ବିଦେହରାଜନ ଭୋଜି ସମ୍ଭାର ଭିଆଇ । — ବୈଦେହୀଶ ବିଳାସ (ଦ୍ୱିତୀୟ ଖଣ୍ଡ) — ଉପେନ୍ଦ୍ର ଭଞ୍ଜ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ବିଦେହରାଜନ ଭୋଜି ସମ୍ଭାର ଭିଆଇ ।
ବିଳୋହିଲେ ଦଶରଥ ବନ୍ଧୁବର୍ଗ ନେଇ ଯେ । ୧।ବସନ ରତ୍ନ ଭୂଷଣ କୁସୁମ ଚନ୍ଦନେ ।ବନ୍ଦିଲେ ସତ୍ୱରେ ଅତି ଆନନ୍ଦିତ ମନେ ଯେ । ୨।ବସାପୁରେ ବରକନ୍ୟା ଘେନି ଗଲାବେଳେ ।ବସାଇ କୋଳେ ଜନନୀମାନେ ତିଆରିଲେ ଯେ । ୩।ବୀରସୂ ସନ୍ନିଧେ ହେଉଁ ବଧୂ ଆଲୋକରେ ।ବିରସୁଁ ଉଦ୍ଧରି ହେଲେ ଥିଲେ ଏ ଲୋକରେ ଯେ । ୪।ବରଙ୍କ ସୁଷମା ସମ କନ୍ୟା ଥିବେ କାହିଁ ।ବିଚାରୁଥିଲାଇଁ ବିହି ଭଲା ଥିଲା ବିହି ଯେ । ୫।୧ମ ପଦ :- ବିଦେହ ରାଜନ ଜନକ ଭୋଜନ ସାମଗ୍ରୀ ଆୟୋଜନ ପୂର୍ବକ ଦଶରଙ୍କ ବନ୍ଧୁମାନଙ୍କୁ ଚର୍ଚ୍ଚା କଲେ ।୨ୟ ପଦ :- ତଦନନ୍ତର ଆନନ୍ଦିତ ଚିତ୍ତରେ ବନ୍ଧୁମାନଙ୍କୁ ବସନ ଭୂଷଣ କୁସୁମ ଚନ୍ଦନ ଦେଇ ସତ୍କାର କଲେ ।
୩ୟ ପଦ :- ବସାଘରକୁ ବର ଓ କନ୍ୟାମାନଙ୍କୁ ଘେନି ଯିବା ସମୟରେ ଜନନୀମାନେ କନ୍ୟାମାନଙ୍କୁ କୋଳରେ ବସାଇ ବହୁତ ତିଆରି କହିଲେ । ( ବହୁତ ସଦୁପଦେଶ ଦେଲେ ) ।
୪ର୍ଥ ପଦ :- ବୀରସୂ-ବୀରମାତା ।
୪ର୍ଥ ଓ ୫ମ ପଦ :- ବୀରମାତା କୌଶଲ୍ୟାଦି ରାଣୀମାନଙ୍କ ନିକଟରେ ବଧୂମାନେ ପ୍ରବେଶ ହୁଅନ୍ତେ, ବଧୂମାନଙ୍କର ତେଜଶୋଭା ଦେଖି ସେମାନେ ବିରସ ଭାବକୁ ତ୍ୟାଗ କଲେ ଅର୍ଥାତ୍ ହର୍ଷ ହେଲେ । ( ବଧୂମାନଙ୍କୁ ନ ଦେଖି ବିରସ ହୋଇଥିଲେ; କାରଣ ) ସେମାନେ କୁହାକୋହି ହେଲେ, ‘‘ଆମେ ବିଚାରୁ ଥିଲେ ଯେ, ଆମ ପୁତ୍ରମାନଙ୍କ ଶୋଭା ସମାଜରେ କନ୍ୟା କେଉଁଠାରେ ଅବା ଥିବେ ? ମାତ୍ର ବିଧାତା ଉପଯୁକ୍ତ କନ୍ୟାମାନଙ୍କୁ ନିର୍ମାଣ କରିଅଛି ।’’
ବର୍ତ୍ତମାନ ଭୂତ ଭବିଷ୍ୟରେ ଶୋଭାସାର ।ବୋଲିବାର ସମ୍ଭବିଲା ଏହାଙ୍କ ଠାବର ଯେ । ୬।ବସୁମତୀ ଗର୍ଭୁଁ ଗ୍ରହ ଦୈତ୍ୟ ଜାତ ହୋଇ ।ବିଭୁତି ତା ଗର୍ଭେ ସୀତା ହୋଇଥିଲା କେହି ଯେ । ୭।ବାରୁଣୀ ବିଷ ଅମୃତ ଯଥା ସିନ୍ଧୁଜାତ ।ବିଶ୍ୱମ୍ଭରାରୁ ଜାନକୀ ଜନିତ ତେମନ୍ତ ଯେ । ୮।ବିଧି ଭଲା ବିଧି ଭଲା ଏ ଜାତ ହେବାକୁ ।ବୋଲିଥିଲା ଗନ୍ଧବତୀ ରତ୍ନଗର୍ଭା ତାକୁ ଯେ । ୯।ବରବର୍ଣ୍ଣିନୀ ବରଙ୍କ ଚଉଠି ଉତ୍ସବ ।ବରବର୍ଣ୍ଣିନୀ କ୍ରୀଡ଼ାକୁ ରଚିଲେ ବାନ୍ଧବ ଯେ । ୧୦।
୬ଷ୍ଠ ପଦ :- ବର୍ତ୍ତମାନ, ଭୂତ ଓ ଭବିଷ୍ୟତ-ଏହି ତିନି କାଳରେ ଶୋଭାଶ୍ରେଷ୍ଠା ବା ପରମା ସୁନ୍ଦରୀ ବୋଲିବା କେବଳ ଏହି କନ୍ୟାମାନଙ୍କଠାରେହିଁ ସମ୍ଭବ । (ଅର୍ଥାତ୍ ଏହାଙ୍କ ପରି ସୁନ୍ଦରୀ ବର୍ତ୍ତମାନ କାଳରେ ନାହାନ୍ତି, ଅତୀତରେ ନ ଥିଲେ ବା ଭବିଷ୍ୟତରେ ହୋଇ ନ ପାରନ୍ତି ) ।
୭ମ ପଦ :- ବସୁମତୀ-ପୃଥିବୀ । ଗ୍ରହ- ମଙ୍ଗଳଗ୍ରହ । ଦୈତ୍ୟ-ନାରକାସୁର । ବିଭୃତି-ପୋଷଣ ବା ଧାରଣ ।
୭ମ ପଦ :- ରାଣୀମାନେ ଭାବିଲେ, ଯେଉଁ ପୃଥିବୀ ଗର୍ଭରୁ (ବିରୂପ) ମଙ୍ଗଳ ଗ୍ରହ ଓ ନାରକାସୁର ଜନ୍ମ ହୋଇଥିଲେ, ସେ ପୃଥିବୀରୁ ଏ ପରମା ସୁନ୍ଦରୀ ସୀତା କିପରି ଜାତ ହେଲେ ?
୮ମ ପଦ :- ବାରୁଣୀ-ମଦ୍ୟ ବିଶେଷ । ବିଶ୍ୱମ୍ଭରୀରୁ-ପୃଥିବୀରୁ ।
୮ମ ପଦ :- ମଦ୍ୟ, ବିଷ ଓ ଅମୃତ ଯେପରି ସମୁଦ୍ରରୁ ଜାତ ହେଲେ, ସେହିପରି ପୃଥିବୀରୁ ସୀତା ଉଦିତ ହୋଇଅଛନ୍ତି । (ସମୁଦ୍ରରୁ ମଦ୍ୟ ଓ ବିଷ ଜାତ ହେଲା ପରେ ଅମୃତ ଉଦ୍ଭବ ହୋଇଥିଲା; ସେହିପରି ପୃଥିବୀରୁ ମଙ୍ଗଳ ଓ ନାରକାସୁର ଜନ୍ମ ହେବା ପରେ ସୀତା ଜନ୍ମ ହେଲେ-ମନ୍ଦ ସ୍ଥାନରେ ଭଲ ରହିବା ଅସମ୍ଭବ ନୁହେଁ ।)
୯ମ ପଦ :- ବିଧାତା ଧନ୍ୟ ଓ ତାହାର ବିଧାନ ମଧ୍ୟ ଧନ୍ୟ । କାରଣ, ସେ ପୃଥିବୀକୁ ଯାହା ଗନ୍ଧବତୀ ଓ ରତ୍ନଗର୍ଭା ନାମ ଦେଇଥିଲେ, ତାହା ଏହି ସୁଗନ୍ଧମୟୀ ସୀତାଙ୍କ ଜନ୍ମ ହେତୁ ସାର୍ଥକ ହୋଇଅଛି ।
୧୦ମ ପଦ :- ବରବର୍ଣ୍ଣିନୀ-ଗୌରାଙ୍ଗୀ କନ୍ୟା । ବରବର୍ଣ୍ଣିନୀ-ହଳଦୀ ଅର୍ଥାତ୍ ହଳଦୀପାଣି ।
୧୦ମ ପଦ :- ଗୌରବର୍ଣ୍ଣ କନ୍ୟା ଓ ବରମାନଙ୍କର ଚଉଠୀ ଉତ୍ସବରେ ବନ୍ଧୁଜନମାନେ ହଇଦ୍ରା କେଳି କଲେ (ଚଉଠୀ ଦିନ ହଳଦୀ ପାଣି ପକାପକି ହେବାର ବିଧି) ।
