ସ୍ତୁତି ଚିନ୍ତାମଣି
ମହିମା ଧର୍ମର ସନ୍ଥ କବି · ପ୍ରାୟ ୧୮୫୦–୧୮୯୫ · ରାଧାନାଥ ଯୁଗ
- ପଢ଼ିବା ସମୟ
- ୨୦୫ ମିନିଟ୍
- ଶବ୍ଦ
- ୩୨୭୭୬
- ସ୍ଥିତି
- ସାର୍ବଜନୀନ (Public domain)
ପ୍ରଥମ ବୋଲିଜୟ ଜୟ ଜ୍ୟୋତିରୂପରେ ବିଖ୍ୟାତ ଶୂନେଂ ଯା ଉଡ଼ଛି ବାନୀ,କୃପାକଟାକ୍ଷ ତ ଅରୂପେ ବିଦିତ ଭଗତ-ଦୁଃଖ-ଖଣ୍ଡନା ।ଜଗତ ଆବୋରି ପୂରିଅଛ ହରି ନାମ ବ୍ରହ୍ମମୟ ତେଜ,ଅଜ୍ଞାନୀକି ମେରୁ ସୁଜ୍ଞାନୀକି ସରୁ ନୁହଇ ଉଶ୍ୱାସ ବୋଝ ।ଅଭୟ ପୟରୁ ପ୍ରଭୁ ଶ୍ରୀଛାମୁରୁ କିଛି କୃପା ହେଉ ନାହିଁ,ନିମିଷମାତ୍ରକ ଯୁଗେ ଲେଖୁଅଛି ଦିବସ ଗଣୁଛି ମୁହିଁ ।ଆହା ତୁ କରତା ବୋଲି ମନେ ଚିନ୍ତା ଲଲାଟରେ ହସ୍ତ ମାରି,ଉଧର ବା ନ ଉଧର ମହାପ୍ରଭୁ ସନ୍ତାପେ ଗଲିଣି ସରି ।ମେଲିଛ ପସରା ନିର୍ବେଦରେ ପରା ଅରୂପେ କରିବ ପାରି,ଘେନ ମୋ ବିନତି ବୁଝ ତୁ ବ୍ୟକତି ଯେବେ ଭକ୍ତହିତକାରୀ ।ଅବନାମଣ୍ଡଳୁ ଜ୍ଞାନ ଅଖଣ୍ଡଳୁ ଆଣି ଉଡ଼ାଇଛ ବାନା,ଅନ୍ତର୍ଯ୍ୟାମୀ ହେଲେ ଅବଶ୍ୟ ଜାଣିବ ଭୃତ୍ୟର ମନ କଳ୍ପଣା ।ଜାଣ କେତେ ଛନ୍ଦ ଅରୂପ ଗୋବିନ୍ଦ ଏ ସର୍ବ ତୁମ୍ଭରି ଖଣ୍ଡ,ନଟ କୂଟ କରି ମାରୁଅଛି ଧରି ବିହୁଅଛ କେତେ ଦଣ୍ଡ ।ସନ୍ତାପରେ କେତେ ଦହୁଅଛ ମୋତେ ଯେତେ ଦେଉଛ କଷଣ,ଭଗତରକ୍ଷଣ ବାନା ବହିଅଛ ଧନ୍ୟ ତୁମ୍ଭ ପ୍ରଭୁପଣ ।ମୁଁ ଯେ ଶ୍ରୀ ଛାମୁରେ ସତ୍ୟ ନିଷ୍କାମରେ ନାମ ଅପରାଧୀ ଚୋର,ଅଛି ଯେବେ ଦୋଷ ମନେ ବହି ରୋଷ ଖଡ଼ଗେ ଛେଦେ ମୋ ଶିର ।ଏତେ କାଳେ ମୋତେ ବିଅଣଆୟତ୍ତେ ଆସି ପଡ଼ିଲା ବିପତ୍ତି,ହୃଦର ବେଦନା କର ତୁ ଖଣ୍ଡନା ଅଲେଖ ଅବର୍ଣ୍ଣ ଜ୍ୟୋତି ।କିବା ରାଜପୁତ୍ର କିବା ସାଧୁ ସନ୍ଥ ସର୍ବେ ହେଲେଣି ଦୁର୍ଜନା,ଏ ତିନି ବ୍ରହ୍ମାଣ୍ଡ ସାଧିବୁ ତୁ ପରା କିସ ଦେଖୁଛ ଭାବନା ।ଦେବା ଦେବୀଗଣ ମୃତ୍ତିକା ପାଷାଣ କାହାକୁ ନ ଭଜି ଚିତ୍ତେ,ମୂକତି କାଷ୍ଠାରେ ଏକାନ୍ତ ନିଷ୍ଠାରେ ଏକା ଧ୍ୟାୟି ଅଛି ତୋତେ ।ତୁ ଯେବେ ଅଲେଖ କରିବୁ ନିରେଖ ବିପତ୍ତିରେ ଅପଯଶ ।ଏ ତିନି ବ୍ରହ୍ମାଣ୍ଡେ ପୃଥ୍ୱୀ ନବଖଣ୍ଡେ କାହିଁ ନୋହିବ ମୋ ବାସ ।ହୋଇ ଏତେ ସରି ଜିଇଁଛ ନ ମରି ବୋଝର ଉପରେ ଭାର,ଏଥିରୁ ଅଧିକ ଭୋଗରୁ ଅଲେଖ କି କରିବୁ ଆଉ କର ।ବଖାଣରେ ଦୁଃଖ ଅଧିକରେ ଶୋକ ହୃଦରୁ ଉଠୁଛି କୋହ,ପଞ୍ଚଭୂତ ଆତ୍ମା ନିତ୍ୟେ କାନ୍ଦୁଅଛି କ୍ଷଣେ ସୁସ୍ଥ ନାହିଁ ଦେହ ।ମନେ ମନେ ଗୁଣି ଦିବସ ରଜନୀ ସନ୍ତାପରେ ହୋଇ ଘାରି,ଆହା ରେ ଦାରୁଣ ଦଇବ ବିଧାତା ମୋତେ କଲୁ ଏତେ ସରି ।ମାୟା ମୋହେ ନିତ୍ୟେ ପକାଉଛୁ ମୋତେ କି ରୂପେ ହୋଇବି ପାରି,ଦିବା ନିଶି ମୋତେ ରୋଦନ ମାଡ଼ୁଛି ବେନି ନେତ୍ରୁ ବହେ ବାରି ।ମୁଁ ହୀନ ପାମର କୀଟ ଜୀବ ଛାର ତୋ ପୟରେ ଅନୁସରି,କରପତ୍ର ଯୋଡ଼ି ବିନତି କରୁଛି ସୁକୃପା କର ଶ୍ରୀହରି ।ଜଗତଧାରଣ ମୁକତି କାରଣ ତୁ ଯେ ବ୍ରହ୍ମାଣ୍ଡକରତା,ପିଣ୍ଡ ପ୍ରାଣ ଆଦି ଲାଗିଲା ଅନାଦି ଦୁଃଖ ସୁଖ ସର୍ବ ଚିନ୍ତା ।ତୋ ପାଦେ ଶରଣ ଯାଉ ଏ ପରାଣ ଯୁଗେ ଯୁଗେ ରହୁ କୀର୍ତ୍ତି,ଝିଙ୍ଗାସ ବଚନ କହେ ଭୀମ ହୀନ ଅଜ୍ଞାନ ପାମର ମତି ।
ଦ୍ୱିତୀୟ ବୋଲିକିପାଁ ନିରାପକ୍ଷ କରୁଅଛ ମୋତେ କେଉଁ ଦୋଷ ମନେ ଧରି,ନିଷ୍ଠୁର ତୋ ହିୟା ନ ବସେ ତୋ ଦୟା ଭକ୍ତପ୍ରାଣଖିଆ ହରି ।ହେଉଅଛି ଯାହା ନ ଜାଣୁ କି ତାହା ଅନ୍ତର୍ଯ୍ୟାମୀ ନାମ ବହି,ମୋତେ କୋପ କରି କି ଯଶ ଅର୍ଜିବୁ ଭଗତ ଜୀବନ ଖାଇ ।ବୋଲାଇ ଠାକୁର ହେଉଛୁ ଚତୁର କେତେ ଦେଉଛୁ ଗଞ୍ଜଣା,କୃପାସିନ୍ଧୁ ନାମ ବିଅର୍ଥ ହେଉଛି ନ ଯାଉଛି ବୁଝାମଣା ।ଛନ୍ଦ କୂଟ ପାଞ୍ଚି ମାୟା ମୋହ ରଞ୍ଚି ପକାଇ ସିନ୍ଧୁ ସୋହତେ;କୋଟିଏ କୀଟରୁ ଅନ୍ତର କରିଛୁ କିପାଇଁ ଚାହିଁବୁ ମୋତେ ।ମୋହର କି ଦୋଷ ତୋ ରଞ୍ଚିଲା ଯଶ ବୁଡ଼ାଇ ମାରୁଛୁ ଧରି,ମାୟାକୁ ପେଷନ୍ତେ ସାଧୁଅଛି ମୋତେ ଯେସନେ ଶତ୍ରୁ ଭଗାରି ।ନାବେ ନ ବସାଇ ଜଳରେ ଭସାଇ କରୁଅଛୁ ଅଣହେଳା,ଉତ୍ସର୍ଗେ ଉଠାଇ ନିଶୁଣୀ କଟାଇ ଭବେ ବୁଡ଼ାଉଛୁ ଭେଳା ।ଏ ଦୁର୍ଲ୍ଲଭ ପିଣ୍ଡ ଅନୁକ୍ଷଣେ ଦଣ୍ଡ ନ ପାରଇ ପ୍ରଭୁ ସହି,ପିଣ୍ଡ ପ୍ରାଣ ଆଦି ସମର୍ପଣ କଲି ତୁମ୍ଭ ପାଦତଳେ ନେଇ ।ନାହିଁ ମୋ ଭରସା ତୋତେ କରି ଆଶା ଦେଖ ତୁ ମୋର ବିକଳ,ଆପେ ବିଜେ ହୋଇ ଅନ୍ତପୁରେ ନେଇ ଲଗାଅ ବ୍ରହ୍ମ ଅନଳ ।ଆଜ୍ଞାରେ ବିଦିତ ତ୍ରିପୁର ଜଗତ ସତ୍ୟ ଯେବେ ରବି ଶଶୀ,ଘେନି ମୋ ଜଣାଣ ପ୍ରଭୁ ନାରାୟଣ ପାରି କର ଭସ୍ମରାଶି ।ପାଷାଣ ତରଳି ଯାଉ ତେଜ ଗଳି ସ୍ଥାନେ ସ୍ଥାନେ ଦିଅ ଜାଳି,ନାମ ଯେବେ ସତ୍ୟ ବ୍ରହ୍ମ ଯେବେ ତତ୍ତ୍ୱ ଉଡ଼ିଯାଉ ଧୂଆଁ କାଳି ।ଅନ୍ତର୍ଯ୍ୟାମୀ ନାଥ ଜଗତର ତାତ ତ୍ରିଭୂନେ ଧନ୍ୟ ଧନ୍ୟ,ଭଗତ ନିମନ୍ତେ ପରୀକ୍ଷା ନ ଦେଲେ ତୋତେହେଁ ତୋହରି ରାଣ ।ତୋହର କୃପାରେ ସତ୍ୟ ନିଷ୍କାମରେ ବେଳହୁଁ ଜାଣିଛି ମୁହିଁ,ଶୁଭିଲା ଶବଦ ନିର୍ବେଦରୁ ଭେଦ ରୂପଗୁଣେ ଜ୍ଞାନ ନାହିଁ ।ଲଗାଇଛି ହେଜି ପିଣ୍ଡ ପ୍ରାଣ ତେଜି ଅବନାମଣ୍ଡଳେ ଚିତ୍ତ,ବୁଝିବୁ ଅବଶ୍ୟ ଭୋ ଧର୍ମ ପୁରୁଷ ଚାରିଯୁଗେ ଯେବେ ସତ୍ୟ ।ଅନୁଭବେ ଧରି ଅରୁପେ ବିହରି ଶୂନ୍ୟେ ଲାଗିଛି ଭଜନ,ବେନି ନୟନରୁ ବହି ଯାଉଅଛି ଅଶ୍ରୁଜଳ ଘନଘନ ।ରକ୍ଷା କରିବାକୁ ଘୋର ଦଶା ଦୁଃଖୁଁ ଶାଖା ସୋଦର ମୋନାହିଁ,ନାହିଁ ତାତ ମାତ ଇଷ୍ଟ ବନ୍ଧୁଭ୍ରାତ ଅନାଥ ପ୍ରାଣୀ ଅଟଇ ।ଲେଖିଅଛୁ ଯାହା ଭୁଞ୍ଜୁଅଛି ତାହା ଅଦୃଷ୍ଟ କର୍ମକୁ ମାନି,ପୋଷୁଛି ଉଦର ଦିବସ ଅନ୍ଧାର ଦୁଃଖ ପଡ଼ି ମୁଠେ ଆଣି ।କାଳଦଶା ଆସି ଘୋଟିଛି ଆକ୍ରୋଶି ମୃତ୍ୟୁରେ କରି ସଂଯୋଗ,କଟାକ୍ଷନେତ୍ରରେ କିଞ୍ଚିତେ ଚାହିଁଲେ ରେଣୁ ପ୍ରାୟେ ଉଡ଼ିଯିବ ।ଏ ନର ଦେବାନ୍ତ ବ୍ରାହ୍ମଣ ପଣ୍ଡିତ କେ ନୁହନ୍ତି ଭାର୍ଜନ,ଏ ଘୋର ବିପତ୍ତି ଖଡ଼ଗରେ କାଟି ଏକା ଫେଡ଼ିବ ଆପଣ ।ଏକାକ୍ଷଣ ପଦ ହୃଦେ ଗୁଣବାଦ ନିରନ୍ତରେ କରି ଆଶା,ଅଧିକ ବିଷୟା ନ ପାରଇ ତାହା ନାମ ଭଜନେ ତପସ୍ୟା ।ଦୁଃଖ ସୁଖ କଥା ମନେ କରି ଚିନ୍ତା ପ୍ରଭୁ ଛାମୁରେ ଜଣାଇ,ଶରଣ ବିକଳେ ଗୁରୁପାଦତଳେ ଭୀମ ଅରକ୍ଷିତ କହି ।
