ନବମ ଅଧ୍ୟାୟ — ଶ୍ରୀମଦ୍ ଭାଗବତ (ସପ୍ତମ ସ୍କନ୍ଧ) — ଜଗନ୍ନାଥ ଦାସ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ନବମ ଅଧ୍ୟାୟ
ନାରଦ ଉବାଚବ୍ରହ୍ମାଦି ଯେତେ ଦେବ ଗଣେ ।ନୃସିଂହ ମୂରତି ଭୀଷଣେ ॥
ମନରେ ନାନା ସ୍ତୁତି କଲେ ।ସମୀପେ ରହି ନ ପାରିଲେ ॥
ଲକ୍ଷ୍ମୀଙ୍କୁ ଆଣି ଦେବଗଣେ ।ବିଶ୍ୱାସେ ନମିଲେ ଚରଣେ ॥
ବୋଲନ୍ତି ଶୁଣ ଜଗନ୍ନାତ ।ଶାନ୍ତି କରାଅ ତୋର କାନ୍ତ ॥
ଦେବଙ୍କ ବଚନେ କମଳା ।ଭାବେ କେତେହେଁ ଦୂର ଗଲା ॥
ଅଦୃଷ୍ଟ ଉଗ୍ରରୂପ ଚାହିଁ ।ଭୟରେ ନ ପାରିଲେ ଯାଇ ॥
ନିକଟେ ପ୍ରହଲାଦ ଆଣି ।ବିଶ୍ୱାସେ କହେ କୁଶପାଣି ॥
ନୃସିଂହ ପାଶେ ବେଗେ ଯାଅ ।ସ୍ତୁତିରେ ତୋଷ କରି କହ ॥
ଭୟେ ନପାରୁ ଆମ୍ଭେ ଯାଇ ।ତକ୍ଷଣେ ବ୍ରହ୍ମା ଆଜ୍ଞା ପାଇ ॥
ନୃସିଂହ ନିକଟେ ମିଳଇ ।କର ଅଞ୍ଜଳି ଶିରେ ଦେଇ ॥
ଚରଣ ତଳେ ଶିର ଦେଇ ।ନମିଲା ଦଣ୍ଡବତ ହୋଇ ॥
ଦେଖି ନୃସିଂହ ଦୟା ଚିତ୍ତେ ।ସାନନ୍ଦେ ଧରି ତାକୁ ହସ୍ତେ ॥
ଭୂମିରେ ତୋଳି ବସାଇଲେ ।ହସ୍ତ ପଙ୍କଜ ଶିରେ ଦେଲେ ॥
ସେ ପଦ୍ମ ହସ୍ତର ମହିମା ।କି ଗୁଣେ କରିବା ଉପମା ॥
କାଳ ଭୁଜଙ୍ଗ ଭୟେ ଯାଇ ।ଯେ ପ୍ରାଣୀ ଶରଣ ପଶଇ ॥
ସେ ପଦ୍ମକର ରଖେ ତାରେ ।ପ୍ରାଣୀ ବଞ୍ଚଇ ସୁଖ ଭରେ ॥
ନୃସିଂହ ଶିର ଲାଗି ଶିରେ ।ଅସୁର ଦୋଷ ଗଲା ଦୂରେ ॥
ତକ୍ଷଣେ ଜ୍ଞାନ ପ୍ରକାଶିଲା ।ସ୍ୱଭାବେ ଅସୁରର ବଳା ॥
ନୃସିଂହ ଚରଣ କମଳେ ।ମନ ନିରୋପିଲା ନିଶ୍ଚଳେ ॥
ଲୋମ ପୁଲକ ତାର ଦେହୀ ।ଆନନ୍ଦେ ଅଶ୍ରୁଜଳ ବହି ॥
ଶିରେ ନିବେଶି ଦୃଷ୍ଟି କରି ।ସେ ରୂପ ଅନ୍ତର୍ଗତେ ପୂରି ॥
କର ଅଞ୍ଜଳି ବେନି ପାଣି ।ପ୍ରେମ ପୁଲକେ କହେ ବାଣୀ ॥
ବ୍ରହ୍ମାଦି ଦେବଙ୍କ ବିଷୟେ ।ଯେଣେ ନୃସିଂହ ଦୟା ବହେ ॥
ଆତ୍ମାର ନିସ୍ତାରଣ ଅର୍ଥେ ।ସଂସାରୁ ତରିବା ନିମନ୍ତେ ॥
ତ୍ରିଚତ୍ୱାରିଂଶ ପଦ ଶ୍ଳୋକେ ।ସ୍ତୁତି କରଇ ଏକେ ଏକେ ॥
ପ୍ରହଲାଦ ଉବାଚବ୍ରହ୍ମାଦି ସିଦ୍ଧ ମୁନିଗଣେ ।ସ୍ୱଭାବେ ସାତ୍ତ୍ୱିକ ଲକ୍ଷଣେ ॥
ଅମୃତ ବଚନ ପ୍ରବାହେ ।ନିର୍ମଳ ବିଶୁଦ୍ଧ ହୃଦୟେ ॥
ନାନା ପ୍ରକାରେ ସ୍ତୁତି କରି ।ଆରାଧି ନ ପାରିଲେ ହରି ॥
ମୁଁ ଛାର ଅସୁର ହୋଇଣ ।କାହୁଁ ତୋଷିବି ନାରାୟଣ ॥
ଧନ୍ୟ କୌଳିନ୍ୟ ଜପ ତପ ।ପ୍ରଭାବ ଶ୍ରୁତି ତେଜ ରୂପ ॥
ବଳ ପୌରୁଷ ବୃଦ୍ଧି ଯୋଗ ।ବିଭୂତି ସୁବିପୁଳ ଭୋଗ ॥
