ତିଷ୍ୟରକ୍ଷିତା-କୁନାଳ — ବିଶ୍ୱନାଥ କର · ସ୍ୱର୍ଣ୍ଣଲିପିଭାରତମୁକୁଟମଣି ଚକ୍ରବର୍ତ୍ତୀ ଅଶୋକ ରାଜର୍ଷି,ଦିଗ୍ବିଦିଗେ ଉଡ଼ାଇଣ ଶାନ୍ତି-ମୈତ୍ରୀ-ସାମ୍ୟ-ଜୈତ୍ରୀ-ବାନା,ତେଜି ମନୁଁ ହିଂସା, ପାପ, ପ୍ରଲୋଭନ କୁବସନାମାନ,କରିଲେ ସେ ଧର୍ମ ଚର୍ଚ୍ଚା, ଜନସେବା ଆଦି ବ୍ରତ ନାନା ।୧।ଇତିହାସ ପୃଷ୍ଠା ତେଣୁ ଦେଲା ପୋଛି ‘‘ଚଣ୍ଡାଶୋକ’’ ନାମ,ପ୍ରଜାତୋଷେ ନିଜକୁ ସେ ବିସର୍ଜ୍ଜିଲେ ତିଳ ତିଳ କରି;ରାମରାଜ୍ୟ ବିରାଜିଲା ଚଉଦିଗେ ଭାରତଭୂମିରେ,‘‘ଦେବପ୍ରିୟ’’ ଉପାଧିରେ ପୂର୍ବଦୋଷ ଗଲା ଅପସରି ।୨।କିନ୍ତୁ ହାୟ ! ବିଧାତାର ବିଡ଼ମ୍ୱନା କେ ପାରିବ କଳି,ଚନ୍ଦନ ପାଦପେ ଅହି, ଅମ୍ୱୁଧିରେ ଦେଲେ ଯେ ଲବର;କଳଙ୍କ ଲିହିଲେ ଚନ୍ଦ୍ରେ, ସୁବାସିତ ଗୋଲାପେ କଣ୍ଟକ,ଗୁଞ୍ଜାସହ ତୁଳାଯୋଗ ସ୍ୱର୍ଣ୍ଣେ ଯେହୁ କଲେ ନିରୂପଣ ।୩।ସ୍ୱୟଂ ବିଷ୍ଣୁ ଅବତରି ରାମ ରୂପ ଏହି ମର୍ତ୍ତ୍ୟଧାମେ,ପତିବ୍ରତା ଅନ୍ତଃସତ୍ତ୍ୱା ପତ୍ନୀତ୍ୟାଗେ ହେଲେ କଳୁଷିତ;ମାନବ ଅଶୋକ ପକ୍ଷେ କଳଙ୍କ କି ହୋଇବ ବିଲୁପ୍ତ ?ସ୍ତୁତି ନିନ୍ଦା ପାପପୁଣ୍ୟେ ସିନା ଏହି ମର୍ତ୍ତ୍ୟ ମୁଖରିତ ।୪।ଯୌବନର ଉଷ୍ଣରକ୍ତେ ଥିଲେ ଧୀର, ଶାନ୍ତ ସିନ୍ଧୁ ସମ,କାମମଦେ ନୋହି ଘାରି- କିନ୍ତୁ ହାୟ ଅଶୋକ ରାଜନ;ପ୍ରାସାଦର ଅସାମାନ୍ୟା ରୂପବତୀ, ସାମାନ୍ୟା ରମଣୀ,ତିଷ୍ୟରକ୍ଷିତାର ପ୍ରେମେ ବୃଦ୍ଧକାଳେ ହୋଇଲେ ମଜ୍ଜନ ।୫।ରୂପେ ଥିଲା ରମ୍ଭାସମ, ଗୌରକାନ୍ତି, ଖଞ୍ଜନନୟନା,କ୍ଷୀଣକଟୀ, କମ୍ୱୁଗ୍ରୀବା, ତନ୍ୱୀ, ସୁଭ୍ରୁ, ଚାରୁଚନ୍ଦ୍ରନନା,ଶିରୀଷକୋମଳଗାତ୍ରୀ, ବିଦ୍ୟୁତ୍ପ୍ରଭା, ପକ୍ୱବିମ୍ୱାଧରୀ,ଆଗୁଳ୍ଫ-ଲମ୍ୱିତ-କେଶା, ଗର୍ଭାଳସା-ମରାଳୀ ଗମନା ।୬।ଅନ୍ତଃପୁର ପରିଚାରୀ ମଦମତ୍ତା ସେ ତିଷ୍ୟରକ୍ଷିତା,ବୀଣାଜିଣା କଣ୍ଠେ ଗାଇ, ଦୋଳାଇଣ ଚାରୁ ଅପଘନ;ଅନ୍ତରେ କପଟ ଭରି, ‘‘ବିଷକୁମ୍ଭ ପୟୋମୁଖ’’ ସମ,କରିଥିଲା କରଗତ ରାଜ୍ୟ ଆଶେ ବୃଦ୍ଧପତି ମନ ।୭।ସେଦିନ ସେ କେଉଁ ଏକ ଦିବସର ଅଶୁଭ ମୁହୂର୍ତ୍ତେ,ଭେଦିଲା ତା ତୀକ୍ଷ୍ମ ଦୃଷ୍ଟି ରାଜପୁତ୍ର କୁନାଳ ଶରୀରେ;ପିତ୍ରାଦେଶେ ଅନ୍ତଃପୁରେ ମାତା ପାଶେ ଅର୍ଘ୍ୟ ଥାଳି ଘେନି,ଚଳିଲେ କୁନାଳ ଯେବେ ସ୍ୱନକ୍ଷତ୍ର ଦିବସେ ସଧୀରେ ।୮।ସୁକୁମାର ରାଜପୁତ୍ର ନ ଜାଣଇ ମାତୃସ୍ନେହ ସ୍ୱାଦ,ପିତୃସ୍ନେହେ ଲାଳିତ ସେ ମାତୃହରା ବାଲ୍ୟକାଳୁଁ ଅତି;ଏକବିଂଶ ବୟସର ପଦାର୍ପଣେ ଅର୍ଘ୍ୟ ଥାଳି ଧରି,ବନ୍ଦି ମାତୃପଦ ଚଳେ ଭକ୍ତିପୂତ ଅନ୍ତରେ ଝଟତି ।୯।ସ୍ୱର୍ଣ୍ଣଜରି ପଟ୍ଟବାସ ପରିଧାନ ଯୁବରାଜ ଆଜ,କେୟୁର କୁଣ୍ଡଳ ମାଳା ସୁଶୋଭିତ ସୁଶ୍ରୀ କଳେବରେ;ଗମ୍ଭୀର ଅମ୍ୱୁଧିସମ, ନିଷ୍କଳଙ୍କ ଚନ୍ଦ୍ର ପ୍ରାୟ ମୁଖ,
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
ଭକ୍ତିପୂତ ଚିତ୍ତେ ମୋଦେ ବନ୍ଦିଲେ ସେ ଜନନୀ ପୟରେ ।୧୦।
କିନ୍ତୁ ହାୟ । ଏକି ହେଲା ଶାନ୍ତି ତିଷ୍ୟରକ୍ଷିତାର ଉରେ,
ଜାଗିଲା ସ୍ପନ୍ଦନ ଆଜି ହୃତ୍କମ୍ପ ତା’ ହେଲା ଅନୁକ୍ଷଣ;
