ଅଷ୍ଟମ ପରିଚ୍ଛେଦ — ଶନିସପ୍ତା — ଚିନ୍ତାମଣି ମହାନ୍ତି · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଅଷ୍ଟମ ପରିଚ୍ଛେଦ
ମନୁଷ୍ୟର ସକଳ ଆକାଙ୍କ୍ଷା ସଫଳ ହୁଏ ନାହିଁ । ତଥା ସକଳ ଆକାଙ୍କ୍ଷା ବିଫଳ ମଧ୍ୟ ହୁଏ ନାହିଁ । ଅନେକ ଆକାଙ୍କ୍ଷା ବିଫଳ ମଧ୍ୟ ହୁଏ । ଦୁରାକାଙ୍କ୍ଷା ମଧ୍ୟ ଅନେକ ସ୍ଥଳରେ ସଫଳ ହେବାର ଦେଖାଯାଏ । ଆକାଙ୍କ୍ଷା ଖାଲି ବିଫଳ ହେଉଥିଲେ ମାନବସୃଷ୍ଟି ଏତେକାଳଯାଏ ଥାଆନ୍ତା ନାହିଁ । ମନୁଷ୍ୟ ଆକାଙ୍କ୍ଷାର ଭୃତ୍ୟ, ସେ ଆକାଙ୍କ୍ଷାର ସେବା କରେ । ଆକାଙ୍କ୍ଷା ସଫଳ ହୁଏ– ବିଫଳ ମଧ୍ୟ ହୁଏ । ଶେଫାଳିକାଙ୍କର ଆକାଙ୍କ୍ଷା ସଫଳ ହୋଇଅଛି । ତାହାଙ୍କର ସୌଭାଗ୍ୟବର୍ତ୍ତିକା ଦାଉ ଦାଉ ହୋଇ ଜଳିଉଠିଅଛି । ମୁଖ ମନର ଦର୍ପଣ ସ୍ୱରୂପ, ସେଥିରେ ମନୋଭାବ ପ୍ରତିଭିମ୍ବିତ ହୁଏ । ଶେଫାଳିକାଙ୍କର ମୁଖ ଦେଖିଲେ ସେ ମୁଖରେ ତାଙ୍କର ଉଜ୍ଜ୍ୱଳ ଆନନ୍ଦ ପଙ୍କ୍ତି ପଢ଼ି ହୁଏ । ସେ ମୁଖ ସାଫଲ୍ୟର ମଧୁର ମୟୁଖରେ ସମ୍ମାର୍ଜିତ । ନେତ୍ରରେ ମାତୃଗୌରବର ଦୀପ୍ତି ଆଭାସ ଉଠୁଅଛି । ସୌଦାମିନୀ ପୁତ୍ରବତୀ ହୋଇଅଛି । ସେ ପୁତ୍ରବତୀ ହୋଇ ଯେଉଁ ପରିମାଣରେ ଆନନ୍ଦିତା, ଶେଫାଳିକା ସେଥିର ବହୁଗୁଣ ଆନନ୍ଦିତା । ତାଙ୍କ ଶଶୁରର ବଂଶ ରକ୍ଷା ହୋଇଅଛି, ତାଙ୍କର ମଧ୍ୟ ପାଣିମନ୍ଦାକର ଭରସା ରହିଲା; ସୁତରାଂ ଆନନ୍ଦିତ ନ ହେବେ କାହିଁକି ? ରଙ୍କ ନିଧି ପାଇଲେ ଯେପରି ଆନନ୍ଦିତ ହୁଏ, ଅନ୍ଧ ଚକ୍ଷୁ ପାଇଲେ ଯେପରି ଆନନ୍ଦିତ ହୁଏ ଇତ୍ୟାଦି ପ୍ରୟୋଗ ପରମ୍ପରା ଚଳି ଆସୁଅଛି, ଟିକିଏ ନୂତନ ଭାବରେ କହିଲେ– ମାନବ ସ୍ୱାଧୀନତା ପାଇଲେ ଯେରୂପ ଆନନ୍ଦ ଲାଭ କରେ, ଶେଫାଳିକା ଠିକ୍ ସେହିପରି ଆନନ୍ଦ ଲାଭ କଲେ । କେବଳ ଆନନ୍ଦ ନୁହେଁ, ଶାନ୍ତି, ତୃପ୍ତି ଏବଂ ଆନନ୍ଦର ତ୍ରିବେଣୀଧାରା ତାଙ୍କ ହୃଦୟରେ ତରଙ୍ଗଭଙ୍ଗୀରେ ଖେଳି ଯାଉଅଛି । ଶେଫାଳିକାଙ୍କର ଆଶା ପୂର୍ଣ୍ଣ ହୋଇଅଛି । ଏ, ଆଶା କି ପୂର୍ଣ୍ଣ ହୁଏ ? ଅଗ୍ନିର କି ପେଟ ପୂରେ, ଏହା ଅତି ଅସମ୍ଭବ । ମନୁଷ୍ୟର ଦୃଷ୍ଟିଶକ୍ତି ମରିଯାଏ, ଶ୍ରୁତିଶକ୍ତି ମରିଯାଏ, ରୂପ ଯୌବନ ମରିଯାଏ; ମାତ୍ର ଆଶା ମରେ ନାହିଁ । ଯେହେତୁ ତାହାର ପୂର୍ଣ୍ଣତା ନାହିଁ । ପୂର୍ଣ୍ଣତା ପରେ ଧ୍ୱଂସ ଆସେ, ଏହା ସୃଷ୍ଟିର ସାଧାରଣ ନିୟମ । ଆଶା ଶୁଷ୍କ ହୋଇପଡ଼ିଥାଏ, ଅଦୃଷ୍ଟର ଅମୃତ ବାରିସେକରେ ପଲ୍ଲବିତ ହୋଇ ଫଳ ଧାରଣ କରେ । ଆସନ–ମୃତ ବ୍ୟକ୍ତି ସୁଦ୍ଧା ଆଶା ପରିଶୂନ୍ୟ ନୁହେଁ । ମୃତ୍ୟୁର ଦଣ୍ଡକ ପୂର୍ବରେ ଜଣେ ମୁମୂର୍ଷୁର ଆତ୍ମୀୟମାନେ ତାହାକୁ ହରିନାମ ଜପ କରିବାକୁ କହିବାରୁ ସେ କହିଲା– ପାଞ୍ଚ ହଜାର ତିନିଶ । ଆତ୍ମୀୟମାନେ କହନ୍ତି– ‘‘କହ ହରେ କୃଷ୍ଣ’’, ମୁମୂର୍ଷୁ କହେ, ‘ପାଞ୍ଚହଜାର ତିନିଶ ।’’ କେହି କହେ– ‘‘ହରେ ରାମ କହ,’’ ମୁମୂର୍ଷୁ ପୂର୍ବପରି କହେ– ‘‘ପାଞ୍ଚହଜାର ତିନିଶ ।’’ ଏହିପରି ପାଞ୍ଚହଜାର ତିନିଶ ଜପି ଜପି ସେ ମରିଗଲା । ଯାହାକୁ ଆତ୍ମୀୟ ସ୍ୱଜନ ପରିତ୍ୟାଗ କଲେଣି, ସଂସାର ଯାହାକୁ ତ୍ୟାଗ କରିବାକୁ ବସିଲାଣି, ଆଶା ତାହାକୁ ତ୍ୟାଗ କରିନାହିଁ । ତେବେ ଆଶାର ପୂର୍ଣ୍ଣତା କାହିଁ ? ସେ ଯାହା ହେଉ, ଶେଫାଳିକାଙ୍କର ଆଶା ସଫଳ ହୋଇଅଛି, ତାଙ୍କର ଆନନ୍ଦର ସୀମା ନାହିଁ । ପିତେଇ ମଧ୍ୟ ଆନନ୍ଦରେ ଭାସୁଅଛି । ସେ ଖଣ୍ଡିଏ ଧୋବଛାୟା ଲୁଗା ପୁରସ୍କାର ପାଇଅଛି, ଏହାହିଁ ତାହାର ଆନନ୍ଦର ମୁଖ୍ୟ କାରଣ । ଏହାଛଡ଼ା ଉଠିଆରି ଏକୋଇଶା ପ୍ରଭୃତିରେ ପିଠାପଣାର ସ୍ୱାଦୁ ଅନୁଭବ ପ୍ରଭୃତି ପ୍ରଚ୍ଛନ୍ନ କାରଣ ମଧ୍ୟ ଅଛି । ପ୍ରଥମତଃ ଲୁଗାଖଣ୍ଡି ତାହାର ମନକୁ ଆସିଲା ନାହିଁ । ସେ କହିଲା– ‘‘ଲୁଗାଖଣ୍ଡ ରଙ୍ଗଢଙ୍ଗିଆ ସିନା, ହେଲେ ବୁଣା କିଛି ନୁହେଁ, ତରଡ଼ି ଜାଲ ପରି ଜଳ ଜଳ ଦିଶୁଛି, ମୋଡ଼ି ଦେଲେ ଛୁଞ୍ଚକନା ପରି ମେଞ୍ଚେ ହୋଇଯିବ । ଏ କଅଣ ଆଉ ସୂତାଲୁଗା ପରି ବଇଁନ୍ତିରି ଯିବ ନା ?’’ ଶେଫାଳିକା ତାକୁ ବୁଝାଇ କହିଲେ– ‘‘ନା ଲୋ ପିତେଇ, ଏ ଚୌତାରୀ ବୁଣା, ଧୋଇଲେ ବହଳ ହୋଇଯିବ, ଆଉ ଢେରଦିନ ବି ବଇଁନ୍ତିରି ଯିବ । ପାଟମଠା ପରି ଏ ଲୁଗା ମାରୁ ହୁଏ ନାହିଁ, ଏ ଖୁବ୍ ଦାମିକା ଲୁଗା, ଏହାର ଦାମ ତିନି ଟଙ୍କା ।’’ ଲୁଗାର ମୂଲ୍ୟ ତିନି ଟଙ୍କା ପିତେଇ ହୃଦୟରେ ଆନନ୍ଦ ଉଛୁଳି ପଡ଼ିଲା । ସେ ଆଉ କିଛି ଓଜର ଆପତ୍ତି ନ କରି ଲୁଗାଖଣ୍ଡି ଗ୍ରହଣ କଲା । ମାତ୍ର ଗୋଟାଏ ସନ୍ଦେହ ତାହା ମନରେ ଉପସ୍ଥିତ ହେଲା । ସେ ଭାବିଲା, ମା ଠାକୁରାଣୀ କହିଲେ– ‘‘ପାଟମଠା ପରି ଏ ଲୁଗା ମାରୁ ହୁଏ ନାହିଁ । ତେବେ ପାଟମଠା କଅଣ ମାରୁ ହୁଏ ନାହିଁ ? କି, କାହିଁକି ମାରୁ ହୁଏ ନାହିଁ ?’ ଏହା ଭାବି ପିତେଇ ଶେଫାଳିକାକୁ ପଚାରିଲା, ପାଟମଠା କାହିଁକି ମାରୁ ହୁଏ ନାହିଁ ମା ?
ଶେଫାଳିକା– ପାଟମଠା ଶୁଦ୍ଧ, ସେ ମାରୁ ହୁଏ ନାହିଁ ।
ପିତେଇ– ଗଛରେ କପା ଫଳେ, କପା ଲୁଗା ଶୁଦ୍ଧ ନୁହେଁ, ଆଉ ପାଟମଠା ପୋକର ଲାଳରେ ହୁଏ, ସେ ଶୁଦ୍ଧ ।
ଶେଫାଳିକା– ହଁ, ପୋକର ଲାଳରେ ହେଉ ପଛେ ସେ ଶୁଦ୍ଧ । କପା ଲୁଗା ତ ରୋଜ ଧୁଆଯାଏ ଆଉ ପାଟମଠା କିଏ ରୋଜ୍ ଧୁଏ ?
ପିତେଇ– ତାକୁ ରୋଜ ଧୋଇଲେ ସେ କେତେଦିନ ରହିବ ? ଜଲଦି ଚିରିଯିବ ବୋଲି ଧୁଅନ୍ତି ନାହିଁ ଗୋ– ଶୁଦ୍ଧ ବୋଲି ନୁହେଁ ।
ଶେଫାଳିକା ବିରକ୍ତ ହୋଇ କହିଲେ– ‘‘ହେଉ ନ ହେଲା ତ ନାହିଁ, ଯା, ତୁ ତ ଚିତଉ ଖାଇବା ଲୋକ ବିନ୍ଧ ଗଣୁଛୁ କାହିଁକି ?’’ ପିତେଇ ଆଉ କିଛି କହିଲା ନାହିଁ ।
ନବଜାତ ଶିଶୁଟି ପିତାଙ୍କର ଅଣି ଆଣିଅଛି । ସେହି ନାକ, ସେହି କାନ, ସେହି ମୁହଁ, ସେହି ଆଖି, ଠାଣିମାଣି ସବୁ ଠିକ୍ ସେହିପରି । ସ୍ଥୂଳତଃ କହିବାକୁ ଗଲେ ଶିଶୁଟି ପିତାଙ୍କର କ୍ଷୁଦ୍ର ସଂସ୍କରଣ– ଆଧୁନିକ ଭାଷାରେ ପକେଟ ସଂସ୍କରଣ । ପୁତ୍ର ରୂପରେ ପୁରୁଷ ସ୍ତ୍ରୀ ଗର୍ଭରୁ ଜାତ ହୁଏ ବୋଲି ସ୍ତ୍ରୀକୁ ଜାୟା କହନ୍ତି । ପୁତ୍ର ପିତା ପରି ଆକୃତି ପ୍ରକୃତିବନ୍ତ ହେବା ସ୍ୱାଭାବିକ । ଶେଫାଳିକା ଗୋଡ଼ ଲମ୍ବାଇ କାନ୍ଥକୁ ଆଉଜି ପିଣ୍ଡାରେ ବସି ଅଛନ୍ତି– ଶିଶୁଟି ତାଙ୍କ କୋଳରେ ଉତ୍ତାନ ଭାବରେ ଶୋଇ କ୍ଷୁଦ୍ର, ସୁନ୍ଦର ହସ୍ତପଦ ଆନ୍ଦୋଳନ ପୂର୍ବକ କ୍ରୀଡ଼ା କରୁଅଛି କି ବ୍ୟାୟାମ କରୁଅଛି, ତାହା ସେହି ଜାଣେ । ବେଳେ ବେଳେ ଓଷ୍ଠାଧର ଥରାଇ କାନ୍ଦି ଉଠୁଅଛି । ଶେଫାଳିକା ଗୁଣୁଗୁଣୁ ସ୍ୱରରେ ନାନା ପ୍ରକାକୁ ସ୍ନେହ ସୁଆଗ ସଙ୍ଗୀତ ଆବୃତ୍ତି କରି ତାହାକୁ ଶାନ୍ତ କରିବାକୁ ଚେଷ୍ଟା କରୁଅଛନ୍ତି । ତାଙ୍କ ବାମ ପାର୍ଶ୍ୱରେ ଗୋଟାଏ ବିରାଡ଼ି ବସି ନୟନମୟ ହୋଇ ଅଳସ ବିସ୍ମୟ ଦୃଷ୍ଟିରେ ଶିଶୁକୁ ଚାହିଁ ରହିଅଛି । ବିରାଡ଼ିଟା କିଛିଦିନ ହେଲା ଏହିପିରି ଆଚରଣ କରି ଆସୁଅଛି । ବୋଧହୁଏ ଯେପରି ଭାବୁଅଛି–‘‘ଏ ନବାଗନ୍ତୁକ କିଏ, ମୋତେ ବେଦଖଲ କରି ମୋର ସ୍ଥାନ ଅଧିକାର କରିଅଛି । ମନୁଷ୍ୟ ଜାତିଟା ବଡ଼ ଅ-ବଡ଼ ଜାତି– ବଡ଼ ସାର୍ଥ୍ୱପର, ମୁଁ ମତ୍ସ୍ୟ ପୁଚ୍ଛ ଧରି ନିୟମ କରି କହିପାରେ, ଆମ ଜାତି ସେପରି ହୀନ ନୁହେଁ ।’’ ଏହା ଭାବି ଘୃଣାରେ ଆଖିବୁଜି ଯାକିଯୁକି ହୋଇ ମୀନବତାରର ଚରଣ କମଳ ଧ୍ୟାନରେ ନିଯୁକ୍ତ ହେଲା । ବିରାଡ଼ିଟି ଶେଫାଳିକା ପୋଷି ଅଛନ୍ତି । ଏତେଦିନ ପର୍ଯ୍ୟନ୍ତ ସେ ତାଙ୍କର ସନ୍ତତିର ସ୍ଥାନ ଅଧିକାର ପୂର୍ବକ ମାତୃସ୍ନେହର ବିମଳ ଅମୃତଧାରା ପାନ କରୁଥିଲା । ଶେଫାଳିକା ତାକୁ ଖୁବ୍ ସ୍ନେହ କରନ୍ତି । ଅତି ଆଦରରେ ତାହାର ନାମ ଦେଇଅଛନ୍ତି– ରାଣୀ । ରାଣୀର ରାଣୀ ପରି ଭାଗ୍ୟ । ଖଟ ଉପରେ ଶେଫାଳିକାଙ୍କ କୋଳ ବ୍ୟତୀତ ଅନ୍ୟତ୍ର ତାକୁ ନିଦ ମାଡ଼େ ନାହିଁ । ସେ ଗଳାରେ ମାଳେ ରୁପା ଘୁଙ୍ଗୁର ପିନ୍ଧି ଗର୍ବରେ ବାଟଚାଲେ । ଚାଲିବା ବେଳେ ବଡ଼ ସୁନ୍ଦର ଝୁମୁ ଝୁମୁ ଶବ୍ଦ ହୁଏ । ରାଣୀ ଦୁଗ୍ଧାନ୍ନଭୋଜୀ, କ୍ୱଚିତ୍ ମତ୍ସ୍ୟାନ୍ନ ଭୋଜନ କରେ । ଶେଫାଳିକା ରାଣୀକୁ ଅନେକ କଥା କହନ୍ତି । ସେ ଏତେଦିନ ଯାଏ ତାଙ୍କର ଦୁଃଖ ସୁଖର ସଙ୍ଗୀ ଥିଲା । ବନ୍ଧ୍ୟା ରମଣୀ ତାହାରି ଉପରେ ମାତୃସ୍ନେହ ଅଜାଡ଼ି ଦେଇ ଦୁର୍ବହ ହୃଦୟଭାର କିଞ୍ଚିତ୍ ଲଘୁ କରିଥିଲେ । ଶେଫାଳିକା ସୋହାଗ ଶୀତଳ ସ୍ୱରରେ କହିଲେ– ‘‘ରାଣୀ, ମୋ ବାୟା ସଙ୍ଗରେ ଖେଳିବୁ, ବାୟା ସଙ୍ଗରେ ଦୁଧ ପିଇବୁ, ତୋ କାନରେ ସୁନା ଫାଶିଆ ଦେବି ।’’ ଶ୍ରୋତା ବକ୍ତା ମୁହଁକୁ ଚାହିଁ ଉତ୍କର୍ଣ୍ଣ ହୋଇ ହାକିମ ଓକିଲର ସୁଆଲ ଶୁଣିଲା ପରି ନୀରବରେ ବସି ସବୁ କଥା ଶୁଣିଲା । ଶେଫାଳିକା ତାହା ପିଠିରେ ହାତ ବୁଲାଇ ଦେଇ କହିଲେ– ‘‘ଖେଳିବୁ ନା, କହ ।’’ ରାଣୀ ଏହି ଆଦର ସୁଆଗରେ ଆଠଖଣ୍ଡ ହୋଇ ଯାଇ ମାର୍ଜାରୀୟ ଭାଷାରେ ସମ୍ମତି ଜଣାଇ କହିଲା– ‘‘ମ୍ୟାଓଁ ।’’ ଅନନ୍ତର ଆନନ୍ଦରେ ଝାମ୍ପମାରି ଲାଙ୍ଗୁଳ ହଲାଇ ଖେଳିବାକୁ ଲାଗିଲା । ବେଳେବେଳେ ଗେଲରେ ଶେଫାଳିକାଙ୍କ ଗୋଡ଼ର ବୃଦ୍ଧାଙ୍ଗୁଳିଟି ଭୋଜନ କରିବାକୁ ଉଦ୍ୟତ ହେଉଥାଏ– ପର ମୁହୁର୍ତ୍ତରେ ଡିଆମାରି ପଛକୁ ଘୁଞ୍ଚି ଯାଉଥାଏ ।
ସୌଦାମିନୀ କେବଳ ପୁଅ ଜନ୍ମକରି ଖଲାସ । ଲାଳନ ପାଳନର ଭାର ଶେଫାଳିକାଙ୍କ ଉପରେ ନ୍ୟସ୍ତ । ସେ ମଧ୍ୟ ତାହାହିଁ ଖୋଜୁଥିଲେ । ସ୍ନେହରେ ଭାଗ ବସାଇବା ତାଙ୍କର ଇଚ୍ଛା ନୁହେଁ-। ତାଙ୍କର ସ୍ନେହ ଏବଂ ଯତ୍ନରେ ଶିଶୁଟି କ୍ରମଶଃ ବଢ଼ିବାକୁ ଲାଗିଲା-। ଶିଶୁର ବୃଦ୍ଧି ସଙ୍ଗେ ତାହା ପ୍ରତି ଶେଫାଳିକାଙ୍କର ସ୍ନେହ ମମତା ମଧ୍ୟ ବୃଦ୍ଧିଲାଭ କରିବାକୁ ଲାଗିଲା । ଚନ୍ଦ୍ରର କଳାବୃଦ୍ଧିରେ ସମୁଦ୍ରର ଜୁଆର ବଢ଼ିଲା ପ୍ରାୟ ଶେଫାଳିକାଙ୍କର ହୃଦୟରେ ଆନନ୍ଦ ଉଛୁଳି ଉଠୁଥାଏ-। ଶିଶୁକୁ କୋଳରେ ଘେନି ବସିଥିବା ସମୟରେ ତାଙ୍କର ମାତୃମୂର୍ତ୍ତି ତ୍ରିଲୋକପାଳିନୀ ଗଣେଶଜନନୀଙ୍କ ପରି ମହିମିତ ଦିଶୁଥାଏ । ସୌଦାମିନୀ ପୁତ୍ର ଜନ୍ମ କରି ଆନନ୍ଦିତା, ଶେଫାଳିକା ତତୋଽଧିକ ଆନନ୍ଦିତା; ମାତ୍ର ପୁତ୍ରର ଜନକ ନନ୍ଦେ ନିରାନନ୍ଦ । ସେ ପୁତ୍ରର ଦୀର୍ଘାୟୁ ସମ୍ୱଦ୍ଧରେ ସନ୍ଦିହାନ । ତାଙ୍କର ଶନ୍ତିସପ୍ତା ଦଶାରେ ପୁତ୍ରର ଜନ୍ମ, ତାହା ପୁଣି ଶନିବାର ଦିନ ଶନି ବେଳାରେ । ଏରୂପ ତ୍ରିଶନିବାର ସଂଯୋଗ ଦେଖି କେଉଁ ପିତା ଅବା ପୁତ୍ରର ଜୀବନ ପ୍ରତି ଆଶଙ୍କାପ୍ରବଣ ନ ହେବ ? ଏହି ହେତୁ ଆଜିଯାଏ ପୁତ୍ରର ନାମକରଣ ହୋଇ ନାହିଁ । ଶେଫାଳିକା କହିଲେ– ‘‘ଯମଧର୍ମ ବଞ୍ଚେଇ ରଖିଥାଉ, ନା ଦିଆଯିବ, ଏତେ ତରତର କାହିଁକି ?’’ ଯାହାହେଉ ଡାକିବାର ସୁବିଧା ସକାଶେ କିଛି ଗୋଟାଏ ନାମ ଦେବା ଆବଶ୍ୟକ । ସେ ଭାବିଲେ, ଯେଉଁ ନାମଟା ଯମ ନାକକୁ ଗନ୍ଧାଇବା, ଏହିପରି ଗୋଟାଏ କୁତ୍ସିତ କଦର୍ଯ୍ୟ, ଭୀବତ୍ସ ନାମ ଦେବା ଦରକାର । ତାହାହେଲେ ଯମ ଆଉ ତାହାର ପାଖ ସ୍ପର୍ଶ କରିବ ନାହିଁ । ଏହା ଭାବି ସେ ପୁତ୍ରକୁ ବାୟା ବୋଲି ଡାକନ୍ତି । ବାୟା ନାମ ଶୁଣିଲେ ଯମ ଅବଶ୍ୟ ଘୃଣା କରିବ । ପୁଅ ନାମ କଅଣ ଦେଲ ବୋଲି କେହି ପଚାରିଲେ, ନନ୍ଦେ କହନ୍ତି, ‘ଶନିସପ୍ତା ।’ ଏହା ଶୁଣି ଶ୍ରୋତା ହସିଲେ ନନ୍ଦେ କହନ୍ତି, ‘ହସିବା କଥା ନୁହେଁରେ ଭାଇ, ଶନିସପ୍ତା ଦଶାରେ ଯାହାର ଜନ୍ମ, ତାହାର ନାମ ଶନ୍ତିସପ୍ତା ନ ଦେଇ ଆଉ କଅଣ ଦେବି ? ଶନିସପ୍ତା ପୁଅ ରୂପ ଧରି ମୋତେ କଷ୍ଟ ଦେବାକୁ ଆସିଛି । ସବୁ ଦଶାର ଫେର୍ରେ ଭାଇ, ସବୁ ଦଶାର ଫେର ।’ ଯଦି କେହି କହେ– ‘‘ପୁଅ ହେବା କି କଅଣ ଦଶାର ଫେର’’, ତେବେ ନନ୍ଦେ କୃତ୍ରିମ ଉତ୍ତେଜନାରେ ଉତ୍ତର ଦିଅନ୍ତି–‘‘ଦଶାର ଫେର ନୁହେଁ କଅଣ ? ସାତରଜାର ଧନ ଖୋଇ ବଢ଼େଇବି, ଶେଷରେ ତା ମୁଣ୍ଡକୁ ହାତ ପାଇଲେ ମୋତେ ତଣ୍ଟିଆ ମାରି ଘରୁ ଘଉଡ଼ି ଦେବ ।’’ ସମୟ ସମୟରେ ଗେଲରେ ଅନେକ ବଡ଼ ବଡ଼ କଥା ହୋଇଯାଏ । ନନ୍ଦେ ଗେହ୍ଲାରେ ଏହିପରି କହୁଁ କହୁଁ ପୁଅଟିର ଶନିସପ୍ତା ନାମ ସ୍ଥାୟୀ ହୋଇଗଲା । ତାକୁ କେହି କେହି ଶନିସପ୍ତା ବୋଲି ଡାକିଲେ, କେହି ବା ତାହାକୁ ସଂକ୍ଷେପ କରି କେବଳ ଶନି ବୋଲି ଡାକିଲା ।’ ମାତ୍ର ପଛକୁ ଶନି ସନାତନରେ ପରିଣତ ହୋଇଥିଲା । ଏହିପରି ଶୁକୁଟା ଶୁକଦେବ, ଗୋବରା ଗୋବର୍ଦ୍ଧନ, ହାଡ଼ିଆ ହରିବନ୍ଧୁ, ଶଙ୍କରା ଶଙ୍କର୍ଷଣ ଏବଂ ମୁତୁରା ମୋତିଲାଲ ହୁଏ ।
ବର୍ଷାକାଳ ଆରମ୍ଭ ହେଲା । ଆଷାଢ଼ ମାସର ଘୋର ଘନଘଟା ଘୋଟି ଆସିଲା । କୁଟଜ, କଦମ୍ବ କୁସୁମ ପ୍ରଭୃତିର ସୌରଭରେ ସ୍ନାନ କରି ଶୀତଳ ପବନ ପ୍ରବାହିତ ହେଲା । ପବନର ଗତି କେବେ ପ୍ରଖର, କେବେ ବା ଧୀର । ମୂଷଳଧାରାରେ ବାରିପାତ ହେଲା । ବକ ଚତୁର୍ମାସ୍ୟା ବ୍ରତ ଧାରଣ କରି ଜଳାଶୟ ବର୍ଜ୍ଜନପୂର୍ବକ ବସାରେ ବସିରହିଲା । ବକୀ ମାଛ ଧରି ଆଣି ସ୍ୱାମୀର ଆହାର ଯୋଗାଇଲା । ଭେକର ନହବତରେ ଅବନୀ, ଆକାଶ ପ୍ରକମ୍ପିତ ହେଲା । ନବ ବର୍ଷାର ବାରିସେକରେ ଶୁଷ୍କ ତରୁଲତା ପଲ୍ଲବିତ ହେଲେ । ଅରଣ୍ୟରେ ଅନନ୍ତ ଐଶ୍ୱର୍ଯ୍ୟ ମୂର୍ତ୍ତି ଧାରଣ କରି ଉଠିଲା । କାନନ– କମଳାର ଖୋଷାଭୂଷା ଟଗର କୁସୁମ ପୂର୍ଣ୍ଣ ଯୌବନା ଲାବଣ୍ୟ ଶ୍ରୀରେ ପରିପ୍ଲାବିତ ହୋଇ ମୃଦୁ ମୃଦୁ ହସିବାକୁ ଲାଗିଲା । ନାନାବିଧ ଅଗଛାରେ ପଥ ପ୍ରାନ୍ତର ସମାଚ୍ଛନ୍ନ ହୋଇ ଉଠିଲା । ପଲ୍ଲୀଗ୍ରାମମାନ ଅରଣ୍ୟ ପରିକୀର୍ଣ୍ଣ ହୋଇ ଋଷି ଆଶ୍ରମ ପ୍ରାୟ ପ୍ରତୀୟମାନ ହେଲା । ମେଘ ଦର୍ଶନରେ ମେଘବାନ୍ଧବୀ ମୟୁର ଉଲ୍ଲାସରେ ଅଧୀର ହୋଇ ଉଠିଲା, ତାହାର ନିଃସଙ୍ଗ ଜୀବନ ସୁଖମୟ ହେଲା । କୃଷ୍ଣକାୟା କାଦମ୍ବିନୀ ରଜନୀର ଅନ୍ଧକାରକୁ ଗାଢ଼ତମ କଲା । ଆକାଶ ଅନ୍ଧକାର, ପୃଥିବୀ ଅନ୍ଧକାର, ଅନ୍ଧକାରରେ ଅନ୍ଧକାର ମିଶି ବହଳ ହୋଇ ଉଠିଲା-। ପ୍ରକୃତି କରାଳ ମହାକାଳୀ ରୂପ ଧାରଣ କଲା; ବିଦ୍ୟୁତ୍ ତାହାର ଲେଲିହାନ ଅନଳ ଜିହ୍ନା, ବଜ୍ରନାଦ ରୁଦ୍ରଭୈରବ ଗର୍ଜନ, ବୃଷ୍ଟିଧାରା ତାହାର କଟିକଣ୍ଠଲମ୍ବୀ ସଦ୍ୟଚ୍ଛିନ୍ନ ନର କରଶିର ନିଃସୃତ ରୁଧିରଧାରା ଏବଂ ପ୍ରଭଞ୍ଜନ ତାହାର ବିକଟ ଅଟ୍ଟହାସ୍ୟ । ପ୍ରକୃତିର ଏହା ବିରାଟ ଭୀଷଣ ରୂପ ଦେଖି ଚନ୍ଦ୍ର ତାରାବୃନ୍ଦ ମହାଭୟରେ ଆଖି ବୁଜି ମେଘ ଉହାଡ଼ରେ ଲୁଚି ରହିଲେ । ପ୍ରକୃତିର ଏହା ନିଜ ରୂପ । ଏହା ଅସ୍ଥୟୀ ହେଲେହେଁ ସତ୍ୟ, ଅଶିବ ଉଲଗ୍ନ ହେଲେହେଁ ଶିବ ଏବଂ ରୁଦ୍ର ହେଲେହେଁ ସୁନ୍ଦର । ଏହି ମୂର୍ତ୍ତି ମାତୃତ୍ୱର ଜୀବନ୍ତ ମୂର୍ତ୍ତି । ଏହି ମୂର୍ତ୍ତି ଭକ୍ତର ବାଞ୍ଛିତ, ଧ୍ୟେୟ ଏବଂ ପ୍ରେୟ । ଏହି ମୂର୍ତ୍ତି ଭକ୍ତ ନେତ୍ରରେ ସୁନ୍ଦର । ମାତୃ ମୂର୍ତ୍ତି କୁରୂପ କୁତ୍ସିତ ହେଲେ ସୁଦ୍ଧା ପୁତ୍ର ନେତ୍ରରେ ଅନିନ୍ଦ୍ୟସୁନ୍ଦର । ଭକ୍ତ ଏହି ରୂପ ଦେଖି ଆନନ୍ଦରେ ପାଗଳ ହୁଏ, ଭାବରେ ଆତ୍ମ ବିସ୍ମୃତ ହୁଏ, ପ୍ରେମରେ ଅଧୀର ହୁଏ । ସେ କେତେବେଳେ ଅନର୍ଗଳ କାନ୍ଦେ; କେତେବେଳେ ହସି ହସି ଅସ୍ଥିର ହୁଏ, କେତେବେଳେ ଉନ୍ମତ୍ତ ହୋଇ ନାଚେ ଏବଂ କେତେବେଳେ ବା ମନଗଢ଼ା ଗୀତ ଗାଏ । ଏ ମହାମୂର୍ତ୍ତି ଦର୍ଶନ ଭାଗ୍ୟରେ ଘଟେ । ପୂଣ୍ୟପ୍ରାଣ ମହାପୁରୁଷ ରାମକୃଷ୍ଣ ପରମହଂସ ଦେବ ଏ ମହାମୂର୍ତ୍ତି ଦେଖିଥିଲେ; ସୁତରାଂ ମହାଭାବରେ ତନ୍ମୟ ହୋଇଥିଲେ ।
ଯେଉଁଦିନ ଝଡ଼ିବର୍ଷା ଅଧିକ ହୋଇ ଦୁର୍ଯୋଗର ପରିଣତ ହୁଏ, ସେ ଦିନ ରାତିରେ ପିତେଇ ତାହା ଘରକୁ ଯାଇପାରେ ନାହିଁ । ନନ୍ଦଙ୍କ ହାଣ୍ଡିଶାଳ ସଂଲଗ୍ନ କୋଠରୀରେ ସେ ଏବଂ ଶେଫାଳିକା ଶୟନ କରନ୍ତି । ସ୍ତ୍ରୀମାନେ ସବୁ ସହି ପାରନ୍ତି; ମାତ୍ର ନୀରବତାର ସୁଚିଭେଦ ଯନ୍ତ୍ରଣା ସହିପାରନ୍ତି ନାହିଁ । ସେଥିରେ ସେମାନଙ୍କର ଶ୍ୱାସରୁଦ୍ଧ ହୋଇଯାଏ । ଭୃତ୍ୟା, ଭର୍ତ୍ତ୍ରିଣୀ, ଅନେକ ବେଳଯାଏ ଗଳ୍ପ କରନ୍ତି । ବର୍ଷାକାଳର ରାତିରେ ଗୀତ କିମ୍ବା ଗଳ୍ପ ଶୁଣିବାକୁ ବେଶ ସୁଖ ଲାଗେ । ଅନେକ ଗଳ୍ପ ହୁଏ, ତାହା ସେ କାଳର ଠାକୁରମାନଙ୍କ ମୁଖଶ୍ରୂତ ରଜାପୁଅ, ମନ୍ତ୍ରୀ ପୁଅ, ସାଧବ ପୁଅ ଆଉ କଟୁଆଳ ପୁଅର ଗଳ୍ପ ନୁହେଁ କିମ୍ବା ରଜା ପୁଅଝିଅର ସୁନା କୁଲେଇ, ରୂପା କୁଲେଇ କଥା ନୁହେଁ । ଏବେ ସେ ରୂପ କଥା ପ୍ରାୟ ଉଠିଗଲାଣି । ସେ ବକ୍ତା ନାହିଁ କି ସେ ଶ୍ରୋତା ନାହିଁ । ଥିଲେ ବକ୍ତାର ଅନୁରାଗ ନାହିଁ କି ଶ୍ରୋତାର ଆଗ୍ରହ ନାହିଁ । ପିତେଇ ଅନେକ ଗପ ଜାଣେ, ସେ ଖଣ୍ଡିଏ ଜୀବନ୍ତ ଆରବ୍ୟୋପନ୍ୟାସ । ଭୂତ, ପ୍ରେତ, ଡାଆଣୀ, ଚିରଗୁଣୀ ପ୍ରଭୃତିର ଅଦ୍ଭୁତ ଚମତ୍କାର କାହାଣୀ ନିପୁଣତାର ସହିତ ସାଳଙ୍କାରରେ ବର୍ଣ୍ଣନା କରିପାରେ । ସେ ରସିକା, ତାହାର ରସଜ୍ଞାନ ଅଛି; ମାତ୍ର ସେ ରୌଦ୍ର ଭୟାନକ ରସର ସମ୍ୟକ୍ ପକ୍ଷପାତିନୀ । ସେ କହେ– ‘‘ଏ ପୃଥିବିଟା କେବଳ ଡାଆଣୀ ଭୂତରେ ପୂରି ରହିଅଛି । ସେମାନେ ଅଦୃଶ୍ୟରେ ଅଛନ୍ତି ବୋଲି ସେମାନଙ୍କୁ କେହି ଦେଖିପାରେ ନାହିଁ । ପିଲାମାନଙ୍କ ପ୍ରତି ତାଙ୍କର ଭାରି ଅହନ୍ତା । ବୟସ୍କମାନଙ୍କ ପ୍ରତି ଯେ ଅନ୍ତରଙ୍ଗ ବନ୍ଧୁ ବ୍ୟବହାର, ତାହା ନୁହେଁ । ତେବେ କୋମଳ ମାଂସ ସେମାନଙ୍କର ଉପାଦେୟ ପ୍ରିୟ ଖାଦ୍ୟ । ପିତେଇ ଡାଆଣୀଗୁଡ଼ାକୁ ତିନି ଶ୍ରେଣୀରେ ବିଭକ୍ତ କରେ । ପ୍ରଥମ ସାଧାରଣ ଡାଆଣୀ ଅର୍ଥାତ୍ ମନୁଷ୍ୟ ମାରି ଯାହା ହୁଏ । ଏ ଡାଆଣୀ ପେଟ ଭିତରେ ପଶି ପିଲାଏ ଯାହା ଖାଇଥାନ୍ତି ତାହାକୁ ଖାଇଯାଏ । ଖାଦ୍ୟାଭାବରେ ଶୁଖି ଶୁଖି ମରିଗଲେ ବାଳକଟି ତାହାର ବାଳଭୋଗ ହୁଏ । ଦ୍ୱିତୀୟ କଞ୍ଚା ଡାଆଣୀ । ସେ ଦୂରରୁ ନଜର ପକାଇଦେଇ ପିଲା ଦେହରୁ ରକ୍ତ ଶୋଷିନିଏ । ତୃତୀୟ ଚରା ଡାଆଣୀ । ତାହାର ପ୍ରତାପ ଭାରି ଉଗ୍ର । ସେ ରାତି ଅଧରେ ଉଲଗ୍ନ ହୋଇ ମୁହଁ ତଳକୁ ଏବଂ ଗୋଡ଼ ଉପରକୁ କରି ଘୁଷୁରି ପରି ଘଡ଼ ଘଡ଼ ହୋଇ ଚାରିଆଡ଼େ ଚରେ । ସେହି ସମୟରେ ତାହା ହାବୁଡ଼ରେ ପଡ଼ିଗଲେ ମଣିଷଟାକୁ ସେ ଅଫିମ ଟେଳାକ ପରି ଗିଳିଦିଏ । ପିତେଇ ଡାଆଣୀ ଭୂତ ସମ୍ବନ୍ଧରେ ନିଜର ଅନୁଭୂତ କଥା ଅନେକ କହେ । ସେ ପିଲାଦିନେ ଖୁବ୍ ସୁନ୍ଦର ଥିଲା, ତାହାର ଦେହ ଚମ୍ପାଫୁଲ ପରି ଗୋରା ଥିଲା; କିନ୍ତୁ ବର୍ତ୍ତମାନ ଜହ୍ନିମଞ୍ଜି ପରି । ତାହାର ସୌନ୍ଦର୍ଯ୍ୟରେ ମୁଗଧ ହୋଇ ଭୂତ ପ୍ରେତ ତାହା ଉପରେ କେତେଥର ଦୃଷ୍ଟି ପକାଇ ଅଛନ୍ତି-। ସେଥିପାଇଁ ତାହାର ବାପ ଗୌଣିଏ ଟଙ୍କା ଖର୍ଚ୍ଚ କରି ଢେର ଟାଣୁଆ ଟାଣୁଆ ଗୁଣିଆ ଅଣାଇ ସ୍ନେହର ଦୁଲାଳୀଟିକୁ ସେହି ସବୁ ଅପଦେବତା ଆକ୍ରମଣରୁ ବହୁକଷ୍ଟରେ ରକ୍ଷା କରିଅଛି । ତାହା ବାପଘର ଗାଁ ପଛରେ ଖୁବ ବଡ଼ ବରଗଛ ଅଛି । ତାହାକୁ ମଶାଣି ବର କହନ୍ତି । ଦୁନିଆଯାକର ଭୂତ ଆସି ସେଥିରେ ବସା ବାନ୍ଧି ଅଛନ୍ତି । ଖରାଦିନେ ଦୁମଦୁମିଆ ଦ୍ୱିପହରେବେଳେ ଭୂତଗୁଡ଼ାକ ଡାଳମାଙ୍କୁଡ଼ି ଖେଳୁଥିବାର ଅନେକେ ଦେଖିଅଛନ୍ତି । ଦିନେ ସ୍ୱୟଂ ଶ୍ରୀମତୀ ପିତେଇ ସେହି ଗଛ ପାଖରେ ଭୂତ ହାବୁଡ଼ରେ ପଡ଼ିଥିଲା । ଗୋଟାଏ ଭୂତ ଆଖି ତରାଟି ତାହାକୁ ଖତାଇ ହେଲା । ସେ ମୂର୍ଚ୍ଛିତ ହୋଇ ପଡ଼ିଗଲା, ତାହାର ଦାନ୍ତ କବାଟି ପଡ଼ିଗଲା । ଲଙ୍ଗଳର ଫାଳରେ ଦାନ୍ତକୁ ତାଡ଼ି ତାକୁ ପାଣି ପିଆଇବାକୁ ହୋଇଥିଲା । ଏହିପରି ବହୁ ଉପଚାରରେ ବହୁ କଷ୍ଟରେ ସେ ସାଷ୍ଟମ ହୋଇଥିଲା । ଭୂତର ଆକୃତି ବର୍ଣ୍ଣନାରେ ସୁଦ୍ଧା ପିତେଇ ସିଦ୍ଧହସ୍ତା । ସେ କହେ, ‘ଭୂତ ତାଳଗଛ ପରି ଡେଙ୍ଗା, ତାହାର ମୁହଁ ଗୋଜିଆ, ନାକଟା ମାଛଧରା ବାଙ୍କୀ ପରି ବଙ୍କା । ଭୂତର ତାଳୁ ଉପରେ ଚାରିଟା ଆଖି, ଦେହରେ ମାଂସ ନାହିଁ– ଖାଲି ହାଡ଼ ଉତ୍ୟାଦି ଇତ୍ୟାଦି ।’
ଦିନେ ଶେଫାଳିକା ପଚାରିଲେ– ‘‘ପିତେଇ, ଚରାଡ଼ାଆଣୀ କଅଣ, ଜୀଅନ୍ତା ମଣିଷ ନା-?’ ପିତେଇ କହିଲା– ‘‘ହଁ ମା, ଜୀଅନ୍ତା ମଣିଷ । ଗୋଟା ଗୋଟାକାର ନକ୍ଷତ୍ର ଦୋଷଥାଏ, ସେ ଚରାଡ଼ାଆଣୀ ହୁଅନ୍ତି । ଚରାଡ଼ାଆଣୀ କଥା କହିବି, ଶୁଣିବ ? ପିଲାଦିନେ ମୁଁ ମାମୁଘରକୁ ଯାଇଥିଲି-। ମାମୁଘର ଗାଁରେ ବନା ବୋଲି ଗୋଟାଏ ଗୁଣିଆ ଅଛି । ତାହା ପରି ଗୁଣିଆ ମହୀମଣ୍ଡଳରେ ନାହିଁ । ସେ ଏପାରି ଗଛ ସେପାରି କରିପାରେ । ସମସ୍ତେ କହନ୍ତି, ‘ରାଉତ ଘର ମଝିଆଁ ବୋହୂ ରାତି ଅଧରେ ଉଠି ଚରିବାକୁ ଯାଏ, ସେ ଯିବାବେଳେ ନିଦ ମାଟି ପକାଇ ଦେଇଯାଏ । ଘରର ସମସ୍ତେ ଘନ ନିଦରେ ମଲା ପରି ପଡ଼ିଯାଆନ୍ତି, କେହି ତାହାର ଯିବାଆସିବା ଜାଣି ପାରନ୍ତି ନାହିଁ । ଦିନେ ରାତିରେ ବନା ଦେଖିଲା ପୋଖରୀ ହୁଡ଼ା ଉପରେ ଗୋଠେ ଚରାଡ଼ାଆଣୀ ଲଙ୍ଗଳା ହୋଇ ଚରୁଚନ୍ତି । ସମସ୍ତେ ପୋଖରୀ ଘାଟ ପାହାଚ ଉପରେ ଲୁଗା ରଖି ଯାଇଅଛନ୍ତି । ବନା ସେହି ଲୁଗା ଉପରେ ପିଙ୍କାଗୁଳ ଝାଡ଼ିଦେଇ କେତେ ଜାଗା ପୋଡ଼ିଦେଲା । ତହି ପରେ ଘରକୁ ଯାଇ ଗୋଟାଏ ଡମ୍ବରୁ ଘେନି ଆସିଲା । ପୋଖରୀର ଖଣ୍ଡେ ଛଡ଼ାରେ ମଶାଣିପଦା । ବନା ସେହି ମଶାଣି ଭୂଇଁରେ ବସି ଡମ୍ବରୁ ବଜାଇଲା । ଇମିତି ମନ୍ତ୍ର କରିଦେଲା ଯେ, ପଲକଯାକ ଚରାଡ଼ାଆଣୀ ଯାଇ ତାହା ଆଗରେ ନାଚିଲେ । ସେ ସମସ୍ତଙ୍କୁ ଚିହ୍ନିଲା ରାଉତ ଘର ମଝିଆଁ ବୋହୂ ବି ତାଙ୍କ ଭିତରେ ଥିଲା । ସମସ୍ତେ ବନାକୁ ଜୁହାର ନେହୁରା ହେଲେ, ବନା ସେମାନଙ୍କୁ ଛାଡ଼ିଦେଲା । ବନା ସିନା ଛାଡ଼ିଦେଲା, ତାଙ୍କ ଲୁଗାରେ ଯେଉଁ ପିଙ୍କାଗୁଳର ପୋଡ଼ା ଚିହ୍ନ ଥିଲା, ସେହି ଚିହ୍ନ ସମସ୍ତଙ୍କୁ ସକାଳୁ ଧରାଇ ଦେଲା । ଗାଁରେ ସମସ୍ତେ ଜାଣିପାରି ସେମାନଙ୍କୁ ନାନା ହଟହଟା କରି ଶେଷରେ ଜଳକା ବାଣ ମାରି ଅନ୍ଧ କରିଦେଲେ । ତମେ ବିଶ୍ୱାସ କର ବା ନ କର ମୁଁ ଏହା ଆଖିରେ ଦେଖିଛି । ମା । ଯଦି ମିଛ କହୁଥିବି, ତେବେ ମୋର ଦି ଆଖି ଫୁଟିଯିବ ।
ବାସୂଳୀପଦା ଗ୍ରାମରେ ପିତେଇର ମାମୁଘର । ସେ ଗ୍ରାମରେ ବନାଶିଅଳ ନାମରେ ଗୋଟାଏ ଚମାର ଟୋକା ନିଜକୁ ଅଦ୍ୱିତୀୟ ଗୁଣିଆ ବୋଲି ପ୍ରଚାର କରିବୁଲେ; ମାତ୍ର ଗୁଣିବିଦ୍ୟାର ଗ ଅକ୍ଷର ସଙ୍ଗରେ ସୁଦ୍ଧା ତାହାର ପରିଚୟ ନାହିଁ । କେବଳ ପ୍ରତାରଣା । ଭଣ୍ଡପଣ ତାହାର ବ୍ୟବସାୟ । ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇବା ପାଇଁ ସେ ଅନେକ ସମୟରେ ଶ୍ମଶାନରେ ବୁଲେ ଏବଂ ନିଜକୁ ଖୁବ୍ ବଢ଼ାଇ କଥା କହେ । ସରଳପ୍ରାଣ ନିରକ୍ଷର ପଲ୍ଲୀବାସୀଏ ତାହାକୁ ଗୋଟାଏ ଯୋଗଜନ୍ମା ମଣି ତାହା କଥାରେ କେହି କେହି ବିଶ୍ୱାସ ସ୍ଥାପନ କରନ୍ତି; ମାତ୍ର ଯେଉଁମାନେ ଟିକିଏ ଚେଙ୍ଗାଚତୁର ଧରଣର ଲୋକ, ସେମାନେ ଆଦୌ ତାହା କଥା ପତ୍ରରେ ପକାନ୍ତି ନାହିଁ । ବନା ସୁଦ୍ଧା ସେମାନଙ୍କ ପାଖରେ ବିଫଳ ଆସ୍ଫାଳନ କରେ ନାହିଁ । ସେ ଘାଟ ଚିହ୍ନି ପାଣି ପିଏ । ସେ କହେ– ‘‘ତାହାର ଅସାଧ୍ୟ କିଛି ନାହିଁ, ଯେମନ୍ତ କି ଆରବ୍ୟ ଉପନ୍ୟାସ ବର୍ଣ୍ଣିତ ଆଲାଉଦ୍ଦିନର ଆଶ୍ଚର୍ଯ୍ୟ ପ୍ରଦୀପ ତାହା ହାତରେ ଅଛି । ଦିନେ ରାତିରେ ରାଉତଘର ମଝିଆଁ ବୋହୂ, ତୁଳସୀର ପେଟ କାଟିଲା । ସେ ତର ତର ହୋଇ ଉଠି ପୋଖରୀପାଣି ଗଲା । ଲୁଗା ଖଣ୍ଡି ପାଇଟି ଆଡ଼ି ଉପରେ ରଖି ଯାଇଥିଲା । ଦୁର୍ବୁତ୍ତ ବନା ତାହାକୁ କଳଙ୍କିତ କରିବା ଉଦ୍ଦେଶ୍ୟରେ ତାହା ଲୁଗାରେ ପିଙ୍କାଗୁଳ ଝାଡ଼ି ଦେଇଥିଲା । ତହିଁ ଆରଦିନ ସକାଳେ ତୁଳସୀ ନାମରେ ଚରାଡ଼ାଆଣୀର ଅପବାଦ ଉଠିଲା । ମାତ୍ର ସତ୍ୟ କେବେ ଲୁଚି ରହେ ନାହିଁ, ଅଗ୍ନିପରି ବହୁ ଆବରଣ ଭସ୍ମ କରି ଆତ୍ମପ୍ରକାଶ କରେ । ଅଳ୍ପ ଦିନ ମଧ୍ୟରେ ପ୍ରକୃତ ଘଟଣା ଜଣାପଡ଼ିଗଲା । ରାମବାରିକ ନାମରେ ଜଣେ ବୃଦ୍ଧ ଗଛ ଉହାଡ଼ରେ ପୋଖରୀପାଣି ବସି କୀର୍ତ୍ତିଚନ୍ଦ୍ର ବନମାଳୀର କୀର୍ତ୍ତି ଦେଖିଥିଲା । ଯଥାସମୟରେ ସେ ସବୁ ପ୍ରକାଶ କରିଦେଲା । ଜଣେ ଅନ୍ତଃପୁରସ୍ଥା ସ୍ତ୍ରୀ ଲୋକ ନାମରେ ଅକାରଣ କଳଙ୍କ ରଚନା କରିଥିବାରୁ ବନା ଗ୍ରାମବାସୀଙ୍କଠାରୁ ଉତ୍ତମ ମଧ୍ୟମ ପୁରସ୍କାର ଲାଭ କଲା । କଥାରେ କହନ୍ତି, ‘ମାଡ଼ ଭୟରେ ଦେବତା ଛାଡ଼ି ପଳାନ୍ତି ।’ ସେହିଦିନଠାରୁ ବନା ନିରୁଦ୍ଦେଶ । ବହୁ ଅନୁସନ୍ଧାନରେ, ବହୁ ଅର୍ଥବ୍ୟୟରେ ଆମ୍ଭେମାନେ ଏ ଘଟଣାର ପ୍ରକୃତ ତଥ୍ୟ ଅବଗତ ହୋଇଅଛୁଁ । ଏଥିରେ ଅ–ମିଥ୍ୟାର ଗନ୍ଧ ଥାଉ ବା ନ ଥାଉ ମାତ୍ର ମିଥ୍ୟା ନୁହେଁ, ଏହା ହଲପ କରି କୁହାଯାଇପାରେ । ଆମ୍ଭମାନଙ୍କର ଏହି ପ୍ରାମାଣିକ କଥା ସଙ୍ଗରେ ପିତେଇର ବର୍ଣ୍ଣନା ମିଳାଇ ଦେଖିଲେ ପିତେଇ ଶତକରା କେତେ କୋଡ଼ି ମିଥ୍ୟା କହେ, ତାହା ପାଠକମାନେ ସହଜରେ ହୃଦୟଙ୍ଗମ କରିପାରିବେ, ମାତ୍ର ଆମ୍ଭେମାନେ ନିରୁତ୍ତର ।
ସ୍ତ୍ରୀମାନେ ଯେତେ ଶିକ୍ଷିତା, ପଣ୍ଡିତା ହେଉନ୍ତୁ ପଛେ ଏବଂ ମୁହଁରେ ଯାହା କହନ୍ତୁ ପଛେ, ଭୂତ ପ୍ରେତ ଭୟ ସେମାନଙ୍କର ଜନ୍ମଗତ ସଂସ୍କାର । ଅନେକ ସ୍ତ୍ରୀଙ୍କ ଡାଆଣୀ ମାଡ଼ିବସେ । ଡାଆଣୀ ଛଡ଼ାଇ ଅନେକ ମନ୍ତ୍ର ଯନ୍ତ୍ର ଅଛି । ପଲ୍ଲୀଗ୍ରାମରେ ସେଥିର ଚିତ୍ର ପ୍ରକଟ । ସହରର କଥା ସ୍ୱତନ୍ତ୍ର, ସେଠାରେ ବାବୁ ଭୟାଙ୍କର ବାସ । ସେମାନେ ମଲେ ବି ଭୂତ ହୁଅନ୍ତି; ମାତ୍ର ସଭ୍ୟ ଶିକ୍ଷିତ ବାବୁଭୟା ଭୂତ । ସେମାନଙ୍କର ପଲ୍ଲୀଭୂତସୁଲଭ ଉପଦ୍ରବ ବା ଅତ୍ୟାଚାର ନାହିଁ । ସେମାନଙ୍କର ବ୍ୟବହାର ଶିଷ୍ଟାଚାରସମ୍ମତ । ସେହି ଭଦ୍ର ଭୂତମାନଙ୍କର ଆଖ୍ୟାନ ସଚିତ୍ର ଭାବରେ ସଭ୍ୟ ସ୍ୱାଧୀନ ଦେଶମାନଙ୍କରେ ସାମୟିକ ପତ୍ରିକାକାରରେ ପ୍ରକାଶିତ ହେଉଅଛି । ସୁତରାଂ ଏଠାରେ ଲେଖିବା ବାହୁଲ୍ୟ ମାତ୍ର ।
ଶେଫାଳିକା ସ୍ୱଭାବତଃ ଅତି ଭୀରୁପ୍ରକୃତିକା । ପିତେଇର ବର୍ଣ୍ଣନା ସେ ଭୟକୁ ଆହୁରି ପ୍ରବଳ କରିଦେଲା । ସେ ମନେ ମନେ ଭାବିଲେ– ‘‘ସତେ ତ, ଡାଆଣୀ ଭୂତଙ୍କ ଦୃଷ୍ଟି ନଜରକୁ ପିଲାମାନଙ୍କୁ ରକ୍ଷା କରିବା ତ ପ୍ରଧାନ କଥା ।’’ ଏହା ଭାବି ସେ ଅନେକ ଗୁଣିଆଙ୍କ ପାଖରୁ ଅନେକ ଚେର ମୂଳ ସଂଗ୍ରହ କଲେ । ଗ୍ରହଣ ସମୟରେ ଅଷ୍ଟ ଧାତୁରେ ଡେଉଁରିଆ ତୟାର କରାଇ ତାହା ଭିତରେ ଉପରୋକ୍ତ ଭୂତ ପ୍ରେତର ଅବ୍ୟର୍ଥ ପ୍ରତିଷେଧକ ଔଷଧ ରଖି ଶିଶୁକୁ ପିନ୍ଧାଇଦେଲେ-। ଏହିପରି ଡେଉଁରିଆ ମାଳାରେ କିଛିଦିନ ପରେ ଶିଶୁର କଟି କଷ୍ଠ ଏବଂ ବାହୁ ଆଚ୍ଛାଦିତ ହେଲା । ଶିଶୁର ମୁଣ୍ଡରେ ତିନିଟା ଜଟା ରହିଲା । ମାନସିକ ରହିଲା– ‘‘ପିଲା ବଢ଼ିଲେ ତିନୋଟି ସୁନାମଧନ୍ୟ ଦେବତାବିଶେଷଙ୍କ ପୀଠରେ ତାହାର ବାଳ ପଡ଼ିବ । ଏତଦ୍ୱାରା ଦେବତାଙ୍କୁ ନଖ ବାଳ ଦେବା ଉଦ୍ଦେଶ୍ୟ ନୁହେଁ, ତାହା ଦେବଋଣର ଗୋଟାଏ ଚିହ୍ନ । ମନୁଷ୍ୟ ମାୟା ମୋହର ଭୋକ, ଦୁଃଖବେଳେ ସେ ଦେବତାଙ୍କୁ ଡାକେ, ଭୋଗପୂଜା ମାନସ କରେ, ମାତ୍ର ସୁଖବେଳେ ସବୁ ଭୁଲିଯାଏ । ନିଜର ପ୍ରତିଶ୍ରୁତି କାଳେ ଭୁଲିଯିବ, ସେଥିସକାଶେ ଗୋଟାଏ ସ୍ମାରକ ଚିହ୍ନ ରଖିବାକୁ ହୁଏ । ଦେବଋଣ ପରିଶୋଧ ସଙ୍ଗେ ସଙ୍ଗେ ସେ ଚିହ୍ନ ମଧ୍ୟ ପରିତ୍ୟାଗ କରାଯାଏ । ଶେଫାଳିକାଙ୍କ ସଯତ୍ନ ଲାଳନ ପାଳନରେ ଶିଶୁ କ୍ରମଶଃ ବର୍ଦ୍ଧିତ ହେବାକୁ ଲାଗିଲା । ଶେଫାଳିକା ତାହାକୁ ଦଣ୍ଡେ ତଳେ ପକାଇ ଦିଅନ୍ତି ନାହିଁ– ସବୁବେଳେ କାଖରେ କୋଳରେ ଧରି ଥାଆନ୍ତି । ଶିଶୁ କେତେବେଳେ ଟିକିଏ କାନ୍ଦିଉଠିଲେ ତାଙ୍କ ସର୍ବଶରୀରରେ ବେଦନାର ଗୋଟାଏ ବିଦ୍ୟୁଜ୍ଜ୍ୱାଳା ବହିଯାଏ । ସେ ନାନା କୌଶଳରେ ସ୍ନେହ ଗଗନର ସେହି ଧ୍ରୁବ ନକ୍ଷତ୍ରଟିକୁ ତୁନି କରାନ୍ତି । ଏହିପରି ଭାବନାରେ ଦିନ ପରେ ଦିନ, ମାସ ପରେ ମାସ ଅତୀତ ହେବାକୁ ଲାଗିଲା ।