ନୂଆଗଡ଼ ମେଳି
୧୭୮୧–୧୮୬୬
- ସଂକଳନ: ସାତ କଳା
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୫୦୯
- ସ୍ଥିତି
- ସାର୍ବଜନୀନ (Public domain)
ଯଦୁମଣିଙ୍କ ଭିତିରି ନିର୍ଦ୍ଦେଶରେ ୧୮୫୧ ରେ ନୂଆଗଡ଼ରେ ଭୀଷଣ ମେଳି ଆରମ୍ଭ ହେଲା । ଏପରି କି ପ୍ରଜାମାନେ ଖଜଣା ପର୍ଯ୍ୟନ୍ତ ବନ୍ଦ କରିଦେଲେ । ତେଲୀ ତନ୍ତୀ ଦେଖିଲେ ମାଡ଼ ମାରିଲେ । ଚତୁର୍ଦ୍ଦିଗରେ ଭୀଷଣତା ଦୁର୍ଦ୍ଦାନ୍ତ ମୂର୍ତ୍ତି ଧରି ଦେଖା-ଦେଲା । ବଜ୍ରବଲ୍ଲଭ ନିରୁପାୟ ହୋଇ ଇଂରେଜ କମ୍ପାନୀଙ୍କର ଶରଣ ପଶିଲେ । ୧୮୩୬ ମସିହାରେ ଯେପରି ଘୁମୁସର ଜବଂଶକୁ ଏକାବେଳେ ଇଂରେଜ ଷଡ଼ଯନ୍ତ୍ରରେ ଜଙ୍ଗଲ ମଧ୍ୟରେ ଧ୍ୱଂସ କରି ଦିଆଗଲା, ପୁଣି ଗତ ବର୍ଷ ସମ୍ବଲପୁର ରାଜା ନାରାୟଣ ଅପୁତ୍ରିକ ହୋଇ ମରନ୍ତେ ଯେପରି ରାଜ୍ୟ ଖାସ କରି ଦିଆଗଲା, ପୁନଶ୍ଚ ତିନି ବର୍ଷ ତଳେ ଅନୁଗୁଳ ରାଜା ସୋମନାଥ ଜଗଦ୍ଦେବ ଯେପରି ଭାବରେ ମଲେ ଏବଂ ତାଙ୍କ ରାଜ୍ୟ ଖାସ ହେଲା, ସେ ଭୟ ଭୟଶୂନ୍ୟ ହୃଦୟରେ ପ୍ରବିଷ୍ଟ ହେଲା ।
ଇଟାମାଟିର ତେଲୀ, ନିଜିଗଡ଼ର ତନ୍ତୀଙ୍କ ଯୋଜନାରେ ଅଶୀ ପ୍ରକାର ତଣ୍ଡ ନ ବସିଥିଲେ ଏ ମେଳି ଅତି ଶୀଘ୍ର ବ୍ୟାପକ ହୋଇ ନ ଥାନ୍ତା । ଏଥିରେ କନ୍ଧ, ଶଉରା ମଧ୍ୟ ମାତି ଉଠିଲେ । ଆଉ ଗୋଟିଏ ଘଟଣା ଏତେବେଳେ ଘଟିଲା । ରାଜାଙ୍କ ଇଷ୍ଟଦେବତା ବାଉରୀଙ୍କର ଗଣ୍ଡ ଅଂଶ ରଳବରେ ଓ ମୁଣ୍ଡ ଗଡ଼ ରାଜବାଟୀରେ ପୂଜା ହୁଏ । ସେଥିର ସେବାସୀ ଶୁଦ୍ରଜାତିର ଲୋକ । ଏହି ଶୁଦ୍ରମାନେ ପାଇକ ବୃତ୍ତି କରନ୍ତି ନରସିଂହପୁର, ଅନୁଗୁଳ ଧରି । ଏମାନେ ଏକ ବୀର ଜାତି ଅଟନ୍ତି-। ପର୍ବ ସମୟରେ ମଣିଷ ମେରିଆ ରାଜାଙ୍କ ନିର୍ଦ୍ଦେଶରେ ସେମାନେ ଦେଉଥିବା କଥା ମଧ୍ୟ ଏତେବେଳେ ପ୍ରଚାରିତ ହେଲା । ବିନାୟକ ସିଂହଙ୍କ ସମୟରେ ଏହାର ଗନ୍ଧ ନ ଥିଲା । କିନ୍ତୁ ବର୍ତ୍ତମାନ ଶୁଣାଯିବାରୁ ଲୋକେ ଅଧିକ ତାତି ଉଠିଲେ ।
ଫଳରେ ହରମୋହନ ଲାଲା ନାମକ ଜଣେ ବଡ଼ପାହ୍ୟା ଅଫିସର କେତେକ ସିପାହୀ ସହିତ ମେଳି ତଦନ୍ତରେ ରାଜ୍ୟରେ ଉପସ୍ଥିତ ହେଲେ । ରାଜା ଏବଂ ରାଜାନୁଚରବର୍ଗ ଯଦୁମଣି ଏହି ମେଳିର ମୂଳରେ ବୋଲି ଜ୍ଞାପନ କରନ୍ତେ । ଲାଲା ମହାଶୟ ଯଦୁମଣିଙ୍କର ସ୍ୱଭାବ, ଗତିବିଧି ଗୋପନରେ ତଦନ୍ତ କରି ତାଙ୍କୁ ଜଣେ ମହତ୍ ବ୍ୟକ୍ତି ଓ ନିରପେକ୍ଷ ବୋଲି ଜାଣିପାରି