ଏ ଆଦି ଯେତେ ଗୁଣ ଗ୍ରାମ ।ନ ହୁଏ ବିଷ୍ଣୁ ତୋଷେ କ୍ଷମ ॥
ଭକ୍ତିରେ ଭଗବାନ ତୋଷ ।ଗଜର ପୂର୍ଣ୍ଣ କଲେ ଆଶ ॥
ବିପ୍ର ଦ୍ୱାଦଶ ଗୁଣେ ଯୁକ୍ତ ।ସେ ଯେବେ ନୁହେଁ ବିଷ୍ଣୁ ଭକ୍ତ ॥
ସେ ବିପ୍ର ଶ୍ରେଷ୍ଠ ନ ବୋଲାଇ ।ସଂସାରୁ ତରିବ ସେ କାହିଁ ॥
ଯେବେ ଦ୍ୱାଦଶ ଗୁଣ ଧରେ ।ସେ ବିପ୍ର ସଂସାର ବେଭାରେ ॥
ସ୍ୱଭାବେ ସତ୍ୟ ଶମ ଦମ ।ଅହିଂସା ତପ କ୍ଷମା ଧର୍ମ ॥
ଅପରେ ଦାନ ଯଜ୍ଞ ଧୃତି ।ବିକାରେ ଶ୍ରୁତି ଅବିକୃତି ॥
ଦ୍ୱାଦଶ ବ୍ରାହ୍ମଣ ଲକ୍ଷଣ ।ବେଦେ ବର୍ଣ୍ଣିତ ଯେତେ ଗୁଣ ॥
ଏମନ୍ତ ବିପ୍ତ ହୋଇ ଯେବେ ।ଭକ୍ତି ନ କରେ ବିଷ୍ଣୁ ଭାବେ ॥
ସେ ବିପ୍ର ଶ୍ୱପଚ ବୋଲାଇ ।ସଂସାରୁ ତରିବ ସେ କାହିଁ ॥
ଚଣ୍ଡାଳ ଜନ୍ମ ହୋଇ ଯେବେ ।ମନ ବଚନେ ବିଷ୍ଣୁ ଭାବେ ॥
ଆତ୍ମା ପବିତ୍ର ଯେବେ କରେ ।ଚଣ୍ଡାଳ ଜନ୍ମୁ ସେ ନିସ୍ତରେ ॥
ବ୍ରାହ୍ମଣ ସର୍ବମାନ୍ୟ ହୋଇ ।ଆତ୍ମା ଉଦ୍ଧାରି ନ ପାରଇ ॥
ସେ ହରି ନିତ୍ୟଭାବେ ପୂର୍ଣ୍ଣ ।ଆତ୍ମା ପ୍ରକାଶ ନିରଂଜନ ॥
ସେ କାହିଁ ଅଜ୍ଞାନ ସଂକଳ୍ପେ ।ଆବର ପ୍ରଜା ନାନା କଳ୍ପେ ॥
ତେଣୁ ସେ ଦୟାଳୁ ବୋଲାଇ ।ଏଣୁ ଭରସା ପ୍ରାଣୀ ବହି ॥
କରନ୍ତି ପୂଜା ବିଧି ଯେତେ ।ଆତ୍ମା ମଙ୍ଗଳ ପ୍ରାପ୍ତି ଅର୍ଥେ ॥
ସ୍ୱଭାବେ ନିଜ ଆତ୍ମା ଦେଶ ।ଯେସନେ ଦର୍ପଣେ ପ୍ରକାଶ ॥
ତେଣୁ ଭରସା କଲି ମୁହିଁ ।ଈଶ୍ୱର ମହିମା ବର୍ଣ୍ଣଇ ॥
ଯଦ୍ୟପି ନୀଚେ ଜନ୍ମ ମୋର ।ସ୍ତବରେ ନାହିଁ ଅଧିକାର ॥
ତଥାପି ବୁଦ୍ଧି ଅଳ୍ପ ମୋର ।ମନ ବଚନେ ଅଧିକାର ॥
ମନ ବଚନେ ଏ ସଂସାରେ ।ଅବିଦ୍ୟା ଅଶେଷ ପ୍ରକାରେ ॥
କର୍ମର ବଳେ ସଞ୍ଚରଇ ।ହରି ଭଜନେ ଏ ତରଇ ॥
ତୁ ସତ୍ୟ ଧର୍ମ ଦାମୋଦର ।ମୁହିଁ ଯେ କିଙ୍କର ତୋହର ॥
ବ୍ରହ୍ମାଦି ଯେତେ ଦେବଗଣେ ।ସେ ସର୍ବେ ତୋହର ଚରଣେ ॥
ତୋତେ ଡରନ୍ତି ଭୟ ଚିତ୍ତେ ।ପାଦେ ସେବନ୍ତି ଅବିରତେ ॥
ଏଣୁ ସଂସାର ରକ୍ଷା ଅର୍ଥେ ।ତୋ ଅବତାର ଏ ଜଗତେ ॥
ଏଣୁ ଏ କୋପ ତୁ ସଂହର ।ତୁ ନାଥ ଜଗତ ଈଶ୍ୱର ॥
ତୁ ଯେ ଅସୁର ହତ କଲୁ ।ସଂସାର ଭୟ ନିବାରିଲୁ ॥
ଆନନ୍ଦ ସାଧୁଙ୍କର ମନେ ।ସର୍ପ ବୃଶ୍ଚିକ ନାଶେ ଯେହ୍ନେ ॥
ଲୋକ ନିବୃତ୍ତ ଉପାଦାନେ ।ଭଜିଲେ ତୋହର ପ୍ରସନ୍ନେ ॥
ଏବେ ଏ ଭୀମରୂପ ହର ।ଶୁଣ ହେ ପ୍ରଭୁ ଚକ୍ରଧର ॥
ଜିହ୍ୱା ଚଞ୍ଚଳ ସୌଦାମିନୀ ।ପ୍ରଳୟାନ୍ୱିତ ନେତ୍ର ବେନି ॥
