ଶ୍ରୀମଦ୍ ଭାଗବତ (ଷଷ୍ଠ ସ୍କନ୍ଧ)
ଜଗନ୍ନାଥ ଦାସ · ଭାଗ ୬ / ୯
ସମ୍ପୂର୍ଣ୍ଣ ସୂଚୀପତ୍ର
ଏକାଦଶ ଅଧ୍ୟାୟ
ଋଷି ଉବାଚକହଇ ଶୁକ ବ୍ରହ୍ମବେତ୍ତା ।ଇନ୍ଦ୍ର ବୃତ୍ତ୍ରାର ଯୁଦ୍ଧ କଥା ॥
ସ୍ୱାମୀ କଥିତ ଧର୍ମ ଭୃତ୍ୟେ ।ଆରତ ନ ଘେନିଲେ ଚିତ୍ତେ ॥
ପୁଣି ସମସ୍ତେ ପଳାଇଲେ ।ସଭୟେ ସଂଗ୍ରାମ ଛାଡିଲେ ॥
କାଳାନୁକୂଳ ଦେବଗଣ ।ଅସୁର ସୈନ୍ୟ କାଳହୀନ ॥
ଗରୁଡ ପନ୍ନଗ କି ଧରି ।ତେସନେ ଦେବ ଦୈତ୍ୟେମାରି ॥
ସମସ୍ତେ କାକୁସ୍ତ ଯେ ହୋଇ ।ଜୀବନ ଭୟରେ ପଳାଇ ॥
ଏମନ୍ତେ ଦେଖି ଆତ୍ମାଭୂତ ।ଅସୁର ଅତ୍ୟନ୍ତ କୁପିତ ॥
ତାହାଙ୍କୁ ଆବୋରି ଆପଣ ।ଭର୍ତ୍ସନା କରନ୍ତି ବହନ ॥
ପଳାଉ ପଳାଉ ପଛରେ ।ଦୈତ୍ୟକୁ କହେ ଶାସ୍ତ୍ର ଗିରେ ॥
ଭୟ ନ କର ତୁମ୍ଭେ ଋଣେ ।ବଧହିଁ ଭଲ ପ୍ରାଣୀ ମଣେ ॥
ଏ ବଳବନ୍ତ ପ୍ରାଣୀଙ୍କର ।ସ୍ୱର୍ଗ ପ୍ରାପତ ହିଁ ଦୁସ୍ତର ॥
ଏତେ ବୋଲିଣ ତାଙ୍କୁ କହି ।ଦେବଗଣଙ୍କୁ କ୍ରୋଧ ବହି ॥
ଆତ୍ମ ଶରୀର ପ୍ରକାଶିଲା ।ଦେବଙ୍କୁ ଭୟ ଦେଖାଇଲା ॥
ଅସୁର କଲା ଘୋରନାଦ ।ବ୍ରହ୍ମାଣ୍ଡେ ଶୁଭିଲା ଶବଦ ॥
ଲୋକେ ହୋଇଲେ ହତଜ୍ଞାନ ।ଦେବେ ଶୁଣିଲେ ତାର ସ୍ୱନ ॥
ସେ ନାଦ ଶୁଣି ଦେବଗଣେ ।ମୂର୍ଚ୍ଛିତ ହୋଇ ହତଜ୍ଞାନେ ॥
ସକଳେ ପଡିଲେ ଭୂମିରେ ।ବଜ୍ର ପଡିଲା ଯେହ୍ନେ ଶିରେ ॥
ଚକ୍ଷୁ ବୁଜିଲେ ଦେବଗଣେ ।ପଡି ଅଛନ୍ତି ଯେହୁ ରଣେ ॥
ଦୁର୍ମଦ ରଣରଙ୍କ ବୀର ।ପାଦେ ମର୍ଦ୍ଦଇ ବୃତ୍ତ୍ରାସୁର ॥
ଅବନୀ କମ୍ପାଇ ଅସୁର ।ଶୂଳ ଘେନିଣ ନିଜ କର ॥
ଭ୍ରମଇ ସଂଗ୍ରାମ ଭୂମିରେ ।ଯେସନେ ମତ୍ତ କରୀବରେ ॥
ତାହାକୁ ଦେଖି ବଜ୍ରଧର ।କୋପେ କମ୍ପଇ ଥରହର ॥
ଗଦା ଧରିଣ ବଜ୍ରଧର ।ତକ୍ଷଣ କଲେ ସେ ପ୍ରହାର ॥
ଦୁଃସହ ଗଦା ଆସିବାରେ ।ଦେଖି ଧରିଲା ବାମ କରେ ॥
ଇନ୍ଦ୍ରର ଗଦା ଧରି କର ।ସେହି ଗଦାରେ ବୃତ୍ତ୍ରାସୁର ॥
ଅଇରାବତ କୁମ୍ଭ ସ୍ଥଳେ ।ଦାନବ ପ୍ରହାରିଲା ବଳେ ॥
ତାହାର ଏ କର୍ମ ଦେଖିଣ ।ସମସ୍ତ କଲେ ଧନ୍ୟ ଧନ୍ୟ ॥
ବୃତ୍ତ୍ର ଗଦାରେ ଐରାବତ ।ବଜ୍ରରେ ଯେହ୍ନେ ଗିରିହତ ॥
