ମାନସରେ ।ବର — ଗୋବିନ୍ଦ ରଥ · ସ୍ୱର୍ଣ୍ଣଲିପିଆହେ ମାନସରୋବରତୀର୍ଥ ମଧ୍ୟେ ଅଟ ସାର ।ତୁମ୍ଭଙ୍କୁ ପ୍ରଧାନ ଗଣି,ତୀର୍ଥରାଜ ଚୂଡ଼ାମଣି ହେ ।୧।ଉତ୍ତରେ କୈଳାସ ଧର,ବିରାଜିତ ଦେବ ହର ।ସଙ୍ଗରେ ପାର୍ବତୀ ସତୀ,କାର୍ତ୍ତିକେୟ ଗଣପତି ହେ ।୨।ପ୍ରମଥଗଣଙ୍କୁ ଧରି,ଅଛନ୍ତି ସୁଖେ ବିହରି ।ତାଣ୍ଡବ ନୃତ୍ୟ କରନ୍ତି,ତୋ ସ୍ୱାଦନୀର ପିଅନ୍ତି ହେ ।୩।ଦକ୍ଷିଣରେ ଅଧିଷ୍ଠାତା,ଯେ ପରଳାମାନଧାତାଦୁଇ ପର୍ବତ ମଧ୍ୟର,ଧରି ରୂପ ଗୋଲାକାର ହେ ।୪।ଚନ୍ଦ୍ର, ସୂର୍ଯ୍ୟ ଗୋଲ ଦେଖି,ପୃଥିବୀ ବି ମଧ୍ୟ ଲେଖି ।ଏ ଗୋଲରୂପ ଧଇଲ,ଜଗତଜନ ମୋହିଲ ହେ ।୫।ଅଷ୍ଟକ୍ରୋଶ ବ୍ୟାପି ବ୍ୟାସ,ମନେ ଲଭେ ବଡ଼ ପ୍ରାସ ।କର୍ଣ୍ଣେ ଶୁଣିଅଛି ଯାହା,ଆହା ନ ଦେଖିଲି ତାହା ହେ ।୬।ବହୁତ ଦୁର୍ଗମ ବନ,ପବତ ଭେଦି ଗମନ ।କଲେ ଯାଇ ତବ ନୀର,କରିବି ଶୁଦ୍ଧ ଶରୀର ହେ ।୭।ମାନସରେ ହଂସରାଳିପନ୍ତି ପନ୍ତି ହୋଇ ଚଳି ।କରୁଥିଲା ବେଳେ ରାବ,ଜନ୍ମେ କି ଅପୂର୍ବ ଭାବ ହେ ।୮।ମୁନି ରଷି ତପଚାରୀ,କେତେ ଛନ୍ତି ତୀରଧାରୀ ।ତୀର୍ଥରାଜେ ଅନୁସରି,ସ୍ୱର୍ଗସୋପାନକୁ ଧରି ହେ ।୯।ସ୍ୱର୍ଗରୁ ନିତି ଆସନ୍ତି,ଅମର ଅପ୍ସରାପନ୍ତି ।ତବ ତୀରେ ନିତ୍ୟ ସାରି,ପିଅନ୍ତି ଅମୃତବାରି ହେ ।୧୦।ତୀରବନେ ବିହରଣ,ଆଶ୍ରମରେ ତପୋଧନ,ମାନଙ୍କୁ ଦେଖି ସଂଚାର,ବନଫୁଲେ ପିନ୍ଧି ହାର ହେ ।୧୧।ହାତ ଚାପୁଡ଼ ପର୍ଯ୍ୟନ୍ତେ,ସ୍ୱଚ୍ଛନୀରେ ଦୃଷ୍ଟିପଥେ ।ଦେଖାଯାଏ ଭୂମି ତଳ,ପ୍ରମାଣ ପାତଳ ଜଳ ହେ ।୧୨।ଆରଣ୍ୟକ ଜନ୍ତୁଚୟ,ତୃଷାରେ ହେଲେ ଅଥୟ ।ବନଚର ପକ୍ଷୀମାନେ,ତୁଷ୍ଟ ତବ ଜଳପାନେ ହେ ।୧୩।ଫୁଟେ ନାନାଜାତି ଫୁଲ,ଉପମା ନାହଁ ତା ତୁଲ ।ମୋ ପ୍ରାର୍ଥନା ତୀର୍ଥରାଜ,
ଧନମାନ ରଖ ଆଚ୍ଚ ହେ ।୧୪।
ପୁରୀ ଜଗନ୍ନାଥ
ଲଗାଇଛ ପ୍ରଭୁ ନାଟ,
ବସାଇଛ ଅନ୍ନହାଟ ।
ପ୍ରକୃତ ବଣିକ ପରି,
ଗୋଦାମ ଦେଇଛ ଭରି ହେ ।୧।
ହେଲ ବଡ଼ କାରବାରୀ,
ତେଣୁ ନ ଶୁଣ ଗୁହାରି ।
ନ ମେଣ୍ଟିଲେ ପ୍ରଜା କଷ୍ଟ,
ରାଜ୍ୟ ତ ହୋଇଲା ଭ୍ରଷ୍ଟ ହେ ।୨।
ଏ କଥା ନୁହେଁ ସୁନ୍ଦର,
ତୁମ୍ଭ ପକ୍ଷେ ଚକ୍ରଧର ।
କଲେ ସ୍ୱପ୍ନରେ ଆଦେଶ,
ଜଣାଇ ଦେବି ସନ୍ଦେଶ ହେ ।୩।
ସ୍ୱପ୍ନେ ଦେଲେ ଆଜ୍ଞା ହରି,
ଆରେ ଜୀବଧନ ସ୍ମରି ।
କିସ କଲ ଅନୁଭବ,
ମୋ ପାଶେ ଜଣାଅ ସର୍ବ ହେ ।୪।
ପ୍ରଭୁଙ୍କ ଆଦେଶ ପାଇ,
ଦୁଃଖୀ ହାତଯୋଡ଼ି ଚାହିଁ ।
ଦେବ ହେବ ଅବଧାନ,
ଡେରି ରଖି ଶୁଣ କାନ ହେ ।୫।
ବର୍ଣ୍ଣିବି କି ସବୁ ସତେ,
ଅନ୍ତର୍ଯ୍ୟାମୀ କର୍ଣ୍ଣପଥେ ।
ଲଜ୍ଜାରେ କି ମଥାପୋତି,
ପଢ଼ିବି ପୁରାଣ ପୋଥି ହେ ।୬।
ପ୍ରଜାଙ୍କର ଧନ ମାନ,
ଦେବେ କଲେ ତୁଚ୍ଛଜ୍ଞାନ ।
ତବ ନିୟମ ନ ମାନି,
ସମ୍ପତ୍ତି ଜୀବନ ହାନି ହେ ।୭।
କଥାତ ଭତ୍ତିକି ଭଳି,
ଉପଜିଲା ଘୋରକଳି ।
ରାଜ୍ୟ ହେଲା ଟଳମଳ,