ବନକ ହରିତାଳେ କି ପ୍ରଳୟ ହୋଇଲା ।ବର୍ଣ୍ଣାଞ୍ଜନ ଜନ ହେଲେ ସୁବର୍ଣ୍ଣପିତୁଳା ଯେ । ୧୧।ବିଶିଖଘରାଦି ବିଧି ପାଇଲେ ପୂର୍ଣ୍ଣକୁ ।ବୋଲାଇଲେ ଅଜସୂତ ପୁର ଗମନକୁ ଯେ । ୧୨।ବିଭରଣ କରି ଆଣି ବୁହାଇ ଜନକ ।ବଚନୀୟ ନୋହେ ଯେତେ ଦେଲେ ଯଉତୁକ ଯେ । ୧୩।ବାତାୟୁଲୋମଜ କଉଶେୟ ଜରିବସ୍ତ୍ର ।ବ୍ରହ୍ମାସ୍ତ୍ର ସମାନ କରି ସମର୍ପିଲେ ଅସ୍ତ୍ର ଯେ । ୧୪।ବୃଷାହୟ ପରି ହୟଚୟ, କରୀ ତହିଁ ।ବାସବ-ଗଜ-ତନୟ ନୟ ଉପୁଜଇ ଯେ । ୧୫।୧୧ଶ ପଦ :- ବନକ-ରଙ୍ଗ ।
୧୧ଶ ପଦ :- ହଳଦୀ ପାଣିରେ ବନ୍ଧୁବାନ୍ଧବମାନେ ରଞ୍ଜିତ ହେବାରୁ ମନେହୁଏ, ହରିତାଳ ବର୍ଣ୍ଣ ଜଳରେ ପ୍ରଳୟ ହେଲା କି ? ଶ୍ୟାମଳ ବର୍ଣ୍ଣ ବ୍ୟକ୍ତିମାନେ ହଳଦୀ ପାଣିରେ ରଞ୍ଜିତ ହେବାରୁ ସ୍ୱର୍ଣ୍ଣ ପିତୁଳା ପ୍ରାୟ ଦେଖାଗଲେ ।
୧୨ଶ ପଦ :- ଅଜସୁତ-ଦଶରଥ ।୧୨ଶ ପଦ :- କାଣ୍ଡଘର ଆଦି ବିଧାନସବୁ ସମ୍ପୂର୍ଣ୍ଣ ହେଲା । ତାହାପରେ ଦଶରଥ ଆପଣା ପୁରକୁ ଯିବାପାଇଁ ଜନକଙ୍କ ପାଖକୁ ଖବର ପଠାଇଲେ ।
୧୩ଶ ପଦ :- ଜନକ ରାଜା ପେଟିକା ପ୍ରଭୃତିରେ ପୂର୍ଣ୍ଣ କରି ବୁହାଇ ଆଣି ଯେତେ ଯଉତୁକ ଦେଲେ-ତାହା ଅକଥନୀୟ ( ଅର୍ଥାତ୍ କଥାରେ ବର୍ଣ୍ଣନା କରି ହେବ ନାହିଁ ) ।
୧୪ଶ ପଦ :- ବାତାୟୁ ଲୋମଜ-ମୃଗ ଲୋମରେ ନିର୍ମିତ । କଉଶେୟ-ପଟ୍ଟବସ୍ତ୍ର ।୧୪ଶ ପଦ :- ମୃଗରୋମ ଜାତ ସାଲ, ପାଟବସ୍ତ୍ର, ଜରୀବସ୍ତ୍ର ଓ ବ୍ରହ୍ମାସ୍ତ୍ର ସମାନ ଅସ୍ତ୍ର ସବୁ ଯୌତୁକସ୍ୱରୂପ ସମର୍ପଣ କଲେ ।
୧୫ଶ ପଦ :- ବୃଷାହୟ-ଇନ୍ଦ୍ରଙ୍କର ଉଚ୍ଚୈଃଶ୍ରବା ଅଶ୍ୱ । ହୟଚୟ-ଅଶ୍ୱସମୂହ । ବାସବଗଜ ତନୟ-ଇନ୍ଦ୍ରଙ୍କ ଐରାବତ ହସ୍ତୀର ପୁଅ । ନୟ-ସଦୃଶ ।
୧୫ଶ ପଦ :- ଉଚ୍ଚୈଃଶ୍ରବା ପରି ଘୋଟକ, ଐରାବତ ସୁତଙ୍କ ସମାନ ଗଜ ସବୁ ଦେଲେ ।ବାରାଂନିଧି ଶୂନ୍ୟ କଲା ପରି ରତ୍ନ ଦିଏ ।ବେଳବୁଝା ପାରାବତ ଜ୍ୟୋତିର୍ବିଦ ପ୍ରାୟେ ଯେ । ୧୬।ବିହଙ୍ଗେ ଶୁକ ସରିକା ଶ୍ଳୋକ ପଢ଼ାହୋଇ ।ବିଦ୍ୟାଧରୀ ବିଜିତା ଦାସୀ ତ ଥିଲେ ଦେଇ ଯେ । ୧୭।ବାହାରିଲେ ଛାଡ଼ି ଯେ ମିଥିଳା ନରେଶ୍ୱର ।ବିଜୟେ ସୁଖାସନରେ ଚାରି କନ୍ୟା ବର ଯେ । ୧୮।ବଳ ସାଜି ଗମନ ବାଜନ୍ତେ ବାଦ୍ୟମାନ ।ବଳପର ଆଦି ଦେବେ କରନ୍ତି ଲୋକନ ଯେ । ୧୯।ବିଶାଳ ଭୂପାଳ ମେଳ ହୋଇଲେ ପଥର ।ବଂଶେ ମିତ୍ରର ଯେ ଜାତ କେ ହୋଇବ ପର ଯେ । ୨୦।୧୬ଶ ପଦ :- ବାରାଂନିଧି-ସମୁଦ୍ର ।୧୬ଶ ପଦ :- ସମୁଦ୍ର ଶୂନ୍ୟ କଲାପରି ରତ୍ନସବୁ (ଅପରିମିତ ରତ୍ନ) ପୁଣି ଜ୍ୟୋତିର୍ବିଦସମ କାଳଜ୍ଞ ପାରାମାନଙ୍କୁ ପ୍ରଦାନ କଲେ ।
୧୭ଶ ପଦ :- ଶ୍ଲୋକପଢ଼ୁଥିବା ଶୁକ ସାରିକା ପକ୍ଷୀମାନଙ୍କୁ ଦେଲେ ଏବଂ ତତ୍ପୂର୍ବରୁ ବିଦ୍ୟାଧରୀଙ୍କ ଅପେକ୍ଷା ବେଶୀ ସୁନ୍ଦରୀ ଦାସୀ ଦେଇଥିଲେ ।
୧୮ଶ ପଦ :- ସୁଖାସନ-ଯାନ, ଏଠାରେ ପାଲିଙ୍କି ।
୧୮ଶ ପଦ :- ଦଶରଥ ଅନୁକୂଳ କରିବାରୁ ମିଥିଳାରାଜ ଜନକ ତାଙ୍କୁ ବଳାଇ ଦେବାକୁ ବାହାରିଲେ । ଚାରି ବର ଓ କନ୍ୟା ପାଲିଙ୍କି ଓ ଶିବିକାରୂପ ସୁଖାସନରେ ବିଜେ କଲେ ।
୧୯ଶ ପଦ :- ବଳ-ସୈନ୍ୟ । ବଳପର-ଇନ୍ଦ୍ର ।୧୯ଶ ପଦ :- ଦଶରଥ ସୈନ୍ୟମାନଙ୍କୁ ସଜ କରି ବାଦ୍ୟ ବଜାଇ ଗମନ କରନ୍ତେ, ଇନ୍ଦ୍ର ଆଦି ଦେବତାମାନେ ଶୂନ୍ୟରେ ରହି ତାହା ଦେଖିଲେ ।୨୦ଶ ପଦ :- ଭୂପାଳ-ରାଜା । ମିତ୍ର-ସୂର୍ଯ୍ୟ । ପର-ଶତ୍ରୁ ।
୨୦ଶ ପଦ :- ବଡ଼ବଡ଼ ରାଜାମାନଙ୍କର ବାଟରେ ଭେଟ ହେଲା । ଯେଉଁ ଦଶରଥ ସୂର୍ଯ୍ୟ ବଂଶରେ ଜାତ, ତାଙ୍କର ଶତ୍ରୁ ବା କିଏ ହେବ ? (ଅର୍ଥାତ୍ ବଡ଼ ବଡ଼ ରାମାମାନେ ତାଙ୍କର ଅଧୀନ ଥିବାରୁ ବାଟରେ ଆସି ଯୋଗ ଦେଇଥିଲେ ) ।
ବୀରବାହୁ ଭୃଗୁପତି ତ୍ରାସ ଦେବାପାଇଁ ।ବାସ କଲା ଗିରି ଭୃଗୁ ଚମକନ୍ତେ ତହିଁ ଯେ । ୨୧।ବୀତିହୋତ୍ର ପରାୟେ ସ୍ୱଭାବେ ତେଜୋବନ୍ତ ।ବୀରତୂର ଘୃତାହୁତି ଲାଗି ପ୍ରଜ୍ଜ୍ୱଳିତ ଯେ । ୨୨।ବିଦିତ କାଷ୍ଠାବଳିରେ ଲାଗି ପାଶୁ ବର୍ଷେ ।ବ୍ୟାକୁଳିତ ଦଶରଥ ହେଲେ ସେହି ତ୍ରାସେ ଯେ । ୨୩।ବୋଇଲେ ପ୍ରଚଣ୍ଡ ନଳ ଆସୁଅଛି ଜଳି ।ବୁଦ୍ଧି ନ ଦିଶେ କୁମରେ ହେଲେ ତୃଣାବଳି ଯେ । ୨୪।ବିଶ୍ୱାମିତ୍ର ଶ୍ରବଣରେ କଲେ ପ୍ରତିଭାଷ ।ବିନାଶ ତହିଁ ଉତ୍ପତ୍ତି ଯହିଁରୁ ନ ଘୋଷ ଯେ । ୨୫।
୨୧ଶ ପଦ :- ରାହୁ ତୁଲ୍ୟ ବୀର ( କ୍ଷତ୍ରୀୟ ଚନ୍ଦ୍ରମାନଙ୍କର ଗ୍ରାସକାରୀ ) ପର୍ଶୁରାମଙ୍କ ନିବାସ ପର୍ବତର ସନ୍ନିକଟ ବାଦ୍ୟ ନାଦରେ ଚମକନ୍ତେ, ସେ କ୍ଷତ୍ରିୟମାନଙ୍କୁ ତ୍ରାସ ଦେବା ପାଇଁ ବାହାର ହୋଇପଡ଼ିଲେ ।
