ତୃତୀୟ ପରିଚ୍ଛେଦ — ଶନିସପ୍ତା — ଚିନ୍ତାମଣି ମହାନ୍ତି · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ତୃତୀୟ ପରିଚ୍ଛେଦ
ନନ୍ଦେ ଭୋଜନାନ୍ତେ ଖଟ ଉପରେ ଚିତ୍ ହୋଇପଡ଼ି ବିଶ୍ରାମ କରୁଅଛନ୍ତି । ଶୋଫାଳିକା ପାଖରେ ବସି ଖଣ୍ଡେ ପଙ୍ଖା ଧରି ସ୍ୱାମୀଙ୍କୁ ବିଞ୍ଚି ଦେଉଅଛନ୍ତି । ନାନା ବିଷୟର କଥାବାର୍ତ୍ତା ବିଶୃଙ୍ଖଳ ଭାବରେ ଚାଲିଅଛି; ମାତ୍ର ଚୋରର କରଣୀ ନନ୍ଦଙ୍କ ମନରୁ ପାଶୋରି ଯାଇନାହିଁ । ସେ ହସିଉଠି କହିଲେ– ‘‘ଚୋରକଥା ମତେ ତାଟଙ୍କା ଲାଗିଛି । ଚୋର ଭିତରେ କି ଆହୁରି ଏଭଳି ଭଦ୍ରଲୋକ ଅଛନ୍ତି ?’’ ଶୋଫାଳିକା କହିଲେ– ‘‘ହଁ, ସେ ସାଧୁଚୋର ।’’ ନନ୍ଦେ ଉଚ୍ଚହାସ୍ୟରେ ଗୃହ କମ୍ପିତ କରି କହିଲେ– ‘‘ଠିକ୍ ଠିକ୍, ସେ ସାଧୁଚୋର । ସେ ଧାର୍ମିକ, ନିର୍ଲୋଭ ଓ ପରୋପକାରୀ । ସେଭଳି ଚୋର ହାତରେ ସର୍ବସ୍ୱ ସଅଁପି ଦେଇ ନିଶ୍ଚିନ୍ତ ରହିବାକୁ କାହାର ଇଚ୍ଛା ନ ହେବ ? ସେପରି ଚୋର ସଂଖ୍ୟା ଗ୍ରାମରେ ଯେତେ ବଢ଼ିବ, ତେତେ ମଙ୍ଗଳ । ସେ ବାହାଦୂର ଚୋରକୁ ସର୍କାରରୁ ‘‘ଚୋର ବାହାଦୂର’’ ଉପାଧି ମିଳିବା ଉଚିତ ।’’ ଶୋଫାଳିକା ସେ କଥାରେ ମନ ନ ଦେଇ ସ୍ୱାମୀଙ୍କୁ କହିଲେ– ‘‘ଆଛା, ତମେ ଯେ ଜମି କରିବାକୁ କହୁଛ, ଜମି କିଏ ଭୋଗ କରିବ ? ନନ୍ଦେ ଦେଖିଲେ, ବନ୍ଧ୍ୟାନାରୀର ନେତ୍ରଦ୍ୱୟ ବ୍ୟଥାରେ ଛଳଛଳ ଏବଂ ତାହାର ଦୃଷ୍ଟି ଉଦାସ ଓ ଅର୍ଥହୀନ । ସ୍ତ୍ରୀଙ୍କର ଏହି କ୍ଷୁଦ୍ର ପ୍ରଶ୍ନଟି ଭିତରେ କେଡ଼େ ମର୍ମପୀଡ଼ା, କେଡ଼େ ଯନ୍ତ୍ରଣା ଲୁଚି ରହିଅଛି, ତାହା ଜାଣିବାକୁ ଅଧିକ ବିଳମ୍ବ ହେଲା ନାହିଁ । ସହଧର୍ମିଣୀଙ୍କ ମନର ଭାବ ତାଙ୍କ ମୁଖ ଏବଂ ଚକ୍ଷୁରେ ପ୍ରକାଶ ପାଇଲା । ସେ ଭାବ ଗୋପନ କରି କହିଲେ– ‘‘କଅଣ କହିଲ, ଜମି କିଏ ଭୋଗ କରିବ ? ନିଜ ପାଇଁ ତ ସଞ୍ଚୟ କରିବା ଦରକାର । କହନ୍ତି ପରା, ଯେତେ କ୍ଷଣ ଶ୍ୱାସ, କେତେ କ୍ଷଣ ଆଶ୍ । ପେଟଲାଗି ସବୁ କରିବାକୁ ହେବ । ପେଟ ତ ଆଉ ଫିଙ୍ଗିଦେବା ପଦାର୍ଥ ନୁହେଁ ।’’ ଶେଫାଳିକା କହିଲେ– ‘ନା, ପେଟ ଫିଙ୍ଗିଦେବାକୁ ମୁଁ କହୁନାହିଁ, ଖାଲି ଏତିକି କହୁଛି ଯେ, ‘‘ଯଦି ଛୋଟା ଲେଙ୍ଗଡ଼ା ହୋଇ ଖଣ୍ଡେ ଥାଆନ୍ତା !’’ କହୁଁ କହୁଁ ତାଙ୍କର ଆଖିଯୋଡ଼ିକ ଅଶ୍ରୁରେ ବୁଡ଼ିଗଲା । କଣ୍ଠସ୍ୱର ଆର୍ଦ୍ର ହୋଇ ଭାରି ହୋଇ ଉଠିଲା । ଦୁଃଖ ଯେପରି ତାଙ୍କର ସର୍ବାଙ୍ଗ ଫୁଟି ବାହାରି ପଡ଼ିଲା । ସେ ଖାଲି ଧକେଇ ହେଲେ; ମାତ୍ର କାନ୍ଦି ପାରିଲେ ନାହିଁ । ସେ କାନ୍ଦି ପାରିଲେ ନାହିଁ; କିନ୍ତୁ ତାଙ୍କର ହୃଦୟ କାନ୍ଦିଉଠିଲା, ଅଣୁ ପରମାଣୁ ସୁଦ୍ଧା କାନ୍ଦି ଉଠିଲେ । ଦେହ ଘନ ଘନ ଝାଳେଇ ଉଠିଲା । କି ଏକ ଗୁପ୍ତ ଗଭୀର ରହସ୍ୟ ଶେଫାଳିକାଙ୍କୁ ଘେରି ରହିଛନ୍ତି । ତାଙ୍କର ଅଭାବ କଅଣ, ବ୍ୟଥା କେଉଁଠାରେ, ନନ୍ଦେ ତାହା ଜାଣନ୍ତି । ସେ ଭାବିଲେ – ‘‘ବନ୍ଧ୍ୟାନାରୀର ହୃଦୟରେ ମାତୃତ୍ୱର ଯେଉଁ ଉଦ୍ଦାମବାସନା ସ୍ରୋତ ପ୍ରବଳ ବେଗରେ ଧାଇଁଅଛି, ତାହାର ପରିସମାପ୍ତି କେଉଁଠାରେ, ତାହା ସର୍ବଜାଣ ବିଧାତା ବିନା ଆଉ କିଏ ଜାଣିପାରିବ ?’’ ନନ୍ଦେ ଗୋଟାଏ ନିରାଶା ନିଃଶ୍ୱାସ ତ୍ୟାଗ କରି କହିଲେ– ‘‘ସନ୍ତାନସୁଖ ତ ଆମ୍ଭ କପାଳରେ ନାହିଁ, ମନସ୍ତାପ କଲେ କଅଣ ହେବ ? ଈଶ୍ୱରଙ୍କ କୃପା ସନ୍ତାନ ରୂପ ଧରି ଜନ୍ମଗ୍ରହଣ କରେ । ଆମେ ପାପୀ, ସେ କୃପା ଆମ୍ଭ ଦୁର୍ଭାଗ୍ୟରେ କାହୁଁ ମିଳିବ ?’’ ଶେଫାଳିକା ସ୍ୱାମୀଙ୍କ ମୁଖକୁ ଦୀନନେତ୍ରରେ ଚାହିଁ ରହି କହିଲେ–‘‘ଈଶ୍ୱରଙ୍କ କୃପା କି ଖାଲି ଧାର୍ମିକ ଭାଗ୍ୟରେ ଘଟେ ନାହିଁ । ଗଙ୍ଗାଜଳରେ ସୂର୍ଯ୍ୟର ପ୍ରତିବିମ୍ବ ପଡ଼େ, ଆଉ ଚର୍ମନାସା ଜଳରେ ପଡ଼େନାହିଁ ? ଈଶ୍ୱର ସମଦର୍ଶୀ, ତାଙ୍କ ପ୍ରତି ପକ୍ଷପାତିତା ଦୋଷାରୋପ କରିବା କେବଳ ଅନ୍ୟାୟ ନୁହେଁ – ପାପ !’’ ନନ୍ଦେ ସେ କଥାର କିଛି ଉତ୍ତର ଦେଇ ସନ୍ତାପିତା ସ୍ତ୍ରୀଙ୍କୁ ଅନ୍ୟମନସ୍କ କରାଇବା ଉଦ୍ଦେଶ୍ୟରେ ଏଣୁ ତେଣୁ ନାନା କଥା କହିବାକୁ ଲାଗିଲେ । କିନ୍ତୁ ଶେଫାଳିକା ତାହା ଗ୍ରହଣ କଲେ ନାହିଁ । ଶିଶୁର ପ୍ରିୟ କଣ୍ଢେଇଟି ଲୁଚାଇ ରଖି ଅନ୍ୟ ଯେତେ ନମ୍ବର କଣ୍ଢେଇ ଦେଲେ ସୁଦ୍ଧା ସେ ତାହାସବୁ ଫିଙ୍ଗିଦିଏ । କିଛିକ୍ଷଣ ପରେ ଶେଫାଳିକା କହିଲେ– ‘‘କେତେ ଅପୁତ୍ରିକ ତୁମ୍ଭଦ୍ୱାରା ପୂଜା କରାଇ ପୁତ୍ରବାନ୍ ହେଉଅଛନ୍ତି, ତେବେ ତୁମ୍ଭେ ନିଜେପାଇଁ ପୂଜା କରୁନାହଁ କାହିଁକି-?’’ ନନ୍ଦେ ମୃଦୁ ହସି କହିଲେ– ‘‘ନିଜ ମନ୍ତ୍ର ନିଜକୁ କାଟେ ନାହିଁ । ସେ ଯାହା ଦେଉ, ମୋର ସୂତ ସ୍ଥାନରେ ଦୋଷ ଅଛି, ପୂଜାପୂଜିରେ କିଛି ଫଳ ହେବାର ଆଶା ନାହିଁ । କିଏ ପୁଅ କାହାର, ସବୁ ତୁଛା ମାୟାର କୁହୁକ, କି ମିଳିବ ସେଥିରୁ ।’’ ଶେଫାଳିକା କହିଲେ– ‘‘ସମସ୍ତେ ତୁମ୍ଭରି ପରି ନିର୍ମାୟ ନିଷ୍କାମ ହେଲେ ସୃଷ୍ଟିରକ୍ଷା କିପରି ହେବ ?’’ ନନ୍ଦେ ହୋ ହୋ ହସି ଉଠି କହିଲେ– ‘‘ସୃଷ୍ଟି ରକ୍ଷା ଦୁରାକାଙ୍କ୍ଷା ମୋତେ କରିବାକୁ ହେବ ନାହିଁ । ସମସ୍ତେ ମୋ ପରି ନୁହନ୍ତି । ମୋତେ ଛାଡ଼ି ଆଉ ଯେତେ ଅଛନ୍ତି, ସେମାନେ ସୃଷ୍ଟି ରକ୍ଷା କରିବେ । ବିଧାତା ମୋତେ ଏକା ଯୋଗ୍ୟପାତ୍ର ମଣି ମୋ ମୁଣ୍ଡରେ ପାଟଶାଢ଼ୀ ବାନ୍ଧି ମୋ ଉପରେ ସୃଷ୍ଟି ରକ୍ଷାର ଭାର ଦେଇ ନାହାନ୍ତି । ତୁମ୍ଭର ସ୍ୱାମୀ ଏଡ଼େ ବଡ଼ ଶକ୍ତିଧରି ବୋଲି ଜ୍ଞାନ କରନାହିଁ । ସେପରି ମହାପୁରୁଷ ଲକ୍ଷଣ ମୋ ଦେହରେ ନାହିଁ-।’’ ସ୍ୱାମୀଙ୍କର ଏ ବକ୍ରୋକ୍ତି ଶୁଣି ଶେଫାଳିକା ଟିକିଏ ଅପ୍ରତିଭ ହେଲେ; ମାତ୍ର ତାହା ତାଙ୍କର ବାହାରୁ ପ୍ରକାଶ ପାଇଲା ନାହିଁ । କିୟତ୍କ୍ଷଣ ପରେ କହିଲେ– ‘‘ଆଛା, ସେ କଥା ନ ହେଲା ତ ନାହିଁ, ତେବେ ଆଉ ଗୋଟିଏ କଥା କହିବି ରଖିବ ନା ? ନନ୍ଦେ ଟିକିଏ ଦୁଷ୍ଟାମି କରି ଦାମ୍ପତ୍ୟ କୌତୁକରେ କହିଲେ– ‘‘ନା, ମୁଁ ତୁମ କଥା ତ କେବେ ରଖେ ନାହିଁ ।’’ ଶେଫାଳିକା କହିଲେ– ‘‘ନା, ମୁଁ ତାହା କହୁନାହିଁ । ଆଛା, ସତ କୁହନି ରଖିବ ?’’ ନନ୍ଦେ କହିଲେ– ‘‘ଯଦି ସତ ମିଛ ମିଶାଇ କହେଁ ?’’ ଶେଫାଳିକା କୃତ୍ରିମ ରୋଷ ପ୍ରକାଶପୂର୍ବକ କହିଲେ– ‘‘ଯାଃ,ସବୁ କଥାରେ ଖାଲି ଥଟା ଟାପରା ?’’ ନନ୍ଦେ କହିଲେ– ‘‘ନା, ଆଉ ଥଟା କରିବି ନାହିଁ, ସତ କହିବି; କଅଣ କୁହ ?
