ବିଚାରଇ ମାଳଯମକରେ କବି ମନେ । (୨) — ବୈଦେହୀଶ ବିଳାସ (ଦ୍ୱିତୀୟ ଖଣ୍ଡ) — ଉପେନ୍ଦ୍ର ଭଞ୍ଜ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
୧୩ଶ ପଦ :- ‘ଶଚୀ ରୁଷି ଚାଲି ଯାଉଥିବାରୁ ସ୍ୱର୍ଗବେଶ୍ୟା ରମ୍ଭା କଦଳୀଗଛ ରୂପ ଧରି ବଳାତ୍କାରରେ ଏହାଙ୍କ ଜାନୁ ସଙ୍ଗେ ଜଡ଼ିତ ହୋଇଅଛି କି ?’ (ପାଦ ଧରି ଅନୁନୟ କରୁଅଛି) ।
୧୪ଶ ପଦ :- ବନଜପାଦେ-ପଦ୍ମପାଦରେ । ଚିତ୍ରରେଖା-ଅଳତା ରେଖ ।
୧୪ଶ ପଦ :- ‘ପଦ୍ମପାଦରେ ଦେଖା ଯାଉଥିବା ‘ଚିତ୍ରରେଖା’ ଅଳତା ରେଖା ଦେଖି ମନେହୁଏ ସ୍ୱର୍ଗବେଶ୍ୟା ଚିତ୍ରରେଖା ଦୁଇପାଦ ଧରି ବିନତି କରୁଅଛି କି ?’
୧୫ଶ ପଦ :- ‘ଚନ୍ଦ୍ରକଳା’ ଚନ୍ଦ୍ରରେଖା ସଦୃଶ ନିର୍ମଳ ଓଷ୍ଠକୁ ଦେଖି ମନେହୁଏ ଚନ୍ଦ୍ରଲେଖା ନାମକ ସ୍ୱର୍ଗବେଶ୍ୟା ବିନୟ ପ୍ରକାଶ କରୁଅଛି କି ?
୧୬ଶ ପଦ :- ବିଚିତ୍ର କଳାବତୀ ଶାଢ଼ି ଦେହରେ ଜଡ଼ିତ ଥିବାରୁ ଜଣାଯାଉଛି, କଳାବତୀ ନାମ୍ନୀସ୍ୱର୍ଗ ବେଶ୍ୟା ଆଲିଙ୍ଗନ କରିଅଛି ।୧୭ଶ ପଦ :- ପୁରନ୍ଦରୀ-ଇନ୍ଦ୍ରାଣୀ ।୧୭ଶ ପଦ :- ସୁନ୍ଦରୀ ସମୂହରେ ବେଷ୍ଟିତା ହେବାରୁ ଏ ଇନ୍ଦ୍ରାଣୀ ପଦକୁ ବହିଅଛନ୍ତି ।୧୮ଶ ପଦ :- ଶିଷ୍ୟମାନଙ୍କ ମଧ୍ୟରୁ କେହି ପ୍ରତିବାଦ କରି କହିଲା, ‘‘ଶଚୀ କାନ୍ତଠାରେ ବିରୋଧୀ ହେବେ କାହିଁକି ?’’୧୯ଶ ପଦ :- ବୃଷା-ଇନ୍ଦ୍ର । ଶିଳା-ପଥର ।
୧୯ଶ ପଦ :- ପ୍ରଥମ ଶିଷ୍ୟ କହିଲା, ‘‘ଇନ୍ଦ୍ର ଗୌତମପତ୍ନୀ ଅହଲ୍ୟାଙ୍କ ସହିତ ପ୍ରୀତି କରିବାରୁ ଗୌତମଙ୍କ ଶାପରେ ଅହଲ୍ୟା ପାଷାଣ ହୋଇଥିଲେ ।’’
୨୦ଶ ପଦ :- ବିକୁକ୍ଷିବଂଶୀ- ସୂର୍ଯ୍ୟବଂଶୀୟ ।୨୦ଶ ପଦ :- ସୂର୍ଯ୍ୟ ବଂଶରେ ଜନ୍ମ ହୋଇଥିବା ରାମଚନ୍ଦ୍ରଙ୍କ ପଦ ବାଜିବାରୁ ସେ ଅହଲ୍ୟା ପାଷାଣରୁ ମୁକ୍ତ ହେଇ ପୂର୍ବରୂପ ପାଇଅଛନ୍ତି ।ବଜ୍ରୀର ରସେ ବଡ଼ ପ୍ରୀତି ।ବଳାଉଥିବ ପୁଣି ମତି । ୨୧ ।ବିଜ୍ଞ ସର୍ବଜ୍ଞ ସୁଦକ୍ଷିଣ ।ବୋଇଲେ ଶୁଣି ତତକ୍ଷଣ । ୨୨ ।ବିଦ୍ୟାଧର ନୋହ ଏ ବେନି ।ବିଜେ ରାମ ଲକ୍ଷ୍ମଣ ଘେନି । ୨୩ ।ବିଶ୍ୱେ ମୋହନରୂପ ଦୁଇ ।ବିଧୁ ମଦନ ନ ଘଟଇ । ୨୪ ।ବହେ କଳଙ୍କ ଏକ ଅଙ୍କେ ।ବିଦେହ ଏକ ଶୋଭା ଅଙ୍କେ । ୨୫ ।ବିଦେହ ରାଜସୁତା ସଙ୍ଗେ ।ବିହିଲ ଲକ୍ଷକୁ କି ରଙ୍ଗେ । ୨୬ ।ବପୁଏ ହେଲେ ଲକ୍ଷ ଶଚୀ ।ବହନ୍ତା କାହୁଁ ଏତେ ରୁଚି । ୨୭ ।ବର୍ଣ୍ଣନା କବିମାନଙ୍କର ।ବିହିବା ସୀତାଠାରେ ସାର । ୨୮ ।ବ୍ୟର୍ଥ ଅନ୍ୟ ସ୍ତିରୀଙ୍କ ଠାବ ।ବୋଲିବା ନ ଥିଲା ନୋହିବ । ୨୯ ।ବର୍ତ୍ତମାନରେ ଅଛି ଏହି ।ବିଶ୍ୱେ ଖୋଜିଲେ ଆଉ ନାହିଁ । ୩୦୨୧ଶ ପଦ :- ବଜ୍ରୀର-ଇନ୍ଦ୍ରଙ୍କର ।
୨୧ଶ ପଦ :- ‘‘ଇନ୍ଦ୍ରଙ୍କର ଅହଲ୍ୟାଠାରେ ବଡ଼ ସ୍ନେହ ଥାଏ । ପୁଣି ସେ ଅହଲ୍ୟାଙ୍କୁ ମନ ବଳାଇଥିବେ; ତେଣୁ ଶଚୀ ରୁଷି ଚାଲି ଆସିଛନ୍ତି ।’’
୨୨ଶ ପଦ :- ଏହା ଶୁଣି ତ୍ରିକାଳଜ୍ଞ ପଣ୍ଡିତ ସୁଦକ୍ଷିଣ (ଅଗସ୍ତ୍ୟ ୠଷିଙ୍କ ପୁତ୍ର) ତତ୍କ୍ଷଣାତ୍ କହିଲେ -୨୩ଶ ପଦ :- ‘‘ଏ ପୁରୁଷ ଦୁହେଁ ବିଦ୍ୟାଧର ନୁହଁନ୍ତି, ଲକ୍ଷ୍ମଣଙ୍କୁ ସଙ୍ଗରେ ଧରି ରାମଚନ୍ଦ୍ର ବିଜେ କରିଅଛନ୍ତି ।’’
୨୪ଶ ପଦ :- ବିଧୁ-ଚନ୍ଦ୍ର । ମଦନ-କନ୍ଦର୍ପ ।
୨୪ଶ ପଦ :- ‘‘ଏ ଦୁହିଁଙ୍କ ରୂପ ଜଗତକୁ ମୋହିତ କରୁଛି । ଚନ୍ଦ୍ର ଓ କନ୍ଦର୍ପ ଶୋଭା ଏହାଙ୍କ ସହିତ ତୁଳନୀୟ ହୋଇ ନ ପାରେ ।’’
୨୫ଶ ପଦ :- ବିଦେହ-ଦେହହୀନ ।
୨୫ଶ ପଦ :- ‘‘ଏହାଙ୍କ ଶୋଭା ଦେଖି ଭୀତହୋଇ ଚନ୍ଦ୍ର ଦେହରେ କଳଙ୍କ ବହିଅଛି ଓ କନ୍ଦର୍ପ ଅଦେହ ହୋଇଅଛି ।’’
୨୬ଶ ପଦ :- ‘‘ବିଦେହ ରାଜସୁତା ସୀତା ଏହାଙ୍କ ସଙ୍ଗରେ ଅଛନ୍ତି । ତୁମ୍ଭେ କୌତୁକରେ କି ଉପମା ବା ଦେଲ ? (ତୁମ୍ଭେ ଶଚୀ ସହିତ ଯେ ଉପମା ଦେଲ, ସେ କିଛି ନୁହେଁ । ଶଚୀ ଏହାଙ୍କୁ ଲକ୍ଷ୍ୟ ନୁହଁନ୍ତି) ।’’
୨୭ଶ ପଦ :- ରୁଚି- ଶୋଭା ।୨୭ଶ ପଦ :- ‘‘ଲକ୍ଷସଂଖ୍ୟକ ଶଚୀ ଗୋଟିଏ ଶରୀର ବହିଲେ ସୁଦ୍ଧା ଏପରି ଶୋଭା ପାଇବେ କି ?’’୨୮ଶ ପଦ :- ‘‘କବିମାନଙ୍କର ବର୍ଣ୍ଣନା (ସୌନ୍ଦର୍ଯ୍ୟ ବର୍ଣ୍ଣନ) କେବଳ ସୀତାଙ୍କଠାରେ ସାର୍ଥକ ହୋଇଅଛି ।’’୨୯ଶ ପଦ :- ‘‘ଅନ୍ୟ ସ୍ତ୍ରୀମାନଙ୍କଠାରେ ସେ ବର୍ଣ୍ଣନାସବୁ ବୃଥା ଅଟେ । ଅତୀତରେ ନ ଥିଲା କି ଭବିଷ୍ୟତରେ ନ ହେବ ।’’୩୦ଶ ପଦ :- ‘‘ବର୍ତ୍ତମାନ କେବଳ ଏହି ଏକା ଅଛନ୍ତି ବିଶ୍ୱଯାକ ଖୋଜି ଆସିଲେ ବି ଆଉ ଗୋଟିଏ ମିଳିବ ନାହିଁ ।’’ବନଜାସନୀ ଯହିଁ ଯେତେ ।ବାର ବାର ଜନ୍ମିବ ମର୍ତ୍ତ୍ୟେ । ୩୧ ।ବହି ନ ଥିବ ନ ବହିବ ।ବିଗ୍ରହେ ଏପରି ସ୍ୱଭାବ । ୩୨ ।ବୋଲୁଁ ସେ ଆଶ୍ରମେ ପ୍ରକଟି ।ବାରିଧିଚଳୁକଙ୍କୁ ଭେଟି । ୩୩ ।ବସାଇ ପ୍ରଣିପତ୍ୟ କ୍ଷଣେ ।ବିଧିସମ ସେ ସବୁ ଜାଣେ । ୩୪ ।ବିରଚି ମାନସିକ ପୂଜା ।ବୈଦର୍ଭୀ ପାଶେ ଜନକଜା । ୩୫ ।ବିରାଜି କହ୍ଲାର ପାଶରେ ।ବିକଚ ପଦ୍ମ ଯେ ପ୍ରକାରେ । ୩୬ ।ବିଦୁଷେ ପ୍ରଶଂସିତ ସଦା ।ବଡ଼ ସୁନ୍ଦରୀ ଲୋପାମୁଦ୍ରା । ୩୭ ।ବୈଦେହୀ ତା ଲୋପ କରାଏ ।ବାଛି ଅମୁଦ୍ରା ମୁଦ୍ରା ପ୍ରାୟେ । ୩୮ ।ବିଧାତା ହୃଦ ସଂପୁଟକୁ ।ବୋଲିବା ଲୋପାମୁଦ୍ରା ତାକୁ । ୩୯ ।ବପୁକୁ ଚାହେଁ ଆପଣାର ।ବିଲୋକେ ସୀତା ମନୋହର । ୪୦ ।
୩୧ ଓ ୩୨ଶ ପଦ :- ‘‘ପଦ୍ମାସନୀ ଲକ୍ଷ୍ମୀ ମର୍ତ୍ତରେ ବାରମ୍ବାର ଯେଉଁ ସ୍ଥାନରେ ଯେତେଥର ଜନ୍ମିଛନ୍ତି ସେ ଏପରି ଶୋଭା ଧରି ନାହାଁନ୍ତି କି ଧରିବେ ନାହିଁ । (ଲକ୍ଷ୍ମୀ ମଧ୍ୟ ଏପରି ସର୍ବାଙ୍ଗସୁନ୍ଦରୀ ରୂପ ଧରି ନ ପାରନ୍ତି । )’’
୩୩ଶ ପଦ :- ସୁଦକ୍ଷିଣ ୠଷି ଏହା କହିବା ସମୟରେ ରାମ, ଲକ୍ଷ୍ମଣ ଓ ସୀତା ଆଶ୍ରମରେ ପ୍ରବେଶ ହୋଇ, ‘ବାରିଧି ଚଳୁକଙ୍କୁ’ ଅଗସ୍ତ୍ୟ ୠଷିଙ୍କୁ ଭେଟିଲେ । (ଅଗସ୍ତ୍ୟ କମଣ୍ଡଳୁ ମଧ୍ୟସ୍ଥ ପାଣିରୁ ଜନ୍ମି ହୋଇଥିଲେ, ମାତ୍ର ସମୁଦ୍ରକୁ ଗଣ୍ଡୂଷରେ ଚଳୁରୂପେ ପାନ କରି ଦେଇଥିଲେ ) ।
୩୪ଶ ପଦ :- ଅଗସ୍ତ୍ୟଙ୍କୁ ନମସ୍କାର କରିବା ସମୟରେ ମୁନି ତାଙ୍କୁ ଆସନରେ ବସାଇଲେ । ସେ ମୁନି ବିଧାତା ପରି ସବୁ କଥା ଜାଣିପାରନ୍ତି । [ବିଷ୍ଣୁ ରାମ ଅବତାରରେ ରାବଣ ବଧ ନିମିତ୍ତ ବନରେ ବୁଲୁଅଛନ୍ତି, -ଏ କଥା ସେ ଜାଣିପାରିଲେ ।]
୩୫ଶ ପଦ :- ବୈଦର୍ଭୀ-ଅଗସ୍ତ୍ୟପତ୍ନୀ । ଜନକଜା-ସୀତା ।
୩୫ଶ ପଦ :- ତେଣୁ ଅଗସ୍ତ୍ୟ ମନ ମଧ୍ୟରେ ରାମଚନ୍ଦ୍ରଙ୍କୁ ପୂଜା କଲେ । ଅଗସ୍ତ୍ୟ ୠଷିଙ୍କ ପତ୍ନୀ ବୈଦର୍ଭୀଙ୍କ ପାଖରେ ଜାନକୀ ପ୍ରବେଶ ହେଲେ ।
୩୬ଶ ପଦ :- କହ୍ଲାର-କଇଁ । ବିକଚ-ପ୍ରଷ୍ଫୁଟିତ ।
୩୬ଶ ପଦ :- କହ୍ଲାର ପୁଷ୍ପ ପାଖରେ ପ୍ରଷ୍ଫୁଟିତ ପଦ୍ମ ଯେପରି ଶୋଭାପାଏ, ଏ ସେହିପରି ଶୋଭା ପାଇଲେ । (ବୈଦର୍ଭୀ କହ୍ଲାର ଓ ସୀତା ପ୍ରଷ୍ଫୁଟିତ ପଦ୍ମ ) ।
୩୭ଶ ପଦ :- ସବୁକାଳରେ ଲୋପାମୁଦ୍ର [ବୈଦର୍ଭୀଙ୍କ ଅନ୍ୟ ନାମ] ବଡ଼ ସୁନ୍ଦରୀ ବୋଲି ପଣ୍ଡିତମାନଙ୍କ ଦ୍ୱାରା ପ୍ରଶଂସିତ ହୋଇଥାନ୍ତି ।
୩୮ଶ ପଦ :- ‘ଲୋପାମୁଦ୍ରାବଡ଼ ସୁନ୍ଦରୀ’ ଏହି କଥାକୁ ସୀତା ମୁଦ୍ରା ନ ଥିବା ଅର୍ଥାତ୍ ସନ ନ ଥିବା ଟଙ୍କାକୁ ବାଛି ଦେଲା ପ୍ରାୟ ଲୋପ କରିଦେଲେ । (ସୀତାଙ୍କ ସୌନ୍ଦର୍ଯ୍ୟ ନିକଟରେ ଲୋପାମୁଦ୍ରାଙ୍କ ସୌନ୍ଦର୍ଯ୍ୟ ହୀନପ୍ରଭ ହୋଇଗଲା) ।
୩୯ଶ ପଦ :- ବିଧାତାଙ୍କ ହୃଦୟ ରୂପ ଫରୁଆରେ ଯେତେ ସୌନ୍ଦର୍ଯ୍ୟ ଥିଲା, ବୈଦର୍ଭୀ ସେ ସବୁ ଲୋପ କରିଦେଲେ । ତେଣୁ ତାଙ୍କୁ ଲୋପାମୁଦ୍ରା କୁହାଯାଏ । (ବିଧାତାର ଯେତେ ଶୋଭାଲାବଣ୍ୟ ଥିଲା, ସେ ସମସ୍ତ ଦେଇ ବିଧାତା ଲୋପମୁଦ୍ରାଙ୍କୁ ନିର୍ମାଣ କରିଥିଲା) ।
୪୦ଶ ପଦ :- ସେ ଲୋପାମୁଦ୍ରା ନିଜ ଦେହକୁ ଚାହିଁ ପୁଣି ସୀତାଙ୍କ ସୌନ୍ଦର୍ଯ୍ୟକୁ ନିରୀକ୍ଷଣ କଲେ ।ବିନାଶନ ରୂପଗର୍ବିତା ।ବଢ଼ାଇ ଚିତ୍ତୁଁ ହୋଇଲା ତା । ୪୧ ।ବାର ବାର ସେ ଡୋଳାଅଳି ।ବିଚିତ୍ରବଲ୍ଲୀ ପରେ ଢାଳି । ୪୨ ।ବିମଳ ଜଳ ସ୍ଥଳ ଫୁଲ ।ବିଦିତ ଚାରି ଷଟ ମେଳ । ୪୩ ।ବିଚାରେ ଏହାର ରଞ୍ଜିତା ।ବାଣୀ ପଦ୍ମିନୀ ରସଲତା । ୪୪ ।ବିନ୍ଧ୍ୟଭୁଲୋକ ରାମେ ତହିଁ ।ବ୍ରହ୍ମାସ୍ତ୍ର ଚାପ ତୂଣ ଦେଇ । ୪୫ ।ବୋଲେ ଏ ଶରେ ରାବଣର ।ବଧ ବିଚାର ରଘୁବୀର । ୪୬ ।ବଡ଼ବାନଳୁଁ ବଳି ତେଜେ ।ବଡ଼ ଏ ନାରାଚସମାଜେ । ୪୭ ।ବିନ୍ଧିବା ତ୍ରିପୁରେ କଳ୍ପିଲା ।ବୃଷାଙ୍କ ଧନୁ ଜଳିଥିବା । ୪୮ ।ବାଣାସନକୁ ତଥା ଘେନ ।ବଜ୍ରାଗ୍ନି ଦହଇ କି ଘନ । ୪୯ ।ବିଜୟ ତୂଣ ଝର ପରି ।ବାଣ ବିନ୍ଧୁଥିଲେ ନ ସରି । ୫୦ ।୪୧ଶ ପଦ :- ସୀତାଙ୍କ ଶୋଭା ଦେଖି ଲୋପାମୁଦ୍ରାଙ୍କର ସୌନ୍ଦର୍ଯ୍ୟ ବଡ଼ିମା ମନରୁ ବିନାଶ ହେଲା ।୪୨ଶ ପଦ :- ଡୋଳାଅଳି-ଡୋଳାରୂପ ଭ୍ରମର ।
୪୨ଶ ପଦ :- ସେ ଲୋପାମୁଦ୍ରା ବାରମ୍ବାର ନିଜର ନେତ୍ର ଡୋଳା ରୂପ ଭ୍ରମରକୁ ସୀତା ରୂପ ଆଶ୍ଚର୍ଯ୍ୟ ଲତିକା ଉପରେ ଢାଳିଲେ । (ସୀତାଙ୍କୁ ବାରମ୍ବାର ଚାହିଁଲେ) ।
୪୩ଶ ପଦ :- (ସୀତା ଆଶ୍ଚର୍ଯ୍ୟ ଲତା କିପରି ହେଲେ ?) ନିର୍ମଳ ଜଳ ସମ୍ବନ୍ଧୀୟ ଚାରିଗୋଟି ଓ ସ୍ଥଳ ସମ୍ପର୍କୀୟ ଛଅଗୋଟି ଫୁଲ ଏକତ୍ରିତ ହୋଇ ସେ ବିଚିତ୍ର ଲତାରେ ଅର୍ଥାତ୍ ସୀତାଙ୍କ ଦେହରେ ବିକଶିତ ହୋଇଅଛି । (ଜଳ ସମ୍ବନ୍ଧୀୟ ଚାରିଗୋଟି ଫୁଲ, ଯଥା-ମୁଖ- ଶ୍ୱେତପଦ୍ମ । ନେତ୍ର-ନୀଳୋତ୍ପଳ, କରତଳ-ରକ୍ତପଦ୍ମ, ହାସ୍ୟ-କହ୍ଲାର । ସ୍ଥଳ ସମ୍ପର୍କୀୟ ଛଅଗୋଟି ଫୁଲ; ଯଥା-ଅଧର-ବଧୁଲୀ, ନାସା-ତୀଳ ଫୁଲ, ଅଙ୍ଗୁଳି-ଚମ୍ପକ କଳିକା, କାନ୍ତି-କେତକୀ, ଦନ୍ତ-କୁନ୍ଦ କଳିକା, ନଖ- ଜାଈକଳିକା) ।
୪୪ଶ ପଦ :- ଲୋପାମୁଦ୍ରା ସୀତାଙ୍କୁ ଦେଖି ବିଚାର କଲେ, ‘‘ମୁଁ ଭାବୁଛି, ଏହି ପଦ୍ମିନୀ ନାୟିକାକୁ ରସଲତା ନାମରେ ରଞ୍ଜିତ କରିବା ଉଚିତ ।’’
୪୫ଶ ପଦ :- ବିନ୍ଧ୍ୟଭୁଲୋକ-ଅଗସ୍ତ୍ୟ । ଚାପ-ଧନୁ । ତୂଣ-ଶରମୁଣା ।
୪୫ଶ ପଦ :- ‘ବିନ୍ଧ୍ୟଭୁଲୋକ’ ଅଗସ୍ତ୍ୟୠଷି (ବିନ୍ଧ୍ୟ ପର୍ବତ ଦିନକୁ ଦିନ ବଢ଼ୁଥିବାରୁ ଅଗସ୍ତ୍ୟ ତାକୁ ଭୁଲାଇ ନମ୍ର ଅବସ୍ଥାରେ ରଖି ଦାକ୍ଷିଣ୍ୟତାକୁ ଯାଇଥିଲେ । ସେ ଫେରିଆସିଲେ ବିନ୍ଧ୍ୟ ପୁଣି ବଢ଼ିବାର କଥା ଥିଲା । ମାତ୍ର ସେ ଆଉ ନ ଫେରିବାରୁ ବିନ୍ଧ୍ୟବଢ଼ି ନ ପାରି ସେହିପରି ରହିଲା ।) ରାମଚନ୍ଦ୍ରଙ୍କୁ ତାଙ୍କ ଆଶ୍ରମରେ ରଖାଇଲେ ଓ ବ୍ରହ୍ମଶର, ଧନୁ, ତୂଣୀର ଦେଇ କହିଲେ; -
୪୬ଶ ପଦ :- ‘‘ହେ ରଘୁବୀର ! ଏ ଶରଦ୍ୱାରା ରାବଣର ବିନାଶ ସାଧନ କର ।’’୪୭ଶ ପଦ :- ‘‘ଏ ଶରର ତେଜ ବଡ଼ବାଗ୍ନିର ତେଜଠାରୁ ଅଧିକ ଓ ଏହା ଶରସମୂହରେ ଶେଷ୍ଠ ଅଟେ ।
୪୮ଶ ପଦ :- ‘‘ମହାଦେବ ତ୍ରିପୁରାସୁର ବଧ କରିବା ମାନସରେ ଏ ଶରକୁ ଅଜଗବ ଧନୁରେ ବସାନ୍ତେ, ତାହା ଜଳିଗଲା । ତେଣୁ ଶିବ ତାହା ବ୍ରହ୍ମାଙ୍କୁ ଦେବାରୁ ବ୍ରହ୍ମା ତୁମ୍ଭଙ୍କୁ ଦେବା ନିମିତ୍ତ ମୋ ପାଖରେ ରଖାଇଥିଲେ ।’’
୪୯ଶ ପଦ :- କାଳେ ରାମ କହିବେ, ‘‘ଏ ଶର ମହାଦେବଙ୍କ ଧନୁକୁ ଜାଳି ଦେଇଛି, ମୋର ଏ ଧନୁକୁ ଜାଳି ନ ଦେବ କିଆଁ ?’ ସେଥିପାଇଁ ଅଗସ୍ତ୍ୟ କହୁଛନ୍ତି, ‘‘ଯେପରି ବଜ୍ରାଗ୍ନି ମେଘରେ ଥାଇ ମେଘକୁ ଦହ୍ୟ କରିପାରେ ନାହିଁ, ସେହିପରି ଏ ଶର ଏ ଧନୁକୁ ପୋଡ଼ିଦେଇ ନ ପାରେ ।’’
୫୦ଶ ପଦ :- ‘‘ଏ ବିଜୟ ତୂଣୀରୁ ଯେତେ ଶର ବାହାର କରି ବିନ୍ଧିଲେ ସୁଦ୍ଧା ତା’ ଝରର ପାଣି ପରି ଶେଷ ହେବ ନାହିଁ ।’’ବନରେ ପଞ୍ଚବଟୀ ସାର ।ବେଶ୍ମ ଥହିଁରେ ଯାଇ କର । ୫୧ ।ବାଟଦେଖାକୁ ଶିଷ୍ୟେ ଦେଲେ ।ବିଜୟ ସେ ସ୍ଥାନରେ କଲେ । ୫୨ ।ବିଲୋକି ନଦୀ ଗୋଦାବରୀ ।ବାମା କି ଶୁକୁ ଅଭିସାରୀ । ୫୩ ।ବିଷଦ ଫେନ ପାଟ ଶାଢ଼ି ।ବାନ୍ଧି ହୋଇଛି ଫୁଲ ପଡ଼ି । ୫୪ ।ବିଶୁଦ୍ଧ ଦଶା ସ୍ଥିତ ହୋଇ ।ବୀଚି କରକୁ ଟେକି ଦେଇ । ୫୫ ।ବିଶେଷ କୁମୁଦ ଛଟକ ।ବିରାଜେ ରଜତ କଟକ । ୫୬ ।ବୁଡ଼ି ଉଠଇ ଚକ୍ର ବସି ।ବାସ ଖସି କି ସ୍ତନ ଦିଶି । ୫୭ ।ବିଥିର ପବନେ ପୁଳୀନ ।ବିପୁଳ ଉରୁ ଦରଶନ । ୫୮ ।ବିସ୍ୱରେ କ୍ରିଡ଼େ ହଂସଶ୍ରେଣୀ ।ବାନ୍ଧିଛି ନିଃସ୍ୱନ କିଙ୍କଣୀ । ୫୯ ।ବାରିଜନେତ୍ରେ ଭୃଙ୍ଗ ଖେଳା ।ବିଳସେ କି ଚଞ୍ଚଳ ଡୋଳା । ୬୦ ।୫୧ଶ ପଦ :- ବେଶ୍ମ- ଗୃହ ।୫୧ଶ ପଦ :- ‘‘ ବନମାନଙ୍କ ମଧ୍ୟରେ ପଞ୍ଚବଟୀ ବନ ଶ୍ରେଷ୍ଠ ଅଟେ । ତୁମ୍ଭେ ଯାଇ ସେହି ବନରେ ଗୃହ କରି ରହ ।’’
୫୨ଶ ପଦ :- ଅଗସ୍ତ୍ୟ ଏହା କହିସାରି ବାଟ ଦେଖାଇ ଦେବାପାଇଁ ଶିଷ୍ୟମାନଙ୍କୁ ତାଙ୍କ ସହିତ ପଠାଇଲେ । ରାମ, ଲକ୍ଷ୍ମଣ, ସୀତା ପଞ୍ଚବଟୀରେ ପହଞ୍ଚିଲେ ।
୫୩ଶ ପଦ :- ସେଠାରେ ଗୋଦାବରୀ ନଦୀକୁ ଦେଖି; ‘ଏ ଶୁକ୍ଳାଭିସାରିଣୀ ନାୟିକା କି ?’ ଏପରି ମନେକଲେ [ଗୋଦାବରୀର ଜଳ ଶୁଭ୍ର ଓ ସ୍ୱଚ୍ଛ] ।
୫୪ଶ ପଦ :- ଶୁକ୍ଳଭିସାରିଣୀ ନାୟିକା ଫୁଲଧଡ଼ି ଯୁକ୍ତ ଶୁକ୍ଳ ପାଟଶାଢ଼ି ପିନ୍ଧିଥାଏ, ଏ ନଦୀ ତୀରରେ ଥିବା ବୃକ୍ଷମାନଙ୍କର ଫୁଲରୂପ ଧଡ଼ି ପଡ଼ିଥିବା ଶୁକ୍ଲ ଫେନ ରୂପ ପାଟଶାଢ଼ୀ ପିନ୍ଧିଅଛି ।
୫୫ଶ ପଦ :- ଅଭିସାରିଣୀ ନାୟିକା କାମପୀଡ଼ାରେ ଦୁର୍ବଳା ହୋଇଥିବା ହେତୁ ଭୂଷଣ ଭାର ସହି ନ ପାରି ହସ୍ତ ଏପାଖ ସେପାଖ ଦୋହଲାଇଲା ପରି ଗୋଦାବରୀ ଭଉଁରୀ ଖେଳରେ ମାତି ଲହରୀ ରୂପ କରକୁ ଦୋହଲାଉ ଅଛି ।
୫୬ଶ ପଦ :- ଶୁକ୍ଳାଭିସାରିଣୀର ରୂପା କଙ୍କଣ ସଦୃଶ ଗୋଦାବରୀର କଇଁଫୁଲ ସବୁ ବିରାଜୁ ଅଛନ୍ତି ।
୫୭ଶ ପଦ :- ଚକ୍ରବାକ ପକ୍ଷୀ ଜଳରେ ବୁଡ଼ି ଉଠି ପଡ଼ିଲାବେଳେ ବୋଧ ହେଉଛି, ଅଭିସାରିକା ଶୀଘ୍ର ଗତିରେ ଗମନ କରିବା ହେତୁ ଦେହରୁ ବସ୍ତ୍ର ଖସିଯିବାରୁ ସ୍ତନମଣ୍ଡଳ ଦେଖାଯାଉଅଛି କି ?
