ଗର୍ବ
ସ୍ୱଭାବ କବି · ୧୮୬୨–୧୯୨୪ · ରାଧାନାଥ ଯୁଗ
- ସଂକଳନ: ଅର୍ଘ୍ୟଥାଳୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୯୧
- ସ୍ଥିତି
- ସାର୍ବଜନୀନ (Public domain)
ଗର୍ବ ବୋଲେ, ମୁହିଁ ଏକା ଶ୍ରେଷ୍ଠତମ ଭବେକ୍ଷୁଦ୍ର ହୋଇଥାଏ ବଡ଼ ମୋ’ କୃପାବିଭବେ ।ଅତି କ୍ଷୁଦ୍ର ହୃଦେ ଯେବେ କରେଁ ଅଧିଷ୍ଠାନ,ଦେଖଇ ସେ ଜଗତକୁ ନିଜଠାରୁ ସାନ ।ଘୁଷୁରି ଉପରେ ବସି ମୋହର ଭକତ,ରଜାରୋହୀଠାରୁ ମଣେ ନିଜକୁ ଉନ୍ନତ ।ବସିପାରେଁ ଯଦି ଯାଇ ଗଜାରୋହୀ ହୃଦେ,ଐରାବତାରୂଢ଼ ଇନ୍ଦ୍ର କରେଁ ତାକୁ ମୁଦେ ।ମୁଁ କରାଇପାରେଁ ଯା’କୁ ବର୍ଣ୍ଣ ପରିଚୟ,ନିଜକୁ ସେ ସୁପଣ୍ଡିତ ମଣିବ ନିଶ୍ଚୟ ।ପଢ଼ାଇ ପାରିବି ଯା’କୁ କାବ୍ୟ ଖଣ୍ଡେ-ଅଧେ,ବସିବାକୁ ବାଞ୍ଛଇ ସେ ବୃହସ୍ପତି ପଦେ ।ଲେଖାଇ ପାରିଲେ ପଦ ଯୋଡ଼ି ମିତ୍ରାକ୍ଷର,ମଣାଇବି ଶୁକ୍ରଠାରୁ କବି ଶ୍ରେଷ୍ଠତର ।ଦରିଦ୍ର କରିବ ଯେବେ ମୋ’ ପଦେ ଭକତି,ମଣିବ ସେ ତାକୁ ସମ୍ ନୁହେ କୋଟିପତି ।ଅଳ୍ପବିତ୍ତ ହୃଦେ ମୋର ହେଲେ ଅଧିଷ୍ଠାନ,ମଣିବ ସେ ଆପଣାକୁ କୁବେର ସମାନ ।ସମସ୍ତେ ବୋଲନ୍ତି ବଡ଼ ଧନଠାରୁ ମନ,ମନ ବଡ଼ ହୁଏ କଲେ ମୋ’ ପଦ ଭଜନ ।ମୋହର ଚରଣ ସେବି ଗ୍ରାମାଧୀଶମାନେ,ମଣ୍ଡିଥାନ୍ତି ଆପଣାକୁ ଭୂପତି ସମ୍ମାନେ ।ମୁକୁଟ ପରାଏ ମୁହିଁ ମଣ୍ଡେ ଯା’ର ମଥା,ସାନ ମୁଖେ କହିଥାଏ ବଡ଼ ବଡ଼ କଥା ।ନ ଶୁଣେ ଅନ୍ୟର କଥା ମୂଲ୍ୟହୀନ ଜାଣି,ଯାହା ଜାଣେ ହୋଇଥାଏ ତହୁଁ ବଡ଼ ଜ୍ଞାନୀ ।ହିମାଚଳଚୂଡ଼ା ଜିଣି ଉନ୍ନତ ମୋ’ ଶିର,ହୃଦୟ ମୋହର ମହାସାଗରୁ ଗଭୀର ।ମୋତେ ଭଜି ମୋର ଯୋଗ୍ୟ କର୍ମ ଯେହୁ କରେ,ଶିରେ ବହି ଟେକେ ତାକୁ ଉନ୍ନତିଶିଖରେ ।ମୋ’ ଗରଭେ ମଜ୍ଜି ଯେହୁ ହୁଏ କର୍ମହୀନ,ଅତଳ ଗଭୀରେ ପଡ଼ି ହୋଇଯାଏ ଲୀନ ।[୧୯୧୮ ଜାନୁଆରୀ, ‘ଉତ୍କଳ ସାହିତ୍ୟ’][୧୯୧ ଜୁଲାଇ, ‘ସମ୍ୱଲପୁର-ହିତୈଷିଣୀ’]
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର