ଚତୁର୍ଥ ଅଧ୍ୟାୟ — ଶ୍ରୀମଦ୍ ଭାଗବତ (ପଞ୍ଚମ ସ୍କନ୍ଧ) — ଜଗନ୍ନାଥ ଦାସ · ସ୍ୱର୍ଣ୍ଣଲିପିବଦରି ଆଶ୍ରମେ ରହିଲା ।
ପରମ ତପ ଆଚରିଲା ॥
ସୁହୃଦ ଭାବେ ସେ ରାଜନ ।ଚିନ୍ତଇ ପ୍ରଭୁ ଭଗବାନ ॥
କେତେହେଁ ଦିନ ତପ କଲା ।ଅନ୍ତେ ସେ ମୁକତି ଲଭିଲା ॥
ତାହାର ଯେତେ ପୁଣ୍ୟାନ୍ତରେ ।ଗାୟନ କରନ୍ତି ସଂସାରେ ॥
ଏମନ୍ତ ସଂସାରେ କେ ହେବ ।ନାଭିର ପୁଣ୍ୟ ଆଚରିବ ॥
ଯାହାର ଶୁଦ୍ଧଭାବୁ କରି ।ପୁତ୍ର ହୋଇଲେ ନରହରି ॥
ସେ ରାଜା ବିପ୍ରେ ଭକ୍ତି ବହି ।ଯଜ୍ଞେ ପୂଜିଲେ ଭାବଗ୍ରାହୀ ॥
ଯଜ୍ଞରେ ପ୍ରଭୁ ଚକ୍ରଧର ।ହୋଇଲେ ନୟନ ଗୋଚର ॥
ଏଥୁ ଅନ୍ତରେ ନୃପଶୁଣ ।ସେ ଯେ ଋଷଭ ଭଗବାନ ॥
ଗୁରୁକୁଳଙ୍କୁ ବଶ କଲେ ।ଲୋକରେ ଧର୍ମ ଦେଖାଇଲେ ॥
ସମସ୍ତ ବିଘ୍ନ ପୂର୍ଣ୍ଣ କରି ।ଗୁରୁଙ୍କ ଆଜ୍ଞା ଶିରେ ଧରି ॥
ଗୃହସ୍ଥ ଧର୍ମ ଆଚରଣ ।କରନ୍ତି ସଂସାର କାରଣ ॥
ଗୁରୁ ସନ୍ତୋଷେ ଦେଲେ ବର ।ହୋଇବ ଶତେକ କୁମର ॥
ଏମନ୍ତ ଗଲା କେତେ ଦିନ ।ଋଷଭ ରୂପେ ଭଗବାନ ॥
ବେଦ ଉଚିତ କର୍ମ ରୂପେ ।ବିଭା ହୋଇଲେ ଯଥୋଚିତେ ॥
ପୂର୍ବରେ ଇନ୍ଦ୍ରର ଦୈବତ ।ଐଶ୍ୱର୍ଯ୍ୟ ଆଦି ଯେ ରହିତ ॥
ତହିଁ ବିବିଧ ଭୋଗ କରି ।ଆନନ୍ଦେ ସଂସାରେ ବିହରି ॥
ଯଥାକାଳରେ ତାହାଙ୍କର ।ହୋଇଲେ ଶତେକ କୁମର ॥
ଏହାଙ୍କ ମଧ୍ୟେ ମହାବୀର ।ଶ୍ରେଷ୍ଠ ଯେ ଭରତ କୁମର ॥
ଏ ଭୂମି ଯାହାର ନାମରେ ।ଭାରତ ହୋଲାଇ ସଂସାରେ ॥
ଏ ନବ ତାର ଯେ ଅନ୍ତରେ ।ହୋଇଲେ ଋଷଭ କୁମରେ ॥
ଯେ ଇଳାବର୍ତ୍ତ କୁଶାବର୍ତ୍ତ ।ଇନ୍ଦ୍ରସ୍ପୁକ ଯେ ବ୍ରହ୍ମାବର୍ତ୍ତ ॥
ମଳୟ କେତୁ ଯେ ନନ୍ଦନ ।ବିଦର୍ଭ ଆର ଭଦ୍ରସେନ ॥
ବିକଟ ଆଦି ନବ ପୁତ୍ର ।ପଛେ କହିବା ତା ଚରିତ ॥
ଭରତ ଅନୁଜ ସେ ନବ ।ଶୁଣ କହିବା ରାଜଦେବ ॥
ପ୍ରବୃଦ୍ଧ ଯେ ପିପ୍ପଳାୟନ ।ଦ୍ରାବିଡ଼ ଆବିର୍ହୋତ୍ର ନାମ ॥