୨୨ଶ ପଦ :- ବୀତିହୋତ୍ର-ଅଗ୍ନି ।
୨୨ଶ ପଦ :- ସ୍ୱଭାବରେ ସେ ପର୍ଶୁରାମ ଅଗ୍ନି ପ୍ରାୟ ତେଜସ୍ୱୀ ଅଟନ୍ତି । ବୀରବାଦ୍ୟ ରୂପ ଘୃତାହୁତି ପାଇ ପ୍ରଜ୍ଜ୍ୱଳିତ ହୋଇ ଉଠିଲେ । (ବୀରମାନେ ବୀରବାଦ୍ୟ ଶ୍ରବଣରେ ଉଲ୍ଲସିତ ହୁଅନ୍ତି) ।
୨୩ଶ ପଦ :- କାଷ୍ଠାବଳିରେ-ଦିଗମାନଙ୍କରେ, କାଠରେ ।
୨୩ଶ ପଦ :- କାଠ ପୋଡ଼ିଗଲା ପରେ ପାଉଁଶ ଉଡ଼ି ଦିଗ ଆଚ୍ଛାଦନ କଲାପରି ପର୍ଶୁରାମଙ୍କର କ୍ରୋଧୋନ୍ମତ୍ତ ଆଗମନରେ ଧୂଳିଉଡ଼ି ଦିଗସବୁ ଢାଙ୍କି ହୋଇଗଲା । ସେହି ଭୟରେ ଦଶରଥ ବ୍ୟାକୁଳିତ ହେଲେ ।
୨୪ଶ ପଦ :- ଭୟ ପାଇ ଦଶରଥ କହିଲେ, ‘‘ପ୍ରଚଣ୍ଡ ଅଗ୍ନି ଜଳି ଆସୁଅଛି, ମୋତେ ବୁଦ୍ଧି ଦିଶୁନାହିଁ । ମୋର ପୁତ୍ରେ ତୃଣ ପରି ହୋଇ ଅଛନ୍ତି । ଅର୍ଥାତ୍ ତୃଣ ପ୍ରାୟ ସେ ପ୍ରଚଣ୍ଡ ଅଗ୍ନିରେ ପୋଡ଼ି ହୋଇଯିବେ ) ।
୨୫ଶ ପଦ :- ବିଶ୍ୱାମିତ୍ର ଦଶରଥଙ୍କ ବ୍ୟାକୁଳ ବଚନ ଶୁଣି ପ୍ରତ୍ୟୁତ୍ତର କଲେ, ‘‘ଯହିଁରୁ ଯେ ଉତ୍ପନ, ତହିଁରେ ତା’ର ବିନାଶ ହୁଏ । ଏ କଥା ବିଚାର କରୁନାହଁ କାହିଁକି ? (ଅଗ୍ନି ଜଳରୁ ଉତ୍ପନ୍ନ ହୋଇ ପୁଣି ସେହି ଜଳରେ ବିନାଶ ହୁଏ) ।
ବ୍ୟୋମ ଅଯୋଧ୍ୟାରେ ଉଦେ ମୁଦିର ସୁନ୍ଦର ।ବହ୍ନି ତପନ କେମନ୍ତେ ରହିବ ତାହାର ଯେ । ୨୬।ବାମଦେବ ବୋଇଲେ କରିଛି ତୋତେ ରକ୍ଷା ।ବାଞ୍ଛି ପୁତ୍ରଙ୍କ କଲ୍ୟାଣେ ଆସୁଅଛି ଦକ୍ଷା ଯେ । ୨୭।ବଶିଷ୍ଠ ବୋଇଲେ ଗ୍ରହ ମଙ୍ଗଳ ବୋଲାଇ ।ବିନା ଦାନେ ଶାନ୍ତି ନୋହେ ଅମଙ୍ଗଳଦାୟୀ ଯେ । ୨୮।ବୀରଶାର୍ଦ୍ଦୂଳ ଲୋକନେ ଭାଜେ ସୈନ୍ୟମୃଗ ।ବିନୟୀ ହେଲେ ନୃପତି ଅତ୍ୟନ୍ତ ଉଦ୍ବେଗ ଯେ । ୨୯।ବୃଦ୍ଧକାଳେପୁତ୍ରଦାନ କଲେ ଋଷ୍ୟଶୃଙ୍ଗ ।ବିବାହ ଉତ୍ସବ କରି ବାହୁଡୁଛି ନଗ୍ର ଯେ । ୩୦।୨୬ଶ ପଦ :- ବ୍ୟୋମ-ଆକାଶ । ମୁଦିର-ମେଘ । ବହ୍ନିତପନ-ଅଗ୍ନିତେଜ ।
୨୬ଶ ପତ :- ‘‘ଅଯୋଧ୍ୟା ଆକାଶରେ ଘନସୁନ୍ଦର ରାମ ଉଦିତ ହୋଇ ଅଛନ୍ତି । ଅଗ୍ନିତ ମେଘର ଶତ୍ରୁ, ସେ କିପରି ରହିବ ? ( ପର୍ଶୁରାମଙ୍କ କ୍ରୋଧରୂପ ଅନଳ ରାମଚନ୍ଦ୍ରରୂପ ମେଘଦ୍ୱାରା ବିଲୁପ୍ତ ହେବ ) ।
୨୭ଶ ପଦ :- ତତ୍ପରେ ବାମଦେବ କହିଲେ, ‘‘ପର୍ଶୁରାମ ପୂର୍ବେ ତୁମ୍ଭଙ୍କୁ ରକ୍ଷା କରିଅଛନ୍ତି-। ସେ କଲ୍ୟାଣ କରିବାରେ ଦକ୍ଷ, ତେଣୁ ତୁମ୍ଭ ପୁତ୍ରମାନଙ୍କୁ କଲ୍ୟାଣ କରିବା ଇଚ୍ଛାରେ ଆସୁଅଛନ୍ତି । (ତେଣୁ ଭୟ କରିବା ଉଚିତ ନୁହେଁ) ।
୨୮ଶ ପଦ :- ବଶିଷ୍ଠ ତାହାପରେ କହିଲେ, ‘‘ମଙ୍ଗଳ ଗ୍ରହ ମଙ୍ଗଳ ନାମ ବୋଲାଇଲେ ସୁଦ୍ଧା ଅମଙ୍ଗଳକୁ ପ୍ରଦାନ କରେ । ଦାନାଦିଦ୍ୱାରା ତାହାର ଅମଙ୍ଗଳ ନିବାରିତ ହୋଇଥାଏ । ସେହିପରି ପର୍ଶୁରାମଙ୍କ ତେଜ ଅଶାନ୍ତିକାରକ, ତାହା ‘ଦାନ’ ଛେଦନ ନ ହେଲେ ସେ ଶାନ୍ତି ଲଭିବେ ନାହିଁ ।
୨୯ଶ ପଦ :- ବୀରଶାର୍ଦ୍ଦୂଳ-ବୀରଶ୍ରେଷ୍ଠ ।
୨୯ଶ ପଦ :- ବୀର ଶାର୍ଦ୍ଦୂଳ ପର୍ଶୁରାମଙ୍କୁ ଦର୍ଶନ କରି ସୈନ୍ୟ ମୃଗମାନେ ପଳାୟନ କଲେ । ତାହା ଦେଖି ନୃପତି ଦଶରଥ ଅତ୍ୟନ୍ତ ବ୍ୟାକୁଳ ମନରେ ପର୍ଶୁରାମଙ୍କ ନିକଟରେ ବିନୟଯୁକ୍ତ ହେଲେ ।
୩୦ଶ ପଦ :- ଦଶରଥ ବିନୟ ଭାବରେ କହିଲେ, ‘‘ବୃଦ୍ଧ କାଳରେ ଋଷ୍ୟଶୃଙ୍ଗ ମୁନି ଦୟାପୂର୍ବକ ପୁତ୍ରଦାନ କରି ଅଛନ୍ତି । ତାହାଙ୍କର ବିବାହ ଉତ୍ସବ କରି ମୁଁ ଏବେ ନଗ୍ରକୁ ଫେରି ଯାଉଅଛି ।’’
ବିଜେ କଲ କୃପାରେ ଏଠାକୁ ଭୃଗୁରାଜ ।ବୃଦ୍ଧି ହେବ ଆୟୁ ତାଙ୍କୁ ଦିଅ ପାଦରଜ ହେ । ୩୧।ବିଷ୍ଣୁର ଆବେଶ ଅବତାର ହୋଇ ତବ ।ବିଜ୍ଜ୍ୱଳିତ କୋପେ ଭକ୍ତ ଭକ୍ତି ନ ଘେନିବ ହେ । ୩୨।ବୋଲୁଁ ବୋଲେ ଯେଉଁ ରାମ ବଡାଇ ପ୍ରକଟେ ।ବୀରବାଦ୍ୟ ବଜାଇ ଯାଉଛି ମୋ ନିକଟେ ଯେ । ୩୩।ବିଶ୍ୱେ ନ ଜାଣେ କ୍ଷତ୍ରିୟବିମର୍ଦ୍ଦନବାନା ।ବସୁଧାରେ ତାର ଶିର ଲୋଟାଇବି ସିନା ଯେ । ୩୪।ବୋଲେ ନୃପ କ୍ଷୀରକଣ୍ଠ ମାରି କେଉଁ ଯଶ ।ବିକ୍ରମିଣ ଗଲା ସେ ନ ଶୁଣି ରାଜା ଭାଷ ଯେ । ୩୫।
୩୧ଶ ପଦ :- ହେ ଭୃଗୁବଂଶ, ଶ୍ରେଷ୍ଠ ! ଅନୁଗ୍ରହ ପୂର୍ବକ ତୁମ୍ଭେ ଏଠାକୁ ବିଜେ କଲ । ପୁତ୍ରମାନଙ୍କର ଆୟୁ ବୃଦ୍ଧିକାରଣ ସେମାନଙ୍କୁ ପଦଧୂଳି ପ୍ରଦାନ କର ।’’
୩୨ଶ ପଦ :- ‘‘ତୁମ୍ଭେ ବିଷ୍ଣୁଙ୍କର କଳାବତାର ଅଟ । କ୍ରୋଧାଗ୍ନିରେ ପ୍ରଜ୍ଜ୍ୱଳିତ ହୋଇ ଭକ୍ତର ଭକ୍ତି ଗ୍ରହଣ କରିବ ନାହିଁ କି ?’’
୩୩ଶ ଓ ୩୪ଶ ପଦ :- ଦଶରଥ ଏପରି ବିନୟ ବାଣୀ କହିବାରୁ ପର୍ଶୁରାମ କହିଲେ, ‘‘ଯେଉଁ ରାମ ବଡ଼ାଇ ପ୍ରକଟ କରି ବୀରବାଦ୍ୟ ବଜାଇ ମୋ ନିକଟରେ ଯାଉଅଛି, ସେ କ’ଣ ସଂସାରରେ ମୋହର କ୍ଷତ୍ରିୟ ବିମର୍ଦ୍ଦନ ବାନା ଉଡ଼ୁଛି ବୋଲି ଜାଣେନାହିଁ ? ତାହାର ଶିର ଆଜି ବସୁଧାରେ ଲୋଟାଇ ଦେବି । (ତାହାର ମସ୍ତକ ଛେଦନ କରିବ ) ।
୩୫ଶ ପଦ :- ଏହା ଶୁଣି ଦଶରଥ କହିଲେ, ଏ କ୍ଷୀରକଣ୍ଠ ଶିଶୁଙ୍କୁ ମାରି କେଉଁ ଯଶ ଲାଭ କରିବ ?’’ ରାଜାଙ୍କର ଏ ବାଣୀ ନ ଶୁଣି ପର୍ଶୁରାମ ବିକ୍ରମ ପ୍ରକାଶ କରି ରାମଙ୍କ ନିକଟକୁ ଗଲେ ।
ବକ୍ତା ଲକ୍ଷ୍ମଣ କାହାକୁ ପଚାରିଲେ ପ୍ରାୟେ ।ବାଚାଳେ କାହୁ ପ୍ରବେଶ ଆମ୍ଭ ସୈନ୍ୟେ ହୁଏ ଯେ । ୩୬।ବ୍ୟାଳେ ଲୋଷ୍ଟ୍ର ପ୍ରହାରିଲା ପ୍ରାୟେ ରହି କହି ।ବିଷକଣ୍ଠେ କ୍ଷୀରକଣ୍ଠ ବୋଲୁଥିଲା କେହି ଯେ । ୩୭।ବିଷକଣ୍ଠ ଯେବେ ତବ ଗୁରୁ ହେବା, ସ୍ତବ ।ବିରଚି କି ଆସିଅଛ କହୁଁ କହେ ଜବ ଯେ । ୩୮।ବଂଶଧନୁ କୀଟଭେଦ ଥୋଉଁ ଥିଲା ହୋଇ ।ବିଭଞ୍ଜନେ ତାହା ମହାବୀର ଯେ ବୋଲାଇ ଯେ । ୩୯।ବଧ ଆଗ ତାକୁ ବିଚାରିବା ପଛେ ତୁହି ।ବୋଲେ ଅନ୍ଧମତେ ଚନ୍ଦ୍ର ସୂର୍ଯ୍ୟ ଯଥା ନାହିଁ ଯେ । ୪୦।
୩୬ଶ ପଦ :- ଗର୍ବୋନ୍ମତ୍ତ ଓ କ୍ରୁଦ୍ଧ ପର୍ଶୁରାମଙ୍କୁ ଦେଖି ଲକ୍ଷ୍ମଣ ଅନ୍ୟ କାହାକୁ ପଚାରିଲା ପ୍ରାୟ କହିଲେ, ‘‘ପାଗଳଟିଏ କାହୁଁ ଆସି ଆମ୍ଭ ସୈନ୍ୟ ମଧ୍ୟରେ ପ୍ରବେଶ କଲା ?’’
୩୭ଶ ପଦ :- ବ୍ୟାଳ-ସର୍ପ । ଲୋଷ୍ଟ୍ର-ଟେକା । ବିଷକଣ୍ଠ-ସର୍ପ । କ୍ଷୀରକଣ୍ଠ-ଶିଶୁ ।
୩୭ଶ ପଦ :- ଲକ୍ଷ୍ମଣଙ୍କ ଉପହାସ ବଚନ ଶୁଣି ସର୍ପକୁ ଟେକା ପକାଇଲା ପ୍ରାୟ ପର୍ଶୁରାମ ଗର୍ଜନ କରି କହିଲେ, ‘‘ଏମାନେ ତ ବିଷକଣ୍ଠ (ସର୍ପ) ଅଟନ୍ତି, କିଏ ଏହାଙ୍କୁ କ୍ଷୀରକଣ୍ଠ ବୋଲି କହୁଥିଲା ?’’
୩୮ଶ ପଦ :- ଲକ୍ଷ୍ମଣ ଉତ୍ତର ଦେଲେ, ‘‘ଯେବେ ଆମ୍ଭଙ୍କୁ ବିଷକଣ୍ଠ ବୋଲି କହୁଛ (ବିଷକଣ୍ଠ ତ ମହାଦେବ) ତୁମ୍ଭର ଆମ୍ଭେ ଗୁରୁ ହେଲୁଁ । ତେଣୁ ସ୍ତୁତି କରିବାକୁ ଆସିଅଛକି ?’’ ଏହା ଶୁଣି ପର୍ଶୁରାମ ବେଗରେ କହିଲେ;
୩୯ଶ ଓ ୪୦ଶ ପଦ :- ‘‘ବହୁଦିନୁ ଥୁଆହୋଇ ରହିଥିବାରୁ ବାଉଁଶର ଧନୁ ପୋକରା ହୋଇଥିଲା । ତାହାକୁ ଭାଙ୍ଗି ଯେ ମହାବୀର ବୋଲାଉଛି, ତାହାକୁ ଆଗ ବଧ କରିବା, ତୁହି ପରେ ବଧ ହେବୁ ।’’ ଏହା ଶ୍ରବଣ କରି ଲକ୍ଷ୍ମଣ କହିଲେ, ‘‘ଅନ୍ଧ ଯେପରି ମନେକରେ ଚନ୍ଦ୍ର, ସୂର୍ଯ୍ୟ ନାହାନ୍ତି, ସେହିପରି ତୁମ୍ଭେ ଭାବୁଛ ଯେ, ଆଉ ବଳିଷ୍ଠ କେହି ନାହାନ୍ତି ।’’ (ଯେପରି ଅନ୍ଧ ନ ଜାଣିଲେ ସୁଦ୍ଧା ଚନ୍ଦ୍ର ସୂର୍ଯ୍ୟ ଅଛନ୍ତି, ସେହିପରି ତୁମ୍ଭେ ଜାଣି ନ ପାରିଲେହେଁ ବଳିଷ୍ଠ ବୀରମାନେ ଅଛନ୍ତି ) ।
ବିଭ୍ରାଜି ପରଶୁରାମ ଶ୍ରୀରାମ ଭେଟିଲା ।ବିବାଦୀ ତାହାଙ୍କୁ ସେହି ସେକାଳେ ଘୋଟିଲା ଯେ । ୪୧।ବିଷମ ସମସ୍ୟା ଦେବା ପୂରଣ ଏଠାରେ ।ବିଦିତ ଖଣ୍ଡେନ୍ଦୁ କିବା ପୂର୍ଣ୍ଣେନ୍ଦୁ ଅଗରେ ଯେ । ୪୨।ବିଧୁ ଅବତାର ଦୁହିଁଙ୍କର ସେହିପରି ।ବିନ୍ୟସ୍ତ ଦ୍ୱିତୀୟା ଆଗେ ପଛେ ରାକା କରି ଯେ । ୪୩।ବୋଇଲେ ରଘୁନନ୍ଦନ ଆହେ ବିପ୍ରବର ।ବାହୁଜ ବୃତ୍ତିରେ କିପାଁ ଅଇଲ ଏଠାର ଯେ । ୪୪।ବ୍ୟାଜ ଏ ଶବର ପ୍ରାୟେ କୁଠାରେ ତ ବହ ।ବୃତ୍ତି କରିଛ ସମିଧ ବିକ୍ରୟ କି କହ ହେ ? ୪୫।
୪୧ଶ ପଦ :- ଦୀପ୍ତିମନ୍ତ ହୋଇ ପର୍ଶୁରାମ ଶ୍ରୀରାମଙ୍କୁ ଭେଟିଲେ । ସେ ସମୟରେ ସେହି ଏକା ତାହାଙ୍କର ବିବାଦୀ ହେବାର ଦେଖାଗଲା । (ବିଷ୍ଣୁ ବିଷ୍ଣୁଙ୍କର ବିବାଦୀ ହେଲେ ) ।
୪୨ଶ ପଦ :- ଏଠାରେ ବିଷମ ସମସ୍ୟା ପୂରଣ ହେଲା । ପୂର୍ଣ୍ଣଚନ୍ଦ୍ର ଆଗରେ ଖଣ୍ଡଚନ୍ଦ୍ର ପ୍ରକାଶିତ ହେଲାକି? (ରାମଚନ୍ଦ୍ର ପୂର୍ଣ୍ଣାବତାର ଓ ପର୍ଶୁରାମ ଅଂଶାବତାର; ତେଣୁ ରାମଚନ୍ଦ୍ର ପୂର୍ଣ୍ଣଚନ୍ଦ୍ର ଓ ପର୍ଶୁରାମ ଖଣ୍ଡଚନ୍ଦ୍ର ) ।
୪୩ଶ ପଦ :- ବିଧୁ-ଚନ୍ଦ୍ର, ବିଷ୍ଣୁ । ରାକା-ପୂର୍ଣ୍ଣିମାତିଥି ।
୪୩ଶ ପଦ :- ବିଷ୍ଣୁ ଓ ଚନ୍ଦ୍ର ଦୁହିଁଙ୍କର ଅବତାର ଏକାପରି ହୋଇଅଛି । ଆଗ ଦ୍ୱିତୀୟାଚନ୍ଦ୍ର ଦେଖା ଦେଇ ପରେ ପୂର୍ଣ୍ଣଚନ୍ଦ୍ର ପ୍ରକାଶିତ ହେଲାପରି ଆଗ ଅଂଶାବତାର ପର୍ଶୁରାମ ଜାତ ପରେ ପୂର୍ଣ୍ଣାବତାର ରାମଚନ୍ଦ୍ର ଜନ୍ମ ଗ୍ରହଣ କଲେ ।
୪୪ଶ ପଦ :- ବାହୁଜ-କ୍ଷତ୍ରିୟ ।
