ପନ୍ଦର ବର୍ଷ ତଳର କଥା — ଗୋଦାବରୀଶ ମହାପାତ୍ର · ସ୍ୱର୍ଣ୍ଣଲିପିପଲ୍ଲୀବାସିନୀ ଏ ବିଧବାର ପନ୍ଦର ବର୍ଷ ତଳର କଥା ଶୁଣି ତୁମର କିଛି ଲାଭ ନାହିଁ, ଜାଣୁଛି; ମାତ୍ର ନକହି ରହିପାରୁନାହିଁ । ପନ୍ଦର ବର୍ଷ ତଳେ ଏହିପରି ଏକ ଉଜ୍ଜ୍ୱଳ ଶରତ ରାତିରେ ମୋ ଜୀବନ-ପଥରେ ଏକ ପରିବର୍ତ୍ତନ ଘଟିଥିଲା- ସେ ପରିବର୍ତ୍ତନ ମୋ ଜୀବନର ଶେଷ ପରିବର୍ତ୍ତନ । ସେହିଦିନୁ ମୁଁ ସମାଜରେ ଏହି ମଳିନ ଛାୟାଟି ପରି ରହିଛି । ରାତି ନ ପାହୁଣୁ ଝଡ଼ିପଡ଼ିଲା ଗଙ୍ଗଶିଉଳି ଫୁଲପରି ମୁଁ ସକଳ ସୁଖରୁ ଝଡ଼ିପଡ଼ିଲି; ମୋର ସବୁ ସୁଖସମ୍ପଦ ଯାଇଛି । ଆଜି ସେସବୁ କଥା ଭାବିବସିଲେ ମୋ ଦେହ ଶୀତକଣ୍ଟା ମାରୁଛି । ଶରତର ଶୁଭ୍ର ଚନ୍ଦ୍ର ମୋତେ ମଳିନ ଦେଖାଯାଉଛି । ତଥାପି ଏତେଦିନ ପରେ ଆଜି ମୁଁ ସେ ଗୋପନ କଥା କହିବାକୁ ବସିଛି ।
ନାରୀଜାତିର ସକଳ ସୁଲକ୍ଷଣ ଘେନି ମୁଁ ଜନ୍ମ ହୋଇଥିଲି । ମୋ ପିତାଙ୍କର ଧନସମ୍ପତ୍ତି ଥିଲା, ମାନଗୈାରବ ମଧ୍ୟ ଥିଲା । ସମସ୍ତେ ଜାଣନ୍ତି, ଆମ କୁଳରେ ବୋହୂ ବହିଧରି ପାଠ ପଢ଼ିବାଟା ମହାପାପ ! ସେ ପାପର ପ୍ରାୟଶ୍ଚିତ ବିଧାନ ପାଇଁ ଆମ ଦେଶର ବୁଢ଼ା ବୁଢ଼ା ପଣ୍ଡିତଙ୍କ ମୁଣ୍ଡରେ ସବୁବେଳେ ନାନା ଚିନ୍ତା ଜାଲ ଛନ୍ଦିଲା ପରି ଖେଳୁଥାଏ; ମାତ୍ର ମୁଁ ବୋହୂ ହେବା ଆଗରୁ ପାଠ ପଢ଼ିସାରିଥିଲି ।
ଗାଁ ଚାଟଶାଳୀରେ ମୋ ପଢ଼ା ଆରମ୍ଭ ହେଲା । କ୍ରମେ ମୁଁ ରାମାୟଣ ପଢ଼ିଲି, ମହାଭାରତ ପଢ଼ିଲି, ନଳ-ଦମୟନ୍ତୀ, ଶୈବ୍ୟା-ହରିଶ୍ଚନ୍ଦ୍ର କଥା ପଢ଼ିଲି, ରାଜପୁତ୍ର ରାଜକନ୍ୟାକୁ ଧରି ମନ୍ତ୍ରୀପୁଅ ସଙ୍ଗେ ସାତ ସମୁଦ୍ର ପାରହୋଇ ଚାଲିଯିବା କଥା ମଧ୍ୟ ଜାଣିଲି । ସେତେବେଳକୁ ମୋତେ ଅଳ୍ପ ବୟସ- ମୋ ଉପରେ ବାଡ଼ୁଅପାଣି ପଡ଼ି ନ ଥାଏ । ଏବେ ସେ ଦିନର କଥା ମୋତେ ସାମାନ୍ୟ ଜାଲୁଜାଲୁଅ ଜଣାପଡ଼ୁଛି ।
ମୋ ପରି ରୂପବତୀ ବୋଧହୁଏ ଆମ ଗାଁରେ ଆଉ କିଏ ନ ଥିଲେ । ମୋର ଗୋରା ଅଙ୍ଗ ଦିନିକୁ ଦିନ ଢଳଢଳ ହୋଇ ଫୁଟିଉଠିଲା । ମନେଅଛି, ମେତେ କୁଳବଧୂ କରି ନେବାପାଇଁ ଆମ ଘରକୁ କେତେ କୁଳୁଆଁ ଆସନ୍ତି । ମୋର କେତେ ଆଦର ହୁଏ । ମୋତେ କିଏ ଡ଼ାକେ ବୋହୂ, କିଏ ଡ଼ାକେ ରତ୍ନ, କିଏ ଡ଼ାକେ ଧନ; ସେତେବେଳେ ମୁଁ କିଶୋରୀ ବାଳିକା- ଏ ସବୁ ଆଦର କଥା ବେଶି କିଛି ବୁଝୁ ନ ଥିଲି ।
ମୋ ସମାଜ ଲୋକଙ୍କ ଧାରଣା ଯେ, ବାଳିକାକୁ ଧରିମାରି ବିଭା କରାଇ ଦେଲାପରେ, ଜାତି ଖୋଜି ଜଣକ ବେକରେ ପକାଇ ଦେଲାପରେ, ଘର କଲାବେଳେ ସେ ବିବାହର ମର୍ଯ୍ୟାଦା ବୁଝେ; କିନ୍ତୁ ମୋ ଅନୁଭବରୁ ଜାଣିଛି, ଏ ବଡ଼ ଭୁଲ ଧାରଣା । ମୁଁ ପଶୁ ଥିଲି ଏବଂ ମୋ ଉପରେ ଦିନେ ସମାଜର ଏହି ଅତ୍ୟାଚାର ହୋଇଥିଲା, ସେ କଥା ଏବେ ଏହି ବିଗତଯୈାବନା ପଲ୍ଲୀବାସିନୀ ବିଧବାର ହୃଦୟକୁ ପ୍ରତି ମୁହୂର୍ତ୍ତରେ ବିନ୍ଧୁଛି, ମନେପଡ଼ିଲେ ସମାଜ ଉପରେ ପଦାଘାତ କରିବାକୁ ଇଚ୍ଛା ହେଉଛି । ଆଜି ମୁଁ ଜାଣିପାରୁଛି, ବାଳିକାକୁ ତାର ବର ବାଛିବା ପାଇଁ ସୁଯୋଗ ମିଳୁଥିଲେ କିମ୍ବା ବରକନ୍ୟା ଦୁହେଁ ଜାଣିଶୁଣି ବିବାହ ହେଉଥିଲେ ଜୀବନଟା ତାଙ୍କର ଅନେକ ଅଂଶରେ ସୁଖମୟ ହେଉଥାନ୍ତା ।
ଠିକ୍ ବାରବର୍ଷ ବୟସ ପରେ ମୋର ବିବାହ ହେଲା । ମୋ ବିବାହକୁ ମୁଁ ବିବାହ ବୋଲି କହିବି ନାହିଁ; କାରଣ ମୋ ଇଚ୍ଛା ବିରୁଦ୍ଧରେ ମୁଁ ବିବାହ ହୋଇଥିଲି; କିନ୍ତୁ ସେ ଇଚ୍ଛା ସେତେବେଳେ ବାହାରକୁ ଜଣେଇବାର କ୍ଷମତା ମୋର ନ ଥିଲା । ତାହା କେବଳ ସେତେବେଳର କିଶୋରୀ ପ୍ରାଣକୁ ଘାଣ୍ଟିପକାଉଥିଲା ।
ମୋର ସ୍ୱାମୀ ଜଣେ ଧନୀ ଯୁବକ । ସେ ମୋର ହାତଧଇଲେ; କିନ୍ତୁ ମୁଁ ତାଙ୍କଠାରୁ କେବେହେଲେ ଅନ୍ତରର ସହିତ ସୁଖ ପାଇ ପାରିଲି ନାହିଁ । ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଯେ ମଧୁମୟ ଘେନାଘେନି,ତାହା ମୁଁ ଜାଣିଲି କେବଳ କଥାରେ । ତୁମେ ଜାଣ, ପ୍ରକୃତ ପ୍ରଣୟରେ ପବିତ୍ର ସ୍ୱାଧୀନତା ଏବଂ ସାହାସ ଥାଏ; ମାତ୍ର ଯେଉଁ ପ୍ରଣୟ ସମାଜର ଆଇନ-ଅସ୍ତ୍ରରେ ତିଆରି କରାହୁଏ, ତାକୁ ପ୍ରଣୟ ବୋଲି କିପରି କହିବି ? ସେପରି ବିବାହରେ ସମାଜରେ ମାନସିକ ବ୍ୟଭିଚାର ବଢୁଛି କେବଳ, ଆଉ କିଛି ଲାଭ ନାହିଁ । ମୋ ସ୍ୱାମୀଙ୍କର ମୁଁ ଥିଲି ଦ୍ୱିତୀୟ ପକ୍ଷର ସ୍ତ୍ରୀ ।
ମୋର ସ୍ୱାମୀ ଘରକୁ ଏକମାତ୍ର ମୁରବୀ ଥିଲେ । କ୍ଷତି ଲାଭରେ କିଏ ତାଙ୍କୁ କିଛି କହିବାକୁ ନଥିଲା । ତାଙ୍କ ରୂପଟି ବଡ଼ ସୁନ୍ଦର ଥିଲା; ମାତ୍ର ବ୍ୟବହାର ମୋତେ ଭଲ ଲାଗୁ ନ ଥିଲା-। ସେ ଅତିମାତ୍ରାରେ ଗର୍ବୀ ଥିଲେ ଏବଂ ସମସ୍ତଙ୍କୁ ନିଜ ପାଦତଳେ ବାନ୍ଧି ରଖିବାକୁ ଇଚ୍ଛାକରୁଥିଲେ-। ପାଠରେ ତାଙ୍କର ସେପରି କିଛି ଦଖଲ ନ ଥିଲା । ତେଣୁ ମୁଁ ବହି ଖଣ୍ଡିଏ ଧରି ବସିଲେ ସେ ମୋତେ ଅନ୍ୟ କଥା ବତାନ୍ତି; ପାଠକଥା ପଚାରିଲେ ଛଳନା କରି ଅନ୍ୟ ଆଡ଼େ ଚାଲିଯା’ନ୍ତି । ମୁଁ ପ୍ରଥମେ ପ୍ରଥମେ ତାଙ୍କର ମନକଥା ବୁଝିପାରି ନ ଥିଲି । କେତେ ଦିନ ପରେ ମୋତେ କିଛି ଅଛପା ରହିଲା ନାହିଁ । ବେଳେ ବେଳ ତାଙ୍କର ମୋ ପ୍ରତି ନିଷ୍ଠୁର ବ୍ୟବହାର ଦେଖି ମୁଁ ମର୍ମ୍ମାହତ ହୋଇପଡ଼େ; କିନ୍ତୁ ଦିନେ ହେଲେ ମୁଁ ତାଙ୍କୁ ଟାଣକରି ପଦେ ହେଲେ କହିନାହିଁ କି ଅମାନିଆ ହୋଇ ରହି ନାହିଁ । ଆଜି ସେ ଏ ସଂସାରରୁ ଯାଇ ସ୍ୱର୍ଗରେ , ସେ କେବେହେଁ ମୋତେ ଏ ବିଷୟରେ ଦୋଷୀ କରି ପାରିବେ ନାହିଁ ।
ସମ୍ବନ୍ଧିତ ରଚନା
ମଧୁସୂଦନ ରାଓ
ଆମଘରର ହାଲ୍ଚାଲ୍ଗୋପାଳ ଚନ୍ଦ୍ର ପ୍ରହରାଜ ଗୋପାଳ ଚନ୍ଦ୍ର ପ୍ରହରାଜ
ଗାଁର ଏକଣରେ ଆମ ଘର । ଘରଟା ଧନସମ୍ପତ୍ତିରେ ଉଛୁଳୁଥିଲା । ଧାନଖମାର, ଖଳାବାଡ଼ିରେ ଲକ୍ଷ୍ମୀ ଖେଳୁଥିଲେ । ମୋର ସ୍ୱାମୀ ପାଠ ପଢ଼ି ନ ଥିଲେ ମଧ୍ୟ ତାଙ୍କ ମନରେ ଏବକାଳର ରୁଚି ଥିଲା । ସେ ସମାଜର କେତେଗୁଡ଼ିଏ କୁସଂସ୍କାରକୁ ବଡ଼ ଘୃଣା କରୁଥିଲେ । ତାଙ୍କ ପରି ଖେଳାଳି ଓ ପାରିଧିଆ ଗାଁରେ କେହି ନ ଥିଲେ । ମୁଁ ତାଙ୍କ ସାଙ୍ଗକୁ ସେଥିକି ନତାନ୍ତ ଅଯୋଗ୍ୟ ଥିଲି ।
ଆଗରୁ କହିଛି, ମୁଁ ପାଠ ପଢ଼ିଥିଲି; ତେଣୁ ଗାଁର ଅନ୍ୟ ନାରୀଙ୍କ ରୁଚିଠାରୁ ମୋ ରୁଚି ଟିକିଏ ଅଲଗା ହେଲା । ସେମାନେ ଆଷାଢ଼ ମାସର କଳାମେଘ ଦେଖି ଘରେ ଲୁଚିଲାବେଳେ ମୁଁ ବାଡ଼ିଦୁଆରେ ଅନ୍ଧାରରେ ବସି ସେ ଗମ୍ଭୀର ମୂର୍ତ୍ତି ଦେଖି ଆନନ୍ଦ ଅନୁଭବ କରୁଥାଏ । ସେମାନେ ଫୁଟିଲା ଫୁଲ ଦେଖିଲେ ତାକୁ ତୋଳି ମୁଣ୍ଡରେ ଖୋଷନ୍ତି । ମୁଁ କିନ୍ତୁ ଫୁଲଟିକୁ ତୋଳିବାକୁ ହାତ ବଢ଼ାଇ ପାରେନାହିଁ । ହାତ ବଢାଇବାକୁ ଚେଷ୍ଟାକଲେ ମୋ ମନ ଭିତର ଥରିଉଠେ- ସତେ ଯେପରି ଫୁଲଟା ମୋତେ କଥା କହେ । ମୁଁ ତାର ସୈାନ୍ଦର୍ଯ୍ୟରେ ମୁଗ୍ଧ ହୋଇ ରହେ । ସେମାନଙ୍କ ପରି ଶରତ୍ଶୁଭ୍ର କିରଣ ଦେଖି ମୋତେ ନିଦ ଆସେ ନାହିଁ । ମୁଁ ରାତିଯାକ ସେ ଆଲୋକରେ ଆକାଶକୁ ଚାହିଁ ବସିଥାଏ । ମୁଁ ଜାଣେନାହିଁ ମୋ ସ୍ୱାମୀ ଏ ସବୁକୁ ଭଲପାଉଥିଲେ କି ନାହିଁ; ମାତ୍ର ମୋତେ ଏଥିପାଇଁ ସେ କେବେହେଲେ ମନା କରୁନଥିଲେ ।
ଗାଁ ଘରେ ଆମେ ପ୍ରାୟ ରହୁନଥିଲୁ । ଗାଁ ବାହାରେ ଜଙ୍ଗଲ ତଡ଼େ ନଈକୂଳେ ଆମର ଏକ ବଡ଼ ବଗିଚା ଥିଲା । ସେଥି ଭିତରେ ଗୋଟିଏ ସୁନ୍ଦର ଘର; ଘର ପାଖକୁ ଲାଗି ପୋଖରୀ, ପୋଖରୀ ଚାରିପାଖରେ ଆମ୍ବ, ଲେମ୍ବୁ, ଜାମୁ ଗଛମାନଙ୍କରେ ଫଳ ପୂରିରହିଥାଏ । ସେହି ସୁନ୍ଦର ଉପବନ ଭିତରେ ଆମ ଦୁହିଁଙ୍କର କେତେ ଦିନରାତି ଯେ କଟିଯାଇଛି, ଏହି ଅବଳା ହୃଦୟର କେତେ ପ୍ରାଣର ବ୍ୟଥା ଯେ ସଂସାରକୁ ନ ବାହାରି ସେହିଠାରେ ଜଡ଼ ହୋଇ ଯାଇଛି, ତାହା ଆଉ ଏବେ କହିପାରିବି ନାହିଁ; କହି କରି ମଧ୍ୟ ଆଉ କିଛି ଲାଭ ନାହିଁ ।
ଆମେ ଏହିପରି ଭାବରେ ମନ ଭିତରେ ପରସ୍ପର ବିରୋଧ ଭାବ ଏବଂ ବାହାରେ ନିଜନିଜକୁ ସୁଖ ପାଇବା ଭାବ ଦେଖାଇ ଘର ସଂସାର କରୁଥିଲା ବେଳେ ଜଣେ ଯୁବକ ବନ୍ଧୁ ଆମ ଘରକୁ ଯିବା ଆସିବା କଲେ । ସେ ପାଠପଢ଼ୁଆ ଥିଲେ ଏବଂ ମୋ ସ୍ୱାମୀଙ୍କୁ ବଡ଼ ଭଲପାଉଥିଲେ । ସେ ପ୍ରଥମେ ପ୍ରଥମେ ମୋ ସ୍ୱାମୀଙ୍କ ପାଖେ ବସି କଥା ହୋଇ ଚାଲିଯାଉଥିଲେ, କ୍ରମେକ୍ରମେ ମୋତେ ଭରସି କଥା କହିଲେ । ମୋର ସଲଜ୍ଜ ପ୍ରକୃତି ଘେନି ମୁଁ ସବୁବେଳେ ତାଙ୍କ ପାଖେ ବଡ଼ ଶଙ୍କିତ ଭାବରେ ଚଳୁଥାଏ । କେତେ ଦିନ ପରେ ସେ ଆମ ଘରର ଜଣେ ପରି ହୋଇଗଲେ- ମୋ ସ୍ୱାମୀ ଥିଲାବେଳେ ଆସିଲେ, ନଥିଲାବେଳେ ମଧ୍ୟ ଆସିଲେ । ଅନେକ ସମୟରେ ତାଙ୍କ ସଙ୍ଗେ ନାନା ପାଠକଥା ଚର୍ଚ୍ଚାକରି ମୁଁ ଦିନ କାଟେ । ମୋ ସ୍ୱାମୀ ମଧ୍ୟ ଏହା ଜାଣନ୍ତି ।
ଆମ ଘରକୁ ବନ୍ଧୁଙ୍କର ଯିବା ଆସିବା ହଠାତ୍ ଦିନେ ବନ୍ଦ ହେଲା । ମୁଁ ପ୍ରଥମେ ଦୁଇଚାରିଦିନ ବଡ଼ ଅଧୀର ହୋଇ ତାଙ୍କ ବାଟ ଚାହିଁ ରହିଲି; ମାତ୍ର ପରେ ଜାଣିପାରିଲି ଯେ, ବନ୍ଧୁଙ୍କର ଯିବା ଆସିବା ବନ୍ଦ ହେବା ଦିନଠାରୁ ପତିଙ୍କର ଭାବ ମୋ ପ୍ରତି ବଦଳିଛି । ସେ ମୋତେ ଆଗ ପରି ଆଉ କଥା କହିଲେ ନାହିଁ । ମୁଁ ଯେଉଁ ଘରେ ଥାଏ, ସେ ଘରକୁ ଆଗ ପରି ଆଉ ଆସିଲେ ନାହିଁ । କେବେକେବେ ଆସିଲେ ବଡ଼ ଧୀରେ ଧୀରେ ପାଦଚାଳି ହଠାତ୍ ଘରେ ଆସି ପହଞ୍ଚନ୍ତି, ଯେପରିକି ସେ ଲୁଚି ଲୁଚି କୈାଣସି ଚୋର ଧରିବାକୁ ଆସୁଥାନ୍ତି । ତା’ପର ମୁହୂର୍ତ୍ତରେ ମୋ ସଙ୍ଗେ ପଦେ ଦୁଇପଦ କଥା ହୋଇ, କୈାଣସିଥିରେ ହାରିଲା ପରି ଭାବ ଦେଖାଇ ଚାଲିଯାନ୍ତି-। ବେଳେବେଳେ ରାତିରେ ମୋ ଶୋଇବା ଘର ପାଖେ ପାଦଶବ୍ଦ ଶୁଭେ । ମୁଁ ଚମକି ଉଠି ବସେ । ଦିନେ ସକାଳେ ଉଠି ମୁଁ ତାଙ୍କୁ କହିଲି, ‘‘ରାତିରେ ଏ ପିଣ୍ଡାରେ କିଏ ଚାଲିଲା ପରି ଶୁଭୁଛି; ମୋତେ ବଡ଼ ଭୟ ଲାଗୁଛି ।’’
ସ୍ୱାମୀ କହିଲେ, ‘‘ଆମ ବଗିଚା ଜଗୁଆଳ ହୋଇଥିବ, ନହେଲେ ଆଉ କିଏ କାହିଁକି ଆମ ଘରକୁ ଆସନ୍ତା ?’’ କିନ୍ତୁ ତାଙ୍କର ଏ କଥାରେ କିଛି ସରସତା ମୁଁ ଖୋଜି ପାଇଲି ନାହିଁ । ତାଙ୍କର ଏ ବ୍ୟବହାର ଦେଖି ଦିନକୁ ଦିନ ମୋ ମନରେ ଚିନ୍ତା ବଢ଼ିଲା । ମୁଁ ବରାବର ଦିନରାତି ଭାବି ବସିଲି, ‘‘ବନ୍ଧୁଙ୍କୁ ଆସିବାକୁ କିଏ ମନାକଲା ?’’
