ଅଷ୍ଟାଦଶ ପରିଚ୍ଛେଦ — ଶନିସପ୍ତା — ଚିନ୍ତାମଣି ମହାନ୍ତି · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଅଷ୍ଟାଦଶ ପରିଚ୍ଛେଦ
ସନାତନ ମହନ୍ତ ହେଲା ପରେ ବୃଦ୍ଧ ପିତାମାତାଙ୍କର ଅବସ୍ଥା ଭାବି ବ୍ୟାକୁଳ ହୋଇପଡ଼ିଲା । ଏ ସଂସାରରେ ସବୁ ସମ୍ଭବ । ସଂସାରୀ ମନରେ ବି ବୈରାଗ୍ୟ ଜାତ ହୁଏ, ଆଉ ବୈରାଗୀର ମଧ୍ୟ ଗତ ଜୀବନର ସଂସାର କଥା ମନରେ ପଡ଼େ । ଯାହାର ଅତୀତ ସଙ୍ଗରେ ବର୍ତ୍ତମାନର କିଛି ସମ୍ପର୍କ ନାହିଁ, ଯାହାର ଅତୀତ କେବଳ ସ୍ମୃତିର ଆଭା ଟିକିଏ ରଖି ଅତୀତରେ ମିଶି ଯାଇଅଛି, ବୈରାଗ୍ୟଶତକ, ମୋହ ମୁଦ୍ଗରର ପ୍ରତ୍ୟେକ ଶ୍ଲୋକ ଯାହାର ଜିହ୍ୱାଗ୍ରରେ ସର୍ବଦା ନୃତ୍ୟ କରେ, ଯେ ଅତୀତ ଜୀବନ ବିସ୍ମୃତ ହୋଇ ନୂତନ ଜୀବନର ରସାସ୍ୱାଦନର ବିଭୋର ହୋଇଅଛି, ସେହି ତ୍ୟାଗୀ, ଯୋଗୀ, ସନ୍ନ୍ୟାସୀ ମନରେ ଏ ଭାବାନ୍ତର କିଏ ଆଣିଲା ? ଦୁଷ୍ଟା ମାୟା ବ୍ୟତୀତ ଆଉ କାହାର ଏ ଲୀଳା ? ମାୟା କାହାରିକୁ ଛାଡ଼େ ନାହିଁ, ମାଟିର ମାୟା ମାଟିର ଶରୀରକୁ ପରିତ୍ୟାଗ କରିପାରେ ନାହିଁ । ଶରୀର ମାଟିରେ ମିଶିଲେ ତାହା ସଙ୍ଗେ ସଙ୍ଗେ ସେ ମାଟିରେ ମିଶେ । ଯୋଗୀ ହେଉ ବା ତପସ୍ୱୀ ହେଉ ଅଥବା ତ୍ୟାଗୀ ହେଉ, ମାୟା କାହାକୁ ଛାଡ଼େ ନାହିଁ । ତେବେ ସେମାନେ ମାୟାର ଅଧୀନ ନ ହୋଇ ମାୟାକୁ ଅଧୀନ କରି ରଖନ୍ତି; ମାତ୍ର ସେମାନଙ୍କ ମନରେ ମାୟା ଜନ୍ମିବା ସ୍ୱାଭାବିକ । ମାୟା ପରମାର୍ଥ ପଥର ବିରୋଧୀ ହୋଇପାରେ; ମାତ୍ର ମାୟା ନ ଥିଲେ ସଂସାର ମରୁଭୂମି ପରି ଉତ୍ତପ୍ତ ଏବଂ ନୀରସ ହୋଇଥାଆନ୍ତା । ସନାତନ ଯେଡ଼େ ଜ୍ଞାନୀ ବା ଯେଡ଼େ ତ୍ୟାଗୀ ହେଉ ପଛେ, ପିତାମାତାଙ୍କ ପ୍ରତି ସେ କି ନିର୍ମାୟ ନିର୍ମମ ହୋଇପାରେ ? ଯାହାଙ୍କର ଅଂଶରେ ଶରୀର ଗଠିତ ହୋଇଅଛି– ଯାହାଙ୍କର ଶୋଣିତ ଶରୀରରେ ପ୍ରବାହିତ ହେଉଅଛି, ସେହି ପିତାମାତାଙ୍କୁ କିଏ ଭୁଲି ରହିପାରିବ ? ଭୁଲିବାକୁ ଚେଷ୍ଟା କଲେ ସୁଦ୍ଧା ରକ୍ତର ଆକର୍ଷଣ ଭୁଲାଇ ଦେବ ନାହିଁ । ସନାତନ କହିଲା– ‘‘ବୃଦ୍ଧ ପିତାମାତାଙ୍କ ଆଦେଶ ଲଙ୍ଘନ କରି ତାଙ୍କ ହୃଦୟରେ ଦାରୁଣ ଆଘାତ ଦେଇ ବାସ୍ତବରେ ମୁଁ ଅତି ଅନ୍ୟାୟ କରିଅଛି । ତହିଁ ଉପରେ ତାଙ୍କୁ ଅଗାଧ ଚିନ୍ତାସାଗରରେ ବୁଡ଼ାଇ ମହାପାପ ମଧ୍ୟ ଅର୍ଜି ଅଛି । ମୋର ଏ ପାପର ପ୍ରାୟଶ୍ଚିତ କଅଣ ? ଯାହାଙ୍କର ଅନନ୍ତ ଦୟା ମୋତେ ଆଜନ୍ମ ଘେରି ରହି ନିରାପଦରେ ବଢ଼ାଇଅଛି, ଯେ ନିଜର ଜୀବନ କ୍ଷୟ କରି ମୋର ଜୀବନ ଗଠନ କରିଅଛନ୍ତି, ଯାହାଙ୍କର ଅତୁଳ ସ୍ନେହ ମୋର ପ୍ରତି ନିଃଶ୍ୱାସରେ ମିଶି ରହିଅଛି, ଉତ୍ତପ୍ତ ସଂସାରର ଶୀତଳ ନିର୍ଝର ସେହି ପିତାମାତାଙ୍କୁ ମୁଁ ଏତେଦିନ ଯାଏ ଭୁଲି ରହିଅଛି ? ଧିକ୍ ମୁଁ ଅକୃତଜ୍ଞ । ଏବେ ତାଙ୍କୁ ଆଣି ଏଠାରେ ସୁଖ ସ୍ୱାଚ୍ଛନ୍ଦ୍ୟରେ ରଖି ତାଙ୍କ ମନରୁ କଷ୍ଟ ଦୂର କରିବା ଉଚିତ । ଏହାହିଁ ମୋ ପାପର ପ୍ରାୟଶ୍ଚିତ୍ତ । ମୋର ଦେବ ପିତା, ଦେବୀ ମାତା ସ୍ନେହଗୁଣରେ ନିଶ୍ଚୟ ମୋତେ କ୍ଷମା କରିବେ । ସେମାନେ ଧର୍ମପ୍ରାଣ, ମୋର ଏ କାର୍ଯ୍ୟରେ ଅସନ୍ତୁଷ୍ଟ ନ ହୋଇ ବରଂ ଆନନ୍ଦ ପ୍ରକାଶ କରିବେ । ଆଉ ଶେଷ ଜୀବନରେ ତୀର୍ଥବାସ କରିବାକୁ ଅନିଚ୍ଛୁକ ହେବେ ନାହିଁ । ଅନନ୍ତର ସନାତନ ପିତାମାତାଙ୍କୁ ପୁରୀ ଆଣିବା ସକାଶେ ଲୋକ ପଠାଇଥିଲା । ଯଥାସମୟରେ ସେ ଲୋକ ଫେରିଆସି ନନ୍ଦଙ୍କର ସପରିବାର କାଶୀ ଯାତ୍ରାର ସମ୍ବାଦ ଜ୍ଞାପନ କଲା । ସନାତନ ତାହା ଶୁଣି ଅତ୍ୟନ୍ତ ମର୍ମାହତ ହେଲା ଏବଂ ଅନୁଶୋଚନାରେ ତାହାର ହୃଦୟ ପୂର୍ଣ୍ଣ ହୋଇ ଉଠିଲା । ଶେଷରେ ନିଜେ କାଶୀ ଯାଇ ପିତାମାତାଙ୍କୁ ପୁରୀ ଘେନି ଆସିବାର ସ୍ଥିର କରି କଥଞ୍ଚିତ୍ ଆଶ୍ୱସ୍ତ ହେଲା ।