୪୪ଶ ପଦ :- ପର୍ଶୁରାମଙ୍କୁ ସମ୍ମୁଖରେ ଦେଖି ରାମଚନ୍ଦ୍ର କହିଲେ, ‘‘ଆହେ ଦ୍ୱିଜଶ୍ରେଷ୍ଠ ! କ୍ଷତ୍ରୀୟ ରୂପରେ କାହିଁକି ଏଠାକୁ ଆସିଲ ?’’ (ଅର୍ଥାତ୍ ତୁମ୍ଭେ ତ କ୍ଷତ୍ରୀୟ ନୁହଁ) ।
୪୫ଶ ପଦ :- ବ୍ୟାଜ-ଛଳ, କପଟ । ସମିଧ-କାଠ ।
୪୫ଶ ପଦ :- ପର୍ଶୁରାମ କୁଠାର ଧରିଥିବାର ଦେଖି ବକ୍ରୋକ୍ତି କରି ରାମ କହିଲେ, ‘‘ତୁମ୍ଭର କ୍ଷତ୍ରୀୟ ବୃତ୍ତି ମଧ୍ୟ ଛଳପୂର୍ଣ୍ଣ । ତୁମ୍ଭେ ଶବର ପ୍ରାୟ କୁରାଢ଼ୀ ଗୋଟାଏ ତ ବହିଅଛ । ହୋମକାଷ୍ଠ ବିକ୍ରୟ କରି ଜୀବିକା ଚଳାଅ କି? ସତକଥା କହ ।’’
ବିଷ୍ଟର କରକ ପାତ୍ରୀ ବହିବାକୁ ଦେବା ।ବ୍ରହ୍ମଣ୍ୟ ! ଆମ୍ଭେ ତୁମ୍ଭଙ୍କୁ ପୂଜନ କରିବା ହେ । ୪୬।ବାଲ୍ମୀକି ଖଣ୍ଟ ବୃତ୍ତିକି ଆଶ୍ରେ କରିଥିଲେ ।ବନ୍ଦ୍ୟ ଜଗତେ ସେ ସାଧୁ ଦର୍ଶନେ ହୋଇଲେ ଯେ । ୪୭।ବିଚାରି ଏମନ୍ତ ଆସିଥିଲେ ଭଲ କଥା ।ବ୍ୟଥା ଲଭି ରୈଣୁକେୟ ବୋଇଲେ ଏ ବୃଥା ଯେ । ୪୮।ବନେ ପଶି ସ୍ତିରୀଏ ତାଡ଼କି ନାମେ ହାଣି ।ବହୁତ କାଳରୁ ଥୁଆ ଧନୁ ଭାଙ୍ଗି ପୁଣି ଯେ । ୪୯।ବୀରଧୁ ପ୍ରକାଶି ଅଛୁ ମୋର ଧନୁ ଧର ।ବିଗ୍ରହ କି ଆରମ୍ଭିବା ଦାଶରଥିଠାର ଯେ । ୫୦।୪୬ଶ ପଦ :- ବିଷ୍ଟର-କୁଶାସନ । କରକ-କମଣ୍ଡଳୁ ।
୪୬ଶ ପଦ :- ‘‘ହେ ବ୍ରହ୍ମନ୍ ! ଆମ୍ଭେ ତୁମ୍ଭଙ୍କୁ କୁଶ, କମଣ୍ଡଳୁ, ତମ୍ବାପାତ୍ରୀ ବହନ କରିବାକୁ ଦେବା; ତୁମ୍ଭେ ଏ କୁରାଢ଼ୀ ବହିବା ଛାଡ଼ି । ଆମ୍ଭେ ତୁମ୍ଭଙ୍କୁ ବ୍ରାହ୍ମଣରୂପେ ପୂଜା କରିବା ।’’
୪୭ଶ ପଦ :- ବନ୍ଦ୍ୟ-ପୂଜ୍ୟ ।୪୮ଶ ପଦ :- ରୈଣୁକେୟ-ପରଶୁରାମ ।
୪୭ଶ ଓ ୪୮ଶ ପଦ :- ‘‘ପୂର୍ବେ ବାଲ୍ମୀକି ଖଣ୍ଟ ବୃତ୍ତିକି ଆଶ୍ରୟ କରିଥିଲେ । ସେ ପରେ ସାଧୁଙ୍କ ଦର୍ଶନରେ ସଂସାରରେ ପୂଜନୀୟ ହେଲେ । ତୁମ୍ଭେ ଯଦି ସେହିପରି ଆଶା କରି ଅର୍ଥାତ୍ ଆମ୍ଭ ଦର୍ଶନରେ ପୂଜନୀୟ ହେବ ବୋଲି ଇଚ୍ଛା କରି ଆସିଥାଅ, ତେବେ ଭଲ କଥା ।’’ ରାମଙ୍କର ଏ ବକ୍ରୋକ୍ତି ଶୁଣି ରେଣୁକା ପୁତ୍ର ପର୍ଶୁରାମ ଦୁଃଖ ଲଭି କହିଲେ, ‘‘ଏ ସବୁ ବୃଥା କଥା ।’’
୪୯ ଓ ୫୦ଶ ପଦ :- ‘‘ବନରେ ପଶି ତାଡ଼କା ନାମକ ଗୋଟାଏ ସ୍ତ୍ରୀକୁ ହାଣି, ପୁଣି ବହୁଦିନୁ ଥୁଆ ହୋଇଥିବା ପୋକଖିଆ ଓ ଅସାର ଧନୁ ଭାଙ୍ଗି ବୀରପଣିଆ ପ୍ରକାଶ କରୁଅଛୁ । ଏବେ ମୋର ଧନୁକୁ ଧାରଣ କର । ତୁ ତ ଦଶରଥର ପୁତ୍ର; ତୋ ସହିତ ବା କ’ଣ କଳହ ଆରମ୍ଭ କରିବା ? (ମୋର ଦିଗ୍ବିଜୟ ସମୟରେ ଦଶରଥ ରାଣୀମାନଙ୍କ ପଣତ ଉହାଡ଼ରେ ଲୁଚିଥିଲେ, ମୁଁ ତାଙ୍କୁ ଖାତିରି କରେନାହିଁ, ତୁ ତ ତାଙ୍କ ପୁଅ, ତୋତେ ବା ପଚାରେ କିଏ ? )
ଅନ୍ୟର୍ଥ :- ତୁ ତ ଦାସରଥି ଅର୍ଥାତ୍ କୈବର୍ତ୍ତଶ୍ରେଷ୍ଠ, ତୋ ସହିତ ବିବାଦ କରିବା ଅଶୋଭନୀୟ ।ବାମକର ବଢ଼ାଇଲେ ରାମ ଶୁଣିକରି ।ବଢ଼ାଇ ଦେଉଁ ସେ ଧନୁ ବିଷ୍ଣୁ ତେଜ ହରି ଯେ । ୫୧।ବିମନା ଜାନକୀ ଯେ ସପତ୍ନୀ ଭୟ ଗୁଣି ।ବିଭଞ୍ଜାଇ ଋଷି ଏତ ପୁଣି ଚାପେ ଆଣି ଯେ । ୫୨।ବୋଧିଲେ ବଲ୍ଲଭୀ କାନ୍ତ କର୍ଣ୍ଣପାଶେ କହି ।ବଳ କଷେ ବିବାହକାର୍ଯ୍ୟ ଏ ନୋହେ ସହି ଗୋ । ୫୩।ବସିବାଠାବରେ ଗୁଣ ଦେଇ ସନ୍ଧି ଶର ।ବିନ୍ଧିବା କାହିଁକି ବୋଲି ପଚାରିଲେ ବୀର ଯେ । ୫୪।ବୋଲେ ପରଶୁରାମ ମୋ ପାପଭାର ଛେଦ ।ବିଚ୍ଛେଦିଲେ ରାମଚନ୍ଦ୍ର ସେ ହେଲେ ପ୍ରମୋଦ ଯେ । ୫୫
୫୧ଶ ପଦ :- ରାମ ପର୍ଶୁରାମଙ୍କ ବଚନ ଶୁଣି ବାମକର ବଢ଼ାଇଲେ । ପର୍ଶୁରାମ ଧନୁ ବଢ଼ାଇ ଦେବାରୁ ସେ ଧନୁ ସହିତ ତାଙ୍କର ବିଷ୍ଣୁ ତେଜକୁ ହରଣ କରି ନେଲେ ।
୫୨ଶ ପଦ :- ଏହା ଦେଖି ଜାନକୀ ତାଙ୍କର ଆଉ ଏକ ସଉତୁଣୀ ହେବା ଆଶଙ୍କାରେ ଦୁଃଖିତ ହୋଇ ଭାବିଲେ, ‘ଜନକ ଋଷିଙ୍କର ଗୋଟିଏ ଧନୁ ଭାଙ୍ଗି ରାମଚନ୍ଦ୍ର ମୋତେ ବିଭା କଲେ । ପୁଣି ଆଉ ଏବଂ ଋଷି ଗୋଟିଏ ଧନୁ ଆଣି ଭଙ୍ଗାଉ ଅଛନ୍ତି, ତାଙ୍କ ଝିଅଙ୍କୁ ନିଶ୍ଚୟ ବିବାହ ହେବେ ।’
୫୩ଶ ପଦ :- ସୀତାଙ୍କର ମନ ଦୁଃଖ ଜାଣି ପାରି ରାମଚନ୍ଦ୍ର ପ୍ରିୟାର କାନରେ ଏହା କହି ବୋଧ କଲେ, ‘‘ହେ ସଖି ! ଏ ଧନୁର୍ଭଙ୍ଗ ବିବାହ କାର୍ଯ୍ୟ ନୁହେଁ । ଏହାଦ୍ୱାରା ଏ ଋଷି ଆମ୍ଭର ବଳ ପରୀକ୍ଷା କରୁଅଛି । ତୁମ୍ଭେ ଦୁଃଖିତ ହେବାର କାରଣ କିଛି ନାହିଁ ।’’
