ଷଷ୍ଠ ପଟ — କୁନ୍ତଳା କୁମାରୀ ସାବତ · ସ୍ୱର୍ଣ୍ଣଲିପିକାହିଁ ସେ, କିଏ ସେ ନଜାଣି ମୁଁ ମରେ ଲୁଚିଗଲା କାହିଁ ଦେଖା ଦେଇ ଥରେ ଏବେ ଖୋଜିବୁଲେ ସରବ ଧରଣୀ କାହିଁ ମୋର ସଖା ପ୍ରିୟ ଗୁଣମଣି । ଦୁଇବର୍ଷ ଅତିବାହିତ ହୋଇଗଲାଣି । ବୀରବାବୁ ଦାଣ୍ଡ ଘରେ ବସି ବହିପତ୍ର ଦେଖୁଛନ୍ତି । ଡାକ ହରକରା ଗୋଟାଏ ପତ୍ର ଦେଇଗଲା । ଜଗନ୍ନାଥର ହସ୍ତାକ୍ଷର ଦେଖି ବୀରବାବୁ ଆନନ୍ଦରେ ପତ୍ରଟି ଫିଟାଇଲେ, ପତ୍ର ପାଠକରି ତାଙ୍କର ଚକ୍ଷୁ ସ୍ଥିରହେଲା । ସେ ବାଳକ ପରି କାନ୍ଦିପକାଇଲେ । କିଛିକ୍ଷଣ ପରେ ପ୍ରକୃତିସ୍ଥ ହୋଇ ଘରଭିତରକୁ ଯାଇ ମାଙ୍କୁ କହିଲେ - “ମା, ମୁଁ କଲିକତା ଯାଉଛି । ଆଜି ରାତି ଗାଡ଼ିରେ ଯିବ । ଜଗନ୍ନାଥ ମୃତ୍ୟୁ ଶଯ୍ୟାରେ - ସେ ବଡ଼ ବେରାମ । ତାର ବନ୍ଧୁ ଜଣେ ପତ୍ର ଦେଇଛି ।”
ବୀରବାବୁଙ୍କ ମାତା ଦ୍ୱିରୁକ୍ତି ନ କରି ଅନୁମତି ଦେଲେ । ବୀରବାବୁ ରାତିଗାଡ଼ିରେ କଲିକତା ଗଲେ । ଗୋଟିଏ କ୍ଷୁଦ୍ର ଅପରିଷ୍କାର ଗଳି । ଦୁଇଆଡ଼େ ଘରଗୁଡ଼ିକ ଲଗାଲଗି ହୋଇ ନିର୍ମିତ । ଆଲୋକ ପ୍ରବେଶର ପଥ ପର୍ଯ୍ୟନ୍ତ ରୁଦ୍ଧ । ରାସ୍ତାଟି ଦୁର୍ଗନ୍ଧ ଏବଂ ଆବର୍ଜନାରେ ପରିପୂର୍ଣ୍ଣ । ମାଛିମାନେ ପଲ ପଲ ଉଡ଼ୁଚନ୍ତି । କଲିକତା ସହର । ଆଜିକାଲିର କଲିକତା ସହର ନୁହେଁ । ପୂର୍ବକାଳର କଥା । ଦୁଇ ଆଡ଼ର ନାଳରେ ପଚାପାଣି ବୋହିଯାଇ ସମଗ୍ର ସ୍ଥାନଟିକୁ ଅତି ଦୁର୍ଗନ୍ଧରେ ପୂର୍ଣ୍ଣ କରି ପକାଇଛି । ହଠାତ୍ ନ ଜାଣିବା ଲୋକ ପଶିଗଲାମାତ୍ରେ ତାହାହର ସମଗ୍ର ଶରୀର ଦୁର୍ଗନ୍ଧରେ ଅବଶ ହୋଇଉଠେ । ସେ ବାନ୍ତି ସମ୍ଭାଳି ପାରେ ନାହିଁ । ଏଣେ ତେଣେ ଗୋରୁହାଡ଼, କୁକୁଡ଼ା ପର, ମାଛ କାତି ବିଛାଇ ହୋଇ ପଡ଼ିଅଛି । କାଦୁଅ ପଙ୍କ ସ୍ଥାନେ ସ୍ଥାନେ ପୂର୍ଣ୍ଣ । ଏହିପରି ଗଳିର ବାମ ଦିଗରେ ଗୋଟିଏ କ୍ଷୁଦ୍ର ଏକତଳ ପକ୍ କାଘର । ଜୀର୍ଣ୍ଣଶୀର୍ଣ୍ଣ କାନ୍ଥ ସ୍ଥାନେ ସ୍ଥାନେ ଭାଙ୍ଗି ଯାଇ ସିମେଣ୍ଟ୍ କାମ ଖସି ପଡ଼ିଛି । ଇଟାଗୁଡ଼ିକ ସ୍ଥାନେ ସ୍ଥାନେ ଫାଟିଆଁ କରିଛି । ଖଣ୍ଡେ ଖଣ୍ଡେ ଭାଙ୍ଗି ଯାଇଛି । ଚାରିଆଡ଼େ କଳା, ଅଳନ୍ଧୁ, ବୁଢ଼ିଆଣୀ ବସା ପୂର୍ଣ୍ଣ । ଛୋଟ ଗୋଟାଏ କାମିନୀ ଫୁଲଗଛ ଗୋଟାଏ କୋଣ ଅନ୍ଧକାର କରିଅଛି । ସାମନା ନାଳରେ ବାରବରଷର ମଇଳା ପାଣି ବହିଯାଇ ଘର ଚାରିଆଡ଼ ଦୁର୍ଗନ୍ଧରେ ଭରି ଦେଉଛି । ସମ୍ମୁଖକୁ କାଷ୍ଠନିର୍ମିତ ଦୂର । ସବୁଜ ରଙ୍ଗ । ବହୁ ପୁରାତନ, ଜୀର୍ଣ୍ଣଶୀର୍ଣ୍ଣ ।
ଠିକ୍ ସେହି ଦ୍ୱାର ସାମନାକୁ ଗୋଟିଏ ଫେଟିନ୍ ଗାଡ଼ି ଆସି ଠିଆ ହେଲା । ଗାଡ଼ିରୁ ବୀରବାବୁ ଓହ୍ଲାଇ ପଡ଼ି କୋଚ୍ମ୍ୟାନ୍କୁ ତାହାର ଭଡ଼ା ଆଦି ଦେଇ ଆପଣାର କ୍ଷୁଦ୍ର ବ୍ୟାଗ୍ଟି ହାତରେ ଧରି ବହୁପରିଚିତ ପରି ଦ୍ୱାର ଠେଲି ଘର ଭିତରକୁ ପଶିଗଲେ ।
ଦାଣ୍ଡଘର । ସେ ଘରେ କୌଣସି ଆସବାବ୍ ପତ୍ର ନଥିଲା । କୋଣମାନଙ୍କରେ ଚାରିଆଡ଼େ ଧୂଳି, କାନ୍ଥରେ ଅଳନ୍ଧୁ, ବୁଢ଼ିଆଣୀ ବସା । ଗୋଟିଏ ଭଙ୍ଗା ମେଜ ଉପରେ ପରସ୍ତେ ଧୂଳି, ତା’ ଉପରେ ଦୁଇଚାରିଖଣ୍ଡ ଛିଣ୍ଡା ବହି ଓ ଗୋଟିଏ ଭଙ୍ଗା ପାନିଆ ପଡ଼ି ରହିଛି । ମେଜ ଚାରି ପାଖରେ ଦୁଇଟା ଅଧା ଭଙ୍ଗା ଚୌକୀ, ଗୋଟିଏ ପୁରୁଣା ଷ୍ଟୁଲ୍, ଗୋଟିଏ ଛିଣ୍ଡା ବେତର କେଦାରା ପଡ଼ିରହିଛି । ସେସବୁ ଉପରେ ପରସ୍ତ ପରସ୍ତ ଧୂଳି ପଡ଼ିରହି ଗୃହକର୍ତ୍ତାର ସଭ୍ୟତାର ପରିଚୟ ଦେଇଛି । କାନ୍ଥରେ ଦୁଇଟା ଛବି । ତା ଉପରେ ଧୂଳିର ଗୋଟାଏ ପ୍ରସ୍ତ ଛବିର ଆକୃତିକୁ ଲୁଚେଇ ଦେଉଛି । ଘର ଭିତର କୋଠରୀକୁ ଯିବାକୁ ବିପରୀତ ଦିଗରେ ଆଉ ଗୋଟିଏ ଦ୍ୱାର ଥିଲା । ବୀର କବାଟ ଠେଲି ଭିତରକୁ ପଶିଲେ । ଦ୍ୱିତୀୟ କୋଠରୀଟିରେ ଦଶା ମଧ୍ୟ ପ୍ରଥମ କୋଠରୀ ପରି; କିନ୍ତୁ ଅଳ୍ପ ପରିସ୍କାର ପରିଚ୍ଛନ୍ନ ଥିଲା । ମେଜ ଚୌକୀ ଇତ୍ୟାଦି ନ ଥାଇ ଗୋଟିଏ ପୁରୁଣା କ୍ୟାନଭାସ୍ ଖଟ ଉପରେ ମଇଳା ଚାଦର ବିଛା ହୋଇଛି । ତାହା ଜୀର୍ଣ୍ଣ ଶୀର୍ଣ୍ଣ, ଅସ୍ଥିକଙ୍କାଳସାର ଜଗନ୍ନାଥ ତାହା ଉପରେ ପଡ଼ି ଅସ୍ପଷ୍ଟ ଆର୍ତ୍ତ ଚିତ୍କାର କରୁଛନ୍ତି ।
ବୀର ହଠାତ୍ ଘର ଭିତରକୁ ପଶି ଆସି ଜଗନ୍ନାଥକୁ ଖଟ ଉପରେ ଦେଖିବାକୁ ପାଇ ଚିହ୍ନି ପାରିଲେନାହିଁ । ନିକଟକୁ ଯାଇ ଦେଖିଲେ, ସେ ପ୍ରକୃତ ଜଗନ୍ନାଥ । କିନ୍ତୁ ତା’ର ଆଉ ସେ ପୂର୍ବ ରୂପ ନାହିଁ । ରଙ୍ଗ କଳା । ଆଖି କୋଟର ଭିତରକୁ ପଶିଯାଇଛି । ଗାଲର ହନୁ ହାଡ଼ ଦୁଇଟା ପଦାକୁ ବାହାରି ପଡ଼ିଛି । ମୁହଁର ଚେହେରା ଭୟଙ୍କର । ଠିକ୍ ଗୋଟାଏ ହାଡ଼ଗିଳା ଭୂତ ପରି । ହାତ ଓ ଗୋଡ଼ର ହାଡ଼ ଉପରେ ଦୁଇଖଣ୍ଡ ଚମ ଘୋଡ଼ାଇ ହୋଇ ରହିଛି । ଜଗନ୍ନାଥ ବିଛଣାରେ ପଡ଼ି ଅତିରିକ୍ତ ବେଦନାରେ ଛଟପଟ ହୋଇ ଅଧୀର ଭାବରେ କାନ୍ଦୁଛି । ପାଖରେ କେହି ନାହିଁ । ବୀରବାବୁ ଆଶ୍ଚର୍ଯ୍ୟ ଭାବରେ ଚାହିଁ ରହିଲେ । କିପରି ଏପରି ଦୁର୍ଦ୍ଦଶା ହେଲା କିଛି ବୁଝି ପାରିଲେ ନାହିଁ । ବ୍ୟାଗ୍ ଟା ତଳେ ଥୋଇ ଦେଇ ନଇଁପଡ଼ି “ଜଗନ୍ନାଥ” ବୋଲି ଡାକିଲେ ।
ସମ୍ବନ୍ଧିତ ରଚନା
ମଧୁସୂଦନ ରାଓ
ଆମଘରର ହାଲ୍ଚାଲ୍ଗୋପାଳ ଚନ୍ଦ୍ର ପ୍ରହରାଜ ଗୋପାଳ ଚନ୍ଦ୍ର ପ୍ରହରାଜ
ଜଗନ୍ନାଥ ଅଚିହ୍ନା ପରି ମୁହଁକୁ କେବଳ ଚାହିଁ ରହିଲେ । ବୀରକୁ ଚିହ୍ନି ପାରିଲେ ନାହିଁ । କ’ଣ କହିବାକୁ ଉପକ୍ରମ କରି କଣ୍ଠ ତାଙ୍କର ରୁଦ୍ଧ ହେଲା । ଖାଲି ଅର୍ଥଭରା ଦୃଷ୍ଟିରେ ଅସହାୟ ଭାବରେ ଚାହିଁ ରହିଲେ । ବୀରବାବୁଙ୍କ ଆଖିରୁ ଦୁଇଧାର ଲୁହ ଗଡ଼ି ପଡ଼ିଲା । ବୀର ସେଠାରୁ ଉଠିଯାଇ ଅଗଣାରେ ପ୍ରବେଶ କଲେ । ଦେଖିଲେ ରନ୍ଧାଘର ଭିତରେ ଗୋଟିଏ ଯୁବତୀ ବାଳିକା । ରୁପରୁ ପଠାଣ ବାଳିକା ପରି ଅନୁମତି ହେଉଛି । ଗୋଟିଏ ମୋଟା ମଇଳା ବିଲାତି ଧୋତି ପିନ୍ଧିଛି । ତାହାର ସ୍ଥାନେ ସ୍ଥାନେ କଳା, ହଳଦୀ ଓ ହାତପୋଛା ଦାଗ । ଅସଂଖ୍ୟ ରୂପାର ପାତିଆ− କାନଟାକୁ ଛାଇ ଦେଇଛି । ହାତରେ ଜର୍ମାନୀ ସିଲ୍ଭରର ଚାରି ଚାରି ପଟ ଚୁଡ଼ି । ମୁଣ୍ଡ ଝାଟୁଆ । ଛୋଟ ଛୋଟ ବାଳ କପାଳ ଓ ମୁହଁକୁ ଘୋଡ଼ାଇ ପଡ଼ି ବଡ଼ ବିଚିତ୍ର ଦେଖାଯାଉଛି । ବାଳିକାର ବର୍ଣ୍ଣ ଶ୍ୟାମଳ । ଚେହେରା ମନ୍ଦ ନୁହେଁ । ବେଶ୍ ମୋଟା ଶରୀର । ସେ ଧୂଆଁ ଜ୍ୱାଳାରୁ ରନ୍ଧାଘରୁ ବାହାରି ପଡ଼ି ହଠାତ୍ ସମ୍ମୁଖରେ ପରିଷ୍କାର ପୋଷାକ ପିନ୍ଧା ବାବୁଜଣଙ୍କୁ ଦେଖି ଚମକି ପଡ଼ି ଠିଆ ହୋଇ ରହିଲା । କିଛିକ୍ଷଣ ପରେ ସାହାସ କରି ବାଳକଟି ପଚାରିଲା - “ଆପଣ କିଏ ?”
ବୀରବାବୁ ତାହାର ପ୍ରଶ୍ନରେ ପ୍ରଥମେ କିଛି ଉତ୍ତର ଦେଇ ନ ପାରି ପଚାରିଲେ - “ତୁ ଏଠାରେ କ’ଣ କରୁଚୁ ? ଏଠାରେ ଜଗନ୍ନାଥ ବାବୁ ଅଛନ୍ତି କି ? ତୁ କଣ ଜଗନ୍ନାଥ ବାବୁର ରାନ୍ଧୁଣୀ ?” ଅବଶ୍ୟ ସେ ବଙ୍ଗଳାରେ ପ୍ରଶ୍ନ କଲେ । କାରଣ ବାଳିକାଟି ବଙ୍ଗଳାରେ ପ୍ରଶ୍ନ କରିଥିଲା ।
ସେ ବୀରବୀବୁଙ୍କ କଥା ଶୁଣି ହଠାତ୍ ଆଶ୍ଚର୍ଯ୍ୟ ହୋଇ କହିଲା - ସେ ଜଗନ୍ନାଥ ବୋଲି କାହାକୁ ଚିହ୍ନେନାହିଁ । ସେଠାରେ ଯୋନାଥନ୍ ପାତ୍ର ନାମରେ ଜଣେ ଖ୍ରୀଷ୍ଟିୟାନ୍ , ତାଙ୍କ ଘରେ ଭଡ଼ାରେ ଥାଇ ବେରାମ ପଡ଼ିଛି । ସେ ଗୃହକର୍ତ୍ତାର କନ୍ୟା । ସେମାନେ ଜାତିରେ ମୁସଲମାନ୍ । ତାହାର ବାପ ବବୁର୍ଚ୍ଚ ବବୁର୍ଚ୍ଚି କାମ କରେ ।
ବୀରବାବୁ ଶୁଣି ଅବାକ୍ ହେଲେ । କି ଉତ୍ତର ଦେବେ ଭାବି ପାରିଲେ ନାହିଁ । ବାଳିକାଟି ଉତ୍ତରର ଅପେକ୍ଷା ନ କରି ରନ୍ଧା ଘର ଦ୍ୱାର ଦେଇ ସାମନା କବାଟ ବାଟେ ଅନ୍ୟ ଏକ ଗୃହରେ ପ୍ରବେଶ କଲା । ବୀର ବାବୁ ହତବାକ୍ ହୋଇ ଛିଡ଼ା ହୋଇ ରହିଲେ ।
କିଛିକ୍ଷଣ ପରେ ଜଣେ ଦାଢ଼ିଆ ପଠାଣ ଆସି ବୀରବୀବୁଙ୍କ ସମକ୍ଷରେ ଉପସ୍ଥିତ ହେଲେ । ତାଙ୍କ ବୟସ ପ୍ରାୟ ଚାଳିଶି ପାର ହୋଇଗଲାଣି । ଦୀର୍ଘାକାର, କୃଷ୍ଣ ବର୍ଣ୍ଣ ଯମାକୃତି ପଠାଣଟି ବୀରବାବୁଙ୍କ ସମ୍ମୁଖକୁ ଆସି ତାହାର ଯୁବତୀ କନ୍ୟା ସହିତ ବାକ୍ୟାଳାପ ଦୋଷରେ ବୀରବାବୁଙ୍କୁ ଭର୍ତ୍ସନା କରିବାକୁ ଲାଗିଲା । ବୀରବାବୁ କିଛି ବୁଝିପାରିଲେ ନାହିଁ । ଅଜଣା ରାଜ୍ୟକୁ ଆସି ଏପରି ବିପଦରେ ପଡ଼ିବାକୁ ହେବ ବୋଲି ସେ କଳ୍ପନା ସୁଦ୍ଧା କରି ନ ଥିଲେ । ସେ ସ୍ଥିରଭାବେ ଠିଆ ହୋଇ ସବୁ ଶୁଣିବାକୁ ଲାଗିଲେ । ପଠାଣଟି କି କାରଣରୁ ତାହାଙ୍କୁ ଏପରି ଭର୍ତ୍ସନା କରୁଛି ସେ ବୁଝିପାରିଲେ ନାହିଁ । ଭଲା, କଲିକତା ସହର । ଅନେକ କ୍ଷଣ ପରେ ପଠାଣଟି ଶାନ୍ତ ହେବାରୁ ବୀରବାବୁ ଧୀରସ୍ୱରରେ କହିଲେ - ସେ ଜଗନ୍ନାଥ ପାତ୍ର ନାମକ ଜଣେ ହିନ୍ଦୁ ଲୋକଙ୍କୁ ଖୋଜିବାକୁ ଆସିଛନ୍ତି । ସେ ବର୍ତ୍ତମାନ ବଡ଼ ବେରାମ ଅଛନ୍ତି ।
ପଠାଣ ବୀରବାବୁଙ୍କ କଥାର ଅର୍ଥ ବୁଝି ନ ପାରି କହିଲା ଯେ, ସେଠାରେ କେହି ହିନ୍ଦୁଲୋକ ନାହିଁ । କିନ୍ତୁ ଯୋନାଥନ୍ ପାତ୍ର ନାମରେ ଜଣେ ଖ୍ରୀଷ୍ଟିୟାନ୍ ବାବୁ ବର୍ତ୍ତମାନ ବେରାମ ଅବସ୍ଥାରେ ତା’ ଘରେ ଆଶ୍ରୟ ନେଇଛି । ଯୋନାଥନ୍ ବାବୁର ଅତି ଦୟାଳୁ ସଂଗୀ ବିଜୟ ବାବୁ ଆଜିକୁ ଦୁଇଦିନ ହେଲା ତାହାଙ୍କର ସମସ୍ତ ସମ୍ପତ୍ତି ଅପହରଣ କରିନେଇ ପଳାଇଛି ।” ବୃଦ୍ଧ ପଠାଣ ଅତି ବିଦ୍ରୂପ ଭାବରେ କହିଲା । ଯୋନାଥନ୍ ନିଃସହାୟ ଅବସ୍ଥାରେ ପଡ଼ିଥିବାରୁ ସେମାନେ ଦୟା ପରବଶ ହୋଇ ତାହାକୁ ଦେଖାଚାହାଁ କରୁଅଛନ୍ତି ।
ପଠାଣଟି ଅତ୍ୟନ୍ତ ବିରକ୍ତି ସହକାରେ ନୀଚ ଖ୍ରୀଷ୍ଟିୟାନ୍ମାନଙ୍କୁ ଭର୍ତ୍ସନା କରି କ୍ରୋଧ ଶାନ୍ତ କରିବାକୁ ଲାଗିଲା । ବୀରବାବୁ ମୂକବତ୍ ସବୁ ଶୁଣିଲା ପରେ ପଚାରିଲେ - “ଯୋନାଥନ୍ ପାତ୍ର କଣ ପୂର୍ବରୁ ହିନ୍ଦୁ ଥିଲେ ?” ପଠାଣ ସେ ସବୁକିଛି ଜାଣି ନଥିଲା । ସେ ରାଗରେ କହିଲା - “ସେ ହିନ୍ଦୁ କି ଖ୍ରୀଷ୍ଟିୟାନ୍ ଥିଲା ମୁଁ ଜାଣେ ନାହିଁ । ଏତିକି ଜାଣେ, ସେ ଲୋକଟି ବିଜୟ ଚନ୍ଦ୍ର ସେନ୍ ସହିତ ଏଠାକୁ ଆସି ପଡ଼ିଛି । ଦୁଇଦିନରେ ମରିବ ଓ ସେଥିପାଇଁ ମୁଁ ତାକୁ ଆଜି ଡାକ୍ତରଖାନାକୁ ବିଦାୟ ଦେବି ।”
ବୀର ଅଗତ୍ୟା ଜଗନ୍ନାଥର ଘରକୁ ପଶି ଦେଖିଲେ ଜଗନ୍ନାଥ ପୂର୍ବବତ୍ ପଡ଼ି ରହିଛି । ତାହାର ସର୍ବାଙ୍ଗରୁ ଝାଳ ବହୁଛି । ବୀର ବ୍ୟାଗ୍ଟି ଫିଟାଇ କ’ଣ କେଜାଣି ମନେକରି ଚାରୋଟି ରୌପ୍ୟମୁଦ୍ରା ବାହାର କରି ପୂର୍ବୋକ୍ତ ପଠାଣକୁ ଦେଲେ । ରୂପାର ମୁଦ୍ରା ଦେଖି ପଠାଣ ମୋହିତ ହୋଇଗଲା । ସେ ସମ୍ମାନ ସହକାରେ ବୀରବାବୁଙ୍କ ନାମଧାମ ପଚାରିଲା । ବୀର ତାହାର କଥାରେ ସ୍ୱଳ୍ପ ଉତ୍ତର ଦେଇ ଉପସ୍ଥିତ କ୍ଷେତ୍ରରେ ତାହାର ସାହାଯ୍ୟ ଭିକ୍ଷା କଲା । ପଠାଣଟି ଆହ୍ଲାଦ− ପୂର୍ବକ କହିଲା - “ବାବୁ ଆମି ସବ୍ କର୍ବୋ । ଜାନ୍ ଦିତେ ହୟ ଦିବ । ଆପନି ମେହେର୍ବାନି ରଖିବେନ୍ ।”
ବୀରବାବୁ ଟଙ୍କାର ଅଦ୍ଭୁତ ଶକ୍ତି ଦେଖି ଆଶ୍ଚର୍ଯ୍ୟ ହେଲେ । ତାହାପରେ ବୀରବାବୁ ପଠାଣ ସାହାଯ୍ୟରେ ବଜାରରୁ ସାଗୁ, ବାର୍ଲି ଓ ଦୁଧ ମଗାଇ ରନ୍ଧାଇ ଦେଲେ । ଅଧ ଘଣ୍ଟାକ ମଧ୍ୟରେ ତାହା ଶେଷ କରି ଜଗନ୍ନାଥର ମୁହଁରେ ଚାମୁଚେ ଚାମୁଚେ କରି ଦେବାକୁ ଲାଗିଲେ । ଜଗନ୍ନାଥ କ୍ଷୁଧାତୁର ଭାବରେ ସେଥିରୁ ଅନେକ ଅଂଶ ଖାଇଦେଲେ । ବୀରର ହୃଦୟ ବ୍ୟଥିତ ହେବାକୁ ଲାଗିଲା । କିଛିକ୍ଷଣ ପରେ ଜଗନ୍ନାଥର ବାକ୍ଶକ୍ତି ଫେରି ଆସିଲା । ସେ କ୍ଷୀଣ କଣ୍ଠରେ ବୀରକୁ ପଚାରିଲେ - “ଆପନି କେ ? ଆମି ଚିନି କରିଛି ।”
ବୀରବାବୁ କହିଲେ - “ମୁଁ ବୀର ପରା ! କଟକର । ଭୁଲିଗଲୁଣି କି ? ତୁ କଣ ପୂର୍ବର ଜଗନ୍ନାଥ ନୋହୂ ?”
ଜଗନ୍ନାଥ ଚକ୍ଷୁ ମୁଦ୍ରିତ କରି କିଛିକ୍ଷଣ ଭାବିବାକୁ ଲାଗିଲା । ପରେ ଦୀର୍ଘନିଃଶ୍ୱାସ ନିକ୍ଷେପ କରି କହିଲା - “ବୁଝିଲା ବୀରବାବୁ, ଆହା” - ଆଉ କିଛି କହିପାରିଲା ନାହିଁ । ତାହାର ନେତ୍ରରୁ ଝର ଝର ଗଡ଼ିପଡ଼ିଲା । ପରେ ହସ୍ତ ସଂକେତ କରି ବୀରଙ୍କୁ ସାମନାରେ ଟଙ୍କା ହୋଇଥିବାରୁ କୋଟ ଆଣିବାକୁ କହିଲା ।
ବୀରବାବୁ କୋଟ୍ଟି ଆଣି ପକେଟରୁ ଗୋଟିଏ ନୋଟ୍ବୁକ୍ ବାହାର କରି ପତ୍ର ଓଲଟାଇ ଦେଖିଲେ - ଜଗନ୍ନାଥ ନାମ ଯୋନାଥନ୍ରେ ବଦଳି ଯାଇଚି । ସେ ଆଶ୍ଚର୍ଯ୍ୟ ହୋଇ ପଚାରିଲା, “ଜଗନ୍ନାଥ, ତୁ କଣ ଖ୍ରୀଷ୍ଟିୟାନ୍ ହୋଇଗଲୁ ?”
କ୍ଷୀଣ କଣ୍ଠରେ ଜଗନ୍ନାଥ କହିଲା “ହଁ ।” ବୀରବାବୁ ଶଯ୍ୟାରେ ନଇଁପଡ଼ି କାତର କଣ୍ଠରେ ପ୍ରାର୍ଥନା କରିବାକୁ ଲାଗିଲେ । ଅପରାହ୍ଣରେ, ଛାଇ ବୁଡ଼ିଯିବାପରେ ପୂର୍ବୋକ୍ତ ପଠାଣ ସାହାଯ୍ୟରେ ବୀରବାବୁ ଜଗନ୍ନାଥକୁ ଷ୍ଟେସନକୁ ଆଣି କଟକ ଗାଡ଼ିରେ ଚଢ଼ିଲେ ।
ସକାଳ ହୋଇ ଆସୁଥାଏ । ଜଗନ୍ନାଥକୁ ଆଣି ବୀରବାବୁ ଘରେ ପହଞ୍ଚିଲେ । ଜଗନ୍ନାଥକୁ ଅତି ଯତ୍ନରେ ବିଛଣାରେ ଶୁଆଇଦେଲେ । ବିଶ୍ରାମ ନ କରି ସେହିକ୍ଷଣି କଟକର ବିଖ୍ୟାତ ଡାକ୍ତରମାନଙ୍କୁ ଡାକି ଆଣିଲେ । ଜଗନ୍ନାଥଙ୍କର ରୀତିମତ ଚିକିତ୍ସା ଆରମ୍ଭ ହେଲା ।
ପନ୍ଦର ଦିନ ଧରି ପ୍ରାଣପଣେ ଚିକିତ୍ସା ଓ ଯତ୍ନ ନେଇ ବୀରବାବୁ, ତାଙ୍କ ସ୍ତ୍ରୀ ଗୁଲ୍ ବଦନୀ, ତାଙ୍କ ମାତା ଓ ଶଶୀ ଜଗନ୍ନାଥଙ୍କୁ ମୃତ୍ୟୁମୁଖରୁ ରକ୍ଷା କରିବାକୁ ଲାଗିଲେ । ତାଙ୍କର ଦାଣ୍ଡ ଘରଟି ଡାକ୍ତରଖାନାରେ ପରିଣତ ହୋଇଗଲା ।
ପନ୍ଦର ଦିନ ପରେ ଜଗନ୍ନାଥ କ୍ରମେ ସୁସ୍ଥ ହେବାକୁ ଲାଗିଲେ । କ୍ରମେ ପୂର୍ବଶକ୍ତି ଫେରିପାଇଲେ । ତାଙ୍କ ଚେହେରାରେ ପରିବର୍ତ୍ତନ ଜଣାଗଲା । ସେ କଥା କହି ପାରିଲେ । ଉଠିକରି ବୁଲାଚଲା କରିବାକୁ ଲାଗିଲେ; ତଥାପି ଦୁର୍ବଳତା ଯାଇ ନ ଥାଏ ।
ଆହୁରି ପନ୍ଦର ଦିନ ପରେ ଡାକ୍ତର ବ୍ୟବସ୍ଥା ଦେଇ ବିଦାୟ ନେଲେ । ବୀରବାବୁଙ୍କର ଚାରିଶହ ଟଙ୍କା ଖର୍ଚ୍ଚ ପରେ ଜଗନ୍ନାଥ ସବଳ ସୁସ୍ଥ ହୋଇ ବିଛଣାରୁ ଉଠିଲେ; କିନ୍ତୁ ଦାଣ୍ଡ ଗୃହ ଛଡ଼ା ଅନ୍ୟ ଗୃହରେ ପ୍ରବେଶ କରୁ ନ ଥିଲେ । ତାହାଙ୍କର ସେ କୋଟରଗତ ଚକ୍ଷୁ ପୁନଃ ପ୍ରଫୁଲ୍ଲ ଓ ଜ୍ୟୋତିର୍ମୟ ହୋଇ ଉଠିଲା । ଜୀର୍ଣ୍ଣଶୀର୍ଣ୍ଣ ଦେହ ଉପରେ ମାଂସ ଦୃଢ଼ ହେବାକୁ ଲାଗିଲା । ପୁନର୍ବାର ରଙ୍ଗ ପରିଷ୍କାର ହେବକୁ ଲାଗିଲା ।
ବୀରବାବୁଙ୍କ ଘରେ ରହିବାର ଛ’ମାସ ହୋଇ ଗଲାଣି, ଜଗନ୍ନାଥର ପୂର୍ବ ସୌନ୍ଦର୍ଯ୍ୟ ଫେରିଆସିଛି । ଚେହେରା ସୁନ୍ଦର ଓ ବଳିଷ୍ଠ ହେଲାଣି । ଆଜିକାଲି ସେ ଏଘର ସେ ଘର ହୁଅନ୍ତି । ବାଡ଼ି ବଗିଚାରେ ବୁଲନ୍ତି । କିଛି କିଛି କାମ ମଧ୍ୟ କରନ୍ତି । ବୀରବ ବୁ ସସ୍ନେହ ତାଙ୍କୁ କାର୍ଯ୍ୟ କରିବାକୁ ବାରଣ କରନ୍ତି-। କିନ୍ତୁ ଆଜିକାଲି ସେ ଖ୍ରୀଷ୍ଟିୟାନ୍ ଓ ଯୋନାଥନ୍ ପାତ୍ର ନାମରେ ପରିଚିତ । ଯୋନାଥନ୍ର ସୁବ୍ୟବହାର ଦ୍ୱାରା ସସସ୍ତେ ପରିତୁଷ୍ଟ ହୋଇ ଅଛନ୍ତି । ଶଶୀ ତାଙ୍କୁ ଭାଇ ଭାଇ ଡାକେ ।
ଯୋନାଥନ୍ର ପ୍ରଧାନସଙ୍ଗୀ ବୀରବାବୁଙ୍କ ସାନ ଝିଅ ବନବାସିନୀ । ଯୋନାଥନ୍ ସେହି ତିନିବର୍ଷ ବୟସ୍କ । ଶିଶୁକନ୍ୟାଟି ସହିତ ପ୍ରାୟ ଦିନରାତି ଖେଳୁଥାନ୍ତି । ଆଜିକାଲି ତାହାଙ୍କ ଜୀବନ ଶିଶୁର ଜୀବନ ଭଳି ସରଳ ଓ ସ୍ନେହପୂର୍ଣ୍ଣ ହୋଇପଡ଼ିଛି । ବନଟିକୁ କାଖେଇ ବାଡ଼ି ବାଡ଼ି ବୁଲିବା, ପୋଖରୀ କୂଳରେ ବସି ଖେଳିବା ତାହାଙ୍କର ନିତ୍ୟ ସୁଖ । ସୁଚରିତ୍ର ଯୋନାଥାନ୍ ନିର୍ଦ୍ଦୋଷ ଭାବେ ଖେଳିବୁଲି ସୁଖରେ ଅଛନ୍ତି । ମନ ମଧ୍ୟରେ କିନ୍ତୁ ଆଉ ଗୋଟିଏ ଚିନ୍ତା । ଅହରହ ତାହାହିଁ ତାଙ୍କୁ ବ୍ୟସ୍ତ କରୁଚି । ଆଜିକାଲି ସେ ବେଶ୍ ସୁସ୍ଥ, ସେ କାହିଁକି ପୁନର୍ବାର କାର୍ଯ୍ୟ କରିବାକୁ ଯିବେ ନାହିଁ ? କିନ୍ତୁ ଅତିରିକ୍ତ ସ୍ନେହବଶତଃ ବର୍ତ୍ତମାନ ତାଙ୍କୁ କାମକୁ ଯିବାକୁ ବୀରବାବୁ ନିଷେଧ କରୁଛନ୍ତି ।
ଆଜି ଛୁଟିଦିନ । ସକାଳେ ପୋଖରୀକୂଳରେ ବସି ବୀର ଓ ଯୋନାଥନ୍ର ମାଛ ଧରାଯାଉଛି । ବନଟି ଯୋନାଥନ୍ର କାନ୍ଧରେ ଲଟିକିପଡ଼ି ଗୋଟିଏ କଞ୍ଚା ପିଜୁଳି ଚୋବାଉଚି । ଦର ଦର ଚୋବା କରି ତା ଛୋଟ ଛୋଟ ପାପୁଲିରେ ପାଣିକୁ ଫୋପାଡୁଚି । ଗୋଟିଏ ବାହୁରେ ତାକୁ ଜଡ଼ାଇ ଧରି ଯୋନାଥନ୍ ବୀରବାବୁଙ୍କ ସଙ୍ଗେ କଥାବାର୍ତ୍ତା ଆରମ୍ଭ କଲେ - “ବୀରବାବୁ, ଆଉ ବସିବାକୁ ଇଛା ନାହିଁ । କାମ ଦେଖିବି ।”
ବୀର କହିଲେ - “ଆଉ କିଛିଦିନ ଯାଉ ଦେଖିବା । ସର୍ଭେ ଇଲାକାରେ କିରାଣୀ କାମ ଖାଲି ହେବାର ଅଛି । ଦରମା ଚାଲିଶ ଟଙ୍କା ।” ଯୋନାଥନ କିଛିକ୍ଷଣ ନୀରବ ରହି କହିଲେ; “କିନ୍ତୁ ବାପାଙ୍କର ଆଦେଶ, ମୁଁ ସ୍ୱଦେଶରେ ରହିବି ନାହିଁ ।” କିଛିକ୍ଷଣ ନୀରବ ରହି ପୁଣି କହିଲେ - “ଓଡ଼ିଶାରେ କେହି ଜାଣିବ ନାହିଁ ମୁଁ ଖ୍ରୀଷ୍ଚିୟାନ୍ ହୋଇଛି ବୋଲି । ଆଉ କଟକରେ ରହିଲେ କାଳେ ସନସ୍ତେ ଚିହ୍ନିବେ - ଜାଣିବେ । ଆମ ଗ୍ରାମକୁ ଏକଥା ଖବର ହେବ । ମୁଁ କଲିକତା ଯିବି । ଏଠି ରହି ବାପାଙ୍କର ନିନ୍ଦାକରିବି ନାହିଁ ।”
ବୀରବାବୁ ଦୁଃଖିତ ହୋଇ କହିଲେ - “କିନ୍ତୁ କଲିକତାରେ ଥରେ ତ ଚେତିଚ । ବିଜୟ ପରି ଆହୁରି ଅନେକ ସାଙ୍ଗ ମିଳି ପାରନ୍ତି ।” “ନାଁ ଭାଇ, ଥରେ ଅନ୍ଧ ବାଡ଼ି ହଜାଏ ସିନା । ଚେତିଚି ଭଲ । ଆଉ କାନମୋଡ଼ି ହେଉଚି ବଙ୍ଗାଳିଙ୍କ କଥାରେ ପଡ଼ିବ ନାହିଁ । ତାଙ୍କୁ ଯେ ଚିହ୍ନି ନାହିଁ ସେ ନିଜ ବାପକୁ ବି ଚିନ୍ନି ନାହିଁ ।”
ସହାସ୍ୟ ଭାବରେ ବୀର ପଚାରିଲା - “ଆଛା, ତୁମର କିମିତି ଇମିତି ହେଲା ? ମୋତେ ଆଉ ଥରେ କୁହ । ତୁମ କାହାଣୀ ଶୁଣିବାକୁ ବଡ଼ ଭଲ ଲାଗେ ।” ବୀର ଶୁଣିବା ଆଶାରେ ସ୍ଥିର ହୋଇ ବସିଲେ । ବନ ସାନପିଲାଟି, ପିତାଙ୍କୁ ସ୍ଥିର ମନରେ କ’ଣ ଭାବି ସ୍ଥିର ହୋଇ ତାଙ୍କ ମୁଖକୁ ଅନାଇଲା ।
ତହୁଁ ଜଗନ୍ନାଥ ଆରମ୍ଭ କଲେ “ଶୁଣ ଭାଇ, ମୁଁ ଯାଜପୁରରୁ କଲିକତାକୁ ଆସି Greham କମ୍ପାନୀରେ କିରାଣୀ କାମ ପାଇଲି । ମାସିକ ଦରମା ପଚାଶ ଟଙ୍କା । ବେଶd ଉପୁରି ଦଶଟଙ୍କା ବି ଥିଲା । ମୋର ମନରେ ଥାଏ, ମୁଁ ଖ୍ରୀଷ୍ଟିୟାନ ହେବି । ତହୁଁ କଲିକତାର Methodist ମଣ୍ଡଳୀରେ ସଭ୍ୟ ହୋଇ ଯୋନାଥନ୍ ପିଟର ନାମରେ ୟୁରେସିଆନ ବେଶରେ ରହିଲି । ସେଠିକାର ଆଉ ଜଣେ କର୍ମଚାରୀ ବିଜୟଚନ୍ଦ୍ର ସେନ ବଙ୍ଗାଳୀ ଖ୍ରୀଷ୍ଟିୟାନଙ୍କ ସହ ମୋର ବନ୍ଧୁତ୍ୱ ହେଲା । ସେତେବେଳେ ମୁଁ ଥାଏ ବହୁବଜାର ଷ୍ଟ୍ରିଟ୍ରେ । ସେଠାରୁ ପୁଣି ଯୋଡ଼ାସାଙ୍କୋ ଲେନ୍କୁ ଉଠିଗଲି । ସେଠାରେ ଏକାକୀ ଅବସ୍ଥାରେ ବଡ଼ କଷ୍ଟ ହେଲା । ହଠାତ୍ ମୋତେ Malaria ଧରିଲା । ପିଳେହୀ ବଢ଼ିଲା । ଦିନ ଦ୍ୱିପହର ହୋଇଥାଏ । କାମରୁ ଆସି ବଡ଼ କ୍ଳାନ୍ତିରେ କପେ ଚା’ ଖାଇ ବିଛଣାରେ ଲମ୍ୱ ହୋଇ ଶୋଇଗଲି । ସେଦିନ ମୋତେ ଭୟାନକ ଜ୍ୱର ହେଲା । ସନ୍ଧ୍ୟାକୁ ବିଜୟବାବୁ ପହଞ୍ଚିଲେ । ମୋର ଅବସ୍ଥା ଦେଖି ବଡ଼ ଦୁଃଖ କରି କହିଲେ “କିଓ ଯୋନାଥନ, ମୁଁ ଦେଖୁଚି ତୁମେ ଏକୁଟିଆ ବଡ଼ କଷ୍ଟ ପାଉଚ । ଚାଲ ଏଠାରୁ ଘର ଭଡ଼ା ତୁଟାଇ ଦେଇ ମୋ ପାଖରେ ରହିବ ।”
ବିଜୟକୁ ମୁଁ ଆଗରୁ ଜାଣିଥିଲି । ବଡ଼ ଭଦ୍ର, ବିନୟୀ ଓ ପରୋପକାରୀ । ତହୁଁ ମୁଁ ତାର କଥାରେ ସମ୍ମତ ହେଲି । ବିଜୟ ସେହିକ୍ଷଣି ଡାକ୍ତର ଡାକିଆଣି ମୋର ଚିକିତ୍ସାର ବନ୍ଦୋବସ୍ତ କଲା । ତା ପର ଦିନ ଜୁଲାଇ ୧୩ ତାରିଖ ରେ ମୁଁ ଯୋଡ଼ାସାଙ୍କୋଲେନ୍ର
ଘରଛାଡ଼ି ୩୨ ନମ୍ୱର Intally ରେ ଆସି ବିଜୟ ସହିତ ରହିଲି । ଘରଟି ଜଣେ ମୁସଲମାନ ହୀରାମନ ବିବି ବାଡ଼ିଆଲିର । ତାର ସ୍ୱାମୀ ମଦ୍ୟପାୟୀ, ବେଜାଏ ଦୁଷ୍ଟ ପଠାଣ, ଶେକ୍ ଆବଦୁଲ୍ ହାକିମ । ସେ ପୁଣି ବୁର୍ବୁଚି । ତାର ଗୋଟିଏ ଦୁଷ୍ଟ କନ୍ୟା, ମତିଜାନ୍ବିବି । ଯାହାକୁ ତୁମେ ରାନ୍ଧିବାର ଦେଖି ଆସିଲ । ବିଜୟ ସହିତ ତାର ପ୍ରଣୟ ଥିଲା ।
ଯାହାହେଉ ବିଜୟକୁ ଭଦ୍ର ମନେକରି ବିଜୟ ସହିତ ଆସିଲି । ପ୍ରାୟ ୧୫ ଦିନ ମଧ୍ୟରେ ରୋଗ ପ୍ରବଳ ହେବାକୁ ଲାଗିଲା । ଏଥମଧ୍ୟରେ ଦେଖିଲି ବିଜୟ ଉପରେ ସାଧୁ, ଭିତରେ ଭୟାନକ ଠକ, ଧୂର୍ତ୍ତ ଓ ଦୁଷ୍ଟ ମଣିଷ । ରୋଜ ମଦଖାଇ ଆସି ପଡ଼ିଥାଏ । ନାନା ଅରୁଚି କଥା ବକେ । ଆଉ ସେ ପଠାଣ ଟୋକୀ ମତିଜାନ ତାକୁ ମାରିବାର ମୁଁ ଦେଖିଚି । ଏହିପରି ଦୁଇ ମାସ ହେଲା । ମୋର କାମ ଗଲା । ମୁଁ ଶଯ୍ୟାଶାୟୀ ହେଲି । ମୋର ବ୍ୟାଙ୍କରେ ପାଞ୍ଚଶହ ଟଙ୍କା ଥିଲା । ସେତିକ ଛାଡ଼ି ହାତରେ ମୋର ପ୍ରାୟ ୨୫୦ ଟଙ୍କା ଥିଲା । ସବୁ ଅଯଥା ଅପବ୍ୟୟ କରି ବିଜୟ ଯେତେବେଳେ ଜାଣିଲା ମୁଁ ଆଉ ବଞ୍ଚିବି ନାଇଁ, ସେ ମୋର ଟ୍ରଙ୍କ ଖଣ୍ଡିକ ନେଇ ଫେରାର୍ ହେଲା । ମୋର ଯାହା ମନେପଡ଼ୁଚି ସେ ବ୍ୟାଗରେ ୫୫ ଟଙ୍କା ଯାଏ ଥିଲା ଓ ଖୁଚୁରା କିଛି ଥିଲା । ଆଉ ବାକି ବହି ଓ ସାର୍ଟିଫିକେଟ ଇତ୍ୟାଦି ବଡ଼ବାବୁଙ୍କ ପାଖରେ ରଖି ଥିଲି । ସେଥିରେଥିବା ମୋର ସୁନାର ରିଂ, ଦାମୀଘଡ଼ି, ସୁନାର ଚେନ୍ ଓ ରେଶମ ଏବଂ ଗରମ ଲୁଗାପଟା ଥିଲା । ଏତଦ୍ବ୍ୟତୀତ କେତେକ ଗଳ୍ପ ବହି ଓ ବାଇବଲ୍ ସବୁ ଟ୍ରଙ୍କ ସୁଦ୍ଧା ଉଠେଇ ନେଇଗଲା ।
ଯାହାହେଉ, ତାହା ପୂର୍ବରୁ ମୁଁ ଦିନେ ତା’ହାତରେ ତୁମ ନିକଟକୁ ଖଣ୍ଡେ ଚିଠି ଦେଇଥିଲି । ଭାଗ୍ୟକୁ ତୁମେ ସେଇଟା ପାଇଥିଲ, ନ ହେଲେ ସବୁତ ଯାଇଥିଲା । ମୁଁ ତ କାଲିକତାରେ ନିରାଶ୍ରୟ ହୋଇ ମରିଥାନ୍ତି । ତାପରେ ମୁଁ ଆଉ ବିଛଣାରୁ ଉଠି ପାରିଲି ନାଇଁ । ତୁମେ ଆସି ମୋର ପ୍ରାଣରକ୍ଷା କଲ-। ବାସ୍ତବିକ ତୁମେ ହେବତା ସ୍ୱରୂପ । ତୁମପରି ଏ ଜୀବନରେ ମୋର କେହି ଆଉ ଉପକାର କରିନାଇଁ । ମୋର କଲିକତାର ଘଟଣା ଗୋଟି ଗୋଟି ମନେପଡ଼େ । କେତେ ଉପାସ ଭୋକ ସହିବାକୁ ହୋଇଛି । ଦିନ ଦ୍ୱି ପ୍ରହରବେଳେ ଆସି ଦେଖେ,ଚାକରଟା ପଳାଇଛି । ତେଣୁ ଉଦୁଉଦିଆ ଖରାବେଳେ ହୋଟେଲ୍ କୁ ଯାଇ ଖାଇବାକୁ ହୋଇଛି । ସେଠାରେ ପୁଣି ଛେଳିମାଂସ ସହିତ ଗୋମାଂସ ଓ ଚର୍ବିରେ ତରକାରୀ ରନ୍ଧାହୁଏ । ବଡ଼ ଘୃଣା ଲାଗେ । ଜଳଖିଆ ଖାଇ ରହିଯାଏ ।
ବୀର ହସି ହସି କହିଲେ “କେବେ କଣ ଗୋମାଂସ ଖାଇନ ହଁ ?” ଯୋନାଥନ କହିଲେ, “ଅନେକ ଥର ଭୁଲରେ ଖାଇ ଦେଇଛି । ଜାଣି ପାରି ନାହିଁ । ରାନ୍ଧିଦେଲେ ଠିକ୍ ଛେଳିମାଂସ ପରିଲାଗେ, କିନ୍ତୁ ଜାଣି ଜାଣି କେବେ ଖାଇ ନାହିଁ । ଘୃଣାଲାଗେ । ହେଲେ ଗୋରୁ ଚର୍ବିରେ ତିଆରି ପରଟା ଅନେକ ଥର ଖାଇଚି । ଆଉ ସେ କୁଲ୍ଫିବରଫ ଥରେ ଖାଇ ପରା ମୋତେ କଲେରା ଧରିଥିଲା । ଦିନେ ସଞ୍ଜବେଳେ ଆଇସ୍କ୍ରିମ ଓ କୁଲ୍ଫି ବରଫ କିଣି ଖାଇଲି । ସେତେବେଳେ ମୁଁ ୧୭ ନମ୍ୱର ବହୁବଜାର ଷ୍ଟ୍ରିଟ୍ରେ ଥିଲି । କେତେ ଯୁବକ ଏକତ୍ର garden ବୁଲି ଯାଇଥିଲୁ । ଫେରି ଆସୁ ଆସୁ ରାତି ନ’ଟା । ସେଦିନ କାହିଁକି ଭୋକ ଭଲ ହେଲାନାଇଁ ।
ମୁଁ ବେହେରାକୁ ଡାକି ବେଶ୍ ଦୁଇଟି ସ୍ଲାଇସ୍ ରୋଟି, ଖଣ୍ଡେ ମଟନ ଚପ୍ ଓ କପେ ଚାହା ଖାଇନେଲି-। ଦେହଟା ଜର ଜର ଲାଗୁଥାଏ । ଭାଇ ରେ, ସକାଳକୁ କୁଆଡ଼େ ଯିବି ? ସକାଳ ନ ହେଉଣୁ ମତେ ୨ଟା ଝାଡା ଓ ଗୋଟାଏ ବାନ୍ତି ହୋଇଗଲାଣି । ମୁଁ ପ୍ରଥମେ ଡାଇରିଆ ବୋଲି ମନେକରିଥିଲି । କିନ୍ତୁ ଭାଗ୍ୟକୁ Sulphuric acid ଥାଏ । କିଛି ବିଚାର ନ କରି ସେଥିରୁ ତିରିଶ ଟେପା ଖାଇଦେଲି । ମରିବି ତ ମରିବି, ଯେ କୌଣସି ଉପାୟରେ ମରିବି । ସେଠୁ ସେହି ବେହେରାକୁ ଡାକି ସିଧା ଖଣ୍ଡେ ଲେଖି ମୋର ବଡ଼ବାବୁ ଜ୍ଞାନେନ୍ଦ୍ରନାଥ ମଜମଦାରଙ୍କୁ ସଙ୍ଗେ ସଙ୍ଗେ ନେଇ ପହଞ୍ଚିଲେ । ସେତେବେଳକୁ acid ଖାଇବା ସତ୍ତ୍ୱେ ତିନିଟା ଝାଡ଼ା ଓ ଦୁଇଟା ବାନ୍ତି ହୋଇଗଲାଣି । ମୁଁ ବିଛଣାରେ ନିସ୍ତେଜ ହେଇ ପଡ଼ିଚି । ବିଛଣା ଗୋଟାକ ମଇଳାରେ ପୂର୍ଣ୍ଣ । ଯାହାହେଉ, ସେ ଡାକ୍ତର ଧନ୍ୟ ! ପ୍ରାଣପଣେ ଚିକିତ୍ସା କରି saline injection ଦେଇ ମୋତେ ବଞ୍ଚାଇଲେ । ତାକ୍ତରଙ୍କୁ ମୁଁ ଖୁସିରେ ଫିସ ଛଡ଼ା ଗୋଟିଏ ୬୦ ଟଙ୍କାର ସୁନାଘଡ଼ି ଉପହାର ଦେଇଥିଲେ । ବଡ଼ ଭଦ୍ରଲୋକ ସେ । ତତ୍ପରେ ସୁସ୍ଥ ହେବାରୁ ୧୪ ନମ୍ୱର ଯୋଡ଼ାସାଙ୍କୋ ଲେନ୍ରେ ଆସି ଘରଭଡ଼ା କରି ରହିଲି । ସେଠୁ ପୁଣି ଦୁର୍ଦ୍ଦଶା ଭୋଗ କରି ଏତେ ସରି ହେଲି । ମୋର ବେହେରାଟି କୁଆଡ଼େ ଗଲା ମୁଁ ଜାଣି ନାହିଁ । ସେ ବଡ଼ ବିଶ୍ୱସ୍ତ ଥିଲା । ବିଜୟର ସଲ୍ଲାରେ ସେ ବାହାରିଗଲା ବୋଧ ହେଉଛି ।” ଏହା କହି ଯୋନାଥନ ନୀରବ ରହିଲେ । ବୀର ସବୁ ଶୁଣିଲାପରେ କହିଲେ “ଭାଇ, ଏତେ ଭୋଗ କଲାପରେ ପୁଣି କଲିକତାକୁ ମନେ କରୁଚ ?”
