ପଞ୍ଚମ ଛାନ୍ଦ — ସୁଭଦ୍ରା ପରିଣୟ — ଉପେନ୍ଦ୍ର ଭଞ୍ଜ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ପଞ୍ଚମ ଛାନ୍ଦ
ରୈବତ ଗିରି ବର୍ଣ୍ଣନା ଏବଂ ଯଜ୍ଞ ନିମନ୍ତେରାଜାମାନଙ୍କୁ ନିମନ୍ତ୍ରଣାର୍ଥେ ଦୂତ ପ୍ରେରଣ(ରାଗ-ରାମକେରୀ)ସାମଗ୍ରୀ କରିଣ ଯାଗକୁ ରାମ ଜଗନ୍ନିବାସ ।ସମ୍ଭାରେ ରୈବତ ପର୍ବତେ ଯାଇଁ ହେଲେ ପ୍ରବେଶ ।୧।ସମଦ୍ଭୁତ ଲୋକେ ଆନନ୍ଦ ଗିରି ଶୋଭାକୁ ଚାହିଁ ।ସରିବାର ନୁହେ କଥନେ କିଛି କହିବି ନାହିଁ ।୨।ସତ ଅବନୀବନିତାର ସ୍ତନ ଶୋଭା ପାଉଛି ।ସୁତୁଙ୍ଗ କଠିନ ଦୁର୍ଲଭ ତିନିଗୁଣ ବହିଛି ।୩।ସନ୍ତତ ସନ୍ତତି ମର୍କତମଣି ପ୍ରକାଶେ ଶୋଭା ।ସପ୍ତହୟ ହୟ କୋମଳ ଦୁର୍ବା ବିଚାରି ଲୋଭା ।୪।ଶ୍ରମକୁ ହରନ୍ତି ବିଶ୍ରାମ କରି ଲବମାତର ।ସୁରସୁତ ସେହିଠାବରେ କରେ ମାତ୍ର ପ୍ରହାର ।୫।ସୁଦୀପ୍ତି ହୀରାର ବାହୁଡ଼େ ବାଜି ବ୍ରହ୍ମାଣ୍ଡ ଭାଣ୍ଡ ।ସୁରଭି ବତ୍ସା କ୍ଷୀର ଧାର ମଣି ବିସ୍ତାରେ ତୁଣ୍ଡ ।୬।ସ୍ୱଚ୍ଛେ କେଉଁ ଶୃଙ୍ଗେ ପ୍ରକାଶମାନ ମାଣିକ୍ୟ ଜ୍ୟୋତି ।ଶୁଣ୍ଢ ଉପରକୁ ତୋଳିଛି କି ସେ ଲୋହିତ ଦନ୍ତୀ ।୭।ସ୍ମରଶାସ୍ତ୍ର ହିଁ ମୂର୍ତ୍ତିମନ୍ତ ମଣି ଗହ୍ୱରେ ତହିଁ ।ଶୂନ୍ୟ ବିବେକ ଶବରୀକି ବିପରୀତ କରାଇ ।୮।ଶବର ଶବରୀମାନେ ଯେ ବିଳସନ୍ତି ସାନୁରେ ।ସୁଧାକର ଅତି ସମୀପେ ରହେ ଦୀପ ଭାବରେ ।୯।ଶାବକେ ତାଙ୍କର ରାତ୍ରିରେ ଖେଳା କଉତୁକରେ ।ଶଶାଙ୍କ ଅଙ୍କ ହରିଣକୁ ଆଉଁସନ୍ତି ସ୍ୱକରେ ।୧୦।ସିଂହ ବିଦାରଣ ବାରଣ ମୋତି ପତନ ତହିଁ ।ସାଉଁଟିଲା ପକ୍ୱ ବଦରୀ ସଙ୍ଗେ ବିକନ୍ତି ନେଇ ।୧୧।ସଂଗ୍ରାମରେ କରି କରୀର ଦନ୍ତଚୂର୍ଣ୍ଣ ପତନ ।ସଉଧେ ବିଭୂତି ଭ୍ରମରେ ତା ହୁଅନ୍ତି ଲେପନ ।୧୨।ସମତ୍ତ ସମସ୍ତ କାଳରେ ଶିଖା ତମାଳ ଚାହିଁ ।ସ୍ରବିଲେ ଚକୋର ନୟନ ଚକ୍ର ବିଚ୍ଛେଦ ହୋଇ ।୧୩।ସ୍ଫଟିକ ଶିଳାରେ ତରୁସ୍ଥ କପି ବିମ୍ବ ଅନାଇ ।ଶ୍ୱାପଦେ ଅଶନ ଲୋଭରେ ମାଡ଼ି ବସନ୍ତି ଡେଇଁ ।୧୪।ସ୍ୱଚ୍ଛେ ପାତ ହୋଇ ପ୍ରପାତୁ ବହେ ନିର୍ଝରମାନ ।ସ୍ୱର୍ଗଙ୍ଗା ତେଜି ଦେବତାଏ ଆସି କରନ୍ତି ସ୍ନାନ ।୧୫।ସେ ଜଳ ଆଦର ଛଡ଼ାଇଅଛି ଦର୍ପଣୁ ସତ ।ସ୍ୱାଦେ ହାରି ମିତ୍ର ହୋଇଛି ଯାହା ସଙ୍ଗେ ଅମୃତ ।୧୬।ସୁଧା ଭାବୁ ଶୀତ ଗୁଣରେ ସବୁ ପ୍ରକାରେ ହାରି ।ସୁବୁଦ୍ଧି ପଣରେ କୁମୁଦ ସଙ୍ଗେ ବନ୍ଧୁତା କରି ।୧୭।ସାରସ ଘେନି ବିହରନ୍ତି ବ୍ରହ୍ମା ସଦନ ହଂସେ ।ସଂକଳ୍ପନା ନ କରନ୍ତି ସେ ମାନସକୁ ମାନସେ ।୧୮।ସେ ରୋଧେ ଅମ୍ବୁଜ କୁଟୀର ଦେଖି ତ୍ରିଦଶ ମୁନି ।ସମନ୍ତଭଦ୍ର ଏ ସମାନେ ସ୍ୱର୍ଗେ ନ ଥିବ ଘେନି ।୧୯।
ସେ ବହୁ ଉତ୍ପତ୍ତି ହୋଇଛି ଜାଣ ଇନ୍ଦ୍ର ଆରାମ ।
ସମନ୍ତଭଦ୍ର ଏଣୁ ଦେଲେ ତାକୁ ନନ୍ଦନ ନାମ ।୨୦।
ସ୍ମରହର ସୁଖ ଆରାମ ଶୋଭନକୁ ସେ ବନ ।
ସୁମନ ସମ୍ପଦେ କରିଛି ହାସକୁ ଅବିଚ୍ଛିନ୍ନ ।୨୧।
ସୁଯମକ ଶ୍ଲେଷ ଆଶ୍ଲେଷ କରି କହିବି କିଛି ।
ସଘନ ନାନାବୃକ୍ଷ ପକ୍ଷୀ ପଶୁରେ ଯେ ହୋଇଛି ।୨୨।
-ଆଦ୍ୟ ଯମକ-
ସୁରଭୀ ସୁରଭୀ ଆଶ୍ରିତ ଯହିଁ ଲବଙ୍ଗଲତା ।
ସୁନାରୀ ସୁନାରୀ ପରାୟେ ଧବ ଅଗ୍ରତେ ସ୍ଥିତା ।୨୩।
ସରଳ ସରଳ ହୃଦୟ ତହୁଁ ନିର୍ଯ୍ୟାସ ଜାତ ।
ସ୍ୟନ୍ଦନ ସ୍ୟନ୍ଦନ ପରାୟେ ରଥାରଙ୍ଗରେ ଶୋଭିତ ।୨୪।
ସକଳ କୋକିଳ ସଙ୍କୁଳ କରି ଶାଖା ମଣ୍ଡନ ।
ସକଳ ରୂପରେ କରନ୍ତି କାମୀ ଧୈର୍ଯ୍ୟ ଖଣ୍ଡନ ।୨୫।
-ମଧ୍ୟ ଯମକ-
ସଫଳ ରସାଳ ରସାଳ-ତରୁ ବକୁଳବନ୍ତ ।
ସକ୍ରୀଡ଼ିତ ଚାହିଁ ବିଡ଼ାଳେ ବି ଡାଳେ ଆରୋହିତ ।୨୬।
ସପ୍ତଳା ସୁବାସ ସୁବାସ ମଲ୍ଲୀ ସେହି ପ୍ରକାର ।
ଶ୍ୱସନ ହରି ତା ହରିତାମ୍ବର କରେ ପ୍ରଚାର ।୨୭।
-ମହା ଯମକ-
ସୁରୁଚି କେଶର କେଶର କେଶରତରୁ ତହିଁ ।
ସଞ୍ଚରି ପରାଗ ପରାଗପରା ଗଗନେ ଶୋହି ।୨୮।
ସତୁଷ୍ଟ ମଧୁର ମଧୁର ମଧୁର ବଶେ ଆଳି ।
ସାଦରେ ଫୁଲ ଫୁଲ ଫୁଲଚୁମ୍ବୀ ଚୁମ୍ବନ୍ତି ମିଳି ।୨୯।
-ପ୍ରାନ୍ତ ଯମକ-
ସୁବହ କୁସୁମ ମଣ୍ଡିତ ମହୀ ତରୁଣୀ କରେ ।
ସୌଗନ୍ଧ ନ ଥିଲେ ଚିତ୍ତକୁ ଲୋଭିତ ଋଣୀ କରେ ।୩୦।
ସବୃତ ଗୁଳ୍ମରେ ମରିଚ ନାଗବଲ୍ଲୀ ଚମରୀ ।
ଶୋଇ ତହିଁ ତଳେ ରୋମନ୍ଥ କରୁଛନ୍ତି ଚମରୀ ।୩୧।
ସଡ଼ପ ଲାଙ୍ଗଳୀ ପାଦପ ଶିଖେ ରଚି ସ୍ୱଗୃହ ।
ଶ୍ରମୀ ହୋଇଛନ୍ତି ଅର୍ଭକ ପାଳନାରେ ସୁଗୃହ ।୩୨।
ସୁଗନ୍ଧିତ ହୋଇ ନିର୍ଯ୍ୟାସ ଜାତ କଉଶିକର ।
ସଦନ ହୋଇଛି ମିତ୍ରତା ହୋଇ କଉଶିକର ।୩୩।
ସଲଗ୍ନରେ ଛନ୍ତି ହଇମବତୀ ହଇମବତୀ ।
ସ୍ଫୁଟ ଯା କଳି ମୁଚକୁନ୍ଦ କୁନ୍ଦ ସୁଜାତି ଜାତି ।୩୪।
-ଅଦ୍ୟ ପ୍ରାନ୍ତ ଯମକ-
ସୁମନସରେ ମହୋଜ୍ଜ୍ୱଳ ଯେ ଅଶୋକ ବିଟପୀ ।
ସୁମନଶରେ ଶୋକବତୀ ଦେଖି ହେବେ ବିଟପୀ ।୩୫।
ସୁମନବାଳୀରେ ନ ଦିଶେ ପୂର୍ଣ୍ଣ ଫୁଟି ସୁମନା ।
ସୁମନାବାଳୀ ଯା ସୁଗନ୍ଧ ଲାଗି ହେବ ସୁମନା ।୩୬।
-ସର୍ବ ଯମକ-
ସନ୍ତାନ ପାଇଁ ବିହରନ୍ତି ଯହିଁ ଖଞ୍ଜନ ଚକ୍ର ।
ସନ୍ତାନ ପାଇଁ ବିହରନ୍ତି ଯହିଁ ଖଞ୍ଜନ ଚକ୍ର ।୩୭।
ସୁକାନ୍ତି ମାଧବୀ ମୋହନ କରେ ମଧୁସୂଦନ ।
ସୁକାନ୍ତି ମାଧବୀ ମୋହନ କରେ ମଧୁସୂଦନ ।୩୮।
ସାରସ କଦମ୍ବ ଯୋଗରେ ଯହିଁ ଶୋଭା ଅନନ୍ତ ।
ସାରସ କଦମ୍ବ ଯୋଗରେ ଯହିଁ ଶୋଭା ଅନନ୍ତ ।୩୯।
-ସଭାଙ୍ଗ ଶ୍ଲେଷ-
ସୁଦଶନକ୍ଷଣି ପୁରୁଷେ ହୁଏ ସ୍ତିରୀ ପ୍ରତୀତ ।
ସିନ୍ଦୂର ତିଳକ ଶୋଭାରେ ମୋହେ ପ୍ରଥମୁଁ ମତ ।୪୦।
ସୁବାସଫୁଲ ମଲ୍ଲୀକଢ଼ି ପତ୍ରାବଳୀରେ ଶୋଭା ।
ସୁମନ ରସଦା କନକ ସାରରୁଚି ଦୁର୍ଲଭା ।୪୧।
ସମ୍ୟକ ଗୁଚ୍ଛରେ କାଳରେ ପୁଷ୍ପବତୀ ହୁଅଇ ।
ସହଚରୀ ସଙ୍ଗ କି ଶୋଭା ରମ୍ଭା ଶରଣ ଯହିଁ ।୪୨।
ସପ୍ରତୀତ ହୁଏ ନାରୀକି ସେ ପୁରୁଷ ପ୍ରକାର ।
ଶୁକର ସୁସ୍ୱର ସହିତ ଗୁଚ୍ଛେ ସୁମନୋହର ।୪୩।
ସୁପ୍ରତୀତ ପୁଣି ସ୍ୱଭାରେ ଅଷ୍ଟପାଦ ଭୂଷଣ ।
ସୁନାରୀ ଗଣିକାଗଣର ସେହି ସୁଖ କାରଣ ।୪୪।
ସୁବଇଷ୍ଣବକୁ ନୈମିଷାରଣ୍ୟ ପରାୟେ ଦିଶି ।
ସାନ୍ଧ୍ରମୁନିରେ ଭରଦ୍ୱାଜ ଶୁକ ଯହିଁ ବିଳସି ।୪୫।
ସମର ହୋଇଛି ଯୋଦ୍ଧାଏ ଦେଖି ଚିତ୍ତେ ଭାବନ୍ତି ।
ସତ୍ତ୍ୱର ଗମନାଗମନ ବାଜୀବଂଶେ କରନ୍ତି ।୪୬।
ସମ୍ମୁଖ ସମ୍ମୁଖେ ଖଡ଼ଗ ଭଲ୍ଲ ପ୍ରକାଶମାନ ।
ସହସ୍ର ସଂଖ୍ୟା ଧନୁ ଦୀପ୍ତ ଶରାଳୀରେ ଶୋଭନ ।୪୭।
ସରିବ ତ ନାହିଁ ବର୍ଣ୍ଣନା କରୁଥିଲେ ସେ ଗିରି ।
ସୁକୁଟୁମ୍ବ ଘେନି ରହିଲେ କରି ଯାଦବେ ପୂରି ।୪୮।
ଶୁଣି ବାଦ୍ୟନାଦ ହିଂସ୍ରକ ଜୀବ ପଳାଇ ବେଗେ
ସଡ଼ୀନ ଇଡ଼ଡ଼ୀନ ପଡ଼ିଣ ଗତି କଲେ ବିହଙ୍ଗେ ।୪୯।
ସମସ୍ତ ମନ ଦୋଷ କଲା ଥିଲା ଶବରେ ତହିଁ ।
ସ୍ୱଦିଗ ପୋଷଣ ବିଚାରି ଦିବ୍ୟ ହାଟ ବସାଇ ।୫୦।
ସନ୍ନ୍ୟାସୀଏ ନେଲେ ଶାର୍ଦ୍ଦୂଳ ମୃଗ ଉତ୍ତମ କୃତ୍ତି ।
ସାର କୃଷ୍ଣସାର ଚଉଁରୀ କିଣି ନାରୀ ନୃପତି ।୫୧।