ରଣେ ଭଗ୍ନମୁଖ ହୋଇଲା ।ଇନ୍ଦ୍ରକୁ ଘେନି ବାହୁଡିଲା ॥
ଅତ୍ୟନ୍ତ ହୋଇଣ ଆରତ ।ବାହୁଡି ଗଲେ ଧନୁଶତ ॥
ଚକିତେ ହୋଇ ଛନ୍ନ ଚିତ୍ତ ।ଏମନ୍ତେ ଦେବ ପୁରୁହୁତ ॥
ବୃତ୍ତ୍ରା ଅସୁର ପୁନର୍ବାର ।ଇନ୍ଦ୍ରଙ୍କୁ ନ କଲା ପ୍ରହାର ॥
ଅମୃତ ସ୍ରାବୀ ଇନ୍ଦ୍ରକର ।ଦେଇଣ ହସ୍ତୀ କୁମ୍ଭସ୍ଥଳ ॥
ଆଶ୍ୱାସ କରି ଦେବବର ।ରହିଲେ ବୃତ୍ତ୍ରର ଆଗର ॥
ସଂଗ୍ରାମ କରିବାର ଆଶେ ।ଇନ୍ଦ୍ରଙ୍କୁ ଦେଖି ଆତ୍ମ ପାଶେ ॥
ଭାଇର ହନ୍ତା ବଜ୍ରାୟୁଧ ।ଦେଖି ଅସୁର କଲା କ୍ରୋଧ ॥
ସ୍ମରଣ କଲା ଭ୍ରାତୃ ନାଶ ।ଶୋକ ମୋହେ ହୋଇ ବିରସ ॥
ବୋଲଇ ଇନ୍ଦ୍ର ମୋ ବଚନ ।ଶୁଣ ହେ ହୋଇ ସାବଧାନ ॥
ବୃତ୍ତ୍ରାସୁର ଉବାଚଭାଗ୍ୟକୁ ବରି ମୋ ଆଗର ।ସଂଗ୍ରାମେ ଅଛୁ ଦୁରାଚାର ॥
ମୋହର ଭ୍ରାତୃନାଶକାରୀ ।ଆଜ ନାଶିବି ତୋର ଶିରୀ ॥
ମୋର ଶସ୍ତ୍ରରେ ହୃଦ ତୋର ।ନିଶ୍ଚୟ କରିବି ବିଦାର ॥
ଯେଉଁ କାରଣୁ ମୋ ଅଗ୍ରଜ ।ଅପାପୀ ଆତ୍ମଜ୍ଞାନୀ ଦ୍ୱିଜ ॥
ଖଡ଼ଗେ ଧରି ତାର ଶିର ।ଛେଦିଲୁ ତୁହି ଦୁରାଚାର ॥
ପଶୁଙ୍କ ପ୍ରାୟ ତୁ ମାଇଲୁ ।ସ୍ୱର୍ଗ ଭୋଗକୁ ଇଚ୍ଛା କଲୁ ॥
ଲଜ୍ଜା ସମ୍ପଦ ଦୟା କୀର୍ତ୍ତି ।ସର୍ବ ଛାଡିଲୁ ମୂଢ଼ମତି ॥
ମୋର ତ୍ରିଶୂଳେ ତୋର ଶିର ।ନାଶ ହୋଇବ ଦୁରାଚାର ॥
ଅଗ୍ନି ନ କରିବ ଦହନ ।ଖାଇବେ ଗୃଧ୍ର କୃମି ଶ୍ୱାନ ॥
ଯେ ତୋର ସଙ୍ଗେ ଦୁଷ୍ଟପଣେ ।ଗୃହୀତ ଶସ୍ତ୍ର ହୋଇ ରଣେ ॥
ସେ ମୋତେ ପ୍ରହାର କରିଲେ ।ତାହାଙ୍କୁ ଛାଡ଼ିବି କି ଭଲେ ॥
ଖଡ଼ଗ ତ୍ରିଶୂଳ ପ୍ରହାରେ ।କନ୍ଧ ଛେଦିବି ଏହି କରେ ॥
ଏ ଅନନ୍ତରେ ପାଇ ଜ୍ଞାନ ।ଇନ୍ଦ୍ରକୁ ବୋଲଇ ବଚନ ॥
ଭୋ ଇନ୍ଦ୍ର ଦେବଙ୍କ ଠାକୁର ।କୁଳିଶେ ମୋର ଶିର ହର ॥
ଆତ୍ମାକୁ ବଳି ମୁହିଁ ଦେବି ।ଶ୍ରୀକୃଷ୍ଣ ଚରଣ ଭଜିବି ॥
ଭୋ ଦେବ ଦେବଙ୍କ ଈଶ୍ୱର ।ବଜ୍ର କିମ୍ପାଇଁ ନ ପ୍ରହାର ॥
ଅଗ୍ରେ ଯେ ଅଛି ଉଭା ହୋଇ ।ସଂଶୟ କର କିସ ପାଇଁ ॥
ଗଦା ପ୍ରାୟେ ବଜ୍ର ନ ମଣ ।ବଜ୍ର ମୋ ମରଣ କାରଣ ॥
ଆପଣା ତେଜେ ବଜ୍ର ଧର ।ଦେବଙ୍କ ଅଇରି ସଂହାର ॥
ବିଷ୍ଣୁ ଯନ୍ତ୍ରିତ ଦେବବର ।ବିଜୟ ହୋଇବ ତୁମ୍ଭର ॥