ଯହିଁ ତହିଁ କୋଳାହଳ ହେ ।୮।
ଇନ୍ଦ୍ର ନକଲେ ବରଷା,
ଶୁଖିଲା ପଡ଼ିଲା ରସା ।
ରାଜ୍ୟକୁ ହେଲା ଦୁର୍ଦ୍ଦଶା,
କେହି ନ ନେଲେ ପ୍ରଶଂସା ହେ ।୯।
ଘଟିଲା ଯେ ବାର ବାର,
ଅସହ୍ୟ ହେଲା ବେଭାର ।
ନ୍ୟାୟ ଉପଦେଶ କଥା,
ନ ମାନିଲେ ଟେକି ମଥା ହେ ।୧୦।
ପୁରୁଣା ବନ୍ଧ ଗାଡ଼ିଆ,
ଯେ ସବୁ ଥିଲା ଆଡ଼ିଆ ।
ପାଣି ସର ସରିଗଲା,
କେଦାରରେ ଧାନ ମଲା ହେ ।୧୧।
ଲୋକେ ହେଲେ ସଦା ରଣୀ,
ଖୋଜିଲେ ଧାନ ଗଉଣି ।
ହୃଦୟରେ ବେଗ ଯେତେ,
ତା କହିବା ପ୍ରଭୁ କେତେ ହେ ।୧୨।
ରାଜ୍ୟରେ ବଢ଼ିଲା ରୋଗ,
ଅପବାଦ କଲ ଭୋଗ ।
ଲଗାଇଲ ହରି ଲୀଳା,
ଭେଳା ଆହୁରି ଭାସିଲା ହେ ।୧୩।
ଆମ୍ଭେ ହେଉଅଛୁ ବଣା,
ବେଗେ କର ବୁଝାମଣା ।
ପୀଠ ପୁରି ପଡ଼େ ହୁରି,
ବାଜୁଛି ଢକା ମହୁରୀ ହେ ।୧୪।
ଅଶାନ୍ତି ଘୋର ମୁରାରି,
ରଖିବ ବାହୁ ପ୍ରସାରି ।
ତୁମ୍ଭର ଯେ ଯୋଗାଣିଆଁ,
ସହାୟେ ନୁହନ୍ତି ଠିଆ ହେ ।୧୫।
ଆମ୍ଭେ ହୋଇଲୁଁ ଭିଖାରି,
ଗୃହେ ନାହିଁ ଅନ୍ନ ବାରି ।
ଖଞ୍ଜାଇ ଦିଅ ଗୋଟିକା,
ରହୁ ଜୀବନନାଟିକା ହେ ।୧୬।
ଖଇରାତି ମଠବାଡ଼ି,
ମାନଙ୍କରେ ବାନ୍ଧ ଶାଢ଼ୀ ।
ତହିଁକି ଦୃଷ୍ଟି ନ ଦେଲ,
ସଦା ଅପଯଶ ନେଲ ହେ ।୧୭।
ରଥ ବିଜେକାଳେ ରାଜେ,
ବଝୁଥିଲ ଭଲ ସଜେ ।
ଶୁଣି ସକଳ ଗୁହାରି,
ନ୍ୟାୟପଥ ଦେଲ ବାରି ହେ ।୧୮।
ପଡ଼େ ମନେ ଇତିହାସ,
ତବ ଅସୀମ ସାହସ ।
ପାଇଥିଲ ବଡ଼ ପ୍ରାସ,
ଗଲ କାଞ୍ଚୀରାଜ ପାଶ ହେ ।୧୯।
ମାନିଲେ କାଞ୍ଚୀନରେଶ,
ରାଜନେ ଦେଇ ସନ୍ଦେଶ ।
ପାଇଲେ କେଡ଼େ ଅଯଶ,
ସବୁ ଜଗଦୀଶ ରସ ହେ ।୨୦।
ବିପୁଳ ସମ୍ପତ୍ତି ଥାଇ,
ଗଉଡଣୀ ପାଶେ ଯାଇ ।
ପିଇଥିଲ ଘୋଳଦହି,
ମନେ ନଥିବ କି ରହି ହେ ।୨୧।
ଗଜପତିଙ୍କ ସଙ୍ଗରେ,
ଯାଇଥିଲ ପରା ଥରେ ।
ଗଙ୍ଗା କଟକାଇ କରି,
ଆସିଲ ରଖ ସୁମରି ହେ ।୨୨।
ଇନ୍ଦ୍ରଦ୍ୟୁମ୍ନ ଗଲେ କାହିଁ,
ତୁମ୍ଭଙ୍କୁ ଏଥି ବସାଇ ।
ଅନଙ୍ଗଭୀମଙ୍କ କଥା,
ପଡ଼େ ଆଜି ସ୍ମୃତିପନ୍ଥା ହେ ।୨୩।
ବିଦ୍ୟାପତି ସଙ୍ଗ ଧରି,
ଶବର ଘର ବିସ୍ମରି ।
ଆସିଲ ଏଠାକୁ ଯେବେ,
ମନେ ପକାଅ କି କେବେ ହେ ।୨୪।
କି କଉତୁକ ବିହିଲ,
ବୃଦ୍ଧ ଶିଳିପୀ ହୋଇଲ ।
ଦେଇଥିଲ ଦ୍ୱାର କିଳି,
ସନ୍ଦେହେ ଖୋଲିଲେ ମିଳି ହେ ।୨୫।
ହନ୍ଦୁଧର୍ମୀ ଲୋକମାନେ,
ସମବେତ ଏହି ସ୍ଥାନେ ।
କି ଜନତା ସଦା ଲାଗେ,
ମନ୍ଦିର ସମ୍ମୁଖଭାଗେ ହେ ।୨୬।
ଭାରତ ମଧ୍ୟରେ କାହ,
ଏଡ଼େ କୀର୍ତ୍ତି ଦେଖା ନାହିଁ ।
ନୁହେଁ ମନୁଷ୍ୟର କର୍ମ,
ହୋଇଥାଏ ମନେ ଭ୍ରମ ହେ ।୨୭।
ସମୁଦ୍ର ଗର୍ଜ୍ଜନ କରେ,
ବୁଝାଇ ଦିଏ କି ଖରେ ।
ଜଗନ୍ନାଥଙ୍କ ମନ୍ଦିର,
ଏଠାରେ ଦିଶେ ରୁଚିର ହେ ।୨୮।
ରତ୍ନ ସିଂହାସନ ଧରି,
କି ସୁଖେ ରହିଛ ହରି ।
ଭୁଞ୍ଜୁଛ କନକା ଅନ୍ନ,
ତାଡ଼ିଆ ଅମାଲୁମାନ ହେ ।୨୯।
ମୋର ମନେ ସଦା ଧ୍ୟାଦ.