ସମ୍ମୁଖେ ବିଲୋକି ସୁଶ୍ରୀ ଯୁବରାଜ ସୁଲଳିତ ବପୁ,
ଘାରିଲା ଅତନୁ ତନୁ, ଉର୍ଦ୍ଧ୍ୱଶ୍ୱାସ ତେଜିଲା ସଘନ ।୧୧।
ଶ୍ରବଣ ଗହ୍ୱରେ ତାର ପ୍ରବେଶନ୍ତେ ଜନନୀର ଡାକ,
ମୁଦିଲା ସହସା ବେନି କର୍ଣ୍ଣ ତ୍ୱରା ତା’ କର ପଲ୍ଲବେ;
ମାଦକତାପୂର୍ଣ୍ଣ ବକ୍ଷ, କଣ୍ଟକିତ ଅଙ୍ଗଲୋମାବଳୀ,
ଉଠ ଉଠ ବୋଲି କହି ପୁଚ୍ଛିଲା ସେ ଯୁବରାଜେ ଲବେ ।୧୨।
କହ କି କାରଣେ ଆଜି ପ୍ରବେଶିଲ ମୋର ଅନ୍ତଃପୁରେ,
ଉଜ୍ଜ୍ୱଳିଲା ଭବନ ମୋ ଯୁବରାଜ । ତବ ଆଗମନେ;
ନୟନୁଁ ଝରାଇ ଧୀର ଦର ଦର ଆନନ୍ଦ ଲୋତକ,
କୋଳ କଲା ଯୁବରାଜେ ସସ୍ନେହେ ସେ ଆଦ୍ୟ ସନ୍ଦର୍ଶନେ ।୧୩।
ଜୀବନେ ଚାଖିନି ଯେହୁ ମାତୃସ୍ନେହ ଅମିୟ ସୁରସ,
ଜନନୀର କୋଳାଗ୍ରତେ ନିଜକୁ ସେ ମଣେ କୃତକୃତ୍ୟ,
କିନ୍ତୁ ହାୟ ! ମଦମତ୍ତା କାମାତୁରା ସେ ତିଷ୍ୟରକ୍ଷିତା,
ହୃଦ ଅନ୍ତରାଳେ ଏକ ପିଶାଚିନୀ କରୁଥିଲା ନୃତ୍ୟ ।୧୪।
ଆଗମନ ପ୍ରଶ୍ନ ଶୁଣି ଜନନୀର ଶାନ୍ତ ଯୁବରାଜ,
ଉତ୍ତରିଲେ, ଆଜ ମାତ ! ମୋର ଏକବିଂଶତି ବରଷେ;
ସ୍ୱନକ୍ଷତ୍ର ଦିବସରେ ଆଚମିଲି ବନ୍ଦିବାକୁ ପଦ,
ଆଶୀର୍ବାଦ ଦିଅ ବାରେ ଜନନି ! ଏ ସନ୍ତାନେ ହରଷେ ।୧୫।
‘‘ସାମ୍ରାଜ୍ଞୀ ପଦରେ ମୁହିଁ ବିଭୂଷିତା ହୋଇବା ଦିନରୁ,
ନ ପାଇଥିଲି ମୁଁ କେବେ କୁନାଳରେ ! ତୋର ଦରଶନ’’;
ଉତ୍ତରିଲା ରାଜରାଣୀ, - ‘ଆଜ ଦେଖି ତୋ ଚନ୍ଦ୍ରବଦନ,
ମଧୁର ଭାଷଣେ ତୁହି କଲୁ ସିନା ମଧୁ ବରଷଣ ।୧୬।
ଦୀର୍ଘଜୀବୀ ହୁଅ ତୁହି ତୋଷ ମନେ ପାଳ ପ୍ରଜାକୁଳେ,
ପିତୃସମ ଚିଉଦିଗେ ବିରାଜ ତୋ ବିଜୟନିଶାଣ;
ରାଜ୍ୟ ଭୋଗ କର ସୁଖେ ହର୍ଷମନେ ଏ ଧରାମଣ୍ଡଳେ,
ଅମ୍ୱର ଉଡ଼ୁରେ ତୋର ଜୈତ୍ରୀବାନା ଲଭରେ ସମ୍ମାନ ।୧୭।
ମୋହଠାରେ ଏତେ ଯେବେ କୁନାଳରେ ଅଛି ତୋ ଭକତି,
କହି ବାରେ ସ୍ପର୍ଶି ତନୁ ରକ୍ଷା କିରେ କରିବୁ ମୋ କଥା;
ଯେ ମୁହୂର୍ତ୍ତେ ଯେ କାର୍ଯ୍ୟେ ବା ଲୋଡ଼ିବିରେ ସାହାଯ୍ୟ ତୋହର
ଆସିବୁକି ମୋର ପାଶେ ନ କରିଣ ତିଳେ ମନ ବ୍ୟଥା ।୧୮।
ଉତ୍ତରିଲେ ଯୁବରାଜ, ‘‘ଏ ସନ୍ତାନେ ରଖ ମା’’ ବିଶ୍ୱାସ,
ତୁମ୍ଭର ଜଠରୁଁ ମୁହିଁ ଜନ୍ମି ନାହିଁ ନ ଘେନିବ ମନେ;
ପିତାର ସହଧର୍ମିଣୀ ମାତୃରୂପେ ମାନ୍ୟା ଶାସ୍ତ୍ରମତେ,
ନିର୍ବିବାଦେ ତେଣୁ ମାତ ! ରଖିବାକୁ ତୁମ୍ଭର ବଚନେ ।୧୯।
ଶପଥ କରୁଛି ମୁହିଁ ଇନ୍ଦ୍ର, ଚନ୍ଦ୍ର, ସୂର୍ଯ୍ୟ କରି ସାକ୍ଷୀ,
ଇଚ୍ଛା ଅନୁସାରେ ତବ ନିୟୋଜିବି ଏ ମୋର ପରାଣ;
କୁହ କୁହ ଜନନି ଗୋ ତେଜି ମନୁଁ ଶଙ୍କା ଲଜ୍ଜା ବାରେ,
ପୁତ୍ର ପାଶେ ଜନନୀର ଭିକ୍ଷା କିବା, ଦାବୀ ବୋଲି ଜାଣ ।୨୦।
ଅନ୍ତରର ଦୁର୍ବାସନା ବକ୍ଷ ତଳେ ଚାପି ସେ ରମଣୀ,
କୁନାଳ ପ୍ରଶସ୍ତ ଭାଲେ ସସଂଭ୍ରମେ ଦେଲା ଜୟଟୀକା;
ଦୁର୍ବାକ୍ଷତ ଦେଲା ବିଂଚି ଯୁବରାଜ କୁନାଳ ମସ୍ତକେ,
କିନ୍ତୁ ତାର ହୃଦ ହେଲା ଯୁବରାଜ ରୂପରାଜ୍ୟେ ବିକା ।୨୧।
ଯୁବରାଜ ବାହୁଡ଼ନ୍ତେ ଅନ୍ତଃପୁରୁଁ ସସ୍ମିତ ବଦନେ,
ଜନନୀର ଜୟଟୀକା ସୁଶୋଭିତ ଚାରୁ ଭାଲଦେଶେ;
