ଦଶମ ଅଧ୍ୟାୟ — ଶ୍ରୀମଦ୍ ଭାଗବତ (ପଞ୍ଚମ ସ୍କନ୍ଧ) — ଜଗନ୍ନାଥ ଦାସ · ସ୍ୱର୍ଣ୍ଣଲିପିଭୋ ନାଥ ଶୁଣ ସାବଧାନେ ।
ପୁଣି ହିଁ ଚଳଇ ବିମାନେ ॥
ଏହାର ସଙ୍ଗତେ ରାଜନ ।ବହି ନ ପାରିବୁ ବିମାନ ॥
ସଂସର୍ଗ ଦୋଷରୁ ଆମ୍ଭର ।ଦଣ୍ଡିବ ଯେବେ ନୃପବର ॥
ଏମନ୍ତେ ଭୃତ୍ୟବାକ୍ୟ ଶୁଣି ।ସେ ଯେ ରାଜନ ଶିରୋମଣି ॥
ସ୍ୱଭାବେ ସାଧୁ ସେ ବୋଲାଇ ।ରଜ ଗୁଣରେ କ୍ରୋଧ ବହି ॥
ବିଷ୍ଣୁ ଭକତ ବିପ୍ରବର ।ତାହାକୁ କହଇ ଉତ୍ତର ॥
ରହୁରାଣ ଉବାଚସୁପୁଷ୍ଟ ସ୍ଥୂଳ ତୋ ଶରୀର ।କଠିନ ପୀନ ପାଦ ଊର ॥
ସ୍ଥକିତେ ଚଳୁ କି କାରଣେ ।ଏ ତୋର ଅଙ୍ଗ ନିଷ୍କାରଣେ ॥
କ୍ଷୁଦ୍ର ଯେ ତୋର ସଙ୍ଗତରେ ।ବିମାନ ବହନ୍ତି ତତ୍ପରେ ॥
ବ୍ୟର୍ଥ ଏ ତୋର କଳେବର ।ମିଥ୍ୟାରେ ବହୁ ତୁ ଶରୀର ॥
ଏମନ୍ତେ ଶୁଣ ପରୀକ୍ଷିତ ।ସେ ଯେ ବ୍ରାହ୍ମଣ ବିଷ୍ଣୁଭକ୍ତ ॥
ଏମନ୍ତ ବଚନେ ମଉନ ।ସ୍ୱଭାବେ ବହଇ ବିମାନ ॥
ପୁଣି ବିମାନ ବକ୍ର ହେଲା ।ସେ ରାଜା ଅତି କୋପକଲା ॥
ଆରେ ପାମର ମୂଢ଼ଚିତ୍ତ ।ଜୀବନ ଥାଉ ତୁହି ମୃତ ॥
ଏ ମୋର ଅଙ୍ଗେ କଷ୍ଟ ଦେଉ ।ଉନ୍ମତ ଭାବ କିମ୍ପା ବହୁ ॥
ଯମର ପ୍ରାୟେ ମୁଁ ଅଟଇ ।ଦୁଷ୍ଟଙ୍କ ଦର୍ପ ମୁଁ ଧ୍ୱଂସଇ ॥
ତୋହର ମତ୍ତଭାବ ମୁହିଁ ।ଆଜ ଯେ ଦୂର କରିବଇଁ ॥
ଏମନ୍ତେ ଅତି ନିନ୍ଦାମାନ ।ବହୁତ କଲା ସେ ରାଜନ ॥
ରଜଗୁଣରୁ କ୍ରୋଧ ତାର ।ତମଗୁଣରୁ ଅହଂକାର ॥
ସକଳ ଭୂତେ ଦୟା ସାର ।ସେ ଯେ ବ୍ରାହ୍ମଣର କୁମାର ॥
ଈଷତ ହାସ୍ୟ-ବଦନରେ ।ବଚନ କହଇ ରାଜାରେ ॥
ଭରତ ଉବାଚଭୋ ନୃପ ଶୁଣ ସାବଧାନେ ।ତୁମ୍ଭେ ଯେ କହିଲ ବଚନେ ॥
ଗମନ କରି ନ ପାରଇ ।ସେ କଥା ଉଚିତ ଅଟଇ ॥
ଏ କଥା ଆମ୍ଭ ସାଧୁପଣ ।ଲୋକରେ କରନ୍ତି ଗାୟନ ॥
ଜୀବନ ମୃତ ଯେ ବୋଇଲ ।ସେ କଥା ସତ୍ୟ ଯେ କହିଲ ॥
କ୍ଲେଶ ଶରୀରେ ଏ ଆମ୍ଭର ।କେବେହେଁ ନୁହେଁ ନୃପବର ॥
ମାନ ଅହଂକାରାଦି ଯେତେ ।ତାହାର ନାନା ବ୍ୟାଧି ହିତେ ॥
କ୍ଷୁଧା ପିପାସା ଭୟମାନ ।ମୋହର ନାହିଁ ହେ ରାଜନ ॥
ନିଦ୍ରା ବିହାର କ୍ରୋଧ ଯେତେ ।ମୋହ ଅହଂକାର ସମେତେ ॥
ଯେ ପ୍ରାଣୀ ଦେହବନ୍ତ ହୋଇ ।ତାହାର ତହିଁ ଏତେ ଥାଇ ॥
ମୋହର ଦେହେ ଏତେ ନାହିଁ ।ଜୀବନ ଥାଉଁ ମୃତ ମୁହିଁ ॥
କେ ଅବା କାହାକୁ ବହଇ ।ଏମନ୍ତ ମୁହିଁ ନ ଦେଖଇ ॥
କେବା ଈଶ୍ୱର କେ କିଙ୍କର ।ଏମନ୍ତ ନ ଦେଖି ଉପର ॥
ତୁମ୍ଭ ଆମ୍ଭର ଏ ବିଚାର ।କିମ୍ପା କହିଲ ନୃପବର ॥
ଆମ୍ଭେ କି କରିବୁ ତୁମ୍ଭରେ ।ସ୍ୱଭାବେ ଏ ଜଡ଼-ଶରୀରେ ॥
ପ୍ରମତ୍ତ ଜଡ଼ଭାବେ ମୁହିଁ ।ବିମାନେ କେବେହେଁ ନ ବହି ॥
ଶ୍ରୀଶୁକ ଉବାଚଶୁଣ ପରୀକ୍ଷ ନୃପବର ।ସେ ଯେ ବ୍ରାହ୍ମଣର କୁମର ॥
ସୁଶୀଳ ସମ ସାଧୁ ଚିତ୍ତ ।ବିଶେଷେ ବିଷ୍ଣୁର ଭକତ ॥
ତାହାର ବାକ୍ୟ ଅନୁସାରେ ।ଏମନ୍ତ କହି ସେ ମଧୁରେ ॥
ପ୍ରାରବଧ କର୍ମ କ୍ଷୟ ପାଇ ।ପୁଣି ବସନ୍ତି ତୁନି ହୋଇ ॥
ତତ୍ତ୍ୱ ଯଜ୍ଞଶାନ୍ତି ମନରେ ।ସେ ଯାଉଥିଲା ସ୍ନେହଭରେ ॥
ବିଷୟ କର୍ମ କରି ଦୂର ।ଏମନ୍ତେ ଶୁଣ ନୃପବର ॥
ଦ୍ୱିଜ ବଚନ ତତ୍ତ୍ୱଜ୍ଞାନ ।ବିଷୟ ତାପ ବିଖଣ୍ଡନ ॥
ଅମୃତ ପ୍ରାୟ ତାହା ଜାଣି ।ମନେ ଚିନ୍ତିଲା ନୃପମଣି ॥
ତକ୍ଷଣେ ଶୀଘ୍ର ଗତି ହୋଇ ।ବିମାନୁ ପଡିଲା ଓହ୍ଲାଇ ॥
ବ୍ରାହ୍ମଣ ପାଦ ଯୁଗଳରେ ।ଶିର ଅର୍ପିଲା ଶୀଘ୍ରତରେ ॥
କ୍ଷମା କରାଇ ଅପରାଧ ।କହଇ ବାକ୍ୟ ଗଦଗଦ ॥
ରହୁରାଣ ଉବାଚକେ ତୁମ୍ଭେ କହ ସ୍ୱାମୀ ମୋରେ ।କରୁଣା କର ଏ କିଙ୍କରେ ॥
ଗୁପତ ହୋଇ ଭ୍ରମୁଥାଅ ।ବ୍ରାହ୍ମଣ ରୂପ ତୁମ୍ଭେ ବହ ॥
କିବା ଅବଧୂତ-ବେଶରେ ।କେମନ୍ତେ ବିହିଲ ଏଠାରେ ॥
କାହିଁ ତୁମ୍ଭର ନିଜ ସ୍ଥାନ ।କେମନ୍ତେ ବହିଲ ବିମାନ ॥
ଏ ଯେ ଅପରାଧ ମୋହର ।କ୍ଷମା ତୁ କର ଦ୍ୱିଜବର ॥
ଇନ୍ଦ୍ରାଦି ଯେତେ ଦେବାସୁର ।ଶଙ୍କର ଆଦି ଦିବାକର ॥
ଏହାଙ୍କ କ୍ରୋଧରେ ମୋହର ।ଭୟ ଯେ ନାହିଁ ବିପ୍ରବର ॥
ବ୍ରାହ୍ମଣ ଅପମାନେ ମୋର ।ହୃଦ କମ୍ପଇ ଥରହର ॥
ଏଣୁ ଅପରାଧ ମୋହର ।କ୍ଷମା କରିବ ବିପ୍ରବର ॥
ଅଶେଷ ଜ୍ଞାନର କାରଣ ।ତୁମ୍ଭେ ଯେ ବିଷ୍ଣୁ ପରାୟଣ ॥
ଅଜ୍ଞାନ ପ୍ରାଣୀ ମାନଙ୍କରେ ।ଦେଖାଅ ଏ ଜଡ଼ ଶରୀରେ ॥
ତାହାର ଯେତେ ବାକ୍ୟମାନ ।ଗ୍ରଥିତ ହୋଇଅଛି ଜ୍ଞାନ ॥
ସକଳ ଜ୍ଞାନମନ୍ତ ତୁହି ।ତୋତେ ମୁଁ ପ୍ରସନ୍ନ କରଇ ॥
ଜ୍ଞାନ ସ୍ୱରୂପ ଏ ତୋହର ।ଭୋ ନାଥ ମୋତେ କୃପାକର ॥