ଚମସ ଅନ୍ତରୀକ୍ଷ କବି ।କରଭାଜନ ଆଉ ହବି ॥
ଏ ନବ ଶ୍ରେଷ୍ଠ ଭାଗବତ ।ପବିତ୍ର କଲେ ଏ ଜଗତ ॥
ପୂର୍ବେ ବସୁଦେବ ନାରଦ ।ଦେଇ ଅଛନ୍ତି ଯେ ସମ୍ବାଦ ॥
ସେଠାରେ ବର୍ଣ୍ଣିବା ସମସ୍ତ ।ଶୁଣ ରାଜନ ପରୀକ୍ଷିତ ॥
ଏକାଶୀ ପୁତ୍ରଙ୍କ ଚରିତ ।ଶୁଣ କହିବା ଏକଚିତ୍ତ ॥
ଶ୍ରୋତ୍ରିୟ ସୁଶୀଳ ମହାନ୍ତ ।ପିତାର ଆଜ୍ଞାରେ ସେ ରତ ॥
ସାତ୍ତ୍ୱିକ କର୍ମରେ ନିପୁଣ ।ସଂସାରେ ହୋଇଲେ ବ୍ରାହ୍ମଣ ॥
ଏ ଅନନ୍ତରେ ଯେ ଈଶ୍ୱର ।ଋଷଭ ନାମେ ଯୋଗେଶ୍ୱର ॥
ସେ ନିତ୍ୟ ଅବୟ ଅନନ୍ତ ।ପରମାନନ୍ଦ ଯେ ନିବୃତ୍ତ ॥
ମାୟାର ବଳେ ଦେହ ଧରି ।ଅନେକ କାଳ ସେ ବିହରି ॥
ଧର୍ମ ଆଚରି ଶିକ୍ଷାଗୁଣ ।ଦିଅନ୍ତି ପ୍ରଜାଗଣେ ଦାନ ॥
ପରମ ଦୟାଳୁର ଗୁଣ ।ସର୍ବଭୂତରେ ମିତ୍ର ପଣ ॥
ପ୍ରତି ପାଳନ୍ତି ପ୍ରଜା ଜନ ।ପୁତ୍ରକୁ ପିତାହିଁ ଯେସନ ॥
ସେହି ପ୍ରକାରେ ନୃପବର ।ପାଳନ କରନ୍ତି ସଂସାର ॥
ଉତ୍ତମ କାଳେ ଶୁଦ୍ଧଜଳେ ।ନାନା ସମ୍ଭାରେ ସେ ନିଶ୍ଚଳେ ॥
ଅତି ସମ୍ପତ୍ତି ଅନୁକ୍ରମେ ।ଯଜ୍ଞ କରନ୍ତି ଶୁଦ୍ଧମନେ ॥
ଏମନ୍ତ କଲେ ଯଜ୍ଞ ଶତ ।ବେଦ ଉଚିତ ଯଥୋଚିତେ ॥
ଋଷଭ ପରିପାଳେ ମହୀ ।ଏମନ୍ତେ କେ ଅବା ଅଛଇ ॥
ଦରିଦ୍ର ହିଂସା ଖଳ ଆଦି ।ଅବିଦ୍ୟାବନ୍ତ ଯେ ପ୍ରସିଦ୍ଧି ॥
ବିଦ୍ୟା ପ୍ରାର୍ଥନା ଯେ କରଇ ।ଏମନ୍ତ ଜନ କେହି ନାହିଁ ॥
ଭକ୍ତି ବିଭିନ୍ନ ବିନୁ ଆନ ।ଅନ୍ୟ ନ ବାଞ୍ଛନ୍ତି ସେ ଜନ ॥
ଏବେ ହୋ ଶୁଣ ସାବଧାନେ ।ଋଷଭ ବୁଲି ଏକଦିନେ ॥
ବ୍ରହ୍ମଋ ସଭା ମଧ୍ୟେ ଯାଇ ।ତନୟମାନ ଛନ୍ତି ଯହିଁ ॥
କୋମଳ ମଧୁରବଚନ ।ଶିକ୍ଷା ଲଭନ୍ତି ସେ ରାଜନ ॥
କହନ୍ତି ହିତ ବାକ୍ୟମାନ ।ଶୁଣନ୍ତି ଯେତେ ସଭାଜନ ॥
କହଇ ଜଗନ୍ନାଥ ଦାସ ।ଋଷଭ ନାରାୟଣ ଅଂଶ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂବୈୟାସିକ୍ୟାଂ ପଞ୍ଚମସ୍କନ୍ଧେ ଋଷଭ ଚରିତେନାମ ଚତୁର୍ଥୋଽଧ୍ୟାୟଃ װ