ଶ୍ରୀକୃଷ୍ଣ ପାଦ ପଙ୍କଜରେ ।ମନ ନିବେଶିବି ମୁଁ ସ୍ଥିରେ ॥
ତୁମ୍ଭର ବଜ୍ରରେ ମୋହର ।ହୋଇବ ମହାପାପ ଦୂର ॥
ତିନି ଭୁବନ ପ୍ରାଣୀଙ୍କର ।ବହୁତ ସମ୍ପଦ ଯାହାର ॥
ଉଦ୍ବେଗ ଉଦ୍ୟମେ ତାହାର ।କଳତ୍ର ସ୍ନେହ ଯେ ଅପାର ॥
ତ୍ରିବର୍ଗ ଦୁଃଖ ଯେତେ ମୋର ।ନାଶିବେ ପ୍ରଭୁ ଚକ୍ରଧର ॥
ଦୁର୍ଲ୍ଲଭ ଯେ ପ୍ରଭୁ ପ୍ରସାଦେ ।ଭୃତ୍ୟ ମୁଁ ହୋଇ ଅପ୍ରମାଦେ ॥
ହୋଇବି ଏ ମୋହର ମନ ।ସେବିବି ମୁହଁ ଅନୁକ୍ଷଣ ॥
ଯେ ପୁଣ କର୍ମଟି ତୁମ୍ଭର ।ତାହା କରିବାରେ ଶରୀର ॥
ସୃଷ୍ଟିଲୋକ ବ୍ରହ୍ମଲୋକରେ ।ମହାରାଜାଙ୍କ ସମ୍ପତ୍ତିରେ ॥
ପାତାଳେ ଅଧିପତି ସେହି ।ଏଣେ ମୋହର କାର୍ଯ୍ୟ ନାହିଁ ॥
ଯୋଗୀ ସିଦ୍ଧ ଯେ ପୁଣ୍ୟନର ।କାର୍ଯ୍ୟ ମୋ ନାହିଁ ଏହାଙ୍କର ॥
ଏକାନ୍ତ ଭକ୍ତି ତୁମ୍ଭ ପାଦ ।ବାଞ୍ଛା କରଇ ଚକ୍ରାୟୁଧ ॥
ଅଜାତପକ୍ଷ ଖଗ ଯେହ୍ନେ ।ମାତା ଲୋଡ଼ଇ ଅନୁକ୍ଷଣେ ॥
କ୍ଷୁଧାର୍ତ୍ତ ହୋଇଣ ବାଛୁରୀ ।ମାତା ସ୍ତନକୁ ଲୋଡ଼ା କରି ॥
ସ୍ୱାମୀକୁ ପ୍ରିୟା ଭଜେ ଯେହ୍ନେ ।ମୋ ମନ ତୋ ପାଦେ ତେସନେ ॥
ମୋ ପ୍ରଭୁ କମଳ ଲୋଚନ ।ତା ପାଦେ ରହୁ ମୋର ମନ ॥
ଆପଣା କର୍ମବନ୍ଧେ ଜଡି ।ସଂସାର ବକ୍ରେ ଅଛି ପଡି ॥
ଏମନ୍ତ ପାପୀ ମୁହିଁ ଯହୁଁ ।ଉତ୍ତମ ଲୋକ ସଙ୍ଗ ହେଉ ॥
ଦାରା ତନୟ ଗୃହ ମୋର ।ଭୋ ନାଥ ମନ ମୋ ନ କର ॥
ବୋଲଇ ବିପ୍ର ଜଗନ୍ନାଥ ।ଇନ୍ଦ୍ର ବୃତ୍ତ୍ରାସୁର ଚରିତ୍ର ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂବୈୟାସିକ୍ୟାଂ ଷଷ୍ଠସ୍କନ୍ଧେ ବୃତ୍ତ୍ରବାକ୍ୟେ ନାମଏକାଦଶୋଽଧ୍ୟାୟଃ ।
ଦ୍ୱାଦଶ ଅଧ୍ୟାୟ
ଶ୍ରୀ ଶୁକ ଉବାଚଏମନ୍ତ ସଂଗ୍ରାମେ ଶରୀର ।ଛାଡିବ ବୋଲି ସେ ଅସୁର ॥
ଜୟରୁ ଭଲ ମୋ ମରଣ ।ମନରେ କଲା ହେ ରାଜନ ॥
ଶୂଳକୁ ଧରି ବୃତ୍ତ୍ରାସୁର ।ଧାଇଁଲା ଇନ୍ଦ୍ରର ଉପର ॥
ଯେମନ୍ତେ କଇଟଭ ବୀର ।ବିଷ୍ଣୁଙ୍କୁ ଧଇଲା ଜଳର ॥
ଯୁଗାନ୍ତ ଅଗ୍ନି ପ୍ରାୟ ତେଜ ।ସେ ଶୂଳ ଅତ୍ୟନ୍ତ ବିରାଜ ॥
ବୃତ୍ତ୍ର ଅସୁର ଚୂଡାମଣି ।ଇନ୍ଦ୍ରଙ୍କୁ ପ୍ରହାରିଲା ଆଣି ॥
