ଶ୍ରୀମଦ୍ ଭାଗବତ (ସପ୍ତମ ସ୍କନ୍ଧ)
ଜଗନ୍ନାଥ ଦାସ · ଭାଗ ୨ / ୧୦
ସମ୍ପୂର୍ଣ୍ଣ ସୂଚୀପତ୍ର
ଦ୍ୱିତୀୟ ଅଧ୍ୟାୟ
ନାରଦ ଉବାଚକହନ୍ତି ବ୍ରହ୍ମାଙ୍କ ନନ୍ଦନ ।ରାଜନ ସାବଧାନେ ଶୁଣ ॥
ଅସୁର କୁଳେ ଜାତ ହୋଇ ।ଜୟ ବିଜୟ ବେନିଭାଇ ॥
ହିରଣ୍ୟ ହିରଣ୍ୟାକ୍ଷ ବୀର ।ତପେ ତୋଷିଲେ ବେଦବର ॥
ହିରଣ୍ୟକଶିପୁ ଅସୁର ।ବଳେ ହୋଇଲା ରାଜେଶ୍ୱର ॥
କଷ୍ଟ ପାଇଣ ଭୟଙ୍କର ।ତ୍ରାସେ କମ୍ପିଲେ ସୁରନର ॥
ତାର ଅନୁଜ ହିରଣ୍ୟାକ୍ଷ ।ଗଦା ସଂଗ୍ରାମେ ଅତି ଦକ୍ଷ ॥
ଦେବ ମନୁଷ୍ୟ ତାର ତୁଲେ ।ଗଦା ଯୁଦ୍ଧରେ ହାରିଗଲେ ॥
ଏ ବେନିଲୋକ ଜିଣି ବଳେ ।ବିଜୟ କଲା ସେ ପାତାଳେ ॥
ବରୁଣ ପୁରେ ଯାଇ ମିଳି ।ପ୍ରଚଣ୍ଡ ଗଦା କରେ ତୋଳି ॥
ବୋଇଲା ଯୁଦ୍ଧ ମୋତେ ଦିଅ ।ନୋହିଲେ ପାତାଳେ ନ ଥାଅ ॥
ମୋର ଏ ପାତାଳ ଭୁବନ ।ଏମନ୍ତେ ଗଲା କେତେଦିନ ॥
ଯଜ୍ଞ ବରାହ ରୂପ ଧରି ।ଦନ୍ତାଗ୍ରେ ଧରଣୀ ଉଦ୍ଧାରି ॥
ସେ ହରି ଥିଲେ ତାର ପୁରେ ।ତିନି ଭୁବନ ଉପକାରେ ॥
ଅସୁର ଦେଖି ଦାମୋଦର ।ଗଦା ପ୍ରହାରେ କଲେ ଚୂର ॥
ହିରଣ୍ୟକଶିପୁ ତା ଶୁଣି ।କୋପେ କମ୍ପିଲା ସେହିକ୍ଷଣି ॥
ଅଧର ଦନ୍ତରେ କାମୋଡ଼ି ।ହାହା ଶବଦେ ଶିର ତାଡ଼ି ॥
ଭ୍ରାତୃ ନିଧନେ ଯେ ବିକଳ ।ଚାହିଁଲା ଆକାଶ ମଣ୍ଡଳ ॥
ସଧୂମ ଦିଶଇ ଆକାଶ ।ଯେଣୁ ହୋଇଛି ମହାରୋଷ ॥
କରାଳ ବକ୍ରେ ଉର୍ଦ୍ଧ୍ୱ ଦୃଷ୍ଟି ।ଲଲାଟେ ଟେକିଣ ଭ୍ରୂକୁଟି ॥
ତୋଳି ତ୍ରିଶୂଳ ସଭା ମଧ୍ୟେ ।ବୋଲଇ ଭ୍ରାତୃଶୋକବାଦେ ॥
ଭୋ ଭୋ ଦାନବ ଦୈତ୍ୟଗଣ ।କହଇ ସାବଧାନେ ଶୁଣ ॥
ଦ୍ୱିମୂର୍ଦ୍ଧ ତ୍ରିନେତ୍ର ଶମ୍ବର ।ଭୋ ଶତ ବାହୁ ହୟ ଶିର ॥
ନମୁଚି ହେ ପାକ ଇଲ୍ୱଳ ।ହେ ବିପ୍ରଚିତ୍ତ ଶୁଣ ବୋଲ ॥
ପୁଲୋମ ଶକୁନି ସହିତେ ।ଏ ମୋର ସଭାମଧ୍ୟେ ଯେତେ ॥
ମୋହର ବୋଲ ଏବେ କର ।ଏ ଶୋକ ସାଗରୁ ଉଦ୍ଧର ॥
