ବିଂଶ ଅଧ୍ୟାୟ — ଶ୍ରୀମଦ୍ ଭାଗବତ (ପଞ୍ଚମ ସ୍କନ୍ଧ) — ଜଗନ୍ନାଥ ଦାସ · ସ୍ୱର୍ଣ୍ଣଲିପିତୁ ସତ୍ୟ ବ୍ରହ୍ମ ଯେ ପୁରୁଷ ।ସକଳ ଭୂତେ ତୋର ବାସ ॥
ତୁ ଯେ ଅଶେଷ ବହୁନାମ ।ସେ ପାଦେ ଆମ୍ଭର ପ୍ରଣାମ ॥
ଶାକଦ୍ୱୀପ ଯେ ପ୍ଳକ୍ଷଆଦି ।ଏଥିରେ ଯେତେକ ପ୍ରସିଦ୍ଧି ॥
ସେ ପ୍ରାଣୀମାନଙ୍କ ଆୟୁଷ ।ଇନ୍ଦ୍ରିୟବଳେ ଯେ ବିଶେଷ ॥
ସ୍ୱଇଚ୍ଛାମତେ ସେ ହୁଅଇ ।ଉତ୍ପତ୍ତିଠାରୁ ଜାତ ସେହି ॥
ପ୍ଳକ୍ଷଦ୍ୱୀପର ଚାରିପାଶେ ।ଇକ୍ଷୁରସ ସିନ୍ଧୁ ପ୍ରକାଶେ ॥
ଏହାକୁ ଦ୍ୱିଗୁଣ ପ୍ରମାଣ ।ଶାଳ୍ମଳୀ ଦ୍ୱୀପ ସେ ରାଜନ ॥
ସୁରା ସମୁଦ୍ର ବେଢି ତାରେ ।ଅଶେଷ ବଳୟ ଆକାରେ ॥
ଏ ଦ୍ୱୀପେ ତାର ଅଧିକାର ।ପ୍ରିୟବ୍ରତର ସେ କୁମର ॥
ଯଜ୍ଞବାହ ତାହାର ନାମ ।ସେ ସାଧୁ ବିଷ୍ଣୁ ପରାୟଣ ॥
ଏ ଦ୍ୱୀପ ସପ୍ତଭାଗ କରି ।ପୁତ୍ରଙ୍କୁ ଦେଲା ଦଣ୍ଡଧାରୀ ॥
ବେଭାରେ ତାର ସପ୍ତ ପୁତ୍ରେ ।ନେଲେ ସେ ଯେଝାରେ ସମସ୍ତେ ॥
ସପତ କୁମାରଙ୍କ ନାମ ।ରାଜନ ଶୁଣ ସାବଧାନ ॥
ପାରିଭଦ୍ର ଯେ ଅଭିଜ୍ଞତ ।ସଉମନସ୍ୟ ନାମେ ସୁତେ ॥
ରମଣକ ଯେ ସୁରୋଚନ ।ଦେବବର୍ହ ଯେ ଆପ୍ୟାୟନ ॥
ସେ ସପ୍ତସ୍ଥାନେ ନଦୀ ଗିରି ।ଯେତେ ଅଛନ୍ତି ଦଣ୍ଡଧାରୀ ॥
ଶତଶୃଙ୍ଗ ଯେ ପୁଷ୍କବର୍ଷ ।ବିନ୍ଧ୍ୟ କୁମୁଦ ଯେ ସରସ ॥
ସହସ୍ର ଶ୍ରୁତି ସହିତର ।ବାମଦେବ ଯେ ସପ୍ତଗିର ॥
ସିନୀବାଲୀ ଯେ ସରସ୍ୱତୀ ।ନନ୍ଦା ନାମ ସେ ଅନୁମତି ॥
ରଜନୀ ରାଜା କୁହୁ ଦୁଇ ।ନଦୀଙ୍କ ସପ୍ତ ନାମ ଏହି ॥
ଏ ଯେ ବରଷ ପ୍ରାଣୀମାନେ ।ତପ ଆରାଧନ ବିଧାନେ ॥
ସେ ରାଜା ଭଗବାନ ସୋମ ।ତାହାଙ୍କୁ କରନ୍ତି ବନ୍ଦନ ॥
ଭୋ ନାଥ ତୋର ସୁଧାରସ ।ପିତୃ ଦେବତାଙ୍କ ସନ୍ତୋଷ ॥
ସପ୍ତ ସମୁଦ୍ର ମଧ୍ୟଦେଶେ ।କୁଶନାମେ ଦ୍ୱୀପ ପ୍ରକାଶେ ॥
କ୍ରମେ ଯେ ସିଦ୍ଧୁ ଦ୍ୱୀପମାନ ।ପୂର୍ବକୁ ଅପରେ ଦ୍ୱିଗୁଣ ॥
ପ୍ରିୟବ୍ରତର ସେ ନନ୍ଦନ ।ହିରଣ୍ୟରେତା ଯାର ନାମ ॥
କୁଶଦ୍ୱୀପରେ ସେ ରାଜନ ।ତାହାର ସପତ ନନ୍ଦନ ॥
ଏ ଦ୍ୱୀପମାନ ଦଣ୍ଡଧାରୀ ।ପୁତ୍ରଙ୍କୁ ଦେଲେ ଭାଗକରି ॥
ସପତ ବରଷକୁ ଦେଲା ।ଯେ ଯାର ମତେ ବିଭାଗିଲା ॥
ବସୁ ଯେ ବିପ୍ରନାମ ଆଉ ।ଦେବ ନାମରେ ପୁତ୍ର ଏହୁ ॥
ନଦୀ ପର୍ବତ ସୀମା ଗିରି ।ବେଭାରେ ଦେଲା ଦଣ୍ଡଧାରୀ ॥
ଗିରିଙ୍କ ନାମ ମହୀପାଳ ।ବଭୃ ଚତିର୍ଶୃଙ୍ଗ କପିଳ ॥
ଚିତ୍ରକୂଟ ଯେ ଉର୍ଦ୍ଧ୍ୱ ରାମ ।ଦେବାନିକ ପରେ ଦ୍ରବିଣ ॥
ରସକୁଲ୍ୟା ଯେ ମିତ୍ରବିନ୍ଦା ।ମଧୁକୁଲ୍ୟା ଯେ ଶତବିନ୍ଦା ॥
ଦେବଗର୍ଭା ଯେ ଘୃତଚ୍ୟୁତା ।ମନ୍ତ୍ରମାଳା ଯେ ଗିରିହୁତା ॥
ଏ ସପ୍ତନଦୀ ଜଳ ପାନେ ।ସୁଖେ ବଞ୍ଚନ୍ତି ତହିଁ ଜନେ ॥
ଜାତ ଦେବ ରୂପକୁ ଧରି ।ଅଛନ୍ତି ଏକ ମନ କରି ॥
ପରମ ବ୍ରହ୍ମର ମୂରତି ।ତୋ ରୂପ ଯୋଗୀଜନେ ଚିନ୍ତି ॥
ସଂସାରେ ଯେତେ ସାଧୁଜନ ।ଯଜ୍ଞେ କରନ୍ତି ତୋ ବନ୍ଦନ ॥
ଏମନ୍ତେ ସ୍ତୁତି ନାନାମତେ ।ଅଗ୍ନି ପୂଜନ୍ତି ଯଥୋଚିତେ ॥
କ୍ଷୀରସିନ୍ଧୁ ମଧ୍ୟଭାଗରେ ।ଦ୍ୱୀପ ଯେ କ୍ରୋଞ୍ଚ ନାମ ଧରେ ॥
କ୍ରୌଞ୍ଚ ନାମରେ ଗିରିବର ।ତା ନାମେ ନାମ ଏ ଦ୍ୱୀପର ॥
ପ୍ରିୟବ୍ରତର ପୁତ୍ର ହୋଇ ।ଘୃତ ପୃଷ୍ଠ ନାମ ବହଇ ॥
ସେ ଦ୍ୱୀପେ ରାଜତ୍ୱ ତାହାର ।ସପତ ତାହାର କୁମର ॥
ସପ୍ତ ବରଷ ବାଣ୍ଟି ଦେଇ ।ନିଶ୍ଚଳେ ପ୍ରଭୁଙ୍କୁ ଭଜଇ ॥
ଭ୍ରାଜିଷ୍ଠ ମେଘପୃଷ୍ଠୁ ଆତ୍ମା ।ମଧୂରୁହ ପୁଣି ସୁଧାମା ॥
ଲୋହିତାର୍ଣ୍ଣ ଯେ ବନସ୍ଫତି ।ବରଷ ନାମକୁ ବହନ୍ତି ॥
ଶୁକ୍ଳ ବର୍ଦ୍ଧମାନ ଭୋଜନ ।ଉପବର୍ହଣ ଯେ ନନ୍ଦନ ॥
ସର୍ବତୋଭଦ୍ର ନନ୍ଦ ଆଦି ।ପର୍ବତ ନାମେ ଯେ ପ୍ରସିଦ୍ଧି ॥
ଅଭୟା ଶୁକ୍ଳା ତୀର୍ଥବତୀ ।ଅମୃତୌଘା ଯେ ରୂପବତୀ ॥
ଆର୍ଯ୍ୟକା ଯେ ପବିତ୍ର ବତୀ ।ସପ୍ତ ନଦୀ ସେ ନାମ ଖ୍ୟାତି ॥
ଯାହାର ଜଳ ପାନ କରି ।ଦେବ ଦେହକୁ ପ୍ରାଣୀ ଧରି ॥
ଜନ ଏ ଯେଉଁ ରୂପରାଶି ।ତାହାକୁ ଭଜନ୍ତି ବିଶ୍ୱାସୀ ॥
ଭୟ ଗୋମୟ ତୁ ଈଶ୍ୱର ।ଭୁବନ ପବିତ୍ର ତୁ କର ॥
ଏ ତୋର ପାଦରେ ବନ୍ଦନ ।ଆମ୍ଭେ ଯେ କରୁ ହୃଷ୍ଟମନ ॥
ଏ ଅନନ୍ତରେ ପରୀକ୍ଷିତ ।ଶାକଦ୍ୱୀପ ନାମେ ବିଦିତ ॥
ଦଧିସମୁଦ୍ର ବେଢ଼ି ତାରେ ।ଅଛି ସେ ଏ ସିନ୍ଧୁ ମଧ୍ୟରେ ॥
ତହିଁ ଯେ ଶୋକ ତରୁବର ।ସୁଗନ୍ଧ ବାସର ପ୍ରସର ॥
ପ୍ରିୟବ୍ରତର ସେ କୁମର ।ମେଧାତିଥି ନାମ ତାହାର ॥
ରାଜତ୍ୱ ପଣ କରି ତହିଁ ।ସେ ସାତଦ୍ୱୀପ ଯେ ପାଳଇ ॥
ଦ୍ୱୀପକୁ ସପ୍ତଭାଗ କରି ।ପୁତ୍ରଙ୍କୁ ଦେଲା ଦଣ୍ଡଧାରୀ ॥
ତାହାଙ୍କ ପୁତ୍ରଙ୍କର ନାମ ।ରାଜନ ଶୁଣ ସାବଧାନ ॥
ଧୂମାନିକ ଯେ ମନୋଜବ ।ଚିତ୍ରରେଫ ଯେ ପୁରୋଜବ ॥
ବହୁରୂପ ଯେ ବିଶ୍ୱଧାର ।ବେଦମାନ ନାମେ ଅପାର ॥
ସପ୍ତ ବରଷ ଯେଝାମତେ ।ଦଇବେ ନୃପ ଯଥୋଚିତେ ॥
ପ୍ରଭୁର ପାଦ ଚିତ୍ତ ଦେଲା ।ତପବଳରେ ସେ ରହିଲା ॥
ଏହାଙ୍କ ପର୍ବତର ନାମ ।ରାଜନ ଶୁଣ ସାବଧାନ ॥
ମହାଦେଶ ଶତକେଶର ।ସହସ୍ର ଶ୍ରୋତା ଦେବପାଳ ॥
ବଳଭଦ୍ର ଆଉ ଈଶାନ ।ଊରୁଶୃଙ୍ଗ ଯେ ତାର ନାମ ॥
ପଞ୍ଚପଦୀ ସହସ୍ର ଶ୍ରୁତି ।ଅପରାଜିତା ନିଜ ଧୃତି ॥
ଉଦୟ ସୃଷ୍ଟି ଯେ ଆରର୍ଦ୍ରା ।ସପତପଦୀ ଯେ ଅନଘା ॥
ଶତେ ବରଷ ସେ ପୁରୁଷ ।ଋତୁବ୍ରତ ଆଦି ବିଶେଷ ॥
ଯେବା ପୁରୁଷ ଭଗବାନ ।ତାହାଙ୍କୁ କରନ୍ତି ସେବନ ॥
ପରମ ଯୋଗ-ସମାଧିରେ ।ସ୍ତୁତି କରନ୍ତି ଯେ ଶ୍ରୁତିରେ ॥
ଭୋଦେବ ପରମ ଆକାର ।ତୋତେ ମୋହର ନମସ୍କାର ॥
ପ୍ରାଣୀର ଅନ୍ତର ବାହାରେ ।ତୁ ନାଥ ଥାଉ ନିରନ୍ତରେ ॥
ଦଧି ସିନ୍ଧୁ ପରେ ରାଜନ ।ପୁଷ୍କର ଦ୍ୱୀପ ଯେ ଦ୍ୱିଗୁଣ ॥
ସ୍ୱାଦୁଜଳ ସିନ୍ଧୁ ତାହାରେ ।ବେଢିଛି ବଳୟ ଆକାରେ ॥
କମଳାସନ ପ୍ରଭୁଙ୍କର ।ଯହିଁ ଆସନ ପଦ୍ମବର ॥
ଜୀବନ କନକ ଶୋଭିତ ।ଅୟୁତ ଶତପୁର ରତ ॥
ଏହାର ନାମ ଦିବ୍ୟବର ।ଲୋକେ ପ୍ରସିଦ୍ଧ ଯେ ପୁଷ୍କର ॥
ଏ ଦ୍ୱୀପ ମଧ୍ୟେ ନୃପବର ।ପବିତ୍ର ମନ ସେ ଉତ୍ତର ॥
ବିସ୍ତାର ଅୟୁତେ ଯୋଜନ ।ଚାରିଦିଗରେ ଭୋ ରାଜନ ॥
ମେରୁ ଭ୍ରମନ୍ତେ ମେରୁବୀର ।ଦିତି ଅଦିତି ଚକ୍ରଧର ॥
ଧାତୁକ ରମଣ ଏ ଦୁଇ ।ପ୍ରିୟବ୍ରତର ପୁତ୍ର ସେହି ॥
ଏ ଦ୍ୱୀପେ ତାଙ୍କ ଅଧିକାର ।ଶୁଣ ପରୀକ୍ଷ ନୃପବର ॥
ସେ ସ୍ଥଳ ଲୋକଙ୍କ ସହିତେ ।ସର୍ବେ ତରନ୍ତି ଯଥୋଚିତେ ॥
ସେ ବ୍ରହ୍ମରୂପୀ ଭଗବାନ ।ତାହାଙ୍କୁ କରନ୍ତି ଭଜନ ॥
ସେ ପ୍ରଭୁ କୂର୍ମରୂପ ହୋଇ ।ଅଖିଳ ସୃଷ୍ଟିକୁ ଭିଆଇ ॥
ସେ ବ୍ରହ୍ମରୂପୀ ଯେ ଠାକୁର ।ନମଇ ତାହାଙ୍କ ପୟର ॥
ଏହାଙ୍କ ପରେ ପରୀକ୍ଷିତ ।ଲୋକାଲୋକ ନାମେ ପର୍ବତ ॥
ଏହାର ମଧ୍ୟେ ଯେଉଁ ସ୍ଥଳ ।କାଳୀନ ଭୂମି ମହୀପାଳ ॥
ବେନି ପର୍ବତ ମଧ୍ୟଦେଶ ।କାଳୀନ ଭୂମି ଯେ ପ୍ରବେଶ ॥
ଏଣୁ ଯେ ଏହାର ଅନ୍ତରେ ।ଗତାଗତ ନାହିଁ ଯେ ପରେ ॥
ଏଣୁ ଏ ଲୋକା ଲୋକ ନାମ ।ଏ ସର୍ବ ଈଶ୍ୱର ଭିଆଣ ॥
ଏ ଯେ ଭୂଗୋଳ ଭୋ ରାଜନ ।ପଞ୍ଚାଶତ କୋଟି ବିସ୍ତୀର୍ଣ୍ଣ ॥
ପୃଥୁ ଚତୁର୍ଥ ଭାଗ ନାମ ।ଏ ଲୋକାଲୋକ ଗିରିସମ ॥
ଅଖିଳ ଜଗତର ଗୁରୁ ।ଯେ ଆତ୍ମା ଯୋନି ମହାମେରୁ ॥
ଅଖିଳ ଲୋକଙ୍କର ମତେ ।ଏହାର ଉର୍ଦ୍ଧ୍ୱେ ଯଥୋଚିତେ ॥
ଧ୍ରୁବଗତି ଯେ ଯେଉଁଠାରେ ।ଅର୍ପିଲେ କର୍କଶ ବେଭାରେ ॥
ଅପରାଜିତା ଯେବା ନାମ ।ପୁଷ୍କର ଚୂଡ ଯେ ବାମନ ॥
ଏହାଙ୍କ ବଳ ପରୀକ୍ଷିତ ।ଲୋକାଲୋକ ନାମେ ପର୍ବତ ॥
ସେ ଯେ ଅନାଦି ପାଶୋଦରେ ।ନାନା ଆୟୁଧ ଧରି କରେ ॥
ହସ୍ତୀର ରକ୍ଷଣର ପାଇଁ ।ରଖିଲେ ପ୍ରଭୁ ଭାବଗ୍ରାହୀ ॥
ନାନା ଅଳଙ୍କାରକୁ ଦେଇ ।ବିଚିତ୍ର ବେଶକୁ ସେ ବହି ॥
ବରଷ ଦ୍ୱୀପ ନଦୀ ଗିରି ।ତୁମ୍ଭରେ କହିଲୁ ବିସ୍ତାରି ॥
ଲୋକାଲୋକ ଗିରି ଅନ୍ତରେ ।ଈଶ୍ୱର ସୃଷ୍ଟି ଅଗୋଚରେ ॥
ଅଖଣ୍ଡ ମଧ୍ୟ ରବି ଗତି ।ଭୁବ ସ୍ୱର୍ଗ ମଧ୍ୟରେ ସ୍ଥିତି ॥
ସୂର୍ଯ୍ୟ ଅସ୍ତ ମଧ୍ୟରେ ମଧ୍ୟ ।ପଞ୍ଚାଶକୋଟି ଯେ ପ୍ରସିଦ୍ଧ ॥
ଆତ୍ମା ଚକ୍ଷୁ ସ୍ୱରୂପ ସେହି ।ସେ ସୂର୍ଯ୍ୟ ଅଖିଳ ଗୋସାଇଁ ॥
ବିଶ୍ୱ ସ୍ୱରୂପ ଶେଷମତ ।କହଇ ବିପ୍ର ଜଗନ୍ନାଥ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂବୈୟାସିକ୍ୟାଂ ପଞ୍ଚମସ୍କନ୍ଧେ ସପ୍ତଦ୍ୱୀପ କଥନେନାମ ବିଂଶୋଽଧ୍ୟାୟଃ ।
ଏକବିଂଶ ଅଧ୍ୟାୟଶ୍ରୀଶୁକ ଉବାଚଭୁବନ କୋଷର ଭିଆଣ ।କହିବି ଯେତେକ ଲକ୍ଷଣ ॥
ଯାହାର ନିକଟରେ ରହି ।ସୂର୍ଯ୍ୟ ଯେ ତ୍ରୈଲୋକ୍ୟ ତାପଇ ॥
ଅତ୍ୟନ୍ତ ବେନିଭାଗ ହୋଇ ।ଉତ୍ତର-ଦକ୍ଷିଣେ ଭ୍ରମଇ ॥
ମାଲକ୍ଷ ପହ ବେନି ନାମ ।ବିଷ୍ଣୁ ଭବନ ଭୋ ରାଜନ ॥
ଦିବାକର ସେ ରକ୍ଷ ଯେତେ ।ଦୀର୍ଘ-ହ୍ରସ୍ୱ ଯେ ପରିଯନ୍ତେ ॥
ବିଶୁଦ୍ଧ ସମାନକୁ ପାଇ ।ପୁଣି ଦୀର୍ଘ-ହ୍ରସ୍ୱ ବଢଇ ॥
ତୁଲ୍ୟ ବିଶୁଦ୍ଧ ପୁଣି ପାଇ ।ଅହୋରାତ୍ର ସେ ନାମ ବହି ॥
ନ'କୋଟି ଏକାନବେ ଲକ୍ଷ ।ଯୋଜନ ପ୍ରମାଣ ପ୍ରତ୍ୟକ୍ଷ ॥
ମାନସଗିରି ତହିଁ ରହି ।ଇନ୍ଦ୍ରର ପୁର ବିରାଜଇ ॥
ପୂର୍ବ ଭାଗରେ ସେ ସୁମେରୁ ।ଦେବଧ୍ୟାନ ନାମ ଯହିଁରୁ ॥
ଯମର ପୁର ତା ଦକ୍ଷିଣେ ।ବିରାଜେ ସଂଯମନୀ ନାମେ ॥
ପଶ୍ଚିମପୁର ବରୁଣର ।ନିମ୍ନୋଚିତ୍ତ ନାମ ତାହାର ॥
ଉତ୍ତରଭାଗେ ସୋମପୁରୀ ।ନାମ ତାହାର ବିଭାବରୀ ॥
ତହିଁ ଉଦୟ ମଧ୍ୟେ ଅନ୍ତ ।ଏ ତିନିକାଳ ଯେ ବିଦିତ ॥
ପ୍ରାଣୀ ପ୍ରବୃତ୍ତି ନିବୃତ୍ତିରେ ।ସୁମେରୁ ଚତୁର ଦିଗରେ ॥
ଅହର୍ନିଶି ଭାବରେ ତହିଁ ।ପ୍ରାଣୀଙ୍କ ସୁଖପ୍ରଦ ହୋଇ ॥
ବାମାବର୍ତ୍ତକ ପ୍ରାୟ ତହିଁ ।ନିତ୍ୟେ ଆଦିତ୍ୟ ସେ ଭ୍ରମଇ ॥
ଉଦୟ କାଳେ ଯେ ଲକ୍ଷଣ ।ଅସ୍ତକାଳରେ ସେହି ପୁଣ ॥
ଦ୍ୱିକୋଟି ଦ୍ୱାଦଶ ଯୋଜନ ।ଲକ୍ଷରେ ହରି ପରିମାଣ ॥
ପଞ୍ଚଦଶ ଘଟିକା ବେଳେ ।ଇନ୍ଦ୍ରର ପୁରୁ ଅବହେଳେ ॥
ଯମର ପୁରରେ ପ୍ରବେଶ ।ସେଠାରେ କରନ୍ତି ପ୍ରକାଶ ॥
ଏଥୁଁ ବରୁଣ ଆଦି ଯେତେ ।ଆଦିତ୍ୟ ଭ୍ରମନ୍ତି ଯେ ନିତ୍ୟେ ॥
ଇନ୍ଦ୍ରାଦି ଯେତେ ଗ୍ରହମାନ ।ଏହି କ୍ରମରେ ସେ ଭ୍ରମଣ ॥
ଜ୍ୟୋତିଷଚକ୍ର ଯେ ପ୍ରକାରେ ।ଭ୍ରମଇ ଚତୁର-ଦ୍ୱୀପରେ ॥
ଆଦିତ୍ୟ ରଥରେ ଗମନ ।ମୁହୂର୍ତ୍ତ ଶୁଣ ଭୋ ରାଜନ ॥