ଘୋର ଶବଦ ରୋଷେକଲା ।ପାପିଷ୍ଠ ମଲୁଟି ବୋଇଲା ॥
ଆକାଶୁ ଗ୍ରହ ଉଲ୍କାମାନ ।ଖସି ପଡିଲେ ତତକ୍ଷଣ ॥
ଦୁଃସହ ଦେଖିଣ ଅସୁର ।ଭୟେ ବିକଳ ପୁରନ୍ଦର ॥
ବଜ୍ରରେ କରି ଦେବରାଜ ।ଛେଦିଲେ ତାର ଏକଭୂଜ ॥
ପରିଘ ଘେନି ଆରକର ।ଧାଇଁଲା ଇନ୍ଦ୍ରର ଉପର ॥
ଦେବରାଜ ନିକଟେ ଯାଇ ।ସମ୍ମୁଖେ ପ୍ରହାରିଲା ନେଇ ॥
ଇନ୍ଦ୍ର ହାତୁଁ ବଜ୍ର ଖସିଲା ।ଅଧୋଭୂମିରେ ସେ ପଡିଲା ॥
ବୃତ୍ତ୍ରାସୁରର ଦେଖି କର୍ମ ।ସୁରଗଣଙ୍କ ହେଲା ଭ୍ରମ ॥
ସକଳେ କଲେ ଧନ୍ୟ ଧନ୍ୟ ।ଇନ୍ଦ୍ର ସଙ୍କଟେ ମନ ଛନ୍ନ ॥
ଯେତେକ ସେନା ଇନ୍ଦ୍ରଙ୍କର ।ସକଳେ କଲେ ହାହାକାର ॥
ଲଜ୍ୟାର ବୃତ୍ତ୍ରର ଅଗ୍ରତେ ।ବଜ୍ର ନ ଦେଲେ ଇନ୍ଦ୍ର ହସ୍ତେ ॥
ଇନ୍ଦ୍ରଙ୍କୁ ଚାହିଁ ବୃତ୍ତ୍ରାସୁର ।ବଚନ କହଇ ମଧୁର ॥
ମନରେ ବିଷାଦ ନକର ।ବ୍ରଜ ଧରିଣ ବେଗେମାର ॥
ଯୁଦ୍ଧେ ଇଚ୍ଛଇ ଯେଉଁ ଶୂର ।ଜୟର ହସ୍ତଟି ତାହାର ॥
ଯେ ଜନ ରଣେ ଭୀତ ହୋଇ ।ଜୟରେ ଲେଶ ତାର ନାହିଁ ॥
ଉତ୍ପତ୍ତି ପାଳନ ସଂହାର ।ଯେ ପ୍ରଭୁ ଏହାଙ୍କ ଈଶ୍ୱର ॥
ସର୍ବଜ୍ଞ ଆଦି ସନାତନ ।ଅଖିଳ ପୁରୁଷ ପୁରାଣ ॥
ସର୍ଜିଲେ ଜୟ ବା ଅଜୟ ।କାହାର ବୋଲେ ହୁଏ କହ ॥
ଯେ ପ୍ରଭୁ ଅଖିଳର ଈଶ ।ଅଖିଳ ଯାର ନିଜ ବାସ ॥
କାଳ ସ୍ୱରୂପେ ଏ ଶରୀର ।ମୃତ୍ୟୁ ଅମୃତ୍ୟୁ ଅଗୋଚର ॥
ସକଳ ହେତୁ ସେ ଅଟଇ ।ତାହାକୁ ଅଜ୍ଞନ ଜାଣଇ ॥
କାଷ୍ଠର ପିତୁଳି ଯେସନ ।ଜଗତ ତାହାର ଭିଆଣ ॥
ଏମନ୍ତ ସତ୍ୟମୟ ମୃଗ ।ପ୍ରାଣୀ ତେମନ୍ତ ମହାଭାଗ ॥
ପୁରୁଷ ପ୍ରକୃତି ଯେ ଦୁଇ ।ତା ବିନୁ ଜଡ ପ୍ରାୟ ହୋଇ ॥
ସୃଷ୍ଟିର କର୍ତ୍ତା ଅବା କେହି ।ତା ବିନା ଯେତେକ ଅଛଇ ॥
ଏମନ୍ତେ ଆତ୍ମା ରୂପ ହୋଇ ।ଅଜ୍ଞାନୀ ଜାଣିବ ତା କାହିଁ ॥
ସେହି ପ୍ରାଣୀଙ୍କୁ ସୃଷ୍ଟି କରି ।ପ୍ରତିପାଳନକୁ ଆଚରି ॥
ଗ୍ରାସଇ କାଳରୂପୀ ହୋଇ ।ଧର୍ମ ଅଧର୍ମ ରୂପ ସେହି ॥
ପ୍ରାଣୀର ପ୍ରାଣ ହୋନ୍ତି ଚିତ୍ତେ ।ଯଶ ଅଯଶ କୀର୍ତ୍ତି ଯେତେ ॥
ସେ ଯାକୁ ପ୍ରସନ୍ନ ହୁଅଇ ।ଅଷ୍ଟ ଐଶ୍ୱର୍ଯ୍ୟ ତାକୁ ଦେଇ ॥
ଏହାର ସାକ୍ଷୀ ଯେଉଁ ଜନ ।ସେ ଯାକୁ ହୁଅଇ ପ୍ରସନ୍ନ ॥