ଶେଫାଳିକା– ସତ କହୁଛ, ନିଶ୍ଚୟ କରିବ ?
ନନ୍ଦେ– ଏ ତୁମ୍ଭର ଅନୁରୋଧ, ନା କଠୋର ଉତ୍ପୀଡ଼ନ ?
ଶେଫାଳିକା– ଉତ୍ପୀଡ଼ନ ନୁହେଁ, କି ନିର୍ଯାତନା ନୁହେଁ – କାକର ଅନୁରୋଧ ।
ଶେଫାଳିକା– ତୁମ୍ଭେ ବିବାହ କର ।
ଶେଫାଳିକାଙ୍କର କଣ୍ଠସ୍ୱର କମ୍ପିତ ହୋଇଗଲା । ସେ ସ୍ୱରରେ ବେଦନା ଅଛି, ପ୍ରାର୍ଥନା ଅଛି ଏବଂ ଅଭିମାନ ଅଛି । ଏହି ପ୍ରାର୍ଥନା ଭିତରେ କେଡ଼େ ଗଭୀର ବେଦନା ଲୁଚି ରହିଅଛି, ନନ୍ଦେ ତାହା ବୁଝିଲେ ଏବଂ ପୁନଶ୍ଚ ଉଚ୍ଚହାସ୍ୟର ହାଟ ବସାଇ ଦେଇ କହିଲେ– ‘‘ବିବାହ ? ହଁ ବିବାହ କରିବି । ଛଖଣ୍ଡିଆ ପାଲଙ୍କିରେ ଚଢ଼ି ଶଶୁର ଘରକୁ ଯିବି, ହରିବୋଲ ପଡ଼ିବ, ଝାଞ୍ଜ କରିତାଳ ବାଜିବ । ଆଃ, କି ମଜା ! କନ୍ୟା କିଏ ଜାଣ ନା ? କନ୍ୟାର ନାମ ଅଗ୍ନିଶିଖା । ଏ ଶୁଭ ବିବାହ ଶ୍ମଶାନ ବେଦୀରେ ହେବ ।’’ ଶେଫାଳିକା ସ୍ୱାମୀଙ୍କର ଏ ରସିକତାରେ ବିରକ୍ତ ହୋଇ କହିଲେ– ‘‘ଛି, ସେପରି ଅମଙ୍ଗଳ କଥା ମୁହଁରେ ଧରନ୍ତି ନାହିଁ ।’’ ଏହାକହି ସେ କୌଣସି ପ୍ରକାରରେ ଉଛ୍ୱସିତ କ୍ରନ୍ଦନର ବେଗ ସମ୍ଭାଳି ପାରିଲେ ନାହିଁ । ସ୍ୱାମୀଙ୍କ ପାଦ ଉପରେ ପଡ଼ି ଅନର୍ଗଳ କାନ୍ଦିବାକୁ ଲାଗିଲେ । ନନ୍ଦେ ଉଠିପଡ଼ି ସ୍ତ୍ରୀଙ୍କୁ ଉଠାଇ ବସାଇଲେ ଏବଂ କୁଞ୍ଚକାନିରେ ତାଙ୍କର ଲୁହ ପୋଛି ଦେଉଁ କହିଲେ– ‘‘ଛି ପିଲାଙ୍କ ପରି ତମେ ଏଡ଼େ ଅଧୈର୍ଯ୍ୟ । ତମେ କଣ ପାଗଳ ହେଲ, ବିବାହ କରିବାକୁ ମୋର ଆଉ ବୟସ ଅଛି ?’’ ଶେଫାଳିକା ଅଶ୍ରୁ ସମ୍ବରଣ କରି ଶାନ୍ତ ସ୍ୱରରେ କହିଲେ– ‘‘କି, ତମେ କଅଣ ବୁଢ଼ା ହୋଇଗଲଣି ? ବୟସ ବୋଲି ଏଇ ତ ଦିକୋଡ଼ି ଏଗାର । ଏ ବୟସରେ କି ଲୋକେ ବିବାହ କରୁନାହାନ୍ତି ? ମୋ ବାପଘର ଗାଁର ନିମୁ ଖାଡ଼ଙ୍ଗା ଯେତେବେଳେ ବିବାହ କଲା, ତେତେବେଳକୁ ତାହର ବୟସ ତିନି କୋଡ଼ିରୁ ଚାରିବର୍ଷ ଉଣା । ଉଛୁଣି ତାହାର ତିନି ପୁଅ, ଦୁଇ ଝିଅ । ଏହି ତମର ଗାଁ ମୂଳି ପାଣି ତ ତମଠାରୁ ବଡ଼ । ଶାହାଡ଼ା ଗଛକୁ ଲଗାଇ ସେ ଚାରିଟା ବିବାହ କଲା । ଶେଷ ବିବାହତ ବର୍ଷେ କି ହୋଇ ନାହିଁ, ଆଉ ଚାରିମାସ ପରେ ସେ ପୁଅ ଝିଅର ବାପ ହୋଇ ବସିବ ।’’ ନନ୍ଦେ ଟିକିଏ ଅବଜ୍ଞା ମିଶ୍ରିତ ସ୍ୱରରେ କହିଲେ– ‘‘ହେଉ, ଯେ କଲା କରୁ ପଛକେ, ମୋତେ ସେ ଜଞ୍ଜାଳରୁ ରକ୍ଷାକର । ମୁଁ ବିବାହ କରିପାରିବି ନାହିଁ, ପାରିବି ନାହିଁ, ପାରିବି ନାହିଁ ।’’ ସ୍ୱାମୀଙ୍କର ଏହି କଠୋର ବାଣୀ ଶୁଣି ଶେଫାଳିକାଙ୍କର ହୃଦୟ ନୈରାଶ୍ୟର ଦାରୁଣ ଆଘାତରେ ଚୁର୍ଣ୍ଣ ହୋଇଗଲା । ସନ୍ତାପର ଗଭୀର ବେଦନା ଏବଂ ଭୀଷଣ ଜ୍ୱାଳାରେ ତାଙ୍କର ନାରୀସୁଲଭ କୋମଳ ପ୍ରାଣ ଦଗ୍ଧୀଭୂତ ହେବାକୁ ଲାଗିଲା । ବାକ୍ୟର ସୂତ୍ର ଛିନ୍ନ ହୋଇଗଲା । ସେ କରୁଣ ଦୃଷ୍ଟିରେ ସ୍ୱାମୀଙ୍କ ମୁଖକୁ ଚାହିଁ ରହିଲେ । ତାଙ୍କର ମୁଖ ଏବଂ ଚାହାଁଣି ଭଙ୍ଗୀରୁ ବୋଧହେଲା– ଯେମନ୍ତ କି ତାଙ୍କର ଅଶ୍ରୁନିର୍ଝର କିଏ ଅବରୁଦ୍ଧ କରି ରଖିଅଛି, ମୁକ୍ତ ହେଲେ ବିଶ୍ୱ ବ୍ରହ୍ମାଣ୍ଡ ଭସାଇ ଦେବ । ଶେଫାଳିକା ନିର୍ବାକ ଚିତ୍ରପ୍ରତିମା ପରି ସ୍ତବ୍ଧ ହୋଇ ବସିଅଛନ୍ତି, ଯେପରି କି କହିବାକୁ ଅନେକ ଅଛି; ମାତ୍ର କହିପାରୁ ନାହାନ୍ତି । କଥାଗୁଡ଼ାକ କଣ୍ଠନାଳୀରେ ଠେସି ହୋଇ ରହିଅଛି, ବାହାରିବାକୁ ବାଟ ପାଉନାହିଁ । କଣ୍ଠନାଳୀ ଚିଡ଼୍ଚିଡ଼୍ ହୋଇ ଫାଟି ଯାଉଅଛି । ଏହିପରି ଭାବରେ କିଛିକ୍ଷଣ ଅତିବାହିତ ହେଲା । ସର୍ବଂସହା ବସୁନ୍ଧରା ନୀରବରେ ଅନ୍ତରସ୍ଥ ଅଗ୍ନିଜ୍ୱାଳା ସହିଲା ପରି ବନ୍ଧ୍ୟାନାରୀ ସନ୍ତାନ ଅଭାବର ଜ୍ୱାଳା ସହିଥିଲା; କିନ୍ତୁ ଆଉ ସମ୍ଭାଳି ପାରିଲା ନାହିଁ । ପୃଥିବୀର ବକ୍ଷ ବିଦାରି ଆନ୍ତର୍ଭୌମାଗ୍ନି ବାହାରି ଆସିଲା ପରି ତାଙ୍କର ହୃଦୟରୁ ଦୁର୍ବହ ବ୍ୟଥା ବାହାରି ପଡ଼ିଲା । ସେ କଇଁ କଇଁ ହୋଇ କାନ୍ଦିଉଠି ଭଙ୍ଗା ଭଙ୍ଗା ସ୍ୱରରେ କହିଲେ– ‘‘ତେବେ କଅଣ ପାଣି ଆଞ୍ଜୁଳାକର ଭରସା ମୋର ରହିବ ନାହିଁ ? ହାୟ, ମୁଁ ଏପରି ପାପୀୟସୀ ଯେ, ମୋହରି ଦୋଷରୁ ମୋର ତପସ୍ୱୀ ତୁଲ୍ୟ ଶଶୁରଙ୍କ ପବିତ୍ର ଆଶ୍ରମରେ ସନ୍ଧ୍ୟାବତି ବୁଡ଼ିବ । ଏ ପବିତ୍ର ବଂଶ ମୋହରିଠାରୁ ଲୋପ ପାଇବ, ଏ କଳଙ୍କ ମୁଁ ଏକା ମୁଣ୍ଡାଇବାକୁ ଜନ୍ମ ଲଭିଥିଲି । ଧିକ୍ ମୋର ଜନ୍ମ, ଧିକ୍ ଜୀବନ, ଆଉ ଧିକ୍ ମୋର ଅଦୃଷ୍ଟ । ହାୟ, ଯେଉଁ ବଂଶପ୍ରବାହ ଜାହ୍ନବୀର ପୂଣ୍ୟଧାରା ପରି କେଉଁ ସୁଦୂର ଅତୀତରୁ ଚାଲି ଆସୁଥିଲା, ତାହା କି ଏହିଠାରୁ ଶୁଷ୍କ ହୋଇଯିବ ? ଏ ଦୁଃଖ ମୁଁ ମଲେ ସୁଦ୍ଧା ଭୁଲି ପାରିବି ନାହିଁ । ସେ ଦୃଶ୍ୟ ମୋର ପ୍ରେତଶରୀରରେ ସୁଦ୍ଧା ଅସହ୍ୟ । ହା ବିଧାତା, ମାତୃଗର୍ଭରୁ ମୋତେ ନ ମାରି ରଖିଲୁ କାହିଁକି ? ମୁଁ ରାକ୍ଷସୀ ଗୋଟାଏ ବ୍ରାହ୍ମଣବଂଶକୁ ନିର୍ବଂଶ କରିଦେଲି, ମୋର ଏ ବ୍ରହ୍ମହତ୍ୟା ପାପର ପ୍ରାୟଶ୍ଚିତ ନାହିଁ । ମୋର ଅନ୍ତିମ ଗତି କଣ ହେବ-?’’ ଶେଫାଳିକା ଏହିପରି ବିଳାପ କରିବାକୁ ଲାଗିଲେ । ବନ୍ଧ୍ୟା ନାରୀର ଏହି ମର୍ମାନ୍ତିକ ଆକ୍ଷେପ ବାଣୀ ଶୁଣି ନନ୍ଦଙ୍କ ହୃଦୟରେ ଗୋଟାଏ ତୁମଳ ତୋଫାନ ବହିଗଲା । ସେ କିଛିକ୍ଷଣ ନିସ୍ତବ୍ଧ ରହି ଆଖିରୁ ଦୁଇଟୋପା ଲୁହ ଗଡ଼ାଇ ପକାଇଲେ ଏବଂ କହିଲେ– ‘‘କପାଳରେ ତ ନାହିଁ, ଦୂଃଖ କଲେ କଅଣ ହେବ ?’’ ଶେଫାଳିକା କହିଲେ– ‘‘ସନ୍ତାନ ଲାଭ ତୁମ୍ଭ କପାଳରେ ଥାଇପାରେ – ଏହା ତ ଅସମ୍ଭବ ନୁହେଁ ।’’ ନନ୍ଦେ କିଛିକ୍ଷଣ ଚିନ୍ତାକରି କହିଲେ– ‘‘ଆଛା, ଗୋଟିଏ ପୋଷ୍ୟପୁତ୍ର କଲେ କି ହେବ ନାହିଁ ?’’ ଶେଫାଳିକା ଶୁଷ୍କ ହାସ୍ୟରେଖା ବିମର୍ଷ ମୁଖକୁ ଟାଣି ଆଣି କହିଲେ– ‘‘ପୋଷାପୁଅ ଖୁଞ୍ଚାରୂଅ କି କାମରେ ଆସେ ? ଯାହା ଦେହରେ ତୁମ୍ଭର ରକ୍ତ ନାହିଁ, ସେ କି ମୋତେ ପିଣ୍ଡଦାନର ଅଧିକାରୀ ହେବ ? ତାହାହେଲେ ଲୋକ ଯେ ମହାପ୍ରସାଦ ଦେଇ ଧର୍ମପୁଅ କରନ୍ତି, ତାହାଦ୍ୱାରା ତ ପୁତ୍ରର ଅଭାବ ମୋଚନ ହେଉଥାଆନ୍ତା । ତୁମ୍ଭେ ତ ଅନେକ ଥର କହିଅଛ, ଯେ ପୁତ ନରକରୁ ଉଦ୍ଧାର କରେ, ସେ ପୁତ୍ର । ଯାହାର ପୁତ୍ର, ତାକୁ ସିନା ଉଦ୍ଧାର କରିବ, ଅନ୍ୟକୁ ଉଦ୍ଧାର କରିବ କିପରି ? ପର କି କେବେ ଆପଣାର ହେବ । ଯାହାର ଘୋଡ଼ା ନାହିଁ, ସେ ଅଧାକାନ୍ଥିରେ ଚଢ଼ି ଘୋଡ଼ାଚଢ଼ା ଆର୍ମାନ ମେଣ୍ଟାଇ ନିଏ, ପୋଷ୍ୟପୁତ୍ର ଠିକ୍ ସେହିପରି । ତାହାଠାରୁ ପିତୃସମ୍ବୋଧନ ମାତୃସମ୍ବୋଧନ ମିଳେ; ମାତ୍ର ପ୍ରକୃତ ଅଭାବ ପୂର୍ଣ୍ଣ ହୁଏ ନାହିଁ କିମ୍ବା ହୋଇପାରେ ନାହିଁ । ପିଠୋଉ ପାଣିରେ ଦୁଧର ସ୍ୱାଦୁ କାହୁଁ ମିଳିବ ? ସେ ଯାହାହେଉ ମୁଁ ତୁମ୍ଭର ଗୋଡ଼ତଳେ ପଡ଼ୁଛି, ତୁମ୍ଭେ ବିବାହ କର ।’’ ନନ୍ଦେ ପତ୍ନୀଙ୍କର ଏ ଦୃଢ଼ ଅନୁରୋଧ ଶୁଣି ହସି ହସି କହିଲେ– ‘‘ହେଉ, ତାଆ ଜାଣି ହେବ; ମାତ୍ର ତୁମ୍ଭେ ସଉତୁଣୀ ଜ୍ୱାଳା ସହିପାରିବ ତ ।’’ ଏହା ଶୁଣି ସେଫାଳିକାଙ୍କ ଛାତିରୁ ଚିନ୍ତାର ଗୋଟାଏ ଗୁରୁ ଭାର ପଥର ଖସିଗଲା ଏବଂ କି ଗୋଟାଏ ବୈଦ୍ୟୁତିକ ଦୀପ୍ତି ତାଙ୍କ ମୁହଁ ଉପରେ ପଡ଼ି ମିଳାଇଗଲା । ସେ ଉତ୍ସାହିତ ହୋଇ କହିଲେ– ‘‘ହଁ ଗୋ ହଁ, ତାହା ମୁଁ ସହିପାରିବି । ଆମେ ନାରୀଜାତି ସବୁ କରିପାରୁ, ଆଉ ସଉତୁଣୀକି ନେଇ ଘର ବି କରିପାରୁ ।’’ ନନ୍ଦେ ଟିକିଏ ଦୁଷ୍ଟାମି କରି କହିଲେ– ‘‘କାଳେ ତୁମ୍ଭମାନେ ଉଗ୍ରଚଣ୍ଡୀମୂର୍ତ୍ତି ଧରି ସଂମାର୍ଜନୀ ଯୁଦ୍ଧରେ ନିଯୁକ୍ତ ହୁଅ, ମୋର ସେହି ଭୟ । ଶେଷରେ ଯେପରି ତୁମ୍ଭମାନଙ୍କ ହାତରୁ ମୁଁ କିଛି ପୁରସ୍କାର ନ ପାଏ ।’’ ଶେଫାଳିକା ସ୍ୱାମୀଙ୍କି ଆଉ ଅଧିକ କହିବାକୁ ଅବସର ନ ଦେଇ କହିଲେ– ‘‘ନା ନା, ତାହା କିଛି ହେବ ନାହିଁ, ତୁମ୍ଭର କୌଣସି ଭୟ ନାହିଁ । ଏ ଘରକୁ ମୋର ସଉତୁଣୀ ହୋଇ କେହି ଆସିବ ନାହିଁ-। ଯେ ଆସିବ, ତାକୁ ମୁଁ କନ୍ୟା କିମ୍ବା ସାନଭଉଣୀ ପରି ଯତ୍ନ ଏବଂ ପ୍ରତିପାଳନ କରିବି ।’ ନନ୍ଦେ କହିଲେ– ‘‘ତୁମ୍ଭ ଭାବୀ ସପତ୍ନୀ ଯଦି ତୁମ୍ଭର ମନୋମତ ନ ହୁଏ-?’’ ଶେଫାଳିକା ଉତ୍ତେଜିତ ହୋଇ କହିଲେ, ‘‘ହାୟ, ମୋର ପୋଡ଼ାକପାଳ, ସେ ମୋର ମନୋମତ ହେବ କିପରି ? ମୋ ଘରକୁ ଆସିଲେ ମୁଁ ତାକୁ ମନୋମତ କରି ତିଆରି କରିନେବି; ସେ ବିଦ୍ୟା ମୋତେ ଜଣା । ସେଥିଲାଗି ତୁମ୍ଭର ମୁଣ୍ଡବ୍ୟଥା ନୁହେ, ମୁଣ୍ଡର ଚୁଟି କେରାକରୁ ତ ଅଧେ ସତେଇ ଖାଇଲାଣି, ବାକୀ ଯେଉଁ ଖଣ୍ଡିଆ କେରାକ ଅଛି, ତାହା ଯେପରି ଉପୁଡ଼ି ନ ଯାଏ, ଏହାହଁ ଭାବୁଛି । ଆଛା, ତୁମ୍ଭ ସପତ୍ନୀର ଯଦି ସନ୍ତାନ ନ ହୁଏ ?’’ ଶେଫାଳିକା କହିଲେ– ‘‘ନ ହେଲେ ନାହିଁ, ସେଥିପାଇଁ ଚିନ୍ତା କଅଣ ? ଜାଣିବା ଆମ କପାଳରେ ନାହିଁ, ତେଣିକି ଭାଗ୍ୟ ଆଦରି ରହିବା । ପୁଅ ନ ହେଲେ ଝିଅଟିଏ ହେଲେ ହେବ, ଆମର ଆଣ୍ଠୁକୁଡ଼ା ଦୋଷ ଯିବ । ଆଣ୍ଠୁକୁଡ଼ା ଆଣ୍ଠକୁଡ଼ୀର ମୁହଁ ଚାହିଁଲେ ଯଶ ନାହିଁ ବୋଲି ତ ଆଉ ଲୋକେ କହିପାରିବେ ନାହିଁ ।’’ ନନ୍ଦେ କହିଲେ– ‘‘ଆଉ ଗୋଟିଏ କଥା ଏହି ଯେ, ବିବାହର ଅଧେ ଉପାଦାନ କନ୍ୟା, ସେ କେଉଁଠାରୁ ଆସିବ ? ଏ ଶ୍ମଶାନଯାତ୍ରୀକୁ କିଏ ବା ଯାଚି କନ୍ୟା ଦେବ ?’’ ଶେଫାଳିକା ରାଗି ଉଠି କହିଲେ– ‘‘ଏ କି ଅଲକ୍ଷଣା କଥା ? ଫେର ସେପରି କହିଲେ ମୁଣ୍ଡ ପିଟିହୋଇ ମରିଯିବି । କନ୍ୟା ପାଇଁ ତୁମ୍ଭଙ୍କୁ ଚିନ୍ତା କରିବାକୁ ହେବନାହିଁ, ସେ କଥା ମୁଁ ଜାଣେ । ତମେ ଖାଲି ବିବାହରେ ମତ ଦିଅ, ଆଉ ସବୁ ଭାର ମୋର ।’’ ନନ୍ଦେ କହିଲେ– ‘‘ଆଛା, ହେଉ ମୁଁ ବିଚାର କରି କହିବି ।’’ ଏହା କହି ନନ୍ଦେ କଡ଼ ଲେଉଟାଇ କାନ୍ଥ ଆଡ଼କୁ ମୁହଁ କରି ଶୋଇଲେ ଏବଂ ଶେଫାଳିକା ଉଠି ଗୃହକାର୍ଯ୍ୟ କରିବାକୁ ଅନ୍ୟତ୍ର ଚାଲି ଗଲେ ।