ମୋର ବଇରୀ ଦେବଲୋକେ ।ମନୁଷ୍ୟ ମଧ୍ୟେ ଛନ୍ତି ଥୋକେ ॥
ହରିଙ୍କୁ ଭଜନ୍ତି ଯେ ନିତ୍ୟେ ।ଏବେ ବିଚାରି ମୋର ଚିତ୍ତେ ॥
ହରିର ପଥ ଆଶ୍ରେ କଲେ ।ମୋର ଭାଇକି ସଂହାରିଲେ ॥
ସେ ହରିର ମୋହର ବଇରୀ ।ଅତି ନିର୍ଦ୍ଦୟ ଅହଙ୍କାରୀ ॥
ମାୟାରେ ନାନା ରୂପ ଧରେ ।ଭକତ ସଙ୍ଗେ ସେ ବିହରେ ॥
ବାଳକ ପ୍ରାୟ ତାର ଗତି ।ଏଣୁ ଅସ୍ଥିର ମୋର ମତି ॥
ଏ ଶୂଳ ମାରି ତା ଶରୀରେ ।ତର୍ପଣ କରିବି ରୁଧିରେ ॥
ମୋ ଭ୍ରାତୃ ପିତୃ କାର୍ଯ୍ୟ ଅର୍ଥେ ।କହିଲି ତୁମ୍ଭର ଅଗ୍ରତେ ॥
ସେ କୂଟ ଦୁଷ୍ଟ ଦୁରାଚାର ।ତାର ବିଶ୍ୱାସୀ ବେଗେ ମାର ॥
ସେ ମଲେ ମରିବେ ସକଳେ ।ବୃକ୍ଷ କାଟିଲେ ଯେହ୍ନେ ଡାଳେ ॥
ଯାବତ ନ ମରଇ ହରି ।ତାବତ ଭ୍ରମ ବସୁନ୍ଧରୀ ॥
ବ୍ରହ୍ମ କ୍ଷତ୍ରୀୟ ବୈଶ୍ୟ ଯେତେ ।ବିଷ୍ଣୁ ଭଜନ୍ତି ଅବିରତେ ॥
ତପସ୍ୱୀ ଜନ ବେଗେ ମାର ।ଯଜ୍ଞର ଅଗ୍ନି ନାଶ କର ॥
ତ୍ରିସନ୍ଧ୍ୟା ଭକ୍ତ ଜ୍ଞାନୀ ଯେତେ ।ତାହାଙ୍କୁ ମାର ଅବିରତେ ॥
ଏ ଧର୍ମ କ୍ରିୟା ମୂଳେ ହରି ।ସେ ଥାଇ ତାର ହୃଦେ ପୂରି ॥
ଋଷି ଦେବତା ପିତୃଗଣେ ।ଯେ ଥାନ୍ତି ଧର୍ମ ପରାୟଣେ ॥
ଗୋରୁ ବ୍ରାହ୍ମଣେ ଯଜ୍ଞ ଯହିଁ ।ବେଦ ପଠନେ ମନ୍ତ୍ରଧ୍ୟାୟୀ ॥
ଆଶ୍ରମ କ୍ରିୟା ଯହିଁ ଥିବ ।ବେଗେ ବିନାଶ ଅଗ୍ନିଦେବ ॥
ଏମନ୍ତ ରାଜା ଆଜ୍ଞା ପାଇ ।ଅସୁର ଗଲେ ସଜ ହୋଇ ॥
ସ୍ୱଭାବେ ଅସୁର ନିର୍ଦ୍ଦୟ ।ପ୍ରାଣୀ ମରଣେ ବଡ଼ ପ୍ରିୟ ॥
ତକ୍ଷଣେ ପଶି ଗ୍ରାମ ପୁରେ ।ଗିରି ବନସ୍ତ କ୍ଷେତ୍ର ଦ୍ୱାରେ ॥
ଋଷି ଆଶ୍ରମେ ତପୋବନେ ।ମେରୁ ପର୍ବତ ନାନାସ୍ଥାନେ ॥
ଗୋରୁ ବ୍ରାହ୍ମଣ ଯଜ୍ଞ ସ୍ଥାନ ।ଅନଳେ ଦହିଲେ ତକ୍ଷଣ ॥
ଖନିତ୍ର ଘେନି ମହାସୁର ।ଭେଦିଲେ ପ୍ରାକାର ଗୋପୁର ॥
ଅସୁର ବଳ ବେଗେ ବ୍ୟାପି ।ଛେଦି ପକାଇଲେ ବିଟପୀ ॥
