ପଣସ ଚୋରି — ବଳରାମ ଦାସ · ସ୍ୱର୍ଣ୍ଣଲିପିକହଇ କଥାଏ ମୁହିଁ ଆହେ ନର ।ଭାବକଥା ଭକତି ଶୁଣିଣ ଜନେ ତର ॥
ଭକତର ବୃତ୍ତାନ୍ତ ଯେମନ୍ତ କଥାମାନ ।କହିବି କଥାଏ ମନେ ନ ଧରିବା ଆନ ॥
ବଳରାମ ଦାସ ସମନାଥର କୁମର ॥
ତାହାଙ୍କ ମହିମା ବଡ଼ ଅପାରୁଁ ଅପାର ॥
ସୁଦୟା କଲେକ ଯହୁଁ ନୀଳଗିରିଧର ।ବଳରାମ ଦାସ କଥା ଗଭୀରସାଗର ॥
ଥୋକାଏକ କହିପାରେ ବିବେକ ପଣ୍ଡିତ ।ଅବିବେକ ପଣ୍ଡିତର ଆଉ ନାହିଁ ଚିତ୍ତ ॥
ଶୁଣ ସାଧୁଜନମାନେ ଏକଚିତ୍ତ ହୋଇ ।ବଳରାମ ଦାସ କଥା କହିବଇଁ ମୁହିଁ ॥
ଏକଦିନେ ବଳରାମ ଦାସ ଆହେ ନରେ ।ଉଭା ହୋଇଥିଲେ ଜଗମୋହନ ଘରେ ॥
ସବୁଦିନେ ଅରଗଳି ପାଖେ ରହି ଦାସେ ।ବେଦନା ଜଣାଉଁଥାନ୍ତି ଶ୍ରୀହରିଙ୍କ ପାଶେ ॥
ଏକଦିନେ ମହାପ୍ରଭୁ ପାଶକୁ ଗଇଲେ ।ଗଭୀର ସୁସ୍ୱର ନାଦେ ବଚନ କହିଲେ ॥
ବୋଇଲେ ହେ ଦାସେ ଆମ୍ଭେ ଖଣ୍ଡେ ଦୂର ଯିବା ।ଅନ୍ଧାରି ଗମନ କରି ବହନ ଆସିବା ॥
ଶୁଣି ବଳରାମ ଦାସ ହୋଇଲେ ଉଷତ ।ଅନୁଗ୍ରହ କଲେ ମୋତେ ପ୍ରଭୁ ଜଗନ୍ନାଥ ॥
ବଡ଼ ଯେ ସିଂହାର ବେଶ ହୋଇଲେ ବହନ ।ସୁବାସ ଜଳରେ ଅଙ୍ଗ ହୋଇଲେ ପୋଛନ ॥
ନାନାବର୍ଣ୍ଣ ପୁଷ୍ପମାଳ ହୃଦରେ ଲମ୍ବାଇ ।ଛଇଳ ନାଗର ପ୍ରଭୁ କମଳାର ସାଇଁ ॥
ଗଣ୍ଡସ୍ଥଳେ କୁଣ୍ଡଳ ଦିଶଇ ଢଳହଳ ।ମୟୂରଚନ୍ଦ୍ରିକା ଦିଶେ ବଡ଼ଚୂଳ ॥
ଶଙ୍ଖ ଚକ୍ର ଗଦା ପଦ୍ମ ବେନିକରେ ଦୀର୍ଘ ।ନୀଳଗିରି ବିଜୟେ ଅପୂର୍ବ କଳାମେଘ ॥
ବୃନ୍ଦାବନେ ହୋଇଥିଲେ ଥୋକେ ଦିନ ବାଘ ।ଗେଟମୋଟ ଦେହ ଗୋଟି ଅଟେ ବଡ଼ ଦୀର୍ଘ ॥
କଟିରେ ପୀତବସନ ରତ୍ନ ଓଡ଼ିଆଣୀ ।ରୁଣଝୁଣ ହୋଇ ପାଦେ ନୂପୁର ବାଜେଣି ॥
ନାନାରୂପେ କାଛେଣି ପିନ୍ଧରେ ଚକ୍ରଧାରୀ ।ଗଭୀର ସୁସ୍ୱର ନାଦେ ଗରୁଡ଼ ହକାରି ॥
ଆଜ୍ଞାପାଇ ଗରୁଡ଼ ଅଇଲା ବେଗେ ଧାଇଁ ।ପକ୍ଷୀବର କହୁଅଛି ଶୁଣିମା ଗୋସାଇଁ ॥
କେଉଁ ଅର୍ଥେ ମହାପ୍ରଭୁ ହକାରିଲ ମେତେ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
ଶ୍ରୀହରି ବୋଇଲେ ଆମ୍ଭେ ବୁଲିବା ନିମନ୍ତେ ॥
ବହନ ଗରୁଡ଼ ଡେଣା ବିସ୍ତାରିଣ ଦେଲେ ।ଗରୁଡ଼ ପିଠିରେ ମହାପ୍ରଭୁ ବିଜେକଲେ ॥
ବଳରାମ ଦାସଙ୍କୁ ଘେନିଣ ସଙ୍ଗତର ।ଅନ୍ଧାରି ବିଜୟକଲେ ନୀଳଗିରିବର ॥
ନୀଳଗିରି ତେଜି କରି କମଳାର ସାଇଁ ।ଅଳସା ତୋଟାରେ ପ୍ରଭୁ ମିଳିଲେକ ଯାଇଁ ॥
ସେ ତୋଟାରେ ନାନା ବୃକ୍ଷ କରି ଦରଶନ ।ମନରେ ଆନନ୍ଦ ହେଲେ କମଳନୟନ ॥
ଜାଇ ଯୁଇ ଠୁଳ ହୋଇ ଅଏଁଲା ପ୍ରତ୍ୟକ୍ଷ ।ପେଣ୍ଡି ପେଣ୍ଡି ହୋଇ ଫୁଲ ଫୁଟିଛି ଅସଂଖ୍ୟ ॥
ସୁଗନ୍ଧ ପଣସ ମିଶି ଫୁଲ ଯେ ମରୁଆ ।ସୁବାସ ବାସଇ ତହିଁ ଧାଡ଼ି ଧାଡ଼ି କିଆ ॥
ନାନାବୃକ୍ଷ ଠୁଳ ତହିଁ କେ ପାରିବ କହି ।ଶ୍ରୀହସ୍ତରେ ରୋପିଛନ୍ତି ପ୍ରଭୁ ଭାବଗ୍ରାହୀ ॥
ସୁବାସ ପଣସ ଦେଖି ଅଳସା ତୋଟାରେ ।ମନେ ମନେ ହସ ହସ ରଙ୍ଗିମା ଅଧରେ ॥
ବଳରାମ ଦାସକୁ ବୋଲନ୍ତି ପୀତବାସ ।ପଣସ ଗଛରେ ଉଠ ଖାଇବା ପଣସ ॥
ବଡ଼ ତୃଷା ପାଇଅଛି ଲାଗୁଅଛି ଭୋକ ।ମିଛ ତୁ ବୋଲିବୁ ଯେବେ ପେଟ ମୋର ଦେଖ ॥
କାଲି ଯେ ମୁଁ ଖାଇଅଛି ଅତି-ଅଳ୍ପ ଭାତ ।ତେଣୁ କରି ଆଜ ମୋର ଦେହ ଅଶକତ ॥
ବଳରାମ ଦାସ ତହିଁ ବୋଲନ୍ତି ବଚନ ।କହିବି କଥାଏ ମୁହିଁ ଶୁଣ ଭଗବାନ ॥
ଖଣ୍ଟ ଚୋର ବୁଦ୍ଧି ପ୍ରଭୁ ଏଯେ ନ ଛାଡ଼ିଲ ।ଜଗିଆ ଦେଖିଲେ ପ୍ରଭୁ ଖାଇଚଟି ମାଡ଼ ॥