ନନ୍ଦ ଯେଉଁ ବୃଦ୍ଧ ଘରେ ବସା କରିଅଛନ୍ତି, ତାହା ସଙ୍ଗରେ ପିତେଇର ଗୋଟାଏ ସମ୍ପର୍କ ସ୍ଥାପିତ ହୋଇଅଛି । ଶେଫାଳିକା ବୃଦ୍ଧକୁ ମଉସା ବୋଲି ଡାକନ୍ତି, ପିତେଇ ଶେଫାଳିକାକୁ ମା ବୋଲି ଡାକେ । ଏହି ସମ୍ପର୍କ ଧରି ପିତେଇ ବୃଦ୍ଧକୁ ଅଜା ଲେଖା କରେ । ଦୁହିଁଙ୍କ ମଧ୍ୟରେ ଥଟା ଟାପରା ସବୁବେଳେ । ଦିନେ ପିତେଇ କହିଲା– ‘‘ଅଜା, ମୁଁ ତୁମକୁ କଅଣ ବୋଲି ଡାକିବି ? ଅଜା ନାଁଟା ନିହାତି ପୁରୁଣା, ସେଟା ପାଟିକି ବଡ଼ ପିତା ଲାଗେ, ଆଉ ଗୋଟାଏ ସୁଆଦିଆ ନାଁ ହୁଅନ୍ତା କି-।’’ ବୃଦ୍ଧ ମଧ୍ୟ ରହସ୍ୟ ବିଦ୍ୟାରେ ନିତାନ୍ତ ମୂର୍ଖ ନୁହେଁ । ସେ ହସି ହସି କହିଲା– ‘‘ହଁ ଲୋ ଭଉଣୀ, ପିତା ଲାଗୁଥିବ ତ । ତୋ ନାମ ପିତେଇ, ମିଠା ସୁଦ୍ଧା ତୋତେ ପିତା ଲାଗିବ । ଆଛା, ଗୋଟାଏ କଥା କଲେ ହୁଅନ୍ତା ନାହିଁ ? ମୋ ନାଁ ପୀତାମ୍ବର ସାହୁ, ମୋ ପରି ଜଣେ ସାମାନ୍ୟ ଲୋକକୁ ଏଡ଼େ ଉଠିଆ ନାଁରେ ବା କିଏ କାହିଁକି ଡାକିବ– ସମସ୍ତେ ପତେଇ ସାହୁ ବୋଲି ଡାକନ୍ତି । ତୋ ନାଁ ପିତେଇ, ମୋ ନାଁ ପିତେଇ ସାହୁ, ଦୁହିଁଙ୍କ ନାଁ ଏକା, ତେବେ ଦୁହେଁ ମୈତ୍ର ବସିବା ଚାଲ ।’’ ପିତେଇ କହିଲା– ‘‘ଛି, ଲୋକେ ହସିବେ । ପୁରୁଷ ସାଙ୍ଗରେ ପୁରୁଷ ସିନା ସଙ୍ଗାତ ମୈତ୍ର ବସେ, ଆଉ ପୁରୁଷ ନାରୀ ମଧ୍ୟରେ କିଏ କେବେ ମୈତ୍ର ବସିବା ଦେଖାଶୁଣା ନାହିଁ ।’’ ବୃଦ୍ଧ କହିଲା– ‘‘ନୂଆକରି ସେ ରୀତି ଚଳାଇଲେ କ୍ଷତି କଅଣ ? କେହି ଚଳାଇ ନାହାନ୍ତି ବୋଲି ଚଳି ନାହିଁ, ଜଣେ କେହି ଚଳାଇଲେ ତେଣିକି ସମସ୍ତେ ଚଳାଇବେ । ସେ ନୂଆ ରୀତିଟା ସମସ୍ତେ ତୋହରି ପାଖରୁ ଶିଖନ୍ତୁ ।’’ ପିତେଇ ମୁଣ୍ଡ ହଲାଇ କହିଲା– ‘‘ନା ନା, ମୋର ଦରକାର ନାହିଁ– ସେହି ଅଜା ଲେଖା ମୋର ଭଲ-।’’ ବୃଦ୍ଧ ପିତେଇ ଏହିପରି କଥାବାର୍ତ୍ତା ହେଉ ଥିବା ସମୟରେ ଶେଫାଳିକା ଭିତରୁ ଥାଇ ଡାକିଲେ, ‘‘ପିତେଇ, ବେଳ ହେଲାଣି, ମହାପ୍ରସାଦ ଆଣିବୁ ଯା ।’’ ପିତେଇ ଉଠିଯାଇ ତାଙ୍କଠାରୁ ପଇସା ନେଇ ମହାପ୍ରସାଦ କିଣିବାକୁ ଗଲା । ନନ୍ଦଙ୍କ ବସାରେ ରୋଷାଇ ହୁଏ ନାହିଁ, ଦୁଇ ଓଳି ମହାପ୍ରସାଦ କିଣା ହୋଇ ଆସେ– ସମସ୍ତେ ତାହା ଖାଆନ୍ତି । ପ୍ରଥମରେ ଦିନେ ଦୁଇଦିନ ନନ୍ଦେ ମହାପ୍ରସାଦ କିଣି ଆଣିଥିଲେ, ଏଣିକି ସେ ଭାର ପିତେଇକୁ ଦିଆଯାଇଅଛି । ସେ ଦୁଇଓଳି ଯାଇଁ ଦେଉଳରୁ ମହାପ୍ରସାଦ କିଣି ଆଣେ । ପତେଇ ଗଉଡ଼ୁଣୀ; କିନ୍ତୁ ମହାପ୍ରସାଦରେ ଜାତିଭେଦ ନାହିଁ । ପୁରୀ ମହାତୀର୍ଥ, ମର୍ତ୍ତ୍ୟ ବୈକୁଣ୍ଠ, ଜାତି ଧର୍ମର ସମନ୍ୱୟ କ୍ଷେତ୍ର । ଭଗବାନଙ୍କର ଅଧିଷ୍ଠାନ ଯେଉଁଠାରେ, ବିରୁଦ୍ଧମତର ସମ୍ମିଳନ ସେଇଠାରେ । ସମସ୍ତେ ଜଗତ୍ ପିତା ଜଗନ୍ନାଥଙ୍କର ସନ୍ତାନ; ସୁତରାଂ ସମସ୍ତଙ୍କର ଏକ ଜାତି, ଏକ ଧର୍ମ, ଏକ ଗୋତ୍ର, ସମସ୍ତେ ଏକ ପରିବାରଭୁକ୍ତ । ଏରୂପ ଉଦାର ଧର୍ମନୀତି, ଏରୂପ ବିଶ୍ୱପ୍ରେମର ଅମର ଦୃଷ୍ଟାନ୍ତ ଅନ୍ୟତ୍ର ବିରଳ । ଏକ ପିତାର ସନ୍ତାନବୃନ୍ଦ ବିଭିନ୍ନ ବ୍ୟବସାୟୀ ହୋଇପାରନ୍ତି; ମାତ୍ର ବିଭିନ୍ନ ଜାତୀୟ ହୋଇପାରନ୍ତି ନାହିଁ । ପୁରୀରେ ବ୍ରାହ୍ମଣ ଶୂଦ୍ରର ଭେଦ ନାହିଁ, ଏହାହିଁ ଧର୍ମକ୍ଷେତ୍ରର ମହିମିତ ବୈଶିଷ୍ଟ୍ୟ ।
ନନ୍ଦେ, ତାଙ୍କର ଦୁଇ ସ୍ତ୍ରୀ ଏବଂ ଗୃହସ୍ୱାମୀ ବୃଦ୍ଧ ଚାରିହେଁ ବସି କଥାବାର୍ତ୍ତା ହେଉଅଛନ୍ତି । ଏହି ସମୟରେ ପିତେଇ ଉଗ୍ରଚଣ୍ଡୀ ମୂର୍ତ୍ତିଧରି ଗର୍ଜି ଗର୍ଜି ଆସି ଉପସ୍ଥିତ ହେଲା । ତାହାର ପରିଧେୟ ଛିନ୍ନ ବିଚ୍ଛିନ୍ନ, ହସ୍ତଧୃତ ମହାପ୍ରସାଦ କୁଡ଼ିଆଟି ମଧ୍ୟ ଅକ୍ଷତ ନାହିଁ । ସମସ୍ତଙ୍କର ନୀରବ ଦୃଷ୍ଟି ତାହାରି ଉପରେ ନିବଦ୍ଧ ରହିଲା । ପତେଇ ଭଙ୍ଗା କୁଡ଼ିଆଟି ଥୋଇ ଦେଇ କହିଲା– ‘‘କୁଢ଼ୀ, ଖଣ୍ଟ, ଡକେଇତ, ସାତ ଜନ୍ମ ମାଙ୍କଡ଼ ହୋଇଥାରେ ଡାକୁଣିଖିଆ । ତୋ ହାତଗୋଡ଼ ପୋଡ଼ିଯାଇଛି କିରେ ରଇଜଳା, ଗତର ଖଟେଇ ଖାଇ ମରୁନାହୁଁ କାହିଁକି ? ଗଛର ମଲାଙ୍ଗ ପରି ପର କାନ୍ଧରେ ଚଢ଼ି ଖାଇବୁ ।’’ ପିତେଇ ଏହିପରି ବକି ହେବାକୁ ଲାଗିଲା; ମାତ୍ର କାହା ଉଦ୍ଦେଶ୍ୟରେ ଏ ଆଶୀର୍ବାଦ, କେହି କିଛି ବୁଝି ପାରିଲେ ନାହିଁ । ପୁରୀର ଯାତ୍ରୀ ଏବଂ ଅଧିବାସୀମାନଙ୍କଠାରୁ ବାନରମାନେ ଗୋଟାଏ ଦୈନିକ କର ଆଦାୟ କରନ୍ତି । ଏକା ପୁରୀ କାହିଁକି ପ୍ରାୟଶଃ ପ୍ରତ୍ୟେକ ତୀର୍ଥସ୍ଥାନ ଏହି ବାନର ଉପଦ୍ରବରୁ ମୁକ୍ତ ନୁହେଁ । ସେମାନଙ୍କୁ କିଛି ଯାଚି ଦେଲେ ତ ଭଲ, ନଚେତ୍ ସେମାନେ ମରହଟ୍ଟାଶାସନକର୍ତ୍ତାମାନଙ୍କ ପରି ଦଳ ବାନ୍ଧି ଆକ୍ରମଣ କରି ଲୁଣ୍ଠନ କରିବେ । ଆଜି ପିତେଇଠାରୁ ସେମାନେ ବଳପୂର୍ବକ କର ଆଦାୟ କରିଅଛନ୍ତି । ବୃଦ୍ଧ ଗୃହସ୍ୱାମୀ ପଚାରିଲା– ‘‘କିଲୋ ପିତେଇ, କାହାକୁ କଲ୍ୟାଣ କରୁଛୁ ?’’
