ସାନ ଜୁଆଁଇ — ଯଦୁମଣି ମହାପାତ୍ର · ସ୍ୱର୍ଣ୍ଣଲିପିଏ କାର୍ଯ୍ୟ କିପରି ସମ୍ଭବ ହେଲା ?
ଏକଥା କିପରି ସମ୍ଭବ ହେଲା, ଏକ୍ଷଣି ଆଦୌ ଭାବି ହେଉ ନାହିଁ । କବିମଣି ଯଦୁମଣି ମହାପାତ୍ରଙ୍କୁ ମୁଁ କେବେ ଭୁଲରେ ମଧ୍ୟ ଜାଣେନା । ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ରର ‘ଶୁଦ୍ର ମୁଖୁଁ ଏ ହୋଇଛି ବାହାର, ରୌଦ୍ରତା ବହି କେହି ନ ବିଚାର’ - ଏହା ତିଗିରିଆର ବରେଣ୍ୟ କପିଳେଶ୍ୱର ବଡ଼ପଣ୍ଡାଙ୍କ ତୁଣ୍ଡରୁ ଏବଂ ‘ନେଲେ ହରି ହରି ହରିଣ ନେତ୍ରାକୁ ବିହରିଗଲା ଏହି ହୁରି’ ଏହି ପଦକ ଉକ୍ତ ତିଗିରିଆର ମହନୀୟ ରାଜପୁରୁଷ ବନମାଳୀ କ୍ଷତ୍ରିୟ ବୀରବର ଚମୁପତି ମହାପାତ୍ରଙ୍କ ତୁଣ୍ଡରୁ ଶୁଣି ମୁଁ ତାହା ମୁଖସ୍ଥ କରି ଗାଏ । - ବେଶ୍, ଏତିକିରେ ଯଦୁମଣିଙ୍କ ସହିତ ମୋର ପରିଚୟ ଶେଷ । ତାଙ୍କର ଅନେକ ହାସ୍ୟ କବିତା ଶୁଣିଥିବି । କିନ୍ତୁ ସେ ପ୍ରତି ମୋର ଆଦର ନ ଥାଏ ।
ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ରର ଉକ୍ତ ଦୁଇଟି ପଦ ଯେଉଁ ଘଟଣାରୁ ମୁଁ ଶୁଣି ତତ୍ପ୍ରତି ମନଯୋଗ ଆଣିଥିଲି, ସେ ଘଟଣାଟି ସଂକ୍ଷେପରେ କହିଲେ ଏଠାରେ ଭଲ ହେବ । ମୁଁ ୧୯୨୯ରେ ଖଦଡ଼ପିନ୍ଧା ଏକ ପୂର୍ଣ୍ଣ ସ୍ୱାଧୀନତାପିପାସୀ ସମାଜସଂସ୍କାରକ ଯୁବକ ଭାବରେ ତିଗିରିଆ ଦୁର୍ଗରେ ବିବାହ କରିବା ଘଟଣା ସେ ସମୟରେ ଚମକ୍ ଆଣିବା ସ୍ୱାଭାବିକ । କାରଣ ବର ସ୍ୱୟଂ କନ୍ୟା ଦେଖି ଆସିବାଠାରୁ ନିଜର ନିଷ୍ଠାପର ଆଭିଜାତ୍ୟ ବର୍ଜ୍ଜନ କରି ଗାଡ଼ି କେତେ ଖଣ୍ଡରେ ସାମଗ୍ରୀ ଧରି ବିବାହ କରି ଆସିବା ବାସ୍ତବିକ୍ ନୂତନ ଜଣାଯାଉଥାଏ । ତିଗିରିଆ ଗଡ଼ର ଶ୍ରୀଯୁକ୍ତ ମଧୁସୂଦନ ପଟ୍ଟନାୟକ ଏହା ତତ୍କାଳର କେବଳ ସମର୍ଥନ କରନ୍ତି । ମୁଁ ଏତେ ନିଷ୍ଠୁର ଥିଲି ଯେ ସମଗ୍ର ଗ୍ରାମରେ ଅନୁରୋଧ ଉପରୋଧ ଭାଙ୍ଗି ସଂସ୍କାର ପ୍ରତି ଜିଗର କରି ଏହି ଘଟଣାରେ ବ୍ୟଥିତ ଥିବା ମୋର ବଡ଼ମାଆଙ୍କୁ ମୋ ବିବାହର ଦଶମଙ୍ଗଳା ଦିନ ହରାଇଲି ପଛରେ, ରାଜଗୁରୁ ସାଟୋପରେ, ବରବେଶରେ କଦାପି ଘରୁ ଆସି ନ ଥିଲି ।
ତିଗିରିଆ ଦୁର୍ଗ ସମ୍ଭ୍ରାନ୍ତ କରଣବହୁଳ ଏକ ଜନପନ । ଘରେ ଘରେ ଚର୍ଚ୍ଚା ଚାଲିଥାଏ କପିଳଶ୍ୱର ବଡ଼ପଣ୍ଡାକୁ ଦୁର୍ବୁଦ୍ଧି ଘୋଟିବାରୁ ସେ ତାରପରା କନ୍ୟାଟିକୁ ଭସେଇଦେଲା । କନ୍ୟାର ନାମ କନକ ମଞ୍ଜରୀ । ସତରେ ପାଗଳା ବାବାଜୀ କଥାରେ ସେ ଅତୁଲ୍ୟ ରୂପବତୀ ଜେମା । ପୁରୀ ଜଗନ୍ନାଥଙ୍କ ପଣ୍ଡାଠୁ ଶୁଣିଲି ସେ ରାଜରାଜେଶ୍ୱରୀ କନ୍ୟା । ସେହି କନ୍ୟାର ବର କିନ୍ତୁ ନରସିଂହପୁରରେ ଥିବା ବତ୍ସସାନ୍ୱୟ ଗଜପତିଙ୍କ ରାଜଗୁରୁ ବଂଶଜ ହୋଇ ପଦରେ ଚାଲି ବିଭା ହୋଇ ଆସିବ, ତାକୁ କେହି ଯୁକ୍ତିଦେବାର ପାତ୍ର ନାହାନ୍ତି,ଏହି ବିଷୟଟି ଉକ୍ତ ଜନପଦକୁ ବିବ୍ରତ କରିଥାଏ ।