ଦେଖୁଥିବି ପୀଠସ୍ଥାନ ।
ପ୍ରଭୁ ବଳାଇଲେ ମନ,
ସେ କି ନୋହିବ ସାଧନ ହେ ।୩୦।
ଦେଖିଲି ସ୍ୱର୍ଗଦୁଆର,
ବଢ଼ାଇଛ କୋଠାଘର ।
ସୁରଲୋକ ଦେବ ପଥ
ଅବରୋଧେ ମନୋରଥ ହେ ।୩୧।
ଆସୁଛନ୍ତି ନିତି ପରା,
ସ୍ୱରଗରୁ ଅପସରା ।
କରନ୍ତି ଶ୍ରୀବନ୍ଦାପନା,
ହେବ କି ଏଣକି ମନା ହେ ।୩୨।
ଶ୍ମଶାନଭୂମିଟି କ୍ଷୀଣ,
ହେଉଛି ଦିନକୁ ଦିନ ।
ଏ କିସ ତୁମ୍ଭର ଫନ୍ଦି,
କରିବ କି ଦାହ ବନ୍ଦି ହେ ।୩୩।
ତେତିଶକୋଟି ଦେବତା,
ପୀଠେ ଅଛନ୍ତି କରତା ।
ବସୁଅଛି ପାଣିକଳ,
ପାଇବ ଅମୃତଜଳ ହେ ।୩୪।
କାଳିଆବୋଦ । ବା କାଳିଆବୁଦ ।
ମହାନଦୀ ରମ୍ୟ ତଟେ,
ଯୋବରାଘାଟ ନିକଟେ ।
ଅଛି ଏକ ତପୋବନ,
ଦେଶରେ ଅଟେ ପ୍ରଧାନ ହେ ।୧।
କାଳିଆବୋଦା ନାମକ,
ଥାଆନ୍ତି ସଦା ସାଧକ ।
କାଳିଆ ନାମେ ପୂର୍ବରେ,
ଏ ପୀଠେ ସାଧକବରେ ହେ ।୨।
ତନ୍ତ୍ରବିଦ୍ୟାରେ ପ୍ରବୀଣ,
ଥିଲେ ସେ ଯୋଗୀ ଅସୀନ ।
ତାହାଙ୍କ ନାମକୁ ଧରି
ଏ ନାମ ଅଛି ପ୍ରସରି ହେ ।୩।
ବୁଦାତଳେ ଯୋଗୀ ଜଗି,
କରନ୍ତି ସାଧନା ଭଙ୍ଗି ।
କାଳୀ ନାମ ମିଶି ଯୁଦା* ,
ତେଣୁ ଏ କାଳିଆବୋଦା ହେ ।୪।
କାହାରି କାହାରି ମତ,
ଯେ ବୁଝୁ ଯାହା ସଙ୍ଗତ ।
ନାନା ଲୋକେ ନାନା କଥା,
କହନ୍ତି ରହିଛି ପ୍ରଥା ହେ ।୫।
ତରୁ ଲତା ଗୁଳ୍ମମାନ,
ପୀଠସ୍ଥାନେ ଶୋଭମାନ ।
ଆମ୍ର ପନସରେ ଭରା,
ନାରିକେଳ ଗୁଆ ଧରା ହେ ।୬।
ସାହାଡ଼ା କଦମ୍ବ ତରୁ,
ମୋହନିଆ ବେଶେ ଗରୁ ।
କଦମ୍ବ ବୃକ୍ଷ ତଳରେ,
ଘାସିଆ ପୂର୍ବକାଳରେ ହେ ।୭।
ଘାସ କାଟୁଥିଲା ବସି,
ଚେରରେ ଲାଗିଲା ଅସି ।
ବହିଲା ରକତଧାର,
ଭାବନାରେ ଚମତ୍କାର ହେ ।୮।
ସେହଦିନୁ ମହୀରୁହେ,
ଭୋଗରାଗ କେତେ ହୁଏ ।
ସେ ଆସ୍ଥାନ ସମୀପର,
ବିରାଜିଛି ତରୁବର ହେ ।୯।
ସାହାଡ଼ାତରୁର ମୂଳେ,
ଚାନ୍ଦିନିଟିଏ ବର୍ତ୍ତୁଳେ ।
ନ ଥାଏ ଟିକିଏ ଧୂଳି,
ନିକୁଞ୍ଜ ନିଳୟେ ତୁଳି ହେ ।୧୦।
ଚାନ୍ଦିନୀରେ ବସି କ୍ଷଣେ,
ଶୀତଳ ବାୟୁ ସେବନେ ।
ହୃଦୟ କି ପୁଲକିତ,
ତା ସଙ୍ଗରେ ବି ତୁଳିତ ହେ ।୧୧।
କଲେ ନୁହେ ମନୋନୀତ,
ମିଳେ ଯେବେ ସ୍ୱର୍ଣ୍ଣବିତ୍ତ ।
ବିପୁଳ ସମ୍ପତ୍ତି ତୁଚ୍ଛ,
ଯାହାକୁ ତାହାକୁ ପୁଚ୍ଛ ହେ ।୧୨।
ବଡ଼ ବଡ଼ ଖମ୍ବ ରଖି,
ସାହାଡ଼ା ଗଛ ସଳଖି ।
ରଖିଛନ୍ତି ବେଦୀପରେ,
ଚନ୍ଦ୍ରାତପ ଆକାରରେ ହେ ।୧୩।
ଏମନ୍ତ ସାହାଡ଼ା ତରୁ,
ଶାଖା ପ୍ରଶାଖାରେ ଗରୁ ।
ପୀଠ ଗୌରବ ବଢ଼ାଇ,
ଆଉ କାହିଁ ଦେଖା ନାହିଁ ହେ ।୧୪।
ଏକଗୁଣ୍ଠ ବ୍ୟବଧାନ,
ମାଡ଼ି ରହିଅଛି ସ୍ଥାନ ।
ମୂଳ ପାଶେ ଅଛି ଘେରି,
କ୍ଷୁଦ୍ର ପାଷାଣ ପାଚେରୀ ହେ ।୧୫।
ଅତି ପୂର୍ବକାଳେ ଥରେ,
ନାନକ ଗୁରୁ ଏଠାରେ ।
