ବଙ୍ଗ-କଳିଙ୍ଗ — ବିଶ୍ୱନାଥ କର · ସ୍ୱର୍ଣ୍ଣଲିପିଦର୍ପେ ବଜାଇ ରଣ-ଡିଣ୍ଡିମ ମଗଧର ନରପତି,ଚଣ୍ଡ ଅଶୋକ ତାଣ୍ଡବେ ଆସି ନିର୍ମମ ବୁକେ ଅତି;ବଙ୍ଗ ରାଇଜେ ପଶି,ନିର୍ଦ୍ଦୟ ମନେ ଧ୍ୱଂସିଲା ଧରା ଚଳାଇ ତୀକ୍ଷ୍ଣ ଅସି ।୧।ଆକ୍ରମିଣ ସେ ବିକ୍ରମ ପଣେ ତ୍ରସ୍ତ କରିଲା ଧରା,ଉତ୍ତରାପଥ ଜିଣି ସେ ପୂରବେ ରଚେ ଅଭିଯାନ ପରା;ଦୁର୍ଦ୍ଦମନୀୟ ପଣେ,ଅନ୍ତରେ ଥାପି ବିଜୟଲିପ୍ସା ପ୍ରାଣମୂର୍ଚ୍ଛିତ ରଣେ ।୨।ଏକ ପରେ ଏକ ରାଜ୍ୟ ତାହାର ହୋଇଲା ହସ୍ତଗତ,ଜୈତ୍ରୀ ପତାକା ଉଡ଼ାଇଣ ନଭେ ବିଜୟ ଗର୍ବେ ମତ୍ତ;ବଙ୍ଗର ସମତଟ,ପୁଣ୍ଡ୍ର ରାଇଜ କରି କରଗତ ଆସିଲା ଗଙ୍ଗା ତଟ ।୩।ବଙ୍ଗ ଶାସକେ ଶରଣ ପଶିଲେ ଧନ ଜୀବନର ଲାଗି,ନମ୍ର କରିଣ ଜାତୀୟପତାକା ଆଶ୍ରୟ ନେଲେ ମାଗି;ଶଂକିତ ପ୍ରାଣ ଜାଣି,ସ୍ୱର୍ଣ୍ଣ ପ୍ରଦୀପେ ବନ୍ଦି ନବରେ ନେଲେକ ପୁଣ୍ଡ୍ର ରାଣୀ ।୪।ମଗଧ ସୈନ୍ୟ ଜୈତ୍ରୀପତାକା ଉଡ଼ାଇ ହର୍ଷେ ନଭେ,‘‘ଜୟ ଅଶୋକ’’ ଗମ୍ଭୀର ନାଦେ କମ୍ପାଇ ଦେଲେ ଭବେ;ଜୟ-ଉତ୍ସବେ ମାତି,ସୁନେଲି ସପନେ ସୋମରସ ପାନେ ପୁହାଇଲେ ସାରା ରାତି ।୫।ସ୍ୱର୍ଣ୍ଣ ରତନ ମଣି ମାଣିକ୍ୟେ ସମତଟ ଭରି ଥାଳ,ଅର୍ପିଲା ଭେଟି ଅଶୋକ ପୟରେ ନତ କରି କରବାଳ;ପାଛୋଟି ଅନ୍ତଃପୁରେ,ସୁନ୍ଦରୀ ଜେମା କର ଅର୍ପଣେ ସନ୍ଧି ରଚିଲା ଖରେ ।୬।ବିଜୟଗର୍ବେ ମତ୍ତ ଅଶୋକ ଗଙ୍ଗା ତଟନୀ ପାରେ,ଶସ୍ୟ-ଶ୍ୟାମଳା ଦୃଶ୍ୟ-ବହୁଳା ଦେଶ କଳିଙ୍ଗଠାରେ;ନିବେଶିଲା ତାର ଦୃଷ୍ଟି,ବୀର ଦର୍ପରେ ରଚି ଅଭିଯାନ କଲା ଆତଙ୍କ ସୃଷ୍ଟି ।୭।ବୀର ସନ୍ତାନ ବୁକେ ଥିଲା ଭରି ଏହି କଳିଙ୍ଗ ଭୂମି,ଗଙ୍ଗା ଯାହାର ଶୀର୍ଷେ ବିରାଜେ, କୃଷ୍ଣା ଚରଣ ଚୁମି;ଦୃପ୍ତ ଉରସେ ଆଜି,ଦୁର୍ଗମ ଗିରି ଦୁର୍ଗେ ଉଡ଼ାଏ ଜୈତ୍ରୀପତାକା ରାଜି ।