ପଣସ ଖାଇବା ପାଇଁ ମଣୁଅଛ ସୁଖ ।ତୋଟାଳିଆ ଦେଖିଲେ ପାଇବ ବଡ଼ ଦୁଃଖ ॥
ଶ୍ରୀହରି ବୋଇଲେ ଦାସେ ମୋର ତହୁଁ ଶୁଣ ।ମୋହର ଥାଆନ୍ତେ କିଛି ଭୟ ନାହିଁ ପୁଣ ॥
ଶୁଣି ବଳରାମ ଦାସ ସନ୍ତୋଷ ମନରେ ।ଉଠିଲେ ବହନ ଯାଇ ପଣସ ଗଛରେ ॥
ପାଚଲା ପଣସଯାକ ଚିହ୍ନିକରି ତୋଳି ।ହାତକୁ ହାତ ଘେନନ୍ତି ପ୍ରଭୁ ବନମାଳୀ ॥
ସହସ୍ରେ ପଞ୍ଚାଶଗୋଟା ପାଚଲା ପଣସ ।କ୍ଷଣକେ ତୋଳିଲେ ତାହା ବଳରାମ ଦାସ ॥
ପାଚଲା ପଣସ ପ୍ରଭୁ ହାତରେ ଧଇଲେ ।ନଖ ଘେନି ବକଳ ବିଦାରି ପକାଇଲେ ॥
ସହସ୍ରେ ପଞ୍ଚାଶ ଗୋଟା ପାଚଲା ପଣସ ।ଯଶୋଦାନନ୍ଦନ ତହୁଁ କାଢ଼ି ମଞ୍ଜି ରସ ॥
ମଞ୍ଜି ରସ ଏକକରି ହସ୍ତରେ ଘେନିଲେ ।ତେତେକ ପଣସ ଏକାକଳେ କରି ଦେଲେ ॥
ପୁଣିହିଁ ଡାକନ୍ତି ତହିଁ ନୀଳଗିରିବର ।ଆହେ ବଳରାମ ଦାସ ମୋର ବୋଲ କର ॥
ତୋହରି ପରାୟେ ଲୋକ ସୁଜ୍ଞାନୀ ପୁରୁଷ ।ଖଣ୍ଡକ ପେଟକୁ ମୋର ନ କଲୁ ତୁ ତୋଷ ॥
ଆଉ ଗୋଟାଚାରି ଦାସେ ତୋଳିକରି ଆଣ ।ବଡ଼ ମିଠା ଲାଗିଲା ପଣସ ହାତେ ପୁଣ ॥
ଶ୍ରୀମୁଖରୁ ଆଜ୍ଞା ପାଇ ମନରେ ଉଲ୍ଲାସ ।ଟାପରା କରି ବୋଇଲେ ବଳରାମ ଦାସ ॥
ବଡ଼ ଗିଳା ଅଟ ତୁମ୍ଭେ ଦୁଇଗୋଟି ଭାଇ ।ଯେତେହେଁ ଖାଇଲେ ପ୍ରଭୁ ପେଟ ନ ପୂରଇ ॥
ସରୁ ବଗଡ଼ା ହୋଇ ଯେ ଷାଠିଏ ପଉଟି ।ତେତେ ଅନ୍ନ ଖାଇଦିଅ ଭାଇ ଦୁଇଗୋଟି ॥
ପତ୍ରେ ଅନ୍ନ ନ ପଡ଼ୁଣୁ ତୁମ୍ଭେ ଦୁଇଜଣ ।ଦୁଇ ଗୁଣ୍ଡା କରି ଖାଇ ଦିଅ ଯେ ବହନ ॥
କାଳିକନା ହାଣ୍ଡିରେଣ ଯହୁଁ ଯେ ଖାଇଲା ।ତେଣୁକରି କଳାଯାକ ମୁଖରେ ଲାଗିଲା ॥
ବଳରାମ ଦାସ ଯହୁଁ ବୋଇଲେ ଏମନ୍ତ ।ଗଭୀର ସୁସ୍ୱର ନାଦେ ବୋଲନ୍ତି ଅଚ୍ୟୁତ ॥
କାହିଁପାଇଁ ବଳରାମ ଦାସେ କୋପ କର ।ଆମ୍ଭ ବୋଇଲା କଥାକୁ ମନେ କିପାଁ ଧର ॥
ମୋହର ବଚନ ଘେନି ବଳରାମ ଦାସ ।ଅଳସା ତୋଟାରୁ ବେଗେ ତୋଳହୋ ପଣସ ॥
ଶୁଣି ବଳରାମ ଦାସ ମନେ ନାହିଁ ଦକ ।ପାଚଲା ପଣସ ଦାସେ ତୋଳିଲେ ଅନେକ ॥
କ୍ଷଣକ ଭିତରେ ଦାସେ ତୋଳି ପକାଇଲେ ।ବହନ କରିଣ ଦାସେ ଠୁଳ କରି ଦେଲେ ॥
ବୃକ୍ଷର ମୂଳରେ ବସି ବଳରାମ ଦାସ ।ଭୋଜନ କୁ ବାଛିଦେଲେ ପାଚଲା ପଣସ ॥
ପଣସରୁ ବକଳ ବିଦାରି ନଖେ ହରି ।ଗର୍ଭକୁ କ୍ଷେପନ୍ତି ନେଇଁ ମଞ୍ଜି ରସ କରି ॥
ପାଚଲା ବକଳଯାକ ପକାନ୍ତି ତଳକୁ ।ମଞ୍ଜି ରସ ଏକକରି କ୍ଷେପନ୍ତି ଗର୍ଭକୁ ॥
ବଳରାମ ଦାସ ତହିଁ ପ୍ରସାଦ ପାଇଲେ ।ନିସ୍ତରିଲି ନିସ୍ତରିଲି ବୋଲିଣ ବୋଇଲେ ॥
ପଣସ ଭୋଜନ କରି ନୀଳଗିରିବର ।ପାରୁଶରେ ରହିଛନ୍ତି ପକ୍ଷିଙ୍କ ଈଶ୍ୱର ॥
ବଳରାମ ଦାସକୁ ବୋଲନ୍ତି ପୀତବାସ ।ନିଦ୍ରା ମାଡ଼ୁଅଛି ଦାସେ କରିବା ହେ କିସ ॥
ବଳରାମ ଦାସ ତହିଁ ବୋଲନ୍ତି ବଚନ ।ଶେଯ ପାତି ଦେବି ପ୍ରଭୁ ପହୁଡ଼ ବହନ ॥
ବଳରାମ ଦାସ ଶେଯ ବହନ ପାତିଲେ ॥
ସାତପୁର କରି ଶେଯ ତହିଁର ଉପରେ ।ମୁଚଳାମାନ ଥୋଇଲେ ଆଗ ଯେ ପଛରେ ॥
ସନ୍ତୋଷ ହୋଇଣ ହରି ପହୁତିଲେ ଯାଇ ।ପାଚଲା ପଣସ ଖାଇ କମଳାର ସାଇଁ ॥
ଅଳପ ହସିଣ ଯେ ବୋଇଲେ ନନ୍ଦଶିଷ୍ୟ ।ଆମ୍ଭ ଆସନରେ ଶୁଅ ବଳରାମ ଦାସ ॥
ବଳରାମ ଦାସ ଯେ ହୋଇଲେ ତହିଁ ପାଖ ।ହରେକୃଷ୍ଣ ମହାମନ୍ତ୍ର ଉଚ୍ଚାରିଲେ ମୁଖ ॥
ବଳରାମ ଦାସ ତହିଁ ବୋଲନ୍ତି ହୃଦରେ ।ମୋରଠାରୁ ବଡ଼ଭକ୍ତ ନାହିଁ ନା ସଂସାରେ ॥