ଭ୍ରୂକୁଟି କୁଟିଳ ପ୍ରଚଣ୍ଡ ।ଦୁଷ୍ଟ କରାଳ ପାଟି ତୁଣ୍ଡ ॥
ଅସୁର ହୃଦୟ ରୁଧିରେ ।ଅଙ୍ଗେ ତୋ ପୁଷ୍ପମାଳା ଭରେ ॥
କେଶର ଦିଶେ ଗୌରବର୍ଣ୍ଣ ।ରୁଧିରେ ରଙ୍ଗ ବେନିକର୍ଣ୍ଣ ॥
ତୁମ୍ଭର ଘୋର ନାଦ ଶୁଣି ।ପ୍ରଳୟ ବଜ୍ର ପ୍ରାୟ ମଣି ॥
ଅଇରାବତ ଆଦି ନାଗେ ।ପଳାଇ ଗଲେ ଅଷ୍ଟ ଦିଗେ ॥
ଅନଳ ପ୍ରାୟେ ନଖ କାନ୍ତି ।ଅସୁର ରୁଧିର ପିବନ୍ତି ॥
ଏମନ୍ତ ରୂପ ତୋର ଚାହିଁ ।ଭୋ ନାଥ ମୋର ଭୟ ନାହିଁ ॥
ତୁ ନାଥ ଶରଣ ବତ୍ସଳ ।ଅଭୟ ଆତ୍ମା ଆଦିମୂଳ ॥
ସଂସାରେ ତୋର ଚକ୍ରେ ପଡ଼ି ।ଆତ୍ମାର ନିଜ ପଥ ହୁଡ଼ି ॥
ଯେ ମାୟାଚକ୍ରେ ଜୀବ ଘେନି ।ବୃଥା ଭ୍ରମଇ ନାନା ଯୋନି ॥
ସେ ଚକ୍ରେ ବଦ୍ଧ ମୋ ଜୀବନ ।ଏଣୁ ହରଇ ନିଜ ଜ୍ଞାନ ॥
ଶରଣ ତୋ ପାଦ କମଳେ ।ତ୍ରାହି କରିବ ଆଦି ମୂଳେ ॥
ତୋତେ ନ ଭଜି ନାରାୟଣ ।ମୋର ଜୀବନ ଗତି ଶୂନ୍ୟ ॥
ଏ ଘୋର ସଂସାର ସାଗରେ ।ଜନ୍ମ ମରଣ ଅଭ୍ୟନ୍ତରେ ॥
ସଂଯୋଗ ବିଯୋଗ ଅଜ୍ଞାନେ ।ଦୁଃଖ ଯେ ସୁଖ ହୁତାଶନେ ॥
ଏ ଦେହେ ସର୍ବ ଦୋଷ ବ୍ୟାଧି ।ତୋର ଚରଣ ମହୌଷଧି ॥
ସେ ପାଦ ଛାଡ଼ି ମୁହିଁ ଦୂରେ ।ଭ୍ରମଇ ଘୋର ଅନ୍ଧକାରେ ॥
ଏବେ ଏମନ୍ତ ଆଜ୍ଞା କର ।ଯେମନ୍ତେ ପାଦେ ସେବୁ ତୋର ॥
ତୁ ନାଥ ପ୍ରାଣୀଙ୍କ ଜୀବନ ।ପ୍ରିୟ ଦେବତା ବନ୍ଧୁଜନ ॥
ତୋର କୀର୍ତ୍ତନ ଲୀଳା କଥା ।ବିରଞ୍ଚି ସଭା ମଧ୍ୟେ ଗୀତା ॥
ମୁଁ ତୋର ଲୀଳା ଭାବ ଗୁଣି ।ତରିବି ଭବ ତରଙ୍ଗିଣୀ ॥
ସେ ପାଦପଦ୍ମ ମନ ମଧ୍ୟେ ।ଯେ ଅବା ଚିନ୍ତନ୍ତି ଆନନ୍ଦେ ॥
ତାହାଙ୍କ ସଙ୍ଗେ ମୋତେ କର ।ଏ ମାୟା ସଂସାରୁ ଉଦ୍ଧର ॥
ବାଳକ ରକ୍ଷଣ ସଂସାରେ ।ପିତା ମାତାହୁଁ ନାହିଁ ପରେ ॥
ଭୀଷଣ ସମୁଦ୍ର ଲଙ୍ଘନେ ।ପ୍ରାଣୀଙ୍କୁ ନଉକା ଯେସନେ ॥
ପଥ ତୃଷିତ ପ୍ରାଣୀ ଯେହ୍ନେ ।ଜୀବନ ରଖେ ଜଳପାନେ ॥
ତେମନ୍ତେ ତୋହର ଚରଣ ।ଏଣୁ ମୁଁ ପଶିଲି ଶରଣ ॥
ଭୋ ନାଥ ତୋର ମାୟାବଳେ ।ପ୍ରକୃତି ଏ ମାୟା ଶୟଳେ ॥
କାଳର ବଳେ ସଙ୍ଗ ହୋଇ ।ଯାହାକୁ ଯେଣେ ସଂଯୋଗଇ ॥
ଏଣେ କାହାକୁ ନ ଯୋଗାଇ ।ସେ ଫଳି ପରହସ୍ତେ ହୋଇ ॥
ତାକୁ ଆସଇ କାହିଁ ଥୋଇ ।କାହାକୁ କାହା ନେଇ ଦେଇ ॥
ଜୀବର କରେ ନାନା ଗତି ।ଏମନ୍ତ ପ୍ରଧାନ ପ୍ରକୃତି ॥
ସେ ଜୀବ ତାର ସଙ୍ଗେ ରହେ ।ଭାବେ ଭ୍ରମଇ ସର୍ବ ଦେହେ ॥
ଏ ଜୀବ ତୋର ଅଂଶୁ ଜାତ ।ଯାହାର ବଶ ଏ ଜଗତ ॥
