ଶ୍ରୀମଦ୍ ଭାଗବତ (ଷଷ୍ଠ ସ୍କନ୍ଧ)
ଜଗନ୍ନାଥ ଦାସ · ଭାଗ ୩ / ୯
ସମ୍ପୂର୍ଣ୍ଣ ସୂଚୀପତ୍ର
ପଞ୍ଚମ ଅଧ୍ୟାୟ
ଶ୍ରୀ ଶୁକ ଉବାଚବିଷ୍ଣୁ ମାୟାର ପ୍ରଭାବରୁ ।ପଞ୍ଚଜନ କନ୍ୟା ଗର୍ଭରୁ ॥
ହର୍ଯ୍ୟଶ୍ୱ ସଂଜ୍ଞାରେ ଅୟୁତ ।ସେ ଦକ୍ଷ ଜନ୍ମାଇଲେ ସୁତ ॥
ପୃଥକ ଭାବ ତାଙ୍କ ନାହିଁ ।ସକଳେ ଧର୍ମଶୀଳ ହୋଇ ॥
ପିତାଙ୍କ ଆଜ୍ଞା ଘେନି ଶିରେ ।ପ୍ରଜା ସର୍ଜନା କରିବାରେ ॥
ପଶ୍ଚିମ ଦିଗକୁ ଗମିଲେ ।ସେଠାରେ ତୀର୍ଥେକ ଦେଖିଲେ ॥
ଯା ନାମ ନାରାୟଣସର ।ସଙ୍ଗମେ ସେ ସିନ୍ଧୁ ସାଗର ॥
ସିଦ୍ଧ ମୁନିରେ ସେ ସେବିତ ।ସ୍ପର୍ଶନେ ପାପ ହୁଏ ହତ ॥
ରୋଗାଦି ରିପୁ ନାଶ ଯାଇ ।ପରମ ହଂସ ଦୀକ୍ଷା ବହି ॥
ପିତା ଆଜ୍ଞାରେ ସେ ଯନ୍ତ୍ରିତ ।ସାଧିବେ ନାନା ଉଗ୍ରତପ ॥
ପ୍ରଜାର ବୃଦ୍ଧି କାମବଳେ ।ତପ ସାଧନେ ମନ ଦେଲେ ॥
ନାରଦ ଆସି ତତକ୍ଷଣ ।କହିଲେ ଅମୃତ ବଚନ ॥
ହର୍ଯ୍ୟଶ୍ୱ ଶୁଣ ମୋ ଉତ୍ତର ।କେମନ୍ତେ ପୂଜା ତୁମ୍ଭେ କର ॥
ପୃଥ୍ୱୀର ପରିମାଣ କାହିଁ ।କେବେହେଁ ଦେଖିଅଛ କାହିଁ ॥
ତୁମ୍ଭେ ବାଳକ ବୁଦ୍ଧି କର ।ସୃଷ୍ଟି ପାଳିବାକୁ ବିଚାର ॥
ଏକଗୋଟି ଯେ ରାଜ୍ୟ ଅଛି ।ଏକ ପୁରୁଷ ତହିଁ ଅଛି ॥
ଗହ୍ୱର ଗୋଟିଏ ଅଛଇ ।ତହିଁରୁ କେହି ନ ଆସଇ ॥
ବହୁ ରୂପର ସ୍ତିରୀ ଏକ ।ଅଛି ପୁଂଶ୍ଚଳୀ ପତି ଏକ ॥
ଏକ ନଦୀ ଦୁଇ ସ୍ରୋତର ।ଘର ପଚିଶ ପଦାର୍ଥର ॥
ଚିତ୍ର ନଦୀ ଯେ ହଂସ ଅଛି ।କ୍ଷୁର ବଳ ଯେ ବସ୍ତୁ ଅଛି ॥
ତୁମ୍ଭେ ନ ଜାଣ ଏହା ସର୍ବ ।କିପରି ସୃଷ୍ଟି ଯେ କରିବ ॥
ହର୍ଯ୍ୟଶ୍ୱ ଶୁଣି ଏ ବଚନ ।ବିଚାର କରେ ନିଜ ମନ ॥
ଏ ସବୁ କଥାକୁ ବୁଝିଲେ ।ସୃଷ୍ଟି ସର୍ଜନେ ମନ ଦେଲେ ॥
ଶ୍ରୀ ଶୁକ ଉବାଚଏମନ୍ତେ ମନେ ବିଚାରିଲେ ।ହର୍ଯ୍ୟଶ୍ୱ ଏକ ଚିତ୍ତ ହେଲେ ॥
ନାରଦ କରି ପ୍ରଦକ୍ଷିଣ ।ଗଲେ ଅନିବର୍ତ୍ତ ପଥେଣ ॥
ଅଚ୍ୟୁତ ବ୍ରହ୍ମା ହୃଷୀକେଶ ।ଅଖିଳ ପ୍ରଭୁ ପୀତବାସ ॥
ଅଭୟ ପଦ ପଙ୍କଜରେ ।ଅଖଣ୍ଡ ଚିତ୍ତ ହୋଇ ସ୍ଥିରେ ॥
ଆନନ୍ଦ ହୋଇ ମୁନିବର ।ଗମନ କଲେ ନିଜ ପୁର ॥
ସୁତମାନଙ୍କ ନାଶ ବାଣୀ ।ନାରଦଙ୍କ ପ୍ରମୁଖରୁ ଶୁଣି ॥
ପୁତ୍ରଙ୍କ ଗୁଣ ସୁମରିଲେ ।ଦକ୍ଷ ଅନେକ ତାପ କଲେ ॥
ପୁଣିହିଁ ଅସିକରି ତହିଁ ।ରାଜ୍ୟରେ ପରିଶାନ୍ତ ହୋଇ ॥
ଦକ୍ଷ ଆଧାନ କଲେ ବୀର୍ଯ୍ୟ ।ପୁତ୍ର ଜନ୍ମିଲେ ମହାତେଜ ॥
ସହସ୍ର ପରିମିତ ହୋଇ ।ସର୍ବେ ଜନ୍ମିଲେ ଦେହ ବହି ॥
ପିତାର ଆଜ୍ଞାକୁ ଧଇଲେ ।ପ୍ରଜା ସୃଜନେ ମନ ଦେଲେ ॥
ଯେ ନାରାୟଣ ସରୋବର ।ତହିଁକି ଗଲେ ଖରତର ॥
ସେ ତୀର୍ଥ ସ୍ମରଣ ମାତ୍ରକେ ।ଧଉତ ହୋଇଲେ ପାତକେ ॥
ପରମ ବ୍ରହ୍ମ ଜପ କରି ।ମହା ତପକୁ ସେ ଆଚରି ॥
କେତେହେଁ ଦିନ ନିରାହାରେ ।ବଞ୍ଚିଲେ ପବନ ଆହାରେ ॥
ଏମନ୍ତ କରି ଆରାଧନ ।ସ୍ମରଣ କଲେ ନାରାୟଣ ॥
ଓଁ ନମୋ ପ୍ରଭୁ ନାରାୟଣ ।ଅଶେଷ ପୁରୁଷ ପୁରାଣ ॥
ବିଶୁଦ୍ଧ ତତ୍ତ୍ୱ ମହାହଂସ ।ନମସ୍ତେ ପ୍ରଭୁ ହୃଷୀକେଶ ॥
ଏମନ୍ତ ପ୍ରକାରେ ରାଜନ ।ପ୍ରଜା ନିମନ୍ତେ ଦେଇ ମନ ॥
ତପ ଯେ କରୁଥିଲେ ତହିଁ ।ନାରଦ ମୁନି ତାଙ୍କୁ ଯାଇଁ ॥
କପଟ କରିଣ ବଚନ ।ବୋଇଲେ ଶୁଣ ଦକ୍ଷନାନ ॥
ଉଦ୍ଦେଶ୍ୟ ଭାଇମାନଙ୍କର ।କିମ୍ପାଇ ତୁମ୍ଭେ ଯେ ନ କର ॥
ଭ୍ରାତୃବତ୍ସଳ ତୁମ୍ଭେମାନେ ।ଏ କର୍ମ ନ କର କେସନେ ॥
ଭାଇର ଦୁଃଖେ ଯେହୁ ଦୁଃଖୀ ।ସେ ପ୍ରାଣୀ ସଦାକାଳେ ସୁଖୀ ॥
ତାହାଙ୍କୁ ପୁଣ୍ୟବନ୍ତ କହି ।ଦେବଙ୍କ ସଙ୍ଗେ ଯେହୁ ଥାଇ ॥
ଏମନ୍ତ କହି ତାଙ୍କ ଆଗେ ।ନାରଦ ଗଲେ ଶୂନ୍ୟମାର୍ଗେ ॥
ସେ ପୁଣି ଭାଇମାନଙ୍କର ।ଉଦ୍ଦେଶ୍ୟେ ଗଲେ ନୃପବର ॥
ଭାଇର କ୍ଷୋଭେ ଯେତେ ଗଲେ ।ଅଦ୍ୟାପି ନିବୃତ୍ତ ନୋହିଲେ ॥
ପଶ୍ଚିମ ରାତ୍ର ପ୍ରାୟ ହୋଇ ।ନିବୃତ୍ତ ଆଉ ତାଙ୍କ ନାହିଁ ॥
ଅନେକ କାଳ ଗଲା ଯହୁଁ ।ଦକ୍ଷ ଜାଣିଲେ ପୁଣି ତହୁଁ ॥
ପୁତ୍ରମାନଙ୍କ ନାଶ ଶୁଣି ।ନାରଦ କୃତ୍ୟ ବୋଲି ଜାଣି ॥
ପୁତ୍ର ଶୋକରେ ମୋହି ହୋଇ ।ନାରଦେ ଅତି କ୍ରୋଧ ବହି ॥
ନାରଦ ନିକଟେ ମିଳିଲେ ।ଦେଖି ନାରଦ ଭୟ କଲେ ॥