ମାନବଯୋନିରେ ଜନ୍ମ ହୋଇକରି ମୁହିଁ ।ସାତସିନ୍ଧୁ ଡେଇଁ ଲଙ୍କା ଦେଖିଲଇଁ ଯାଇଁ ॥
ସାତକାଣ୍ଡ ରାମାୟଣ ବାନ୍ଧିଲଇଁ ହେଳେ ।ମୋତେ ସରିସମ ନାହିଁ ଏ ମହୀମଣ୍ଡଳେ ॥
ଅଭୟପଞ୍ଜରେ ପଶି ମୋତେ ନାହିଁ ଦକା ।ଏ ଭବସାଗରେ ପୁଣି ଶ୍ରୀହରି ନଉକା ॥
ବିବେକପଣକୁ ମୋତେ ନାହିଁ ନା ଜଗତେ ।ଏକ ଏକ କରିଣ ଯେ କହିବାକ କେତେ ॥
ଏବେ ଆସିକରି ଆମ୍ଭେ ଅଳସା ତୋଟାରେ ।ପାଚଲା ପଣସ କେତେ ଖାଇଲୁଁ ସୁଖରେ ॥
ବଳରାମ ଦାସ ଯହୁଁ ବୋଇଲେ ଏମନ୍ତ ।ଗର୍ବ ଗଞ୍ଜନିଆ ପ୍ରଭୁ ଜାଣିଲେ ଅନନ୍ତ ॥
ମନେ ମନେ ବିଚାର କରନ୍ତି ଦେବରାଜ ।ବଳରାମ ଦାସ କଥା ଜାଣିଲି ମୁଁ ଆଜ ॥
ମୋର ଆସନରେ ବସି ଦାସ ଗର୍ବ କଲା ।ମୋରଠାରୁ ବଡ଼ଭକ୍ତ ନାହିଁ ତ ବୋଇଲା ॥
ଜାଣିମା ଏହାର କେଡ଼େ ବଳ ଅଛି ଘାଡ଼େ ।ତୋଟାଳିଆ ହାତରେ ମୁଁ ମରାଇବି ମାଡ଼େ ॥
ଚୋର ବୋଲିକ ଏକା ଦାସକୁ ଧରିବେ ।ବଳରାମ ଦାସ ଗର୍ବ ଭାଙ୍ଗିବିନା ତେବେ ॥
ଏଥୁଅନ୍ତେ ଧୀରଭାବେ ଶୁଣ ଆହେ ନରେ ।ଭିଆଇଲେ ପ୍ରଭୁ ଯାହା ଅଳସା ତୋଟାରେ ॥
ବଳରାମ ଦାସ ତହିଁ ନିଦରେ ପଡ଼ିଲେ ।ତୋଟାରେ ଦାସଙ୍କୁ ପ୍ରଭୁ ଛାଡ଼ିଣ ଅଇଲେ ॥
ନୀଳଗିରିକନ୍ଦରେ ହୋଇଲେ ପରବେଶ ।ପାଦପଦ୍ମେ ଶରଣ ମୁଁ ବଳରାମ ଦାସ ॥
ଏଥୁ ଅନନ୍ତରେ ତୁମ୍ଭେ ଶୁଣ ସାଧୁ ଜନ ।ଅଳସା ତୋଟାରେ ହେଲା ଯେଉଁ କାର୍ଯ୍ୟମାନ ॥
ତୋଟାଳିଆମାନେ ଯାଇ ତୋଟାରେ ହୋଇଲେ ।ପଣସ ଗଛକୁ ଯାଇ ଅନାଇଣ ଦେଲେ ॥
ଦେଖିଲେ ପଣସମାନ ନାହିଁକ ବୃକ୍ଷରେ ।ସାତ ପାଞ୍ଚ ଦଶ ହୋଇ ଭାବନ୍ତି ସେଠାରେ ॥
ପାଚଲା ପଣସ ଚୋପା କୁଢ଼ କୁଢ଼ ହୋଇ ।ପଡ଼ିଅଛି ବୃକ୍ଷମାନଙ୍କର ମୂଳଠାଇଁ ॥
ଦେଖି ତୋଟାଳିଆମାନେ ହୋଇଲେ ତାଟକା ।ନୃପତି ଦଣ୍ଡିବ ବୋଲି ସବୁ କଲେ ଶଙ୍କା ॥
ତୋଟାଳିଆମାନେ ଯେ ତୋଟାରେ ଗୋଳ କଲେ ।ବଳରାମ ଦାସ ଶୁଣି ବହନ ଉଠିଲେ ॥
ଦେଖିଲେ ଯେ ଜଗନ୍ନାଥ ନାହାନ୍ତି ତା ପାଶ ।ତାଟକା ହୋଇଲେ ମନେ ବଳରାମ ଦାସ ॥
ଓଷ୍ଠ କଣ୍ଠ ଶୁଖି ଗଲା ମନରେ ବିକଳ ।ପ୍ରଭୁଙ୍କୁ ନ ଦେଖି ଦାସେ ହୋଇଲେ ଆକୁଳ ॥
ତୋଟାଳିଆମାନେ ଦୂରୁ ଦେଖିଲେ ଦାସଙ୍କୁ ।ଚୋର ବୋଲି କରି ଯାଇ ଧଇଲେ ତାହାଙ୍କୁ ॥
କେ ବୋଲଇ ମୋରତହୁଁ ଶୁଣ ଆହେ ଭାଇ ।ପାଚଲା ପଣସଯାକ ଖାଇଅଛି ଏହି ॥
ବହନ ଏହାକୁ ବାନ୍ଧ ମୋର ବୋଲ ଶୁଣ ।ବାନ୍ଧିକରି ନୃପତି-ଛାମୁରେ ଦେବା ପୁଣ ॥
ଆମ୍ଭର ଭଗାରି ସିନା ଅଟଇରେ ଏହି ।ମାଉଁସ କାଟିଣ ରାଇ ଗୋଳାଇବା ଦେହୀ ॥
ତୋଟାଳିଆମାନଙ୍କର କମ୍ପଅଛି ହାଡ଼ ।ବହନ ବାନ୍ଧିଲେ ବଳରାମ ଦାସ ଗୋଡ଼ ॥
ବେନିହସ୍ତ ପଛକୁ ବାନ୍ଧିଲେ ଭିଡ଼ିକରି ।ଚୋର ଚୋର ବୋଲି ଡାକ ପଡ଼ୁଅଛି ହୁରି ॥
କେ ବୋଲଇ ଦୁର୍ଗାର ଏ ମେରିଆକୁ ଲାଗି ।ପୂରିଅଛି ଦେହଗୋଟି କିଛି ନାହିଁ ଭାଗି ॥
ଅଳସାତୋଟାରେ ଯହୁଁ ଖାଇଲା ପଣସ ।ତେଣୁକରି ଦେହ ତାର ବାସଇ ସୁବାସ ॥
କେ ବୋଲଇ ଅଳସାତୋଟାରେ ପଶିଥିଲା ।ପାଚଲା ପଣସଯାକ ସବୁହିଁ ଖାଇଲା ॥
କୁଢ଼ କୁଢ଼ ହୋଇ ଚୋପା ପଡ଼ିଛି ତୋଟାରେ ।ଏଡ଼େକ ଭରସା ଦେଖ ଖାଇଲା ନିର୍ଭରେ ॥
କେ ବୋଲଇ ତେତେକ ପଣସଯାକ ଏକା ।କେମନ୍ତେ ଖାଇଲାବୋଲି ଲାଗୁଛି ତାଟକା ॥
କେ ବୋଲଇ ଚାଣ୍ଡେ ଭାଇ ଶିଖୁଅଛି ଚୋର ।ଖାଇଲା ତେତେ ପଣସ କିଛି ନାହିଁ ଆର ॥
କେ ବୋଲଇ କୁହୁକ-ଶାସ୍ତ୍ର କି ଶିଖିଅଛି ।ଭୟଙ୍କର ଲାଗୁଅଛି ଦେଖି ବେନି ଆଖି ॥
