ସାର ଚାହିଁବା ମୋର
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଚୟନ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୩୦
- ସ୍ଥିତି
- ସାର୍ବଜନୀନ (Public domain)
କେତେ ତ ବସିଲି ଚାହିଁ ନ ଆସିଲୁ ବାହୁଡ଼ି;ନିମିଷେ ନୟନୁ ମୋର କାହିଁ ଗଲୁ ରେ ଉଡ଼ି ।କି ସମ୍ପଦ ଅବା ତୋତେ ଦେଇଥାଆନ୍ତି ମୁହିଁ;ତୁ ତ ଆସି ମାଗିଥିଲୁ ମୁଠେ ଚାଉଳ ପାଇଁ ।କେତେ ବେଳ ହେଲୁ ଠିଆ ଆହା ନୀରବେ ଅତି;ଶୁଣା ହେଲା ନାହିଁ ତିଳେ ହୃଦ ଗୂଢ଼ ଭାବଟି ।ହସି ଖେଳି ଘରମଧ୍ୟେ ଯେତେ ଘରର ଜନସୁଖେ ଦିନ ନେଉଛନ୍ତି, ଅତି ହରଷ ମନ ।କିଏ ଠିଆ ହୋଇଅଛି ଏକାଟି ଯେ ଦୁଆରେ,ବଦନମଣ୍ଡଳେ ହସ ଫୁଟି ନ ଉଠେ ତିଳେ ।ସେହୁ ଆହା ନିଜ ଘରେ ଯଦି ଥାଆନ୍ତା ଏବେ,କିବା ସୁଖୀ ସଉଭାଗୀ ହୋଇ ନ ଥାନ୍ତା ଭବେ ।ପିଅର କୋଳେ ସେ ବସି ହୃଦ ପୁଲକ ଭରେ,ସରଗ ନିଧି କି ନୋହିଥାନ୍ତା ମରତପୁରେ ?ଏକୁ ବଳି ହସ ଖେଳେ ଭରି କୁଟୀର ଆଜି,ଖେଳୁ କି ନ ଥାନ୍ତେ ସୁଖେ ଚାରୁ ସୁମନରାଜି ?ଆଜି ଆହା ଶୂନ୍ୟହୃଦେ ହୋଇ ଠିଆଟି ତହିଁ,ଗୋଡ଼ ଭାଙ୍ଗି କେତେ କାଳ ନେତ୍ରେ ରହିଲା ଚାହିଁ ।ପ୍ରତି ପାଦ ଶବଦେ ଯେ ଫୁଟି ଉଠଇ ଆଶା,ପ୍ରତି ଦୂର ବାଣୀ ପ୍ରାଣେ ଆଣେ ନବ ଭରସା ।ଯେତେ ବା ଉଦାସ ଡାକ ଯହିଁ ଶୁଭେ ଶ୍ରବଣେ,ତହିଁ ତହିଁ ଦାଉଁ ଦାଉଁ ବୁକୁ ପଡ଼ଇ କ୍ଷଣେ ।କେତେ ବେଳ ଏହିଭଳି ହୋଇ ଠିଆ ସେ ତହିଁ,ବିରାଗେ ବଢ଼ାଇ ଦେବା ମୁଠେ ଚାଉଳ ପାଇଁ,କହିଲା, “ହେ ବାବୁ, ମୋତେ ମିଳି ମୁଠିଏ ଯାଉ”;ଅଧେ କହି, ରହିଲା ତା ମୁଖେ ଅଧିକ ଆଉ ।ତରତରେ ନେତ୍ର ରୋଷେ ତେଜି କରମ ମୋର,ଏହି ହାତେ ଠାରି ଯାହା ପାଶୁ କଲି ମୋ ଦୂର ।ପଦେ ତା ମାଗୁଣି ଆଉ ନାହିଁ ମୁଖୁ ସେ ଫେରି,ପାଦେ ହେଲେ ଛିଡ଼ା ହୋଇ ଏଥି ନାହିଁ ସେ ରହି ।ନିମିଷେ ନୟନ ଆଗୁ ହୋଇଗଲା ଅନ୍ତର;ଚାହିଁ ଚାହିଁ, ସାର ଏବେ ହେଲା ଚାହିଁବା ମୋର ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