ଦିନେ ସନ୍ଧ୍ୟାବେଳେ ପଞ୍ଜର ପାଖେ ଚାହିଁ ଦେଖିଲି, ବନ୍ଧୁ ମୋ ସ୍ୱାମୀଙ୍କ ସଙ୍ଗେ କ’ଣ କଥା ହେଉଛନ୍ତି । ତାଙ୍କୁ ଦେଖି ମୁଁ କେଜାଣି କାହିଁକି ଆନନ୍ଦରେ ଅଧୀର ହୋଇପଡ଼ିଲି । ମୋ ହାତରୁ ପଢ଼ିବା ବହି ଖସିପଡ଼ିଲା । ସେ କିଛି ସମୟ ତାଙ୍କ ସଙ୍ଗେ କଥା ହୋଇ ଧୀରେ ଧୀରେ ଚାଲିଗଲେ, ମୁଁ ସେହିଠାରେ ଖଟ ଉପରେ ମୁହଁ ମାଡ଼ି ଶୋଇପଡ଼ିଲି । ମୋର ମୋହ ଭାଜିଲାବେଳକୁ ସ୍ୱାମୀ ମୋ ପାଖେ ଆସି ଠିଆହୋଇଥିଲେ । ତାଙ୍କର ସେତେବେଳର ବିରାଗ ଚାହାଣୀର ଉତ୍ତର ମୁଁ ଆଦୈା ଦେଇପାରିଲି ନାହିଁ । ଅଭିମାନ ଦୁଃଖରେ ମୋର ଆନତ ଚକ୍ଷୁ ଦୁଇଟିରୁ ଝରଝର ଲୁହ ବୋହିପଡ଼ିଲା ।
ଆମର ଦୁଇଟି ଚାକର ଥିଲେ । ଜଣକ ନା ରଘୁଆ, ସେ ବଗିଚା ଜଗେ । ତା’ ଘର ଆମ ଘରଠାରୁ ଦୁଇଶହ ହାତ ଦୂରରେ, ପୋଖରୀର ପଶ୍ଚିମ ହୁଡ଼ାରେ । ଆଉ ଗୋଟିଏ ହେଉଛି ବାଳିକା, ତା’ ନାଁଟି ବିମଳା । ଆମ ଗାଁରୁ ମୁଁ ତାକୁ ଆଣି ପାଳିଥିଲି । ତା’ର ବାପା ମା’ ନ ଥିଲେ, ମୁଁ ତାର ବାପା ମାଆ ହୋଇଥିଲି । ବିମଳା ନୀଚଜାତିର ହେଲେ କ’ଣ ହେଲା ତାର ରୂପଟି ଚମ୍ପାଫୁଲ ପରି ତୋଫା ଥିଲା; ଆମ ଘରେ ରହି ତା’ ରୂପ ଆହୁରି ଚହଟି ଉଠିଲା । ସେ ଆମର ବାସନ ମାଜେ, ଘର ଓଳାଏ ଓ ବଗିଚା ମଧ୍ୟ ଜଗେ ।
କ୍ରମେ ବିମଳାକୁ ଯୈାବନ ଛୁଇଁଲା, ତାର ସୁଗୋଲ ମୁଖମଣ୍ଡଳରେ ସଲଜ୍ଜ ପ୍ରକୃତି ଦେଖାଦେଲା । ସ୍ୱାମୀଙ୍କଠାରୁ ସେ କ୍ରମେ ଦୂରରେ ରହି, ମୋ ସହିତ ବେଶି ମିଳାମିଶାକଲା ।
କେତେ ଦିନ ପରେ ତାର ଲେଖାଯୋଖାରେ ଏକ ସତୁରି ବର୍ଷର ବୁଢ଼ୀ ମା’ ଆସି ଆମ ଘରେ ହାଜର ହେଲା । ଆମଘରଠାରୁ ଖଣ୍ଡେ ଦୂରରେ ପୋଖରୀର ପୂର୍ବ ପଟରେ ଏକ ଘର ତୋଳାଇ ଦେଇ ସେ ଦୁହିଁଙ୍କୁ ସେଠି ରଖାଇଦେଲୁ; କିନ୍ତୁ ଏ ପ୍ରସ୍ତାବ ମୋ ସ୍ୱାମୀଙ୍କୁ ଆଦୈା ଭଲ ଲାଗୁ ନ ଥିଲା । ବିମଳା ଆମ ଘରେ ରହିଲେ ତାଙ୍କ ଆଗେ ନହରପଅର ହୋଇ ବୁଲିଲେ ତାଙ୍କୁ ଯେତେ ଆନନ୍ଦ ବୋଧ ହେଉଥିଲା, ଜୀବନରେ ସେ କେବେ ସେପରି ଆନନ୍ଦ ପାଇବାର ମୁଁ ଜାଣିନାହିଁ ।
ମୁଁ ଏହାକୁ ବଡ଼ ପ୍ରମାଦ ମନେକଲି । ପୂର୍ବ ବନ୍ଧୁଙ୍କ ଚିନ୍ତା କ୍ରମେ ମୋ ମନରୁ ଯାଇ ଏ କଥା ହୃଦୟର ସକଳ ଅଂଶ ଅଧିକାର କଲା ।
ଏହିପରି ଚାରିମାସ କଟିଗଲା । ବିମଳା ଯୈାବନଜଳରେ ଢଳଢଳ ହୋଇ ପୋଖରୀର ସକାଳବେଳାର ପଦ୍ମଫୁଲଟି ପରି ଥାଏ । ଆମ ଦୁହିଁଙ୍କ ମନର ଅବସ୍ଥା କିଏ କାହାକୁ କହି ନ ଥାଉଁ । ବନ୍ଧୁ ମଧ୍ୟ ଆମ ଘରକୁ ଆଦୈା ଯିବା ଆସିବା କରୁନଥାନ୍ତି ।
ଦିନେ ସନ୍ଧ୍ୟାବେଳେ ସ୍ୱାମୀ ମୋ ଶୋଇବା ଘରକୁ ଆସି ହସିହସି କହିଲେ, ‘‘ତୁମକୁ ଆଜି ଗୋଟିଏ କଥା ଦେଖାଇବାକୁ ନେବି ।’’
ତାଙ୍କ ମୁହଁରେ ମୁଁ ଗତ କେତେମାସ ହେଲା ହସ ଦେଖି ନ ଥିଲି । ଟିକିଏ ଆଶ୍ଚର୍ଯ୍ୟ ହଲାପରି କହିଲି,‘‘କ’ଣ ଦେଖାଇବାକୁ ନେବ ?’’
