ପୁରୁଷୋତ୍ତମର କେତେକ ଦୃଶ୍ୟ
୧୮୪୮–୧୯୧୮
- ସଂକଳନ: କବିତା କଳାପ (ପ୍ରଥମ ଭାଗ)
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୩୭
- ସ୍ଥିତି
- ସାର୍ବଜନୀନ (Public domain)
ଆସ ଆସ ଦର୍ଶକ ଉଲ୍ଲାସ ହୋଇ,କେତେ ଶୋଭା ଦେଖିବ ମନ ପୂରାଇ ।ଦେଖ ସୁରମ୍ୟ ସର ରାଜେ ଏଠାରେ,ନରେନ୍ଦ୍ର ନାମ ଯାର ଅଛି ମହୀରେ ।କେଡ଼େ ପ୍ରଶସ୍ତ ଏହୁ ସୁମନୋହର,ଦେଖି ଉଲ୍ଲାସ ହୁଏ ହୃଦୟାଗାର ।ଚାରି ପାଶେ ସୋପାନ ଶିଳାଗ୍ରଥିତ,ନିବିଡ଼ ପ୍ରାଚୀରରେ ଅଛି ବେଷ୍ଟିତ ।ସରସୀ ଜଳେ ରାଜହଂସନିକର,ସନ୍ତରଣ କରନ୍ତି କି ପଟାନ୍ତର ।ପୁଣି ଦର୍ଶକ ଦେଖ ଚାରି ପାଶରେ,ଅସଂଖ୍ୟ ଯାତ୍ରିଗଣ ଉଲ୍ଲାସଭରେ ।କରୁଅଛନ୍ତି କେତେ ଗାତ୍ର ମାର୍ଜ୍ଜନ,କେବା ତର୍ପଣ ଯୋଗଧ୍ୟାନେ ମଗନ ।ଚାଲ ଦର୍ଶକ ପୁଣି ଏ ସ୍ଥାନ ଛାଡ଼ି,ବିସ୍ତୀର୍ଣ୍ଣ ବଡ଼ଦାଣ୍ଡ ପଥକୁ ମାଡ଼ି ।ସମ୍ମୁଖେ ଦେଖ ଅନାଥଙ୍କ ସଦନ,ଈଶ୍ୱର ଆଶ୍ରା ଧରି କାଟନ୍ତି ଦିନ ।ଧନ୍ୟ ଈଶ୍ୱରଙ୍କର କିବା ମହିମା,ଜୀବରେ ତାଙ୍କ ଦୟା କେ କରେ ସୀମା ।ସମ୍ମୁଖେ ଦେଖୁଅଛ ଯେଉଁ ସଦନଏ ଅଟେ ରାଜ୍ୟେଶ୍ୱରଙ୍କର ଭବନ ।ଗଜପତିଙ୍କ ଧ୍ୱଜା ମହୀତଳରେ,ଉଡ୍ଡୀୟମାନ ହେଉଥିଲା କାଳରେ ।ସେ ଏବେ ପେଡ଼ାସର୍ପ ସଙ୍ଗେ ସମାନ,କାଳ ବେଳର ଖେଳ କେ କରେ ଆନ ।ଚାଲ ଚାଲ ଦର୍ଶକ ଛାଡ଼ି ଏ ସ୍ଥାନ,ଦେଖ ଅରୁଣସ୍ତମ୍ଭ ଦଣ୍ଡାୟମାନ ।କେମନ୍ତ ସ୍ଥୂଳ ଏହା କି ଉଚ୍ଚତର,ବୋଲନ୍ତି ଲୋକେ ସବୁ ଖଣ୍ଡେ ପ୍ରସ୍ତର ।କ୍ରମେ ଏ ସିଂହଦ୍ୱାର ଦେଖ ଦର୍ଶକ,କେଡ଼େ ଉନ୍ନତ ଏହା ଦେଖିଲେ ଦକ ।ଭିତରେ ଦେଖ ଆସି ବଡ଼ ଦେଉଳ,ଅତି ଉନ୍ନତ ପୁଣି କେଡ଼େ ସୁଢ଼ଳ ।ପୂର୍ବକାଳରେ ରାଜା ‘‘ଅନଙ୍ଗଭୀମ’’,କରି ଅଛନ୍ତି କୀର୍ତ୍ତି ଏ ଅନୁପମ ।ଏଥିରୁ ଜଣାଯାଏ ଉତ୍କଳ ଲୋକ,ଶିଳ୍ପନୈପୁଣ୍ୟେ ଥିଲେ କେଡ଼େ ବିବେକ ।ଚତୁର୍ଦ୍ଦିଗରେ ଦେଖ ଅସଂଖ୍ୟ ଜନ,କରନ୍ତି ସୁଖେ ମିଶି ଅନ୍ନଭୋଜନ ।ଜାତିଭେଦ ସଂସ୍କାର ନାହିଁ ଏଠାରେ,ଶୂଦ୍ର ଛୁଇଁଲେ ଦ୍ୱିଜ ଭୋଜନ କରେ ।ଧନ୍ୟ ଧନ୍ୟ ଏ ପ୍ରଥା ପ୍ରଶଂସନୀୟ,ଯେ ଏହା ଚଳାଇଛି ସେ ମାନନୀୟ ।ସେ ଲୋକ ଧର୍ମଭାବ ଜାଣନ୍ତି କେହି,ମୁଁ ଜାଣେ ସେହି ସତ୍ୟଧର୍ମୀ ଅଟଇ ।ନୋହିଲେ ଏ ଉନ୍ନତ ଭାବ ତାଙ୍କର,ହୋଇ ନ ଥାନ୍ତା କେବେ ହୃଦମଧ୍ୟର ।କେଡ଼େ ସୁନ୍ଦର ସ୍ଥାନ ଜଗମୋହନ,ଚତୁର୍ଦ୍ଦିଗରେ ବସି ଭକତଗଣ ।ଈଶ୍ୱର ସ୍ତୁତିପାଠମାନ ପଢ଼ନ୍ତି,ଦଣ୍ଡ ପ୍ରଣାମକରି ତହୁଁ ଚଳନ୍ତି ।ଆହା ତାଙ୍କର ଅଟେ କେଡ଼େ ବିଶ୍ୱାସ,ଦେଖି ମନେ ଅଶେଷ ମୋର ସନ୍ତୋଷ ।ଆସ ଦର୍ଶକ ଦେଖ ସ୍ନାନମଣ୍ଡପ–ଉପରେ ରହି ସିନ୍ଧୁଶୋଭାକଳାପ ।ଘୋର ଗର୍ଜନେ ସିନ୍ଧୁଜନ ଉଠୁଚି,ଜଗନ୍ନାଥଙ୍କୁ ଅବା ଉଚ୍ଚେ ଡାକୁଛି ।ତରଙ୍ଗମାଳସବୁ କି ଶୋଭା ଧରି,ନାଚି ଖେଳି ଆସନ୍ତି ଉପର୍ଯ୍ୟୁପରି ।ଦେଖି ତରଙ୍ଗମାଳ ମନେ ହେଉଛି,ସକୁଟୁମ୍ବେ ବାସୁକି ଅବା ଆସୁଛି ।ବାଜିକରେ ଖେଳନ୍ତି ଖେଳ ଯେସନ,ଜଳଚରଙ୍କ ଖେଳ ଅଟେ ତେସନ ।ସାଗରଗର୍ଭୁଂ ଜଳ-କଣା ପବନ,ଆଣି ଲୋକଙ୍କ ଦେହେ କରେ ଲେପନ ।ଦେଖି ଏ ଅନୁପମ ଶୋଭାଚାତୁରୀ,ହୃଦସାଗରୁ ଉଠେ ଭାବଲହରୀ ।ଧନ୍ୟ ଧନ୍ୟ ସେ କର୍ତ୍ତା ଏ ଶୋଭାରାଶି,କରିଅଛନ୍ତି ପ୍ରଭୁ ବୈକୁଣ୍ଠବାସୀ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