ସୁକର୍ମୀ ରାଉତେ ଘେନିଲେ ଗଣ୍ଡାପାତ୍ରୀ ଆଡ଼ିଣୀ ।
ସାମଜନିଦନ୍ତ ନିକର ନେଲେ ବର୍ଦ୍ଧକୀ କିଣି ।୫୨।
ସାରଙ୍ଗ ନାଭିକି ବଣିକେ ଲୋଭୀ ହୋଇ କିଣିଲେ ।
ସଞ୍ଚୟ ତନ୍ତୁବାୟଚୟ କୋଷା ନିକର କଲେ ।୫୩।
ସଂଗ୍ରହ କଲେ ପୁତ୍ରସ୍ନେହୀ ତହିଁ ବ୍ୟାଘ୍ର କରଜ ।
ସଲମ୍ପଟ ହୋଇ କିଣିଲେ ପକ୍ଷପତ୍ତି ସମାଜ ।୫୪।
ସୁଉତ୍ତମ ଜନେ କିଣିଲେ ସୁଖେ ଶିଖୀ ବରହ ।
ସ୍ନେହୀ ହୋଇ ନେଲେ ନୃପତ୍ତି ଶ୍ୱେତଚାମର ବ୍ୟୁହ ।୫୫।
ଶସ୍ତା ଅତିଶୟ ହୋଇଲା ଭାବି ହରଷ ମନ ।
ସୁଖେ ତାଙ୍କ ସଙ୍ଗେ ସଞ୍ଚିଲେ ବୈଦ୍ୟେ ପୁସ୍ତକ ଧନ ।୫୬।
ଶିଖି ଋର୍ଷି ପ୍ରାତଃ ସ୍ମରଣୁ ରାମ ରାଘବ ଭଣି ।
ଶୁକ ଶାରୀ ବୃକ୍ଷେ ବିହରେ ଜନେ ଚଳିତ ଶୁଣି ।୫୭।
ସାତ୍ୱକୀ କାମ ଶାମ୍ବ ଗତ ଚାରିବୀରଙ୍କୁ ବେଗେ ।
ସଉନନ୍ଦୀ ନୃପବରଣ ପୋଷି ଚତୁର ଦିଗେ ।୫୮।
ସୁମନ ପୁଷ୍କରେ ସକଳ ଲୋକ ଆନନ୍ଦକର ।
ସେ ବିଷ୍ଣୁଚରଣେ ଶରଣ ଉପଇନ୍ଦ୍ର ଭଞ୍ଜର ।୫୯।
ସିନ୍ଧୁ ଭଇରବ ଗଣେଶ ଗଙ୍ଗା ବରୁଣ ଚନ୍ଦ୍ର ।
ସନତ୍କୁମାର ପୃଥ୍ୱୀ ଘେନି ନବ ଅର୍ଥ ଏ ପଦ ।୬୦।
ସଭଙ୍ଗ ଶ୍ଲେଷରେ ବିଚାର କରି ଚିତ୍ତେ କୋବିଦ ।
ଷାଠିଏକ ପଦେ ଅବିଘ୍ନେ ପୂର୍ଣ୍ଣ ହେଲା ଏ ଛାନ୍ଦ ।୬୧।
ଷଷ୍ଠ ଛାନ୍ଦ
ଯଜ୍ଞ ରାଜାମାନଙ୍କୁ ନିମନ୍ତ୍ରଣ, ଗୋସିଂହ ରାକ୍ଷସ କର୍ତ୍ତୃକବଳରାମ ଓ ଶ୍ରୀକୃଷ୍ଣଙ୍କର ଯଜ୍ଞାନଳେ ପତନ, ସତ୍ୟଭାମା ହରଣ,ଗୋସିଂହ ବଧ, ସତ୍ୟଭାମା ଓ ହରି ବଳରାମଙ୍କର ଉଦ୍ଧାର(ରାଗ –ପାହାଡ଼ିଆ କେଦାର)ସନ୍ଥେ ସୁଚିତ୍ତେ ଶୁଣ ଏ ରସ, ପାଇଣ ହରି ଯାଗ ସନ୍ଦେଶ,ପ୍ରୟାଣ କଲେ ଏତେ ନରେଶ, ତେଜିଣ ଦେଶ ହେ ।ସୌରାଷ୍ଟ୍ର ନଟ ଚୋଡ଼ଙ୍ଗ ଭୋଟ, ଅଙ୍ଗ କଳିଙ୍ଗ ବଙ୍ଗ ମହର୍ଟ୍ଟ,ଦ୍ରାବିଡ଼ ଗୌଡ଼ ମଘ କର୍ଣ୍ଣାଟ, ମତ୍ସ ଲୋମଶ ଯେ ।ସେ ଯେ ବିଦେହ ବୈଦର୍ଭ ବାହ୍ଲୀକ ଯେ । ସୁନିଷଧ ମଗଧ କାନ୍ୟକୁବ୍ଜ ଯେ ।ସିନ୍ଧୁ ଉତ୍କଳା ଚୋଳ କୁନ୍ତଳ, କେରଳ କୁଞ୍ଜଗଳ ନେପାଳ,ମାଳବ ଗୁଜରାଟ କୋଶଳ, ମଲ୍ଲବାରକ ଯେ ।୧।ସୈନ୍ୟ, ପାଦେକ ରେଣୁ ଉଡ଼ାଇ, ସୂର୍ଯ୍ୟଙ୍କୁ ଦେଲେ ଏଣୁ ଘୋଡ଼ାଇ,ରାଜାଆଗେ ଏ ତେଜ ବଢ଼ାଇ, ଦେଖାଇ ଭାବି ଯେ ।ସପତଦ୍ୱୀପ ଜନକଳାପ, ରାତି ଭ୍ରମରେ ଜାଳିଲେ ଦୀପ,ଦୃଢ଼ କରିଣ ହରିତ ଦୀପ ଧରି ପୃଥିବୀ ଯେ ।ସମୁଦାୟରେ ବୀରତୂରହିଁ ବାଜେ ଯେ । ସମ୍ବର୍ତ୍ତକାଦି ଚାରିମେଘ କି ଗର୍ଜେ ଯେ ।ସେ ଆଡ଼ମ୍ବର ମେଘାଡ଼ମ୍ବର, ଶ୍ୱେତ ଅମ୍ବର ଛତ୍ର ଚାମର,ଅଦୃଶ୍ୟ ହେଲା ସୈନ୍ୟ ସମ୍ଭାର, ସାଜିଣୀ ସାଜେ ।୨।ସମ୍ବର ବ୍ୟାଘ୍ର କୁଞ୍ଜର ହରି, ରକ୍ଷ ବରାହ ନକୁଳ ସରୀସୃପ,ଶତ୍ରୁତା ଦେଲେ ପାସୋର, ନିଜ ମାନସୁଁ ଯେ ।ଶିକାର କରି ଆସିବା ପାଞ୍ଚି, କ୍ରୀଡ଼ା ଅଟବୀମାନଙ୍କୁ ମୁଞ୍ଚି,ଅଗମ୍ୟ ଏକାଦରୀରେ ଲୁଚି, ସଭୟବଶୁଁ ଯେ ।ସମଦଣ୍ଡ ଚଳିବା କହିବା କେତେ ଯେ । ସୋମବର ଭୂସୁରେ ଗତ ପୁରତେ ଯେ ।ସମଗ୍ରେ ଅଗ୍ରେ ବ୍ୟଗ୍ରେ ବାହିଜ୍ୟ, ଚଳିତ ଘେନି ପଣ୍ୟ ଆନ୍ୟଜ,ଚେଳ କମ୍ବଳ ସୁଭୋଜ୍ୟ ଆଜ, ଏ ବିଧି ଯେତେ ଯେ ।୩।ସମୁଦୟର ପଦାତି ଧାଟି, ଧାପେ ପ୍ରକଟି ଘର୍ଘର ଘଣ୍ଟି,ସୁରଙ୍ଗ ମାଟି ଲେପନ କଟୀ, ତଟରେ କାତି ଯେ ।ସାବେଳୀ ନଳୀ ଝଲକ ଫରି, ଖଣ୍ଡା ସୁଦଣ୍ଡା ଭଲ୍ଲକ ଧରି,ଫଲି ଚାମର ପକ୍ଷେ ମାଧୁରୀ ହୋଇ ଅଛନ୍ତି ଯେ ।ସିଂହା ଦୁର୍ଲଭ ଚଣ୍ଡାତକ ପିନ୍ଧିତ ଯେ । ସୁଦୃଢ଼ରେ ଉଷ୍ଣୀଶ ଶିରେ ବାନ୍ଧିତ ଯେ ।ସରସ୍ୱତୀ କି ପ୍ରାବୃଟକାଳେ, ଚପଳେ ଚଳେ ତାହା କଲ୍ଲୋଳେ,କମଳ ଦଳ ବ୍ୟାଳ ସମେଳେ, ଭାସେ ଏ ସତ ଯେ ।୪।ସୈନ୍ଧବବଳ ମଞ୍ଜୁଳ ଦିଶେ, ସଂକୁଳ କୂଳ ପରାୟେ ଖସେ,ଭେକ ପ୍ରକାର ପ୍ରକାର ଦିଶେ; ଟେକୁଁ ଶ୍ରବଣ ଯେ ।ସେ ମତ୍ସ୍ୟରଙ୍କ ପ୍ରାୟେ କମ୍ପିତ, ମଥାକୁ ଟେକି ରଖେ ନିରତ,ଧିକ୍କାରେ ବାନ୍ଧି ନୂପୁର ସତ, ନର୍ତ୍ତକୀଗଣ ଯେ ।ସୁଗତିରେ ଅଛନ୍ତି ମନୁ ତ୍ୱରିତ ଯେ । ସେ ଯେ ହାଙ୍କିଲେ ଡେଇଁଯିବେ ପର୍ବତ ଯେ ।ସୁସ୍ଥେ ପିଠିରେ ରାଉତେ ବସି, ବର ବରସି କମାଣ କସି,ଟୋପି ଆଡ଼ିଣି କୁଟିଳ ଅସି କବଚେ ଯୁତ ଯେ ।୫।ସମୁଦୟରେ ଦିଶେ ଶୋଭନ, ଯେ ଘନ ଘନ କି ଘନାଘନ,ଗର୍ଜନ ଘନ ଘନ ସେ ଘନ, ଦାନ ଜଳରେ ଯେ ।ଶିକଳା ଶୁଣ୍ଢଦନ୍ତେ, ଉଦଣ୍ଡ, ସିନ୍ଦୂର ଗୁଣ୍ଡ ମୁଣ୍ଡିତ ମୁଣ୍ଡ,ସୁଘଣ୍ଟି ରୁଣ୍ଡ ଧ୍ୱନି ପ୍ରଚଣ୍ଡ, ଗମନ ଧୀରେ ଯେ ।ସଜ ଅମାରି ଚଉଖଣ୍ଡି ବାଖରେ ଯେ । ସନ୍ତତରେ ଶ୍ରବଣ ଚାଳନ କରେ ଯେ ।ସ୍କନ୍ଧ ଦେଶରେ ସ୍ଥିତ ମାହୁନ୍ତ, ତୀକ୍ଷ୍ଣ କୁନ୍ତ ଅଙ୍କୁଶବନ୍ତ,ଶିରେ ସୁମନ ଗଭା କମ୍ପିତ, ହୁଏ ଯିବାରେ ଯେ ।୬।ସ୍ୟନ୍ଦନକୁଳ ଝଳି ଚିରାଳ, ଚାମର ଚୟ ଦର୍ପଣମାଳ,ଧ୍ୱଜ ପତାକା ଚେଳ ଅଞ୍ଚଳ, ଅନିଳ ବଶେ ଯେ ।ସ୍ଫୁଟ ହେବାରେ ଚକ୍ର କଟ୍କଟ, ପ୍ରକଟ ଭାବେ କରନ୍ତି ନାଟ,ଶିଖରୀ କୁଟ ପରେ ଲମ୍ପଟ ଚାହେଁ ଆକାଶେ ଯେ ।ସାରଥିରେ ରଥୀରେ ଅତି ରୁଚିରେ ଯେ । ସୁସ୍ୱନକ ତହିଁରେ ଘଣ୍ଟ ନିକରେ ଯେ ।ସରଣୀ ଜଳ ତରଣୀ ସେହି, ଅମ୍ଳାନ ଫୁଲ ତୋରଣେ ଶୋହି,ନବତରୁଣୀ ଶୋଭାକୁ ବହି, ମୋହିତ କରେ ଯେ ।୭।-ଶ୍ଲେଷ-ସମ୍ଭାରେ ଅତି ଭୂପତି ତତି, ରୈବତ ସ୍ଥିତ ସେବନ୍ତି ଦନ୍ତୀ,ସୁଦନ୍ତୀ କ୍ଷିତିପତି ଆକୃତି, ଚାରୁକଟକ ଯେ ।ସୁରନିଳୟ ମଳୟ ନିଶା, ନବୀନ ଜଳଧଳ ସଦୃଶା,ଚନ୍ଦ୍ରରେ ମନୋରମ ମନୀଷା, ନନ୍ଦକାରକ ଯେ ।ସୁଛଟକରେ ହାଟ ବସିଛି ତହିଁ ଯେ । ସର୍ବଦ୍ରବ୍ୟ ସମ୍ଭୂତ ନ ଥିଲା ନାହିଁ ଯେ ।ସର୍ପୀ କ୍ଷୀରରେ ବ୍ରଜପସରା, ଦିଶୁଛି ଅଧୋଭୁବନ ପରା,ମାଳିପସରା ତ୍ରିଦିବ ତୋରା, ସୁମନଶୋହି ଯେ ।୮।ସୁନାରୀ ନିଶିପରାୟେ ଦିଶି, ନକ୍ଷତ୍ରମାଳା ବିଧୁ ପ୍ରକାଶି,ପଣ୍ୟୋପଲବୀ ଲାଗଂଳୀ ଧରି ଦ୍ୱାରକା ପରି ଯେ ।ସୀତାରାମରେ ଗୁଡ଼କାରକ, ଦିଶେ, ଅଯୋଧ୍ୟାପୁର ପ୍ରାୟକଅମ୍ବରେ ରମ୍ୟ ତନ୍ତୁବାୟକ, ତପନପରି ଯେ ।ସାଧୁତକବୃନ୍ଦ କି କୈଳାସ ଗିରି ଯେ । ସର୍ବଦାରେ ଅଛନ୍ତି କପର୍ଦୀ ଧରି ଯେ ।ସଞ୍ଚାର କଲା ଗ୍ରହ ପ୍ରକାରେ, ତହିଁରେ ଶୋଭା ଚକ୍ରୀ ଧୀବରେ,ସହିତ କୁମ୍ଭ ମୀନ ତୁଳରେ, ହେବାରୁ କରି ଯେ ।୯।-ବ୍ୟଙ୍ଗ ଶ୍ଲେଷ-ସେ ହାଟେ ଉରଜଙ୍କ ଯୁବତୀ ସିନ୍ଦୂର ସମ୍ପୁଟକେ ବିକନ୍ତି,ଓଷ୍ଠ ଉରଜ ଘୋଡ଼ାଇଛନ୍ତି, ଅତିଯତନେ ଯେ ।ସିହାଣ କେହି ଯେବେଟି କହି, ଏ ସମ୍ପୁଟକ କିଣିବି ମୁହିଁ;ଶୁଣି ପଣନ୍ତ ହସିଲା ହୋଇ, ଦିଏ ଲପନେ ଯେ ।ସେ ସ୍ଥଳକୁ ନାଗରୀ କାମିନୀ ଆସି ଯେ । ସ୍ୱରୂପରେ ନିୟନ୍ତି ରମ୍ଭା ଉର୍ବଶୀ ଯେ ।ସ୍ନେହାନୁବନ୍ଧ ଯାହା ଯାହାର, ଭେଟ ହୋଇଲେ ତାହା ତାହାର;ଗହଳେ ଯାନ୍ତି ନଦୀ ସାଗର, ପରାୟେ ମିଶି ଯେ ।୧୦।ସ୍ନେହେ କେ ଭାଷେ ଚତୁରୀ ପାଶେ, କରୁଣା ନାହିଁ ପରା ଏ ଦେଶେ,ଅନୁସରି ମୁଁ ଥାଇ ଅନିଶେ, ଦେଖଇ ନାହିଁ ଯେ ।ସେହି କଥାକୁ ଛଳି ସେ କହି, ବିଦ୍ରୁମଫଳ ମିଳଇ ଯହିଁ,ଅମୃତଠାରୁ ସ୍ୱାଦୁ ହୁଅଇ, କି ଲୋଡ଼ୁ ତହିଁ ଯେ ।ସାର ରସିକ କେହି ଭାଷେ ଏ ଗିରି ଯେ । ସ୍ନେହୀ ପଦ୍ମିନୀଠାରେ ଭୋକି ଭ୍ରମର ହେ ।ସେ କି ବେଭାର କରେ ରାତିରେ, ରଖଇ ନାହିଁ ମୋହି କତିରେରାମାବୋଧିଲା ଏ ଭାରତୀରେ, ଦୋଷ ଚନ୍ଦର ଯେ ।୧୧।ସ୍ୱୟଂ ଦୁତୀହିଁ ଚିତ୍ତେଆଦରି, ନାଗରେ ଦୃଷ୍ଟିପାତ ନ କରି,କହେ କେ ସଖୀ ହସ୍ତକୁ ଧରି, ଚାତୁରୀ କି ଯେ ।ଶାଶୂ ଶ୍ୱଶୁର ପୁରକେ ଶୋଇ, ବର ଅଛନ୍ତି ବିଦେଶେ ଯାଇ,ଏକା ମୁଁ ଥାଇ ନିଦ୍ରା ନୁହଇ, ରାତ୍ରକୁ ଡରି ଯେ ।ଯେ ଭୁବନେ ରହିଛି ଭୂତ ମନ୍ନଥ ଯେ । ସ୍ଥିର ହୋଇଛି ଯେଣୁ ଦ୍ୱାରେ ଅଶ୍ୱତ୍ଥ ଯେ ।ସାହା ମୋ ତୁହି କହିଲି ତୋତେ, ଜାଣ ଅବଧି ମୋହ ସଙ୍ଗତେ,ହର ରଜନୀ କୁହୁକ ମତେ, କର କୃତାର୍ଥ ଯେ ।୧୨।ସ୍ନପିତ ସୁଧାରସରେ ଦାନୀ, ପୁରୁଷେ କେଉଁ ରମଣୀମଣି,କେହି କାହାକୁ କହିଲା ଜାଣି, ମୃଦୁସଧୀର ଯେ ।ସ୍ୱସା ପତିର ଅଛନ୍ତି ଘର, ଏକ ଜୀବନ ତାଙ୍କ ମୋହର,ନିରତେ ରହେ ରାଜା ଦୁଆର, ପତି ଦେବର ଯେ ।ସଧବା ସେ ନୁହନ୍ତି କରମବଳେ ଯେ । ଶାଶୁ ନିକଟେ ପରଲୋକରେ ମିଳେ ଯେ ।ସଦପାତ୍ରରେ କରନ୍ତି ଦାନ, ସୁବର୍ଣ୍ଣ କୁମ୍ଭ ଦିବ୍ୟବସନ,ମନେ ଖୋଜୁଛି ଅନବିଚ୍ଛିନ୍ନ, ଗ୍ରାହୀ ନ ମିଳେ ଯେ ।୧୩।ସାଧାରଣ ଏ ଶ୍ରେଣୀଭୂତରେ, ବିରହୁଛନ୍ତି ତହିଁ ଭିତରେ,ରଖନ୍ତି ଯୁବା ଚିତ୍ତ ଭିତରେ, ନିଜଚାତୁରୀ ଯେ ।ଷୋଡ଼ଶୀ ରସାଳସୀ ଧଡ଼ସୀ, ପକାଇ ସୁକଟାକ୍ଷ ବଡ଼ଶୀ,ମନମୀନକୁ ହୃଦ ସରସୀ, ମଧ୍ୟୁ ଓଟାରି ଯେ ।ସେ ଭଙ୍ଗୀକି ଅନାଇ ବିଟପ ନରେ ଯେ । ସ୍ୱର୍ଣ୍ଣ ଏତେ ବୋଲିଣ ଠାରନ୍ତି କରେ ଯେ ।ସୀଉକାରକୁ ପାଇ ତାଙ୍କର, ହୁଅନ୍ତି ଅତି ହରଷଭର,ଭାବନ୍ତି ବେଗେ ସରୁବାସର, କାମକାତରେ ଯେ ।୧୪।ସର୍ପତୁଣ୍ଡିକି ବଜାଇ ଢାକି; ଖେଳାଇ ସର୍ପମନ୍ତ୍ରକୁ ଡାକି,ମର୍କଟନାଟ କାହିଁ କୁତୁକୀ କରାଉଛନ୍ତି ଯେ ।ସେ ପଥେ ନଟ କରନ୍ତି ହଟ, କେବଣ ନଟ ବହିଣ ଘଟ,ଉତାରି ପାଟ ଦାତାଏ ପାଟବସ୍ତ୍ର ଦିଅନ୍ତି ଯେ ।ସୁଖେ ଭ୍ରମନ୍ତି କାହିଁ ବାଚାଳ ଯୁଗ ଯେ । ସ୍ଥଳ ସ୍ଥଳକେ ଦେଖା ଗତ ତୁରଙ୍ଗ ଯେ ।ସେ ସ୍ଥାନେ ମିଳି ମଧୁପିଆଳୀ, ମତୁଆଳରେ କରନ୍ତି କେଳି,ସଭା ସଜ୍ଜନେ ଦିଅନ୍ତି ଗାଳି, ବିବେକ ଭଙ୍ଗ ଯେ ।୧୫।-ମ୍ଳେଷ-ସେଠାରୁ ଯାଇଁ ନୃପ କଳାପ, ଦେଖିଲେ ଶୋଭା ସଭାମଣ୍ଡପ,ବହିଛି ଆକାଶର ସ୍ୱରୂପ, ତାରେ ଜ୍ୱଳିତ ଯେ ।ସତ୍ତମ ବୁଧ ରେବତୀପତି, ଶଉରିଗୁରୁ କବି ଅଛନ୍ତି,ମଙ୍ଗଳ କେତୁ ଯହିଁ ମିଳନ୍ତି, ମିତ୍ର ତୋଷିତ ଯେ ।ସନମାନ ପାଇଣ ବସିଲେ ସର୍ବେ ଯେ । ସତ୍ୟବଚସଗଣ ପ୍ରବେଶ ଜବେ ଯେ ।ଜଟା କୌପୁନୀ ହରିଣାଜିନ, ଦଣ୍ଡକରକ ମାଳା ମଣ୍ଡନ,କୁଣ୍ଡଳକର୍ଣ୍ଣ ଭସ୍ମଲେପନ, ସେ ଅବୟବେ ଯେ ।୧୬।ସନକ ବ୍ୟାସ ଗୌତମ ଶୁକ, ପୁଲହ କ୍ରତୁ ଭୃଗୁ କୌଶିକ,ଅଙ୍ଗିରା ପରାଶର ଜନକ, ମୃକଣ୍ଡୁ ସୂତ ଯେ ।ସନକ ଭରଦ୍ୱାଜ ଅଗସ୍ତି, ବଶିଷ୍ଠ ଅଷ୍ଟାବକ୍ର ପୌଲସ୍ତି,ଋଷ୍ୟଶୃଙ୍ଗକ ମରୀଚି ଅତି, ଗାର୍ଗବ ଗତ ଯେ ।ସତ ଦୁର୍ବାସା ବିଭାଣ୍ଡକ ସୁମନ୍ତ ଯେ । ସନତକ କପିଳ ନାରଦ ଯୁତ ଯେ ।ଷଠିସହସ୍ର ଯେ ବାଳଖିଲ୍ୟା, ସେହି ଏଥିରେ ହୋଇଣ ମେଳା,ହରିରେ ମାନ୍ୟ ଲଭିଣ ଧନ୍ୟ ହୋଇ ତୃପତି ଯେ ।୧୭।ସାତ୍ୟକୀ ଯାଇଁ ଦଇବବଶେ, ମିଳି ଗୋଶିଙ୍ଗ ଦାନବ ଦେଶେ,ଆପଣା ପ୍ରାଣ ରକ୍ଷଣ ଆଶେ, ଯାଗକୁ ବରି ଯେ ।ସୈନିକକୃତ ହୋଇ ତ୍ୱରିତ, ସେହୁ ଗମିତ ପୃଥ୍ୱୀ କମ୍ପିତ,ଭୂମିମଣ୍ଡଳ ଉତ୍ପାତ ଜାତ, ମାନବେ ଥରି ଯେ ।ସଘନରେ ଦିଶିଲେ ତାରା ଦିବସେ ଯେ । ଶୁଭେ ନିର୍ଘାତ ଜାଳ ପାଁଶୁ ବରଷେ ଯେ ।ସମ୍ମୁଖେ ଉଲ୍କା ପ୍ରକାଶ ଆସି, ଗ୍ରାମ ଭିତରେ ଶୃଗାଳ ପଶି,ପ୍ରତିମାର୍ଗଣ ରୋଦେ ଅନିଶି, ଭୀତି ପ୍ରଦେଶେ ଯେ ।୧୮।ସିନ୍ଧୁକାବେରୀ ଜାହ୍ନବୀ ଗୋଳା, ଯମୁନା ବ୍ରାହ୍ମୀ ଚିତ୍ର ଉତ୍ପଳା,ଭାର୍ଗବୀ ସରସ୍ୱତୀ ମେଖଳା, ରେବା ନର୍ମଦା ଯେ ।ସୁବର୍ଣ୍ଣରେଖା ସୁଋଷିକୁଲ୍ୟା, ସରଯୁ ଚନ୍ଦ୍ରଭାଗା ସୁରଳା,କୌଶିକୀ ସରାବତୀ ବିମଳା, ସୁତୁଙ୍ଗଭଦ୍ରା ଯେ ।ସଦାନୀରାଦି ନଦୀ ହେଲେ ଶଙ୍କିତ ଯେ । ସକମ୍ପନ ହୋଇଲେ ଏତେ ପର୍ବତ ଯେ ।ସହ ମଳୟ ପାରିପାତ୍ରକ, ବିନ୍ଧ୍ୟ ହେମାଦ୍ରି ମେରୁ ମେନାକ,ଗନ୍ଧମାର୍ଦ୍ଦନ କୈଳାସ ଲୋକାଲୋକ ସହିତ ଯେ ।୧୯।ଶୁଣି ସେ ଗ୍ରାମଜନ ଶ୍ରୁତିରେ, କଲେ ସେ ପୁରୀ ଗିରି ଦରୀରେ,ଯେହି ପଡ଼ିଲେ ମୁଖରେ ଖରେ, ହେଲେ ଭକ୍ଷଣ ଯେ ।ସ୍ଥାପିତ ଦେବଗଣଙ୍କୁ ଧ୍ୱଂସି, ଗୋ ବିପ୍ର ସ୍ତିରୀ ବାଳକ ନାଶି,ରୈବତ ପାଶେ ହୋଇଲେ ଆସି ରାକ୍ଷସଗଣ ଯେ ।ସନାତନ ହଳୀଙ୍କି ସାତ୍ୱକୀ କହି ଯେ । ସଭୀତିରେ କୁଟୁମ୍ବ ଦ୍ୱାରକା ନେଇ ଯେ ।ସୌନନ୍ଦ ହଳୀ ସୁଦରଶନ, ଗଦା ଧରିଣ ଚଢ଼ି ସ୍ୟନ୍ଦନ,ରଣେ ତୈତ୍ୟଙ୍କୁ କଲେ ନିଧନ, କୂପିତ ହୋଇ ଯେ ।୨୦।ସୁବୁଦ୍ଧି ଜପାସୁର ବିଦିତ, ଅସୁର ମନ୍ତ୍ରୀ ରାମ ଅଗ୍ରତ,କହିଲା ମାର ଆମ୍ଭଙ୍କୁ ଦୂତ, ପେଷି ହକାରି ଯେ ।ସର୍ପକୁ କଥା ପ୍ରସଙ୍ଗ ଧରେ, ଡାକି ମନ୍ତ୍ରରେ ନାଶ ନ କରେ,ପଶିଲେ କଥା ପ୍ରସଙ୍ଗ ପୁରେ, ତାକୁ କି ମାରି ଯେ ।ଶୁଣି ଶାନ୍ତି ଭଜିଲେ ମାନଗୋବିନ୍ଦ ଯେ । ସଙ୍ଗେ ଆଣିଲେ ବରି ଦାନବ ଇନ୍ଦ୍ର ଯେ ।ସୁରା ମହିଷି ଛାଗଳ ମେଷ, ଆମିଷା କ୍ଷୀର ପୂର ବିଶେଷ,ସମର୍ପି କଲେ ତାଙ୍କ ମାନସ, ଅତି ଆନନ୍ଦ ଯେ ।୨୧।ସମାନ ନାହିଁ ଯାଗଶାଳକୁ, ସୃଷ୍ଟି ଭିତରେ ଦୃଷ୍ଟି ଦେବାକୁ,ଚିତ୍ରଯୂପକୁ ଶ୍ରୁବ ଶ୍ରୁଚକୁ ଘେନି ଦିପତୀ ଯେ ।ସୋମବଲ୍ଲରୀ ମୃଗ ଗୋକୃତି, ଘୃତବସନ ଉତ୍ତମପାତ୍ରୀ,ଦର୍ଭସମିଧ ଆସନପନ୍ତି, ପୂରିଅଛନ୍ତି ଯେ ।ସାମ ଆଦିରେ ଚାରିବେଦ ପାରଗ ଯେ । ଷୋଳ ଋତ୍ୱିଜ ଘେନି ଭୂସୁରବର୍ଗ ଯେ ।ସୁଲଗ୍ନ ଜଉତିଷେ ବିଚାରି, ଘେନିଲେ ଦୀକ୍ଷା ମୁଷଳୀ ହରି,ପ୍ରଦ୍ୟୁମ୍ନ କ୍ଷେତ୍ରପାଳ ଆବୋରି, ଦ୍ୱାରକୁ ବେଗ ହେ ।୨୨।ଶୁଭେ ଦୁନ୍ଦୁଭିନାଦ ନିରତ, ଏମନ୍ତେ କେତେ ଦିବସ ଅନ୍ତ,କିତବ ବୁଦ୍ଧି ବିଚାରି ଦୈତ୍ୟ ରାତ୍ରି ପ୍ରବେଶେ ଯେ ।ସେନାମାନଙ୍କ ଦର୍ପକୁ ଦଣ୍ଡି, ହାତୀ ରଥୀଙ୍କି କୃପାଣେ ଖଣ୍ଡି,ଦେଖି ଭାଜିଲେ ପଦାତି ରୁଣ୍ଡୀ, ଭୂତ ସତ୍ରାସେ ଯେ ।ଶସ୍ତ୍ର ଛଡ଼ାଇ କ୍ଷେତ୍ରପାଳଙ୍କ କରୁ ଯେ । ସ୍ପନ୍ଦ ସ୍ୱରୂପ ଧରି ସେ ଭୟ କରୁଁ ଯେ ।ସଶୀଘ୍ରେ ମଖ ମଦନେ ପଶି, ଚର୍ବଣ କରି ବହୁତ ଋଷି,ଅନଳେ ରାମକୃଷ୍ଣ ନିବେଶି, ଅତି କ୍ରୋଧରୁ ଯେ ।୨୩।ସତ୍ୟଭାମାକୁ ଏରୂପେ ତହିଁ, ଅସୁର ଚାହିଁ ହୋଇଲା ମୋହି,ଭାବିଲା ପୂର୍ବେ ନ ଥିଲା ନାହିଁ, ନୋହିବ ପୁଣି ଯେ ।ସମ୍ପୂର୍ଣ୍ଣ ଶୋଭାରାଶି ସୁକେଶୀ, ବିକାଶ କାଶ କର୍ପୂର ହାସୀ,ଜନମାନସ ମୋହନ ପାଶୀ, ରମଣୀମଣି ଯେ ।