୫୪ଶ ପଦ :- ବୀର ରାମଚନ୍ଦ୍ର ବସିବା ଅବସ୍ଥାରେ ଧନୁରେ ଗୁଣ ଦେଇ, ତହିଁରେ ଶର ସନ୍ଧାନ କରି ପରଶୁରାମଙ୍କୁ ପଚାରିଲେ, ‘‘କାହାକୁ ବିନ୍ଧିବା କହ ।’’ (ଏହାଦ୍ୱାରା ପର୍ଶୁରାମଙ୍କର ଦର୍ପ ଚୂର୍ଣ୍ଣ ଓ ରାମଚନ୍ଦ୍ରଙ୍କର ବୀରତ୍ୱ ପ୍ରକାଶ, ଉଭୟ ସୂଚିତ ହେଲା ।)
୫୫ଶ ପଦ :- ରାମଙ୍କର ବଚନ ଶୁଣି ପର୍ଶୁରାମ ନମ୍ରହୋଇ କହିଲେ, ‘‘ମୋର ପାପଭାରକୁ ଛେଦନ କର ।’’ ରାମଚନ୍ଦ୍ର ତାଙ୍କର ପାପଭାରକୁ ଶର ବିନ୍ଧି ଖଣ୍ଡନ କଲେ । ପର୍ଶୁରାମ ଆନନ୍ଦ ହେଲେ ।
ବାହୁଡ଼ନ୍ତେ ପ୍ରଦକ୍ଷିଣ କରି ଦେବବୁଦ୍ଧି ।ବାଜିଲା ବିବିଧ ବାଦ୍ୟ ବିଜେ କୃପାନିଧି ଯେ । ୫୬।ବଳଗଣ୍ଡିଠାରେ ରହି ଯଥା ଜଗନ୍ନାଥ ।ବିଜେ ପୁଣି ଜନକ ସନ୍ତୋଷେ ଚାଳି ରଥ ଯେ । ୫୭।ବିସ୍ତାରି ତ ଜୟ ଶବ୍ଦ ହେଲା ଦଶଦିଶ ।ବଡ଼ ଦେଉଳ ସାକେତେ ହେଲେ ପରବେଶ ଯେ । ୫୮।ବିଧିରେତ ବେନି ମହୋତ୍ସବ ଅବଲୋକ ।ବୃନ୍ଦାରକେ ଏକା ମିତ୍ରକରଣେ ବିବେକ ଯେ । ୫୯।ବଚନ ନାହିଁ ଯହିଁ କି ଉପମା ତାକୁ ସେ ।ବଇକୁଣ୍ଠ ମର୍ତ୍ତ୍ୟେ ସେହି ଯେ ପୁରେ ବିଳସେ ଯେ । ୬୦।
୫୬ଶ ପଦ :- ବୈଷ୍ଣବଧନୁ ଧରିବାକୁ ସମର୍ଥ ହେବାରୁ ପର୍ଶୁରାମ ରାମଚନ୍ଦ୍ରଙ୍କୁ ସ୍ୱୟଂ ବିଷ୍ଣୁ ବୋଲି ଜାଣିପାରି, ତାଙ୍କୁ ପ୍ରଦକ୍ଷିଣ କରି ବାହୁଡ଼ି ଗଲେ । ତତ୍ପରେ ନାନା ପ୍ରକାର ବାଦ୍ୟ ବାଜିଲା, କୃପାନିଧି ରାମ ବିଜେ କଲେ ।
୫୭ଶ ପଦ :- ଯେପରି ଜଗନ୍ନାଥ ବଳଗଣ୍ଡିଠାରେ ରହି ଲୋକମାନଙ୍କର ସନ୍ତୋଷ ବିଧାନ କରି ପରେ ରଥ ଚଳାଇ ବିଜେ କରନ୍ତି; ସେହିପରି ରାମଚନ୍ଦ୍ର କିଛି ସମୟ ରହି ପର୍ଶୁରାମଙ୍କୁ ଜିଣିବାଦ୍ୱାରା ଜନକ ଦଶରଥଙ୍କ ସନ୍ତୋଷ ପ୍ରଦାନ କରି ପରେ ରଥ ଚଳାଇ ଗଲେ ।
୫୮ଶ ପଦ :- ଜୟଧ୍ୱନି ଦଶଦିଗରେ ବିସ୍ତାରିତ ହେଲା । ବଡ଼ ଦେଉଳ ସଦୃଶ ଅଯୋଧ୍ୟା ନଗରୀରେ ରାମଚନ୍ଦ୍ର ପ୍ରବେଶ ହେଲେ । (ବାହୁଡ଼ା ସମୟରେ ଜୟଶବ୍ଦଦ୍ୱାରା ଦଶଦିଗ ପୂର୍ଣ୍ଣ କରି ଜଗନ୍ନାଥ ବଡ଼ ଦେଉଳରେ ପ୍ରବେଶ କରନ୍ତି । ସେହିପରି ରାମଚନ୍ଦ୍ର ଅଯୋଧ୍ୟା ନଗରୀରେ ଜୟ କୋଳାହଳ ମଧ୍ୟରେ ପ୍ରବେଶ କଲେ ) ।
୫୯ଶ ପଦ :- ଦୈବବଶରେ ଏହି ଦୁଇ ମହୋତ୍ସବ (ଜଗନ୍ନାଥଙ୍କ ବାହୁଡ଼ା ମହୋତ୍ସବ ଓ ରାମଚନ୍ଦ୍ରଙ୍କ ବିବାହ ମହୋତ୍ସବ) ଦେବତାମାନେ ଓ ଶ୍ରେଷ୍ଠ ଲୋକମାନେ ଦର୍ଶନ କରୁଅଛନ୍ତି । ଅତଏବ ଏ ଦୁଇ ମହୋତ୍ସବର ଯେ ସମାନତା ଅଛି-ଏହା ବିବେଚିତ ହେଉଅଛି ।
୬୦ଶ ପଦ :- ଭଗବାନ ରାମଚନ୍ଦ୍ର ଯେଉଁ ପୁରରେ ବିହାର କରନ୍ତି, ସେହି ମର୍ତ୍ତ୍ୟବୈକୁଣ୍ଠ ରୂପ ଅଯୋଧ୍ୟାର ଶୋଭାକୁ କଥାରେ ବର୍ଣ୍ଣନା କରି ହେବନାହିଁ, ତା’ର ଉପମା କେବଳ ସେହି । (ଯେଉଁ ମର୍ତ୍ତ୍ୟବୈକୁଣ୍ଠ ନୀଳାଚଳରେ ଜଗନ୍ନାଥ ବିହାର କରନ୍ତି, ତାର ଉପମା କେବଳ ସେହି । ତା’ର ଶୋଭା ବର୍ଣ୍ଣନା କରି ହେବନାହିଁ) ।
ବଳେ ଛଡ଼ାଇ ଚନ୍ଦ୍ରୁ ସେ ସୁଧାକର ପଦ ।ବିଶଦ ହାସେ ଉଡ଼ାଇ ରଖେ ବିଷ୍ଣୁପଦ ଯେ । ୬୧।ବିଷ୍ଣୁପଦ ସମ୍ପଦ ଲୁଟିରୁ ରତ୍ନମୟେ ।ଚଢ଼ାଇ ପତାକା କର ଆଣିଲାର ପ୍ରାୟେ ଯେ । ୬୨।ବାଟିକା ଯହିଁର କରେ ନନ୍ଦନ ନିନ୍ଦନ ।ବଲ୍ଲିକା କୁସୁମ ପାରିଜାତକ ବନ୍ଦନ ଯେ । ୬୩।ବାଦେ ଜିଣେ କଳ୍ପଦ୍ରୁମ ଯହିଁ ବୃକ୍ଷପନ୍ତି ।ବିଦୃଶ୍ୟ ଫଳ ସେ ଦୃଶ୍ୟ ଫଳେ ଏ ରାଜନ୍ତି ଯେ । ୬୪।ବିପୁଳ କ୍ଳେଶ ଲଭ୍ୟ ସେ ଏ ଲଭ୍ୟ ଅକ୍ଳେଶେ ।ବିଦ୍ୟାଧରୁ ଚଳି ପିକ ସପ୍ତସ୍ୱର ଘୋଷେ ଯେ । ୬୫।୬୧ଶ ପଦ :- ସୁଧାକର-ଚନ୍ଦ୍ର । ବିଶଦ-ଶୁକ୍ଳା । ବିଷ୍ଣୁପଦ-ଆକାଶ ।
୬୧ଶ ପଦ :- ସେ ନଗରର ଅଟ୍ଟାଳିକାଗୁଡ଼ିକ ବଳାତ୍କାରରେ ଚନ୍ଦ୍ରଠାରୁ ସୁଧାକର ପଦକୁ ଛଡ଼ାଇ ଆଣିଅଛି ଏବଂ ଶୁଭ୍ର ହାସରେ ଚନ୍ଦ୍ରଙ୍କୁ ଉଡ଼ାଇ ନେଇ ଆକାଶ ମଧ୍ୟରେ ରଖିଅଛି । (ଅଟ୍ଟାଳିକାଗୁଡ଼ିକ ଚୂନଲିପ୍ତ ହୋଇଥିବାରୁ ଶୁଭ୍ରତାର ଚନ୍ଦ୍ରର ଜ୍ୟୋତ୍ସ୍ନାକୁ ବଳି ପଡ଼ିଅଛି) ।
୬୨ଶ ପଦ :- ସେ ପୁର ପତାକା ରୂପ କରକୁ ବଢ଼ାଇ ଯେପରି ସ୍ୱର୍ଗର ସମସ୍ତ ସମ୍ପତ୍ତି ଲୁଟିକରି ଆଣି ନିଜେ ରତ୍ନପୂର୍ଣ୍ଣା ହୋଇଅଛି । (ପୁରସ୍ଥ ଅଟ୍ଟାଳିକାମାନଙ୍କର ପତାକା ବହୁତ ଉଚ୍ଚରେ ଉଡ଼ୁଅଛି ଓ ସେ ପୁରରେ ବହୁତ ଧନରତ୍ନ ରହିଅଛି) ।
୬୩ଶ ପଦ :- ବାଟିକା-ପୁଷ୍ପୋଦ୍ୟାନ । ବଲ୍ଲିକା-ଲତାସମୂହ ।