୮।ବଙ୍ଗ ଯା’ ପଦେ ଶରଣ ପଶିଲା ବାହୁଡ଼ି ଗଙ୍ଗା ପାରେ,ସନ୍ଧି ରଚିଣ ନତ କରିଥିଲା ଜାତୀୟପତାକା ବାରେ;ଆଜି ସେ ବଙ୍ଗବାସୀ,କରେ ଅଭିଯାନ ଅଶୋକ ସଙ୍ଗେ ଦେବେ କଳିଙ୍ଗ ଗ୍ରାସି ।୯।ଗ୍ରାମେ ଗ୍ରାମେ ହେଲା ସହସା ଘୋଷିତ ଅଶୋକର ଅଭିଯାନ,ସିନ୍ଧୁ ସମାନ ମଗଧ ସୈନ୍ୟେ ନେବାକୁ ଓଡ଼ିଆ ପ୍ରାଣ;ବୀର ଦର୍ପରେ ମାତି,ଗର୍ବେ ଆସନ୍ତି ସତେ କି ଲୁପ୍ତ ହୋଇବ ଉଡ଼୍ର ଜାତି ।୧୦।ପଡ଼ୋଶୀ ରାଜ୍ୟ ବଙ୍ଗର ଦେଖି କପଟ ଏ ଆଚରଣ,ଦର୍ପେ ଉଠାଇ ଖଡ଼୍ଗ ସହସା କଲା କଳିଙ୍ଗ ପଣ;‘‘ଶେଷ ମୁହୂର୍ତ୍ତ ଲାଗି,ପ୍ରାଣ ବଳି ଦେଇ ଯୁଝିବୁଁ ସମରେ ନ ନେବୁ ଆଶ୍ରା ମାଗି ।୧୧।’’
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
ମୁଖରିତ ହେଲା ଅସ୍ତ୍ର ନିନାଦେ ଦଇଆ ନଦୀର କୂଳ,
ସମରରଙ୍କା ପାଇକେ ହୋଇଲେ ଯୁଦ୍ଧଭୂମିରେ ଠୁଳ;
ତୋଷାଳୀ ଦୁର୍ଗ ପାଶେ,
କମ୍ପାଇ ଦେଲେ ଦେଖି ଶତ୍ରୁର ସୈନ୍ୟେ ଅଟ୍ଟହାସେ ।୧୨।
ଦଇଆ ନଦୀର ବାଲୁ ପ୍ରାନ୍ତରେ ନିର୍ମମ ଏହି ଯୁଦ୍ଧ,
ନେତ୍ର ପଲକେ ଘଟିଗଲା ହାୟ । ବକ୍ଷ ତା’ ହେଲା ରୁଦ୍ଧ;
ଦୃଶ୍ୟବହୁଳ ତୀରେ,
ମୃତ୍ୟୁ ଲଭିଲେ ସଂଖ୍ୟା ଅତୀତ ଏହି କଳଳିଙ୍ଗ ବୀରେ ।୧୩।
ଅନାଥ ବିଧବା କ୍ରନ୍ଦନ ରୋଳେ କମ୍ପି ଉଠିଲା ଧରା,
ଲକ୍ଷ ପାଇକ ବକ୍ଷ ରକତେ ରଂଜିତ ଭୂମି ପରା;
ଅର୍ତ୍ତନାଦରେ କିବା,
ନଭମଣ୍ଡଳ ବିଦାରିଣ ଦେବେ କୁହାଟି ରାତ୍ରି ଦିବା ।୧୪।
ଉଷ୍ମ ରକତେ ଦଇଆ ତଟନୀ ଧରିଲା ରକ୍ତ ବର୍ଣ୍ଣ,
ବକ୍ଷ ଫଟା ସେ ଚିତ୍କାର ଶୁଣି ସ୍ତବ୍ଧ ହୋଇଲା କର୍ଣ୍ଣ,
ଦଇଆ ନଦୀର ବାଲି,
ପୂର୍ଣ୍ଣ ହୋଇଲା ଛିନ୍ନ ଶରୀରେ ଭବନ ପଡ଼ିଲା ଖାଲି ।୧୫।
ଗଗନେ ପବନେ ଆର୍ତ୍ତ ନିନାଦ ବ୍ୟାପ୍ତ ହେଲାକ ଖରେ,