କିମ୍ପାଇ କ୍ରୋଧରେ ଅଧୀର ।ନାରଦେ ବୋଲନ୍ତି ଉତ୍ତର ॥
ଦକ୍ଷ ଉବାଚଆହୋ ଅସାଧୁ ସାଧୁଙ୍କର ।କଷ୍ଟକୁ କରୁ ତୁ ପାମର ॥
ଯେଣୁ ମୋ ବାଳକଙ୍କୁ ତୁହି ।ଭିକ୍ଷୁକ ମାର୍ଗକୁ ଦେଖାଇ ॥
ତିନି ଋଣରୁ ଯେ ଅମୁକ୍ତ ।ନୋହିଛି କର୍ମ ସମାପତ ॥
ଶ୍ରେୟ କାରଣେ ତାଙ୍କ ତପ ।କମ୍ପା ତୁ ନଷ୍ଟ କଲୁ ପାପ ॥
କେମନ୍ତ ଭକ୍ତ ବୋଲି ତୋତେ ।ସକଳେ ବୋଲନ୍ତି ଜଗତେ ॥
ଈଶ୍ୱର ପାରିଷଦ ହେଉ ।ମନ୍ଦ କର୍ମରେ ନିତ୍ୟେ ଥାଉ ॥
ଯେ ଜନ ବିଷ୍ଣୁ ଭକ୍ତ ହୁଏ ।ପ୍ରାଣୀଙ୍କି କରନ୍ତି ସଦୟେ ॥
ତୁ ମିତ୍ର ଦ୍ରୋହୀ ପାପୀ ଯହୁଁ ।ଏ କର୍ମ କରିବୁ ବା କାହୁଁ ॥
ନିର୍ବେର ଠାରେ ଶତ୍ରୁପଣ ।କିମ୍ପାଇଁ କରୁ ଅକାରଣ ॥
ଶତ୍ରୁଲୋକଙ୍କୁ କ୍ରୋଧଭର ।ତୋ ତହୁଁ ନାହିଁ ନା ଅନ୍ୟର ॥
ମୋହର ଯେଉଁ ସ୍ନେହ ପାଶ ।ଛେଦିଣ କରୁ ତୁ ବିନାଶ ॥
ବିଷୟ କର୍ମ ଯେଉଁ ଜନ ।ନ ଜାଣିଥାଇ ଅନୁଦିନ ॥
ଏମନ୍ତେ ଅଳ୍ପବୁଦ୍ଧି ମନେ ।ହିତ ଅହିତକୁ ନ ଜାଣେ ॥
ତୁ ଯେଉଁ କାରଣରୁ କରି ।ସାଧୁଙ୍କ ଅପ୍ରିୟ ଆଚରି ॥
ମୂଢ଼ ତୁ ଏ କାରଣୁ କରି ।ଲୋକର ମଧ୍ୟରେ ବିହରି ॥
ଭ୍ରମଣ କରୁଥିବୁ ତୁହି ।ସ୍ଥିତି ନୋହିବ ତୋର କାହିଁ ॥
ଶ୍ରୀ ଶୁକ ଉବାଚଅସ୍ତୁ ବୋଲିଣ ଶାପ ଘେନି ।ସାଧୁଜନ ନାରଦ ମୁନି ॥
ଏଣୁକରି ସାଧୁ ଶବଦ ।ସକଳେ ବୋଲନ୍ତି ନାରଦ ॥
ବୋଲଇ ଦାସ ଜଗନ୍ନାଥ ।ସଂସାର ଲୋକହିତେ ଗୀତ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ଷଷ୍ଠସ୍କନ୍ଧେ ନାରଦ ଶାପ କଥନେନାମ ପଞ୍ଚମୋଽଧ୍ୟାୟଃ ।
ଷଷ୍ଠ ଅଧ୍ୟାୟ
ଶ୍ରୀ ଶୁକ ଉବାଚଶୁଣ ରାଜନ ଏ ଅନ୍ତରେ ।ଦକ୍ଷ ଯେ ବ୍ରହ୍ମାଙ୍କ ଆଜ୍ଞାରେ ॥
ଭାର୍ଯ୍ୟା ଅସିକ୍ନୀଙ୍କର ତୁଲେ ।ଷାଠିଏ କନ୍ୟା ଜନ୍ମାଇଲେ ॥
ଧର୍ମକୁ ଦେଲେ କନ୍ୟା ଦଶ ।କଶ୍ୟପେ ଦେଲେ ତ୍ରୟୋଦଶ ॥
ସପ୍ତବିଂଶତି ଚନ୍ଦ୍ର କରେ ।ପ୍ରଦାନ କଲେ ଆନନ୍ଦରେ ॥
ଭୂତ ଅଙ୍ଗିରା କୃଶାଶ୍ୱଙ୍କୁ ।ବେନି ବେନିଟି ଦେଲେ ତାଙ୍କୁ ॥