ବିବାହ ପୂର୍ବଦିନ ରାତ୍ରରେ ଯୁବାର ଏହି ଜିଗର ଭାଙ୍ଗିବା ଲାଗି ଅଭିଜାତ ଶିରୋମଣୀ ମହାମାନ୍ୟ ପରମପୂଜ୍ୟ ବୃଦ୍ଧ ରାଜା ଗୁଣ୍ଡଚା ମଣ୍ଡପକୁ ବିଜେ ହେଲେ । ତାହା ହେରା ପଞ୍ଚମୀର ପୂର୍ବ ଦିବସ । ମୋତେ ସେଠାକୁ ଡକାଇ ଆଣିଲେ । ନିକାଞ୍ଚନରେ ତାଙ୍କଠୁ ଗୁରୁ ଗମ୍ଭୀର ଧ୍ୱନିରେ ବାଣୀ ଫୁଟି ଉଠିଲା -
‘ଓ ହୋ, କି କଥା ୟେ । କାହାର ପରଂପରା ନାହିଁ ବା ନ ଥିଲା ହେ ? ୟେ କି ସମାଜ ସଂସ୍କାର ?’
ତାଙ୍କର ଗମ୍ଭୀର ମୂର୍ତ୍ତି ଦେଖି ମହାଦାମ୍ଭିକ ଯୁବକ ମୁଁ, ଭୟରୁ ନୁହେଁ,ଏକ ଅହୈତୁକି ମମତା ଘେନି ମୋର ସ୍ୱେଚ୍ଛାଚାରିତାର ଦୁର୍ଗ ଭୁଷୁଡ଼ି ପଡ଼ିଲା । କିନ୍ତୁ ପିତୃହୀନ ସନ୍ତାନର ଜିଗର ସର୍ବତ୍ର ବଡ଼ ବେଶୀ ଦେଖାଯାଏ ।
ଭବିଷ୍ୟତ୍କୁ ଶ୍ୱଶୁର ନାମରେ ଯେ ଚିହ୍ନିତ ହେବେ, ସେ କହିଲେ - ଜାଣନ୍ତି ଆଜ୍ଞ ! ଅତି ଉଚ୍ଚକୁଳରେ ଜନ୍ମିଛନ୍ତି ।
ରାଜା କହିଲେ - ‘ସାନ ଜୁଆଇଁଙ୍କର ଏଦା ବଂଶୋଚିତ ହେଉନି ।’ ଏହା କହି ସେ ମୋର ଓଠ ମୁଖ ଆଉଁସି ଦେଲେ । ପୁଣି କହିଲେ - ‘ହେଉ ତୁମ କଥା ରହୁ - ଆମ କଥା ରହୁ । ମୋର ମାନ ରଖ ।’
ମୁଁ କହିଲି - ‘ବେଦୀକୁ ନ ଯାଉଣୁ କଣ ବର କେହି ହୁଏ ?’ ରାଜା ମୋର ଚିତ୍ତ ବଦଳିଛି ମନେକରି, କି ଆଶ୍ଚର୍ଯ୍ୟ, ସେଠାରେ ସାଧାରଣ ବ୍ୟକ୍ତି ପରି ସ୍ୱର ଧରି ଗାଇଦେଲେ -
ଧପଟେ ଲମ୍ପଟ କରାଇ ତାହାକୁ
ପରମ କପଟୀ ଶେଖର
ଝଟକରି ଉଠି ଧଇଲେ ରତନ
କଟକ ଶୋଭିନୀର କର
ନିଃଶଙ୍କେ
ସମ୍ବନ୍ଧିତ ରଚନା
ନାଟ୍ୟରସୂର ଉଦାହରଣଯଦୁମଣି ମହାପାତ୍ର ଯଦୁମଣି ମହାପାତ୍ର
ମଧୁସୂଦନ ରାଓ
ନେଇ କଲେ ଅଙ୍କ ବିହାରୀ
ନେଲେ ହରି ହରି ହରିଣ ନେତ୍ରାକୁ
ପୁଣି କହିଲେ - ଆହେ ଚଞ୍ଚଳମନା ! ଜୁଆଇଁ ତ ହୋଇନ, କେଉଁ ସାହସରେ ଆମ ଜେମାକୁ ଦେଖି ଚାହିଁ ବିବାହ କରିବି ବୋଲି କହି ଯାଇଥିଲ ? ପୁଣି ପନ୍ଦର କ୍ରୋଶ ବାଟ କେଉଁ ଆଶା ଧରି ଧାଇଁଚ ? ବାବୁ, ତମ ଚୁଟିକଟାଙ୍କ କଥା ଆମକୁ ଜଣା । ତମ ମନ ଯେ - ଦାଣ୍ଡରେ ସିଧା ଚାଲିଯାଇ ହାତଧରି ନେଇ ଚାଲିଯାନ୍ତ । ଏୟାତ ? ସତରେ କପିଳ ବଡ଼ପଣ୍ଡାଠେଇ ବିଶ୍ୱାସ ନାହିଁ । ସେ ତାହା କରିପାରନ୍ତି । କିନ୍ତୁ ମୁଁ ଥିବାଯାଏ ତ କେବେ କରାଇ ଦେବିନି ।’