ଉତ୍କଟ ଜଡ଼ରୂପ ହୋଇ ।ପ୍ରାଣୀଙ୍କ ହିତେ ଭ୍ରମୁଥାଇ ॥
ଭୋ ନାଥ ବିପ୍ର ଯୋଗେଶ୍ୱର ।ମୁଁ ମୂଢ଼ମତି ଯେ ପାମର ॥
କେମନ୍ତ ତୋତେ ଚିହ୍ନିବଇଁ ।ସ୍ୱଭାବେ ଗୃହବନ୍ଧେ ରହି ॥
ଏ ଯେ ମୋହର ଅନୁଚର ।ଅତ୍ୟନ୍ତ ମୂଢ ଦୁରାଚାର ॥
ଅଜ୍ଞାନ ହେତୁ ଆଣିଦେଲେ ।ବିଧାତା ଘଟଣାର ବଳେ ॥
ଶୁଣ ପରୀକ୍ଷ ସାବଧାନେ ।ସେ ବିପ୍ର ନୃପର ବଚନେ ॥
ଜ୍ଞାନ ବୈରାଗ୍ୟ ଆଦିକରି ।ସକଳ ଏଥି ଅଛି ପୂରି ॥
ଗୋବିନ୍ଦ-ପାଦ ପଦ୍ମତଳେ ।ମନ ତୁ ରଖ ସୁନିଶ୍ଚଳେ ॥
ପଞ୍ଚମସ୍କନ୍ଧେ ଏହୁ ବାଣୀ ।ଶୁଣି ସଂସାରୁ ତର ପ୍ରାଣୀ ॥
କୃଷ୍ଣ ଚରଣେ ନିତ୍ୟ ଭଜ ।କହଇ ଜଗନ୍ନାଥ ଦ୍ୱିଜ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ପଞ୍ଚମସ୍କନ୍ଧେ ରହୁରାଣ ଜଡ଼ଭରତସମ୍ୱାଦେ ନାମ ଦଶମୋଽଧ୍ୟାୟଃ װ
ଏକାଦଶ ଅଧ୍ୟାୟ
ବ୍ରାହ୍ମଣ ଉବାଚହେ ରାଜା ଶୁଣ ସାବଧାନେ ।ତୁ ଯେ କହିଲୁ ଅନୁମାନେ ॥
ମୂର୍ଖ-ପଣ୍ଡିତ ଦୁଇମତ ।ଏ କଥା ଅଟଇ ଉଚିତ ॥
ତଥାପି ପଣ୍ଡିତ ଯେ ନୋହେ ।ତତ୍ତ୍ୱ ଭାବରେ କ୍ରୋଧ ବହେ ॥
ଅପରେ ଶୁଣ ହେ ରାଜନ ।ଗୃହକର୍ମରେ ଯେଉଁ ଜନ ॥
ସୁକର୍ମ ବିଦ୍ୟାକୁ ଆଚରେ ।ତତ୍ତ୍ୱ ଗୁଣରେ ମନ ଧରେ ॥
ପଣ୍ଡିତ ବୋଲାନ୍ତି ସଂସାରେ ।ଯେ ତତ୍ତ୍ୱ ଜ୍ଞାନ ମନେ ସ୍ମରେ ॥
ସେ ସାଧୁ ବୋଲାଇ ସଂସାରେ ।ପ୍ରାଣୀଙ୍କୁ ଯେବେ ଦୟାକରେ ॥
ଦଣ୍ଡିବା ଶକ୍ତି ଯାର ଥାଇ ।ତଥାପି କ୍ଷମା ସେ କରଇ ॥
ସାଧୁଙ୍କ ଶ୍ରେଷ୍ଠ ଯେଉଁ ନର ।ସୁଖ ଦୁଃଖରୁ ଯେ ବାହାର ॥
ଅପରେ ଶୁଣ ହୋ ରାଜନ ।ଗୃହକର୍ମରେ ଯେଉଁ ଜନ ॥
ସତ୍ତ୍ୱ ରଜ ତମ ଗୁଣରେ ।ମନ ହୋଇଲା ଦୃଢ଼ତରେ ॥
ଯେ ଗୁଣ ଯାହାର ହୁଅଇ ।ସେ ଗୁଣ ପ୍ରାଣୀ ପ୍ରକାଶଇ ॥
ସ୍ୱଧର୍ମ ମନ୍ଦ ଭାବ ଦୁଇ ।ମଧ୍ୟାହ୍ନ ଭାବକୁ ସେ ବହି ॥
ଧରଇ ଗୁଣ ଅନୁସାରେ ।ସ୍ୱରୂପ ବେଭାର ଅପରେ ॥
ଯେ ସୁଖ ଦୁଃଖ ଆଦିକରି ।ଲଭଇ କର୍ମକୁ ଆଦରି ॥
ଦେଖ ଏ ଅନିତ୍ୟ ସଂସାର ।ମାୟାରେ ହୋଇ ତତପର ॥
ତାହାର ଗୁଣ ଅନୁସାରେ ।ପ୍ରାଣୀ ଯେ କର୍ମମାନ କରେ ॥
ଏ ତର୍କ ଭାବକୁ ଯେ ବହି ।ସକଳ ସାକ୍ଷୀ ହୋଇ ସେହି ॥
ତେଣୁ କହନ୍ତି ବେଦସାର ।ଗୁଣ ନିର୍ଗୁଣ ଏ ଅପାର ॥
ସୁଗୁଣ ପ୍ରାଣୀମାନଙ୍କର ।ନାନା ବ୍ୟସନ ଯେ ଅପାର ॥
ନିର୍ଗୁଣ ଭାବକୁ ଯେ ଧରେ ।ସେ ପ୍ରାଣୀ ଭବଜଳୁ ତରେ ॥
ମୃତ ପ୍ରଦୀପ ପ୍ରାୟେ ହୋଇ ।ସ୍ୱଗୁଣେ ସଂସାରେ ଭ୍ରମଇ ॥
ଦ୍ରବ୍ୟର ଭାବେ କର୍ମମାନ ।ଆଶ୍ରୟ ଆଦି ହେ ରାଜନ ॥
ମାୟାର ବଳେ ଏ ସଂସାରେ ।ପ୍ରାଣୀର ମନକୁ ଯେ ହରେ ॥
କ୍ଷେତ୍ରଜ୍ଞଭାବକୁ ଆଦରି ।ଶରୀରେ ବସିଛି ଆବୋରି ॥
ପ୍ରତ୍ୟକ୍ଷ ଭାବେ କେ ଅଛଇ ।ତାହାକୁ ପ୍ରାଣୀ ନ ଜାଣଇ ॥
ଶୁଦ୍ଧ ଅଶୁଦ୍ଧ ସଦାଚାର ।ସେ ଯେ କରନ୍ତି ପ୍ରାଣୀଙ୍କର ॥
ଅପରେ ଶୁଣ ହେ ରାଜନ ।କ୍ଷେତ୍ରଜ୍ଞ ପୁରୁଷ ପ୍ରମାଣ ॥
ପରମ ଆତ୍ମା ଜ୍ୟୋତିର୍ମୟେ ।ଅନ୍ୟାନ୍ୟ ବୃତ୍ତି ଯାର ଦେହେ ॥
ସେ ନାରାୟଣ ଭଗବାନ ।ବାସୁଦେବ ଆଦି କାରଣ ॥
ଯାର ସ୍ମରଣେ ପାପମାନ ।ବିଶେଷେ ହୁଅନ୍ତି ଖଣ୍ଡନ ॥
ମାୟାର ବଳେ ଏ ଜଗତେ ।କ୍ରୀଡା କରନ୍ତି ଅବିରତେ ॥
ସ୍ଥାବର ଜଙ୍ଗମାଦିଠାରେ ।ପବନ ଯେସନ ସଞ୍ଚରେ ॥
ତେମନ୍ତେ ହୋଇ ସର୍ବଠାରେ ।କ୍ଷେତ୍ରଜ୍ଞ ରୂପେ ସେ ବିହରେ ॥
ଯାବତ କାଳ ପ୍ରାଣୀଗଣ ।ମାୟାକୁ ନ କରେ ଖଣ୍ଡନ ॥
ଷଡ଼ଅଇରି ନ ଜିଣଇ ।ବିମୁକ୍ତ ସଙ୍ଗ ସେ ନୁହଇ ॥
ପ୍ରଭୁଙ୍କୁ ଯେଣୁ ନ ଜାଣେ ।ତାବତ ଭ୍ରମେ ଅକାରଣେ ॥
ସଂସାରେ ତାପ ଦାବାନଳ ।ସେ ଯେ ଅନାଦି ଆଦିମୂଳ ॥
ଯାବତ ତାକୁ ନ ଚିହ୍ନଇ ।ଶୋକ-ମୋହରେ ସେ ଭ୍ରମଇ ॥
ତୁ ଏବେ ଶୁଣ ନୃପବର ।ଏ ଯେ ବ୍ରହ୍ମାଣ୍ଡର ଈଶ୍ୱର ॥
ଅଖିଳ ପ୍ରାଣୀଙ୍କର ଗୁରୁ ।ଯାର ମହିମା ମହାମେରୁ ॥
ତାହାର ଚରଣାରବିନ୍ଦେ ।ମନ ନିବେଶି ଅପ୍ରମାଦେ ॥
ମାୟା-କପଟ ଏ ସଂସାର ।ତୁ ଏହା ଶୀଘ୍ର ପରିହର ॥
ପଞ୍ଚମସ୍କନ୍ଧେ ହରିବାଣୀ ।ଶୁଣି ସଂସାରୁ ତର ପ୍ରାଣୀ ॥
ସେ ପାଦ ପଦ୍ମ ଯୁଗଳରେ ।ଚିତ୍ତ ମୋ ରହୁ ନିରନ୍ତରେ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ପଞ୍ଚମସ୍କନ୍ଧେ ରହୁରାଣ ସମ୍ଭାଷଣେନାମ ଏକଦଶୋଽଧ୍ୟାୟଃ ।
ଦ୍ୱାଦଶ ଅଧ୍ୟାୟ
ରାଜୋବାଚନମଇଁ ପ୍ରଭୁ ବିପ୍ରବର ।ପ୍ରାଣୀଙ୍କ ହିତେ ତୋ ଶରୀର ॥
ସ୍ୱଇଚ୍ଛା-ବିହାର ତୋହର ।ନମସ୍ତେ ଦୟାର ସାଗର ॥
ଗୁପ୍ତ ଭାବରେ ଭ୍ରମୁ ତୁହି ।ଏ ତୋର ମାୟା କେ ଜାଣଇ ॥
ବ୍ୟର୍ଥରେ ପ୍ରାଣୀ ଆତଯାତ ।ତୁ ଯେ ମାୟା ରୂପରେ ସ୍ଥିତ ॥
ବ୍ୟାଧିପୀଡିତ ପ୍ରାଣୀମାନେ ।ତାହାକୁ ଔଷଧ ଯେସନେ ॥
ନିଦାଘ ତାପରେ ପୀଡିତ ।ତାହାକୁ ଯେହ୍ନେ ଜଳଶୀତ ॥
ସଂସାର-ଦୁଃଖ-ଦାବାନଳ ।ତହିଁ ମୁଁ ହୋଇଣ ଆକୁଳ ॥
ପୀୟୁଷ ରସ ତୁମ୍ଭ ବାଣୀ ।ପାଇ ତରିଲି ଦ୍ୱିଜମଣି ॥
ସଂଶୟ ଶରୀରୁ ମୋହର ।ତୁମ୍ଭେ ଛେଦିଲ ଦ୍ୱିଜବର ॥
ଅଜ୍ଞାନ ଜଡ଼ଭାବ ଥିଲେ ।ତୁମ୍ଭେ ଛେଦିବ ତାହା ଭଲେ ॥
ଅଧ୍ୟାତ୍ମ୍ୟ ଯୋଗ ତୋ ବଚନ ।ଶୁଣି ସନ୍ତୋଷ ମୋର ମନ ॥
ଯେତେ ସ୍ୱକ୍ରିୟା ଫଳମାନ ।କହିଲା ଈଶ୍ୱର ଅଧୀନ ॥
ଉତମ ତତ୍ତ୍ୱ ଏବେ ପାଇ ।ପୃଥକ ବୁଦ୍ଧିମାନ ହୋଇ ॥
ତତ୍ତ୍ୱଜ୍ଞାନ ଏ ପ୍ରାଣୀଙ୍କର ।ମନ ନୁହଇ ଦୃଢ଼ ତାର ॥
ବ୍ରାହ୍ମଣ ଉବାଚପାର୍ଥିବ-ବିକାର ଯେଉଁଟି ।ଭାରବାହ ଅଟେ ସେହିଟି ॥
ଶ୍ରମ ଯେ ହୋଇବ କାହାର ।ଏହା ତୁ ବୁଝି ନୃପବର ॥
ଶରୀରେ ଅଛି ଯେ ଚରଣ ।ତହିଁ ଉପରେ ଗୁଳ୍ଫ ଜାଣ ॥
ଜାନୁ ଋରୁ ଯେ ମଧ୍ୟଦେଶ ।ବକ୍ଷସ୍ଥଳ ଯେ ଗଳଦେଶ ॥
ସ୍କନ୍ଧକୁ ଘେନି କ୍ରମାନ୍ୱୟେ ।ଅଛନ୍ତି ଯେ ଯାର ଇଚ୍ଛାଏ ॥
ସ୍କନ୍ଧ ଉପରେ କେହି ନାହିଁ ।କେବଳ ଶିବିକା ଅଛଇ ॥
ତହିଁରେ ଅବୟବୀ ନାହିଁ ।ସୌବୀର ରାଜା ବସିଛଇଁ ॥
ସେ ପଟେ ପାର୍ଥିବ-ବିକାର ।ଏହା ତୁ ନୃପ ହେତୁକର ॥
ଏହି ବିକାରେ ଅଭିମାନ ।ତୋହର ହୋଇଛି ରାଜନ ॥
ଏ ଯେ ସଂସାରେ ପ୍ରାଣୀମାନେ ।ନୃପ ସେବକ ଭିନ୍ନେ ଭିନ୍ନେ ॥
କେହୁ କାହାକୁ ନମସ୍କାର ।କରଇ ଆଚାର ବେଭାର ॥
ଏ ଜୀବମାନେ ବସି ତହିଁ ।ନାନା-କୁକଥାମାନ କହି ॥
ମୁଁ ନୃପ ବୋଲି ଅହଂକାର ।ଏ ମୂଢ଼ ଲୋକଙ୍କ ବେଭାର ॥
ପ୍ରାଣୀଙ୍କୁ ଦଣ୍ଡ ଦେଇ ମୁହିଁ ।ଏମନ୍ତେ ନାନା କଥା କହି ॥
ପ୍ରଗଳ୍ଭ ଭାବ ତୁ ଧଇଲୁ ।ଏଣୁ ମୋହର ସେବା କଲୁ ॥
ଦେଖ ଏ ଅଖିଳ ସଂସାର ।ଜନ୍ମର ଯହୁଁ ଚରାଚର ॥
ତାହାର ନାମ ଯହୁଁକ୍ଷରେ ।ପଡ଼ନ୍ତି ନାହିଁ ଏ ସଂସାରେ ॥
ପରମହଂସ ହୃଦସ୍ଥଳ ।ଏ ଆଦି ଯେତେକ ସକଳ ॥
ତା ବିନୁ ଅନ୍ୟ କେହି ନାହିଁ ।ଅଜ୍ଞାନ ମତି ନ ଜାଣଇ ॥
ଗୃହସ୍ଥ କର୍ମ ଆଦି ଯେତେ ।ଅଜୀବ ସଜୀବ ସହିତେ ॥