ତୃତୀୟ ବୋଲିବିପତ୍ତିଖଣ୍ଡନ ଦୁଃଖୀରଙ୍କଧନ ଅଖିଳ ବ୍ରହ୍ମାଣ୍ଡନାଥ,ଆଜ୍ଞା ଅନୁସରି କୃପା ହେବ ବୋଲି ପ୍ରସାରିଛି ବେନି ହସ୍ତ ।ଛପନାକୋଟି ଜୀବଜନ୍ତୁ ଈଶ୍ୱର ତ୍ରିଭୁବନ ଗତି ପତି,ଦୟା ହେବ ବୋଲି ମନେ ମନେ ଭାଳି ଉଲ୍ଲାସ କରିଛି ଛାତି ।ଦଗଧରେ ଦେହ ପୋଡ଼ୁଛି ହୃଦୟ ଅଣାକାର ବ୍ରହ୍ମମୟ,କ୍ଷଣକେ ରୋଦନ କ୍ଷଣେ ଶାନ୍ତିମନ ଅଞ୍ଚଳରେ ପୋଛେ ଲୁହ ।ଖଳବଳ କରୁଅଛ ଆଦିମୂଳ କେତେ ଦିନେ ସର୍ବସିଦ୍ଧି,କାଳଦଣ୍ଡ କଷ୍ଟ କେତେ ମୁଁ ସହିବି ପ୍ରାଣକୁ ଗଲାଣି ବାଧି ।ଅଣବୁଝାମଣା କରି ସେ ଭାବନା ଧରି ମାରୁଅଛି ଦେଖ,ନିଗୂଢ଼ ମନ୍ଦିରେ ପକାଇ ବନ୍ଦୀରେ ଦେଉଅଛି କେତେ ଦୁଃଖ ।କ୍ଷୁଧା ତୃଷା ମାରି ଆଧାର ନ କରି ରହିଅଛି ନିରବଳେ,ଟଳଟଳ ଆତ୍ମା ଟଳି ନ ପଡ଼ୁଛି ଏକା ପରଂବ୍ରହ୍ମ ବଳେ ।ଜନ୍ମରେ ମୁଁ ଏକା କର୍ମରେ ନିଶାଖା ଅଟଇ ଯେ ନିରିମାକ୍ଷୀ,ଅଦୋଷରେ ମୋତେ ବିଅର୍ଥେ ଦଣ୍ଡୁଛ ଚନ୍ଦ୍ର ସୂର୍ଯ୍ୟ ଛନ୍ତି ସାକ୍ଷୀ ।ନାହିଁ ବାଡ଼ି ବୃତ୍ତି ବିଶ୍ରାମରେ ସ୍ଥିତି ଜନ୍ମଜନ୍ମାନ୍ତରେ ଦୁଃଖୀ,ବିବେକ ନ କରି ମାରୁଅଛ ଧରି କି କି ଅପରାଧ ଦେଖି ।ନୁହଇ ଦମ୍ଭିକ ନାସ୍ତିକ କପଟୀ ଧର୍ମଆଶ୍ରିତର ପ୍ରାଣୀ,କର୍ମ ଲେଖା ଯୋଗ ଭୁଞ୍ଜୁଅଛି ଭୋଗ କି କି ଦୋଷ କଲି ପୁଣି ।କି କରିବ କରୁ ଆହୁରି ଏଥିରୁ ଭାବନା ବୁଝିବା ଭଲା,ଅନାଦି ଈଶ୍ୱର କରିବେ ଉଦ୍ଧାର ଭବେ ବାନ୍ଧିଥିଲେ ଭେଳା ।ବୁଝି ମାଟି ପୃଥ୍ୱୀ ଜ୍ୟୋତିରୂପ ମୂର୍ତ୍ତି ତେତିଶ୍କୋଟି ଦେବ ଜାଣ,ଆପ ତେଜ ବାଇ ଥାଅ ସାକ୍ଷୀ ହୋଇ ନବଲକ୍ଷ ତାରାଗଣ ।ପୃଥ୍ୱୀକି ଧାରଣ କରୁଛ କାରଣ ଜଳ ବହନି ପବନ,ଅଗ୍ନି ନେତ୍ରେ ଚାହିଁ ଦେବେ ମହୀ ପାଇଁ ସାକ୍ଷୀରୂପେ ସର୍ବେ ଶୁଣ ।ଆଦ୍ୟ ନବ ଋଷି ଛାଡ଼ ବ୍ରହ୍ମବାସୀ ଚଉଷଠୀ ସିଦ୍ଧ ଯୋଗୀ,ଧର୍ମରେ ଧଇର୍ଯ୍ୟ ତୁମ୍ଭେମାନେ ବୁଝ କେତେ କେତେ ଅଛି ଲାଗି ।ଚାରିଯୁଗ ଦିଶଦିଶ ବେଦଶାସ୍ତ୍ର ଛପନାକୋଟି ଜୀବ ଯେତେ,ପ୍ରଭୁଙ୍କ ପ୍ରତାପ ଦେଖିବ ପ୍ରତ୍ୟକ୍ଷ ଦୋଷନାହିଁ ଦେବ ମୋତେ ।ଏ ସତ୍ୟ ସମ୍ଭବ କହୁ କହୁ ହେବ ନିଷ୍ଠା ଭକ୍ତି ପୂର୍ଣ୍ଣ ଫଳ,ଏ ମୋର ବିକଳ ଦେଖୁଛ ସକଳ ସାକ୍ଷରେ ସର୍ବେ ରହିଲା ।ମୁଁ ଯାହା ବୋଇଲି ବିନୟ ହୋଇଲି ଗର୍ବ କରିବାକୁ ନାହିଁ,ପ୍ରଭୁଙ୍କୁ ଜଞ୍ଜାଳ କରୁଛି କଟାଳ ପ୍ରାଣର ଆକୁଳେ ମୁହିଁ ।ନାମ କୃପାସିନ୍ଧୁ ଭଗତଙ୍କ ବନ୍ଧୁ ଅଣାକାର ବ୍ରହ୍ମରାଶି,ଅପରାଧ କ୍ଷମା କର ହୋ ମହିମା ଫିଟାଅ ବନ୍ଦୀରୁ ଆସି ।ସିଦ୍ଧବ୍ରହ୍ମବାଣୀ କମ୍ପୁଛି ଧରଣୀ ଚିନ୍ତିଲେ ଖଣ୍ଡୁଛି ପାପ,ନିଷ୍କାମ ଧର୍ମରେ ନିର୍ବେଦ କର୍ମରେ ବାନା ଉଡ଼ୁଛି ଅଲେଖ ।ପିଣ୍ଡକୁ କାରଣ ଜୀବଉଦ୍ଧାରଣ ଅମାପ ଅକ୍ଷୌଣୀ ଜପ,ଭାସୁଅଛି ଜଳେ ସୋହତିର ବଳେ ତ୍ରାହି କର ଶୂନ୍ୟରୂପ ।ଅମରୀଷ ହେଲି କୋପେ ଗାଳି ଦେଲି ନ ଧରିବା ପ୍ରଭୁ ରୋଷ,କହେ ଭୀମ ହୀନ ପାମର ଅଜ୍ଞାନ କ୍ଷମାକର ମୋର ଦୋଷ ।
ଚତୁର୍ଥ ବୋଲିକରିବାକୁ ଅନ୍ତ ନୁହଇ ସାମର୍ଥ ମୃତ୍ୟୁ କଳେବର ବହି,ନ ବୁଝି ବିଖଣ୍ଡ କଲି ମୁଁ ଉଦ୍ଦଣ୍ଡ ଛାର କୀଟ ଜୀବ ହୋଇ ।ମୋଠାରୁ ଅଧିକ ପାପି-ଜନ ମୂର୍ଖ ନ ଥିବେ ତିନି ବ୍ରହ୍ମାଣ୍ଡେଶ୍ରୀଛାମୂକୁ ନିନ୍ଦା ଦେଲି ଅଭିମାନେ ପାପଚିତ୍ତ ଚର୍ମତୁଣ୍ଡେ ।ମନେ ପାଇ ବ୍ୟଥା ହେଲି ଗରବିତା ମୁଁ ବଡ଼ ମୁଢ଼ ଚାଣ୍ଡାଳ,ରୂପ ରେଖ ନାହିଁ ପ୍ରକାଶ ହୋଇଛ ଜ୍ୟୋତିରୂପେ ଢଳହଳ ।କର୍ମରେ ଅବସ୍ଥା ଲେଖିଛି ବିଧାତା ପୂର୍ବେ ଅର୍ଜିଥିଲା ପାପ,ଚିରାନ୍ତ କାଳକ ରଖିଲ କଳଙ୍କ କୃପାନେତ୍ରେ ବାରେ ଦେଖ ।ବହି ଦିବା ନିଶି ନାହିଁ ରବି ଶଶୀ ନାମ ବ୍ରହ୍ମ ନୀର ନଈ,କଲେ ଅଣହେଳା ବୁଡ଼ବଟି ଭେଳା ବୁଝ ସାବଧାନ ହୋଇ ।ଅଙ୍ଗେ ଅଛି ଘୋଟି ନ ପାରୁଛି ଉଠି ପଡ଼ିଛି ସନ୍ତାପ ଘୋରେ,ଲେଶ ଦୟା ବହି ଆଗ୍ରେ ନାବ ଦେଇ ଉଦ୍ଧରି ଲଗାଅ ତୀରେ ।ନୋହେ ତ ବିଫଳ, ସମ୍ଭବ ସୁଫଳ ଯାହା ପାଞ୍ଚି ଅଛି ବୁଦ୍ଧି,କାମନା କଳ୍ପଣା ବୁଝତ ଆପଣ ମନବାଞ୍ଛା କର ସିଦ୍ଧି ।ଅନୁଭବେ ଖୋଜି ଅନ୍ତର୍ଗତେ ହେଜି ପଞ୍ଚତତ୍ତ୍ୱ ମନେ ଭାଳି,ଏକା ମୋ ଅଲେଖ ଫେଡ଼ିବେ ମୋ ଦୁଃଖ ଛାମୁରେ ଗୋଚର କଲି ।ବିଷୟ ବେବସ୍ଥା ଅଧିକ ଯେ କଥା କେତେ ବଖାଣିବି ମୁହିଁ,ସର୍ବଘଟେ ପୂରି ଅଛ ସାକ୍ଷୀ ପରି ଛାମୁକୁ ଉବାର ନାହିଁ ।ନିଷ୍କାମ ଭଗତି ଆଦି ଫଳ ଶ୍ରୁତି ଖଟିଅଛି ପାଦତଳେ,ନ ଚିହ୍ନଇ ବୋଲି ଭଣ୍ଡୁଅଛ ଅବା ଦେଖୁଅଛ ଜ୍ଞାନଡ଼ୋଳେ ।ବରିବି କି ଜପ କରିବି କି ତପ କିରୂପେ ହୋଇବି ଭୃତ୍ୟ,ପ୍ରଭୁପାଦତଳେ ଖଟି ରହିଅଛି କୋଟି କୋଟି ତୀର୍ଥ ବ୍ରତ ।କି ପାଇବି ଧନ କାହୁଁ ଦେବି ଦାନ କି କରିବି କର୍ମ ଧର୍ମ,ପ୍ରଭୁ ଶ୍ରୀଛାମୁରେ ପୂରି ରହିଅଛି ଦାତାପଣ ଗୁଣଗ୍ରାମ ।ଏକାକ୍ଷର ପାଦ ନୁହେ ଦୃଢ଼ ଭେଦ ହୃଦେ କି ପାରିବି ଭେଦି,ପ୍ରଭୁ ଆସ୍ଥାନେ ପାବଚ୍ଛ ହୋଇଛନ୍ତି ଅଷ୍ଟାଦଶ ଆଦି ସିଦ୍ଧି ।ନରଦେହ ଧରି ନୁହେ ଅନ୍ତ କରି ଅଣାକାରରୂପ ବ୍ରହ୍ମ,ପ୍ରଭୁ ଶ୍ରୀପାରୁଶେ ଖଟି ରହିଛନ୍ତି ଚାରିପାଦ ସତ୍ୟ ଧର୍ମ ।ଜପ ତପ ମନ୍ତ୍ର ଯନ୍ତ୍ର ବେଦଶାସ୍ତ୍ର ବ୍ୟକତି ଆସୁଛି କ୍ଷରି,ସୁସତ୍ୟ ଦାଉଣି ବୁଲାଉଛି ଯୋଚି ନାମ ବ୍ରହ୍ମମୂଳ ମେଢ଼ି ।ଚରଣେ ଶରଣ କର ଉଦ୍ଧାରଣ ଠୁଳଶୂନ୍ୟ ଆଦିକନ୍ଦ,ଜୟ ଜୟ ଜ୍ୟୋତି ପରେ ଯାର ସ୍ଥିତି ଆଦି ଅରୂପା ଗୋବିନ୍ଦ ।ଭିଆଇଛ ରୀତି ଯେହ୍ନେ ସପ୍ତଗାତ୍ରୀ ବିଷୟା ଧନ୍ଦାରେ ପଡ଼ି,ଅନୁଷଣ ଦୁଃଖମନରେ ବିମୁଖ ନ ପାରୁଛି ପଦ ଯୋଡ଼ି ।ଏକାକ୍ଷର ପାଦ ହୃଦେ ଗୁଣବାଦ ନିରନ୍ତରେ କରି ଆଶା,ଅଧିକ ବିଷୟା ନ ପାରଇ ତାହା ନାମ ଭଜନ ତପସ୍ୟା ।ରୋପିଅଛି ଜାଣି ଦେଇ ଅନ୍ନ ପାଣି ଓଲଟିଆ ତରୁ ବଟ,ଏ ତିନି ବ୍ରହ୍ମାଣ୍ଡେ ପୃଥ୍ୱୀ ନବଖଣ୍ଡେ ପାଇବି କି ନାହିଁ ଭେଟ ।ସିଦ୍ଧ ବ୍ରହ୍ମବାକ୍ୟ ଭଗତଙ୍କ ଭେକ ଯୁଗଯୁଗାନ୍ତରେ ସତ୍ୟ,ବେନି ନେତ୍ରୁଁ ନୀର ବହୁ ଅଶ୍ରୁ ମୋର ଭଣେ ଭୀମ ଅରକ୍ଷିତ ।