ରଜୁ ଚାରି ଲକ୍ଷ ଯୋଜନ ।ଅଷ୍ଟଶତ ଅଧିକ ପୁଣ ॥
ଇନ୍ଦ୍ରାଦି ଦେବେ ପୁରମେଳେ ।ଏ କ୍ରମେ ଭ୍ରମନ୍ତି ନିଶ୍ଚଳେ ॥
ଦ୍ୱାଦଶର ସଙ୍ଗମ ତାର ।ସେ ରଥେ ଏକ ଚକ୍ରଧର ॥
ସୁମେରୁ-ମସ୍ତକ ଉପରେ ।କ୍ରମେ ସେ ସମାନସୂତ୍ରରେ ॥
ତ୍ରୈଲୋକ୍ୟ ତୁରୀପ୍ରାୟ ହୋଇ ।ରବିର ରଥ ସେ ଭ୍ରମଇ ॥
ରଥର ଗର୍ଭ ପରିମାଣ ।ସେ ବିଂଶ ଲକ୍ଷେକ ଯୋଜନ ॥
ଗୁଳ୍ମ ଯେ ବିସ୍ତାର ଅଟଇ ।ଚୌବିଂଶ ଲକ୍ଷ ଯେ ହୁଅଇ ॥
ତହିଁ ଯୋଚିତ ଅଶ୍ୱ ହ୍ୱନ୍ତି ।ଆଦିତ୍ୟ ଦେବଙ୍କୁ ବହନ୍ତି ॥
ଅରୁଣ ନିଯୁକ୍ତ ତହିଁରେ ।ସପ୍ତ ଅଶ୍ୱ ଯେ ଯା ଠାବରେ ॥
ଅଙ୍ଗୁଷ୍ଠି ସବୁ ସାନ ହୋଇ ।ଷାଠି ସହସ୍ର ମୁନି ତହିଁ ॥
ବିଦିତ ବାଳଖିଲ୍ୟାଖ୍ୟାରେ ।ରବିର ଅଗ୍ର ଯେ ଭାବରେ ॥
ସୁନ୍ଦର ବାକ୍ୟେ ନାନାମତେ ।ସ୍ତୁତି କରନ୍ତି ଯଥୋଚିତେ ॥
ଅନ୍ୟ ଯେ ନାନା ଋଷିଗଣ ।ଗନ୍ଧର୍ବ ସିଦ୍ଧ ଯେ ଚାରଣ ॥
ସକଳ ନାଗଙ୍କର ବୀରେ ।ଅପରଗଣ ଯେଝାପରେ ॥
ଯେ ଯାତୁଧାନ ଶ୍ରେଷ୍ଠଗଣ ।ସଙ୍ଗତେ ଘେନି ବିଦ୍ୟମାନ ॥
ଅପସରାଗଣ ନୃତ୍ୟଗୀତେ ।ଏମନ୍ତେ ଯେ ଯାହାର ମତେ ॥
ସେ ସୂର୍ଯ୍ୟରୂପ ଭଗବାନ ।ଅଖିଳ-ଆତ୍ମାର କାରଣ ॥
ତାହାର ଚରଣାରବିନ୍ଦେ ।ସେବନ୍ତି ପରମ ଆନନ୍ଦେ ॥
ଯେ ଯାର କର୍ମ ଅନୁମତେ ।ସେବନ୍ତି ତାର ପାଦଗତେ ॥
ସାର୍ଦ୍ଧ ନବକୋଟି ଯୋଜନ ।ଅଧିକ ଏକଲକ୍ଷ ପୁଣ ॥
ଏ ବେନି ସହସ୍ର ଯୋଜନା ।ଏମନ୍ତେ କୋଷ ଯେ ଭୁବନ ॥
କ୍ଷଣମାତ୍ରକେ ଭଗବାନ ।ସେ ସୂର୍ଯ୍ୟ କରନ୍ତି ଭ୍ରମଣ ॥
ଅତ୍ୟନ୍ତ ତାହାଙ୍କ ଚରିତ ।କହିଲେ ବିପ୍ର ଜଗନ୍ନାଥ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂବୈୟାସିକ୍ୟାଂ ପଞ୍ଚମସ୍କନ୍ଧେ ଭୁବନକୋଷ ବର୍ଣ୍ଣନେନାମ ଏକବିଂଶୋଽଧ୍ୟାୟଃ ।
ଦ୍ୱାବିଂଶ ଅଧ୍ୟାୟରାଜୋବାଚଭୋ ମୁନି ଏଥିର ତଦନ୍ତ ।ଜାଣିଲେ ଯିବଇଁ ପ୍ରତୀତ ॥
ଆଦିତ୍ୟ ଦେବ ଯଥୋଚିତେ ।ମେରୁ ପ୍ରଦକ୍ଷିଣ କରନ୍ତେ ॥
ଦ୍ୱାଦଶ ଶଶାଙ୍କ ସମ୍ମୁଖେ ।ଭୋଗ କରନ୍ତି ସେ ପ୍ରତ୍ୟକ୍ଷେ ॥
ଆଦିତ୍ୟ ଗତି ବ୍ୟଗ୍ରତରେ ।ତହିଁରେ କେମନ୍ତ ସଞ୍ଚରେ ॥
ଏଣୁ ତ ମୋହର ସଂଶୟ ।ଭୋ ମୁନି ତଦନ୍ତ ଯେ କହ ॥
ଶ୍ରୀଶୁକ ଉବାଚକୁରାଳ ଚକ୍ରର ସହିତେ ।କ୍ଷୁଦ୍ର ଜନ୍ତୁଙ୍କ ଗତିମତେ ॥
ସେ କାଳଚକ୍ରର ଆୟତ୍ତେ ।ଭ୍ରମନ୍ତି ଯେ ଯାହାର ମତେ ॥
ଧ୍ରୁବର ସମ୍ମୁଖ ପ୍ରତ୍ୟକ୍ଷ ।କରି ଭ୍ରମନ୍ତି ଅନ୍ତରୀକ୍ଷ ॥
ଆଦି ପୁରୁଷ ଭଗବାନ ।ସାକ୍ଷାତ୍ ପ୍ରଭୁ ନାରାୟଣ ॥
ତୃତୀୟ ରୂପ ତାଙ୍କ ମତି ।କର୍ମ-ବିଶୁଦ୍ଧରେ କହନ୍ତି ॥
ସେ ମୁକ୍ତିଦେବ ମୁଷାକାର ।କରି ସେ ବ୍ରହ୍ମାଣ୍ଡ ଠାକୁର ॥
ଷଡ଼ଋତୁ ବସନ୍ତ ଆଦି ।ଏଥିରେ ଯେତେକ ପ୍ରସିଦ୍ଧି ॥
ଯେ ଋତୁ କାଳେ ଯେ ହୁଅନ୍ତି ।ଆପଣେ ବିହାର କରନ୍ତି ॥
ମହାପୁରୁଷ ବିଦ୍ୟମାନେ ।ମାୟା ଯେ ନାନାଦି ବିଧାନେ ॥
ଆଶ୍ରମରୂପେ ନାନାପଥେ ।ନାନା କର୍ମରେ ଯଥୋଚିତେ ॥
ନାନାଯୋଗରେ ଶ୍ରଦ୍ଧା ଚିନ୍ତି ।ଯେ ତାଙ୍କ ଚରଣେ ସେବନ୍ତି ॥
ସକଳ ପାପୁଁ ସେ ତରନ୍ତି ।ପରମ କଲ୍ୟାଣ ଭଜନ୍ତି ॥
ଏମନ୍ତ ଶୁଣ ନୃପବର ।ସେ ସ୍ୱାମୀ ଆତ୍ମା ପ୍ରାଣୀଙ୍କର ॥
ପୃଥିବୀ ଆକାଶ ମଧ୍ୟରେ ।କାଳଚକ୍ରର ସେ ସୁନ୍ଦରେ ॥
ଦ୍ୱାଦଶ ମାସକୁ ଭଜନ୍ତି ।ସମ୍ବତ୍ସର ନାମ ବହନ୍ତି ॥
ମାସ ଯେ ବେନିଭାଗ କରି ।ଭୁଞ୍ଜନ୍ତି ଆହୋରାତ୍ର ପୂରି ॥
ସେ ବେନି ମାସେ ଏକଋତୁ ।ଛ ଋତୁ ସମ୍ବତ୍ସର କ୍ରତୁ ॥
ଯେ ବେନି ତାର ଅର୍ଦ୍ଧ ଭାଗେ ।ରହନ୍ତି କାଳର ସେ ଭୋଗେ ॥
ତାହାଙ୍କୁ କାଳ ବୋଲି ଜାଣି ।ଶୁଣ ରାଜନ ପରିମାଣି ॥
ଯେ ଅବା ମହୀର ସହିତେ ।ନଭୋମଣ୍ଡଳକୁ ଯାଆନ୍ତେ ॥
ରବି ଭୁଞ୍ଜନ୍ତି ଯେତେକାଳେ ।ସମ୍ବତ୍ସର ବୋଲି ତାହାରେ ॥
ଏ ଅନନ୍ତରେ ଭୋ ରାଜନ ।ଚନ୍ଦ୍ରର ଏହି ଯେ ଗମନ ॥
ଦ୍ୱିଳକ୍ଷ ଯୋଜନ ଉପରେ ।ସମୀର ପରି ଯେ ବେଭାରେ ॥
ପବନ ତାର ଅତି ଖରେ ।ଚନ୍ଦ୍ର ଭୁଞ୍ଜନ୍ତି ଯେ ସତ୍ୱରେ ॥
ତାହାଙ୍କ ଭୋଗ ବେନି ପକ୍ଷେ ।ବେନି ପକ୍ଷକୁ ସାଧି ଋକ୍ଷେ ॥
ଭୋଗ ସେ ଏକୁ ଏକ ଦିନେ ।ଭୁଞ୍ଜନ୍ତି କ୍ରତୁପତିମାନେ ॥
ଏଥୁ ଅନ୍ତରେ ନୃପବର ।ଅବଧି କଳା ଶଶଧର ॥
ଅହୋରାତ୍ର ସେ ଦେବଙ୍କର ।ଯେ ଶୁକ୍ଳ ପକ୍ଷରେ ବେଭାର ॥
ଅହୋରାତ୍ର ହେ ନୃପବର ।ସେ ଯେ ସକଳ ପ୍ରାଣୀଙ୍କର ॥
ଏମନ୍ତ ଶୁଣ ନୃପବର ।ଜୀବନ ଭୂତ ଶଶଧର ॥
ଭୁଞ୍ଜନ୍ତି ଦ୍ୱିସପ୍ତ ମୁହୂର୍ତ୍ତ ।ଏକ ନକ୍ଷତ୍ରେ ଯଥୋଚିତ ॥
ଯେଣୁ ସେ ଅନାଦି ପୁରୁଷ ।ଷୋଡ଼ଶ କଳା ସେ ବିଶେଷ ॥
ଅମୃତ ଶରୀରକୁ ଧରି ।ପ୍ରାଣୀଙ୍କ ଅଜ୍ଞାନାନ୍ଧ ହରି ॥
ମନୁଷ୍ୟ ପଶୁପକ୍ଷୀ ଆଦି ।ସରୀସୃପ ବୃକ୍ଷ ପ୍ରସିଦ୍ଧି ॥
ଏହାଙ୍କୁ ସୁଖ ସେ ଦିଅନ୍ତି ।ଏଣୁ ସେ ସବିନୟ ହୋନ୍ତି ॥
ଏହାର ଉର୍ଦ୍ଧ୍ୱେ ଭୋ ରାଜନ ।ତୃତୀୟ ଲକ୍ଷ ଯେ ଯୋଜନ ॥
ନକ୍ଷତ୍ର ସପତ ବିଂଶତି ।ମେରୁର ଦକ୍ଷିଣେ ବସନ୍ତି ॥
ଦ୍ୱିଲକ୍ଷ ତାହାର ଉପରେ ।ଉଷନା ବାସ ଯେ ତାହାରେ ॥