ଅନ୍ତଃପୁର ନାରୀବର୍ଗ ବାଇ ମନ୍ଦ୍ରେ ଜୟଶଙ୍ଖ ମୋଦେ,
ସମ୍ୱର୍ଦ୍ଧିଲେ ଯୁବରାଜେ ପୁଷ୍ପାଞ୍ଜଳି ଅରପିଣ ଶେଷେ ।୨୨।
ଏକଦିଗେ ଯୁବରାଜ ପୁଲକିତବକ୍ଷ ମାତୃସ୍ନେହେ,
ହର୍ଷମୁଖ ଲଭି ଆଜ ଜନନୀର ଅମିୟ ଆଶ୍ଳେଷ;
କିନ୍ତୁ ହାୟ ! ଅନ୍ୟଦିଗେ ମଦମତ୍ତା ତିଷ୍ୟରକ୍ଷିତାର,
ପ୍ରକମ୍ପିତ ଅପଘନ ଉଜ୍ଜୀବିତ ତା’ର କାମକ୍ଳେଶ ।୨୩।
ବହିଲା ପ୍ରଖର ଝଞ୍ଜା ନାସାପୁଟୁଁ,ହେଲା ଅଚେତନ,
ଯୌବନ ସଞ୍ଚାର କାଳୁ ଏଲଭି ଆଜି ଆଶ୍ଲଷ ମଧୁର;
ବୃଦ୍ଧ ପତି ବରିଥିଲା ଧନ, ରାଜ୍ୟ ପ୍ରଲୋଭନେ ସିନା,
ନବ ଯଉବନୀ ବାଳା ପ୍ରାଣ ଥିଲା ପ୍ରଣୟ-ବିଧୁର ।୨୪।
ବାର୍ଦ୍ଧକ୍ୟ ଗ୍ରାସିତ ଅଙ୍ଗ ଅଶୋକ ସେ ଧର୍ମେ କର୍ମେ ମନ,
ନେଇଥିଲା କାଳ ହରି କଳେବର ମଧୁର ସୁଷମା;
ପତ୍ନୀ ବିରହ ମୋଚନ ବରିଥିଲେ ତିଷ୍ୟରକ୍ଷିତାରେ,
ଥିଲା ସୁଶ୍ରୀ ତନ୍ୱୀ ବାଳା କିନ୍ତୁ ହାୟ ବୟସେ ଅସମା ।୨୫।
ଯୌବନ ଆହ୍ୱାନେ ସଦା ଯୌବନରେ, ନ ଲୋଡ଼େ ସମ୍ପଦ,
ନଲୋଡ଼େ ସେ ରାଜ୍ୟ ଖ୍ୟାତି, ପରଶଂସା ଅବା ଗତି ମୁକ୍ତି;
ଅଦମ୍ୟ ବାସନା ତାର କରିବାକୁ ପୂର୍ଣ୍ଣ ମନସାଧ,
ନିର୍ଭୟେ ରଚଇ ଗତି ନିର୍ବିକାରେ, ନ ଶୁଣେ କା’ ଉକ୍ତି ।୨୬।
ଏକେତ ଅଟଇ ନାରୀ, ନାହିଁ ତା’ର ଧର୍ମାଧର୍ମ ଜ୍ଞାନ,
ଦୁଜେ ସେ ପୂର୍ଣ୍ଣଯୌବନା ମେଣ୍ଟିନାହିଁ ଯୌବନ ପିପାସା;
ତୃତୀୟେ ବର୍ଣ୍ଣସଙ୍କରା, ନୀଚଜନ୍ମା ସମ୍ରାଟ ପ୍ରେୟସୀ,
ଅସାଧ୍ୟ ତା ପକ୍ଷେ କିବା ମେଣ୍ଟାଇବା ଲାଗି ହୃଦଆଶା ।୨୭।
ବିବେକ ଅଙ୍କୁଶ ତା’ର ନ ପାରିଲା, ନ ପାରିଲା ରୋଧି,
ମଦମତ୍ତ କରୀ ପ୍ରାୟ ତାହାର ସେ କାମମତ୍ତ ମନ;
ପାପ ନିନ୍ଦା ଅପବାଦ ଶିରେ ଥାପି ଚରଣ ସଗର୍ବେ,
ପଦ୍ମବନେ ହସ୍ତୀ ଯଥା ପଦଚାପେ କରେ ବିଧ୍ୱଂସନ ।୨୮।
ଝର ଝର ଅଶ୍ରୁପାତେ ତିନ୍ତିଲା ତା’ ପିନ୍ଧିଲାବସନ,
ଉନ୍ନତ କନକ ବକ୍ଷ; ଦୀର୍ଘଶ୍ୱାସେ କମ୍ପିଲା ସଘନେ;
ପ୍ରଶାନ୍ତ ଉରସେ ତା’ର ଖେଳିଗଲା ଉତ୍ତାଳ ତରଙ୍ଗ,
ଯୁବା-ଅଶ୍ଳେଷ-ଉଷ୍ଣତା ଉପଲବ୍ଧି କଲା ଆଜି ମନେ ।୨୯।
ଭାରତ ସାମ୍ରାଜ୍ଞୀ ରୂପେ ଗର୍ବପର୍ବତର ଶିଖ ଦେଶେ,
ପଦ ରଖି ବିଚରଣ କରୁଥିଲା ଯେ ତିଷ୍ୟରକ୍ଷିତା;
ଜାଗିଲା ଜାଗିଲା ଆଜି ଅନ୍ତରେ ତା’ ଯୌବନଲାଳସା,
ନିଜକୁ ମଣିଲା ଏବେ ଦୀନା ହୀନା ଅବା ଉପେକ୍ଷିତା ।୩୦।
ପବିତ୍ର ସେ ମାତୃସେହେ ଦ୍ୱାହି ଦେଇ କୁନାଳ ଅନ୍ତରେ,
ଜଗାଇଣ ମାତୃଭକ୍ତି ବାଲ୍ୟକାଳୁଁ ଥିଲା ଯାହା ଶୂନ୍ୟ;
ଅନ୍ତସ୍ଥଳେ ରଖି ଏକ ଭୟାବହ ଦୁର୍ବହ ବାସନା,
ନ ବିଚାରି ତିଳେ ହେଲେ ନର୍କ, ସ୍ୱର୍ଗ ଅବା ପାପପୁଣ୍ୟ ।୩୧।
ରହିଲା ମଉନ ପୁରେ ଖୋଜି ଏକ ସୁବର୍ଣ୍ଣ ସୁଯୋଗ,
ଭେଟିବାକୁ ଏକାକିନୀ ରାଜପୁତ୍ରେ ମଧୁର ଲଗନେ;
ମେଣ୍ଟାଇବା ଆଶେ ତା’ର ଅନ୍ତରର ଅଦମ୍ୟ ବାସନା,
ଶୟନେ ସ୍ୱପନେ ଅବା ଜାଗରଣେ ଅଙ୍ଗ ଶିହରଣେ ।୩୨।
‘‘କାଳର କୁଟିଳା ଗତି’’ ପାରେ କି କେ କେବେ ତାକୁ ରୋଧି,
ପଡ଼ିଲା ମାହେନ୍ଦ୍ରବେଳା ଆଜି ଅବା ତିଷ୍ୟରକ୍ଷିତାର;
ବୈଶାଖ ପୂର୍ଣ୍ଣିମା ଯୋଗେ ଦରଶନେ ବୁଦ୍ଧ ଶ୍ରୀଚରଣେ,