ସେ କହିଲେ, ‘‘କେତେ ଦିନ ହେଲା ଦେଖି ଆସୁଛି ଯେ, ଗୋଟେ କ’ଣ ଜନ୍ତୁ ଆସି ବଗିଚାର ସବୁ ଫଳଯାକ ଖାଇଦେଉଛି । ସେ ଠିକ୍ ବିମଳାର କୁଡ଼ିଆ ବାଟେ ଯାଉଛି । ଆଜି ସାଙ୍ଗ ହୋଇ ଯାଇ ଗଛମୂଳେ ଜଗି ବସିବା, ମୁଁ ବନ୍ଧୁକ ଠିକ୍କରି ରଖିଛି ।’’
ତାଙ୍କ ମୁହଁରୁ ବିମଳାର ନାଁ ଶୁଣି ମୁଁ ଟିକିଏ ଶଙ୍କିତ ହୋଇପଡ଼ିଲି । ପରମୁହୂର୍ତ୍ତରେ କହିଲି, ‘‘ହଉ, ଯିବି ।’’
ଉଜ୍ଜ୍ୱଳ ଚନ୍ଦ୍ରକିରଣରେ ପୃଥିବୀ ହସୁଥିଲା । ସ୍ୱାମୀ କହିଲେ, ‘‘ଅପେକ୍ଷା କରି, ଆଉ ଅଳ୍ପ ସମୟ ପରେ ଆସିବ ।’’
ବିମଳାର ଘର ସେ ସ୍ଥାନକୁ ଶହେହାତ ଦୂରରେ । ଭାବିଲି, ଯାଇ ସେଠି ବସି ରହିବି; ମାତ୍ର ଏତେଦିନ ପରେ ସ୍ୱାମୀ ମୋତେ ହସି କଥା କହିଛନ୍ତି, ତାଙ୍କ କଥା ଭାଙ୍ଗି ଯିବା ଉଚିତ ମନେକଲିନାହିଁ ।
ହଠାତ୍ ଦୂରରେ ଗଛ ଛାଇରେ ପତ୍ର ଖଡ଼୍ଖଡ଼୍ ଶୁଭିଲା । ମୁଁ ଚମକି ଉଠିଲି । ଜାଣିପାରିଲି, ସ୍ୱାମୀଙ୍କର ସମସ୍ତ ଶରୀର ଥରିଗଲା । କେଜାଣି କାହିଁକି ମୁଁ ତାଙ୍କ କୋଳକୁ ଆଉଜି ପଡ଼ିଲି । ସେ ବନ୍ଧୁକକୁ ଦୁଇ ହାତରେ ସଜ କରି ଧରିବା ପାଇଁ ମୋତେ ସିଧା ହୋଇ ଠିଆ ହେବାକୁ କହିଲେ । ତାଙ୍କ ହୃଦୟରୁ ଉର୍ଦ୍ଧ୍ୱଶ୍ୱାସ ଉଠିଲା ପରି ନାକ ବାଟେ ପବନ ବାହାରୁଥିଲା ।
ପୁଣି ଖଡ଼୍ଖଡ଼୍ ଶବ୍ଦ ହେଲା । ପୁଣି ସେ ଚମକି ଉଠିଲେ । ପୋଖରୀ କୂଳକୁ ଚାହିଁଲି, ଆମ ପାଖରୁ ତିରିଶି ଚାଳିଶି ହାତ ଦୂରରେ ଗଛ ଛାଇରେ ଏକ କ୍ଷୀଣ ଆକାର ଦେଖାଗଲା । ସେଟା ସ୍ୱାମୀ ବର୍ଣ୍ଣନା କରିବା ଜନ୍ତୁ ନୁହେ ଜାଣିପାରି ମୁଁ ଶଙ୍କିତ ହୋଇ ପଛକୁ ଟିକିଏ ଘୁଞ୍ଚିଗଲି; କିନ୍ତୁ ସେ ଆଉ ସେ ସୁଯୋଗ ଛାଡ଼ିଲେ ନାହିଁ । ସାଙ୍ଗେ ସାଙ୍ଗେ ଗୁଳି ଛାଡ଼ିଲେ । ବନ୍ଧୁକ ଶବ୍ଦ ପଛେପଛେ ପୋଖରୀକୂଳରେ ଆଉ ଏକ ଶବ୍ଦ ହେଲା ।