ସାହାଡ଼ା ଡାଳ ଭାଙ୍ଗିଲେ,
ଦାନ୍ତ ଘଷି ପକାଇଲେ ହେ ।୧୬।
ସେହି ହେଲା ଏଡ଼େ ତରୁ,
ଶାଖା ପ୍ରଶାଖାରେ ଚାରୁ ।
କାଳୀ ସଙ୍ଗେ ହେଲା କଳି,
ସେ ନାନକ ଗଲେ ଚଳି ହେ ।୧୭।
ଶୋଭିତ କରିଛି ପୀଠ,
ବେଦପାଠୀ କର୍ମନିଷ୍ଠ ।
ଯୋଗୀଗଣରେ ସତତ,
ବିଖ୍ୟାତ ଯାହାଙ୍କ ବ୍ରତ ହେ ।୧୮।
ଏ ଅନ୍ତେ ଶୁଣ ଆଖ୍ୟାନ,
ଆହେ ସର୍ବ ସାଧୁଜନ ।
ପଞ୍ଜାବ ଦେଶରେ ଜାତ,
'ବାହାଗୁରୁ' ନାମେ ଖ୍ୟାତ ହେ । ୧୯।
ଦୁଃଖୀ ବ୍ରାହ୍ମଣ ବଂଶରେ,
ଜନ୍ମିଥିଲେ ଯୋଗୀବରେ ।
ବାଲ୍ୟକାଳୁଁ ତପୋଧନ,
ଧର୍ମେ ଦେଇଥିଲେ ମନ ହେ ।୨୦।
ପିତା ମାତା ତାହାଙ୍କର,
ତପସାଧି ପାଇ ବର ।
ଲଭିଥିଲେ ଏ ସନ୍ତାନ,
ଯେ ହେଲେ ଭକ୍ତ ପ୍ରଧାନ ହେ ।୨୧।
ବାଳକ ବଡ଼ ବିବେକ,
ଗୃହ ଛାଡ଼ି ନେଲେ ଭେଖ ।
ଦ୍ୱାଦଶ ବର୍ଷ ବୟସେ,
ଚଳିଲେ ଧର୍ମଲାଳସେ ହେ ।୨୨।
କଲେ ତୀର୍ଥ ପର୍ଯ୍ୟଟନ,
କାଶୀ ଗୟା ବୃନ୍ଦାବନ ।
ବଦରିକା ହରଦ୍ୱାର,
ଗଲେ ମାନସରୋବର ହେ ।୨୩।
ଦେବେନ୍ଦ୍ରନାଥଙ୍କ ପାଶ,
ହମାଳୟେ କଲେ ବାସ ।
ବଡ଼ ଆନନ୍ଦତ ମନେ,
ସନ୍ତୋଷ ସ୍ନେହ ଭାଷଣେ ହେ ।୨୪।
ବୁଧଙ୍କର ଇତିହାସ,
ପଠନେ ପାଇ ପ୍ରୟାସ ।
କଲେ ତାହା ଆଳାପନ,
ନିଗୂଢ଼ ସମାଲୋଚନ ହେ ।୨୫।
କୁରୁକ୍ଷେତ୍ରେ ଯୋଗୀବୀର,
ମହାଲକ୍ଷ୍ମୀଙ୍କ ମନ୍ଦିର ।
ପଞ୍ଚୁପାଣ୍ଡବେ ଦର୍ଶନ,
ଭେଟିଲେ ସମରାଙ୍ଗନ ହେ ।୨୬।
ମହାସରେ ସ୍ନାନ କରି,
ସପ୍ତପୁରୁଷ ଉଦ୍ଧରି ।
କଲେ ଯେ ଶ୍ରାଦ୍ଧକଳାପ
ହରାଇଲେ ପାପତାପ ହେ ।୨୭।
କଲେ ଗୋମତୀରେ ସ୍ନାନ,
ଦେଖିଲେ ଭୈରବ ସ୍ଥାନ ।
ନୈମିଷାରଣ୍ୟବହାରୀ,
ହୋଇଲେ ସେ ତପଚାରୀ ହେ ।୨୮।
ଦେଖିଲେ ପ୍ରୟାଗରାଜ,
ମୁନିଜନଙ୍କ ସମାଜ ।
ଭରଦ୍ୱାଜଙ୍କ ଆଶ୍ରମ,
ତ୍ରିବେଣୀରେ ସ୍ନାନକର୍ମ ହେ ।୨୯।
ସେତୁବନ୍ଧ ରାମନାଥ,
ଦ୍ୱାରକାରେ ପ୍ରଣିପାତ ।
କଲେ କଷ୍ଟେ ମହାଯୋଗୀ,
ବିଳାସେ ନହୋଇ ଭୋଗୀ ହେ ।୩୦।
ଚିତ୍ରକୂଟରେ ପ୍ରବେଶ,
ରାମକୁଟୀର ପ୍ରଦେଶ ।
କଲେ ଯନେ ନିରୀକ୍ଷଣ,
ପଞ୍ଚବଟୀ ଘୋରବନ ହେ ।୩୧।
ଗୋଦାବରୀ ତୀର୍ଥେ ଗଲେ,
ନର୍ମଦାରେ ସ୍ନାନ କଲେ ।
କାବେରୀର ଜଳପାନେ,
ରତ ହେଲେ କୃଷ୍ଣଧ୍ୟାନେ ହେ ।୩୨।
ବିନ୍ଧ୍ୟବାସିନୀଙ୍କ ପୀଠ,
ଯାଇଥିଲେ କର୍ମନିଷ୍ଠ ।
ଦଶଭୁଜାଙ୍କ ଦର୍ଶନ,
ଭକ୍ତିରେ କଲେ ବନ୍ଦନ ହେ ।୩୩।
ଭ୍ରମି ବଙ୍ଗେ ନାନା ସ୍ଥାନ,
କାଳିଙ୍କି କଲେ ଦର୍ଶନ ।
ମସ୍ତକରେ ସଦାଚାରୀ,
ଢାଳିଥିଲେ ଗଙ୍ଗାବାରି ହେ ।୩୪।
ବୁଲି ଦେଶ ଉପଦେଶ,
ପାଇଲେ ଧର୍ମ ସନ୍ଦେଶ ।
ଈଶ୍ୱର ଭାବେ ମଗନ,
ସଦା ଯୋଗୀଙ୍କର ମନ ହେ ।୩୫।
ଭାଗ୍ୟବଳେ ଯୋଗୀବର,
ଶ୍ରୀକ୍ଷେତ୍ର ହେଲେ ଆବର ।
