ମୃତ୍ୟୁର ନିମନ୍ତ୍ରଣ
ଉତ୍କଳ ବ୍ୟାସ କବି · ୧୮୪୩–୧୯୧୮ · ରାଧାନାଥ ଯୁଗ
- ସଂକଳନ: ଅବସର ବାସରେ
- ପଢ଼ିବା ସମୟ
- ୪ ମିନିଟ୍
- ଶବ୍ଦ
- ୬୦୭
- ସ୍ଥିତି
- ସାର୍ବଜନୀନ (Public domain)
ରାଗ - ମଙ୍ଗଳବୋଲିବା ହେଉନ୍ତୁ ଆହେ ସୁହୃଦୟ ମରଣ ।କେବେ ମୋର ନିମନ୍ତ୍ରଣ କରିବେ ଗ୍ରହଣ?ଆହେ ବନ୍ଧୋ! ଆପଣଙ୍କୁ କରୁଛି ଜୁହାର,ଆସ ଆସ ବୋଲ ମୋତେ ସ୍ୱର୍ଗ ସମାଚାର ।ହେ ମୃତ୍ୟୁ! ତୁମ୍ଭଙ୍କୁ କରେ ଯେଉଁ ଲୋକ ଭୟ,ନିର୍ବୋଧ! ନିର୍ବୋଧ! ସେହି ନିର୍ବୋଧ ନିଶ୍ଚୟ!ଯେଉଁ ଲୋକ ଘେନିଯିବ ସୁଧାମୟ ସ୍ଥାନେ,ତାହାକୁ ବୋଲିବି ଶତ୍ରୁ ବୋଲ କେଉଁ ପ୍ରାଣେ?ଉଦ୍ଧାର ପାଇବି ଯାହା ଯୋଗେ ଯାତନାରୁ,ଅଧିକ କେ ହିତକାରୀ ଅଛି ତାହାଠାରୁ?ଅନନ୍ତ ଅମୃତ ଧାମୁ ମୁହିଁ ଅଛି ଆସି,ପୃଥିବୀ ମଧ୍ୟରେ ରହିଛି ତ ପରବାସୀ;ଅନେକ କାଳରୁ ରହିଅଛି ଜଗତରେ,ଶ୍ରାନ୍ତ କ୍ଳାନ୍ତ ହେଲି, ନାହିଁ ସାମର୍ଥ୍ୟ ଦେହରେ ।ପରବାସେ ରହିବାକୁ ନାହିଁ ଆଉ ମନ,ସ୍ୱସ୍ଥାନକୁ ଯିବାପାଇଁ ଚିତ୍ତ ଉଚ୍ଚାଟନ ।ତୁମ୍ଭ ବିନା କାହାକୁ ତ ଆଉ ଦେଖୁ ନାହିଁ,ଆହେ ମିତ୍ର! ସ୍ୱସ୍ଥାନକୁ ଘେନିଯିବା ପାଇଁ ।ଏକମାତ୍ର ସାହା ତୁମ୍ଭେ ନେବାକୁ ସ୍ୱସ୍ଥାନେ,ଆସ ଆସ ବନ୍ଧୋ! ଆସ ବେଗେ ସନ୍ନିଧାନେ ।ଆନନ୍ଦ, ଉଲ୍ଲାସ, ସୁଖ, ଦୁଃଖ, ସ୍ୱାସ୍ଥ୍ୟ, ରୋଗ,ସଂସାରର ସର୍ବଦ୍ରବ୍ୟ କରିଛି ସମ୍ଭୋଗ ।ବାରମ୍ବାର ଏକ ଦ୍ରବ୍ୟ ଭୁଞ୍ଜିବାର ପାଇଁ,ଆହେ ବନ୍ଧୋ! ଆଉ ମୋର ଇଚ୍ଛା ବଳୁ ନାହିଁ ।ଯା ଦେଖ ଏ ସ୍ଥାନେ ଆନନ୍ଦର କୋଳାହଳ,ମନରେ ବିତୁଛି ଏହା ମହାକାଳ ଫଳ ।ଏହି ଫଳ ଭୁଞ୍ଜି ଭୁଞ୍ଜି ହେଲାଣି ଅରୁଚି,ତୁମ୍ଭର ପରଶେ ହେଉ ଆତ୍ମା ମୋର ଶୁଚି lହେଲାଣି ଆବାସ ଗୃହ, ବନ୍ଧୋ! ଜରାଜୀର୍ଣ୍ଣ,ପୁଣି ମୁଁ ଦେଖୁଛି ଏହା ନିତାନ୍ତ ସଂକୀର୍ଣ୍ଣ,ଉଡ଼ିବ ଯେ ବିହଙ୍ଗମ ଅନନ୍ତ ଆକାଶେ,କରେ କି ସନ୍ତୋଷ ଲାଭ ରହି କ୍ଷୁଦ୍ରାବାସେ?ଆସ ବନ୍ଧୋ! ଆସ ମିଳି ବେନି ଜଣଅନନ୍ତ ଆକାଶ ମାର୍ଗେ କରିବୁଁ ଭ୍ରମଣ ।