ତାହାକୁ କର୍ମମୟ କରି ।ଏ ମାୟା ଯମ ରୂପ ଧରି ॥
କାଳର ବଳେ ବଶ ହୋଇ ।ବେଦ ବଚନେ ବଦ୍ଧ ଯହିଁ ॥
ସଂସାର କ୍ରୀଡ଼ା ଘେନି କରେ ।କର୍ମେ ଭ୍ରମଇ ଅତିଖରେ ॥
ଦଶ ଇନ୍ଦ୍ରିୟ ମନ ସଙ୍ଗ ।ଶବ୍ଦ ସ୍ପରର୍ଶ ରୂପ ଗନ୍ଧ ॥
ରସେ ରସଇ ସର୍ବକାଳେ ।ଏମନ୍ତ ଭ୍ରମେ ସବୁବେଳେ ॥
ଏମନ୍ତ ଚକ୍ରେ ଜୀବ ବସି ।କର୍ମ ବିଷୟା ରସେ ରସି ॥
ଚକ୍ରେ ଭ୍ରମଇ ଦୁଃଖ ସହି ।ତାବତ ଆତ୍ମା ମୋକ୍ଷ କାହିଁ ॥
ନିତ୍ୟ ଜୀବିତ ଆତ୍ମା ଗୁଣ ।ସ୍ୱତେଜ ବଳେ ନାରାୟଣ ॥
କାଳକୁ ଆତ୍ମା ବଶକରି ।ବିଷୟା ଶକ୍ତିକୁ ଆବୋରି ॥
ସେ ସୃଷ୍ଟି କାଳଚକ୍ରେ ଥାଇ ।ସେ ଚକ୍ରେ ଜୀବକୁ ବସାଇ ॥
ପେଡ଼ଇ ଇକ୍ଷୁଯନ୍ତ୍ର ପ୍ରାୟେ ।ତେଣୁ ପୀଡ଼ଇ ମୋର କାୟେ ॥
ଏବେ ମୁଁ ତୋ ଚରଣଗତେ ।ଚକ୍ରୁ ଉଦ୍ଧର ନାଥ ମୋତେ ॥
ଏବେ ମୁଁ ଦେଖିଲି ପ୍ରତ୍ୟକ୍ଷେ ।ଭୋ ନାଥ ମୋହର ସମକ୍ଷେ ॥
ବ୍ରହ୍ମାଣ୍ଡ ମଧ୍ୟେ ଯେତେ ଦେବା ।ମନୁଷ୍ୟ କରି ତାଙ୍କୁ ସେବା ॥
ଇଚ୍ଛନ୍ତି ଅଇଶ୍ୱର୍ଯ୍ୟ ଭୋଗ ।ସାତ୍ତ୍ୱିକ ସଂଯୋଗ ବିଯୋଗ ॥
ଏ ଦେବେ ମୋର ପିତାତ୍ରାସେ ।ଦଣ୍ଡେ ନ ଥାନ୍ତି ଅବକାଶେ ॥
ଦ୍ରହାସ ଭ୍ରୂକୁଟୀ କୁଟିଳ ।ଭୟେ ଡରଇ ଆଖଣ୍ଡଳ ॥
ତୁ ଏବେ ଏହାକୁ ସଂହାରି ।ରଖିଲୁ ସର୍ବଦେବ ଶିରୀ ॥
ତେଣୁ ମୁଁ ପ୍ରାଣୀଙ୍କ ବିଶ୍ୱାସେ ।ଯେ ଫଳ ଏ ଭୂତ ଭବିଷ୍ୟେ ॥
ଆତ୍ମା ସଂଯୋଗ ପ୍ରିୟ ଅର୍ଥେ ।ଇନ୍ଦ୍ରିୟ ସୁଖ ପରମାର୍ଥେ ॥
ଏ ସର୍ବ ବାଞ୍ଛି ତୋର ବଳେ ।କାଳ ହରଇ ଅବହେଳେ ॥
ତେଣୁ ମୋହର ନାହିଁ କାର୍ଯ୍ୟ ।ଚରଣେ ରଖ ଦେବରାଜ ॥
ତୋ ମାୟା ଅଶେଷ ସଂସାରେ ।ସ୍ୱପ୍ନ ମୃଗତୃଷ୍ଣା ଆକାରେ ॥
ଯେ କରେ ରୋଗର ମହିମା ।ଅଶେଷ ରୋଗଙ୍କର ସୀମା ॥
ଏ ସର୍ବ ସ୍ତୁତି ମୁହଁ ଶୁଣି ।ସ୍ୱପ୍ନ ପ୍ରାୟେକ ପରିମାଣି ॥
ଅଛଇ ତୋର ମାୟା ମୋହେ ।କେବେହେଁ ବିରକତ ନୁହେଁ ॥
କାମ ଅନଳ ସୁଖେ ଲଭେ ।ଯେମନ୍ତେ ନିବୃତ୍ତି ସମ୍ଭବେ ॥
ମୋହର ଜନ୍ମର ଲକ୍ଷଣ ।ଅଧିକ ତାମସ ପ୍ରମାଣ ॥
ଅସୁର କୁଳେ ମୋର ଦେହୀ ।ତୋ ତହୁଁ ଅନ୍ୟ ମୋରନାହିଁ ॥
ତୁ ହସ୍ତେ ମୋର ଶିର ଆଣି ।ପ୍ରସନ୍ନେ ଦେଲୁ ପଦ୍ମପାଣି ॥
ତୋର ପ୍ରସାଦେ ପଦ୍ମନାଭ ।ବ୍ରହ୍ମା ଶଙ୍କରେ ଯେ ଦୁର୍ଲ୍ଲଭ ॥
କମଳା ତୋର ପାଦେ ଥାଇ ।ତୋ ପାଦ ଲଭି ନ ପାରଇ ॥
ତୋର ମହିମା ଭାବଗ୍ରାହୀ ।ପର ଅପର ତୋର ନାହିଁ ॥