ତାଙ୍କରି କଥା ରହିଲା । ବିବାହ ସରିଲା । ନିତି ଡକରା ଆସିଲା - ‘ଛାମୁଁଙ୍କ ପାଖକୁ ଆସନ୍ତୁ ।’ ନାନା ଭଳିର ଜଳଖିଆ ଖୁଆନ୍ତି ନିତିକୁ ନିତି । ସବୁଦିନ ନାନା ଶାସ୍ତ୍ରଚର୍ଚ୍ଚା ମଧ୍ୟରେ ଯଦୁମଣି କଥା ମଧ୍ୟ କହନ୍ତି । ଏମନ୍ତ କି ବଡ଼ପଣ୍ଡା ମଧ୍ୟ ସେ ଚର୍ଚ୍ଚାରେ ଯୋଗଦେଇ କେତେ ପଦ ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ରରୁ ଗାନ କରନ୍ତି ।
ଯଦୁମଣିଙ୍କ ସହିତ ପରିଚୟର ଏହା ହିଁ ପ୍ରାଥମିକ ସମସ୍ୟା ହେଲେହେଁ - ଏ କଥା କୋଉ କାଳ କଥା, କୁଆଡ଼େ ମନରେ ଲୁଚିଗଲା । ଅବଶ୍ୟ ମୁଁ ସେତେବେଳେ ଗର୍ବିତ ହୋଇ ତିଗିରିଆର ସେ ଦୁଇ ଜଣ ମନସ୍ୱୀଙ୍କୁ କହିଥିଲି - ମୁଁ ଇଚ୍ଛାକଲେ ଯଦୁମଣି ମହାପାତ୍ରଙ୍କ କାବ୍ୟ କବିତାର ଏକ ସୁଚାରୁ ସଂଗ୍ରହ କରି ଦେଇପାରେ ।
ଯଦୁମଣିଙ୍କ ସଂପର୍କରେ ଏପରି ଦୃଢ଼ତା ଦେଖାଇ କହିବାର ତାତ୍ପର୍ଯ୍ୟ ଥିଲା ଏହି ଯେ - ଦୁଇ ଜଣ ସେ କାଳର ବୃଦ୍ଧ ବିଜ୍ଞଜନଙ୍କ ନିକଟରେ ନିଜର ଅର୍ବାଚୀନ ବଡ଼େଇ ଦେଖେଇହେବା । କିନ୍ତୁ ଯଦୁମଣିଙ୍କ ସମ୍ବନ୍ଧରେ ଅ’ ଆ’ ମୋତେ ପ୍ରକୃତରେ ଯେପରି ସେତେବେଳେ ଜଣା ନ ଥିଲା, ସେପରି ମୁଁ ତାଙ୍କୁ ବାସ୍ତବିକ ଶ୍ରଦ୍ଧା ମଧ୍ୟ କରିପାରୁ ନ ଥିଲି । ୧୯୪୭ ପରେ ଏ ଶ୍ରଦ୍ଧା ଆପେ ସମଗ୍ର ମନ ଉପରେ ପ୍ରଭାବିତ ହେଲା ।
ଦିନେ କଟକର ପଡ଼ୋଶୀ ଭାବରେ ସ୍ୱନାମଧନ୍ୟ ଅଧ୍ୟାପକ ଗୌରୀକୁମାର ବ୍ରହ୍ମା ମତେ ଗଡ଼ଜାତର ବ୍ୟକ୍ତି ବୋଲି କହି ବସିଲେ - ‘ଆପଣ ସଂଗ୍ରାହକ ଭାବରେ ଯେ ସିଦ୍ଧି ଦେଖାଇଲେ, ତାହା ଯଦୁମଣି ମହାପାତ୍ରଙ୍କଠାରେ ପ୍ରୟୋଗ କଲେ ହୁଅନ୍ତା ନାହିଁ କି ?’ ସେ କହିଲେ - ‘ମୋର ମନେ ହେଉଛି ସେ କେବଳ ଜଣେ ରଙ୍ଗରସିକ ନ ଥିଲେ, ସେ ଜଣେ ବିଜ୍ଞ ପଣ୍ଡିତ ମଧ୍ୟ ଥିଲେ ।’
ମୁଁ ତାଙ୍କୁ ତୁରନ୍ତ ନାହିଁ କଲି ଏହି କାରଣରୁ ଯେ -
‘ବ୍ରହ୍ମା, ମୁଁ ତାଙ୍କ ସମ୍ବନ୍ଧରେ କିଛି ମାତ୍ର ଜାଣେନି । ମୋଦ୍ୱାରା ତାହା ହୋଇପାରିବ ନାହିଁ । ମୋର ମଧ୍ୟ ସେ ଯୋଗ୍ୟତା ନାହିଁ ।’
ସେ ତଥାପି କହିଲେ - ‘ତେବେ ଆପଣ ମୋ କଥାଟା ମନେ ରଖିଥାନ୍ତୁ ।’