ଅନନ୍ତ ଅଗମ୍ୟ ମାର୍ଗ ମଣିବି କିପରି,ଆହେ ମିତ୍ର! ଘେନିଯାଅ ମୋହ ହାତ ଧରି ।ରଖିଛି ଯେତେକ କରି ମାର୍ଗର ସମ୍ବଳ,ତେତିକି ମାତ୍ରକ ଘେନିଯିବି ମୁଁ କେବଳ ।ଯାହା କିଛି ଅରଜିଛି ପାର୍ଥିବ ସମ୍ପତ୍ତି,ନ ଛାଡ଼ିବ ପୃଥ୍ୱୀ ମାଧ୍ୟ-ଆକର୍ଷଣ ଶକ୍ତି ।ଆହେ ମିତ୍ର! ତୁମ୍ଭେ ମୋର ପାପ ପୁଣ୍ୟ ସାକ୍ଷୀ,ତୁମ୍ଭଠାରେ ବୁଝିବାକୁ ନାହିଁ କିଛି ବାକୀ ।କେତେ ଦେବ, କେତେ ଦେବୀ, ରାକ୍ଷସ, ରାକ୍ଷସୀ,ହୃଦୟ କୁଟୀର ମଧ୍ୟେ ରହିଛନ୍ତି ବସି ।ସ୍ନେହ, ମାୟା, ଦୟା, ହିଂସା, କ୍ରୋଧ, ଅଭିମାନକ୍ଷୁଧା, ତୃଷ୍ଣା, ଭୟ, ଗର୍ବ, ମାତ୍ସର୍ଯ୍ୟ, ସମ୍ମାନ,ବାସନା, ସାଧନା, ଅଶ୍ରୁ, ହାସ୍ୟ, ପରିହାସ,ଏ ସକଳ ହୃଦ ମଧ୍ୟେ କରିଛନ୍ତି ବାସ ।କେତେ ବା ଆଲୋକ, ଛାୟା, ଗୀତିମୟୀ ଭାଷା,ଲାଳସା, ପ୍ରବୃତ୍ତି କେତେ ସୀମାହୀନ ଆଶା,ଜାଗରିତ ହୋଇ ପ୍ରତିଦିନ ପ୍ରଭାତରେଲଗାନ୍ତି ବିବିଧ ଲୀଳା ହୃଦୟ ମଧ୍ୟରେ ।ସାଗରେ ଲହରୀ ସୀମା ପରି ସୀମା ନାହିଁ,ଏକ ପଛେ ଆନ ଅବିଶ୍ରାନ୍ତ ଛନ୍ତି ଧାଇଁ ।ଏକ୍ଷୁଦ୍ର କୁଟୀରେ ସର୍ବେ ମେଲିଛନ୍ତି ରାଜ୍ୟ,ସାଧୁଛନ୍ତି ମିଳି ସର୍ବେ ନିଜ ନିଜ କାର୍ଯ୍ୟ ।ଯେ ମୁହୂର୍ତ୍ତେ ଆଗମନ କରିବେ ଆପଣ,ନିମିଷେ ପାରିବେ ନାହିଁ ରହି ଏକ ଜଣ ।ସେମାନଙ୍କ ମଧ୍ୟେ ଅଛ ଧରି ମୌନବ୍ରତ,ବୋଲ ବୋଲ କେତେ କାଳ ରହିବ ଏମନ୍ତ?ଉଠିବ ଯେ କାଳେ ଆହେ ବନ୍ଧୋ! ଦେହ ଝାଡ଼ି,ଆତଙ୍ଗରେ ସେ ସମସ୍ତେ ପଳାଇବେ ଛାଡ଼ି ।ଏହି ଦେବ ଦେବୀ ନିଶାଚରୀ ନିଶାଚରେ,ବସା ବାନ୍ଧି ରହିଛନ୍ତି ହୃଦୟ ମଧ୍ୟରେ ।ବସା ଭାଙ୍ଗିଦିଅ ବନ୍ଧୋ! ସର୍ବେ ଭୟ ପାଇବର୍ତ୍ତମାନ ଛାଡ଼ି ମୋତେ ଯାଉନ୍ତୁ ପଳାଇ ।ଜାଣ ବନ୍ଧୋ । କିପାଁ ମୋର ଚିତ୍ତ ଉଚ୍ଚାଟନ?ଜାଣ କିପାଁ ଧରୁ ନାହିଁ ପୃଥିବୀରେ ମନ?ଶାନ୍ତି ଦେଖୁ ନାହିଁ କ୍ଷୁଦ୍ର ପଞ୍ଜରୀ ମଧ୍ୟରେ,ଇଚ୍ଛା, ଉଡ଼େଁ ମୁକ୍ତ ବାୟୁ ନୀଳ ଆକାଶରେ ।ମୋର ସୁଖ ଦୁଃଖ ସଙ୍ଗୀ ଛନ୍ତି ଯେଉଁ ଦେଶେ,ସେ ସ୍ଥାନକୁ ଯିବି ଚାଲି ଛାୟାମୟ ବେଶେ ।