ଏ ଜୀବ ପରାପର ଜାଣେ ।ସଂସାର ଗତି ପରିମାଣେ ॥
ଉତ୍ତମେ ସେବି ତୋ ଚରଣେ ।ସେ ପ୍ରାଣୀ ଖଟେ ଅନୁକ୍ଷଣେ ॥
ସେ ପାଦ ତାରେ ଦୟା କରେ ।ପ୍ରସନ୍ନେ ସର୍ବ ଦୁଃଖ ହରେ ॥
ସେବାନୁରୂପେ ଫଳ ଦେଇ ।ପର ଅପର ତୋର ନାହିଁ ॥
ଏମନ୍ତ ଭବବନ୍ଧ କୂପେ ।ଅନ୍ତେ ପୀଡ଼ିତ କାଳସର୍ପେ ॥
ସେ କୂପେ ପଡ଼ି ସର୍ବଜନେ ।କାମ କଳ୍ପନ୍ତି ନିତ୍ୟମନେ ॥
ତାହାଙ୍କ ସଙ୍ଗ ଫଳ ପାଇ ।ସେ କାମ କଳ୍ପୁଥାଇ ମୁହିଁ ॥
ନାରଦ ମୁନି ମହାଶୟ ।ସେ ମୋତେ କଲେ ଅନୁଗ୍ରହ ॥
ଏଣୁ ସାଧୁଙ୍କ ସଙ୍ଗେ ବଢ଼ି ।ତୋଷେ ମୋ ବାଳମତି ଛାଡ଼ି ॥
ଅନନ୍ତ ମୋ ପ୍ରାଣ ରକ୍ଷଣ ।ପିତାର ମରଣ କାରଣ ॥
ଭକ୍ତ ବାକ୍ୟ ରକ୍ଷଣ ଅର୍ଥେ ।ତୋ ଅବତାର ଏ ଜଗତେ ॥
ମୋ ପିତା ଖଡ଼୍ଗ ଧରି କରେ ।ପ୍ରତିଜ୍ଞା କଲା ମୋ ଆଗରେ ॥
ବୋଇଲା ଦେଖା ତୋ ଈଶ୍ୱର ।ନୋହିଲେ ଛେଦିବି ତୋ ଶିର ॥
ମୁହିଁ ଈଶ୍ୱର ତିନିପୁରେ ।ମୋ ତହୁଁ ଅଛି କେବା ପରେ ॥
ଏଣୁ ମୋ ବାକ୍ୟ ସତ୍ୟ କରି ।ତୋହର ରୂପ ନରହରି ॥
ତୁ ଏ ଜଗତ ରୂପଧରି ।ସଂସାର ମଧ୍ୟେ ବିଜେକରି ॥
ପ୍ରକାଶୁସ୍ଥୂଳ ସୂକ୍ଷ୍ଣରୂପେ ।ନିର୍ଲେପ ହୋଇ ଏକରୂପେ ॥
ସଗୁଣେ ଭଜୁ ଗୁଣମୟେ ।ମାୟା ପ୍ରକାଶୁ ନାନା ଦେହେ ॥
ବିହରୁ ଗୁଣ ମଧ୍ୟେ ପଶି ।କେ କହେ ତୋ ଗୁଣ ବିଶେଷି ॥
ସତ୍ୟ ଅସତ୍ୟ ଏ ଜଗତ ।ତୋ ତହୁଁ ନୁହେ ଭିନ୍ନମତ ॥
ମାୟାରେ ଆତ୍ମା ପରକାରେ ।ଅଶେଷ ବୃଦ୍ଧିର ବିଚାରେ ॥
ସ୍ଥିତି ପାଳକ ଅନ୍ତଦୃଷ୍ଟି ।ତରୁ ପଲ୍ଲବ ପ୍ରାୟ ସୃଷ୍ଟି ॥
ଜଗତେ ତୁହି ମାୟା ବଳେ ।ଆତ୍ମାରେ ଥାଉ ତୁ ନିଶ୍ଚଳେ ॥
ସୃଷ୍ଟି ସଂହାରି ମାୟାବଳେ ।ନାଗ ଶୟନ ତୁ ନିଶ୍ଚଳେ ॥
ତୁ ନିଜ ସୁଖ ଅନୁଭବ ।ନିତ୍ୟ ସ୍ୱରୂପ ପଦ୍ମନାଭ ॥
ମୁଦ୍ରିତ ଲୋଚନ ମୁରାରି ।ନିଦ୍ରାକୁ ହୃଦରେ ସଂହାରି ॥
ତହି ଅଖିଳ ରହୁ ତହିଁ ।ଗୁଣ ସମ୍ଭବ ଆଉ ନାହିଁ ॥
ସେ ଗୁଣମାନ ତୋ ଶରରେ ।ଚେତଇ ନିଦ୍ରା ଅଭ୍ୟନ୍ତରେ ॥
କାଳର ବଳେ ତୋ ନୟନେ ।ଯୋଗ ସମାଧି ଅବସାନେ ॥
ତୋ ନାଭି ମଧ୍ୟେ ଜଳ କୋଣ ।ବୀଜ ପ୍ରକାଶେ ତତକ୍ଷଣ ॥
ବଟ ବୃକ୍ଷରୁ ପ୍ରାୟ ହୋଇ ।ପଦ୍ମ ମୃଣାଳ ପ୍ରକାଶଇ ॥
ସେ ପଦ୍ମ ମଧ୍ୟୁ ବ୍ରହ୍ମା ଜାତ ।ନ ଜାଣେ ଆତ୍ମାର ତଦନ୍ତ ॥
ତୁ ଜୀବଆତ୍ମା ତା’ ଶରୀରେ ।ପ୍ରକାଶୁ ବାହ୍ୟ ଅଭ୍ୟନ୍ତରେ ॥
ତାହା ନ ଜାଣେ ବେଦ ମୁଖେ ।ଆରତେ ଖୋଜିଲା ଅନେକେ ॥
