ମହାନ୍ଧକାର
ସ୍ୱଭାବ କବି · ୧୮୬୨–୧୯୨୪ · ରାଧାନାଥ ଯୁଗ
- ସଂକଳନ: ଅର୍ଘ୍ୟଥାଳୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୧୮
- ସ୍ଥିତି
- ସାର୍ବଜନୀନ (Public domain)
(୧)ଅନ୍ଧକାର ଅନ୍ଧକାର ଅନ୍ଧକାରରାଶି,ଅନନ୍ତ ଆକାରେ ଅଛି ଜଗତକୁ ଗ୍ରାସି ।ସଉର ଜଗତ ଦୀପ ଆମ୍ଭ ପ୍ରଭାକରଅନ୍ଧକାର ନାଶେ ମାତ୍ର ସୌର ଜଗତର ।ବିଶ୍ୱ ତୁଳନାରେ ଏହି ସଉର ଜଗତପୃଥ୍ୱୀ ତୁଲେ ଗୃହଟିରୁ ନ ହେବ ବୃହତ ।ପୃଥିବୀର ପୃଷ୍ଠେ ଅଛି ଯେତେ ଯେତେ ଘର,ତହିଁ ଦୀପ ଏକ ଏକ ତାରା ମନେକର ।ପ୍ରଥମ ନିଶାରେ ଉଠି ପର୍ବତ ଶିଖରେଦୃଷ୍ଟିପାତ କଲେ ଏକ ପ୍ରକାଣ୍ଡ ନଗରେ,ନଗର ଆଲୋକ ଯଥା ହୁଏ ଦୃଶ୍ୟମାନ,ଛାୟାପଥ ହୋଇପାରେ ସେ ଦୃଶ୍ୟ ସମାନ ।ଘୋର ଘନ ସମାଚ୍ଛନ୍ନ ଅମା ରଜନୀରେଅବଶିଷ୍ଟ ଅନ୍ଧକାର ଯେତେ ଅବନୀରେ,ତହୁଁ ବଳି ତମେ ପୂର୍ଣ୍ଣ ଅସୀମ ଗଗନ,ଅତି ଦୂରୁ ଦିଶୁଅଛି ସୁନୀଳ ବରଣ ।ବିଶ୍ୱ ଯଦି ହୋଇଥାନ୍ତା ଶୁଭ୍ରାଲୋକମୟ,ନ ଦିଶନ୍ତେ ରବି ଚନ୍ଦ୍ର ତାରକାନିଚୟ ।ପର୍ବତେ ଜଳଇ ବହ୍ନି ଦିଶଇ କି ଦିନେ,ନ ଦିଶେ ତେଜସ୍ୱୀ-ତେଜ ତିମିରବିହୀନେ ।କି ସୂର୍ଯ୍ୟ କି ତାରା ସର୍ବେ କ୍ଷୟର ଅଧୀନ,କାଳେ ମହା-ଅନ୍ଧକାର-ଗର୍ଭେ ହେବେ ଲୀନ ।(୨)ଅଙ୍ଗାରଗରଭେ ଯଥା ହୀରକ ଜନମ,ତମୋଗର୍ଭେ ଜନମିବା ଜ୍ୟୋତିଷ୍କଧରମ ।ଜାତର ମରଣ ସର୍ବେ କରନ୍ତି ସ୍ୱୀକାର,କିଏ ନ ବୋଲିବ ତେବେ ନିତ୍ୟ ଅନ୍ଧକାର ?ତମୋମୟ ମହାକାଶେ ସୁପ୍ରକାଶମାନଆକାଶ, ମରୁତ, ବହ୍ନି, ଜଳ, ଭୂମିମାନ,ଆକାଶ ବହିଛି ସେହି ତିମିରବରଣ,ମରୁତେ ତିମିର କାନ୍ତି ହୋଇଛି କ୍ଷରଣ ।କୃଷ୍ଣ ଅର୍ଚ୍ଚିନାମ ନିଜେ ବହିଛି ଅନଳ,ନୀଳ ଦିଶେ ସ୍ୱଚ୍ଛସିନ୍ଧୁ, ସରିତର ଜଳ ।ଭୂମିର ଗରଭେ ବିଲେ ଭୂଧର କନ୍ଦରେନିତ୍ୟ ଅନ୍ଧକାର, ଲୁଚି ନାହିଁ ସୂର୍ଯ୍ୟ ଡରେ ।ରବି କରେ ଅଛି ନୀଳ ବର୍ଣ୍ଣେ ଅନ୍ଧକାର,ତରୁ ତୃଣ ଶ୍ୟାମଳତା ତାହାର ବିକାର ।ଆଲୋକେ ଦିଶଇ ସବୁ ଅନିତ୍ୟ ବରଣ,ତମଃ କୃଷ୍ଣବର୍ଣ୍ଣ ନିତ୍ୟ ଜଗତଶରଣ ।ଜ୍ୟୋତିଙ୍କ ଜନମଦାତା ସର୍ବ ତମୁପର,ଏକ ମହାଜ୍ୟୋତିର୍ମୟ ପରମ ଈଶ୍ୱର ।[୧୯୧୭ ଜୁନ୍, ଉତ୍କଳ ସାହିତ୍ୟ]
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର