ପ୍ରାଣ-ପକ୍ଷୀ
୧୮୬୭–୧୯୪୩
- ସଂକଳନ: ବ୍ରଜରେଣୁ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୦୪
- ସ୍ଥିତି
- ସାର୍ବଜନୀନ (Public domain)
ଉଡିବୁଲୁ ପକ୍ଷି, ଘର ନାହିଁ କି ତୋହର,ଯେବେ ଯେଉଁ ଗଛେ ବସୁ ସେ ହୁଏ ତୋ ଘର ।ଗଛେ ଗଛେ ଥକ ମାରୁ ଅଳପ ବହୁତ,ଥକା ମେଣ୍ଟି ଗଲେ ପୁଣି ହେଉ ସ୍ଥାନଚ୍ୟୁତ ।କେଉଁଠୁ ତୁ ଉଡିଆସି ଉଡିଯାଉ କାହିଁ,ଆନ କେ ଜାଣିବ ତାହା, ତୁ ବି ଜାଣୁ ନାହିଁ ।କିଏ ବା ପଠାଏ ତୋତେ, କାହିଁକି ପଠାଏ,ସେ ରହସ୍ୟ ଅଳି ଗୁପ୍ତ ଅନ୍ଧକାରେ ଥାଏ ।କି ଲାଭ ସେ ପାଏ ତୋତେ ପେଷି ଥରଥର,ଜାଣେ କି ସେ, ହେଉ ତୁ ଯେ କେତେ ହରବର ।ଏ ଗୋଟାଏ ଖେଳ ତାର, ନୁହେଁ କିରେ ଖଗ,ତୋ ମୁଖେ ବୋଲାଏ ପୁଣି କେତେ ଛଟା ଢ଼ଗ ।ମନ୍ଦ ନୁହେଁ ଏ କୌତୁକ, କେଡ଼େ ରସିକ ସେ,ତୋ ଦେହରେ ପଶି କେତେକାନ୍ଦେ କେତେ ହସେ ।ନଚାଇ ଖେଳାଇ ସାରି ରେ ଟିକି ଚଡ଼ାଇ,ଦିଏ ତୋତେ ବ୍ୟାଧହାତେ ସମୟେ ଧରାଇ ।ଏ ଥର ତୁ ଯାଇ ତାର ନେବୁ ପ୍ରତିଶୋଧ,ହେଉ ପଛେ ବିରକ୍ତ ସେ କରୁ ପଛେ କ୍ରୋଧ ।କହୁ ଯେତେ ବହଲାଇ କିମ୍ବା ସାକୁଲାଇ,କେବେ ହେଲେ ଆସିବାକୁ ମଙ୍ଗିବୁ ତୁ ନାହିଁ ।ଭୁଲିଯବୁ ଯେବେ ଶୁଣି ତାହା ମିଠା କଥା,ତେବେ ତ ବସିବୁ ଖାଇ ନିଜେ ନିଜ ମଥା ।ଚିହ୍ନିଛୁ କି ପକ୍ଷି ତାକୁ, କେଡ଼େ ସେ ସିଆଣ,ତୋର ନାମ ବଦଳାଇ ରଖିଅଛି ‘‘ପ୍ରାଣ ।’’ମହା ମାୟାବୀ ସେ, ଜାଣେ ବିଦ୍ୟା - ଇନ୍ଦ୍ରଜାଲ,ବନ୍ଦୀ କରିଛି ସେ ବିଶ୍ୱେ ଛନ୍ଦି ମୟାଜାଲ ।ନ ଆସି ଯେ ରହିଯାଏ ତାହାରି ପାଖରେ,ସେହି ସିନା ଶାନ୍ତିବୋଳା ସୁଖ ଭୋଗ କରେ ।ପ୍ରେମରେ ଚିନ୍ତାଇ ତାକୁ ଭକତି ବ୍ୟାକୁଳେ,ମାଗିନେବୁ ସ୍ଥାନ ତାର ପୁଣ୍ୟ ପାଦମୂଳେ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