ପିତେଇ– କଅଣ କହିବି ଅଜା, ଦେଉଳରୁ ‘‘ମାହାର୍ଦ୍ଦ’’ କିଣି ଆସୁ ଆସୁ ଗୋଟାଏ ବୁଢ଼ା ହନୁ ଧାଇଁ ଆସି ମୋ ହାତ ଧରିପକାଇଲା । ସାଙ୍ଗେ ସାଙ୍ଗେ ପଲେ ମାଙ୍କଡ଼ ଧାଇଁ ଆସି ମୋ ଲୁଗା ଚିରିଦେଇ ଗୋଟାଏ କୁଡ଼ିଆ ହାତରୁ ଛଡ଼ାଇ ନେଇଗଲେ ।
ବୃଦ୍ଧ– ପୂର୍ବ ଜନ୍ମରେ ସେ ବୁଢ଼ା ହନୁ ସାଙ୍ଗରେ ତୋର କିଛି ଲେଖାଯୋଖା ଥିବ । ସେମାନେ ସର୍ବଜାଣ ପରା, ଦେଖିଲେ ଚିହ୍ନିପାରନ୍ତି ଆଉ ପୂର୍ବ ସମ୍ପର୍କ ଧରି ଥଟ୍ଟା ଟାପିରାଦି କରନ୍ତି-। ହାତ ଧରି ଡାକୁଥିଲା ଯଦି ତୁ ନ ଗଲୁ କାହିଁକି ? କିଛି ଦେଇଥାନ୍ତା ପରା ।
ପିତେଇ– ମାଙ୍କଡଟା ମୋତେ କଅଣ ଦେବ, ତୁମେ ତା ସାଙ୍ଗରେ ସଙ୍ଗାତ ବସିଲେ ବେଶ୍ ମାନନ୍ତା । ତୁମ ଦାନ୍ତ, ତା ଦାନ୍ତ ଠିକ୍ ଏକାପରି ତ ଅଜା । ଓଃ, କି ଜଞ୍ଜାଳ ଲୋ ମା, ମାଙ୍କଡ଼ଗୁଡ଼ାକ ସିମିତି ଉଗୁରି ହେଉଛନ୍ତି, ପଣ୍ଡାଗୁଡ଼ାକ ବି ସିମିତି ବାଟ ଚଲେଇ ଦେଉ ନାହାନ୍ତିଲୋ ମା ରାଣୀ । ବିନା ପଇସାରେ ତ କଲ୍ୟାଣ ଲଦି ପକାଉ ଅଛନ୍ତି ଆଉ ପଇସା ପାଇଲେ କଅଣ ନ ହୁଅନ୍ତା !
ବୃଦ୍ଧ– କି କଲ୍ୟାଣ କଲେ, ରାଜରାଣୀ ହେବୁ ବୋଲି କହିଲେ ନା ? ପଣ୍ଡାଙ୍କୁ ନିନ୍ଦା କରନା ପିତେଇ; ତାଙ୍କ କଲ୍ୟାଣ ସାଙ୍ଗେ ସାଙ୍ଗେ ଫଳିଲା । ରାଜରାଣୀ ନ ହୋଇ ବାନରାଣୀ ହେଲୁ, ସେ ଏକା କଥା । ମର୍କଟରାଜାଙ୍କ ପାଟରାଣୀ, ଓଃ, କି ସୌଭାଗ୍ୟ ତୋର ।
ବୃଦ୍ଧ ଏବଂ ପିତେଇର ଏହି କଥାବାର୍ତ୍ତା ମଧ୍ୟରେ ଶେଫାଳିକା କେତେବେଳେ ଉଠିଯାଇ ଘରୁ ପଇସା ଆଣି ବୃଦ୍ଧକୁ ଦେଇଦେଇ କହିଲେ– ‘‘ମଉସା, ଗୋଟାଏ କୁଡ଼ିଆ ଅଣ୍ଟିବ ନାହିଁ, ତମେ ଯାଇ ଆଉ ଗୋଟାଏ କିଣି ଆଣ ।’’ ବୃଦ୍ଧ ‘‘ଯାଉଛି ମା’’, କହି ମହାପ୍ରସାଦ କିଣିବାକୁ ଉଠିଗଲା ।
ଶେଫାଳିକା ପ୍ରତ୍ୟହ ପ୍ରତ୍ୟୁଷରୁ ସାଗରସ୍ନାନ କରିବାକୁ ଯାଆନ୍ତି । ବିଶ୍ୱତ୍ରାସ ମସୁଦ୍ରର ମନ୍ଥନ ଲୀଳା ଦେଖି କହନ୍ତି– ‘‘ତୋ ହୃଦୟ ତ ମୋହରି ହୃଦୟ ପରି ମନ୍ଥି ହେଉଛି, ତୁ କି ମୋର ସମଦୁଃଖୀ ? ତୁ କି ମୋହରି ପରି ରତ୍ନ ହରାଇଛୁ ରତ୍ନାକର ? ତୋର ଅସଂଖ୍ୟ ରତ୍ନ ଅଛି; କିନ୍ତୁ ମୋର ସେହି ଗୋଟିକ । ମୋ ହୃଦୟ ତୋହରି ହୃଦୟ ପରି ହାହାକାରପୂର୍ଣ୍ଣ । ତୋ ହୃଦୟରୁ ଯେପରି ବ୍ୟଥିତ କ୍ରନ୍ଦନର କରୁଣଧ୍ୱନି ଉଠୁଛି, ମୋ ହୃଦୟରୁ ସୁଦ୍ଧା ସେହିପରି ଉଠୁଛି । ତୋର କ୍ରନ୍ଦନ ଜଗତ ଶୁଣୁଛି; ମାତ୍ର ମୋର କ୍ରନ୍ଦନ ମୋର ଆତ୍ମାପୂରୁଷ ଛଡ଼ା ଆଉ କେହି ଶୁଣିପାରନ୍ତି ନାହିଁ-। ଇନ୍ଦୁ ପିତା, ତୁ ଅମାବାସ୍ୟାରେ ଦିନେ ମାତ୍ର ପୁତ୍ରହରା ହେଉ, ଏତିକିରେ ତୁ ଅଧୈର୍ଯ୍ୟ; ମାତ୍ର ମୁଁ ବର୍ଷାଧିକ କାଳ ହେଲା ସେହି କଷ୍ଟ ସହି ଆସୁଅଛି, ମୋର ବ୍ୟଥା ତୋର କେତେଗୁଣ ତାହା କିଏ ବୁଝିବ ? ବେଳା ତୋର ହୃଦୟର ଉଚ୍ଛ୍ୱାସକୁ ସମ୍ଭାଳି ରଖେ; ମୋ ହୃଦୟ ସମ୍ଭାଳିବାକୁ କେହି ନାହିଁ-। ଉଚ୍ଛ୍ୱାସରେ ସେ ଶତ ଖଣ୍ଡ ହୋଇ ଫାଟିଯାଏ । ତୀର୍ଥନାଥ, ସକଳ ତୀର୍ଥର ତୁ ଆଶ୍ରୟ । ତୁ ଜଗତର ମଳିନତା ପରିଧୌତ କରୁ; ମୋ ହୃଦୟର ଚିନ୍ତାମଳିନତା ଧୌତ କର, ତୋର ତୀର୍ଥପୂତ ଜଳରେ ମୋର ପାପଶରୀର ପବିତ୍ର ହେଉ, ଏତିକି ମୋର ଭିକ୍ଷା ।
ଜଗନ୍ନାଥ ମହାପ୍ରଭୁଙ୍କର ସାନ୍ଧ୍ୟ ଆଳତି ଦର୍ଶନ ଶେଫାଳିକାଙ୍କର ଗୋଟିଏ ନିତ୍ୟକର୍ମ । ଯେତେବେଳେ ଶଙ୍ଖ, ଘଣ୍ଟା, ମୃଦଙ୍ଗ, ମନ୍ଦିରା ପ୍ରଭୃତି ମଧୁର ପୃଥୁଳ ଶବ୍ଦରେ ବାଜିଉଠେ, ଉକ୍ତ କଣ୍ଠର ସ୍ତୁତିବାଣୀରେ ଶ୍ରୀ ମନ୍ଦିରର ଗର୍ଭ ମୁଖରିତ ହୁଏ, ଧୂପ ପୁଷ୍ପାଦିର ସ୍ନିଗ୍ଧ ସୌରଭରେ ମନଃପ୍ରାଣ ପୁଲକପୂର୍ଣ୍ଣ ହୋଇଉଠେ, ତେତେବେଳେ ଶେଫାଳିକା ଗରୁଡ଼ସ୍ତମ୍ଭର ପାଦ ମୂଳରେ ଠିଆହୋଇ ମହାପ୍ରଭୁଙ୍କ ଶ୍ରୀମୁଖକୁ ନିର୍ନିମେଷ ନେତ୍ରରେ ଚାହିଁ ରହି ନୀରବ ମନୋବାଣୀରେ ଭକ୍ତି ତନ୍ମୟ ଚିତ୍ତରେ– ‘‘ପ୍ରଳୟ ପୟୋଧିଜଳେ–’’ ଇତ୍ୟାଦି ଜୟଦେବ ଗୋସ୍ୱାମୀ ରଚିତ ଦଶଅବତାର ସ୍ତୋତ୍ର ଆବୃତ୍ତି କରନ୍ତି । ଆହା, ଅରୂପସୁନ୍ଦରଙ୍କର କି ଅନନ୍ତସୁନ୍ଦର