କେ ବୋଲଇ ଚୋରରତ ଭୟ ଭ୍ରାନ୍ତି ନାହିଁ ।ଉଭା ହୋଇଅଛି ଚୋର ସିଂହପ୍ରାୟ ହୋଇ ॥
କେହୁ ଚୂନ କଳା ଘେନି ବୁଲି ଚାରିପାଖେ ।ଲେପନ କରଇ ବଳରାମ ଦାସ ମୁଖେ ॥
କେହୁ ବିଧା ଗୋଇଠା ଯେ ମାରନ୍ତି ନିର୍ଭରେ ।ବାନ୍ଧିନେଇ କରି ଦେଲେ ନୃପତି ଛାମୁରେ ॥
ଚୋର ପଛେ ଗୋଡ଼ାଇ ଅଛନ୍ତି ସର୍ବଲୋକେ ।କୁହାଟ ମାରନ୍ତି ଯେ ମଳିଆ ଜନେ ଥୋକେ ॥
ଚୋରୀ କରି ପଣସ ଖାଇଲେ ଲକ୍ଷ୍ମୀସାଇଁ ।ବଳରାମ ଦାସ ବନ୍ଧା ପଡ଼ିଲେକ ତହିଁ ॥
ଅଳସାତୋଟାରେ ଥାଇ ଖାଇଲେ ପଣସ ।ବନ୍ଧାଇ ଅଇଲେ ତହିଁ ବଳରାମ ଦାସ ॥
ରାଜାଙ୍କର ସିଂହଦ୍ୱାରେ ଚୋର ନେଇ କଲେ ।ନୃପତିଙ୍କ ଛାମୁରେ ଯେ ଜଣାଇ କହିଲେ ॥
ସାବଧାନ ହୋଇ ଶୁଣ ନୃପତିଙ୍କ ବର ।କାହୁଁ ଦେବ ଧରି ଆଣିଛନ୍ତି ଏକ ଚୋର ॥
ଏ କଥା ଶୁଣିଣ ଯେ ପ୍ରତାପଇନ୍ଦ୍ରଦେବ ।ବହନ ମିଳିଲେ ଯାଇଁ ସିଂହଦ୍ୱାର ଠାବ ॥
ହସ୍ତରେ ଯେ ଖଣ୍ଡା ଧରି କୋପେ ନୃପବର ।ଲୋକଙ୍କୁ ପୁଚ୍ଛା କରନ୍ତି କାହିଁର ଏ ଚୋର ॥
କହୁଁଛନ୍ତି ତୋଟାଳିଆ ଶୁଣ ହେ ଗୋସାଇଁ ।ଅଳସାତୋଟାରେ ଯାଇ ପଶିଥିଲା ଏହି ॥
ପାଚଲା ପଣସଯାକ ଚିହ୍ନି ବାଛିକଚି ।ଖାଇଲା ଚୋରାଇ ଦେବ ପେଟ ଅଛି ପୂରି ॥
ଅମୁଣିହାଁ ତୋଟାରେ ପଶିଲା ଦେବ ଚୋର ।ନାରଖାର କରି ଦ୍ରବ୍ୟ ଖାଇଲା ଅପାର ॥
କୁଢ଼ କୁଢ଼ ହୋଇ ଚୋପା ପଡ଼ିଛି ତୋଟାରେ ।ଏଡ଼େକ ଭରସା ଦେବ ଖାଇଲା ନିର୍ଭରେ ॥
କେତେ ପ୍ରଭୁ ଶାସ୍ତି ଦେବ ଆଣିଛୁ ଛାମୁକୁ ।ନାନାବିଧ ଶାସ୍ତି ଆମ୍ଭେ ଦେଲୁଁଟି ଏହାକୁ ॥
ଶୁଣି ନୃପବର କୋପେ ହୋଇ ଥରହର ।ସିଂହଦ୍ୱାର ଆଡ଼କରି ଘେନ ଯାଇ ଚୋର ॥
ବେନିଗୋଡ଼େ ଶାଙ୍କୋଳି ଏହାକୁ ବେଗେ ଦିଅ ।କଣା କରି ତୋଟିରୁ ରକତ ବେଗେ ପିଅ ॥
ଶୁଣିଣ ଜଗିଆମାନେ ଉଷତ ହୋଇଲେ ।ବଳରାମ ଦାସକୁ ବହନ ଘେନିଗଲେ ॥
ହସ୍ତରେ ଝିଞ୍ଜିରି ଲୁହାଶାଙ୍କୋଳି ଗୋଡ଼ରେ ।ରଖିଲେ ଯତନ କରି ଗୁମୁଟି-ଭିତରେ ॥
ଅନ୍ନ ପାଣି ନ ଦିଅନ୍ତି ମାନଭର ହୋଇ ।ସୁମରନ୍ତି ଏକା ଦାସେ କମଳାରସାଇଁ ॥
ଜୟ ଜୟ ଜଗନ୍ନାଥ ଜଗତର ବ୍ରହ୍ମ ।ଜଗତ ଭିତରେ ଯେ ଅଛିଟି ତୁମ୍ଭ ନାମ ॥
ତୁମ୍ଭ ବ୍ୟତିରେକେ ମୋର ନାହିଁ ପ୍ରତିକାର ।ଏ ଘୋର ସଙ୍କଟୁ ବାରେ ଉଦ୍ଧରିଣ ଧର ॥
ସପତସମୁଦ୍ରମଧ୍ୟେ ପକାଇଛି ନାବ ।ପାରି କର ମହାପ୍ରଭୁ ଅନାଥ ଏ ଜୀବ ॥
ନାବରେ ଅଝାଲ ବାନ୍ଧି ଦେଇଅଛ ଟାଣି ।ପାରି କର ମହାପ୍ରଭୁ ଭବତରଙ୍ଗିଣୀ ॥
ବଳରାମ ଦାସ ପ୍ରଭୁ ମଲାଟି ନିଶ୍ଚୟେ ।ବିଷମ ଫାଶରୁ ପାରି କର ଦେବରାୟେ ॥
ବଳରାମ ଦାସ ଯହୁଁ ସୁମରିଲେ ହରି ।କର୍ଣ୍ଣରେ ଶୁଣିଲେ ତାହା ଦେବ ଚକ୍ରଧାରୀ ॥
ପ୍ରତାପରୁଦ୍ର ଦେବଙ୍କୁ ଆସି ପୀତବାସ ॥
ଆଜ୍ଞଦେଲେ ମହାପ୍ରଭୁ ବଚନ ସୁରସ ॥
କାହିଁପାଇଁ ରାଜନ ହୋ ମୋର ଭୃତ୍ୟ ଧରି ।କେଉଁ ଅର୍ଥେ ଗୁମୁଟିରେ ଅଛୁ ବନ୍ଦି କରି ॥
ହୋଇଲାଣି ସାତଦିନ ଉପବାସ ମୋର ।ଦେହଯାକ ବ୍ୟଥା କରେ ବାହାର ଭିତର ॥
ମାଡ଼ ଖାଇ ପୀଡ଼ା ମୋର ହୋଇଅଛି ଅଙ୍ଗେ ।ଅନେକ ମାଇଲୁ ରାଜା ଘେନି ଲୁହାଠେଙ୍ଗେ ॥
ମାଡ଼ ଖାଇ ବଥାଉଚି ମୋହର ଶରୀର ।ଶାଙ୍କୋଳି ଯୋଡ଼ାଏ ପୁଣ ଦେଇଛୁ ଗୋଡ଼ର ॥
ଯେତେ ମାଡ଼ ମାଇଲୁ ଦାସଙ୍କୁ ଲୁହାଠେଙ୍ଗେ ।ଦାସଙ୍କୁ ନ ବାଜି ମାଡ଼ ବାଜିଲା ମୋ ଅଙ୍ଗେ ॥