କାହୁଁ ଅଇଲି ବୋଲି ଚିନ୍ତି ।ଭୟେ ଭାଜିଲା ପ୍ରଜାପତି ॥
ପୁଣି ପଶିଲା ମହାଜଳେ ।ଶତେ ବରଷ ଯୋଗ ବଳେ ॥
ଅଙ୍କୁର ମାର୍ଗେ ବୀଜଲୋଡ଼ି ।ଭ୍ରମଇ ବହୁ ଦୁଃଖେ ପଡ଼ି ॥
ରହି ନ ପାରି ମହାଜଳେ ।ପୁଣି ଉଠିଲା ଆସି କୂଳେ ॥
ଭାଳଇ ପଦ୍ମ ମଧ୍ୟେ ରହି ।ତୋ ଅନ୍ତ ପାଇବ ସେ କାହିଁ ॥
ତୋତେ ନ ପାଇ ପ୍ରଜାପତି ।ତପ ସାଧନେ ଦେଲା ମତି ॥
ଅନେକ କାଳ ସାଧି ତପ ।ଦେଖିବା ନିମନ୍ତେ ତୋ ରୂପ ॥
ତୋ ରୂପ ଦେଖି ଅନୁମାନେ ।ଭୂମିରେ ଖଦ୍ୟୋତ ଯେସନେ ॥
ସହସ୍ର ବଦନ ନୟନ ।ସହସ୍ର ଶିର ନାସା କର୍ଣ୍ଣ ॥
ସହସ୍ର ଉର ସସ୍ର ପାଦ ।ସହସ୍ର ଭୁଜ ସସ୍ରାୟୁଧ ॥
ସେ ମାୟାମୟ ରୂପ ସୁଖେ ।ବିଧାତା ଦେଖିଲା ସମ୍ମୁଖେ ॥
ତୋହର ଦେଖି ଦିବ୍ୟବେଶ ।ବିଧାତା ହୋଇଲା ସନ୍ତୋଷ ॥
ବ୍ରହ୍ମାର ଅର୍ଥେ ପଦ୍ମନାଭ ।ରୂପ ପ୍ରକାଶୁ ହୟଗ୍ରୀବ ॥
ବିଷ୍ଣୁର ଯୋଗ ନିଦ୍ରାକାଳେ ।ଶ୍ରବଣୁ ମଳ ପଡ଼ି ଜଳେ ॥
ରଜ ତାମସ ଗୁଣୁଁ ଜାତ ।ମଧୁକୈଟଭ ବେନି ଭ୍ରାତ ॥
ଦେବ ଦଳନ ମହାଘୋର ।ତେଜେ ପ୍ରଚଣ୍ଡ ଭୟଙ୍କର ॥
ତାହାକୁ ମାରି ଶତ୍ରୁପଣେ ।ବ୍ରହ୍ମାଙ୍କୁ କଲୁ ସମର୍ପଣେ ॥
ଏହି ପ୍ରକାରେ ନରହରି ।ନୃସିଂହ ରୂପେ ଅବତରି ॥
ଦେବତା ମତ୍ସ୍ୟ ଆଦି ରୂପେ ।ତେ ଅବତାର ମହାକଳ୍ପେ ॥
ଦୁଷ୍ଟ ନିବାର ସନ୍ଥ ପାଳୁ ।ତୁ ନାଥ ପରମ ଦୟାଳୁ ॥
ଯୁଗାନୁମତେ ଧର୍ମ ଯେତେ ।ତୁ ନାଥ ପାଳୁ ଏ ଜଗତେ ॥
କଳି କଳୁଷ ଆଦି ଗୁଣ ।ଯୁଗ ସ୍ୱଧର୍ମେ ତୁ ପାଳିଣ ॥
ନିରତେ ମାୟାଜଡ଼େ ଛନ୍ନ ।ପାପ ସଂକଳ୍ପ ଦୁଷ୍ଟମନ ॥
ଏଣୁ ତୋ କଥାତେ ରତ ।କେ କରିପାରେ ଦୁଢ଼ ଚିତ୍ତ ॥
କାମ ସଂକଳ୍ପେ ମୁଁ ଆତୁର ।କାହିଁ ଲଭିବି ଗତି ତୋର ॥
ଏ ଦେହେ ଇନ୍ଦ୍ରିୟଙ୍କ ଗୁଣ ।ଭୋ ନାଥ ସାବଧାନେ ଶୁଣ ॥
ଏ ଆତ୍ମା ରହି ହୃଦଗତେ ।ଚଳଇ ଇନ୍ଦ୍ରିୟ ଆୟତ୍ତେ ॥
କ୍ଷୁଧା ଲାଳସେ ଜିହ୍ୱାଧରେ ।ତୃଷିତେ ତୃଷାବଳ କରେ ॥
ଇନ୍ଦ୍ରିୟ ଧରେ କାମ ଭୋଗେ ।ଗୁହ୍ୟ ଧରଇ ମଳୋତ୍ସର୍ଗେ ॥
ଚର୍ମ ଧରଇ ଶୀତ ଘର୍ମେ ।ଉଦର ଧରେ ଭସ୍ମ କର୍ମେ ॥
ଶ୍ରବଣ ଶବ୍ଦ ଅର୍ଥ ଧରେ ।ଗନ୍ଧାର୍ଥେ ନାସିକା ବିବରେ ॥
ରୂପ ସଂଯୋଗେ ଦୃଷ୍ଟି କରେ ।ବଳ ବିକ୍ରମ ଶକ୍ତି ଧରେ ॥
ଇନ୍ଦ୍ରିୟଗଣ କର୍ମ ବଳେ ।ପ୍ରାଣ ନାଶନ୍ତି ଅବହେଳେ ॥
ବହୁତ ସପତଣୀ ଘରେ ।ଗୃହସ୍ଥ ରମେ ନରନ୍ତରେ ॥
ସେ ଯେହ୍ନ ପତ୍ନୀଙ୍କ ଆୟତ୍ତେ ।ନିରତେ ରମେ ନାନାମତେ ॥
