ଷଷ୍ଠ ଅଧ୍ୟାୟ — ଶ୍ରୀମଦ୍ ଭାଗବତ (ସପ୍ତମ ସ୍କନ୍ଧ) — ଜଗନ୍ନାଥ ଦାସ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଷଷ୍ଠ ଅଧ୍ୟାୟ
ପ୍ରହଲାଦ ଉବାଚଶୁଣ ହେ ଅସୁର ବାଳକେ ।ଯେ ବିଦ୍ୟାସାର ନରଲୋକେ ॥
ମାୟା କ୍ରୀଡ଼ାରେ ମତ ହୋଇ ।ଜ୍ଞାନ ତୁମ୍ଭର ଦେହେ ନାହିଁ ॥
ବାଳକ ଯୁବା ବୃଦ୍ଧ ଦେହେ ।କେବେହେଁ ଆତ୍ମା ଲିପ୍ତ ନୁହେଁ ॥
ଏ ଭାବ ଚିତ୍ତେ ଯେ ଚିନ୍ତନ୍ତି ।ଅନ୍ତେ କୈବଲ୍ୟ ସେ ଭୁଞ୍ଜନ୍ତି ॥
ବିଷୟ ପଥେ ଯେବା ପଡ଼େ ।ଆତ୍ମାର ଜ୍ଞାନପଥ ହୁଡ଼େ ॥
ପର ଅପର ବୋଲି ଚିନ୍ତି ।ସେ ମୃତ୍ୟୁ ମୁଖେ ସଞ୍ଚରନ୍ତି ॥
ସେ ଗୁରୁ କହେ ଶାସ୍ତ୍ରମତେ ।ଅର୍ଥକୁ ବୁଝାଇ ଅନର୍ଥେ ॥
ଅଜ୍ଞାନ ନିଦ୍ରା ଯା ବଚନେ ।ନ ଭାଙ୍ଗେ ଶାସ୍ତ୍ର ଅନୁକ୍ରମେ ॥
ସେ ଗୁରୁବାକ୍ୟେ କାର୍ଯ୍ୟ କିସ ।ବିଫଳ ତାର ଉପଦେଶ ॥
ଆତ୍ମାର ଶରୀର ଧାରଣ ।ଅଜ୍ଞାନ ଏହାର କାରଣ ॥
ଏବେ ଅବ୍ୟୟ ଆତ୍ମା ଯେତେ ।ଯତ୍ନ କରିବ ଆତ୍ମହିତେ ॥
ଏଣୁ ଅଜ୍ଞାନୀଙ୍କ ବଚନ ।ନମାନେ ଆତ୍ମାଜ୍ଞାନୀ ଜନ ॥
ଅଜ୍ଞାନୀ ଅଜ୍ଞାନ ଦେଖାଇ ।ଅନ୍ଧକୁ ଅନ୍ଧ ଯେ କଢ଼ାଇ ॥
ଜ୍ଞାନୀର ଶତ୍ରୁ ମିତ୍ର ନାହିଁ ।ନିତ୍ୟେ ଉଦାସ ପଣେ ଥାଇ ॥
ପ୍ରାଣୀ ଭୁଞ୍ଜଇ କର୍ମାୟତେ ।ସମ୍ପଦ ବିପଦ ଜଗତେ ॥
ଏ ମାୟାମୟ ଗୃହବାସେ ।ପ୍ରାଣୀ ଯନ୍ତ୍ରିତ ମାୟା ପାଶେ ॥
ମନର ଚରଣେ ଶାଙ୍କୁଳି ।ଏଣୁ ନ ପାରେ ପ୍ରାଣୀ ଚଳି ॥
ଏ ମାୟା ବନ୍ଧ ଯା ବଚନେ ।ତୁଟଇ ଜ୍ଞାନ ଅନୁମାନେ ॥
ସେ ଗୁରୁବଚନ ଯେ ଜାଣି ।ତେବେ ସଂସାରୁ ତରେ ପ୍ରାଣୀ ॥
ବିଅର୍ଥ କ୍ରିୟା ନିତ୍ୟେ ଚିନ୍ତି ।ଆୟୁଷ କ୍ଷୟ ନ ଜାଣନ୍ତି ॥
ଏମନ୍ତ ଅସୁରଙ୍କୁ ଚାହିଁ ।
ସେ ପ୍ରହଲାଦ ଦୟା ବହି ॥
କହଇ ଭାଗବତ ଧର୍ମ ।ଯେଣେ ତୁଟଇ ମାୟାଭ୍ରମ ॥
ଶୁଣ ବାଳକ ମୋ ବଚନ ।ସଂସାରେ ପଣ୍ଡିତ ଯେ ଜନ ॥
କୁମାର କାଳୁ ଧର୍ମ କରେ ।ଶରୀରେ ଅନିତ୍ୟ ବିଚାରେ ॥
ମନୁଷ୍ୟ ସଂସାରେ ଦୁର୍ଲ୍ଲଭ ।ଯେବେ ଗୋବିନ୍ଦ କରେ ଭାବ ॥
ଯେ ହରି ସର୍ବ ଜୀବ ଦେହେ ।ଆତ୍ମା ରୂପରେ ପୂରି ରହେ ॥
ବସଇ ଈଶ୍ୱରର ଭାବେ ।ଇନ୍ଦ୍ରିୟ ଭୋଗ ସୁଖଲୋଭେ ॥
କର୍ମର ବଳେ ଯାହା ଲଭେ ।ଏ ସୁଖ ଦୁଃଖ ଦେହ ଯୋଗେ ॥
ଏଣୁ ନ କର ପ୍ରତିଆଶ ।ନିରତେ ହୋଇବ ସନ୍ତୋଷ ॥
ଦେଖ ଆୟୁଷ ଏ ଶରୀରେ ।ଛିଦ୍ର ଘଟରୁ ପ୍ରାୟ ଝରେ ॥
ଏଣୁ ମୁକୁନ୍ଦ ପାଦଯୁଗେ ।ନିରତେ ଭାବ ମନଯୋଗେ ॥
ମରଣ ନିତ୍ୟ ସନ୍ନିହିତ ।ତା ମୁଖେ ନ ପଡ଼େ ଯାବତ ॥
ତାବତ ସୁସ୍ଥ ଏ ଶରୀର ।ବୃଦ୍ଧ ଅବସ୍ଥା ଅଛି ଦୂର ॥
ଯାବତ ଏ ଦୁର୍ଲ୍ଲଭ ଦେହେ ।ଇନ୍ଦ୍ରିୟ ଶକ୍ତି ନଷ୍ଟ ନୁହେଁ ॥
ଯାବତ ଜୀବର ଏ ଦେହେ ।କାଳର ବଳେ କ୍ଷୟ ନୁହେଁ ॥
ତାବତ ଆତ୍ମା ନିସ୍ତାରଣେ ।ଯତ୍ନ କରିବ ଅନୁକ୍ଷଣେ ॥
ତେବେ ଆତ୍ମାର ହିତ କରେ ।ଦୁର୍ଲ୍ଲଭ ମାନବ ଶରୀରେ ॥
ଏ ଜ୍ଞାନ ବୁଝେ ଯେତେବେଳେ ।ବୋଲେ କରିବି ବୃଦ୍ଧକାଳେ ॥
ଗୃହେ ଲାଗିଲେ ଅଗ୍ନି ଯେହ୍ନ ।ଉଦ୍ୟମ କୂପର ଖନନେ ॥
ଏମନ୍ତେ ଅଜ୍ଞାନୀଙ୍କ ମତି ।କେବେହେଁ ସୁଖ ନ ଲଭନ୍ତି ॥
ସ୍ୱଭାବେ ଅଳପ ଆୟୁଷ ।ଜୀବରେ ଶତେକ ବରଷ ॥
ଯେବେ ଅଜ୍ଞାନ ପଣେ ଥାଇ ।ତାହାର ଅଧେ ନାଶ ଯାଇ ॥
ସ୍ୱଭାବେ ରାତ୍ରେ ନିଦ୍ରାକାଳେ ।ଅଧେ ଆୟଷ ଯାଇ ହେଳେ ॥
ବାଳକ ପୌଗଣ୍ଡ କିଶୋରେ ।ବିଂଶ ବରଷ ତହୁଁ ହରେ ॥
ବାଳକ ସ୍ୱଭାବ ଏମନ୍ତ ।କ୍ରୀଡ଼ା ବିନୋଦେ ଥାଏ ଲିପ୍ତ ॥
ଶେଷରେ ଜରାଗ୍ରସ୍ତ ହୋଇ ।ବିଂଶତି ବରଷ କଟଇ ॥
ବାକି ଯେ ଆୟୁ ରହିଥାଏ ।ଗୃହ ବନ୍ଧନେ କଟିଯାଏ ॥
ଏ ଗୃହବନ୍ଧ ବନ୍ଦୀ ହୋଇ ।ଆତ୍ମା ଉଦ୍ଧରି ନ ପାରଇ ॥
ଅତି ଯତନେ ସେହି ପାଶେ ।ଦୁର୍ଜ୍ଜୟ ଇନ୍ଦ୍ରିୟ ଲାଳସେ ॥
ଅର୍ଥ ଅର୍ଜ୍ଜନେ ଅବିରତେ ।ଲୋଭ ବଢ଼ଇ ସର୍ବମତେ ॥
ପ୍ରାଣହୁଁ ଅତି ସ୍ନେହ ଭରେ ।ସେ ତୃଷ୍ଣା କେବା ତେଜିପାରେ ॥
ଯେ ଧନ ଅର୍ଥ ବିକେ ପ୍ରାଣ ।ତାହାର ନାହିଁ ପରିତ୍ରାଣ ॥
ତସ୍କର ରୂପେ ଚୋରି କରେ ।ସେବା କରଇ ଯାଇ ପରେ ॥
ବୋଇତେ ବସି ବାଣିଜ୍ୟରେ ।ଅଗାଧ ସିନ୍ଧୁ ଲୋଭେ ତରେ ॥
ନିତ୍ୟେ ସେ ଗୃହବନ୍ଧେ ବଞ୍ଚେ ।ପ୍ରାଣୁ ଅଧିକ ଧନ ସଞ୍ଚେ ॥
ଏକାନ୍ତେ କାମିନୀଙ୍କ ମେଳେ ।କ୍ରୀଡ଼ା କରଇ କାମଭୋଳେ ॥
ପତ୍ନୀର ବାକ୍ୟ ଅନୁକ୍ଷଣେ ।ଗୁରୁଙ୍କ ମନ୍ତ୍ର ପ୍ରାୟ ମଣେ ॥
ବନ୍ଧୁ ବାନ୍ଧବ ସ୍ନେହଭରେ ।ବାଳକ ସଙ୍ଗେ ମନ ହରେ ॥
ସ୍ନେହ ମମତା ଅବିରତେ ।ଚିନ୍ତଇ ଅନୁରାଗ ଚିତ୍ତେ ॥
ଘରୁ ବାହାର ହୋଇ ଯେବେ ।ପ୍ରବାସ କରଇ ସ୍ୱଭାବେ ॥
ତହିଁ ଜୀବନ ସୁସ୍ଥ ନୋହି ।ଭାବଇ ଗୃହେ ମନଦେଇ ॥
ପୁତ୍ର ଦୁହିତା ସ୍ନେହ ଚିତ୍ତେ ।ମନୋଜ୍ଞ ପତ୍ନୀ ଭାବ ଚିନ୍ତେ ॥
ଭ୍ରାତା ଜନନୀ ତାର ସ୍ମରେ ।ଏ ଭଲେ ଥିବେ କିବା ଘରେ ॥
ମନୋଜ୍ଞ ଗୃହେ ବସ୍ତୁ ଯେତେ ।ଜୀବିକା ପଶୁ ଭୁତ୍ୟମତେ ॥
ଏ ରୂପେ କୋଷାକାର ପ୍ରାୟେ ।ହୃଦରେ ଅବିରତ ଧ୍ୟାୟେ ॥
ଲୋଭେ ଅତୃପ୍ତ କାମ ହୋଇ ।ଜିହ୍ୱା ଉପସ୍ଥ ଭାବେ ଧ୍ୟାୟି ॥
ଦୁସ୍ତର ମୋହ ଭାବ ଚିତ୍ତେ ।ଏ ପ୍ରାଣୀ ତରିବ କେମନ୍ତେ ॥
ନିରତେ କୁଟୁମ୍ବ ପୋଷଣେ ।ଆୟୁଷ କ୍ଷୟ ସେ ନ ଜାଣେ ॥
ସର୍ବଦା ତାପତ୍ରୟେ ଦୁଃଖୀ ।କୁଟୁମ୍ବ ପାଳେ ସେ ନ ଭକ୍ଷି ॥
ଅନିତ୍ୟେ ନିତ୍ୟ ଦେଇ ଚିତ୍ତ ।କାମେ ଜଡ଼ିତ ଅବିରତ ॥
ପଣ୍ଡିତ ପଣ ସର୍ବ ଜାଣେ ।ଆତ୍ମାର ଗତି ନ ପ୍ରମାଣେ ॥
ଯେ ଫଳ ଇହ ପରଲୋକେ ।ତା ଦୁଣି ଜାଣେ ବିଦ୍ୟାସୁଖେ ॥
କୁଟୁମ୍ବୀ ପଣେ ଗୃହ କରେ ।କ୍ରୀଡ଼ା ବିନୋଦେ ସେ ବିହରେ ॥
ସୁହୃଦ ବନ୍ଧୁର ଶରୀରେ ।ଉଭୟ ଲୋକୁ ନ ନିସ୍ତରେ ॥
ବିଭିନ୍ନ ଆତ୍ମାପର ଲାଗି ।ଜନ୍ମ କଳ୍ପନେ ଅନୁରାଗୀ ॥
ବିମୂଢ଼ ମତିର ବିଭ୍ରମେ ।ଅନ୍ତେ ପଡ଼ଇ ଘୋରତମେ ॥