ଦିବ୍ୟ ସ୍ୱଭାବ କାଳକର୍ମ ।ପୃଥକ ଭାବ ଏହୁ ମନ ॥
ଜ୍ଞାନ ବିଶୁଦ୍ଧ ସେ ଅଟଇ ।ପରମ ଆତ୍ମା-ରୂପ ବହି ॥
ଏକୁ ଅନେକ ସର୍ବ ଦେହୀ ।ସେ ବିନୁ ଅନ୍ୟ ନାହିଁ କେହି ॥
ସର୍ବଜ୍ଞ ପ୍ରଶାନ୍ତ ଅଚ୍ୟୁତ ।ଲୀଳାରେ ଯାହାର ଜଗତ ॥
ଯେ ପ୍ରଭୁ ଅଖିଳ କାରଣ ।ମୁନିଏ କରନ୍ତି ଗାୟନ ॥
ଏବେ ତୁ ମୋହର ବଚନେ ।ହରଷେ ଶୁଣ ସାବଧାନେ ॥
ବିବିଧ-ତପ ଯଜ୍ଞଆଦି ।ବେଦ ଅଧ୍ୟୟନ ପ୍ରସିଦ୍ଧି ॥
ଏ ଆଦି ଯେତେ ହେ ରାଜନ ।ସକଳ ଶ୍ରେଷ୍ଠ ଭଗବାନ ॥
ଯାହା ସ୍ମରଣେ ପାପମାନ ।ଅଶେଷ ହୁଅନ୍ତି ଖଣ୍ଡନ ॥
ଉତ୍ତମ କଥା ଶ୍ଳୋକ ସାର ।ଯେ ପ୍ରାଣୀ କରନ୍ତି ଉଚ୍ଚାର ॥
ଗ୍ରାମ୍ୟ କଥାରେ ତାର ମତି ।କେବେହେଁ ନୋହେ ମହୀପତି ॥
ଯେବେ ନିଶ୍ଚଳ ଭାବେ ମନ ।ପ୍ରଭୁରେ କରଇ ଅର୍ପଣ ॥
ତାହାଙ୍କୁ ପ୍ରଭୁ ଭାବଗ୍ରାହୀ ।ସତ୍ୟ ପ୍ରଧାନେ ମନ ଦେଇ ॥
ଏବେ ହୋ ଶୁଣ ନୃପମଣି ।ଆମ୍ଭର ପୂର୍ବଜନ୍ମବାଣୀ ॥
ଭରତ ନାମେ ରାଜା ମୁହିଁ ।ବ୍ରହ୍ମାର ବଂଶେ ଜାତ ହୋଇ ॥
ସର୍ବ ସମ୍ପଦ ଦୂର କଲି ।ନିଶ୍ଚଳେ ପ୍ରଭୁଙ୍କୁ ଭଜିଲି ॥
ପୂର୍ବର ମୋର କର୍ମଫଳ ।ମୃଗ ସଙ୍ଗରୁ ମତି ଭୋଳ ॥
ଯେଣୁ ଅସାଧୁ ଆଚରିଲି ।ମୃଗ ଶରୀର ମୁଁ ପାଇଲି ॥
ଯେଣୁ ମୋହର ପୁଣ୍ୟଥିଲା ।ପ୍ରଭୁଙ୍କ କରୁଣା ହୋଇଲା ॥
ତେଣୁ ପୂର୍ବର କଥାମାନ ।ମୋହର ହୋଇଲା ସ୍ମରଣ ॥
ଏବେ ହୋ ଶୁଣ ନୃପବର ।ଲଭିଲି ବ୍ରାହ୍ମଣ-ଶରୀର ॥
ତେଣୁ ସଙ୍ଗକୁ ମୁହିଁ ଡ଼ରି ।ଏ ଜଡ଼ ରୂପକୁ ଆବୋରି ॥
ଭ୍ରମଇ ଏ ଭବ ସାଗରେ ।କର୍ମ ବନ୍ଧନ ଖଣ୍ଡିବାରେ ॥
ଏକାନ୍ତ ନିଶ୍ଚଳ ଭାବରେ ।ମନ ନିବେଶି କୃଷ୍ଣଠାରେ ॥
ଶୁଣ ରାଜନ ଏକମନେ ।ଏଣୁ ସଂସାରେ ପ୍ରାଣୀମାନେ ॥
ଅସଙ୍ଗ ସଙ୍ଗେ ମୋହ ହୋଇ ।ନାନା ଯୋନିରେ ଭ୍ରମୁଥାଇ ॥
ସାଧୁଙ୍କ ସଙ୍ଗଟି ଯାହାର ।ପବିତ୍ର ହୁଅଇ ଶରୀର ॥
ନିଶ୍ଚଳମତି ଯେବେ ହୋଇ ।ସଂସାର ସାଗରେ ବୁଡ଼ଇ ॥
ସାଧୁସଙ୍ଗତି ପ୍ରଭାବରେ ।ପ୍ରଭୁର କୃପା ହୋଇ ତାରେ ॥
ସେ ଯେ ଅନାଦି ଚକ୍ରଧର ।ଜଗତ ବନ୍ଧୁ ଦାମୋଦର ॥
ସେ ପ୍ରଭୁ ପାଦପଦ୍ମତଳେ ।ମନ ମୋ ରହିବ ନିଶ୍ଚଳେ ॥