ଗମିଲେ ଅଶୋକ ହର୍ଷେ, ଲୁମ୍ୱିନିକୁ ଦେଖି ଶୁଭ ବାର ।୩୩।
ସଙ୍ଗେ ଯିବା ଲାଗି ଯେବେ ଲୁମ୍ୱିନିକୁ ପୁଚ୍ଛିଲେ ଅଶୋକ,
ତିଷ୍ୟରକ୍ଷିତାକୁ ସ୍ନେହେ, ସହସା ସେ ଅଶ୍ରୁଳନୟନେ;
ଉତ୍ତରିଲା କପଟତା ଆଚରିଣ ଅନ୍ତରେ ରମଣୀ,
‘‘ଅସୁସ୍ଥ ଶରୀରେ କାନ୍ତ ! ସଙ୍ଗେ ତବ ଗମିବି କେସନେ’’ । ୩୪।
ସାମନ୍ତ ଗହଣେ ହର୍ଷେ ଶୁଦ୍ଧମନେ ଲୁମ୍ୱିନି ଉଦ୍ୟାନେ,
ଚଳିଲେ ଅଶୋକ ଯେବେ ବନ୍ଦିବାକୁ ବୁଦ୍ଧ ଶ୍ରୀଚରଣ;
ଯୁବରାଜ କୁନାଳ ସେ ପିତ୍ରାଦେଶେ ରାଜ୍ୟ ରକ୍ଷାଲାଗି,
ରହିଲେ ପାଟଳୀପୁତ୍ରେ ଦାୟିତ୍ୱରେ କରିଣ ବରଣ ।୩୫।
କିନ୍ତୁ ହାୟ ! ଏ ସମୟେ ପିଶାଚିନି ତିଷ୍ୟରକ୍ଷିତାର,
ବୃଦ୍ଧିହେଲା ଦୁର୍ବାସନା ବର୍ଷାକାଳ ତଟିନୀ ପରାୟ;
ନିର୍ଭୟ ମାନସେ ରାଜସିଂହାସନେ ହୋଇ ଉପବିଷ୍ଟା,
ଯୁବରାଜ ଅଙ୍ଗ ସଙ୍ଗ ବାସନାରେ ହେଲା କ୍ଷୀଣକାୟ ।୩୬।
ବୈଶାଖ ପୂର୍ଣ୍ଣିମା ରାତ୍ରି, ଚଉଦିଗ ଜ୍ୟୋତ୍ସା-ପୁଲକିତ,
ସଜ ବନମଲ୍ଲି ଫୁଲେ ସୁବାସିତ ଭବନ ଭୂବନ;
କି ଅବା ପ୍ରକୃତିରାଣୀ ଶୁକ୍ଳବାସ ପିନ୍ଧିଣ ସରାଗେ,
ମୁକ୍ତା ଆଭୂଷଣ ଘେନି ଅଙ୍ଗେ, ରଙ୍ଗେ କରେ ବିଚରଣ ।୩୭।
ବାସିତ ପନୀର ଜଳେ ସାୟଂସ୍ନାନ ରଚି ରାଜରାଣୀ,
କସ୍ତୁରୀ କୁଙ୍କୁମ ଚିତ୍ରେ ଭାଲପଟ କରିଣ ଚିତ୍ରିତ;
ଚତୁଃସମ ବିଲେପନେ ଅଙ୍ଗ କରି ସୁବାସ ମଧୁର,
ରଚାଇଲା ପୁଷ୍ପଶଯ୍ୟା ହୃଷ୍ଟମନେ ହୋଇ ଉତ୍କଣ୍ଠିତ ।୩୮।
ସେ ଦିନ ପ୍ରମୋଦବନେ ସାନ୍ଧ୍ୟକାଳେ କୁନାଳ ହରଷେ,
ଭ୍ରମୁଥିଲେ ନିରେଖିଣ ପ୍ରକୃତିର ଅପରୂପ ଶୋଭା;
ମଳୟ ଝଙ୍କାର ସାଥେ ଅଳିର ସେ ମଧୁ ଗୁଂଜରଣ,
କୁମୁଦିନୀ ମୁଖୁଁ ମଧୁ ଆହରଣ ଦୃଶ୍ୟ ମନଲୋଭା ।୩୯।
ପ୍ରାସାଦ ଗବାକ୍ଷ ଭେଦି ତୀକ୍ଷ୍ଣ ଦୃଷ୍ଟି ତିଷ୍ୟରକ୍ଷିତାର,
ପଡ଼ିଲା କୁନାଳ ଅଂଗେ ସହସା ସେ ପଡ଼ିଲା ଚମକି;
ଉଜ୍ଜୀବିତ ହେଲା ତାର ସେ ଦିନର ସୁପ୍ତ ଯେ ବାସନା,
ଦୂରେ ରାଜା, -ମଧୁରାତ୍ରି -ବକ୍ଷ ତାର ଉଠିଲା ଦମକି ।୪୦।
ଅନ୍ତଃପୁର ପରିଚାରୀ ଦେଲା ବାର୍ତ୍ତା ଆସି ଯୁବରାଜେ,
ରାଜକାର୍ଯ୍ୟେ ମହାରାଣୀ ଲୋଡ଼ିଛନ୍ତି ସାହାଯ୍ୟ ତୁରିତ;
ପ୍ରମଦା-ପ୍ରମୋଦ-ବନେ ରହିଛନ୍ତି ଅସୁସ୍ଥ ଶରୀରେ,
ଆସନ୍ନବିପଦେ ଯେଣୁ ହୃଦ ତାଙ୍କ ଆଶଙ୍କା-ପୂରିତ ।୪୧।
ଜନନୀର ଅସୁସ୍ଥତା ଯୁବରାଜ ଶ୍ରବଣେ ସହସା,
ପ୍ରମଦା-ପ୍ରମୋଦ-ବନେ ପ୍ରବେଶିଲେ ପ୍ରକ୍ଷିପ୍ତ ମାନସେ;
ସତୃଷ୍ଣନୟନେ ରାଣୀ ଯୁବରାଜ ଆଗମନପଥେ,
ଚାହିଁ ଥିଲେ ନିର୍ନିମେଷ ନୟନେ ସେ ଉଦ୍ୟାନେ ହରଷେ ।୪୨।
ପୁଚ୍ଛିଲେ କୁନାଳ ଧୀରେ ତ୍ରସ୍ତମନେ ସଂତ୍ରସ୍ତହୃଦୟେ,
‘‘କୁହ ମାତ । କିବା କାର୍ଯ୍ୟେ ପ୍ରୟୋଜନ ଏ ଅଧମ ତବ;
ଉତ୍ତରିଲେ ମୃଦୁ ହସ ଅନ୍ତସ୍ତଳେ ଚାପି ରାଜରାଣୀ,
‘‘ପାଉଛି ପାଉଛି ମୁହିଁ ବକ୍ଷେ ମମ ବ୍ୟଥା ଅଭିନବ ।୪୩।
କିପରି ବଞ୍ଚିବି ଦିନେ ଅନ୍ତଃପୁରୁଁ ରାଜାଛନ୍ତି ଦୂରେ,
ଜ୍ୟୋତ୍ସ୍ନାପୁଲକିତ ରାତ୍ରି ଦୁର୍ବିସହ ବ୍ୟଥା ପାଏ ବକ୍ଷେ;
ଏକାକିନୀ ସିନା ମୁହିଁ ଉପବନେ ବସିଛି ମଉନେ,