ଶ୍ରୀ ଜଗନ୍ନାଥ ଦେଖିଲେ,
ମହାପ୍ରସାଦ ପାଇଲେ ହେ ।୩୬।
ମନେ ମନେ କଲେ ଧ୍ୟାନ,
ଜଗଦୀଶ ମୋର ମାନ ।
ରକ୍ଷା ପାଇଁ ଦେଶେ ସ୍ଥାନ,
ଦେବ ଏହି ନିବେଦନ ହେ । ୩୭।
ଉତ୍କଳଦେଶେ ଭ୍ରମିଲେ,
କୋଣାର୍କକ୍ଷେତ୍ର ଦେଖିଲେ ।
ଚନ୍ଦ୍ରଭାଗା ତୀର୍ଥ ଯାଏ,
ଗମିଲେ ନିର୍ଭୟ କାୟେ ହେ ।୩୮।
ଏକାମ୍ରକାନନେ ଆସି,
ଦେଖ୍ଥିଲେ ପୀଠ ରାଶି ।
ରମଣୀୟ ଖଣ୍ଡଗିରି,
ଖାଇଥିଲେ ଖଣ୍ଡକ୍ଷୀରି ହେ ।୩୯।
ଦେଖିଲେ ବିରଜା ଧାମ,
ଉତ୍କଳ ଶିଳ୍ପୀଙ୍କ କାମ ।
କଲେ ବୈତରଣୀ ସ୍ନାନ,
ବରାହପୀଠେ ଗୋଦାନ ହେ ।୪୦।
ବଳଭଦ୍ର ରୂପ ଦେଖି,
ଗୋପୀନାଥଙ୍କୁ ନିରେଖି ।
ଶାଳନ୍ଦୀ ଅବଗାହନେ,
ତୃପ୍ତିଲାଭ କଲେ ମନେ ହେ ।୪୧।
କପିଳାସେ ରଷିବର,
ଦେଖିଲେ ଚନ୍ଦ୍ରଶେଖର ।
ପୟୋମୃତ ଜଳପାନେ,
ଶୀତଳତା ହେଲା ପ୍ରାଣେ ହେ ।୪୨।
ଥରେ କଟକନଗରେ,
ଥିଲେ ଏକ ଗୃହୀ ଘରେ ।
ନାନକଙ୍କ ଆଗମନ,
ବାରତା ଥିଲା ସ୍ମରଣ ହେ ।୪୩।
ହୋଇଲେ ଅନୁସନ୍ଧାନୀ,
ନାନକପୀଠକୁ ଜ୍ଞାନୀ ।
କାଳିଆବୋଦା ପାଇଲେ,
ମନେ ସାନ୍ତ୍ୱନା ଲଭିଲେ ହେ ।୪୪।
ସେ ସ୍ଥାନେ ଆସ୍ଥାନ କରି,
ରହିଲେ ପ୍ରଭୁ ସୁମରି ।
ତାହାଙ୍କ ଅବସ୍ଥତିରୁ,
ସୁବର୍ଣ୍ଣ ଜାତ କ୍ଷିତିରୁ ହେ ।୪୫।
ପୀଠ ହେଲା ମନୋହର,
ମିଳନେ ସାଧୁ ସନ୍ଥର ।
କରିଦେଲେ ଧର୍ମଶାଳା,
ପକାଘର ଏକତାଲା ହେ ।୪୬।
ନଥିଲା ଅର୍ଥ ଅଭାବ,
କରୁଥିଲେ ଲୋକେ ଠାବ ।
ମଣିଅର୍ଡ଼ରରେ ଧନ,
ଆସେ ପାଶେ ଅଗଣନ ହେ ।୪୭।
ଅତି ଚମତ୍କାର ବାଣୀ,
ଶୁଣନ୍ତୁ ସକଳପ୍ରାଣୀ ।
ସାଧୁସନ୍ଥ ପ୍ରବେଶିଲେ,
ପାଶରେ କିଛି ନଥିଲେ ହେ ।୪୮।
କାହୁଁ କାହୁଁ ମିଳେ ଆସି,
ଦୁଧ ଘିଅ ଅଟାରାଶି ।
ଆଣି ସୁଖେ ଯଜମାନେ,
ଦେଇଯାନ୍ତି ପୀଠସ୍ଥାନେ ହେ ।୪୯।
କାହା ଅଭାବ ଦେଖିଲେ,
ଦାନ ଧ୍ୟାନ କରୁଥିଲେ ।
ନିର୍ଲୋଭରେ ସାଧୁସେବା,
ଲାଗିଥାଏ ନେବା ଦେବା ହେ ।୫୦।
ନାନାସ୍ଥାନ ଯୋଗୀଜନେ,
ଆଳାପିଲେ ଶୁଦ୍ଧମନେ ।
ସ୍ୱାମୀଙ୍କର ଉପଦେଶେ,
ଯଶ ଉଡ଼େ ଦେଶେ ଦେଶେ ହେ ।୫୧।
ପ୍ରାତଃସ୍ନାନ ଶୀଘ୍ର କରି,
ଇଷ୍ଟଦେବତା ସୁମରି ।
ବସନ୍ତି ନିମଗ୍ନ ମନେ,
ଗାଦିରେ ଯୋଗ ଆସନେ ହେ ।୫୨।
କରନ୍ତି କଦା ଶୟନ,
ନ ଜାଣନ୍ତି କେହି ଜନ ।
ବଡ଼ ସରଳ ସ୍ୱଭାବ,
ସେ ଦେବଭାବ ମାନବ ହେ ।୫୩।
ଭାଷାଜ୍ଞାନ ବହୁତର,
ଲଭିଥିଲେ ଯୋଗୀବର ।
ସଂସ୍କୃତ, ହିନ୍ଦୀ, ଉଜ୍ଜଳ,
ଗୁରୁମୁଖୀରେ ପ୍ରବଳ ହେ ।୫୪।
ବଙ୍ଗଳାର ଭାଷା ଯେତେ,
ତାମିଲ, ତୈଲଙ୍ଗ କେତେ ।
ହୋଇଥିଲେ ଅଧକାରୀ,
ଗ୍ରନ୍ଥପଠନେ ଆଚାରୀ ହେ ।୫୫।
କଟକେ ପୂର୍ବକାଳରେ,
ଥିଲେ ବିମିସ ନାମରେ ।
ଏକ ବିଜ୍ଞ ମାଜିଷ୍ଟର,
ଭାଷାରେ ଥିଲା ଆଦର ହେ ।୫୬।