ତଥାପି ତିଳେହେଁ ନମ୍ର ନ ହେଲେ ଅଶୋକ ପୟରେ ଥରେ;
କରେ ଧର କରବାଳ,
ହେଲେ ଆଗଭର ରଣପ୍ରାଙ୍ଗଣେ ବୃଦ୍ଧବନିତାବାଳ ।୧୬।
ଦମ୍ଭ ନିରେଖି ଓଡ଼ିଆ ସେନାର ଚଣ୍ଡ ଅଶୋକ ମନ,
ତ୍ରସ୍ତ ହୋଇଣ ଉଠିଲା ଚମକି କଲା ସେ ଉଚ୍ଚାରଣ;
‘‘ଧନ୍ୟ ସିନା ଏ ଜାତି,
ମୃତ୍ୟୁ ଦୁଆରେ ହୁଏ ଆଗଭର ଉନ୍ନତ କରି ଛାତି ।୧୭।
ଜନ୍ମଭୂମିର ଟେକ ରଖିବାକୁ ଜୀବନକୁ ଦେଇ ବଳି,
ସମ୍ମୁଖେ ଦେଖି ଲକ୍ଷ ଶବକୁ ବକ୍ଷ ନ ପଡ଼େ ଢଳି;
ଗର୍ବର ସୀମା ଛୁଇଁ,
ହେବ କଳିଙ୍ଗ ଜନହୀନ କିବା ଶୂନ୍ୟ ହେବ ଏ ଭୂଇଁ ।୧୮।
ଧନ୍ୟ ଏ ଜାତି ଜୈତ୍ରୀପତାକା ଜନ୍ମଭୂମି ଏ ଧନ୍ୟ,
ଏ ଜାତି ମୋହର ଗୁରୁ ଗୌରବ ଏ ଜାତି ଅଗ୍ରଗଣ୍ୟ;
ବୀରରକ୍ତର ଧାରା,
ଧମନୀରେ ସିନା ପ୍ରବାହିତ ଏଥି ଜନତା ଅଙ୍ଗସାରା ।୧୯।
ଯୁଦ୍ଧ ନ ଲୋଡ଼େ ରାଜ୍ୟେ ମୋହର ନାହିଁ ଆଉ ପ୍ରୟୋଜନ,
ସୃଷ୍ଟିର ଏହି ଶ୍ରେଷ୍ଠ ମାନବ ହାୟ ! ମୁଁ କଲି ନିଧନ;
କାହା ପଦେ ଶିର ଥାପି,
ଶାନ୍ତି ଆଚରି ଦୀର୍ଘ ଜୀବନ ପାରିବି କେହ୍ନେ ଯାପି ।୨୦।
ମଗଧର ଆନ ପଡ଼ୋଶୀ ରାଜ୍ୟେ ବଢ଼ାଇ ଯୁଦ୍ଧକ୍ଷୁଧା,
ନର୍କ ପଥରେ ଟାଣିନେଲେ ମୋତେ ସୁରାକୁ ମଣିଲି ସୁଧା;
ହାୟରେ । ମାନବ ରକ୍ତେ,
ବୁହାଇ ଧରାରେ ଆର୍ଦ୍ର କରିଛି ସାମ୍ରାଜ୍ୟ ଲୋଭାଶକ୍ତେ ।୨୧।
ସମର ଯାତ୍ରା ଆଦ୍ୟେ ମୁଁ ଯଦି ପରାଜୟ ଥା’ଏ ଲଭି,
ହୋଇଥାନ୍ତା ସେ ମଙ୍ଗଳ ମୋର ଥାନ୍ତି ମୁଁ ଅନୁଭବି,
ଶାନ୍ତିର ମଧୁଧାରା,
ହ୍ରସ୍ୱ ହୁଅନ୍ତା ମୋର ଏ ଦୁଃଖ ନ ଭୋଗି ଜୀବନ ସାରା ।୨୨।
ଶାନ୍ତି କାହିଁରେ ଶାନ୍ତି କାହିଁରେ ନରହନ୍ତା ଯେ ମୁହିଁ,
ପାପର ଗର୍ତ୍ତ ପୂର୍ଣ୍ଣ ହୋଇଛି ରକ୍ତେ ଲୋହିତ ଭୂଇଁ;
ଧରଣୀ ବକ୍ଷପୁଟେ,
ମୋର ଲାଗି ସିନା ମାନବ ରକ୍ତପ୍ରବାହ ତୀବ୍ରେ ଛୁଟେ ।୨୩।
ପଥଦ୍ରଷ୍ଟାକେ ସମ୍ମୁଖେ ଆସ ମାର୍ଗ ଦେଖାଅ ବାରେ,