ପଞ୍ଚମ ବୋଲିକାହିଁ ମୁଁ ରହିବି କେଉଁଠାକୁ ଯିବି ବୁଦ୍ଧି ଦିଶୁନାହିଁ ମୋତେ,ମାୟା ଦୁରୁଦଣ୍ଡ କାଟୁଅଛି ପିଣ୍ଡ ସମ୍ଭାଳି ସହିବି କେତେ ।ନ କର ବିଫଳ ସମ୍ଭବ ସକଳ ରଖ ଶୁଭାଶୁଭ ପଥେ,ନାମବ୍ରହ୍ମ ରଟି ପାଦେ ଥିବି ଖଟି ଜୀବ ଥିବା ପରିଯନ୍ତେ ।ଜନ୍ମରୁ ମୁଁ ଦାସ ଛିଣ୍ଡାଉଛି ଆଶ କରୁଅଛ ଅନାଦର,ଦୀପ ନାହିଁ ଘର ଅନ୍ଧାର କରୁଛ ଦିଶୁଅଛି ଅସୁନ୍ଦର ।ସଭା ଥିଲେ କରି ସାଧୁ ସନ୍ଥ ବରି ନଥିଲେ ଧର୍ମ ବିବେକ,ପୁରୁଷ ଥାଇ ସ୍ତିରୀରତ୍ନ ନ ଥିଲେ ଗୃହେ ଥିବାର କି ସୁଖ ।ସଂସାର-ସାଗରେ ପୁତ୍ର ଦୁହିତାରେ ଯେବଣ ପ୍ରାଣୀ ନିରେଖ,କୁଳଧର୍ମ ନାଶ କର୍ମ ଅପଯଶ ଚାହିଁ ନ ଯୋଗାଏ ମୁଖ ।ଆଶା ବାଡ଼ି ବୃତ୍ତି ଦୁର୍ଲ୍ଲଭ ସମ୍ପତ୍ତି ଧନ ଦ୍ରବ୍ୟ ଯାର ନାହିଁ,ଦେବତା ବ୍ରାହ୍ମଣ ନୃପତ୍ତି ଛାମୁରେ ନିରେଖ ଅଟଇ ସେହି ।ସୁବୁଦ୍ଧି ସତ୍ୟରେ ଅର୍ଥ ସମ୍ପଦରେ ଚିତ୍ତେ ଯାର ଶ୍ରଦ୍ଧା ନାହିଁ,ପାଞ୍ଚ ପଚିଶରେ ବାହ୍ୟ ଜଗତରେ ଜ୍ଞାନହୀନ ବୋଲି କହି ।ଜଳ ଅଗ୍ନି ହେଲେ ପବନର ତୁଲେ ନୋହିଲେ ତା ସଙ୍ଗ ସାଥୀ,କିରୂପେ ଲହଡ଼ି ଆସିବ ସେ ମାଡ଼ି କିରୂପେ ପାଳିବ ପୃଥ୍ୱୀ ।ପୃଥ୍ୱୀରେ ଅରୁଣ ତେଜମୟ ବର୍ଣ୍ଣ ଉଦେ ଯେମନ୍ତ ନୋହିବ,ନିଶିରେ ଚନ୍ଦ୍ରମା ପ୍ରକାଶ ନୋହିଲେ ଶୋଭା କେମନ୍ତେ ପାଇବ ।ନବଖଣ୍ଡ କ୍ଷିତି ପୃଥ୍ୱୀ ଆଧିପତି ନ ଥିଲେ ପ୍ରଧାନ ଆଦି,ପାଇକ ପରଜା ବିଧବାରେ ହେଜା ସର୍ବେ ଅଶୁଭ ଅସିଦ୍ଧି ।ଗୁରୁ ଥାଇ ଶିଷ୍ୟ ଲୋଡ଼ି ନ ଆଣିଲେ ବାନା ଦୀକ୍ଷାହିଁ ଅସର,ପ୍ରତିଦିନ ଧର୍ମ କି କରିବ କର୍ମ ଧାରଣା ବିଧି ବେଭାର ।ପଣ୍ଡିତ କବି ତ ପାଠେ ନାହିଁ ବୃତ୍ତ ଶୁଭ ଅନୁକୂଳେ ହୀନ,ଖଡ଼ି ଗୁଆ ପାଞ୍ଜି ହସ୍ତରେ ନ ଥିଲେ କି ଜାଣିବେ ପାପ ପୁଣ୍ୟ ।ଯୋଗି-ପୁତ୍ର ହୋଇ ବିଷୟାରେ ବାଇ ନ ଥିବ ସାଧନା ଯୋଗେ,ମନପବନକୁ ପରଚେ ନ କଲେ ସାଧିବ ସେ କେଉଁ ବାଗେ ।ଦ୍ୱିଜବର ହୋଇ କ୍ରିୟା କର୍ମ ନାହିଁ ନୋହେ ଯେବେ ବେଦଧାରୀ,ତ୍ରିସନ୍ଧ୍ୟା ତର୍ପଣ ଜପ ମନ୍ତ୍ରେ ହୀନ କେବଣ ଗୁଣେ ସେ ସରି ।ସାଆନ୍ତ ଥାଇ ସେବକ ନ ଲୋଡ଼ିଲେ ଲୋକେ ପାନ୍ତି ଅପଯଶ,ସେବା ଥାଇ ଦୟା ହୃଦେ ନ ବହିଲେ ପ୍ରଭୁପଣ ବଡ଼ ଦୋଷ ।ଅନ୍ନରେ ବ୍ୟଞ୍ଜନ ବ୍ୟଞ୍ଜନେ ମଜ୍ଜନ ନୋହିଲେ ଲବଣପାଣି,ନାହିଁ ତା ସୁରଙ୍ଗ ମନକୁ ବିରଙ୍ଗ କିରୂପେ ଭୁଞ୍ଜିବ ପୁଣି ।ଧନ ଦାରା ସୁତ ଇଷ୍ଟ ବନ୍ଧୁ ଭ୍ରାତ ଶରଧା ନ ଥାଇ ଯେବେ,ମିତ୍ର ବନ୍ଧୁ ପ୍ରୀତି କିରୂପେ ବଢ଼ିବ ସୁକୃତି ନ ଥିଲେ ପୂର୍ବେ ।ବ୍ରହ୍ମା ହୋଇକରି ତ୍ରିଗୁଣ ମାର୍ଗରେ ପିଣ୍ଡ ଯେବେ ନ ରଞ୍ଚିବ,ଜନମ ଜାତକ ବୁଝି ଯେବେ ନାହିଁ ଧାତାପଣେ କେ ଗଣିବ ।ବିଷ୍ଣୁ ହୋଇ ଯେବେ ଛପନାକୋଟି ଜୀବେ ନ କରେ ପ୍ରତିପାଳନ,ଆତ୍ମା ନ ଚିହ୍ନିଲେ ଧର୍ମ ନ ପାଳିଲେ କର୍ତ୍ତାପଦ ଅକାରଣ ।ସେହିରୂପେ ମୋତେ କୃପାଜଳଚିତ୍ତେ କଷଣରୁ କର ପାରି,ଭଣେ ଭୀମ ଭୋଇ ପଞ୍ଚମ ବୋଲିରେ ଗୁରୁପାଦପଦ ଧରି ।
ଷଷ୍ଠ ବୋଲିନ ଥିଲା ଏ ପୃଥ୍ୱୀ ପ୍ରଳୟ ଉତ୍ପତ୍ତି ନ ଥିଲା ଜଳ ପବନ,ନାହିଁ ରୂପ ରେଖ ଅଜନ୍ମ ଅଜପ ନାମ କହି ମହଶୂନ୍ୟ ।ଏକାନ୍ତ ପାଦରୁ ଜନ୍ମିଲା ଶୂନ୍ୟରୁ ଦ୍ୱିତୀୟ ଅକ୍ଷର ଭେଦ,ସକାମେ ଶକତା ନିଷ୍କମେ ବକତା ନାମ ପରଂବ୍ରହ୍ମ ପଦ ।ସ୍ୱାହା ଶବଦରୁ ସହସ୍ରେ ପାଖୁଡ଼ା ଶାଖାରେ ହେଲା ଉଦ୍ୟାନ,ଅବନା ସଞ୍ଚରି ନାମ ବୋଲାଇଲ ଆଦିବ୍ରହ୍ମ ଭଗବାନ ।ନ ଉଲଟେ ଜିହ୍ୱା ବନ୍ଦନା ବର୍ଣ୍ଣିବା ଅରୂପ ଅଭେଦ ସମ,ଅଗୋଚର ଅର୍ଥେ ବୋଲାଇଲ ତେଣୁ ଅନନ୍ତ ମହିମା ନାମ ।କରିବାକୁ ପାର ଏ ଭବସାଗର ଭକ୍ତ ପ୍ରାଣ ପଞ୍ଚଭୁତ,ଜଗତେ ବିଖ୍ୟାତ ଦୀକ୍ଷାହିଁ ପ୍ରକାଶ ପରମାନନ୍ଦ ଅଚ୍ୟୁତ ।ଯେଉଁଠାରେ ସ୍ଥିତି ଜୀବ ମୋକ୍ଷଗତି ଉଦେ ନାହିଁ ରବି ଶଶୀ,ଜଗତେ ଉଦିତ ନାମହିଁ ବିଦିତ ବାସୁଦେବ ବ୍ରହ୍ମରାଶି ।ଏକାଙ୍ଗ ଭଗତି ଅବର୍ଣ୍ଣ ଅଜ୍ୟୋତି ଦରିଦ୍ର ପ୍ରାଣୀଙ୍କ ଧନ,ତ୍ରିଭୁବନ ସମ ବିବର୍ଜିତ ନାମ ଆଦିମୂଳ ନାରାୟଣ ।ପ୍ରଭୁ ଶ୍ରୀପୟରୁ ଅଭୟପଞ୍ଜରୁ ଝରୁଅଛି ସୁଧାଧାର,ନିରୋପି ଭଗତେ ନାମ ଦେଲେ ତୋତେ ନିରଞ୍ଜନ ନିରାକାର ।କର୍ତ୍ତାରେ ସଂଯୁକ୍ତା ଧାତାପଣେ ହିତା ଲଲାଟରେ ମାତ୍ରା ବସି,ଅବ୍ୟକତ ନାମ କହିଲ ଆପଣ କ୍ଷୀରୋଦଶୟନବାସୀ ।ଠୁଳ ଶୂନ୍ୟ ଆଦ୍ୟ ନିର୍ଭା କରି ମୁଦ ଅଷ୍ଟାଙ୍ଗଯୋଗେ ବେହାର,ଭଗତଙ୍କ ହିତ ନାମ ସାରସ୍ୱତ ଜ୍ୟୋତିର୍ମୟ ନିରାକାର ।ନବଖଣ୍ଡ ପୃଥ୍ୱୀ ପ୍ରଭୁ ଆଧିପତି ପୂରିଅଛ ଚରାଚର;ଭଗତଙ୍କୁ ତାରି ଜଗତ ଉଦ୍ଧରି ତେଣୁ ନାମ ବିଶ୍ୱମ୍ଭର ।ଦୁଃଖୀର ସଙ୍ଖାଳି ଗଳାରତ୍ନମାଳି ନିର୍ବଳ ପ୍ରାଣୀଙ୍କ ହିତା,ଧର୍ମରୂପ ଧରି କର୍ମରୂପେ ପୂରି ନାମ ହରତା କରତା ।ଦେହ ଅଦେହରେ ବାହ୍ୟ ଅଭ୍ୟନ୍ତରେ ସର୍ବଜୀବ ପିତାମାତା,ଦୁଷ୍ଟ ସନ୍ଥ ଜନ ପାଳନ ସମାନ ନାମ ଅନ୍ନଗୁରୁ ଦାତା ।ଭଜିବାକୁ ନାମ ନୋହେ ସରିସମ ପ୍ରାକର୍ମ ନାହିଁ ନା ମୋର,ଅକଳନା ବ୍ରହ୍ମ ଅନ୍ତ ନୋହେ ନାମ ଅଜପା ଅଣଅକ୍ଷର ।ବର୍ଣ୍ଣି ବର୍ଣ୍ଣି ପଦ ନ ପାଇଲି ଭେଦ ଚିହ୍ନି ନ ପାରିଲି ମୁହିଁ,କାହିଁରେ ନ ମିଶି ନାମେ ଅଛି ବସି ଅରୂପାମଣ୍ଡଳ ବାଇ ।ନ ଲାଗେ କଳଙ୍କ ଜଳହଦପଙ୍କ ସର୍ବଗୁଣେ ପୂର୍ଣ୍ଣକାମ,ଗମି ନ ପାରନ୍ତେ ଭୟ କରି ଚିତ୍ତେ ନାମ ନିଗମ ଦୁର୍ଗମ ।ନ ଭେଦଇ କାୟେ ରଚନା ବିଷୟେ ସ୍ୱାହା ଶ୍ରୁତି ଶବ୍ଦ ବର୍ଣ୍ଣ,ନିଷ୍କାମରେ ନିରାମୟରେ ସଂଯୁକ୍ତ ତେଣୁ ସଦାନନ୍ଦ ନାମ ।ହାନି ଲାଭ ବେନି ମତରେ ସମାନ ଅଣପଥେ ଶୁଭାଶଭ;ଭଗତଜନଙ୍କୁ ତାରିବା ନିମନ୍ତେ ଅନ୍ତର୍ଯ୍ୟାମୀ ଗୁରୁଦେବ ।ମାୟାକୂପେ ସାଇଁ ନେଉଛ ଭସାଇ କୃପା ଅଭୟପଞ୍ଜରୁ,ପୃଥୀକି ଆବୋରି ଧରିଅଛ ହରି ନାମ ପୂର୍ଣ୍ଣଗିରି ମେରୁ ।ଜନ୍ମହୁଁ ମୁରୁଖ ଚିନ୍ତା ମହାଦୁଃଖ ବେଦ ଶାସ୍ତ୍ର ନାହିଁ ଶୁଣା,ଗୁରୁପାଦେ ଧ୍ୟାୟି ଭଣେ ଭୀମ ଭୋଇ ଅରୂପେ କରି ଭଜନା ।
ସପ୍ତମ ବୋଲିଯୋଗ ଆରମ୍ଭିଲେ କାଳକୁ କାଟିଲେ ପଦ୍ମପାଦେ କରି ଠଣା,ଭଗତ ଆରତ ନିବାରନ୍ତେ ନାମ ଅଭୟପଞ୍ଜରବାନା ।ଶାସ୍ତ୍ରକୁ ଯେ ପଢ଼ି ବେଦମାର୍ଗେ ବୁଡ଼ି ସାତ୍ତ୍ୱିକେ କଲେ ଭାବନା,କାଳବିକାଳରୁ ଉଦ୍ଧରନ୍ତେ ନାମ ଭବଭୟ ବଜ୍ରସେହ୍ନା ।ସତ୍ୟରେ ମଜ୍ଜଇ ତତ୍ତ୍ୱରେ ଭଜାଇ ଭବସିନ୍ଧୁ କଲ ପାରି,ତେଣୁକରି ନାମ ଜଗତେ ପ୍ରକାଶ କୃପାସିନ୍ଧୁ ଦଇତାରି ।ରୂପକୁ ବର୍ଣ୍ଣିଲେ ଶାସ୍ତ୍ର ବଖାଣିଲେ ଭାବକୁ ହେଲେ ଭଗତ,ତେଣୁ ନାମ ରୀତି ଅଖଣ୍ଡ ବିଭୂତି ଅରତତାରଣ ନାଥ ।ରୂପ ଦୂର କରି ଅରୂପକୁ ଧରି ଜ୍ଞାନି-ଜନ ଗଲେ ତରି,ସିଦ୍ଧ ସାଧୁ ସନ୍ଥେ ନାମ ଦେଲେ ତୋତେ କରୁଣାସାଗର ହରି ।ସାଧିଲେ ଭଗତ କରୁଣା ବାଞ୍ଛିତ ଯାର ଯେଉଁ ରୂପ ବିଧି;ଲଭିଲେ ସୁଫଳ ମନବାଞ୍ଛା ଫଳ ନାମ ଦେଲେ ଗୁଣନିଧି ।ଜଗତମାୟାରୁ ଏ ମୃତ୍ୟୁକାୟାରୁ ଉଦ୍ଧାର କରନ୍ତେ ଜୀବ,ତିମିରି ସୋହତେ ପାରି କରି ନ୍ୟନ୍ତେ ତେଣୁ ନାମ ପଦ୍ମନାଭ ।ଶ୍ରବଣ କୀର୍ତ୍ତନ କରି ଅନୁଷଣ ଯଶ ଉଚ୍ଚାରିଣ ଯହିଁ,ଭଗତ ଭାବକୁ ମୋହିତ ହୁଅନ୍ତେ ତେଣୁ ନାମ ଭାବଗ୍ରାହୀ ।ଗୃହରେ ବିହିତ ଜନ ସାଧୁ ସନ୍ଥ ମନ ଆନନ୍ଦ କେ କହୁ,ଧ୍ୟାନ ଧାରଣାରେ ନାମ ଦେଲେ ତୋତେ ଧର୍ମଦାନୀ ମହାବାହୁ ।ସମ୍ପତ୍ତି ସୁଲଭ ଦେବଙ୍କୁ ଦୁର୍ଲ୍ଲଭ ଅଷ୍ଟରତ୍ନ ପରେ ସାର,ଦୁଷ୍ଟ ନିବାରନ୍ତେ ସନ୍ଥକୁ ପାଳନ୍ତେ ତେଣୁ ନାମ ଚକ୍ରଧର ।ସୁଜ୍ଞାନୀ ଭରତ ନ ପାଇଲେ ଅନ୍ତ ଅମାପ ଅଗାଧ ସିନ୍ଧୁ,ମହିମା ଅଶେଷ ଦୁଃଖୀ ଦୁଃଖ ନାଶ ତେଣୁ ନାମ ଦୀନବନ୍ଧୁ ।ସ୍ୱକାମ ଭଗତି ଆଦି ଫଳଶ୍ରୁତି ଯତିବେଶେ କଲେ ଜପ,ପ୍ରେମଭାବ ଭୋଳେ ନାମ ଦେଲେ ତୋତେ ନବଘନଶ୍ୟାମ ରୂପ ।ଏକସ୍ଥାନ ହୋଇ ନ ରହୁ ତୁ କାହିଁ ତ୍ରିପୁରଜଗତପତି,ଯଶକୁ ସମ୍ପାଦି ନାମ ଦେଲେ ଭକ୍ତେ ଜାଜୁଲ୍ୟମୟ ତୋ ଜ୍ୟୋତି ।ଘଟେ ଘଟେ ପୂରି ଘୋଟି ରହିଅଛି ମୁକତିପସରା ତେଜ,ଅମ୍ରାଧିଭୁବନେ ବିରାଜନ୍ତେ ନାମ ଆଦିକନ୍ଦ ଦେବରାଜ ।ଉତ୍ପତ୍ତିରୁ ସ୍ଥିତି କରାଉ ତୁ ନିତି ସଂହାରଣପଣେ ଯମ,ଭଗତ ଭାବକୁ ବହିଅଛ ଯେଣୁ ତେଣୁ ଗଦାପଦ୍ମନାମ ।ମଣ୍ଡଳରାହାସ କରି ଛଡ଼ରସ ନିରନ୍ତରେ ଥାଇ ରସି,ଲୀଳାବିନୋଦରେ ବେହାର କରନ୍ତେ ଆଦ୍ୟ ବୃନ୍ଦାବନବାସୀ ।ଏକପାଦେ ରହି ସର୍ବ କରୁ ତୁହି ଧନ୍ୟ ଧନ୍ୟ କୀର୍ତ୍ତିଯଶ,ଲାଭ ହାନି ଭଲ ଜାଣୁ ତୁ ସକଳ ନାମ ସର୍ବଜ୍ଞ ପୁରୁଷ ।କିପାଇଁ କୃପଣ ହେଉଛ ଆପଣ କର କୃପାଜଳଧିରୁ,ଗହ ଗହ ଶୋଭା କିସ ଲକ୍ଷ ଦେବା ନାମ ବାଞ୍ଛାକଳ୍ପତରୁ ।ହୋଇବାକୁ ଉଜ ନ ମିଳୁଛି ସଜ ଘୋଟିଅଛି ମାୟା ମୋହ,ଦେଖି ନିଜ ରୂପ ଛଡ଼ାବନ୍ତି ପାପ ଦିନେହେଁ ଦେଖା ନ ଦିଅ ।ଧାରଣା ଧିଆନ କରି ମନେ ମନ ଦିବା ନିଶି ଗଲା ବହି,ଭଣେ ଭୀମ କନ୍ଧ ହୋଇ କାନ୍ଦ କାନ୍ଦ ଅଭୟଚରଣେ ଧ୍ୟାୟି ।
ଅଷ୍ଟମ ବୋଲିନିଷ୍କାମ ପଦରେ ଗମି ନର୍ବେଦରେ ନାନା ପ୍ରାକେ ଭ୍ରମୁଅଛି,ମଞ୍ଚେ ଜାତ କଲ କବିପଦ ଦେଲ ପଛେ ନ କହିବ ବାଛି ।ସୁକୃତବଚନ ବିକାଶିଲା ପୁଣ୍ୟ ଏକାକ୍ଷର ଚିତ୍ତେ ଦୃଶ,ମନରେ ପବନ ମିଶାଇ ପରମ ଯୋଗ ପରେ କଲି ବାସ ।ବେଦ ବଖାଣିଛି ଶାସ୍ତ୍ରରେ ଲିହିଛି ନିୟତ ପ୍ରମାଣ ସତ,ନୀଳାଚଳେ ପ୍ରଭୁ ବିରାଜ କରନ୍ତେ ନୀଳଗିରି ଜଗନ୍ନାଥ ।ଅନୁସରି ବହୁଦୂରୁ ଆଶା କରି ହୃଦୟପଦ୍ମରେ ଚିନ୍ତି,ମଉନରେ ବସି ନାମ ବୋଲାଇଲ ଦାରୁ ପ୍ରତିମା ମୂରତି ।ସ୍ନାହାନ ତର୍ପଣ କରି ଦରଶନ ରୂପ ଦେଖି ହେଲ ଭୋଳା,ଚକାବଇଠିରେ ବିରାଜ କରନ୍ତେ ତେଣୁ ନାମ ଚକାଡ଼ୋଳା ।କୋଟି ଅବତାର ନୁହଇ ଗୋଚର ଭେଦ ନାହିଁ ବର୍ଣ୍ଣ ଚିହ୍ନ,ବିବିଧ କଳ୍ପଣା ରୂପକୁ ରଞ୍ଚନା ତ୍ରିପଣ୍ଡ କାଳିଆ ନାମ ।ଝୀନବାସ ପୁଷ୍ପ ଅଙ୍ଗେ ଶୋଭା ସଞ୍ଚ ବଡ଼ସିଂହାସନ ବେଶ,ରୂପକୁ କୋଟିଏ ସୂର୍ଯ୍ୟ ନୋହେ ସରି ଶ୍ରୀନାମ ବ୍ରହ୍ମ ଅଶେଷ ।ଖଟିଛି ପୟର ଆଦି ତିନିପୁର ସର୍ବଭୂତେ ତୋର ବାସ,ସୁଜ୍ଞ ଦ୍ୱିଜବରେ ବେଦାନ୍ତ ଆଚାରେ ନାମ ଦେଲେ ଜଗଦୀଶ ।କାମିନୀ ଆରତ କାମବଶ୍ୟରତ ଢମାଳିଆ ପଣେ ସମ,ପ୍ରେମ ଅନୁରାଗେ ପ୍ରିୟାନ୍ତ ସରାଗେ ମଦନମୋହନ ନାମ ।ତିମିରିକି ଦୂର ସଂସାରସାଗର ତରିବାକୁ କଲେ ଆଶ,ଝୀନ ପୀତାମ୍ବର ଅଙ୍ଗେ ଆଭରଣ ନାମ ଦେଲେ ପୀତବାସ ।ପ୍ରକୃତିରୁ ପ୍ରଭୁ ରଞ୍ଚନା କରିଛ ଦ୍ୱିତୀୟ ଯୁଗଳ ଦିନୁ,ଅନାମରୁ ନାନା ରୂପ ପ୍ରକାଶିଲା କଦମ୍ବମୂଳିଆ କାହ୍ନୁ ।ଢ଼ମାଳିଆପଣେ ନାହିଁ ତ୍ରିଭୁବନେ ପଞ୍ଚୁପ୍ରାଣ ଗୋପୀଙ୍କର,ବଂଶୀଧୁନି ନାଦ ହୃଦୟରେ ଭେଦ ତେଣୁ ନାମ ବେଣୁଧର ।ତରୁ ତୃଣ ଆଦି କୀଟପତଙ୍ଗଦି ଆଜ୍ଞାରେ ସର୍ବେ ପ୍ରଚରି,ଗୋପ ବୃନ୍ଦାବନେ ବେହାର କରନ୍ତେ ନାମ ନିକୁଞ୍ଜବେହାରୀ ।ଶିରେ ଚୂଳଗଭା ନାଚନ୍ତେ କି ଶୋଭା ନବରଙ୍ଗେ ଢଳି ଢଳି,ଆଦ୍ୟ ବୃନ୍ଦାବନେ ବେହାର କରନ୍ତେ ତେଣୁ ନାମ ବନମାଳୀ ।ଲାଭରେ ଲୋଭିତ ବହି ଗର୍ବଚିତ୍ତ ବାସବ ବିବାଦ କରି,ତୋଳି ଗିରିବର କଲ ଛତ୍ରାକାର ନାମ ଦେଲେ ଗିରିଧାରୀ ।ଛନ୍ଦ ମାୟା କରି କପଟ ଆଚରି ପରୀକ୍ଷାରେ ଗଲା ହାରି,ତେଣୁ ଶନ୍ତ୍ରାଜିତ ନାମ ଦେଇଗଲା ରାମ ଗୋବିନ୍ଦ ମୁରାରି ।ଧନ୍ୟ ସେ ପାଦୁକା ଭଗତଙ୍କ ଶାଖା ବହୁଅଛି ଘନ ଘନ,ସୁଧା ମକରନ୍ଦ ଆପ୍ୟାନ କରନ୍ତେ ମାଧବ ମଧୁସୂଦନ ।ବ୍ରଜସୁତ ଘେନି ଦିଗକୁ ଭ୍ରମଣି ସଙ୍ଗେ ଭାଇ ବଳରାମ,କାଳନ୍ଦୀରେ ପଶି କାଳୀକି ଦଳନ୍ତେ କାଳିୟମର୍ଦ୍ଦନ ନାମ ।ବାଉନକୋଟି ଭଣ୍ଡାର ଅଧିପତି ଦାନୀପଣକୁ ସମାନ,ସମଚିତ୍ତେ ଦେଖି ଚିଠିପତ୍ର ଲେଖି ନାମ କର୍ତ୍ତା ଜନାର୍ଦ୍ଦନ ।ବଖାଣନ୍ତେ ଯଶ ନୁହଇ ଯେ ଶେଷ କୋଟିଏ ଅନନ୍ତ ନାମ,ବର୍ଣ୍ଣିବାକୁ ଇଚ୍ଛି କେ ସାମର୍ଥ ଅଛି କହେ ଅରକ୍ଷିତ ଭୀମ ।
ନବମ ବୋଲିବେଦରୁ ନିର୍ବେଦ ହିଂସା ବାଦ ଛନ୍ଦ ତୁମ୍ଭର ରଞ୍ଚନା ସବୁ,ସତ୍ୟ ଧର୍ମ ପଦ ଯୁଗଯୁଗାନ୍ତରେ ତେଣୁ ନାମ ମହାପ୍ରଭୁ ।ନିଶବ୍ଦରୁ ଆସି ଶବଦରେ ପଶି ଜନ୍ମିଲା ସଚରାଚର,ଦର୍ଶନ ମାତ୍ରକେ ଦୁରିତ ଖଣ୍ଡନ ତେଣୁ ନାମ ଦାମୋଦର ।ଘୋର ବ୍ରହ୍ମ ନିଶି ଆଦି ରବି ଶଶୀ ଦେଖନ୍ତେ ଯାଉଛି ବହି,କାଳକୁଟ ରାଶି ଅନ୍ଧକାର ଦିଶି ନାମ ତୋ କଳାକହ୍ନାଇ ।ଜ୍ଞାନଖଡ଼୍ଗ ଘେନି ଶ୍ରୀହସ୍ତେ ଛେଦନ୍ତି ଭକ୍ତଦୁଃଖହର ହର,ପ୍ରକୃତି ଜଳପଙ୍କେ ପୃଥ୍ୱୀ ରଞ୍ଚନା ତେଣୁ ନାମ ମାୟାଧର ।ନାମକୁ କାମ କଳ୍ପଣା ନୋହେ ସରି ବହିଗଲା କୋଟି ମନୁ,ଅବନୀର ଭାର ହୃଦପଦ୍ମେ ହାର ନାମ ବିଶ୍ୱମ୍ଭର ତେଣୁ ।କରିଛି ଭିଆଣ ବ୍ରହ୍ମ ଘରୁ ଜ୍ଞାନ ଜୀବ ପରେ ଦୟାଧାରୀ,ସୁଧା ମୃଦୁବାଣୀ ଶାହାସ୍ରେବଖାଣି ତେଣୁ ନାମ ମଧୁହାରୀ ।ନିରନ୍ତରେ ସାକ୍ଷୀ ସମାନରେ ଦେଖି କୃପାନେତ୍ରେ ସମଛତ୍ର,ଦେଉଥିଲେ ଚାହିଁ ଉବାର ନୁହଇ ତେଣୁ ନାମ ପଦ୍ମନେତ୍ର ।ଏକ ପାଦ ଚିହ୍ନ ଧ୍ୟାନଯୋଗେ ଘେନି ଭଜିବାକୁ କଲେ ମନ,କାକୁସ୍ଥ ବଚନେ କାରଣ ମାଗନ୍ତେ ନାମ କମଳଲୋଚନ ।କଳା ଧଳା ଜଳ ମଧ୍ୟେ କରି ଠୁଲ ପ୍ରକୃତିରୁ ରୂପ ବେନି,ଦର୍ଶନ ମାତ୍ରକେ କଳୁଷ ହରଣ ନାମ ତୋ ସାରଙ୍ଗ-ପାଣି ।