୫୮ଶ ପଦ :- ପୁଳୀନ-ନଦୀ ମଧ୍ୟସ୍ଥିତ ବାଲିକୁଦ ବା ତଟଦେଶ ।
୫୮ଶ ପଦ :- ଶୀଘ୍ର ଗମନ ହେତୁ ଅଭିସାରିକାର ପୃଥୁଳ ଜଙ୍ଘ ବେଳେ ବେଳେ ଦେଖାଗଲା ପରି ନଦୀ ମଧ୍ୟସ୍ଥ ବାଲିକୁଦ ପବନ ଯୋଗେ ହେଉଥିବା ଲହରୀଦ୍ୱାରା ବେଳେ ବେଳେ ଆଚ୍ଛନ୍ନ ହୋଇ ପୁଣି ଦେଖାଯାଉଥାଏ ।
୫୯ଶ ପଦ :- ବିସ୍ୱରେ-ନିଃଶବ୍ଦରେ । ନିଃସ୍ୱନ-ସ୍ୱନହୀନ ।୫୯ଶ ପଦ :- ଅଭିସାରିକା ସ୍ୱନହୀନ କିଙ୍କିଣୀ କଟିରେ ବାନ୍ଧି ଗଗନ କଲାପରି ନଦୀର ଜଳରେ ହଂସମାନେ ନିଃଶବ୍ଦରେ କ୍ରୀଡ଼ା କରୁଅଛନ୍ତି ।
୬୦ଶ ପଦ :- ଅଭିସାରିକାର ନେତ୍ରରେ ଡୋଳା ଚଞ୍ଚଳଗତିରେ ଖେଳା କଲାପରି ନଦୀ ଜଳରେ ଫୁଟିଥିବା ପଦ୍ମଫୁଲର ଭ୍ରମରମାନେ ଚଞ୍ଚଳ ଗତିରେ କ୍ରୀଡ଼ା କରୁଅଛନ୍ତି ।
ବଶ ଘନରସରେ ଅତି ।ବୁଡ଼ାଇ କୁ(କୂ)ଳ ସଦା ଗତି । ୬୧ ।ବିଟପୀମାନେ ବେନୀ ପାଶେ ।ବିରୋଧ କିପାଁ କରିବେ ସେ । ୬୨ ।ବିବିଧ ଗୋତ୍ର ଦ୍ୱିଜେ କହି ।ବୋଲାଉ ଗଉତୁମୀ ତୁହି । ୬୩ ।ବହୁ ରସ ପୂର୍ଣ୍ଣେ ନ ଭୁଲୁ ।ବାର୍ଦ୍ଧି ଲବଣୀୟା ନ ଭାଳୁ । ୬୪ ।ବହିଲାକ୍ଷଣି ତାରେ ପ୍ରୀତି ।ବିଧ୍ୱଂସ ହେବ ସ୍ୱାଦୁ ଜାତି । ୬୫ ।ବର୍ଜ୍ଜନା କି ଘେନିବ ତାର ।ବିଭେଦ୍ୟ କାମ ଶରାଳିର । ୬୬ ।ବୁଧେ ରୂପକଶ୍ଳେଷ ମିଶା ।ବୁଝ କବିରଚନା ଭାଷା । ୬୭ ।ବଢ଼ାଇ ତୋଷ ବନ ପୁଣି ।ବିଭର୍ତ୍ତି ତରୁ କି ତରୁଣୀ । ୬୮ ।ବନ୍ଧ୍ୟା ନୁହଁନ୍ତି ଫଳବତୀ ।ବୋଧ ସମସ୍ତେ କାନ୍ତ ପ୍ରୀତି । ୬୯ ।ବ୍ୟଭିଚାରୀ ପରାୟ ଶୋହି ।ବଲ୍ଲୀ ଧବ ସମୀପେ ରହି । ୭୦ ।୬୧ଶ ପଦ :- ଘନରସ-ନିବିଡ଼ ଶୃଙ୍ଗାର ରସ, ବହୁଜଳ ।
୬୧ଶ ପଦ :- ଅଭିସାରିକା ନିବିଡ଼ ଶୃଙ୍ଗାର ରସରେ ଅତିଶୟ ବଶ ହୋଇଥିବାରୁ କୁଳ ମର୍ଯ୍ୟାଦା ଲଙ୍ଘନ କରି ନାୟକ ପାଖକୁ ଗମନ କଲା ପ୍ରାୟ, ଗୋଦାବରୀ ବହୁ ଜଳରେ ପୂର୍ଣ୍ଣ ହୋଇ ଉଭୟ କୂଳ ବୁଡ଼ାଇ ସର୍ବଦା ଗତି କରୁଅଛି ।
୬୨ଶ ପଦ :- ଅଭିସାରିକାକୁ ତା’ ପାଖରେ ଥିବା ଅସତୀ ସଖୀମାନେ ଯେପରି ବାରଣ କରନ୍ତି ନାହିଁ, ସେହିପରି ନଦୀର ଦୁଇ ତୀରରେ ଥିବା ‘ବିଟପି’ ବନ୍ଧୁମାନେ ନଦୀର ଗତିକୁ ବାଧା ଦେଉନାହାଁନ୍ତି ।
୬୩ଶ ପଦ :- ବିବିଧଗୋତ୍ର-ନାନାଜାତି ବା ନାନାପ୍ରକାର । ଦ୍ୱିଜ-ପକ୍ଷୀ, ବ୍ରାହ୍ମଣ ।
୬୩ଶ ପଦ :- ନଦୀ ତୀରସ୍ଥ ବୃକ୍ଷମାନଙ୍କରେ ଥିବା ‘ବିବିଧଗୋତ୍ର’ ବ୍ରାହ୍ମଣ ରୂପ ନାନାପ୍ରକାର ପକ୍ଷୀମାନେ କହୁଅଛନ୍ତି, ‘‘ତୁ ଗୌତମୀ-ଗୌତମୀ ୠଷିଙ୍କର କନ୍ୟା ପରା ?’’ (ଅର୍ଥାତ୍ ବ୍ରାହ୍ମଣ କନ୍ୟା ହୋଇ ଅସତ୍ ପଥରେ ଯାଉଅଛୁ) ।
୬୪ଶ ପଦ :- ବାର୍ଦ୍ଧି-ସମୁଦ୍ର ।
୬୪ଶ ପଦ :- ‘‘ବହୁଜଳରୂପ ଶୃଙ୍ଗାର ରସରେ ପୂର୍ଣ୍ଣ ହୋଇ ବିଟ ପୁରୁଷରୂପୀ ସମୁଦ୍ରଠାରେ ଭୁଲି ଯାଉଅଛୁ ? ସମୁଦ୍ର ଲୁଣିଆ-ଏହା ବିଚାର କରୁନାହୁଁ ?’’ (ତୋର ମଧୁର ଜଳ ନେଇ ସମୁଦ୍ରର ଲବଣ ଜଳରେ ମିଶାଇ ଦେଉଅଛୁଁ କାହିଁକି ?)
୬୫ଶ ପଦ :- ‘‘ତାହା ସହିତ ପ୍ରୀତି କଲାକ୍ଷଣି ତୋହର ମଧୁର ଗୁଣ ରୂପ ଉତ୍ତମ ଜାତି ଅର୍ଥାତ୍ କୁଳ ମର୍ଯ୍ୟାଦର ବିନାଶ ହୋଇଯିବ । (ତୋର ମଧୁର ଜଳ ଲୁଣିଆ ହୋଇଯିବ ) ।’’
୬୬ଶ ପଦ :- କାମଶରାଳି-ହଂସପକ୍ଷୀ ।
୬୬ଶ ପଦ :- ଅଭିସାରିକାର ହୃଦୟ କାମଶରରେ ବିଦ୍ଧ ହୋଇଥାଏ, ତେଣୁ ସେ କାହାରି ନିଷେଧ ବାକ୍ୟ ମାନେନାହିଁ । ସେହିପରି କାମପକ୍ଷୀ, ହଂସରାଳି ପକ୍ଷୀ ଗୋଦାବରୀର ଜଳକୁ ବିଦ୍ଧ କରି ବିହରୁ ଅଛନ୍ତି ଏବଂ ନଦୀ ପ୍ରତିବନ୍ଧକ ରହିତ ହୋଇ ଗତି କରୁଅଛି ।
୬୭ଶ ପଦ :- ହେ ପଣ୍ଡିତମାନେ ! ରୂପକ ଓ ଶ୍ଲେଷ ମିଶା କବିଙ୍କ ରଚନା ଚାତୁରୀକୁ ବୁଝ ।
୬୮ଶ ପଦ :- ପଞ୍ଜବଟୀ ଦର୍ଶକର ସନ୍ତୋଷକୁ ବର୍ଦ୍ଧନ କରେ । ତହିଁରେ ପୂରି ରହିଥିବା ବୃକ୍ଷମାନେ ପ୍ରତ୍ୟେକ ଗୋଟିଏ ଗୋଟିଏ ତରୁଣୀ ସ୍ତ୍ରୀ ପରି ।
୬୯ଶ ପଦ :- ତରୁଣୀମାନେ ପୁଷ୍ପବତୀ ହେବା ସମୟରେ ପତିଙ୍କୁ ରତିଦାନ ପୂର୍ବକ ତାଙ୍କର ମନ ସନ୍ତୋଷ କଲେ ଯେପରି ବନ୍ଧ୍ୟା ନ ହୋଇ ପୁତ୍ରକନ୍ୟା ପ୍ରାପ୍ତ ହୁଅନ୍ତି, ସେହିପରି ତରୁମାନେ ପୁଷ୍ପିତା ହେବା କାଳରେ (ବସନ୍ତ ୠତୁରେ) ତାଙ୍କ ପତି ବସନ୍ତ ସମୟର ତୋଷଦାତା ହୋଇ ବନ୍ଧ୍ୟାତ୍ୱ ନ ପାଇ ଫଳବତୀ ହୋଇଅଛନ୍ତି । (ବସନ୍ତର ସମାଗମରେ ବୃକ୍ଷ ସବୁ ପୁଷ୍ପିତ ଓ ଫଳରେ ଭୂଷିତ ହୋଇଅଛନ୍ତି) ।
୭୦ଶ ପଦ :- ଦୋଚାରୁଣୀ ସ୍ତ୍ରୀ ନାୟକ ପାଖରେ ଶୋଭାପାଇଲା ପରି ଲତାସବୁ ଧବ ବୃକ୍ଷ ନିକଟରେ ଶୋଭା ପାଉଅଛନ୍ତି ।ବଞ୍ଚାଇ କୁସୁମ ବିକାଶେ ।ବିଳପେ ସେ ମଧୁପେ ରସେ । ୭୧ ।ବାସ ପବନ ଦଣ୍ଡପାଶୀ ।ବଳେ ହରଇ ବୋଲି ଦୋଷୀ । ୭୨ ।ବିଦ୍ୟ ଚନ୍ଦନ ନଷ୍ଟଦୂତୀ ।ବିହେ ସେ ଭୁଜଙ୍ଗରେ ପ୍ରୀତି । ୭୩ ।ବିଦେଶୀ ପ୍ରାୟ ପଶୁପନ୍ତି ।ବିଗତ ଆଗତ ହୁଅନ୍ତି । ୭୪ ।ବିଦିତ ଗୁଳ୍ମ ସ୍ୱୟଂଦୂତୀ ।ବିଶ୍ରାମ ଏଠାରେ କରନ୍ତି । ୭୫ ।ବସି ଯା କପୋତ ସସ୍ୱନ ।ବଚନ କରି ତାହା ଘେନ । ୭୬ ।ବିହଙ୍ଗ ସ୍ତନ ତରୁ ଝଳି ।ବିଘଞ୍ଚ ସଞ୍ଚ ପତ୍ରାବଳୀ । ୭୭ ।ବିନିନ୍ଦ୍ୟ ଦୃଢ଼ କ୍ରୋଡ଼ ସ୍ପଦ ।ବିକାଶେ ସୁମନ ପ୍ରମୋଦ । ୭୮ ।ବିଧାନ କରିଣ ଆଶ୍ରମ ।ବଞ୍ଚେ ଲକ୍ଷଣ ସୀତା ରାମ । ୭୯ ।ବାସବରେ ଯେ ପ୍ରଶଂସିତା ।ବିଖ୍ୟାତ ଜଟାୟୁ ନାମ ତା । ୮୦ ।ବିବସ୍ୱାନ ବଂଶରେ ପ୍ରୀତି ।ବୈଦେହୀ ରକ୍ଷଣେ ସମ୍ମତି । ୮୧ ।ବୟାଶୀ ପଦେ ଛାନ୍ଦ ପ୍ରାନ୍ତ ।ବୀରବର ଭଞ୍ଜର କୃତ । ୮୨ ।
୭୧ଶ ପଦ :- ଦୋଚାରୁଣୀ ସ୍ତ୍ରୀ ପୁଷ୍ପବତୀ ହୋଇଛି ବୋଲି କହି ନିଜ ସ୍ୱାମୀକୁ ଠକାଏ ଓ ବିଶେଷ ଆଳାପ କରୁଥିବା ମଦ୍ୟପ ପୁରୁଷଠାରେ ରସେ । ତଦ୍ରୁପ ଲତା ପୁଷ୍ପିତା ସମୟରେ ବସନ୍ତ କାନ୍ତକୁ ଠକାଇ ‘ମଧୁପ’ ଭୃଙ୍ଗର ଆଳାପରେ ରସି ତା ସଙ୍ଗେ କ୍ରୀଡ଼ା କରୁଅଛି ।
୭୨ଶ ପଦ :- ରାଜା ଯେପରି ଦୋଷୀ ବୋଲି ଦୋଚାରୁଣୀର ଗୃହ ଲୁଟିକରି ସମ୍ପତ୍ତିସବୁ ନେଇଯାଏ, ପବନ ସେହିପରି ବଳାତ୍କାରରେ ଲତାର ପୁଷ୍ପବାସନାକୁ ହରଣ କରି ନେଉଅଛି ।
୭୩ଶ ପଦ :- ଦଣ୍ଡପାଣୀ-ରାଜା ।
୭୩ଶ ପଦ :- ଅସତୀ ଦୂତୀ ସଖୀ କାର୍ଯ୍ୟରେ ପ୍ରେରିତ ହୋଇ ସୁଦ୍ଧା ନିଜେ ବିଟପୁରୁଷ ସହିତ ରତି କଲାପରି, ଚନ୍ଦନବୃକ୍ଷ ସର୍ପ ସହିତ ପ୍ରୀତି କରୁଅଛି ।
୭୪ଶ ପଦ :- ପଶୁସମୂହ ବିଦେଶୀ ଲୋକଙ୍କ ପରି ଗତାୟାତ କରୁଅଛନ୍ତି ।୭୫ତମ ପଦ :- ଗୁଳ୍ମ-କ୍ଷୁଦ୍ର ବୃକ୍ଷ ।
୭୫ଶ-୭୬ଶ ପଦ :- ସ୍ୱୟଂଦୂତୀ (ଯେଉଁ ନାୟିକା ନିଜେ ଦୂତୀର କାର୍ଯ୍ୟ କରେ) ଯେପରି ନାୟକକୁ ‘ଏଠାରେ ବିଶ୍ରାମକର’ ବୋଲି କହନ୍ତି; ସେହିପରି ଗୁଳ୍ମମାନେ ତଦୁପରି ବସିଥିବା କପୋତର ସ୍ୱନ ଛଳରେ ବିଦେଶୀଙ୍କୁ କହୁଅଛନ୍ତି,-ଏଠାରେ ବସ ।
୭୭ଶ ପଦ :- ବିଘଞ୍ଚ-ସାନ୍ଦ୍ର, ନିବିଡ଼ । ପତ୍ରାବଳୀ-କସ୍ତୁରୀ, ଗୈରିକାଦିର ଚିତ୍ର ।
୭୭ଶ ପଦ :- ସେହି ଗୁଳ୍ମମାନଙ୍କ ଉପରେ ବସିଥିବା ପକ୍ଷୀମାନେ ସ୍ୱୟଂ ଦୂତୀ ନାୟିକାର ସ୍ତନ ଓ ଗୁଳ୍ମମାନଙ୍କର ନିବିଡ଼ ପତ୍ର ସମୂହ ସ୍ତନ ଉପରେ ଲିଖିତ ପତ୍ରାବଳି ପରି ଶୋଭା ପାଉଅଛି ।
୭୮ଶ ପଦ :- ବିନିନ୍ଦ୍ୟ-ପ୍ରଶଂସନୀୟ । ସୁମନ-ପୁଷ୍ପ, ଆନନ୍ଦ ।
୭୮ଶ ପଦ :- ଗୁଳ୍ମ ମଧ୍ୟସ୍ଥ ପତ୍ରାଚ୍ଛାଦିତ କୁଞ୍ଜ ସ୍ୱୟଂଦୂତୀର ପ୍ରଶଂସନୀୟ କ୍ରୋଡ଼ପରି ହୋଇଅଛି । ସ୍ୱୟଂଦୂତୀ ଆନନ୍ଦ ହେତୁ ପୁଲକିତ ହେଲାପରି ଗୁଳ୍ମ କିଶଳୟ ଓ କଳିକାରେ ରୋମାଞ୍ଚିତ ହୋଇଅଛି ।
୭୯ଶ ପଦ :- ସେ ବନରେ ଆଶ୍ରମ ନିର୍ମାଣ କରି ରାମ, ଲକ୍ଷ୍ମଣ ଓ ସୀତା ରହିଲେ ।୮୦ଶ ପଦ :- ବାସବରେ-ଇନ୍ଦ୍ରଙ୍କଦ୍ୱାରା ।୮୧ଶ ପଦ :- ବିବସ୍ୱାନବଂଶୀ-ସୂର୍ଯ୍ୟବଂଶୀୟ ।
୮୦ଶ ଓ ୮୧ଶ ପଦ :- ସେଠାରେ ବାସ କରୁଥିବା ଇନ୍ଦ୍ରଦ୍ୱାରା ପ୍ରଶଂସିତ ବିଖ୍ୟାତ ଜଟାୟୁ ପକ୍ଷୀ ସୂର୍ଯ୍ୟବଂଶୀୟ ରାମଙ୍କ ସହିତ ପ୍ରୀତି କଲା ଏବଂ ସୀତାଙ୍କୁ ଜଗି ରହିବା ପାଇଁ ସମ୍ମତ ହେଲା ।
୮୨ଶ ପଦ :- ବୀରବର ଭଞ୍ଜଙ୍କ କୃତ ଏ ଛାନ୍ଦ ବୟାଶୀ ପଦରେ ଶେଷ ହେଲା ।ତ୍ରୟୋବିଂଶ ଛାନ୍ଦରାଗ-ଚିନ୍ତାଦେଶାକ୍ଷବୈଦେହୀ ଶ୍ରୀରାମ କି ସେ କରିଣୀ କରୀ ।ବିନୋଦ ନଦୀରେ କୁଞ୍ଜକୁଟୀରେ କରି । ୧ ।ବିହ୍ୱଳ ମାନସ ପ୍ରେମମଦଆଳସା ।ବିରାଜିତ ପଦ୍ମ କରେ ପରାଗଭୂଷା । ୨ ।ବିଭୀତେ ବନବିହାର ଲଙ୍କା ଭଞ୍ଜନେ ।ବସତି ଶିଳାମାନରେ ଅତି ରଞ୍ଜନେ । ୩ ।ବୁଲିଆସି ସୂର୍ପଣଖା ନାମେ ରାକ୍ଷସୀ ।ବୃକ୍ଷାନ୍ତରେ ରହି ଚାହିଁ ହୋଇଲା ତୋଷୀ । ୪ ।ବଣା ଧଇର୍ଯ୍ୟ ହୋଇ ସେ ରାମ ବଶରେ ।ବିଚାରଇ ପୁନରୁକ୍ତି ବଦାଭାଷରେ । ୫ ।୧ମ ପଦ :- କରୀ କରିଣୀ- ହସ୍ତୀ ହସ୍ତିନୀ । ବିନୋଦ-କ୍ରୀଡ଼ା ।
୧ମ ପଦ :- ହସ୍ତି ଓ ହସ୍ତିନୀ ଦୁହେଁ ଓ କୁଞ୍ଜମଧ୍ୟରେ କେଳି କଲାପରି ରାମ ଓ ସୀତା କେତେବେଳେ ଗୋଦାବରୀ ନଦୀରେ ଓ କେତେବେଳେ ବନର କୁଞ୍ଜ ମଧ୍ୟରେ କ୍ରୀଡ଼ା କଲେ ।
୨ୟ ପଦ :- ହସ୍ତୀ ଓ ହସ୍ତିନୀ ଯେପରି କେତେବେଳେ ପ୍ରେମ ରସରେ ଲୋଲୁପଚିତ୍ତ ହେତୁରୁ ବହ୍ୱଳ ହୋଇ ଜଳରେ ବୁଡ଼ିବାଦ୍ୱାରା ଜଳ ବିନ୍ଦୁରେ ଶୋଭିତ ଓ କେତେବେଳେ ଧୂଳିରେ ଗଡ଼ି ଧୂଳି ଭୂଷିତ ହୁଅନ୍ତି, ସେହିପରି ରାମ ଓ ସୀତା ଶୃଙ୍ଗାର ରସ ଲୋଲୁପ ହେତୁରୁ ସମାନ ଭାବରେ ବିହ୍ୱଳ ହୋଇଥାନ୍ତି । ସେମାନଙ୍କ ହସ୍ତରେ ପଦ୍ମ ଚିହ୍ନ ଥିବା ହେତୁ ଶୋଭା ପାଉଥାନ୍ତି ଓ କ୍ରୀଡ଼ା କାଳରେ ପୁଷ୍ପ ରେଣୁରେ ଭୂଷିତ ହେଉଥାନ୍ତି ।
୩ୟ ପଦ :- ଲଙ୍କା-ବୃକ୍ଷଶାଖା ।