୬୩ଶ ପଦ :- ଯେଉଁ ପୁରର ପୁଷ୍ପଉଦ୍ୟାନ ସ୍ୱର୍ଗର ନନ୍ଦନ ବନକୁ ନିନ୍ଦାକରେ ଓ ତନ୍ମଧ୍ୟସ୍ଥ ଲତାମାନଙ୍କରେ ଫୁଟିଥିବା ପୁଷ୍ପ ପାରିଜାତ କୁସୁମଦ୍ୱାରା ବନ୍ଦିତ ହୋଇଅଛି, (ଲତା ପୁଷ୍ପ ପାରିଜାତ ଅପେକ୍ଷା ସୌରଭଯୁକ୍ତ ଓ ସୁନ୍ଦର)
୬୪ଶ ପଦ :- ଯେଉଁ ପୁରର ବୃକ୍ଷସମୂହ ବିବାଦରେ କଳ୍ପଦ୍ରୁମକୁ ଜୟ କରିଅଛି, କାରଣ କଳ୍ପଦ୍ରୁମସବୁ ଅଦୃଶ୍ୟ ଫଳଦ୍ୱାରା ଶୋଭିତ ହୁଅନ୍ତି, ମାତ୍ର ଯେଉଁ ପୁରର ବୃକ୍ଷମାନେ ଦେଖାଯାଉଥିବା ଫଳରେ ଆନନ୍ଦ ହୋଇଅଛନ୍ତି ।
୬୫ଶ ପଦ :- ସେହି କଳ୍ପଦ୍ରୁମର ଫଳ ବଡ଼ କଷ୍ଟରେ ମିଳିଥାଏ, ମାତ୍ର ଏ ନଗରସ୍ଥ ବୃକ୍ଷମାନଙ୍କର ଫଳ ଅକ୍ଲେଶରେ ପ୍ରାପ୍ତ ହୁଏ । ନନ୍ଦନବନରେ ବିଦ୍ୟାଧରମାନେ ସପ୍ତସ୍ୱରରେ ଗାନ କରୁଥାନ୍ତି, ମାତ୍ର ଏ ନଗରସ୍ଥ ଉଦ୍ୟାନରେ ତାଙ୍କଠାରୁ ଶ୍ରେଷ୍ଠ କୋକିଳମାନେ ସପ୍ତସ୍ୱରରେ ଗାନ କରନ୍ତି ।
ବୀଣା ତେଜିବେ ନାରଦ ଶୁକପଢ଼ା ଶୁଣି ।ବିହରନ୍ତି ତହିଁ ସୀତା ଘେନି ରଘୁମଣି ଯେ । ୬୬।ବିଷ୍ଣୁଆଣୀକି ଆଣନ୍ତି ଜାନୁରେ ବସାଇ ।ବାର୍ଦ୍ଧିଗଙ୍ଗା ଛବି ଲଭେ କୋଳାକୋଳି ହୋଇ ଯେ । ୬୭।ବତ୍ସେ ଉତ୍ସୁକଭାବରେ କରାଉଁ ଶୟନ ।ବିଦ୍ୟୁତକେଳି ଉଜ୍ଜ୍ୱଳ ଜଳଦ କୁଣ୍ଠନ ଯେ । ୬୮।ବନ୍ଧୁକ ଭୃଙ୍ଗ ବନ୍ଧୁତା ଓଷ୍ଠପାନବେଳେ ।ବୃଷଧ୍ୱଜ ପୂଜନ ଉରଜେ କର ଦେଲେ ଯେ । ୬୯।ବନଜେ ନୀଳଉତ୍ପଳ ପବନେ କି ଢଳେ ।ବିମଳଗଣ୍ଡ ଚୁମ୍ବନେ ସେ ରୀତି ବହିଲେ ଯେ । ୭୦।
୬୬ଶ ପଦ :- ଯେଉଁ ପୁରର ବଗିଚାରେ ଥିବା ଶୁକମାନଙ୍କର ପଢ଼ା ଶୁଣିଲେ ନାରଦ ବୀଣାକୁ ତ୍ୟାଗ କରିବେ, ଏହିପରି ଯେ ଅଯୋଧ୍ୟାପୁରୀ (ସର୍ବ ଶୋଭାର ଆଧାର) ତହିଁରେ ରାମଚନ୍ଦ୍ର ସୀତାଙ୍କୁ ଘେନି ବିହାର କରନ୍ତି ।
୬୭ଶ ପଦ :- ରାମଚନ୍ଦ୍ର ସୀତାଙ୍କୁ କୋଳରେ ବସାଇବା ସମୟରେ, ବିଷ୍ଣୁଲକ୍ଷ୍ମୀଙ୍କୁ କୋଳରେ ଧାରଣ କରି ଯେପରି ଶୋଭା ପାଆନ୍ତି, ସେହିପରି ଶୋଭାବନ୍ତ ଦେଖାଗଲେ । ପୁଣି ରାମ ସୀତା ପରସ୍ପର ଆଲିଙ୍ଗନ କରିବା ସମୟରେ ସମୁଦ୍ର ଗଙ୍ଗାଙ୍କୁ ଆଲିଙ୍ଗନ କରି ଯେପରି ଦେଖାଯାନ୍ତି, ସେହି ଶୋଭା ଧାରଣ କଲେ ।
୬୮ଶ ପଦ :- ରାମଚନ୍ଦ୍ର ଉତ୍ସୁକ ଭାବରେ ବକ୍ଷସ୍ଥଳରେ ସୀତାଙ୍କୁ ଶୟନ କରାଇଲାବେଳେ, ମେଘରେ ଭେଳି କରୁଥିବା ବିଦ୍ୟୁତ୍ର ଉଜ୍ଜ୍ୱଳତାକୁ ଲୁଣ୍ଠନ କଲେ । (ମେଘ ବକ୍ଷରେ ବିଜୁଳି ଚମକିଲେ ଯେପରି ସୁନ୍ଦର ଦିଶେ ତା ଅପେକ୍ଷା ବେଶି ସୁନ୍ଦର ଦିଶିଲେ) ।
୬୯ଶ ପଦ :- ବନ୍ଧୂକ-ବଧୂଲିପୁଷ୍ପ । ଭୃଙ୍ଗ-ଭ୍ରମର । ବୃଷଧ୍ୱଜ-ଶିବ ।
୬୯ଶ ପଦ :- ରାମଚନ୍ଦ୍ର ସୀତାଙ୍କର ଅଧର ଚୁମ୍ବନ କଲାବେଳେ ଭୃଙ୍ଗ ବଧୂଲି ଫୁଲରୁ ମଧୁପାନ କରିବା ଶୋଭାକୁ ଧାରଣ କଲେ । ସୀତାଙ୍କ ସ୍ତନ ଯୁଗଳରେ ହସ୍ତ ଦେଲାବେଳେ ଶମ୍ଭୁଙ୍କୁ ପୂଜା କଲାପ୍ରାୟ ବୋଧହେଲା ।
୭୦ଶ ପଦ :- ନୀଳୋତ୍ପଳ-ନୀଳକଇଁ । ବନଜ-ପଦ୍ମ ।
୭୦ଶ ପଦ :- ନୀଳକଇଁ ପବନ ଯୋଗେ ପଦ୍ମ ଉପରେ ଢଳିଲେ ଯେପରି ଦେଖାଯାଏ ରାମଚନ୍ଦ୍ର ସୀତାଙ୍କର ନିର୍ମଳ ଗଣ୍ଡ ଚୁମ୍ବିଲାବେଳେ ସେହିପରି ଦେଖାଗଲେ । (ରାମଚନ୍ଦ୍ର ନୀଳବର୍ଣ୍ଣ ହେତୁ ନୀଳକଇଁ ସଦୃଶ୍ୟ, ସୀତା ପଦ୍ମ ସଦୃଶ) ।
ବାହୁ କରେ ଧରି ହେଉଁଆରାମ ପ୍ରବେଶୀ ।ବାରିଦେ ପଶିଲା ପ୍ରାୟେ ଏକ ତାରା ଶଶୀ ଯେ । ୭୧।ବାଗ୍ଦେବୀ ଗଣେଶ କବିତ୍ୱରେ ବାଦକୃତ ।ବ୍ରତତିରେ ଉକ୍ତି ପ୍ରତିଉକ୍ତିରେ ତେମନ୍ତ ଯେ । ୭୨।ବିଧାତା ବଶରେ ପିତୃଦିବସ ପ୍ରବେଶ ।ବନେ ମୃଗୟା ଗମନ ଜନକ ଆଦେଶ ଯେ । ୭୩।ବଣା ସେ ଖଡ୍ଗୀନ ହୋଇ ଖଡ଼୍ଗୀନ ସଙ୍ଗତ ।ବନ୍ଧାଇଲେ ଗୁହ ଶବରେଶ ସଙ୍ଗେ ମିତ ଯେ । ୭୪।ବାହୁଡ଼ି ନଗରେ ଜୀବେ ଜୀବେଶ ହୋଇ ସେ ।ବିଦେହ ଗମନ କଲେ ଜନକ ଏ ଶେଷେ ଯେ । ୭୫।
୭୧ଶ ପଦ :- ସୀତାଙ୍କ ବାହୁ ହସ୍ତରେ ଧରି ରାମଚନ୍ଦ୍ର ଉପବନ ମଧ୍ୟରେ ପ୍ରବେଶ କଲାବେଳେ, ଚନ୍ଦ୍ର ଗୋଟିଏ ତାରକା ସହିତ ମେଘମଧ୍ୟରେ ପଶିଲା ପ୍ରାୟ ଦେଖାଗଲେ ।
୭୨ଶ ପଦ :- ଉପବନର ଲତା କୁଞ୍ଜରେ ବସି ରାମ ଓ ସୀତା ଉକ୍ତି ପ୍ରତ୍ୟୁକ୍ତି କଲାବେଳେ, ଗଣେଶ ସରସ୍ୱତୀ ତାଙ୍କ କବିତ୍ୱରେ ବିବାଦ କଲା ପ୍ରାୟ ବୋଧ ହେଲା ।
୭୩ଶ ପଦ :- ଏହିପରି କିଛିଦିନ ପରେ ଦୈବଯୋଗରେ ଶ୍ରାଦ୍ଧଦିବସ ପ୍ରବେଶ ହୁଅନ୍ତେ, ରାମଚନ୍ଦ୍ର ପିତାଙ୍କ ଆଦେଶ ପାଇ ମୃଗୟା ନିମିତ୍ତ ବନକୁ ଗମନ କଲେ ।