ସଂସାରେ ବଦ୍ଧ ସେ ନ ହୋଇ ।ସକଳ ପାପୁଁ ସେ ତରଇ ॥
ଜୟ ଅଜୟରୁ ବାହାର ।ତୁମ୍ଭେ କି ନ ଜାଣ ଈଶ୍ୱର ॥
ଶ୍ରୀ ଶୁକ ଉବାଚଶୁଣ କହିବା ନୃପମଣି ।ବୃତ୍ତ୍ରର ବାକ୍ୟ ଇନ୍ଦ୍ର ଶୁଣି ॥
ବୃତ୍ତ୍ରକୁ ଧନ୍ୟ ଧନ୍ୟ କରି ।ହସି ଡ଼ାକିଲେ ବଜ୍ରଧାରୀ ॥
ଆହେ ଦାନବ ସାଧୁ ତୁହି ।ତୁ ଯେଣୁ ଶୁଦ୍ଧମତି ହୋଇ ॥
ସକଳ ଆତ୍ମାର ଈଶ୍ୱର ।ଭଜିଲୁ ଚରଣ ତାଙ୍କର ॥
ଜଗମୋହନ ବିଷ୍ଣୁ ମାୟା ।ଦାନବ ଛେଦିଲୁ ତୁ ତାହା ॥
ଅଇରି ଭବ କଲୁ ଦୂର ।କଲୁତୁ ସ୍ୱର୍ଲୋକ ଆଚାର ॥
ଏ ଅଇଶ୍ଚର୍ଯ୍ୟ ବଡ଼ ମୋର ।ସ୍ୱଭାବେ ରଜୋଗୁଣ ତୋର ॥
ଅଖିଳ ବ୍ରହ୍ମାଣ୍ଡର ପତି ।ତା ତହିଁ ତୋର ଦୃଢ଼ମତି ॥
ପରମ ବ୍ରହ୍ମ ହରି ଯେହି ।ତା ତହିଁ ଯାର ଭକ୍ତି ହୋଇ ॥
ଅମୃତ ସିନ୍ଧୁରେ ଯେସନେ ।କ୍ରୀଡା କରନ୍ତି ଅନୁକ୍ଷଣେ ॥
କି କାର୍ଯ୍ୟ କୂପ ଜଳେ ତାର ।ସ୍ୱଭାବେ ତୁଚ୍ଛ ସେ ଅସାର ॥
ବାଦରାୟଣିରୁବାଚଅନ୍ୟୋନ୍ୟେ ଧର୍ମକୁ କହିଲେ ।ପୁଣିହିଁ ଯୁଦ୍ଧ ଆରମ୍ଭିଲେ ॥
ସମ୍ମୁଖେ ବୀର ଦୁଇ ଜଣ ।କରି ଲାଗନ୍ତେ ଘୋର ରଣ ॥
ବୃତ୍ତ୍ରା ପରିଘ କରେ ନେଇ ।ଇନ୍ଦ୍ରକୁ ପ୍ରହାରିଲା ଯାଇଁ ॥
ପରିଘ ଘେନି ବାମ କରେ ।ଶବଦ କଲା ମହାଘୋରେ ॥
କର ପରିଘ ଏକାବେଳେ ।ଇନ୍ଦ୍ର ଛେଦିଲେ ଅବହେଳେ ॥
ବୃତ୍ତ୍ରର ଗଲା ଦୁଇ କର ।ରକତେ ହେଲା ଜର ଜର ॥
ବଜ୍ରରେ ଯେସନେ ପର୍ବତ ।ତେହ୍ନେ ହୋଇଲା କ୍ଷୀଣହସ୍ତ ॥
ଅଧର ହନୁ ଭୂମି ପରେ ।ଉତ୍ତର ହନୁ ସ୍ୱର୍ଗପୁରେ ॥
ଆକାଶ ଗର୍ଭର ମୁଖରେ ।ଲେହଇ କଠୋର ଜିହ୍ୱାରେ ॥
କାଳର ପ୍ରାୟ ଦନ୍ତମୂନ ।ଗ୍ରାସିବ ଯେହ୍ନେ ତ୍ରିଭୁବନ ॥
ଅତ୍ୟନ୍ତ ଶରୀର ବିସ୍ତାରି ।ଯେହ୍ନେ ପଡ଼ଇ ମହାଗିରି ॥
ଇନ୍ଦ୍ରକୁ ଗଜେନ୍ଦ୍ର ସହିତ ।ଗିଳିଲା ବୃତ୍ର ମହାଦୈତ୍ୟ ॥
ପାଦେ ଅବନୀ କମ୍ପାଇଲା ।ଇନ୍ଦ୍ରର ନିକଟେ ମିଳିଲା ॥
ସ୍ୱଭାବେ ଅଟଇ ଅସୁର ।ଦିଗ ରୁନ୍ଧିଲା ଦୈତ୍ୟବାର ॥
ଦେଖିଲେ ଇନ୍ଦ୍ର ଗିଳିବାରେ ।ବ୍ରହ୍ମାଦି ଯେତେ ସୁର ନରେ ॥
ସକଳେ କଲେ ହାହାକାର ।ଇନ୍ଦ୍ରକୁ ଗିଳିଲା ଅସୁର ॥