ସୁଆଙ୍ଗ ବେଶରେ ରହି ପୃଥ୍ୱୀ ରଙ୍ଗାଳୟେଜୀବନଟାଯାକ କାଟିଦେଲି ଅଭିନୟେ ।ସମାପ୍ତ ହୋଇଛି ସ୍ୱର ମୋ ସଂଗୀତଗ୍ରାମ,ଯବନିକା ଅନ୍ତରାଳେ କରିବି ବିଶ୍ରାମ ।ଜୀବନର ସୁଖ ଦୁଖ ମର୍ମର ବେଦନା,ଆହେ ମିତ୍ର! ତୁମ୍ଭକୁ ତ ସର୍ବ ଅଛି ଜଣା ।ସେ ଅନନ୍ତ ରାଜ୍ୟ ପ୍ରାନ୍ତ ଦେଖୁଅଛ ଆସି,ଶୁଣିବି ସେ ଦେଶ କଥା ମନେ ଅଭିଳାଷୀ ।ବୋଲିବ କି ମିତ୍ର! ମୋତେ ସେ ଦେଶ ସମ୍ବାଦ,ବୋଲ ବୋଲ ବନ୍ଧୋ! ମେଣ୍ଟୁ ଚିତ୍ତର ବିଷାଦ ।ଜାଣିଥିଲେ ଯେବା ଏକା ମୋର ମନ କଥା,ଆଣିଛ କି ତାହାଙ୍କର କୁଶଳ ବାରତା?ଯାଇଛନ୍ତି ମୋ ହୃଦୟ କରି ଅନ୍ଧକାର,ବୋଲ ବୋଲ ତାହାଙ୍କର ଶୁଭ ସମାଚାର ।ସେ ଦେଶରେ ବର୍ତ୍ତମାନ ଅଛନ୍ତି କିପରି?ଶୁଣିବ ବୋଲିବା ହେଉ ମୋତେ ଦୟା କରି ।ଆହେ ହୃଦୟର ବନ୍ଧୋ! ମୋତେ ଘେନି ଯାଇକେଉଁଦିନ ଦେବ ତାଙ୍କ ସଙ୍ଗରେ ଭେଟାଇ?ଜଗତ ଜଞ୍ଜାଳେ ହେଲେ ବ୍ୟାକୁଳ ମୋ ମନ,ବନ୍ଧୋ ହେ! ମୁଁ କରିଥାଏଁ ତୁମ୍ଭଙ୍କୁ ସ୍ମରଣ ।ବିଶାଳ ଜଗତ ମଧ୍ୟେ ତୃଣ ସମାନରେପଡ଼ି ରହିଛି ତ ମୁହିଁ ନିଭୃତ ସ୍ଥାନରେ ।ଚାଲିଗଲେ କାହାରି ତ ନାହିଁ କିଛି କ୍ଷତି,କାହାପାଇଁ କିସପାଇଁ ଭୁଞ୍ଜିବି ଦୁର୍ଗତି?ଆସ ହାତ ଧରାଧରି ହୋଇ ବେନିଜଣଅନନ୍ତର ଅନ୍ତଃପୁରେ କରିବୁଁ ଭ୍ରମଣ ।କେବେ ମୋ ଜୀବନ ବ୍ରତ ହେବ ଉଦ୍ୟାପନ?କେତେ ଦିନଯାଏ ଜଗି ବସିବେ ଆପଣ?ଉପଯୁକ୍ତ କାଳ ଜାଣି ଆସିବେ ଆପଣ,ତେବେ କିପାଁ ମୋର ଅକିଞ୍ଚନ ନିମନ୍ତ୍ରଣ?ଅନନ୍ତର ଅନ୍ତରାଳେ ଅଛ ତୁମ୍ଭେ ବୋଲି,ଆସିବ ମୋ ପାଶେ ଏହା ଯିବି ନାହିଁ ଭୁଲି ।ଆସିବ ନିଶ୍ଚୟ ବନ୍ଧୋ! ତୁମ୍ଭେ ବେଳ ଜାଣି,ନ ପାରିବି ରହି ଜଗତକୁ ଧରି ଟାଣି ।କରୁ ଘୃଣା, ଦେଉ କଷ୍ଟ, ରଖୁ ଅପମାନେ,ତୁମ୍ଭ ଆସିବାର ଯାଏ ରହିବି ଏ ସ୍ଥାନେ ।ତୁମ୍ଭ ବଂଶୀରବ ଶୁଣି ଆହେ ମୃତ୍ୟୁମଣି!ଯିବି ଚାଲି ଛିନ୍ନ କରି ଜଗତବନ୍ଧନୀ ।
ସମ୍ବନ୍ଧିତ ରଚନା
ଗୋଟିଏ ପ୍ରାର୍ଥନା
ଫକୀରମୋହନ ସେନାପତି
ବୃକ୍ଷବାଟିକା
ଫକୀରମୋହନ ସେନାପତି
ମୋ- ମୋହନ ବଂଶୀ
ଫକୀରମୋହନ ସେନାପତି
କ୍ଷଣିକ
ଫକୀରମୋହନ ସେନାପତି