ବାହାଗୁରୁଙ୍କୁ ଡକାଇ,
ଆଦରେ ଗୃହେ ବସାଇ ।
ତାଙ୍କଠାରୁ ଭାଷା ଶିକ୍ଷା,
କରୁଥିଲେ କେତେ ଦୀକ୍ଷା ହେ ।୫୭।
ସ୍ୱାମୀକି ଚିହ୍ନିବା ପାଇଁ,
ବିମିସ ମନରେ ଧ୍ୟାଇ ।
ଦୁଇ ତୋଡ଼ା ଟଙ୍କା ଆଣି,
କହିଲେ ଏମନ୍ତ ବାଣୀ ହେ ।୫୮।
ଆପଣ ଏହାକୁ ନିଅ,
ମଠଠାରେ ରଖିଦିଅ ।
ଇଚ୍ଛା ଅଛି ଯେବେ ସତେ,
ନକର ଗୋପନ ମତେ ହେ ।୫୯।
ସ୍ୱାମୀ ଏକ ମୁଦ୍ରା ଧରି,
ହସ୍ତରେ ମର୍ଦ୍ଦନ କରି ।
ବିମିସଙ୍କୁ ସମ୍ବୋଧନ,
କରି କହିଲେ, ଏସନ ହେ ।୬୦।
ହେ ସାହେବ ମହୋଦୟ,
ଯେ ଦ୍ରବ୍ୟ ପରଶେ କ୍ଷୟ ।
ହେଉଛି ଶରୀର କାନ୍ତି,
କାଳିମା ପ୍ରକାଶେ ଭାତି ହେ ।୬୧।
ହସ୍ତେ ଦୁର୍ଗନ୍ଧ ଉଠର,
ପ୍ରୟୋଜନ କିସ ତହିଁ ।
ସ୍ୱାମୀଙ୍କ ମୁଖ ନିର୍ଗତ,
ବଚନ ଶୁଣି ଏମନ୍ତ ହେ ।୬୨।
ସାହେବ ହେଲେ ବିସ୍ମିତ,
ଜାଣିଲେ ଯୋଗୀଙ୍କ ଚିତ୍ତ ।
କେଡ଼େ ନିର୍ଲୋଭ ନିର୍ମଳ,
ଏହାଙ୍କର ହୃଦସ୍ଥଳ ହେ ।୬୩।
ବିଶେଷ ହୋଇଲେ ପ୍ରୀତ,
ଭାବିଲେ ଅତ ଚକିତ ।
ହୋଇ ଚିତ୍ରାର୍ପିତ ପ୍ରାୟ,
ପଡ଼ିଲା ସ୍ୱାମୀଙ୍କ କାୟ ହେ ।୬୪।
ତାହାଙ୍କ ଯୁଗ୍ମଲୋଚନ,
ଉଦିଲା କି ଭାବମାନ ।
ପ୍ରକୃତ ଏହି ବିରାଗୀ,
ଅଟନ୍ତି ବିଷୟତ୍ୟାଗୀ ହେ ।୬୫।
ସେହି ଦିନରୁ ମନରେ,
ସାହେବ ଭକ୍ତି ଭାବରେ ।
ସ୍ୱାମୀଙ୍କର ସମାଦର,
କରନ୍ତି ଅଧିକତର ହେ ।୬୬।
ଆରତି ସମୟେ ଜ୍ଞାନୀ,
ଉଚ୍ଚରବେ କରି ବାଣୀ ।
ବୋଲନ୍ତି ପରମେଶ୍ୱର,
ଏ ବିଶ୍ୱ ଅଟେ ତୁମ୍ଭର ହେ ।୬୭।
ରବି ଅଶୀ ତରାଗଣ,
କରିଛ ତୁମ୍ଭେ ନିର୍ମାଣ ।
ତବ ଆରତି କାରଣ,
ଆଲୋକ କରନ୍ତେ ଦାନ ହେ ।୬୮।
ଷଡ଼ ରତୁ ଆସି ଯାଏ,
ଦିନ ରାତି ସଦା ଧାଏଁ ।
ସ୍ରୋତସ୍ୱତୀ ନଦୀ ଗତି,
ତବ ଗୁଣ ପ୍ରକାଶନ୍ତିହେ ।୬୯।
ମୁଖନିଃସୃତ ବଚନ,
କରନ୍ତ ଶଙ୍ଖବାଦନ ।
ନାନାବିଧ ବନଫୁଲ,
ମଣ୍ଡଣିକି କିବା ତୁଲ ହେ ।୭୦।
ମଳୟପବନ ଧୀରେ,
ଧୂପ ଦିଏ ସମୀପରେ ।
ସକଳେ ମିଳି ଆରତି,
ସଦା ନିୟୋଗେ କରନ୍ତ ହେ ।୭୧।
ନାନକ ଚାତକ ଚାହିଁ,
ଅଛି କୃପାବାରି ପାଇଁ ।
ପାଦପଦ୍ମ ମକରନ୍ଦ,
ପାଇଲେ ହେବ ଆନନ୍ଦ ହେ ।୭୨।
ପ୍ରଭୁନାମେ ମିଶି ବାସ,
କରିବାକୁ ମୋର ଆଶ ।
ଏବିକିଟି ନିବେଦନ,
ହେବ ଏଥିରେ କାରଣ ହେ ।୭୩।
ଏହି ସ୍ତୁତି ପାଠ କରି,
ଭକ୍ତିରେ ଆରତି ସାରି ।
ପାଶେ ଥିବା ଲୋକ ଜନେ,
ପ୍ରସାଦ ସରଳ ମନେ ହେ ।୭୪।
କରିଥାନ୍ତି ବିତରଣ,
ଯେ ପାଏ ପ୍ରସନ୍ନମନ ।
ଯାହାକୁ ଦିଅନ୍ତି ଯାହା,
ତୃପ୍ତିକର ହୁଏ ତାହା ହେ ।୭୫।
ଅପୂର୍ବ କଥାଏ ଥରେ,
ଶୁଣିଛି ମୁହିଁ କର୍ଣ୍ଣରେ ।
କେତେ ଭଦ୍ରଲୋକ ଥରେ,
ମିଳି ଯୋଗୀଙ୍କ ପାଶରେ ହେ ।୭୬।
କଡ଼ାଭୋଗ ମାଗିଥିଲେ,