ଜୀବିତ ବୃକ୍ଷ ଯେତେ ଥିଲେ ।ପରଶୁ ହସ୍ତେ ତା ଛେଦିଲେ ॥
ଏମନ୍ତ ଦ୍ୱାଦଶ ବରଷେ ।ଧର୍ମ ନାଶିଲେ ମହାରୋଷେ ॥
ନିରତେ ପ୍ରାଣୀ ନାଶ କଲେ ।ଦେବେ ଆକାଶୁ ପଳାଇଲେ ॥
ଲୁଚିଲେ ବନଗିରି ତୃଣେ ।ଘୋର କାନନେ ସୁରଗଣେ ॥
ଭ୍ରାତୃ ମରଣେ କୋପକଲା ।ଏମନ୍ତେ ପ୍ରାଣୀ ନାଶ କଲା ॥
ଭ୍ରାତୃର ପ୍ରେତକାର୍ଯ୍ୟ କଲା ।ଅନେକ ଜଳ ଅନ୍ନ ଦେଲା ॥
ତର୍ପଣ ଶ୍ରାଦ୍ଧ କର୍ମ ସାରି ।ଭ୍ରାତୃଷ୍ପୁତ୍ରକୁ କୋଳେ ଧରି ॥
ତକ୍ଷଣେ ଅନ୍ତଃପୁରେ ଯାଇ ।ସୁହୃଦ ଅସୁରଙ୍କୁ ରାଇ ॥
ଶକୁନି ଶମ୍ବର ଧୃଷ୍ଟିକ ।ଭୂତ ସନ୍ତାପନ ଯେ ବୃକ ॥
କାଳନାଭ ମହାନାଭଙ୍କୁ ।ହରିଶ୍ମଶ୍ରୁ ଉତ୍କଚକକୁ ॥
ନିଜର ନିକଟେ ବସାଇ ।ଅନୁଜ ପତ୍ନୀକୁ ଅନାଇ ॥
ତାହାର ନାମ ଅଟେ ଭାନୁ ।ସ୍ୱାମୀ ମରଣେ କ୍ରୋଧମନୁ ॥
ମାତାର ସଙ୍ଗେ ତାକୁ ଆଣି ।ବସାଇ କହେ ମଞ୍ଜୁବାଣୀ ॥
ହିରଣ୍ୟକଶିପୁ ଉବାଚହେ ମାତା ପୁତ୍ରବଧୂଗଣ ।ଶୋକ କରିବା ଅକାରଣ ॥
ମୃତ ପ୍ରାଣୀଙ୍କୁ ନ ସୁମରି ।ଏ ଜୀବ ନୁହଇ କାହାରି ॥
ବୀର ମରଣ ରିପୁମୁଖେ ।ଲଭେ ଅକ୍ଷୟ ସ୍ୱର୍ଗ ସୁଖେ ॥
ତାର ମରଣେ ଚିନ୍ତା ନାହିଁ ।ସ୍ୱର୍ଗେ ବସିଲା ମୋର ଭାଇ ॥
ପଥେ ପଥୁକୀ ଜନ ପ୍ରାୟେ ।ଏ ଭବେ କିଛି ସ୍ଥିର ନୁହେଁ ॥
ପୂର୍ବ ଜନ୍ମର କର୍ମ ଫଳେ ।ପ୍ରାଣୀଏ ମିଳନ୍ତି ସଂସାରେ ॥
ତୃଷାର୍ତ୍ତ ଲୋକ ନିବାରଣେ ।ଯେହ୍ନେ ମିଳନ୍ତି ଜଳସ୍ଥାନେ ॥
ପୁଣି ଚଳନ୍ତି ଶ୍ରମ ସାରି ।ସେ ଜଳ ନୁହଇ କାହାରି ॥
ଆତ୍ମା କେବେହେଁ ନାଶନୁହେ ।ପ୍ରବେଶ କରେ ଯହୁଁ ଦେହେ ॥
ଅବ୍ୟୟ ଶୁଦ୍ଧ ସର୍ବ ଗାମୀ ।ସର୍ବଜ୍ଞ ସର୍ବ ଦେହେ ଭ୍ରମି ॥
ସେ ଆତ୍ମା ଦେହରୁ ଚଳିଲେ ।ଦେହ ବିନାଶ ଲଭେ ଭଲେ ॥
ଚଞ୍ଚଳ ଜଳେ ବୃକ୍ଷ ଛାଇ ।ଚଳିଲା ପ୍ରାୟେକ ଦିଶଇ ॥
ସେ ଯେହ୍ନେ ଭଦକେ ନ ମିଶେ ।ଆତ୍ମା ଶରୀରେ ପରକାଶେ ॥