ରୂପ । ଶ୍ରୀମୁଖ ଜ୍ୟୋତିରେ ଆରାତ୍ରିକ ଆଲୋକ ଜ୍ୟୋତି ମିଶି ଏକ ଅପୂର୍ବ ଜ୍ୟୋତିର ଉତ୍ସବ ଲାଗିଯାଏ । ସେ ମହାଜ୍ୟୋତିରେ ଭକ୍ତ ହୃଦୟର ଅନ୍ତଃସ୍ଥଳ ପର୍ଯ୍ୟନ୍ତ ଆଲୋକିତ ହୋଇଥାଏ । ପାର୍ଥିବ ଅନ୍ଧାର କେଉଁଆଡ଼େ ଛାଡ଼ି ପଳାଏ । ସେହି ପବିତ୍ର ମହାବ୍ରହ୍ମଜ୍ୟୋତିରେ ସ୍ୱର୍ଗ ଆଲୋକିତ ହୁଏ, ମର୍ତ୍ତ୍ୟ ଆଲୋକିତ ହୁଏ ଏବଂ ପାତାଳ ଆଲୋକିତ ହୁଏ । ତେତେବେଳେ ବୈକୁଣ୍ଠର ବିଭବ ମର୍ତ୍ତ୍ୟକୁ ଓହ୍ଲାଇ ଆସେ– ଭକ୍ତ ଆନନ୍ଦରେ ଆତ୍ମବିସ୍ମୃତ ହୁଏ । ତେବେବେଳେ ଭକ୍ତ ସାଧକ ସ୍ୱର୍ଗ ତୁଚ୍ଛ ମଣେ, ବୈକୁଣ୍ଠ ତୁଚ୍ଛ ମଣେ ଏବଂ ମୁକ୍ତି ତୁଚ୍ଛ ମଣେ । କେବଳ ସେହି ମହାଦୃଶ୍ୟ ତାହାର ଚିର ବାଞ୍ଛନୀୟ ହୁଏ, ସେ ସେହିଥିରେ ବିଭୋର ଥାଏ । ତାହାର ଅଙ୍ଗ ପ୍ରତ୍ୟଙ୍ଗର ସମଗ୍ର ଶକ୍ତି ଯାଇ ଚକ୍ଷୁରେ ଅବସ୍ଥାନ କରେ, ଅଥବା ଅଙ୍ଗପ୍ରତ୍ୟଙ୍ଗ ସବୁ ଚକ୍ଷୁ ହୋଇଯାଏ । ସେ ନିଷ୍ପନ୍ଦ ପାଷାଣ ପ୍ରତିମା ପରି ନିଶ୍ଚଳ ଦୃଷ୍ଟିରେ ଏକ ଭାବରେ ଦେବନାଥ ଜଗନ୍ନାଥଙ୍କର ମହିମାମଣ୍ଡିତ ଜ୍ୟୋତିର୍ମୟ ଶ୍ରୀମୁଖକୁ ଚାହିଁ ରହେ । ତେତେବେଳେ ସେ ଭାବାବେଶରେ ତନ୍ମୟ, ତାହାର ବାହ୍ୟଜ୍ଞାନ ଥାଏ ନାହିଁ । ତାହାର ଆତ୍ମା କେଉଁ ସ୍ୱର୍ଣ୍ଣମୟ ସ୍ୱପ୍ନ ସ୍ୱର୍ଗରେ କି ଏକ ଅନାବିଳ, ଅନାସ୍ୱାଦନୀୟ ସୁଖାନନ୍ଦ ରୂପ ମହାମୃତ ସେବନରେ ପ୍ରମତ୍ତ ଥାଏ । ଭକ୍ତର ଏହି ଅବସ୍ଥାହିଁ ଜୀବନ୍ମୁକ୍ତି, ଅନ୍ୟଥା ମୃତ୍ୟୁ ପରେ ମୁକ୍ତି ତାହାର ସ୍ପୃହଣୀୟ ନୁହେଁ ।
ଆଳତି ଶେଷରେ ଶେଫାଳିକା ପ୍ରାଣର ଆକୁଳ ଭାଷାରେ ଦେବତାଙ୍କ ଛାମୁରେ ଏହିପରି ଜଣାଣ କରନ୍ତି– ‘‘ହେ ଜଗବନ୍ଧୁ, ହେ ନୀଳାଦ୍ରି କେଶରୀ, ଜ୍ଞାନୀମାନେ କହନ୍ତି–ଯାହାର କେହି ଭରସା, ଏ ମହାସତ୍ୟବାଣୀ ମୋ ପକ୍ଷରେ କାହିଁକି ସଫଳ ହେଉ ନାହିଁ ପ୍ରଭୋ ? କୋଟି ଯୋଜନ ଦୂରରେ ଥାଇ ଡାକିଲେ ତୁମ୍ଭେ ଆତୁରର ଗୁହାରି ଶୁଣ, ମୁଁ ପାଖରେ ଥାଇ ଡ଼ାକୁଛି, ତାହା କି ତୁମ୍ଭଙ୍କୁ ଶୁଭୁନାହିଁ ହରି ! କିପରି ଭାବରେ ଡାକିଲେ ତୁମ୍ଭ କୃପାସିଂହାସନ ଟଳେ, ହୃଦୟ ତରଳେ, ମୁଁ ଅଜ୍ଞାନା ଅବଳା ସେ ଧାରା କାହୁଁ ବା ଜାଣିବି । ପିତାଙ୍କ ନିକଟରେ ସନ୍ତାନର ଗୁହାରି କରିବାର ବା ଅଳି ଅଜଟ କରିବାର କି ବିଶେଷ ଧାରା ବନ୍ଧା ଅଛି ନାରାୟଣ ! ମୁଁ ତ ପ୍ରାଣର ସହିତ ଏକାଗ୍ରଚିତ୍ତରେ ଡାକୁଛି; ମାତ୍ର ତୁମ୍ଭ କୃପାରୁ ବଞ୍ଚିତ ହେଉଛି କାହିଁକି ? ଦୁଃଖୀ କଅଣ ଖାଲି ଦୁଃଖ ଭୋଗ କରିବା ପାଇଁ ଜନ୍ମଲାଭ କରିଛି ? ତୁମ୍ଭେ ପିତୃହୃଦୟ ଧରି ସନ୍ତାନର ଦୁଃଖ କିପରି ଦେଖ ପ୍ରଭୁ ? ସେ ଦୃଶ୍ୟ ଦେଖି ତୁମ୍ଭ ପିତୃହୃଦୟରେ କି ଆଘାତ ଲାଗେ ନାହିଁ ? ସନ୍ତାନକୁ ହିନସ୍ତା ହନ୍ତସନ୍ତ କରିବାଦ୍ୱାରା ତୁମ୍ଭର କି ମଙ୍ଗଳ ଉଦ୍ଦେଶ୍ୟ ସାଧିତ ହୁଏ, ତାହା ତୁମ୍ଭେ ଏକା ଜାଣ ମଙ୍ଗଳମୟ । ଏ ସଂସାର ତୁମ୍ଭର ଖେଳଘର, ସଂସାରର ପ୍ରତ୍ୟେକ ଘଟଣା ତୁମ୍ଭର ଖେଳ କୌତୁକ-। ସେ କୌତୁକରେ ତୁମ୍ଭର ଆନନ୍ଦ ହୋଇପାରେ; ମାତ୍ର ତୁମ୍ଭ ସୃଷ୍ଟ ଜୀବ କି ଯନ୍ତ୍ରଣା ଭୋଗକରେ ତାହା କି ତୁମ୍ଭେ ଜାଣନାହିଁ ଅନ୍ତର୍ଯ୍ୟାମି, ମୁଁ ବୁଦ୍ଧିହୀନା ଛାର ନାରୀ ତୁମ୍ଭର ଲୀଳା ରହସ୍ୟ ବୁଝିବାକୁ ଅକ୍ଷମ । ତୁମ୍ଭରି ଦତ୍ତ ବିବେକ ମୋତେ ଯାହା କହୁଛି, ମୁଁ ତାହାରି ପ୍ରତିଧ୍ୱନି କରୁଛି ମାତ୍ର । ନା ନା ପ୍ରଭୁ, ମୋର ଏ ବୃଥା ଆକ୍ଷେପ, ନାରୀସୁଲଭ ଦୁର୍ବଳତା, ଅଜ୍ଞତା । ତୁମ୍ଭେ ଗୁଣର ଯେପରି ପୁରସ୍କାର ଦିଅ, ଦୋଷର ସେହିପରି ଦଣ୍ଡ ଦିଅ । ମୁଁ ନିଶ୍ଚେ କୌଣସି ଗୁରୁତର ଦୋଷ କରିଥିବାରୁ ସେଥିର ଶାସ୍ତି ଭୋଗ କରୁଛି । କୃତଦୋଷ ସକାଶେ କ୍ଷମା ପ୍ରାର୍ଥନା ନ କରି ତୁମ୍ଭ ଉପରେ ଅଭିମାନ କରୁଛି । ପିତାଙ୍କ ଉପରେ ଏ ଭଳି ଅଭିମାନ କରିବାର ଅଧିକାର ଅବୋଧ ସନ୍ତାନର ଅଛି । ଯେ ଅବୋଧ ଅକ୍ଷମ, ଅଭିମାନ ଆଉ କ୍ରନ୍ଦନ ତାହାର ସମ୍ବଳ । ତାହା ତା ପକ୍ଷରେ ଅସୁନ୍ଦର ହୋଇପାରେ; ମାତ୍ର