ପଞ୍ଚମ ଅଧ୍ୟାୟ
ଋଷଭ ଉବାଚହେ ପୁତ୍ରମାନେ ସାବଧାନେ ।ଶୁଣ ହୋ ଆମ୍ଭର ବଚନେ ॥
ଯେ ପ୍ରାଣୀ କଷ୍ଟେ କର୍ମମାନ ।ନିର୍ଭରେ କରେ ଆଚରଣ ॥
ସେ ପ୍ରାଣୀ ବ୍ୟର୍ଥ ଏ ସଂସାରେ ।ପଡେ ନରକ ମହାଘୋରେ ॥
ଏ ବ୍ରହ୍ମ କର୍ମ ସତ ଗୁଣ ।ତେଜେ ଅନନ୍ତ ଆରାଧନ ॥
ନିର୍ବାଣ ମାର୍ଗେ ଏ ବିଦିତ ।ଶୁଣ କହିବା ପୁତ୍ରେ ସତ୍ୟ ॥
ସ୍ତ୍ରୀସଙ୍ଗମ ଆଦି ଯେତେ ।ଏ ଘୋରତମ ସତ ସୁତେ ॥
ଯେ ଅବା ସତ୍ୟ ଶାନ୍ତ ଚିତ୍ତେ ।ପ୍ରଶାନ୍ତ ସାଧୁ ସେ ଜଗତେ ॥
ଯେ ଜନ୍ମ କ୍ରୋଧ ବିବର୍ଜିତ ।ତାହାର ସୁହୃଦ ଜଗତ ॥
ଯେ ପ୍ରାଣୀ ମୋର ପଦ୍ମପାଦେ ।ମନ ଅର୍ପଇ ଅପ୍ରମାଦେ ॥
ତାବତ ଗୁଣମୟ ଧର୍ମ ।ନୁହଇ ମାୟାରେ ସେ ଭ୍ରମ ॥
ଯାବତ ମୋତେ ନ ଭଜଇ ।ଭ୍ରମଇ ମାୟା ଭ୍ରମେ ସେହି ॥
ଅନିତ୍ୟ ଦେହେ ନିତ୍ୟ କରେ ।ସେ ସାଧୁ ନୁହଇ ସଂସାରେ ॥
ତାବତ ପରାଭବ ଥାଇ ।ଯାବତ ମୋତେ ନ ଚିହ୍ନଇ ॥
ଯାବତ ନାନା କର୍ମ କରେ ।ମନ ବଢ଼ଇ ନିରନ୍ତରେ ॥
ତେଣୁ ସେ କର୍ମବଶ ହୋଇ ।ନାନା ଶରୀର ସେ ବହଇ ॥
ଅବ୍ୟୟ ବାସୁଦେବ ମୁହିଁ ।ମୋହର ସେବା ସ୍ନେହବହି ॥
ସେ ହୁଏ ଗୃହବନ୍ଧୁ ପାର ।ଯେଣୁ ଚିହ୍ନଇ ସେ ଈଶ୍ୱର ॥
ସ୍ୱପ୍ନର ପ୍ରାୟେ ଦେହେ ନର ।କରଇ ନାନା ଅହଂକାର ॥
ନିଦ୍ରାରେ ଯେହ୍ନେ ସୁଖ ଭୋଗ ।ଜାଗ୍ରତେ ପାଇ ଲାଭାଲାଭ ॥
ଗୃହ ବନ୍ଧନର କାରଣେ ।ନାନା ସଙ୍ଗତ ବନ୍ଧୁ ଜନେ ॥
ସ୍ତିରୀ ପୁରୁଷ ଭାବ ହୋଇ ।ତହିଁରେ ମନକୁ ବାନ୍ଧଇ ॥
ମୋହର ଗୃହ ମୋର ଧନ ।ବୋଲି ମାୟାରେ ହୋଇଛନ୍ନ ॥
ଯାବତ କର୍ମ ବନ୍ଧମାନ ।ନୁହଇ ତାହାର ଖଣ୍ଡନ ॥
ଯାବତ ପାଦପଦ୍ମେ ଧ୍ୟାନ ।ଆଶ୍ରୟ ନ କରନ୍ତି ଜନ ॥
ପାଦପଲ୍ଲବ କରେ ଧରି ।ତରନ୍ତି ଏ ଭବ ଲହରୀ ॥