ବାଳକେ କ୍ରୀଡ଼ାରେ ଘୂରନ୍ତି ।ଭ୍ରମିଣ ମହୀରେ ପଡ଼ନ୍ତି ॥
ଚାହାନ୍ତେ ଭ୍ରମଇ ସଂସାର ।ଏମନ୍ତ ମାୟା କ୍ରୀଡ଼ାଘର ॥
ଏଣୁ ଏ ଭ୍ରମ ଗୁଣ ଦୋଷେ ।ମନ ନ ରହଇ ବିଶ୍ୱାସେ ॥
ଏ ଆତ୍ମା ହୋଇ ଦେହବନ୍ତ ।ଦେହ ଅଭିନ୍ନ ମଣେ ନିତ୍ୟ ॥
ଅର୍ଜ୍ଜିଲା କର୍ମଫଳ ବଳେ ।ପ୍ରାଣୀ ଭ୍ରମନ୍ତି ମହୀତଳେ ॥
ସଂସାର ସଂଯୋଗ ବିଯୋଗେ ।ଶୋକ ହରଷ ବେନି ମାର୍ଗେ ॥
ଏ ଅର୍ଥେ ଇତିହାସ କହି ।ଶୁଣ ଜନନୀ ମନ ଦେଇ ॥
ପୂର୍ବେ ପୁତ୍ରଙ୍କ ବଧୂ ତୁଲେ ।ଯେବା ସମ୍ପଦ ମହୀତଳେ ॥
ଶୁଣ ଜନନୀ ମନ ତୋଷେ ।ଯେ କଥା ଅଛି ନର ଅଂଶେ ॥
ସୁଯଜ୍ଞ ନାମେ ରାଜା ଥିଲା ।ଶତ୍ରୁ ସଂଗ୍ରାମେ ପ୍ରାଣ ଦେଲା ॥
ତାହା ଶୁଣିଣ ପୁରଜନେ ।ମିଳିଲେ ମୃତପିଣ୍ଡ ସ୍ଥାନେ ॥
ଦେଖିଲେ ରାଜାର ଶରୀର ।ରୁଧିର ଧୂଳିରେ ଧୂସର ॥
ରତ୍ନ କବଚ ଖଣ୍ଡ ଖଣ୍ଡ ।ବିଭ୍ରମ ଅଳଂକାର ପିଣ୍ଡ ॥
ତା ବକ୍ଷସ୍ଥଳ ଶରେ ଛିହ୍ନ ।ବିନଷ୍ଟ ହୋଇଛି ନୟନ ॥
ବିଦୀର୍ଣ୍ଣ କେଶ ତାର ମୁଣ୍ଡେ ।ବହେ ରୁଧିର ଚାରୁତୁଣ୍ଡେ ॥
ଅଧର ଦଂଶିତ ବଦନ ।ହୋଇ ରହିଛି ବିଦ୍ୟମାନ ॥
ବାୟୁ ନ ବହେ ନାକ ବାଟେ ।କର ଆୟୂଧ ଛିନ୍ନ ଅଟେ ॥
ଏକାଳେ ମିଳିଲେ ସମୀପେ ।କାମିନୀଗଣ ଦୁଃଖ ଶୋକେ ॥
ଅତି କାତର ହୋଇ ତହିଁ ।କାନ୍ଦନ୍ତି ରାଜାମୁଖ ଚାହିଁ ॥
ଭୋ ନାଥ ତୋହର ଚରଣେ ।ତୋର ସକଳ ବନ୍ଧୁଗଣେ ॥
ଜୀବନ ଥାଉଁ ଥାଉଁ ମଲୁ ।ବିଧି ଅଯୋଗ ଭିଆଇଲୁ ॥
ହୃଦରେ ବେନି କର ତାଡ଼ି ।କାନ୍ଦନ୍ତି ଭୂମିତଳେ ପଡ଼ି ॥
ଚରଣ ପୁଣ ପୁଣ ଧରି ।କାନ୍ଦନ୍ତି ଉଚ୍ଚ ନାଦ କରି ॥
ଚରଣସିକ୍ତ ଅଶ୍ରୁଜଳେ ।ଲୋତକ ମିଶ୍ରିତ କଜ୍ଜ୍ୱଳେ ॥
କୁଚ କୁଙ୍କୁମ ଅଶ୍ରୁଜଳେ ।ପଡ଼ଇ ରାଜା ପାଦତଳେ ॥
କେଶ ବସନ ଅସମ୍ଭାଳ ।ଶୁଭେ ରୋଦନ ମହାଗୋଳ ॥
ହେ ହେ ଦଇବ ତୁ ନିର୍ଦ୍ଦୟ ।ଦୂରେ ଛାଡ଼ିଲୁ ମାୟା ମୋହ ॥