ତେବେହେଁ ମୁଁ ସେ କଥା ସଂପୂର୍ଣ୍ଣ ମନକୁ ନେଲି ନାହିଁ । କିନ୍ତୁ ‘‘ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର” ଛାପା ବହି ଖଣ୍ଡେ ସଂଗ୍ରହ କରି ପଢ଼ିବା ଆରମ୍ଭ କରି ଦେଖିଲି ସେ ମୂଳ ରଚନା ଏବଂ ଟୀକାରୁ ମୁଁ କିଛି ବୁଝି ସନ୍ତୋଷ ଲଭି ପାରୁନି । ମୋର ଜଣେ ଗ୍ରାମ୍ୟ ବନ୍ଧୁ ରଘୁନାଥ ରାୟଗୁରୁଙ୍କଠାରୁ ତାଙ୍କ ହାତଲେଖା ପାଣ୍ଡୁଲିପି ଆଣି କିଛି ସମଝିଲି, କିନ୍ତୁ ସେଥିରେ ତୃପ୍ତି ମଧ୍ୟ ଲଭିପାରିଲି ନାହିଁ । ବର୍ଷେ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଡ଼ିଗ୍ରୀ ଉତ୍ସବକୁ ଆସିଥିବା ବଲାଙ୍ଗିର ରାଜେନ୍ଦ୍ର କଲେଜର ଜଣେ ସଂସ୍କୃତ ଅଧ୍ୟାପକଙ୍କ ସହିତ ୭ ଡିସେମ୍ବର ୧୯୫୯ ରେ ହଠାତ୍ ରେଲରେ ଦେଖାହେଲା । ସେ ଯଦୁମଣି ମହାପାତ୍ରଙ୍କର ବହୁ ପଦକୁ ଏପରି ଅର୍ଥ କରୁଥାନ୍ତି, ମତେ ସତରେ ଅତ୍ୟନ୍ତ ଭଲ ଲାଗିଲା-। କିନ୍ତୁ ଘରକୁ ଫେରି ତା’ ସବୁ ଭୁଲିଗଲି । ମୋଦ୍ୱାରା ବାସ୍ତବିକ୍ ହେବ ନାହିଁ ସିଦ୍ଧାନ୍ତ କରି ସେ ଆଲୋଚନା ଏକାବେଳେ ଛାଡିଦେଲି ।
ଏପରି ଭାବରେ କେତେକାଳ ଚାଲିକଲା । ବର୍ଷେ ବସନ୍ତ ପଞ୍ଚମୀ ପୂର୍ବଦିନ ତା ୧୧−୨−୫୯ ବୁଧବାର ଏକ ହତାଶ ଜୀବନ ଘେନି ବକ୍ସିବଜାର ମାର୍କେଟ ପାଖ ଦେଇ ରିକ୍ସାରେ ଚାଲିଯାଉଥାଏ । ଏପରି ଦୁଃଖପ୍ରଦ ଦିବସ, ଏପରି ଅସହାୟତା ଅନୁଭବ କରିନି କେବେହେଲେ ଜୀବନରେ ଦିନକ ପାଇଁ । ପ୍ରିୟତମା କନକ ମଞ୍ଜରୀ ମୋତେ ନିରନ୍ତର ଜାଗ୍ରତ ପ୍ରହରୀ ପରି ଜଗି ରହିଥାନ୍ତି । ସର୍ବଦା ଭରସା ଦେଇ ଚାଲିଥାନ୍ତି - ‘ତୁମେ ଏତେ ଅଧୈର୍ଯ୍ୟ ହୁଅନି, ନିଶ୍ଚୟ ତୁମର ଅସୁବିଧା ଦୂର ହେବ ।’ ବାସ୍ତବିକ କିପରି ଯେ ତାଙ୍କ କଥା ସତ୍ୟ ହୁଏ, ମୁଁ ସ୍ତମ୍ଭୀଭୁତ ହୋଇଥାଏ । ମୁଁ ଶୁଷ୍କ ମୁଖରେ ନିରାଶ ହୃଦୟରେ ଜଣେ ପରିଚିତଙ୍କ ପାଖକୁ ସମସ୍ତ ଲଜ୍ଜା ବିସର୍ଜନ ଦେଇ ଏକ ପରାମର୍ଶ ମାଗି ଯାଉଛି, ପଛରୁ ଶୁଭିଲା -
‘ଚକ୍ରଧର ବାବୁ । କ’ଣ ଏମିତି ଚାଲିଯିବେ କି ?’ - ଯେ ଡାକିଲେ ସେ ମୋର ଜଣେ ବହୁଦିନର ପୁରାତନ ହିତୈଷୀ ବନ୍ଧୁ ଓ ଗୁରୁଜନ । ପଛକୁ ଅନାଇଁ ଦେଖିଲି ସତ୍ୟବାଦୀ ପ୍ରେସର ଜେନେରାଲ ମ୍ୟାନେଜର ଶ୍ରୀଯୁକ୍ତ ଫକୀରଚରଣ ଦାସ । ଆମର ଫକୀର ବାବୁ । ସବୁଦିନେ ସମାନ ଗଠନ । ସମାନ ବ୍ୟବହାର । ସମାନ ଢଙ୍ଗଢ଼ାଙ୍ଗ । ସମାନ ବେଶଭୂଷା । ସ୍ପଷ୍ଟଭାଷୀ । ସ୍ୱଳ୍ପଭାଷୀ । କେହି କହିପାରନ୍ତି ବଢ଼େଇ କରି କହୁଛି । କିନ୍ତୁ ଏହା ହିଁ ସତ୍ୟ - ନିରାଟ ସତ୍ୟ । ସେ ଡାକିବା ମାତ୍ରେ ମନରେ ଭାବିନେଲି ‘ଲଜ୍ଜା−ନିବାରଣ’ ମୋର ଲଜ୍ଜା ଏତଦ୍ଦ୍ୱାରା ନିବାରଣ କଲେ କି-?