ସେ ନାରୀଗଣେ ତାର ଚିତ୍ତ ।କରନ୍ତି ଆପଣା ଆୟତ୍ତ ॥
ଯେ ଯାହା ମନେ ସୁଖ ଚିନ୍ତି ।ସ୍ୱାମୀ ଜୀବନ ସେ ହରନ୍ତି ॥
ଏମନ୍ତ କର୍ମ ପାଶ ବଳେ ।ବଇତରଣୀ ବ୍ରହ୍ମଜଳେ ॥
ଜନ୍ମ ମରଣେ ପ୍ରାଣୀ ରହେ ।ଅନ୍ୟାନ୍ୟ ଘଟଣା ବିଗ୍ରହେ ॥
ସଂସାରେ ବେଦପଥ ହୁଡ଼ି ।ଯାତନା ମଧ୍ୟେ ଛନ୍ତି ପଡ଼ି ॥
ତାହାଙ୍କ ମଧ୍ୟେ ମୁହିଁ ଥାଇ ।ଆତ୍ମାର ଗତି ନ ଜାଣଇ ॥
ତୋ ପାଦେ ପଶିଲି ଶରଣ ।ଏଥୁଁ ଉଦ୍ଧର ନାରାୟଣ ॥
ଦୁଃଖୀଜନଙ୍କ ଉପକାରେ ।ତୋ ସମ ନାହିଁ ଏ ସଂସାରେ ॥
ଅଶେଷ ଉତ୍ପତ୍ତି ପାଳନ ।ଈଷିତେ କରୁ ସଂହାରଣ ॥
ମୂଢ଼ ପ୍ରାଣୀଙ୍କୁ ତୋର ଦୟା ।କେ ଜାଣିପାରେ ତୋର ମାୟା ॥
ଆରତ ଜନ ବନ୍ଧୁ ହେଉ ।କରୁଣା ସିନ୍ଧୁ ନାମ ବହୁ ॥
ତୋହର ସେବକ ତାରଣେ ।ତୁ ନାଥ ଥାଉ ଅନୁକ୍ଷଣେ ॥
ଏଣୁ ମୋହର ଭୟ ନାହିଁ ।ବଇତରଣୀ ମଧ୍ୟେ ଥାଇ ॥
ତୋର ମହିମା ଗୁଣ ଗୁଣି ।ନିଶ୍ଚଳ ହୃଦେ ପରିମାଣି ॥
ତୋର ବିମୁଖ ଯାର ମନ ।ଯେ ପ୍ରାଣୀ ଜୀବନ୍ତେ ବନ୍ଧନ ॥
ଭାର ବହଇ ଅବିରତେ ।କୁଟୁମ୍ବ ରକ୍ଷଣ ନିମନ୍ତେ ॥
ଇନ୍ଦ୍ରିୟ ଅର୍ଥେ ସାରେ ଦିନ ।କୁଟୁମ୍ବ ସ୍ନେହେ ପରାଧୀନ ॥
ଏଣୁ ସକଳ ମୁନିଜନେ ।ନିର୍ମଳ ନିଶ୍ଚଳ ଚେତନେ ॥
ମାୟା କଳ୍ପନା ଦୂର କରି ।ମଉନ ବ୍ରତ ବ୍ରହ୍ମଚାରୀ ॥
ନିର୍ଜନେ ବସନ୍ତି ନିଶ୍ଚଳେ ।ଜପନ୍ତି ପରମ ମଙ୍ଗଳେ ॥
ତାହାଙ୍କ ସାଧ୍ୟ ଅନୁକ୍ଷଣେ ।କଳ୍ପଇ ଭବ ଭ୍ରମ ବଣେ ॥
ଭ୍ରମେ ଭ୍ରମନ୍ତା ପ୍ରାଣୀଙ୍କର ।ତୋ ତହୁଁ ଭକ୍ଷକ କେ ଆର ॥
ଏ ଗୃହେ ମୈଥୁନାଦି ସୁଖେ ।ପ୍ରାଣୀ ପଡ଼ନ୍ତି ଦୁଃଖ ଶୋକେ ॥
କଣ୍ଡୁ ଯେସନେ ନଖେ ମାଜେ ।ନିମିଷ ମାତ୍ର ସୁଖ ବୁଝେ ॥
କଣ୍ଡୁ ଅନ୍ତରେ ବହେ ଦୁଃଖ ।ତେସନେ ଗୃହବନ୍ଧ ସୁଖ ॥
ଏଣୁ କରମେ ଜ୍ଞାନୀଜନ ।ତୋ ପାଦ ପଦ୍ମ ଦେଇ ମନ ॥
ମଉନବ୍ରତ ଶୌଚ ତପ ।ସ୍ୱଧର୍ମ ଅଧ୍ୟୟନ ଜପ ॥
ଏକାନ୍ତ ସର୍ବ ସେବା ବିଧି ।ନିର୍ମଳ ନିଶ୍ଚଳ ସମାଧି ॥
ଜ୍ଞାନ ଅମୃତ ଗୁରୁବାଣୀ ।ସୁଜନେ ଶୁଣ ପରିମାଣି ॥
ଯେ ଅପବର୍ଗ ସାଧ୍ୟ ଅର୍ଥେ ।ପ୍ରାଣୀଙ୍କ ମତି ସାଧୁ ଚିତ୍ତେ ॥
ତୋର ଚରଣେ ଭାବଗ୍ରାହୀ ।ଦମ୍ଭେ ଲଭିବେ ଏହା କାହିଁ ॥
ଏ ସୃଷ୍ଟି ମଧ୍ୟେ ପଦ୍ମ ମୁଖ ।ତୁ ନାଥ ହେଉ ସ୍ଥୂଳ ସୂକ୍ଷ୍ମ ॥
ବୀଜରୁ ଅଙ୍କୁର ଯେମନ୍ତ ।ପ୍ରକାଶ କରେ ଏ ଜଗତ ॥
