ଶ୍ରୀମଦ୍ ଭାଗବତ (ଷଷ୍ଠ ସ୍କନ୍ଧ)
ଜଗନ୍ନାଥ ଦାସ · ଭାଗ ୫ / ୯
ସମ୍ପୂର୍ଣ୍ଣ ସୂଚୀପତ୍ର
ନବମ ଅଧ୍ୟାୟ
ଶ୍ରୀ ଶୁକ ଉବାଚଶୁଣ ହେ ସେ ବିଶ୍ୱରୂପର ।ତ୍ରିଶିର ଥିଲା ନୃପବର ॥
ଏକ ମୁଖରେ ସୋମପାନ ।କରଇ ସେହୁ ପ୍ରତିଦିନ ॥
ଦ୍ୱିତୀୟେ ସୁରାପାନ କରେ ।ଅନ୍ନ ଭକ୍ଷଇ ତୃତୀୟରେ ॥
ସେ ବିଶ୍ୱରୂପ ବିନୟରେ ।ଦେବଗଣଙ୍କୁ ଉଚ୍ଚ ସ୍ୱରେ ॥
ଡାକି ଦିଅଇ ହବିର୍ଭାଗ ।ଯେଣୁ ସେମାନେ ପିତୃବର୍ଗ ॥
ପୁଣି ସେ ମାତୃ ସ୍ନେହବଶ ।ହୋଇଣ ଅର୍ଜିଲା ଅଯଶ ॥
ଦେଲା ଅସୁର ମାନଙ୍କରେ ।ଯଜ୍ଞ ଭାଗକୁ ପରୋକ୍ଷରେ ॥
ମାତୃପକ୍ଷରେ ସ୍ନେହ କରି ।ଏମନ୍ତ କର୍ମ ସେ ଆଚରି ॥
ଏମନ୍ତେ ଦେବଙ୍କ ହେଳନ ।ଦେଖି ତାହାଙ୍କୁ ଭଗବାନ ॥
ଭୟେ ହୋଇଣ ଖରତର ।ରୋଷେ ଛେଦିଲେ ତାର ଶିର ॥
ଯେ ମୁଖେ କରେ ସୋମ ପାନ ।ତାହାକୁ କରନ୍ତେ ଛେଦନ ॥
ଜନ୍ମିଲା ହୋଇ ପକ୍ଷୀ ଏକ ।ନାମ ତା ହୋଇଲା ଚାତକ ॥
ସୁରାପାୟୀ ଯେଉଁ ମସ୍ତକ ।ଛେଦନ୍ତେ ସେ ହେଲା ଚଟକ ॥
ଅନ୍ନଭୋଜୀ ମସ୍ତକ ତାର ।ହୋଇଲା ତିତ୍ତିରୀ ଆକାର ॥
ଏମନ୍ତ ସେ ବିଶ୍ୱରୂପର ।ଇନ୍ଦ୍ର ଛେଦିଲେ ତହୁଁ ଶିର ॥
ଏ ପାପୁ ଲୋକେ କଲେ ନିନ୍ଦା ।ଇନ୍ଦ୍ର ପାଇଲେ ମନେ ବାଧା ॥
ଆତ୍ମାର ବିଶୁଦ୍ଧି ନିମନ୍ତେ ।ବିଭାଗ କରି ଏହି ମତେ ॥
ସ୍ତ୍ରୀ ଭୂ ଜଳ ଦ୍ରୁମ ଠାବରେ ।ଅର୍ପିଲେ ଏମନ୍ତ ପ୍ରକାରେ ॥
ଭୂମି ଘେନିଲେ ଭାଗ ଚାରି ।ଖ୍ୟାତ ପୂରଣ ବର ବରି ॥
ସେ ପାପୁଁ ଉଷର ଭାବରେ ।ଦୃଷ୍ଟି ହୁଅଇ ଏ ଭୂମିରେ ॥
ଦ୍ରୁମ ଘେନିଲେ ଚାରି ଭାଗ ।ବରେକ ହେଲେ ମହାଭାଗ ॥
ଛେଦନ କରନ୍ତେ ଏ ଦ୍ରୁମ ।ପୁଣି ଅଙ୍କୁର ହେଉ ଜନ୍ମ ॥
ନିର୍ଯ୍ୟାସ ରୂପେ ଏହାଙ୍କର ।ପାପ ଦିଶଇ ନୃପବର ॥
କାମ ବଶରେ ସ୍ତିରୀଜନ ।ସମ୍ଭୋଗ କରୁ ପ୍ରତିଦିନ ॥
ସେ ନାରୀ ଏ ବର ପାଇଣ ।ଚାରିଭାଗ କଲା ଗ୍ରହଣ ॥
ରଜ ରୂପରେ ପ୍ରତି ମାସ ।ଏବେହେଁ ପାପେ ହ୍ୱନ୍ତ ଦୃଶ୍ୟ ॥
ପାପର ଶେଷ ଚାରି ଅଂଶ ।ଜଳକୁ ଦେଇ ଦେବ ଈଶ ॥
ପୁଣି ସେ ଦେଲେ ତାକୁ ବରେ ।ମିଶ୍ରିତ କ୍ଷୀରାଦି ଦ୍ରବ୍ୟରେ ॥
ସେ ପାପ ବୁଦ୍ବୁଦ୍ ଆକାରେ ।ଅଦ୍ୟାପି ଦିଶଇ ସଂସାରେ ॥
ସେହି ଫେଣକୁ ପକାଇଲେ ।ଜଳର ପାପ ନାଶେ ଭଲ ॥
ଏମନ୍ତ ପ୍ରକାରେ ହେ ନୃପ ।ହରି କଳ୍ପିତେ ହେଲା ପାପ ॥
ସେ ଅନନ୍ତରେ ସେ ତ୍ୱଷ୍ଟାର ।ହତ ହେଲା ଯେଣୁ କୁମର ॥