ଆମ ବଂଶର ଏକ ପ୍ରବଚନକୁ ମୋ ଜନନୀ ସର୍ବଦା କହିଥାନ୍ତି - ‘ସଦୈ ରଙ୍ଗ ରଙ୍ଗ ।’ ଯେଉଁ ରଙ୍ଗ ସର୍ବଦା ସମାନ ତାହା ହିଁ ବିରଣୀୟ । ଆଜି ଯାନବାହନରେ ଫୁଲମାଳରେ, କାଲି ନିର୍ଧୂମ ଖରାରେ ଖାଲି ପାଦରେ ଝାମ୍ପି ମୁଣ୍ଡରେ, ଏହା ପୂର୍ବ ଅଭିଜାତ ପସନ୍ଦ କରୁ ନ ଥିଲେ । ଆମର ଫକୀର ବାବୁ ହେଲେ - ‘ସଦୈ ରଙ୍ଗ ରଙ୍ଗ ।’
ଶ୍ରୀଯୁକ୍ତ ଫକୀର ବାବୁ କହିଲେ - ‘କାଲି ଆପଣ ଏଠି ଅଛନ୍ତି ?’ ମୁଁ ହଁ କରିବାରୁ କାନ୍ଦିଲେ - ’‘ସମାଜ ତରଫରୁ ମୋର ନିମନ୍ତ୍ରଣ, କାଲି ଆପଣ ଟିକିଏ ନିଶ୍ଚୟ ଆସିବେ । କଣ ନିମନ୍ତ୍ରଣ ପତ୍ର ପଠାଇବି ?”
ମୁଁ ନତ ବଦନରେ କହିଲି - ‘ନିମନ୍ତ୍ରଣ ପତ୍ର ଏହାଠୁ କଣ ଅଧିକ ହେବ?’ ମୁଁ କଣ ଭାବି ଘରକୁ ଫେରିଆସିଲି ସେଦିନ । ଆଉ କାହିଁ ଗଲି ନାହିଁ ।
ପ୍ରଖ୍ୟାତ ‘ସମାଜ’ ସହିତ ମୁଁ ୧୯୨୭।୨୮ ରୁ ସଂପୃକ୍ତ । ମାନନୀୟ ରାଧାନାଥ ରଥଙ୍କ ସହିତ ପିଲାଦିନୁଁ ମୋର ଘନିଷ୍ଠ ସଂପର୍କ । ତାଙ୍କୁ ମୁଁ ନିରନ୍ତର ପୂଜ୍ୟ ଭାବରେ ଦେଖିଆସିଛି । ‘ସମାଜ’ର ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ଶ୍ରୀହର୍ଷ ବାବୁ, ଉଦୟନାଥ ବାବୁ ପ୍ରଭୃତି ମତେ ଯଥେଷ୍ଟ ଶ୍ରଦ୍ଧା କରିଥାନ୍ତି । ଏ ନିମନ୍ତ୍ରଣରେ ଯୋଗ ଦେଇ ବହୁ ବିଜ୍ଞ ବନ୍ଧୁଙ୍କର ଦର୍ଶନ ଲାଭ କରି ଆନନ୍ଦିତ ହେଲି । କିନ୍ତୁ ଅର୍ଥ କଷ୍ଟ ଏପରି ଯନ୍ତ୍ରଣାଦାୟକ ଯେ ବାଣୀକଣ୍ଠ ନିମେଇ ହରିଚନ୍ଦନଙ୍କ ମୋ ପ୍ରତି ଅତୀବ ଶ୍ରଦ୍ଧା ଏବଂ ତାଙ୍କର ସଙ୍ଗୀତ ଧ୍ୱନି ମଧ୍ୟ ମୋତେ ଶୁଣିବାକୁ ଅଲଣା ଲାଗୁଥାଏ । ଉତ୍କଳର ବହୁ ସମ୍ମାନାସ୍ପଦ ବ୍ୟକ୍ତିଙ୍କର ଦର୍ଶନ ମିଳିଲା । ଶ୍ରୀଯୁକ୍ତ ରାଧାନାଥ ରଥ, ଶ୍ରୀଯୁକ୍ତ ବୈକୁଣ୍ଠନାଥ ପଟ୍ଟନାୟକ, ଶ୍ରୀଯୁକ୍ତ କାଳିନ୍ଦୀଚରଣ ପାଣିଗ୍ରାହୀ ମତେ ଦୁଃଖ ସୁଖ ପଚାରିଲେ । ମହାପ୍ରସାଦ ଭୋଜନ ହେଲା । ଏତେ ସତ୍ତ୍ୱେ ମୁଁ ନିରାଶ ମନଧରି ରହିଥାଏ ।
ହଠାତ୍ ଫକୀରବାବୁ ନିକାଞ୍ଚନ ଦେଖି ଡାକି କହିଲେ - ’‘ଆପଣ ପାରିବେ ବୋଲି ମୁଁ ‘‘ଦାସ ବ୍ରଦର୍ସ”ଙ୍କୁ ଜବାବ୍ ଦେଇ ଦେଇଛି । ଚିଠି ଲେଖିଥାନ୍ତି, କିନ୍ତୁ ଦେଖା ତ ହୋଇଗଲା ଆଜି ତ ସୁବିଧା ହେବନାହିଁ । କାଲି ସକାଳ ନଅଟା ପରେ ଆପଣ ଏଠିକୁ ଆସିଲେ ସବୁ ତୁଟିଯିବ । ଆପଣ ଯଦୁମଣି ମହାପାତ୍ରଙ୍କ କାର୍ଯ୍ୟାବଳୀ ସଂଗ୍ରହ କରି ଗ୍ରନ୍ଥାବଳୀଟିଏ ନିଶ୍ଚୟ କରିବେ ।”