୩ୟ ପଦ :- ହସ୍ତୀ ଓ ହସ୍ତିନୀ ନିର୍ଭୟରେ ବୃକ୍ଷ ଶାଖାମାନ ଭାଙ୍ଗି ଅରଣ୍ୟରେ ବିହାର କରନ୍ତି । ସେହିପରି ରାମ ସୀତା ନିର୍ଭୀକ ଚିତ୍ତରେ ଲଙ୍କାପୁରୀ ଭାଙ୍ଗିବାପାଇଁ ବନବିହାର କଲେ । ହସ୍ତୀ ହସ୍ତିନୀ ଅତି ସ୍ନେହରେ ଶିଳା ପ୍ରମାଣରେ ବସନ୍ତି । ତଦ୍ରୁପ ରାମ ସୀତା ଅତ୍ୟନ୍ତ ଅନୁରାଗର ସହିତ ପ୍ରସ୍ତରଖଣ୍ଡମାନଙ୍କ ଉପରେ ବସୁଥାନ୍ତି ।
୪ର୍ଥ ପଦ :- ବୃକ୍ଷାନ୍ତରେ-ଗଛ ଉହାଡ଼ରେ ।୪ର୍ଥ ପଦ :- ସୂର୍ପଣଖା ନାମକ ରାକ୍ଷସୀ ବୁଲି ଆସିଥିଲା । ବୃକ୍ଷ ଉହାଡ଼ରେ ରହି ରାମ ସୀତାଙ୍କୁ ଦେଖି ସେ ଆନନ୍ଦିତ ହେଲା ।୫ମ ପଦ :- ପୁନରୁକ୍ତି ବଦାଭାଷ-ଏକ ଶବ୍ଦକୁ ପୁନଃ ପୁନଃ କହିଲା ପରି ପ୍ରସ୍ତାବନା ।୫ମ ପଦ :- ସେ ସୂର୍ପଣଖା ରାମଙ୍କ ପ୍ରୀତିବଶରେ ଅଧୈର୍ଯ୍ୟ ହୋଇ ପୁନରୁକ୍ତି ବଦାଭାଷ ଅଳଙ୍କାରରେ ବିଚାର କଲା ।ବିହି ବିଧି ମଦନ କନ୍ଦର୍ପ କରିଣ ।ବର କାନ୍ତ ପତି ମୋର ହୁଅନ୍ତେ ପୁଣ । ୬ ।ବାସର ଦିବସ ନିଶି ଲବ କରନ୍ତି ।ବିଧୂନନ ରତି କରି ମତି ତୋଷନ୍ତି । ୭ ।ବାଳୀକି ନାହିଁ ଭୁବନେ ଲୋକରେ ବଳି ।ବର୍ଣ୍ଣେ କାଞ୍ଚନ କନକ ସୁବର୍ଣ୍ଣ ଦଳି । ୮ ।ବିଧୁ ଅବ୍ଜ ଚନ୍ଦ୍ର ଆଦରଶ ନିନ୍ଦନ ।ବଦନ ଆନନ୍ଦ ଲକ୍ଷ୍ୟ ଶୋଭାସଦନ । ୯ ।ବଡ଼ ଶୋଭା ରତି ଅଛି ଶମ୍ବରପୁରେ ।ବ୍ୟୟ କରିଦେବା ଏହା ଊଣା ତା ଶିରେ । ୧୦ ।୬ଷ୍ଠ ପଦ :- ବହି-ବିଧାନ କରି । ବର-ଅତିଶୟ । କାନ୍ତ-ସୁନ୍ଦର । ପତି-ସ୍ୱାମୀ ।୭ମ ପଦ :- ବାସରେ-ଗୃହ ମଧ୍ୟରେ । ବିଧୂନନ-କମ୍ପନ ।
୬ଷ୍ଠ ଓ ୭ମ ପଦ :- ବିଧାତା କାମକୁ ଗର୍ବହୀନ କରିବାପାଇଁ ଏହାକୁ ବିହିଲା କି ? ଏପରି ଶ୍ରେଷ୍ଠ ମନୋହର ପୁରୁଷ ମୋର ପତି ହେଲେ, ମୁଁ ଗୃହ ମଧ୍ୟରେ ସୁରତରେ ପ୍ରୀତି କରି ମନତୋଷ କରନ୍ତି ଓ ରାତିଦିନକୁ ଲବେ ମାତ୍ର ସମୟ କରିଦିଅନ୍ତି ।
୮ମ ପଦ :- ବାଳୀକି-ସ୍ତ୍ରୀକି । କାଞ୍ଚନ-ଚମ୍ପାଫୁଲ । କନକ-ସୁନା । ସୁବର୍ଣ୍ଣ-ଉତ୍ତମ ବର୍ଣ୍ଣ ।
୮ମ ପଦ :- ସଂସାର ଲୋକଙ୍କ ମଧ୍ୟରେ ଏ ବାଳାକୁ ବଳି ଅଧିକ ସୁନ୍ଦରୀ ଆଉନାହିଁ । ଏହାର ଦେହରେ କନକଚମ୍ପା କାନ୍ତି ଉତ୍ତମ ସୁବର୍ଣ୍ଣକୁ ନିନ୍ଦା କରୁଅଛି ।
୯ମ ପଦ :- ବିଧୁ-ଚନ୍ଦ୍ର । ଅବ୍ଜ-ପଦ୍ମ । ଚନ୍ଦ୍ର ଆଦରଣ-ନିର୍ମଳ ଦର୍ପଣ । ବଦନ-ମୁଖ । ଶୋଭା ସଦନ-ସୌନ୍ଦର୍ଯ୍ୟପୂର୍ଣ୍ଣ ଗୃହ ।
୯ମ ପଦ :- ଚନ୍ଦ୍ର, ପଦ୍ମ ଓ ସୁବର୍ଣ୍ଣ ନିର୍ମିତ ଦର୍ପଣକୁ ନିନ୍ଦା କରୁଥିବା ପୁଣି ଶୋଭାର ଗୃହପରି ହୋଇଥିବା ଏହାର ମୁଖକୁ ଆଉ ଲକ୍ଷ୍ୟ ନାହିଁ ।
୧୦ମ ପଦ :- ଶ୍ରେଷ୍ଠ ସୁନ୍ଦରୀ ରତିଦେବୀ ଶମ୍ୱରାସୁରର ଗୃହରେ ଅଛି, ଏହାର ଊଣା ଅଙ୍ଗ ଅର୍ଥାତ୍ ପାଦ ପ୍ରଭୃତି ନିକୃଷ୍ଟ ଅଙ୍ଗ ତାହାର ମସ୍ତକ ସହିତ ତୁଳନା କରିବା ଉଚିତ । (ରତିର ବଦନ ଶୋଭା ଏହାର ପାଦ ଶୋଭା ସହିତ ସମାନ ହୋଇପାରେ) ।
ବିଭୋଗୀ ଏହାର ଯେଉଁ ଦିବ୍ୟ ପୁରୁଷ ।ବିହ୍ୱଳିବ ନାହିଁ ପରା ମୋରେ ମାନସ । ୧୧ ।ବିଚାରିଲା ଭୃଙ୍ଗ ପୁଣି ମାଳତୀ ସ୍ନେହୀ ।ବାସଙ୍ଗେ ସଙ୍ଗ ହୁଅଇ ସରାଗ ବହି । ୧୨ ।ବିଧାତାକୁ ସ୍ତୁତି କଲା କର ସୁଦଶା ।ବସାଇଲା ପ୍ରାୟ ଚନ୍ଦ୍ର କୋଳରେ ଶଶା । ୧୩ ।ବନ୍ଧସଂଯୋଗ ଏହାର ମୋର ହୋଇଲେ ।ବଶ ହୋଇ ଗୋଡ଼ାଇବ ମୋହର ତୁଲେ । ୧୪ବେଶ୍ୟା ସଙ୍ଗତି ହୋଇଲେ ରସିକ ପୁଂସ ।ବଳାଇ କି ସ୍ୱକୀୟାରେ ସେ ଅଭିଳାଷ ? । ୧୫୧୧ଶ ପଦ :- ଏ ଯେଉଁ ଦିବ୍ୟ ପୁରୁଷ ଏହାକୁ ଉପଭୋଗ କରୁଅଛି, ମୋ ସହିତ ବିହାର କରିବାକୁ ମନ କରିବ ନାହିଁ ପରା ! (ସନ୍ଦେହୋକ୍ତି) ।
୧୨ଶ ପଦ :- ସୂର୍ପଣଖା ପୁଣି ବିଚାରିଲା, ଭ୍ରମର ମାଳତୀ ପୁଷ୍ପରେ ସ୍ନେହୀ ହୋଇଥାଏ; ସେ ପୁଣି ବାସଙ୍ଗ ପୁଷ୍ପରେ ଅନୁରାଗ ବହି ସଙ୍ଗ ହୁଏ । (ଏ ସୁନ୍ଦରୀକୁ ଉପଭୋଗ କରୁଥିଲେ ସୁଦ୍ଧା ସେ ପୁରୁଷ ମୋ ପ୍ରତି ଅବା ଅନୁରକ୍ତ ହେବେ) ।
୧୩ଶ ପଦ :- ସୂର୍ପଣଖା ବିଧାତାକୁ ସ୍ତୁତି କରି କହିଲା, ‘‘ମୋର ଉତ୍ତମ ଦଶା ହେଉ । ଚନ୍ଦ୍ର କୋଳରେ ଶଶୀକୁ ବସାଇଲା ପ୍ରାୟ ଏ ପୁରୁଷ ମୋତେକୋଳରେ ଯେପରି ବସାଇବ ।’’
୧୪ଶ ପଦ :- ବନ୍ଧ ଚଉଷଠୀ-ପ୍ରକାର ସୁରତି ବନ୍ଧ ।୧୪ଶ ପଦ :- ଏହାର ମୋହର ରତି ବନ୍ଧ ଯୋଗେ ସଂଯୋଗ ହେଲେ, ଏ ବଶ ହୋଇ ମୋ ସହିତ ଗୋଡ଼ାଇବ ।୧୫ଶ ପଦ :- ଭୀରୁ-ସ୍ତ୍ରୀକୁ ।୧୫ଶ ପଦ :- ରସିକ ପୁରୁଷ ବେଶ୍ୟା ସଙ୍ଗମ ପାଇଲେ ଆପଣା ଭାର୍ଯ୍ୟାଠାରେ ଆଉ ମାନସ ବଳାଏ କି ?ବଶ କରି ପ୍ରେମେ ଚିତ୍ତ ନାଶିବି ଭୀରୁ ।ବିରୋଧୋକ୍ତି ନ ଭାଷିବେ ଅନୁରୋଧରୁ । ୧୬ ।ବିହିଲା ସୁନ୍ଦର ରୂପ ଏମନ୍ତ ଭାଳି ।ବିନାଶିବ ଯୋଗୀଯୋଗ ଚାହିଁଲେ ଢ଼ାଳି । ୧୭ ।ବୈରବୁଦ୍ଧି ଲୋକଜନନୀରେ ଉଦ୍ଧବ ।ବିଷ୍ଟି ଅନୁକୂଳେ ଯୁକ୍ତ ଅଶୁଭ ହେବ । ୧୮ ।ବାହାର ତରୁ ଅନ୍ତରୁଁ ଗେଲାଇ ହୋଇ ।ବାଡ଼େ ନାସିକାର ଦେଉଅଛି ଫୁଲାଇ । ୧୯ ।ବସଣୀ ଟେକି ହେବାର କି ମନୋରମ ।ବସଣି କରିବ ଯୁବା ଚିତ୍ତରେ ପ୍ରେମ । ୨୦ ।୧୬ଶ ପଦ :- ବିରୋଧୋକ୍ତି-ବିପରୀତ କଥା ।
୧୬ଶ ପଦ :- ପ୍ରେମରେ ଏହା ଚିତ୍ତ ବଶ କରି ଏହାର ଭାର୍ଯ୍ୟାକୁ ବିନାଶ କରିବ । ଉପରୋଧ ହେତୁ ସେ ବିରୋଧ ବଚନ କହିବି ନାହିଁ । (ମୋ ପ୍ରତି ସ୍ନେହ ପ୍ରଗାଢ଼ ହୋଇଗଲେ ଭାର୍ଯ୍ୟାକୁ ମାଇଲେ ସୁଦ୍ଧା ସେ ବିରକ୍ତ ହେବ ନାହିଁ) ।
୧୭ଶ ପଦ :- ଏହା ବିଚାରି ସେ ସୂର୍ପଣଖା ସୁନ୍ଦର ମୂର୍ତ୍ତି ଧଇଲା । ସେ ନେତ୍ର ଢାଳି ଚାହିଁଲେ ଯୋଗୀର ଯୋଗ ଭଗ୍ନ ହୋଇଯିବ ।
୧୮ଶ ପଦ :- ଯେଉଁଲୋକ ମାତାଠାରେ ଶତ୍ରୁଜ୍ଞାନ ଜାତ କରେ, ତାହାର ଅନୁକୂଳରେ ବିଷ୍ଟିଯୋଗ ହେତୁ ଅଶୁଭ ହୁଏ । ସୂର୍ପଣଖା ଲକ୍ଷ୍ମୀରୂପା ସୀତାଙ୍କଠାରେ ଶତ୍ରୁ ବୁଦ୍ଧି ଜାତ କଲା, ତେଣୁ ତାହାର ଅନୁକୂଳ ବିଷ୍ଟିଯୁକ୍ତ ହେଲା, ଅମଙ୍ଗଳ ନିଶ୍ଚୟ ହେବ ।
୧୯ଶ ପଦ :- ତରୁ ଅନ୍ତରୁ-ଗଛ ଉହାଡ଼ରୁ ।୧୯ଶ ପଦ :- ସେ ସୂର୍ପଣଖା ବୃକ୍ଷ ଉହାଡ଼ରୁ ଗେହ୍ଲାଇ ହୋଇ ନାସିକାରୁ ଗୋଟିଏ ପୁଡ଼ା ଫୁଲାଇ ଦେଇ ବାହାର ହେଲା ।୨୦ଶ ପଦ :- ବସଣୀ-ନାସିକାର ଅଳଙ୍କାର ବିଶେଷ । ବସଣି-ବସିବା ।
୨୦ଶ ପଦ :- ତା ନାକପୁଡ଼ା ଫୁଲିବାରୁ ବସଣୀ ଟେକି ହୋଇଯାଇ କି ସୁନ୍ଦର ଦିଶୁଅଛି ! ତାହା ଦେଖି ଯୁବକଙ୍କ ଚିତ୍ତରେ ପ୍ରେମ ବସତି ସ୍ଥାପନ କରିବ ।
ବାହି ଖଡ଼ୁଝାଡ଼ି ମନ-ମୀନକୁ ନେଇ ।ବାହି କୁଚ-କୁବେଣୀରେ ଥୋଇ ଲୋଡ଼ଇ । ୨୧ ।ବନ୍ଧକୀ ଜଙ୍ଘରୁ ଚେଳ ଚାଳିବା ରଙ୍ଗ ।ବନ୍ଧନ ସେ ସ୍ତମ୍ଭେ ଇଚ୍ଛେ ମନ-ମାତଙ୍ଗ । ୨୨ ।ବିଶିଷ୍ଟେ ଭୁରୁ କମ୍ପାଇ ଡୋଳା ଖେଳାଇ ।ବିଶିଖକମାଣେ ସନ୍ଧି ବିନ୍ଧି ନ ଦେଇ । ୨୩ ।ବଦାଉଛି ମଦନସମରେ ମୁଁ ଏକ ।ବଦାଉ ଭାଲେ ଟେକିଛି ଖଡ୍ଗ ତିଳକ । ୨୪ ।ବଳା ଡେଙ୍ଗୁରା ଦେଇ କି ଅପସରସା ।ବଳାତ୍କାରେ ଶୋଭାଗୁଣେ ଛଡ଼ାଇ ରସା । ୨୫
୨୧ଶ ପଦ :- ଯେପରି ମତ୍ସ୍ୟଜୀବୀ ଜାଲ କାନିକି ଝାଡ଼ି ଦେଇ ମୀନକୁ ନେଇ ଖାଳୋଇରେ ପୁରାଏ, ସେହିପରି ସୂର୍ପଣଖା ଖଡ଼ୁ ବାହିକୁ ଝାଡ଼ି ଦେବାରେ ଯୁବା ପୁରୁଷର ମନ-ମୀନକୁ ନେଇ କୁଚ ରୂପ ଖାଳୋଇରେ ରଖି ଦେବ । (ତାର ହାତ ଛଟା ଦେଖି ଯୁବା ତାକୁ ଚାହିଁଲାମାତ୍ରକେ ଯୁବାର ମନ ତା’ର ସ୍ତନଠାରେ ଲାଖି ରହିବ) ।
୨୨ଶ ପଦ :- ବନ୍ଧକୀ-ଅସତୀ । ଚେଳ-ବସ୍ତ୍ର । ମନମାତଙ୍ଗ-ମନରୂପ ମତ୍ତହସ୍ତୀ ।
୨୨ଶ ପଦ :- ଅସତୀ ସୂର୍ପଣଖା ତା’ର ଜଙ୍ଘରୁ ଥରେ ଥରେ ଲଗା କାଢ଼ି ଦେଉଅଛି । ତଦ୍ୱାରା ଜଣାଯାଉଛି, ସେ ତା’ର ଦର୍ପ ରୂପ ସ୍ତମ୍ଭରେ ଯୁବା ପୁରୁଷର ମନରୂପ ହସ୍ତୀକୁ ବନ୍ଧନ କରିବାକୁ ଇଚ୍ଛାକରୁଛି କି ?
୨୩ଶ ପଦ :- କମାଣ-ଧନୁ । ବିଶିଖ-ଶର ।
୨୩ଶ ପଦ :- ସେ ସୂର୍ପଣଖା ଭ୍ରୁଲତାକୁ ଖୁବ୍ଶୀଘ୍ର ଗତିରେ ଚଳାଇ ଡୋଳା ଖେଳାଉଅଛି । ତାହା ଦେଖି ମନହୁଏ, ସେ ଭ୍ରୁଲତା ଧନୁରେ ନେତ୍ରଶର ସନ୍ଧାନ କରି ମାତ୍ର ବିନ୍ଧି ନ ଦେଇ ରଖିଅଛି ।
୨୪ଶ ପଦ :- ମଦନ ସମରେ-କାମଯୁଦ୍ଧରେ ।
୨୪ଶ ପଦ :- ସେ ଭାଲପଟରେ ତିଳକ ରୂପ ଖଡ଼୍ଗକୁ ଡେରି ରଖିବାଦ୍ୱାରା କୁହାଉଛି ଯେ, କାମ ଯୁଦ୍ଧରେ ମୋ ବ୍ୟତୀତ ଆଉ କେହି ନାହିଁ । (ତା’ ଭାଲ ପଟରେ ଥିବା ତିଳକ ଖଣ୍ଡାଧାର ପରି ଦେଖାଯାଉଛି ।)
୨୫ଶ ପଦ :- ଅପସରସା-ଅପ୍ସରାମାନେ । ରସା-ପୃଥିବୀ ।
୨୫ଶ ପଦ :- ସେ ବଳା ପିନ୍ଧିଅଛି । ଚାଲିଗଲାବେଳେ ସେ ବଳା ଶବ୍ଦରୂପ ଡେଙ୍ଗୁରା ବାଦ୍ୟ ବଜାଇ ଜଣାଇ ଦେଉଛି ଯେ, ଶୋଭାଗୁଣରେ ମୁଁ ଅପ୍ସରାମାନଙ୍କୁ ଜୟ କରି ବଳାତ୍କାରରେ ତାଙ୍କୁ ପୃଥିବୀରୁ ତଡ଼ି ଦେଇ ସ୍ୱର୍ଗରେ ରଖିଅଛି ।
ବହି ରଙ୍ଗ ତାମ୍ବୁଳ ପଡ଼ଇ ଅଧରେ ।ବହିରଙ୍ଗରୂପୀ ମିଳେ ରାମ ପାଶରେ । ୨୬ ।ବୋଲଇ ଅରଣ୍ୟବାସୀ କିପାଁ ସୁନ୍ଦର?ବୋଳ ଭସ୍ମ ଅଙ୍ଗେ ଶିରେ ଜଟା ତ ଧର । ୨୭ ।ବହ କାଣ୍ଡ କୋଦଣ୍ଡ କ୍ଷତ୍ରିୟ ପରାୟ ।ବହନ କଥନ କରି ଛେଦ ସଂଶୟ । ୨୮ ।ବଧୂଏ ସଙ୍ଗେ ଘେନିଛ ରସିକପଣେ ।ବଧୁଛ ମୃଗ ଗଣ୍ଡକ ପିତୃ ତୋଷଣେ । ୨୯ ।ବୀର ସକଳ ପ୍ରକାଶି ବନେ ଆସିବା ।ବିରସଭାବେ ଭାଷିତ ଶୁଣ ହେ ଯୁବା । ୩୦ ।୨୬ଶ ପଦ :- ବହିରଙ୍ଗରୂପା-ବାହ୍ୟରେ ସୁନ୍ଦର ରୂପ ।
୨୬ଶ ପଦ :- ତାହାର ଓଷ୍ଠରେ ପାନ ପିକ ବୋହିପଡ଼ିଛି । ବାହାରେ ସୁନ୍ଦରୀ ରୂପ ସାଜିଥିବା ସେହି ରାକ୍ଷସୀ ରାମଙ୍କ ନିକଟରେ ପ୍ରବେଶ କଲା ।
୨୭ଶ ପଦ :- ସୂର୍ପଣଖା ରାମଙ୍କୁ କହିଲା, ‘‘ହେ ସୁନ୍ଦର ! ତୁମ୍ଭେ ବନଚାରୀ କାହିଁକି ହେଲ ? ଦେହରେ ଭସ୍ମ କିପାଁ ବୋଳି ହୋଇଅଛି ? ମସ୍ତକରେ ଜଟା କାହିଁକି ବାନ୍ଧିଅଛ ?’’