ଆଦିତ୍ୟ ପ୍ରାୟ ଦୀର୍ଘଗତି ।ତାପରେ ତାହାକୁ ସେବନ୍ତି ॥
ଏକର କଲ୍ୟାଣ କାରଣ ।ପ୍ରଥମେ ନିତ୍ୟ ପରାୟଣ ॥
ଏହାର ଉର୍ଦ୍ଧ୍ୱ ଯେ ଭାଗରେ ।ଦ୍ୱିଲକ୍ଷ ଯୋଜନ ଉପରେ ॥
ବୁଧ ନାମେ ଯେ ଚନ୍ଦ୍ର ସୁତ ।ତହିଁରେ ତାହାଙ୍କର ସ୍ଥିତ ॥
ପ୍ରାଣୀର ସୁଖେ ସୁଖେ ଥାଇ ।ଏଣୁ ସେ ସୂର୍ଯ୍ୟ ବେଗହୋଇ ॥
ଅତିଗମନ ଖରତରେ ।ଅନାବୃଷ୍ଟି କି ସେ ଆଚରେ ॥
ତାହାର ପରେ ବେନି ଲକ୍ଷେ ।ଯୋଜନ ତେଜ ଯେ ପ୍ରତ୍ୟକ୍ଷେ ॥
ଏକ ରାଶିରେ ତିନିପକ୍ଷ ।ମଙ୍ଗଳ ଭୁଞ୍ଜଇ ପ୍ରତ୍ୟକ୍ଷ ॥
ବକ୍ର ଗତିରେ ଭୋଗ କରେ ।ଏ କ୍ରମେ ଦ୍ୱାଦଶ ରାଶିରେ ॥
ଏହାର ଊର୍ଦ୍ଧ୍ୱେ ଭୋ ରାଜନ ।ଦ୍ୱିତୀୟ ଲକ୍ଷ ଯେ ଯୋଜନ ॥
ତହିଁ ଅଛନ୍ତି ବୃହସ୍ପତି ।ଦେବଙ୍କ ପୁରୋହିତ ହ୍ୱନ୍ତି ॥
ଏକ ରାଶିରେ ସେ ବରଷେ ।ଭୋଗ ଯେ କରନ୍ତି ସନ୍ତୋଷେ ॥
ଯେ ବୃହସ୍ପତି ଭଗବାନ ।ବ୍ରାହ୍ମଣ କୁଳର କଲ୍ୟାଣ ॥
ଯେବେ ସେ ବଜ୍ରଗତି ହୋଇ ।କଦର୍ଯ୍ୟ ଫଳକ ଦିଅଇ ॥
ତହୁଁ ଦ୍ୱିଲକ୍ଷ ଯୋଜନରେ ।ତହିଁ ଅଛନ୍ତି ଶନିଶ୍ଚରେ ॥
ଏକ ରାଶିରେ ଭୋଗ ତାର ।ତିରିଶ ମାସ ନୃପବର ॥
ଆସପ୍ତମତେ ଭୋଗ ହୋଇ ।ଅର୍ଦ୍ଧେକ ତେମନ୍ତ ଭୁଞ୍ଜଇ ॥
ଏହାର ଉପରେ ରାଜନ ।ଏକାଦଶ ଲକ୍ଷ ଯୋଜନ ॥
ଋଷିଙ୍କ ବାସ ଯେ ସେଠାରେ ।ଯେ କୃପା କରନ୍ତି ପ୍ରାଣୀରେ ॥
ଲୋକଭାବନ ସେ ସକଳ ।ଅଶେଷ କରୁଣାର ମୂଳ ॥
ଯେ ବିଷ୍ଣୁ ପାଦ ନିତ୍ୟେ ଚିନ୍ତି ।ପ୍ରତି କ୍ଷଣରେ ଭ୍ରମୁଛନ୍ତି ॥
ସେ ମୁନିଗଣଙ୍କ ପୟରେ ।ସୁଜନେ ସେବା ନିରନ୍ତରେ ॥
କହଇ ବିପ୍ର ଜଗନ୍ନାଥ ।ପଞ୍ଚମସ୍କନ୍ଧେ ଭାଗବତ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ପଞ୍ଚମସ୍କନ୍ଧେ ଜ୍ୟୋତିଶ୍ଚକ୍ର ବର୍ଣ୍ଣନେନାମ ଦ୍ୱାବିଂଶୋଽଧ୍ୟାୟଃ ।
ତ୍ରୟୋବିଂଶ ଅଧ୍ୟାୟଶ୍ରୀଶୁକ ଉବାଚଏଥୁ ଅନ୍ତରେ ଭୋ ରାଜନ ।ଊର୍ଦ୍ଧ୍ୱ ତେରଲକ୍ଷ ଯୋଜନ ॥
ଯେ ସ୍ଥାନ ବିରାଜଇ ତହିଁ ।ବିଷ୍ଣୁର ସ୍ଥାନ ତାକୁ କହି ॥
ତହିଁ ପରମ ଭାଗବତ ।ଧ୍ରୁବ ଉତ୍ତାନପାଦ ସୁତ ॥
ଅଛନ୍ତି କଶ୍ୟପ ସଙ୍ଗତେ ।କାଳ ଯେଷ୍ଟିର ସେବାମତେ ॥
କଳ୍ପ ପର୍ଯ୍ୟନ୍ତ ସୁଖ ଭୋଳେ ।ପ୍ରଭୁଙ୍କୁ ଭଜଇ ନିଶ୍ଚଳେ ॥
ସେ ଭାଗବତ ଧ୍ରୁବ ବାଣୀ ।ପୂର୍ବେ କହିଛି ନୃପମଣି ॥
ଗ୍ରହ ନକ୍ଷତ୍ର-ଜ୍ୟୋତିର୍ଗଣ ।ଧ୍ରୁବର ସଙ୍ଗତେ ରାଜନ ॥
କାଳଚକ୍ରରେ ଭ୍ରମମାନ ।ବେଗେ ଭ୍ରମନ୍ତି ଅନୁକ୍ଷଣ ॥
ଈଶ୍ୱର ସୃଷ୍ଟି ଅଗୋଚରେ ।ଈଷତ ଦିଶଇ ଲୋକରେ ॥
ଶୂନ୍ୟ ମଣ୍ଡଳେ ମେଘମାଳେ ।ଯେସନେ ଥାନ୍ତି ବାୟୁବଳେ ॥
ମାୟାରେ ପଶୁଗଣ ଯେହ୍ନେ ।ସକଳେ ଭ୍ରମନ୍ତି ତେସନେ ॥
ମଣ୍ଡଳ ଆକାରରେ ତହିଁ ।ଯେ ଯାହା ସ୍ଥାନେ ସେ ଭ୍ରମଇ ॥
ନକ୍ଷତ୍ର ଗ୍ରହ ଆଦି ଯେତେ ।ଏହି ପ୍ରକାରେ ସେ ସମସ୍ତେ ॥
କାଳଚକ୍ରରେ ସେ ଭ୍ରମଣେ ।ଭ୍ରମଣ କରଇ ଗହନେ ॥
କଳ୍ପ କଳ୍ପାନ୍ତେ ଏ ପ୍ରକାରେ ।ଅତ୍ୟନ୍ତ ବିଷ୍ଣୁର ମାୟାରେ ॥
ଶୂନ୍ୟମଣ୍ଡଳେ ମେଘମାଳେ ।ଯେସନେ ଥାନ୍ତି ବାୟୁବଳେ ॥
ଖଗାଦି ନାନାପକ୍ଷୀମାନେ ।ପବନବଳେ ଥାନ୍ତି ଶୂନ୍ୟେ ॥
କର୍ମ ଅଧୀନେ ଜ୍ୟୋତିର୍ଗଣେ ।ଶୂନ୍ୟରେ ଭ୍ରମନ୍ତି ତେସନେ ॥
ପ୍ରକୃତି ପୁରୁଷ ସମ୍ଭୋଗ ।ତହିଁରେ ହୁଅନ୍ତି ସଂଯୋଗ ॥
କର୍ମବନ୍ଧନ ନିରନ୍ତରେ ।ପତନ ହୁଅନ୍ତି ଭୂମିରେ ॥
ଏଥୁ ଅନ୍ତରେ ପରୀକ୍ଷିତ ।ଏ ଜ୍ୟୋତିର୍ଗଣ ବୈବସ୍ୱତ ॥
ଏମନ୍ତ କରି କେ ବର୍ଣ୍ଣଇ ।କହିବା ଶୁଣ ମନଦେଇ ॥
ଯେ ପ୍ରଭୁ ଅଖିଳ କାରଣ ।ବାସୁଦେବ ଯେ ଭଗବାନ ॥
ତାହାଙ୍କ ଭକ୍ତି ମୁକ୍ତି ସାର ।ଶରୀର କୁଣ୍ଡଳୀ ଆକାର ॥
ଅଧୋ ବଦନେ ତାହାଙ୍କର ।ପୁରରେ ବାସ ଯେ ତାହାର ॥
ଲାଙ୍ଗୁଡ଼େ ପ୍ରଜାପତି ବାସ ।ତା ପରେ ଧର୍ମ ଯେ ବିଶ୍ୱାସ ॥
ଧାତା ବିଧାତା ପୁଚ୍ଛମୂଳେ ।ସପତ ଋଷି କଟୀସ୍ଥଳେ ॥
ଦକ୍ଷିଣାବର୍ତ୍ତ ପ୍ରାୟ ହୋଇ ।କୁଣ୍ଡଳୀ ଆକାରେଣ ଦେହୀ ॥
ତାହାର ଦକ୍ଷିଣ ଅଗ୍ରତେ ।ନକ୍ଷତ୍ରମାନ ଯେ ସମସ୍ତେ ॥
ଅର୍ଯ୍ୟମା ଆଦି ଏକ ଗୁଣ ।ବାମ ପାଖରେ ତାଙ୍କ ସ୍ଥାନ ॥
ପୁନର୍ବସୁ ପୁଷ୍ୟା ଯେ ଦୁଇ ।ବାମ-ଦକ୍ଷିଣେ ଥାନ୍ତି ରହି ॥
ଆକାଶ ଗଙ୍ଗା ଯେ ପୃଷ୍ଠରେ ।ବିରାଜେ ଅତି ଶୁଭ୍ରତରେ ॥
ବାମ ଦକ୍ଷିଣ ପାଦ ଦେଶେ ।ଆରର୍ଦ୍ରା ଅଶ୍ଳେଷା ପ୍ରକାଶେ ॥
ଉତ୍ତରାଷାଢ଼ା ଅଭିଜିତ ।ସତ୍ୟ ଦକ୍ଷିଣ ଘ୍ରାଣେସ୍ଥିତ ॥
ଶ୍ରବଣା ପୂର୍ବାଷାଢ଼ା ଦୁଇ ।ଦକ୍ଷିଣ ବାମନେତ୍ରେ ରହି ॥
ଧନିଷ୍ଠା ମୂଳା ବେନିଜନେ ।ବାମ ଦକ୍ଷିଣ ବେନି କର୍ଣ୍ଣେ ॥
ମଘାଦି ଅଶ୍ୱିନୀ ନକ୍ଷତ୍ର ।ବାମ ଅଂଘ୍ରିରେ ସେ ଯେ ସ୍ଥିତ ॥
ମୃଗଶିରା ଦକ୍ଷିଣ ଅଂଘ୍ରି ।ଜ୍ୟେଷ୍ଠା ଶତଭିଷାଦି କେନ୍ଦ୍ରି ॥
ଜଗତ ଯାର ଆଶ୍ରୟରେ ।ଅଗସ୍ତି ନାସିକା ବିବରେ ॥
ମୁଖରେ ଅଙ୍ଗାରକ ଶୋହେ ।ଉପରେ ଶନିଶ୍ଚର ରହେ ॥
ଆଦିତ୍ୟ ବକ୍ଷସ୍ଥଳେ ବସେ ।ବୃହସ୍ପତି ଯେ ବକ୍ଷଦେଶେ ॥
ହୃଦରେ ନାରାୟଣ ସ୍ଥିତି ।ଚନ୍ଦ୍ରମା ମନରେ ବସନ୍ତି ॥
ନାଭିରେ ଉଷନା ପ୍ରକାଶ ।ସ୍ତନରେ ଅଶ୍ୱିନୀର ବାସ ॥