ପୁତ୍ର ଶୋକରେ ଦୁଃଖୀ ହୋଇ ।ଇନ୍ଦ୍ରର ଶତ୍ରୁ ବୃଦ୍ଧି ପାଇଁ ॥
ହୋମ ଆରମ୍ଭକୁ ବିଚାରି ।ବୋଇଲେ ଅତି କ୍ରୋଧ କରି ॥
ଇନ୍ଦ୍ରର ଶତ୍ରୁ ହୋଇ ଜାତ ।ବେଗେ ଇନ୍ଦ୍ରକୁ କରୁ ହତ ॥
ଏମନ୍ତ ବୋଲି ସେ ବଚନ ।କେତେ ଆହୁତି କଲା ଦାନ ॥
ପୁରୁଷେ ତହିଁରୁ ବାହାର ।ରୂପ ତା ଅତି ଭୟଙ୍କର ॥
ଯୁଗ ଅନ୍ତ କାଳେ ଯେମନ୍ତ ।ପ୍ରାଣୀଙ୍କି ଯେସନେ କୃତାନ୍ତ ॥
ଦିନକୁ ଦିନ ଅତି ଘୋର ।ସଞ୍ଚଇ ଆତ୍ମାରୂପ ତାର ॥
ଦଗଧ ଗିରି ପ୍ରାୟ ହୋଇ ।ତାହାର ଶରୀର ଦିଶଇ ॥
କାନ୍ତି ତାହାର ବିରାଜଇ ।ସନ୍ଧ୍ୟାରେ ମେଘମୟ ହୋଇ ॥
ତପତ ତାମ୍ର ପ୍ରାୟ ହୋଇ ।ତା କେଶ ଶ୍ମଶ୍ରୁ ବିରାଜଇ ॥
ମଧ୍ୟାହ୍ନ ରବି ପ୍ରାୟ ହୋଇ ।ବେନି ଲୋଚନ ବିରାଜଇ ॥
ଅନଳ ତେଜ ପ୍ରାୟେ ତାର ।ଏମନ୍ତ ଶୂଳ ଧରି କର ॥
ବୁଲାଇ ଅତି ଖରତର ।ଶବଦ କରେ ମହା ଘୋର ॥
ନୃତ୍ୟ କରଇ ମତ୍ତ ହୋଇ ।ପାଦେ କମ୍ପଇ ମହାମହୀ ॥
ଗିରି ଗୃହ ପ୍ରାୟେ ବଦନ ।ତେଣୁ କି ଗ୍ରାସିବ ଗଗନ ॥
ଜିହ୍ୱା ବୁଲାଉଛି ଏସନ ।ଗିଳିବ କିବା ତ୍ରିଭୁବନ ॥
ଦନ୍ତ ଅତି ଉଗ୍ର ଦିଶଇ ।ପ୍ରାଣୀଙ୍କି ପୁଣି ହି ହିଂସଇ ॥
ଭୀତ ହୋଇଣ ସର୍ବଜନ ।ଗଲେ ସେ ଜୀବନ ଘେନିଣ ॥
ତ୍ୱଷ୍ଟାର ପୁତ୍ର ଏ ସେ ପାପ ।ଲୋକେ ପାଇଲେ ବହୁ ତାପ ॥
ଦାରୁଣ ଏ ବୃତ୍ର ଅସୁର ।ଏ ରୂପେ ଜନମ ତାହାର ॥
ଅମରେ ଇନ୍ଦ୍ରଙ୍କ ସହିତେ ।ମିଳିଲେ ତାହାର ଅଗ୍ରତେ ॥
ଯେ ଯାହା ଶସ୍ତ୍ର ଧରି କରେ ।ପିଟିଲେ ବୃତ୍ରର ଉପରେ ॥
ଶସ୍ତ୍ରଟି ଯେତେ ଦେବଙ୍କର ।ସବୁ ଗିଳିଲା ସେ ଅସୁର ॥
ଏ ଅନନ୍ତରେ ଦେବଗଣ ।ବିସ୍ମୟ ହୋଇ ହତଜ୍ଞାନ ॥
କୃଷ୍ଣରେ ମନ ସ୍ଥିର କଲେ ।ମହାପୁରୁଷ ଆରାଧିଲେ ॥
ଦେବାଉଚୁଃପବନ ଆକାଶ ଯେ ଅଗ୍ନି ।ଜଳର ସହିତେ ଅବନୀ ॥
ଏ ମହାଭୂତେ ହୋଇ ଏକ ।ନିର୍ମିତ ହୋଇଛି ତ୍ରିଲୋକ ॥
ବ୍ରହ୍ମାଦି କରି ଆମ୍ଭେମାନେ ।ଉଦ୍ବେଗ ପାଉଅଛୁ ମନେ ॥
ଯାହାକୁ ବଳି ଆମ୍ଭେମାନେ ।ଦେଉ ଯେ ଅଛୁଁ ଅବିଚ୍ଛିନ୍ନେ ॥
ଯେ କାଳଅନ୍ତକ ବୋଲାଇ ।ସେ ଯାହାଠାରୁ ଭୟ ପାଇ ॥
ସେ ପ୍ରଭୁ ଆମ୍ଭର ଶରଣ ।ହୁଅନ୍ତୁ ଅଖିଳ କାରଣ ॥
ସେ ଅବିସ୍ମିତ ପୂର୍ଣ୍ଣକାମ ।ପ୍ରଶାନ୍ତି ସର୍ବଭୂତେ ସମ ॥
ଏମନ୍ତ ଯେ ପରମେଶ୍ୱର ।ତାହାକୁ ତେଜି ଯେଉଁ ନର ॥
ଅନ୍ୟରେ ପଶଇ ଶରଣ ।ମୂର୍ଖ ବୋଲିଣ ତାକୁ ଜାଣ ॥
ଶ୍ୱାନ ପୁଚ୍ଛକୁ ଧରି କରେ ।ଅଗମ୍ୟ ସିନ୍ଧୁ କେହୁ ତରେ ॥