ତୁମ୍ଭେ ସକଳେ ଏହା ଶୁଣ ।ଆତ୍ମାର ହିତ ମନେ ଗୁଣ ॥
ବିଷୟାସକ୍ତ ମାୟା ସଙ୍ଗେ ।ଯେସନେ ମାୟାର ତରଙ୍ଗ ॥
ଏ ସର୍ବ ଦୂରେ ପରିହର ।ନାରାୟଣଙ୍କୁ ଆଶ୍ରେ କର ॥
ସେ ନାରାୟଣ ସର୍ବଧାତା ।ଈଷିତେ କଇବଲ୍ୟ ଦାତା ॥
ବିଷ୍ଣୁଙ୍କୁ ଆଶ୍ରେ ଯେ କରନ୍ତି ।ସେ ସର୍ବଦୁଃଖୁ ନିସ୍ତରନ୍ତି ॥
ଅସୁର ଭାବକୁ ଉପେକ୍ଷ ।ଆତ୍ମାର ପ୍ରାୟ ସର୍ବଦେଖ ॥
ଏ ବିଷ୍ଣୁର ମାୟା ପରୀପର ।ବ୍ରହ୍ମାଣ୍ଡ ବାହାର ଅନ୍ତର ॥
ବ୍ରହ୍ମାଦି ସ୍ଥାବର ପର୍ଯ୍ୟନ୍ତେ ।ଅବ୍ୟକ୍ତ ଭୂତ ଆଦି ଯେତେ ॥
ଗୁଣ ନିର୍ଗୁଣ ହୋଇ ସମ ।ଏ ଆଦି ସର୍ବଘଟେ ବ୍ରହ୍ମ ॥
ବସଇ ସର୍ବ ଘଟେ ହରି ।ଅଙ୍ଗେ ଅବ୍ୟୟ ରୂପଧରି ॥
ଆତ୍ମା ସ୍ୱରୂପେ ସର୍ବଦେହେ ।ଦୃଶ୍ୟ ଅଦୃଶ୍ୟ ଭାବ ବହେ ॥
ନିତ୍ୟ ଅବ୍ୟୟ ସତ୍ୟମତେ ।କଳି କେ ପାରିବ ଜଗତେ ॥
କେବଳ ଆନନ୍ଦନୁଭବ ।ଅଶେଷ ଦେହେ ସର୍ବ ଜୀବ ॥
ମାୟା ଅନ୍ତରେ ସୁଖେ ରହେ ।ଅଶେଷ ଗୁଣ ସଙ୍ଗେ ବହେ ॥
ଏ ଘେନି ସର୍ବ ଭୂତେଶ୍ୱରେ ।ପ୍ରାଣୀ ବିଷୟେ ଦୟା କରେ ॥
ସୁଦୃଢ଼ ଭାବ ଧରି ଚିତ୍ତେ ।ହରିଙ୍କୁ ଲଭିବ ଯେମନ୍ତେ ॥
ଅସୁର ଭାବ ପରିହରି ।ତେଣେ ସନ୍ତୋଷ ନରହରି ॥
ଏ ଭାବେ ଦୃଢ଼ କର ଚିତ୍ତେ ।ହରିଙ୍କୁ ଭଜ ଅବିରତେ ॥
ଯେ ବିଷ୍ଣୁ ତୋଷ ଯାକୁ ଚିତ୍ତେ ।କି ଅବା ଅଲଭ୍ୟ ଜଗତେ ॥
ଅନନ୍ତ ଅନାଦି ମହିମା ।କି ଗୁଣେ କରିବା ଉପମା ॥
ତ୍ରିଗୁଣେ କରେ ନିସ୍ତାରଣ ।କେବଳ ପରମ କାରଣ ॥
ସଂସାର ମଧ୍ୟେ ସାର ସେହି ।ତାର ଚରଣୁ ଅନ୍ୟ ନାହିଁ ॥
ଏ ଘେନି ବିଷ୍ଣୁର ଚରଣ ।ଯେ ପ୍ରାଣୀ ପଶନ୍ତି ଶରଣ ॥
ତାଙ୍କ ଚରଣେ ଭାବ କର ।ସଂସାର ମାୟାରୁ ଉଦ୍ଧର ॥
ଏବେ ହୋ ଶୁଣ ମୋର ବାଣୀ ।ଶ୍ରୀଭାଗବତ ପରିମାଣି ॥
ଧର୍ମାର୍ଥ କାମ ବଦ ମତେ ।ଏ ତିନି ବର୍ଗ ଅନୁମତେ ॥
ସାଧନ କର ଶମ-ଦମ ।ଯଜ୍ଞାଦି ନାନାବିଧ କର୍ମ ॥
ସତ୍ୟ ବଚନ ବେଦବାଣୀ ।ଏଣେ ସଂସାରୁ ତରେ ପ୍ରାଣୀ ॥
ନାନା ପ୍ରକାରେ ପୁଣ୍ୟଦାହି ।ସେ ସବୁ କୃଷ୍ଣେ ସମର୍ପଇ ॥
ଧନ୍ୟ ତା ଶରୀର ଧାରଣ ।ସେ ଲଭେ ପରମ କାରଣ ॥
ନିର୍ମଳ ଦୁର୍ଲ୍ଲଭ ଏ ଜ୍ଞାନ ।ନିଗମ ସାର ଅନୁପମ ॥
ନାରଦ ମୁନିଙ୍କ ଅଗ୍ରତେ ।ସୁପୁଣ୍ୟ ବଦରିକା ତୀର୍ଥେ ॥
ତପ ଆଚରି ଅନୁକ୍ଷଣେ ।ଅଛନ୍ତି ନର ନାରାୟଣେ ॥
ନାରଦ ମୁନି ଶୁଦ୍ଧଚେତି ।ପୁଚ୍ଛିଲେ ହରିଗୁଣ ଗାଥା ॥
ନାରଦ ମୁନି ଶୁଦ୍ଧ ଭାବେ ।ଏ ବାଣୀ ବିବିଧ ପ୍ରସ୍ତାବେ ॥
ନାରଦ ମୁନିଙ୍କୁ ସନ୍ତୋଷେ ।କହିଲେ ଜ୍ଞାନ ଉପଦେଶେ ॥
ବିଷ୍ଣୁର ପାଦପଦ୍ମ ଧୂଳି ।ଆନନ୍ଦ ଭାବେ ଅଙ୍ଗ ବୋଳି ॥
ସଂସାରେ ଅକିଞ୍ଚନ ଜନେ ।ଯାହା ଭାବନ୍ତି ଅନୁକ୍ଷଣେ ॥
ପୂର୍ବେ ମୁଁ ନାରଦଙ୍କ ବାଣୀ ।ମାତାଙ୍କ ଗର୍ଭେ ଥାଇ ଶୁଣି ॥
ଏ ବାଣୀ ଭାଗବତ କଥା ।ଶୁଣନ୍ତେ ତୁଟେ ଭବବ୍ୟଥା ॥
ଭାବେ କହିଲି ତୁମ୍ଭ ଆଗେ ।ହରି ଚରିତ ଅନୁରାଗେ ॥