ମୋର ସମସ୍ତ ଶରୀରରୁ ଜୀବ ଛାଡ଼ିଲା ପରି ଲାଗିଲା । ମୁଁ ତାଙ୍କ ଦେହକୁ ଲେସି ହେଲା ପରି ଲାଗିଗଲି । ସେ ମୋର ଦୁଇହାତ ଜୋର୍ରେ ଧରି ଘୋଷାରି ଘୋଷାରି ନେଇ ସେହି ଅର୍ଦ୍ଧମୃତ ଜୀବ ଉପରେ ପକାଇଦେଇ କହିଲେ-‘‘ଯା’ ଦୋଚାରିଣୀ ! ଯା !’’
ସଙ୍ଗେ ସଙ୍ଗେ ସେହି ଅର୍ଦ୍ଧମୃତ କଣ୍ଠରୁ ଶବ୍ଦ ଉଠିଲା-‘‘ବିମଳା !’’
ମୋର ଜ୍ଞାନ ସମ୍ପୂର୍ଣ୍ଣ ଲୋପ ହୋଇ ନ ଥିଲା । ଦେଖିଲି, ଗୁଳି ବାଜି ବନ୍ଧୁ ମଦନଙ୍କର ଜୀବନ କଣ୍ଠାଗ୍ରତ, ଆଉ କଥା କହିବାର ଶକ୍ତି ନାହିଁ । ହଠାତ୍ ସେତେବେଳେ ବିମଳା କୁଆଡ଼ୁ ପବନ ବେଗରେ ଧାଇଁଆସି ମଦନଙ୍କ ଗଳା ଧରି ସେହିଠାରେ ପଡ଼ିଗଲା ଏବଂ ତାଙ୍କ ଗଣ୍ଡଦେଶରେ ଘନଘନ ଚୁମ୍ବନ ଦେଇ ଅଚେତା ହୋଇ ପଡ଼ିଗଲା ।
ମୋ ସ୍ୱାମୀଙ୍କୁ ଫାଶୀ ହୁକୁମ ହେବାର କେତେଦିନ ପୂର୍ବରୁ ଖଣ୍ଡିଏ ଚିଠି ତାଙ୍କଠାରୁ ପାଇଥିଲି । ସେଥିରେ ଏତିକି ମାତ୍ର ଲେଖାଥିଲା-
ଏତେବେଳେ ଆସି ବୁଝିଲି, ତମ ଉପରେ ସନ୍ଦେହ କରି ମଦନକୁ ମାରିଲି । ମଦନ ବିମଳାର ପ୍ରେମରେ ପଡ଼ିଥିବା ଜଣାଥିଲେ ଏଡ଼େ ବଡ଼ ଭୁଲ ହୋଇନଥାନ୍ତା । ରଘୁଆ ବିମଳାକୁ ବିଭା ହେବ ବୋଲି ଠିକ୍କରିଥିଲା । ମଦନଙ୍କ ଦ୍ୱାରା ସେଥିରେ ବିଘ୍ନ ଘଟିବାରୁ ସେ ମୋ ମନରେ ତୁମ ପ୍ରତି ସନ୍ଦେହ ଅଣାଇଲା । ଏବେ ସବୁ ଶେଷ । ଯଦି ପରଜନ୍ମ ଥାଏ, ତେବେ ଯାଇ ସେହିଠାରେ ଦେଖା-ସେହିଠାରେ ଭୁଲ ଠିକ୍ବିଚାର ।
ବିମଳା ଏବେ ପତିର ପ୍ରେମ ପାଇଁ ମରି ସ୍ୱର୍ଗରେ; ମୁଁ କିନ୍ତୁ ମରିପାରୁନାହିଁ । ମୁଁ ଏବେ ପଲ୍ଲୀବାସିନୀ ବିଧବା ।