ଦେହରେ ମୋ ଶବ୍ଦ ନାହିଁ ମାଡ଼ ଖାଇକରି ।ଦୟା ଧର୍ମମାନ ରାଜା ନାହିଁ କି ତୋହରି ॥
ଆମ୍ଭ ଦ୍ରବ୍ୟ ଆମ୍ଭେ ସିନା ଖାଇଲୁ ଚୋରାଇ ।ବିଚାର ନ କରି ମାଡ଼ ମାଇଲୁ କିପାଁଇ ॥
ଆମ୍ଭେ ହୋ ରାଜନ ଖାଇଆସିଛୁ ପଣସ ।ଯେଉଁ ଚୋର ଧରିଅଛୁ ତାର ନାହିଁ ଦୋଷ ॥
ଆମ୍ଭର ଛାମୁରେ ଯହୁଁ ଗରବ ବହିଲା ।ତେଣୁ କରି ଭକ୍ତ ମୋର ବାନ୍ଧଣା ହୋଇଲା ॥
ଯେତେବେଳେ ସେ ଚୋରକୁ ଛାଡ଼ିବୁ ରାଜନ ।ତେତେବେଳେ ଆମ୍ଭେ ସିନା କରିବୁ ଭୋଜନ ॥
ନୋହିଲେ ରାଜନ ମୁଁ ଯେ ଉପବାସେ ମଲି ।ତୋହ ଯୋଗୁଁ ଅବଶ୍ୟତ ମୁହିଁ ନାଶ ଗଲି ॥
ରାଜାଙ୍କୁ ଏମନ୍ତ କହି କମଳାର ସାଇଁ ।ନୀଳଗିରିକନ୍ଦରେ ଯେ ବିଜେ କଲେ ଯାଇ ॥
ଶୁଣିକରି ବେଗେଁ ତେଜି ଉଠିଲା ରାଜନ ।ସିଂହଦ୍ୱାରେ ତତକ୍ଷଣ ହୋଇଲା ବହନ ॥
ବଚନ ଭାଷିଲେ ବେଗେ ଜଗିଆ ଲୋକଙ୍କୁ ।ବେଗ କରି ଘେନିଆସ ଯାଇ ସେ ଚୋରକୁ ॥
ଶୁଣିକରି ରାଉତେ ମାହୁନ୍ତେ ଚଳିଗଲେ ।ବଳରାମ ଦାସଙ୍କୁ ଛାମୁରେ ବେଗେ ଦେଲେ ॥
ଜଗିଆଲୋକଙ୍କୁ ରାୟେ ବୋଇଲେ ବଚନ ।ଶାଙ୍କୋଳି ଏହାର ଗୋଡ଼ୁ ଫେଡ଼ ହୋ ବହନ ॥
ରାଜନମୁଖରୁ ଯହୁଁ ଏସନ ଶୁଣିଲେ ।ବଳରାମ ଦାସ ଗୋଡ଼ ଶାଙ୍କୋଳି ଫେଡ଼ିଲେ ॥
କିଙ୍କର ପ୍ରାୟେକ ହୋଇ ରହେ ନୃପବର ।ବଳରାମ ଦାସ ପାଦେ କଲେ ନମସ୍କାର ॥
ଆମ୍ଭ ଅପରାଧ କ୍ଷମା କର ଆହେ ଦାସେ ।ବହନ ଖଟିବ ଯାଇ ନୀଳଗିରିପାଶେ ॥
ଶୁଣି ବଳରାମ ଦାସ ସନ୍ତୋଷ ମନରେ ।ଆନନ୍ଦ ଉତ୍ସବ ହୋଇ ଚଳିଲେ ପଥରେ ॥
ହରେକୃଷ୍ଣ ମହାମନ୍ତ୍ର ମୁଖରେ ଉଚ୍ଚାରି ।ଆଗେ ବଳରାମ ଦାସ ପଛେ ଦଇତାରି ॥
ଶ୍ରୀ ପୁରୁଷୋତ୍ତମେ ଯାଇ ହୋଇଲେ ପ୍ରବେଶ ।ଛାମୁରେ ଖଟିଲେ ଯାଇ ବଳରାମ ଦାସ ॥
କମଳମୁଖକୁ ଚାହିଁ ଅଳପ ହସିଲେ ।ବଳରାମ ଦାସ ତହିଁ ବଚନ ଭାଷିଲେ ॥
ତୁମ୍ଭସଙ୍ଗେ ଫଳ ପ୍ରଭୁ ଏମନ୍ତ ପାଇବୁଁ ।ଆଉ ଦିନେ ତୁମ୍ଭସଙ୍ଗେ ସଙ୍ଗ ଯେ ନୋହିବୁଁ ॥
ପାଚଲା ପଣଶଯାକ ଖାଇଲୁଁ ଚୋରାଇ ।ଆଇଲୁ ତୋଟାରେ ପ୍ରଭୁ ଆମ୍ଭଙ୍କୁ ବନ୍ଧାଇ ॥
ଖାଇଲାବେଳକୁ ସବୁ ଖାଇଲୁ ପଣସ ।ତୋଳିଦେଲା ଲୋକର ହୋଇଲା ପ୍ରଭୁ ଦୋଷ ॥
ସହଜେ ପୂର୍ବରେ ମୁହିଁ ଶୁଣିଥିଲି ବସି ।ଦେଶଲୋକେ ପଣସ ଖାଇଲେ ଚୋରୀ କରି ॥
ଆପଣା ସୁଖରେ ଲୋକେ ରହିଲେ ଗୋସାଇଁ ।ଭଣ୍ଡାରି ମୁଣ୍ଡରେ ଅଠା ଲଗାଇଲେ ନେଇ ॥
ସହଜେ ପଣସ ତୁମ୍ଭେ ଚୋରାଇ ଖାଇଲ ।ଭଣ୍ଡାରି ମୁଣ୍ଡରେ ଅଠା ଲଗାଇ ଅଇଲ ॥
ସହଜରେ ପ୍ରଭୁ ତୁମ୍ଭେ ଦେଶରେ ମେଳିଆ ।ପଣସ ଖାଇଲ ତୁମ୍ଭେ ଲଗାଇ କଜିଆ ॥
ଯଦ୍ୟପି ତୋଟାରେ ପ୍ରଭୁ ପଡ଼ିଥାନ୍ତ ତୁମ୍ଭେ ।ଦୁଇନୟନରେ ସିନା ଦେଖୁଥାନ୍ତୁ ଆମ୍ଭେ ॥
ଭରା ତରକରେ ସିନା ଅଇଲ ପଳାଇ ।ତୋଟାଳିଆମାନେ ପିଟିପକାନ୍ତେ ଗୋସାଇଁ ॥
ମୁଣ୍ଡରେ ତୁମ୍ଭର ହାବେ ଭାଙ୍ଗନ୍ତେ କୋଦକା ।ମଲି ମଲି ଦେଲି ତୁମ୍ଭେ ପାଉଥାନ୍ତ ଡକା ॥
ତୁମ୍ଭେ ଅବା ବୋଲୁଅଛ ମୁହିଁ ବଡ଼ ଖଣ୍ଟି ।ଖଣ୍ଟମାନେ ତୁମ୍ଭର ଯେ ବିଦାରନ୍ତେ ତୋଠି ॥
ଅଇଲ ପଳାଇ ତୁମ୍ଭେ ଭଲ ତରକରେ ।ଅଇଲ ଲଗାଇ ବାଦ ମୋହରି ଉପରେ ॥
ତୁମ୍ଭ ଲାଗି ମାଡ଼ ମୁଁ ଯେ ଖାଇଲି ଗୋସାଇଁ ।ନିଶ୍ଚିନ୍ତ ହୋଇଣ ତୁମ୍ଭେ ଅଇଲ ପଳାଇ ॥
ଶ୍ରୀହରି ବୋଇଲେ ଦାସେ ତୁମ୍ଭପାଇଁ ମୁହିଁ ।ଖାଇଲି ମାଡ଼ ଲୋଚାଏ ବଥାଉଛି ଦେହୀ ॥
ଯେତେବେଳେ ତୁମ୍ଭଙ୍କୁ ମାଇଲେ ଲୁହାଠେଙ୍ଗେ ।ତୁମ୍ଭଙ୍କୁ ନ ବାଜି ମାଡ଼ ବାଜିଲା ମୋ ଅଙ୍ଗେ ॥