ନାଥନ କହିଲେ, “କାହିଁକି ? ସେଠି ଯଦିଚ ମୋର ଏଡ଼େ ଦୁର୍ଦ୍ଦଶା ହେଲା, ଲୋକଙ୍କର ତ ସେଠି କପାଳ ଫିଟେ । ଏମିତି କଣ କଲିକତାର ଗଳି କନ୍ଦି ମୋତେ ଜଣା । ରାତି ବାରଟା ବେଳେ ବୁଲି ଦେଇ ଆସିବ । ମୁଁ କିନ୍ତୁ ସୁଖ କରିଥିଲି କଲିକତାରେ I.A. ପଢ଼ିଲାବେଳେ । ସେ ବଡ ସୁଖର ଦିନ ଥିଲା; ଏଥର ଆଉ ଗୋଟିଏ ଚାକିରୀ ଦେଖିବି । ଆଜି ଭାବୁଛି ଜ୍ଞାନେନ୍ଦ୍ର ବାବୁଙ୍କୁ ଖଣ୍ଡେ ପତ୍ର ଦେବି-। ଦେଖାଯାଉ, କ’ଣ ହେଉଛି ।” ଏହାକହି ପୁଣି ନୀରବ ହେଲେ । ବୀର ଚିନ୍ତାକରି କହିଲେ “ଆଛା ଦିଅ, ଦେଖାଯାଉ । କିନ୍ତୁ ଏଥର ବିଭା ହୁଅ । ବିଭା ହେଲେ ଏତେ କଷ୍ଟ ଭୋଗିବ ନାଇଁ ।”
ଯୋନାଥନ୍ ପୁଣି ଟିକିଏ ଭାବି କହିଲେ,“ହେଲେ, ମୁଁ ସଲିକତାରେ ବିବାହ କରିବାକୁ ଇଛା କରିଛି । ଯଦି ଅସୁସ୍ଥ ହୋଇ ନ ଥାନ୍ତି, ତେବେ ୟା’ ଭିତରେ ନଳିନୀବାଳାଙ୍କୁ ବିଭା ହୋଇସାରନ୍ତିଣି । ତାଙ୍କ ସହିତ ମୋର ପାନପତ୍ର ହେବାର ଥିଲା । ଏଇ ସମୟରେ ଜ୍ୱରରେ ପଡ଼ିଲି । ସେ କିନ୍ତୁ ବିଭାହୋଇ ସାରିବେଣି । ପିଲାଟି ବଡ଼ ସୁନ୍ଦର । ଏଣ୍ଟ୍ରାନ୍ସ 2nd class ଯାଏ ପଢ଼ିଛି । ବଡ଼ ସୁନ୍ଦର Harmonium ବଜାଏ । ମୋର ସେଠାରେ ଭାରି ଇଛା ଥିଲା । କିନ୍ତୁ ମୋର ଦୁର୍ଭାଗ୍ୟ ।” ଏହା କହି ଦୁଃଖିତଭାବରେ କିଛିକ୍ଷଣ ରହିଗଲେ ।
ଦିନେ ଦୁଇ ଦିନ ମଧ୍ୟରେ ବୀରବାବୁଙ୍କ ଗୃହରେ ଯୋନାଥନ୍ ଙ୍କ କଲିକତା ଯିବା ବିଷୟ ରାଷ୍ଟ୍ର ହୋଇଗଲା । ଯୋଥାଥନ ବଡ଼ବାବୁଙ୍କ ଠାରୁ ପତ୍ର ପାଇଲା । ପୂର୍ବୋକ୍ତ କମ୍ପାନୀରେ କର୍ମ ଖାଲି ନ ଥିଲା । ଆଉ ଗୋଟିଏ ଟ୍ରାଫିକ୍ ଅଫିସରେ ୪୦ ଟଙ୍କା ବେତନର ଚାକୀରୀ ଖାଲି ଥିବାର ସମ୍ୱାଦ ପାଇଲା । ଆସନ୍ତା ବୁଧବାର ଦିନ ଗାଡ଼ିରେ କଲିକତା ଯିବାର ସବୁ ସ୍ଥିର ହୋଇଗଲା । ଯୋନାଥନର କଲିକତା ଯିବା ଶୁଣି ଗୃହରେ ପ୍ରାୟ ଅଳ୍ପବହୁତେ ସମସ୍ତେ ଦୁଃଖିତ ହୋଇଥିଲେ । କିନ୍ତୁ ଶଶୀର ମନରେ ଭାରି ଦୁଃଖ ।
ବହୁବର୍ଷ ତଳେ ଶଶୀ ଯୋନାଥନ ଓରଫ୍ ଜଗନ୍ନାଥଙ୍କୁ ଭଲ ପାଇଥିଲା । କିନ୍ତୁ କିଛି ସମ୍ୱନ୍ଧ ନ ଥିବାରୁ ଶଶୀ ସେକଥାକୁ ପ୍ରାୟ ପାସୋରି ଦେଇଥିଲା । ସେ ଖୁବ୍ ଭଲ ପଢ଼ୁଥିଲା । ଆଜିକାଲି ସେ ମାଇନର ପାଶ୍ କରି ୨୦ ଟଙ୍କା ବେତନରେ କାମକରି ସୁଖରେ ଅଛି । ଥରେ ଥରେ ଜଗନ୍ନାଥ କଥା ତାର ମନେପଡ଼େ । କିନ୍ତୁ ଆକାଶକୁସୁମ ଭାବି ସେ ମନରେ ସ୍ଥାନ ଦେଇ ନ ଥିଲା । ଶଶୀ ଚରିତ୍ରବତୀ ଓ ସୁନ୍ଦରୀ । ଫୁଟିଲା ଚମ୍ପାଫୁଲର ରଙ୍ଗ, ଗୋଲାପୀ ହାତ ଗୋଡ଼, ପାତଳ ଓଠ ଦରଫୁଟା ଗୋଲାପ ପରି ସୁନ୍ଦର । ଲମ୍ୱା ଲମ୍ୱା ଆଖି ଦୁଇଟାରେ ସେ ଯାହାକୁ ଥରେ ଚାହିଁଥିବ, ତାର ମନ ପୂରି ଯାଇଥିବ । ବୀରର ପିତାମାତାଙ୍କ ନିକଟକୁ ଆପଣାର ଅତି ଆଦରର ଧର୍ମକନ୍ୟା ଶଶୀ ପାଇଁ ଅନେକ ପାତ୍ର ଆସୁଥିଲେ ବି ତାଙ୍କ ମନୋନୀତ ନ ହୋଇଥିବାରୁ ବିବାହ ହୋଇ ନ ଥିଲା । ଶଶୀର
ଉପଯୁକ୍ତ ମୂଲ୍ୟ, ତାର ଗୁଣାବଳୀ ତାଙ୍କଠାରୁ ଅଧିକ କେହି ବୁଝି ନ ଥିଲା । ସେ ଆଦରରେ ତାକୁ ‘ଶଶୀମୁଖୀ ରାଜକୁମାରୀ’ ବୋଲି କହୁଥିଲେ । ଶଶୀ ମଧ୍ୟ ନିଜର ଅତୁଳନୀୟ ରୂପ, ଅସୀମ ସୁନ୍ଦର ଗୁଣ, ପ୍ରାଣଭରା ଭକ୍ତି ଓ ପୂଜାଦ୍ୱାରା ଯେମସ୍ ବାବୁଙ୍କର ଅତିଶୟ ଅନୁଗତା ଓ ପ୍ରିୟପାତ୍ରୀ ଥିଲା । ଗୁଲ୍ ବଦନୀ ଓ ନିଶାମଣି ବଧୂଦ୍ୱୟ ଶଶୀକୁ ଖୁବ ଭଲପାଉଥିଲେ ପିଲାମାନେ ଶଶୀର ବଡ଼ ବାଧ୍ୟ ଥିଲେ । ଜଗନ୍ନାଥ ଆସିଲା ପରେ ଶଶୀ ତାହାର ପ୍ରାଣପଣେ ସେବା କରିଛି । ସେ ଯେତେବେଳେ ଶୁଣିଲା, ଜଗନ୍ନାଥ ଖ୍ରୀଷ୍ଟିୟାନ୍ ହୋଇ ଯୋନାଥନ ନାମ ଗ୍ରହଣ କରିଛି ଏବଂ ଆଜିପର୍ଯ୍ୟନ୍ତ ଅବିବାହିତ, ଶଶୀ ମନେ ମନେ ଆଶାର ସୌଧ ଗଢ଼ିବାକୁ ଲାଗିଲା ।