ନଉକାମତେ ଏ ସଂସାରେ ।ଶୃଙ୍ଗରେ ବାନ୍ଧି ନିରାକାରେ ॥
ଭାସୁଅଛନ୍ତି ଦୁର୍ଗମରୁ ।ପ୍ରଭୁ ତାରିବେ ସଙ୍କଟରୁ ॥
ଏମନ୍ତ ଯେହୁ ମହାବାହୁ ।ତାରିବେ ବୃତ୍ରାସୁର ତହୁଁ ॥
ଯେ ଏକ ଇଶ୍ୱର ଅଟଇ ।ମାୟାରେ ଆମ୍ଭଙ୍କୁ ସୃଜଇ ॥
କରୁଛି ଜଗତ ପାଳନେ ।ଯାର ପ୍ରସାଦୁ ଆମ୍ଭେମାନେ ॥
ଯାର ମହିମା ଯେ ପ୍ରସିଦ୍ଧି ।ଆମ୍ଭେ ନ ଜାଣୁ ମନ ବୁଦ୍ଧି ॥
ଆମ୍ଭେ ଇଶ୍ୱର ବୋଲି ମାନି ।ମୋହରେ ଯେସନେ ଅଜ୍ଞାନୀ ॥
ଶତ୍ରୁରଠାରୁ ଆମ୍ଭେମାନେ ।ଦୁଃଖ ପାଇଲୁ ଅନୁକ୍ଷଣେ ॥
ଋଷି ମନୁଷ୍ୟ ପଶୁଆଦି ।ସଂସାରେ ଯେତେକ ପ୍ରସିଦ୍ଧି ॥
ଆମ୍ଭେ ଏ ସର୍ବେ ଅରକ୍ଷିତ ।ରଖିବା ପ୍ରଭୁ ଲକ୍ଷ୍ମୀକାନ୍ତ ॥
ଯେ ପ୍ରଭୁ ଧରି ଅବତାର ।ଖଣ୍ଡଇ ଦୁଃଖକୁ ଆମ୍ଭର ॥
ସେ ଯୁଗେ ଯୁଗେ ରକ୍ଷାକରୁ ।ତାଙ୍କ ମହିମା ମହାମେରୁ ॥
ପ୍ରଧାନ ପରମ ପୁରୁଷ ।ଅଶେଷ ସଂସାରରେ ଈଶ ॥
ଅଖିଳ ଜନ୍ତୁଙ୍କ ଶରଣ ।ଏମନ୍ତ ଯେଉଁ ନାରାୟଣ ॥
ଆମ୍ଭେ ତାହାଙ୍କର ଶରଣ ।ଆମ୍ଭଙ୍କୁ କରନ୍ତୁ କାରଣ ॥
ଶ୍ରୀ ଶୁକ ଉବାଚଦେବଙ୍କ ସ୍ତୁତି ଏ ବଚନ ।ଶୁଣି ସନ୍ତୋଷ ଭଗବାନ ॥
ପୂର୍ବ ଦିଗରେ ହେ ରାଜନ ।ହୋଇଲେ ଆସି ସୁପ୍ରସନ୍ନ ॥
ଶଙ୍ଖ ଚକ୍ର ଗଦା କମଳ ।ଧରିଣ ପ୍ରଭୁ ଆଦିମୂଳ ॥
ସେବାରେ ଛନ୍ତି ଅନୁକ୍ଷଣ ।ଆତ୍ମାର ତୁଲ୍ୟ ଷୋଳଜଣ ॥
ଶ୍ରୀବତ୍ସ କଉସ୍ତୁର ଭିନ୍ନେ ।ପୂର୍ଣ୍ଣ ହୋଇଣ ସର୍ବଗୁଣେ ॥
ବିକଚ କମଳ ଲୋଚନ ।ଦେବେ ଦେଖିଣ ହୃଷ୍ଟମନ ॥
ଇନ୍ଦ୍ରାଦିଦେବେ ଯେତେବେଳେ ।ପ୍ରଭୁଙ୍କୁ ନମିଲେ ସକଳେ ॥
ଦଣ୍ଡବତ ପ୍ରାୟ ରାଜନ ।ସ୍ତୁତି କରନ୍ତି ଏ ବଚନ ॥
ଦେବାଉଚୁଃତୁମ୍ଭେ ଯେ ସର୍ବ ଯଜ୍ଞବର ।ତୁମ୍ଭଙ୍କୁ କରୁ ନମସ୍କାର ॥
ସକଳ ବୟୋଧିଽକ ତୁମ୍ଭେ ।ତୁମ୍ଭ ଚରଣେ ନମୁଁ ଆମ୍ଭେ ॥
ଅଖିଲ ଈଶ୍ୱର ଯେ ତୁହି ।ନମସ୍ତେ ପ୍ରଭୁ ଭାବଗ୍ରାହୀ ॥
ନମସ୍ତେ ପ୍ରଭୁ ଚକ୍ରଧର ।ତୁ ଗୁରୁଶ୍ରେଷ୍ଠ ହିତକର ॥
ବ୍ୟାପିଛି ଆଦିତ୍ୟ ବ୍ରହ୍ମର ।ତୁମ ଗତି କ୍ରୀଡ଼ା ବିହାର ॥
ଏହା ସଂଖ୍ୟା କରିବା ପାଇଁ ।ବିଧାତା ସମର୍ଥ ନୁହଇ ॥
ହେ ଭଗବାନ ବାସୁଦେବ ।ନାରାୟଣ ମହାନୁଭବ ॥
ଆଦି ପୁରୁଷ ସର୍ବେଶ୍ୱର ।କେବଳ ଜଗତ ଆଧାର ॥
ପରମହଂସ ଲକ୍ଷ୍ମୀନାଥ ।ଜଗତ ଜନ ଅନୁଗତ ॥
ତୋହର ମହିମା ବିହାର ।ବ୍ରହ୍ମାର ନୁହଇ ଗୋଚର ॥
ପରମ କଲ୍ୟାଣର ମୂଳ ।ଭୋ ନାଥ ପରମ ମଙ୍ଗଳ ॥
ହେ ସର୍ବ ପରମ କାରଣ ।ଅଖିଳ ଜନ୍ତୁଙ୍କ ଭାବନ ॥
ପରମ ଯୋଗ ସମାଧିରେ ।ଭଜନ୍ତି ବିବିଧ ପ୍ରକାରେ ॥
ପରମହଂସ ମୁନିଜନେ ।ସେବନ୍ତି ଯାହାର ଚରଣେ ॥
ପରମହଂସ ମଧ୍ୟେ କରି ।ପ୍ରଭାବ ଯାହାରେ ବିହରି ॥
ଏମନ୍ତେ ଆତ୍ମା ଲୋକେ କରି ।ଅଜ୍ଞାନ ଦୂରେ ପରିହରି ॥
ଏମନ୍ତ ପ୍ରଭୁ ତୁ ଇଶ୍ୱର ।ନମସ୍ତେ ବ୍ରହ୍ମାଣ୍ଡ ଠାକୁର ॥
ଏ ମାୟା ଅଖିଳ ସଂସାରେ ।ଭୋ ପ୍ରଭୁ ଶରଣ ତୋହରେ ॥
ତ୍ରିଗୁଣ ଘେନି ପ୍ରଭୁ ତୁହି ।ସଂସାର ପାଳୁ ଭାବଗ୍ରାହୀ ॥
ଭୋ ଦେବ ଏ ମାୟା ସଂସାରେ ।ତ୍ରିଗୁଣେ ଜଡି ଯେଉଁ ନରେ ॥
ପର କର୍ମରେ ବଶ ହୋଇ ।ଶୁଭ ଅଶୁଭ ନ ଜାଣଇ ॥
ତାହାର ଶୁଭାଶୁଭ ଫଳ ।ତୁମ୍ଭର ତହିଁ ଆଦିମୂଳ ॥
ଭୋ ସ୍ୱାମୀ ତୁମ୍ଭେ ଆତ୍ମାରାମ ।ସକଳ କଳ୍ପେ ଉପଶମ ॥
ତୁ ସର୍ବ ବସ୍ତୁର ବାହାର ।ଏମନ୍ତ ମଣୁ ଚକ୍ରଧର ॥
ତୋତେ ବିରୋଧ ନାହିଁ ପୁଣ ।ଅପରିଚ୍ଛିନ୍ନ ତୋର ଗୁଣ ॥
ସଂଖ୍ୟା ନୁହଇ ତୋ ମହିମା ।ତୋହର କେ କହିବ ସୀମା ॥
ବିତର୍କ କୁତର୍କ ବିଚାରେ ।ପ୍ରମାଣ ନ ଜାଣି ଯାହାରେ ॥
ନାନା ବିଚାରେ ଶାସ୍ତ୍ର ଆଦି ।ସଂସାରେ ଯେତେକ ପ୍ରସିଦ୍ଧି ॥
ଏହା ବିଚାରି ସାଧୁଜନେ ।ଚିନ୍ତନ୍ତି ତୋତେ ଦିବ୍ୟଜ୍ଞାନେ ॥
କ୍ଷଣକେ ମତି ତାହାଙ୍କର ।ଭ୍ରମ କରାଉ ଚକ୍ରଧର ॥
ସମୟେ ମାୟାମୟ ହେଉ ।ନଟର ପ୍ରାୟ ତୁ ଦେଖାଉ ॥
ଯଦ୍ୟପି ଏକରୂପ ହୁଅ ।ନାନା ରୂପକୁ ତୁମ୍ଭେ ବହ ॥
ବିଷମ ରୂପ ଯେ ତୁମର ।ପ୍ରବେଶ ହୋଇଛି ମନର ॥
ରଜ୍ଜୁରେ ସର୍ପବୁଦ୍ଧି ଯେହ୍ନେ ।ଏକଇ ଦିଶେ ଭିନ୍ନେ ଭିନ୍ନେ ॥
ବିଚାରେ ଏକବସ୍ତୁ ତୁହି ।ସର୍ବ ଈଶ୍ୱର ତୁ ଗୋସାଇଁ ॥
ସକଳ ଜନ୍ତୁଙ୍କ କାରଣ ।ଶୋଭା ପାଉଛି ସର୍ବଗୁଣ ॥
ତକ୍ଷଣେ ଆତ୍ମାରୂପ ଧରି ।ରକ୍ଷିତ ହେଉ ନରହରି ॥
ଯେବେ ତୁ ପରମ ପୁରୁଷ ।ସକଳଠାରୁ ଅବଶେଷ ॥
ଭୋ ପ୍ରଭୁ ମହିମା ତୁମ୍ଭର ।ଅମୃତ ରସର ସାଗର ॥
ତାହା ଆସ୍ୱାଦ କରି ମନେ ।ଏକାନ୍ତ ଭକ୍ତ ଯେଉଁ ଜନେ ॥
ବିଷୟା ସୁଖ ରସ ଛାଡି ।ନିଗୂଢେ ଥାନ୍ତି ରସେ ବୁଡି ॥
ସର୍ବଜ୍ଞ ଆତ୍ମାଭୁତ ପ୍ରାୟେ ।ଭଗବାନ ସ୍ୱରୂପ ହୁଏ ॥
ଏ ସର୍ବଗୁଣେ ପୂର୍ଣ୍ଣ ହୋଇ ।କେ ତୋତେ ଜାଣେ ଭାବଗ୍ରାହୀ ॥
ଅନୁବ୍ରତରେ ସ୍ଥିର ମନ ।ତୁଣ୍ଡରେ ଭଜି ଭଗବାନ ॥
ହେ ମଧୁମନ୍ଥନ ଈଶାନ ।ଆତ୍ମା କୁଶଳେ ସାଧୁଜନ ॥
କମଳ ଚରଣେ ତୁମ୍ଭର ।ସେବୁ ଅଛନ୍ତି ନିରନ୍ତର ॥