କେବଳ ମନରେ ତୁମ୍ଭେ ଗରବ ବହିଲ ।ତେଣୁ କରି ମାଡ଼ ତୁମ୍ଭେ ଲୋଚାଏ ଖାଇଲ ॥
ଦେଖତ ଆଗରେ ମୋର ବାଜିଅଛି କିଳା ।ଅନ୍ଧାର ହୋଇଛି ଘେନିଆସ କି ନା ହୁଳା ॥
ଯେତେଦିନ ଉପବାସ ଥିଲ ଦାସେ ତୁମ୍ଭେ ।ଦିନେହେଁ ତ ଗ୍ରାସ ଅନ୍ନ ଭୁଞ୍ଜି ନାହୁଁ ଆମ୍ଭେ ॥
ମୁହଁ କାନ ଶୁଖିଗଲା ମୋର ତୁମ୍ଭେ ଦେଖ ।ସାତଦିନ ଯାଏ ମୁଁ ସହିଲି ବଡ଼ ଭୋଖ ॥
ଆଉ ଦିନେ ଦାସେ ତୁମ୍ଭେ ଗର୍ବ ନ କରିବ ।ଆମ୍ଭ ସଙ୍ଗତରେ ତୁମ୍ଭେ ଦିନ ବଞ୍ଚୁଥିବ ॥
ଗର୍ବଗଞ୍ଜନିଆ ମୋର ନାମ ନରହରି ।କରତଭିତରେ ଦେଖ ମୁହିଁ ଅଛି ପୂରି ॥
ଗର୍ବ ଯେ କରଇ ମୁହିଁ ସହି ନ ପାରଇ ।ଗଛରେ ବସାଇ ମୂଳ କତୁରି କାଟଇ ॥
ଜାଣୁଟି କି ଗର୍ବ କଲା ଦଶଗ୍ରୀବ ଖଣ୍ଟି ।ବୁକୁ ପୋଡ଼ି ତାହାର ମୁଁ ବିଦାରିଲି ତଣ୍ଟି ॥
ଜାଣୁଟିକି ଗର୍ବ କଲା ଅସୁରୀ ନାୟକା ।ବେନିଫାଳ ଚିରି କରି ପକାଇଲି ଏକା ॥
ବକଅର୍ଘାସୁରକୁ ମୁଁ ଟେକିଲି ହସ୍ତରେ ।ନେଇ କଚାଡ଼ିଲି ତାକୁ କଇଥ ଗଛରେ ॥
ଜାଣୁଟିକି ଗର୍ବ କଲା ଅସୁରୀ ପୂତନା ।ମାରିବ ବୋଲିଣ ହୋଇଥିଲା ବିଷସ୍ତନା ॥
ସ୍ତନ ଭିତରେଣ ହାଦେ ଦେଇଥିଲା ବିଷ ।ପ୍ରାଣେ ବଦ୍ଧ କଲି ମୁଁ ଆପଣେ ଗଲା ନାଶ ॥
ଜାଣୁଟିକି ରାବଣ ଭଉଣୀ ସୂର୍ପନଖା ।ଗର୍ବ କଲା କାଟିଲି ମୁଁ ନାକ କାନ ଯୋଖି ॥
ଭାବକୁ ନିକଟ ମୁଁ ଯେ ଅଭାବେ ଅଭେଟ ।କିଙ୍କର ହୋଇ ଭାବିଲେ ଫେଡ଼ଇ ସଙ୍କଟ ॥
ଅନ୍ତର୍ଯ୍ୟାମୀ ନାଥ ମୁଁ ଯେ ଜଗତେ ବୋଲାଇ ।ଲକ୍ଷଯୋଜନରେ ମୋତେ ଡାକିଲେ ଶୁଣଇ ॥
କର୍ଣ୍ଣ ଡେରିଥାଇ ମୁହିଁ ଭକତର ପାଇଁ ।ବିପତ୍ତି ପଡ଼ିଲେ ମୁଁ ଯେ ବହନ ରଖଇ ॥
ବଳରାମ ଦାସ ତହିଁ ବୋଲନ୍ତି ବଚନ ।କହିବି କଥାଏ ମୁହିଁ ଶୁଣ ଭଗବାନ ॥
ଜଗତର ସବୁକଥା କଲ ପ୍ରଭୁ ଭଲ ।ଖଣ୍ଟ ଚୋର ବୁଦ୍ଧି ପ୍ରଭୁ କେଭେ ନ ଛାଡ଼ିଲ ॥
ଅଳସାତୋଟାରେ ପ୍ରଭୁ ପଣସ ଖାଇଲ ।ଅକାରଣେ ମୋତେ ସିନା ବନ୍ଧାଇ ଅଇଲ ॥
ଅରଖିତ ହାତରେ ଖାଇଲି ମୁହିଁ ମାଡ଼ ।ଦେହରୁ ମୋହର ଛାଡ଼ିଗଲା ଖଞ୍ଜାହାଡ଼ ॥
ପ୍ରେମଲକ୍ଷ୍ମୀ ଶୁଣିଣ ବୋଇଲେ ହସହସ ।କହିବା କଥାଏ ଶୁଣ ବଳରାମ ଦାସ ॥
ଆମ୍ଭ ସଙ୍ଗତରେ ଦାସେ ଲାଗିଥାଅ ଯହୁଁ ।ଖାଇଲ ମାଡ଼ ଲୋଚାଏ ଅକାରଣେ ତହୁଁ ॥
ବଳରାମ ଦାସ କହେ ଏସନକ ଶୁଣି ।ଅଇଲ କଥାଏ କହି ଖଣ୍ଡିଆଘରଣୀ ॥
ଗୃହସ୍ଥ ତୋହର ଆଗେ ଚୋରାଇ ଖାଇଲା ।ଅକାରଣେ ସିନା ମୋତେ ବନ୍ଧାଇ ଅଇଲା ॥
ଖାଇଲା ବେଳକୁ ସବୁ ଖାଇଦେଲା ଏକା ।ଦେଖି କରି ମନେ ମୋତେ ଲାଗୁଥିଲା ଦକା ॥
ମଞ୍ଜିରସ ଏକ କରି ତୋହରି ଗୃହସ୍ଥ ।ଗର୍ଭରେ ଭରିଣ ସବୁ କଲା ଭସ୍ମୀଭୂତ ॥
ପ୍ରେମଲକ୍ଷ୍ମୀ ଶୁଣିଣ କୋପରେ ଥରହର ।ବଚନ କହନ୍ତି ଆଣ୍ଟେ କମ୍ପାଇ ଅଧର ॥
ମୋହରି ଆଗରେ ଦାସ କହୁଅଛୁ ଟାଣ ।ଏକା ଠଣା କରେ ମୁହିଁ ଘେନିବି ପରାଣ ॥
କେଉଁ ବାବୁ ଚଖିବାକୁ ଅଛି ଆରେ ତୋତେ ।ନାନା ପରକାରେ ଗାଳି ଦେଉଅଛୁ ମୋତେ ॥
ଖଣ୍ଡିଆଘରଣୀ ବୋଲି ବୋଇଲୁ କିପାଁଇ ।ତୋହରି ପରାୟେ ରଙ୍କୁ ନୁହଇରେ ମୁହିଁ ॥
ଖଣ୍ଡିଆ ଘରଣୀ ବୋଲି ପକାଇଲୁ ବାଛି ।କେଉଁଠାରେ ମୋହରି ଖଣ୍ଡିଆ ହୋଇଅଛି ॥
ଏ କଥା ମୋହରି ଆଗେ କହିଦେବୁ ଆଜ ।ନୋହିଲେ ବହନ କରି ନୀଳଗିରି ତେଜ ॥
ନାତି ଆଇଙ୍କର ଲାଗିଅଛି କଳି ଦ୍ୱନ୍ଦ୍ୱ ।କରତାଳି ମାରି କରି ନାଚନ୍ତି ଗୋବିନ୍ଦ ॥
