ସାଳନ୍ଦୀ ପୁଳିନେ
୧୮୬୭–୧୯୪୩
- ସଂକଳନ: କଳ୍ପନାକୁଞ୍ଜ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୨୭
- ସ୍ଥିତି
- ସାର୍ବଜନୀନ (Public domain)
ଗଭୀର ନିଶୀଥକାଳେ ଏକୁଟିଆ ଦିନେ,ବସିଲି ବାଲୁକାମୟ ସାଳନ୍ଦୀ ପୁଳିନେ ।ତଟିନୀର ଜ୍ୟୋତିର୍ମୟ ନୟନ ପରାଏ,ଚାରୁଚନ୍ଦ୍ରିକିତ ଶକ୍ତି ଜ୍ୟୋତି ଚହଟାଏ ।ଖେଳୁଅଛି କେତେ ଖେଳ ଚନ୍ଦ୍ରିକା ରୂପସୀ,ସ୍ୱଚ୍ଛ ନଦୀସ୍ରୋତ ସହ ମୃଦୁ ମୃଦୁ ହସି ।ଜଳବେଣୀ ସଙ୍ଗେ ଧନୀ ମିଶାଇ ସ୍ୱବେଣୀ,ଭାସିଯାଉଅଛି ନିମ୍ନେ ହୋଇ ଶ୍ରେଣୀ ଶ୍ରେଣୀ ।ବର୍ଷୁଛନ୍ତି କର ନଭେ ଥାଇ ସୁଧାଧାର,ସୁରଭୀ ପହ୍ଲାରୁ କିବା ବହେ କ୍ଷୀରଧାର ।ସଂସାରର ଜ୍ୱାଳାମୟ କଟୁ କୋଳାହଳ,ଗତ ଏବେ, ପରିଣତ ସ୍ୱର୍ଗେ ଧରାତଳ ।ସାଧକ-ବାଞ୍ଛିତ ଏହି କାଳ ସୁମଧୁର,ପାର୍ଥିବ ବିକାର ମନୁ କରିଦେଲା ଦୂର ।କାଳସ୍ରୋତ ପ୍ରତିଲୋମେ ସନ୍ତରିଲା ମନ,ସାଳନ୍ଦୀ ଉଠାଣି ସ୍ରୋତେ ମୀନାଳି ଯେସନ ।ବାଲ୍ୟଜୀବନର କେତେ ଲୁପ୍ତ ପୂର୍ବସୁଖ,ଗୋଟି ଗୋଟି ହୋଇ ଆସି ଦେଖାଇଲେ ମୁଖ ।ଆଣିଲା ସେ ଗତସ୍ମୃତି ହୃଦେ ଅନୁତାପ,ଅନୁତାପୁଁ ଉପୁଜିଲା ଅସାର ପ୍ରଳାପ ।ଏ କାଳରେ ବିଷମୟ ବିଷୟ ଆହ୍ୱାନ,ଆନ ତୀରୁ ଆସି ମୋର ଭାଙ୍ଗିଦେଲା ଧ୍ୟାନ ।ଛାଡ଼ି ସେ ସଙ୍କଳ୍ପ ଖେଳ ବହି ଦୁଃଖଭାରେ,ବାହୁଡ଼ି ଆସିଲି ଅହୋ ଦାରୁଣ ସଂସାରେ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