ସୁକୋମଳ ପୁଷ୍ପଶଯ୍ୟା କଣ୍ଟକିତ ଆଜି ମୋର ପକ୍ଷେ’’ ।୪୪।
ରମଣୀର ମାୟାଜାଲ ନ ପାରିଲା ବୁଝି ସେ କୁନାଳ,
ଶ୍ଳେଷବାକ୍ୟେ ନ ପାରିଲେ ତିଳେହେଲେ ମର୍ମସ୍ଥଳେ ହେଜି;
ତିଷ୍ୟରକ୍ଷିତାର ପଦେ ସସଂଭ୍ରମେ ଚାଳି ବେନି କର,
କରିଲେ ଚରଣ ସେବା ଯୁବରାଜ ଅହଂଭାବ ତେଜି ।୪୫।
ପୂର୍ଣ୍ଣିମା ନିଶିଥ ସେ ଯେ ଚଉଦିଗ ମଂଜୁଳ ବଂଜୁଳ-
ସୁବାସେ ମହକେ ମହୀ, ମଳୟରେ ଉଉଳେ ମୁଲକ;
ବନମଲ୍ଲୀ ଫୁଲ ଶେଟ ସୁବାସିତ ଜଳେ ଅଛି ସିକ୍ତ,
ଯୁବରାଜ କର ସ୍ପର୍ଶ- ରାଣୀ ଅଙ୍ଗେ ଜାଗିଲା ପୁଲକ ।୪୬।
ନିର୍ବିକାର ଚିତ୍ତେ ଯେବେ ଯୁବରାଜ ରାଣୀପଦସେବା,
କରୁଥିଲେ ଅକୁଣ୍ଠିତେ ମାତୃସମ ମଣି ନିଜ ମନେ;
ଆଚମ୍ୱିତେ ତେଜି ଶଯ୍ୟା, ମଦମତ୍ତେ ସେ ତିଷ୍ୟରକ୍ଷିତା,
ଆଲିଙ୍ଗିଲା ଯୁବରାଜେ ଗାଢ଼ତର ବାହୁର ବଂଧନେ ।୪୭।
ବକ୍ଷେ ବକ୍ଷେ ଥାପି ବାଳା ଭୁଜେ ଭୁଜ ଦେଇ ଦୃଢ଼େ ଛନ୍ଦି,
ମଦୋନ୍ମତ୍ତାସମ ଚୁମ୍ୱି ଯୁବରାଜ ପୂର୍ଣ୍ଣଚନ୍ଦ୍ରାନନ;
ସ୍ୱେଦ, କମ୍ପ, ରୋମାଞ୍ଚରେ ଜର୍ଜରିତ ହେଲା ତାର ତନୁ,
ହୋଇଗଲା ସ୍ୱରଭଙ୍ଗ, କମ୍ପିଗଲା ତା’ର ଅପଘନ ।୪୮।
ବିବର୍ଣ୍ଣ ହୋଇଲା କାନ୍ତି, ଅଶ୍ରୁଧାରା ସ୍ରବିଲା ନୟନୁଁ,
ହଜାଇଲା ଆତ୍ମଜ୍ଞାନ, ହରାଇଲା ବିବେକଚେତନା;
ପୁଷ୍ପଶଯ୍ୟା ପରେ ଭିଡ଼ି ନିବିଡ଼େ ସେ ଯୁବରାଜ ତନୁ,
ଆକୁଳପରାଣେ କଲା ସହସା ସେ ପ୍ରଣୟ ଯାଚନା ।୪୯।
ହେଲେ ତ୍ରସ୍ତ ଯୁବରାଜ ଫେରିବାକୁ ସେ ବାହୁବଂଧନେ,
ଲୌହର ଶୃଙ୍ଖଳ ସମ ସୁଦୃଢ଼ ସେ ହେଲା ଅସମ୍ଭବ;
ଜନନୀ କରଇ ଭିକ୍ଷା ପୁତ୍ର ପାଶେ ପାଶବିକ ପ୍ରେମ ।
ଏ କି ବିଡ଼ମ୍ବନା ଆଜ ଅବା ସୃଷ୍ଟିମାନେ ପରାଭବ ? ।୫୦।
ନିବିଡ଼ ବନ୍ଧନେ ରାଣୀ ବିସ୍ମରିଣ କୁଳ ମାନ ଲଜ୍ଜା,
ଆଲିଙ୍ଗିଣ ଯୁବରାଜେ ଉଚ୍ଚାରିଲେ ଆକୁଳ ଅନ୍ତରେ;
‘‘ନ ପାରୁକି ବୁଝି ତୁରେ ମୋ ହୃଦର କରୁଣ ଆହ୍ୱାନ,
ଦୀକ୍ଷିତ ନୋହୁ କି ତୁହି ଉଚ୍ଚାଟ ସେ ପ୍ରଣୟ-ମନ୍ତରେ ।୫୧।
ନୁହେଁ ତୋର ଗର୍ଭଧାରୀ ଜନନୀ ସୁଁ, ଦେଖି ନାହିଁ କେବେ,
ସନ୍ତାନ ଦୃଷ୍ଟିରେ ତୋତେ କହ କହ ହୃଦଖୋଲି ଥରେ;
ପାରିବୁକି ପୂର୍ଣ୍ଣକରି ଆଜି ମୋର ଶୂନ୍ୟ ଭିକ୍ଷାଥାଳ,
ଅର୍ଦ୍ଧମୃତା ସିନା ମୁହିଁ ଯୌବନର ତୀବ୍ର ଆଘାତରେ ।୫୨।
ଯେ ଦିନ ଦେଖିଲି ନେତ୍ରେ ସୁଶ୍ରୀ ଅଙ୍ଗ ତୋର ଅନ୍ତଃପୁରେ,
ଅଙ୍ଗେ ମୋ ଅନଙ୍ଗ ବାଣ ପଡ଼ିଲାରେ ଅକସ୍ମାତେ ଖସି;
କେତେ ଯେ ବିନିଦ୍ର ନିଶି ପୁହାଇଛି ମୁଞ୍ଚି ଉଷ୍ଣ ନୀର,
ମାନସପଟଳେ ତୋର ପ୍ରତିକୃତି ଭାଳିଛିରେ ବସି ।୫୩।
ଦୁର୍ବାର ବାସନା ମୋର ପରିପୂର୍ଣ୍ଣ କର ରେ କୁନାଳ !
ନୁହେଁ ଦୋଷ, ନର୍କଭୋଗ ମେଣ୍ଟାଇଲେ ମଦୋନ୍ମତ୍ତା ଆଶା;
‘‘ମାତା ଶବ୍ଦ ପରିହରି ମାତ ଆଜି ମଦନ ଆହବେ,
ଶିଥିଳ ନକରି ବାହୁ ଭିଡ଼ି ବକ୍ଷେ କହ ମଞ୍ଜୁଭାଷା’’ ।୫୪।
ବହୁ ଦମ୍ଭେ ଚାପିରଖି ଦୁର୍ବିସହ ହୃଦୟ-ସ୍ପନ୍ଦନେ,
ତିଷ୍ୟରକ୍ଷିତା କବଳୁଁ କୁନାଳ ସେ ହୋଇଲେକ ମୁକ୍ତ;
ଦୂରେ ଅପସରି ନମ୍ରେ, ଯୋଡ଼ିକର ପୁଚ୍ଛିଲେ, ଜନନି !