ଏମନ୍ତ ପ୍ରହଲ୍ଲାଦ ବାଣୀ ।ଭାବେ ଅସୁର ପୁତ୍ରେ ଶୁଣି ॥
ବୋଲନ୍ତି ପ୍ରହଲାଦ ଆଗେ ।ତୁଲ୍ୟ ବୟସ ଅନୁରାଗେ ॥
ଦୈତ୍ୟପୁତ୍ରା ଉଚୁଃଶୁଣ ହେ ନୃପତି କୁମର ।ଆମ୍ଭେ ଯେ ସଙ୍ଗତେ ତୋହର ॥
ତୋହର ଭିନ୍ନ ଗୁରୁ ନାହିଁ ।ଏ ବିଦ୍ୟା ସାଧୁ ତୁ କାହିଁ ॥
ଏ ଗୁରୁ ପୁତ୍ରଙ୍କ ଚରଣେ ।ଆମ୍ଭେ ଭଜିଲୁ ଅନୁକ୍ଷଣେ ॥
ଏହାଙ୍କ ଉପଦେଶ ଜାଣୁ ।ତୁ ଏହା କେମନ୍ତେ ବଖାଣୁ ॥
ତୁହି ତ ଆମ ସଙ୍ଗତରେ ।ନିରତେ ଆଉ ଅନ୍ତଃପୁରେ ॥
ସ୍ୱଭାବେ ସ୍ତିରୀଙ୍କ ମନ୍ଦିର ।ଦେବମାନବେ ଆଗୋଚର ॥
ତହିଁ ଭିତରେ ଥାଉ ତୁହି ।ସାଧୁଙ୍କ ସଙ୍ଗ ତୋର ନାହିଁ ॥
ଏଣୁ ସଂଶୟ ଆୟ ମନ ।କାହୁଁ ପାଇଲୁ ଏହି ଜ୍ଞାନ ॥
ତୋହର ପାଦେ ନମସ୍କାର ।ସଂଶୟ ଛେଦ ତୁ ଆମ୍ଭର ॥
ଏମନ୍ତେ ଅସୁର ବାଳକେ ।ତାର ସମୀପେ ଏକେ ଏକେ ॥
ଚରଣ ଧରି ପଚାରିଲେ ।ଧର୍ମର କଥା କହ ଭଲେ ॥
ଏମନ୍ତ ଭାଗବତ ବାଣୀ ।ଶୁଣି ସଂସାରୁ ତର ପ୍ରାଣୀ ॥
ସପ୍ତମସ୍କନ୍ଧେ ଭାଗବତ ।କହଇ ବିପ୍ର ଜଗନ୍ନାଥ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂବୈୟାସିକ୍ୟାଂ ସପ୍ତମସ୍କନ୍ଧେ ବାଳକ ସଂଶୟେନାମ ଷଷ୍ଠୋଽଧ୍ୟାୟଃ ।
ସପ୍ତମ ଅଧ୍ୟାୟ
ନାରଦ ଉବାଚଏବେ ହୋ ଶୁଣ ଧର୍ମସୁତ ।ଅସୁର ବାଳକ ଚରିତ ॥
ସେ ପ୍ରହଲାଦ ଦୟା ମନେ ।କହେ ବାଳକ ସନ୍ନିଧାନେ ॥
ପ୍ରହଲାଦ ଉବାଚମୋହର ତପ ପିତା ଅର୍ଥେ ।ଗଲେ ଯେ ମନ୍ଦର ପର୍ବତେ ॥
ନିଶ୍ଚଳ ତପ ତାର ଦେଖି ।ବିବୁଧେ ସରଗ ଉପେକ୍ଷି ॥
ଯୁଦ୍ଧ ଉଦ୍ୟମ କରି ହେଳେ ।ଚଳିଲେ ସର୍ବେ ଏକମେଳେ ॥
ହିରଣ୍ୟକଶିପୁ ଅସୁର ।ସ୍ୱଭାବେ ପାପୀ ଦୁରାଚାର ॥
ଯେସନେ ପିପୀଲିକା ଗଣ ।କରନ୍ତି ସର୍ପକୁ ଭକ୍ଷଣ ॥
ତେସନ ମତି ଦେବଗଣ ।ମାରନ୍ତି ହିରଣ୍ୟକୁ ପୁଣ ॥
ଯେତେ ଅସୁର ଥିଲେ ପୁରେ ।ଦେବଙ୍କୁ ଦେଖି ମହାଡରେ ॥
ନିରସ୍ତ୍ର ହୋଇ ଶସ୍ତ୍ରାଘାତେ ।ସଂଗ୍ରାମେ ଭାଜିଲେ ସମସ୍ତେ ॥
ଭୟେ ପଶିଲା ଦଶଦିଶେ ।ନ ରହି ଦେବଙ୍କର ପାଶେ ॥
ଗୃହ କଳତ୍ର ପୁତ୍ର ଏଡ଼ି ।ସର୍ବ ସମ୍ପଦ ବେଗେ ଛାଡ଼ି ॥
ଜୀବନ ଘେନି ପଳାଇଲେ ।ବିବୁଧେ ଯୁଦ୍ଧ ଜୟ କଲେ ॥
ସର୍ବ ସମ୍ପଦ ଜୁର କରି ।ନେଇ ଚଳିଲେ ସ୍ୱର୍ଗପୁରୀ ॥
ଇନ୍ଦ୍ର ପଶିଣ ଆମ ପୁରୀ ।ମୋର ଜନନୀ ନେଲେ ଧରି ॥
ପଥେ ଚଳାଇଁ ନ୍ୟନ୍ତେ ବଳେ ।ଜନନୀ କାନ୍ଦନ୍ତି ବିକଳେ ॥
ମୋର ଜନନୀ ଅତି ଭୟେ ।ଚଳି ନପାରେ ଗୁରୁ ଦେହେ ॥
ଅନେକ ଦୁଃଖୁ ଗୁରୁ ଶୋକେ ।କୁରରୀ ପ୍ରାୟ ଝୁରେ ଦୁଃଖେ ॥
ଏମନ୍ତ ଗଲେ କେତେ ଦୂର ।କାନନେ ବ୍ରହ୍ମାଙ୍କ କୁମର ॥
ମୋର ଜନନୀ ଦେଖି ପଥେ ।ମିଳିଲେ ଇନ୍ଦ୍ରଙ୍କ ଅଗ୍ରତେ ॥
ବୋଲନ୍ତି ଇନ୍ଦ୍ର ମୁଖ ଚାହିଁ ।ଏକଥା ଉଚିତ ନୁହଇ ॥
ପରମା ସତୀ ଏ ସୁନ୍ଦରୀ ।କିମ୍ପାଇଁ ନିଅ ବନ୍ଦୀ କରି ॥
ଏହାର ଅପରାଧ ନାହିଁ ।ବେଗେ ଏହାକୁ ଛାଡ଼ ତୁହିଁ ॥