ସେ ପାଦେ ପଙ୍କଜରେ ମନ ।ସଂସାରେ ଗତାଗତ ଜନ ॥
ହୁଅଇ ଯାହାର ପ୍ରସାଦେ ।ଗତି ଲଭଇ ଅପ୍ରମାଦେ ॥
ତ୍ରୈଲୋକ୍ୟ ପ୍ରଭୁ ଭଗବାନ ।ହେତୁ ବିକ୍ରମ ଯେଉଁ ଜନ ॥
ତ୍ରୈଲୋକ୍ୟେ ଈଶ୍ୱର ଯେ ହରି ।ଅନୁଭବ ରୂପ ଯାହାରି ॥
ତୁମ୍ଭ ପ୍ରକୃତିରୁ ଉଦିତ ।ଏମନ୍ତ ଯେତେକ ଦଇତ ॥
ଏହାର ଯେତେ କର୍ମଫଳ ।ଅନ୍ତ କରିବ ଆଦିମୂଳ ॥
ମୃଗ ସହିତେ ଜଳଚରେ ।ଆତ୍ମାର ଭୟେ ସୁର ନରେ ॥
ଏ ଆଦି ଯେତେକ ଅସୁର ।ଯଥା ଅସାଧ୍ୟେ ଦଣ୍ଡଧର ॥
ଏମନ୍ତେ ତୁମ୍ଭେ ଯେ ଈଶ୍ୱର ।ବୃତ୍ରକୁ ଭୋ ନାଥ ସଂହାର ॥
କହିଲୁ ପ୍ରଭୁ ଭବଗ୍ରାହୀ ।ଯେବେ ତୁମ୍ଭର ଇଚ୍ଛା ହୋଇ ॥
ତୁମ୍ଭ ତନୟ ଆମ୍ଭେ ହୋଇ ।ଭୋ ନାଥ ଆମ୍ଭ ପିତା ତୁହି ॥
ତୋହର ଚରଣ ମୂଳେଣ ।ମଜ୍ଜି ରହିଛି ଆମ୍ଭ ମନ ॥
ରକ୍ଷା ପାଇବୁ ଭଗବାନ ।ଆମ୍ଭ ବିନୟ ଏବେ ଘେନ ॥
ଆମ୍ଭଙ୍କୁ ଅନୁଗ୍ରହ କରି ।ଦୟା କରିବେ ନରହରି ॥
ବିଶୁଦ୍ଧ ହାସ ମନୋହର ।ବଦନ ଈକ୍ଷଣ ତୋହର ॥
ସବୁ ଯେ ଥାଇ ମଧୁରସ ।ଅମୃତ ସ୍ମିତ ମନ୍ଦହାସ ॥
ଆମ୍ଭର ତ୍ରାସ ଦୂର କର ।ଭୋ ନାଥ ଶରଣ ତୁମ୍ଭର ॥
ଉତ୍ପତ୍ତି ସ୍ଥିତି ଯେ ପ୍ରଳୟ ।ଏହା କାରଣେ ତୁମ୍ଭେ ହୁଅ ॥
ସକଳ ଜୀବଠାରେ ତୁହି ।ଅକ୍ଷର ବ୍ରହ୍ମରୂପ ହୋଇ ॥
ତୁ ସର୍ବ ମାୟାଧର ରୂପ ।ଅଶେଷ ପ୍ରଧାନ ସ୍ୱରୂପ ॥
ତୁ ଦେଶ କାଳ ପାତ୍ର ହୋଇ ।ସକଳଠାରେ ଅଛୁ ତୁହି ॥
ସକଳ ବ୍ୟାପୀ ଚକ୍ରଧର ।ଆାକାଶ ଶରୀର ତୁମ୍ଭର ॥
ପରମବ୍ରହ୍ମ ରୂପ ତୁହି ।ତୋ ତହୁଁ ଆମ୍ଭରୂପ ମୋହି ॥
ଆମ୍ଭେ ଅଗ୍ନିରେ ତୃଣ ପ୍ରାୟେ ।କିସ କରିବୁ ଦେବରାୟେ ॥
ଆମ୍ଭ ପରମ ରୂପ ତୁହି ।ତୋ ପାଦ ଶତଦଳ ଦୁଇ ॥
ବିବିଧ ସତକର୍ମ ହୋଇ ।ସଂସାରେ ପରିଶ୍ରମ ନାହିଁ ॥
ଛେଦଇ ଯେ କଳୁଷ ଜଳ ।ତୋର ମାୟାରେ ଆଦିମୂଳ ॥
ଆଶ୍ରୟ କରି ଆମ୍ଭ ମନ ।ଅକ୍ଷୟ ହେଉ ଭଗବାନ ॥
ଆମ୍ଭର କାର୍ଯ୍ୟ ଆଦିମୂଳ ।ଭୋ ନାଥ କର ତୁ ମଙ୍ଗଳ ॥
ଗ୍ରାସିଛି ବୃତ୍ର ତ୍ରିଭୁବନ ।ଏହା ସଂହାର ଭଗବାନ ॥
ତେଜ ଆୟୁଧ ଯେ ଆମ୍ଭର ।ନାଶୁଛି ପାପୀ ବୃତ୍ରାସୁର ॥
ନମସ୍ତେ ପ୍ରଭୁ ଶୁଦ୍ଧରସ ।ନିରାକାର ତୁ ପୀତବାସ ॥
ନମସ୍ତେ କୃଷ୍ଣ ଅଟୁ ତୁହି ।ବ୍ରହ୍ମାଣ୍ଡେ ତୋର ନାଶ ନାହିଁ ॥
ଭବ ସାଗର ପଥଶ୍ରମ ।ତୁ ନାଥ ଶୁଭ ଭଗବାନ ॥
ପରମ ଗତି ଶ୍ରେଷ୍ଠତର ।ନମସ୍ତେ ପରମ ଈଶ୍ୱର ॥
ଶ୍ରୀ ଶୁକ ଉବାଚଏଥୁ ଅନ୍ତରେ ହେ ରାଜନ ।ସ୍ତୁତି ଯେ କଲେ ଦେବଗଣ ॥