ପ୍ରେମଲକ୍ଷ୍ମୀ ବୋଇଲେକ ବଳିଆରେ ଶୁଣ ।ମୋହର ପତିକି ଆଶ୍ରେ କରିଅଛୁ ପୁଣ ॥
ମୋହ ଭାତ ଖାଇ ମୋତେ କହୁ ଟାଣବାଣୀ ।ଆହୁରି ବୋଇଲୁ ମୋତେ ଖଣ୍ଡିଆଘରଣୀ ॥
ଖଣ୍ଡିଆ ହୋଇଛି କେଉଁ ଠାବରେ ମୋହର ।ଏ କଥା ମୋହର ଆଗେ କହରେ ପାମର ॥
ବଳରାମ ଦାସ ତହିଁ କହନ୍ତି ପାଲଟି ।ମହାଲକ୍ଷ୍ମୀ ମୁଖଚାହିଁ ନୟନ ତରାଟି ॥
ତୋହର ପତିର ଗୋଡ଼ ହାତ ଯହୁଁ ନାହିଁ ।ଖଣ୍ଡିଆ ବୋଲିଣ ତହୁଁ ବୋଇଲି ଗୋ ମୁହିଁ ॥
ଖଣ୍ଡିଆ ଗୋଟିଏ ତୁମ୍ଭେ ପାଇଅଛ ବର ।କହୁଁ ନ ସରଇ କଥା ତୁମ୍ଭରି ଛାମୁର ॥
ଏକଦିନେ ଗୃହସ୍ଥ ତୋହର ବଳିଦ୍ୱାରେ ।ଭିକ୍ଷା ମାଗୁଥିଲା ଯାଇଁ ବ୍ରାହ୍ମଣରୂପରେ ॥
କାଳିସିନୀ ତୁମ୍ଭେ ଜନ୍ମ ସିନ୍ଧୁମନ୍ଥନରୁ ।କି କି ମନ୍ତ୍ର କରି ବୋଧ କଲେ ମହାମେରୁ ॥
ତେଣୁ କରି ପାଇଲୁ ଦେବାଧି ବ୍ରହ୍ମରାଶି ।ଜଗନ୍ନାଥପାଦପଦ୍ମେ ଲୀନ ହେଲୁ ଆସି ॥
ଯେତେବେଳେ ସିନ୍ଧୁମନ୍ଥନକୁ ସର୍ବେ ଗଲେ ।ପ୍ରଥମ ମନ୍ଥନେ ସର୍ବେ ତୁମ୍ଭଙ୍କୁ ପାଇଲେ ॥
ତୁମ୍ଭଙ୍କୁତ ତାତ ଦେଖି ହୋଇଲେ ଉଷତ ।ବିଭା କରାଇଲେ ଆଣି ପ୍ରଭୁ ଜଗନ୍ନାଥ ॥
ବାପଘରୁ ଯେତେବେଳେ ଅଇଲ ଗୋ ତୁମ୍ଭେ ।ବେନି ନୟନରେ ସିନା ଦେଖିଅଛୁ ଆମ୍ଭେ ॥
ଆସିଲା ବେଳକୁ ତୁମ୍ଭେ ପିନ୍ଧିଥିଲ କନା ।ଏବେ ଆସି ନାନାବର୍ଣ୍ଣେ ପିନ୍ଧୁଅଛ ସିନା ॥
ଆମ୍ଭଙ୍କୁ କେମନ୍ତେ ତୁମ୍ଭେ ଦେଖିବ ନୟନେ ।ନିରନ୍ତରେ ଭୋଳ ତୁମ୍ଭେ ହଉଥାଅ ଧନେ ॥
କହିବଇଁ କିସ ମୁଁ ଯେ ତୁମ୍ଭ ମୁଖ ଟେରି ।ଚକ୍ଷୁଏ ବୁଜି ଚକ୍ଷୁଏ ଦେଉଥାଅ ଡେରି ॥
ଦେଖିଥିଲେ ହାଦେ ଗୋ ପାରନ୍ତ ସିନା ଜାଣି ।ତେଣୁ କରି ସମସ୍ତେ ବୋଲନ୍ତି ସିନା କାଣୀ ॥
ସିଂହଦ୍ୱାରପାଖେ ଦେଖ ତୁମ୍ଭେ କିନା ଯାଇ ।କହୁଅଛ ତୁମ୍ଭେ କେତେ ହାତ ଝମକାଇ ॥
ଥୋକେ ଲୋକ ବସିଛନ୍ତି ପଲଙ୍କ ଉପରେ ।ଘୋଡ଼ାର ଉପରେ କେହୁ ବସିଛନ୍ତି ଧୀରେ ॥
କେ ଲାଗି ହେଉଛନ୍ତି ଅପୂର୍ବ ପାଟଛତା ।କେହୁ ଧନ ଜନ ପାଇ ହେଉଛନ୍ତି ମତ୍ତା ॥
କେହୁ ପିନ୍ଧିଅଛନ୍ତି ଯେ ଷାଠିଏ ଟଙ୍କା ଶାଢ଼ୀ ।ପଶନ୍ତରେ ପାଟ ଫୁଲିମାନ ଅଛି ପଡ଼ି ॥
କେହୁ ପିନ୍ଧିଅଛି ଶହେ ଟଙ୍କା ଲୁଗାମାନ ।ଘନ ଘନ କରି କେହୁ କରନ୍ତି ଗର୍ଜନ ॥।ଥୋକେ ଲୋକେ ଖାଆନ୍ତି ନଡ଼ିଆ ଖଣ୍ଡି ଖଣ୍ଡି ॥
ପୋରୁଅ ପରାୟେ କେହୁ କରିଛନ୍ତି ଗଣ୍ଡି ॥
କେହୁ ପିନ୍ଧିଅଛନ୍ତି ଯେ ରଙ୍ଗଶାଢ଼ୀ ବନା ।କାହାରି ଦେହକୁ ମିଳୁ ନାହିଁ ଚିରାକନା ॥
କେ ବୁକୁରେ ଲଦିଅଛି ମାଙ୍କଡ଼ା ପଥର ।କେହୁ ଅନ୍ନ ନ ପାଇ ଭୋଖରେ ଥରହର ॥
କେହୁ ଅନ୍ନ ନ ପାଇଣ କରୁଛନ୍ତି ଦକା ॥
କେ ବୋଲଇ ମଲି ମଲି କେ ପାଡ଼ଇ ଡକା ॥
ତୁମ୍ଭର ଗୋ ଯେବେ ବେନି ନୟନ ଥାଆନ୍ତା ।ଥୋକେ ଲୋକଙ୍କର କିପାଁ ଏମନ୍ତ ହୁଅନ୍ତା ॥
ଟେରୀ ଲୋକ ତୁମ୍ଭେତ ତୁମ୍ଭର ନାହିଁ ଦୋଷ ।ଯାହାକୁ ଚାହିଁଲେ ସେ ପାଇଲା ପଉରୁଷ ॥
ପ୍ରେମଲକ୍ଷ୍ମୀ ଶୁଣିଣ ଯେ ବେଗେ ଗର୍ଜି ଉଠି ।ହସ୍ତରେ ଧଇଲେ ମାଏ ବଡ଼ କରି ଲାଠି ॥
କିବୋଇଲୁ ବଳରାମ ଦାସ ଆରେ ମୋତେ ।ଗଞ୍ଜାଇ କାହାଳି ଭ୍ରମ ଛାଡ଼ି ନାହିଁ ତୋତେ ॥
ଏକା ବାଡ଼ିକରେ ତୋତେ ପକାଇବି ମାରି ।କେଉଁ ଭରସାରେ ମୋତେ କହିଲୁ ରେ ଟେରୀ ॥
ନାତିଆଇଙ୍କର ଲାଗିଅଛି କଳିଦ୍ୱନ୍ଦ୍ୱ ।କରତାଳି ମାରି କରି ନାଚନ୍ତି ଗୋବିନ୍ଦ ॥