କହଇ ବିପ୍ର ଜଗନ୍ନାଥ ।ପଞ୍ଚମସ୍କନ୍ଧେ ଭାଗବତ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ପଞ୍ଚମସ୍କନ୍ଧେ ରହୁରାଣ ଭରତ ସମ୍ବାଦେନାମ ଦ୍ୱାଦଶୋଽଧ୍ୟାୟଃ ।
ତ୍ରୟୋଦଶ ଅଧ୍ୟାୟ
ବ୍ରାହ୍ମଣ ଉବାଚଯେ ପଥ ଅତ୍ୟନ୍ତ ଦୁର୍ଗମ ।ମାୟାରେ ତହିଁ ହୋଇ ଭ୍ରମ ॥
ରଜ ତମରେ ଭିନ୍ନ ମତି ।ପଥୁକୀ ଭାବେ କର୍ମ ଚିନ୍ତି ॥
ସେ ପ୍ରାଣୀ ସଂସାର ଭ୍ରମଇ ।ସୁଖର ଲେଶ ତାର ନାହିଁ ॥
ଏ ଯେ ସଂସାର ମହାଘୋର ।ନାନା ଦୁସ୍ତର ଭୟଙ୍କର ॥
ଏଥେ ନିବେଶି ଦୃଢ ମନ ।ନାନା ଯାତନାର ଯେ ସ୍ଥାନ ॥
ବାତେ ଉନ୍ମୀଳ ରେଣୁ ଲାଗି ।କେ ଚକ୍ଷୁ ବୁଜି ଦୁଃଖଭାଗୀ ॥
ବିବିଧ ଘୋର ସ୍ୱନ ଲାଗି ।କଷ୍ଟେ ହୋଇବ ଦୁଃଖଭାଗୀ ॥
ଭଲ୍ଲୁକ ଆଦି ଘୋର ବାଣୀ ।ଦୁଃଖିତ ଆତ୍ମା ତାହା ଶୁଣି ॥
କ୍ଷୁଧା ପୀଡିତ ଯେବେ ହୋଇ ।ନିଷ୍ଫଳ-ବୃକ୍ଷକୁ ଧାମଇ ॥
କେବେହେଁ ମୃଗତୃଷ୍ଣା ଦେଖି ।ଜଳର ପ୍ରାୟ ଉପଲକ୍ଷି ॥
ନିରାଶ ହୋଇଣ ତହିଁରେ ।ଧାମଇ ଶୁଷ୍କ ନଦୀ ତୀରେ ॥
ଅନ୍ୟାନ୍ୟ ଭାବକୁ ସେ ବହି ।ନିର୍ଦ୍ଧନ-ପ୍ରାଣୀଙ୍କୁ ମାଗଇ ॥
ଦାରା ତନୟ ଅଗ୍ନି ପ୍ରାୟେ ।ତହିଁ କ୍ରୀଡ଼ଇ ମାୟା ମୋହେ ॥
କେବେହେଁ ଶାନ୍ତି ନ ଭଜଇ ।ପୁଣି ଉଦ୍ବେଗ-ମନ ହୋଇ ॥
ବିବିଧ ସୁଖ ଦୁଃଖ ପାଇ ।ପରମ କ୍ଲେଶକୁ ଲଭଇ ॥
ଗନ୍ଧର୍ବ ପୁରେ ପ୍ରବେଶିଣ ।ପ୍ରମୋଦ ଲଭେ ଅନୁକ୍ଷଣ ॥
କଣ୍ଟକ ଦୁର୍ଗମ ପାଷାଣେ ।ନିରତେ ଭ୍ରମେ ଅକାରଣେ ॥
ବିମନ ହୋଇ ଦୁଃଖ ପାଇ ।କ୍ଷଣକେ ପୁଣି ପାସୋରଇ ॥
ଅନ୍ତର ବାହାରେ ଯନ୍ତ୍ରିତ ।ପ୍ରାଣୀ ହୁଅନ୍ତି ଆତଯାତ ॥
କୁଟୁମ୍ବ ପାଇ ଏତେ ତାପ ।ବିପକ୍ଷ ସମ୍ୱତ୍ସରେ ପ୍ରାପ୍ୟ ॥
ଦୁଷ୍ଟ ଜନ୍ତୁରେ ପୀଡ଼ାପାଇ ।ବିପିନେ ନିରତେ ଭ୍ରମଇ ॥
ଅନ୍ଧ ଯେସନେ ଅନ୍ଧକୂପେ ।ପଡ଼ଇ କର୍ମର ବିପାକେ ॥
କ୍ଷଣକେ ପୁଣି ପାସୋରଇ ।ପଡ଼େ ଗିରି କନ୍ଦରେ ଯାଇ ॥
ପୁଣି ଆତ୍ମାତତ୍ତ୍ୱକୁ ।କ୍ଷଣକେ ପାସୋରଇ ପୁଣି ॥
ମାୟାରୁ କରି ଏ ସଂସାର ।ଦୁର୍ଗମ ପଥ ଯେ ଏହାର ॥
ସଜୀବ ଆତ୍ମା ହୋଇ ତୁଲ ।ଜାଣଇ ପ୍ରାଣୀ-ମନ୍ଦ ଭଲ ॥
ହରି ସେବାରେ ମନ ଦେଇ ।ଯେ ପ୍ରାଣୀ ସଂସାରେ ଭ୍ରମଇ ॥
ଜ୍ଞାନ ଯେ ଠାକୁର ଈଶ୍ୱର ।ନିଶ୍ଚିନ୍ତେ ହୁଅ ଭବୁ ପାର ॥