ସତ ଯେ, ଆଚ୍ଛା କଥାରେ ପଡ଼ିଲି । କହିଲି - ‘କାଲି କହିବି ।’
ଘରକୁ ଫେରିଲି । କନକ ମଞ୍ଜରୀ କହିଲେ - ‘ନିଶ୍ଚୟ କରିବାକୁ ହେବ । ତେବେ କଣ ପିଲାଏ ପରିକ୍ଷା ଦେବେ ନାହିଁ, ନାଁ ଲେଖାଇବେ ନାହିଁ ? ଏତେ ବାଟ ନିଜ ଦମ୍ଭରେ ଚାଲି ଆସିଲ । ଏଇଠି ଅଟକି ଯିବ ? ତୁମେ ଚୁକ୍ତି କରି ଟଙ୍କା ଆଣ । ଦେଖ, ତୁମର ସବୁ ସଫଳ ହୋଇଯିବ । ସେ ଅସମୟରେ ଆମକୁ ଯାହା ଦେବେ, ତା ଆମର ଲକ୍ଷେ ଟଙ୍କା । ଦେଖ, ଏହା ଦେବତାର ଆଶୀର୍ବାଦ ।’
ଦିନ ତମାମ, ରାତ୍ର ତମାମ ଦୁଶ୍ଚିନ୍ତାରେ ଥାଏ । କ୍ରୋଧରେ ଅନ୍ଧ ହୋଇ କହିଲା - ମୁଁ ଯେଉଁ ବିଷୟ ଭଲ ପାଏନି ପୁଣି ଜାଣେନି, ସେଥିପାଇଁ ମୁଦ୍ରା ନେଇ ଆସିବି ? ଶେଷକୁ ଡକାଏତ ହେବି ତ ?
ପତ୍ନୀ କହିଲେ - ହଁ, ହଁ, ମୋ ପାଇଁ ତୁମକୁ ଡକାଏତ ହେବାକୁ ହେବ । ମିଥ୍ୟାବାଦୀ ହେବାକୁ ହେବ । ତୁମେ ନିର୍ଭୀକ ଭାବରେ ଚୁକ୍ତି ସଂପାଦନ କର । ମୁଁ ନିଶ୍ଚିତ କହୁଛି, ମୁଁ ଥିବା ଯାଏ ତୁମ ଚରିତ୍ରରେ କଳଙ୍କର ଦାଗ ତ ଦାଗ ବିନ୍ଦୁ ମଧ୍ୟ କେବେ ସ୍ପର୍ଶ କରିବ ନାହିଁ । ସାହସୀ ହୁଅ । ଯାହା ଆମେ ନିରନ୍ତର ତ୍ୟାଗ କରି ଚାଲିଚୁଁ, ସେ ଆମ ପାଖକୁ ବାରମ୍ବାର ଆସୁଛି । ତେଣୁ ଏଥିରେ ଆମର ଜୟ ସୁନିଶ୍ଚିତ ।
ଦେଖିଲି - ‘ଦାସ ବ୍ରଦର୍ସ’ର ପ୍ରୋପ୍ରାଇଟର ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ଦାସ ଏବଂ ମାନେଜର ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ମିଶ୍ର ଆଗରୁ ଆସି ବସିଛନ୍ତି । ଫକୀର ବାବୁଙ୍କ କଥା ତ ପାଟିରୁ ବାହାରିଲେ ହେଲା । ଚୁକ୍ତି ହୋଇଗଲା । ନଗଦ ମୁଦ୍ରା ଧରି ପର୍ବତଭାରା ମୁଣ୍ଡରେ ବହି ଯୁବକସୁଲଭ ଉନ୍ମାଦନା ଘେନି ଚାଲିଲି ଭୁବନେଶ୍ୱର, ଖୋର୍ଦ୍ଧା, ସୁନାଖଳା, ବୋଲଗଡ଼, ବାଉଁଶିଆପଡ଼ା, ଗୋବିନ୍ଦପୁର, ଇଟାମାଟି, ନୂଆଗଡ଼, ମାନ୍ଧାତାପୁର, ଓଡ଼ଗାଁ, ଶରଣକୁଳ, ରଣପୁର, ଆଠଗଡ଼, ଗଞ୍ଜାମ ଦଶପଲ୍ଲା, ଖଣ୍ଡପଡ଼ା, ବାଘମାରୀ, ପୁରୀ, ତିଗିରିଆ, ବଡ଼ମ୍ବା, ନରସିଂହପୁର, ବୌଦ, ଅନୁଗୁଳ, ଢେଙ୍କାନାଳ ଇତ୍ୟାଦି ସର୍ବତ୍ର ଖୋଜି ଚାଲିଲି ।
ଯଦୁମଣିଙ୍କ ଅଣନାତି ଦାଶରଥି, ଚନ୍ଦ୍ରଭାନୁ, ଉଦେଭାନୁ ତିନି ଭାଇ, ତାଙ୍କ ସାଇର ଶିକ୍ଷିତ ଯୁବକ ବେଣୁଧର, ନରସିଂହପୁରର ଜଣେ ଟୋଲ ଛାତ୍ର ନବଘନ ଏପରି ବହୁ ପ୍ରିୟଜନ ସାମଗ୍ରୀ ଯୋଗାଇଲେ । ଯଦୁମଣିଙ୍କ ହାତଲେଖା ପୋଥି, ଚିତ୍ରିତ ମୂର୍ତ୍ତି, ତାଙ୍କର ଜମିର ସରକାରୀ ଦସ୍ତାବିଜର ନକଲ ସବୁ ଦେଖିଲି ।
ବାସ୍ତବିକ୍ ଚାହୁଁ ଚାହୁଁ ଚାରି ମାସ ମଧ୍ୟରେ ନାନା ସମ୍ଭାର ମିଳିଗଲା । କି ଆଶ୍ଚର୍ଯ୍ୟ ! ବିଚିତ୍ର ଭାବରେ ମୁଁ ଛିଡ଼ା ହୋଇଗଲି । ଯାହା ଭାବି ନ ଥିଲି, ତାହା ହୋଇ ଚାଲିଲା ।
ଗୋଟିଏ ଗୋଟିଏ ଜଟିଳ ପଦ ପାଇଁ ମତେ ସକାଳୁ ସଞ୍ଜଯାଏ ଭାବିବାକୁ ହୁଏ । ପୁଣି ତାର କିନାରା ମିଳିଯାଏ । କିପରି ମିଳେ ଭାବି ମୁଁ ଆଶ୍ଚର୍ଯ୍ୟ ହୋଇଥାଏ । ଏପରି କଠୋର ପରିଶ୍ରମ କିପରି ମୁଁ କଲି ତାହା ଆଜି ଭାବି ସ୍ତମ୍ଭୀଭୂତ ହେଉଛି ।
ଏହା ହିଁ ହେଲା ସଂଗ୍ରହର ଇତିହାସ । ପୁଣି ଟୀକା କରିବାରେ, ସଠିକ ଭାବରେ ପଦମାନ ଜାଣିବାରେ ମୁଁ କିପରି ପରିଶ୍ରମ କଳି ତାହା ଏକ୍ଷଣି ଭାବିପାରୁନି । ଏପରି ଅଶୁଦ୍ଧ ଗ୍ରନ୍ଥ, ଅଶୁଦ୍ଧ ପଦସବୁ ମିଳିଲା ଯେ ଦିନେ ଦିନେ ମୁଁ ବାତୁଳ ପରି ହୋଇଯାଏ । କନକ ମଞ୍ଜରୀଙ୍କର କି ମେଧା, ସେ ମୋର ସଂଶୟ ଦୂର କରିଦିଅନ୍ତି । ଅନ୍ୟାନ୍ୟ କୋଷ ଗ୍ରନ୍ଥ ଅପେକ୍ଷା ମହନୀୟ ଗୋପାଳଚନ୍ଦ୍ର ପ୍ରହରାଜଙ୍କ ଭାଷାକୋଷ ଏଥିରେ ମୋତେ ବହୁ ସାହାଯ୍ୟ କରିଛି ।
ଏ କାର୍ଯ୍ୟରେ ଉତ୍କଳର ବହୁ ଜନମାନବ ମତେ ଉତ୍ସାହିତ କରିଛନ୍ତି । ଏ ଦେଶର ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ସ୍ୱନାମଧନ୍ୟ ପ୍ରଖ୍ୟାତ କବି ଡକ୍ଟର ମାୟାଧର ମାନସିଂ ଯେଉଁଦିନ ଏଗ୍ରନ୍ଥର ପ୍ରକାଶକଙ୍କୁ କହିଥିଲେ ଯେ -
‘ଆପଣ ବିଶ୍ୱସ୍ତ ଏବଂ ଉପଯୁକ୍ତ ବ୍ୟକ୍ତିଙ୍କ ହାତରେ ସେ ଭାର ଅର୍ପଣ କରିଛନ୍ତି ।’ ତାହା ଶୁଣି ମୁଁ ଅସୀମ ଶକ୍ତିରେ ଜାଗିଉଠିଥିଲି ।
ଯଦୁମଣିଙ୍କର ରଚନା ମଧ୍ୟରେ ଅନେକ ବାକ୍ୟ ଆଧୁନିକ ପାଠକ ପାଠିକାମାନଙ୍କୁ ଅଶ୍ଲୀଳ ନିଶ୍ଚୟ ବୋଧ ହେବ । କିନ୍ତୁ ବହୁ ବିଚାରରେ ତାହା ଲୁଚାଇ ଦିଆଯିବା ଅସମୀଚୀନ ବୋଲି ହେବାରୁ ଯେପରି ପ୍ରଚଳିତ ଅଛି, ସେପରି ରଖାଯାଇଅଛି ।
ଶ୍ରଦ୍ଧେୟ ଫକୀର ବାବୁ ଏ ଗ୍ରନ୍ଥର ମୂଳରୁ ଶେଷଯାଏ ମତେ ସାହାଯ୍ୟ, ସହାନୁଭୂତି, ନିର୍ଦ୍ଦେଶ ଏବଂ ଧୈର୍ଯ୍ୟ ଦେଇଥିବାରୁ ତାଙ୍କ ନିକଟରେ ମୋର ଗଭୀର କୃତଜ୍ଞତା ଜଣାଉଛି ।