୭୪ଶ ପଦ :- ଖଡ଼୍ଗୀନ-ଗଣ୍ଡପଶୁ, ଖଡ଼୍ଗଧାରୀ ।
୭୪ଶ ପଦ :- ଖଡ଼୍ଗଧାରୀ ରାମଚନ୍ଦ୍ର ଖଡ଼୍ଗୀନ ଅର୍ଥାତ୍ ଗଣ୍ଡା ସଙ୍ଗତରେ ବଣା ହୋଇ ଅରଣ୍ୟ ମଧ୍ୟକୁ ଗଲେ ଓ ଗୁହକ ନାମକ ଶବରରାଜ ସହିତ ମିତ୍ରତା ସୂତ୍ରରେ ବନ୍ଧା ହେଲେ ।
୭୫ଶ ପଦ :- ରାମଚନ୍ଦ୍ର ମୃଗାଦି ପଶୁଙ୍କଠାରେ ଯମ ପ୍ରାୟ ନାଶକର୍ତ୍ତା ହୋଇ ପୁରକୁ ବାହୁଡ଼ିଲେ । ଶ୍ରାଦ୍ଧବିଧି ଶେଷ ହୁଅନ୍ତେ ମିଥିଳାରାଜ ଜନକ, (ଶ୍ରାଦ୍ଧ ପାଇଁ ନିମନ୍ତ୍ରିତ ହୋଇ ଆସିଥିବା) ସ୍ୱଦେଶ ବିଦେହକୁ ଗମନ କଲେ । କିମ୍ବା ରାମଚନ୍ଦ୍ର ଯମ ସଦୃଶ ପର୍ବତରେ ବିହାରି କରି ଜୀବମାନଙ୍କୁ ‘ବିଦେହ’ ବିନାଶ କରି ସେଠାରୁ ବାହୁଡ଼ି ଆସନ୍ତେ ‘ଜନକ’ ପିତା ଦଶରଥ ଶ୍ରାଦ୍ଧ କର୍ମ ସମାପନ କଲେ ।
ବିଲୋକନ ଅର୍ଥରେ ଭରତ ଶତ୍ରୁଘନ ।ବପ୍ତା କୈକେୟୀର ନିଆଇଲେ ତୋଷମନ ଯେ । ୭୬।ବାସିତା-ସୀତାଙ୍କୁ ଘେନି ତ୍ରିକାଳ ବଞ୍ଚନ ।ବିଭରତି ଦିଗନ୍ତରେ କଳକଣ୍ଠ ସ୍ୱନ ଯେ । ୭୭।ବିରୋଚନ ସୁଖ ଦାନ ଦରଶନ କରେ ।ବନେ କେଳିକୃତ ଚିତ୍ତ ଆଦର ନିଶାରେ ଯେ । ୭୮।ବିଗ୍ରହୁ ସୀତାର ଜାତ ହିମ ଜଡ଼େ ଉଷ୍ମ ।ବସନ୍ତ ଗ୍ରୀଷମେ ଅତି ଶୀତଳ ତ ବର୍ଷ୍ମ ଯେ । ୭୯।ବରଷା ଶରଦେ ଦୁଇ ମତ ଥାଇ ବହି ।ବିଦଗ୍ଧହେମାଙ୍ଗୀ ଗନ୍ଧସାରବାସୀ ସେହି ଯେ । ୮୦।୭୬ଶ ପଦ :- ବପ୍ତା-ପିତା ।୭୬ଶ ପଦ :- କୈକେୟୀଙ୍କ ପିତା ଭରତ ଶତ୍ରୁଘ୍ନ ଦୁଇଭାଇଙ୍କି ଦେଖିବା ନିମିତ୍ତ ଆନନ୍ଦ ମନରେ ନିଜ ନଗରକୁ ଘେନାଇ ଗଲେ ।୭୭ଶ ପଦ :- ବାସିତା-ସୌରଭାନିତା, ଗୃହିଣୀ, ବସ୍ତ୍ରାଚ୍ଛାଦିତା । କଳକଣ୍ଠ-କୋକିଳ, ମୟୂର ବା ହଂସ, କପୋତ ।
୭୭ଶ ପଦ :- ‘କଳକଣ୍ଠ’ କୋକିଳ ସ୍ୱନ ସର୍ବଦିଗରେ ପୂରିଥିଲା, ଏପରି ଯେ ବସନ୍ତକାଳ; ‘କଳକଣ୍ଠ’ ହଂସମାନଙ୍କର ସ୍ୱନରେ ସର୍ବଦିଗ ପୂର୍ଣ୍ଣ ହୋଇଥିଲା, ଏପରି ଯେ ବର୍ଷାକାଳ ଏବଂ କଳକଣ୍ଠ ପାରାମାନଙ୍କ ସ୍ୱନରେ ଦିଗସମୂହ ପରିପୂର୍ଣ୍ଣ ହୋଇଥିଲା, ଏପରି ଯେ ଶୀତକାଳ- ଏହି ତିନିକାଳ ଶ୍ରୀରାମଚନ୍ଦ୍ର ଯୋଜନାଗନ୍ଧା ସୀତାଙ୍କ ସହିତ ବିହାର କଲେ ।
୭୮ଶ ପଦ :- ବିରୋଚନ-ଚନ୍ଦ୍ର, ସୂର୍ଯ୍ୟ, ଅଗ୍ନି । ବନ-ଜଳ, ଅରଣ୍ୟ, ଗୃହ । ନିଶା-ହଳଦୀ, ରାତ୍ରି, ରେଜାଇ ।
୭୮ଶ ପଦ :- ‘ବିରୋଚନ’ ଚନ୍ଦ୍ର ଦର୍ଶନରେ ଦର୍ଶକକୁ ସୁଖ ଦାନକରେ, ଏପରି ଯେ ବସନ୍ତକାଳ; ‘ବିରୋଚନ’ ସୂର୍ଯ୍ୟ ଦର୍ଶନ କରିବାରେ ଯେଉଁ ସୁଖ, ତାକୁ ଦାନ ଅର୍ଥାତ୍ ଛେଦନ କରେ (ଆକାଶ ମେଘାଚ୍ଛନ୍ନ ଥିବାରୁ ସୂର୍ଯ୍ୟ ଦର୍ଶନ ହୁଏ ନାହିଁ) ଏପରି ସେ ବର୍ଷାକାଳ ଏବଂ ‘ବିରୋଚନ’ ଅଗ୍ନି ଦର୍ଶନରେ ସୁଖ ପ୍ରାପ୍ତ ହୁଏ, ଏପରି ଯେ ଶୀତାକାଳ; ପୁଣି ଉପବନରେ କେଳି କରିବାକୁ ମାନସ ହୁଏ, ନିଶାରେ ହଳଦୀରେ ଆଦର କରାଏ, ଏପରି ଯେ ବସନ୍ତକାଳ; ଜଳରେ ନୌକାଦିରେ ବିହାରି କରିବାକୁ ଇଚ୍ଛା ହୁଏ, ରାତ୍ରରେ ସୁଖ ପ୍ରଦାନ କରେ, ଏପରି ଯେ ବର୍ଷାକାଳ; ପୁଣି ଗୃହରେ କ୍ରୀଡ଼ା କରିବାକୁ ଚିତ୍ତ ବଳେ, ‘ନିଶାରେ’ ତୁଳା ଶେଯରେ ଆଦର କରାଏ, ଏପରି ଯେ ଶୀତକାଳ- ଏହି ତିନିକାଳ ରାମଚନ୍ଦ୍ର ସୀତାଙ୍କ ସହିତ ବିହାର କଲେ ।
୭୯ଶ ପଦ :- ବିଗ୍ରହ-ଦେହ ।୮୦ଶ ପଦ :- ଜଡ଼-ଶୀତକାଳ । ବର୍ଷ୍ମ-ଦେହ ।
୭୯ ଓ ୮୦ଶ ପଦ :- ସୀତାଙ୍କ ଦେହରୁ ହେମନ୍ତ ଓ ଶୀତ ଏ ଦୁଇକାଳରେ ଉଷ୍ମ ଜାତ ହୁଏ, ବସନ୍ତ ଓ ଗ୍ରୀଷ୍ମ ଏ ଦୁଇକାଳରେ ତାଙ୍କ ଦେହ ଅତି ଶୀତଳ ହୋଇଥାଏ ଏବଂ ବର୍ଷା ଓ ଶରତ ଏ ଦୁଇକାଳରେ ଦୁଇମତ ଯଥା- ଉଷ୍ମ ଓ ଶୀତଳ ହୋଇଥାଏ । କାରଣ, ସେ ତପ୍ତସ୍ୱର୍ଣ୍ଣବର୍ଣ୍ଣା (ଏହାଦ୍ୱାରା ଉଷ୍ମତ୍ୱ ସୂଚିତ ହେଲା) ପୁଣି କର୍ପୂର ଓ ଚନ୍ଦନ ସୁବାସିନୀ (ଏହାଦ୍ୱାରା ଶୀତଳତ୍ୱ ପ୍ରକାଶିତ ହେଲା) ଅଟନ୍ତି ।
୮୧ଶ ପଦ :- ଋତୁରେ-ପୁଷ୍ପବତୀ ସମୟରେ ।
୮୧ଶ ପଦ :- ଏହିସବୁ କାରଣ ହେତୁ ସୀତାଙ୍କ ଯୋଗୁଁ ରାମଚନ୍ଦ୍ର ଋତୁମାନଙ୍କ ବ୍ୟାପାର- ଯେଉଁ ଋତୁରେ ଯାହାସବୁ ଦରକାର, ତାହା ଲୋଡ଼ିଲେ ନାହିଁ । କେବଳ ପୁଷ୍ପବତୀ ସମୟରେ ବିରହ ହେତୁ ଯାହା ରାମଚନ୍ଦ୍ର ବ୍ୟଥିତ ହେଉଥିଲେ ।
୮୨ଶ ପଦ :- ବୀରବର ଉପେନ୍ଦ୍ର ଭଞ୍ଜ ବୟାଶୀ ପଦରେ ଏ ରସ କହିଲେ । ହେ ପଣ୍ଡିତମାନେ ! ଏ ସ୍ୱାଦୁରେ ମଜ୍ଜ ।ସପ୍ତଦଶ ଛାନ୍ଦରାଗ-ଧନାଶ୍ରୀ