ଇନ୍ଦ୍ର ଉବାଚଅସୁର ବୀର୍ଯ୍ୟ ଏହା ଗର୍ଭେ ।ଏ ମୋର ବଇରୀ ସ୍ୱଭାବେ ॥
ସେ ବୀର୍ଯ୍ୟ ଅଛି ଗର୍ଭେ ରହି ।ତାହାର ତେଜ କିବା କହି ॥
ସ୍ୱର୍ଗ ଘେନିବ ଏ ମୋହର ।ଏହାକୁ ମୋର ବଡ଼ ଡର ॥
ଏ ନାରୀ ମୋର ଘରେ ଥିବ ।ଯାବତ ପ୍ରସବ କରିବ ॥
ଶିଶକୁ ମାରି ୟାକୁ ଆଣି ।ଛାଡ଼ିବି ନିଜ ଘରେ ପୁଣି ॥
ଏ କଥା ସଂକଳ୍ପ ମୋହର ।ଏହା ଜାଣ ହେ ମୁନିବର ॥
ନାରଦ ଉବାଚଏହାର ଗର୍ଭ ଯେ କୁମର ।ନିଶ୍ଚେ ସେ ବଇଷ୍ଣବ ବର ॥
ଅଶେଷ ଗୁଣେ ଗୁଣନିଧି ।ଏହାର ଦେହେ ସର୍ବସିଦ୍ଧି ॥
ଏହାର ଗର୍ଭେ ଅଛି ଯେହୁ ।କୃଷ୍ଣ ସେବକ ଅଟେ ସେହୁ ॥
ତୁ କାହିଁ ଏହାକୁ ମାରିବୁ ।ଏହାର ଚରଣେ ସେବିବୁ ॥
ଏକଥା ମୁନି ମୁଖୁଁ ଶୁଣି ।ଇନ୍ଦ୍ରହିଁ ମନେ ମନେ ଗୁଣି ॥
ନାରଦ ବାକ୍ୟେ ସୁରପତି ।ଛାଡ଼ିଲା ଅସୁର ଯୁବତୀ ॥
ମାତାରେ ପ୍ରିୟଭାବ କରି ।ମୁନିଙ୍କି ଦଣ୍ଡବତ କରି ॥
ତକ୍ଷଣେ ନିଜ ପୁରେ ଗଲା ।ଶୁଣ ହେ ଅସୁରଙ୍କ ବଳା ॥
ମୋର ମାତାକୁ ଆଗକରି ।ଆଶ୍ୱାସ କରି ବ୍ରହ୍ମଚାରୀ ॥
ନିଜ ଆଶ୍ରମେ ମୁନି ଆଣି ।ମୁଖେ ସିଞ୍ଚନ୍ତି ଶୀତ ପାଣି ॥
ବୋଲନ୍ତି ମଧୁର ବଚନ ।ତୁ ଏଥେ ଥିବୁ ଥୋକେ ଦିନ ॥
ଯାବତ ସ୍ୱାମୀ ତପୁଁ ଆସେ ।ତାବତ ଥିବୁ ମୋର ପାଶେ ॥
ମୁନି ବଚନେ ମୋର ମାତା ।ଛାଡ଼ିଲା ମନୁ ଦୁଃଖ ଚିନ୍ତା ॥
ନିର୍ଭୟେ ମୁନି ଘରେ ରହି ।ଭର୍ତ୍ତା ଆଗମେ ପଥ ଚାହିଁ ॥
ପରମ ଭକ୍ତ ମୁନି ପାଦେ ।ମୋର ଜନନୀ ଅପ୍ରମାଦେ ॥
ସେବା କରଇ ନିରନ୍ତରେ ।ସୁଖ ପ୍ରସନ୍ନ ଉପହାରେ ॥
ମୁନି ଚରଣ ପରସାଦେ ।ପ୍ରସନ୍ନ ହୋଇ ଅପ୍ରମାଦେ ॥
ଏ କଥା ମନେ କରି ଚିନ୍ତା ।ସୁଖେ ରହିଲା ମୋର ମାତା ॥
ଗୃହେ ନାରଦ ବ୍ରହ୍ମଚାରୀ ।ମୋର ମାତାକୁ ଦୟାକରି ॥
ଦିନକୁ ଦିନ କହି ଜ୍ଞାନ ।ଆନନ୍ଦ କରି ମାତା ମନ ॥
ନିର୍ମଳ ଧର୍ମ ତତ୍ତ୍ୱ ଯେତେ ।କହନ୍ତି ମାତାଙ୍କ ଅଗ୍ରତେ ॥
ଯାହା କହିଲେ ମହାମୁନି ।ମୁଁ ତାହା ଗର୍ଭେ ଥାଇ ଶୁଣି ॥
ଜନନୀ ସ୍ୱଭାବେ ଅବଳା ।କାଳେ ସେ ଜ୍ଞାନ ପାସୋରିଲା ॥
ନାରଦ ଅନୁଗ୍ରହେ ମୋର ।ସେ ଜ୍ଞାନ ରହିଲା ଚିତ୍ତର ॥
ମୋର ବଚନେ ଶ୍ରଦ୍ଧାକର ।ଏ ଜ୍ଞାନ ହୋଇବ ତୁମ୍ଭର ॥
ନିର୍ମଳ ଜ୍ଞାନ ହେଲେ ଜାତ ।ବିନାଶ ହୋଇବ ଦୁରିତ ॥
ଆତ୍ମାର ଯେମନ୍ତ ସ୍ୱଭାବ ।ଶୁଣ କହିବା ଜ୍ଞାନ ଭାବ ॥
ବୃକ୍ଷର ଫଳ ଯେହ୍ନ କାଳେ ।ପାଚି ପଡ଼ଇ ମହୀତଳେ ॥
ଷଡ଼ ବିକାରେ ନାଶ ଯାଇ ।ଶରୀର ସ୍ୱଭାବଟି ଏହି ॥
ଗର୍ଭୁ ଶରୀର ଜାତ ହୋଇ ।ସ୍ଥିତି ବୃଦ୍ଧିକୁ ସେ ଲଭଇ ॥
ପରିଣତି କ୍ଷୟ ଭଜିଣ ।ଶେଷେ ବିନାଶ ଲଭେ ପୁଣ ॥
ଆତ୍ମାର ନୁହେଁ ଏ ବିକାର ।ଯେଣୁ ସେ ଆତ୍ମା ନିର୍ବିକାର ॥
ସେ ନିତ୍ୟ କ୍ଷେତ୍ରଜ୍ଞ ଅବ୍ୟୟ ।ବିକାର ଶୂନ୍ୟ ସର୍ବାଶ୍ରୟ ॥
ସର୍ବ କାରଣ ଅସଙ୍ଗତ ।ବିଶୁଦ୍ଧ ଏକ ଅନାବୃତ୍ତ ॥