ତାଙ୍କୁ ସମ୍ମାନରେ ଡକାଇ ନେଇ ମେଳିର କାରଣ ପଚାରିବେ ବୋଲି ନୋଟିସ୍ କରିଥିଲେ । କିନ୍ତୁ ତାଙ୍କର ଅସୀମ ଯୋଗ୍ୟତାର କେତେକ କାହାଣୀ ଶୁଣି ତାଙ୍କ ପ୍ରତି ଅମର୍ଯ୍ୟାଦା ହେବ ବୋଲି ମନେ କରି ନୋଟିସ ଧାର୍ଯ୍ୟ ତାରିଖ ପୂର୍ବରୁ ଇଟାମାଟି ଗ୍ରାମରେ ସେତେବେଳେ ଶ୍ରୀଯୁକ୍ତ ଲାଲା ତାଙ୍କ ଦ୍ୱାରରେ ପହଞ୍ଚିଲେ ସହସ୍ର ଜନତା ଘେରିଗଲେ । ଯଦୁମଣି ବାରିସି ଧରି ଗୋଟିଏ ପଟା ଚାଞ୍ଛୁଥିଲେ । ସଭା ବାଳରେ ଚୁଟୀ, କାନରେ ନୋଳି ଥିଲେହେଁ ତାଙ୍କର ଗୌର ଅଙ୍ଗ ପ୍ରୌଢ଼ାବସ୍ଥାରେ ମଧ୍ୟ ରମଣୀୟ ଦେଖାଯାଉଥିଲା । ସେ ମୁଖ ପୋତି କାର୍ଯ୍ୟରେ ଲାଗିଥିଲେ । ‘‘ହାକିମ ପିଣ୍ଡାତଳେ” - ଏ କଥା ତାଙ୍କୁ କେହି ସୂଚାଇ ଦେବାରୁ ସେ ଧୀରେ ଉଠିଲେ । ଲାଲା ହରମୋହନ ହଠାତ୍ ତାଙ୍କୁ ସମ୍ମାନ କରି କହିଲେ - ’‘ଆପଣ ବସନ୍ତୁ ।” ଯଦୁମଣି ହସ ହସ ମୁହଁରେ ପିଣ୍ଡାତଳେ ଛିଡ଼ା ହୋଇ ମାନବିକ ମର୍ଯ୍ୟାଦା ଦେଖାଇଲେ । ଲାଲା ପଚାରିଲେ - ’‘ଆଜ୍ଞା, ଏ ମେଳିର ହେତୁ କ’ଣ ? ଆପଣ ଏ ରାଜ୍ୟର ନିରପେକ୍ଷ ବ୍ୟକ୍ତି ଅଟନ୍ତି । ପଚାରି ଆସିଲି ।” ଯଦୁମଣି କହିଲେ - ’‘ମତେ ତ ନୋଟିସ କରାଯାଇଛି ?” ଲାଲା କହିଲେ - ’‘ହଁ ନୋଟିସ ଭୁଲରେ ହୋଇଥିଲା । ମୁଁ ନିଜେ ଆସିଛି । ଯାହା କହିବେ ଲେଖିନେବି । ଆଉ ନୋଟିସ ଅନୁସାରେ ଯିବାର ଲୋଡ଼ା ନାହିଁ ।”
ତହୁଁ ଯଦୁମଣି ଉଚ୍ଚ ସ୍ୱରରେ କହିଲେ -
ଗୋଡ଼ ଗାଡ଼ ସଂସର୍ଗରେ ଯେ ପଟୁ
ତାଙ୍କର ସୁନା ଖଡ଼ୁ ତଟୁ ପଟୁ
ଅଶୁଭରେ ଶୁଭ ହୋଇଲା ଦେଖ ।
ତାଙ୍କର ଆଡ଼େଣି ପାଲିଙ୍କି ଛତା
ଏହି ସକାଶରୁ କରି ଯେ
ଛତ୍ରାକର ଲିଙ୍ଗ ଉଦ୍ଭବ ମେଦିନୀ
ହୋଇଗଲା ହତଶିରୀ ଯେ ।
ଅତିଛୋଟ ଲୋକ ଅତିବଡ଼ ହୋଇ ଭୀଷଣ ଅତ୍ୟାଚାର କରାଇବାରୁ ଏହା ଘଟିଛି ବୋଲି ଲାଲା ସମ୍ପୂର୍ଣ୍ଣ ବିଶ୍ୱାସ କରିଗଲେ । ଅର୍ଥାତ୍ ଯଦୁମଣି କହିଥିଲେ ତାଙ୍କର ସ୍ୱଭାବସିଦ୍ଧ କବିତାରେ- ‘ତେଲୀ ଏବଂ ତନ୍ତୀଙ୍କ ଯୋଗୁଁ ଏ ରାଜ୍ୟର ଏ ଦୁର୍ଦ୍ଦଶା ବଢ଼ିଛି ।’ ଏହି ନିର୍ଭୀକ ସତ୍ୟ ପ୍ରକାଶ କରନ୍ତେ ଯେଉଁମାନେ ରାଜାଙ୍କ ଅନୁଗ୍ରହରେ ଏସବୁ କରିଥିଲେ ସେମାନଙ୍କୁ ଗିରଫ କରି ଲାଲା ମହାଶୟ କଟକ ଚାଲାଣ କରିଦେଲେ ଏବଂ ମେଳି ଅକସ୍ମାତ୍ ଭାଙ୍ଗି ଗଲା ।
ସମ୍ବନ୍ଧିତ ରଚନା
ନାଟ୍ୟରସୂର ଉଦାହରଣ
ଯଦୁମଣି ମହାପାତ୍ର
ଚିଲିକା ହ୍ରଦ
ମଧୁସୂଦନ ରାଓ