୨୮ଶ ପଦ :- କୋଦଣ୍ଡ-ଧନୁ ।୨୮ଶ ପଦ :- ‘‘ପୁଣି କ୍ଷତ୍ରିୟ ପ୍ରାୟ ଧନୁଶର ଧରିଅଛ । ଏ କାରଣମାନ ଶୀଘ୍ର କହି ମୋର ସନ୍ଦେହ ନିବାରଣ କର ।’’
୨୯ଶ ପଦ :- ‘‘ପୁଣି ରସିକ ପରି ଗୋଟିଏ ସ୍ତ୍ରୀ ସଙ୍ଗରେ ଘେନି ଅଛ ଓ ପିତୃ ପୁରୁଷଙ୍କ ସନ୍ତୋଷ ପାଇଁ ମୃଗ ଗଣ୍ଡା ଆଦି ପଶୁଙ୍କୁ ବଧ କରୁଅଛ ।’’
୩୦ଶ ପଦ :- ସୂର୍ପଣଖାର ପ୍ରଶ୍ନ ଶୁଣି ବୀର ରାମଚନ୍ଦ୍ର ବନକୁ ଆସିବା ଚରିତମାନ ପ୍ରକାଶ କଲେ । ତାହା ଶୁଣି ସୂର୍ପଣଖା ବିରସ ଭାବରେ କହିଲା, ‘‘ହେ ଯୁବା ! ଶୁଣ’’-
ବଶୀଭୁତ ହୋଇ ତବ ଶୋଭାକୁ ଚାହିଁ ।ବସିବାକୁ ତୁମ୍ଭ କୋଳେ ଆସିଛି ମୁହିଁ । ୩୧ ।ବନ୍ଧନ କରି ଭୁଜରେ ଜାଣଇ ସତ ।ବନ୍ଧରେ ଯେ ସୁଖଚକ୍ର ପୁରୁଷାୟିତ । ୩୨ ।ବିଶ୍ରବାନନ୍ଦିନୀ ମୁଁ ଯେ କୁଳରେ ସାଧୁ ।ବିସ୍ରବାଇ ଓଷ୍ଠୁ ପିଅ ମଧୁରମଧୁ । ୩୩ ।ବତ୍ସଜାତ ହରେ ଦେଲେ କମଳକର ।ବତ୍ସଳେ ସେ ଫଳେ ହେବ ରାଜା ସ୍ୱର୍ଗର । ୩୪ ।ବାରବେନିପୁରେ ରାଜ ମୋର ସୋଦର ।ବାରତା ପାଇ ହୋଇବେ ହରଷଭର । ୩୫ ।୩୧ଶ ପଦ :- ‘‘ମୁଁ ତୁମ୍ଭ ସୌନ୍ଦର୍ଯ୍ୟ ଦେଖି ବଶିଭୂତ ହୋଇ ତୁମ୍ଭ କୋଳରେ ବସିବା ପାଇଁ ଆସିଅଛି ।’’୩୨ଶ ପଦ :- ପୁରୁଷାୟିତ-ବିପରୀତ ରତି ।
୩୨ଶ ପଦ :- ‘‘ଭୂଜ ବନ୍ଧନ ରୂପ ବହୁତ ପ୍ରକାର ଆଲିଙ୍ଗନ ଏବଂ ଚଉଷଠୀ ବନ୍ଧ ମଧ୍ୟରେ ସୁଖଦାୟକ ଚନ୍ଦ୍ର ବନ୍ଧ ଓ ବିପରୀତ ବନ୍ଧ ମୁଁ ଜାଣେ ।’’
୩୩ଶ ପଦ :- ବିସ୍ରବାଇ-ତରଳାଇ ।୩୩ଶ ପଦ :- ‘‘ମୁଁ ବିଶ୍ରବା ଋଷିଙ୍କ କନ୍ୟା, ତେଣୁ ମୋର ଜାତି ଉତ୍ତମ ଅଟେ । ମୋ ଓଷ୍ଠରୁ ସୁମିଷ୍ଟ ମଧୁ ଝରାଇ ପାନ କର ।’’୩୪ଶ ପଦ :- ବତ୍ସଳେ-ସ୍ନେହ ଯୁକ୍ତ ହୋଇ ।
୩୪ଶ ପଦ :- ‘‘ମୋର ବକ୍ଷଜାତ ଶମ୍ଭୁରେ ସ୍ନେହଯୁକ୍ତ ହୋଇ (ସ୍ତନରେ) ହସ୍ତପଦ୍ମ ଦେଲେ, ତାହାର ଫଳରେ ତୁମ୍ଭେ ସ୍ୱର୍ଗର ରାଜା ହେବ । (ମୋର ସ୍ତନରେ ହସ୍ତ ଦେଲେ ତୁମ୍ଭେ ସ୍ୱର୍ଗସୁଖ ଅନୁଭବ କରିବ) ।’’
୩୫ଶ ପଦ :- ବାରବେନିପୁର-ଚତୁର୍ଦ୍ଦଶ ପୁର । ସୋଦର-ଭାଇ ।୩୫ଶ ପଦ :- ‘‘ମୋର ଭାଇ ଚଉଦ ଭୁବନରେ ରାଜା ଅଟେ । ସେ ଏ କଥା ଶୁଣି ପାରିଲେ ଅତିଶୟ ହର୍ଷ ହେବ, ତା ଫଳରେ ତୁମ୍ଭର ମଙ୍ଗଳ ହେବ ।’’ବିରଞ୍ଚି ଲେଖିଛି ଭାଲପଟେ ତୁମ୍ଭର ।ବିରଚିବ ନନ୍ଦନବନରେ ବିହାର । ୩୬ ।ବିନୋଦ ଯେଉଁ ରାମାରେ କରିବ ମତି ।ବିନୋୟ ନୋହୁଁ ଧରିବି ମୁଁ ସେହି ମୂର୍ତ୍ତି । ୩୭ ।ବୋଇଲେ ରଘୁନନ୍ଦନରେ ରାମାବର ।ବ୍ରତ ଆଚରଣେ ଏକପତ୍ନୀ ମୋହର । ୩୮ ।ବଡ଼କୁଳେ ଜାତ ଭୁପଭଗନୀ ତୁହି ।ବୃଷସ୍ୟନ୍ତୀ ଆଚରଣ ଭଲ ତ ନୋହି । ୩୯ ।ବାସ୍ତୋଷ୍ପତି ଅଧିକାରେ କି କାର୍ଯ୍ୟ ମୋର?ବହି ନ ପାରେ ଅଧିକ ନେତ୍ର ଶରୀର । ୪୦ ।୩୬ଶ ପଦ :- ବିରଞ୍ଚି-ବିଧାତା ।୩୬ଶ ପଦ :- ‘‘ବିଧାତା ତୁମ୍ଭ କପାଳରେ ଲେଖିଛି ଯେ, ତୁମ୍ଭେ ସ୍ୱର୍ଗର ଚନ୍ଦନ ବନରେ ବିହାର କରିବ । ଏହା ଅନ୍ୟଥା ହୋଇ ନ ପାରେ ।’’୩୭ଶ ପଦ :- ‘‘ତୁମ୍ଭେ ଯେଉଁ କାମିନୀ ସଙ୍ଗେ କେଳି କରିବାକୁ ମନ କରିବ, ମୋତେ ବିନୟ ନ ହେଉଣୁ ମୁଁ ସେହି ମୂର୍ତ୍ତି ଧାରଣ କରିବି ।’’
୩୮ଶ ପଦ :- ସୂର୍ପଣଖାର ଉତ୍ତରରେ ରାମଚନ୍ଦ୍ର କହିଲେ, ‘‘ରେ ରାମାବର, ମୁଁ ଏକପତ୍ନୀ ବ୍ରତ ଗ୍ରହଣ କରିଅଛି । (ଅନ୍ୟ ସ୍ତ୍ରୀ ମୋହର ଦରକାର ନାହିଁ) ।’’
୩୯ଶ ପଦ :- ଭୂପ-ରାଜା । ବୃଷସ୍ୟନ୍ତୀ-କାମୁକୀ ।୩୯ଶ ପଦ :- ‘‘ତୁ ଉଚ୍ଚବଂଶରେ ଜାତ, ପୁଣି ରାଜାର ଭଉଣୀ ଅଟୁ । ତୋହର ଏ କାମୁକୀ ପରି ଆଚରଣ କରିବା ତ ଭଲ ନୁହେଁ ।’’୪୦ଶ ପଦ :- ବାସ୍ତୋଷ୍ପତି-ଇନ୍ଦ୍ର ।
୪୦ଶ ପଦ :- ‘‘ଇନ୍ଦ୍ରର ସମ୍ପତ୍ତିରେ ମୋର କାର୍ଯ୍ୟ ନାହିଁ । କାରଣ, ମୁଁ ଦେହରେ ବହୁତ ଆଖି ବହି ପାରିବି ନାହିଁ । (ଇନ୍ଦ୍ର ପର ସ୍ତ୍ରୀ ହରଣ କରି ବହୁ ନେତ୍ର ବହି ଅଛନ୍ତି, ମୁଁ ପର ସ୍ତ୍ରୀ ହରଣ କଲେ ତ ସେହି ଫଳ ପାଇବି) ।’’
ବିଟଭାବ ଲମ୍ପଟରେ ତେମନ୍ତ ସେହି ।ବିଅର୍ଥେ ଶିଳାସ୍ୱରୁପ ନ ବହ ତୁହି । ୪୧ ।ବିନାଶନ ମୋ ବଲ୍ଲଭ ଭାଷେ ଚପଳ ।ବିନାଶନରେ ଅମୃତ କରୁଁ ତ ଢାଳ । ୪୨ ।ବଡ଼ ମାନବୀରୁ ଘେନ ଦାନବୀ ବାଳୀ ।ବସାଇ ହୃଦୟ ତୁଳପାତ୍ରରେ ତୁଳି । ୪୩ ।ବିଶେଷେ ରତିରେ କେ ହୋଇବ ବିଚାର ।ବଣିକ ଭାବରେ ତହିଁ ବଣିଜ କର । ୪୪ ।ବିଷ୍ଣୁ ପଦୀଜଳା କେଡ଼େ ନିର୍ମଳ ଯୋଷା ।ବାରିଦ ଆବିଳ ଜଳେ ଚାତକ ଆଶା । ୪୫ ।
୪୧ଶ ପଦ :- ‘‘ଇନ୍ଦ୍ର ବିଟଭାବରେ ଲମ୍ପଟୀ ହୋଇ ପର ସ୍ତ୍ରୀ ଅହଲ୍ୟାଠାରେ ଆସକ୍ତ ହେବାରୁ ଏପରି ସହସ୍ର ନେତ୍ର ଧାରଣ କଲେ । ତୁ ବିନା କାରଣରେ ଅହଲ୍ୟା ପରି ପାଷାଣ ରୂପ ହୁଅ ନାହିଁ ।’’
୪୨ଶ ପଦ :- ବିନାଶନ-ବିନିଷ୍ଟ ଅର୍ଥାତ୍ ମୃତ । ବଲ୍ଲଭ-ସ୍ୱାମୀ । ଚପଳ-ଶୀଘ୍ର । ବିନାଶନରେ-ନ ଖାଇ ।
୪୨ଶ ପଦ :- ସୂର୍ପଣଖା ଶୀଘ୍ର କହିଲା, ‘‘ମୋର ସ୍ୱାମୀ ମୃତ ହୋଇଅଛି । ଆଉ କିଏ ଶାପ ଦେଇ ମୋତେ ପାଷାଣ କରିବ ? ତୁମ୍ଭେ ଭୋଜନ ନ କରି (ଉପଭୋଗ ନ କରି) ମୋ ପରି ଅମୃତକୁ ହସ୍ତରୁ ଫିଙ୍ଗି ଦେଉଛ କାହିଁକି ?’’
୪୩ଶ ପଦ :- ‘‘ରାକ୍ଷସୀ ସ୍ତ୍ରୀ ମନୁଷ୍ୟ ସ୍ତ୍ରୀଠାରୁ ବଡ଼ ଅଟେ । ଏହା ତୁମ୍ଭ ହୃଦୟ ରୂପ ନିକିତିରେ ବସାଇ ଓଜନ କର ।’’
୪୪ଶ ପଦ :- ‘‘ରତିରେ କିଏ ଅଧିକ ହେବ ତାହା ବିଚାର କରି ବଣିକ ଭାବରେ ତାହାଠାରେ ବେପାର କର । (ବଣିଆ ରତି ପକାଇ ସୁନା ଓଜନ କରେ ଓ ଯେ ଅଧିକ ହୁଏ ତାକୁ କିଣି ବେପାର କରେ । ସେହିପରି ତୁମ୍ଭେ ଯାହାକୁ ଅଧିକ ରତିନିପୁଣା ବିଚାରିବ, ତାହା ସହିତ ପ୍ରୀତି କରିବ) ।’’
୪୫ଶ ପଦ :- ବିଷ୍ଣୁ ପଦୀ-ଗଙ୍ଗା । ଯୋଷା-ସ୍ତ୍ରୀ । ବାରିଦ-ମେଘ । ଆବିଳ ଜଳ-ଗୋଳିଆ ପାଣି ।
୪୫ଶ ପଦ :- ରାମଚନ୍ଦ୍ର ଉତ୍ତର କଲେ, ‘‘ରେ ରମଣୀ ! ଗଙ୍ଗାର ଜଳ ଯେତେ ନିର୍ମଳ ହେଲେ ସୁଦ୍ଧା ଚାତକ ପକ୍ଷୀର ଆଶା ତହିଁରେ ନ ଥାଏ । ମେଘର ଗୋଳିଆ ପାଣିକୁ ତାହାର ଆଶା ଥାଏ । (ସେହିପରି ତୁ ରତିନିପୁଣା ହେଲେ ମଧ୍ୟ ତୋ ପ୍ରତି ମନ ନ ଯାଇ ସୀତା ପ୍ରତି ଆକୃଷ୍ଟ ହେଉଅଛି) ।’’
ବହ୍ନିକଣା ଗିଳା ଚକୋର ହେ ନାଗର ।ବିଧୁକର ସ୍ୱାଦୁ ଘେନି ଲୋଭୀ ତହିଁର । ୪୬ ।ବିଭୋଗୀ ଅସୁରୀ ଏ ବିଜ୍ଞାନ ନ କର ।ବିଷ୍ଣୁ ବଶ ଜଳନ୍ଧର ମନୋହାରୀର । ୪୭ ।ବିଜେ କର ଉଠି କୁଞ୍ଜେ କରିବା କେଳି ।ବକ୍ତା ହେଲେ ରାମ ଚାଳ ଘଞ୍ଚାଳ ବାଳୀ । ୪୮ ।ବତ୍ରାକ୍ଷି ମନୁଜେ ନାହିଁ ଅନୁଜେ ଚାହାଁ ।ବୁଧସେ ମୋ ଆଜ୍ଞା କହ ହୋଇବ ନହା । ୪୯ ।ବାମଲୋଚନା ସଙ୍ଗତି ନାହିଁ ତାହାର ।ବାମ ନୋହି ତତ୍କାଳ କରିବ ସ୍ୱୀକାର । ୫୦ ।୪୬ଶ ପଦ :- ବହ୍ନିକଣା-ନିଆଁ ଝୁଲ । ବିଧୂକର-ଚନ୍ଦ୍ରକିରଣ ।
୪୬ଶ ପଦ :- ସୂର୍ପଣଖା କହିଲା, ‘‘ହେ ନାଗର ! ଅଗ୍ନିକଣା ଗିଳୁଥିବା ଚକୋର ପକ୍ଷୀ ଚନ୍ଦ୍ର କିରଣର ସ୍ୱାଦୁ ପାଇଲେ ତହିଁରେ ଲୋଭୀ ହୋଇଥାଏ । (ତୁମ୍ଭେ ମୋ ସହତି ରତି କଲେ, ବଳେ ବଳେ ମୋ ପ୍ରତି ଆକୃଷ୍ଟ ହେବ) ।’’
୪୭ଶ ପଦ :- ‘‘ମୁଁ ଅସୁରୀ, ତେଣୁ ଭୋଗଯୋଗ୍ୟା ନୁହେଁ, -ଏହା ଭାବି ମୋତେ ତୁଚ୍ଛାଜ୍ଞାନ କାର ନାହିଁ । ଦେଖ, ଜଳନ୍ଧର ଅସୁରର ଭାର୍ଯ୍ୟା ବୃନ୍ଦାବତୀଠାରେ ବିଷ୍ଣୁ ବଶ ହୋଇଥିଲେ ।’’
୪୮ଶ ପଦ :- ‘‘ଉଠି କୁଞ୍ଜ ଭିତରକୁ ବିଜେ କର । ସେଠାରେ କେଳି କରିବା ।’’ ସୂର୍ପଣଖାର ଏ ବଚନ ଶୁଣି ରାମଚନ୍ଦ୍ର କହିଲେ, ‘‘ହେ ବାଳି ! କଟାଳ କର ନାହିଁ ।’’
୪୯ଶ ପଦ :- ବକ୍ରାକ୍ଷ-କୁଟିଳ ନୟନା । ମନୁଜେ-ମନୁଷ୍ୟମାନଙ୍କ ମଧ୍ୟରେ । ଅନୁଜ-ସାନଭାଇ । ବୁଧ-ପଣ୍ଡିତ ।
୪୯ଶ ପଦ :- ‘‘ମୋ ଅନୁଜ ଲକ୍ଷ୍ମଣ ପରି ସୁନ୍ଦର ମନୁଷ୍ୟମାନଙ୍କ ଭିତରେ ଆଉ କେହି ନାହାନ୍ତି । ତାକୁ ବକ୍ର ଦୃଷ୍ଟିରେ ଚାହଁ । ସେ ପଣ୍ଡିତ ଲୋକ, ମୋର ଆଜ୍ଞା ଦେବା କଥା କହିଲେ, ସେ ତୋର ପତି ହେବ ।’’
୫୦ଶ ପଦ :- ବାମଲୋଚନା-ସ୍ତ୍ରୀ ।୫୦ଶ ପଦ :- ‘‘ସେ ଭାଇର ସ୍ତ୍ରୀସଙ୍ଗମ ନାହିଁ । ତେଣୁ ସେ ତୋଠାରେ ପ୍ରତିକୂଳ ନ ହୋଇ ତୋ କଥା ଶୁଣିବା ମାତ୍ରକେ ରାଜି ହୋଇଯିବ ।’’ବିଲୋକି ସେ ଆଲୋକିତ ସୁନ୍ଦର ରୂପ ।ବେଗେ ଯାଇ କାମୁକୀ ଲକ୍ଷ୍ମଣ ସମୀପ । ୫୧ ।ବିନୟୀ ହୋଇ ନିକଷାତନୟୀ କହି ।ବକ୍ତବ୍ୟ ତରୁଣ ରାମ ସେବକ ମୁହିଁ । ୫୨ ।ବ୍ରହ୍ମାଣ୍ଡେ ଏକ ରାଜନଭଗ୍ନୀ ହେବ କି ?ବିହୁଁ ଭୂମି-ଚାଷ ଜାତ-କନ୍ୟା ସେବକୀ । ୫୩ ।ବାସେ ରାତ୍ର ଯୋଗୀ ପ୍ରାୟ ନିଦ୍ରାକୁ ତେଜି ।ବାହୁଡ଼ରେ ବରାଙ୍ଗନା ମୋତେ ନ ଭଜି । ୫୪ ।ବାହୁଡ଼ିଲା ରୋଷେ କାମବଶେ ଭାଷିତା ।ବିଳୋହୁ ମୋତେ ଯେମନ୍ତ ନଟଯୋଷିତା । ୫୫ ।
୫୧ଶ ପଦ :- ରାମଚନ୍ଦ୍ରଙ୍କଠାରୁ ଶୁଣି କାମୁକୀ ସୂର୍ପଣଖା ଲକ୍ଷ୍ମଣଙ୍କର ଅଦୃଷ୍ଟପୂର୍ବ ସୁନ୍ଦର ରୂପ ଦେଖି ଶୀଘ୍ର ତାଙ୍କ ପାଖକୁ ଗଲା ।
୫୨ଶ ପଦ :- ନିକଷାତନୟୀ-ସୂର୍ପଣଖା । ତରୁଣ-ଯୁବକ ।
୫୨ଶ ପଦ :- ନିକଷା ତନୟା ସୂର୍ପଣଖା ଲକ୍ଷ୍ମଣଙ୍କ ପାଖକୁ ଯାଇ ବିନୟ ଭାବରେ ନିଜ କଥା କହିଲା । ତା କଥା ଶୁଣି ତରୁଣ ଲକ୍ଷ୍ମଣ କହିଲେ, ‘‘ମୁଁ ରାମଙ୍କର ସେବକ ଅଟେ ।’’
୫୩ଶ ପଦ :- ‘‘ବ୍ରହ୍ମାଣ୍ଡମଧ୍ୟରେ ଯେ ସର୍ବଶ୍ରେଷ୍ଠ ରାଜାର ଭଗ୍ନୀ, ସେ ଭୂମି ଚଷୁ ଚଷୁ ଜାତ ହୋଇଥିବା କନ୍ୟାର ସେବକୀ ହେବ କି ? (ତୁମ୍ଭେ ମୋର ସ୍ତ୍ରୀ ହେଲେ ସୀତାଙ୍କର ଦାସୀ ହେବ, ମାତ୍ର ତା ଅନୁଚିତ । କାରଣ ତୁମ୍ଭେ ସର୍ବେଶ୍ରେଷ୍ଠ ରାଜାଙ୍କ ଭଗ୍ନୀ ଓ ସୀତା ମାଟିତଳୁ ଜାତ କୃଷକ କନ୍ୟା) ।’’
୫୪ଶ ପଦ :- ‘‘ରେ ବିରାଙ୍ଗନା ! ମୁଁ ନିଦ୍ରା ନ ଯାଇ ରାତ୍ରରେ ଯୋଗୀ ପ୍ରାୟ ଜଗି ବସେ । ଏପରି ଅବସ୍ଥାରେ ମୋତେ ମନ ନ ବଳାଇ ତୁ ଫେରିଯାଅ ।’’
୫୫ଶ ପଦ :- ନଟଯୋଷିତା-ନୃତ୍ୟକାରିଣୀ ବେଶ୍ୟା ।
୫୫ଶ ପଦ :- ଲକ୍ଷ୍ମଣଙ୍କର ନାସ୍ତିବାକ୍ୟ ଶୁଣି କାମାତୁରା ସୂର୍ପଣଖା ରାଗରେ ଫେରିଯାଇ ରାମଚନ୍ଦ୍ରଙ୍କ କହିଲା, ‘‘ମୋତେ ବେଶ୍ୟାପରି ତୁ ଅନ୍ୟପୁରୁଷ ପାଖକୁ ପଠାଉଅଛୁ ।’’
ବୀଭତ୍ସ ରସରେ ତବ ସ୍ୱାଧୀନ ଭର୍ତ୍ତା ।ବିଯୋଗ କରିବି ରଖି ନ ପାରେ ଧାତା । ୫୬ ।ବଢ଼ାଉଁ ହସ୍ତ ସୀତାର ନାଶ ଆଶରେ ।ବିହି ଲେଖ ଦେଲେ ତାକୁ ଭାଷା ଶ୍ଳେଷରେ । ୫୭ ।ବାବୁ ନାକ ଶିରୀ ଦାନ ଯୋଗ୍ୟ ଯୋଷାକୁ ।ବିହର କାନନ କର ଆଲିଙ୍ଗନକୁ । ୫୮ ।ବଇଦେହୀଦାସୀ ଏ କି ଘେନି ହୋଇବ ?ବିଧିରେ ଇନ୍ଦ୍ର ପ୍ରଶଂସା ତୁମ୍ଭେ ପାଇବ । ୫୯ ।ବୋଧ ମତି କାମାନ୍ଧେ ନ ବୁଝି ହସିଲା ।ବାହୁଡ଼ାଇବେ ନାହିଁ ତ ଆଉ ଭାଷିଲା । ୬୦ ।
୫୬ଶ ପଦ :- ‘‘ତୁମ୍ଭର ପ୍ରିୟାବତୀ ଭାର୍ଯ୍ୟାକୁ ବୀଭତ୍ସରସରେ ରକ୍ତ, ମାଂସ ହାଡ଼ ପିଞ୍ଜି ବିନାଶ କରିବି, ବିଧାତା ଏହା ଅନ୍ୟଥା କରି ନ ପାରେ ।’’
୫୭ଶ ପଦ :- ଏହା କହି ସୂର୍ପଣଖା ସୀତାଙ୍କ ବିନାଶ ପାଇଁ ହସ୍ତ ବଢ଼ାନ୍ତେ, ରାମଚନ୍ଦ୍ର ଶ୍ଳେଷୋକ୍ତିରେ ପତ୍ର ଲେଖି ସୂର୍ପଣଖାକୁ ଦେଲେ ।
୫୮ଶ ପଦ :- ନାକଶିରୀ-ସ୍ୱର୍ଗସୁଖ, ନାସିକା ଶୋଭା । ଦାନ-ଚ୍ଛେଦନ, ଦେବ ।
୫୮ଶ ପଦ :- ସୂର୍ପଣଖା ବୁଝିବା ଅର୍ଥ- ରେ ବାବୁ ଲକ୍ଷ୍ମଣ ! ସ୍ୱର୍ଗ ସମ୍ପତ୍ତିକୁ ଦେବାପାଇଁ ଯୋଗ୍ୟ ଏ ଯେଉଁ ରମଣୀ, ଏହାକୁ କୋଳ କରି ବନରେ ଏହା ସହିତ ବିହାର କର ।
ପ୍ରକୃତ ଅର୍ଥ :- ହେ ବାବୁ ! ଏ କାମିନୀର ନାସିକା ଶୋଭା ଛେଦନ ଯୋଗ୍ୟ ଅଟେ (ଏହାର ନାକକାନ କାଟିବା ଉଚିତ) । ଆଲିଙ୍ଗନ ନ କରି ଏହାର ନାକ କାନକୁ ବିଶେଷ ଭାବରେ ହରଣ କର ।
୫୯ଶ ପଦ :- ବିଧିରେ-ଦୈବ ଯୋଗରେ; ମୂର୍ଖଙ୍କ ମଧ୍ୟରେ ।
୫୯ଶ ପଦ :- ସୁର୍ପଣଖା ବୁଝିବା ଅର୍ଥ-ଏ ଜଣେ ପ୍ରଧାନ ରାଜାର ଭଉଣୀ, ତେଣୁ କାହିଁକି ଏ ସୀତାଙ୍କର ଦାସୀ ହେବ? ଦୈବବଳରେ ତୁମ୍ଭେ ଏହାକୁ ବିବାହ କଲେ ଇନ୍ଦ୍ର ତୁଲ୍ୟ ପ୍ରଶଂସା ଲାଭ କରିବା ।
ପ୍ରକୃତ ଅର୍ଥ :- ଏ ସ୍ତ୍ରୀ କି ଗୁଣ ଯୋଗୁ ସୀତାଙ୍କର ଦାସୀ ହେବ ? (ଦାସୀ ହେବାର ମଧ୍ୟ ଅନୁପଯୁକ୍ତ) । ଏହାକୁ ଗ୍ରହଣ କଲେ, ତୁମ୍ଭେ ମୂର୍ଖଙ୍କ ମଧ୍ୟରେ ଶ୍ରେଷ୍ଠ, ଏହି ପ୍ରଶଂସା ପାଇବ । (ମୂର୍ଖ ଶ୍ରେଷ୍ଠ ବୋଲି ନିନ୍ଦା ପାଇବ) ।
୬୦ଶ ପଦ :- ସୂର୍ପଣଖା କାମରେ ଅନ୍ଧ ହୋଇଥିବାରୁ ପତ୍ରର ପ୍ରକୃତ ଅର୍ଥ ବୁଝି ନ ପାରି ମନବୋଧ ହୋଇଯିବାରୁ ଆନନ୍ଦରେ ହସିଲା । ପୁଣି କହିଲା, ‘‘ଆଉ ବାହୁଡ଼ାଇବେ ନାହିଁ ତ ?’’