‘‘ସନ୍ତାନ ପକ୍ଷର ତବ ଏହି କର୍ମ, କିବା ଯୁକ୍ତିଯୁକ୍ତ ? ।୫୫।
ଜନନୀର ଶୁଭ୍ରାସନେ ବସାଇଛି କେତେ ଗଉରବେ,
ଅଟେ ବାଲ୍ୟକାଳୁଁ ଯେଣୁ ମାତୃହରା ଦୀନ ଅକିଂଚନ;
ଥିଲା ଆଶା ପୂର୍ଣ୍ଣହେବ ସେ ବାସନା ତୁମ୍ଭରି ନିକଟେ,
ମାତୃସ୍ନେହ ବାରି ହେବ ହତଭାଗ୍ୟ ଶରୀରେ ସିଂଚନ ।୫୬।
କିନ୍ତୁ ହାୟ ! ଦୁର୍ଭାଗ୍ୟ ମୋ ସନ୍ତାନରେ ମାଗଇ ଜନନୀ,
ପାଶବିକ ପ୍ରେମ ଭିକ୍ଷା ଅସମ୍ଭବ ଏ ମୋହର ପକ୍ଷେ;
ପୁରିତ ଜନନୀ ବକ୍ଷ ସନ୍ତାନର ସ୍ତନ୍ୟପାନ ଲାଗି,
କିନ୍ତୁ ମାତ ! ହଳାହଳ ପୂରିତ କି ଏ ତୁମର ବକ୍ଷେ ?’’ ।୫୭।
ଭାଜିଗଲା ତନ୍ମୟତା, ହଜିଗଲା ହୃଦୟବାସନା,
ଆବେଗେ ବାତୁଳୀ ପ୍ରାୟେ ରାଜରାଣୀ ପୁଚ୍ଛିଲା କୁନାଳେ;
‘‘ପ୍ରେମଧନେ ତୁମେ ଧନୀ କିନ୍ତୁ ମୋର ଶୂନ୍ୟ ପ୍ରେମଥାଳ-
କିବା ପ୍ରୟୋଜନତା’ରେ ଯୋନ ବୁଝେ ଆର୍ତ୍ତୀର କଟାଳେ’’ ।୫୮।
‘‘ସନ୍ତାନ ସେନେହେ ଆଗେ ଭରିଦିଅ ତୁମର ସେ ବକ୍ଷ,
ମାତୃସ୍ନେହ ଧନେ ତୁମେ ପରିପୂର୍ଣ୍ଣ । ସିନ୍ଧୁସୂତାସମ;
କିନ୍ତୁ ମୋର ଆର୍ତ୍ତନାଦ ନ ଶୁଣୁଛ ବଧିର ପରାୟ,
ବାହୁଡ଼ାଇ ଦିଅ ପୂତ୍ରେ ବହୁ ଦୂରେ ହୋଇ ନିରିମମ’’ ।୫୯।
ପ୍ରମଦା-ପ୍ରମୋଦ-ବନୁଁ କ୍ଷିପ୍ରଗତି କରି ଯୁବରାଜ,
ବାହୁଡ଼ିଲେ ପ୍ରଣମିଣ ନତଶିରେ ଜନନୀ ପୟରେ;
ମାନସେ ନ ବହି ତଳେ ରାଜରାଣୀ ପରେ କ୍ରୋଧଭାବ,
ମଉନେ ଭାଳିଲେ ବସି ସାରାନିଶି ରହି ଉଜାଗରେ ।୬୦।
ଫୁତ୍କାରି ସର୍ପିଣୀସମ ମଦମତ୍ତା ମଦନବିହ୍ୱଳା,
ଅପୂର୍ଣ୍ଣ କାମନା ଯେଣୁ କୁନାଳର ଶାନ୍ତି ଆଚରଣେ;
ଦନ୍ତ ଚାପି, ଭିଡି ମୁଷ୍ଟି କରିଲା ସେ ଅଟଳ ପ୍ରତିଜ୍ଞା,
କଉଶଳେ ଯୁବରାଜ କୁନାଳର ଅନିଷ୍ଟ ସାଧନେ ।୬୧।
ଦିନ ପରେ ଦିନ ଆହା ଯାଏ ରହି ଜଳସ୍ରୋତ ସମ,
ପୁଣ୍ୟାତ୍ମା ଦିଅଇ ପୋଛି ଆନ ଦୋଷ ଧୀରେ ଧୀରେ ମନୁଁ;
କିନ୍ତୁ ଅପରାଧୀ ପକ୍ଷେ ଦୁର୍ଦ୍ଦିନ ଯେ ମାଡ଼ିଆସେ ବେଗେ,
ଅଜଣା ଆଶଙ୍କା କାହୁଁ କଂପାଇଣ ଦିଏ ତା’ର ତନୁ ।୬୨।
ରାଣୀ ଯୁବରାଜ ପକ୍ଷେ ପୂର୍ଣ୍ଣମୀ ସେ କାଳରାତ୍ରି ସିନା,
କିନ୍ତୁ ଦେଲା ମନୁଁ ପୋଛି କୁନାଳ ସେ କାଳିମା ବହନ;
ତିଷ୍ୟରକ୍ଷୀତାର ପକ୍ଷେ ବେଳୁଁ ବେଳ ହେଲା ଦୁର୍ବିସହ,
ଯୁବରାଜ ପ୍ରତ୍ୟାଖ୍ୟାନ ଅପମାନ ଲଭିଲା ଯୌବନ ।୬୩।
ବାହୁଡ଼ିଲେ ମହାରାଜ ବୃଦ୍ଧ ପଦ କରିଣ ବନ୍ଦନ,
ସୁଦୂର ଲୁମ୍ବିନି ପ୍ରାନ୍ତୁଁ, ଆଣିଥିଲେ ମଣିମୁକ୍ତାମାଳ;
ପିନ୍ଧାଇଲେ ହର୍ଷଭରେ ପ୍ରିୟା ତିଷ୍ୟରକ୍ଷିତାର ଗଳେ,
କିନ୍ତୁ ଏ କି ଅଘଟଣ ! ମହାରାଣୀ ନେତ୍ରେ ନୀରଧାର ? ।୬୪।
ବିଷାଦ କାରଣ ପୁଚ୍ଛି ସ୍ନେହଭରେ କରି କୋଳାଗ୍ରତ,
ପୁଚ୍ଛନ୍ତେ ଥରକୁ ଥର, ସୁଚତୁରୀ ହୋଇଣ ବିବଶ;
ଝରାଇ କପଟଅଶ୍ରୁ କୁହୁକିନୀ ଦର ଦର ନେତ୍ରୁଁ,
ଆକର୍ଷିଲା ଅନାୟାସେ ମହାରାଜ ଅଶୋକ ମାନସ ।୬୫।
ନିବେଦିଲା ଦୁଃଖ ତା’ର ବାରମ୍ବାର ଉଠାଇଣ କୋହ,
ମୁକ୍ତାବିନ୍ଦୁସମ ବହି ଅଶ୍ରୁବିନ୍ଦୁ ପଟ୍ଟକଞ୍ଚୁକରେ;
ଉନ୍ନତବକ୍ଷ ପରଶି ଝରିପଡ଼େ ମହାର୍ହ ବସନେ,
ବିଲୋକ ଅଶୋକ ଏହା ବିଚଳିତ ହୋଇଗଲେ ଖରେ ।୬୬।
ନାରୀ ନେତ୍ରୁଁ ଅଶ୍ରୁପାତ ! ତାହା ପୁଣି ପୂର୍ଣ୍ଣଯୌବନାର !!
ହୋଇଛି ସେ ତଦୁପରି ଯୁବଜାନି ଅଶୋକ ସଂଖାଳି;
ସଦର୍ପେ ପୁଚ୍ଛିଲେ, ‘‘କୁହ ଶଙ୍କା ତେଜି ବିଷାଦ କାରଣ,
ଦିଅନା ମୋ ପ୍ରାଣେ ଦୁଃଖ ମୃଗନେତ୍ରୀ ନେତ୍ରୁଁ ନୀର ଢାଳି’’ ।୬୭।
ନତମୁଖେ ନିବେଦିଲା ମହାରାଜେ ସେ ତିଷ୍ୟରକ୍ଷିତା,
‘‘ଅନୁପସ୍ଥିତିରେ ତବ ଯୁବରାଜ କୁନାଳ ମୋ ପ୍ରତି;
କରିଛି ପାପାଚରଣ-ମୋର ଏହି ପ୍ରମୋଦକାନନେ,
ତେଣୁ ପ୍ରଭୋ ! ଦଣ୍ଡାଦେଶ ତା’ର ପ୍ରତି ଲୋଡ଼େ ମୁଁ ସଂପ୍ରତି’’ ।୬୮।
‘‘କୁନାଳକୁ ଦଣ୍ଡାଦେଶ । ମାତୃହରା ବାଲ୍ୟକାଳୁ ଯେହୁ,
ଲକ୍ଷ୍ୟ କରି ନାହିଁ ତା’ର ଏସନ ମୁଁ ମଦ ଆଚରଣ;
ନ ପାରୁଛି ଏଣେ ତବ ବାକ୍ୟ ଟାଳି, କଲି ସମାଧାନ,
ବଙ୍ଗ-ବିଦ୍ରୋହ ଦମନେ ପ୍ରେରିବି ମୁଁ’’- କହିଲେ ରାଜନ ।୬୯।
ପରଦିନ ପ୍ରତ୍ୟୁଷରେ ରାଜଆଜ୍ଞା ଶିରୋଧାର୍ଯ୍ୟ କରି,
ସେନ୍ୟସମାବେଶେ ବଙ୍ଗ ଅଭିମୁଖେ ଚଳିଲେ କୁନାଳ;
ବିଦ୍ରୋହ ଦମନ, ପିତୃରାଜ୍ୟ ରକ୍ଷା ରାଜାର କର୍ତ୍ତବ୍ୟ,
ଦୃପ୍ତବୁକେ ଯୋଦ୍ଧୁବେଶେ ଚଳିଲେ ସେ ଧରି କରବାଳ ।୭୦।
ବିଦ୍ରୋହ ଦଳର ନେତ କୁନାଳର ସୁଗୁଣ ବିଲୋକି,
ପଶିଲା ଶରଣ ପଦେ, ଯୁଦ୍ଧ ତେଜି, ବନ୍ଧୁ ପ୍ରୀତିମାଲ୍ୟେ-
କରିଲା ଭୂଷିତ, ସାଙ୍ଗ ହେଲା ଯୁଦ୍ଧ ବିନା ରକ୍ତପାତେ,
ପାଇ ଏ ସମ୍ବାଦେ ରାଜା ଆହ୍ୱାନିଲେ ମଗଧେ କୁନାଳେ ।୭୧।
ପାଞ୍ଚିଥିଲା ମନେ ମନେ ନୀଚମନା ସେ ତିଷ୍ୟରକ୍ଷିତା,
ବଙ୍ଗ-ବିଦ୍ରୋହେ କୁନାଳ ଶତ୍ରୁ ହାତେ ହୋଇବ ନିଧନ;
ଧର୍ମଜୈତ୍ରୀବାନା କିନ୍ତୁ ଉଡ୍ଡୀନ ଯେ ସତତ ଅମ୍ବରେ,
କୁନାଳ ସମ୍ରାଟ ହେବା ଶୁଣି ତା’ର ଘାରି ହେଲା ମନ ।୭୨।
‘‘ଭାରତ ସମ୍ରାଟ ପଦେ ଅଭିଷିକ୍ତ ହୋଇବ କୁନାଳ ?