ସ୍ତିରୀ ନ ବୋଲାଉ ପୁରୁଷ ତୁ ନୋହୁଁ ଯହିଁ ନାହିଁ ଦିବା ରାତି,ଦର୍ଶନକୁ ଘେନି ପ୍ରସନ୍ନ ହୁଅନ୍ତେ ତେଣୁ ନାମ ଦାଶରଥି ।ନାମ ବାଡ଼ି ବୁତ୍ତି ହୃଦୟରେ ଚିନ୍ତି ନୟନରୁ ବହେ ପାଣି,ନିରନ୍ତର ଆଶା ଭରସା କରନ୍ତେ ତେଣୁ ନାମ ନୀଳମଣି ।ଜାତ ସର୍ବ ଦୁଷ୍ଟ ଆପେ କରି ନଷ୍ଟ ତୁମରି ଅର୍ଜିଲା କୀର୍ତ୍ତି,ଅଜ୍ଞାନୀ ଜନ ହେ ସନ୍ଥ ଭକ୍ତ ହ୍ୱନ୍ତେ ନାମ ତେଣୁ ଯଦୁପତି ।ଦାନୀ ହୃଦେ ପଶି ଧର୍ମ ଅହର୍ନିଶି ଅତିଥିଙ୍କ ମୋକ୍ଷ-କାମ,ଦୁଃଖୀ ଜନ ସୁଖୀ କରାଇ ପାଳନ୍ତେ ଦାରିଦ୍ର୍ୟ ଭଞ୍ଜନ ନାମ ।ଦ୍ୱାଦଶବନ୍ଧ କୀର୍ତ୍ତିନରେ ଆରମ୍ଭି ନିତାଇ ଚୈତନ୍ୟ ନାମ,ତେଣୁ ତାତ ମାତ ନାମ ଦେଲେ ସତ୍ୟ କେଶବ ଜଗୁଜୀବନ ।ପୂର୍ବାଦିରୁ ଜାଣି ମର୍ତ୍ତେ ଜନ୍ମ ପୁଣି ଭବିଷ୍ୟ ଗତ ଆଗତ,ନାନା ବିଷୟାରେ ଭ୍ରମଣି ବେହାରେ ତେଣୁ ନାମ ବିଶ୍ୱନାଥ ।ଦତ୍ୟନାଶନବାନହିଁ ବଜ୍ରସେହ୍ନା ହରିଲ ଅବନୀଭାର,ଗରୁଡ଼-ଆସନ ହେ ଦୁଃଖନାଶନ ତେଣୁ ନାମ ଗଦାଧର ।ଲେଖି ଭାଲପଟ କରି ନଟକୂଟ ଯେସନ ଦର୍ପଣ ଛାୟା,ପଞ୍ଚଭୂତ ମଧ୍ୟେ ପ୍ରକୃତି ଭରିଣ କରାଉଛ କେତେ ମାୟା ।ଦୁର୍ଲଭ ସଂସାର ମନୁଷ୍ୟ ଶରୀର ଦେହ ବହି ନାରଖାର,ଖଣ୍ଡ ଦେଇ ତୁଣ୍ଡେ ଭଣ୍ଡୁଅଛ ମୋତେ ହେ ଅନାଦି ଯୋଗେଶ୍ୱର ।କର୍ମକାଣ୍ଡବାଣୀ ଦୁର୍ଗତିକି ଘେନି କରୁଅଛି ଖଣ୍ଡ ଖଣ୍ଡ,ଭବସିନ୍ଧୁ ବୋଲି ନ ଜାଣଇ ସ୍ୱାମୀ ମଣୁଛି ଅମୃତଭାଣ୍ଡ ।ଗୀତା ସାରସ୍ୱତ କରି ପଦ ଅର୍ଥ ଭୀମ ଅରକ୍ଷିତ ଭଣି,ଏ ଶାହାସ୍ର ଆଦ୍ୟ ବିଭୂତି ବୃତ୍ତାନ୍ତ ନାମ ସ୍ତୁତଚିନ୍ତାମଣି ।
ଦଶମ ବୋଲିଦତ୍ୟ ଶଙ୍ଖାସୁର ବ୍ରହ୍ମା ବେଦବର ବଳେ ନେଇଥିଲା ହରି,ନ ଥିଲେ ଯେ କେହି ଉଧରିଲ ବହି ମତ୍ସ୍ୟ ଅବତାର ଧରି ।ଦେବ ଦାନବ ମନ୍ଦିର ଗିରିବର ପକାଇ କ୍ଷୀରସିନ୍ଧୁର,ତେଡ଼େ ବଡ଼ ଭାର ପୃଷ୍ଠରେ ବହିଲ ହୋଇ କୂର୍ମ ଅବତାର ।ବୀର ହନୁମନ୍ତ ପବନର ସୁତ ବିବାଦ ଅର୍ଜ୍ଜୁନଠାରେ,ଶରବନ୍ଧ ତଳେ ଆବୋରି ରହିଲ ରୋହିମତ୍ସ୍ୟ ଅବତାରେ ।ହିରଣ୍ୟ ଦ୍ରପିଷ୍ଟ ମନେ କରି ରୋଷ୍ଟ ଗର୍ବେ ଅପରାଧ ବହି,ଦନ୍ତନଖେ ଅନ୍ତ ପିତ୍ତ ବିଦାରିଲ ନରସିଂହ ମୂର୍ତ୍ତି ହୋଇ ।କ୍ଷତ୍ରିକୁଳେ ଉତପତ୍ତି ହୃଷୀକେଶ ଧନୁର୍ବାଣା ବହି କରେ,ସାଧିଲ ଧରିତ୍ରି ବୀରପଣ ବୃତ୍ତି ପର୍ଶୁରାମ ଅବତାରେ ।ସତ୍ୟଯୁଗେ ହରି ବଳି ରାଜା ପୁରୀ ଦାନେ ନାଶିଲ ବିଭୂତି,ତ୍ରିବିକ୍ରମ ରୂପ ଜଗତନାୟକ ବହି ବାମନ ମୁରତି ।ଋଷି ଯଜ୍ଞଚରୁ ଅନାମ ବ୍ରହ୍ମରୁ ଜନ୍ମ ଦଶରଥ ଘରେ,ରାବଣକୁ ମାରି ଜାନକୀ ଉଧରି ରାମଚନ୍ଦ୍ର ଅବତାରେ ।ଦ୍ୱାପର ଯୁଗରେ ବସୁଦେବ ଘରେ ଜନ୍ମ ଲଭି ଗୋପେ ରହି,ଦୃଷ୍ଟ କଂସ ମାରି ଭାରା ଉଶ୍ୱାସିଲେ କୃଷ୍ଣ ଅବତାର ବହି ।ଜଗତର ଛଳେ ଅବନୀମଣ୍ଡଳେ ରୂପ ଦାରୁବ୍ରହ୍ମ ତେଜ,ପାପୀ ଜନେ ଗତି ମୁକତି ଦିଅନ୍ତେ ଖଙ୍ଖଚକ୍ର ଚତୁର୍ଭୁଜ ।ତ୍ରିପୁର ଜଗତ ଅନ୍ୟାୟ ବହୁତ ଚାରିଧର୍ମ ହେଲା ନାଶ,କାଳେହେଁ କଳଙ୍କି ଅବତାର ହେଲେ ବହି ବଇଷ୍ଣବ ବେଶ ।ନରଦେହ ବହି ନ ପାଇଲେ କେହି ଭଜନର ସୁଖ ସୀମା,ଏକାକ୍ଷର ପାଦ ଜଗତେ ବିଖ୍ୟାତ ଦୀକ୍ଷା ରଞ୍ଚିଲେ ମହିମା ।ଝରୁଛି ଅମୀୟ ସତ୍ୟ ମନେ ପିଅ ଅଛ ଯେତେ ସୁଞ୍ଜ ସାଧୁ,ଦେଖ ଜ୍ଞାନନେତ୍ରେ ଅନୁଭବସୁତ୍ରେ ଅନାମେ ଝରୁଛି ମଧୁ ।କ୍ଷତ୍ରିଗଣ ଘେନି କରିବେ ଭ୍ରମଣି ହସ୍ତେ ଘେନି ଖଣ୍ଡା କାତି,ଏକୌଶ ଅଙ୍କରୁ ପୃଥ୍ୱୀ ସାଧ୍ୟ ହେବ ଉଡ଼ୁଥିବ ବୀରଛତ୍ରି ।ଦୃଷ୍ଟ ନିବାରିବେ ସନ୍ଥକୁ ରଖିବେ ପାଳିବେ ଜନ ପରଜା,କଳିଯୁଗ ଶେଷେ ସତ୍ୟ ଉପୁଜିବ ଅନାଦି ହୋଇବେ ରାଜା ।ନିରନ୍ତର ଅଣବିଚାର ଲଭିଲେ ହୋଇଲା ମାତ୍ରକ କଳି,ହତରୁ ଆୟତ ନିୟତ ପ୍ରମାଣ ସତ୍ୟ ହେବ ମହୀଆଳି ।ଜଡ଼ କି ପଣ୍ଡିତ ହେବେ ଜ୍ଞାନବନ୍ତ ଅଙ୍ଗେ ବସି ଚକ୍ରପାଣି,ସତୀପଣେ ପତିସେବା ନିଯୋଗିବେ ସ୍ତିରୀ ହୋଇ ବ୍ରହ୍ମଜ୍ଞାନୀ ।ଚାରିଧର୍ମ ଚାରିକର୍ମ ଉପୁଜିବ ଗୋଡ଼ଇବ ଚଉବର୍ଗ,ଲକ୍ଷ୍ମୀ ଠାକୁରାଣୀ ପଡ଼ି ଚରଚିବେ ଲଭି ସର୍ବେ ପୂର୍ଣ୍ଣ ଭୋଗ ।କାଳ ଜଳ ନଈ ଦେଉଛି ଭସାଇ ମାରୁଛି ଲହଡ଼ାଘାତ,ନିମିଷ ମାତ୍ରକେ ଦୟା କର ମୋତେ ଆଦିବ୍ରହ୍ମ ଅବଧୂତ ।ମାୟାରେ ବନ୍ଧନ କରି ଛନ୍ନ ଛନ୍ନ ହରୁଛି ଧାରଣା ଧ୍ୟାନ,ଜାଣୁଛି ପ୍ରତ୍ୟକ୍ଷ ଲାଗାଇ ରଖିଛ ଯେସନେ ବଡ଼ଶୀ ମୀନ ।ଏକପାଦ ଠୁଳେ ଦ୍ୱିପାଦ ନ ଚଳେ ଅମୃତ ବଚନ ସିଦ୍ଧ,ମନରେ ଆନନ୍ଦ ଭଣେ ଭୀମ କନ୍ଧ ଏଠାକୁ ଦୁଇଶ ପଦ ।
ଏକାଦଶ ବୋଲିନବଦ୍ୱୀପ ସୃଷ୍ଟି ଆସୁଅଛି ଘୋଟି ଭାସି ଯାଉଅଛି ବୁଡ଼ି,ତରିବି ବୋଲି ତରତର ହେଉଛି ଜଳର ତରଙ୍ଗ ପରି ।ମେରୁ ଗିରି ଫୁଟି ସତ୍ୟଧର୍ମ ମେଣ୍ଟି ନାହିଁ ସ୍ଥିତାବସ୍ଥା ପଣ;ଅଗାଧ ସାଗରେ ଭବଜଳ ନଈ ବହୁଅଛି ଘନଘନ ।ଘୁଘୁନାଦ ଦେଇ ଆସୁଛି କମ୍ପାଇ ଗର୍ଜ୍ଜନ କରୁଛି ଆଣ୍ଟେ,ଦଶଦିଗ ମୋତେ ଅନ୍ଧାର ଦିଶୁଛି ଚାଲିଯିବି କେଉଁବାଟେ ।ତୁମ୍ଭେ ମୋର ସବୁ ଅନ୍ତର୍ଯ୍ୟାମୀ ପ୍ରଭୁ ଛାମୁକୁ କି ଅଗୋଚର,କେଉଁ ରୂପେ ମତେ ଜଗତେ ରଖିବ ଜାଣି ସମ୍ଭାଳନା କର ।ପାପକର୍ମେ ବିହି ନେଉଛି କଢ଼ାଇ ଯେସନ ନାଗରୀ ନଟ,ମାୟା ଜାଲ ଫାନ୍ଦେ ପଡ଼ିରହି ଛନ୍ଦେ ହେଉଅଛି ଛଟପଟ ।ରହ ରେ ଜଗତ ହେଉଛୁ ଉତ୍ପାତ ତୋ ଗୁଣ କହିବି କେତେ,ମୋ ପ୍ରଭୁ କରତା ବଞ୍ଚିବାରୁ ତୁହି ପ୍ରତ୍ୟକ୍ଷେ ଭଣ୍ଡୁଛୁ ମୋତେ ।ଆରେ କଳିଯୁଗ ଭବଭୟରୋଗ ଖଟ ସତ୍ୟ ପାଦତଳେ,ଶ୍ରୀଗୁରୁ ଆଜ୍ଞାରେ ଆଦି ଅଗ୍ନିଶରେ ଜଳିଯିବୁ ତପବଳେ ।ଆରେ ମିଥ୍ୟାପଦ କେତେ କରୁ ବାଦ ପଛନ୍ତେ ନ ଦେବୁ ଦୋଷ,ଜାଣିଲେ କରତା ଆଦି ବ୍ରହ୍ମପିତା ନ ଥୋଇବେ ଦଶଦିଶ ।ଆରେ ମୂଢ଼ ନରେ ଅଜ୍ଞାନ ଅସୁରେ ଲଭ ସତ୍ୟଧର୍ମ ପଥ,ନାମ ବ୍ରହ୍ମ ନିନ୍ଦି ମାୟାମୋହେ ଦ୍ୱନ୍ଦୀ ଦେଖୁ ଦେଖୁ ଯିବେ ହତ ।ଚିଆଁ ଚୈତନକୁ ରଖାଇ ହେତୁକୁ ଭଜନେ ଲାଗିଛି ମୁହିଁ,ଜୀବ ପରମ ନାମ ବ୍ରହ୍ମେ ଝାଳୁଛି ତରିବାକୁ ଆଶା ନାହିଁ ।ହୋଇବେ ନିଶ୍ଚୟେ ସର୍ବଜୀବେ କ୍ଷୟେ ଉତ୍ପାତ ହେଲାଣି ମହୀ,ନିରନ୍ତର ନେତ୍ରୁ ନୀର ବହୁଅଛି କାତରେ କମ୍ପୁଛି ଦେହୀ ।ଜମ୍ୱୁଦ୍ୱୀପ ପୂରି ନରଦେହ ଧରି ଜନ୍ମ ଲଭିଛନ୍ତି ଯେତେ,ନାମ ଆଶ୍ରେ ନାହିଁ କେମନ୍ତେ ତରିବି ଆଶ୍ଚର୍ଯ୍ୟ ଲାଗୁଛି ମୋତେ ।ସତ୍ୟ ଧର୍ମପଦ ନ ରୁଚେ ଯାହାକୁ ମୂର୍ଖ ବାଇ ନିଶାଚର,ପଡ଼ିଛି ସମୟେ କାଳ ମାୟାମୋହେ ଯାହା କରିଥାଅ କର ।