ଆନନ୍ଦେ ଯୋଗୀ ଯାଚିଲେ ।
ଅଳପ ଥିଲା ପାଶର,
ଦେଲେ ତାହାଙ୍କ ହସ୍ତର ହେ ।୭୭।
କଲେ ଚାରିଭାଗେ ଗୁଳା,
ଖାଇ ଗୋଟି ଗୋଟି ପୁଳା ।
ପେଟ ଭରିଲା ତାଙ୍କର,
ମଣିଲେ କି ଚମତ୍କାର ହେ ।୭୮।
ସିଦ୍ଧ ଯୋଗୀଙ୍କ ମହିମା,
ଚିନ୍ତିଲେ ଗୁଣ ଗାରିମା ।
ଜଗତେ କଲେ ପ୍ରଚାର,
ବାହାଗୁରୁଙ୍କ ଆଚାର ହେ ।୭୯।
ବାହାଗୁରୁଙ୍କ ଚରିତ,
ଶୁଣି ଦେହ ରୋମାଞ୍ଚିତ ।
ମରଣର ପୂର୍ବକାଳେ,
ଶିଷ୍ୟଙ୍କୁ ଡାକି ସକାଳେ ହେ ।୮୦।
କହିଲେ ଏହି ବଚନ,
ଆହେ ପ୍ରିୟ ଶିଷ୍ୟଗଣ ।
ରହିଥାଅ ସାବଧାନ,
ଛାଡ଼ିବୁ ଏ ମର୍ତ୍ତ୍ୟସ୍ଥାନ ହେ ।୮୧।
ମୁଖେ କହି ମୃଦୁବାଣୀ,
ଉପକରଣକୁ ଆଣି ।
ରଖାଇଲେ ଶିଷ୍ୟମାନେ,
ସକଳ ବିଧି ବିଧାନେ ହେ ।୮୨।
ଯୋଗାସନେ ମୁନିବର,
ବସିଲେ ହୋଇ ତତ୍ପର ।
ସକଳ କଳ୍ମଷ ପୋଛି,
ବାୟୁକୁ ଦେଲେ ସଙ୍କୋଚି ହେ ।୮୩।
କ୍ରମେ କ୍ରମେ ଚାହୁଁ ଚାହୁଁ,
ଛାଡ଼ିଗଲା ପ୍ରାଣବାୟୁ ।
ଆରୋହି ସ୍ୱର୍ଗ ବିମାନେ,
ଆତ୍ମା ଚଳିଲା ଗଗନେ ହେ ।୮୪।
ଦେଖିଲା ଶୁଣିଲା ଜନ,
କଲେକ ଅଶ୍ରୁ ପତନ ।
ପଡ଼ିଗଲା ହାହାକାର,
ହୋଇଲା ରାଜ୍ୟେ ପ୍ରଚାର ହେ ।୮୫।
ବହୁଲୋକ ହୋଇ ଠିଆ,
କଲେ ସେ ଅନ୍ତ୍ୟେଷ୍ଟିକ୍ରିୟା ।
ଯୋଗୀଙ୍କ ସମାଧି ସ୍ଥାନ,
ରହିଅଛି ଦୀପ୍ୟମାନ ହେ ।୮୬।
ଅଠରଶ ଦି-ଶାଲର,
ଜନ୍ମିଥିଲେ ଯୋଗୀବର ।
ସାଲ ଊଶିଶ୍ଚ ସପ୍ତମେ,
ଚଳିଲେ ଅମର ଧାମେ ହେ ।୮୭।
ଏକଶ ପଞ୍ଚବରଷ,
କଲେ ମର୍ତ୍ତ୍ୟପୁରେ ବାସ ।
କରି ପ୍ରଭୁ ଆରାଧନା,
ଧନ୍ୟ ସେ ଉନ୍ନତମନା ହେ ।୮୮।
ଏପରି କାହା ଭାଗ୍ୟରେ,
ଘଟୁଅଛି ଚରାଚରେ ।
ହୋଇ ନଥିଲେ ସଂସାରୀ,
ଥିଲେ ପରଉପକାରୀ ହେ ।୮୯।
ତବ ସ୍ନେହ ଆଳାପନ,
ହୁଏ ସ୍ମୃତି ଜାଗରଣ ।
ସୌମ୍ୟମୂରତି ତୁମ୍ଭର,
ଚିତ୍ରିତ ଅଛି ହୃଦର ହେ ।୯୦।
ତୁମ୍ଭର ସ୍ୱର୍ଗାରୋହଣ,
ଆମ୍ଭଙ୍କୁ ବଜ୍ରପତନ ।
ସୁଗୁଣମାନ ସୁମରି,
ଝୁରି ଝୁରି ଯିବୁ ତରି ହେ ।୯୧।
ବିଶେଷେ କଟକୀ ଜନ
ତୁମ୍ଭ ଅଭାବେ କ୍ରନ୍ଦନ ।
କରୁଛନ୍ତି ରାତି ଦିନ,
ଶ୍ରୀମୁଖ କାନ୍ତି ମଳିନ ହେ ।୯୨।
ଆଉ କି ସାକ୍ଷାତ ଥରେ,
ଘଟିବ ଏ ଜୀବନରେ ।
ଯୋଗୀବର ସ୍ୱପ୍ନେ ଦେଖା,
ଥରେ ଥରେ ଦେବ ଏକା ହେ ।୯୩।
ଏତିକି ମୋର ମାଗୁଣି
ରହିବୁ କୃତଜ୍ଞ ଋଣୀ ।
ତବ ସୁକୃତ ଅପାର,
ପୀଠ ଥିବ ପରିଷ୍କାର ହେ ।୯୪।
ପାଇ ସୁରପୁର ଧାମ,
ସୁଖରେ ଯୋଗୀ ସତ୍ତମ ।
କରିବ ଅମୃତ ପାନ,
କାଳେ କାଳେ ଥିବ ମାନ ହେ ।୯୫।
ଆମ ପାଇଁ ପଦେ ପଦେ,
ପ୍ରଭୁଙ୍କ ପଦ ପଙ୍କଜେ ।
କରୁଥିବ ନିବେଦନ,
ଦୟା ଦାକ୍ଷିଣ୍ୟ ସାଧନ ହେ ।୯୬।
ଏ ଦେଶେ ଶାରଦ ଧାନ,
ପ୍ରଚୁର ହେବା ବିଧାନ
ବସି ଦେବସଭା ପାଶ,