ପ୍ରାଣ ଉପରେ ବୁଧ ବସେ ।ଗଳାରେ ରାହୁ ଯେ ପ୍ରକାଶେ ॥
ସର୍ବ ଅଙ୍ଗରେ କେତୁ ସ୍ଥାନ ।ଏ ଅନୁକ୍ରମେ ହେ ରାଜନ ॥
ଲୋମମୂଳରେ ତାରାଗଣ ।ବିଚିତ୍ରରୂପ ନାରାୟଣ ॥
ଏ ରୂପେ ସର୍ବଦେବ ସେହି ।ଯେ ଜନ ଶୁଚିବନ୍ତ ହୋଇ ॥
ସନ୍ଧ୍ୟାକାଳରେ ତା ସୁମରେ ।ଅଶେଷ ପାପରୁ ନିସ୍ତରେ ॥
ଯେ ସ୍ତବ ତୁଣ୍ଡେ ଉଚ୍ଚାରନ୍ତି ।ସାବଧାନେ ଯେ କରେ ସ୍ତୁତି ॥
ନମୋ ଅଶେଷ ଲୋକମୟ ।କାଳ ଅଦ୍ଭୁତ ତୋର ଦେହ ॥
ସକଳ ଦେବ-ସ୍ୱାମୀ ତୁହି ।ତୋ ପାଦେ ଆନନ୍ଦେ ନମଇ ॥
ଗ୍ରହ ନକ୍ଷତ୍ର ତାରାଗଣ ।ସର୍ବବାନ୍ଧବ ନାରାୟଣ ॥
ଯେ ନିତି ସନ୍ଧ୍ୟାବେଳେ ନର ।ସ୍ମରଣ କରେ ନମସ୍କାର ॥
କହଇ ବିପ୍ର ଜଗନ୍ନାଥ ।ଭାଷା ପ୍ରବନ୍ଧେ ଭାଗବତ ॥
ସେ ଦେବମୟ ଯେ ଈଶ୍ୱର ।ଅନାଦି ବ୍ରହ୍ମାଣ୍ଡ ଠାକୁର ॥
ତାହାଙ୍କ ଚରଣ କମଳେ ।ମୋ ମନ ରହିବ ନିଶ୍ଚଳେ ॥
ସୁଜନେ ନ ଘେନିବ ଦୋଷ ।ଗୀତେ କହଇ କୃଷ୍ଣରସ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ପଞ୍ଚମସ୍କନ୍ଧେ ଗ୍ରହଚକ୍ର ବର୍ଣ୍ଣନେନାମ ତ୍ରୟୋବିଂଶୋଽଧ୍ୟାୟଃ ।
ଚତୁର୍ବିଂଶ ଅଧ୍ୟାୟଶ୍ରୀଶୁକ ଉବାଚଆଦିତ୍ୟଠାରୁ ଅଧୋମେଳେ ।ଅୟୁତ ଯୋଜନର ତଳେ ॥
ଭୂମି ଆକାରେ ଗ୍ରହ ସ୍ଥିତି ।କେ ଅବା କେମନ୍ତେ ରହନ୍ତି ॥
ସ୍ୱଭାବେ ସିଂହିକାନନ୍ଦନ ।ଏଟି ଅସୁର ଭୋ ରାଜନ ॥
ଯେଣୁ ପ୍ରଭୁର କୃପା ହୋଇ ।ଅମର ଗ୍ରହ ସେ ଅଟଇ ॥
ଏହାର ଜନ୍ମ କର୍ମମାନ ।ପଛେ କହିବା ହେ ରାଜନ ॥
ଅଧୋଭାଗରେ ଯେ ପଡ଼ଇ ।ଧରଣୀ ମଣ୍ଡଳେ ବୋଲାଇ ॥
ଅୟୁତେ ଯୋଜନ ବିସ୍ତାର ।ଲୋକରେ ଖ୍ୟାତ ନୃପବର ॥
ଦ୍ୱାଦଶ ସହସ୍ରଯୋଜନ ।ଚନ୍ଦ୍ର ମଣ୍ଡଳ ଯେ ପ୍ରମାଣ ॥
ଏ ତେର ସହସ୍ରର ମତେ ।ରାହୁର ମଣ୍ଡଳ ଜଗତେ ॥
ବୈରାନୁଭାଗ ବୃଦ୍ଧି ତହିଁ ।ଚନ୍ଦ୍ର-ସୂର୍ଯ୍ୟ ଗ୍ରାସିବା ପାଇଁ ॥
ଧାମଇଁ ବେଗବନ୍ତ ହୋଇ ।ତା ଦେଖି ବ୍ରହ୍ମାଣ୍ଡ ଗୋସାଇଁ ॥
ରକ୍ଷା ନିମନ୍ତେ ଭଗବାନ ।ଦେଇଅଛଇ ସୁଦର୍ଶନ ॥
ଚନ୍ଦ୍ରର ଆଦିତ୍ୟର ଛାଇ ।ନିକଟୁଁ ନିବୃତ୍ତ ଯେ ହୋଇ ॥
ଚକିତ ହୋଇ ଛନ୍ନ ତାର ।ଉଦ୍ବେଗ ହୁଅଇ ଶରୀର ॥
ତାହାକୁ ଉପରାଗମାନ ।ଏ ଲୋକେ କହନ୍ତି ରାଜନ ॥
ତାହାର ତଳେ ଭୋ ରାଜନ ।ପୂରେକ ଅଛଇ ପ୍ରମାଣ ॥
ଅହିଙ୍କ ଶିରେ ମଣିମାନ ।ତହିଁ ନାଶଇ ଇନ୍ଦୁତମ ॥
ବ୍ୟାଧିର ପରାଭବ ନାହିଁ ।ଦେହରେ ରୋଗ ନ ରହଇ ॥
ସପତ ଗିରିବରେ କରି ।ସପ୍ତ ଭୁବନ ଦଣ୍ଡଧାରୀ ॥
ଅତଳ ବିତଳ ସୁତଳ ।ତଳାତଳ ଯେ ରସାତଳ ॥
ମହାତଳ ଯେ ତଳାତଳ ।ସପ୍ତମେ ବିଦିତ ପାତାଳ ॥
କ୍ରମେ ଅୟୁତ ଯେ ଯୋଜନ ।ଏକୁ ଏକଇ ଯେ ପ୍ରମାଣ ॥
ବିଳ ସ୍ୱର୍ଗ ନାମ ଏହାର ।ସ୍ୱର୍ଗୁ ଅଧିକ ସୁଖକର ॥
କାଳ ଐଶ୍ୱର୍ଯ୍ୟ ନାନାଭୋଗ ।ନାନା ଆନନ୍ଦ ସୁଖକର ॥
ନାନା ରତ୍ନରେ ଦିବ୍ୟଘର ।ସୌରଭ ଉଦ୍ୟାନ ସୁନ୍ଦର ॥
ସୁସଞ୍ଚ ଜଳ ମନୋହର ।ବିବିଧ କ୍ରୀଡ଼ା ଯେ ବିହାର ॥
କହିବା ଶୁଣ ନୃପବର ।ବିଳସ୍ୱର୍ଗ ନାମ ଏହାର ॥
ଏଥିରେ କ୍ରୀଡ଼ନ୍ତି ଆନନ୍ଦେ ।ସେ ସ୍ଥଳ ବାସୀ ଜୀବବୃନ୍ଦେ ॥
ଗନ୍ଧର୍ବ ବିଦ୍ୟାଧର ଯେତେ ।ଅପ୍ସରାଗଣଙ୍କ ସହିତେ ॥
ମାୟା ବିମାନ ଶତ ତହିଁ ।ନିର୍ମାଣ କରି ଯେ ଅଛଇ ॥
ନାନା ମଣିରେ ଦିବ୍ୟପୁର ।ବିବିତ୍ର ବୈଦୂର୍ଯ୍ୟର ଘର ॥
ସୁସଞ୍ଚ ଅତି ମନୋହର ।ବିବିଧ ନାନା ମଣିସାର ॥
ମୈଥୁନ ସୁଖ ଯେ ପ୍ରାପତ ।କୃତ୍ରିମ-ମଣିରେ ନିର୍ମିତ ॥
ଶାରିକା ଆଦି ପକ୍ଷୀମାନେ ।ବିବିଧ ପ୍ରକାର ଭିଆଣେ ॥
ମଣି ଦର୍ଶନ ଉଚ୍ଚସାର ।ଶୋହଇ ଅତି ମନୋହର ॥
ବିବିଧ ବିଚିତ୍ର ଉଦ୍ୟାନ ।ନାନା ଜାତିରେ ଫଳମାନ ॥
କୁସୁମମାଳ ଅତି ଭରେ ।ବିଟପୀ ଲମ୍ୱିଛନ୍ତି ତଳେ ॥
କୋମଳ ପଲ୍ଲବ ସୁରଙ୍ଗ ।ପକ୍ଷ ମିଥୁନ ଯହିଁ ସଙ୍ଗ ॥
ବିବିଧ ଜଳାଶୟମାନ ।କ୍ରୀଡନ୍ତି ନାନା ବିହଙ୍ଗମ ॥
ଋଷିଙ୍କ ପୁଷ୍ପ ଆଭରଣେ ।କ୍ଷୋଭ କରନ୍ତି ବିହଙ୍ଗମେ ॥
ନୀରଜ କୁମୁଦ କହ୍ଲାର ।ଏହାର ତଳେ ତାଙ୍କ ଘର ॥
ସେ ପକ୍ଷୀ ଗୁଣ ଦିବ୍ୟସ୍ୱନ ।ଶ୍ରବଣେ ହରେ ପ୍ରାଣୀ ମନ ॥
ସ୍ୱର୍ଗହୁଁ ଅତି ମନୋହର ।ସେ ସ୍ଥାନମାନ ନୃପବର ॥
ଅହିଙ୍କ ଶିରାମଣିମାନ ।ଯହିଁ ନାଶଇ ଅନ୍ଧତମ ॥
ବ୍ୟାଧିର ପରାଭବ ନାହିଁ ।ଦେହରେ ରୋଗ ନ ରହଇ ॥
ପୁରୁଷ ଅବଳାଦିଙ୍କର ।ଏଣୁ ଯେ ସ୍ୱଭାବ ଶରୀର ॥
ତେଣୁ ସେ ସମୟ ହୁଅଇ ।ବଟୁ ବାମନ ରୂପହୋଇ ॥
ଯଶ-ସମ୍ପଦ ତାର ହରି ।ପୁଣି ଦୟାକଲେ ମୁରାରି ॥
ଇନ୍ଦ୍ରାଦି ସୁରଗଣମାନ ।ସମ୍ପଦ ଦେଲେ ଭଗବାନ ॥
ପୁଣି ଅଖିଳ ପ୍ରାଣୀଙ୍କର ।ଅନାଦି ପ୍ରଭୁ ଯେ ଈଶ୍ୱର ॥
ପୁଷ୍କୋକିଳାଦି ପ୍ରାଣୀଙ୍କର ।ଯେଣୁ ସ୍ୱଭାବ ଯେ ଶରୀର ॥
ତେଣୁ ସେ ସମ ଏକ ହୋଇ ।ଅନ୍ୟଥା ବ୍ୟାଧି ମୃତ ନାହିଁ ॥
ଅନଳେ କରି ମହୀପାଳ ।ମୟୂର ପୁତ୍ର ସୁରବଳ ॥
ଯାହାର ମାୟା ଦୃଢ଼ତରେ ।ଅଦ୍ୟାପି ସଂସାରେ ପ୍ରଚରେ ॥
ଯେ ରୂପ ଧରିଲେ ଏ ତିନି ।ସ୍ୱୈରିଣୀ ବୃଷଳୀ କାମିନୀ ॥