ସତ୍ୟ ଯେ ପାଳୁଛି ଧର୍ମେ ଯେ ଚାଲୁଛି ଶ୍ରୋତା ଲାଗୁଛି ଶୂନ୍ୟରୁ,ନାମ ବ୍ରହ୍ମପଦ ହୃଦୟରେ ଲଏ ସଙ୍ଗେ ସଙ୍ଗେ ଛନ୍ତି ଗୁରୁ ।ଶୟନେ ଭୋଜନେ ସ୍ଥିତି ବାସସ୍ଥାନେ ଯେ ପାଳୁଛି ଗୁରୁ ଧର୍ମ,ଚାରିଦେବ ତାକୁ ସମାନ ନୁହଇ ମୁଖେ ମୁଖେ ତାର ବ୍ରହ୍ମ ।ମାୟାକୁ ନିବାରି ନିଷ୍କାମକୁ ଧରି ଯେ ବୋଲୁଛି ହରି ହରି ,ଆବୋରିଛି କାୟେ ଜଳେ କୁମ୍ଭ ପ୍ରାୟେ ଭିତର ବାହାରେ ପୂରି ।ତାର ଭକ୍ତିଚିତ୍ତ କେ କରିବ ଅନ୍ତ ସମ ନୁହେ ତ୍ରିଭୁବନ,କାଳ ଭବଭୟ କି କରିବ ତାକୁ ଦେଖି ଡରୁଥାଇ ଯମ ।ଚଉଦଭୁବନେ ବେଦଶାସ୍ତ୍ରମାନେ ଯହିଁ ଦେଖ ଏକପଦେ,ମନରେ ସଂଶୟ ଅଛି ଯେବେ ସନ୍ଥେ ଖୋଜି ଅନୁବାଦ ବେଦେ ।ନୁହେ କଳା ଧଳା ରଙ୍ଗିମା ପିଙ୍ଗଳା ନୁହେ ବର୍ଣ୍ଣ ଚିହ୍ନ କାନ୍ତି,ନ ଚିହ୍ନିଲୁ ବୋଲି ନ ବୋଲିବେ ସନ୍ଥେ ରୂପ ତା ପବନ ଗତି ।ମାୟା ମୋହେ ପଡ଼ି ବିଷୟରେ ଜଡ଼ି ପ୍ରକୃତିରେ ହୋଇ ରତ,କହେ ଭୀମ ଭୋଇ ନ ପାରଇ ଏ ବଡ଼ ଦୁର୍ଗମ ପଥ ।
ଦ୍ୱାଦଶ ବୋଲିଭରସା କରିଛି ନ ଜାଣଇ କିଛି ମୁହିଁ ବଡ଼ ଅପରାଧୀ,ଦୟା କରି ମୋତେ ଉଦ୍ଧରି ଧରିବେ ପ୍ରଭୁ କରୁଣା-ବାରାଧି ।ଅନ୍ୟ ନାହିଁ ଚିତ୍ତ ନାମ ବ୍ରହ୍ମେ ରତ ଦର୍ଶନ ମାତ୍ର କରିଛି,ସ୍ୱାମୀ ରଖ, ସ୍ୱାମୀ ରଖ ବୋଲି ମୁଁ ଯେ ଦିବାନିଶି ଡାକୁଅଛି ।ଘନେ ଚାହିଁ ଆଶା ଶୂନ୍ୟରେ ଭରସା ଯେସନ ଚାତକ ପକ୍ଷୀ;ମନେ ଯାହା ପାଞ୍ଚେ ଡାକି ଡାକି ଉଚ୍ଚେ କଣ୍ଠ ଯାଉଅଛି ଶୁଖି ।ପବନକୁ ବାନ୍ଧି ପ୍ରକୃତିକୁ ଛନ୍ଦି ଅନୁକ୍ଷଣ ଧ୍ୟାନଯୋଗ,ଅନାଥର ନାଥ କରୁଣା କଲେ ମୁଁ ଲଭିବଇଁ ସୁଖଭୋଗ ।ଅନ୍ତର ବେଦନା ଅଛି କି ନା ଜଣା ବୁଝାଇ କହିବି କାହା,ନିରେଖ ପ୍ରାଣୀକି ନିରାପକ୍ଷ କଲେ କେ ହୋଇବ ପ୍ରଭୁ ସାହା ।ଉଡୁଅଛି ବାନା ମହାଶୂନ୍ୟେ ସିନା ସଞ୍ଚରିଛି ତିନି ପୁରୀ,ଆତଙ୍ଗ ମନେ ଦୃଢ଼େ ଚିନ୍ତି ପାରିଲେ ପଙ୍ଗୁ ଲଙ୍ଘିଯିବେ ଗିରି ।ବଡ଼ ପ୍ରଭୁ ବୋଲି ଭରସା କରିଛି ଅନ୍ୟେ ନାହିଁ ମୋତେ ରକ୍ଷ,ଲାଭ ହାନି କଥା ବୁଝିବେ ସର୍ବଥା ଘୋଟିଯାଉଛି ସନ୍ତାପ ।କହୁଅଛି ଏତେ ନ ରଖ ଏ ମର୍ତ୍ତେ ଶ୍ରୀହସ୍ତେ ପକାଅ ମାରି,ଦଣ୍ଡୁଅଛ କେତେ ଭଣ୍ଡୁଛ କିମର୍ଥେ ଅନାମିକା ବ୍ରହ୍ମ ହରି ।ବୋଲାଅ ହରତା କରତା ବିଧାତା ଭକ୍ତବାନା ପରା ବହୁ,ମୋ ବାଞ୍ଛା ସକଳ ହେଉଛି ବିଫଳ ଏଡେ ପ୍ରଭୁ ଥାଉଁ ଥାଉଁ ।ମାୟା ମୋହେ ପଡ଼ି ସିନ୍ଧୁ ଜଳେ ବୁଡ଼ି ସଢ଼ିଲଇଁ ଦିନୁଦିନ,ମନ ସିନା ଜାଣେ ଅନ୍ତର ବେଦନା ଶ୍ରମେ ନ କରି ରୋଦନ ।ଲୋଭ ମୋହ କାମ କ୍ରୋଦ ଅହଙ୍କାର ଥୋଇଅଛି ହିଂସାବାଦ,ପଞ୍ଚଭୂତ ଆତ୍ମା ଭିତର ମଧ୍ୟରେ ହେଉ ଅଛଇ ଦଗଧ ।ମାୟା ମୋହ ଭରି କଲ ଦେହଧାରୀ ମଞ୍ଚେ ଆଣି ଦେଇ ଜନ୍ମ,ଏତେ କଷ୍ଟ ପାଇ ଦେହ ବହିବାର ପୋଡ଼ୁ ପୋଡ଼ୁ ପାପକର୍ମ୍ମ ।ଜନ୍ମଜନ୍ମାନ୍ତରେ ଯୁଗଯୁଗନ୍ତରେ ଦୁଃଖ ଦଶା କର୍ମ୍ମକାଣ୍ଡେ,ନିର୍ଲ୍ଲଜ ଆତ୍ମା ମୋ ନ ଯାଇ ରହିଛି ପ୍ରକୃତିର ପାପପିଣ୍ଡେ ।ପ୍ରାଣୀମାନଙ୍କର ଆନନ୍ଦ ମଙ୍ଗଳ ଅନ୍ୟରେ କି କାର୍ଯ୍ୟ ଅଛି,ମୋ କର୍ମ୍ମ କପାଳ ମୋତେ ହେଲା କାଳ କାହାକୁ କହିବି ବାଛି ।ପଥୁକି ଯେସନେ ଜଳତୀରେ ବସି ତରିବାକୁ ଉଦବେଗ,ଅଗାଧ ସାଗର ପାରି ହୋଇଯିବ କୈବର୍ତ୍ତ ଆଣିଲେ ନାବ ।ସେହିରୂପେ ମୁହିଁ ଅଭୟ ପୟରେ ପଦ୍ମପାଦେ କରି ଠାବ,ଅନ୍ତର୍ଯ୍ୟାମୀ ପ୍ରଭୁ ବିଚାରି ବୁଝିଲେ ଅବଶ୍ୟ ସୁଦୟା ହେବ ।ସ୍ୱଭାବେ ଚଞ୍ଚଳ ନୁହଇ ନିଶ୍ଚଳ ପ୍ରକୃତିରେ ପରଚଣ୍ଡ,କାଳ ଖଡ଼୍ଗ ଘେନି ଶ୍ରୀହସ୍ତେ ଛେଦନି ଟିକିଟିକି କରି ପିଣ୍ଡ ।କିଳିଣୀ କବାଟ କଞ୍ଚିରେ ଆକଟ ନବ ଦଶଦ୍ୱାର ରୁନ୍ଧି,ମାୟା ଫାଶ ଘେନି ଏ ଜୀବ ଆତ୍ମାକୁ ନିର୍ବନ୍ଧେ ପକାଅ ବାନ୍ଧି ।ଗୁରୁ ନାରାୟଣ ସୁଜ୍ଞ ସାଧୁଜନ ଅନୁଗ୍ରହ କର ମୋତେ,ପଞ୍ଚମୁଖେ ହରି ଅଛ ବିଜେ କରି ଶରଣ ମାଗୁଛି ଏତେ ।ଯେଉଁ ପଦ୍ମପଦ ଜ୍ଞାନୀଜନେ ଚିନ୍ତି ଭଜୁଛନ୍ତି ଆଶ୍ରେ କରି,ସେ ଚରଣ ଧ୍ୟୟି ଭୀମ ଅରକ୍ଷିତ ହେଉଅଛି ଏତେ ସରି ।
ତ୍ରୟୋଦଶ ବୋଲିଉର୍ମ ଧୂର୍ମ ଜ୍ୱାଳା ଜ୍ୟୋତି ବ୍ରହ୍ମକଳା ବେନି ପ୍ରତି ଯାର କର,ଆପ ତେଜ ବାୟୁଛନ୍ତି ଉଦେ ହୋଇ ଯାର ଅଙ୍ଗୁ ପରିଚାର ।ଯୁଗ ଯୁଗାନ୍ତରେ କଳ୍ପକଳ୍ପାନ୍ତରେ ଶ୍ୱେତଶୁକ୍ଲାମ୍ବର ରୂପ,ଅଣଚାଶ ବାୟୁ ନାସାରୁ ଜନମ ଚନ୍ଦ୍ର-ସୂର୍ଯ୍ୟ ଯାର ଦୀପ ।ଚାରି ବେଦ ଚାରି ପାବଚ୍ଛ ହୋଇଛି ଆଦି ଅଷ୍ଟାଦଶ ସିଦ୍ଧି,ଅଷ୍ଟାଙ୍ଗକୁ ଘେନି ଦଶାଙ୍ଗଯୋଗରେ ଲାଗିଅଛି ଯା ସମାଧି ।ଅଣାକାର ଅଣସାଧନା ବିଜୟେ ତ୍ରିପୁରେ ଯା ତେଜ ଧାପ,ଯାହାର ଆଜ୍ଞାରେ ପ୍ରକାଶ ହୋଇଛି ଦ୍ୱାଦଶ ବର୍ଣ୍ଣ ସ୍ୱରୂପ ।ଠୁଳ ଶୂନ୍ୟ ଶିର ମର୍ତ୍ତହିଁ ଉଦର ପାତାଳ ଯାର ପୟର,ଯାର ରୋମମୂଳେ ମାଳ ମାଳ ମହୀ ଉଦେ ଅସ୍ତ ଗିରିବର ।ନବଖଣ୍ଡ ମହୀ ସପତସାଗର ଆଦି ଅଷ୍ଟକୁଳା ନାଗେ,ପ୍ରଭୁ ଶ୍ରୀଚରଣେ ଚିତ୍ତବୃତ୍ତି ଦେଇ ଭଜୁଛନ୍ତି ଧ୍ୟାନଯୋଗେ ।ବାସୁକି ବୋଲୁଛି ଦୁଷ୍ଟଗଣଭାରା ଅନ୍ୟାୟ ହେଉଛି ବଳେ,ନୋହିଲେ କରୁଣା ଦିଗୁଣ ମୋ ଊଣା ପଡ଼ିବଇଁ ରସାତଳେ ।ସମୁଦ୍ର ବୋଲୁଛି ଅଭୟ ପୟରୁ କରୁଣା ଅକ୍ଷତ ନେବି;ଯୁଗଯୁଗାନ୍ତରେ ସପତ ବେଢ଼ାରେ ଚଉକତି ପୂରିଥିବି ।ତିରଣ ବୋଲୁଛି ପତର ପାଖୁଡ଼ା ବତ୍ସ ଧେନୁ ପଛେ ଖାଉ,ଭୂମିରୁ ନ ଛାଡ଼ି ଅଗ୍ନିରେ ନ ପୋଡ଼ି ମୂଳ ଉପୁଡ଼ି ନ ଯାଉ ।ତରୁମାନେ ବୋଲୁଚନ୍ତି ମହାପ୍ରଭୁ ଅଣଚାଶ ମହାଗାଢ଼,କରପତ୍ର ଯୋଡ଼ି ସ୍ତୁତି କରୁଛନ୍ତି ନ ଭାଙ୍ଗୁ ଯେ ହାତ ଗୋଡ଼ ।ପଥର ବୋଲୁଛି ଆହେ ମହାବାହୁ ଅଚଳେ ମୁଁ ଅଛି ପଡ଼ି,ନୋହିଲେ କରୁଣା ହୋଇଯିବ ଚୂନା ପଡ଼ିଲେ ବଜ୍ର ଘଡ଼୍ଘଡ଼ି ।କୂଳେ ଥାଇ ଜଳଧାରକୁ ନିରୋପି ଫଣିକୁ ଦେଖିଲେ ଭେକ,ଖରତର ହୋଇ ପଳାଇ ଲୁଚଇ ମହାପ୍ରଭୁ ବାରେ ରଖ ।ଜୀବଜନ୍ତୁମାନେ ଅରଣ୍ୟ ଭିତରେ ହୃଦୟରେ ଦକ ଦକ,ବାଘ ଭାଲୁ ଦେଖି ସ୍ତୁତି କରୁଛନ୍ତି ମହାପ୍ରଭୁ ବାରେ ରଖ ।ପକ୍ଷୀ ଜନ୍ତୁମାନେ ବନରେ ବିହାର ବ୍ୟାଧମାନଙ୍କୁ ସେ ଡରି,ବାରେ କର ତ୍ରାହି ପ୍ରଭୁ ଭାବଗ୍ରାହୀ ଭକ୍ତ ପ୍ରାଣବନ୍ଧୁ ହରି ।ସକଳ ଘଟରେ ତିନି ବ୍ରହ୍ମାଣ୍ଡରେ ପୂରି ଚଉବର୍ଗଦାତା;ଅନନ୍ତ ଠାକୁର ହୋଇ ମହାପ୍ରଭୁ କିପାଁ ଦେଉଛ ଅବସ୍ଥା ।କରି ମୁଁ ବିନତି ପାଦତଳେ ନିତି ଜଣାଣ କରୁଛି ଯାହା,ବହି ଭକ୍ତବାନା ନ ଯାଉଛି ଶୁଣା ଧନ୍ୟ ତୋ ପାଷାଣ ହିୟା ।ନିଶି ମହାଘୋର ହେଉଛି ଅନ୍ଧାର ଭୋଜନକୁ ବିଜେ କର,ଦୀପ ନିଭିଗଲେ ଅନ୍ଧକାର ହେବ ଶୂନ୍ୟ ହୋଇବ ମନ୍ଦିର ।ବଢ଼ାଇ ଭୋଜନ କରି ଆଞ୍ଚବନ ପଲଙ୍କରେ ପହୁଡ଼ସି,ରାତ୍ରି ଉଜାଗରେ ବେନି ପାଦ ଧରି ଭଜନ କରିବି ବସି ।ନିଷ୍କାମକୁ ଭଜି ନିରାଶ ହେଉଛି ନିରନ୍ତରେ ଆଶା କରି,ଅରୁଣ ଅସ୍ତ ହେବାକୁ ଦଣ୍ଡେ ଅଛି ଘୋଟି ଆସୁଛି ତିମିରି ।ତ୍ରିଗୁଣର ମାୟା ଆବୋରିଛି କାୟା ବାୟା କରି ବଳିଆରେ,ଗୁରୁପାଦ ଧ୍ୟାୟି ଭଣେ ଭୀମଭୋଇ ଭାସୁଅଛି ଦରିଆରେ ।