ରାଜ୍ୟ ବିଜୟେ ଶତ ପଦାଘାତ ମନ ମୋ ମୁକ୍ତିଠାରେ;
ମୁକ୍ତି କେବଳ କାମ୍ୟ,
ଧରାର ବକ୍ଷେ ଜେତା-ବିଜିତକୁ ମଣାଇବି ଆଜି ସାମ୍ୟ’’ ।୨୪।
‘‘ଶାନ୍ତି ଲୋଡ଼ୁଛ ମଗଧ ନରେଶ ! ହୃଦକନ୍ଦରେ ଆଜି,
ଦମ୍ଭ ତୁମର ମନମନ୍ଦିରୁଁ ଯାଇଛି କି ସତେ ଭାଜି;
ହିଂସା ତେଜିଛି ମନୁଁ,
ରାଜ୍ୟ-ବିଜୟ-ଅଭିଳାଷ-ମଦ ବର୍ଜିତ ତବ ତନୁ ?’’ ।୨୫।
ଶୁଭ୍ରବରନା ଚୈରିକବାସା ଶାନ୍ତିର ଅବତାର,
ସନ୍ୟାସିନୀଏ ରିକ୍ତଭୂଷଣା ହର୍ଷବିଷାଦୁଁ ପାର;
ତମ୍ୱୁ ସମୀପେ ଉଭା,
ଅମା ଅନ୍ଧାରେ ଜ୍ୟୋସ୍ନା ପରାୟ କାନ୍ତି ପାଉଛି ଶୋଭା ।୨୬।
ନିର୍ଜନବେଳ, ଗର୍ଜଇ ନିଶା, ସୁପ୍ତ ସଇନକୁଳ,
ଭାବନାଗ୍ରସ୍ତ ଅଶୋକ ହସ୍ତ ନିବେଶି ଗଣ୍ଡମୂଳ,
ଦର୍ଶନେ ପୁରୋଭାଗେ
ସନ୍ୟାସିନୀକୁ, ଚମକି ସହସା ପଦ ବନ୍ଦିଲେ ଆଗେ ।୨୭।
ଶାନ୍ତିର ବାଣୀ ଶ୍ରବଣେ ତାଙ୍କ ଶାନ୍ତ ହୋଇଲା ତନୁ,
ପୁଚ୍ଛିଲେ, ‘‘ମାତ ! ପୋଛି କି ପାରିବ ଚିନ୍ତା ମୋହର ମନୁଁ;
ମୂଢ଼ ମୁହିଁ ନରହନ୍ତା,
ମାନବଧର୍ମେ ପାଶୋରି ଆଜି ମୁଁ ବରିଛି ନର୍କପନ୍ଥା ।୨୮।
ପ୍ରାଣୀହିଂସାର ପ୍ରତୀକ ମୁହିଁ ଯେ ଆଜି ଘୋର ଅନୁତପ୍ତ,
ଜଗତଲୋଚନେ ସମ୍ରାଟ ସିନା, କିନ୍ତୁ ମୁଁ ଅଭିଶପ୍ତ;
ଅଟଇ ମୁଁ ମହାପାପୀ,
କେସନ କହ ମା । ଶାନ୍ତି ଆଚରି ପାରିବି ଜୀବନ ଯାପି ।୨୯।
ଜନଶୂନ୍ୟ ମୁଁ କରିଛି ଆଜି ମା । ଏହି କଳିଙ୍ଗ ସାରା,
ଲକ୍ଷ ଜନର ବକ୍ଷ ଫଟାଇ ସ୍ରବିଛି ରକ୍ତଧାରା;
ଶୁଷ୍କ ଦଇଆ ବାଲି,
ନରରକ୍ତରେ ରଂଜିତ ହୋଇ ବର୍ଣ୍ଣ ହୋଇଛି ନାଲି ।୩୦।
ତଥାପି ଓଡ଼ିଆ ପାଇକେ ମୋ ପାଶେ ନ ମାନିଲେ ପରାଜୟ,
କରଗତ ହେଲା ସିନା କଳିଙ୍ଗ, କିନ୍ତୁ କରିନି ଭୟ;
ସବୁତ ଶୂନ୍ୟ ଘୋର,
ଜନଶୂନ୍ୟ ଏ ଶୁଷ୍କ ଭୂମିରେ ରାଜ୍ୟଶାସନ ମୋର ।୩୧।