ବୋଲେ ଦାଶରଥି ନାହିଁ ନାହିଁ ତକ୍ଷଣ ।ବେନି ଉତ୍ତର ଦେବାରେ ପଢ଼ି ଲକ୍ଷଣ । ୬୧ ।ବାହୁ ଟେକି ଉଠୁଁ ତର୍କି କାର୍ଯ୍ୟ ସଫଳ ।ବାହେ ଯତି ଏହିକ୍ଷଣି କରିବ କୋଳ । ୬୨ ।ବାଳ ଧରୁଁ ବିଚାରିଲା କର୍ଣ୍ଣାଟ ନାରୀ ।ବନ୍ଧ ସଂଯୋଗେ ନାୟକ କୁନ୍ତଳ ଧରି । ୬୩ ।ବିଭୋଗୀ ଏହାଙ୍କ ଦେଶେ ଏରୂପେ ପୁଂସ ।ବସୁଧାରେ ପାତୁଁ ଭାଳେ ରତି ପ୍ରକାଶେ । ୬୪ ।ବିଛେଦୁଁ ନାସା ଶ୍ରବଣ ଦୀର୍ଘ ରଟିଲା ।ବିଘାତୁ ସିଂହ ହସ୍ତିନୀ ଲକ୍ଷ୍ୟ ଘଟିଲା । ୬୫ ।
୬୧ଶ ପଦ :- ରାମଚନ୍ଦ୍ର ଉତ୍ତର ଦେଲେ, ‘‘ନାହିଁ ନାହିଁ । (ପ୍ରକୃତ ଅର୍ଥ :- ତୁ ଯେ କହିଲୁ ବାହୁଡ଼ାଇବେ ନାହିଁ ? ତହିଁର ନାହିଁ ଶବ୍ଦ ନାହିଁ । ଅର୍ଥାତ୍ ବାହୁଡ଼ାଇବେ) ।’’ ରାମଚନ୍ଦ୍ର ଦୁଇ ଅର୍ଥବୋଧକ ପତ୍ର ଲେଖିଥିବାର ପଢ଼ି ଲକ୍ଷ୍ମଣ ପ୍ରକୃତ ଅର୍ଥ ବୁଝିଲେ ।
୬୨ଶ ପଦ :- ଲକ୍ଷ୍ମଣ ବାହୁଦ୍ୱୟ ଟେକି ଉଠିବାରୁ ସୂର୍ପଣଖା ମନରେ ବିଚାରିଲା, ‘‘କାର୍ଯ୍ୟ ସଫଳ ହେଲା । ଏ ଯଦି ଏହିକ୍ଷଣି ବାହୁଦ୍ୱୟରେ ମୋତେ କୋଳ କରିବ ।’’
୬୩ଶ ପଦ :- ଲକ୍ଷ୍ମଣ ସୂର୍ପଣଖାର କେଶ ଧରନ୍ତେ, ସେ ବିଚାରିଲା, ‘କର୍ଣ୍ଣାଟ ଦେଶୀୟ ନାରୀମାନେ ବନ୍ଧସଂଯୋଗ ସମୟରେ ପୁରୁଷର କେଶ ଧରିଥାନ୍ତି ।’
୬୪ଶ ପଦ :- ‘ଏହାଙ୍କ ଦେଶରେ କର୍ଣ୍ଣାଟ ଦେଶୀୟ ସଂଯୋଗ ପରି ପୁରୁଷମାନେ ନାରୀର କେଶ ଧରି ବୋଧ ହୁଏ ସମ୍ଭୋଗ କରନ୍ତି ।’ ଲକ୍ଷ୍ମଣ ତାକୁ ମାଟିତଳେ ପକାନ୍ତେ, ସେ ବିଚାର କଲା, ‘ବର୍ତ୍ତମାନ ଏ ରତି କରିବେ ।’
୬୫ଶ ପଦ :- ସିଂହ ହସ୍ତିନୀକିମାଡ଼ି ବସି ବିଦାରନ୍ତେ, ସେ ଯେପରି ରଡ଼ି ଦିଏ, ଲକ୍ଷ୍ମଣ ସୂର୍ପଣଖାର ନାସା କର୍ଣ୍ଣ ଛେଦନ କରନ୍ତେ ସୂର୍ପଣଖା ସେହିପରି ଶବ୍ଦ କଲା ।
ବିଦାରି ମୃଗୀ ଶାର୍ଦ୍ଧୁଳ ଫିଙ୍ଗିଲା ଭାବ ।ବିରୂପ କରି ପକାଇ ଦେଲେ ସେ ଜବ । ୬୬ ।ବିଦ୍ରାବ ତ୍ରିଧାର ରକ୍ତ ବସନ ବୁଡ଼ି ।ବାତେ ପୁଷ୍ପିତ ମନ୍ଦାର ବୃକ୍ଷ କି ଉଡ଼ି? । ୬୭ ।ବାୟୁବେଗେ ଜନପଦେ ମିଳିତ ଯୋଷା ।ବୋଲେ ଖର ଦେଈଙ୍କି କେ ଦେଲା ଏ ଦଶା ? । ୬୮ ।ବିକାଳରେ କାଳ ହେବା ଶଙ୍କା ନ କରି ।ବ୍ୟାଳମୁଖେ ଦେଲା କେହୁ କରକୁ ଭରି? । ୬୯ ।ବ୍ୟାଳ ବୋଲି ଆନ କି ବାସୁକି ବଦନ ।ବାଇ ସେ ଏମନ୍ତ ପ୍ରତେ କାହିଁ ତା ସ୍ଥାନ ? । ୭୦ ।୬୬ଶ ପଦ :- ଶାର୍ଦ୍ଦୁଳ-ବ୍ୟାଘ୍ର ।୬୬ଶ ପଦ :- ବ୍ୟାଘ୍ର ମୃଗୃଣୀକୁ ବିଦାରଣ କରି ଫିଙ୍ଗିଦେଲା ପରି ଲକ୍ଷ୍ମଣ ସୂର୍ପଣଖାକୁ ବିରୂପ କରି ବେଗରେ ପକାଇ ଦେଲେ ।୬୭ଶ ପଦ :- ବିଦ୍ରାବ-ବହି ପଡ଼ୁଥିବା ।
୬୭ଶ ପଦ :- ସୂର୍ପଣଖାର ନାସା ଓ କର୍ଣ୍ଣ ଛେଦନ ହୁଅନ୍ତେ ତାହାର ମୁଖରୁ ତିନିଧାରରେ ରକ୍ତ ବହିଲା । ସେ ରକ୍ତରେ ପିନ୍ଧିଥିବା ଲୁଗା ତିନ୍ତି ଗଲା । ସେ ସେଠାରୁ ପଳାଇଲାବେଳେ ମନେହେଲା, ଫୁଲ ଫୁଟିଥିବା ମନ୍ଦାର ବୃକ୍ଷ ପବନରେ ଉଡ଼ିଯାଉଛି କି ?
୬୮ଶ ପଦ :- ପବନ ବେଗରେ ସୂର୍ପଣଖା ପଳାଇ ଯାଇ ‘ଜନପଦ’ ରାକ୍ଷସଙ୍କ ବାସସ୍ଥାନରେ ମିଳିଲା । ତାହାକୁ ଦେଖି ଖର ଦୈତ୍ୟ କହିଲା, ‘‘ରାଜ ଜେମାଙ୍କୁ ଏ ଅବସ୍ଥା କିଏ ଦେଲା ? ’’
୬୯ଶ ପଦ :- ବିକାଳରେ-ଅସମୟରେ । କାଳ-ମୃତ୍ୟୁ । ବ୍ୟାଳ-ସର୍ପ ।୬୯ଶ ପଦ :- ‘‘ଅକାଳରେ ମୃତ୍ୟୁ ଲଭିବାର ଭୟ ନ କରି କିଏ ସର୍ପ ମୁଖରେ ହସ୍ତ ପୁରାଇଲା ?’’
୭୦ଶ ପଦ :- ‘‘ସର୍ପ କହିବାରେ ପୁଣି ସାଧାରଣ ସର୍ପ ନୁହେଁ । ସର୍ପରାଜ ବାସୁକି ମୁହଁରେ ଯେ ହସ୍ତ ପୂରାଇଲା, ସେ ନିଶ୍ଚୟ ପାଗଳ ବୋଲି ପ୍ରତୀତ ହେଉଛି । ସେ କେଉଁଠାରେ ରହିଅଛି ?’’
ବିଂଶାକ୍ଷଭଗନୀ କହେ ପଞ୍ଚବଟୀରେ ।ବସା କରିଛନ୍ତି ଦଶରଥ କୁମରେ । ୭୧ ।ବାମା ଘେନି ବାମ ହେଲେ ମୁହିଁ ଗ୍ରାସନ୍ତେ ।ବିହି ଦଣ୍ଡ ଦଣ୍ଡକରେ ଦଣ୍ଡକେ ମୋତେ । ୭୨ ।ବଳ ସାଜିଣ ଦୂଷଣ ତ୍ରିଶିର ଖର ।ବାହାର ବୀର ଡାକରେ ଉଚ୍ଛନ୍ନ ସୁର । ୭୩ ।ବ୍ୟାକୁଳ ଭୟେ ତ୍ରିଦିବ ଲୁଟିବେ ପରା ।ବେପଥୁବଶ ହୋଇଲା ସତ୍ୱରେ ଧରା । ୭୪ ।ବସର୍ଜ୍ଜନେ ନଳୀ ଗୁଳି ସୂର ଭାବନ୍ତି ।ବଂଶେ ମୋ ବାଦୀ ମୋତେ କି ଲାଖ କରନ୍ତି ? । ୭୫ ।
୭୧ଶ ପଦ :- ଖର ରାକ୍ଷସର ଏହି କଥା ଶୁଣି ରାବଣଭଉଣୀ ସୂର୍ପଣଖା କହିଲା, “ପଞ୍ଚବଟୀ ବନରେ ଦଶରଥ ରାଜାଙ୍କର ଦୁଇପୁଅ ବସା କରି ରହିଅଛନ୍ତି ।’’
୭୨ଶ ପଦ :- ‘‘ସେ ତାଙ୍କ ସ୍ତ୍ରୀକୁ ସଙ୍ଗରେ ଘେନି ରହିଅଛନ୍ତି । ମୁଁ ସେ ସ୍ତ୍ରୀକୁ ଗ୍ରାସ କରିବାକୁ ଯାନ୍ତେ ସେ ପ୍ରତିକୂଳ ହେଲେ । ଦାଣ୍ଡକାରଣ୍ୟରେ ଦଣ୍ଡକ ମଧ୍ୟରେ ମୋତେ ଏ ଦଣ୍ଡ ଦେଲେ ।’’
୭୩ଶ ପଦ :- ଦୂଷଣ, ତ୍ରିଶିର, ଖର ଏହି ତିନି ଅସୁର ସୈନ୍ୟ ସଜ କରି ବାହାର ହେଲେ । ତାଙ୍କ ବୀର ଡାକରେ ଦେବତାମାନେ ଭୀତ ହେଲେ ।୭୪ଶ ପଦ :- ତ୍ରିଦିବ-ଦେବତାମାନେ । ବେପଥୁ-କମ୍ପନ । ଧରା-ପୃଥିବୀ ।
୭୪ଶ ପଦ :- ‘ଏମାନେ ସ୍ୱର୍ଗ ଲୁଟିକରି ନେବେ ପରା ?’ -ଏହା ଭାବି ଦେବତାମାନେ ବ୍ୟାକୁଳ ହେଲେ । ତାଙ୍କ ପାଦଭାରରେ ପୃଥ୍ୱୀ ଦେବୀ ଶୀଘ୍ର କମ୍ପମାନ ହେଲା ।
୭୫ଶ ପଦ :- ଖର ଦୂଷଣାଦିଙ୍କ ସୈନ୍ୟମାନେ ନଳୀରୁ ଗୁଳି ଛାଡ଼ନ୍ତେ ସୂର୍ଯ୍ୟ ଭାବନ୍ତି, ‘ମୋ ବଂଶ ରାମଚନ୍ଦ୍ର ବାଦୀ ହେବାରୁ ଏମାନେ ମୋତେ ଲାଖ କରୁଅଛନ୍ତି କି ?’