ହଟକାକ୍ଷ ଯେ ମାୟାରସ ।ତହିଁରେ ଥାଇଣ ପୁରୁଷ ॥
ବିଳାସ ଅବଲୋକନରେ ।ନାନା ପ୍ରକାରେ କ୍ରୀଡକରେ ॥
ଅୟୁତେ ମହା ନାଗବଳ ।ଯାର ମାୟାରେ ମହୀପାଳ ॥
ବିତଳେ ଶମ୍ଭୁ ଭଗବାନ ।ହଟକେଶ୍ୱର ଯାର ନାମ ॥
ପ୍ରଜାପତି ସୁର ନିମନ୍ତେ ।ଅତ୍ୟନ୍ତ ଭବାନୀ ସହିତେ ॥
ଏହାଙ୍କ ବୀର୍ଯ୍ୟୁ ଜାତହୋଇ ।ହଟକ ନାମେ ନଦୀ ବହି ॥
ତାର ସଂସର୍ଗୁ ଜାତ ହୋଇ ।ସୁବଳ ହଟକ ବୋଲାଇ ॥
ଏହାର ସର୍ବ ପୁଣ୍ୟ ଶ୍ଳୋକ ।ଯାହାକୁ କହି ସୁରଲୋକ ॥
ଇନ୍ଦ୍ରର ପ୍ରିୟଭାବ ବହି ।ଅଛନ୍ତି ଅଖିଳ ଗୋସାଇଁ ॥
ଅସୁରଙ୍କର ବନ୍ଧୁପଣ ।ତାହାକୁ କରନ୍ତି ଭୂଷଣ ॥
ସୁତଳେ ବଳୀୟାର ନାମ ।ତାହାର ଗୃହ ଭୋ ରାଜନ ॥
ଅଦିତି ତହୁଁ ଜାତ ହୋଇ ।ବଟୁ ବାମନ ରୂପ ବହି ॥
ସମ୍ପଦ ନାଶ ତାର କରି ।ପୁଣି ଦୟାକଲେ ମୁରାରି ॥
ଇନ୍ଦ୍ରାଦି ସୁରଗଣମାନ ।ସମ୍ପଦବଳେ ଭଗବାନ ॥
ପୁଣି ଅଖିଳ ଦେବଙ୍କର ।ଅନାଦି-ପ୍ରଭୁ ଯେ ଈଶ୍ୱର ॥
ସ୍ୱଧର୍ମେ ତାଙ୍କୁ ଆରାଧନ ।ସୁସ୍ଥେ ଯେ ଅଛି ଭୋ ରାଜନ ॥
ସେ ସର୍ବ ଦେବ ଭଗବାନ ।ପରମ ଆତ୍ମା ସୂକ୍ଷ୍ମ ବ୍ରହ୍ମ ॥
ଯେ ତୀର୍ଥମୟ ଜଗନ୍ନାଥ ।ସକଳ-ଦେଶ କାଳ-ପାତ୍ର ॥
ତହିଁରେ ଶ୍ରଦ୍ଧାଯୁକ୍ତ ହୋଇ ।ସ୍ଥିର ମନରେ ସ୍ତୁତି ଗାଇ ॥
ବିଳା ସ୍ୱର୍ଗକୁ ଭୋଗ କଲେ ।ନାନା-ଐଶ୍ୱର୍ଯ୍ୟ ସେ ବେଭାରେ ॥
ଜୀବ ରକ୍ଷଣେ ଯେ ଉପାୟ ।ତହିଁରେ କରି ଦେବରାୟ ॥
ତ୍ରୈଲୋକ୍ୟ ବ୍ୟାପୀ ସେ ଈଶ୍ୱର ।ଶେଷ ନ ରହିଲା ଯହିଁର ॥
ସେ ଇନ୍ଦ୍ର ତପୋବଳେ କରି ।ଇନ୍ଦ୍ରର ଭ୍ରାତୃଭାବ ଧରି ॥
ଜନ୍ମିଲେ ବ୍ରହ୍ମାଣ୍ଡ ଠାକୁର ।ଯାହା ନିମନ୍ତେ ନୃପବର ॥
ସେ ସର୍ବ ଜୀବ ଭଗବାନ ।ଅଖିଳ-ଗୁରୁ ନାରାୟଣ ॥
ଯାହାର ଦ୍ୱାରେ ଗଦା ଧରି ।ଅଛନ୍ତି ପ୍ରଭୁ ଯେ ଉଭାରି ॥
ଏହାର ଅଧୋଦେଶେ ଯାଇ ।ତଳାତଳ ନାମ ବୋଲାଇ ॥
ମୟନାମେ ଦାନବ ବରେ ।ଦ୍ରୋହ ଯେ କଲା ଚକ୍ରଧରେ ॥
ଅସୁର କାୟା ଦଗ୍ଧ କଲା ।ତେଣୁ ସେ ବରକୁ ଲଭିଲା ॥
ମାୟାବୀମାନଙ୍କର ବର ।ଆଶ୍ଚର୍ଯ୍ୟ ହୋଇ ଅସୁର ॥
ଏମନ୍ତ ବରକୁ ସେ ପାଇ ।ତଳାତଳରେ ସେ ଅଛଇ ॥
ସୁଦର୍ଶନ ଚକ୍ରର ଡରେ ।ଶରଣ ପଶିଲା ଶମ୍ଭୁରେ ॥
ସେ ଭୟ ତାର ଦୂର କରି ।ରଖିଲେ ଶିବ ଶୂଳଧାରୀ ॥
ନିର୍ଭୟ ହୋଇ ସେ ଦାନବ ।ସ୍ୱଚ୍ଛନ୍ଦେ ଭୁଞ୍ଜଇ ସମ୍ପଦ ॥
ତାହାର ଅଧୋଭାଗ ଦେଶେ ।ମହାତଳ ପୁର ପ୍ରକାଶେ ॥
ତହିଁରେ କାଦମ୍ୱର ଆଦି ।କ୍ରୋଧବଶ ନାମ ପ୍ରସିଦ୍ଧି ॥
କୁହୁନାକ ଯେ ଅଶ୍ୱସେନ ।ତକ୍ଷକ ଇନ୍ଦ୍ରାୟନ ନାମ ॥
ମହାପୁରୁଷ ବଳବନ୍ତ ।ତହିଁ ଅଛନ୍ତି ପରୀକ୍ଷିତ ॥
ନିତ୍ୟ ସେବଇ ନେତ୍ରଭୟେ ।ଉଦ୍ବେଗ ହୋଇ ତାଙ୍କକାୟେ ॥
ଦାରାତନୟ ବନ୍ଧୁ ସଙ୍ଗେ ।ମତି ବିହିତ ଅତିରଙ୍ଗେ ॥
ତାହାର ତଳେ ମହୀପାଳ ।ଯେ ପୁର ନାମେ ରସାତଳ ॥
ଦାନବ ଦୈତ୍ୟ ପତି ମାନ ।କବଚ କାଳ ଏ ହିରଣ୍ୟ ॥
ଅତ୍ୟନ୍ତ-ବଳବନ୍ତ ହୋଇ ।ଦେବଙ୍କୁ ଦ୍ରୋହ ସେ ଚିନ୍ତଇ ॥
ସକଳ ଲୋକର କାରଣ ।ମହାପୁରୁଷ ନାରାୟଣ ॥
ମହାନୁଭାବ ସେହି ହରି ।ତାହାଙ୍କ ଅତି ତେଜୁଁ କରି ॥
ପ୍ରହତ ତେଜ ସେ ଦାନବ ।ସେ ସ୍ଥାନେ ହୁଅଇ ଉଭବ ॥
ଯେ ଇନ୍ଦ୍ର ବାକ୍ୟେ ମନ୍ଦ ଶୁଣି ।ନିତ୍ୟେ ଡରଇ ନୃପମଣି ॥
ଏହାର ତଳେ ଯେ ପାତାଳ ।ତହିଁ ଅଛନ୍ତି ନାଗବଳ ॥
ବାସୁକି ଆଦି ନାଗବଳ ।ଶଙ୍ଖ କୁଳିକ ଯେ ଅପାର ॥
ଧନଞ୍ଜୟ ଯେ ଦେବଦତ୍ତ ।ଧୃତରାଷ୍ଟ୍ରାଦି ଶଙ୍ଖଶ୍ୱେତ ॥
ଏ ଯେତେ ମହାଭୋଗୀମାନେ ।ବସନ୍ତି ପାତାଳ ଭୁବନେ ॥
ଏ ପଞ୍ଚଶତ ବିଷଧର ।ଅନେକ-ଫଣା ବା କାହାର ॥
ଏହାଙ୍କ ମଥାମଣିମାନ ।ପ୍ରକାଶ ଆଦିତ୍ୟ ଯେସନ ॥
ପାତାଳ ବିବର ତିମିର ।ସ୍ୱତେଜେ କରନ୍ତି ଯେ ଦୂର ॥
ପଞ୍ଚମସ୍କନ୍ଧେ ଏ ବର୍ଣ୍ଣନ ।ସୁଜନେ ସାବଧାନେ ଶୁଣ ॥
କହଇ ବିପ୍ର ଜଗନ୍ନାଥ ।ଭାଷା ପ୍ରବନ୍ଧେ ଭାଗବତ ॥
କୃଷ୍ଣ ଚରଣେ ମନ ଦିଅ ।ସୁଜନେ ନିତ୍ୟ ଏହା ପିଅ ॥
କୃଷ୍ଣ ପାଦର ସୁଧାରସ ।ମୋ ଜିହ୍ୱା ନିତ୍ୟ କରୁ ଗ୍ରାସ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ପଞ୍ଚମସ୍କନ୍ଧେ ଭୂଗୋଳ ବର୍ଣ୍ଣନେନାମ ଚତୁର୍ବିଂଶୋଽଧ୍ୟାୟଃ ।
ପଞ୍ଚବିଂଶ ଅଧ୍ୟାୟଶ୍ରୀଶୁକ ଉବାଚତାହାର ତଳେ ହେ ରାଜନ ।ତିରିଶ-ସହସ୍ର-ଯୋଜନ ॥
ତାମସ କଳା ଯେ ବିଶେଷ ।ଅନନ୍ତ ପ୍ରଭୁ ଯେ ପ୍ରକାଶ ॥
ଯେ ବିଷ୍ଣୁ ଅଂଶେ ଜନ୍ମ ହୋଇ ।ଯେ ସଂକର୍ଷଣ ନାମ ବହି ॥
ଅନନ୍ତ ନାମେ ଯେ ଈଶ୍ୱର ।ତାଙ୍କର ସହସ୍ର ଯେ ଶିର ॥
ଯାହାର ଏକଇ ଶିରରେ ।ମହୀମଣ୍ଡଳ ଯେ ନିଶ୍ଚଳେ ॥
ସେ ସୃଷ୍ଟି କରଇ ସଂହାର ।ଭ୍ରୂକୁଟି କରିଣ ସଞ୍ଚାର ॥
ଏକାଦଶ ଯେ ରୁଦ୍ର ହୋଇ ।ସଂକର୍ଷଣ ଯେ ନାମ ବହି ॥
ତିନି ଲୋଚନ ପଞ୍ଚଶିର ।ପ୍ରଚଣ୍ଡ ଶୂଳ ଯାର କର ॥
ଯାହାର ଚରଣ କମଳ ।ବିରାଜେ ନଭ ଯେ ମଣ୍ଡଳ ॥
ଭକ୍ତିରେ ଅହିପତିମାନ ।ଯହିଁରେ କରନ୍ତି ବନ୍ଦନ ॥
ଶିରୋମଣିରେ ନଖପନ୍ତି ।ଚନ୍ଦ୍ରକୁ ଜିଣିଦିଶେ ଜ୍ୟୋତି ॥
ଯାହାର ବଦନାରବିନ୍ଦେ ।ଚକ୍ଷୁ ନିବେଶିଣ ଆନନ୍ଦେ ॥
