍ରମବଶତଃ ଅନଶନ ବ୍ରତ ସହିତ କୁଶଶଯ୍ୟା କଲେ । ସେହି ସମୟରେ ଆକାଶରୁ ଦୈବ ବାଣୀ ହେଲା, ‘‘ହେ ଭରତ ! ତୋହର ମାତା ପୃଥିବୀ ରକ୍ଷାକାରିଣୀ ଅଟନ୍ତି । ବିନା ଦୋଷରେ ରାତ୍ରିକୁ ଦୋଷ ନାମ ଦେଲାପ୍ରାୟ ସେ ନିର୍ଦ୍ଦୋଷରେ ଦୋଷୀ ବୋଲି କଳଙ୍କ ବହିଲେ ।’’
ବାହୁଡ଼ାଇଲେ ରାଘବ ସୂର୍ଯ୍ୟବଂଶ ବୁଡ଼ିଯିବଶୁଣି ଉଠି ଯତିବେଶ ବହି ଯେ ।ବନ୍ଦିଲେ ପାଦୁକା ରାଜା ସମ୍ପଦେ କରିଣ ପୂଜାନନ୍ଦୀଗ୍ରାମେ ପୁରୀ କରି ରହି ସେ । ୪୧।ବିଶେଷ କାରୁଣି ହୋଇ କରୁଣାସାଗର ତହିଁତାତବାର୍ତ୍ତା ବଶୁଁ କ୍ରିୟା ସାରି ଯେ ।ବୟାଳିଶ ପଦେ ଛାନ୍ଦ କହେ ଭଞ୍ଜ ଉପଇନ୍ଦ୍ରସୀତାରାମ କାନନବିହାରୀ ଯେ । ୪୨।
୪୧ଶ ପଦ :- ‘‘ତୁମ୍ଭେ ଏପରି କଠୋର ଅନଶନ ବ୍ରତ କରି ନାଶ ହେଲେ ଆମ୍ଭେ ସବୁ ମରିବୁ; ତେଣୁ ସୂର୍ଯ୍ୟବଂଶ ବୁଡ଼ିଯିବ’’- ରାମ ଏହା ବୋଧ ଦେଇ କହି ଭରତଙ୍କୁ ଅଯୋଧ୍ୟା ଫେରିଯିବା ପାଇଁ ବୁଝାଇଲେ । ରାମଙ୍କ କଥା ଶୁଣି କୁଶଶଯ୍ୟାରୁ ଉଠି ଭରତ ଯତି ବେଶ ଧରି ଫେରିଲେ । ରାମଙ୍କ କଠାଉକୁ ଆଡ଼ମ୍ବର ସହିତ ପୂଜା କରି ରାଜା କଲେ, ନିଜେ ପାତ୍ର ପ୍ରାୟ ବନ୍ଦନା କଲେ । ନନ୍ଦୀଗ୍ରାମରେ ପୂର ନିର୍ମାଣ କରି ରହିଲେ, (ଅଯୋଧ୍ୟାକୁ ଫେରି ଗଲେ ନାହିଁ ) ।
୪୨ଶ ପଦ :- ଭରତ ବାହୁଡ଼ି ଯିବା ପରେ କରୁଣାସାଗର ରାମ ପିତାଙ୍କର ବିନାଶ ବାର୍ତ୍ତା ପାଇଥିବା ହେତୁ ବିଶେଷ ଭାବରେ ରୋଦନ କଲେ । ପ୍ରେତକ୍ରିୟାମାନ ସମାପ୍ତ କରି ସୀତା ରାମ ବନବିହାରୀ ହେଲେ । ଏ ଛାନ୍ଦକୁ ବୟାଳିଶ ପଦରେ ଉପେନ୍ଦ୍ର ଭଞ୍ଜ କହିଲେ ।
ଊନବିଂଶ ଛାନ୍ଦ(ରାଗ-ପଞ୍ଚମବରାଡ଼ି)