ଏମନ୍ତ ଆତ୍ମାର ଲକ୍ଷଣ ।ଅଧ୍ୟାତ୍ମ ଜ୍ଞାନୀ ଯେଉଁଜନ ॥
ଅହଙ୍କାରକୁ ପରିହରେ ।ଦେହାଭିମାନ ଦୂରକରେ ॥
ଆତ୍ମା ଯୋଗରେ କରେ ଧ୍ୟାନ ।ଏ ଦେହେ ଲଭେ ବ୍ରହ୍ମଜ୍ଞାନ ॥
ମୁହିଁ ମୋହର ବୋଲି ଯେତେ ।ଦେବାଧି ଉପାଧି ସହିତେ ॥
ମମତା ଜାତ ଉପଦେଶ ।ଏସବୁ ହରିଙ୍କ ସନ୍ଦେଶ ॥
ମୋର ବଚନ ବେଗେ ହେଜ ।ମୁକୁନ୍ଦ ପଦ୍ମପାଦେ ଭଜ ॥
ସୁବର୍ଣ୍ଣକାର ଯେହ୍ନେ ଜଳେ ।ପାଷାଣୁ ସୁବର୍ଣ୍ଣ ଧୋଇଲେ ॥
ଘେନଇ ଅତି ଯତ୍ନ କରି ।ଏହି ସ୍ୱଭାବେ ବ୍ରହ୍ମଚାରୀ ॥
କ୍ଷେତ୍ରରୁ କ୍ଷେତ୍ରଜ୍ଞ ଉଦ୍ଧରେ ।ଆତ୍ମାକୁ ଲଭେ ଅଭ୍ୟନ୍ତରେ ॥
ଅଷ୍ଟ ପ୍ରକୃତି ତିନି ଗୁଣ ।ଷୋଡ଼ଶ ବିକାର ଲକ୍ଷଣ ॥
ପରମ ବ୍ରହ୍ମ ସଙ୍ଗତେଣ ।ବିରାଜିଛନ୍ତି ଅନୁକ୍ଷଣ ॥
ଏ ଦେହ ଦ୍ୱିବିଧରେ ଜାତ ।ସ୍ଥାବର ଜଙ୍ଗମେ ବିଦିତ ॥
ଆତ୍ମାର ସମ୍ବନ୍ଧ ଏ ଦେହେ ।ସ୍ୱଭାବେ ଭିନ୍ନଭାବେ ରହେ ॥
ଏମନ୍ତ ଦେହେ ଶୁଦ୍ଧଚିତ୍ତେ ।ବ୍ରହ୍ମ ପୁରୁଷ ଭାବ ନିତ୍ୟେ ॥
ସୃଷ୍ଟି ସ୍ଥିତି ଯେ ପ୍ରଳୟର ।କାରଣ ବୁଝି ହେତୁକର ॥
ସୁସୁପ୍ତି ସ୍ୱପ୍ନ ଜାଗରଣ ।ବୁଦ୍ଧି ବୃତ୍ତିର ଏ ଲକ୍ଷଣ ॥
ଏହା ଯେ ଅନୁଭବ କରେ ।ପରମ ପୁରୁଷ ବିହରେ ॥
ବୁଦ୍ଧି ବୃତ୍ତିର ପରିମାଣ ।ନୁହଇ ଆତ୍ମାର ଏ ଧର୍ମ ॥
ଏ ତିନି ଗୁଣ ନିବନ୍ଧନ ।ସଂସାରେ ଜ୍ଞାନୀ ଅନୁମାନ ॥
ଅଜ୍ଞାନ ମୂଳର ଏ ଅର୍ଥ ।ସ୍ୱପ୍ନ ପ୍ରକାଶ ନିଦ୍ରାଗତ ॥
ମାୟାର ସ୍ୱପ୍ନ ଏ ଜଗତ ।ଏଣୁ ଏ ତ୍ରିଗୁଣେ ବିଦିତ ॥
ନିର୍ଗୁଣ ଆତ୍ମା କର୍ମଦିଗେ ।ଏ ଜୀବ ଅନଳ ସଂଯୋଗେ ॥
ଦହନ କରି ଯୋଗ ମାର୍ଗେ ।ଅନ୍ୟ ଉପାୟ ନ ସଂଯୋଗେ ॥
କେ ସାଧି ପାରିବ ସାମର୍ଥେ ।ଏ ଭାବ ଅନୁଭବ ଚିତ୍ତେ ॥
ଭକ୍ତି ଲକ୍ଷଣ ଯେତେ ସାଧି ।ଗୁଣ ଲକ୍ଷଣେ ଯେଣେ ଭେଦି ॥
କୃଷ୍ଣେ ସମର୍ପି ସର୍ବ ଲାଭ ।ସଙ୍ଗେ ସେବିବ ସାଧୁ ଭାବ ॥
ଯେଣେ ଈଶ୍ୱର ଆରାଧନ ।କରିବ ଶ୍ରବଣ କୀର୍ତ୍ତନ ॥
ସେ ବିଷ୍ଣୁ କଥାର ଶ୍ରବଣ ।କୃଷ୍ଣର ଯେତେ ନାମ ଗୁଣ ॥
ପଦାରବିନ୍ଦ ଧ୍ୟାନ ବଳେ ।ବଞ୍ଚିବ ବଇଷ୍ଣବ ମେଳେ ॥
ବିଷ୍ଣୁ ଭକ୍ତଙ୍କ ପାଦ ସେବି ।ଭାବ ବିହ୍ୱଳେ ବିଷ୍ଣୁ ଭାବି ॥
ଏ ଭକ୍ତି ଯୋଗ ବଳେ ପ୍ରାଣୀ ।ଷଡ଼ ଅଇରି ରିପୁ ଜିଣି ॥
ବିଷ୍ଣୁ ଚରଣେ ସେବି ନିତି ।ଏ ଭାବେ ସଂସାରୁ ତରନ୍ତି ॥
ଏବେ ଅସୁର ସୁତେ ଶୁଣ ।ଜୀବର ଯେଣେ ପରିତ୍ରାଣ ॥
ବିଷ୍ଣୁର ପ୍ରିୟ ଯେତେ କର୍ମ ।ଯେବା ଅଧୁକ ଗୁଣଗ୍ରାମ ॥
ଲୀଳା ଶିରୀରେ ଯେତେ କଲା ।ଅନ୍ୟାନ୍ୟ ଗୁଣେ ଯେତେଖେଳା ॥
ସେ କଥା ଶୁଣି କର୍ଣ୍ଣଦ୍ୱାରେ ।ପୁଲକ ଯାହାର ଶରୀରେ ॥
ହରଷେ ଅଶ୍ରୁଜଳ ବହେ ।କଣ୍ଠେ ଗଦ୍ଗଦ୍ ବାଣୀ କହେ ॥
ଆନନ୍ଦେ କହେ କୃଷ୍ଣବାଣୀ ।ଉଚ୍ଚ ରୋଦଇ ତାହା ଶୁଣି ॥
ନୃତ୍ୟ କରଇ ବେନି ପାଦେ ।ହରଷେ କହେ ଉଚ୍ଚ ନାଦେ ॥
ଭୂତ ଗନ୍ଧର୍ବ ଗ୍ରହ ଯେହ୍ନେ ।ଲାଗିଲେ ଭୋଳ ହୋନ୍ତି ଜନେ ॥