ଅନାଥ ଶିଶୁର କ୍ରନ୍ଦନେ ଆଜି ଗୁଂଜିତ ସାରା ବିଶ୍ୱ,
ଯୁବତୀ ହସ୍ତୁଁ ହେମ କଙ୍କଣ ଫେଇ ମୁଁ କରିଛି ନିଃସ୍ୱ;
ସମୃଦ୍ଧ ଭୂମି ଆଜି,
ଶମଶାନ ସମ ଦିଶେ ଚଉଦିଗ ଶୂନ୍ୟ ମାନବରାଜି ।୩୨।
ରାଜ୍ୟେ ଧନେ ମୋ ନାହିଁ ପ୍ରୟୋଜନ ଲୋଡ଼େ ମୁଁ କେବଳ ଶାନ୍ତି,
ଦମ୍ଭ ଯାଇଛି ହଜି ମୋ ମାନସୁଁ ତୁଟିଛି ସକଳ ଭାନ୍ତି;
ଜୈତ୍ରୀ ବାନା ମୋ ଆଜି,
ଏ ଦେଶ ଶୌର୍ଯ୍ୟ ନିକଟେ ଆନତ ଦର୍ପ ଯାଇଛି ଭାଜି’’ ।୩୩।
ଅନୁତପ୍ତ ସେ ଅଶୋକ ରାଜନ ଅନ୍ତରେ ପାରି ଜାଣି,
ସନ୍ୟାସିନୀ ଯେ ଧୀରଗମ୍ଭୀରେ ଉଚ୍ଚାରିଲେ ଏ ବାଣି;
‘‘ଶାନ୍ତିର ଅବତାର,
ବୁଦ୍ଧଚରଣ ଏ ଅବଶିଷ୍ଟ ଜୀବନେ ଆଶ୍ରେ କର ।୩୪।
ତେଜ କ୍ରନ୍ଦନ, ଜଗବନ୍ଦନ, ଭବନନ୍ଦନ ବୁଦ୍ଧ,
ପଦପଙ୍କଜେ କର ହେ ଆଶ୍ରା ଅନ୍ତର କରି ଶୁଦ୍ଧ;
ମେଣ୍ଟିବ ମନ ତାପ,
ଅନୁତପ୍ତର ଅଶ୍ରୁ ମୋଚନ କ୍ଷମିବେ ସକଳ ପାପ ।୩୫।
ରାଜ୍ୟ ବିଜୟେ ହିଂସାର ଲୀଳା ରଚଇ ବିଶ୍ୱେ କ୍ରାନ୍ତି,
ଦାମ୍ଭକ ମୂଢ଼ ମାନସେ ଜଗାଏ ବିଜୟଲିପ୍ସା ଭ୍ରାନ୍ତି;
ଘନ ଅନ୍ଧାର ରାତେ,
ଗିରି ଗହ୍ୱରେ ପଥିକ ସମାନ ଘୂରେ ସେ ଘୂର୍ଣ୍ଣୀବାତେ ।୩୬।
ଯଜ୍ଞ ବିଧିରେ ନିନ୍ଦିଲେ ଦେଖି ପଶୁର ରକ୍ତଧାରା,
ହିଂସା ମୋଚନେ ଧର୍ମ ପ୍ରଚାରି ଭ୍ରମିଲେ ଭାରତସାରା;
ଶାନ୍ତିର ଜୟଗାନ,
ପ୍ରଚାରିଲେ ସିନା ଭୁବନେ ଭୁବନେ ବନ୍ଦ୍ୟ ସେ ସୁମହାନ ।୩୭।
କପିଳବାସ୍ତୁ ସିଂହାସନକୁ ଫିଙ୍ଗି ଚରରଘାତେ,
ସୁନ୍ଦରୀ ବଧୂ ଶିଶୁପୁତ୍ରକୁ ତେଜି ନିର୍ଜନ ରାତେ;
ସମ୍ୱଳହୀନ ପରି,
ସତ୍ୟ ଆଲୋକ ସନ୍ଧାନେ ଯେହୁ ଦୈନ୍ୟେ ନେଲେକ ବରି ।୩୮।
ସେହି ସେ ବୁଦ୍ଧ, ହୃଦୟଶୁଦ୍ଧ, ସତ୍ୟର ମହାବାଣୀ,
ପ୍ରଚାରି ଜଗତେ ଶିଷ୍ୟଗହଣେ ସନ୍ତୋଷ ଦେଲେ ଆଣି;
ସେହି ମନ୍ତ୍ରର ଦୀକ୍ଷା,
ଘେନି ଅନ୍ତରେ ଚିର ଶାନ୍ତିର କର ମହତ୍ତ୍ୱ ଶିକ୍ଷା’’ ।୩୯।
ଜୈଷ୍ଠର ଏକ ପ୍ରଖର ଦିବସେ ତପ୍ତ ଶରୀର ପରେ,
ଚୁଆ ଚନ୍ଦନ ମିଶ୍ରିତ ନୀର ପତନ ପରାୟ ଖରେ;
ସନ୍ୟାସିନୀର ପଦେ,
ପ୍ରଣିପାତ କରି ମଗଦ ନରେଶ ପୁଚ୍ଛିଲେ ଗଦଗଦେ ।୪୦।
‘‘କୁହ ମା ! କୁହ ମା ! ଏତେଦିନ କାହିଁଥିଲ ଏ ତୋଷଳିକୋଣେ,
ଦୁର୍ଦ୍ଦିନେ ମୋର ଦର୍ଶନ ଦେଲ ଶେଷ ମୁହୂର୍ତ୍ତେ ଏଣେ;
ପାପର ଗର୍ତ୍ତ ସିନା,
ପୂର୍ଣ୍ଣ ମୋହର ହାୟ । ବହୁଦିନୁଁ, ମହତ ଶିକ୍ଷା ବିନା ।୪୧।
ମଗଧର ମୁହିଁ ସୀମିତରାଜ୍ୟେ ହର୍ଷେ ଆଜି ମୁଁ ଥାନ୍ତି,
ରାଜ୍ୟବିଜୟ ମଦ ମୋ ମାନସୁଁ ହଜାଇ ଦେଇଛି ଶାନ୍ତି;
ଦୁର୍ବଳ ପ୍ରତିବେଶୀ,
ରାଜ୍ୟେ ବିଜୟ ରଣଯଜ୍ଞେ ମୋ ଆହୁତି ଢାଳିଛି ବେଶି ।୪୨।
ଜଳିଛି ଜଳିଛି ସମର ଯଜ୍ଞ କରିଛି ଊର୍ଦ୍ଧ୍ୱ ଭେଦ,
ଅଗ୍ନିଶିଖାରେ କୋଟି ପରିବାର ଲଭିଛି ପୂର୍ଣ୍ଣଚ୍ଛେଦ;
ମାନବରକ୍ତ ହବି,
ଅନାଥ ବିଧବା ଗୁରୁ କ୍ରନ୍ଦନ, ମନ୍ତ୍ର ପଠନ ଛବି’’ ।୪୩।
‘‘ଏତେ ଦିନ ଯାଏ ବିବେକ ତୁମର ହୋଇଥିଲା ସିନା ସୁପ୍ତ,
ଏହି ଏ ରାତ୍ରେ ଚଳ ଚଞ୍ଚଳେ ଭେଟିବାକୁ ଉପଗୁପ୍ତ;
ମେଣ୍ଟିବ ମନ ତାପ,
ଅନୁତପ୍ତ ଚକ୍ଷୁ ଲୋତକ ଧୌତ ସକଳ ପାପ’’ ।୪୪।
ସନ୍ୟାସିନୀର ଆଶ୍ୱାସନାରେ ଅଶୋକ ଲଭିଲେ ଶାନ୍ତି,
କହିଲେ, ‘‘ଜନନି ! ତୁଟାଇଛ ତୁମେ ମାନସୁଁ ମୋହର ଭ୍ରାନ୍ତି;
ପଦ ପଙ୍କଜେ ତବ,
ବନ୍ଦେ ଭକତି ସହକାରେ ପାଇ ଶିକ୍ଷା ଏ ଅଭିନବ ।୪୫।
ଧଉଳି ପାହାଡ଼େ ଖୋଳାଇବି ମୁହିଁ ଶାନ୍ତି ମହିମା କଥା,
ଗୁରୁ ମୋର ସିନା ଏହି କଳିଙ୍ଗ ନତ ତା’ ପୟରେ ମଥା;
ଚିନ୍ତା ଆଉ ମୋ କିସ,
ବୁଦ୍ଧଚରର ବନ୍ଦନେ ଯିବ ଅନ୍ତରୁ କିଳୁବିଷ’’ ।୪୬।
ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