ସରସିଜ ଦର୍ପଣ ଚନ୍ଦ୍ର ବଦନା ଯେ । ସୁହୀରକ କରଜ କୁନ୍ଦରଦନା ଯେ ।ସିନ୍ଦୂର ବାଳଭାନୁ ପ୍ରବାଳ, ବିମ୍ବ ବିଡ଼ମ୍ବ ନବ ପ୍ରବାଳ,ବନ୍ଧୁ ଜୀବକ ଜବା ହିଙ୍ଗୁଳ, ରଦଛଦନା ଯେ ।୨୪।ସୁବର୍ଣ୍ଣ ଚମ୍ପା ସମ୍ପା କୁଙ୍କୁମ, କେତକୀ ନିଶା ଷଣକୁସୁମ,ଗଉରୀ ହରିତାଳ ପ୍ରତିମ, କାନ୍ତି ସଦୃଶୀ ଯେ ।ସଜଳ ଜଳଧର କଜ୍ଜ୍ୱଳ, ଭୃଙ୍ଗ ତମାଳ କାଳିନ୍ଦୀଜଳ,ବରହୀପୁଚ୍ଛ ଚାମର ନୀଳମଣି ସୁକେଶୀ ଯେ ।ସୁକୋମଳା ପଦ୍ମିନୀ ପଦ୍ମସୁବାସୀ ସେ । ସ୍ମର ଚାପ ସ୍ୱରୂପ ଭୂରୁ ବିଳାସୀ ଯେ ।ସାରଙ୍ଗ ନୀଳ-କଞ୍ଜ ଖଞ୍ଜନ, ଅଞ୍ଜନଶର ପୁଞ୍ଜ ଗଞ୍ଜନ,ଶଫରୀ ଗର୍ବ ଅଞ୍ଜନ, ରଞ୍ଜନ ଦୃଶ ଯେ ।୨୫।ସଂଗୃହୀତ ଯେ କରି ସେ ନାରୀ, ରଥାରୋହଣ ତ୍ୱରିତେ କରି,କହିଲା ମନ୍ତ୍ରୀ ଏହା ନ କରି, ନୋହେ ବେଭାର ଯେ ।ସୀତା ହରଣେ ମଲା ଲଙ୍କେଶ, ଦୁର୍ଗା ଲୋଭେ ତୋ ପ୍ରପିତା ନାଶ,ତେଜ ଏ କନ୍ୟା ଲାଳସ, ଘେନି ମୋ ଗିର ଯେ ।ସେ ବଚନେ ରାଜନ ଏମନ୍ତ କହି ଯେ । ସୁଧାକର ପ୍ରାପତ ଏଡ଼ିବି କେହି ଯେ ।ସ୍ମରସମୁଦ୍ର ତରଣେ ସତ, ଏହା ବହିତ୍ର କୂପବେ ଯୁକ୍ତ;ସଚିବ ତୁ ତ ପଡ଼େ ଅହିତ, କହୁ କି ପାଇଁ ଯେ ।୨୬।ସଗୋତ୍ର ହୋଇ ଦେବର ବର, ଭସ୍ମ ଅନଳେ ଯୋଗ ଏହାର,କେ କରିବଟି ଆଉ ସମର ବାହା ସ୍ୟନ୍ଦନ ଯେ ।ସପକ୍ଷେ ଚଳି ଏମନ୍ତ ଭାଳି, ଉଚ୍ଚେ ରୋଦନ କରନ୍ତି ବାଳୀ,ହା କୃଷ୍ଣ କୃଷ୍ଣ ପୁଣି ସେ ବୋଲି ରଖ ଅର୍ଜୁନ ଯେ ।ସେହି ରାତ୍ରରେ ତୁଙ୍ଗଭଦ୍ରାରେ ତୀରେ ଯେ । ସମ୍ଭାଇଲା ଯେ ଶଦ୍ଦ ପାର୍ଥ ଶ୍ରୁତିରେ ଯେ ।ସଂକ୍ଷିପ୍ତ କଲା ମନ୍ତ୍ରୀ, ଆଶୁଗ, ରୁନ୍ଧିତ ହେଲା ସକଳ ଦିଗ,ପଥ ନ ପାଇ କୌଣପବର୍ଗ, ଦୁଃଖ ମତିରେ ଯେ ।୨୭।ସୌପ୍ତିକ ବନ୍ଧେ କରି ସନ୍ମନ, ବୀର ଶବର ଏହି ଅରଣ୍ୟ,ବାସ କରିଛି ପାଞ୍ଚିଲେ ପୁଣ, ଜନ ନିକର ଯେ ।ସନ୍ତାପୀ ହୋଇ କହେ ସଚିବ, ନ ଘେନିଲୁ ମୋ ବାଣୀ ଭୋଦେବ,ଯୁବତୀ ଘେନି ଜୀବନ ଯିବ, ଯମ ନଗର ଯେ ।ସାର କଲେ ବିଚାର ନାରୀକି ଦେବା ଯେ । ସରୁ ରଜନୀ ତାକୁ ପ୍ରବୋଧି ଯିବା ହେ ।ସବିତା ଏହି କାଳେ ଉଦୟ । ଗହ୍ୱରେ ଲୁଚେ ତମ ନିଚୟ,ହୋଇଲା ଜାତ ଉଲକ ଭୟ, କାଳ ଡାକିବା ଯେ ।୨୮।ସୁନ୍ଦରୀ ନିଧି ଘେନି ସନ୍ନିଧି, ସମର୍ପେ ଧନଞ୍ଜୟ ସନ୍ନିଧି,କାନ୍ଦି କହନ୍ତେ ସକଳ ବିଧି, ପ୍ରମଦାବର ଯେ ।ସରୋଷେ ଖଡ଼ଗ କରି ବିକୋଷ, ଛେଦିଲେ ଦୈତ୍ୟମନ୍ତ୍ରୀ ଶିରୀଷ,ସେହି ରାକ୍ଷାସଈଶ ପ୍ରକାଶ, କଲା ସମର ଯେ ।ସତ୍ୟଭାମାଏ ଯାଇ ଗିରିଗୁହାରେ ଯେ । ସୁଖେ ରହିଲେ ଶତଧନୁ ସଙ୍ଗରେ ଯେ ।ସଘନ ରସା ଯୁଦ୍ଧ ବରଷା, କାଳ ସଦୃଶା ଅଦୃଶା ଆଶା,କର୍ଦ୍ଦମ ଜାତ ହୋଇଲା ରସା ନୀର ରୁଧିରେ ଯେ ।୨୯।ସମ୍ପାତ ତୀକ୍ଷ ମାର୍ଗଣ ଜାତ, ଗୁଣ ଟଙ୍କାର ଯହିଁ ସ୍ତନିତ,କୃପାଣ ଝଟକିବା ତଡ଼ିତ, ଧ୍ୱଜ ବକାଳି ଯେ ।ସଂକୁଳ ରବ ଯୋଦ୍ଧାମାନଙ୍କ, ଭେକ ଡାହୁକ ମୟୁର ଡାକ,କୋଦଣ୍ଡ ରୁଣ୍ଡ ଇନ୍ଦ୍ର କାର୍ମୁକ, ଅତ୍ୟନ୍ତ ଧଳି ଯେ ।ବାଟୁଳି କରକା ବୃଷ୍ଟି ଯେ । ସତ ଶକୁନ୍ତ ତହିଁ ହୋଇଲେ କଷ୍ଟି ଯେ ।ଶାମୁକ ନାଦ ଘଣ୍ଟି ଶବଦ, କବନ୍ଧ ନାଟ ରକତ ନଦ,ଉଭୟ ତହିଁ କରେ ବିନୋଦ, ଫରିକର୍କଟୀ ଯେ ।୩୦।ସମୀର ପାର୍ଥ କରନ୍ତେ କେଳି, ଦୈତ୍ୟ କଦଳୀ ହୋଇଲେ ଦଳି,ଗୋଶୃଙ୍ଗ ମହାପାଦପ ଢ଼ଳି, ହୋଇ ବିଭିନ୍ନ ଯେ ।