ଉନ୍ମତ୍ତ ହୋଇ ଭାବ ବଳେ ।ହୁଙ୍କାର ନାଦେ କୃଷ୍ଣ ବୋଲେ ॥
ଜନଙ୍କୁ ବିଷ୍ଣୁ ପ୍ରାୟମଣେ ।ନମଇଁ ତାହାଙ୍କ ଚରଣେ ॥
ତୁଣ୍ଡେ ବୋଲନ୍ତି ହରି ହରି ।ଭୋ ଜଗନ୍ନାଥ ଦଇତାରି ॥
ହେ ନାରାୟଣ ଯଦୁପତି ।ନିର୍ଲ୍ଲଜ ପ୍ରାୟ ବହେ ମତି ॥
ଏମନ୍ତ ଭାବେ ଯେତେବେଳେ ।ଭଜଇ ବିଷ୍ଣୁ ପାଦ ତଳେ ॥
ଅଶେଷ କର୍ମବନ୍ଧ ପାଶ ।ତକ୍ଷଣେ ଯାଏ ତାର ନାଶ ॥
କୃଷ୍ଣ ଚରଣେ ଭାବ କରେ ।ଅଶେଷ ବନ୍ଧନୁ ନିସ୍ତରେ ॥
କୃଷ୍ଣର ଭାବ ହୁଏ ଶୁଦ୍ଧି ।ଚେତନା ଅହଙ୍କାର ବୁଦ୍ଧି ॥
ମନର ବାହାର ଅନ୍ତରେ ।ନିର୍ମଳ ପ୍ରକାଶେ ଶରୀରେ ॥
କର୍ମ ବାସନା ବୀଜବଳେ ।ଜୀବ ସଞ୍ଚରେ ଏ ଅନଳେ ॥
ବିଷ୍ଣୁ ଭକତି ଯୋଗବଳେ ।ପ୍ରକାଶେ ପ୍ରଚଣ୍ଡ ଅନଳେ ॥
ସେ ଅଗ୍ନିତେଜେ କର୍ମବୀଜ ।ତକ୍ଷଣେ ହୁଅଇ ଦହିର୍ଯ୍ୟ ॥
କର୍ମ ବିନାଶେ ଜୀବ ତରେ ।ନିଶ୍ଚିନ୍ତେ ବିଷ୍ଣୁ ଆଶ୍ରେକରେ ॥
କୃଷ୍ଣ ଆଶ୍ରୟ ପ୍ରାଣୀଙ୍କର ।ଶୁଭ ଅଶୁଭ ହୁଏ ଦୂର ॥
ଏ ଶୁଭାଶୁଭ ଚକ୍ରେ ଥାଇ ।ପ୍ରାଣୀ ଅଶେଷ ଜନ୍ମ ପାଇ ॥
ସଂସାର ଚକ୍ର ଦୃଢ଼ ପାଶ ।ହରି ଭଜନେ ହୁଏ ନାଶ ॥
ଏ ଜୀବ ବଦ୍ଧ ମୋକ୍ଷ ହୋଇ ।ବ୍ରହ୍ମ ନିର୍ବାଣେ ପଶେ ଯାଇ ॥
ପଣ୍ଡିତ ଜନଙ୍କର ମତ ।ବିଷ୍ଣୁ ଭଜନ ବ୍ରହ୍ମତତ୍ତ୍ୱ ॥
ବାଳକେ ମୋର ବୋଲକର ।ବେଳହୁଁ ଗୋବିନ୍ଦ ସୁମର ॥
ହରିଙ୍କୁ ଭଜ ଦୃଢ଼ମନେ ।କି ଦୁଃଖ କଷ୍ଟ ଉପାସନେ ॥
ହରି ଅଶେଷ ପ୍ରାଣୀ ଦେହେ ।କ୍ଷୁଦ୍ର ଆକାଶ ପ୍ରାୟ ରହେ ॥
ଆତ୍ମାର ସଖା ପଦ୍ମନାଭ ।ଅନ୍ୟ ଭଜନେ କିବା ଲାଭ ॥
ଦେଖ ଏ ଧନ ଦାରା ସୁତ ।ପଶୁ କୁଞ୍ଜର ଧ୍ୱଜ ଛତ୍ର ॥
ନାନା ସମ୍ପଦେ ଅର୍ଥ କାମ ।କ୍ଷଣଭଙ୍ଗୁର ସର୍ବ ଜାଣ ॥
ସ୍ୱପନ ପ୍ରାୟ ମିଥ୍ୟା ହୋନ୍ତି ।ଜୀବକୁ କିବା ଏ କରନ୍ତି ॥
ସମ୍ପତ୍ତି ନୁହଇ ନିଶ୍ଚଳ ।ଯେସନେ ସମୁଦ୍ର ଉଲ୍ଲୋଳ ॥
ଏହା ନ ଜାଣି ସର୍ବ ଜନେ ।ଏ ମାୟା ନିଗମ ବଚନେ ॥
ଯଜ୍ଞ ଆରମ୍ଭ କରି କର୍ମ ।ଆଶ୍ରୟ ମୂଳେ ହୋନ୍ତି ଭ୍ରମ ॥
ଯେ ଯଜ୍ଞଫଳ ବେନି ଲୋକେ ।ଆବୋରି ଭୁଞ୍ଜ ଏକେ ଏକେ ॥
କର୍ମ ଚଳିଲେ ପୁଣି ବଳେ ।ଭ୍ରମଇଁ ଏ ମାୟା ଶୟଳେ ॥
ଅଦୃଷ୍ଟ କୃତ କର୍ମ ଫଳ ।କେବେହେଁ ନୁହଇ ନିର୍ମଳ ॥
ଏ କର୍ମ ଦୂରେ ପରିହରେ ।ଆତ୍ମାକୁ ମାୟାରୁ ଉଦ୍ଧରେ ॥
ଅନ୍ତରେ ଆତ୍ମା ସୁଖ ଲଭେ ।କୃଷ୍ଣ ଚରଣେ ଭକ୍ତିଭାବେ ॥
ଯେ ଅର୍ଥେ ପ୍ରାଣୀ ଇହଲୋକେ ।କର୍ମେ ଆସକ୍ତ ଏକେ ଏକେ ॥
ସେ କର୍ମ ଦେଇ ହରି ପାଦେ ।ନିଷ୍କାମ ଭାବରେ ଆନନ୍ଦେ ॥
ନିର୍ମଳ ଚିତ୍ତେ ହରି ଭାବେ ।ସେ ପ୍ରାଣୀ ମୋକ୍ଷଫଳ ଲଭେ ॥
ଦୁଃଖ ବିନାଶେ ସୁଖଅର୍ଥେ ।ପ୍ରାଣୀ ଭ୍ରମନ୍ତି ଏ ଜଗତେ ॥
ଆପଦ ଦୁଃଖ ଭୁଞ୍ଜେ ନିତ୍ୟେ ।ସୁଖ ନ ମିଳେ କଦାଚିତ୍ତେ ॥
ଅଶେଷ ଭୋଗ କାମ ଅର୍ଥେ ।କର୍ମ କରଇ ପ୍ରାଣୀ ନିତ୍ୟେ ॥
ସେ ଫଳ ପରଲୋକେ ପାଇ ।ମିଳଇ ଅବା ନ ମିଳଇ ॥