ଅଦୃଷ୍ଟ ଅଶ୍ରୁତ କରମ ।ଭିଆଇ କଲୁ ମତିଭ୍ରମ ॥
ପୂର୍ବେ ଆମ୍ଭଙ୍କୁ ସୁଖ ଦେଲୁ ।ଏବେ ତୁ ନିଷ୍ଠୁର ହୋଇଲୁ ॥
ପୁଣି ରାଜାର ପାଦ ଧରି ।ଉଚ୍ଚେ କାନ୍ଦନ୍ତି ତାର ନାରୀ ॥
ଆମ୍ଭଙ୍କୁ ତେଜୁ ନାଥ ତୁହି ।ମୁହୂର୍ତ୍ତେ ତୋ ସଙ୍ଗ ନ ପାଇ ॥
କେମନ୍ତେ ଧରିବୁ ଜୀବନ ।ଦିଶଇ ଦଶଦିଗ ଶୂନ୍ୟ ॥
ତୋର ଚରଣ ଆମ୍ଭେ ସେବୁ ।କହ କେବଣ ଦିଗେ ଯିବୁ ॥
ଏମନ୍ତେ ପତି ପାଦ ଧରି ।ଉଚ୍ଚେ କାନ୍ଦନ୍ତି ତାର ନାରୀ ॥
ଦହନ ପାଇଁ ନ ଛାଡ଼ନ୍ତି ।ଦୁଃଖେ ରହିଲେ ଗୋତ୍ର ଜ୍ଞାତି ॥
ଏମନ୍ତେ ରହି ଅସ୍ତ ଗଲା ।ଘୋର ତିମିର ପ୍ରକାଶିଲା ॥
ଆତ୍ତ ରୋଦନ ତାଙ୍କ ଦେଖି ।ଶମନ ଭୁବନ ଉପେକ୍ଷି ॥
ଶୋକ ନିବାରେ ଇଚ୍ଛା କରି ।ଯମ ବାଳକ ରୂପ ଧରି ॥
ମିଳିଣ ତାଙ୍କ ସନ୍ନିଧାନେ ।କହଇ କୋମଳ ବଚନେ ॥
ଯମ ଉବାଚଆହେ ଅଦ୍ଭୁତ କଥା ଦେଖ ।ଏ ସର୍ବ ବୟସେ ଅଧିକ ॥
ବାଳକ ପ୍ରାୟ ନ ଜାଣନ୍ତି ।ବିମୋହେ ରୋଦନ କରନ୍ତି ॥
ଏ ପ୍ରାଣ ଯହୁଁ ଆସିଥିଲା ।କର୍ମ ସଙ୍ଗତେ କରି ଖେଳା ॥
ତହିଁକି ଗଲା କର୍ମ ଅନ୍ତେ ।ଜାଣି ନ ଜାଣୁ ତୁ କେମନ୍ତେ ॥
ଏଣୁ ଏ କର୍ମମୟ ଦେହୀ ।କର୍ମୁ ଅଧିକ କେହି ନାହିଁ ॥
ସମସ୍ତ ତୁଲ୍ୟ ଦେହ ବହି ।କର୍ମ ସରିଲେ କେବା ରହି ॥
ଯହୁଁ ଅଇଲା ତା ନ ଜାଣେ ।ଦେହକୁ ନିତ୍ୟ ପ୍ରାୟ ମଣେ ॥
ଅନ୍ତେ ଯହିଁକି ପ୍ରାଣଯିବ ।ଏହା ନ ଜାଣେ ବ୍ରହ୍ମା ଶିବ ॥
ସଂସାର ମଧ୍ୟେ ଦେହ ବହି ।ସକଳ ମଧ୍ୟେ ଧନ୍ୟ ମୁହିଁ ॥
ପିତା ଜନନୀ ମୋର ନାହିଁ ।ବୁଲଇ ଅରକ୍ଷିତ ହୋଇ ॥
ବୃକ ପ୍ରଭୃତି ଜନ୍ତୁ ଯେତେ ।କେ ଭଜି ନ ପାରନ୍ତି ମୋତେ ॥
ଗର୍ଭେ ଯେ ରକ୍ଷାକଲା ମୋତେ ।ଏବେ ସେ ଅଛି ମୋ ସଙ୍ଗତେ ॥
ଈଶ୍ୱର ଇଚ୍ଛାରେ ସର୍ଜଇ ।ପାଳଇ ପୁଣ ସଂହାରଇ ॥
ତାହାର କ୍ରୀଡ଼ା ଏ ଜଗତ ।କିବା ବାଳକ ତାତ ମାତ ॥