ସାଦରେ ସ୍ତୁତି ଶୁଣି ହରି ।ସନ୍ତୋଷ ହେଲେ ଦଇତାରି ॥
ଆନନ୍ଦ ହୋଇ ଭଗବାନ ।ଦେବଙ୍କୁ କହନ୍ତି ବଚନ ॥
ଭଗବାନୁବାଚଏ ତୁମ୍ଭ ବିଦ୍ୟାର ସ୍ତୁତିରେ ।ସନ୍ତୋଷ ହେଲୁ ଦେବବରେ ॥
ମୁଁ ଯେବେ ହୁଅଇ ସନ୍ତୋଷ ।କି ବାଞ୍ଛା କର ଯେ ପୁରୁଷ ॥
ଏ ଯେଉଁ ବିଦ୍ୟାର ପ୍ରସାଦେ ।ଦୃଢ ଭକତି ମୋର ପାଦେ ॥
ଏହାଙ୍କୁ ଏକାନ୍ତେ ଯେ ମତି ।ମୋ ତହୁଁ ଅନ୍ୟ ନ ବାଞ୍ଛନ୍ତି ॥
ଗୁଣବନ୍ତକୁ ଯେ ଦେଖନ୍ତି ।ଏମନ୍ତେ କୃପଣ ଯେ ଛନ୍ତି ॥
ସେ ଆତ୍ମାଶ୍ରେୟ ନ ଜାଣନ୍ତି ।ସଂସାରେ ମୋହେ ଯେ ପଡ଼ନ୍ତି ॥
ହେ ଇନ୍ଦ୍ର ଯାଅ ହରଷେଣ ।ତୁମ୍ଭର ହେଉ ଯେ କଲ୍ୟାଣ ॥
ଅଥର୍ବଣ ସେ ଋଷି ବର ।ମାଗ ତାହାଙ୍କର ଶରୀର ॥
ବିଦ୍ୟାପୂରିତ ଯେ ତାହାର ।ପବିତ୍ର ଇଚ୍ଛି ଯେ ଶରୀର ॥
ଯାଞ୍ଚଞ୍ଜା ତୁମ୍ଭେମାନେ କଲେ ।ଧର୍ମିଷ୍ଠ ଅଙ୍ଗ ଦେବେ ଭଲେ ॥
ଅସ୍ଥି ତାହାଙ୍କର ଆଣିବୁ ।ଆୟୁଧମାନ ଗଢାଇବୁ ॥
ବିଶ୍ୱକର୍ମା ନିର୍ମିତ କରି ।ବଧ୍ୟକୁ ବଧ ଧରି କରି ॥
ସେ ବଜ୍ର ଧରିଣ ଅସୁର ।ଛେଦିଣ ଶୁଣ ପୁରନ୍ଦର ॥
ମୋହର ତେଜ ଚକ୍ର ହୋଇ ।ସେ ତାକୁ ନାଶିବ ଯେ ଯାଇ ॥
ହତ ହୋଇବେ ଦୈତ୍ୟମାନେ ।ସ୍ୱର୍ଗ ଲଭିବ ଦେବଗଣେ ॥
ତେଜ ଗୁଣେ ଯେତେ ଆୟୁଧ ।ପୁଣିହିଁ ଲଭିବେ ସମ୍ପଦ ॥
ମୋର ଭକତ ଲୋକଙ୍କର ।ହିଂସା ନୋହିବ ପୁନର୍ବାର ॥
ବୋଲଇ ବିପ୍ର ଜଗନ୍ନାଥ ।ଇନ୍ଦ୍ରଙ୍କୁ କୃଷ୍ଣ କୃପା ଚିତ୍ତ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂବୈୟାସିକ୍ୟାଂ ଷଷ୍ଠସ୍କନ୍ଧେ ଭଗବଦୁପଦେଶାନାମ ନବମୋଽଧ୍ୟାୟଃ ।
ଦଶମ ଅଧ୍ୟାୟ
ବାଦରାୟଣିରୁବାଚଏ ଭାବେ ଇନ୍ଦ୍ରଙ୍କୁ କହିଣ ।ତକ୍ଷଣେ ଗଲେ ନାରାୟଣ ॥
ଦେବତାମାନେ ଦେଖୁଥିଲେ ।ତକ୍ଷଣେ ଅନ୍ତର୍ଦ୍ଧାନ ହେଲେ ॥
ଶ୍ରୀକୃଷ୍ଣ ଆଜ୍ଞା ପରମାଣେ ।ମାଗିଲେ ଯାଇ ଦେବଗଣେ ॥
ମହତ ଋଷି ଆଥର୍ବଣ ।ବୋଇଲେ ଶୁଣ ଦେବଗଣ ॥
ଜନ୍ତୁଙ୍କ ପ୍ରାଣ ପରିତ୍ୟାଗ ।ଦୁଃସହ ଦୁଃଖ ଯେତେ ଭୋଗ ॥
ତୁମ୍ଭେ ସ୍ୱଭାବେ ଦେବଗଣ ।ମରଣ ଦୁଃଖକୁ ନ ଜାଣ ॥
ଜୀବନ ପାଇଁ ପ୍ରାଣୀଙ୍କର ।ସୁତ କଳତ୍ର ଏ ସଂସାର ॥
ଏମନ୍ତ ପ୍ରାଣୀ ଅବା କାହିଁ ।ଜୀବନ ମାଗିଲେ ସେ ଦେଇ ॥
ଯେବେ ମାଗିବେ ନାରାୟଣ ।ତେବେ ବା କେ ଦେବ ଜୀବନ ॥
ଦେବାଉଚୁଃଯେ ପ୍ରାଣୀ ସବଭୂତ ପରେ ।ଆତ୍ମାର ପ୍ରାୟ ଦୟା କରେ ॥
ଈଷତ ମାତ୍ରେ ଦେଇ ପ୍ରାଣ ।କରଇ ପ୍ରାଣୀ ପରିତ୍ରାଣ ॥