ଯେ ଦେହ ପାଇଁ କର୍ମମାନ ।କରଇ ଭକ୍ଷେ ତାକୁ ଶ୍ୱାନ ॥
ଏ ଦାରାସୁତ ଗୃହ ଧନ ।ରାଜ୍ୟ ଭଣ୍ଡାର ଭୃତ୍ୟଜନ ॥
ମହତ ଆବୃତେ ଏ ଥାନ୍ତି ।ଦିଶଇ ପୁଣ ନ ଦିଶନ୍ତି ॥
ଏ ତୁଚ୍ଛ ପ୍ରାୟ ଦେହତୁଲେ ।ସର୍ବେ ନାଶନ୍ତି ଅନ୍ତଃକାଳେ ॥
ଅନର୍ଥ ଅର୍ଥ ପ୍ରାୟେ ମଣି ।ମାୟା ସମୂହେ ସର୍ବ ପ୍ରାଣୀ ॥
ଏ ନିତ୍ୟ ଆନନ୍ଦ ସାଗରେ ।ଚିତ୍ତ ମଜ୍ଜାଅ ନିରନ୍ତରେ ॥
ଦେହ ଧାରଣେ ଏତେ ଲାଭ ।ଅସୁର ମତି ଛାଡ଼ି ଭାବ ॥
ଦେଖ ଏ ସଂସାର ଧାରଣ ।ଜନ୍ମହୁଁ ଯାବତ ମରଣ ॥
ଏମନ୍ତେ ଅଶେଷ ଉପାୟେ ।ଜୀବର ନାଶ ସର୍ବ ହୁଏ ॥
କର୍ମ ସଂଯୋଗେ ଦେହ ବହି ।ନିରତେ କର୍ମକୁ ସଞ୍ଚଇ ॥
ଜନ୍ମ ମରଣ କର୍ମ ଫଳେ ।ଭୁଞ୍ଜଇ ଅବିବେକ ବଳେ ॥
ଏ ଘେନି ଧର୍ମ ଅର୍ଥ କାମ ।ଏ ତିନି ଜୀବର ଯେ ଭ୍ରମ ॥
ଏଣୁ ଭ୍ରମଇ ନିରନ୍ତରେ ।କ୍ଷଣ ନ ରହେ ସୁଖ ଘରେ ॥
ଏଣୁ ସଂଶୟ ଦୂର କରି ।ଅନ୍ତରେ ଭଜ ନରହରି ॥
ଆତ୍ମାର ସ୍ୱରୂପ ଈଶ୍ୱର ।ଚିତ୍ତ ନିର୍ମଳେ ଆଶ୍ରେକରେ ॥
ହରି ସ୍ୱକୃତ ପଞ୍ଚଭୂତେ ।ଜନ୍ମ କରାଇ ସ୍ୱଆୟତ୍ତେ ॥
ସଂଯୋଗେ ଶରୀର ପ୍ରକାଶେ ।କର୍ମ ସରିଲେ ଦେହ ନାଶେ ॥
ଦେବ ଅସୁର ନର ଯେବେ ।ଯକ୍ଷ ଗନ୍ଧର୍ବ ହରି ଭାବେ ॥
ଭଜନ୍ତି ମୁକୁନ୍ଦ ଚରଣେ ।ସେ ଜୀବ ପରମ କାରଣେ ॥
ବିପ୍ର ଦେବତା ଋଷି ହୋଇ ।ଯେବେ କୃଷ୍ଣଙ୍କୁ ନ ଭଜଇ ॥
ଅନେକ ବିଦ୍ୟା ବାଦ କରେ ।ଶଉଚ ବ୍ରତକୁ ଆଚରେ ॥
ଅନେକ ଦିନ ତପ ସାଧି ।ଅଷ୍ଟାଙ୍ଗ ଯୋଗ କର୍ମ ବିଧି ॥
କରି ସମସ୍ତ କ୍ରିୟା ଯେତେ ।ନାନା ଉପାୟ ଏ ଜଗତେ ॥
ଅଜ୍ଞାନ ବିଡ଼ମ୍ବନ ଏହି ।ଏଣେ ଗୋବିନ୍ଦକୁ ନ ପାଇ ॥
ନିର୍ମଳ ଭକ୍ତି ଅନ୍ତର୍ଗତେ ।ଯେବେ କରଇ ଅବିରତେ ॥
ତେବେ ଲଭଇ ଭଗବାନ ।ଅନ୍ୟଥା ସର୍ବ ବିଡ଼ମ୍ବନ ॥
ଏଣୁ ଗୋବିନ୍ଦ ପାଦେ ଭଜ ।ଅସୁର ବୁଦ୍ଧି ଦୂରେ ତେଜ ॥
ସେ ଆତ୍ମା ସୁବୁଦ୍ଧି ବିବେକ ।ଆତ୍ମା ସମାନେ ସର୍ବ ଦେଖ ॥
ସକଳ ଘଟେ ଏକା ହରି ।ସୂକ୍ଷ୍ମ ସ୍ୱରୂପେ ଅଛି ପୂରି ॥
ଏ ଭାବ ଜାଣି ଏ ଶୟଳେ ।ଅନେକ ପ୍ରାଣୀ ନିସ୍ତରିଲେ ॥
ଅସୁର ଯକ୍ଷ ରକ୍ଷଗଣ ।ସ୍ତ୍ରୀ ଶୂଦ୍ର ଚଣ୍ଡାଳ ପ୍ରମାଣ ॥
ମୃଗ ପତଙ୍ଗ ପାପୀ ଜୀବେ ।ସର୍ବ ତରିବେ ବିଷ୍ଣୁଭାବେ ॥
ଏ ଜୀବ ଲୋକେ ଏ ଦୁର୍ଲଭ ।ଏକାନ୍ତ ଚିତ୍ତେ ହରିଭାବ ॥
ଜ୍ଞାନ ଲୋଚନେ ସର୍ବେ ଦେଖ ।ଆତ୍ମାକୁ ଆତ୍ମା ଭାବେ ରଖ ॥
ବୋଲଇ ବିପ୍ର ଜଗନ୍ନାଥ ।ଜନ ନିସ୍ତାରେ ଭାଗବତ ॥
ସପ୍ତମସ୍କନ୍ଧେ ହରିଲୀଳା ।ଭବ ସୁମଦ୍ରକୁ ଏ ଭେଳା ॥
ଅସୁର ପୁତ୍ରଙ୍କର ଭାବେ ।ପ୍ରହ୍ଲାଦ ଦୟା ଅନୁରାଗେ ॥
ଯେତେ କହିଲି ହରିବାଣୀ ।ସୁଜନେ ତର ଏହା ଶୁଣି ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂବୈୟାସିକ୍ୟାଂ ସପ୍ତମସ୍କନ୍ଧେ ଅସୁର ବାଳକବୋଧନେ ନାମ ସପ୍ତମୋଽଧ୍ୟାୟଃ ।