ପତ୍ନୀ ତା’ର ଲଭିବ ଯେ ଭାରତର ସାମ୍ରାଜ୍ଞୀ ପଦବୀ ??
ବାନପ୍ରସ୍ଥବ୍ରତ ପାଳି ଯିବେ ଚୈତ୍ୟେ ଅଶୋକ ସମ୍ରାଟ ???’’
ତିଷ୍ୟରକ୍ଷିତାର ଶିରେ ବିନା ମେଘେ ପଡ଼ିଲା କି ପବି ?।୭୩।
କପଟେ ଭୁଲାଇ କାନ୍ତେ ମାୟାବିନୀ ଚରିଣ କୌଶଳ,
ଅଶୋକ ସନ୍ତକ ଦେଇ ଦେଲା ପତ୍ର କୁନାଳର ପାଶ;
‘‘ପିତାର ଆଦେଶ ଶୀଘ୍ର ଉତ୍ପାଟନ କର ବେନି ଚକ୍ଷୁ,
ତାହାହେଲେ ପିତୃଆଶା ପୂର୍ଣ୍ଣ ହେବ, ଲଭିବେ ଆଶ୍ୱାସ ।୭୪।
ବଙ୍ଗ ଶାନ୍ତି ଆନୟନେ ସୁଖେ ଯିବେ କାଟୁଥିଲେ କାଳ,
‘‘ଭାରତସମ୍ରାଟ ପଦ’’ ଦେଖୁଥିଲେ ମଧୁର ସପନ;
ସହସା ଏ ପତ୍ର ହେଲା କରଗତ କୁନାଳର ଯେବେ,
ପଠନେ ନୟନୁଁ ନୀର ଅବାରିତ ସ୍ରବିଲା ବହନ ।୭୫।
ଅନ୍ତରର କୋହ ଚାପି ଯୁବରାଜ କୁନାଳ ଅନ୍ତରେ,
ପିତୃଅଜ୍ଞା ଶିରେ ରଖି ତପ୍ତଲୌହ ଶଳାକା ପରଶେ;
ସ୍ୱହସ୍ତେ ନେତ୍ରଯୁଗଳ ଅକୁଣ୍ଠିତେ କରି ଉତ୍ପାଟନ,
ପତ୍ନୀର ସମୀପେ ଯାଇ ପରିବେଶି ଭାଷିଲେ ହରଷେ ।୭୬।
‘‘ଦେଖ ରେ ସଜନି ! ଆଜି ପିତ୍ରାଦେଶେ ହୋଇଛି ମୁଁ ଅନ୍ଧ,
ନ କରିବୁ ଶୋଚନା ଗୋ ଭାଗ୍ୟେ ମୋର ଥିଲା ଏହି ଦଣ୍ଡ;
ହୋଇଥାନ୍ତି ଅଳ୍ପଦିନେ ଭାରତର ରାଜଚକ୍ରବର୍ତ୍ତୀ,
କିନ୍ତୁ ଚକ୍ଷୁହୀନ ଏବେ-ଭବିଷ୍ୟତ ଆଶା ହେଲା ପଣ୍ଡ’’ ।୭୭।
ଚିତ୍କାର ଉଠିଲେ ଖରେ କୁନାଳର ପ୍ରାଣପ୍ରିୟା ସତୀ,
ପୁଚ୍ଛିଲେ, ‘‘କି ଲାଗି କାନ୍ତ ! କଲ ଏହି ଦୁର୍ଗତି ବରଣ ?’’
ଉତ୍ତରିଲେ ଧୀର ଶାନ୍ତ ଯୁବରାଜ, ‘‘ନ ହୁଅ ଗୋ ଘାରି,
ଦଇବ କରିଛି ମୋର ସବୁ ସୁଖ ସମୃଦ୍ଧି ହରଣ’’ ।୭୮।
ପତ୍ନୀ କର ଧରି ଧୀରେ ଯୁବରାଜ ରାଜପରିଚ୍ଛଦ୍ୟୁ;
ଅଙ୍ଗୁତେଜି ଭିକ୍ଷୁବେଶେ ଭ୍ରମୁଥାନ୍ତି ଦେଶେ ଦେଶେ ସିନା;
ଭିକ୍ଷାଥାଳ ଧରି କରେ ଜନ-ମନ-ମୋହୀ ବଂଶୀ ତାନେ,
ନିର୍ବିକାର ଦୁଃଖ-ଶୂନ୍ୟ ଚିତ୍ତେ ସଦା ଚିନ୍ତା ଶୋକ ବିନା ।୭୯।
ପୁତ୍ରର ଏସନ ଦଶା ଶୁଣି କର୍ଣ୍ଣେ ଅଶୋକ ବିହ୍ୱଳେ,
ପୁଚ୍ଛିଲେ କେସନ ଏହା ଘଟିଗଲା ଇନ୍ଦ୍ରଜାଲ ପ୍ରାୟ;
ତିଷ୍ୟରକ୍ଷିତାର ମାୟାଜାଲ କେହି ନ ପାରିଲେ ଭେଦି,
ପୁତ୍ରଶୋକେ ଦୁଃଖେ କାଳ ବିତାଇଲେ ହୋଇ ନିରୁପାୟ ।୮୦।
ବୁଦ୍ଧ ପୂର୍ଣ୍ଣିମାର ଏକ ଜ୍ୟୋତ୍ସ୍ନାରାତ୍ରି, ପାଟଳୀପୁତ୍ରରେ,
ଚକ୍ଷୁହୀନ କୁନାଳ ସେ ବଂଶୀତାନେ ହରୁଥିଲେ ଶୋକ;
ପ୍ରଣୟପୁଲକ ପ୍ରାଣେ ବିଚ୍ଛୁରାଉଥିଲେ ମଧୁ ତାନ,
ରାଜଅଟ୍ଟାଳିକା ପରେ ବସିଥିଲେ ସମ୍ରାଟ ଅଶୋକ ।୮୧।
ସହସା ପଡ଼ନ୍ତେ କର୍ଣ୍ଣେ ମର୍ମସ୍ପର୍ଶୀ ମୃଦୁ ବଂଶୀତାନ,
ଜାଗିଲା ମାନସପଟେ ହାୟ ! ପୁତ୍ର କୁନାଳର କଥା;
ଏହିପରି ଦିନେ ଏକ ବୁଦ୍ଧ ପୂର୍ଣ୍ଣମୀର ଲୁମ୍ବିନିରେ,
ଦରଶନେ ଯାଇଥିଲେ ବୁଦ୍ଧ ପଦ........ ଘୂରିଗଲା ମଥା ।୮୨।
ତିଷ୍ୟରକ୍ଷିତା ମାନସେ ଭାସିଗଲା ସେଦିନ ଘଟଣା,
କାମ-ବୃତ୍ତି ଦମନାର୍ଥେ କରିଥିଲା ସିନା ନର୍କଭୋଗ;
ପୁତ୍ର-ସ୍ନେହ-ପାତ୍ରେ ଭରି ହଳାହଳ, କଲା କଳୁଷିତ,
କୁନାଳର ଭବିଷ୍ୟତେ କରିଥିଲା ପୂର୍ଣ୍ଣଚ୍ଛେଦ ଯୋଗ ।୮୩।
ବଂଶୀତାନେ ହୋଇ ମୁଗ୍ଧ କୁନାଳର ପୂର୍ବସ୍ମୃତି ଆଶେ,