ଫୁଲର ବାସପରି କଥା ଲୁଛି ରହେ ନାହିଁ । ଶୀଘ୍ର ହେଉ ବା ବିଳମ୍ବରେ ହେଉ ସେ ଆତ୍ମପ୍ରକାଶ କରେ । ନନ୍ଦଙ୍କ ବିବାହ କଥା ଗ୍ରାମରେ ବିସ୍ତୃତ ହୋଇ ପଡ଼ିଲା । ହାଟରେ, ବାଟରେ, କୃଷିକ୍ଷେତ୍ରରେ ସେହି ଚର୍ଚ୍ଚା ଲାଗିଲା । ଅନେକଦିନ ପରେ ସ୍ତ୍ରୀମାନଙ୍କ ଗୋଟାଏ ମୁଖ ରୋଚକ ସୁଖାଦ୍ୟ ମିଳିଗଲା । ସେମାନେ ନଈତୁଠରେ, ଢେଙ୍କିଶାଳରେ, ସଖୀମେଳରେ ନନ୍ଦଙ୍କ ଘର କଥା ପକାଇଲେ । କେହି କହିଲା– ‘‘ନନ୍ଦ ଭାର୍ଯାଟା କଅଣ ଏଡ଼େ ଅଲାଗୀ, ଜାଣୁ ଜାଣୁ ନିଜେ ତୁଣ୍ଡରେ ନିଜେ ବିଷ ଭରୁଛି ।’’ ଆଉ ଜଣେ କହିଲା– ‘ସେ ତ କହେ ମୁଁ ସବା ପାଠେଈ, ଅଲାଗୀ ହେବ କାହିଁକି ? ଅଂ ମଂ କଅଣ ଦିଅକ୍ଷର ପଢ଼ିଛିପରା ?’ ତୃତୀୟା କହିଲା, ‘‘ତାହା ପଢ଼ିବା ମୁହଁରେ ନିଆଁ, ତା ମୁହଁରେ ଧୂଆଁ । ମାଇପ ଘଇତାର ଗୋଡ଼ଧରି କାନ୍ଦି ଆଉ ଗୋଟାଏ ବିଭା ହେବା ପାଇଁ ଅଳିକରିବାର କେହି କେବେ ଶୁଣିଛି ? ଛି, କଳସୀ ଦଉଡ଼ି ମିଳିଲା ନାହିଁ ।’’ ଘଟଣା ଏହିପରି କର୍ଣ୍ଣରୁ କର୍ଣ୍ଣାନ୍ତର ହୋଇ କୁନ୍ଦୀ ମାଉସୀ କାନରେ ପଡ଼ିଲା । କୁନ୍ଦି ମାଉସୀ ଗାଁ ସାରା ଆବାଳ– ବୃଦ୍ଧ ସମସ୍ତଙ୍କର କୁନ୍ଦୀ ମାଉସୀ । କିଏ କେବେ କି ସୁତ୍ରରେ ଏହି ଗୌରବମୟ ଉପାଧିର ଚିରସ୍ଥାୟୀ ସନନ୍ଦ ତାକୁ ପ୍ରଦାନ କରି ଧନ୍ୟ ହୋଇଥିଲେ, ଇତିହାସ ସେ ବିଷୟରେ ନୀରବ । କୁନ୍ଦୀ ମାଉସୀ ପ୍ରୌଢ଼ା, ତାହାର ଆକୃତି ଗଠନ ଦେଖିଲେ ବୋଧହୁଏ, ଯୌବନରେ ସେ ସୁନ୍ଦରୀ ଥିଲା । ଦୈହିକ ବଳ ତାହାର ଅବଳା ନାମର ଅସାର୍ଥକତା ସମ୍ପାଦନ କରୁଅଛି । ସ୍ୱଭାବ ଦୋଷରୁ ହେଉ ବା ନକ୍ଷତ୍ର ଦୋଷରୁ ହେଉ ସେ ଖୁବ୍ ମୁଖରା । ସ୍ତ୍ରୀସୁଲଭ କୋମଳତା ତାହାଠାରେ ନାହିଁ । ପ୍ରକୃତି ବଡ଼ କଠୋର । ସ୍ଥୁଳତଃ ସେ ପୁରୁଷପ୍ରକୃତିକା ନାରୀ । ସେ ଗଛ ଚଢ଼ିପାରେ । ଦୈହିକ ଶକ୍ତିର ଅନେକ ପୁରୁଷ ତାହାର ଅନେକ ତଳରେ । ତାହାର ଅନେକ କୀର୍ତ୍ତି ଅଛି । ସେହି କୀର୍ତ୍ତି ତାହାର ମୃତ୍ୟୁପରେ ସୁଦ୍ଧା ତାହାକୁ ଅମର କରି ରଖିବ । ବାଟ ପାଖରେ କୁନ୍ଦୀ ମାଉସୀର ଗୋଟାଏ ବଡ଼ ଆମ୍ବଗଛ ଥିଲା । ଦିନେ ସେ ସେହି ଆମ୍ବ ଗଛର ଅଗରେ ଚଢ଼ି ଆମ୍ବ ତୋଳୁଥିଲା । ସେହି ବାଟରେ ଦୁଇଜଣ ପଥିକ ଯାଉଥିଲେ । କୁନ୍ଦୀ ମାଉସୀକୁ ଗଛ ଉପରେ ଦେଖି ଜଣେ ଅପରକୁ କହିଲା– ‘‘ଏଟା ଅଣ୍ଡିରା ନା ମାଇକିନିଆ ?’’ ଦ୍ୱିତୀୟ ବ୍ୟକ୍ତି ହସିଉଠି କହିଲା– ‘‘ନା ନା, ଅଣ୍ଡିରା ନୁହେଁ କି ମାଇକିନା । ଯାହାକୁ କହନ୍ତି ଅଣ୍ଡିରାଚଣ୍ଡୀ, ସେହି, ବୁଝିପାରିଲୁ ?’’ ଶ୍ରୀମତୀ କୁନ୍ଦୀ ମାଉସୀ ଏକଥା ଶୁଣିଲେ ସୁଦ୍ଧା ପାଠକମାନଙ୍କର କିଛିମାତ୍ର କ୍ଷତି ନାହିଁ । କିଛିକ୍ଷଣ ପରେ ପଥିକଦ୍ୱୟ ଭୂମିଶଯ୍ୟାରୁ ଉଠି ଦେହରୁ ଧୂଳି ଝାଡ଼ିଝୁଡ଼ି ହୋଇ ସୁନାପୁଅ ପରି ନୀରବରେ ବାଟ ଧରିଲେ; ମାତ୍ର ଖଣ୍ଡେଦୂର ଯାଇ ଜଣେ ଆର ଜଣକୁ ଲଘୁ ସ୍ୱରରେ କହିଲା– ‘‘ଓଃ, ଏ ମାଇକିନିଆଟା ତ ମର୍ଦ୍ଦଙ୍କର ବାପ ।’’ ଆଉଥରେ ଜମିଦାରର ପଠାଣ ପିଆଦା ଗାଁକୁ ଆସିଥିଲା । ମଫସଲକୁ ଆସିଲେ ପିଆଦାମାନେ ନିଜର ପ୍ରାଧାନ୍ୟ ଦେଖାନ୍ତି । ପିଆଦା କୁନ୍ଦି ମାଉସୀକୁ ଦେଖି ଟିକିଏ ରସିକତା ପ୍ରକାଶ କରି କହିଲା– ‘‘ଏ ବିବୀଜାନ, ଭରତ୍ ସୁଇଁକା ଘର କିଧର ?’’ ରକ୍ତଦୀପ୍ତନେତ୍ରା କ୍ରୁଦ୍ଧା ବାଘୁଣୀ ବୋଦା ଛେଳିର ତଣ୍ଟି ଚିପି ଧରିଲା ପରି ମୁହୂର୍ତ୍ତକ ମଧ୍ୟରେ କୁନ୍ଦୀ ମାଉସୀ ଏକ ଲମ୍ଫରେ ପିଆଦା ଉପରେ ପଡ଼ି ତାହାର ଦାଢ଼ିକୁ ଖୁବ୍ ଜୋରରେ ଟାଣିଧରି ଗର୍ଜିଉଠି କହିଲା– ‘‘ତୋର ବିବୀ କିଏରେ ପୋଡ଼ାମୁହାଁ ପଠାଣ ? ଡାକ ମା ବୋଲି, ନ ହେଲେ ତୋ ଦାଢ଼ି ଉପାଡ଼ି ଚୁଲିରେ ଜାଳିଦେବି ।’’ ପିଆଦା ବିଚରା ଯନ୍ତ୍ରଣାରେ ଅସ୍ଥିର ହୋଇ ତୋବା ତୋବା କହି ‘‘ଛୋଡ଼ୋ ମା ଜୀ’’ ବୋଲି କହିବାରୁ କୁନ୍ଦୀ ମାଉସୀ ହସି ହସି ତାହା ଗାଲରେ ଗୋଟାଏ ଚବିଶ ପଳିଆ ଚାପଡ଼ ବସାଇଦେଇ କହିଲା– ‘‘ଯା ଡାକୁଣୀଖିଆ ଯା ଆଉଦିନେ ଏପରି କାହାକୁ କହିବୁ ନାହିଁ । କିଏ କାଳେ ଏ ଘଟଣା ଦେଖିବ, ଏହି ଲଜ୍ଜାରେ ଜମିଦାର ପିଆଦା ଚାରିଆଡ଼କୁ ଚାହିଁ ଗାଲ ଆଉଁଷି ଆଉଁଷି ଶୀଘ୍ର ପୃଷ୍ଠଭଙ୍ଗ ଦେଇ ପଳେଇଗଲେ; ମାତ୍ର ତାହାର ‘‘ଖୋଦାକା ନୁର ’’ ଅଧାଅଧି କୁନ୍ଦୀ ମାଉସୀ ହାତରେ ରହିଗଲା । କୁନ୍ଦୀ ମାଉସୀର ଆଉ ଗୋଟାଏ ମହତ୍ ଗୁଣ ଥିଲା । ଗାଁର କାହାରି ଝିଅ ବୋହୂର ଦେହକୁ ଲାଗିଲେ ସେ ଅନାହୁତ ଭାବରେ ଯାଇ ସୁଖପ୍ରସବ କରାଇ ଦିଏ । କେହି ରୁଷିଥିଲେ ତାକୁ ନାନା କଥା କହି ବେଉଷି ଭାତ ଖୁଆଏ । ସେ ଖୁବ୍ ବକ୍ତୃତା ମଧ୍ୟ କରିପାରେ । ଏଥିଉତ୍ତାରୁ ତାହାର ଅଧିକ ଗୁଣ ବର୍ଣ୍ଣନା ଶୁଣିବାକୁ ପାଠକମାନେ ନିଶ୍ଚୟ ଇଚ୍ଚା କରିବେ ନାହିଁ ।
ଶେଫାଳିକା ଘରଭିତରେ କି କାର୍ଯରେ ବ୍ୟସ୍ତ ଥିଲେ । ବାହାରେ ଶବ୍ଦ ଶୁଭିଲା– ‘‘କିଲୋ ଝିଅ, କଅଣ କରୁଛୁ ?’’ ସେ ଘରୁ ବାହାରି ଆସି କୁନ୍ଦୀ ମାଉସୀକୁ ଦେଖି ସହାସ୍ୟ ମୁଖରେ କହିଲେ, ‘‘କି ମାଉସୀ, ଅପୂର୍ବ ଯେ, ଢେରଦିନ ପରେ ଦେଖା, ଆସ ଆସ ।’’ ଆଗନ୍ତୁକ ଆସି ପିଣ୍ଡାରେ ବସିଲା । ଶେଫାଳିକା ତାହା ପାଖରେ ବସି ପଚାରିଲେ– ‘‘ସବୁ ଭଲ ତ ମାଉସୀ, ଆଜି କିମିତି ଟିକିଏ ଏଣିକି ଚାଲିଆସିଲ ?’’ କୁନ୍ଦୀ ମାଉସୀ ଗମ୍ଭୀର ହୋଇ କହିଲା– ‘‘ଭଲମନ୍ଦ ତ ଲାଗିଛି, ତୋତେ ଦେଖିବାକୁ ଆସିଲି ଲୋ ମା’’ । ଶେଫାଳିକା କହିଲେ– ‘‘ମୋତେ ଦେଖିବାକୁ ? ମୁଁ କଅଣ ଗୋଟାଏ ଦେଖିବା ପଦାର୍ଥ ? ତେବେ ମୋତେ ନେଇ ଯାଦୁଘରେ ରଖିଲେ ହୁଅନ୍ତା ?’’ କୁନ୍ଦୀ– ହଁ ଲୋ ମା, ତୁ ଏବେ ଗୋଟାଏ ଦେଖିବା ପଦାର୍ଥ ହୋଇଛି ପରା ?’’