ଅସୁର ଉଦରରେ ଥାଇ ।ଭସ୍ମ ନୋହିଲା ସୁରସାଇଁ ॥
ମହାପୁରୁଷ ଧ୍ୟାନ କରି ।ଯୋଗ ମାୟାବଳେ ଆଚରି ॥
ବଜ୍ରେ ଛେଦିଲା ପେଟ ତାର ।ଗର୍ଭରୁ ହୋଇଲା ବାହାର ॥
ଆପଣା ହସ୍ତେ ଦେବବର ।ବଜ୍ରେ ଛେଦିଲା ତା ଶରୀର ॥
ବଜ୍ରହୁଁ ଅତି ବେଗେ ଗଲା ।କନ୍ଧରୁ ଶିର ତା କାଟିଲା ॥
ଇନ୍ଦ୍ର ଆଜ୍ଞାରେ ଅବହେଳେ ।ତକ୍ଷଣେ ପକାଇଲା ତଳେ ॥
ଆକାଶେ ଦୁନ୍ଦୁଭି ତକ୍ଷଣେ ।ବାଦ୍ୟ ଯେ କଲେ ଦେବଗଣେ ॥
ଆନନ୍ଦେ ହରଷିତ ମନ ।ଗନ୍ଧର୍ବ ବେଦ ଋଷିଗଣ ॥
ବୃତ୍ତ୍ର ଶତ୍ରୁକୁ ସ୍ତୁତି କଲେ ।ହରଷେ ପୁଷ୍ପ ବରଷିଲେ ॥
ବୃତ୍ତ୍ରର ତହୁଁ ଜ୍ୟୋତି ରୂପ ।ବାହାର ହୋଇଲା ହେ ନୃପ ॥
ସକଳେ ଦେଖୁଥିଲେ ରହି ।ସ୍ୱଲୋକ ପାଇଲା ସେ ତହିଁ ॥
ବୋଲଇ ବିପ୍ର ଜଗନ୍ନାଥ ।ଇନ୍ଦ୍ର ବୃତ୍ତ୍ର ଯୁଦ୍ଧ ଚରିତ ॥
ଏହା ପଢଇ ଯେଉଁ ପ୍ରାଣୀ ।ତରଇ ଭବ ତରଙ୍ଗିଣୀ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂବୈୟାସିକ୍ୟାଂ ଷଷ୍ଠସ୍କନ୍ଧେ ବୃତ୍ତ୍ରାସୁର ବଧେନାମ ଦ୍ୱାଦଶୋଽଧ୍ୟାୟଃ ।
ତ୍ରୟୋଦଶ ଅଧ୍ୟାୟ
ବାଦରାୟଣିରୁବାଚବୃତ୍ତ୍ର ହୋଇଲା ଯହୁଁ ହତ ।ଶୁଣି ହରଷ ତ୍ରିଜଗତ ॥
ଯେତେ ଏ ଦିଗପାଳମାନେ ।ବିହ୍ୱଳ ହେଲେ ତତକ୍ଷଣେ ॥
ଇନ୍ଦ୍ର ଭୁବନ ଜନମାନେ ।ହରଷ ହୋଇଲେ ତକ୍ଷଣେ ॥
ଶମନ ଆଦି ଯକ୍ଷଗଣ ।ପିତୃ ଦୈବତ ଯେ ଚାରଣ ॥
ବ୍ରହ୍ମା ଶଙ୍କର ବଜ୍ରଧର ।ଗଲେ ସେ ଯେ ଯାହା ମନ୍ଦିର ॥
ରାଜୋବାଚଭୋ ମୁନି ହୁଅ ସାବଧାନ ।ଏହା ଶୁଣିବି ମୋର ମନ ॥
କିମ୍ପାଇଁ ସୁଖୀ ଦେବଗଣ ।ଇନ୍ଦ୍ର କି କଲେ ମନ୍ଦ କର୍ମ ॥
କିମ୍ପାଇ ତାଙ୍କ ଦୁଃଖ ମନ ।କହିବ ମୋତେ ତପୋଧନ ॥
ବାଦରାୟଣିରୁବାଚବୃତ୍ତ୍ର ବିକ୍ରମ ଦେଖି ଦେବେ ।ମହତ ଋଷି ଆଦି ସର୍ବେ ॥
ଭୟେ ଉଦ୍ବେଗ ମନ ହୋଇ ।ଇନ୍ଦ୍ରଙ୍କୁ କହିଲେ ସେ ଯାଇ ॥
ଭୋ ଦେବ ଦେବଙ୍କ ଈଶ୍ୱର ।ବୃତ୍ତ୍ର ଅସୁରକୁ ସଂହାର ॥
ବୃତ୍ତ୍ର ବ୍ରହ୍ମବଧ ପାପରେ ।ଇନ୍ଦ୍ର ତା କଲେ ସୀଉକାରେ ॥
ଇନ୍ଦ୍ର ଉବାଚସ୍ତ୍ରୀ ଜଳ ଗିରି ଦ୍ରୁମମାନେ ।ପାପ ଘେନିଲେ ବିଦ୍ୟମାନେ ॥