ପରମ ଭକ୍ତି ଯୋଗମତେ ।ମୁଣ୍ଡ ପ୍ରଭାବ ଯେ ମଣ୍ଡିତେ ॥
ଗଣ୍ଡ ଯୁଗଳ ହୃଷ୍ଟଚିତ୍ତ ।ସେ ସଙ୍କର୍ଷଣ ହୃଦଗତ ॥
ଯାହାଙ୍କୁ ବିବିଧ-ବିଧାନେ ।ସେବନ୍ତି ନାଗପତ୍ନୀମାନେ ॥
ଏମନ୍ତ ରୂପ ମନୋହର ।ବୃଷଭ ଧବଳ ଶରୀର ॥
ବିପୁଳ ବକ୍ଷସ୍ଥଳ ଯାର ।କୁଙ୍କୁମ ଚନ୍ଦନ ରୁଚିର ॥
ହଳ ମୂଷଳ କରେ ଯାର ।କି ଅବା ଦେବା ପଟ୍ଟାନ୍ତର ॥
ରତନସ୍ତମ୍ଭ ଭୂଜ ଦୁଇ ।ମନ ମନ୍ଥନେ ଯେ ଶୋହଇ ॥
ମଦେ ମୁଦ୍ରିତ ଯେ ଲୋଚନ ।ସେ ଯେ ଅନନ୍ତ ଭଗବାନ ॥
କ୍ରୋଧ କୁଟିଳ କୁସଙ୍ଗରେ ।ତହିଁରେ ଅଛନ୍ତି ଠାକୁରେ ॥
ଉରଗେଶ୍ୱର ଯେ ଠାକୁର ।ସିଦ୍ଧ ଗନ୍ଧର୍ବ ବିଦ୍ୟାଧର ॥
ଅଶେଷ ମୁନିଗଣ ଯେତେ ।ଆନନ୍ଦ ଯେ ଯାହାର ମତେ ॥
ଅନ୍ତରେ ପାରିଷଦଗଣେ ।ସେବନ୍ତି ଯାହାର ମତେ ॥
ନବ ତୁଳସୀପୁଷ୍ପ ଶରେ ।ଗନ୍ଧ ଆମୋଦ ସେ ପ୍ରକାରେ ॥
ଗନ୍ଧେ ମଧୁକର ନିକର ।ଧ୍ୱନି କରନ୍ତି ନିରନ୍ତର ॥
ସୁନନ୍ଦ ଭୁଜ ଲମ୍ବମାନ ।ମହୀନ୍ଦ୍ର ବାରଣ ଯେସନ ॥
ଧନ୍ୟ ଶ୍ରବଣ ଯୋଗସାରେ ।କଳି କଳ୍ମଷ ପାପ ହରେ ॥
ଶ୍ରଦ୍ଧା ଆରତେ ଯେତେ ଜନ ।ଯେବା କରଇ ସୁମରଣ ॥
ତାହାର ଅନୁଭବମାନ ।ନାରଦ ମୁନି ଭୋ ରାଜନ ॥
ବ୍ରହ୍ମା-ସଭାରେ ବିସ୍ତାରିଲେ ।ସକଳ ପୁଣ ନିସ୍ତରିଲେ ॥
ଯାହାର କଟାକ୍ଷକୁ ପାଇ ।ଉତ୍ପତ୍ତି ସ୍ଥିତି ଲୟ ହୋଇ ॥
ଯାହାର ନାମ ସୁମରଣ ।ଶ୍ରବଣ କୀର୍ତ୍ତନ ରାଜନ ॥
ଘୋର-ଦୁର୍ଗମେ ନର ଥାଇ ।ଯେବେ ଆରତେ ସୁମରଇ ॥
ଆପଦ ହୋଇ ତାର ଦୂର ।ସକଳ-ପାପୁଁ ହୋଏ ପାର ॥
ଆଶ୍ରୟ ହୋଇ ଈଶ୍ୱରରେ ।ମୋକ୍ଷ ପାଇବେ ସେହୁ ନରେ ॥
ଭୁଗୋଳ ନାନା ନଦୀ ଗିରି ।ଦିଗ ସମୁଦ୍ର ଆଦିକରି ॥
ଯାହାର ମସ୍ତକେ ଜଗତ ।ସ୍ଥିରେ ଅଛଇ ପରୀକ୍ଷିତ ॥
ଅତି ବିକ୍ରମ ଯେ ପୁରୁଷ ।କେ କହୁ ତାହାର ବିଶେଷ ॥
ଯେ ଆତ୍ମତନ୍ତ୍ରେ ଭଗବାନ ।କେ କହୁ ତାଙ୍କ ଗୁଣମାନ ॥
ଲୀଳା ମାତ୍ରକେ ଯେ ସଂସାର ।ଯେ ଧରିଅଛି ବିଶ୍ୱଭାର ॥
ଏମନ୍ତ ପ୍ରଭାବ ଯାହାର ।ଦୁରିତହାର ସେ ଠାକୁର ॥
ସେବକ ହେବା ଜୀବଗତି ।କର୍ମରୁ ଯେ ଯାହା ଭୁଞ୍ଜନ୍ତି ॥
ଯାହାର ସ୍ଥଳଟି ଏମନ୍ତ ।ସକଳ କହିଲୁ ବିଦିତ ॥
ଯାହାର ଯେମନ୍ତ ଲକ୍ଷଣ ।ଯେ ଧର୍ମ ଯାର ଆଚରଣ ॥
ଯେଉଁ ସମସ୍ତ ଜୀବଜନ୍ତୁ ।ଯାହାର ଯେ କର୍ମ ଯେହେତୁ ॥
ତୁମ୍ଭ ପ୍ରସାଦ ଅନୁସାରେ ।ସକଳ କହିଲୁ ତୁମ୍ଭରେ ॥
ଏବେ କି ତୁମ୍ଭ ଅଭିଳାଷ ।ଅପରେ କହିବୁ ବିଶେଷ ॥
କହଇ ବିପ୍ର ଜଗନ୍ନାଥ ।ହରିଚରିତ ଭାଗବତ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ପଞ୍ଚମସ୍କନ୍ଧେ ଭୂଗୋଳ ବର୍ଣ୍ଣନେନାମ ପଞ୍ଚବିଂଶୋଽଧ୍ୟାୟଃ ।
ଷଡ଼ବିଂଶ ଅଧ୍ୟାୟପରୀକ୍ଷିତ ଉବାଚବିଚିତ୍ର ଗତି ଲୋକଙ୍କର ।ତୁମ୍ଭେ କହିଲ ମୁନିବର ॥
ଏ କଥା ସଂଶୟ ମୋ ମନେ ।ଏବେ କହିବା ବିଦ୍ୟମାନେ ॥
ଶ୍ରୀଶୁକ ଉବାଚତ୍ରିଗୁଣେ ପବିତ୍ର ହୁଅଇ ।କେବେହେଁ କେହି ନ ଭଜଇ ॥
ଏ ଅନନ୍ତରେ ଏବେ ଶୁଣ ।ନିଷିଦ୍ଧ ଅଧର୍ମ ଲକ୍ଷଣ ॥
ଅଧର୍ମ ଧର୍ମ ବେନି ମତ ।ଶ୍ରଦ୍ଧା-ଅଶ୍ରଦ୍ଧା ଯେ ବିଦିତ ॥
ସମାନ କର୍ମଫଳମାନ ।କାହାର ନୋହେ ଭୋ ରାଜନ ॥
ଯେତେ ଅବିଦ୍ୟା କାମ କର୍ମ ।ଏହି ଲକ୍ଷଣ ଅନୁମାନ ॥
ଶ୍ରୁତି ଚରଣେ ଦେଇ ମତ ।ପ୍ରକୃତ ହୋଏ ପରୀକ୍ଷିତ ॥
ଏହାର ଗତି ଅମୋକ୍ଷରେ ।ବିସ୍ତାରି ବର୍ଣ୍ଣିବି ଆଗରେ ॥
ଭୋ ମୁନି ତ୍ରୈଲୋକ୍ୟ ବାହାରେ ।ନରକ କିବା ଅନ୍ତରାଳେ ॥
କି ଅବା ଭୁବନ ମଧ୍ୟରେ ।କହିବା ତା ସାବଧାନେରେ ॥
ଶ୍ରୀଶୁକ ଉବାଚତ୍ରିଜଗତର ଅନ୍ତରାଳ ।ଦକ୍ଷିଣଦିଗ ମହୀପାଳ ॥
ଅର୍ଦ୍ଧଦେଶ ଭୂମି ଉପରେ ।ଅଗ୍ନି ସମ୍ଭାର ସେ ଉଦରେ ॥
ସକଳ ପିତୃଗଣ ଯେତେ ।ସ୍ୱଗୋତ୍ର କଲ୍ୟାଣ ନିମନ୍ତେ ॥
ଯହିଁ ବସନ୍ତି ହେ ରାଜନ ।ଯହୁଁ ଅନ୍ତର ଭଗବାନ ॥
ଅନ୍ତେ ଜୀବକୁ ଯହିଁ ନ୍ୟନ୍ତି ।ଯମର ପୁରେ ଦଣ୍ଡ ଦ୍ୟନ୍ତି ॥
ଦୋଷ ଯେ କର୍ମ ଅନୁସାରେ ।ଯେ ପ୍ରାଣୀ ଯେ କର୍ମ ଆଚରେ ॥
ଭଗବାନ ଆଜ୍ଞା ଲଘଂନ ।କହିବି ଶୁଣ ହେ ରାଜନ ॥
ତାହାକୁ ଚାହିଁ ଦଣ୍ଡଧର ।ଶାସ୍ତି ଯେ ଦିଅଇ ଅପାର ॥
ବସନ୍ତି ଯେ ଯାହା ବେଭାରେ ।ନରକ ଅଛନ୍ତି ତହିଁରେ ॥
ଏହା ରୂପ ନାମ ଲକ୍ଷଣ ।କହିବା ଶୁଣ ହେ ରାଜନ ॥
ଅନ୍ଧକୂପ ଯେ ଅସିପତ୍ର ।ଶୂକର ମୁଖ କାଳସ୍ମିତ ॥
ଗୌରବ ଯେ ମହାନରକ ।ଅନ୍ଧ ତାମିସ୍ର କୁମ୍ଭୀପାକ ॥
ତାମିସ୍ର ଯେ କୃମିଭୋଜନ ।ସଦଂଶ ତପ୍ତଶୂର୍ମି ନାମ ॥
ବଜ୍ରକଣ୍ଟକ ଅୟଃପାନ ।ବଇତରଣୀ ବିଶନନ ॥
ଶାଳମଳୀ ଯେ ପ୍ରାଣରୋଧ ।ଅବୀତି ଆଉ ଲାଳାଭକ୍ଷ ॥
ନାନା ଭ୍ରମୟ ବିଭ୍ର ନାମ ।ଅପରେ ଆୟଃ ଯେ ପତନ ॥
ଶୂଳ ପ୍ରୋତକ୍ଷାର କର୍ଦ୍ଦମ ।ପରରୋଧ କ୍ଷୀଣ ଭୋଜନ ॥
ଅବଟ ନିରୋଧନ ଆର ।ବନ୍ଦଶୂକ ନାମ ଅପାର ॥
ସୂଚିମୁଖୋଚ୍ଚାର୍ଯ୍ୟ କୀର୍ତ୍ତନ ।ଅଷ୍ଟବିଂଶତି ହୁଏ ନାମ ॥
ଏତେ ନରକ ମହୀପାଳ ।ବିବିଧ ଯାତନାର ଫଳ ॥
ପରର ସ୍ତ୍ରୀ ଅପତ୍ୟ ଧନ ।ଯେ ପ୍ରାଣୀ କରଇ ହରଣ ॥
ସେ କାଳ ପାଶେ ବନ୍ଦୀହୋଇ ।ସତତ ନରକେ ପଡ଼ଇ ॥