ବନଗିରି ପୂରି ଆସୁ ଧୂଳି ଉଡ଼ିଲା ।ବିମ୍ବ ଆଛାଦନେ ଶଙ୍କା ଚିତ୍ତୁଁ ଛାଡ଼ିଲା । ୭୬ ।ବସୁଧା ସୁତାଙ୍କୁ ସୌମିତ୍ରେୟ ରକ୍ଷିତ ।ବିରାଧବଧ ପଣ୍ଡିତ ଯୁଦ୍ଧକୁ ଗତ । ୭୭ ।ବର୍ଷୁକ ଘନ ପରାୟ ରକ୍ଷେ ଘୋଟିଲେ ।ବାଣଗଣ ଜଳଧାରା ପତନ କରେ । ୭୮ ।ବିଜୁଳି ସେନାନୀ ଖଡ଼୍ଗ ଝଲକ ପ୍ରଦା ।ବଜ୍ରପାତ ଭୟଙ୍କର ତ୍ରିଶୂଳ ଗଦା । ୭୯ ।ବିଜ୍ୱଳିତ ତହିଁରୁ ହୁଅଇ ପାବକ ।ବିଜୟ ଦୁର୍ଗ ପରାୟେ ରଘୁ ନାୟକ । ୮୦ ।
୭୬ଶ ପଦ :- ସେହି ସୈନ୍ୟ ବନପର୍ବତ ପୂର୍ଣ୍ଣ କରି ଆସିବାରୁ ଧୂଳି ଉଡ଼ିଲା । ସେ ଧୂଳିରେ ସୂର୍ଯ୍ୟମଣ୍ଡଳ ଆଚ୍ଛାଦିତ ହୁଅନ୍ତେ ସୂର୍ଯ୍ୟଙ୍କ ଭୟ ଦୂର ହେଲା ।
୭୭ଶ ପଦ :- ଏହିପରି ରାକ୍ଷସ ସୈନ୍ୟ ଆସିବାର ଦେଖି ବିରାଧ ଅରି ରାମଚନ୍ଦ୍ର ସୀତାଙ୍କୁ ଲକ୍ଷ୍ମଣଙ୍କଦ୍ୱାରା ଜଗାଇ ଯୁଦ୍ଧକୁ ଗଲେ ।୭୮ଶ ପଦ :- ବର୍ଷୁକ ଘନ-ବର୍ଷଣକାରୀ ମେଘ ।୭୮ଶ ପଦ :- ରାକ୍ଷସ ସୈନ୍ୟମାନେ ବର୍ଷୁକ ମେଘ ପ୍ରାୟ ରାମଚନ୍ଦ୍ରଙ୍କୁ ବେଢ଼ି ଜଳଧାରା ସମାନ ଶରସମୂହ ବୃଷ୍ଟିକଲେ ।
୭୯ଶ ଓ ୮୦ଶ ପଦ :- ସୈନ୍ୟମାନଙ୍କର ଖଡ଼୍ଗର ଜ୍ୟୋତି ବିଜୁଳି ପ୍ରାୟ ଦେଖାଗଲା ଏବଂ ଗଦା ଓ ଶୂଳ ପ୍ରଭୃତିରେ ପତନ ଶବ୍ଦ ବଜ୍ର ଶବ୍ଦପରି ଶୁଣାଗଲା । ଅସ୍ତ୍ର ଶସ୍ତ୍ର ଘର୍ଷଣରେ ଅଗ୍ନି ଜାତ ହେଲା, ବିଜୟ ଦୁର୍ଗରେ ବିଦ୍ୟୁତ୍ ବଜ୍ରାଗ୍ନି ନିଷ୍ଫଳ ହେଲାପରି ରାମଙ୍କଠାରେ ଖଡ଼୍ଗ, ତ୍ରିଶୂଳ, ଗଦା ପ୍ରଭୃତି ଅସ୍ତ୍ର ଶସ୍ତ୍ର ନିଷ୍ଫଳ ହେଲା ।
ବରଣ ତନୁ କବାଟ ପୁଟ ହୃଦୟ ।ବାହୁ ସ୍ତମ୍ଭ ଉରୁ ଅର୍ଗଳିରେ ଉଦୟ । ୮୧ ।ବେଷ୍ଟନରେ ରହି ସହି ବହୁତ ଘାତ ।ବିଧାୟକ ଶସ୍ତ୍ର କୋପନରେ ପୂରିତ । ୮୨ ।ବଳ ସିନ୍ଧୁ କବଳକୁ ଅଗସ୍ତ୍ୟ ଶର ।ବତାଶ ତ୍ରିଶିର ଶିର ତାଳଫଳର । ୮୩ ।ବିଶୁଦ୍ଧ କବି ହୋଇ ସେ ବନ-କାବ୍ୟରୁ ।ବିଶୋଧିଲେ ଦୂଷଣକୁ ଗୁଣ ପ୍ରଚାରୁଁ । ୮୪ ।ବ୍ୟାଘ୍ର ନିଶ୍ଚେ ବିକ୍ରମିଣ ନାରାଚସାର ।ବିଦାରି ତଳେ ପକାଇ ଇଷିତେ ଖର । ୮୫ ।୮୧ଶ ପଦ :- ବରଣ-ପ୍ରାଚୀର । ତନୁ-ଦେହ ।
୮୧ଶ ଓ ୮୨ଶ ପଦ :- ଦୂର୍ଗରୂପ ରାମଚନ୍ଦ୍ରଙ୍କର ଦେହ ଗଡ଼ପ୍ରାଚୀର, ବକ୍ଷସ୍ଥଳ କବାଟ ପୁଡ଼ା, ଦୁଇ ଭୁଜ ଦ୍ୱାରବନ୍ଧ, ଊରୁ ଅର୍ଗଳି ପ୍ରାୟ ଅଟେ । ସେହି ରାମଚନ୍ଦ୍ର ସୈନ୍ୟ ଭିତରେ ରହି ବହୁତ ଘାତ ସହିବା ଯୋଗେ କ୍ରୋଧଯୁକ୍ତ ହୋଇ ଅସ୍ତ୍ର ପ୍ରହାର କଲେ ।
୮୩ଶ ପଦ :- କଳସିନ୍ଧୁ-ସୈନ୍ୟସମୁଦ୍ର ।
୮୩ଶ ପଦ :- ସୈନ୍ୟରୂପୀ ସମୁଦ୍ରକୁ ରାମଚନ୍ଦ୍ରଙ୍କ ଶର ରୂପ ଅଗସ୍ତ୍ୟ ଗ୍ରାସ କଲା । ତ୍ରିଶିର ରାକ୍ଷସର ଶିର ବତାସରେ ତାଳ ଝଡ଼ିଲା ପ୍ରାୟ ରାମଙ୍କ ଶରରେ ଝଡ଼ି ପଡ଼ିଲା ।
୮୪ଶ ପଦ :- ରାମଚନ୍ଦ୍ର ବିଜ୍ଞ କବି ପରି ଦଣ୍ଡକାରଣ୍ୟ ରୂପ କାବ୍ୟରୁ ଦୂଷଣ ରାକ୍ଷସ ରୂପ ଦୋଷକୁ ନିଜ ଶୌର୍ଯ୍ୟ ଗୁଣରେ ବିଶୋଧନ କରିଦେଲେ । (ଯେପରି ଦୋଷଜ୍ଞ ପଣ୍ଡିତ କାବ୍ୟରୁ ଦୋଷ କାଟି ଦେଇ କାବ୍ୟକୁ ବିଶୁଦ୍ଧ କରିଦିଏ, ସେହିପରି ରାମଚନ୍ଦ୍ର ଦୂଷଣକୁ ନାଶକରି ଦଣ୍ଡକାରଣ୍ୟକୁ ଭୟଶୂନ୍ୟ କରିଦେଲେ) ।
୮୫ଶ ପଦ :- ନାରାଚ ସାର-ଶ୍ରେଷ୍ଠ ଶର । ଖର-ଗଧ ।
୮୫ଶ ପଦ :- ରାମଚନ୍ଦ୍ରଙ୍କ ଶ୍ରେଷ୍ଠ ଶର ବ୍ୟାଘ୍ର ପରି ବିକ୍ରମି ଯାଇ ଗଧତୁଲ୍ୟ ଖର ଅସୁରକୁ କିଞ୍ଚିତ ମାତ୍ରକେ ବିଦାରି ତଳେ ପକାଇ ଦେଲା ।
ବେଭାରେ ମନ୍ତ୍ରରେ ଯୁକ୍ତ ଗୁଣିଆ ଘେନି ।ବିଦୂର ହୋଇଲା ସୂର୍ପଣଖା ଡାକିନୀ । ୮୬ ।ବାହୁଡ଼ାବିଜେ ରାଘବ ପତ୍ରସଦନେ ।ବିନ୍ଦୁ ବିନ୍ଦୁ ଝାଳ ରହିଅଛି ବଦନେ । ୮୭ ।ବନରୁହରୁ ଜନମ ହୋଇ ତୁଷାର ।ବିରୋଧୀ ନାହିଁ ଅଧିକେ ଦିଶି ରୁଚିର । ୮୮ ।ବର୍ଷୁ ସ୍ୱେଦେ ରକ୍ତପାତେ ପବନବଳେ ।ବିଦ୍ରୁମ ଅଙ୍କୁର ଦେଇ ମର୍କତଶିଳେ । ୮୯ ।ବିଚିତ୍ର କର୍ମକୃତରୁ ଅଦ୍ଭୁତ ହୋଇ ।ବାହାରିଗହ୍ୱରୁ ରାମ ଅନୁଜ ଦୁଇ । ୯୦ ।
୮୬ଶ ପଦ :- ରାମଚନ୍ଦ୍ର ଅସ୍ତ୍ର ପ୍ରୟୋଗରେ ମନ୍ତ୍ରଯୁକ୍ତ ହୋଇଥିବାରୁ ଗୁଣିଆ ମନ୍ତ୍ର ପାଠକଲେ ଯେପରି ଡାକିନୀମାନେ ଆଁ କରି ପଳାଇଯାନ୍ତି, ସେହିପରି ସୂର୍ପଣଖା ପଳାଇଗଲା ।
୮୭ଶ ପଦ:- ପତ୍ରସଦନ-କୁଡ଼ିଆଘର । ବଦନ-ମୁଖ ।୮୭ଶ ପଦ :- ତତ୍ପରେ ରାମଚନ୍ଦ୍ର ପତ୍ରକୁଡ଼ିଆକୁ ବିଜେ କରିଗଲେ । ସେତେବେଳେ ତାଙ୍କ ମୁଖରେ ବିନ୍ଦୁ ବିନ୍ଦୁ ଝାଳ ଲାଗିରହିଥାଏ ।୮୮ଶ ପଦ :- ବନରୁହ-ପଦ୍ମ । ତୁଷାର-ହିମକଣା ।
୮୮ଶ ପଦ :- ପଦ୍ମରୁ କାକର ଜାତହୋଇ ତାହାର ଶତ୍ରୁ ହୋଇଥାଏ, ମାତ୍ର ସେ ସ୍ୱେଦବିନ୍ଦୁ ରୂପ କାକର ମୁଖପଦ୍ମରୁ ଜାତ ହୋଇସୁଦ୍ଧା ଶତ୍ରୁ ହୋଇନାହିଁ । ବରଂ ଅଧିକରେ ମନୋହରତା ବଢ଼ାଇଅଛି ।
୮୯ଶ ପଦ :- ବର୍ଷ୍ମା-ଦେହ । ସ୍ୱେଦ-ଝାଳ । ବିଦ୍ରୁମ-ପୋହଳା ।
୮୯ଶ ପଦ :- ଦେହ ଝାଳଯୁକ୍ତ ହୋଇଥିବାରୁ ଓ ତହିଁରେ ବାୟୁଯୋଗେ ଆସି ରକ୍ତବିନ୍ଦୁମାନ ଲାଗିଥିବାରୁ, ତାହା ମରକତ ଶିଳାରେ ପୋହଳା ଗଜୁରିଲା ପ୍ରାୟ ଶୋଭା ଦେଖାଯାଉଅଛି ।
୯୦ଶ ପଦ :- ରାମଚନ୍ଦ୍ର ଆଶ୍ଚର୍ଯ୍ୟ କର୍ମ କରିବାରୁ ସିନା ଏପରି ଆଶ୍ଚର୍ଯ୍ୟ ଘଟନା ଘଟିଲା ! (ମରକତ ଶିଳାରୁ ପୋହଳା ଗଜୁରିଲା) । ରାମଙ୍କୁ ଦେଖି ସୀତା ଓ ଲକ୍ଷ୍ମଣ ପର୍ବତ ଗହ୍ୱରରୁ ବାହାରିଲେ ।
୯୧ଶ ପଦ :- ରାମଙ୍କୁ ଦେଖି ସୀତା ଓ ଲକ୍ଷ୍ମଣ ଦୁହେଁ ମହାସନ୍ତୋଷ ହୋଇ ଓଳଗିଲେ । ରାମ ଗୋଦାବରୀ ନଦୀରେ ସର୍ବାଙ୍ଗ ଧୌତ କଲେ ।୯୨ଶ ପଦ:- ଏହି ଛାନ୍ଦ ବୟାଣୋଇ ପଦରେ ବୀରବର ଉପନ୍ଦ୍ରଭଞ୍ଜ ଅତି ମାଧୁର୍ଯ୍ୟର ସହିତ ବିରଚନ କଲେ ।ଚତୁର୍ବିଂଶ ଛାନ୍ଦ(ରାଗ-କୁମ୍ଭକାମୋଦୀ)ବିନାଶ ନାସା ଶ୍ରବଣ ସୂର୍ପଣଖା ପ୍ରବେଶ ଲଙ୍କାର ।ବୃକ୍ଷ ପାଟଳୀରୁ ଫୁଲ ଝାଡ଼ି ଉଡ଼ି ଯାଉଛି କି କୀର ?ବହେ ନେତ୍ରୁ ଅଶ୍ରୁ ପତ୍ରୁଁ କି ପଡୁଛି ପଡ଼ିଲା ତୁଷାର ।ବାରବାୟୁରେ ଧୈର୍ଯ୍ୟ ମୂଳ ଉପୁଡ଼ି ପଡ଼ିଲା ପ୍ରକାର । ୧ ।ବିଂଶପାଣି ଆଗେ ପଡୁଁ ପୁଚ୍ଛି ବେଗେ ଏ ଦଣ୍ଡକେ ଇଚ୍ଛି ।ବହିଣୀ ତୁ ମୋର ନ ଜାଣି ସଂସାରମଧ୍ୟରେ କେ ଅଛି ?ବୃଷା ବୃଷାସନ ବାସୁକି ବିଧାନ ନୋହେ ଏ ଉଚିତେ ।ବନ୍ଧା ସୁତେ କଇଳାସ ଉପଡ଼ନ୍ତେ ଜାଣନ୍ତି ସେ ମୋତେ । ୨ ।ବାଜୀଦଇବତ ଶିରୀ ଆଜି ହତ କରିବି ଅବଧି ।ବଢ଼ି କି ରୋଗ ଏ ଦଶା ହେଲା ଭୋଗ ନ ଦେଲେ ଔଷଧି ।ବୋଇଲା ଅନୁଜା ନାଗଜାତି ରାଜା ଜଗତବଇରୀ ।ବହି କି ହେବ ନେତ୍ର ମଦେ ମୁଦ୍ରିତ ପ୍ରତିଚକ୍ଷୁ ପରି । ୩।ବାର୍ତ୍ତାବହ ହୀନ ବିଶ୍ୱ ପାଠମାନ ଗୋଚର ହେବାକୁ ।ବଧି ତ୍ରିଶିର ଦୂଷଣ ଖର ମୋତେ ଏ ଦଣ୍ଡ ହେବାକୁ ।ବନୌଜା ବେଶେ ନାମ ରାମ ଲକ୍ଷ୍ମଣ ଅଯୋଧ୍ୟା ନରେଶ ।ବେନିକୁମର ବାମା ତାଙ୍କ ସଙ୍ଗର ଦଣ୍ଡକେ ନିବାସ । ୪।ବ୍ରହ୍ମା କୋଟି କନ୍ୟା ପରି ଗୋଟିଏ ଗଢି଼ବେ କି କରି ।ବ୍ରହ୍ମାଣ୍ଡ ଲକ୍ଷରେ ଖୋଜିଲେ ଲକ୍ଷ୍ୟରେ ନ ଥିବ ସୁନ୍ଦରୀ ।ବିହେ ନୃତ୍ୟେ ଆସି ରମ୍ଭା ଉରୁବଶୀ ତୋ ଆଗେ ଦେଖିଛି ।ବନିତାମଣିଦାସୀପଣେ ନ ଗଣି ମୋ ମନେ ରଖିଛି । ୫।୧ମ ପଦ :- କୀର-ଶୁକପକ୍ଷୀ ।
୧ମ ପଦ :- ନାସା ଓ ଶ୍ରବଣ ଛେଦିତ ହୋଇଥିବା ସୂର୍ପଣଖା ଯାଇ ଲଙ୍କାପୁରରେ ପ୍ରବେଶ ହେଲା । ସେ ଶୀଘ୍ର ଗତିରେ ଗଲାବେଳେ ବୋଧହେଲା, ପାଟଳି ବୃକ୍ଷରୁ ଫୁଲସବୁକୁ ଝଡ଼ାଇ ଦେଇ ଶୁକପକ୍ଷୀ ଉଡ଼ିଯାଉଛି କି ? ରାତ୍ରରେ ପାଟଳିପତ୍ରରେ ପଡ଼ିଥିବା କାକର ପତ୍ରରୁ ଖସିପଡ଼ିଲା ପ୍ରାୟ ତା ନେତ୍ରରୁ ଲୋତକ ବହୁଅଛି, ବତାସ ପବନରେ ପାଟଳି ବୃକ୍ଷ ଉପୁଡ଼ି ପଡ଼ିଲା ପରି ସୂର୍ପଣଖାର ଧୈର୍ଯ୍ୟ ବୃକ୍ଷ ଉପୁଡ଼ି ପଡ଼ିଲା । (ସୂର୍ପଣଖାର ଦେହ ପାଟଳି ବୃକ୍ଷ, କର୍ଣ୍ଣ ଓ ନାସିକାରୁ ବିନ୍ଦୁ ବିନ୍ଦୁହୋଇ ଖସି ପଡ଼ୁଥିବା ରକ୍ତ ପାଟଳି ଫୁଲ ସହିତ ଉପମିତ) ।
୨ୟ ପଦ :- ବିଂଶପାଣି –ରାବଣ । ବୃଷା-ଇନ୍ଦ୍ର । ବୃଷାସନ-ମହାଦେବ ।
୨ୟ ପଦ :- ସୂର୍ପଣଖା ଯାଇ ରାବଣ ଅଗ୍ରତରେ ପଡ଼ିଯାନ୍ତେ, ସେ ଶୀଘ୍ର ପଚାରିଲା, ‘‘ତୋତେ ଏ ଦଣ୍ଡ କିଏ ଦେଲା ? ତୁ ମୋର ଭଉଣୀ, ଏହା ସଂସାର ମଧ୍ୟରେ କିଏ ନ ଜାଣିଛି ? ସ୍ୱର୍ଗର ଇନ୍ଦ୍ର, ମର୍ତ୍ତ୍ୟର ମହାଦେବ, ପାତାଳର ବାସୁକିଙ୍କଦ୍ୱାରା ଏହା ଘଟିବା ସମ୍ଭବ ନୁହେଁ । କାରଣ ମୋ ପୁତ୍ରଦ୍ୱାରା ବନ୍ଧା ହୋଇଥିବାରୁ ଏବଂ ମୁଁ କୈଳାସ ପର୍ବତ ଉପାଡ଼ନ୍ତେ ଇନ୍ଦ୍ର, ମହାଦେବ ଓ ବାସୁକି ମୋତେ ଜାଣିଛନ୍ତି ।’’
୩ୟ ପଦ :- ବାଜୀଦଇବତ-ଅଶ୍ୱିନୀକୁମାର(ସ୍ୱର୍ଗବୈଦ୍ୟ) । ଶିରୀ-ଦମ୍ପତ୍ତି । ଅନୁଜା-ସାନଭଉଣୀ । ମଦେ-ଗର୍ବରେ ।
୩ୟ ପଦ :- ‘‘ମୁଁ ଆଜି ସ୍ୱର୍ଗବୈଦ୍ୟ ଅଶ୍ୱିନୀକୁମାରଙ୍କ ସମ୍ପତ୍ତି ନଷ୍ଟ କରିଦେବି । କି ରୋଗ ହୋଇ ବଢ଼ି ବଢ଼ି ଯେ ଏ ଦଶା ଘଟିଲା; ନାକ କାନ ଛିଡ଼ିଗଲା,- ସେଥିପାଇଁ ସେ ଔଷଧ ନ ଦେଲେ କାହିଁକି ?’’ ଏହା ଶୁଣି ସାନ ଭଉଣୀ ସୂର୍ପଣଖା କହିଲା, ‘‘ରାଜାମାନେ ନାଗସର୍ପଙ୍କ ପରି ଜଗତର ଶତ୍ରୁ ଅଟନ୍ତି, ତୁମ୍ଭର ଚକ୍ଷୁ ଥାଇ ବା କ’ଣ ହେବ ? ଗର୍ବରେ ତା ମୁଦ୍ରିତ ହୋଇଯାଇଛି । ସେଥିପାଇଁ ତୁମ୍ଭର ପ୍ରତିଚକ୍ଷୁ (ଚଷମା) ଦେବା ଦରକାର ପଡ଼ୁଛି ।’’
୪ର୍ଥ ପଦ :- ବାର୍ତ୍ତାବହ-ଦୂତ । ବନୌକା-ବନବାସୀ, ଋଷି । ବାମା-ସ୍ତ୍ରୀ ।
୪ର୍ଥ ପଦ :- ଚାଳିଶା ହେଲେ ପ୍ରତିଚକ୍ଷୁ ଲଗାଇ ଯେପରି ଲୋକେ ପଢ଼ିପାରନ୍ତି, ସେହିପରି ରାଜାମାନେ ଦୂତରୂପ ପ୍ରତିଚକ୍ଷୁଦ୍ୱାରା ସଂସାରର କଥାମାନ ଜାଣିପାରନ୍ତି । ତୁମ୍ଭର ଦୂତରୂପ ପ୍ରତିଚକ୍ଷୁ ନ ଥିବାରୁ ତୁମ୍ଭେ କିଛି ଜାଣିପାରୁନାହଁ । ତ୍ରିଶିର, ଦୂଷଣ ଓ ଖର ଏ ତିନି ରାକ୍ଷସଙ୍କୁ ବିନାଶ କରି ମୋତେ ଏ ଦଣ୍ଡ ଦେବାପାଇଁ ଅଯୋଧ୍ୟା ଦେଶର ନରପତି ଦଶରଥଙ୍କ ପୁଅ ଗୋଟିଏ ସ୍ତ୍ରୀ ସଙ୍ଗରେ ଘେନି ବନବାସୀ ହୋଇ ଦଣ୍ଡକାରଣ୍ୟରେ ରହିଅଛନ୍ତି ।’’
୫ମ ପଦ :- ‘‘କୋଟିଏ ବ୍ରହ୍ମା ମିଳିତ ହୋଇ ସେ ସ୍ତ୍ରୀପରି ଆଉ ଗୋଟିଏ ସ୍ତ୍ରୀ ଗଢ଼ିପାରିବେ ନାହିଁ । ଲକ୍ଷ ସଂଖ୍ୟକ ବ୍ରହ୍ମାଣ୍ଡରେ ଖୋଜିଲେ ସେ ସ୍ତ୍ରୀ ସଦୃଶ ସୁନ୍ଦରୀ ଆଉ ମିଳିବେ ନାହିଁ । ମୁଁ ଦେଖିଛି,- ରମ୍ଭା ଉର୍ବଶୀ ତୋ ଆଗରେ ଆସି ନୃତ୍ୟ କରନ୍ତି । ମାତ୍ର ସେ ସ୍ତ୍ରୀ ରତ୍ନର ଦାସୀପଣକୁ ସୁଦ୍ଧା ଏମାନେ ଗଣନା ହୋଇ ପାରିବେ ନାହିଁ ।’’
ବଦନ ଓଷ୍ଠ ସୁଷମା କରି ପୁଷ୍ଟ ପୂର୍ଣ୍ଣମୀ ପ୍ରାଚୀକି ।ବିଧୁ ବାଳାର୍କ ବ୍ୟାଜେ ରୌମ୍ୟ ମାଣିକ୍ୟ ସ୍ଥାଳୀକି ରଚିକି?ବନ୍ଦାଣ ମାସକେ ରଚେ କେ ଉତ୍ସେବେ କେ ନିତ୍ୟ ବନ୍ଦାଇ ।ବିହଙ୍ଗ ଆଳୀ ଦ୍ୱିକାଳେ ହୁଳହୁଳୀ ତହିଁକି କି ଦେଇ । ୬।ବଜାଇ ଶଙ୍ଖ ନୋହିବା ହେବା ଯୋଖ ଏକାଳ ସୁରୁଚି ।ବାସରମୁଖେ ସନ୍ଧ୍ୟାରେ ଭ୍ରମି ଦୁଃଖେ ଦେଖନ୍ତି ସେ ଲୁଚି ।ବିଭୂଷା ସୁବର୍ଣ୍ଣ ଯେ ସହସ୍ରେବାନ ପିଞ୍ଜର ପରି ରେ ।ବର୍ଣ୍ଣକୁ ନିଊନ ଦିଶେ ଏଡ଼େ ବାନ ଥାଇ ତା ଶରୀରେ । ୭।ବଲ୍ଲଭୀ ଯେ ତୋର ସଂସାରର ସାର ତହିଁର ମଧ୍ୟରେ ।ବଡ଼ ସୁନ୍ଦରୀ ହୋଲାଇ ମନ୍ଦୋଦରୀ କାହିଁକି ବିଚାରେ ?ବିଧ୍ୱଂସି ହେଲା ସେ ସଂଶୟ ରଭସେ ତାହାର ଦର୍ଶନେ ।ବିଧାତା ଛନ୍ଦ ରଖିଛି ନାମେ ମନ୍ଦ ଏହାର ଯତନେ । ୮।ବର ଦେବଇଙ୍କୁ ମାରି ମୁଁ ତାହାକୁ ଆଣନ୍ତି ତୋ ପାଇଁ ।ବିକୃତରୁପେ ଯାଉଁ ତାଙ୍କ ସମୀପେ ଏ ଦଣ୍ଡ ସେ ଦେଇ ।ବିକ୍ରମି ଲୋକନେ ତ୍ରିଶିର ଦୂଷଣେ ସବଳେ ଖରହିଁ ।ବିରଚି ସମର ଗଲେ ଯମପୁର ଅଇଲି ମୁଁ କହି । ୯।ବଳିଷ୍ଠଶ୍ରେଷ୍ଠ ଗରିଷ୍ଠ ମାନ ଯେବେ ଉଦ୍ଧରି ପାରିବ ।ବାରିଧି ଜୀବନେ ଜୀବନ ତେଜିବା ତେବେ ମୋ ନୋହିବ ।ବଇଶ୍ରବଣ ଶ୍ରବଣ କରି କହେ ହେବ ସେ ଜାନକୀ ।ବିଶ୍ୱ ପ୍ରପଞ୍ଚରେ ଏଡ଼େ ସୁସଞ୍ଚରେ ସୌନ୍ଦର୍ଯ୍ୟ ଆନ କି ? । ୧୦ ।
୬ଷ୍ଠ ପଦ :- ସୁଷମା-ପରମା ଶୋଭା ବା ଅତ୍ୟନ୍ତ ଶୋଭା । ପ୍ରାଚୀ-ପୂର୍ବଦିଗ । ବିଧୂ-ଚନ୍ଦ୍ର । ବାଳାର୍କ-ବାଳସୂର୍ଯ୍ୟ । ବିହଙ୍ଗଆଳୀ-ପକ୍ଷୀର ସଖୀ ।
୬ଷ୍ଠ ପଦ :- ‘‘ସେ ସ୍ତ୍ରୀର ମୁଖ ଓ ଓଷ୍ଠର ସୌନ୍ଦର୍ଯ୍ୟ ଦେଖି ମନେହୁଏ, ମାସକରେ ଥରେ ପୂର୍ଣ୍ଣିମା ପୂର୍ଣ୍ଣଚନ୍ଦ୍ରରୂପ ରୂପାଥାଳିରେ ଓ ପ୍ରତିଦିନ ସକାଳେ ପୂର୍ବଦିଗ ବାଳସୂର୍ଯ୍ୟରୂପ ମାଣିକ୍ୟଥାଳୀରେ ଉତ୍ସୁକମନରେ ତାଙ୍କ ମୁଖ ଓ ଓଷ୍ଠକୁ ବନ୍ଦାପନା କରନ୍ତି କି ? ପୁଣି ପୂର୍ବଦିଗ ବନ୍ଦାପନା କଲାବେଳେ ପକ୍ଷୀସମୂହ ଦିଗର ସଖୀରୂପେ ଦୁଇବେଳା ହୁଳହୁଳି ଦେଉଥାନ୍ତି କି ?’’