ଅବଶିଷ୍ଟ ଚାରି କନ୍ୟାଙ୍କୁ ।ଅର୍ପିଲେ ତାର୍କ୍ଷ୍ୟ କାଶ୍ୟପଙ୍କୁ ॥
ପ୍ରଜାପତିଙ୍କ କନ୍ୟା ଯେତେ ।ପୁତ୍ରବତୀ ହେଲେ ସମସ୍ତେ ॥
ତାହାଙ୍କ ନାମ ଭିନ୍ନ ଭିନ୍ନ ।କହିବା ଶୁଣ ହେ ରାଜନ ॥
ଏହାଙ୍କ ପୁତ୍ର ପୌତ୍ରମାନେ ।ପୂର୍ଣ୍ଣ ହୋଇଲେ ତ୍ରିଭୁବନେ ॥
ଧର୍ମ ଯେ କନ୍ୟାଙ୍କୁ ଗ୍ରହଣ ।କଲେ ତାହାଙ୍କ ନାମ ଶୁଣ ॥
ମୁହୁର୍ତ୍ତା ବିଶ୍ୱା ମରୁତ୍ୱତୀ ।ସଂକଳ୍ପା ଲମ୍ୱା କୁକୁଦ୍ବତୀ ॥
ଯାମୀ ବସୁ ଯେ ଭାନୁ ସାଧ୍ୟା ।ଏ ଦଶ ନାମରେ ପ୍ରସିଦ୍ଧା ॥
ମୁହୂର୍ତ୍ତା ଗର୍ଭରୁ ଜନମ ।ମୌହୂର୍ତ୍ତିକ ସେ ଦେବଗଣ ॥
ଏମାନେ ପ୍ରାଣୀ ହିତ ଚିନ୍ତି ।ସ୍ୱକାମ ଫଳକୁ ଦିଅନ୍ତି ॥
ବିଶ୍ୱାର ବିଶ୍ୱ ଦେବଗଣ ।ସୁତା ଯେ ହେଲେ ନିଃସନ୍ତାନ ॥
ଜୟନ୍ତ ମରୁତ୍ୱାନ ଦୁଇ ।ମରୁତ୍ୱତୀର ଗର୍ଭୁ ହୋଇ ॥
ଜୟନ୍ତ ନାମେ ଯେଉଁ ସୁତ ।ବାସୁଦେବର ଅଂଶେ ଜାତ ॥
ଏ ଯୋଗୁ ସଂସାର ମଧ୍ୟର ।ଉପେନ୍ଦ୍ର ନାମ ଖ୍ୟାତ ତାର ॥
ସଂକଳ୍ପ ସଂକଳ୍ପାର ସୁତ ।ତାଠାରୁ କାମ ହେଲା ଜାତ ॥
ଲମ୍ୱାର ତନୟ ବିଦ୍ୟୋତ ।ମେଘ ସକଳ ତାର ସୁତ ॥
କୁକୁଦ ସନ୍ତାନ ସଙ୍କଟ ।ତାହାର ପୁତ୍ର ଯେ କୀକଟ ॥
ଦୁର୍ଗାଭିମାନୀ ଦେବଗଣ ।ତା ଠାରୁ ହୋଇଲେ ଜନମ ॥
ଯାମୀର ପୁତ୍ର ସ୍ୱର୍ଗ ନାମ ।ତା ଠାରୁ ନନ୍ଦୀର ଜନମ ॥
ଦେବର୍ଷଭ ଭାନୁ ନନ୍ଦନ ।ତାହାର ପୁତ୍ର ଇନ୍ଦ୍ରସେନ ॥
ସାଧ୍ୟାରୁ ସୁତ ସାଧ୍ୟଗଣ ।ତା ତହୁଁ ଅର୍ଥ ସିଦ୍ଧ ଜନ୍ମ ॥
ବସୁର ଅଷ୍ଟବସୁ ସୁତ ।କହିବା ଶୁଣ ପରୀକ୍ଷିତ ॥
ଧ୍ରୁବାର୍କ ଅଗ୍ନି ଦୋଷ ଦ୍ରୋଣ ।ବାସ୍ତୁ ଯେ ବିଭାବସୁ ପ୍ରାଣ ॥
ଧରଣୀ ଜାୟା ଯେ ଧ୍ରୁବର ।ତା ଗର୍ଭୁ ଜାତ ନାନା ପୁର ॥
ଅର୍କ ନାମକ ଯେ ବସୁର ।ବାସନା ନାମେ ପତ୍ନୀ ତାର ॥
ତା ତହୁଁ ତର୍ଷାଦି ତନୟ ।ବହୁତ ହୋଇଲେ ଉଦୟ ॥
ଅଗ୍ନିର ଭାର୍ଯ୍ୟା ଧାରା ହେଲେ ।ବହୁ ପୁତ୍ର ସେ ପ୍ରସବିଲେ ॥