ଆହ୍ୱାନିଲେ ମହାରାଜ ଦୂତ ହସ୍ତେ ବଂଶୀବାଦକରେ;
ନତଶିରେ, ଯୋଡ଼ହସ୍ତେ ଚକ୍ଷୁହୀନ କୁନାଳ ତୁରିତେ;
ଉଭାହୋଇ ପୁରୋଭାଗେ ବନ୍ଦିଲେ ସେ ଅଶୋକପୟରେ ।୮୪।
କଣ୍ଠସ୍ୱର ଶୁଣି ତା’ର ମହାରାଜ ପଡ଼ିଲେ ଚମକି,
ରୂପ ଦେଖି ପୁତ୍ରବଧୂ ପରିଚୟ ପାଇଲେ ବହନ;
ପୁତ୍ରବଧୁଠାରୁ ଶୁଣି କୁନାଳର ଏସନ ଦୁର୍ଦ୍ଦଶା,
ତିଷ୍ୟରକ୍ଷିତାର ପରେ କ୍ରୋଧବଶେ କଲେ ଗରଜନ ।୮୫।
ପାଇ ପିତୃ ପରିଚୟ ହର୍ଷମନେ କୁନାଳ ସହସା,
ଅର୍ପିଲେ ପ୍ରଣତି ପୁଣି ମାତୃପଦେ ସହର୍ଷ ବଦନେ;
ଉଚ୍ଚାରିଲଷ ଜନକ ହେ ! ଏହା ମୋର ଲଲାଟଲିଖନ,
ଶାନ୍ତି କି ମିଳଇ ଏକା ରହି ସୁଖେ ଏ ରାଜସଦନେ ? ।୮୬।
ଏତେଦିନେ ପୁତ୍ର ଆଜି ପିତା ପାଶେ କରୁଅଛି ଅଳି,
ଦେଇ କି ପାରିବ ପିତ ! କର କର ସତ୍ୟ ମୋର ପାଶେ;
ତା’ପରେ ଯା ଦେବ ଦଣ୍ଡ ଜନନୀକୁ ନ କରିବି ମନା,
ଶ୍ରବଣେ ତିଷ୍ୟରକ୍ଷିତା ଆତ୍ମଭୟେ ରହିଲା ସଂତ୍ରାସେ ।୮୭।
ଉତ୍ତରିଲେ ମହାରାଜ, ‘‘କହ ପ୍ରାଣପ୍ରିୟ ମୋ କୁନାଳ,
ରାଜ୍ୟ ପ୍ରାଣ ଆଦି ମୋର ତୋର ପାଶେ ତୁଚ୍ଛ ସିନା ଅତି ।
ବୃଦ୍ଧକାଳେ ରାଜ୍ୟଚିନ୍ତା ମୋର ପକ୍ଷେ ଦୁବସହ ସନା,
ବୃଦ୍ଧପିତା ମହାରାଜା, ଯୁବରାଜ ହାୟ ! ଅନ୍ଧଯତି ।୮୮।
ସ୍ମିତହାସ ଉକୁଟାଇ ଭିକ୍ଷାକଲେ କୁନାଳ ତପୀ,
ଜନନୀରେ କ୍ଷମ ପିତ ! ନୁହନ୍ତି ସେ ମୋ ଦୁଃଖ କାରଣ;
ନେଇଛନ୍ତି କାଢ଼ି ସେହି ବାହ୍ୟନେତ୍ର ସିନା ମୋ କପଟେ ?
କିନ୍ତୁ ଜ୍ଞାନନେତ୍ରେ ଦେଖେ ସଦା ବୁଦ୍ଧ ଜଗତ ତାରଣ ।୮୯।
ଅଶ୍ରୁ ପୋଛି ବେନିନେତ୍ରୁଁ ଉତ୍ତରିଲେ ଅଶୋକ ରାଜନ,
‘‘କ୍ଷମାଗୁଣେ କୁନାଳ ତୁ ମୋତେ ଅରେ ଗଲୁ ସିନା ବଳି;
ହୃଦୟ ତୋହର ଆହା କି ପବିତ୍ର କେସନ ଉଦାର,
ତିଳେ ହେଲେ ପ୍ରତିହିଂସା ବହ୍ନି ତହିଁ ନ ଉଠଇ ଜଳି ।୯୦।
ପ୍ରତିହିଂସା କାହାପାଶେ ? ଜନନୀ ଯେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷା,
ଉଦ୍ଦାମ ଯୌବନ ସିନା କରିଥିଲା ପ୍ରଳୟ-ସର୍ଜ୍ଜନ;
ବିଧିର ବିଧାନ ପିତ ! ଅଲଙ୍ଘ୍ୟ ଏ ଭୁମଣ୍ଡଳେ ସିନା,
ଭାଗ୍ୟଦୋଷୁଁ ରାଜଲକ୍ଷ୍ମୀ କରିଲେକ ଏ ଦୀନେ ବର୍ଜ୍ଜନ ।୯୧।
ତିଷ୍ୟରକ୍ଷିତାର କାନେ ଭେଦିଗଲା କୁନାଳ ବଚନ,
ସହର୍ଷେ ଆସନ ତେଜି କୋଳକରି କୁନାଳେ ସହସା;
ଉଚ୍ଚାରିଲା, ‘‘କହ ପୁତ୍ର କି କାରଣେ ନ ଦେଲୁ ରେ ଦଣ୍ଡ,
ପାପୀୟସୀ ନର୍କଗତି ମୁହିଁ ସିନା, ତୁହି ପୃଥୁ ଯଶା ।୯୨।
କ୍ଷମ ମୋର ଅପରାଧ, ତୁଚ୍ଛ ମୁହିଁ ହୀନ ପ୍ରେମଲାଗି,
ଉତଫଣ ସର୍ପିଣୀସମ ପ୍ରାଣେ ତୋର କରିଛି ଦଂଶନ;
କିନ୍ତୁ ତୁରେ ମହାମନା କ୍ଷମିଲୁ ଏ ଅପରାଧିନୀରେ,
କ୍ଷମା ସିନା ସୁମହତେ, ମୁଁ ନୁହେଁ ରେ କ୍ଷମାର ଭାଜନ ।୯୩।
ଉତ୍ତରିଲେ ଯୁବରାଜ ନମ୍ରସ୍ୱରେ ଶୁଣ ଗୋ ଜନନି ।
‘‘କୁପୁତ୍ର ସମ୍ଭବ ସିନା ଏ ଜଗତେ, କହ କୁହ ବାରେ;
କୁମାତା ଶବ୍ଦ କି କେବେ ଶୁଣିଅଛ କାହାରି ମୁଖରୁ,
ନ ରଖ ମା ! ଆତ୍ମଗ୍ଲାନି ଅକିଞ୍ଚନ ତବ ପୁତ୍ରଠାରେ ।୯୪।
ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