ଯେ ପ୍ରାଣୀ ନିଜ ପଥ ଛାଡ଼ି ।ନିୟତ କର୍ମ ଯେବେ ହୁଡ଼ି ॥
କର୍ମ କରଇ ତାକୁ ରକ୍ଷା ।ଗୁରୁଙ୍କ ପ୍ରାୟେ ଦେଇ ଦୀକ୍ଷା ॥
ବାଳକ ଗୃହେ ଥାଇ ଯେହ୍ନେ ।କର୍ମେ ନ ଥିବ ଭୋଗ ମନେ ॥
ରକ୍ଷକ ଥିଲେହେଁ ମରଇ ।ଅତି ଯତନେ ଯେବେ ଥାଇ ॥
ଯେ ବାଳ ବିପିନେ ବର୍ଦ୍ଧିତ ।ସ୍ୱଭାବେ ହୋଇ ଅରକ୍ଷିତ ॥
ତାହାକୁ ଦଇବ ରଖଇ ।ବେଦ ପୁରାଣେ ଏହା କହି ॥
ଏଣୁ ପ୍ରାଣୀଏ କର୍ମଫଳେ ।ଜନ୍ମ ମରଣ ଏ ଶୟଳେ ॥
ଆତ୍ମା ସକଳ ଦେହେ ଥାଇ ।ଶରୀରୁ ଭିନ୍ନ ସେ ଅଟଇ ॥
ଶରୀରେ ଆତ୍ମଜ୍ଞାନ ଖ୍ୟାତ ।ମୋହ ବଶରୁ ହୁଏ ଜାତ ॥
ଯେତେ ବୁଦ୍ବୁଦ ଜଳୁଁ ଜାତ ।ମାଟିରୁ ଘଟଣ ସେ ସମ୍ଭୂତ ॥
ସ୍ୱର୍ଣ୍ଣରୁ କୁଣ୍ଡଳ ହୁଅଇ ।ବିନାଶେ ନିଜତ୍ୱ ଲଭଇ ॥
ମିଶଇ ବୁଦ୍ବୁଦ ଜଳରେ ।ଘଟ ବିଲୀନ ମୃର୍ତ୍ତିକାରେ ॥
କୁଣ୍ଡଳ ସ୍ୱର୍ଣ୍ଣତ୍ୱକୁ ପାଇ ।ଶେଷରେ ଜଳାଦି ରହଇ ॥
ତେସନେ କାଳବଶେ ଜାତ ।କର୍ମ ଭୋଗେଣ ଜୀବ ମୃତ ॥
ବିନଷ୍ଟ ହୁଅଇ ଶରୀର ।ଆତ୍ମା ଚଳଇ ନିରନ୍ତର ॥
ଅଗ୍ନି ଯେସନ କାଷ୍ଠେ ଥାଇ ।ସ୍ୱଭାବେ ଭିନ୍ନ ସେ ଅଟଇ ॥
ପବନ ଦେହ ମଧ୍ୟେ ଥାଇ ।ଦେହରୁ ପୃଥକ ଅଟଇ ॥
ଆକାଶ ସର୍ବବ୍ୟାପୀ ହୋଇ ।କାହାରି ସଙ୍ଗେ ଲିପ୍ତ ନୋହି ॥
ଏ ଜୀବ ପୁରୁଷ ତେମନ୍ତ ।ସ୍ୱଭାବେ ତ୍ରିଗୁଣାତିରିକ୍ତ ॥
ସୁଯଜ୍ଞ ରାଜା ଏ ନୁହଇ ।ରୋଦନ କର କାହିଁ ପାଇଁ ॥
ଶ୍ରୋତା ବକତା ନାହିଁ ଏଥେ ।ରୋଦନ ଶୁଣିବ କେମନ୍ତେ ॥
ଏ ଦେହ ମଧ୍ୟେ ଆତ୍ମା ଥାଇ ।ଇନ୍ଦ୍ରିୟ ସଙ୍ଗେ ପ୍ରକାଶଇ ॥
ସେ ଏଥୁ ଗଲା ଅନ୍ତରୀକ୍ଷେ ।ଦେଖ ଏ ମୃତ୍ତିକା ପ୍ରତ୍ୟକ୍ଷେ ॥
ଏ ଦେହ ପାର୍ଥିବ ବିକାର ।ପଡ଼ିଛି ପୃଥିବୀ ଉପର ॥
ଯାହାକୁ ଶୋକ ତୁମ୍ଭେ କର ।ସେ ପ୍ରାଣୀ ଏ ଦେହରୁ ପର ॥
ଏ ପଞ୍ଚଭୂତ ଇନ୍ଦ୍ରିଗଣ ।ମନ ଯେ ଏହାଙ୍କ କାରଣ ॥
ଆତ୍ମାଟି ଏହାଙ୍କର ସଙ୍ଗେ ।ପ୍ରକାଶ ଉଚ୍ଚବାଚ ରଙ୍ଗେ ॥