ପୁଣି ତା ତହୁଁ ସ୍କନ୍ଦ ହେଲେ ।କୃତ୍ତିକା ପୁତ୍ର ବୋଲାଇଲେ ॥
ଶର୍ବରୀ ରମଣୀ ଦୋଷର ।ତା ତହୁଁ ଜନ୍ମ ଶିଶୁମାର ॥
ଯେ ଶିଶୁମାର ବିଷ୍ଣୁ ଅଂଶେ ।ଜାତ ହୋଇଲେ ବସୁ ବଂଶେ ॥
ଦ୍ରୋଣର ପତ୍ନୀ ଅଭିମତି ।ତା ଗର୍ଭୁ ହୋଇଲେ ଉତ୍ପତ୍ତି ॥
ହରଷ ଭୟ ଶୋକ ଆଦି ।ଜନ୍ମିଲେ ଅଶେଷ ପ୍ରସିଦ୍ଧି ॥
ବାସ୍ତୁ ବନିତା ଆଙ୍ଗୀରସୀ ।ବିଶ୍ୱକର୍ମା ତହୁଁ ପ୍ରକାଶି ॥
ଶିଳ୍ପ କାର୍ଯ୍ୟରେ ସେ ନିପୁଣ ।ଲୋକରେ ହେଲେ ସେ ଭାଜନ ॥
ସେ ବିଶ୍ୱକର୍ମା ବିର୍ଯ୍ୟୁ ଜାତ ।ଚାକ୍ଷୁଷ ମନୁ ନାମେ ସୁତ ॥
ଚାକ୍ଷୁଷ ପୁତ୍ର ବିଶ୍ୱଦେବ ।ସାଧ୍ୟଗଣ ପୁଣି ଉଦ୍ଭବ ॥
ବିଭାବସୁର ତିନି ସୁତ ।ଉଷା ଗର୍ଭରୁ ହେଲେ ଜାତ ॥
ତାହାଙ୍କ ନାମ ଶୁଣ ନୃପ ।ବ୍ୟୁଷ୍ଟ ଯେ ରୋଚିଷ ଆତପ ॥
ଏ ତିନି ପୁତ୍ରଙ୍କ ମଧ୍ୟର ।ଆତପ ଅଟେ ନାମ ଯାର ॥
ତା ଠାରୁ ଦିବସ ଜନମ ।ଯାହାର ନାମ ପଞ୍ଚଯାମ ॥
ଯା ହେତୁ ପ୍ରାଣୀ ଜାଗରିତ ।ସ୍ୱକର୍ମେ ହ୍ୱନ୍ତି ଆତଯାତ ॥
ପ୍ରାଣର ଉର୍ଜ୍ଜନ୍ସ୍ୱତୀ ନାମା ।ପତ୍ନୀ ସେ ଅତି ମନୋରମା ॥
ତା ଗର୍ଭୁ ଏ ତିନି ସମ୍ଭବ ।ଆୟୁ ଯେ ସହ ଗୁରୋଜବ ॥
ଯେ ଦୁଇ କନ୍ୟା ଭୂତ ତୁଲେ ।ଦକ୍ଷ ସନ୍ତୋଷେ ସମର୍ପିଲେ ॥
ଏବେ ସେ ଭୂତଙ୍କର ବଂଶ ।କହିବା ଶୁଣ ନରଈଶ ॥
ଯେ ପତ୍ନୀ ସ୍ୱରୂପା ନାମେଣ ।ତା ଠାରୁ ଜାତ ରୁଦ୍ରଗଣ ॥
ତାହାଙ୍କ ନାମ ଏକ ଏକ ।କହିବା କର ହେ ବିବେକ ॥
ରୈବତ ଅଜ ଭବ ଭୀମ ।ବୃଷା କପି ଯେ ଉଗ୍ର ବାମ ॥
ଅଜୈବ ପାଦ ଅହିବ୍ରଧ୍ନ ।ମହାନ ବହୁରୂପ ନାମ ॥
ଏ ଏକାଦଶ ରୁଦ୍ରଗଣ ।ଜନମ ହେଲେ ପୃଥ୍ୱୀରେଣ ॥
ଅନ୍ୟ ପତ୍ନୀର ଯେତେ ସୁତ ।ପ୍ରେତ ଗଣରେ ହେଲେ ଖ୍ୟାତ ॥
ଅଙ୍ଗୀରସ ପ୍ରଜାପତିର ।ସୁଧାସତୀ ଭାର୍ଯ୍ୟା ତାଙ୍କର ॥
ପୁତ୍ର ଭାବରେ ପିତୃଗଣ ।ସୁଧା ଯେ କଲେକ ପାଳନ ॥
ସତୀର ଅଥର୍ବଙ୍ଗୀରସ ।ସୁତ ହୋଇଲେ ହେ ନରେଶ ॥
କୃଶାଶ୍ୱ ନାମେ ପ୍ରଜାପତି ।ଅର୍ଚ୍ଚି ଧୀଷଣା ତା ଯୁବତୀ ॥
ଧୂମକେତୁ ଯେ ଅର୍ଚ୍ଚିସୁତ ।ଧୀଷଣା ଠାରୁ ଚାରି ପୁତ୍ର ॥