୭ମ ପଦ :- ସୂରୁଚି-ମନୋହର । ବାସରମୁଖେ-ସକାଳେ । ବିଭୂଷା-ଅଳଙ୍କାର । ପିଞ୍ଜର-ପିତ୍ତଳ । ବାନ-ତେଜ ।
୭ମ ପଦ :- ‘‘ପୂର୍ଣ୍ଣଚନ୍ଦ୍ର ଓ ବାଳସୂର୍ଯ୍ୟ ସକାଳେ ଓ ସନ୍ଧ୍ୟା ସମୟରେ ଅଧିକ ସୁନ୍ଦର ଦେଖା ଯିବାରୁ କାଳେ ମନେକରିବେ ଯେ, ଆମେ ସେ ସ୍ତ୍ରୀ ମୁଖ ସହିତ ସମାନ, ସେଥିପାଇଁ ପ୍ରାତଃକାଳରେ ଓ ସନ୍ଧ୍ୟା ସମୟରେ ଦେବାଳୟରେ ବାଜୁଥିବା ଶଙ୍ଖ କହି ଦିଏ,- ନା ତୁମ୍ଭେ ତାଙ୍କ ସହିତ ସମାନ ହେବ ନାହିଁ । ଶଙ୍ଖଶବ୍ଦ ବୁଝିପାରି ଚନ୍ଦ୍ର ଓ ସୂର୍ଯ୍ୟ ଦୁଃଖମନରେ ଯଥାକ୍ରମେ ରାତ୍ରିଯାକ ଓ ଦିନଯାକ ଘୁରି ପୁଣି ସକାଳେ ହେଲେ ଓ ସନ୍ଧ୍ୟା ହେଲେ ମୁହଁ ଲୁଚାନ୍ତି । ସେ ସ୍ତ୍ରୀର ଦେହପ୍ରଭା ଏପରି ତେଜୀୟାନ୍ ଯେ, ତାହା ଦେହରେ ଥିବା ସହସ୍ର ଗୁଣଯୁକ୍ତ ସ୍ୱର୍ଣ୍ଣର ଅଳଙ୍କାରମାନ ପିତ୍ତଳପ୍ରାୟ ହୀନପ୍ରଭ ଦେଖାଯାଉଅଛି ।’’
୮ମ ପଦ :- ‘‘ତୁମ୍ଭର ପ୍ରିୟତମାମାନେ ଏ ସଂସାରରେ ଶ୍ରେଷ୍ଠା, ପୁଣି ସେମାନଙ୍କ ମଧ୍ୟରେ ମନ୍ଦୋଦରୀ ବଡ଼ ସୁନ୍ଦରୀ । ମାତ୍ର ତା ନାମ ମନ୍ଦୋଦରୀ କାହିଁକି ହେଲା- ମୁଁ ସେ କଥା ବିଚାରୁଥିଲି । ସେ ସ୍ତ୍ରୀକୁ ଦେଖିବାରୁ ମୋର ପୂର୍ବର ସଂଶୟ ଶୀଘ୍ର ବିନାଶ ହେଲା । ମନ୍ଦୋଦରୀ ନାମରେ ବିଧାତା କପଟ କରି ମନ୍ଦ ଶବ୍ଦକୁ ଯତ୍ନ ସହିତ ରଖିଅଛି । (ମନ୍ଦୋଦରୀର ଶୋଭା ସେ ସ୍ତ୍ରୀର ସୌନ୍ଦର୍ଯ୍ୟଠାରୁ ‘ମନ୍ଦ’ ଅର୍ଥାତ୍ ନ୍ୟୂନ-ସେଥିପାଇଁ ବିଧାତା ତା ନାମ ମନ୍ଦୋଦରୀ ଦେଇଅଛି) ।’’
୯ମ ପଦ :- ‘‘ତା’ର ସ୍ୱାମୀ ଓ ଦିଅରକୁ ମାରି ମୁଁ ତୁମ୍ଭ ପାଇଁ ସେ ସ୍ତ୍ରୀକୁ ଆଣିବାକୁ ଭାବି ଭୟଙ୍କର ରୂପରେ ତାଙ୍କ ପାଶକୁ ଯିବାରୁ, ସେ ମୋତେ ଏ ଦଣ୍ଡ ଦେଲେ । ମୋର ଏ ଦଣ୍ଡ ଦେଖି ତ୍ରିଶିର, ଦୂଷଣ ଓ ଖର ସୈନ୍ୟ ଘେନି ବିକ୍ରମି ଯାଇ ଯୁଦ୍ଧ କରନ୍ତେ, ଯମପୁରକୁ ଗଲେ । ମୁଁ ତୁମ୍ଭଙ୍କୁ ସେ କଥା କହିବା ପାଇଁ ଆସିଲି ।’’
୧୦ମ ପଦ :- ବଳିଶ୍ରେଷ୍ଠ-ମହାପରାକ୍ରମୀ । ଗରିଷ୍ଠମାନ-ନାକ କାନ କାଟିବାରୂପ ଗୁରୁତର ଅପମାନ । ବାରିଧି-ସମୁଦ୍ର । ଜୀବନେ-ଜଳରେ । ଜୀବନ-ପ୍ରାଣ । ବଇଶ୍ରବଣ-ରାବଣ । ବିଶ୍ୱପ୍ରପଞ୍ଚରେ-ସମଗ୍ର ସଂସାରରେ ।
୧୦ମ ପଦ :- ‘‘ହେ ମହାପରାକ୍ରମି ! ଯେବେ ମୋର ଏ ଗୁରୁତର ଅଭିମାନରୁ ମୋତେ ଉଦ୍ଧାର କରିପାରିବ, ତେବେ ସମୁଦ୍ର ଜଳରେ ମୋର ପ୍ରାଣ ତେଜିବା ନ ହେବ । (ମୋର ଏ ଅପମାନ ନ ମେଣ୍ଟିଲେ, ମୁଁ ସମୁଦ୍ରରେ ବୁଡ଼ି ମରିବି) ।’’ ରାବଣ, ସୂର୍ପଣଖା କଥା ଯାକ ଶୁଣି କହିଲା, ‘‘ସେ ନିଶ୍ଚୟ ଜନକ କନ୍ୟା ହେବ । ସମଗ୍ର ସଂସାରରେ ଏପରି ସୁନ୍ଦର ସ୍ତ୍ରୀ ଆଉ କେଉଁଠାରେ ନାହିଁ ।’’
ବ୍ରହ୍ମର କର କର୍ଣ୍ଣ ନାସା ଚରଣ ନାହିଁ କି ଅବଜ୍ଞା ?ବିଗତଶୋଚନା ହୁଅ ସୁଲୋଚନା ଦେଖ ମୋ ପ୍ରତିଜ୍ଞା ।ବଳେ ବା କିତବେ ତା ଅବଳା ଏବେ ଆଣିବି ମୁଁ ହର ।ବନେ ବେନି ଭ୍ରାତ ଝୁରି, ହେବେ ହତ ଭକ୍ଷ ତୁ ବିହରି । ୧୧ ।ବିରସ ଶୁଣି ସକଳ ରାଣୀଶ୍ରେଣୀ ଦୁର୍ଭାଗ୍ୟ ଶଙ୍କାରେ ।ବିଧବା ହେବାରେ ଦରି ମନ୍ଦୋଦରୀ ବଚନ ଉଚ୍ଚାରେ ।ବାଡେ଼ ସ୍ୱଲେଖନ ଶ୍ଳୋକେ ଅବଧାନ ନୋହୁଛି କାହିଁକି ?ବାରି କି ବାରିଜାକ୍ଷି ଅନୁକୁଳରେ? ବୋଇଲା ତହିଁକି । ୧୨ ।ବିମାନେ ଆରୋହି ଅଭିମାନେ ଯାଇ ବିଚାରୁ ମାନସେ ।ବୁଦ୍ଧି ସ୍ଫୁରିଲା ମାରୀଚ ପାଶେ ଗଲା ବିନାୟୀ ଚାହିଁ ସେ ।ବୋଇଲା ଚାତକ ପ୍ରାୟ ମୁଁ ଯାଚକ ଆସିଛି ତୃଷାର୍ତ୍ତେ ।ବାରିଦ ତୁହି ଆଶାରେ ଉଦେ ହୋଇ ରସ ଦେ ତ୍ୱରିତେ । ୧୩।ବୋଲେ ସୁନ୍ଦାତ୍ମଜ ତୁ ରାଜାଧିରାଜା କି ଦେବି ତୋତେ ମୁଁ ?ବଧ ଜନନୀ ଭ୍ରାତା ମୋ ସୈନ୍ୟ ଘେନି ଜୀଇଛି କି ଧର୍ମୁ ।ବିଂଶଭୁଜ ଭଣି ବଇରୀ କେ ପୁଣି କହ ମୋରେ ତାକୁ ।ବାର୍ତ୍ତା ବନ୍ଧୁ ହୋଇ ନ ଦେଲୁ କିପାଇଁ ଶଉଚ ହେବାକୁ ? ୧୪।ବୁଡ଼ି ପାରାବାର ବାରିରେ ସୋଦରଭାବକୁ ଦେଖାଇ ।ବୀରକେଶ ଧରି ମାରିବାକୁ ଅରି ବାହାରି ଡ଼ାକଇ ।ବୋଇଲା ତାଡ଼କୀ ନନ୍ଦନ ତହିଁକି ବସ ହେ ଭୂପତି ।ବହ୍ନି ରେ ଚାଲିବା ବିଷ ଜୀର୍ଣ୍ଣ ହେବା ଉପାୟେ ଅଛନ୍ତି । ୧୫।୧୧ଶ ପଦ :- ଅବଜ୍ଞା-ଅନାଦର । ବିଗତଶୋଚନା-ଶୋକହୀନା । ସୁଲୋଚନା-ସୁନେତ୍ରୀ । କିତବେ-କପଟରେ ବା ଛଳରେ ।
୧୧ଶ ପଦ :- ରାବଣ ପୁଣି କହିଲା, ‘‘ବ୍ରହ୍ମପଦାର୍ଥର ନାକ, କାନ ଓ ହାତଗୋଡ଼ ନାହିଁ- ତଥାପି ସେ ଅବମାନନା ପାଏ କି ? (ସେହିପରି ତୋର ନାସା କର୍ଣ୍ଣ ନ ଥିଲେ ସୁଦ୍ଧା ତୋତେ ଅବମାନନା କରିବାକୁ କେହି ସାହାସ କରିବେ ନାହିଁ । କାରଣ ତୁ ମୋର ଭଉଣୀ) । ହେ ସୁଲୋଚନା ! ତୁ ଶୋକ କରନାହିଁ । ଏବେ ମୋର ପ୍ରତିଜ୍ଞା ଦେଖ । ବଳେ ନ ହେଲେ କପଟରେ ତାହାର ଭାର୍ଯ୍ୟାକୁ ମୁଁ ହରି ଆଣିବି । ତାହା ହେଲେ ବନରେ ସେ ଦୁଇ ଭାଇ ସ୍ତ୍ରୀକୁ ଝୁରି ଝୁରି ମରିବେ । ତୁ ସେ ବନକୁ ଯାଇ ତାଙ୍କୁ ଭକ୍ଷଣ କରିବୁ ।’’
୧୨ଶ ପଦ :- ରାବଣର ବଚନ ଶୁଣିପାରି (ବଳେ ବା କୌଶଳରେ ତାହା ଭାର୍ଯ୍ୟାକୁ ଧରି ଆଣିବ ଏହି ବଚନ) ରାଣୀମାନେ ‘‘ଆମେ ଏଣିକି ଆଉ ଆଦୃତା ହେବୁ ନାହିଁ’’- ଏହି ଆଶଙ୍କା କରି ବିରସ ହେଲେ । (ରାବଣ ସୀତାଙ୍କୁ ଆଣିଲେ ଆଉ ଆମ୍ଭଙ୍କୁ ପଚାରିବେ ନାହିଁ) । କିନ୍ତୁ ବୁଦ୍ଧିମତୀ ମନ୍ଦୋଦରୀ ବିଧବା ହେବା ଭୟରେ କହିଲା, କାନ୍ଥରେ ଆପଣା ହସ୍ତରେ ଲେଖିଥିବା ଶ୍ଳୋକକୁ ଦେଖୁନାହିଁ କାହିଁକି ? [ରାବଣ କାନ୍ଥରେ ଲେଖି ରଖିଥିଲା ଯେ, ସୀତାହରଣ ରାବଣ ମରଣ] ।’’ ତା ଶୁଣି ରାବଣ କହିଲା, ‘‘ହେ ପଦ୍ମଲୋଚନେ ! ଅନୁକୂଳ କଲା ସମୟରେ ନିଷେଧ କରିବା ଉଚିତ କି ? (ନିଷେଧ କର ନାହିଁ) ।’’
୧୩ଶ ପଦ :- ବାରିଦ-ମେଘ । ଆଶା-ଦିଗ । ରସ-ଜଳ, ଅନୁରାଗ ।
୧୩ଶ ପଦ :- ତତ୍ପରେ ରାବଣ ରଥରେ ବସି ଅଭିମାନଭରେ ମନରେ ବିଚାର କରି ଯାଉ ଯାଉ ଏକ ବୁଦ୍ଧି ଦେଖାଗଲା । (ମାରୀଚ ପାଖକୁ ଗଲେ କାର୍ଯ୍ୟ ସିଦ୍ଧି ହେବ- ଏହି ବୁଦ୍ଧି) ସେ ମାରୀଚ ପାଖକୁ ଯିବାରୁ ମାରୀଚ ତାକୁ ଦେଖି ବିନୟୀ ହେଲା । ରାବଣ କହିଲା, ‘‘ମୁଁ ତୃଷାତୁର ଚାତକ ପକ୍ଷୀ ପ୍ରାୟ ପ୍ରାର୍ଥୀ ହୋଇ ଆସିଅଛି । ତୁ ମେଘପରି ମୋର ପ୍ରାତ୍ୟାଶରୂପ ଦିଗରେ ଉଦେ ହୋଇ ଅନୁରାଗରୂପ ଜଳକୁ ଶୀଘ୍ର ଦାନ କର ।’’(ମୋର କାମନା ପୂର୍ଣ୍ଣ କରିବାକୁ ତତ୍ପର ହୁଅ) ।
୧୪ଶ ପଦ :- ସୁଦାତ୍ମଜ-ମାରୀଚ । ରାଜାଧିରାଜ-ମହାରାଜ ।
୧୪ଶ ପଦ :- ରାବଣର କଥା ଶୁଣି ମାରୀଚ ଉତ୍ତର ଦେଲା, ‘‘ତୁମ୍ଭେ ରାଜଧିରାଜ, ତୁମ୍ଭଙ୍କୁ ମୁଁ ବା କ’ଣ ଦେବି ? ମୋ ଜନନୀ ତାଡ଼କା ଓ ସୈନ୍ୟସହ ଭାଇ ସୁବାହୁ ମଲେ । କେଉଁ ଧର୍ମବଳରୁ ମୁଁ ବଞ୍ଚି ରହିଛି ସିନା !’’ ଏହା ଶୁଣି ରାବଣ କହିଲା, ‘‘ତୋର ପୁଣି ଶତ୍ରୁ କିଏ କହ; ମୁଁ ତାକୁ ବିନାଶ କରିବି । ତୁ ମୋର ବନ୍ଧୁ ହୋଇ ଶୁଦ୍ଧି ହେବା ପାଇଁ ମୋତେ ଖବର ନ ଦେଲୁ କାହିଁକି ?
୧୫ଶ ପଦ :- ପାରାବାର-ସମୁଦ୍ର । ବୀରକେଶ-ନିଶ । ତାଡ଼କୀ ନନ୍ଦନ-ମାରୀଚ ।
୧୫ଶ ପଦ :- ତତ୍ପରେ ରାବଣ ଭ୍ରାତୃଭାବ ଦେଖାଇବା ନିମିତ୍ତ ସମୁଦ୍ରରେ ସ୍ନାନ କରି ଆସି ନିଶରେ ହାତ ବୁଲାଇ ଶତ୍ରୁ ମାରିବା ପାଇଁ ଭାବି କହିଲ, ‘‘ଆ, ତୋର ଶତ୍ରକୁ ମାରିବା ।’’ ତାହା ଶୁଣି ତାଡ଼କୀନନ୍ଦନ ମାରୀଚ କହିଲା, ‘‘ହେ ରାଜା ବସ- କଥା ଶୁଣ । ଅଗ୍ନିରେ ଚାଲିଯିବାର, ବିଷ ଖାଇ ଜୀର୍ଣ୍ଣ କରିବାର ଉପାୟ ଅଛି ।’’
ବିନା ଉପାୟ ରାଘବ ଶରଚୟ ଯମର ସେ ଯମ ।ବିଷ୍ଣୁ ହେଲେ ହେବ ଆଉ ତ ନ ଥିବ ତାହାକୁ କେ ସମ ?ବଡ଼ କହିଲୁ ତ ବୋଲେ ଲଙ୍କନାଥ ନ ଡ଼ର ତୁ କିଛି ।ବାଜି ବିଷ୍ଣୁଚକ୍ର ମୋ ହୃଦେ ପଦକ ପରାୟ ଲାଗିଛି । ୧୬।ବୋଲୁ ଯେ ରାଘବ ତାହାର ପୂରୁବପୁରୁଷ ମାରିଛି ।ବିଧାତା ଘଟନ ତୋର ମୋର ପୁଣ ବଇରୀ ହୋଇଛି ।ବିଧି ତୋ ଜନନୀ ଛେଦିଛି ମୋ ଭଗ୍ନୀ ନାସିକା ଶ୍ରବଣ ।ବଳ ଭ୍ରାତା ହତ ହେଲା ଏକମତ ପାଞ୍ଚିବା ମାରଣ । ୧୭।ବକ୍ତ୍ରମାଳୀକି ମାରୀଚ ଛଳିକି ତୋ ସାମର୍ଥ୍ୟ ବଡ଼ାଇ ।ବାନ୍ଧିଲା ଅର୍ଜୁନ ତୋତେ ତା ଛେଦନ ଦର୍ପ ଯେ ଛଡ଼ାଇ ।ବଂଶ ନ ମରା ଦାତ୍ୟୂହ ପରା ହୋଇ ବିରୋଧ କରନା ।ବିମ୍ବ କରି ଥୟ କୂପେ ସିଂହ ପ୍ରାୟ ବୁଡ଼ି ତୁ ମର ନା । ୧୮।ବୋଲୁ ରମାମଣି ରାମାଙ୍କ କେ ଭଣି ବଧକୁ ବିଧକୁ ।ବେଗେ ଆଗେ ଦୃଷ୍ଟି ରାମା ମଣି କଷ୍ଟି ହୁଅଇ ବଧକୁ ।ବିରାମ ଆରାମ କହୁଁ ହୋଇ ଭ୍ରମ ପଛକୁ ଅନାଇ ।ବିନ୍ଧିବାଠାଣି ପୂର୍ବରୁ ଦିଶି ପୁଣି କମ୍ପି ମୁଁ ପଳାଇ । ୧୯।ବିଜନେ ବାସ ଦେଲାଟି ପୁଣ ତ୍ରାସ ଦେଖିଲି ସ୍ୱପନେ ।ବିନିଦ୍ର ହୋଇ ତପସ୍ୱୀ ବେଶ ବହି ରହିଛି ଏ ସ୍ଥାନେ ।ବକ୍ତା ଦଶମୁର୍ଦ୍ଧାନ ଭାଙ୍ଗ ମୋ ଶ୍ରଦ୍ଧା ମାରିବା କପଟେ ।ବିହର ଚିତ୍ର ଚମରୀରୂପ ଧରି ତୁ ତାଙ୍କ ନିକଟେ । ୨୦।
୧୬ଶ ପଦ :- ମାତ୍ର ରାମଙ୍କ ବାଣ ସବୁକୁ ଉପାୟ ନାହିଁ । ସେ ରାମ ଯମର ଯମ । ମୁଁ ବିଚାରୁଛି, କେବଳ ବିଷ୍ଣୁ ସେ ରାମଙ୍କୁ ସମାନ ହୋଇପାରେ । [ମାତ୍ର ଆଉ କେହି ତା ସମାନ ନାହାଁନ୍ତି] ।’’ ମାରୀଚ ଏହା କହନ୍ତେ ରାବଣ ଉତ୍ତର ଦେଲା, ‘‘ତୁ ତ ବଡ଼ କଥାଟାଏ କହିଲୁ ? ସେ ବିଷ୍ଣୁ ସଙ୍ଗେ ସମାନ ହେବ ବୋଲି ଯାହା କହିଲୁ, ସେ ବିଷ୍ଣୁକୁ ତ ମୁଁ ଡରେ ନାହିଁ । କାରଣ ସେ ବିଷ୍ଣୁର ଚକ୍ର [ସୁଦର୍ଶନଚକ୍ର] ମୋ ବକ୍ଷ ସ୍ଥଳରେ ବାଜି ପଦକ ପରି ରହିଅଛି ।’’
୧୭ଶ ପଦ :- ‘ତୁ ଯେଉଁ ରାଘବକୁ ଏଡ଼େ ବଳିଷ୍ଠ ବୋଲି କହୁଛି, ମୁଁ ତା’ର ପୂର୍ବପୁରୁଷ ଅନରଣ୍ୟ ରାଜାକୁ ମାରିଛି । ଦୈବଯୋଗରେ ସେ ରାଘବ ପୁଣି ତୋର ଓ ମୋର ଶତ୍ରୁ ହୋଇଛି । ସେ ତୋର ମାତାକୁ ବଧ୍ୟ କରିଛି ଓ ମୋ ଭଗ୍ନୀ ସୂର୍ପଣଖାର ନାସା କର୍ଣ୍ଣ ଛେଦନ କରିଅଛି । ତୋହର ଭାଇକୁ ଓ ମୋର ଭାଇ ଖର ଦୂଷଣାଦିଙ୍କୁ ସୈନ୍ୟସହ ବିନାଶ କରିଅଛି । ତେଣୁ ଦୁହେଁ ଯାକ ମିଶି ତାର ମରଣ କଥା ବିଚାର କରିବା ।’’
୧୮ଶ ପଦ :- ବକ୍ତ୍ରମାଳୀ-ରାବଣ । ସମାର୍ଥ୍ୟ-ବଳ । ଦାତ୍ୟୁହ-ଡାହୁକ ।
୧୮ଶ ପଦ :- ରାବଣର କଥା ଶୁଣି ମାରୀଚ ଛଳ ପୂର୍ବକ କହିଲା, ‘‘ତୋର ସାମର୍ଥ୍ୟ କେତେ କି ? ତୋତେ ଯେଉଁ ସହସ୍ରାର୍ଜୁନ ବାନ୍ଧିଥିଲା, ସେହି ସହସ୍ରାର୍ଜୁନର ଛେଦନକାରୀ ପର୍ଶୁରାମଙ୍କ ଗର୍ବ ଯେଉଁ ରାମ ଖର୍ବ କରିଅଛନ୍ତି, ଏ ସେହି ରାମ (ଅର୍ଥାତ୍ ତୋ ଅପେକ୍ଷା ବହୁତ ଗୁଣରେ ବଳିଷ୍ଠ ଅଟନ୍ତି) । ତୁ ତାହାଙ୍କ ସହିତ ଶତ୍ରୁତା କରନାହିଁ, ଡାହୁକ ପ୍ରାୟ ବଂଶ ମରାଅ ନାହିଁ । (ଗୋଟିଏ ଡାହୁକ ଜାଲରେ ପଡ଼ିଲେ ସେ ପ୍ରଲୋଭନ ଦେଖାଇ ଅନ୍ୟ ଡାହୁକମାନକୁ ଆଣି ଜାଲରେ ବନ୍ଧନ କରାଏ, ତେଣୁ ଗୋଟିକ ଯୋଗୁଁ ବଂଶଯାକ ମରନ୍ତି) । କୂପ ଜଳରେ ନିଜର ପ୍ରତିବିମ୍ବ ଦେଖି ସିଂହ ଗର୍ବରେ ଡେଇଁପଡ଼ି ବୁଡ଼ିମଲା ପରି ତୁ ମର ନାହିଁ ।’’
୧୯ଶ ପଦ :- ବଧୂକୁ-ସ୍ତ୍ରୀକୁ । ବିଧୂକୁ-ଚନ୍ଦ୍ରକୁ । ବିରାମ-ବିଶ୍ରାମ । ଆରାମ-ଉପବନ ।
୧୯ଶ ପଦ :- ‘‘କେହି ଆପଣା ସ୍ତ୍ରୀକୁ ‘ରାମାମଣି’ ବୋଲି କିମ୍ବା କେହି ଚନ୍ଦ୍ରକୁ ‘ରାମାଙ୍କ’ ବୋଲି କହିବାର ଶୁଣିଲେ, ମୁଁ ଶୀଘ୍ର ଆଗର ଦୁଇ ଅକ୍ଷର ‘ରାମ’କୁ ମନରେ ଆଣି ରାମ ଆଗରୁ ଆସି ବିନାଶ କରିବେ କି ? ଏହି ଭୟରେ ଅସ୍ଥିର ହୋଇଉଠେ । (ରାମ ଶବ୍ଦ ଯେ କୌଣସି ପ୍ରକାରେ ହେଉ ନା କାହିଁକି, ମୋ କାନରେ ପଡ଼ିଲେ, ମୋ ପ୍ରାଣ ଥରିଉଠେ) । କେହି ବିରାମ କିମ୍ବା ଆରାମ କହିଲେ, ମୁଁ ଭ୍ରମବଶତଃ ପଛକୁ ଅନାଇଁ ଦିଏ ଏବଂ ପୂର୍ବେ ରାମଙ୍କର ଶର ବିନ୍ଧବା ଠାଣି ମନରେ ପଡ଼ିଯିବାରୁ ଭୟରେ ଥରି ମୁଁ ପଳାଇ ଯାଏ । (ବିରାମ ଓ ଆରାମର ପଛ ଦୁଇ ଅକ୍ଷର ରାମ ହୋଇଥିବାରୁ, ରାମ ପଛରୁ ଆସି ଶର ବିନ୍ଧିଲେ କି ? ଏହି ଭୟ ହୁଏ) ।’’