ତାହାର ମନେ ହେଲା ସତରେ ଜଗନ୍ନାଥ ତା’ ପାଇଁ ଗଢ଼ା । ଈଶ୍ୱରଙ୍କର ଇଛା ସେ ଜଗନ୍ନାଥର ପତ୍ନୀ ହେବ । କିନ୍ତୁ ଜଗନ୍ନାଥ ସହିତ ଥରେ ଅଧେ କଥା କହିଛି ମାତ୍ର; ବଡ଼ ସଂକୋଚରେ, ହଠାତ୍ ଦରକାର ପଡ଼ିବାରୁ । ସେ ଘୁଣାକ୍ଷରରେ ଜଗନ୍ନାଥଙ୍କୁ ବୁଝିବାକୁ ଦେଇନାଇଁ ଯେ, ସେ ଜଗନ୍ନାଥକୁ ଭଲପାଏ । ସେ ଅକାତରେ ଜଗନ୍ନାଥ ପାଇଁ ରାତି ଜାଗିଛି, ପଥି ରାନ୍ଧିଛି । ମରିପଡ଼ି ତାହାପାଇଁ ପରିଶ୍ରମ କରିଛି । କିନ୍ତୁ ନିଜର କୌଣସି ହାବଭାବ ଦ୍ୱାରା ସେ ଜଗନ୍ନାଥଙ୍କୁ ଜଣାଇ ଦେଇ ନାହିଁ, ତାକୁ ସେ ଭଲ ପାଏ ବୋଲି । ସେଥିପାଇଁ ସେ ଆଜି ଅନୁତପ୍ତା । ସେ ଶୁଣିଛି, ଯୋନାଥନ କଲିକତାରେ କାମ କରି ସେହିଠାରେ ବିବାହ କରିବ । ଆହା, ସେ କାହିଁକି ଦିନେ ତାର ଅନ୍ତର ଜଗନ୍ନାଥକୁ ଜଣାଇ ପାରିଲା ନାଇଁ । ଶଶୀ ଜଗନ୍ନାଥକୁ ଅନ୍ନ ପରିବେଷଣ କରେ, ପାନ ଭାଙ୍ଗି ଦିଏ, ତାଙ୍କର ବିଛଣା ସଜାଡ଼େ । କିନ୍ତୁ ତାଙ୍କୁ ଦେଖିଲା ମାତ୍ରେ ମୁଣ୍ଡରେ ଲୁଗାଦେଇ ମୁହଁ ଲୁଚାଇ ଘୁଞ୍ଚିଆସେ । ତାଙ୍କଠାରୁ ଲୁଚି ରହେ, ଦାଣ୍ଡ ଘରକୁ ସେଥିଲାଗି ପ୍ରାୟ ଯାଏନାଇଁ । କିନ୍ତୁ କାହିଁକି ସେ ଏପରି କଲା ? ସେ ଭାବିନେଇଥିଲା ଜଗନ୍ନାଥ ତାହାର । ତାହାର ସରଳ ବାଳିକା ହୃଦୟରେ ଜଗନ୍ନାଥ ଦେବତୁଲ୍ୟ ବିରାଜିତ ଥିଲେ । ତାଙ୍କର ପୂଜାପାଇଁ ଶଶୀ ସବୁ ଦେଇପାରେ; କିନ୍ତୁ ଲଜ୍ଜାରେ ସେ ଦୂରେଇ ରହୁଥିଲା । ସେ ଭାବିଥିଲା - ସେ ଜଗନ୍ନାଥଙ୍କୁ ଭଲ ପାଉଚି; ତେଣୁ ଜଗନ୍ନାଥ ନିଶ୍ଚୟ ତାକୁ ଭଲ ପାଉଥିବେ । ତାଙ୍କ ହୃଦୟରେ କ’ଣ ଟିକିଏ ଆଘାତ ଲାଗି ନ ଥିବ । ଶଶୀ ଭାବି ଭାବି ବିଭୋର ହେଇପଡ଼େ । କିନ୍ତୁ ଆଜି ସେଥିପାଇଁ ତାକୁ ବ୍ୟାକୁଳିତା ହୋଇ କାନ୍ଦିବାକୁ ପଡ଼ିଲା । ଜଗନ୍ନାଥ ଦ୍ୱାର ସମ୍ମୁଖରେ ବୁଲୁଥିଲେ । ଶଶୀ ରନ୍ଧାଘର ଦ୍ୱାରରେ ବସି ଚାଉଳ ବାଛୁଥିଲା । ହଠାତ୍ ଜଗନ୍ନାଥଙ୍କ ଉପରେ ତାହାର ଦୃଷ୍ଟି ପଡ଼ିବାରୁ ସେ ମୁଣ୍ଡରେ ଲୁଗାଟାଣି ଘରଭିତରକୁ ଉଠିଗଲା ।
ଜଗନ୍ନାଥ ଏତେ ଦିନ ଯାଏ କିଛି ମନେକରି ନଥିଲେ । କିନ୍ତୁ ହଠାତ୍ କାହିଁକି କେଜାଣି ଶଶୀକୁ ଦେଖିବାମାତ୍ରେ ତାଙ୍କର ପୂର୍ବର ଘଟଣା ସବୁ ମନେ ପଡ଼ିଲା । ସେହି ବର୍ଷା ଦିନରେ ଦାଣ୍ଡପିଣ୍ଡାରେ ସାକ୍ଷାତ ହେବା କଥା ମନେ ପଡ଼ିଲା । ସେ ଭାବିଲେ, ଶଶୀ କ’ଣ ଆଜିଯାଏ ଅବିବାହିତା ଅଛି ? ସୁବାସୀକୁ ସେ ଦେଖୁ ନାହାନ୍ତି । କାରଣ ସୁବାସୀ, ଭାନୁମତୀ ସହିତ ଯାଇ ଏକବର୍ଷ ହେଲା ସେଠାରେ ରହିଛି । ଭାନୁମତୀର ଏକୁଟିଆ ଘର । ଗୋଟିଏ ପୁତ୍ରାସନ୍ତାନ ହେବାପରେ ସେ ରୋଗଗ୍ରସ୍ତ ହେବାରୁ ସୁବାସୀକୁ ପାଖକୁ ନେଇଛି । କିନ୍ତୁ ଶଶୀଟି ତ ଆଜିଯାଏ ଘରେ ରହିଛି । ଜଗନ୍ନାଥ ଶଶୀକୁ ଅନେକବାର ଦେଖିଛନ୍ତି । ସେ ସୁନ୍ଦରୀ, ସୁଚରିତ୍ରା । ଆଉ ଶଶୀର ଗୁଣାବଳୀ ସେ ବୀର ଓ ତାଙ୍କ ପିତାଙ୍କ ଠାରୁ ଅନେକ ଶୁଣିଛନ୍ତି । ଆଉ ମଧ୍ୟ ଜଗନ୍ନାଥ ଅକୃତଜ୍ଞ ନୁହନ୍ତି । ସେ ଶଶୀର ଅକ୍ଳାନ୍ତ ସେବା ଓ ଯତ୍ନ ଭୁଲି ପାରି ନାହାନ୍ତି । ସେଥିଲାଗି ସେ ଶଶୀକୁ କ’ଣ ଉପରେ ଦେବେ,ଭାବୁଥିଲେ । ତାଙ୍କର ତ ପଇସାକର ସମ୍ବଳ ନାଇଁ । ପୁଣି ସେ ଶଶୀକୁ ସୁନାବାଲା ହଳେ ଦେବେ ବୋଲି ମନେକଲେ; ନା ଏଡ଼େ ଉପକାରୀକୁ ନିଶ୍ଚୟ କିଛି ଦେବେ; କିନ୍ତୁ ଟଙ୍କା ହାତରେ ନାଇଁ । ଧାର କରି ଦେବାଟା ଅତି ଅପସନ୍ଦ କଥା । ସେ ମନେ ମନେ ସ୍ଥିର କଲେ ଯେ, ସେ ଶଶୀକୁ ପଚାରିବେ, ସେ କ’ଣ ଚାହେଁ ? କଲିକତାରୁ ସେ ତାହା ପାର୍ଶଲ କରି ପଠାଇ ପାରିବେ । ଏହା ମନେ ମନେ ଭାବି ସେ ସୁଯୋଗପାଇଁ ଅପେକ୍ଷା କରିବାକୁ ଲାଗିଲେ ।
ରାତ୍ରୀ ଆଠଟା ସମୟରେ ସମସ୍ତଙ୍କର ଭୋଜନ ଶେଷ ହେଲା । ଶଶୀ ଦାଣ୍ଡଘରେ ଜଗନ୍ନାଥଙ୍କର ବିଛଣା ପ୍ରସ୍ତୁତ କରିବାକୁ ଗଲା । ଜଗନ୍ନାଥ ପୂର୍ବପରି ବାହାରକୁ ଉଠି ନ ଯାଇ ବସି ରହିଲେ । ବିଛଣା ପ୍ରସ୍ତୁତ ହେଲାପରେ ଜଗନ୍ନାଥ ଶଶୀ ଆଡ଼କୁ ଚାହିଁ ଅତି ମୃଦୁସ୍ୱରରେ ଡାକିଲେ “ଶଶୀ” । ଶଶୀ ଆଶ୍ଟର୍ଯ୍ୟ ଓ ଭୀତ ହୋଇ କହିଲା “ଆଜ୍ଞା ।”
ଜଗନ୍ନାଥ ତାହାର ଶିକ୍ଷିତ, ଭଦ୍ରାଚରଣରେ ତୁଷ୍ଟ ହୋଇ କହିଲେ, “ଶଶୀ, ତୁମେ ମୋର ଅନେକ ଉପକାର କରିଛ, ଦିନରାତି ମୋର ସେବା କରିଅଛୁ । ତୁମର ପ୍ରାଣପାତ ପରିଶ୍ରମ ମୁଁ କଦାପି ଭୂଲି ପାରିବି ନାଇଁ । କିନ୍ତୁ ମୋତେ ଯେପରି ତୁମେ ନ ଭୂଲ, ସେଥିପାଇଁ ମୁଁ ଗୋଟିଏ ଉପହାର ଦେବାକୁ ସ୍ଥିର କରିଛି । ତୁମେ କ’ଣ ଚାହିଁ କହିଲେ, ମୁଁ କଲିକତାରୁ ପଠାଇବି ।”