ତୁମ୍ଭର ପ୍ରାୟ ପୁଣ୍ୟଶ୍ଳୋକେ ।ଯେ ଅବା ପୁଣ୍ୟବନ୍ତ ଲୋକେ ॥
ତାହାର ଏମନ୍ତ ବିଚାର ।ସେ ନ ଜାଣଇ ପରାପର ॥
ଅଜ୍ଞାନୀ ପାପୀ ଯେଉଁମାନେ ।ପରର କଷ୍ଟକୁ ନ ଜାଣେ ॥
ଯାଚଞ୍ଜା ଶ୍ରେଷ୍ଠ ଲୋକଙ୍କର ।କେବେ ହେଁ ନୋହେ ହତାଦର ॥
ଋଷି ଉବାଚଋଦ୍ରଙ୍କୁ ଆଦି ଦେବବୃନ୍ଦେ ।ଧର୍ମ କହିଲେ ଯେ ସନ୍ନିଧେ ॥
ଏ ଯେ ମୋହର ନିଜ ଦେହ ।ଛାଡିବି ନ କର ସନ୍ଦେହ ॥
ଦେହକୁ ଧରି ଯେଉଁ ଜନ ।ନ କରେ ଯାଗ ପୁଣ୍ୟ ଧର୍ମ ॥
ତାହାଙ୍କୁ ଆତ୍ମଘାତୀ କହି ।ସ୍ୱଲୋକେ ଆଗୋଚର ସେହି ॥
ଯେ ପ୍ରାଣୀ ପରଦୁଃଖେ ଦୁଃଖୀ ।ପର ସୁଖରେ ଅତି ସୁଖୀ ॥
ଅବ୍ୟୟ ଅକ୍ଷୟ ଯେ ଧର୍ମ ।କହନ୍ତି ପୁଣ୍ୟ ଶ୍ଲୋକମାନ ॥
ଏ ବଡ଼ ଆଶ୍ଚର୍ଯ୍ୟ ଲୋକରେ ।କ୍ଷଣଭଙ୍ଗୁର ଦେହେ ନରେ ॥
କରନ୍ତି ଆତ୍ମା ସ୍ୱାର୍ଥଭେଦ ।ଇହ ଲୋକରେ ଅପବାଦ ॥
ବାଦରାୟଣିରୁବାଚଏମନ୍ତ କହି ଅଥର୍ବଣ ।ନିଶ୍ଚଳ କରି ଆତ୍ମା ମନ ॥
ପରମ ପଦେ ନିବେଶିଲା ।ସଂଯମେ ଶରୀର ଛାଡିଲା ॥
ମନ ବୁଦ୍ଧି ବ୍ରହ୍ମେ ନିବେଶି ।ଯାହା ଯୋଗରୁ କରି ଋଷି ॥
ତେଜିଣ ଗଲା ସେ ଶରୀର ।ଜାଣିଲେ ଦେବ ପୁରନ୍ଦର ॥
ଏ ଅନନ୍ତରେ ଦେବରାଜ ।ବିଶ୍ୱକର୍ମା ନିର୍ମିତ ବଜ୍ର ॥
ମୁନି ଅସ୍ଥିରେ ହୋଇ ଯୁକ୍ତ ।ଶ୍ରୀକୃଷ୍ଣ ତେଜରେ ମିଶ୍ରିତ ॥
ଆରୋହି ନାଗ ଐରାବତ ।ଦେବଗଣରେ ସେ ବେଷ୍ଟିତ ॥
ମୁନିଗଣରେ ସ୍ତୁତି ହୋଇ ।ତ୍ରୈଲୋକ୍ୟ ହରଷ କରାଇ ॥
ବୃତ୍ରାସୁରକୁ ଦେବରାଜ ।ସୈନ୍ୟ ସହିତେ ହୋଇ ସଜ ॥
ଅଶେଷ ବଳ ସଙ୍ଗେ ନେଇ ।ଅନ୍ଧକେ ଯେହ୍ନେ ରୁଦ୍ର ଧାଇଁ ॥
ଏ ଅନନ୍ତରେ ହେ ରାଜନ ।କହିବା ଶୁଣ ଏକ ମନ ॥
ସୁର ଅସୁରଙ୍କର ରଣ ।ଅତ୍ୟନ୍ତ ପରମ ଦାରୁଣ ॥
ତ୍ରେତୟା ଯୁଗର ଆଦ୍ୟରେ ।ହୋଇଲା ନର୍ମଦା ତୀରରେ ॥
ରୁଦ୍ରବସୁ ପିତୃ ଆଦିତ୍ୟେ ।ବ୍ରହ୍ମଋଷି ଅଶ୍ୱିନୀ ସୁତେ ॥
ସିଦ୍ଧ ବିଶ୍ୱଦେବ ମରୁତ ।ଇନ୍ଦ୍ର ଦେବଗଣେ ବେଷ୍ଟିତ ॥
ବିରାଜମାନ ସମ୍ପତ୍ତିରେ ।ବଜ୍ରକୁ ଧରି ନିଜ କରେ ॥
ଏ ଭାବେ ଇନ୍ଦ୍ରକୁ ଦେଖିଲା ।କ୍ରୋଧେ ବୃତ୍ତ୍ରାସୁର ଧାଇଁଲା ॥
ନମୁଚି ଦ୍ୱିମୁର୍ଦ୍ଧା ସମ୍ବର ।ନିର୍ବାଋଷଭ ଶଙ୍କୁଶିର ॥
ହୟଗ୍ରୀବ ଏ ବିପ୍ରଚିତ୍ତି ।ଅୟୋମୁଖ ପୁଲୋମା ହେତି ॥
ଉତ୍କଳ ବୃଷପର୍ବାସୁର ।ପ୍ରହେତି ଆଦି ଦୈତ୍ୟ ବୀର ॥
ଦାନବ ଦୈତ୍ୟଗଣ ଯକ୍ଷ ।ଅସଂଖ୍ୟ ନାମେଣ ଯେ ଋକ୍ଷ ॥