ଶସ୍ୟ ସମ୍ପତ୍ତି ହୋଇଲା ଏବେ, ଦେଖି ହରଷ କୃଷିକ ଦେବେ,ବିଚାର କଲେ ବସିଣ ସର୍ବେ, ଏକଇ ସ୍ଥାନ ଯେ ।ସାହୁ କୃଷ୍ଣ ବଲ୍ଲଭୀ ଲଭି ସନ୍ତୋଷ ଯେ । ସୁଝା ମୂଳଧନକୁ ପାଇବା ଆଶେ ଯେ ।ସୂର୍ପ ବ୍ୟଜନ ଶକଟରଥ, ଚଷକ ନାରୀ ଶମନଦୂତ,ସହିତ ଶମଶାନ ସେ କ୍ଷେତ୍ର ତହିଁ ପ୍ରବେଶ ଯେ ।୩୧।ଶ୍ୱାନ ଶୃଗାଳ ଗୃଧ୍ର ଡାକିନୀ, ପିଶାଚ ଭୂତ ଚଣ୍ଡୀକି ଘେନି,ଶୋଭିତ କଲେ ଯୁଦ୍ଧ ଅବନୀ, ଅତି ସତ୍ୱରେ ଯେ ।ସୂପକାର ଯେ ଅର୍ଜୁନ ହୋଇ ଉତ୍ତମ ଭୋଜି ଅଛି ଭିଆଇ,ଖାଇବା ଉଦରକୁ ପୂରାଇ, କରି ଚିତ୍ତରେ ଯେ । ସିଝାପୂପ ପ୍ରକାର ରସପୂରିତ ଯେ । ସୀମନ୍ତକକୁ ଚୋବାଇଲେ ତ୍ୱରିତ ଯେ ।ସୁଭୋଗ୍ୟ ଶୋଣ ପଣାର ପରି, ବପାଖଣ୍ଡକୁ ବ୍ୟଞ୍ଜନ କରି,ପିତ୍ତକୁ ଘୃତ ପ୍ରକାରେ ଧରି, କରେ ଲୋହିତ ଯେ ।୩୨।ସେ ଭୂଜପାଦ ମତ୍ସ୍ୟର ସ୍ୱାଦୁ, ପାଇ ଖାଇଲେ ଅତି ପ୍ରମୋଦୁଁ,କାଢ଼ିଣ କରତଳ ପ୍ରମଦୁଁ, ନଖ କଣ୍ଟକ ଯେ ।ସମଦେ କିଳିକିଳା, ନିନାଦ, କରନ୍ତେ ଶୁଭେ ରଟରଟ ରଦ,ଭାବେ ରହିଲେ ହୃଦୟ ମେଦ, ପରେ ତରଙ୍କ ଯେ ।ଶୁଖାଇଣ ପିଶିତ ଭଦୟମାନେ ଯେ । ସଞ୍ଚି ରଖିଲେ ବହୂକାଳ ବଞ୍ଚନେ ଯେ ।ସର୍ବଜ୍ଞଭୂତେ ଶୂନ୍ୟ କୈଳାସ, ଦେଖି ଜାଣିଲେ ଅର୍ଜୁନ ଯଶ,ଉମା ସହିତେ ଦେଲେ ଆଶିଷ, ହରଷମନେ ଯେ ।୩୩।ସନ୍ଦେହବହ ପଳାଇଯାଏ, ଉପୁଜିଅଛି ଅତ୍ୟନ୍ତ ଭୟେ;ତରୁଲତାଏ ଅର୍ଜୁନ ପ୍ରାୟେ, ଦିଶନ୍ତି ତାକୁ ଯେ ।ଶ୍ମଶାନେ ବାସକଲା ସବଳ, ହୋଇ ଆପଣେ ଅବନୀପାଳ,କହିଲେ ପୁରେ ହୋଇ ଆକୁଳ, ଏହି ବାର୍ତ୍ତାକୁ ଯେ ।ସର୍ବଂସହାରେ ହେଲେ ନାରୀ କଚାଡ଼ି ଯେ । ସ୍ୱହସ୍ତରୁ ଭାଙ୍ଗିଲେ ସୁବର୍ଣ୍ଣ ଚୁଡ଼ି ଯେ ।ସୁରଙ୍ଗ ଧଡ଼ି ଶାଢ଼ୀ ମୁଞ୍ଚିଲେ, ଲୋତକେ ଉର ତିନ୍ତାଇ ଦେଲେ,ହା ନାଥ ବୋଲି ହୃଦୟସ୍ଥଳେ, କରକୁ ତାଡ଼ି ଯେ ।୩୪।ସହଦେବର ଅଗ୍ରଜ ସଙ୍ଗେ, ହରି କାମିନୀ ବିମାନ ରଙ୍ଗେ,ଆରୋହି ଆସି ରୈବତ ନଗ୍ରେ, ପ୍ରବେଶ ହେଲେ ।ସପତଜିହ୍ୱ ମଧ୍ୟରେ ଲୀନ, ହୋଇଥିଲେ ଯେ ମଧୁସୂଦନ,ହଳୀ ତାହାଙ୍କୁ ସେ ଅବତୀର୍ଣ୍ଣ, ସତ୍ୱରେ କଲେ ଯେ ।ସାତ୍ୱତାଦିରେ ସାତବଂଶ ଯାଦବ ଯେ । ସେହି ସ୍ଥାନରେ ରୁଣ୍ଡ ହୋଇଲେ ଜବ ହେ ।ସୁକର୍ମୀ ଦ୍ୱିଜେ ଆସି ଆଶିଷ, ଦେଲେ ମାଗଧେ ବର୍ଣ୍ଣିଲେ ଯଶ,ଗ୍ରହପାଞ୍ଜକି କହେ ଜ୍ୟୋତିଷ, ମହାଉତ୍ସବ ଯେ ।୩୫।ସ୍ୱରୂପା ରୂପଜୀବାଏ ଗୀତ, ଗାନ କରନ୍ତି ସେ ମଧ୍ୟେ ସ୍ଥିତ,ହୋଇଲା ଚାଟୂବଟୁ ସୁନୃତ୍ୟ, ଆରମ୍ଭ କରି ଯେ ।ସଂଳାପବାଣୀ ଆଳାପ କରେ ତାହା ଚିବୁକ କରକୁ ଧରେ,ବକ୍ର ଚାହାଣି । ଅନାଇ ନରେ, ହାସ ଆଦରି ଯେ ।ସାନନ୍ଦରେ ଗମିତ ଦ୍ୱାରକାପୁରୀ ଯେ । ସ୍ୱୈରିନ୍ଦ୍ରୀକି ହକାରି ବୋଇଲେ ହରି ଯେ ।ସବୁନାରୀକି ବେଶ କରିଣ, ମୋ ଆଜ୍ଞା କହି ଆଣ ତତ୍କ୍ଷଣ,ଅର୍ଜୁନେ ଅର୍ଘ୍ୟ ଦେବା କାରଣ, କି ଅପକାରୀ ଯେ ।୩୬।ସପ୍ତତିରିଶ ପଦେ ପୂରିତ, ବୀର କାରୁଣ୍ୟ ହାସ୍ୟ ଅଦ୍ଭୁତ,ବୀଭତ୍ସ ଭୟାନକ ସୁଶାନ୍ତ ରୌଦ୍ର ଶୃଙ୍ଗାର ଯେ ।ସୁବ୍ୟକ୍ତ ପୁଣି ଛାନ୍ଦଛାନ୍ଦକେ, ପ୍ରତୀତ ହେବ ଅଳଙ୍କାରିକେ,ଶୁଣି ତୃପତି ହେବେ ରସିକେ, ପଣ୍ଡିତନରେ ଯେ ।ସଉମିତ୍ରୀ ଦକ୍ଷିଣେ ସୀତା ବାମରେ ଯେ । ସମୀରଣ ଆତ୍ମଜ ସ୍ଥିତ ଅଗ୍ରରେ ଯେ ।ସେ ରାମେ ନମସ୍କାର ଅଶେଷ, କରି ଏ ରୂପେ ଧ୍ୟାନ ମାନସ,କହିଲା ଉପଇନ୍ଦ୍ର ଏ ରସ ତୋଷ ଚିତ୍ତରେ ଯେ ।୩୭।