ଶଶୀ ନିରୁତ୍ତର ହେଲା । ସେ କ’ଣ ବା ମାଗିବ ? ସେ ନତମୁଖୀ ହେଇ ରହିଲା । ଜଗନ୍ନାଥ ପୁନର୍ବାର ତାହାହିଁ ପଚାରିଲେ । ଶଶୀର ସର୍ବାଙ୍ଗ ଥରିବାକୁ ଲାଗିଲା । ସେ ଜଗନ୍ନାଥଙ୍କ ମୁଖକୁ ଚାହିଁ ପାରିଲା ନାଇଁ । ତୃତୀୟବାର ଜଗନ୍ନାଥ କହିଲେ “ଶଶୀ, କହିବାକୁ ଲଜ୍ଜା କରୁଛ ? ଆଛା, ମୁଁ ନିଜେ ଦେଇ ଦେବି । ତୁମେ କ’ଣ କାନଫୁଲ ଠାରୁ ୟାରିଂ ପସନ୍ଦ କର ନାହିଁ ? ମୁଁ କଲିକତାରୁ ପଠାଇବି, କିଛି ମନେ ନ କରି ଗ୍ରହଣ କରିବ ।”
ଶଶୀର ମନ ବଡ଼ ବିରସ ହୋଇଗଲା, ସାମାନ୍ୟ ସୁନାର ୟାରିଂ ? ଏଇ ତାର ପୁରସ୍କାର ? ଏତେ ପ୍ରେମ, ଏତେ ସ୍ନେହ ବିନିମୟରେ ଏଇ ତାର ପ୍ରତିଦାନ ! ସେ ସହି ପାରିଲା ନାଇଁ । ଆବେଗ ଓ ଅଭିମାନରେ ତାର ବିଶାଳ ଆଖିଦୁଇଟି ଅଶ୍ରୁରେ ଛଳଛଳ ହୋଇଉଠିଲା । ସେ ସମ୍ଭାଳି ପାରିଲା ନାଇଁ । କୋହରେ ତାର ବକ୍ଷ ଫାଟି ପଡ଼ିବାକୁ ଲାଗିଲା । ହଠାତ୍ ଦୀର୍ଘଶ୍ୱାସ ସହିତ ଦୁଇ ଟୋପାଲୁହ ତା’ଆଖିରୁ ଝରି ପଡ଼ିଲା । ଜଗନ୍ନାଥ ଏହା ଦେଖିଲେ । ସେ କେବେ ସାମାନ୍ୟ ଘଟଣାରେ ବିଚଳିତ ହୋଇ ନ ଥିଲେ; କିନ୍ତୁ ଶଶୀର ଅଶ୍ରୁ ସେ ସହିପାରିଲେ ନାଇଁ । ଶଶୀ କ୍ଷୁବ୍ଧ ହୋଇ ସେଠାରୁ ଚାଲିଗଲା । ଜଗନ୍ନାଥ ଦେଖିଲେ କ୍ଷଣକ ମଧ୍ୟରେ ଶଶୀ ଉଭେଇ ଗଲା । ଜଗନ୍ନାଥ ବଡ଼ ବିଚଳିତ ହୋଇପଡ଼ିଲେ । ସତେ ଶଶୀକୁ ଅପମାନ କଲେ ପରା ! ସତେ ପଦଦଳିତ ଫଣିନୀ ପରି ସେ ଗର୍ଜ୍ଜି ଉଠିଲା ।
ଜଗନ୍ନାଥ ଉଠି ଦାଣ୍ଡକୁ ଗଲେ । ପୋଖରୀ କୂଳ ଆଡ଼େ ବୁଲିବାକୁ ଗଲେ । ଦେଖିଲେ ପୋଖରୀ ପାହାଚ ଉପରେ କିଏ ଜଣେ କାନ୍ଦୁଛି । ଅତି କ୍ଷୀଣ କ୍ରନ୍ଦନସ୍ୱର ଶୁଭୁଥିଲା; କିନ୍ତୁ ନାରୀର କଣ୍ଠ ! ଜଗନ୍ନାଥ କିଛି ନ ବୁଝି ନିକଟବର୍ତ୍ତୀ ହେଲେ । ଦେଖିଲେ ଶଶୀ, ସେଇ ଅଭିମାନିନୀ ଶଶୀ, ସେଇ ଅଜ୍ଞାତହୃଦୟା ଶଶୀ ! ଜଗନ୍ନାଥ କ’ଣ ଭାବି ଚାହିଁ ରହିଲେ । ସେହି ସୁନ୍ଦରୀ ବାଳିକା ଶଶୀକୁ ଅନାଇଁ ରହିଲେ । ତାହାର ସସସ୍ତ ସୌନ୍ଦର୍ଯ୍ୟ ମଧ୍ୟରେ ସେ ଦେଖିଲେ ଆଶ୍ଚର୍ଯ୍ୟ ଗମ୍ଭୀର ଦେବୀ ମୂର୍ତ୍ତି । ତାହାର କୋମଳ ହୃଦୟ ଯେପରି ସର୍ବ ସୌନ୍ଦର୍ଯ୍ୟରେ ଗଠିତ । ସେହି ଅଭିମାନନୀ ଗୋପାଳ ବାଳିକାର ପୂର୍ଣ୍ଣ ସୌନ୍ଦର୍ଯ୍ୟମୟ, ବିଶାଳ, ବିଚିତ୍ର ଚକ୍ଷୁ ମନେ ପଡ଼ିଲା । ତାହାର ଲଲିତ ଚାହାଣି ମନେ ପଡ଼ିଲା । ଜଗନ୍ନାଥ ଆଶ୍ଚର୍ଯ୍ୟ ହେଲେ, ମୁଗ୍ଧ ହେଲେ । ଆହା, ସେହି ଶଶୀ କାନ୍ଦୁଛି । ଜଗନ୍ନାଥ ଆଉ ସହିପାରିଲେ ନାଇଁ । ତାର ପାଖକୁ ଗଲେ; କିନ୍ତୁ ଶଶୀ ଏହା ଜାଣି ପାରିଲା ନାହିଁ, ଚାହିଁଲା ନାଇଁ, ସେ ମୁଖନତକରି କାନ୍ଦିବାରେ ଲାଗିଥାଏ । ତାହାର ଘର୍ମତପ୍ତ ନିଃଶ୍ୱାସ ସତେ ଯେପରି ଜଗନ୍ନାଥର ହୃଦୟକୁ ଦଗ୍ଧ କରିବାକୁ ଲାଗିଲା । ଜଗନ୍ନାଥ ନତ ହୋଇପଡ଼ିଲେ । କ୍ଷଣକେ ତାଙ୍କର ହୃଦୟ ଶଶୀମୟ ହୋଇପଡିଲା । ସେ ସବୁ ବିଘ୍ନ, ବିଭେଦ ଭୁଳିଗଲେ । ସେ କେଉଁଠାରେ ଅଛନ୍ତି ଭୁଲିଗଲେ । ସେ ଶଶୀକୁ ବକ୍ଷସ୍ଥଳକୁ ଟାଣି ଆଣିଲେ ।
ହଁ, ଜଗନ୍ନାଥ ବୁଝି ପାରିଛନ୍ତି, ଶଶୀ ତାଙ୍କୁହିଁ ଚାହେଁ । ସେ ସୁନା ୟାରିଂ ଚାହେଁ ନାଇଁ । ଭାବି ଭାବି ଜଗନ୍ନାଥ ଲଜ୍ଜିତ ହେଲେ । ତାହାର ସସସ୍ତ ପ୍ରେମର ପ୍ରତିଦାନରେ ଜଗନ୍ନାଥ ସେ ସୁନ୍ଦରୀକୁ କ’ଣ ଦେବେ ? ସେ ତାହାକୁ ବକ୍ଷକୁ ଆଣିଲେ । ତାର ରୋରୁଦ୍ୟମାନ ମୁଖମଣ୍ଡଳକୁ ଲୁଗାକାନିରେ ପୋଛି ଦେଲେ । ଆଉ ଏକ ମୂହୂର୍ତ୍ତ, କ’ଣ କଲ ଜଗନ୍ନାଥ, ହାୟ କ’ଣ କଲ ? ଜଗନ୍ନାଥ
ଶଶୀର ମୁଖରେ ଚୁମ୍ୱନକଲେ । ଶଶୀ ହାତରେ ସ୍ୱର୍ଗର ଚାନ୍ଦ ପାଇଲା । ସେ ଜଗନ୍ନାଥର କୋଳରେ ଢଳିପଡ଼ିଲା । ଆଜି ତାହାର ସସସ୍ତ ବେଦନାର ଅବସାନ ହୋଇଛି, କିନ୍ତୁ ମୁଖ ଫିଟିଲା ନାଇଁ । ଶଶୀ ପୂର୍ବବତ୍ ମୂକ ଓ ବଧିର ।
ଜଗନ୍ନାଥ ଉଠିଗଲେ । ଶଶୀର ଆତ୍ମାଜ୍ଞାନ ଉଦୟ ହେଲା । କ୍ଷୋଭ ଓ ଲଜ୍ଜାରେ ତାହାର ସର୍ବାଙ୍ଗ ରୋମାଞ୍ଚିତ ହୋଇଉଠିଲା । ସେ ଜଗତକୁ ଘୂର୍ଣ୍ଣାୟମାନ ଦେଖିଲା । ସାରାଜଗତଟା ତାହାର ନିକଟରେ ଏକ ଅପୂର୍ବ ଭୟାନକ ରହସ୍ୟମୟ ବୋଧହେଲା । ଆକାଶକୁ ଅନାଇ ଦେଖିଲା, ସେଠାରେ ଜଗନ୍ନାଥଙ୍କର ଛବି, ପୁଷ୍କରିଣୀର ଗଭୀର ସ୍ୱଛ ଜଳରେ ଜଗନ୍ନାଥ, ହୃଦୟ ଭିତରେ ଦେବତାର ଆସନରେ ଉପବିଷ୍ଟ ସେ, ତାହାର ଜଗନ୍ନାଥ -