ବେଦଶୀରା ମନୁ ବୟୁନ ।ଦେବଳ ଏ ଚାରି ନନ୍ଦନ ॥
ତାକ୍ଷ୍ୟ ନାମରେ ଯେ କଶ୍ୟପ ।ତା ପତ୍ନୀ ନାମ ଶୁଣ ନୃପ ॥
ବିନତା ପତଙ୍ଗୀ ଯାମିନୀ ।କଦ୍ରୂ ଏ ଚାରୋଟି କାମିନୀ ॥
ବିନତା ଗରୁଡ ଅରୁଣ ।ଦୁଇ ସନ୍ତାନ କଲେ ଜନ୍ମ ॥
ଗରୂଡ ବିଷ୍ଣୁଙ୍କ ବାହନ ।ସୂର୍ଯ୍ୟଙ୍କ ସାରଥି ଅରୁଣ ॥
ପତଙ୍ଗୀଠାରୁ ପକ୍ଷୀ ଜାତ ।ଶଲଭ ଯାମିନୀର ପୁତ୍ର ॥
କଦ୍ରୁର ଗର୍ଭୁ ନାଗ ଯେତେ ।ଉତ୍ପନ୍ନ ହୋଇଲେ ସମସ୍ତେ ॥
କୃର୍ତ୍ତିକା ଆଦି ଯେତେ ଋକ୍ଷ ।ଚନ୍ଦ୍ରଙ୍କ ପତ୍ନୀ ଏ ପ୍ରତ୍ୟକ୍ଷ ॥
ନିତ୍ୟ କେବଳ ରୋହିଣୀର ।ପ୍ରେମରେ ବଶ ଶଶଧର ॥
ଦେଖନ୍ତେ କନ୍ୟାଙ୍କର ଦୁଃଖ ।ଶାପ ବିହିଲେ କୋପେ ଦକ୍ଷ ॥
ସେ ଶାପୁଁ କ୍ଷୟ ରୋଗେ ସୋମ ।ଦିନକୁ ଦିନ ହେଲେ କ୍ଷୀଣ ॥
ଦକ୍ଷକୁ ପ୍ରସନ୍ନ କରାଇ ।କଳା ଲଭିଲେ ପୁଣି ସେହି ॥
କୃଷ୍ଣ ଶୁକ୍ଳରେ ଏହି କଳା ।କ୍ରମରେ କ୍ଷୟ ବୃଦ୍ଧି ହେଲା ॥
କଶ୍ୟପ ପତ୍ନୀମାନଙ୍କର ।କହିବା ନାମର ବିସ୍ତାର ॥
ଯେଉଁମାନଙ୍କ ଗର୍ଭୁ ଜାତ ।ହୋଇଲେ ସକଳେ ଜଗତ ॥
ସେମାନେ ପ୍ରାଣୀମାନଙ୍କର ।ମାତା ଅଟନ୍ତି ନୃପବର ॥
କୀର୍ତ୍ତନ କଲେ ତାଙ୍କ ନାମ ।ପ୍ରାଣୀ ଲଭନ୍ତି ସୁଖ ଧାମ ॥
ତେଣୁ ମୁଁ ତୁମ୍ଭର ନିକଟେ ।ଯାହାର ନାମକୁ ପ୍ରକଟେ ॥
ଅଦିତି ଦିତି ଦନୁ କାଷ୍ଠା ।ସୁରସା ତାମ୍ରା ଯେ ଅରିଷ୍ଠା ॥
ସୁରଭୀ ଈଳା ତିମି ମୁନି ।ସରମା କ୍ରୋଧବଶା ଘେନି ॥
ଏହାଙ୍କର ଯେ ହେଲେ ସୁତ ।କହିବା ଶୁଣ ପରୀକ୍ଷିତ ॥
ଜଳ ଜନ୍ତୁଏ ତିମିଠାରୁ ।ଶ୍ୱାପଦେ ସରମା ଗର୍ଭରୁ ॥
ଗୋରୁ ମହିଷ ଆଦି ଯେତେ ।ଦ୍ୱିଖୁର ପଶୁ ଏ ସମସ୍ତେ ॥
ସୁରଭୀ ଠାରୁ ହେଲେ ଜାତ ।କହିବା ଶୁଣ ତାମ୍ରସୁତ ॥
ଶ୍ୱେନ ଗୃଧାଦି ବିହଙ୍ଗମ ।ମୁନିର ଅପସରୀଗଣ ॥
କ୍ରୋଧାବଶାର ଏ ତନୟ ।ଦନ୍ଦଶୂକ ଯେ ସର୍ପଚୟ ॥
ବୃକ୍ଷ ଲତାଦି ଈଳାତ୍ମଜ ।ସୁରସା ସନ୍ତାନ ଦନୁଜ ॥
ଗନ୍ଧର୍ବେ ଅରିଷ୍ଟାର ପୁତ୍ର ।କାଷ୍ଠାର ଏକଖୁର ସୁତ ॥