ବିଶ୍ୱରୂପ ବଧଇ ଯେହୁ ।ବୃତ୍ତ୍ରକୁ ମାରି କେହୁ ସହୁ ॥
ଇନ୍ଦ୍ର ଦେବତା ଋଷିଗଣେ ।ଶୁଣିଣ କହନ୍ତି ବଚନେ ॥
ଅଶ୍ୱମେଧ ଯଜ୍ଞକୁ କରି ।ଏ ପାପ ନାଶିବ ତୁମରି ॥
ହୟମେଧୁ ପୁରୁଷ ବର ।ଅଖିଳ ଜନଙ୍କ ଈଶ୍ୱର ॥
ଯେ ଦେବ ପ୍ରଭୁ ଭଗବାନ ।ଯଜ୍ଞରେ କରାଅ ପ୍ରସନ୍ନ ॥
ବୃତ୍ତ୍ରରେ ବଧ ପାପ ଘୋର ।ଅବହେଳରେ ହେବ ପାର ॥
ମହାଯଜ୍ଞକୁ କରି ତୁହି ।ଜପିବୁ ପ୍ରଭୁ ଭାବଗ୍ରାହୀ ॥
ତାଙ୍କ ସ୍ମରଣେ ଦେବବର ।ଦୁରିତ କେତେକ ମାତର ॥
ଶୁକ ଉବାଚଶୁଣିଣ ଋଷିଙ୍କ ବଚନ ।ଶତ୍ରୁ ମାଇଲେ ମଘବାନ ॥
ତକ୍ଷଣେ ବ୍ରହ୍ମହତ୍ୟା ଗଲା ।ଇନ୍ଦ୍ର ଦେବଙ୍କୁ ଆଶ୍ରା କଲା ॥
ତାହାଙ୍କୁ ଦେଖି ଦୁଃଖ ପାଇ ।ଦେବଇନ୍ଦ୍ର ଗଲେ ପଳାଇ ॥
ଚାଣ୍ଡାଳ ରୂପକୁ ଧଇଲା ।ଇନ୍ଦ୍ରର ପଛେ ଗୋଡାଇଲା ॥
ବୃଦ୍ଧ ରୂପକୁ ଧରି ସେହି ।ଯକ୍ଷ୍ମା ରୋଗରେ ଗ୍ରସ୍ତ ହୋଇ ॥
ଶୋଣିତ ପ୍ରାୟ ଜଟା ତାର ।ବିବର୍ଣ୍ଣ କେଶ ମସ୍ତକର ॥
ରହ ବୋଲିଣ ଡାକ ଦେଇ ।ଆମିଷ ଗନ୍ଧ ତାର ଦେହୀ ॥
ଆକାଶେ ସକଳ ଦିଗରେ ।ଇନ୍ଦ୍ର ପଳାନ୍ତି ଖରତରେ ॥
ଉତ୍ତର ଦିଗକୁ ସେ ଗଲେ ।ମାନ ସରୋବରେ ମିଳିଲେ ॥
ପୁଷ୍କର ତୀର୍ଥେ ଦେବବର ।ଚଞ୍ଚଳ ମନ କରି ସ୍ଥିର ॥
ସହସ୍ର ସମ୍ଭତ୍ସର ତହିଁ ।ବ୍ରହ୍ମ ଭଜନେ ମନ ଦେଇ ॥
ବ୍ରହ୍ମ ବଧରୁ ମୋକ୍ଷ ପାଇ ।ରହିଲେ ନିରାହାର ହୋଇ ॥
ତାବତ ନହୁଷ ରାଜନ ।ସ୍ୱର୍ଗ କହେ ପ୍ରତିପାଳନ ॥
ବିଦ୍ୟା ଯୋଗବଳରୁ କରି ।ସର୍ବ ସମ୍ପଦ ଭୋଗକରି ॥
ସମ୍ପଦ ଐଶ୍ୱର୍ଯ୍ୟ ମଦରେ ।ନହୁଷ ମଦାନ୍ଧ ବୁଦ୍ଧିରେ ॥
ଇନ୍ଦ୍ର ପତ୍ନୀକି ଇଚ୍ଛା କଲା ।ସ୍ୱର୍ଗରୁ ଚ୍ୟୁତ ସେ ହୋଇଲା ॥
ନହୁଷ ସ୍ୱର୍ଗେ ଇନ୍ଦ୍ର ହୋଇ ।ବାରତା ଇନ୍ଦ୍ରାଣୀକି ଦେଇ ॥
ଇନ୍ଦ୍ର ମୁଁ ସ୍ୱର୍ଗ ଭୁବନରେ ।ମୋତେ ତୁମ୍ଭେ ଭଜ ବିଧିରେ ॥
ଇନ୍ଦ୍ରାଣୀ ଗୁରୁଙ୍କୁ କହିଲେ ।ପ୍ରତି ଉତ୍ତର ଗୁରୁ ଦେଲେ ॥
ଗୁରୁ ଏମନ୍ତେ ବିଚାରିଲେ ।ଅତି ଅସମ୍ଭବ ବୋଇଲେ ॥
ଅନେକ ତପସ୍ୟାର ବଳେ ।ମନୁଷ୍ୟ ହୋଇ ଦେବ ପାଳେ ॥
ବ୍ରାହ୍ମଣ କୋପ ଶାପୁଁ କରି ।ହତ ହୋଇବ ଏହା ଶିରୀ ॥