ଅଖିଳ ଗୁରୁ ମୁଁ ଯେ ।ମୋତେ ଭଜିବେ ସ୍ନେହକରି ॥
ନିବୃତ୍ତେ ତୁଷ୍ଟହୋଇ ନରେ ।ଭକ୍ତି କରିବେ ମୋହଠାରେ ॥
ବେଶ ବସନହିଁ ଛାଡିବେ ।ଭକ୍ତିରେ ମୋତେ ଆରାଧିବେ ॥
ମୋହର ଗୁଣ କର୍ମମାନ ।ନିରତେ କରିବେ କୀର୍ତ୍ତନ ॥
ଇନ୍ଦ୍ରିୟ ଗୁଣକୁ ନିବାରି ।ଅଧ୍ୟାତ୍ମ୍ୟ ବିଦ୍ୟାକୁ ବିଚାରି ॥
ଶ୍ରଦ୍ଧାରେ ବ୍ରହ୍ମଚର୍ଯ୍ୟ କରେ ।ପ୍ରଶାନ୍ତ ସତ୍ୟ ବଚନରେ ॥
ମୋହର ଭାବ ଅନୁକ୍ଷଣେ ।ଚିତ୍ତେ ଅର୍ପିବ ସୁଲକ୍ଷଣେ ॥
ଭବଜଳରୁ ସେ ତରଇ ।ତାହାର ଗୃହବନ୍ଧ କାହିଁ ॥
କର୍ମ କରିବ ଯେ ସଂସାରେ ।ଅର୍ପିବ ମୋହର ପୟରେ ॥
ତାହାର କର୍ମ ବନ୍ଧ ମୁହିଁ ।ଅକ୍ଳେଶେ ନିଶ୍ଚୟ ଛେଦଇ ॥
ଆତ୍ମାର ଶ୍ରେଷ୍ଠ କର୍ମଠାରେ ।ଶ୍ରଦ୍ଧା ନ କରନ୍ତି ଯେ ନରେ ॥
ଅଳପ ସୁଖେ ମୋଦ ଭରି ।ଅନ୍ୟୋନ୍ୟେ ହିଂସାକୁ ଆଚରି ॥
ଅଶେଷ ଦୁଃଖର କାରଣ ।କରନ୍ତି ହୋଇ ମତିଭ୍ରମ ॥
ଦୃଷ୍ଟି ତାହାର ତହିଁ ରହି ।ଅବିଦ୍ୟା ସମୂହ ଦେଖଇ ॥
ଅନ୍ଧ ଯେସନେ ପଥ ଥାଇ ।କଣ୍ଟକ ଦୁର୍ଗମେ ଗମଇ ॥
ସେ ନୁହେଁ ଗୁରୁ ମିତ୍ରହିତା ।ସୁହୃଦ ଜନ ଆତ୍ମା ମାତା ॥
ନିୟତେ ମୃତ୍ୟୁ ନ ବିଚାରେ ।ଏମନ୍ତ ଅଛି ଏ ସଂସାରେ ॥
ମୃଢ଼େ ଜାଣିବେ ଅବା କାହିଁ ।ଅନିତ୍ୟ ମାୟାରେ ଭ୍ରମଇ ॥
ଭୋ ପୁତ୍ର ଶୁଣ ମୋ ଉତ୍ତର ।ଏ ଯେ ମୋହର କଳେବର ॥
ଅଷ୍ଟାଙ୍ଗ ଯୋଗ ଧ୍ୟାନମତେ ।ମୁନି ଚିନ୍ତନ୍ତି ଅବିରତେ ॥
ଯେଣୁ ଆମ୍ଭର ତୁମ୍ଭେ ସୁତ ।ପରମ ଶ୍ରେଷ୍ଠ-ଭାଗବତ ॥
ଏବେ ଏମନ୍ତ ତୁମ୍ଭେ କର ।ମନକୁ ସମର୍ଥେଣ ଧର ॥
ଅକ୍ଳେଶ ବୁଦ୍ଧିରେ ସମସ୍ତେ ।ମୋ ରୂପ ଭଜ ଯଥୋଚିତେ ॥
ମୋର ବଚନ ଧରି ଚିତ୍ତେ ।ସୁଖେ ବିହର ଏ ଜଗତେ ॥
ସର୍ବ ଭୂତରେ ମୁହିଁ ଥାଇ ।ସୁଖ ଦୁଃଖାଦି ମୁଁ ଭୁଞ୍ଜାଇ ॥
ଭୂତ ଗନ୍ଧର୍ବ ସେ ମାନବ ।ପ୍ରମଥ ଗଣ ମହାଦେବ ॥
ସେ ବ୍ରହ୍ମସୁତ ଦୈତ୍ୟ ଆଦି ।ମୋର ଶରୀରେ ଏ ପ୍ରସିଦ୍ଧି ॥