ରହୂରାଣ ଉବାଚସାଧୁମାନଙ୍କ ଜନ୍ମସାର ।ସଂସାରେ କିବା ଜନ୍ମ ଆର ॥
ଯେ ଜନ ହୃଷୀକେଶ ଗୁଣ ।ବଦନେ କରେ ଉଚ୍ଚାରଣ ॥
ଶ୍ରବଣେ ଶୁଣି ଯଶ ଗାଇ ।ସୁସାଧୁ ସଙ୍ଗତେ ମିଳଇ ॥
ଭୋ ସ୍ୱାମୀ ତୁମ୍ଭ ପାଦରେଣୁ ।ମୋ ଦେହେ ଲାଗିଲାକ ଯେଣୁ ॥
ସର୍ବ ଦୁରିତ କ୍ଷୟ ଗଲା ।ନିର୍ମଳ ମୋ ମନ ହୋଇଲା ॥
ଅବିଦ୍ୟା କର୍ମ ଯେ ମୋହର ।ଭୋ ସ୍ୱାମୀ ସମାଗତ ତୋର ॥
ଅବିବେକ ଅବିଦ୍ୟାମାନେ ।ହତ ହୋଇଲେ ତୋର ପୁଣ୍ୟେ ॥
ତୋତେ ମୋହର ନମସ୍କାର ।ଏ ବଟୁ ରୂପ ଯେ ତୋହର ॥
ଅବଧୂତ ରୂପକୁ ଧରୁ ।ପୃଥିବୀ ପର୍ଯ୍ୟଟନ କରୁ ॥
ଶ୍ରୀଶୁକ ଉବାଚଏମନ୍ତ କହିଣ ରାଜନ ।ବନ୍ଦିଲା ବିପ୍ରଙ୍କ ଚରଣ ॥
ରାଜାର ପୂଜାକୁ ଘେନିଲା ।ଧରଣୀ ଭ୍ରମଣେ ଗମିଲେ ॥
ଏ ରୂପ ଧରି ସେ ବ୍ରାହ୍ମଣ ।ପୃଥିବୀ କରେ ପର୍ଯ୍ୟଟନ ॥
ରାଜାର କୁଶଳ ନିମନ୍ତେ ।ଭ୍ରମେ ଭ୍ରମନ୍ତି ଏ ଯେ ନିତ୍ୟେ ॥
ଏମନ୍ତେ ରହୁରାଣ ବାଣୀ ।ଆନନ୍ଦେ ଶୁଣି ବିପ୍ରମଣି ॥
ପରମ କରୁଣା ସେ ବହି ।ରହୁରାଣକୁ ତତ୍ତ୍ୱ କହି ॥
ହରଷ ହୋଇ ରହୁରାଣ ।ପରମ ତତ୍ତ୍ୱ ଯେ ପାଇଣ ॥
ଆତ୍ମା ଅବିଦ୍ୟା ଧ୍ୟାନ ଯେତେ ।ଦେହ ଅହଂକାର ସମେତେ ॥
ତକ୍ଷଣେ ଛାଡ଼ିଲା ସକଳ ।ଶୁଣ ପରୀକ୍ଷ ମହୀପାଳ ॥
ଭାଗବତ ଆଶ୍ରୟ ଜନ ।ଏଡ଼େ ପ୍ରଭାବ ହେ ରାଜନ ॥
ପରୀକ୍ଷିତ ଉବାଚବହୁ ପ୍ରକାରେ ଏ ସଂସାର ।ଏ ଭାଗବତ-ଶ୍ରେଷ୍ଠ କରେ ॥
ଏହାଙ୍କ ବାକ୍ୟ ଅନୁସରି ।ସେ ପ୍ରାଣୀ ସଂସାରରୁ ତରି ॥
ଏହାଙ୍କୁ କି ଗତି ଅପରେ ।ଗତି ଅଗତି କିବା କରେ ॥
ଏ ଅନନ୍ତରେ ନୂପବରେ ।ଏଥୁ ଦୁର୍ଗମ ଯେ ଅପରେ ॥
ତାହାର ସଂଘଟନ ଯେତେ ।ସକଳ ମୋହର ଅଗ୍ରତେ ॥
ତୁ ଅନୁଗ୍ରହ କରି କହ ।ମୋହର ଫେଡିବ ସନ୍ଦେହ ॥
ସେ ବିପ୍ର ରହୁରାଣ ବାଣୀ ।ଆନନ୍ଦେ ଶୁଣି ନୃପମଣି ॥
କର୍ଣ୍ଣେ ଶୁଣନ୍ତି ଯେତେ ପ୍ରାଣୀ ।ଘୋର ସଂସାର ଯାନ୍ତି ଜିଣି ॥
ସକଳ ପାପୁଁ ସେ ତରନ୍ତି ।ଅନ୍ତେ ମୁକତି ସେ ଲଭନ୍ତି ॥
କହଇ ବିପ୍ର ଜଗନ୍ନାଥ ।ପଞ୍ଚମସ୍କନ୍ଧେ ଭାଗବତ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ପଞ୍ଚମସ୍କନ୍ଧେ ରହୁରାଣ ସମ୍ଭାଷଣେନାମ ତ୍ରୟୋଦଶୋଽଧ୍ୟାୟଃ ।