ପ୍ରେମଲକ୍ଷ୍ମୀ ବୋଲନ୍ତି ଯେ ବଳିଆରେ ଶୁଣ ।କେଉଁ ଭରସାରେ ତୁରେ କରି ଅଛୁ ଟାଣ ॥
ଟାଣ ପଣ ଗରବ ତୁମ ମନରୁ ନ ଛାଡ଼ୁ ।ମୁଣ୍ଡରେ ତୋହର ହାତେ ଭାଙ୍ଗିବିରେ ଖଡ଼ୁ ॥
ମୁଣ୍ଡ ପିଟି ହାତେ ତୋର କରିଦେବି ଚୁନା ।ପୋଡ଼ ପିଠା କରିବି ମିଶାଇ ହାତେ ଛେନା ॥
ଅଷ୍ଟ ବେତାଳଙ୍କୁରେ ତୋହର ଦେବି ମୁଣ୍ଡ ।ଅର୍ଦ୍ଧଶୋଷିଣୀଙ୍କି ଦେବି ତୋର ଗଣ୍ଡିଖଣ୍ଡ ॥
ଶତେ ଯେ ଅର୍ଦ୍ଧଶୋଷିଣୀ ତ୍ରେତୟାଯୁଗରେ ।ଊଣା କରି ଧରି ଅଛି ରକତ ଖପରେ ॥
ଦେହ କୋହ ହେଉଅଛି ପୂରି ନାହିଁ ପେଟ ।ତେଣୁ ଜଗିଅଛି କୁମ୍ଭୀରର ପୋଡ଼ାକାଠ ॥
ସେହି ଗୋସାଣୀଙ୍କି ଆଜ ଦେବି ତୋତେ ହାଣି ।ମୋହର ପ୍ରତିଜ୍ଞା ଦାସ ନାହୁଁ କିରେ ଶୁଣି ॥
ବଳରାମ ଦାସ ଯହୁଁ ଶୁଣିଲେ ଏମାନ ।ରୋମଟାଙ୍କୋରାଇ ଦାସେ କରନ୍ତି ଗର୍ଜ୍ଜନ ॥
କେତେ କହୁଅଛ ତୁମ୍ଭେ ହାତ ଝମକାଇଁ ।ତୁମ୍ଭର ଆଗରେ କେହି ନ ପାରନ୍ତି କହି ॥
କାହିଁ ପାଇଁ ମାଏ ଏଡ଼େ ହୋଇଛୁ ଫୁଲଣା ।କହିଲେ ହଲଇ ତୁମ୍ଭ ନାକ ସୁନାଗୁଣା ॥
ବାହିବନ୍ତ ଧନବନ୍ତ ଏବେ ଗୋ ହୋଇଲ ।ବାପଘରେ ଖଇଛଡ଼ା ଖୁଣ୍ଟି ଖାଉଥିଲ ॥
ଆମ୍ଭେ ଜାଣିମାଏ ତୁମ୍ଭ ସେ ଦିନ ବାରତା ।ବେନିହାତେ ବାନ୍ଧି ଥିଲ ବେନିଖଣ୍ଡି ସୂତା ॥
ବରୁଣରାଜାର ଘରୁ ଆସିବାର ବେଳେ ।ମୁହିଁ ଦେଖିଥିଲି ଗୋ ତୁମ୍ଭଙ୍କୁ ବେନି ଡୋଳେ ॥
ଏବେ ହାତେ ପୂରାଇଲ ସୁବର୍ଣ୍ଣର ବାହୀ ।ତୁମ୍ଭର ଚାତୁରୀମାନ କେ ପାରିବ କହି ॥
ନାନା ଅଳଙ୍କାରମାନ ମିଳିଲା ଦେହକୁ ।ନୟନରେ ତୁମ୍ଭେ ଚିହ୍ନି ପାରିବ କାହାକୁ ॥
ବାପଘରେ ପିନ୍ଧିଥିଲ ଛିଣ୍ଡାକନା ଲୁଗା ।ଏବେ ଆସି ପିନ୍ଧିଲ ଷାଠିଏ ଟଙ୍କା ଲୁଗା ॥
ଭୂମିରେ ପଣନ୍ତ ଏବେ ଯାଉଅଛି ଲୋଟି ।କହିବାକୁ ପାରିଲ ଗୋ ନୟନ ତରାଟି ॥
ବାପଘରେ ନ ମିଳଇ ସୁଗନ୍ଧ ଅୟଁଳା ।ତୁମ୍ଭଙ୍କୁ ସେ ଦୟା କଲେ ପ୍ରଭୁ ଚକ୍ରଡୋଳା ॥
ନାତି ଆଇଙ୍କର ତହିଁ ଲାଗିଅଛି ଲୀଳା ।ଏମନ୍ତ ସମୟେ ଆସି ମିଳିଲେ ବିମଳା ॥
ମଝିରେ ପଣସ କଳି ଭଙ୍ଗାଇଣ ଦେଲେ ।ମହାଲକ୍ଷ୍ମୀ ମୁଖ ଚାହିଁ ବିମଳା କହିଲେ ॥
ବଳରାମ ଦାସ ମାଏ ଅଟନ୍ତି ଆମ୍ଭର ।କେଉଁ ଅର୍ଥେ କଳି ମାଏ ତୁମ୍ଭର ତାଙ୍କର ॥
ପ୍ରେମଲକ୍ଷ୍ମୀ ବୋଲୁଛନ୍ତି ଶୁଣ ଗୋ ବିମଳା ॥
ତୁମ୍ଭେ ଏକା ବୋଲୁଅଛ ଅସାର ବିମଳା ॥
କହିବି କଥାଏ ମୁହିଁ ଶୁଣ ଗୋ ମିତଣି ।ତୁଛାର ବୋଇଲା ମୋତେ ଖଣ୍ଡିଆ ଘରଣୀ ॥
ଅଳସାତୋଟାରେ ଯାଇଁ ଚୋବାଇ ପଶିଲା ।ତୋଟାଳିଆ ହାତେ ମାଡ଼ ଲୋଚାଏ ଖାଇଲା ॥
ତେଣୁ କରି ଚଳିଣ ମରୁଛି ଆଗୋ ମିତ ।କିଛି ବୋଲି ନାହିଁ ମୁହିଁ ତୁମ୍ଭରି ଶପଥ ॥
ବିମଳା ବୋଇଲେ ତୁମ୍ଭେ ଶୁଣ ଗୋ କମଳା ।ଗୋଳ ଦ୍ୱନ୍ଦ୍ୱ ଛାଡ଼ି କରି ଚା କରିବା ମେଳା ॥
ଶୁଣି କରି ପ୍ରେମଲକ୍ଷ୍ମୀ ହୋଇଲେ ସନ୍ତୋଷ ।ସାଧୁଜନମାନେ ତୁମ୍ଭେ ନ ଧରିବ ଦୋଷ ॥
ସେହି ବଳରାମ ଦାସ ଲଙ୍କା ଯାଇ ପାରେ ।ଶୁଭିଲା ବଡ଼ ମହିମା ତିନି ଭୁବନରେ ॥
ସାଧୁଜନମାନେ ଦୋଷ ନ ଧର ମୋ ପରେ ।ଶୁଣିଣ ମହାପାତକ ନାଶ କର ନରେ ॥
ଯେତେ ଲୋକ ଆସିଅଛ ହରି କଥା ପାଇଁ ।ତୁମ୍ଭ ତହୁଁ ଭାଗ୍ୟବନ୍ତ ଅଛି ଆର କାହିଁ ॥
ହରି ହରି ବୋଲି ତୁମ୍ଭେ ସମସ୍ତେ ବୋଲିବ ।ଗଗନମାର୍ଗକୁ ବୋଲି ଶବଦ ଶୁଭିବ ॥
ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