କୁନ୍ଦୀ– କିମିତି କଅଣ ଲୋ ବାୟାଣି, ତୁ ପରା ନନ୍ଦପୁଅଙ୍କ ବିବାହରେ ମତ ଦେଇଛୁ ?
ଶେଫାଳିକା– ଖାଲି ମତ ଦେଇନାହିଁ, ମୁଁ ସବୁ କରୁଛି ।
କୁନ୍ଦୀ– ମରଣ ଆଉ କାହାକୁ କହନ୍ତି, ପଛକୁ ଚାହିଁ ନିଜର ଅବସ୍ଥାଟା ଦେଖିଛୁ କି ? ଏବେ ସ୍ୱାମୀସୁଆଗୀ ହୋଇଛୁ, ପୁରୁଷ ଲୋକଙ୍କ ମତି ଘଡ଼ିକେ ଫାଟିଯାଏ, ଜାଣୁ ତ ? କେଞ୍ଚୁଆ ସାପ ହୋଇ ଫଣା ଟେକିଲେ କଅଣ କରିବୁ ? ସଉତୁଣୀ ଘେନି ଘର କରିବା ଥଟା କଥା ପରା ? ଯା ଯା ନିର୍ବୁଦ୍ଧିଆଣି, ଏବେ ଯାଇ କହ, ମୁଁ ତମ ମନ ବିଡ଼ିବା ପାଇଁ କୌତୁକରେ ବିବାହ କରିବାକୁ କହିଥିଲି, ତାହା ମୋର ହୃଦୟର କଥା ନୁହେଁ । ତାହାହେଲେ ସବୁ ଛିଡ଼ିଯିବ । ଯେଉଁ ପରି ଅଛୁ ସେହିପରି ରହିବୁ ।
ଶେଫାଳିକା– ପୁରୁଷ ଲୋକଙ୍କ ମନ ଫାଟିଗଲେ କଅଣ ହେବ, ମୋତେ କଅଣ ମୁଠାଏ ଖାଇବାକୁ ଦେବେ ନାହିଁ ?
କୁନ୍ଦୀ– ତେବେ ସ୍ୱାମୀ ପାଖରୁ ସ୍ତ୍ରୀର ପ୍ରାପ୍ୟ କି କେବଳ ଖାଦ୍ୟମୁଠାକ ଛଡ଼ା ଆଉକିଛି ନାହିଁ ?
ଶେଫାଳିକା– ହଁ, ଅଛି – ସ୍ୱାମୀସେବା । ମୁଁ ତେତିକି ପାଇଲେ ଅନ୍ୟ ଅଧିକାର ଚାହେଁ ନାହିଁ ।
କୁନ୍ଦୀ– ସଉତୁଣୀ ଘେନି ତ କେହି ସୁଖରେ ଘର କରିପାରି ନାହାନ୍ତି, ତୁ କିମିତି ପାରିବୁ-?
ଶେଫାଳିକା ଆଉ କେହି ପାରେ କି ନା ଜାଣେ ନାହିଁ; ମାତ୍ର ମୁଁ ପାରିବି । ସ୍ୱାମୀ ମୋର ଖେଳ କଣ୍ଢେଇ ନୁହନ୍ତି – ପୂଜାର ଦେବତା । ତାଙ୍କ ସେବାର ସୌଭାଗ୍ୟ ପାଇଲେ ମୁଁ ଦୁଃଖକୁ ସୁଖ ତୁଲ୍ୟ ମଣିବି ।
କୁନ୍ଦୀ– ଏ ଭାବ ରକ୍ଷା କରିପାରିବୁ ତ ?
ଶେଫାଳିକା– କାହିଁକି ନ ପାରିବି ? ଦୁର୍ଗା, ଲକ୍ଷ୍ମୀଙ୍କର ସଉତୁଣୀ ଅଛନ୍ତି, ଦ୍ରୌପଦୀଙ୍କର ସଉତୁଣୀ ଥିଲେ, ସେମାନେ ଆମ୍ଭର ଆରାଧ୍ୟା ଦେବୀ । ଆରାଧ୍ୟା ଦେବୀ ଯାହା ପାରିଛନ୍ତି, ତାଙ୍କର ସେବିକା ତାହା ନ ପାରିବେ କାହିଁକି ? ମୁଁ ଯେଉଁ ବ୍ରତ ଧାରଣ କରିଅଛି, ସେଥିରେ ଭଗବାନ ମୋର ସହାୟ ହେବେ । ତାଙ୍କର କଲ୍ୟାଣର ଉଜ୍ୱଳ ହସ୍ତ ମୋ କାର୍ଯ୍ୟ ଉପରେ ନିଶ୍ଚୟ ଅମୃତ ବୃଷ୍ଟି କରିବ । ସଉତୁଣୀ ମୋତେ ପୀଡ଼ା ଦେଲେ ମୁଁ ତାକୁ ପ୍ରତିଦାନରେ ପ୍ରେମ ଦେବି । ମୋତେ ଦୁଃଖ ଦେଇ ସେ ଯଦି ସୁଖ ଭୋଗକରେ, ତେବେ ତାହା ତ ମୋର ପରମ ପୁଣ୍ୟ । ଆଖୁ ନିଜ ଦେହରୁ ରସ ବାହାର କରି ନିଜେ ଜାଳ ହୋଇ ତାକୁ ପକ୍ୱକରି ପରକୁ ଦିଏ । ମୋର ସୁଖ ନେଇ ଯଦି କେହି ସୁଖୀ ହୁଏ, ତେବେ ତାହାଠାରୁ ଆନନ୍ଦ କଅଣ ଅଛି ? ତ୍ୟାଗରେ ଯେ ରୂପ ଆନନ୍ଦ ମିଳେ, ଭୋଗରେ ସେ ରୂପ ମିଳେ ନାହିଁ । ଉତ୍କଳ-ଲଳନା ତ୍ୟାଗର ମାହାତ୍ମ୍ୟ ଜାଣନ୍ତି । ମୁଁ ତାଙ୍କର ବଂଶୀୟା, ମୁଁ ତ୍ୟାଗ କରିବି, ତାହା ମୋ ପକ୍ଷରେ ଦୁଷ୍କର ନୁହେଁ ।
କୁନ୍ଦୀ– ସମସ୍ତେ ଏହିପରି ମୁହଁରେ କହନ୍ତି, ମୁଁ ଜାଣେ । କୁନ୍ଦୀ ବ୍ରାହ୍ମଣୀ ଏହି ବୟସରେ ଢେର ଦେଖିଲାଣି । କୁବୁଦ୍ଧି ଯେତେବେଳେ ଘୋଟେ, ଏହିପରି ଘୋଟେ ।
କୁନ୍ଦୀ ମାଉସୀ ଯୁକ୍ତିରେ ପରାସ୍ତ ହୋଇ ଏତିକି ମାତ୍ର କହି ମୁହଁଟାକୁ ଭାରି କରି ଉଠିଗଲା ।