୨୦ଶ ପଦ :- ବିଜନ-ନିର୍ଜନ ସ୍ଥାନ । ତ୍ରାସ-ଭୟ । ବିନିଦ୍ର- ଉଜାଗର । ଦଶମୂର୍ଦ୍ଧା-ରାବଣ । ଚିତ୍ରଚମରୀ-ଚିତ୍ରମୃଗ ।
୨୦ଶ ପଦ :- ‘‘ରାମ ଶବ୍ଦ ଶୁଣିବା ହେତୁ ଯେ ଭୟ ଜାତହୁଏ, ସେହି ଭୟଯୋଗୁଁ ମୁଁ ନିର୍ଜନ ସ୍ଥାନରେ ବାସ କରୁଅଛି । (ନିର୍ଜନରେ ରହିଲେ ରାମ ଶବ୍ଦ ମୋ କାନକୁ ଆସିବ ନାହିଁ । ତେଣୁ ମନ ଭୀତ ହେବ ନାହିଁ) । ତଥାପି ସ୍ୱପ୍ନରେ ରାମଙ୍କୁ ଦେଖି ବ୍ୟାକୁଳିତ ହେଉଅଛି । ସେଥିପାଇଁ ଅନିଦ୍ରାରେ ରହି ତପସ୍ୱୀ ବେଶ ଧରି, ଏ ସ୍ଥାନରେ ରହିଅଛି । (ନିଦ୍ରାଗଲେ ସିନା ରାମଙ୍କୁ ସ୍ୱପ୍ନ ଦେଖି ଭୀତ ହେବି) ।’’ ଏହା ଶୁଣି ରାବଣ କହିଲା, ‘ତୁ ମୋ ଶ୍ରଦ୍ଧା ଭାଙ୍ଗ ନାହିଁ, ରାମକୁ କପଟରେ ମାରିବା । ତୁ ତାଙ୍କ ଆଗରେ ବିଚିତ୍ର ମୃଗ ହୋଇ ଖେଳା କର ।’’
ବିଦୁରେ ନେଇ ରାମ ତ୍ରାହି ଲକ୍ଷ୍ମଣ କହି ହୋ ଅନ୍ତର ।ବଟୁ ବେଶେ ଭିକ୍ଷା ମାଗି ପକ୍ଷ୍ମଳାକ୍ଷୀ ହରଇ ମୁଁ ତାର ।ବୋଲେ ମାରୀଚ ରାଜା ଏ ଲୋଭ ମୁଞ୍ଚ ତୁ ମଧୁ ସଦୃଶ ।ବଂଶ ପଦ୍ମବନ କରିଛୁ ବର୍ଦ୍ଧନ ସୁମନ ପ୍ରକାଶ । ୨୧।ବେଭାରେ ସୀତା ଶୀତ ହେଲେ ମିଳିତା ସେ ରାମ ଲକ୍ଷ୍ମଣ ।ବରଷି କରରୁ ତୁଷାର ଶରକୁ ନାଶିବେ ତତ୍କ୍ଷଣ ।ବୈଦ୍ୟ ସୁବୁଦ୍ଧି ବାଣୀ ତାର ଔଷଧି ନ ରୁଚି ଭକ୍ଷଣେ ।ବ୍ୟାଧି ନାଶକାରୀ ଯେବେ ତା ନ କରି ପ୍ରବର୍ତ୍ତେ ମରଣେ । ୨୨।ବୋଲିଛି ମଧୁ ଷକାର ଭେଦେ ପୁଣି ମହୀଶ ଆପଣ ।ବାର୍ଦ୍ଧିଜା ଦୂର୍ଗା ଲୋଭେ ଯାହା ହୋଇଲେ ତାହା କି ନ ଜାଣ?ବଳେ ଯେ ଯାହାରେ ଊଣା ସେ ତାହାରେ ଆରମ୍ଭେ କି ଦ୍ୱନ୍ଦ୍ୱ ।ବହି ଅହଂବୁଦ୍ଧି ମାନ କରୁ ସିଦ୍ଧି ଉପୁଜେ ଯେ ମନ୍ଦ । ୨୩।ବିଶ୍ରବା ସୁତ କୋପରେ ପ୍ରଜ୍ଜ୍ୱଳିତ ଶୁଣି ତା ବଚନ ।ବିକୋଷ କରିଣ କରବାଳ କର ବାଳରେ ତା ମନ ।ବୋଇଲା ଅବଜ୍ଞା କରୁ ମୋର ଆଜ୍ଞା ମାନବ ଭୟାଳୁ !ବାଳକ ମୁଁ ସତେ ତୁ ବୁଝାଉ ମୋତେ କେ ତୋତେ ସମ୍ଭାଳୁ ? ୨୪।ବିଚାରିଲା ତାଡ଼କେୟ ଏ ମାଇଲେ ହୋଇବି ଅମୋକ୍ଷ ।ବୈକୁଣ୍ଠେ ଗମନ୍ତି ରାମ କରୁ ହତ ଦେଖିଛି ପ୍ରତ୍ୟକ୍ଷ ।ବଳିଆଇ କହି ଆଗ ମୁହିଁ ତୁହି ମରିବୁ ପଛରେ ।ବାରିତାତି ଝସ ଶୁଖି ଗ୍ରାହବଂଶ ଯେମନ୍ତ କାସାରେ । ୨୫ ।
୨୧ଶ ପଦ :- ‘‘ତୋର ବିଚିତ୍ର ରୂପ ଦେଖି ସେ ତୋତେ ମାରିବାକୁ ବାହାରିଲେ ତୁ ରାମଙ୍କୁ ବହୁତ ଦୂରକୁ ନେଇଯାଇ ‘ହେ ଲକ୍ଷ୍ମଣ ତ୍ରାହି’ ଏହା କହି ଅନ୍ତର ହୋଇଯିବୁ । ଲକ୍ଷ୍ମଣ ତୋ ଡାକ ଶୁଣି ଦୂରକୁ ଚାଲିଗଲେ, ପଦ୍ମନୟନା ସୀତାଙ୍କୁ ମୁଁ ବ୍ରହ୍ମଚାରୀ ବେଶରେ ଭିକ୍ଷା ମାଗି ହରଣ କରି ଘେନି ଆସିବି ।’’ ଏହା ଶୁଣି ମାରୀଚ କହିଲା, ‘‘ହେ ରାଜା ! ଏ ଲୋଭଛାଡ଼, ତୁ ବସନ୍ତକାଳ ପ୍ରାୟ ହୋଇ ତୋ ବଂଶକୁ ପଦ୍ମବନ ସଦୃଶ ବଢ଼ାଇଅଛୁ (ବସନ୍ତକାଳରେ ପଦ୍ମ ବନ ବିଶେଷ ବୃଦ୍ଧି ହୋଇଥାଏ) । ଏବେ ସେ ବଂଶପୁଷ୍ପ ପ୍ରତି ଉତ୍ତମ ମନ ଦେଇ ବିକାଶ କର । (ଅର୍ଥାତ୍ ନିଜ ବଂଶ ପ୍ରତି ସ୍ନେହ ଦୃଷ୍ଟି ରଖି ତାକୁ ବଢ଼ା- ନଷ୍ଟ କରିବାର ପଥ ଖୋଜ ନାହିଁ ।’’
୨୨ଶ ପଦ :- ‘‘ବିଧିରେ ସୀତା ଶୀତକାଳ ହୋଇ ଲଙ୍କାରେ ପ୍ରବେଶ କଲେ, ରାମ ଲକ୍ଷ୍ମଣରୂପ ଚନ୍ଦ୍ର ସ୍ୱୀୟ କର କିରଣରୁ ତୁଷାରରୂପ ଶର ବରଷି ତୋର ବଂଶ ପଦ୍ମବନକୁ ବିନାଶ କରିବେ । ପୁଣି ଯେଉଁ ରୋଗୀ ଉତ୍ତମ ବୈଦ୍ୟର ପଥ୍ୟ କଥା ନ ମାନେ ଓ ଔଷଧ ଗ୍ରହଣ ନ କରେ, ତାହାର ରୋଗ ଭଲ ହୁଏ ନାହିଁ, ସେ ବିନାଶ ହୁଏ । (ବୁଦ୍ଧିମାନ ଲୋକର ହିତକଥା ଯେ ଗ୍ରହଣ ନ କରେ ସେ ମରେ । ମୁଁ ତୋତେ ଯେଉଁ ହିତକଥା କହୁଛି, ତା ଅବହେଳା କରନାହିଁ) ।’’
୨୩ଶ ପଦ :- ବାର୍ଦ୍ଧିଜା-ଲକ୍ଷ୍ମୀ ।
୨୩ଶ ପଦ :- ‘‘ମୁଁ ପୂର୍ବରୁ ତୋତେ ମଧୁ କହିଅଛି, (ପୂର୍ବେ ‘ମଧୁ’ ବସନ୍ତକାଳ ହୋଇଥିଲା, ବର୍ତ୍ତମାନ ମଧୁଦୈତ୍ୟ ଅର୍ଥ ହେଲା) ପୁଣି ତୁ ତ ‘ମହୀଶ’ ରାଜା ଅଟୁ । ଷକାର ହେଦରେ ମହିଷ ଅର୍ଥାତ୍ ମହିଷାସୁର ହେଲା । ମଧୁଦୈତ୍ୟ ଲକ୍ଷ୍ମୀ ଲୋଭରେ ଓ ମହିଷାସୁର ଦୁର୍ଗାଙ୍କୁ ଲୋଭରେ ଯାହାହେଲେ, ତାହା ତୁ କ’ଣ ଜାଣୁ ନାହିଁ ? (ତୁ ସୀତାଙ୍କଠାରେ ଲୋଭ କଲେ ତାଙ୍କରି ପରି ନାଶ ଯିବୁ) । ଯେ ଯାହାଠାରୁ ବଳରେ ଊଣା, ସେ ତାହାଠାରେ ଶତ୍ରୁତା ଆରମ୍ଭ କରେ କି ? ତୁ ଅହଂଗୁଣରେ ଗର୍ବ ଓ ମର୍ଯ୍ୟାଦାକୁ ବଢ଼ାଉ ଅଛୁ । ସେଥିରୁ ଯେ ମନ୍ଦଫଳ ଜାତ ହୁଏ, ଏହା ବୁଝିବା ଉଚିତ ।’’
୨୪ଶ ପଦ :- ମାରୀଚ କଥା ଶୁଣି ରାବଣ କ୍ରୋଧରେ ଜଳିଉଠି ଖଡ଼୍ଗକୁ ଖାପରୁ ବାହାର କରି ମାରୀଚ ବାଳକୁ ବାମହସ୍ତରେ ଧରିବାକୁ ମନକଲା । ପୁଣି କହିଲା, ‘‘ରେ ମାନବ ଭୟାଳୁ ! [ଛାର ମନୁଷ୍ୟକୁ ଭୟ କରୁ ଅଥବା ମନୁଷ୍ୟ ପରି ଭୀରୁ) ମୋର ଆଦେଶ ଅବମାନନା କରୁଅଛୁ । ମୁଁ କ’ଣ ବାଳକ ହୋଇଛି ଯେ, ତୁ ମୋତେ ଶିକ୍ଷା ଦେଉଅଛୁ ? ଏବେ ତୋତେ କିଏ ଆସି ରଖିବ ?’’
୨୫ଶ ପଦ :- ରାବଣର ଏପରି ନିଷ୍ଠୁର ବଚନ ଶୁଣି ମାରୀଚ ବିଚାର କଲା, ‘ଏ ରାବଣ ମାଇଲେ, ମୁଁ ଅମୋକ୍ଷ ରହିବି । ମାତ୍ର ରାମ ଯାହାକୁ ବିନାଶ କରନ୍ତି ସେ ବୈକୁଣ୍ଠକୁ ଗମନ କରେ, ମୁଁ ଏହା ସାକ୍ଷାତ୍ରେ ଦେଖିଛି । (ମୋର ମରଣ ତ ନିଶ୍ଚୟ, ରାବଣ ହାତରେ ମଲେ ନରକପାପ୍ତି ଓ ରାମଙ୍କ ହାତରେ ମଲେ ବୈକୁଣ୍ଠପ୍ରାପ୍ତି, ତେବେ ରାମଙ୍କ ହାତରେ ନ ମରିବି କାହିଁକି) ?’’ ଅନନ୍ତର ରାବଣକୁ ଆଗଭର ହୋଇ କହିଲେ, ‘‘ଯେପରି ପୋଖରୀର ପାଣି ତାତିଗଲେ ଆଗ ମୀନସବୁ ଓ ପରେ ପାଣି ଶୁଖିଗଲେ କୁମ୍ଭୀରମାନେ ମରନ୍ତି, ସେହିପରି ଆଗ ମୁଁ ମରିବି, ପଛରେ ତୁ ବିନାଶ ହେବୁ ।’’
ବିଷାଣ ତୀକ୍ଷଣ କ୍ଷୁର ସୁଘଟନ ମାଣିକ୍ୟେ ନିର୍ମିତ ।ବିରାଜେ ସ୍ୱର୍ଣ୍ଣ ଅଜିନେ ଲୋମପନ୍ତି ମୁକୁତା ମର୍କତ ।ବିମଳ କ୍ଷୁଦ୍ର ନୀଳେନ୍ଦ୍ରମଣି ବୃନ୍ଦ ପୂଚ୍ଛ କି ଚାମର ?ବିଚିତ୍ର ମୃଗ ହୋଇ ବେଗେ ବିହରେ ରାବଣ ଆଗର । ୨୬ ।ବସୁ ପ୍ରାପତ କୃପଣ ଦୀନବତ ହୋଇଲା ଅନାଇଁ ।ବାହିଲା ବିମାନ ପଞ୍ଚବଟୀବନ ବସାଇ ରସାଇ ।ବେଗେ ମାୟାମୃଗ ଯାନ କରି ତ୍ୟାଗ ଅରଣ୍ୟେ ପଶିଲା ।ବୈଦେହୀ ଚତ୍ୱରେ ଖେଳନ୍ତେ ସତ୍ୱରେ ଦେଖି ସେ ରସିଲା । ୨୭।ବୀଣାଜିଣାଭାଷୀ ଶ୍ରୀରାମରେ ଭାଷି ଏ ମୃଗେ ମୋ ଶ୍ରଦ୍ଧା ।ବସନ୍ତି ଅଜିନେ ଅତି ସୁରଞ୍ଜନେ ଯିବ କି ଏ ବାଧା ?ବନ୍ଧନେ କବରୀ କରନ୍ତି ଚଉଁରୀ ଏ ଚାରୁ ଚାମର ।ବାମେ ଧନୁ ଧରି ରାଘବ ଉଚ୍ଚାରି ଏ କେତେ ମାତର ? ୨୮।ବଦତି ଲକ୍ଷ୍ମଣ ଏ କପଟୀ ଏତ ମାରୀଚ ନିଶ୍ଚୟ ।ବିଲୋକିବା ଥାଉ ଶୁଣିଛ ବାତାୟୁ ସ୍ୱର୍ଣ୍ଣ ରତ୍ନମୟ ।ବିନୋଦ ଦେଖାଇ ଦୂର କରି ନେଇ ନୃପଜମାନଙ୍କୁ ।ବଧ କରେ ତୁଙ୍ଗ ଶୃଙ୍ଗରେ ଏ ରଙ୍ଗ ଆସଇ ମନକୁ । ୨୯।ବଧିବି ଅବଶ୍ୟ ମୃଗ ବା ରାକ୍ଷସ ଶ୍ରୀରାମ ବୋଇଲେ ।ବରାରୋହା ଭୀରୁ ନାସ୍ତି କରୁ କରୁ ତା ପଛେ ଧାଇଁଲେ ।ବୋଲିଣ ଲକ୍ଷ୍ମଣ ସୀତାର ରକ୍ଷଣ ଲାଗଇଟି ତୋତେ ।ବଡ଼ ମାୟାବୀ ଅସ୍ରପେ ଏ ଅଟବୀ ଭ୍ରମନ୍ତି ନିରତେ । ୩୦।
୨୬ଶ ପଦ :- (ଏହା କହି ମାରୀଚ, ମାୟାମୃଗ ରୂପ ଧାରଣ କଲା) । ମାଣିକ୍ୟ ନିର୍ମିତ ତୀକ୍ଷ୍ଣ ଶୃଙ୍ଗ ଦ୍ୱୟ ଓ ଚାରି ଖୁରା ସୁନ୍ଦର ଦିଶୁଅଛି । ସୁବର୍ଣ୍ଣ ନିର୍ମିତ ଚର୍ମରେ ମୁକ୍ତା ଓ ମରକତ ମଣିର ଲୋମସବୁ ବିରାଜୁ ଅଛି । ନିର୍ମଳ ଇନ୍ଦ୍ରନୀଳମଣି ସଦୃଶ କ୍ଷୁଦ୍ର ପୁଚ୍ଛ ଚାମର ପ୍ରାୟ ଶୋଭା ପାଉଅଛି । ଏହିପରି ଗୋଟିଏ ସୁନ୍ଦର ମୃଗ ହୋଇ ମାରୀଚ ରାବଣ ଆଗରେ ବିହାର କଲା ।
୨୭ଶ ପଦ :- ରାବଣ ସେ ବିଚିତ୍ର ମୃଗକୁ ଦେଖି କୃପଣ ଓ ଦରିଦ୍ର ଲୋକ ଧନ ପାଇଲା ପ୍ରାୟ ଆନନ୍ଦିତ ହେଲା । ତତ୍ପରେ ସେ ମୃଗକୁ ଶ୍ରଦ୍ଧାରେ ରଥରେ ବସାଇ ପଞ୍ଚବଟୀ ଅରଣ୍ୟକୁ ରଥ ଚଳାଇ ନେଲା । ସେଠାରେ ପହଞ୍ଚି ସେ ମାୟା ମୃଗ ଖରତରରେ ବିମାନ ତ୍ୟାଗ କରି ଯାଇ ବନ ମଧ୍ୟରେ ପ୍ରବେଶ କଲା । ସେ ମୃଗ ରାମଚନ୍ଦ୍ରଙ୍କ ପତ୍ର କୁଟୀରର ଅଗଣାରେ ଶୀଘ୍ର ବିହାର କରନ୍ତେ, ସୀତା ତାକୁ ଦେଖି ଶ୍ରଦ୍ଧା ପ୍ରକାଶ କଲେ ।
୨୮ଶ ପଦ :- ଅଜିନ-ମୃଗ ଚର୍ମ ।
୨୮ଶ ପଦ :- ବୀଣାଜିଣାଭାଷୀ ସୀତା ଶ୍ରୀରାମଙ୍କୁ କହିଲେ, ‘‘ଏ ମୃଗଠାରେ ମୋହର ଶ୍ରଦ୍ଧା ହେଉଅଛି । ଏ ମୃଗର ଚର୍ମରେ ମୁଁ ଆନନ୍ଦର ସହିତ ବସନ୍ତି; ଏହାର ମନୋହର ପୁଛୁକୁ କେଶ ବନ୍ଧନ ପାଇଁ ଚଉଁରୀ କରନ୍ତି । ଏହାକୁ ବିଦ୍ଧ ପାରିବକି?’’ ସୀତାଙ୍କ କଥା ଶୁଣି ରାମଚନ୍ଦ୍ର ବାମହସ୍ତରେ ଧନୁ ଧରି କହିଲେ, ‘‘ଏ ବା କେତେମାତ୍ର ? (ଏହାକୁ ଅକ୍ଳେଶରେ ମାରିଦେବି) ।’’
୨୯ଶ ପଦ :- ଏଣ-ମୃଗ । ବିଲୋକିବା-ଦେଖିବା । ବାତାୟୁ-ମୃଗ । ନୃପଜମାନଙ୍କୁ-ରାଜପୁତ୍ରମାନଙ୍କୁ । ତୁଙ୍ଗ-ଉଚ୍ଚ ।
୨୯ଶ ପଦ :- ସେତେବେଳେ ଲକ୍ଷ୍ମଣ କହିଲେ, ‘‘ଏ ମାୟାମୃଗ ନିଶ୍ଚୟ ମାରୀଚ ରାକ୍ଷସ ଅଟେ । ସ୍ୱର୍ଣ୍ଣରତ୍ନମୟ ମୃଗ ଦେଖିବା ତ ଦୂରର କଥା- କେବେ ଶୁଣିଛ କି ? ମାରୀଚ ରାକ୍ଷସ ଏ କପଟରେ ମୃଗ ହୋଇ ରାଜପୁତ୍ରମାନଙ୍କୁ କ୍ରୀଡ଼ା ଛଳରେ ଅନ୍ତର କରିନିଏ ଏବଂ ପର୍ବତର ଉଚ୍ଚ ଶୃଙ୍ଗରେ ବଧ କରେ ଏ କଥା ମୋ ମନକୁ ଆସୁଛି ।’’
୩୦ଶ ପଦ :- ବରାରୋହା-ପରମାସୁନ୍ଦରୀ । ଭୀରୁ-ଭୟାଳୁ । ଅସ୍ରପେ-ରାକ୍ଷସମାନେ । ଅଟବା-ବନ ।
୩୦ଶ ପଦ :- ଲକ୍ଷ୍ମଣଙ୍କ କଥା ଶୁଣି ଶ୍ରୀରାମ କହିଲେ, ‘‘ଏ ମୃଗ ହେଉ ବା ରାକ୍ଷସ ହେଉ, ନିଶ୍ଚୟ ଏହାକୁ ବଧ କରିବି ।’’ ଲକ୍ଷ୍ମଣଙ୍କ କଥାରେ ଭୟ ପାଇ ସୀତା ମନା କରୁ କରୁ ରାମଚନ୍ଦ୍ର ମୃଗ ପଛରେ ଧାଇଁଲେ । ସେତେବେଳେ କହିଗଲେ, ‘‘ହେ ଲକ୍ଷ୍ମଣ ! ସୀତାଙ୍କୁ ରକ୍ଷା କରିବା ଭାର ତୋତେ ଲାଗିଲା । ବଡ଼ମାୟାବୀ ରାକ୍ଷାସମାନେ ନିରନ୍ତର ଏ ବନରେ ବୁଲୁଅଛନ୍ତି ।’’
ବିଦୁର ରକ୍ଷ ବିଦ୍ୟୁ ପ୍ରାୟ ପ୍ରତ୍ୟକ୍ଷ ହୁଅଇ ନୁହଇ ।ବିଦୁରେ ନେଇ ଲକ୍ଷ୍ମଣ ତ୍ରାହି କହି ତ୍ରିବାର ଶୁଭାଇ ।ବଧିରବତ ଧୀର ସୀତା-ଦେବର ସେ ଶବ୍ଦ ଶ୍ରୋତାରେ ।ବସୁମତିପୁତ୍ରୀ ବୋଇଲେ ସୌମିତ୍ରି ଯାଅ ହେ ସତ୍ୱରେ । ୩୧।ବିପତ୍ତି ପତନ ପତି ତବ ନାମ ଧରି ଯେ ଡ଼ାକନ୍ତି ।ବିଶ୍ୱେ ଏକ ବୀର ଏ ନିଷତ ଗିର ତାଙ୍କର କି ସତି !ବୋଲନ୍ତେ ଲକ୍ଷ୍ମଣ ମୈଥିଳୀ ଭାଷଣ ଛଦ୍ମେ କି ଗମନ ?ବଲ୍ଲଭୀ କରି ମୋତେ ଦେବୁ ବିଚାରି ଭରତ ସଦନ । ୩୨।ବୈଶ୍ୱାନରେ ମୁଁ ଝାସିବି ବୋଲି ଖରେ ସେ ପାଶେ ଈଶିତ ।ବାହ୍ୟ କର ଏକ ଆତ୍ମା ଦୂଷି ହେବ ଲକ୍ଷ୍ମଣ ଭାଷିତ ।ବ୍ୟାଘ୍ର ପରାୟେ ଗତିକି ବ୍ୟଗ୍ର କଲେ ହୋଇ ସେ କୁପିତ ।ବିଜନ ବନ ଶଙ୍କା ଘେନି ଜାନକୀ ହୁଅନ୍ତେ ଗୁପତ । ୩୩।ବହି ଯତିବେଶ ରାବଣ ଯେ ଆସ୍ୟ ଭୁଜକୁ ଲୁଚାଇ ।ବିଭୁତି ଅଙ୍ଗ କରଙ୍କ କରମାଳେ ଶଙ୍କର ଜପଇ ।ବସନ କଷାୟ ଭିକ୍ଷା ଆଣି ଦିଅ ଥାଳିରେ ବୋଇଲା ।ବସ କ୍ଷଣେ ଈଶ ଆସନ୍ତୁ ଏ ଭାଷ ଭାଷଣ ମହିଳା । ୩୪।ବିଂଶପାଣି ଭଣି ଈଶାନ କଲେଣି ଏ ବନେ କି ବସା ?ବୈଦେହୀ କହି ନ ବୁଝ କି ସେ ନୋହେ ଧବରେ ଏ ଭାଷା ।ବୋଲେ ଲଙ୍କପତି ଏଥି ଗତାଗତ କରନ୍ତି ବୃକ୍ଷ କି ?ବଲ୍ଲଭେ କହଇ ରାଘବଟି ସେହି ଭାଷିତ ଜାନକୀ । ୩୫।