ସର୍ବେ ଦେହର ମଧ୍ୟେ ସାର ।ସଂସାରେ ବିପ୍ର କଳେବର ॥
ଶ୍ରଦ୍ଧାରେ ଶୁଦ୍ଧମନେ ଯେହି ।ଯେ ଦ୍ରବ୍ୟ ବିପ୍ରଙ୍କୁ ଦିଅଇ ॥
ସନ୍ତୋଷେ ଭକ୍ଷଇ ମୁଁ ତାହା ।ଯଜ୍ଞେ ସନ୍ତୋଷ ନୋହେ ଯାହା ॥
ଯମ ନିୟମ ବେଦମତେ ।ପୂଜନ୍ତି ଯଥୋଚିତେ ॥
ସକଳ ପରଙ୍କ ଅପର ।ମୁହିଁ ଅନନ୍ତ ଯେ ଈଶ୍ୱର ॥
ସର୍ବ ମୋକ୍ଷାଦି ଦାତା ମୁହିଁ ।ମୋ ବିନୁ ଅନ୍ୟ କେହି ନାହିଁ ॥
ଯେ ପ୍ରାଣୀ ଅକିଞ୍ଚନ ଦେହି ।ମୋହର ପାଦେ ମନଦେଇ ॥
ତାହାର ଯେତେ କର୍ମମାନ ।ସକଳ କରଇ ଗ୍ରହଣ ॥
ମୋହର ପୂଜା ତୁମ୍ଭେମାନେ ।କଲେ ଯେ ଯଥାର୍ଥ-ବିଧାନେ ॥
ସଶ୍ରଦ୍ଧା ଅବଲୋକନରେ ।ସ୍ଥିରମନ ବାକ୍ୟ ବୁଦ୍ଧିରେ ॥
ମୋହର ଅନୁଗ୍ରହ ହେଲେ ।ସଂସାରେ ପ୍ରାଣୀ ଥାନ୍ତି ଭଲେ ॥
ଶମନ ପାଶ ବନ୍ଧନରୁ ।ତରନ୍ତି ମହା ସଂକଟରୁ ॥
ଶ୍ରୀଶୁକ ଉବାଚଏମନ୍ତ ଶିକ୍ଷା ପୁତ୍ରେ ଦେଇ ।ଋଷଭ ପ୍ରଭୁ ଭାବଗ୍ରାହୀ ॥
ପ୍ରାଣୀଙ୍କ ନିସ୍ତାର କାରଣ ।ଧର୍ମ ବିସ୍ତାରିଲେ ଆପଣ ॥
ତନୟ ଶତମଧ୍ୟେ ସାର ।ଶ୍ରେଷ୍ଠ ଯେ ଭରତ କୁମର ॥
ପରମ ଭାଗବତ ସେହି ।ନିରତେ ପ୍ରଭୁଙ୍କୁ ଭଜଇ ॥
ସାଧୁ ସଙ୍ଗତେ ଅବିରତ ।ତାହାଙ୍କ ଗୁଣ ଯେ ବହୁତ ॥
ଅବନୀ ପାଳନର ପାଇଁ ।ରାଜତ୍ୱପଣ ତାଙ୍କୁ ଦେଇ ॥
ଯେ ମୁକ୍ତ ଧର୍ମ ମହାମୁନି ।ଜ୍ଞାନ ବିଜ୍ଞାନ ଭକ୍ତି ଘେନି ॥
ତାହାଙ୍କ ଲକ୍ଷଣ ଆଚରି ।ଋଷଭ ପ୍ରଭୁ ନରହରି ॥
ବାହ୍ୟେ ଶରୀର ମାତ୍ର ଧରି ।ଉନ୍ନତ ଭାବକୁ ଆଚରି ॥
ବିକୀର୍ଣ୍ଣ କରି କେଶ ବାସ ।ଉଲଗ୍ନ କରି କଟିଦେଶ ॥
ସେ ଯେ ବଧିର ଜଡ଼ ମୂକ ।ତମ୍ୱାର ପ୍ରାୟ କେଶଯାକ ॥
ଏମନ୍ତ ଅବଧୂତ ବେଶ ।ଧରି ସେ ବ୍ରହ୍ମାଣ୍ଡର ଈଶ ॥
ପ୍ରାଣୀଙ୍କି ବଚନ ନ କହି ।ମୌନବ୍ରତକୁ ସେ ଘେନଇ ॥
ସକଳ ପୁର ଗ୍ରାମ ଗିରି ।ପୁର କାନନ ଆଦି କରି ॥