ସେ ନିଜ ତେଜ ପ୍ରକାଶଇ ।ଶରୀର ଘେନଇ ଛାଡ଼ଇ ॥
ଯାବତ ଆତ୍ମା ଦେହେ ଥାଇ ।ଅଲିଙ୍ଗେ ଲିଙ୍ଗ ଦେହ ବହି ॥
ଏ ଜୀବ କର୍ମର ବନ୍ଧନ ।ଏହା ନ ଜାଣେ ମୂର୍ଖଜନ ॥
ଏଣୁ ଏ ଗତାଗତ ପଥେ ।କ୍ଳେଶ ଲଭଇ ଅବିରତେ ॥
ଏ ପୁଣି ମିଥ୍ୟା କଳେବର ।ଅତିଥ୍ୟ ତଥ୍ୟ ପ୍ରାୟ ପୁର ॥
ଯେମନ୍ତେ ସ୍ୱପ୍ନ ମନୋରଥେ ।ଭ୍ରମଇ ଇନ୍ଦ୍ରିୟଙ୍କ ଅର୍ଥେ ॥
ଦେଖଇ ସତ୍ୟପ୍ରାୟେ ତାହା ।ନିଦ୍ରାର ଅନ୍ତେ ହୁଏ ମାୟା ॥
ଏହାଙ୍କ ନିତ୍ୟାନିତ୍ୟ ପଥେ ।ପଣ୍ଡିତ ନ ଘେନନ୍ତି ଚିତ୍ତେ ॥
କର୍ମ ଅନ୍ୟଥା କେ କରି ।ଯାହା ନ ଜାଣେ ବ୍ରହ୍ମାଶିବ ॥
ଶୁଣ କହିବା ପୂର୍ବବାଣୀ ।ମୁଁ ଯେ ବାଳକ ଅଛି ଶୁଣି ॥
ଲୁବ୍ଧକ ପକ୍ଷୀଙ୍କ ମରଣେ ।ଦିନେ ପଶିଲା ଘୋର ବନେ ॥
ବୁଲଇ ହସ୍ତେ ପାଶ ନେଇ ।ପକ୍ଷୀଙ୍କ କାଳ ପ୍ରାୟ ହୋଇ ॥
ଲତା ଗହଳେ ସେ ପଶିଲା ।ଅନ୍ତର ହୋଇଣ ରହିଲା ॥
ଆହାର ଜାଲ ତଳେ ଥୋଇ ।ଲୁଚିଲା ଲତା ମଧ୍ୟେ ଯାଇ ॥
କୁଲିଙ୍ଗ ପକ୍ଷୀ ପତ୍ନୀ ମେଳେ ।ବସି ଯେ ଥିଲା ବୃକ୍ଷଡାଳେ ॥
ଆହାର ଦେଖି ଜାଲ ତଳେ ।ପଶିଲା କୁଲିଙ୍ଗ ଚଞ୍ଚଳେ ॥
ଲୁବ୍ଧକ ଜାଲ ପାଶେ ଛନ୍ତି ।ସେହି ପତ୍ନୀକୁ କଲା ବନ୍ଦୀ ॥
ପତ୍ନୀ ମରଣ ପକ୍ଷୀ ଦେଖି ।ତକ୍ଷଣେ ଆସନ ଉପେକ୍ଷି ॥
ଉଚ୍ଚ ବୃକ୍ଷର ଡାଳେ ବସି ।ନିର୍ଘାତ ନିଃଶ୍ୱାସ ସାହାସୀ ॥
ଅତି ବିକଳ ଦୁଃଖମନେ ।ଲୋତକ ବହଇ ନୟନେ ॥
କର୍ମ ଆଦରି ସତୀ ଚାହିଁ ।ବୋଲଇ ରବିକି ଅନାଇଁ ॥
ହା ହା ଦଇବ ତୁ ନିର୍ଦ୍ଦୟ ।ମୋର ବିଷୟେ କଲୁ କୋହ ॥
କଷଣ କଲୁ ପତ୍ନୀହୀନେ ।ଏ ଦେହ ଧରିବି କେସନେ ॥
ଶରୀର ଅର୍ଦ୍ଧଅଙ୍ଗ ନାରୀ ।ଅର୍ଦ୍ଧକେ କେବା ଦେହଧରି ॥
ବାଳକ ଅଛନ୍ତି ମୋ ବାସେ ।କି ଘେନିଯିବି ତାଙ୍କ ପାଶେ ॥
କେମନ୍ତେ ପୋଷିବଇଁ ମୁହିଁ ।ତାହାଙ୍କ ଦେହ ପକ୍ଷ ନାହିଁ ॥