କରିବ ଆଇନ ପାଶ ହେ ।୯୭।
ଏ ଦେଶୀ ରାଜାଙ୍କ ମତି,
ସୁମାର୍ଗେ କରିବ ଗତି ।
ପ୍ରଜା ମଙ୍ଗଳ ସାଧନ,
ଶାନ୍ତି କରିବେ ସ୍ଥାପନ ହେ ।୯୮।
ଗୁଣ୍ଡୁଚୀଶ୍ୱର
ଗୁଣ୍ଡୁଚୀମୂଷା ଚରିତ,
ତୁମ୍ଭଙ୍କୁ ଅଛି ବିଦିତ ।
ରାବଣ ସୀତା ଆଣିଲା,
ଗୁଣ୍ଡୁଚି ଏହା ଶୁଣିଲା ହେ ।୧।
ରାମ ଦୁଃଖେ ହୋଇ ଦୁଃଖୀ
ମନରେ ହେଲା ଅସୁଖୀ
ବାନର ସୈନ୍ୟଙ୍କ ବଳେ,
ସେତୁ ବନ୍ଧା ହେଲା କାଳେ ହେ ।୨।
ମୁଖେ ନେଇ ସୂକ୍ଷ୍ମ ବାଲି,
ବନ୍ଧେ ଦେଉଥିଲା ଚାଲି ।
ଶ୍ରୀରାମଚନ୍ଦ ଦେଖିଲେ,
ପିଠିକି ଆଉଁସି ଥିଲେ ହେ ।୩।
କି ସୁନ୍ଦର ତିନି ଗାର
ପୃଷ୍ଠରେ ଅଛି ତାହାର ।
ମୂଷିକ ଅନୁକରଣେ,
ତୁମ୍ଭେ ରହିଲ ବରଣେ ହେ ।୪।
ବାଲିବନ୍ଧ ପାଶ ଧରି,
ରହିଲ ତ୍ରିପୁରଅରି ।
ପ୍ରଭୁ ଶ୍ରୀ ଗୁଣ୍ଡୁଚୀଶ୍ୱର,
ବିପଦ ବେଗେ ସଂହର ହେ ।୫।
ବାଙ୍କନିଧି ବା ବାଙ୍କନାଥ
ବାଙ୍କନିଧି ବାଙ୍କନାଥ,
ଶତବାର ନତମାଥ ।
ତବ ଯୋଗେ ବାଙ୍କେଶ୍ୱର,
ନାମ ହୋଇଛି ଗ୍ରାମର ହେ ।୧।
ଲିଙ୍ଗ ଶକ୍ତିମଧ୍ୟଗତେ,
ଊର୍ଦ୍ଧ୍ୱେ ନାହଁ ଦୃଷ୍ଟିପଥେ ।
ଗଭୀରରେ ବିଦ୍ୟମାନ,
ଗୁପ୍ତେ ଅଛ ତ୍ରିଲୋଚନ ହେ ।୨।
ସୁରଭା ନଦୀର କୂଳ,
ଅଛି ଦେଉଳ ମଞ୍ଜୁଳ ।
ହେ ପ୍ରଭୁ ହିରଣ୍ୟଗର୍ଭ
ତବ ଯୋଗେ ମୋର ଦମ୍ଭ ହେ ।୩।
ପୂର୍ବେ ପଟିଆ ରାଜନ,
ଭୂସମ୍ପତ୍ତି କଲେ ଦାନ ।
ଦିଅଁପଡ଼ା ଗ୍ରାମ ଖଣ୍ଡି,
ତୁମ୍ଭର ରହିଛି ଗଣ୍ଡି ହେ ।୪।
ପୂଜାବିଧି ପରୀକ୍ଷିତ,
ପୂଜକ ଯେ ନିୟୋଜିତ ।
ବଡ଼ ପ୍ରତିଜ୍ଞା ଜାଗ୍ରତ,
କରିଅଛ ବାଙ୍କନାଥ ହେ ।୫।
ବାଁକିହୁଡ଼ା ବନ୍ଧତଟ,
ବଟଗୋସୋଁଇଙ୍କ ମଠ ।
ହୁଏ ମେଳା ମଉତ୍ସବ,
ବଢ଼ାଏ ତବ ଗୌରବ ହେ ।୬।
ପ୍ରବାଦ ଏମନ୍ତ ଶୁଣି,
ପୂର୍ବେ ବୁଢ଼ୀ ଗଉଡୁଣୀ ।
ତବ ମରଦନ ଦହି,
ବନ୍ଧବାଟରେ ଆଣଇ ହେ ।୭।
ତାହାର ସୁବିଧା ପାଇଁ,
ରାଜନ ବନ୍ଧ ବନ୍ଧାଇ ।
ଦେଇଥିଲେ ଭକ୍ତିଜ୍ଞାନେ,
ଆସିବାକୁ ସନ୍ନିଧାନେ ହେ ।୮।
ବହୁତ ବଟ ପାଦପ
ବଢ଼ାନ୍ତି ପୀଠର ଢପ* ।
ଲକ୍ଷ ବେଲପତ୍ରି ଆଣି,
ମଣ୍ଡନ୍ତି ସେବକ ପ୍ରାଣୀ ହେ ।୯।
ବହୁତ ଯେ ବଡ଼ରୋଗୀ,
ବେଢ଼ାକୁ ଆସନ୍ତ ଯୋଗୀ ।
କରି ତବ ଆରାଧନା,
ଯଶ କରନ୍ତି ଘୋଷଣା ହେ ।୧୦।
ଘାଉଡ଼ ହୋଇଲେ କାହିଁ,
ପାଟ ଅଗଣାକୁ ଧାଇଁ ।
ଆସନ୍ତି ଦୃଢ଼ ମଦାରେ* ,
ବଞ୍ଚାଅ ବଡ଼ ଶ୍ରଦ୍ଧାରେ ହେ ।୧୧।
ଚାରି ପାଶେ ଭକ୍ତଜନ,
ମାନଙ୍କୁ ମୋ ନିବେଦନ ।
ସକଳେ ମିଳି ଯତନେ,
ମୁକୁଶିଆଳି ଗଠନେ ହେ ।୧୨।
ଦେଇକରି ମନୋଯୋଗ,
ପ୍ରଭୁ କରିବେ ଉଦ୍ଯୋଗ ।
ଶେଷରେ ଏହି ପ୍ରାର୍ଥନା,
ଘେନିବ, ଉଡ଼ିବ ବାନା ହେ ।୧୩।
* ଢପ - ଆଡ଼ମର , * ମଦାରେ - ବିଶ୍ୱାସରେ