ଏମନ୍ତ କି ପ୍ରକାଶକ ଶ୍ରଦ୍ଧେୟ ଦାସ ବ୍ରଦର୍ସଙ୍କର ବଚନରକ୍ଷା ମଧ୍ୟ ଏହି କାର୍ଯ୍ୟର ଉଦ୍ୟମର ସଫଳତା ଯେ ଆଣିଦେଇଛି, ତେଣୁ ସେ ମୋର ବିଶ୍ୱାସ ଏବଂ ଶ୍ରଦ୍ଧା ଗ୍ରହଣ କରନ୍ତୁ । ଲେଖକ ତାର କଠୋର ପରିଶ୍ରମ ତୁଳନାରେ ଏଯାଏ ଏ ଦେଶରେ ପ୍ରକୃତ ମୂଲ୍ୟ ପାଏନି । ତେଣୁ ପ୍ରକାଶକ ବହୁଭାବରେ କୃତକାର୍ଯ୍ୟ ହେଲେ ଉଦାରତାପ୍ରଯୁକ୍ତ ଲେଖକ ପ୍ରତି ଦୃଷ୍ଟି ଆଣିବା ସ୍ୱଭାବିକ ମନେ ହୁଏ ।
ଯେଉଁମାନେ ମୋତେ ଏ କାର୍ଯ୍ୟରେ ପଦେ କଥା କହି ମଧ୍ୟ ଉତ୍ସାହିତ କରିଛନ୍ତି, ସେମାନଙ୍କୁ ଧନ୍ୟବାଦ ଅର୍ପଣ କରୁଅଛି ।
ବିଶେଷରେ ମୋର ଅର୍ଦ୍ଧାଙ୍ଗିନୀ ଭାର୍ଯ୍ୟା - କାୟାର ଛାୟା, ଚନ୍ଦନର ଗନ୍ଧ ରଙ୍ଗର ରଙ୍ଗିମା, ନୈଶାନ୍ଧକାରର ଦୀପ ଶିଖା, ଚନ୍ଦ୍ରମାର କୌମୁଦୀ, ମେଘର ତଡ଼ିତ୍, ତାଙ୍କୁ ବା କ’ଣ କୃତଜ୍ଞତା ଜଣାଇବି ? ସେ ଏ ଲେଖାର ମୂଳରୁ ଶେଷଯାଏ ମତେ ତାଙ୍କର ନିପୁଣ କୃତିତ୍ୱରେ ମୁଗ୍ଧ କରି ଏହାକୁ ଯଥାସମ୍ଭବ ମନୋହାରୀ କରିପାରିଛନ୍ତି । ଏପରି କି ସେ ଏଥିରୁ କିୟଦଂଶର ପାଣ୍ଡୁଲିପି ଲେଖିଛନ୍ତି ।
ତା ଛଡ଼ା ମୋର ପିଲାଏ ଏହି ରଚନାଟିକୁ ନକଲ କରିଦେଇ ମୋର ଶ୍ରମ ଲାଘବ କରିନାହାନ୍ତି କେବଳ, ମୋର ତ୍ରୁଟି ବିଚ୍ୟୁତି ମଧ୍ୟ ଧରାଇ ଦେଇଛନ୍ତି । ବିଭିନ୍ନ ପୁସ୍ତକାଳୟରେ କେଉଁଠି ଯଦୁମଣି ସମ୍ବନ୍ଧରେ ଲେଖାଟିଏ ବା ସମାଲୋଚନାଟିଏ ପାଇଲେ ତାହା ମତେ ଯୋଗାଇଛନ୍ତି । ଶୂଦ୍ର ବଢ଼େଇ କୁଳ ଚନ୍ଦ୍ରମାର ଆଶୀର୍ବାଦ ଲାଭକରି ସେମାନେ ଯେ ‘ଆମେ ସବୁଠୁ ବଡ଼’ ଏପରି ଧାରଣା ପରଂପରା ଦୋଷରୁ ଭୁଲି ନାହାନ୍ତି, ତାହା ଏବେ ଭୁଲିଯାନ୍ତୁ ଏବଂ ସମସ୍ତଙ୍କ ସହିତ ଜଣେ ଜଣେ ହୋଇ ସୁଖୀ ହୁଅନ୍ତୁ ।
ଏହି ସଂଗ୍ରହ ଯଦୁମଣିଙ୍କ ସମ୍ୱନ୍ଧରେ ସଂପୂର୍ଣ୍ଣ ବୋଲି ଏପରି ବାବଦୂକତା ଦେଖାଇବା ମୋ ମତରେ ଅସମୀଚୀନ ଅଟେ । ଏହା ଗୋଟିଏ ମାତ୍ର ବର୍ଷର ପରିଶ୍ରମ । ଏ ଗ୍ରନ୍ଥ ପ୍ରକାଶିତ ହେବା ପରେ ଆଉ ଯାହା ଥିବ, ତାହା ନିଶ୍ଚୟ ସମୟକ୍ରମେ ପ୍ରକାଶିତ ହେବାର ସୁଯୋଗ ଆସିଯିବ-। ମନୁଷ୍ୟ ମାତ୍ରେ ଓ ଦୋଷସଂପନ୍ନ । ତେଣୁ ଏହି ଜାତୀୟ ଉଦ୍ୟମରେ ଯେଉଁ ତୃଟି ବା ଦୋଷ ପରିଲକ୍ଷିତ ହେବ, ତାହା ପାଠିକା ପାଠକମାନେ ସୌଜନ୍ୟ ଯୋଗୁଁ କ୍ଷମାଦେଇ ଗୁଣ ମାତ୍ର ଗ୍ରହଣ କରିବେ ।
ସଜ୍ଜନା ଗୁଣମିଚ୍ଛନ୍ତି, ଦୋଷମିଚ୍ଛନ୍ତି ଦୁର୍ଜନା
ଦ୍ୱିରେଫା ମଧୁ ମିଚ୍ଛନ୍ତି, ବ୍ରଣ ମିଛନ୍ତି ମକ୍ଷିକା ।
ଆମଘରର ହାଲ୍ଚାଲ୍ଗୋପାଳ ଚନ୍ଦ୍ର ପ୍ରହରାଜ