ଦନୁ ଗର୍ଭରୁ ହେଲେ ଜାତ ।ଏକ ଅଧିକ ଷଷ୍ଠୀ ସୁତ ॥
ପ୍ରଧାନ ପୁତ୍ର ଅଷ୍ଟାଦଶ ।ତାଙ୍କ ନାମ ଶୁଣ ନରେଶ ॥
ଦ୍ୱିମୂର୍ଦ୍ଧା ଅରିଷ୍ଟ ସମ୍ବର ।ହୟଗ୍ରୀବ ଯେ ଶଙ୍କୁଶିର ॥
ବିଭାବସୁ ସେ ଅୟୋମୁଖ ।ଅନୁତାପନ ବିରୁପାକ୍ଷ ॥
ସ୍ୱର୍ଭାନୁ କପିଳ ଅରୁଣ ।ପୁଲୋମା ଏକଚକ୍ର ଜାଣ ॥
ବୃଷପର୍ବା ଯେ ଧୂମକେଶ ।ଦୁର୍ଜ୍ଜୟ ବିପ୍ରଚିତ୍ତ ଶେଷ ॥
ସ୍ୱର୍ଭାନୁ ଦୁହିତା ସୁପ୍ରଭା ।ନମୁଚି ତାକୁ ହେଲେ ବିଭା ॥
ବୃଷପର୍ବାର କନ୍ୟା ଜାତ ।ଶର୍ମିଷ୍ଠା ନାମରେ ବିଦିତ ॥
ନହୁଷ ପୁତ୍ର ଯଯାତିଙ୍କୁ ।ବିବାହ କଲେ ସେ କନ୍ୟାକୁ ॥
ଦନୁର ପୁତ୍ର ବୈଶ୍ୱାନର ।ଚାରୋଟି କନ୍ୟା ହେଲେ ତାର ॥
ସେମାନେ ପରମାସୁନ୍ଦରୀ ।କହିବା ନାମ ତାହାଙ୍କରି ॥
ହୟଶିରୀ ଉପଦାନବୀ ।କାଳକା ପୁଲୋମା ସମ୍ଭବି ॥
ଉପଦାନବୀ ବିଭା ହେଲେ ।ହିରଣାକ୍ଷ ଦାନବ ତୁଲେ ॥
ହୟଶିରୀ ନାମେ ସୁନ୍ଦରୀ ।କ୍ରତୁର ସେହି ହେଲା ନାରୀ ॥
ବ୍ରହ୍ମାଙ୍କ ଆଦେଶରୁ କରି ।କଶ୍ୟପ ବିଭା ବେନି ନାରୀ ॥
କାଳକା ପୁଲୋମା ଏ ଦୁଇ ।କଶ୍ୟପ ତାଙ୍କୁ ବିଭା ହୋଇ ॥
ଏ ଦୁଇ କନ୍ୟାଙ୍କ ଗର୍ଭରୁ ।ଦାନବେ କଶ୍ୟପ ବୀର୍ଯ୍ୟରୁ ॥
ଷାଠିଏ ସହସ୍ର ସମ୍ଭୂତ ।ସର୍ବେ ହୋଇଲେ ବଳବନ୍ତ ॥
ଇନ୍ଦ୍ରର ଅପ୍ରିୟ କରନ୍ତି ।ନିତ୍ୟେ କୁକର୍ମ ଆଚରନ୍ତି ॥
ସର୍ବଦା ଯୁଦ୍ଧେ ରତ ହେଲେ ।ଋଷିଙ୍କ ଯାଗ ବିନାଶିଲେ ॥
ପିତୃର ପିତୃ ଯେ ତୁମ୍ଭର ।ଅର୍ଜ୍ଜୁନ ନାମ ତାହାଙ୍କର ॥
ସ୍ୱର୍ଗକୁ ଯାଇ କଲେ ନଷ୍ଟ ।ଦାନବ ବଳବନ୍ତ ଦୁଷ୍ଟ ॥
ଦାନବ ବିପ୍ରଚିତ୍ତି ନାରୀ ।ସିଂହିକା ନାମଟି ତାହାରି ॥
ଏକ ଅଧିକେ ଶତେ ସୁତ ।ତା ଗର୍ଭୁ ହୋଇଲେ ସମ୍ଭୂତ ॥
ରାହୁ ତା ପ୍ରଥମ ନନ୍ଦନ ।ସର୍ବ କନିଷ୍ଠ କେତୁ ନାମ ॥
ସେ ସର୍ବ ଗ୍ରହ ମାନଙ୍କରେ ।ବିଖ୍ୟାତ ହୋଇଲେ ସଂସାରେ ॥
ଏଥୁ ଅନ୍ତରେ ନୃପବର ।ଅଦିତି ବଂଶର ବିସ୍ତାର ॥
କହିବା ମନଦେଇ ଶୁଣ ।ଆପଣା ଅଂଶେ ନାରାୟଣ ॥