ଚତୁର୍ଦ୍ଦଶ ବୋଲିଯେଉଁଦିନୁ ଧନି ସ୍ଥାପନା ହୋଇଲା ନବଖଣ୍ଡ ମହୀ ଦୀପା,ଜାଣିଲି ନିଶ୍ଚୟେ ଯୁଗ ଯିବ କ୍ଷଏ ମନକୁ ଲାଗିଲା ଶଙ୍କା ।କି ହେବ ଜଗତ କି କରୁଛ ଧାତ ହୃଦରେ ପଡ଼ିଲା ଚିନ୍ତା;ନିକଟରେ ଆସି ପ୍ରାପତ ହେଲାଣି ଦେଖା ନାହିଁ ଯେଉଁ କଥା ।ଚନ୍ଦ୍ର ସୂର୍ଯ୍ୟ ଆଜି ଅଗ୍ନି ପବନାଦି ବେଦଶାସ୍ତ୍ର ନାହିଁ ଲେଶ,ଅନନ୍ତ ଠାକୁର ଜଗତ ଈଶ୍ୱର ଧରି ଦିଗମ୍ୱର ବେଶ ।ଆସନ ବସନ ଛାଡ଼ି ଅଣାକାର ଦଣ୍ଡେହେଁ ବିଶ୍ରାମ ନୋହେ,ଆଦି ବ୍ରହ୍ମ ପିତା ଏତେକ ଅବସ୍ଥା ମୋତେ ପଚାରୁଛି କିଏ ।ଏ ସୁଖ ସମ୍ପଦ କ୍ଷଣକରେ ଯିବ ନିମିଷିକ ଅଛି ରହି,ତେଣୁ କରି ମୋତେ ବହୁତ ଆକୁଳ ଭୋଗକୁ ମୋ ଆଶ ନାହିଁ ।ମାୟାରେ ତ୍ରୈଲୋକ୍ୟ ହେବ ପରା ଲୋପ୍ୟ ସରିବ ପୃଥ୍ୱୀର ହାଟ,ବାର ଯାଇ ତେର ଚଉଦ ଅଙ୍କରୁ ପଡ଼ିଲାଣି ଦେବକୂଟ ।ଭୁଞ୍ଜିବାର ଅନ୍ନ ଦିଶିଲା ବିବର୍ଣ୍ଣ ନେଇ ପକାଇଲେ ଧୂଳି,ତୃଷାଭରେ ଜଳ ଆତୁରେ ପିଅନ୍ତେ ଛଡ଼ାଇ ଦେଲେଣି ଢ଼ାଳି ।ଯେତେକ ବିଚାର କରୁଛନ୍ତି ନର ଏ ସର୍ବ ମିଥ୍ୟା ରଚନା;ଅନ୍ୟାୟକୁ ନ୍ୟାୟ କରି ସଭାଜନ କରୁଛନ୍ତି ହାର ଜିଣା ।ସାଧୁ ସନ୍ଥ ସଙ୍ଗ କରୁଛନ୍ତି ଭଙ୍ଗ ଉପହାସେ ପାରି ବୋବି,କଳିଯୁଗେ ସାତବରଷ ପୁତ୍ରଙ୍କୁ ହାରିବେ ବଣ୍ଡିତ କବି ।ସତ୍ୟକୁ ଛାଡ଼ିଲେ ଅମଡ଼ା ମାଡ଼ିଲେ ଲାଗିଅଛି ନଟକୂଟ,ମିଛ ପସରାକୁ ଆବୋରି ଅଛନ୍ତି ବସାଇ ବଜାର ହାଟ ।ନ ଜାଣନ୍ତି ଭେଦ ନ ଜାଣନ୍ତି ସ୍ୱାଦ ଅମୃତରେ ନାହିଁ ମନ,ସାଧୁ ମଧୁରସ ଛାଡ଼ି ସୁଜ୍ଞଜନେ ବିଷ କରୁଛନ୍ତି ପାନ ।ଅଧିକ କଥାରେ ବିଷୟା ବୃଥାରେ କିସ ପ୍ରୟୋଜନ ଅଛି,କି କର୍ମ କରୁଛି କି ଦ୍ରୋହ ଅର୍ଜୁଛି ଗୋଚର ମନେ ନୋହୁଛି ।ସମର୍ପିଲା ସତ୍ୟ ପାଇଲା ସମସ୍ତ ବାଞ୍ଛିତ ପସରା ବୋଝ,ଦେବ କି ନ ଦେବ ହେବ କି ନ ହେବ ଶ୍ରୀଛାମୁକୁ ହେବ ଲାଜ ।ପୂର୍ବର ସୁକୃତ ଲଲାଟ ଲିଖିତ କର୍ମେ ଯେବେ ଥିବ ଖଞ୍ଜି,ମୁଁ କିସ ଜାଣଇ ପ୍ରଭୁ ସିନା ଜାଣ ତୁମ୍ଭର ମହତ୍ତ୍ୱ ମର୍ଜୀ ।ତାରଣ ମାରଣ ଯୁଗକୁ ଧାରଣ କାରଣକୁ ସର୍ବଶୁଭ,ଏକା ସ୍ୱାମୀ ବିନୁଚିତ୍ତରେ ମୋହର ନ ଜାଣଇ ଅନ୍ୟ ଦେବ ।ଏକା ସ୍ୱାମୀ ବିନୁ ଅନ୍ୟ ପ୍ରଭୁ ଆଉ କରି ନୋହେ କାହା କୃତେ,ଯାହା ବିଚାରିଛି ଲଭିବା ପର୍ଯ୍ୟନ୍ତେ ମନରେ ନାହିଁ ପରତେ ।ରୂପରୁ ଅରୂପ ଅରୂପରୁ ରୂପ ସର୍ବଘଟେ ବିଜେ ହରି,ଭଗତ ଆରତ ବାନା ବହିଅଛ ଅରକ୍ଷକୁ ହିତକାରୀ ।ପ୍ରକୃତି ଜଞ୍ଜାଳ ସକଳ ସମ୍ଭାଳ ପ୍ରାଣର ବଲ୍ଲଭ ମଣି,ଫଳ ଶ୍ରୁତି ଗତି ମୁକ୍ତି ପରାପତ ଯଥାବିଧି ମତ ଜାଣି ।ଭଙ୍ଗିଗଲେ ଫନ୍ଦା ପାଇବଟି ନିନ୍ଦା ହୋଇବଟି ଅପ୍ରମଏ,ବିଚାରି ବିବେକ କରି ମହାପ୍ରଭୁ ଯାହା ବୁଝିକର ନ୍ୟାଏ ।ନିଷ୍କାମ ଧର୍ମରେ ନିର୍ବେଦ କର୍ମରେ ଜଗାଇ ଭଜନ ଧୂନି,ଗୁରୁପାଦାର୍ବିନ୍ଦେ ଭାଷା ପରବନ୍ଧେ ଭୀମ ଅରକ୍ଷିତ ଭଣି ।
ପଞ୍ଚଦଶ ବୋଲିସ୍ଥାବରୁ ଜଙ୍ଗମ କୀଟରୁ ପତଙ୍ଗ ଚାହିଁ ଦେଲେ ଅନୁସରି,ସକଳ ଘଟରେ ପୂରି ସମାନରେ ନୋହେ ସାନ ବଡ଼ କରି ।ଭାବକୁ ନିକଟ ଅଭାବେ ଅଭେଟ ଭକ୍ତଭାବେ ପରା ବଶ,ଏ ମୋର ଗୁହାରି ନ ଶୁଣ କି କରି ଧରିଅଛ କେଉଁ ରୋଷ ।ବଚନକୁ ଏଡ଼ି ଭଗତିକି ଛାଡ଼ି ଅନ୍ୟରେ କି ବଢ଼ିଗଲି,ପ୍ରଭୁ ଶ୍ରୀଛାମୁରେ ସେବିବା ପୟରେ କି କି ଅପରାଧ କଲି ।ନ ଶୁଣିଲା ପରି ହେଉଅଛ ହରି ଦେଉଅଛ ଦଣ୍ଡ ସଜା,ପାଖରୁ ଅନ୍ତର କରି ନିରନ୍ତର ଦୟାରେ ହେଉଛ ଦୁଜା ।ନୋହୁଛି କରୁଣା ଅଲେଖ ଅବନା ଯୁଗ ରହିଲାଣି ବାକି,ବନବାସ ଘୋରେ ଝାଡ଼ର ଭିତରେ କେତେକାଳ ଥିବ ରଖି ।ଚିରକାଳ ରଙ୍କ ଆଶା ମୋ ଅନେକ ଜନ୍ମଜନ୍ମାନ୍ତରୁ ଦୁଃଖୀ,ପ୍ରାପତ ନିଧିକ ସକଳ ସିଦ୍ଧିକି ଅପ୍ରସ୍ତୁତ ଯୁଗ ଦେଖି ।ଖାଇବାକୁ ଅନ୍ନ ପିନ୍ଧିବାକୁ ବସ୍ତ୍ର ସୁସ୍ଥେ ନ ମିଳୁଛି କିଛି,ଅଧମ ଜୀବକୁ ହୀନ ପାମରକୁ କେତେଦିନ ଦୟା ଅଛି ।ଗମିବି କି ଯୋଗେ ଭଜିବି କି ମାର୍ଗେ ସଦବୁଦ୍ଧି ଜ୍ଞାନ ନାହିଁ,ନୋହେ ସାଧୁ ସନ୍ଥ ନୁହଇ ପଣ୍ଡିତ ପ୍ରକୃତ ଅତିଥି ମୁହିଁ ।ଆପେ ମଣ୍ଡିପାର ଆପେ ଖଣ୍ଡିପାର ବାଞ୍ଛାଫଳେ ଉଦେ ରିପୁ,ବିଚାରୁଛି ଚିତ୍ତେ ହୃଦୟର ଗତେ ପ୍ରଭୁ ମୋର ବଳ ବପୁ ।ମହାପ୍ରଭୁ ହୋଇ କର୍ତ୍ତାପଦ ବହି ସକଳ ହେଉଛି ବୃଥା,ପିଣ୍ଡ ଦେଇ ପ୍ରଭୁ ମଣ୍ଡ ନ ଦେଉଛ ଏ ପୁଣି କେବଣ କଥା ।ଭଗତ ଜୀବନ ଦରିଦ୍ରଙ୍କ ଧନ ଅନାଦିତ କୃପାସିନ୍ଧୁ,ଆପେ ସାହା ବାହା କରିବାକୁ ଆହା ପ୍ରଭୁ ମୋର ବର୍ଗବନ୍ଧୁ ।ଯେହ୍ନେ ଜଳଧାର ସେହି ପରକାର ଯନ୍ତ୍ରରେ ସୂନ୍ତ୍ରକୁ ଧରି,ଚିଆଇଁ ଚୈତନ୍ୟ ଜୀବ ପରମକୁ ଭେଟାଭେଟି କର ହରି ।ସତ୍ୟ ତ୍ରେତୟା ଦ୍ୱାପର କଳି ଆଦି ଚାରିଯୁଗକୁ ଯେ ଧରି,ଭାରା ହରୁ ପୃଥୀ ଆଦି କର୍ମ ରୀତି କ୍ଷୀର ନୀର ପ୍ରୀତି ପରି ।କଳ୍ପନା ବିଚାରି କାମନା ଉଙ୍କାରି କରିଅଛ ଉଦଯୋଗ,ମୁଁ କିସ ଜାଣଇ ପ୍ରଭୁ ସିନା ଜାଣ ହେବ କି ନ ହେବ ଭୋଗ ।ନ ପାଞ୍ଚନ୍ତେ ଫଳ ଉପୁଜୁଛି ଖଳ ଶତେବାର ବସି ହାଟ,ଯେହ୍ନେ ଜଳେ ମୀନ ଧୀବରରେ ପୁଣ ବିନାଦୋଷେ ହୋଏ ନଷ୍ଟ ।ଚିନ୍ତା ଅର୍ଥ ନେଇ ପାଦତଳେ ଥୋଇ କରିଛି ବହୁତ ଆଶ;ପିତା ଥାଉଁ ପୁତ୍ର ସଭା ମଣ୍ଡିଥିଲେଜଗତେ ବୋଲିବେ କିସ ?ନୋହୁ ସିଂହାସନ ଯୋଗୀବେଶେ ଦିନ ଯାଉ ପଛେ ଏହି ମତେ,ମୋହର ନିମନ୍ତେ ଶ୍ରୀଛାମୁକୁ ନିନ୍ଦା କାହିଁପାଇଁ ଅନିମତ୍ତେ ।ସଂସାର ଆଚାରେ ମନର ବିଚାରେ ମାୟାକୁ ଆବୋରି ଦେଖି,କିମ୍ପା ହନ୍ତସନ୍ତ ହେବି ଶ୍ରମପଥ କର୍ମେ ଯେବେ ନାହିଁ ଲେଖି ।ଲାଭ ହାନି ବେନି ପ୍ରକାରେ ଲିହିଛି ସବୁକାଳେ ନୁହେ ଚିର,ଯେସନେ ବାଳକେ ଶିଷ୍ୟଙ୍କ ମେଳକେ ନିମିଷକ ଖେଳଘର ।ପ୍ରେମେ ପୁଲକିତ ଅଶ୍ରୁଜଳଯୁକ୍ତ କ୍ରୋଧଭରେ ଗଦଗଦ,କପାଳରେ ହସ୍ତ ଦେଇ ଭୀମ ଭକ୍ତ କହେ ତିନିଶତ ପଦ ।
ଷୋଡ଼ଶ ବୋଲିଧନରତ୍ନମାନ ଆୟ ଆଭରଣ କାହୁଁ ପାଇବି ଲୋଡ଼ିଲେ,ବିନା କମାଣିରେ ଆୟ ବ୍ୟୟନୁହେ ପୂର୍ବ ସୁକୃତ ନ ଥିଲେ ।ମାରକଣ୍ଡ ଋଷି ଯାଉଥିଲେ ଭାସି ପୃଥ୍ୱୀ ମହାପ୍ରଳୟରେ,ଶ୍ରୀଭୁଜ ବଢ଼ାଇ ଦୟାଚିତ୍ତେ ନେଇ ରଖିଲା ଗର୍ଭ ଭିତରେ ।ସେହିରୂପେ ମୁହିଁ ଭାସି ଯାଉଅଛି ମାୟାଜଳ ସୋହତିରେ,ହେଉଛି ଦହନ ସମିଧ ଯେସନ କାଳ ଅଗ୍ନି ଆହୁତିରେ ।ହିରଣ୍ୟ ଦୈତ୍ୟ ଯେ ଶତବାର ବଧି ପୁତ୍ରକୁ ମେଲିଲା ଜଳ,ଦଧିଭଣ୍ଡରୁ ଲବଣୀ ଯେହ୍ନେ କାଢ଼ି ଉଧରିଲ ଆଦିମୂଳ ।ସେହିରୂପେ ମୁହିଁ ଭବସିନ୍ଧୁ ଜଳେ ଭାସି ଯାଉଅଛି ଦେଖ,ସଦାନନ୍ଦ ସ୍ୱାମୀ ଉଧରିବେ ବୋଲି ବେଳହୁଁ କରିଛି ଠିକ ।ଗଜକୁ କୁମ୍ଭୀର ଜଳର ଭିତର ନିର୍ବନ୍ଧେ ଛନ୍ଦିଲା ନେଇ;ଶୂନ୍ୟେ ଚକ୍ର ପେଷି ଗ୍ରାହକୁ ନାଶିଲ, ଉଧରିଲ ଭାବଗ୍ରାହୀ ହ ।ତହିଁରୁ ଅଧିକ ବିପତ୍ତି ସନ୍ତାପ ବେଢ଼ାଇଛି ମାୟାଜାଲ,କର୍ମଦେବ ସ୍ୱାମୀ କଟାକ୍ଷରେ ଚାହିଁ ନିବାରିବେ କୂଟ ଖଳ ।ଘୋରବନେ ପ୍ରଭୁ ମୃଗୁଣୀ ଡାକିଲା ଯେଣୁ ପଡ଼ିଲା ବିପତ୍ତି,ତା ଦୁଃଖ ଫେଡ଼ିଲ ଅରୂପ ଅଖିଳ ପାରିକଲ ହେ ଅଜ୍ୟୋତି ।ମାୟାଫାନ୍ଦ ପାତି ବିଷୟା ବିପତ୍ତି ଆବୋରିଛି ଚଉଦିଗେ,ଚିରାନନ୍ଦ ସ୍ୱାମୀ ଚିରକାଳ ରଖି ନିସ୍ତାରିବା ହେଉ ବେଗେ ।ଘୋର ବନବାସେ ଜନକକୁମାରୀ ହରିନେଲା ଦଶଶିର,ବାନ୍ଧି ସେତୁବନ୍ଧ ଛେଦି ଦଶକନ୍ଧ ଜାନକୀ ସଙ୍କଟୁ ତାରି ।ସୀତା ଅଶୋକବନେ କଷ୍ଟ ପାଇଲେ ରାବଣ ଉତପାତରୁ,ସାଖା ହୋଇ ଥରେ ରକ୍ଷାକର ବାରେ ବିମୁଖ ବନ ଭିତରୁ ।ଦ୍ରୁପଦଦୁଲ୍ଲଣୀ ଦୁଃଖାସନ ଆଣି ଉଲଗ୍ନରେ ବଳବନ୍ତ,କୋଟିବସ୍ତ୍ର ଦେଇ ଚକ୍ରକୁ ଘୋଡ଼ାଇ ରଖିଲ ତାଙ୍କ ମହତ ।ଦୌପଦୀ ପରାୟ କଷଣ ଦେଉଛି କଳିକାଳ ମିଥ୍ୟା ପାଦ,ଯାଉଅଛି ଭେଦି ପକାଅନା ଛେଦି ଅକଳ୍ପନା ଶ୍ରୁତି ଜପ ।ଜରାସନ୍ଧ ବୀର ଲକ୍ଷେ ରାଜା ବନ୍ଦୀ ଅଗ୍ନିରେ ଦହିଲା ବେଳେ,ଅନ୍ତର୍ଯ୍ୟାମୀ ପ୍ରଭୁ ଅନ୍ତର୍ଗତେ ଜାଣି ଉଧରିଲ ଅବହେଳେ ।ଲୋଭ ମୋହ କାମ ନ୍ତ୍ରୋଧ ଅହଙ୍କାର ନିରନ୍ତର ଲାଗି ବାଦୀ,ଦାନବ ପରାଏ ହୋଇ ଏ ସମସ୍ତେ ଧରି ମାରୁଛନ୍ତି ସାଧି ।ସୁରଭୀତ ନାରୀ କାରୁଣ୍ୟରେ ଘାରି ସୁର ପ୍ରୀତିରେ ଆକୁଳ,ମୂର୍ତ୍ତିକି ଲିଭାଇ ପତିରେ ବିଳୋହି ସଙ୍ଗ ଦାରିଦ୍ର୍ୟ ଫେଡ଼ିଲ ।ମୁହିଁ ସେ ପ୍ରକାର ଅନନ୍ତ ଈଶ୍ୱର ଡ଼ୁବି କାରଣ୍ୟ ଜଳରେ,ଆଦି ଦୟାନିଧି କର ସର୍ବସିଦ୍ଧି ଆନନ୍ଦ ସୁଖ-ସାଗରେ ।ଚାରୁଭୀତ ବାମା ନରଧିତ ହିତେ ସନ୍ୟକୁମାରକୁ ଆଣି,ଅନ୍ତର ବେଦନା ଅନ୍ତର୍ଗତେ ଜଣା ବିହିଲ ଅବ୍ୟକ୍ତ ମଣି ।ମୁଁ ଯେ ଅଭାଗିନୀ ମୁଢ଼ ପାପୀ ପ୍ରାଣୀ ଆଶାଲୋଭେ ଅନୁସରି,ଦେଖି ମୋ ବିକଳ ଦିଅ ଖଞ୍ଜାମୂଲ ଦିନ ବଞ୍ଚିବି ଯେପରି ।ଗୃହଧର୍ମେ ଥିବି ଅନ୍ୟସ୍ଥା ନୋହିବି ମଜ୍ଞା ହେଉ ଏହି ବାଗେ,ଶ୍ରୀଗୁରୁ ଛାମୁରେ ଭୀମ ଅରକ୍ଷିତ କରପତ୍ର ଯୋଡ଼ି ମାଗେ ।
ସପ୍ତଦଶ ବୋଲିଦୁର୍ଯ୍ୟୋଧନ ରାଜା ପଞ୍ଚୁପାଣ୍ଡବଙ୍କୁ ଜଉଘରେ ଦେଲା ଭରି,ଲୁଚାଇଲ କାୟା ଦେଖାଇଲ ମାୟା ଗୁପତରେ କଲ ପାରି ।ସତ୍ୟ ଧର୍ମମାର୍ଗେ କରୁଣା ସମ୍ଭର୍ବେ ବିପଦକୁ କର କ୍ଷୟ,ଫିଟାଅ କଳଙ୍କ ଭୁଞ୍ଜାଅ ସାତୁକ୍ୟ ଜଗତରେ ଠାବ ଦିଅ ।କେଉଁ ଆଜ୍ଞା ହେବ ଚିରକାଳ ଥିବ ମନେ ଯାହା ଅଛି ଭାବି,ଜଗତ ସଂସାର କେହି ନ ଜାଣିବେ ମୁହିଁ ଏକା ଜାଣୁଥିବି ।ପାଞ୍ଚାଳ ଦେଶରେ ଗୁପତ ଭାବରେ ଲାଖବିନ୍ଧା ଅରଜୁନ,ପଞ୍ଚୁପାଣ୍ଡବଙ୍କୁ ଦୌପଦୀଙ୍କି ଦେଇ କଲ ଯୁଦ୍ଧ ଆଭରଣ ।ଗୁରୁଦେବ ସ୍ୱାମୀ ସର୍ବ ଅନ୍ତର୍ଯ୍ୟାମୀ ଅଧିକ କହିବି କେତେ,ପ୍ରଭୁ ଶ୍ରୀଛାମୁରେ ମନର ଭିତରେ ମାଗୁଣି ମୋହର ଏତେ ।ସେବା ଭକ୍ତି ନିଅ ହସ୍ତ ତୋଳି ଦିଅ କର୍ମସିଦ୍ଧି ବିଧାନକ,ଦୟାରେ ବର୍ଦ୍ଧୁତ କରି ଅବଧୂତ ସନମାନ କରି ରଖ ।ତ୍ରେତୟା ଯୁଗରେ ରାମ ଅବତାରେ ଅଭିଷେକ ହେବା ବେଳେ,ମିଳି ସର୍ବ ଋଷି ଚାହିଁ ରୂପରାଶି ପଞ୍ଚୁମନେ ବିଚାରିଲେ ।ତାଙ୍କ କଳ୍ପନା ମନେ ଘେନି ଆପଣ ଆହେ ଅଣରୂପ ଶୂନ୍ୟ,ବ୍ରଜନାରୀ କରି ଗୁପତେ ଲଭିଲ ମନବାଞ୍ଛା କଲ ପୂର୍ଣ୍ଣ ।ମୁହିଁ ସିନା ଅନ୍ତର୍ଗତରେ ଭାବନା କରୁଅଛି ନିରନ୍ତରେ,ଚାହିଁ ଦେଲେ ହରି ଯିବି ମୁଁ ନିସ୍ତରି କରୁଣାଜଳ ସାଗରେ ।କଂସ ଆଜ୍ଞା ଘେନି ପ୍ରଭୁ ବେନୁପାଣି ପଦ୍ମ ପୁଷ୍ପ ଯନ୍ତେ ତୋଳି,ଫୁଲ ଶଯ୍ୟାପରେ ଶୟନ ସ୍ଥାନରେ ପୟରେ ଦଂଶିଲା କାଳି ।ଗରୁଡ଼କୁ ରାଇ ଲୋଡ଼ି ଆଣ ଯାଇ ମନେ ମନେ ବହୁ ରୋଷ,ଶରଣ ବୋଲନ୍ତେ କାରଣ ପାଇଲା କ୍ଷମା କଲ ତାର ଦୋଷ ।ତେଡ଼େ ଅପରାଧେ ତାକୁ କ୍ଷମା କଲ ଜ୍ୟୋତିର୍ମୟ ବହ୍ମବେତ୍ତା,ଏକାନ୍ତ ପୟରେ ପଶୁଛି ଶରଣ ବୁଝ ମୋ ବିନତି କଥା ।ମାୟାର ପ୍ରମୋଦେ ମୃଗୟା ବିନୋଦେ ଅଙ୍ଗେ ଘାତ କଲା ଜାରା,ପେଶି ବିଷ୍ଣୁଦୂତ ନେଲ ସ୍ୱର୍ଗପଥ ଖଣ୍ଡି ଅପରାଧ ଭାରା ।ମଞ୍ଚେ ଦେହଧରି ଯୋଗ ଲୟେ କରି ଆହେ ନୀଳଗିରିବାସୀ,ନାମ ବିକି ଶାହାସ୍ର କିଣି ବଖାଣି ଜନ୍ମଜନ୍ମାନ୍ତରେ ଦୋଷୀ ।ମୁଁ ଯେ ନିରନ୍ତରେ ପଡ଼ି ଦୁଃଖଘୋରେ ଶୂନ୍ୟବାନା ଛାୟା ତଳେ,ତରିବାକୁ ଆଶା କରିଛି ଭରସା ଆଶୀର୍ବାଦ ନାବ ଜଳେ ।ଲେଖି ଚିତ୍ରଘଟ କରି ନଟକୂଟ ଯେସନେକ ରଙ୍ଗ ଢ଼ାଉ,କାରୁଣ୍ୟ-ଜଳରୁ ତାରଣ ହେବାକୁ ବୁଦ୍ଧି ଦିଶୁନାହିଁ ଆଉ ।ଡାଳକୁ ସିଞ୍ଚାଡ଼ି ମୂଳକୁ ଉପାଡ଼ି ବହୁଅଛି ମହାଗାଢ଼େ,ଚକ୍ରପ୍ରାୟେ ପାଣି ପକାଇ ଖୋଳନି ଧରି ଝାଙ୍କୁଅଛ ଦୃଢ଼େ ।ପ୍ରଭୁଭକ୍ତ ଯେତେ ଭଜୁଛନ୍ତି ନିତ୍ୟେ ରାମନାମେ ଚିତ୍ତ ଦେଇ,ମେଳଛ ପତିତ ପାମର ଏ ଜୀବ ଉଦ୍ଧାର ହେବାର ପାଇଁ ।ବାଳୁତ ଅଜ୍ଞାନ ଛନ ଛନ ମନ ଖେଳରସେ ଚିତ୍ତ ସ୍ମରି ।ସଂସାର ସାଗରୁ ପାରି ହେବି ବୋଲି ସାଧୁଜନ ପାଦ ଧରି,ଗୁରୁଦେବ ବିନୁ ମୋକ୍ଷ ନୋହେ ତନୁ ଅନ୍ୟରେ ଭରସା ନାହିଁ,ପ୍ରଭୁପଦ ଧ୍ୟାଇ ଭଣେ ଭୀମ ଭୋଇ ହେତୁ ଘରେ ନାମ ଥୋଇ ।
ସମ୍ବନ୍ଧିତ ରଚନା
ପଦ୍ମକଳ୍ପ
ଭୀମ ଭୋଇ
ବ୍ରହ୍ମନିରୂପଣ ଗୀତା
ଭୀମ ଭୋଇ
ଚିଲିକା
ରାଧାନାଥ ରାୟ
ସୁଭଦ୍ରା
ଚିନ୍ତାମଣି ମହାନ୍ତି