ନହୁଷେ ଏମନ୍ତ କହିବ ।ଋଷିଙ୍କ କନ୍ଧେ ଦୋଳାଥିବ ॥
ତୁମ୍ଭେ ଦୋଳାରେ ବସିଥିବ ।ଆମ୍ଭର ପୁରକୁ ଆସିବ ॥
ତେବେ ଯେ ତୁମ୍ଭଙ୍କୁ ଭଜିବୁ ।ସ୍ୱର୍ଗେ ଇନ୍ଦ୍ର ବୋଲି ଜାଣିବୁ ॥
ଏମନ୍ତ ଗୁରୁ ଆଜ୍ଞା ଶୁଣି ।ନହୁଷେ କହନ୍ତେ ଇନ୍ଦ୍ରାଣୀ ॥
ଋଷିମାନଙ୍କୁ ଆଣିକରି ।ଋଷିଙ୍କ କନ୍ଧେ ଦୋଳା ଧରି ॥
ସେ ଦୋଳା ଉପରେ ନହୁଷ ।ଆସୁ ଯେ ଅଛଇ ହରଷ ॥
ଦୋଳା ମନ୍ଦ ମନ୍ଦ ଗମନ ।ନହୁଷ କ୍ରୋଧିତ ବଚନ ॥
ସର୍ପ ସର୍ପ ବୋଲି ବୋଇଲା ।ପାଦେ ଅଗସ୍ତିଙ୍କୁ ମାଇଲା ॥
ଅଗସ୍ତି କ୍ରୋଧ ମନ ହୋଇ ।ନହୁଷକୁ ଯେ ଶାପ ଦେଇ ॥
ତୁ ସର୍ପ ହୁଅ ବେଗ ହୋଇ ।ଯେଣୁ ସଙ୍କଟ କଲୁ ତୁହି ॥
ଏଣୁ ଏ ଋଷିଙ୍କ ଶାପରୁ ।ଚ୍ୟୁତ ହୋଇଲା ସ୍ୱର୍ଗପୁରୁ ॥
ପରମେଶ୍ୱର ଧ୍ୟାନ କରି ।ବ୍ରହ୍ମହତ୍ୟା ଦୋଷରୁ ତରି ॥
ସ୍ୱର୍ଗରେ ଇନ୍ଦ୍ର ପୁନର୍ବାର ।ଦେବଙ୍କୁ ଘେନି ସେ ବିହାର ॥
ଇନ୍ଦ୍ରଙ୍କୁ ଦେବଋଷିମାନେ ।ଅଶ୍ୱମେଧ ଯଜ୍ଞ ବିଧାନେ ॥
ମହାପୁରୁଷ ଆରାଧନ ।ଦୀକ୍ଷା କରାଇଲେ ରାଜନ ॥
ଏ ଅନନ୍ତରେ ଦେବମୟ ।ଆତ୍ମା ପୁରୁଷ ସେ ଅବ୍ୟୟ ॥
ଇନ୍ଦ୍ର ବ୍ରହ୍ମଋଷି ସହିତେ ।ଆରାଧି ଅଶ୍ୱମେଧ ମତେ ॥
ବ୍ରହ୍ମବଧ ପାପ ସମୂହ ।ଯଜ୍ଞ ହେତୁରୁ ହେଲା କ୍ଷୟ ॥
ରବି କିରଣେ ତମପ୍ରାୟ ।ସକଳ ପାପ ହେଲା କ୍ଷୟ ॥
ଅଶ୍ୱମେଧରେ ବରି ଇନ୍ଦ୍ର ।ମରୀଚି ଆଦି ମୁନିବୃନ୍ଦ ॥
ଆରାଧି ପୁରୁଷ ପୁରାଣ ।ସ୍ୱର୍ଗେ ହୋଇଲେ ସେ ରାଜନ ॥
ଯଜ୍ଞର ପ୍ରସାଦରୁ କରି ।ନିଷ୍ପାପୀ ହୋଇ ସେ ବିହରି ॥
ଅଶେଷ ପ୍ରାଣୀମାନଙ୍କର ।ପାପକୁ କରଇ ସେ ଦୂର ॥
ଏ ମହାସୁଖ ଜ୍ଞାନମୟୀ ।ଯେ ଜନ ଶ୍ରଦ୍ଧାରେ ଶୁଣଇ ॥
ଗାୟନ କରି ପ୍ରତିଦିନ ।ସର୍ବ ଶୁଭ ଲଭେ ସେ ଜନ ॥
ଶତ୍ରୁକୁ ଜୟ ଧନ ଯଶ ।ପାପ ମୋଚନ ଦୀର୍ଘାୟୁଷ ॥
ସର୍ବ କଲ୍ୟାଣ ତାର ହୋଇ ।ସେ ଶୁଦ୍ଧ ମନରେ ଶୁଣଇ ॥
ବୋଲଇ ଦାସ ଜଗନ୍ନାଥ ।ଷଷ୍ଠ ସ୍କନ୍ଧେ ଯେ ଭାଗବତ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାସଂହିତାୟାଂ ବୈୟାସିକ୍ୟାଂ ଷଷ୍ଠସ୍କନ୍ଧେ ଇନ୍ଦ୍ରବିଜୟ କଥନେ ନାମତ୍ରୟୋଦଶୋଽଧ୍ୟାୟଃ ।