ଅବୋଧ ଅଭିମାନୀ ସନ୍ତାନର ଅଭିମାନ ରକ୍ଷା କରିବା ସନ୍ତାନବତ୍ସଳ ପିତାଙ୍କ ପକ୍ଷରେ ଅସୁନ୍ଦର ନୁହେ । ଦିଅ କେତେଦିନ ଦଣ୍ଡ ଦେବ, ତାହା ମୁଁ ପଥର ପରି ସହିବି । ମାତ୍ର ଦୁଃଖୀ ସନ୍ତାନର ନେତ୍ରରେ ଅହରହ ବେଦନାରେ ଅଶ୍ରୁ ଦେଖି ଦୟାମୟ ପିତାଙ୍କ ସ୍ନେହପ୍ରବଣ ହୃଦୟ ଦିନେ ଦ୍ରବୀଭୂତ ହେବ, ସେ ସନ୍ତାନର ଅଶ୍ରୁ ପୋଛି ଦେଇ ତାହାର ପ୍ରାର୍ଥିତ ପଦାର୍ଥ ତାକୁ ପ୍ରଦାନ କରିବେ, ଏ ଅଭ୍ରାନ୍ତ ବିଶ୍ୱାସ ମୋର ଅଛି । ପବିତ୍ର ପିତୃହୃଦୟ କେବେ ସ୍ନେହଶୂନ୍ୟ ହୋଇପାରେନାହିଁ । ଅଗାଧ ସମୁଦ୍ର କି କେବେ ଜଳଶୂନ୍ୟ ହୋଇପାରେ ? ଜଗତରେ ମଧୁଶୂନ୍ୟ ପୁଷ୍ପ ନାହିଁ, ପ୍ରତ୍ୟେକ ପୁଷ୍ପରେ ଅଳ୍ପାଧିକ ମଧୁ ଥାଏ । ପିତୃହୃଦୟ ଶାସନରେ କଠୋର; ମାତ୍ର ସ୍ନେହରେ ସଜଳ ।’’ ଶେଫାଳିକା ଏହିପରି ଅନେକ କଥା କହନ୍ତି– କେତେ ଅପ୍ରାସଙ୍ଗିକ କଥା ମଧ୍ୟ କହିଯାଆନ୍ତି । ଦୁଃଖର ଆବେଗରେ ହୃଦୟ ଖୋଲିଗଲେ ନାନା କଥା ବାହାରି ପଡ଼େ ତେତେବେଳେ ପ୍ରସଙ୍ଗ ଅପ୍ରସଙ୍ଗରେ ଜ୍ଞାନ ଥାଏ ନାହିଁ ।
ପିତେଇ ଶେଫାଳିକାଙ୍କ ସଙ୍ଗରେ ଆଳତି ଦେଖିବାକୁ ଯାଏ । ଶେଫାଳିକା ହାତ ଯୋଡ଼ିଲେ ସେ ହାତ ଯୋଡ଼େ, ଜୁହାର ହେଲେ ଜୁହାର ହୁଏ, ପ୍ରାର୍ଥନା କଲେ ପ୍ରାର୍ଥନା କରେ । ମାତ୍ର ସେ ନିଜପାଇଁ କିଛି ପ୍ରାର୍ଥନା କରେ ନାହିଁ । ସେ କହେ– ‘‘ହେ ଜଗନ୍ନାଥ ମହାପ୍ରଭୁ, ହେ କାଳିଆ ସାଆନ୍ତ, ହେ ଚକାଡୋଳା ମା ଠାକୁରାଣୀଙ୍କ ମନୋବାଞ୍ଛା ପୂର୍ଣ୍ଣକର– ମୋ ନନା ଗୋସାଇଁଙ୍କି ଭେଟେଇ ଦିଅ । ଲକ୍ଷ୍ମୀଠାକୁରାଣୀଙ୍କ ପରି ମା ମୋର ଝୁରିଝୁରି କଣ୍ଟା ହେଲେଣି– ଆଉ ତାଙ୍କୁ ଦୁଃଖ ଦିଅ ନାହିଁ । ଆହା ସରଳ ପ୍ରାଣର କି ସରଳ, ନିଃଶ୍ୱାର୍ଥ ପ୍ରାର୍ଥନା ! କି ପବିତ୍ର ସମବେଦନା ! ଅଶିକ୍ଷିତ ହୃଦୟର କି ଅଦ୍ଭୁତ ଉଦାରତା । ଏ ରୂପ ସାତ୍ତ୍ୱିକଭାବ ଅନେକ ଜ୍ଞାନାଭିମାନୀ ଶିକ୍ଷିତଙ୍କ ପ୍ରାଣରେ ଦୁର୍ଲଭ । ଇତରଶ୍ରେଣୀୟା ପଲ୍ଲୀରମଣୀର କି ମହତ୍ତ୍ୱ, କି ମହାପ୍ରାଣତା ଏବଂ ପରମାତ୍ମୀୟତା ! ପର ଦୁଃଖରେ ଯାହାର ପ୍ରାଣ ବ୍ୟାକୁଳ ହୁଏ, ସେ ସାମାନ୍ୟ ମନୁଷ୍ୟ ନୁହେଁ– ତାହାର ଆସନ ମନୁଷ୍ୟର ଊର୍ଦ୍ଧ୍ୱରେ । ଯେ ପର ପାଇଁ କାନ୍ଦେ, ତାହାର ଜୀବନ ସାର୍ଥକ ଏବଂ କାନ୍ଦିଜାଣେ ସେହି । ପବିତ୍ର ଅଶ୍ରୁର ମହତ୍ତ୍ୱ ଏବଂ ଗୌରବ ତାହାରିଠାରେ ପୂଜିତ ହୁଏ । ପିତେଇର କୁରୂପ ମଧ୍ୟରେ ଏହି ଗୁଣଟି ଅଙ୍ଗାରଖଣିସ୍ଥ ଉଜ୍ଜ୍ୱଳ ହୀରକ ଖଣ୍ଡସ୍ୱରୂପ । ସେ ଯେତେ କୁରୁପା ହେଲେହେଁ ଦେବୀ । ଦେବତ୍ୱ ରୂପରେ ଥାଏ ନାହିଁ, ଗୁଣରେ ଥାଏ । ଜଗତରେ ଯାହାକୁ ଅସୁନ୍ଦର କହନ୍ତି, ବାସ୍ତବରେ ତାହା ଅସୁନ୍ଦର ନୁହେଁ– ସେହି ଅସୁନ୍ଦର ମଧ୍ୟରେ ସୁନ୍ଦର ଲୁକ୍କାୟିତ ଥାଏ । ଏହାହିଁ ଅଦ୍ଭୁତ କୌଶଳୀ ବିଧାତାର ସୃଷ୍ଟିର ବୈଚିତ୍ର୍ୟ । ଶେଫାଳିକାଙ୍କ ହୃଦୟ ଭକ୍ତିରେ ପୂର୍ଣ୍ଣ; କିନ୍ତୁ ସେ ଭକ୍ତି ମଧ୍ୟରେ ଗୋଟାଏ କାମନା ଅଛି । ଆଉ ପିତେଇର ନିଷ୍କାମ ଭକ୍ତି, ସେଥିରେ ପ୍ରାର୍ଥନା ଅଛି; ମାତ୍ର ତାହା ନିଜପାଇଁ ନୁହେଁ । ସକାମ ଭକ୍ତି ଜ୍ଞାନର ମୂଳ ସୋପାନ; ମାତ୍ର ନିଷ୍କାମ ଭକ୍ତିର ମୂଲ୍ୟ ତାହାଠାରୁ ଅନେକ ଅଧିକ । ପିତେଇର ପ୍ରାର୍ଥନାରେ ସ୍ୱାର୍ଥର ସମ୍ବନ୍ଧ ନାହିଁ; ସୁତରାଂ ଠାକୁର ତାହାକୁ ଆଗେ ଶୁଣିବେ, ତାହାର ପ୍ରାର୍ଥନା ବିଫଳ ହେବ ନାହିଁ । ଖାଲି ଭକ୍ତି ନୁହେଁ– ପିତେଇର ବିଶ୍ୱାସ ସୁଦ୍ଧା ଅଟଳ, ଅକମ୍ପ । ଖୁବ୍ ଜ୍ଞାନୀ ଆଉ ଖୁବ୍ ଅଜ୍ଞାନ ଏ ଉଭୟର ବିଶ୍ୱାସ ଦୃଢ଼ । କେବଳ ମଧ୍ୟ ଶ୍ରେଣୀର ବିଶ୍ୱାସ ହଲଚଲ । ପିତେଇର କଥାରୁ ତାହାର ଦୃଢ଼ ବିଶ୍ୱାସର ପରିଚୟ ମିଳେ । ସେ ଦିନେ ଶେଫାଳିକାଙ୍କୁ ପଚାରିଲା– ‘‘ମା, ଜଗନ୍ନାଥ କଣ ଦାରୁମୂର୍ତ୍ତିନା ?’’ ଶେଫାଳିକା କହିଲେ– ‘‘ହଁ ଲୋ ଝିଅ, ଦାରୁବ୍ରହ୍ମ ବୋଲି ପୁରାଣରେ ଲେଖାଅଛି । ପିତେଇ ଦୃଢ଼ସ୍ୱରରେ କହିଲେ– ‘‘ନା ମା, ଦାରୁମୂର୍ତ୍ତିର ଏତେ କରାମତି କାହୁଁ ହେବ ? ମୁଁ ତ ଦେଖେ ଠିକ୍ ଯିମିତି ଜୀଅନ୍ତା ମୂର୍ତ୍ତି । ମୁଁ ଯେତେବେଳେ ଦେଉଳକୁ ଯାଏ, ମୋର ଗୋଡ଼ ଥରେ, ଦେହ ଫୁଲିଉଠେ, କାଳେ କଅଣ ଛୁଇଁ ପକାଇବି, କାଳେ କଅଣ ମାରୁ ହୋଇଯିବ, ସବୁବେଳେ ମନରେ ଏହି ଭୟ ହୁଏ । ସତେ ଯିମିତି କିଏ ମୋତେ ଟାଣି ଧରୁଥାଏ ମୁଁ କ୍ଷଣ କ୍ଷଣକେ ଚମକି ଉଠେ । ଆଉ ମହାପ୍ରସାଦର କି ସୁଆଦ, କି ସୁବାସ । ଡାଲି, ତରକାରି ସତେ ଯେମିତି ଅମୃତରେ ବୋଳା ହୋଇଛି । ତମେ ତ ଦେଖିଛ ମା, ଘରେ ଥିଲାବେଳେ ବଡ଼ ଗହୀରୀ ପଥୁରୀରେ ପଥୁରୀଏ ଭାତ ମୁଁ ଠୁଙ୍କି ଦେଉଥିଲି, ଆଉ ଏଠି ତାଟିଆଏ ମହାପ୍ରସାଦ ଖାଇଲେ ପେଟ ପୂରିଯାଏ– ମୁହଁ ବାନ୍ଧି ଆସେ । ଯାହାର ଏଡ଼େ ମହିମା ସେ ପ୍ରତ୍ୟକ୍ଷ ଦେବତା ମା ଠାକୁରାଣୀ, ଦାରୁମୂର୍ତ୍ତି ନୁହେଁ ।’’ ଶେଫାଳିକା ଅଲାଗି ପିତେଇର କଥା ଶୁଣି ବିସ୍ମୟାବିଷ୍ଟ ହୋଇ କଅଣ କହିବେ କିଛି କଥା ଖୋଜି ପାଇଲେ ନାହିଁ । ଏକ ଧ୍ୟାନରେ ପିତେଇର ମୁହଁକୁ ଅନାଇଁ ରହିଲେ । କିଛିକ୍ଷଣ ପରେ କହିଲେ– ‘‘ଦାରୁମୂର୍ତ୍ତି ହେଲେ କଅଣ ହେଲା ଲୋ ଝିଅ; ଦାରୁ, ପଥର, ମାଟି ସବୁଥିରେ ଭଗବାନ୍ ଅଛନ୍ତି । ଆଉ ସେହି ଦାରୁମୂର୍ତ୍ତି ଭିତରେ ବ୍ରହ୍ମଶିଳା ଅଛି ।’’ ପିତେଇ ହସିଉଠି ପରମ ଉତ୍ସାହରେ କହିଲା– ‘‘ହଁ ମା, ମୁଁ ତ ସେହି କଥା କହୁଛି । ଆମ ଦେହରେ ଯିମିତି ଜୀବନ ଅଛି, ଦାରୁମୂର୍ତ୍ତି ଭିତରେ ସିମିତି ବ୍ରହ୍ମଶିଳା ଅଛି, ସେହି ବ୍ରହ୍ମଶିଳା ଦାରୁମୂର୍ତ୍ତିର ଜୀବନ । ଜଗନ୍ନାଥ ଜୀଅନ୍ତା ଦେବତା ମା, ସେ ଦୁନିଆର ଗୁହାରି ଶୁଣୁଛନ୍ତି । ନନା ଗୋସାଇଁଙ୍କି ନିଶ୍ଚେ ଭେଟେଇ ଦେବେ–ତମେ ଆଉ ଚିନ୍ତା କରନାହିଁ ।’’ ପିତେଇ ଅନେକ ସମୟରେ ଏହିପରି ପ୍ରବୋଧ ଦିଏ । ପିତେଇ ମୂର୍ଖ ଜାତୀୟ ସ୍ତ୍ରୀ; ମାତ୍ର ତାହାର ବିଶ୍ୱାସ ଅନେକ ଜ୍ଞାନୀ ପଣ୍ଡିତଙ୍କଠାରୁ ଅଧିକ । ଭକ୍ତି ବିଶ୍ୱାସର ରତ୍ନସିଂହାସନ ଉପରେ ଭଗବାନଙ୍କର ଅଧିଷ୍ଠାନ ।
ନନ୍ଦଙ୍କ ପୁରୀ ଆସିବାର ଦୁଇମାସ ହୋଇଗଲା । ଶେଫାଳିକା ଏଥିମଧ୍ୟରେ ପୁରୀର ସମସ୍ତ ସ୍ଥାନ ଖୋଜି ସାରିଲେଣି; ମାତ୍ର ଅଦ୍ୟାବଧି ପୁତ୍ରର ସନ୍ଧାନ ପାଇ ନାହାନ୍ତି । ପ୍ରତ୍ୟେକ ମଠ, ଦେବାଳୟ ପ୍ରଭୃତିରେ ତତ୍ତ୍ୱ ନେଲେ, ଅନେକ ଲୋକଙ୍କୁ ପଚାରିଲେ; ତଥାପି ହତାଶ ନ ହୋଇ ଖୋଜିବାକୁ ଲାଗିଲେ । ଦେବଦର୍ଶନ, ପୁତ୍ରାନ୍ୱେଷଣ ଏକ ସଙ୍ଗରେ ହୁଏ । ତୀର୍ଥ ପ୍ରଭାବରେ ତାଙ୍କର ଅଧୀରତା ବହୁ ପରିମାଣରେ ଊଣା ହୋଇ ଆସିଅଛି । ଶେଷ ଜୀବନରେ ମହାତୀର୍ଥରେ ବାସ କରି ନନ୍ଦେ ସୁଦ୍ଧା କିଞ୍ଚିତ୍ ଆଶ୍ୱସ୍ତ । ସମସ୍ତେ ଜଗନ୍ନାଥଙ୍କୁ ଧ୍ୟାନ କରି ପଡ଼ି ରହିଅଛନ୍ତି । ଦିନ ଏକ ପ୍ରକାର କଟି ଯାଉଅଛି । ପିତେଇର ସେବା ଯତ୍ନରେ ସମସ୍ତେ ତୁଷ୍ଟ, ସେ ଚିର ଆନନ୍ଦମୟୀ, ତାହାର ଦିନ ପୂର୍ବପରି ଆନନ୍ଦରେ କଟି ଯାଉଅଛି ।
ନୂତନ ମହନ୍ତ ସନାତନ ସମୁଦ୍ର ସ୍ନାନରେ ଅଭ୍ୟସ୍ତ ହୋଇ ପଡ଼ିଅଛନ୍ତି । ସେ ପ୍ରତ୍ୟହ ପ୍ରାତଃକାଳରେ ସମୁଦ୍ର ସ୍ନାନ କରିବାକୁ ଏକୁଟିଆ ଯାଆନ୍ତି । ଶୀତକାଳର ପ୍ରଭାତ, ଅଳ୍ପ କୁହୁଡ଼ି ଘୋଟିଅଛି । ଶ୍ରୀମନ୍ଦିର କୁହୁଡ଼ିରେ ବୁଡ଼ି ଆତ୍ମଗୋପନ କରିବାକୁ ଚେଷ୍ଟା କରୁଅଛି; ମାତ୍ର ପାରୁନାହିଁ, ଶୁକ୍ଳ ଘନ ଉହାଡ଼ରୁ ଚନ୍ଦ୍ରର ଜ୍ୟୋତି ଫୁଟି ଦିଶିଲା ପ୍ରାୟ ସୁନ୍ଦର ଦିଶୁଅଛି । ଶୀତ ହେତୁ ରାସ୍ତାରେ ଲୋକ ଚଳାଚଳ ନାହିଁ । ଏହି ସମୟରେ ମହନ୍ତ ସ୍ନାନ କରିବାକୁ ଯାଉଁ ଯାଉଁ ବାଟରେ ଦେଖିଲେ– ଜଣେ ବର୍ଷୀୟସୀ ମହିଳା ପରିଚାରିକା ସଙ୍ଗରେ ଜଗନ୍ନାଥଙ୍କ ପ୍ରଭାତ ଆଳତି ଦେଖିସାରି ଫେରି ଆସୁଅଛନ୍ତି । ବୃଦ୍ଧା ସଧବା, ତାଙ୍କର ପରିଧେୟ ଖଣ୍ଡିଏ କ୍ଷୀରୋଦ୍ରି ପାଟ । ତାଙ୍କୁ ଦେଖିଲାକ୍ଷଣି ମହନ୍ତଙ୍କ ଦେହ ଶୀତେଇ ଉଠିଲା । ସେ ଆଉ ଅଗ୍ରସର ନ ହୋଇ ସେହିଠାରେ ଠିଆହୋଇ ରହିଲେ । କିଛିକ୍ଷଣ କଅଣ ମନରେ ଭାବି ସପରିଚାରିକା ବୃଦ୍ଧାଙ୍କର ଅନୁଗମନ କଲେ ଏବଂ ସେମାନଙ୍କର କଥାବାର୍ତ୍ତା ଶୁଣିବାକୁ ଲାଗିଲେ । ଖଣ୍ଡେଦୂର ଯାଇ କମ୍ପିତ କଣ୍ଠରେ ଡାକିଲେ, ‘‘ବଡ଼ମା ।’’ ଏ କି ସ୍ୱର୍ଗୀୟ ସମ୍ବୋଧନ ! କେତେକାଳ ପରେ ଏ ଅମୃତବୋଳା ଡାକ ବୃଦ୍ଧାଙ୍କ ଆତୁର କର୍ଣ୍ଣରେ ପ୍ରବେଶ କଲା । ସେ ଚମକି ପଡ଼ି ପଛକୁ ଚାହିଁଦେଲେ । ମହନ୍ତ ତାଙ୍କର ପଦଧୂଳି ମସ୍ତକରେ ମାରି ଜଡ଼ିତ କଣ୍ଠରେ କହିଲେ– ‘‘ବଡ଼ମା, ମୋତେ ଚିହ୍ନିପାରିଲ ? ମୁଁ ତୁମ୍ଭର ଅବାଧ୍ୟ ହତଭାଗ୍ୟ ସେବକ ସନାତନ ।’’ ବୃଦ୍ଧା ପୁଅକୁ କୁଣ୍ଢାଇ ପକାଇ ବାଷ୍ପଗଦ୍ଗଦ୍ କଣ୍ଠରେ– ‘‘କିଏ, ମୋ ବାବା, ମୋ ରଙ୍କନିଧି, ମୋର ଅନ୍ଧର ଚକ୍ଷୁ, ମୁଁ ଅନ୍ଧ ହୋଇଥିଲି, ମୋତେ ଚକ୍ଷୁଦାନ କଲୁ ବାବା । ଆଜି ମୁଁ କାହା ମୁହଁଚାହିଁ ବାହାରିଥିଲି, ମୋର ହୃତ୍ ଧନ ପାଇଲି ।’’ ବୃଦ୍ଧାଙ୍କର ନେତ୍ରଦ୍ୱୟ ଅଶ୍ରୁର ପ୍ରସ୍ରବଣ ହୋଇଉଠିଲା । ପିତେଇର ଚକ୍ଷୁ ମଧ୍ୟ ଅଶ୍ରୁ ସଜଳ । ‘‘ମୋ ନନା ଗୋସାଇଁ ହୋ, ମୋ ନନା ଗୋସାଇଁ ହୋ’’ କହି ସେ ଉଚ୍ଚସ୍ୱରରେ କାନ୍ଦିବାକୁ ଲାଗିଲା । ସନାତନ ମାତୃବକ୍ଷରେ ମସ୍ତକ ଗୁଞ୍ଜି କହିଲେ– ‘‘ବଡ଼ମା !’’ ଏହି ଗୋଟିଏ ଡାକରେ ଶେଫାଳିକାଙ୍କର ବହୁଦିନର ବ୍ୟଥା– ବହୁଦିନର ଶୋକ ସବୁ କୁଆଡ଼େ ମୁହୂର୍ତ୍ତକ ମଧ୍ୟରେ ଭାସିଗଲା । ତାଙ୍କର ଆନନ୍ଦାଶ୍ରୁ ଧାରାରେ ସନାତନଙ୍କ ମସ୍ତକ ଅଭିଷିକ୍ତ ହେଲା । ସେ ବ୍ୟାକୁଳ କଣ୍ଠରେ କହିଲେ– ‘‘ବଡ଼ମା, ମୁଁ ଅକୃତଜ୍ଞ; ତୁମ୍ଭର ସ୍ନେହ–ସ୍ୱର୍ଗ–ଶୀତଳ ଅଙ୍କ ମୁଁ ନିଜେ ଛାଡ଼ି ଯାଇଥିଲି । ସେ ପବିତ୍ର ଅଙ୍କରେ ଆଉ ମୋ ସ୍ଥାନ ନାହିଁ । ଶେଫାଳିକା ପୁତ୍ରର ଅଶ୍ରୁ ପୋଛିଦେଇ କହିଲେ, ‘‘ଛି ବାବା ତାହା କହନ୍ତି ନାହିଁ, ମାତୃକୋଳରେ ଚିରକାଳ ସନ୍ତାନର ଅଧିକାର, ସେ ଅଧିକାରରୁ ତାକୁ କେହି ବଞ୍ଚିତ କରିପାରେନାହିଁ ।’’ ଅନନ୍ତର ଶେଫାଳିକା ପୁତ୍ରକୁ ଘେନି ବସା ଅଭିମୁଖରେ ପ୍ରସ୍ଥାନ କଲେ ।
ପିତେଇ ସେମାନଙ୍କ ସଙ୍ଗରେ ରହିପାରିଲା ନାହିଁ । ଉତ୍କଣ୍ଠାରେ ତାହାର ମନ ଡେଇଁ ବୁଲିଲା । ଏହି ଶୁଭ ସମ୍ବାଦ ସେ ଆଗେ ଯାଇ ନନ୍ଦ ଏବଂ ସୌଦାମିନୀକୁ ଦେବାପାଇଁ ଚଞ୍ଚଳ ହୋଇଉଠିଲା । ତହୁଁ ସେ ମାତାପୁତ୍ର ଦୁହିଁଙ୍କୁ ପଛରେ ରଖି ଧାଇଁବାକୁ ଲାଗିଲା । କୋଶକେ ଗୋଟାଏ ଗୋଡ଼ ତ ପାଆକେ ଗୋଟାଏ ଗୋଡ଼, ସେ ଧାଉଁଛି କି ଉଡ଼ିଯାଉଛି, ତାହାର ଗୋଡ଼ ମଞ୍ଚରେ ପଡ଼ୁଛି କି ପାତଳରେ ପଡ଼ୁଛି, ତାହା ସେ କିଛି ଜାଣିପାରୁନାହିଁ; କେବଳ ଧଇଁସଇଁ ହୋଇ ଧାଉଁଛି । ବସା ଖଣ୍ଡେଦୂର ଅଛି, ସେହିଠାରୁ ବଡ଼ ପାଟିରେ ଡାକିଲା– ‘‘ବାବା ଠାକୁରେ ହୋ, ସାନ ମା ଗୋ, ଧାଇଁଆସ, ନନା ଗୋସାଇଁ ମିଳିଲେଣି; ମୋତେ କଅଣ ଦବ କୁହ ।’’ ଥରେ ନୁହେଁ, ଦୁଇଥର ନୁହେଁ, ଏହି କଥାକୁ ବାରମ୍ବାର ଆବୃତ୍ତି କରି ବୀରପୁରୁଷ ପରି ପଦକ୍ଷେପରେ ଗତିପଥକୁ କମ୍ପାଇ ସେ ଆସି ବସାରେ ପହଞ୍ଚିଲା । ସେ ଏଡ଼େ ଚଞ୍ଚଳ କଥା କହୁଥାଏ ଯେ, ତାହା ସମ୍ପୂର୍ଣ୍ଣ ବୁଝିହେଉ ନ ଥାଏ । ନନ୍ଦେ ଏବଂ ସୌଦାମିନୀ ତାଟଙ୍କା ହୋଇ ତାହା ମୁହଁକୁ ଅନାଇ ରହିଲେ । କାହାରି ତୁଣ୍ଡରୁ ଭାଷା ବାହାରିଲା ନାହିଁ । ପିତେଇ କେବଳ ‘‘ଧାଇଁ ଆସ, ଧାଇଁ ଆସ’’ କହି ଖଣ୍ଡେ ଆଗକୁ ଚାଲିଯାଏ ପୁଣି ଖଣ୍ଡେ ପଛକୁ ଚାଲି ଆସେ । ତାହାର ଏହିପରି ଅଭିନୟ ସମୟରେ ଶେଫାଳିକା ପୁତ୍ରକୁ ଘେନି ଆସି ଉପସ୍ଥିତ ହେଲେ । ସନାତନ ଯାଇ ପିତାମାତା ଉଭୟଙ୍କର ପଦତଳେ ପଡ଼ି ପ୍ରଣାମ କଲେ । ନନ୍ଦେ ପୁଅକୁ କୁଣ୍ଢାଇ ପକାଇଲେ, ସୌଦାମିନୀ ପୁଅ ଦେହରେ ହାତ ବୁଲାଇ ନେତ୍ରରୁ ଶ୍ରାବଣର ଧାରା ଗଡ଼ାଇ ଦେଲା । ସମସ୍ତଙ୍କର ବହୁଦିନ ସଞ୍ଚିତ ସୁପ୍ତ ବେଦନା ପୁଣି ଜାଗିଉଠିଲା । ଅଶ୍ରୁ, ପ୍ରବାହର ରୁଦ୍ଧ ମୁଖ ମୁକ୍ତ ହୋଇଗଲା । ସ୍ନେହାଶ୍ରୁ, ପ୍ରେମାଶ୍ରୁ, ଭକ୍ତ୍ୟଶ୍ରୁ ଏବଂ ଆନନ୍ଦାଶ୍ରୁର ସମ୍ମିଳନ ହେଲା । ସେ ସଙ୍ଗମତୀର୍ଥରେ ସ୍ନାନକରି ସମସ୍ତେ ନିଜକୁ ପବିତ୍ର ଏବଂ ଭାଗ୍ୟଧର