ସେ ବୀଜ ଅଙ୍କୁର ତୋ ଦେହୀ ।ତୋର ପ୍ରକାଶ ହୃଦେ ବହି ॥
ସତ୍ୟ ଲଭଇ ଅବିରତେ ।ତୋ ରୂପ ନ ଜାଣନ୍ତି ଚିତ୍ତେ ॥
ଯୋଗ ସାଧନେ ସାଧ୍ୟେ ସାଧେ ।ଅନଳ ଯେହ୍ନ ଦାରୁ ମଧ୍ୟେ ॥
ଗଗନ ସମୀର ଅନଳ ।ଅବନୀ ଆଦି ମହାଜଳ ॥
ଇନ୍ଦ୍ର ସହିତେ ଦେବ ଗଣେ ।ଚତୁର ଅନ୍ତର କରଣେ ॥
ତୋ ଅନୁଗ୍ରହେ ଦେହେ ବହି ।ଗୁଣ ବିଗୁଣେ ଯେତେ ହୋଇ ॥
ମନ ବଚନେ ଯେତେ କରି ।ତୁ ସର୍ବ ରୂପ ନରହରି ॥
ନିର୍ଗୁଣ ଦମ୍ଭ ଅହଙ୍କାର ।ମନ ପ୍ରକୃତି ନିରନ୍ତର ॥
ଏ ଆଦି ଅନ୍ତ ମଧ୍ୟେ ଥାଇ ।କେବେହେଁ ତୋତେ ନ ଜାଣଇ ॥
ସେ ଭାବ ଜାଣି ମୁନିଜନେ ।ରହିଲେ ନିଶ୍ଚଳେ ମଉନେ ॥
ଭୋ ନାଥ ତୋର ନାମ ସ୍ତୁତି ।ତୋ ପାଦେ ଯାର ଦୃଢ଼ ମତି ॥
ନିତ୍ୟେ ଚିନ୍ତିବେ ତୋ ଚରଣ ।ତୋ ପୁଣ୍ୟ କଥନ ଶ୍ରବଣ ॥
ସୁପୁଣ୍ୟ କର୍ମେ ଅର୍ଜି ତୋତେ ।ଏ ଷଡ଼ ଭକ୍ତି ଅନୁମତେ ॥
ଯେ ଅବା ସାଧନ୍ତି ଜଗତେ ।ସେ ତୋତେ ଲଭନ୍ତି ନିଶ୍ଚିନ୍ତେ ॥
ତୁ ନାଥ ଅନନ୍ତ ମୂରତି ।ପରମ ଜ୍ୟୋତିଙ୍କର ଜ୍ୟୋତି ॥
ନାରଦ ଉବାଚଏମନ୍ତ ଧର୍ମସୁତ ଆଗେ ।ନାରଦ ମୁନି ଅନୁରାଗେ ॥
କହନ୍ତି ସଭା ମଧ୍ୟେ ବସି ।ଶୁଣ ନୃପତି କୁରୁବଂଶୀ ॥
ଅସୁର ସୁତ ଅନୁମତେ ।ଯେତେ ବର୍ଣ୍ଣିଲା ଭକ୍ତିମତେ ॥
ଶୁଣି ସନ୍ତୋଷ ନାରାୟଣ ।ସେ ହରି ସ୍ୱଭାବେ ନିର୍ଗୁଣ ॥
ସୁପ୍ରୀତେ ତାଙ୍କୁ କୋଳେ ଧରି ।ପ୍ରଚଣ୍ଡ କୋପ ପରିହରି ॥
କୁହନ୍ତି ମଧୁର ବଚନ ।ଶୁଣ ହେ ଅସୁର ନନ୍ଦନ ॥
ନୃସିଂହ ଉବାଚସନ୍ତୋଷେ ଜାଣିଲି ତୋ ଭାବ ।ଏ ନରଲୋକେ ତୁ ଦୁର୍ଲଭ ॥
ମୁଁ କାମପୂର୍ଣ୍ଣ ପ୍ରାଣୀଙ୍କର ।ଆତ୍ମାନୁରୂପେ ମାଗ ବର ॥
ଯେ ପ୍ରୀତି ନ କରଇ ମୋତେ ।ମୁଁ ତାକୁ ଦୁର୍ଲ୍ଲଭ ଜଗତେ ॥
ମୋତେ ଦେଖଇ ଯେ ନୟନେ ।ତାର କି ତପ ପ୍ରୟୋଜନେ ॥
ଏ ଘେନିଛନ୍ତି ଜ୍ଞାନୀ ଯେତେ ।ଭାବେ ଭଜନ୍ତି ପ୍ରାଣୀ ମୋତେ ॥
ଚିତ୍ତ ପ୍ରମନ୍ତେ ବର ଦେଇ ।ସର୍ବ ଆଶିଷ ପୂର୍ଣ୍ଣ ମୁହିଁ ॥
ନାରଦ ଉବାଚଏମନ୍ତ ବର ଲୋଭ କହି ।ମନ ମୋହିଲେ ଭାବଗ୍ରାହୀ ॥
ଏମନ୍ତେ ଦୃଢ଼ଭକ୍ତି ତାର ।ବରେ ନ କଲା ଅଙ୍ଗୀକାର ॥
ଏମନ୍ତ ମହିମା ଯାହାର ।ଦେବ ମାନବେ ଆଗୋଚର ॥
ସେ ପ୍ରହଲାଦ ପାଦଗତ ।ନମଇ ବିପ୍ର ଜଗନ୍ନାଥ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂବୈୟାସିକ୍ୟାଂ ସପ୍ତମସ୍କନ୍ଧେ ପ୍ରହ୍ଲାଦ ନୃସିଂହ ସ୍ତୁତି ଚରିତେନାମ ନବମୋଽଧ୍ୟାୟଃ ।