ଯେଉଁ ବଂଶରେ ଜାତ ହେଲେ ।ତାହା କହିବା ଶୁଣ ଭଲେ ॥
ଅର୍ଯ୍ୟମା ପୁଷ ବିବସ୍ୱାନ ।ତ୍ୱଷ୍ଟା ସବିତା ଊରୁକ୍ରର୍ମ ॥
ବରୁଣ ଧାତା ଭଗମିତ୍ର ।ଶକ୍ର ଏ ଅଦିତିର ପୁତ୍ର ॥
ବିବସ୍ୱାନଙ୍କ ଔରସରେ ।ଯେ ଜାତ ସଂଜ୍ଞାଙ୍କ ଗର୍ଭରେ ॥
ସେ ଶ୍ରାଦ୍ଧଦେବ ମନୁ ନାମେ ।ଖ୍ୟାତ ହୋଇଲେ ଧରାଧାମେ ॥
ଭାଗ୍ୟବତୀ ଯାମୀ ଏ ଦୁଇ ।ଯମ ଯମୁନା ପ୍ରସବଇ ॥
ଯେ ଯାମୀ ବଡବା ରୂପରେ ।ବିଖ୍ୟାତ ହେଲେ ଅବନୀରେ ॥
ତାଠାରୁ ଅଶ୍ୱିନୀ କୁମାର ।ବେନି ଜନ୍ମିଲେ ନୃପବର ॥
ଛାୟାରେ ଶନୈଶ୍ଚର ସୁତ ।ବିବସ୍ୱାନର ବିର୍ଯ୍ୟୁ ଜାତ ॥
ଏ ଅନନ୍ତରେ ତାର ତହିଁ ।ସାବର୍ଣ୍ଣିମନୁ ଜାତ ହୋଇ ॥
ପୁଣି କନ୍ୟାଏ ହେଲା ଜନ୍ମ ।ତାହାର ପତି ସମ୍ଭରଣ ॥
ମାତୃକା ପତ୍ନୀ ଅର୍ଯ୍ୟମାର ।ବହୁତ ସୁତ ହେଲେ ତାର ॥
ଏ ପୁତ୍ରମାନଙ୍କ ବୁଦ୍ଧିରେ ।ଆତ୍ମାନୁସନ୍ଧାନ ବେଭାରେ ॥
ଏ ସର୍ବମାନୁଷୀ ଜାତିର ।କଳ୍ପନା କଲେ ବେଦବର ॥
ପୂଷା ହୋଇଲା ଅନପତ୍ୟ ।ପୁଣି ସେ ଅଟଇ ଅଦନ୍ତ ॥
ଭକ୍ଷଇ ପିଷ୍ଟଦ୍ରବ୍ୟମାନ ।କହିବା ତହିଁର କାରଣ ॥
ପୂର୍ବକାଳରେ ଦକ୍ଷ ପ୍ରତି ।କୁପିତ ହେଲେ ଉମାପତି ॥
ତା ଦେଖି ପୂଷା ନିଜ ଦନ୍ତ ।ଦେଖାଇ ହସିଲା ବହୁତ ॥
ଏଣୁ ତା ଦନ୍ତ ଭଗ୍ନ ହୁଏ ।ଏବେ କହିବା ଶୁଣ ରାୟେ ॥
ଉଚନା ନାମେ ଦୈତ୍ୟାତ୍ମଜା ।ସେ ତ୍ୱଷ୍ଟା ପ୍ରଜାପତି ଭାର୍ଯ୍ୟା ॥
ଏହାଙ୍କ ସୁତ ଶୁଣ ନୃପ ।ସନ୍ନିବେଶ ଯେ ବିଶ୍ୱରୂପ ॥
ବିଶ୍ୱରୂପ ଯେ ବୀର୍ଯ୍ୟବନ୍ତ ।ଦାନବ କୁଳର ଦୌହିତ୍ର ॥
ତଥାପି ପୁରୋହିତ ପଣେ ।ବରଣ କଲେ ଦେବଗଣେ ॥
ଗୁରୁଙ୍କଠାରୁ ଦେବଗଣ ।ଯେଣୁ ପାଇଲେ ଅପମାନ ॥
ସେ କଥା ସୁଜ୍ଞଜନ ହିତେ ।ଏ ଷଷ୍ଠସ୍କନ୍ଧ ଭାଗବତେ ॥
ବୋଲଇ ବିପ୍ର ଜଗନ୍ନାଥ ।ଦକ୍ଷଙ୍କ ସୃଷ୍ଟି ଏ ଜଗତ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂବୈୟାସିକ୍ୟାଂ ଷଷ୍ଠସ୍କନ୍ଧେ ଦକ୍ଷକନ୍ୟା ବଂଶ ବର୍ଣ୍ଣନେନାମ ଷଷ୍ଠୋଽଧ୍ୟାୟଃ ।