ମଣିଲେ । ସେହି ମହାଧାରାରେ ଶୋକ, ଦୁଃଖ, ଚିନ୍ତା, ଅନୁତାପ ସବୁ ଭାସିଗଲା । ମିଳନର ଆନନ୍ଦରେ ସମସ୍ତଙ୍କର ହୃଦୟ ଉଛୁଳି ଉଠିଲା । ବିଚ୍ଛେଦ ପରେ ମିଳନର ଯେଉଁ ଆନନ୍ଦ, ତାହା ଅତି ମଧୁର ଏବଂ ମୂଲ୍ୟବାନ । ସନାତନ ପିତାଙ୍କୁ ଚାହିଁ ସାଶ୍ରୁନେତ୍ରରେ କହିଲେ– ‘‘ପିତଃ, କୃତକର୍ମ ସକାଶେ ମୁଁ ଅନୁତପ୍ତ । ମୁଁ ଆପଣଙ୍କର ଆଜ୍ଞା ଲଙ୍ଘନ କରିଅଛି, ହୃଦୟରେ ଦାରୁଣ ଆଘାତ ଦେଇଅଛି, ନାନା ପ୍ରକାର କଷ୍ଟ ମଧ୍ୟ ଦେଇଅଛି । ମୁଁ ଆପଣଙ୍କର କୁପୁତ୍ର, ଆପଣଙ୍କର କ୍ଷମା ପାଇବାର ଅଯୋଗ୍ୟ ।’’ ନନ୍ଦେ ପୁଅକୁ ବକ୍ଷକୁ ଟାଣି ନେଇ ସ୍ନେହାର୍ଦ୍ର କଣ୍ଠରେ କହିଲେ, ‘ନା ବାବା, ପିତାର କ୍ଷମା ଏବଂ ଆଶୀର୍ବାଦ ଭଣ୍ଡାର ସନ୍ତାନ ପାଇଁ ଚିରମୁକ୍ତ । ତୁ ଦୁଃଖ କରନା, ନିୟତିର ପ୍ରଭାବରୁ ସବୁ ଘଟେ, ମନୁଷ୍ୟର କିଛି ଚାରା ନାହିଁ ।’’ ଏହି ସମୟରେ ଗୃହସ୍ୱାମୀ ବୃଦ୍ଧ ଉପସ୍ଥିତ ହୋଇ ମହନ୍ତଙ୍କୁ ସେଠାରେ ଦେଖି ତାଙ୍କ ଗୋଡ଼ତଳେ ପଡ଼ିଯାଇ କହିଲା– ‘‘ମୋର କି ସୌଭାଗ୍ୟ, ମହନ୍ତ ମହାରାଜଙ୍କର ପଦଧୂଳି ଏ ପାପୀ ଘରେ ପଡ଼ିଲା– ମୋର ଘର ଆଜି ପବିତ୍ର ହେଲା ।’’ ତାହାର ଏ କଥା ଶୁଣି ନନ୍ଦେ ଏବଂ ତାଙ୍କର ଦୁଇ ସ୍ତ୍ରୀ ପୁଅ ମୁହଁଙ୍କୁ ଚାହିଁ ରହିଲେ । ସନାତନ ସେମାନଙ୍କ ଦୃଷ୍ଟିରେ ବିସ୍ମୟ ଏବଂ ସନ୍ଦେହର ଛାୟାପାତ ଦେଖି ମୃଦୁହାସ୍ୟରେ କହିଲେ, ‘‘ମୁଁ ଏବେ ବଡ଼ମଠର ମହନ୍ତ ହୋଇଅଛି । ଗାଦିରେ ବସିଲା ପରେ ତୁମ୍ଭମାନଙ୍କୁ ଆଣିବା ସକାଶେ ଲୋକ ପଠାଇଥିଲି । ସେ ଫେରି ଆସି ତୁମ୍ଭେମାନେ ମୋତେ ଖୋଜିବା ପାଇଁ କାଶୀ ଯାଇଛ ବୋଲି କହିଲା । ଆଉ ଆଠ ଦଶ ଦିନ ପରେ ତୁମ୍ଭମାନଙ୍କୁ ଆଣିବା ପାଇଁ ମୁଁ କାଶୀ ଯାଇଥାନ୍ତି ।’’ ଶେଫାଳିକା ପୁଅକୁ ଆଉ କିଛି କହିବାର ଅବସର ନ ଦେଇ ବୃଦ୍ଧକୁ କହିଲେ– ‘‘ମଉସା, ଏହି ମୋର ପୁଅ ।’’ ଏକଥା ଅନୁମାନଦ୍ୱାରା ପୂର୍ବରୁ ବୃଦ୍ଧ ବୁଝିପାରିଥିଲା । ସେ ଆନନ୍ଦ ପ୍ରକାଶପୂର୍ବକ କହିଲା– ‘‘ତୁମ୍ଭେ ଭାଗ୍ୟବତୀ ମା, ତୁମ୍ଭର ପୁଅ ବଡ଼ମଠର ମହନ୍ତ ହୋଇ ଧର୍ମଗୁରୁ ଆସନରେ ବସିଛନ୍ତି । ଏହା କି ଅଳ୍ପ ତପସ୍ୟାର ଫଳ । ତୁମ୍ଭର ସପ୍ତପୁରୁଷ ଉଦ୍ଧାର ହୋଇଗଲେ ମା ।’’ ବୃଦ୍ଧ ଏହିପରି କେତେକ କଥା କହିଲା ପରେ ମହନ୍ତ ପିତାମାତାଙ୍କୁ ସଙ୍ଗରେ ଘେନି ମଠକୁ ଗଲେ ।
ସନାତନ ପିତାମାତାଙ୍କର ସୁଖ ସୁବିଧାରେ ରହିବାର ସୁବ୍ୟବସ୍ଥା କରିଦେଲେ । ପିତେଇ ସେମାନଙ୍କ ସେବାରେ ନିଯୁକ୍ତ ରହିଲା । ତାହାପାଇଁ ମଠରୁ ପ୍ରସାଦ ଖଞ୍ଜି ଦିଆଗଲା । ନନ୍ଦ ପରିବାର ଶେଷ ଜୀବନରେ ତୀର୍ଥକ୍ଷେତ୍ରରେ ରହି ପରମାନନ୍ଦ ଉପଭୋଗ କଲେ । ସେମାନଙ୍କ ଶୁଷ୍କ ହୃଦୟରେ ନୂତନ ଜୀବନର ସ୍ରୋତ ପ୍ରବାହିତ ହେଲା । ସନାତନ ଶାସ୍ତ୍ରଗ୍ରନ୍ଥର ଟୀକା, ଭାଷ୍ୟ ପ୍ରଭୃତି ଲେଖିଥିବାର ଶୁଣି ଶେଫାଳିକା ଅତ୍ୟନ୍ତ ଆନନ୍ଦିତ ହୋଇ ପୁତ୍ରକୁ କହିଲେ– ‘‘ବାବା, ଜଗନ୍ନାଥ ମୋର ମନୋବାଞ୍ଛା ପୂର୍ଣ୍ଣ କଲେ । ଆଉ ମୋ ବଂଶ ରକ୍ଷାର ଭାବନା ନାହିଁ । ତୋହରି କୃତ ଗ୍ରନ୍ଥମାଳା ମୋ ଉପଯୁକ୍ତ ବଂଶଧର, ସେଗୁଡ଼ିକ ମୋର ପବିତ୍ର ଶଶୁର ବଂଶର ଗୌରବ ବୃଦ୍ଧି କରିବେ ।’’ ନନ୍ଦେ ମନେ ମନେ କହିଲେ– ‘‘ଶନିସପ୍ତା, ଶନିବାର, ଶନିବେଳା ଏହି ତ୍ରିଦୂର୍ଯୋଗରେ ଯାହାର ଜନ୍ମ; ତାହାର ଏଭଳି ଅଦ୍ଭୁତ ଉନ୍ନତି କିପରି ହେଲା ! ଅଗାଧ ବିଦ୍ୟାର ଆକାର, ଲକ୍ଷପତି, ଧର୍ମଗୁରୁ ଏହା କି ସାମାନ୍ୟ ସୌଭାଗ୍ୟ । ପଦଗୌରବ, ଖ୍ୟାତି, ପ୍ରତିପତ୍ତି, ଆଧ୍ୟାତ୍ମିକ ଉନ୍ନତିର ଏତେ ଉପରକୁ ଉଠିବା ସାଧାରଣ ମନୁଷ୍ୟ ପକ୍ଷରେ ଅସମ୍ଭବ । ଶାସ୍ତ୍ର ତ ଭୁଲ ନୁହେଁ, ତେବେ ଫଳ ବିପରୀତ ହେଲା କାହିଁକି ? ନା ନା, ଶାସ୍ତ୍ର କେବେ ଭୁଲ ହୋଇ ନ ପାରେ; ମୋର ଧାରଣା ହିଁ ଭୁଲ-। ମୁଁ ଏବେ ବୁଝିପାରିଲି ଯେ, ବିଷ ମଧ୍ୟରେ ଅମୃତ ଥିଲା ପରି ଶନିସପ୍ତା ମଧ୍ୟରେ ବି ମଙ୍ଗଳ ଥାଏ ଆଉ ଅତି ଅମଙ୍ଗଳରେ ମଙ୍ଗଳ ହୁଏ ।