ନାନା ଯାତନା ସେ ଭୁଞ୍ଜଇ ।କର୍ମ ବନ୍ଧନେ ସେ ପଡ଼ଇ ॥
କ୍ଷୁଧା-ପିପାସାରେ ପୀଡ଼ିତ ।ହୋଇ ସେ ଦଣ୍ଡରେ ତାଡ଼ିତ ॥
ନାନା ତର୍ଜ୍ଜନ ଯେ ତାହାର ।ଯେତେ ଯତନ ଭୟଙ୍କର ॥
ପରମ କଷ୍ଟ ତହିଁ ପାଇ ।କ୍ଷଣ କ୍ଷଣକେ ମୋହ ଯାଇ ॥
ଅନ୍ଧତାମିସ୍ରେ ନରକରେ ।ଯାତନା ଭୋଗ ପ୍ରାଣୀ କରେ ॥
ପର ଦାରାରେ ପାପ କରି ।ଯେବେ ତାମସ ରୂପ ଧରି ॥
ତେବେ ପଡ଼ଇ ସେ ଯେ ତହିଁ ।ଯାତନା ନରକ ଭୁଞ୍ଜଇ ॥
ନଷ୍ଟ ହୁଅଇ ମତି ତାର ।ଦୃଷ୍ଟି ନାଶଇ ନୃପବର ॥
ମୋହେଣ ଗତଭାବ ହୋଇ ।ଭୃତ୍ୟ ଦ୍ରୋହକୁ ସେ ଚିନ୍ତଇ ॥
କୁମ୍ଭାପାକହିଁ ହିଂସାବହି ।ସେ ପ୍ରାଣୀ ରୌରବେ ପଡଇ ॥
ଯେ ଜୀବ ହିଂସନ୍ତି ସଂସାରେ ।ତାହାଙ୍କୁ ପରୋକ୍ଷ ଲୋକରେ ॥
ରୌରବେ ମୃତ୍ୟୁଜୀବ ହୋଇ ।ସେଠାରେ ତାହାଙ୍କୁ ହିଂସଇ ॥
ମହାରୌରବ ଏହିମତେ ।ଯେବା ଆତୁର ଯେ ବିଦିତେ ॥
ତହିଁରେ ସେ ପାପୀ ପଡ଼ଇ ।ରୌରବ ନରକ ଭୁଞ୍ଜଇ ॥
ଯେ ନର ପଶୁ ପକ୍ଷୀମାନ ।ପ୍ରାଣେ ବଧ କରେ ସେ ଜନ ॥
ରକ୍ଷ ଶୁକର ହିତ ସେହି ।କୁମ୍ଭୀପାକରେ ସେ ପଡଇ ॥
ତପତ ତୈଳରେ ତାହାର ।ବନ୍ଧନ ହୁଅଇ ଶରୀର ॥
କାଳ ମୂରତି ନର୍କମାନ ।ବିସ୍ତାର ଅୟୁତ ଯୋଜନ ॥
ତାମସାୟତା ନାମ ତାର ।ଅପରେ ଥାଇ ସେ ଭାସ୍କର ॥
ଅଧୋ ଭାଗରେ ଅଗ୍ନି ଥାଇ ।ଏମନ୍ତ ନରକ ଅଟଇ ॥
ଯେ ନର ବ୍ରହ୍ମହତ୍ୟା କରେ ।ସେ ତହିଁ ପଡଇ ନିର୍ଭରେ ॥
ତପତ-ସୁବର୍ଣ୍ଣ ଫୁଟଇ ।ତହିଁ ଯେ ହତଜ୍ଞାନ ହୋଇ ॥
କ୍ଷଣକେ ଉଠଇ ଶୁଅଇ ।ବସଇ ବ୍ୟାକୁଳେ ଧାମଇ ॥
କ୍ଷୁଧା ପିପାସା ପୀଡାମାନ ।ତକ୍ଷଣେ ହୁଏ ଅଚେତନ ॥
ପଶୁର ଦେହେ ଲୋମ ଯେତେ ।ବର୍ଷ ତାବତ ସେହିମତେ ॥
ଉଗ୍ର ଯାତନା ଭୋଗପାଇ ।ସେ ପ୍ରାଣୀ ପଡିଥାଇ ତହିଁ ॥
ଯେ ନିଜ ଧର୍ମପଥ ଛାଡି ।ବେଦ ବଚନ ନିନ୍ଦେ ହୁଡି ॥
ପାଷାଣ୍ଡ ବୋଲି ତାକୁ କହି ।ଅସିପତ୍ରରେ ସେ ପଡଇ ॥
ଲୌହ ମୁଦ୍ଗର ତା ଉପରେ ।ପ୍ରହାର କରନ୍ତି ନିର୍ଭରେ ॥
ଯେ ରାଜା ପ୍ରଜାଙ୍କୁ କିଙ୍କରେ ।ଅଦୋଷେ ଦଣ୍ଡ ଦିଏ ନରେ ॥
ଅତ୍ୟନ୍ତ ପାପିଷ୍ଠଟି ସେହି ।କୁକୁର ମୁଖେ ସେ ପଡ଼ଇ ॥
ତହିଁ ପଶନ୍ତି ଯେ ନିର୍ଭରେ ।ନାନା ପ୍ରକାର ଶସ୍ତ୍ର ଧରେ ॥
ଇକ୍ଷୁଦଣ୍ଡର ପ୍ରାୟ କରି ।ତାକୁ ପେଷନ୍ତି ଦଣ୍ଡଧାରୀ ॥
ପରମ କଷ୍ଟକୁ ସେ ପାଇ ।କ୍ଷଣ କ୍ଷଣକେ ମୋହଯାଇ ॥
ଯେ ଏ ସଂସାରେ ନରଦେହୀ ।ହିଂସାରେ ପ୍ରାଣୀଙ୍କୁ ପୀଡ଼ଇ ॥
ଦ୍ରବ୍ୟାଦି ହାନିରେ ଯେସନ ।ସନ୍ତାପ ହୁଅଇଟି ମନ ॥
ଯେ ଆଶା ରଖାଇ ଭାଙ୍ଗଇ ।ବାୟସ ତୁଲ୍ୟ ତାକୁ କହି ॥
ଯେ ନର୍କ କୃମିର ଭୋଜନ ।ନରକମାନଙ୍କ ଅଧମ ॥
ଶତ ସହସ୍ର ଯେ ଯୋଜନ ।ସେ କୁମ୍ଭୀପାକ ପରିମାଣ ॥
ତହୁଁ ପଡ଼ଇ ସେହୁ ନର ।ଉଗ୍ର-ଯାତନା ଯେ ତାହାର ॥
କୃମିକି ଭକ୍ଷଇ ଯେସନେ ।ତାକୁ ଭକ୍ଷନ୍ତି କୃମିମାନେ ॥
ଯାବତ କର୍ମ କ୍ଷୟ ନୋହେ ।ତାବତ ହିଂସା ଦୂର ନୋହେ ॥
ସ୍ଥାପିତ ଦ୍ରବ୍ୟ ଯେ ହରଇ ।ସ୍ୱଦେହେ ପିଶାଚେ ପଡ଼ଇ ॥
ଅଗମ୍ୟା ନାରୀ ଯେ ହରଇ ।ତପତ କୁମ୍ଭୀରେ ପଡ଼ଇ ॥
ନାରୀଟି ଅଗମ୍ୟ ପୁରୁଷେ ।ଯେବେ ହରେ ରତି ଲାଳସେ ॥
ତପତ ଲୌହ ମଦ ନାମ ।ତାକୁ କରାନ୍ତି ଆଲିଙ୍ଗନ ॥
ପୁରୁଷରୂପେ ନାରୀଠାରେ ।ପୁରୁଷ ନାରୀକୁ ବେଭାରେ ॥
ଆଗମ ନିଗମ ବଚନେ ।ନ ମାନେ ଯେ ପାଷାଣ୍ଡ ମନେ ॥
ବଜ୍ର କଣ୍ଟକ ଶାଳ୍ମଳୀରେ ।ଆରୋହଣ କରନ୍ତି ତାରେ ॥
ସଭାରେ ମିଥ୍ୟା ଯେ କହନ୍ତି ।ଅବନା ନରକେ ପଡ଼ନ୍ତି ॥
ସେ ସ୍ତିରୀ ଶିଶୁ ପଶୁ ମାରେ ।ଡ଼ାକିନୀ ରୂପେ ସେ ସଞ୍ଚରେ ॥
ସେ ଯେ ବାଳକ ପଶୁମାନେ ।ପରଶେ ଯମର ସଦନେ ॥
ରାକ୍ଷସ ରୂପକୁ ଆଚରି ।ଶୋଣିତ ପିବନ୍ତି ତାହାରି ॥
ସେ ନାରୀ ପୁରୁଷଙ୍କ ରେତ ।ଖାଇ ହୋଇଣ ମହାମତ୍ତ ॥
ନାଚନ୍ତି ଗାୟନ୍ତି ହରଷେ ।ଯେସନେ ରାକ୍ଷସ-ପୁରୁଷେ ॥
ବିବିଧ ଜନ୍ତୁର ପ୍ରକାର ।ଯେ ନର ଗ୍ରାମ ଅଧିକାର ॥
ବିଶ୍ୱାସୀ-ପଶୁକୁ ମାରଇ ।ଯମ ସଦନେ ସେହୁ ଯାଇ ॥
ପାଶରେ ତାର ବାନ୍ଧି ଦେହ ।କ୍ଷୁଧା-ତୃଷାରେ ସେ ବିମୋହ ॥
କୁକୁର ନାମେ ଯମଗଣ ।ମୁଖରେ କରନ୍ତି ଦଂଶନ ॥
ବିବିଧ କଳ୍ମଷ ଲଭଇ ।ଆପଣା କର୍ମ ସେ ବହଇ ॥
ଉଗ୍ର ସ୍ୱଭାବେ ଯେବା ନରେ ।ପ୍ରାଣୀର ଉଦ୍ବେଗକୁ କରେ ॥
ଦ୍ୱନ୍ଦଶୂକର ଯେ ନରକେ ।ପଡ଼ନ୍ତି ଯାଇ ନରଲୋକେ ॥
ଯେ ଅବା ଗର୍ଭାଧିକ ଛଳେ ।ପ୍ରାଣୀକୁ ଥୋଇ ଅବହେଳେ ॥
ଦ୍ୱାର ରୁନ୍ଧଇ ମୁଢ଼ନର ।ଏମନ୍ତେ ଭୁଞ୍ଜେ ସେ ପାମର ॥
ଗର୍ତ୍ତେ ପାମରକୁ ଥୁଅନ୍ତି ।ନିର୍ଧୂମ ଅଗ୍ନିଦ୍ୱାରେ ଦ୍ୟନ୍ତି ॥
ପୂର୍ବେ ସେ ଆସିଥାଇ ତହିଁ ।ଅତିଥି ରୂପରେ ଆସଇ ॥
ଗୃହର ପତି ତାକୁ ଯେବେ ।ଅବଲୋକଇ କ୍ରୋଧଭାବେ ॥
କୁବୃତ୍ତି କୁବାକ୍ୟ କହଇ ।ଅନ୍ତେ ସେ ନରକେ ପଡଇ ॥
କହଇ ଦାସ ଜଗନ୍ନାଥ ।ପଞ୍ଚମସ୍କନ୍ଧେ ଭାଗବତ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ପଞ୍ଚମସ୍କନ୍ଧେ ନରକ ବର୍ଣ୍ଣନେନାମ ଷଡବିଂଶୋଽଧ୍ୟାୟଃ ।