ଦୁର୍ଜ୍ଜନ ଦୁଷ୍ଟର ବଚନ ।ମୂତ୍ର ପୁରୀଷ ପ୍ରକ୍ଷେପଣ ॥
ଏ ପରାଭବ ସେହୁ ବହି ।ସୁଖେ ଭ୍ରମନ୍ତି ଏହା ମହୀ ॥
ଆପଣାଠାରେ ମନ ଦେଇ ।ନିତ୍ୟ ଆନନ୍ଦମନା ହୋଇ ॥
ଅତି କୋମଳ ସୁକୁମାର ।ଚରଣ ଯୁଗ ବେନିକର ॥
ବିପୁଳ ଉଚ୍ଚ ବକ୍ଷସ୍ଥଳ ।ମଞ୍ଜୁଳ ବଦନ କମଳ ॥
ଅତି ସୁନ୍ଦର ସେ ଶରୀର ।ଈଷତ ହାସ୍ୟ ବିମ୍ବାଧର ॥
ନବ ନଳିନ ଦଳ ଯେହ୍ନେ ।ଲୋଚନ ଯୁଗଳ ତେସନେ ॥
ସୁବର୍ଣ୍ଣସୁସଞ୍ଚ କପୋଳ ।ନିଗୂଢ଼ କଣ୍ଠ ଯେ ମଞ୍ଜୁଳ ॥
ସେ ରୂପ ଦେଖିଣ ନୟନେ ।ଭାବେ ସେ ସୁରପତ୍ନୀମାନେ ॥
କୁସୁମ ଗନ୍ଧବାସେ ମନ ।ତକ୍ଷଣେ ହୋଇ ଛନ୍ନ ଛନ୍ନ ॥
ଯେ ବ୍ରତ ଅତି ଭୟଙ୍କର ।ଅଜଗରର ଯେ ଆଚାର ॥
ସେ ଅଜଗର ପ୍ରାୟ ହୋଇ ।ରହିଲେ ନିଜରୂପ ଧ୍ୟାୟି ॥
ଏମନ୍ତେ କହିବଇଁ ତୋତେ ।ଅଷ୍ଟାଙ୍ଗ ଯୋଗ ନାନାମତେ ॥
କରି ସେ ବଇବଲ୍ୟ ଦାତା ।ଯେ ପ୍ରଭୁ ଯୋଗ୍ୟ ଇଷ୍ଟପିତା ॥
ଏମନ୍ତେ ନାନା ଯୋଗ ଚିନ୍ତି ।ସେ ହରି ଭକତର ଗତି ॥
ସକଳ ଆତ୍ମା ଭୂତେ ସେହି ।ଋଷଭ ଅଂଶେ ଦେହ ବହି ॥
ପରମ ପ୍ରଭୁ ଯୋଗେଶ୍ୱର ।ଯୋଗ ସାଧିଲେ ଅପାର ॥
ସେ ପ୍ରଭୁ ଚରଣେ ମୋ ଚିତ୍ତ ।ନିଶ୍ଚଳେ ରହୁ ଅବିରତ ॥
କହଇ ବିପ୍ର ଜଗନ୍ନାଥ ।ଜନ ନିସ୍ତାରେ ଭାଗବତ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ପଞ୍ଚମସ୍କନ୍ଧେ ଋଷଭ ରାଜପୁତ୍ର ଧର୍ମାଚରଣେନାମ ପଞ୍ଚମୋଽଧ୍ୟାୟଃ ।
ଷଷ୍ଠ ଅଧ୍ୟାୟ
ଶ୍ରୀଶୁକ ଉବାଚସେ ସର୍ବଭୂତ ଆତ୍ମା ଧାର ।ଋଷଭ ଅଂଶେ ଅବତାର ॥
ଯାହାର ନାମ ଯୋଗେଶ୍ୱର ।ଯୋଗ ସାଧିଲେ ସେ ଅପାର ॥
ରାଜୋବାଚମୋର ସଂଶୟ ହୃଦଗତେ ।ଭୋ ମୁନି କହ ତୋଷଚିତ୍ତେ ॥
ଯେ ଇଚ୍ଛାବିହାରୀ ପୁରୁଷ ।ସକଳ କର୍ମରେ ଯେ ଈଶ ॥
ଏରୂପେ କିବା କାର୍ଯ୍ୟ ତାର ।ସଂଶୟ ଫେଡ ମୁନିବର ॥
ଅଷ୍ଟ ଐଶ୍ୱର୍ଯ୍ୟ ଦାତା ହୋଇ ।ଏଡ଼େ କ୍ଲେଶ ଯେ କାହିଁ ପାଇଁ ॥