ବାଳକେ ମୋର ମାତୃହୀନେ ।ଜୀବନ ଧରିବେ କେସନେ ॥
ମାତାଙ୍କୁ ଲୋଡ଼ିବେ ନିରତେ ।ମୁଁ ତାହା ସହିବି କେମନ୍ତେ ॥
ଏମନ୍ତେ ବୃକ୍ଷଡାଳେ ଥାଇ ।ବିକଳେ କୁଲିଙ୍ଗ କାନ୍ଦଇ ॥
ପତ୍ନୀର ଦେହେ ଦେଇ ମନ ।କ୍ଷଣ କ୍ଷଣକେ ଅଚେତନ ॥
ଏମନ୍ତେ ବ୍ୟାଧ ବୃକ୍ଷତଳେ ।ମିଳିଲା ଚରଣ ନିଶ୍ଚଳେ ॥
ନାରାଚ ବିନ୍ଧି ତାକୁ ମାରି ।ମୁଦିଣ ଥୋଇଲା ପଞ୍ଜରୀ ॥
ତହୁଁ ସେ ନିଜପୁର ଗଲା ।ଶୁଣ ଗୋ ନୃପତି ଅବଳା ॥
ଆତ୍ମାର ଗତି ତ ନ ଜାଣ ।ସୁଜନ ବଚନ ନ ଶୁଣ ॥
ଶତ ବରଷ ଏହିଠାବେ ।ରୋଦନ କରୁଥିବ ଯେବେ ॥
ତେବେ କି ଉଠିବ ଶରୀର ।କେମନ୍ତ ବିଚାର ତୁମ୍ଭର ॥
ହିରଣ୍ୟକଶିପୁ ଉବାଚବାଳକ ବଚନ ଏମନ୍ତେ ।ଶୁଣି ସକଳ ଏକ ଚିତ୍ତେ ॥
ମାୟା ଛାଡ଼ିଲେ ଜ୍ଞାନ ପାଇ ।ଉଠିଲେ ଏକୁ ଆରେ ଚାହିଁ ॥
ବୋଲନ୍ତି ମିଥ୍ୟା ଏ ସଂସାର ।ଅନିତ୍ୟ ମନୁଷ୍ୟ ଶରୀର ॥
ଯମ ଏ ଉପଦେଶ ଦେଲା ।ତକ୍ଷଣେ ଅନ୍ତର୍ଦ୍ଧାନେ ଗଲା ॥
ତକ୍ଷଣେ ଜ୍ଞାତି ଗୋତ୍ର ମେଳେ ।ରାଜାର ପ୍ରେତ କାର୍ଯ୍ୟ କଲେ ॥
ଏଣୁ ମୋ ଅନୁଜ ମରଣେ ।ଶୋକ କରିବି କି କାରଣେ ॥
ଏମନ୍ତେ ମାୟାର ସଂସାର ।କେ ନିଜ କେବା ଅଛି ପର ॥
ନାରଦ ଉବାଚଏମନ୍ତେ ଶୁଣି ପୁତ୍ର କଥା ।ଶୋକ ଛାଡ଼ିଲେ ରାଜମାତା ॥
ପୁତ୍ରବଧୂକୁ ଶାନ୍ତ କରି ।ତଥ୍ୟ ବଚନ ମନେ ଧରି ॥
ଦିତି ଛାଡ଼ିଲା ପୁତ୍ର ଶୋକ ।ବ୍ରହ୍ମରେ ନିବେଶି ବିବେକ ॥
କହଇ ଦାସ ଜଗନ୍ନାଥ ।ସପ୍ତମ ସ୍କନ୍ଧେ ଭାଗବତ ॥
ନାରଦ ମୁନି ଅନୁରାଗେ ।କହିଲେ ଧର୍ମ ସୁତ ଆଗେ ॥
ଏ ବାଣୀ ତତ୍ତ୍ୱଜ୍ଞାନ ସାର ।ଶୁଣି ସଂସାରୁ ପ୍ରାଣୀ ତର ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂବୈୟାସିକ୍ୟାଂ ସପ୍ତମସ୍କନ୍ଧେ ନାରଦ ଯୁଧିଷ୍ଠିର ସମ୍ବାଦେଦିତି ଶୋକପନୋଦନେ ନାମ ଦ୍ୱିତୀୟୋଽଦ୍ୟାୟଃ ।