ସୁମାଳି ମାଳି ଆଦି ଯେତେ ।କାର୍ତ୍ତଶ୍ୱର ରାଜା ସହିତେ ॥
ଇନ୍ଦ୍ରଙ୍କ ସେନାର ସମୂହ ।କାଳହୁଁ ଅତି ଦୁରାଶୟ ॥
ନିଃଶଙ୍କେ ଦେଇ ସିଂହନାଦ ।ପୂରିଲେ ଦାନବ ଦୁର୍ମ୍ମଦ ॥
ଗଦା ପରିଘ ବାଣ ପାଶ ।ମୁଦ୍ଗର ତୋମର ଅଶେଷ ॥
ଶୂଳ ପରିଘାଦି ଖଡ଼ଗ ।ଶତଘ୍ନୀ ଭୂଷଣ୍ଡୀ ଆୟୁଧ ॥
ଏ ଆଦି ଯେତେ ଶସ୍ତ୍ରମାନ ।ଦେବଙ୍କୁ କଲେ ପ୍ରହାରଣ ॥
ଅସୁର ଶର ବରଷଣେ ।ଦୃଶ୍ୟ ନୁହନ୍ତି ଦେବଗଣେ ॥
ପୁଣି ପୁଣିହିଁ ପଡିବାରେ ।ନକ୍ଷତ୍ର ଯେସନେ ଶୂନ୍ୟରେ ॥
ଶସ୍ତ୍ର ହିଁ ଯେତେ ଦାନବର ।କିଛି ନ କଲେ ଦେବଙ୍କର ॥
ଯେତେ ଅସୁରଙ୍କ ଆୟୁଧ ।ସକଳ ଦେବେ କଲେ ଛେଦ ॥
ଏ ଅନନ୍ତରେ ଶୂନ୍ୟହସ୍ତ ।ଦାନବେ ଅତ୍ୟନ୍ତ କୁପିତ ॥
ଶିଳାର ସଙ୍ଗେ ଦ୍ରୁମମାନ ।ଦେବଙ୍କୁ କଲେ ବରଷଣ ॥
ପୁଣି ହିଁ ଇନ୍ଦ୍ର ସୈନ୍ୟଗଣ ।ତକ୍ଷଣେ ତାହା କଲେ ଚ୍ଛିନ୍ନ ॥
ପ୍ରତାପ ଦେଖି ଦେବଙ୍କର ।କୋପେ ଦାନବ ଖରତର ॥
ପୁଣି ପଥର ଦ୍ରୁମ କରେ ।ପିଟିଲେ ଦେବଙ୍କ ଉପରେ ॥
ବିବିଧ ଗିରି ଶୃଙ୍ଗମାନ ।ଦେବଙ୍କୁ କଲେ ପ୍ରହାରଣ ॥
ଦୈତ୍ୟ ନିଷ୍ଫଳ କାର୍ଯ୍ୟହୋଇ ।ଆତ୍ମା ଦେହକୁ ନିନ୍ଦା ବହି ॥
ଯାହାକୁ ରଖନ୍ତି ଈଶ୍ୱର ।ଅସୁରେ କେତେକ ମାତର ॥
ନିଜ ଉଦ୍ୟମ ଯହୁଁ ହତ ।ଦେଖି ଅସୁର ଭୟ ଚିତ୍ତ ॥
ସ୍ୱଭାବେ ବିଷ୍ଣୁରେ ବିମୁଖ ।ରଣେ ଲଭିଲେ ଅତି ଦୁଃଖ ॥
ସ୍ୱାମୀକୁ ଛାଡି ସଂଗ୍ରାମରେ ।ପଳାଇ ଯାନ୍ତି ପ୍ରାଣ ଡରେ ॥
ବୃତ୍ତ୍ର ଅସୁର ଚୂଡାମଣି ।ସୈନ୍ୟ ପଳାନ୍ତି ବୋଲି ଜାଣି ॥
ଆପଦ ଦେଖି ବୃତ୍ତ୍ରାସୁର ।କହଇ ବଚନ ମଧୁର ॥
ଅତି ଭୟରେ ରଣ ଛାଡି ।ପଳାନ୍ତି ପଡ଼ି ପଥ ହୁଡ଼ି ॥
ଏହା ଦେଖିଣ ବୃତ୍ତ୍ରାସୁର ।ସୈନ୍ୟଙ୍କୁ ବୋଲଇ ଉତ୍ତର ॥
ବିପ୍ରଚିତ୍ତି ବୃଷ ପର୍ବଣ ।ନମୂଚି ପୁଲୋମ ହେ ଶୁଣ ॥
ଜାତ ଯେ ହୁଅଇ ସଂସାର ।ମରଣ ଧ୍ରୁବଟି ତାହାର ॥
ମୃତ୍ୟୁ ଯେ ଦ୍ୱିତୀୟ ପ୍ରକାର ।ସଂସାରେ ବୋଲାଇ ଏ ସାର ॥
ବ୍ରହ୍ମ ଭାବରେ ଦେଇ ଚିତ୍ତ ।ଯେ ପ୍ରାଣୀ ପ୍ରାଣେ ହୁଏ ହତ ॥
ଯେ ରଣ ଅଗ୍ରେ ପ୍ରାଣ ଦେଇ ।ବୀର ଶଯ୍ୟାରେ ଶୋଇ ରହି ॥
ବିପ୍ର ଜଗନ୍ନାଥ ବୋଲଇ ।ଇନ୍ଦ୍ର ଅସୁର ଯୁଦ୍ଧ ହୋଇ ॥
ସୁଜନେ ଏଣେ କର ଲୟ ।ହରି ଚରିତ ସୁଧାମୟ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂବୈୟାସିକ୍ୟାଂ ଷଷ୍ଠସ୍କନ୍ଧେ ବୃତ୍ତ୍ରାସୁର ଯୁଦ୍ଧେନାମ ଦଶୁମୋଽଧ୍ୟାୟଃ ।