ଶ୍ରୀଶୁକ ଉବାଚଯେ ପ୍ରଶ୍ନ କଲ ହୋ ରାଜନ ।କହଇ ଶୁଣ ସାବଧାନ ॥
ଐଶ୍ୱର୍ଯ୍ୟ ଆଦି ଧନ ଯେତେ ।ନିତ୍ୟେ କଦର୍ଯ୍ୟ ମହୀପତେ ॥
ଯାହାର ମୂଳ ଲୋଭ ଜ୍ଞାନ ।ଶୋକ ହରଷ ଆଦି କାମ ॥
ଏ ସର୍ବ ଯାର ମୂଳ ହୋଇ ।ପ୍ରାଣୀଙ୍କି ବନ୍ଧନ କରଇ ॥
କେ ଏହା ସାଧ୍ୟ କରୁ ମନେ ।ମୂଢ଼ ପାମର ହୀନଜନେ ॥
ଏବେ ହୋ ଶୁଣ ମହୀପାଳ ।ରାଜା ଋଷଭ ମହାବଳ ॥
ଯାର ଅଖିଳ ଲୋକପାଳ ।ବହନ୍ତି ଚରଣ ଯୁଗଳ ॥
ସେ ଦେବ ନାନାଦି ଲକ୍ଷଣେ ।ଜଡ଼ର ପ୍ରାୟ ଆଚରଣେ ॥
ଭ୍ରମନ୍ତି ନାନା ଦେଶ-ଗ୍ରାମେ ।ଯୋଗ ଶିଖାଇ ଯୋଗୀଗଣେ ॥
ଏମନ୍ତେ ଗଲା କେତେଦିନ ।ଶୁଣ ରାଜନ ଏକମନ ॥
ଋଷଭ ମନେ ବିଚାରିଲେ ।ଏ ଦେହ ଛାଡିବୁ ବୋଇଲେ ॥
ଆତ୍ମାରେ ମନକୁ ବୁଡାଇ ।ନିଶ୍ଚଳ ଧ୍ୟାନେ ମନ ଦେଇ ॥
ଏମନ୍ତେ ମୁକ୍ତି ଫଳରୂପ ।ହୋଇ ସେ ଈଶ୍ୱର ସ୍ୱରୂପ ॥
ମୃତ୍ୟୁର ପ୍ରାୟ ଦେହମନ ।ଇଚ୍ଛା ଜିହ୍ୱାରେ ମହାଜ୍ଞାନ ॥
ଦକ୍ଷିଣ କର୍ଣ୍ଣାଟ ସହରେ ।ମିଳିଲେ କୁକ୍କୁଟ ନଗରେ ॥
ତହିଁର ଉପବନେ ସେହି ।ବୁଲନ୍ତି ମୁକ୍ତବେଶ ହୋଇ ॥
ଏମନ୍ତେ ପବନ ବେଗରେ ।ଅଗ୍ନି ଜଳିଲା ଅତି ଖରେ ॥
ବନସ୍ତ ଜୀବ ବୃକ୍ଷମାନ ।ଶୀଘ୍ର ସେ କରଇ ଦହନ ॥
ସେ ଜଡ଼ ରୂପ ଯୋଗେଶ୍ୱର ।ପଶିଲେ ଅଗ୍ନିର ଭିତର ॥
ପବନ ବେଗେ ଅଗ୍ନିଖରେ ।ଦହିଲା ତାହାଙ୍କ ଶରୀରେ ॥
ପାଷାଣ୍ଡ ପଣ ଯେଣୁ ହୋଇ ।କୁପଥମାନ ସେ ଲଭଇ ॥
କଳିଯୁଗରେ ନରନାଥ ।ହୋଇବେ ମାୟା ବିମୋହିତ ॥
ଶୌଚ ପବିତ୍ର ଦୂର କରି ।ଦେବତା ନିନ୍ଦା ସେ ଆଚରି ॥
କଳିର ଆଚର ଯେସନ ।ତହିଁରେ ହୋଇ ମତିଭ୍ରମ ॥
ଦେବ ବ୍ରାହ୍ମଣ ଯଜ୍ଞମାନ ।ନିନ୍ଦା କରିବେ ଅନୁକ୍ଷଣ ॥
ସ୍ୱପଥ କର୍ମ ଯେ ହୁଡ଼ିବେ ।କୁ ମାର୍ଗ ପଥ ଆଚରିବେ ॥
କହିବା ଶୁଣ ନୃପବର ।ଏ ଯେ ଋଷଭ-ଅବତାର ॥
ରାଜସ ଗୁଣରେ ଏ ଯୁକ୍ତ ।ଭକତି କଲେ ସେ ବିଖ୍ୟାତ ॥
ଯାହାର ଗୁଣ ଏ ସଂସାରେ ।ଗାୟନ କଲେ ସାଧୁନରେ ॥
ସପତ ସିନ୍ଧୁ ଆଦିକରି ।ଆବର ଯେତେ ବସୁନ୍ଧରୀ ॥
ଦ୍ୱୀପ ବରଷ ଭଦ୍ରସେନ ।ଯହିଁର ଜନ୍ମ ପ୍ରାଣୀମାନ ॥
ଅଖିଳ ଜନ ଯେ ଠାକୁର ।ତାହାର ଜନ୍ମ ଅବତାର ॥
ଗାୟନ କରନ୍ତି ହରଷେ ।କେବା ଅଜ୍ଞାନ ପାପ ନାଶେ ॥
ଧନ୍ୟ ସେ ପ୍ରିୟବ୍ରତ ବଂଶେ ।ଯହିଁ ଜନ୍ମିଲେ ବିଷ୍ଣୁ ଅଂଶେ ॥
ଧନ୍ୟ ସେ ରାଜା ମଧ୍ୟେ ଶ୍ରେଷ୍ଠ ।ଭକ୍ତ ମଧ୍ୟରେ ସେ ଗରିଷ୍ଠ ॥
ଏହାର ତୁଲେ କେ ଆଚରି ।ସେ ବଂଶେ ବିଷ୍ଣୁ ଅବତରି ॥
ଦେବ ବ୍ରାହ୍ମଣ ଗୋରୁ ଆଦି ।ଦେବତା ନର ଯେ ପ୍ରସିଦ୍ଧି ॥
ସେ ସର୍ବ ଗୁରୁ ଭଗବାନ ।ଋଷଭ ପରମ କାରଣ ॥
ତାହାଙ୍କ ଅଭୁତ କରମ ।ବିଶୁଦ୍ଧ ଯେତେ ଆଚରଣ ॥
ପ୍ରାଣୀମାନଙ୍କ ପାପ ହରେ ।ପରମ ମଙ୍ଗଳ ମନ୍ଦିରେ ॥
ଶ୍ରଦ୍ଧାରେ ଶୁଣନ୍ତି ଯେ ନରେ ।ହରଷେ ଗାବନ୍ତି ସୁସ୍ୱରେ ॥
ଚଞ୍ଚଳ ମନ ସ୍ଥିର କରି ।ଯେ ଅବା ବଦନେ ଉଚ୍ଚାରି ॥
ବିଷୟ ନାବେ ବୁଡ଼ିଥାଇ ।ଭକ୍ତି ଭେଳାରେ ସେ ତରଇ ॥
ପୁରୁଷୋତ୍ତମକୁ ସେ ପାଇ ।ଯାର ପ୍ରସାଦୁ ରକ୍ଷା ହୋଇ ॥
ଶୁଣ କହିବା ନୃପବର ।ଯେ ଯଦୁ ବଂଶର ଠାକୁର ॥
ତାହାର ଭୃତ୍ୟକୁ ଭାଜନ ।ସେ ଯେ ଅନାଦି ଭଗବାନ ॥
ନାନା ଅବତାରକୁ ବହି ।ସଂସାର ପ୍ରାଣୀଙ୍କି ତାରଇ ॥
ଭକ୍ତିରେ ତାଙ୍କୁ ଯେ ଭଜଇ ।ସେ ପ୍ରଭୁ ତାକୁ ମୋକ୍ଷ ଦେଇ ॥
ଯେ ନିତ୍ୟେ ଆନନ୍ଦ ଶରୀର ।ଯାହାର କୃଷ୍ଣମତି ଦୂର ॥
ପରମ କଲ୍ୟାଣ କାରଣ ।ପରଲୋକରେ ପରାୟଣ ॥
ସେ ଯେ ରଷଭ ପ୍ରାଣୀଙ୍କର ।ତାହାଙ୍କୁ ମୋର ନମସ୍କାର ॥
କହଇ ବିପ୍ର ଜଗନ୍ନାଥ ।ପଞ୍ଚମସ୍କନ୍ଧେ ଭାଗବତ ॥
ସେ ପ୍ରଭୁ ଋଷଭ ଚରଣେ ।ମୋ ମନ ରହୁ ଅନୁକ୍ଷଣେ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ପଞ୍ଚମସ୍କନ୍ଧେ ଋଷଭ ଚରିତେନାମ ଷଷ୍ଠୋଽଧ୍ୟାୟଃ ।